ଛବିର ନାଁ ଆକାଶ

(୧)

        ସନ୍ଧ୍ୟା ପାଇଁ ସଳିତା ବଳିବା ବେଳେ ବୋଉ ଡାକ ପକାଉଥିଲା ରୁବିକୁ, “ଘିଅ ଶିଶିଟା ଦେଇଗଲୁ!”

        ଘିଅ ଶିଶି ବୋଉ ପାଖରେ ଥୋଇ ଦେଇ, ଗୋଟେ ଖେପାରେ ସେଠୁ ଦଉଡି ଯାଇ ରୁବି ଉଠିଲା ବାରଣ୍ଡାରେ। ଜେଜି ହାଁ….ହାଁ କରୁ କରୁ, ରୁବି ଟିକେ ପଛକୁ ବୁଲି, ତାକୁ ଖତେଇ ହୋଇ, ବିଜୁଳି ବେଗରେ ଛୁଟିଗଲା। ବାରଣ୍ଡାରୁ ପାହାଚ ଆଉ ପୁଣି ବାରଣ୍ଡା, ଗୁଣ୍ଡୁଚି ମୂଷା ଭଳିଆ ଏପଟ ସେପଟ ହେଉଥାଏ ସେ। ମଝିରେ ମଝିରେ ଏକା ଲୟରେ ଚାହୁଁଥାଏ ବାପା ଯେଉଁ ପଟୁ ଅଫିସରୁ ଫେରନ୍ତି ସେଇ ବାଟକୁ। ଘର ଭିତରକୁ ଦଉଡି ଆସି ବୋଉକୁ ପଚାରିଦେଉଥାଏ, “ବାପା ଆସିବା ବେଳ ହୋଇନି?”……ଆଉ ପୁଣି ଦୌଡ଼ି ଯାଉଥାଏ ବାରଣ୍ଡାକୁ। ଗୋଟେ ପ୍ରକାର ଅଣନିଶ୍ବାସୀ ହୋଇ ଗଲାଣି ଅପେକ୍ଷାରେ ସେ। ହାତରେ ଗୋଟିଏ ଗୋଡି ଧରି ବାରଣ୍ଡା ପକ୍କାକୁ ଗାରଉଥାଏ ରୁବି। ରମା ଭାଇ ତା’ କ୍ରିକେଟ ବ୍ୟାଟ୍ ଆଉ ଲେଗ୍ ଗାର୍ଡ ଧରି ପାହାଚ ଚଢିଲା। ଘର ଭିତରକୁ ପଶିବା ଆଗରୁ ପଚାରିଲା, “ପିଣ୍ଡାରେ କାଇଁ ବସିଛୁ?”

         ପିଣ୍ଡା ତଳକୁ ଓହଳି ପଡିଥିବା ତା’ ଗୋଡ ଦି’ଟା କୁ ସେମିତି ପୂର୍ବ ଭଳି ହଲେଇ ହଲେଇ ରୁବି କହିଲା, “ବାପା ଆଜି ମୋ ପାଇଁ କଲର୍-ବକ୍ସ, ତୁଳୀ ଆଉ ଡ୍ରଇ° ଖାତା ଆଣିବେ। ତୋ’ ଜନ୍ମଦିନରେ ତୋତେ ଏଥର କ୍ରିକେଟ ବ୍ୟାଟ୍ ଦେଇଥିଲେ। ମୋ’ ପାଇଁ ଏଥର କଲର-ବକ୍ସ। ଫ୍ୟାବର୍ କ୍ୟାସେଲ୍ର। ମୁଁ ବଡ ହେଲେ ଅମ୍ରିତା ସେରଗିଲ୍ ହେବି।”

         ବାପା ଅଫିସରୁ ଫେରି, ଦାଣ୍ଡଘର ସୋଫାରେ ବସି ଚା’ ପିଉ ପିଉ ଟିଭିରେ ଖବର ଦେଖୁଥିଲେ। ସେଇଠି ତଳେ ଗୋଟେ ସପ ପାରି, ଗୋଡ଼ ଦି’ଟାକୁ ଲମ୍ବେଇ ଦେଇ, ତା’ ପାନ ବଟାଟାକୁ ଧରି ଗୁଆ କାଟୁଥାଏ ଜେଜି। ବୋଉ ସ୍କ୍ରିନଟାକୁ ଟେକି ଦେଇ ଦୂଆର ପାଖକୁ ବସି ରାତି ରୋଷେଇ ପାଇଁ ପରିବା କାଟୁଥାଏ ଆଉ ମଝିରେ ମଝିରେ ରୋଷେଇ ଘର ଆଡକୁ ଅନାଉ ଥାଏ। ପଢା ଘର ଭିତରେ ବହିକୁ ଏକ ଲୟରେ ଅନେଇ ବସିଥିଲେ ବି ରୁବିକୁ ଏସବୁ ସ୍ପଷ୍ଟ ଦିଶୁଥାଏ। ଆଉ ଦିଶୁଥାଏ ବି ଦାଣ୍ଡଘର ଟେବଲ୍ ଉପରେ ରଖା ହୋଇଥିବା ବାପାଙ୍କ ଅଫିସ ବ୍ୟାଗ୍। ହଁ…..ଖୋଲା ହୋଇ ନଥାଏ ଏପର୍ଯ୍ୟନ୍ତ। ରୁବି କାନ ଆଉ ମନ ଖାଲି ବାପାଙ୍କ ଡାକକୁ ଡେରି ଥାଏ!

ଖବର ଭିତରେ ଆର୍ଡ୍ଭଟାଇଜ୍ ଦେଲା ଆଉ ବାପାଙ୍କ ଡାକ ଶୁଭିଲା, “ରୁବି ତୋ ଜନ୍ମଦିନ ଉପହାରଟା ନେବୁନି କି?”

          ହାତ ବଢେଇଦେଲେ, ଯେତେ ଚଞ୍ଚଳ କଙ୍କିଟେ ଉଡିଯାଏ…. ତା’ଠୁ ବି ଜଲ୍ଦି ନିଜ ପଢା ଟେବଲ ପାଖରୁ ଉଠି ଆସିଲା ରୁବି। ବାପାଙ୍କ ଟିଫିନ୍ ବକ୍ସଟା ଧରି ରୋଷେଇ ଘର ଆଡ଼କୁ ଯାଉଥିବା ବୋଉ, ତାକୁ ଚାହିଁ ଟିକେ ହସିଦେଇ କହିଲା, “ଯା’ ଦେଖିବୁ ବାପା କ’ଣ ଆଣିଛନ୍ତି..”

         ବୋଉ କଥାର କୌଣସି ଉତ୍ସାହକୁ ଖାତିର ନକରି ରୁବି କହିଲା, “ମୁଁ ଜାଣିଛି!”

