ଅ’ ରୁ ଅ’ ଯାଏଁ: ଅସ୍ମିତା ଓ ଅଭାବ

ଅସ୍ମିତା ବୋଇଲେ ଯଦି ଗର୍ବ,ଅହଙ୍କାର; ତେବେ କ’ଣ ପାଇଁ,କୋଉଥିପାଇଁ ସେ ଗର୍ବ,ଅହଙ୍କାର? ଯଦି ଅସ୍ମିତା ବୋଇଲେ ଗୌରବ ତେବେ କାହାକୁ, କ’ଣ ନେଇ ସେ ଗୌରବ ? ଯଦି ଆତ୍ମ ପରିଚୟ ତେବେ ସେଇଟା କେମିତି, କୋଉ ବାଗରେ ଜଣାଯାଏ ? ସବୁ କ’ଣ ନିଜଠି ସରିଯାଏ ନା ଆଉ କିଛି ରହେ ଅନ୍ୟ ପାଇଁ ? ଏହା ଯଦି ଆତ୍ମ ପରିଚୟ ତେବେ ଏହା କେମିତି ଦିଶେ ? ଯଦି ‘ମୁଁ ଅଛି’ ତେବେ ଏହା ଜ୍ଞାନ ନା ଧାରଣା ? ଅସ୍ମିତା ଏକ ଅସ୍ତଗାମୀ ସୂର୍ଯ୍ୟ ନୁହେଁ। ଏ ଗୋଟିଏ ସ୍ଥାନରେ ଥାଏ ନା (ଧରନ୍ତୁ: ଭାଷା) ଅନ୍ଯ କୋଉଠି ବି ଥାଏ। ଏହା ସାମୂହିକ ବା ଗଣଶବ୍ଦ ବିଶେଷ ନା ବ୍ଯକ୍ତି(ମୁଁ ବା ଅସ୍ମି)ର ଅଳଙ୍କାର ???

ଅସ୍ମିତାର ପ୍ରମାଣ ପାଇଁ ଦିନେ ପୁରୀର ଅନାମ ପ୍ରତିବାଦୀ ଗାଣ୍ଠରୁ ଆଧୁନିକ କବିତାର ପ୍ରତିବାଦରେ ପ୍ରଶ୍ନଟିଏ ଆସିଥିଲା: ଓଡ଼ିଆ କିଏ?
ଧରନ୍ତୁ, ଅସ୍ମି ନୁହେଁ ଅସ୍ମାକମ୍’ରୁ (ଅର୍ଥାତ୍ ମୁଁ ନୁହେଁ ‘ଆମେ’ରୁ [ଯଥା:ଅସ୍ମାକମ୍ + ତା (ସା ର ବହୁବଚନ)] ଅସ୍ମିତାର ସୃଷ୍ଟି।ଭୁଲ ଯଦି ନ ହୁଏ ତେବେ,କାରଣଟା ଧରାଯାଇପାରେ ଯେ ଓଡ଼ିଶାରେ ଜଗନ୍ନାଥଙ୍କୁ ଆଗରେ ରଖି ‘ମୁଁ ‘ଟି ‘ଆମେ’ ହେଇଛି। ଏ‌ହାର ଏକ ପ୍ରମାଣ କଳିଙ୍ଗ ଯୁଦ୍ଧ ଯୋଉଠି ‘ମୁଁ’ ବା ମୋ ନେତୃତ୍ୱରେ ନ ଲଢ଼ି ଅଶୋକଙ୍କ ସେନା ବିପକ୍ଷରେ ‘ଆମେ’ ଛିଡ଼ା ହେଇଛି। ଆଉ କେତେକ ଆଭିଧାନିକ ଅର୍ଥକୁ ନେଇ ଚିନ୍ତିତ; କିନ୍ତୁ ଶବ୍ଦ ସମୟର ସୁଅରେ ନିଜର ଅର୍ଥ ବଦଳାଇ ପାରେ। ବ୍ଯବହାରିକ ପାଠ୍ଯରେ ତାକୁ ନୂଆ ଉପାୟରେ ଗ୍ରହଣ କରାଯିବା କିଛି ବିଚିତ୍ର ନୁହେଁ। ସେତେବେଳେ କିଏ ପାଠ୍ୟ କ’ଣ କରିଥିଲେ ଏବେ ତାହା ଭିନ୍ନ ହେବନାହିଁ – ଏମନ୍ତ ତ ନୁହେଁ। ବହୁ ଶବ୍ଦ ନୂଆ ଅର୍ଥ ଆଣିଛି। ପୁରୁଣା ଆଭିଧାନିକ ଅର୍ଥ ବଦଳିଛି।