         ଦାଣ୍ଡଘର ଭିତରକୁ ରୁବି ପଶିଗଲା ବେଳକୁ ବାପାଙ୍କ ଆଖିଟା ସ୍ଥିର ଥାଏ ଟିଭି ପରଦା ଉପରେ। ଟି’ପୟ ଉପରେ ବାପାଙ୍କ ଅଫିସ ବ୍ୟାଗଟା ପେଟ ଖାଲି କରି, ନହକିକି ଠିଆ ହୋଇଥାଏ। ତା’ ପାଖରେ ସକାଳର ଖବରକାଗଜ। ରୁବି ବାପାଙ୍କ ପାଖକୁ ତରତରରେ ଗଲା ବେଳକୁ, ତା’ ବାଁ ହାତଟାକୁ ଟାଣି ଜେଜି କହିଲା, “ଆଆଆବା…. ପଚିଶ ଶ’ ଦେଇ ବାପା ତୋ’ ପାଇଁ କ’ଣ ଆଣିଚି ଦେଖ ଲୋ…”

          ରୁବି ଗୋଇଠି ପାଖରେ କ’ଣ ଗୋଟେ ସଲସଲ ଲାଗିଲା। ତଳକୁ ଚାହିଁଲା ବେଳକୁ ତା’ ପାଦରେ ଚିକମିକିଆ ରୁପା ପାଉଁଜୀଟେ ବାନ୍ଧୁବାନ୍ଧୁ ଜେଜି କହୁଥିଲା, “ଏଥର କେମିତି ଖରାବେଳିଆ ମୋତେ ଚଖମା ଦେଇ ଚୁପ୍ କିନା ଖସି ଯିବୁ ଦେଖିବା?”

         ଗତ ରାତିରେ, ରମା ଭାଇ ପଢି ଶୁଣାଇଥିବା ଗପର ଶେଷ ବାକ୍ୟ ଗୁଡା ହିଁ ରୁବି କାନରେ ବାରମ୍ବାର ଶୁଭି ଯାଉଥିଲା, “ଲୋ ରେବ….. ଲୋ ନିଆଁ…….ଲୋ ଚୁଲି……”

                             ()

       “କାମାକ୍ଷା” ଡାକ ଦେଇ,

          ସେମାନେ ରୋଜ-

          ମୋ’ ପାଖରେ ଅଧିଆ ପଡ଼ନ୍ତି !

          ପୁଣି ସେମାନଙ୍କର-

          କାମନାର ମୁନିଆ ନଖ ଆଉ ଦାନ୍ତ,

          ରୋଜ ଖିନଭିନ୍ କରେ ମୋତେ!!”

ବାସ୍ ଏଇ ଗୋଟିଏ ବାକ୍ୟ ଆଉ ରୁବି ସେଦିନ ୟୁନିଭର୍ସିଟି କବିତା ଆସରର ସବୁ କବି ଆଉ ତାଙ୍କ କବିତାକୁ ଭୁଲି ସୌମ୍ୟ ଆଡ଼କୁ ହିଁ ଚାହିଁକି ରହିଥିଲା। ସତେ ଯେମିତି କିଏ ମନ୍ତ୍ର ଫୁଙ୍କି, ଚକ୍ଷୁବନ୍ଧନ କରି ଦେଇଛି। ସୌମ୍ୟର କବିତା ରୁବି ମନରେ ବର୍ଷ ବର୍ଷ ଧରି ତା’ ବାପାଙ୍କ ପାଇଁ ଥିବା ଅଭିମାନ ଉପରେ ବି ମଲମ ଲଗାଇ ଦେଇଥିଲା।

          ୟୁନିଭର୍ସିଟି କ୍ୟାମ୍ପସ୍ ଭିତରେ ସୌମ୍ୟ ଆଉ ରୁବି ପ୍ରଜାପତି ଭଳି ଉଡିବୁଲିଲା ବେଳେ, ବେଳ ଅବେଳରେ ରୁବି କାନରେ ପଡେ, “ରୁବି ପରି ସୁନ୍ଦରୀର ହାତ ଧରିବା ପାଇଁ ହ୍ୟାଣ୍ଡସମ୍ ଟୋକାଟେ ଦରକାର ଥିଲା।”

          ରୁବି କାନ କି ମନ କିଛି ଦିଏନି ଏ କଥାକୁ। ସୌମ୍ୟର କବିତାର ଶବ୍ଦ ସବୁ ତାକୁ ପୃଥିବୀର ମୋଷ୍ଟ୍ ହ୍ୟାଣ୍ଡସମ୍ ମ୍ୟାନ୍ ପରି ଫିଲ୍ ହୁଅନ୍ତି। ଡିପାର୍ଟମେଣ୍ଟରେ କ୍ଲାସ୍ ଆଉ ପରୀକ୍ଷା ଛଡା ଚା’ ପିଇବା, ଛତା ତଳେ ବୁଲିବା, ସିନେମା ହଲରେ ଭିଲେନ୍ ମାଡ ଖାଇଲେ ତାଳି ମାରିବା ଆଉ ଖରାଛୁଟିରେ ଘରକୁ ବସ୍ ଧରିଲା ବେଳେ……ସବୁବେଳେ ସୌମ୍ୟ ଥାଏ ରୁବିର ପାଖେପାଖେ।

         ଶନିବାର ସନ୍ଧ୍ୟା ବୋଲି ରୁବି ଆଉ କନକ ସେଦିନ ଡିନର ପରେ, କମନ୍ ରୁମରେ ଫିଲ୍ମ ଦେଖିବା ପାଇଁ ବସି ଯାଇଥା’ନ୍ତି। ଫିଲ୍ମର ଗୋଟିଏ ଦୃଶ୍ୟରେ ଜଣେ ସୁନ୍ଦରୀ, ରୋଜଗାରକ୍ଷମ ସ୍ତ୍ରୀ ଉପରେ ବେରୋଜଗାରିଆ ସ୍ବାମୀଟିଏ ଅତ୍ୟାଚାର କରୁଥାଏ। ସ୍ତ୍ରୀ ଯେତେ ବୁଝେଇବା ପାଇଁ ଚେଷ୍ଟା କଲେ ବି ସ୍ବାମୀଟି ମନରୁ ନିଜ ସ୍ତ୍ରୀ ପ୍ରତି ଅସହିଷ୍ଣୁତା ବିଲକୁଲ୍ ଦୂର ହେଉ ନଥାଏ। ମୁହଁରେ ଭାରି ଗମ୍ଭୀର ଭାବ ନେଇ, ରୁବି ଆଡକୁ କନକ ଅନାଇ କହିଲା, “ଦୁନିଆର କୌଣସି ଯୁକ୍ତିଯୁକ୍ତ କଥା ମଣିଷ ମନରୁ ଇନଫେରିଏରିଟି କମ୍ପ୍ଲେକ୍ସ ଦୂର କରି ପାରେନା, ନା’?”