ବସ୍ତୁତଃ,ଏସବୁ ସେତେବେଳେ ଖୋଜାଯାଏ ଯେତେବେଳେ ସଙ୍କଟ ବା ଆଶଙ୍କା ଆସେ, ଆସିବାର ଥାଏ। ଅସ୍ମିତା ସ’ ଅଭାବ ଯେ
ସଂଯୁକ୍ତ ଏଇଟା ଭାବିବାକୁ ବି ବାଟ ଖୋଲିଛି। କେବଳ ମାତୃଭାଷାକୁ ଧରି କେହି କିଛି ରୋଜଗାର କରିପାରିବେ, ଏ ସମ୍ଭାବନା ସୃଷ୍ଟି ନ ହେଇଥିବା ହେତୁ ଓଡ଼ିଆ ଭାଷା ଯେ କଷ୍ଟ ପାଉଛି ତା ଦେଖି ଆଦୁ ଆଶ୍ଚର୍ଯ୍ୟହେବାର କିଛି ନାଇଁ। ମାତୃଭାଷା, ମାତୃଭୂମି ସବୁ ଯେମିତି ଗୋଟେଗୋଟେ ସ୍ଲୋଗାନ ! ରହିବା ଓ ବିଦେଶରେ ପାଠ ପଢ଼ିବାଠୁ ଚାକିରି କରିବା ଏବେ ତ ମୂଳ ଲକ୍ଷ୍ୟ ! ଅର୍ଥ ଓ ଆରାମ ସୁଲଭ ଦରରେ ଯୋଉଠି ମିଳେ, ସେଇଠି ଭିଡ଼ ହୁଏ। ଏଥିରେ କିଛି ବି ଭାବିବାର କାରଣ ନାଇଁ। ନିୟମ କାନୁନ୍ ହେଉ ବା ଶିକ୍ଷା ବ୍ୟବସ୍ଥାରେ ହେଉ ବା ବହୁ ବାଣିଜ୍ୟିକ ସୂତ୍ର ହେଉ; ଅଦୃଶ୍ୟ ଜାଲରେ ପଡ଼ି ଏବେ ଅଧିକାଂଶ ଲୋକ ଛଟପଟ ! ଆମ ସାହିତ୍ୟଓ ଭାଷାର ଦୁର୍ଗତି ପାଇଁ କ’ଣ କେବଳ ସ୍ବଳ୍ପ ଇଂରାଜୀ ମାଧ୍ୟମ ବିଦ୍ୟାଳୟ ବା ପରୀକ୍ଷା ସମ୍ବନ୍ଧୀୟ ପ୍ରଶ୍ନୋତ୍ତର ଦାୟୀ ? ନା, ଆଉ କିଛି ଅଛି ? ଓଡ଼ିଆ ପାଠକମାନେ,ଯା’ ବହିମେଳାଗୁଡିକରେ ଦେଖାଯାଉଛି କମ୍ ବହି କିଣୁନାହାନ୍ତି ତ ! ଅଧାଡ଼ୁଆ ଅମଣିଆଙ୍କ ହାତରେ କବିତା ଗଳ୍ପ ଉପନ୍ଯାସ ବହି ଦିଶୁଛି ତ ଢେର୍। ସାହିତ୍ଯକୁ ଜଗୁଜଗୁ ବ୍ୟାକରଣ ବିଚରା ଧଇଁ ପେଲୁଛି। ଏକାଧିକ ଭାଷାବିତ୍ ଓ ଭାଷା ସୁଧାରକମାନେ ପୁସ୍ତକ ରଚନା କରୁଛନ୍ତି ଓ ପ୍ରକାଶକମାନେ ମଧ୍ୟ ଉତ୍ସାହିତ କରୁଛନ୍ତି। ଜଣେ ଅଧେ ସାହିତ୍ୟ ପତ୍ରିକା ସମ୍ପାଦକ ଆକଟ ଓ ଶଣ୍ଠଣା ଦେଇ ଚାଲିଛନ୍ତି। ଅସୁବିଧା ତେବେ ରହୁଛି କୋଉଠି ? ଦେଖେଇବାକୁ କ’ଣ ବହି ଭଳି ଜିନିଷ ହାତରେ ଧରାଯାଏ ? କେଜାଣି !


ଯୋଉମାନେଆ ସୁଧାର ,ପଢ଼ିବାଶୁଣିବା ଲୋକ ସେମାନେ ବି କଣ ପାଇଁ ଆଡ଼େଇ ରହୁଛନ୍ତି ? ପଢ଼ିବା ଓ ପଢ଼ାଇବାର ମାନସିକତା ନରହିଲେ ବହି ବା ଏ ଜାତୀୟ ଲେଖାଗୁଡ଼ିକ ଯେତେ ପ୍ରକାଶ ପାଇଲେ ବି ମୂଲ୍ୟହୀନ ହେଇଯିବ। ହେବା ସ୍ବାଭାବିକ ମଧ୍ୟ। ‘ନାଇଁ’ କହିବାର ଅବସର ଆଉ ନାଇଁ। ଶିକ୍ଷା ପଦ୍ଧତିରେ ନା ଶିକ୍ଷାଦାନରେ ନା ସ୍ବୟଂ ଶିକ୍ଷକମାନଙ୍କର କୋଉଠି ଅସୁବିଧା ରହିଛି ବା ରହୁଛି ତାକୁ ଶିକ୍ଷାବିଭାଗ ରାଜନୀତିରୁ ବାହାରି ଦେଖିବା ଉଚିତ। କେବଳ ପରୀକ୍ଷା ଓ ପାଠ୍ୟକ୍ରମ ବଦଳେଇବା ବିଭାଗର କାମ ନହେଉ। ପାଠ୍ୟକ୍ରମରେ ବି ଯୋଉ ନୀତି ପ୍ରଚଳନ କରାଯାଉଛି ତା କେତେଦୂର ଯୁକ୍ତିଯୁକ୍ତ ତା ମଧ୍ୟ ଦେଖିବା ଉଚିତ। କିଭଳି ପାଠ ପ୍ରସ୍ତୁତ କରାଗଲେ ଭାଷା ସମ୍ପର୍କରେ କବିତାରୁ ଶିକ୍ଷାର୍ଥୀ ଓ ପାଠକମାନେ ପାଇପାରିବେ ତା ସମସ୍ତ ଗୁଣୀଜନ ଦେଖିବେ ବୋଲି ଆଶା କରିବା। ଏଇଟା କେବଳ କବିତା ନୁହେଁ ; ପ୍ରଚଳନ ହଉଥିବା ସମସ୍ତ ସାହିତ୍ଯ- ବିଷୟ ପାଇଁ ପ୍ରଯୁଜ୍ୟ। ଆଶା କେବଳ ଆଶାରେ ରହେ ଯୋଉଠି ତା ନାଆଁ ଓଡ଼ିଶା ବୋଲି ମୋର ବା ମୋ ଭଳି ମଣିଷଙ୍କର ଧାରଣା ବଳବତ୍ତର ହେଇ ଆଉ ବେଶୀଦିନ ନରହୁ। ଓଡ଼ିଆ ଅସ୍ମିତା କେବଳ ଭାଷଣରେ ନରହୁ; କାରଣ,ୟାର ପ୍ରକୃତ ଚେର ଭାଷାରେ। ଏଥିପାଇଁ ସାହିତ୍ୟିକମାନେ, ବିଶେଷ ଭାବରେ କବିମାନେ ଏକଥାକୁ ଗୁରୁତ୍ବ ଦେବା ଆବଶ୍ୟକ, ନିଜକୁ ସଂଶୋଧନ କରି ଉପଯୁକ୍ତ ବାଟ ଧରିପାରିଲେ ଏ ଅସୁବିଧା ରହିବନି। ଏ ଭାଷାର ଐତିହ୍ୟ ଆଉ ଦଶଟାଙ୍କ ପରି ନୁହେଁ। ଏକଥା ପ୍ରଥମେ ଆମେ ଜାଣିବା ଓ ପରେ ଗର୍ବିତ ହେବା ଉଚିତ। ପିଲାମାନଙ୍କୁ ବି ଏକଥା ଜଣେଇବା ଆମ କର୍ତ୍ତବ୍ୟ। ପରେ ଶିକ୍ଷା ଓ ଶିକ୍ଷକ। ଓଡ଼ିଆ ଭାଷା କହି ଯଦି ଜଣେ ଆଦର ନ ପାଇଲା ସେ ବା କହିବେ କାହିଁକି ? ଇଂରାଜୀ ବିଦ୍ୟାଳୟରେ ପଢୁଥିବା ପିଲାମାନଙ୍କର ଓଡ଼ିଆ ଭାଷା ଉଚ୍ଚାରଣ ଓ ଜ୍ଞାନ ତଥା ଶବ୍ଦପାତର ମାନ ସେମିତି, ମୋଟାମୋଟି ଯେମିତି ଓଡ଼ିଆ ବିଦ୍ୟାଳୟରେ ପଢ଼ୁଥିବା ପିଲାଙ୍କ ଇଂରାଜୀ ଜ୍ଞାନ। ଏବେ ତ ଶିକ୍ଷକମାନେ ଶିକ୍ଷା ପରିବର୍ତ୍ତେ ଆଉ କଣକଣ କରୁଛନ୍ତି ଯେ ହାକିମ ଶିକ୍ଷା ଅପେକ୍ଷା ଆଗ ରିପୋର୍ଟ ଦେଖୁଛନ୍ତି। ଇଏ ସତରେ ବଡ଼ ବିଚିତ୍ର ସମୟ। ଶିକ୍ଷା ଓ ପ୍ରକୃତ ଶିକ୍ଷକଙ୍କ ଉପଯୁକ୍ତ ଯତ୍ନ ନ ନେଲେ ଭାଷା ଖାଲି ନୁହେଁ ଜୀବନର ସବୁ କ୍ଷେତ୍ର ପାଉଁଶରେ ଭରିଯିବ। ଶେଷରେ ଆମ କାଢ଼ଟି କଣ୍ଟା ହେଇ ତଣ୍ଟିରେ ରହିବ ଏମିତି ଯେ ନା ବାହାରିବ ନା ଗିଳିହେବ ‌! ବଢ଼ି ପାଇଁ ଯେମିତି ବନ୍ଧ ରଖାଯାଉଛି କି ତିଆରିହେଉଛି, ଚରାରୋଗ ପାଇଁ ଯେମିତି ଜଗାରଖା ହେଉଛି ସେମିତି ଶାସନରେ ଥିବା ଦେବତାମାନେ ମଣିଷଙ୍କ ଭାଷା, ଶିକ୍ଷା ଓ ଥଇଥାନ ପ୍ରତି ତୀକ୍ଷ୍ଣ ଦୃଷ୍ଟି ଦେବା ନିହାତି ଆବଶ୍ୟକ। ଦଳମତ ନିର୍ବିଶେଷରେ ରାଜ୍ୟ ଓ ଏହି ମାଟିର ଭାଷା ତଥା ଭାଷା ରକ୍ଷକ, ପ୍ରଶିକ୍ଷକ, ପ୍ରଚାରକ ଓ ସଙ୍ଗଠନ ହୀନ ସଙ୍ଗଠକମାନଙ୍କୁ ସମ୍ମାନ ଦବା ସମସ୍ତଙ୍କର ଦାୟିତ୍ଵ। କିନ୍ତୁ, ଦାୟିତ୍ୱ ଏଭଳି ଏକ ଜିନିଷ ତାକୁ ନେବାଲୋକ ମଲାଗଲା ଅବସ୍ଥାରେ ଯେ ନେଉନେଉ ପଡିଯାଉଛି ! ପାଞ୍ଚ ଜଣକ ଭିତରେ ଜଣେ ଛୋଟେଇଲେ ସିନା ଚଳନ୍ତା ସବୁ ଛୋଟା ଏକାଠି ହେଲେ କିଏ କହିବ କାହାକୁ ? ତେଣୁ, ଏ କର୍ମଭୀରୁ ରାଇଜରେ ଯେତେ କର୍ମଶାଳା କଲେ ବି କର୍ମଶୀଳତା ବଢ଼ିବାର ଆଶା କମିଯାଉଛି। ଏହି ନୈରାଶ୍ୟଜନକ ପରିସ୍ଥିତି ସବୁଦିନ ରହିଲେ ସମସ୍ତେ ରସାତଳକୁ ଯିବେ, ସବୁ ବି ଯିବ।