          ଏକଦମ୍ ଏତିକି କହିଥିଲେ ବି ରୁବି, କନକ କଥାର ଉଦ୍ଦେଶ୍ୟ ଠିକ୍ ବୁଝି ପାରିଥାଏ। କନକର ହାତକୁ ମୁଠେଇ ଧରି ସେ କହିଲା, “ନା’! ହେଲେ ପ୍ରେମ ଆଉ ସମର୍ପଣ କରିପାରେ! ସୌମ୍ୟର କବିତା କେବେ ଫୁରସତରେ ବସି, ଧ୍ୟାନ ଦେଇ ପଢିବୁ। ଦୁନିଆରେ ବୋଧେ ଜଣେ ନାରୀ ବି ଅନ୍ୟ ଜଣେ ନାରୀକୁ ଏତେ ନିବିଡ଼ ଭାବରେ ବୁଝି ପାରେନି, ଯେତିକି ସେ ବୁଝେ ନାରୀଟିଏର ମନକଥା ଆଉ ବ୍ୟଥା! ତା’ କବିତାର ପ୍ରତ୍ୟେକ ଶବ୍ଦ, ସତେ ଯେମିତି ନାରୀର ଜର୍ଜର, ବ୍ୟଥିତ ହୃଦୟର ଦର୍ପଣ! ଯେତିକି ସାବଲୀଳ ଢଙ୍ଗରେ ସେ ନାରୀ ଉପରେ ହେଉଥିବା ଅତ୍ୟାଚାର ଆଉ ବ୍ୟଭିଚାରକୁ କବିତାରେ ଫୁଟାଇ ପାରେ, ମୋତେ କାଇଁ ଆଉ କେହି ତା’ ସମକକ୍ଷ ଲାଗନ୍ତିନି! ରହ ତା’ କବିତା ସଙ୍କଳନ ଦେବି ତୋତେ। କାଲି ରବିବାର ପଢିବୁ ବସି।”

          “ଖାଲି ନାରୀ ନିର୍ଯାତନା ଆଉ ତା’ ବ୍ୟଥା ବିଷୟରେ ଲେଖେ ନା’ ଉପଚାର ବି କେବେ ଲେଖିଛି? ନାରୀ ଶରୀର ଆଉ ତା’ ଉପରେ ହେଉଥିବା ଅତ୍ୟାଚାରକୁ ବର୍ଣ୍ଣନା କରି, ସେ ବିଭତ୍ସତାରୁ ଆନନ୍ଦ ପାଉନି ତ? ପରଭଟେଡ୍ ପରି?” ଟିଭି ପରଦା ଉପରେ ନଜର ସ୍ଥିର ରଖି କହୁଥାଏ କନକ।

         “ତୁ ଖାଲି ସନ୍ଦେହ କରେ। ଆରେ ଆଗରୁ କୁହାଯାଇଛି ପରା ‘ଦିଲକୋ ଦେଖୋ, ଚେହରା ନା ଦେଖୋ’……ହୃଦୟକୁ ଦେଖିବା ପାଇଁ ପ୍ରେମର ଅଣୁବୀକ୍ଷଣ ଯନ୍ତ୍ର ଦରକାର ମ୍ୟାଡାମ୍!” ହସି ହସି ଉତ୍ତର ଫେରାଇ ଥିଲା ରୁବି।

         ରୁବିର ହାତଧରି ଉଠିବା ପାଇଁ ଟାଣୁଟାଣୁ, କନକ କହିଲା, “ହଉଲୋ ମା’…..ଅଣୁବୀକ୍ଷଣ ହେଉ କି ଦୂରବିକ୍ଷଣ….କୌଣସି ନିର୍ଣ୍ଣୟରେ ପହଞ୍ଚିବା ପୂର୍ବରୁ ଲେନ୍ସଟା ଠିକରେ ଆଡଜଷ୍ଟ କରିନେବୁ। ଚାଲ ଶୋଇବା। ଏ ଫ୍ରଷ୍ଟ୍ରେଟେଡ୍ ଫିଲ୍ମ ଆଉ ଦେଖି ହେବନି।”

          ରବିବାର ଖରାବେଳଟା ବୋଲି ବୋଧେ କ୍ୟାମ୍ପସ୍ ଭିତରେ ରାସ୍ତା ଗୁଡା ଏତେ ଫାଙ୍କା ଫାଙ୍କା ଲାଗୁଥାଏ! କାଁ ଭାଁ କେହି ବାଇକ୍ ଧରି ଚାଲି ଯାଉଥାଏ। ହଷ୍ଟେଲ ଗେଟ୍ ସାମନାରେ ଥିବା ବଉଳ ଗଛ ମୂଳ ଚାନ୍ଦିନୀ ଉପରେ ବସି ସୌମ୍ୟକୁ ଅପେକ୍ଷା କରିଥାଏ ରୁବି। ଗୋଟିଏ କବିତା ଆସରକୁ ଯିବାର ଥାଏ। ସାମନା ଶକୁନ୍ତଳା ଦେବୀ ଲେଡିଜ୍ ହଷ୍ଟେଲ ଗେଟ୍ ଖୋଲି ଆଠ-ଦଶ ଜଣ ଝିଅଙ୍କର ଗୋଟିଏ ଦଳ ବାହାରିଲା। ସତେକି କିଏ ମେଲଣ ପଡିଆର ରଙ୍ଗୀନ ରୋଷଣୀ ଆଉ କୋଳାହଳରୁ ଖଣ୍ଡେ ଛିଣ୍ଡେଇ ଆଣିଛି! ସେଇ ଝିଅମାନଙ୍କ ଆନନ୍ଦ ଆଉ ତାକୁ ବିଲକୁଲ୍ ଶୁଭୁ ନଥିବା ଆଲୋଚନାର ମହକରେ ମୁଗ୍ଧ ହୋଇ ଟିକେ ସମୟ ତାଙ୍କ ଆଡ଼କୁ ଚାହିଁ ରହିଲା ରୁବି।

          ପୂରା ରି° ହୋଇ କଟିଗଲା, ପାଖାପାଖି ହୋଇ ଗଲାଣି ବୋଧେ ସୌମ୍ୟ, ସେଥିପାଇଁ ରିସିଭ୍ କଲାନି। ମୋବାଇଲ ଲକ୍ କରି ମୁଣ୍ଡ ଉଠାଇଲା ବେଳକୁ ଗୌତମ ତା’ ଆଡ଼କୁ ହସି ହସି ଆସୁଥାଏ। ମେଘାକୁ ଦେଖା କରିବାକୁ ଆସିଥିବ ବୋଧେ। ପାଖରେ ପହଞ୍ଚି, ମେଘାକୁ ତଳକୁ ଆସିବା ପାଇଁ କଲ୍ କରି ରୁବି ପାଖରେ ଚାନ୍ଦିନୀ ଉପରେ ବସି ପଡିଲା। ୟାଡୁସ୍ୟାଡୁ ଗପିବା ଭିତରେ ଡିପାର୍ଟମେଣ୍ଟ୍ ପିକନିକ୍ ବିଷୟରେ କଥା ପଡିଲା। ଭଲ ପିକନିକ୍ ସ୍ପଟ ବିଷୟରେ ଆଲୋଚନା କରୁକରୁ ଗତ ବର୍ଷ କେମିତି ଷ୍ଟଣ୍ଟ୍ ଦେଖାଇବାକୁ ଯାଇ ପ୍ରଦୀପ ପଙ୍କ ଭିତରେ ହାମୁଡେଇ ପଡିଥିଲା, ସେଇ କଥା ପଡି ଠୋ ଠୋ ହସିଥିଲେ ଦୁଇଜଣ। ହସଟା ପତଳା ହୋଇ ଆସିଲା ବେଳକୁ, ରୁବି ମୁହଁ ବୁଲାଇ ଚାହିଁଲା ବେଳକୁ ସୌମ୍ୟ ଠିଆ ହୋଇଥାଏ ବାଇକକୁ ଆଉଜି ଟିକେ ଦୂରରେ। ତାକୁ ଦେଖି ରୁବି ଗୌତମକୁ ‘ବାଏ’ କହି ଉଠି ଆସିଲା।

          “ଗୌତମ ଏତେ ଭଲ ଜୋକ୍ କୁହେ ବୋଲି ମୁଁ ଆଜି ଜାଣିଲି!” ରୁବି ‘ହାଏ’ କହି ପାଖରେ ପହଞ୍ଚୁ ପହଞ୍ଚୁ ସୌମ୍ୟ କହିଥିଲା।

         “ଆରେ ନା’…..ଜୋକ୍ ନୁହେଁ..ଲାଷ୍ଟ୍ ପିକନିକରେ ପ୍ରଦୀପ କେମିତି ପଙ୍କରେ ପଡି ଯାଇଥିଲା ସେଇଟା ମନେ ପକାଇ ହସୁଥିଲୁ….ଓଃ! ଗଡ୍!…..ବିଚରା ଷ୍ଟଣ୍ଟ୍ ଦେଖାଇବାକୁ ଯାଇ ପୂରା କଚରା ହୋଇ ଯାଇଥିଲା ତା’ ଇଜ୍ଜତର!” ହସିହସି ସୌମ୍ୟକୁ କହୁଥାଏ ରୁବି।

        “ଗତବର୍ଷର ମଜାଦାର ଘଟଣା ମୋ’ ଆଗରେ କହିଲା ବେଳେ ତ ମ୍ୟାଡାମ୍ ଠୋ ଠୋ ହସରେ ଫାଟି ପଡୁ ନାହାଁନ୍ତି? ନା’ ଗୌତମ ସାଙ୍ଗରେ ସ୍ମୃତି ଚାରଣ କଲାବେଳେ ଟିକେ ବେଶୀ ମଜା ଆସୁଥିଲା? ଆଇ ଥିଙ୍କ ଗୌତମ ପାଖରୁ ଗୋଟେ ମଜାଳିଆ ଭାଇବ୍ ଆସୁଛି ବୋଧେ……କ୍ବାଇଟ୍ ଏଞ୍ଜୟବଲ୍ ନା’…..ଗୌତମର କମ୍ପାନୀ?” ମୁହଁଟାକୁ ଗୋଟେ ଅଦ୍ଭୁତ ଢଙ୍ଗରେ କଠୋର ଆଉ ସମ୍ପୂର୍ଣ୍ଣ ଭାବହୀନ କରି, କହିଯାଉଥାଏ ସୌମ୍ୟ!

         କେମିତି ଗୋଟେ ଅସହଜ ପଣ ଜାବୁଡି ଧରିଲା ପରି ଲାଗିଲା ରୁବିକୁ! ସନ୍ଦେହ ଅପେକ୍ଷା ଆଶ୍ଚର୍ଯ୍ୟରେ ପଚାରିଲା ରୁବି, “ହ୍ବାଟ୍ ଡୁ ୟୁ ମିନ୍?”

          “ଓଃ! ଆର୍ ୟୁ ରିଏଲି ନଟ୍ ଅଣ୍ଡରଷ୍ଟାଡି° ହ୍ବାଟ୍ ଆଇ ଆମ୍ ସେଇ°?” ରୁବିର ଡାହାଣ ପଟ ବାହାକୁ ନିଜ ବାଁ ହାତରେ ଚାପିଧରି, ଦାନ୍ତ ରଗଡ଼ି, ତା’ ମୁହଁ ପାଖକୁ ମୁହଁ ଆଣି କହୁଥାଏ ସୌମ୍ୟ, “ନିଛାଟିଆ ଖରାବେଳେ ଏଠି ବସି ବଜାର ଲଗେଇଛି ଆଉ କ’ଣ ନା’ ମୋ’ କଥା ବୁଝି ପାରୁନି? ଶଳା! ତମ ଗୁଡାଙ୍କୁ ମୁଁ ବେଶ୍ ଜାଣେ! ରୂପ ଆଉ ହସର ଫାସ ଧରି ବୁଲୁଥାଅ ପୁରୁଷଙ୍କୁ ମେଣ୍ଢା ବନେଇବାକୁ! ଆଉ ଯେଉଁଠି ଏ କାମ ନକଲା ସେଠି ଲୁହ ଆଉ ଦୁଃଖର ମନ୍ତ୍ର ଫୁଙ୍କ! ଘରର ଅନ୍ଧାର କୋଣରେ, ପୁଙ୍ଗୁଳା ଦେହରେ, ଚେଙ୍କ ପାଇବା ହିଁ ତମ ଔକାତ୍!”

        ସୌମ୍ୟର ମୁଠା ଏତେ ଶକ୍ତ ହୋଇ ଯାଇଥାଏ ଯେ, ରୁବିକୁ ତା’ ବାହାର ହାଡ଼ ଚୁନା ହୋଇଗଲା ପରି ଲାଗୁଥାଏ! ଯନ୍ତ୍ରଣା କି ଆଶ୍ଚର୍ଯ୍ୟ କି ଦୁଃଖ କି କ୍ରୋଧ, କେଉଁଥିରେ ତା’ ଆଖିରେ ଲୁହ ମାଡି ଆସୁଥାନ୍ତି ସେ ବୁଝିବା ପାଇଁ ଚେଷ୍ଟା କଲା ଭଳି ପରିସ୍ଥିତିରେ ନଥାଏ! ହେଲେ କେଉଁଠୁ ତା’ ଭିତରେ ଏତେ ଶକ୍ତି ଆସିଲା କେଜାଣି, ନିଜ ବାଁ ହାତରେ ଗୋଟିଏ ଧକ୍କାରେ ସେ ସୌମ୍ୟକୁ ଠେଲି ଦେଇଥିଲା। ଦୁଇ ଆଖିରୁ ଲୁହ ବୋହି ଯାଉଥାଏ! ଟନ୍ ଟନ୍ ଉତ୍ତତ୍ପ ଆଗ୍ନେୟଗିରିର ନିଆଁ ନିଜ ଆଖିରେ ଧରି, ଏକଦମ୍ ସୌମ୍ୟର ଆଖିରେ ଆଖି ରଖି, ଅତି ଶାନ୍ତ ଓ କଠୋର ସ୍ବରରେ ରୁବି କେବଳ ଗୋଟିଏ ବାକ୍ୟ କହିଥିଲା, “ଗେଟ୍ ଲଷ୍ଟ ୟୁ ଲୁଜର୍!”