ଭାଷା ଏପରି ପରିବେଶରେ କେତେ ଟାଣରେ କେତେ ଦିନ ଠିଆହେଇ ରହିବ ? ଭାଷାକୁ ଆପଣେଇବାରେ କୋଉଠି ଅସୁବିଧା ରହୁଛି – ଏ ସମ୍ପର୍କରେ ସମସ୍ତଙ୍କୁ ନିରୀକ୍ଷଣ କରିବାକୁ ହେବ ଓ ତାପରେ ନିରାକରଣ। କାହିଁକିନା ଏଠି ଜଣେ ଆଉ ଜଣକ ପ୍ରତି ଏତେ ଶୀଘ୍ର ଅସହିଷ୍ଣୁ ହେଇପଡ଼େ ଯେ କାମ ନ କରିବା ପୂର୍ବରୁ ତାକୁ କିଛି ଜଣାନାଇଁ ଓ ‘ନିଜେ ଏଥିପାଇଁ ଉପଯୁକ୍ତ’- କହିବାରେ ସମୟର ବଡ଼ଭାଗ ଚାଲିଯାଏ। କାମ ହେଲାପରେ ସିନା ଆଲୋଚନା ଓ ସମାଲୋଚନା ! ଭାଷାର ନିଜସ୍ବ ଅସ୍ମିତା, ନିଜର ଗୌରବକୁ ବଜାୟ ରଖିବା ପାଇଁ ‘ଅ’ଠାରୁ ‘ହ’ ଯାଏଁ (‘କ୍ଷ’ର ସ୍ଥାନ ଓଡ଼ିଆ ବର୍ଣ୍ଣମାଳାରେ ନାହିଁ।’କ ଓ ସ’ର ଉଚ୍ଚାରଣରେ ଏ ବର୍ଣ୍ଣ। ଅବଶ୍ୟ ଓଡ଼ିଆ ବର୍ଣ୍ଣମାଳାରେ ‘ଆ’ ଟି ବି ‘ଅ’ରେ ଆକାର ଦେଇ କାମ ଚଲେଇହେବ ! ଯେମିତି କ ଖ’ରେ ଆକାର ଦିଆଯାଉଛି !), ସମସ୍ତଙ୍କୁ କଠୋର ପରିଶ୍ରମ କରିବାକୁ ପଡ଼ିବ। ଦରକାର ପଡ଼ିଲେ ପରିଷଦ ଓ ପାହାର ବ୍ୟବସ୍ଥା ସରକାରୀ ମତେ କରାଯିବା ଦରକାର। ପାହାର ମାନେ ଓଡ଼ିଆ ମାଧ୍ୟମରେ ପଢ଼ିଥିବା ପିଲାଏ ଓଡ଼ିଶା ସରକାରଙ୍କ ପାଖରେ କେବଳ ସେବା କରିପାରିବେ ! ବା, ସର୍ବାଧିକ ସଂରକ୍ଷଣ ରଖାଯିବା ଉଚିତ।

ପ୍ରତ୍ୟେକ କାମରେ ଖାଲି ଚିକ୍କଣ କଥାର ପ୍ରୟୋଗ କଲେ ଚଳିବ ନାଇଁ; ଏଥିପାଇଁ ଆମକୁ ସ୍ବପ୍ନ ଦେଖିବାକୁ ପଡ଼ିବ; ସ୍ବପ୍ନରେ ବି ଅକ୍ଷରଙ୍କ
ଚେହେରା ଦେଖିବାକୁ ପଡ଼ିବ। ଭାଷା ବିକାଶରେ ସ୍ବପ୍ନ ଦେଖିବା ଏକ ଅପରିହାର୍ଯ୍ୟ ଅଙ୍ଗ। ପିଲାଙ୍କ ମନରେ ଭାଷା ଭାବନା ପାଇଁ କିଏ କ’ଣ
କରୁଛନ୍ତି ?? ଓଡ଼ିଆ ଭାଷାଭାଷୀ ମାଆ ତ ପିଲାଙ୍କୁ ଇଂରାଜୀ କହି ଖୁସି। ମାତୃଭାଷା ଥାକରେ ଖୋଲା ହେଉନଥିବା ବହି ଭିତରେ ଲୁଚି
ରହିବାଟା ତେଣୁ କୋଉ ବଡ଼କଥା ! ସରକାରୀ, ବେସରକାରୀ, ସାମାଜିକ, ଘରୋଇ ଓ ବ୍ୟକ୍ତିଗତ ସ୍ତରରେ ଓଡ଼ିଆ ଭାଷା ବ୍ୟବହାରର ଅଭାବ ଯେ ଅସ୍ମିତା ଆମେ ଓଡ଼ିଆ)କୁ କ୍ଷୁର୍ଣ୍ଣ କରୁଛି, ଏଥିରେ ସନ୍ଦେହ ନାଇଁ। କାହାର ନିଃସ୍ଵାର୍ଥପର ଉଦ୍ୟମ, ନିଜସ୍ଵ ଆଗ୍ରହ ବି ରହୁନାଇଁ। କେହି ଯଦି ନ ଶୁଣିବେ, କେହି ଯଦି ଆନ୍ତରିକ ଉଦ୍ୟମ ନ କରିବେ, ପିଲାଙ୍କର ଭାଷା ପ୍ରତି ଭଲପାଇବା, ସମ୍ମାନ ଓ ବ୍ୟବହାରକୁ ନେଇ ଆକଟ ନ କରିବେ଼; ଭାଷାକୁ ରକ୍ଷା କରିବ କିଏ ? ଏଥିପାଇଁ ସାମୂହିକ ସଙ୍କଳ୍ପର ଆବଶ୍ୟକ ରହିଛି।