         ରାତିରେ ନିଜ ଡାହାଣ ବାହାରେ ବରଫ ଘସିଲା ବେଳେ ରୁବିକୁ ମନେ ମନେ କନକର କଥା ହିଁ ଶୁଭୁଥିଲା……. ‘ଅଣୁବୀକ୍ଷଣ ହେଉ କି ଦୂରବିକ୍ଷଣ କୌଣସି ନିର୍ଣ୍ଣୟରେ ପହଞ୍ଚିବା ପୂର୍ବରୁ ଲେନ୍ସଟା ଠିକରେ ଆଡଜଷ୍ଟ କରିନେବୁ’……

                                ()

        ସ୍କୁଲର ଦୂର୍ଗାପୂଜା ଛୁଟି ହେଉ ହେଉ, ଡୁଡୁନ୍ ର ଏକା ଜିଦ୍, “ଅଜା-ଆଈ ପାଖକୁ ଯିବି।”

        ଭଲରେ ଜାଣିଛି ରୁବି, ଅଜା-ଆଈ ପାଖକୁ ଗଲେ ଛୁଟିରେ ଖାଲି ଖେଳ ଆଉ ମସ୍ତି। ନା’ ପାଠ ପଢିବା ପାଇଁ କେହି ପାଟି କରିବ ନା’ ‘କାଇଁ ଏଠି ସେଠି ଲାଗୁଚୁ’ କହି କେହି ଆଖି ଦେଖେଇବ। ଏମିତିରେ ବି ଚାରି ଦିନିଆ ସ୍କୁଲ ବନ୍ଦ ପାଇଁ ବେଶୀ ଟାସ୍କ ବି ନଥିଲା। ଯାହା ବି ଥିଲା, ଅଜା-ଆଈ ଘରକୁ ଯିବା ଲୋଭରେ ଡୁଡୁନ୍ ସ୍କୁଲରୁ ଫେରି, ସନ୍ଧ୍ୟା ସାରା ବସି ଶେଷ କରି ଦେଇଥିଲା। ଶୋଇବା ପୂର୍ବରୁ କହିଲା, “ଜାଣିଚୁ ମାମା’, ଏଥର ମ୍ୟାମ୍ ଯାହା ପ୍ରୋଜେକ୍ଟ ଦେଇଛନ୍ତି ସେଥିପାଇଁ ମୋତେ ଅଜା-ଆଈଙ୍କ ପାଖକୁ ଯିବାକୁ ହିଁ ପଡିବ। ନହେଲେ ମୁଁ ତ ଆଗରୁ ପାପାଙ୍କୁ କହିଥିଲି ଆମେ ବଞ୍ଜି-ଜପି° ପାଇଁ ଯିବା ବୋଲି।”

         ଡୁଡୁନର ବ୍ୟାଗ୍ ପ୍ୟାକ୍ କରୁକରୁ ରୁବି ତା’ ଆଡ଼କୁ ବୁଲିକି ଚାହିଁଲା। ଚାଦରଟା ମୁହଁ ଯାଏଁ ଟାଣି ଶୋଉଶୋଉ, ଟିକେ ଚିଲ୍ଲେଇକି ଡୁଡୁନ୍ କହିଲା, “ଫେଷ୍ଟିଭାଲ୍ ଇଭନି° ଉଇଥ୍ ଗ୍ରାଣ୍ଡ୍ ପ୍ୟାରେଣ୍ଟସ୍।”

        ମନକୁ ମନ ହସିହସି ରୁମର ଲାଇଟ୍ ଅଫ କରି ବାହାରିଥିଲା ରୁବି। ସକାଳୁ ବ୍ରେକଫାଷ୍ଟ ବି କଲାନି, ଆଈ ଚକୁଳି ତାଓ୍ବା ଉପରେ ଚଢେଇଲାଣି କହି ଡ୍ରାଇଭର ସହ ବାହାରିଗଲା। ତନ୍ମୟଙ୍କର ଆଜି ଯାଏଁ ବି ଅଫିସରେ କାମ ରହିବ ଜାଣିଥିଲେ ସେ ନିଜେ ବି ପଳେଇଥା’ନ୍ତା ଡୁଡୁନ୍ ସହ। ବୋଉ ପାଖରେ ହେଲେ ପୂଜାର ପିଠା ଖାଇ, ଗପି, ମଜା କରିଥାନ୍ତା। ଫୁଲ କୁଣ୍ଡ ଗୁଡାକରେ ପାଣି ଦେଉ ଦେଉ ହିସାବ କଲା ରୁବି, ଯଦି କାଲିଠୁ ବି ତନ୍ମୟଙ୍କ ଅଫିସ ଛୁଟି ହୁଏ, ତାହେଲେ ରବିବାରକୁ ମିଶାଇ ଚାରି ଦିନ ମିଳିଯିବ। କିଛି ନହେଲେ କୋଣାର୍କ ଗଲେ ବି ଭଲ ଲାଗନ୍ତା। ଡେରି ରାତି ଯାଏଁ ଚନ୍ଦ୍ରଭାଗାରେ ବସି ଗପନ୍ତେ ଦିହେଁ। ଚେନାଏ ଖୋଲା ଆକାଶ ପାଇଁ ହାଇଁପାଇଁ ହୋଇଗଲାଣି ମଣିଷ। ଚନ୍ଦ୍ରଭାଗାର ନରମ-ଓଦାଳିଆ ବାଲି ଉପରେ ବସି, ଦିଗବଳୟ ଆଡୁ କୂଳକୁ ହଲିହଲି ଆସୁଥିବା ନୋଳିଆ ମାନଙ୍କ ଡଙ୍ଗାର ଆଲୁଅ ଦେଖିବା……ଓଃ…. ସତେକି ମଉଳି ଆସିଥିବା ଜୀବନର ଆଶା ପାଇଁ ଗୋଟିଏ ପାହାନ୍ତି ତାରା।    ରୁମ୍ ଭିତରୁ ମୋବାଇଲ ରି° ଶୁଣି ପାଣିଦିଆ ଅଧା ରଖି ଆସିଲା ରୁବି। ମୋବାଇଲ ସ୍କ୍ରିନ୍ ଉପରେ ‘କନକ’ ଦେଖି ଝପଟି ପଡିଲା ସେ। ରୁବି ଫୋନ୍ ରିସିଭ କରୁକରୁ, କନକ କହିଲା, “ଚିତ୍ରକର ମହାଶୟା ଟିକେ ଆଗରୁ ଗୋଟିଏ ମେଲ୍ ଯାଇଛି ତୁମ ପାଖକୁ। ଜଲ୍ଦି ତା’ ଟର୍ମଗୁଡା ପଢି ଆକ୍ସେପ୍ଟ କରେ। ତୋ’ ଟ୍ୟାଲେଣ୍ଟ୍ ପାଇଁ ଆଜି ଏକଦମ୍ ସଠିକ ଠିକଣାଟେ ପାଇଛି। ବିଲକୁଲ୍ ଡେରି କରନା, ମୁଁ ପର୍ସନାଲି କଥା ହୋଇଛି ସେଠି। ଆମ କମ୍ପାନୀ ଏବେ ଫାଇନ୍ ଆର୍ଟସ, ଲିଟରେଚର୍ ଫିଲ୍ଡରେ ଇନ୍ଭେଷ୍ଟ ଆଉ ଏକ୍ସପ୍ଲୋର୍ କରିବାକୁ ପ୍ଲାନ୍ କରୁଛି। ସେଥିପାଇଁ ସେମାନଙ୍କର ନୂଆ ପ୍ରୋଜେକ୍ଟ ପାଇଁ ଦିଲ୍ଲୀରେ ଗୋଟିଏ ନୂଆ ଆର୍ଟ ଗ୍ୟାଲେରୀର କାମ ଆରମ୍ଭ ହେବ। ଆଉ ତା’ ପାଇଁ ସେମାନଙ୍କର ଜଣେ ଆର୍ଟିଷ୍ଟ କମ୍ ମ୍ୟାନେଜର ଦରକାର। ମୋତେ ତ ତୋ’ ଠୁ ଭଲ ଆଉ କେହି ଏ ଜବ୍ ପାଇଁ ଫିଟ୍ ଲାଗିଲାନି। ସେଥିପାଇଁ ମୁଁ ଡିସକସନ୍ ସମୟରେରେ ତୋ’ କଥା କହିଲି, ତୋ’ କାମ ବି ଦେଖେଇଲି, ଆର୍ଟକୁ ନେଇ ତୋ’ ରାଇଟଅପ୍ ଗୁଡା ବି ସେମାନେ ଦେଖିଲେ। ଆଉ ସେମାନେ ବହୁତ ଖୁସି। ସ୍ପେସାଲି ଏଇ ଫେବୃଆରୀ ମାସରେ ତୁ ଯେଉଁ ଆକାଶର ଛବି ଆଙ୍କି ଥିଲୁ….ତାକୁ ଦେଖି ତ ଆମ ସିଇଓ ପୁରା ପାଗଳ ହୋଇ ଯାଇଛନ୍ତି…..କହିଲେ ‘କନକ ତୁମ ସାଙ୍ଗ ଜଏନ୍ ନକଲେ ବି ଏ ପେଣ୍ଟି°ଟା ମୁଁ କିଣିବି। ଦେଖ ଭଲ ପ୍ୟାକେଜ୍ ବି ରହିବ। ଦେ ଆର ଡାରେକ୍ଟଲି ଆପୋଇଣ୍ଟି° ୟୁ ଆଜ୍ ପ୍ରୋଜେକ୍ଟ ହେଡ୍ ଆଟ୍ ଡେଲ୍ଲୀ! ଏଇଟା ଯଦି କମ୍ପ୍ଲିଟ୍ କରିଦେଲୁ ନା’…….ଦିସ୍ ଓ୍ବାର୍ଲଡ ଇଜ୍ ଅଲ୍ ୟୋରର୍ସ.. ..ନେକ୍ସଟ ପ୍ରୋଜେକ୍ଟ ପାଇଁ ସେମାନଙ୍କର ନ୍ୟୁୟର୍କ ଅର ମେଲବର୍ଣ୍ଣ ପାଇଁ ପ୍ଲାନ୍ ଅଛି। ଗୋ ରୁବି; ଟଚ୍ ଦ ସ୍କାଏ! ଆଉ ଏବେ ପାଇଁ ତ ଡୁଡୁନ୍ ତୋ ମା’-ବାବାଙ୍କ ପାଖରେ ବି ରହି ପାରିବ। ତୋ ଭାଇ ଭାଉଜ ବି ତ ଅଛନ୍ତି। ତୁ ନୂଆ ଜବରେ ଟିକେ ସେଟଲ୍ ହୋଇଗଲେ ସେ ତୋ ପାଖରେ ରହିବ ତେଣିକି।”

           କନକ ସହ କଥା ହେବା ଭିତରେ ରୁବି ମେଲ୍ ଚେକ୍ କରି ସାରିଥାଏ। ତନ୍ମୟଙ୍କ ଅଫିସ, କୋଲେଷ୍ଟ୍ରଲ ଆଉ ଷ୍ଟ୍ରେସ୍ ପାଇଁ ଷ୍ଟ୍ରିକ୍ଟ ଡାଏଟ୍ ପ୍ଲାନ୍, ଡୁଡୁନର ସ୍କୁଲ, ପଢାପଢି, ଘରକାମ ଏ ସବୁ ଭିତରେ କେମିତି କାମ ଆରମ୍ଭ କରିବ ସେ? ସେମାନଙ୍କୁ ଘର, ଗାଡି ଆଉ ସବୁ ସୁବିଧା ହାତ ପାଖକୁ ଯୋଗେଇବା ପାଇଁ ଏତେ ପରିଶ୍ରମ କରୁଛନ୍ତି ତନ୍ମୟ…..ଏବେ ଯଦି ରୁବି ଜବ୍ କରିବା ଆରମ୍ଭ କରେ…..ସେ ଘରକୁ ଫେରିଲେ ପାଣି ଗ୍ଲାସଟେ ବି ହାତକୁ ବଢେଇ ଦେବାକୁ କେହି ନଥିବ। ଆଉ ଡୁଡୁନର ଏଇଟା ଗଢି ହେବା ବେଳ…. ବକଟେ ଛୁଆଟାକୁ ଦିଗହରା କରି କେମିତି ସେ ନିଜର କ୍ୟାରିୟର ସଜାଡିବା ପାଇଁ ଅଣ୍ଟା ଭିଡିବ ଯେ? ନା’ ତା’ ଦ୍ବାରା ଏସବୁ ହେବନି। ମନରେ ଭାବୁଭାବୁ କେତେବେଳେ ସେ କନକକୁ ‘ନା’ କହି ସାରିଥାଏ। ତା’ ଉତ୍ତର ଶୁଣି କନକ ପୁଣି କହିଲା, “ତରତର ହେନା। ଭଲରେ ଭାବେ କୌଣସି ନିଷ୍ପତ୍ତି ନେବା ପୂର୍ବରୁ। ଭାବିଲୁ ତୋ ଟ୍ୟାଲେଣ୍ଟକୁ ତୁ ଏମିତି ନଷ୍ଟ କରି ଦେବୁ? ସବୁବେଳେ ଆଉ ସମସ୍ତଙ୍କୁ କ’ଣ ନିଜ ରୁଚି, ସୌକ ଆଉ ଟ୍ୟାଲେଣ୍ଟ ଅନୁସାରେ ଜବ୍ ମିଳେ? କିଛି ନହେଲେ ତୁ ଦିନେ- ଦି’ ଦିନର ସମୟ ନେ ଆଉ ତା’ ପରେ ସେ ମେଲର ରିପ୍ଲାଏ ଦେବୁ। ଗୋଟେ ଡିଜିଟାଲ ଫର୍ମ ଆଟାଚ୍ ଅଛି, ଯଦି ଜଏନ୍ କରିବା ପାଇଁ ଭାବିବୁ ଭରି ଦେଇ, ତଳେ ‘ଆଗ୍ରି’ ରେ କ୍ଲିକ୍ କରି ପଠାଇ ଦେବୁ।”

          କନକ କଥାକୁ ସେଇଠି ଟୋକି ଦେଇ, ରୁବି କହିଲା, “ଶୁଣ ଫିଲହାଲ୍ ତ ଦିନେ-ଦି’ ଦିନ ପାଇଁ ମୁଁ ବିଜି ଅଛି ତୋ ଜିଜୁଙ୍କ ସହ। ବହୁତ ଦିନ ପରେ ଏକାନ୍ତରେ ଏକାଠି ସମୟ ବିତେଇବାର ସୁଯୋଗ ମିଳୁଛି। ମୁଁ ଟିକେ ମୋ କବି ହୃଦୟକୁ ଚନ୍ଦ୍ରଭାଗାରେ ସମୁଦ୍ର ଢେଉ ଆଉ ପବନ ଖୁଆଇ……ବାଲିରେ ଶୋଇ ଖୋଲା ଆକାଶକୁ ନିରେଖି ଦେଖି ଫେରେ…..ତା’ ପରେ ଜଣେଇବି…..ହେଲେ ମୋତେ କାଇଁ ଲାଗୁନି ‘ହଁ’ କହି ପାରିବି ବୋଲି!”