ଜଣକୁ ଭଲ ନପାଇଲେ ସେ ବଞ୍ଚିବ କେତେଦିନ ? ଥରେ ଅଣ୍ଟା ଭାଙ୍ଗିଗଲେ ମୁଣ୍ଡ ଟେକି ଛିଡ଼ାହେବା ଖାଲି ଦିବା ସ୍ବପ୍ନ ଛଡ଼ା ଆଉ କିଛି ନୁହେଁ। ବେଳହୁଁ ମାଜିମୁଜି ହେଇ ଥିଲେ ଅସଲବେଳେ ମନରେଡର ଭୟ ନଥିବ। ଅସ୍ମିତା ‌ହେଉଛି ଗୋଟାଏ ଆଣ୍ଟ। ଗୋଟାଏ ଜାତିକୁ ଗୋଟାଏ ଭାଷାକୁ ଗୋଟାଏ ଭାବକୁ ଗୋଟାଏ ସ୍ବପ୍ନକୁ ଏକାଠି ଠିଆ କରେଇ ଉଡ଼ୁଥିବା ଧ୍ଵଜା !

ମାନିଲେ ମାନନ୍ତୁ; ନଇଲେ ନାଇଁ।

**
ଦଇତାପଡ଼ା ସାହି, ପୁରୀ-୧
ଚଳଭାଷ- ୭୯୮୮୫୮୦୯୧

Leave a Reply

Your email address will not be published. Required fields are marked *