        ରୁବିର କଥା ଶୁଣି କନକ କହିଲା, “ଭାକ୍…..ମୁଁ ଏଠି ତତୋ ଆକାଶରେ ଉଡିବା ପାଇଁ ଡେଣା ଯାଚୁଚି ଆଉ ତୁ ଯେ ସେଇ ଭୂମି ଉପରୁ ଆକାଶକୁ ହାଁ କରି ଅନେଇବୁ ବୋଲି ବାଉଳି ହେଉଛୁ! ହଉ ଜଲ୍ଦି ଉତ୍ତର ଦେବୁ ଆଉ ମୁଁ ଉତ୍ତରଟା ପଜିଟିଭ୍ ଆଶା କରେ।”

         “ହେଉ ତୁ ଆଶୀର୍ବାଦ କଲେ ଛୁଟିରୁ ଫେରିଲେ ପୁଣି ତୋତେ ‘ପଜିଟିଭ୍’ ବାଲା ଖୁସ୍ ଖବରି ଦେବି।” କନକକୁ ଟିକେ ଚିଡେଇଲା ଭଳି ହସିହସି ଉତ୍ତର ଫେରାଇଥିଲା ରୁବି। ବିରକ୍ତ ହୋଇ କଲ୍ କାଟି ଦେଇଥିଲା କନକ।

         ତନ୍ମୟ ଅଫିସରୁ ଫେରି, ଫ୍ରେସ୍ ହୋଇ ଜୁସ୍ ପିଇଲା ବେଳକୁ ରୁବି ଆସି ତାଙ୍କ ସାମନାରେ ବସିଲା। କଫି କପ୍ ଟା ପାଟି ପାଖକୁ ନେଉ ନେଉ କହିଲା, “ତୁମ ପାଇଁ ଗୋଟେ ସରପ୍ରାଇଜ୍ ଅଛି!”

          ଗୋଟେ ହାତରେ ଜୁସ୍ ଗ୍ଲାସ ଆଉ ଆର ହାତରେ ମୋବାଇଲ ସ୍କ୍ରଲ୍ କରୁକରୁ, ବିଲକୁଲ୍ ବି ରୁବି ଆଡକୁ ନଚାହିଁ ତନ୍ମୟ କହିଲେ, “ଆଚ୍ଛା? କ’ଣ? ବାଇ ଦ ଓ୍ବେ ତମ ପାଇଁ ବି ମୋ ପାଖରେ ସରପ୍ରାଇଜ୍ ଅଛି। ମୋ ହ୍ୟାଣ୍ଡ୍ ବ୍ୟାଗଟା ଆଣ, ଦେଖାଉଛି।”

           ତନ୍ମୟର ହ୍ୟାଣ୍ଡବ୍ୟାଗ୍ ଆଣି ରୁବି ସେଣ୍ଟର-ଟେବଲ୍ ଉପରେ ରଖିଲା। ତନ୍ମୟ ସେଥିରୁ ଗୋଟିଏ ଛୋଟ ବ୍ୟାଗ୍ ବାହାର କଲେ। ତା’ ଉପରେ ଗୋଲ୍ଡେନ୍ ଅକ୍ଷରରେ ଲେଖା ହୋଇଥାଏ “ଡି କ୍ୟାରେଟ୍ ଗୋଲ୍ଡ ଆଣ୍ଡ ଡାଇମଣ୍ଡ୍ସ”! ପ୍ୟାକଟା ଖୋଲିବା ପୂର୍ବରୁ ହିଁ ରୁବି ଜାଣି ଯାଇଥାଏ, ଗତ ମାସରେ ସେ ଡି କ୍ୟାରେଟର ଅନଲାଇନ୍ ଷ୍ଟୋରରୁ ଯେଉଁ ଡାଇମଣ୍ଡ ନେକଲେସ୍ ବାଛି ଥିଲା, ତନ୍ମୟ ସେଇଟା ହିଁ ଆଣି ଥିବେ। ନେକଲେସ୍ ବକ୍ସରୁ ହାରଟା ବାହାର କରି ରୁବି ହାତକୁ ବଢାଉ ବଢାଉ କହିଲେ, “ମୁଁ ଟିକେ କଷ୍ଟମରାଇଜ୍ କରେଇ ନେଇଛି। ସେ ସେଣ୍ଟରରେ ଯେଉଁ କପର-ସଲ୍ଫେଟ୍ ରଙ୍ଗର ପିସ୍ ଟା ଥିଲା, ତା’ବଦଳରେ ରବିନ୍-ବ୍ଲୁ ଫିକ୍ସ କରିବା ପାଇଁ କହିଥିଲି। ଦେଖିଲ। ତମ ସେ ମୈସୁର ସିଲ୍କ ସହ ଭଲ ଲାଗିବ।”

         ହାରଟା ହାତରେ ନେଲା ବେଳକୁ ରୁବିର ମନ କାଇଁ କେଜାଣି ସେତିକି ଖୁସି ହୋଇ ପାରୁ ନଥିଲା, ଯେତିକି ଜଣେ ସ୍ତ୍ରୀର ହାତରେ ହୀରା ହାର ଧରେଇ ଦିଆଗଲେ ହେବା କଥା। ସମୁଦାୟ ହାରରେ ତା’ ପାଇଁ ସେଇ କପର-ସଲ୍ଫେଟ୍ ସେଣ୍ଟର ପିସଟା ହିଁ ସବୁଠାରୁ ଆକର୍ଷଣୀୟ ଥିଲା। ରୁବି ହାରକୁ ଏପଟ ସେପଟ କରି ଦେଖିବା ଭିତରେ ତନ୍ମୟ କହିଲେ, “ରାଣୀ ସାହିବା ଖୁସି ତ?”…..ରୁବିର ଉତ୍ତରକୁ ଅପେକ୍ଷା ନକରି ପୁଣି ଆରମ୍ଭ କଲେ ତନ୍ମୟ, “ଆଚ୍ଛା ଶୁଣ ଡିନର ପରେ ଦୁଇ ଦିନ ପାଇଁ ମୋର ବ୍ୟାଗ୍ ଟିକେ ପ୍ୟାକ୍ କରିଦେବ। ସକାଳ ୮:୩୦ରେ ଫ୍ଲାଇଟ୍ ଅଛି। ଅର୍ଜେଣ୍ଟ ଗୋଟେ କାମ ଆସିଗଲା। ମୋତେ ଏୟାରପୋର୍ଟରେ ଛାଡି ଦେଇ ତମେ, ତୁମ ବୋଉଙ୍କ ଘରକୁ ପଳାଇବ। ଏକା କାହିଁ ବୋର୍ ହେବ?”

           ହାର ଉପରେ ରୁବିର ହାତ ଠପ୍ କରି ଅଟକି ଗଲା, “ହେଲେ ଆସନ୍ତା ୨ ଦିନ ପାଇଁ ମୁଁ ଚନ୍ଦ୍ରଭାଗାରେ ରିସୋର୍ଟ ବୁକ୍ କରିଥିଲି ଆମ ଦୁଇଜଣଙ୍କ ପାଇଁ। ଆଉ ତମେ ଏମିତି ହଠାତ୍ ବାହାରୁଛ…..”

          ରୁବି କଥାକୁ ଅଧାରୁ କାଟି ଦେଇ ଏକରକମ ବିରକ୍ତ ହୋଇ, ଉଚ୍ଚ ସ୍ବରରେ କହିଲେ ତନ୍ମୟ, “ରିସୋର୍ଟ ବୁକ୍ କରିଛ ମାନେ? କାହାକୁ ପଚାରି କଲ?”

         “କାହାକୁ ପଚାରିଥାନ୍ତି? ପୂଜାରେ ତମର ଦୁଇ ଦିନ ଛୁଟି ରହିବ ପୁଣି ତା’ ପରଦିନ ରବିବାର। ମୁଁ ସେଥିପାଇଁ ପ୍ଲାନ୍ କରିଥିଲି।”

           “ପ୍ଲାନ୍? ସିରିୟସଲି ରୁବି? ଡୁ ୟୁ ଇଭିନ୍ ଅଣ୍ଡରଷ୍ଟାଣ୍ଡ୍, ହ୍ବାଟ୍ ଡଜ୍ ଏ ପ୍ଲାନ୍ ମିନ୍? ପ୍ଲାନ୍ କାହିଁକି ଆଉ କେମିତି ହୁଏ ଜାଣିଛ? କିଏ ପରମିସନ୍ ଦେଲା ତମକୁ, ଏମିତି ନିଜ ଇଚ୍ଛାରେ ଯେବେ ନାଇଁ ସେବେ ଛୁଟି ପ୍ଲାନ୍ କରିବା ପାଇଁ? ରିସୋର୍ଟ ବୁକ୍ କରିବା ପାଇଁ?” ଏକ ପ୍ରକାର ଚିତ୍କାର କରୁଥାନ୍ତି ତନ୍ମୟ। ରୁବି କିଛି କହିବା ଆଗରୁ ପୁଣି ଆରମ୍ଭ କଲେ, “ଜାଣିଛ ଏ ଯେଉଁ ଦେଢ କୋଟି ଟଙ୍କାର ଘର, ଡୁଡୁନର ଇଣ୍ଟରନ୍ୟାସନାଲ୍ ସ୍କୁଲ ଫି’ ଆଉ ତମ ହୀରା ହାର……. କେମିତି ଆଉ କୋଉଠୁ ଟଙ୍କା ଆସେ ଏ ସବୁ ପାଇଁ? କେମିତି ଜାଣିବ, ଜୀବନରେ କେବେ ପାଞ୍ଚ ପାଇସା କମେଇ ଥିଲେ ସିନା! କେବେ ବୁଝିବା ପାଇଁ ଚେଷ୍ଟା କରିଛ, କେତେ ପରିଶ୍ରମ ଆଉ ମୁଣ୍ଡ ଖର୍ଚ୍ଚ କରିବା ପାଇଁ ପଡେ? ରିସୋର୍ଟ ବୁକ୍ କରି ଦେଇଛନ୍ତି…… ହେବ କ୍ୟାନସଲ୍? କ’ଣ ମ୍ୟାଡାମ୍; କିଏ ଫେରେଇବ ସେ ଟଙ୍କା? ମଣିଷ ଏଠି ଖଟି ଖଟି ମୁଣ୍ଡର ଶିରା ପ୍ରଶିରା ଫାଟିବା ଉପରେ ଆଉ ୟାଙ୍କର ସମୁଦ୍ର ବାଲିରେ ବସି ତାରା ଗଣିବାର ଅଛି…..” ଗୋଟେ  ନିଶ୍ୱାସରେ ଏତିକି କହିଦେଇ, ନେକଲେସ୍ ବକ୍ସକୁ ଫୋପାଡ଼ି ଦେଇ ଉଠି ଚାଲିଗଲେ ତନ୍ମୟ!

          ରୁବି ଗେଟ୍ ପାଖରେ ପହଞ୍ଚିଲା ବେଳକୁ, ବୋଉ ଚଉଁରାରେ ପାଣି ଦେଉଥାଏ। ବ୍ରେକଫାଷ୍ଟ ପରେ ରୁବି, ଡୁଡୁନ୍ ସହ ବସି ଲୁଡୋ ଖେଳୁଥାଏ। ଖେଳ ଭିତରେ ରୁବି, ଡୁଡୁନକୁ ଦିଲ୍ଲୀର ଜବ୍ କଥା କହିଲା। ସବୁ ଶୁଣି ସାରି ଡୁଡୁନ୍, ରୁବିର ବେକ ପାଖରୁ କୁଣ୍ଢେଇ ପକାଇ କହିଲା, “ଓ୍ବ ମାମ୍ମା…..ଦିସ ଇଜ ଦ ବେଷ୍ଟ ଗିଫ୍ଟ ଫର୍ ଦଶେରା…… ଅଜା-ଆଈଙ୍କ ପାଖରେ ରହିବା କେତେ ଏକ୍ସାଇଟି° ଜାଣୁ? ତମ ମାନଙ୍କ ପାଖରେ ମୁଁ ବୋର୍ ହୋଇଯାଏ। ୟୁ ନିଡ୍ ନଟ୍ ଟୁ ଓ୍ବରି ଆବାଉଟ୍ ମି…..ଗୋ’ ଗର୍ଲ; ପେଣ୍ଟ୍ ଦ ସ୍କାଏ ଓ୍ବିଥ ୟୋର ବ୍ରସ୍…….”

          ସାଙ୍ଗେ ସାଙ୍ଗେ ମେଲ୍ ଖୋଲି, ଡିଜିଟାଲ ଫର୍ମଟା ଭରି ଦେଇ ‘ଆକ୍ସେପ୍ଟ’ ବଟନ୍ ଉପରେ କ୍ଲିକ୍ କରିଦେଲା ରୁବି। ଖୁସିରେ ରୁବିର ପିଠି ଥାପୁଡେଇ, ‘ହେ…..’ ଚିତ୍କାର କରି, ହାଇ-ଫାଇଭ୍ କରୁକରୁ ଡୁଡୁନ୍, ରୁବିକୁ କହିଲା, “ମାମ୍ମା ଆଜି ସନ୍ଧ୍ୟାରେ ସେ ଓପନ୍ ରୁଫ୍ ରେଷ୍ଟୁରାଣ୍ଟରେ ଡିନର କରିବା। ଯେଉଁଠି ତୁ ତାରା ଗଣିବା ଶିଖାଉ ମୋତେ।”

         ରୁବିକୁ ଲାଗୁଥାଏ ଜୀବନରେ ଏଇ ପ୍ରଥମ ଥର ସେ ଅନୁଭବ କରିଛି ବାପାର ସ୍ନେହକୁ ଡୁଡୁନର ଶବ୍ଦ ଆଉ ପିଠି ଥାପୁଡାରେ! ହାତ ଧରି ମା’-ପୁଅ ଗେଟ୍ ଖୋଲି ବାହାରିଗଲେ। ସେଣ୍ଟର ଟେବଲ୍ ଉପରେ ରୁବିର ରୂପା ପାଉଁଜୀ ହଳଟା ଖରା ପଡି ଚିକଚିକ୍ କରୁଥିଲା!

About Dr. Ipsita Pradhan

Dr. Ipsita Pradhan is a doctor by profession and writer by passion.

View all posts by Dr. Ipsita Pradhan →

One Comment on “ଛବିର ନାଁ ଆକାଶ”

  1. ବହୁତ ସୁନ୍ଦର ଗପ ଇପ୍ସିତାଙ୍କର। ଅଭିନନ୍ଦନ।

Leave a Reply

Your email address will not be published. Required fields are marked *