ସେଇ ଝିଟିପିଟି ଟି

ମୂଳ ରଚନା : ହୋସେ ସାରାମାଗୁ || ଓଡ଼ିଆ ଅନୁବାଦ : ଜ୍ୟୋତି ନନ୍ଦ

ଏଇଟି ଗୋଟିଏ ପରୀକଥା।

ଏକଥା ନୁହଁ ଯେ କୌଣସି ପରୀ ଏଥିରେ ଉପସ୍ଥିତ ହେବେ(ନା ମୁଁ କହୁଚି ଯେ ସେମାନେ ଉପସ୍ଥିତ ହେବେ),ହେଲେ ଏହା କେଉଁପରିକା କାହାଣୀ ହେବ ଯଦି ଗୋଟିଏ ଝିଟିପିଟି ପର୍ତ୍ତୁଗାଲର ରାଜଧାନୀ ଲିସବନ ନିକଟସ୍ଥ ଗୁରୁତ୍ୱପୂର୍ଣ୍ଣ ଐତିହାସିକ ଆଉ ସାଂସ୍କୃତିକ କେନ୍ଦ୍ର “ସିଆଦୁ”ରେ ଆସି ପହଞ୍ଚିଯାଏ ?

ହଁ ,ଦିନେ ଗୋଟିଏ ଝିଟିପିଟି ଆସି “ସିଆଦୁ” ରେ ପହଞ୍ଚିଗଲା। ଦେଖିବାକୁ ବଡ ,ନେଳିଆ ଗୋଟିଏ ଝିଟିପିଟି,ଯାହାର ଆଖି ଦୁଇଟି ଯେମିତି ଦୁଇଟି କଳାରଙ୍ଗର କାଚ,ଛଟପଟ ହେଉଥିବା ତାହାର ଦେହସାରା କାତି,ଗୋଟିଏ ଲମ୍ବା ପହଁରୁଥିବା ଲାଞ୍ଜ ଆଉ ପାଦ ଦୁଇଟି କ୍ଷିପ୍ର।

ସେ ଆସି ରାସ୍ତା ମଝିରେ ଛିଡା ହୋଇଯାଏ,ପାଟିଟି ଅଧାଖୋଲା,ଦୁଇକେନିଆ ଜିଭଟି ତାହାର ଅନବରତ ଭିତର ବାହାର ହେଉଥାଏ ଆଉ ତାହାରି ସହିତ ତାଳ ଦେଉଥାଏ ତାହାର ବେକତଳର ସାଧାରଙ୍ଗର ଚମଡା।

ସେ ଗୋଟିଏ ଅପୂର୍ବ ଜୀବ।ପଛ ଗୋଡରେ ସେ ଠିଆହୋଇ ପଡିବ,ଯେମିତି ହଠାତ୍ କୌଣସି ଦ୍ରୁତଗତି ତାହାର ଜରୁରୀ ଦରକାର,ଆଖପାଖର ଲୋକ ଆଉ ଗାଡିଘୋଡାର ସେ ମୁକାବିଲା କରିପାରିବ। ଚାରିପାଖରେ ଭୟ ।ଲୋକବାକ ଆଉ କାର୍ ,ସବୁକିଛି ସ୍ଥିର ହୋଇଯିବ।ଦେଖଣାହାରୀମାନେ ଛିଡା ହୋଇଯିବେ ଆଉ ଦୂରତ୍ୱରୁ ଦେଖୁଥିବେ। ସେମାନଙ୍କ ଭିତରୁ ଯେଉଁମାନେ ଅଧିକ ନର୍ଭସ୍ ସେମାନେ ରାସ୍ତା କଡକୁ ଦୌଡି ପଳାଇବେ,ନିଜକୁ ଛଳ କରିବେ,ନିଜର ଭୀରୁତାକୁ ଅପ୍ରକାଶ୍ୟ କରିବା ପାଇଁ ଯେ,କ୍ଲାନ୍ତିରୁ ବିଭ୍ରମର ସୃଷ୍ଟି ,ଅଥବା ଡାକ୍ତରମାନେ ଏଭଳି କିଛି କହିଥାନ୍ତି।

ଯଦିଓ, ପରିସ୍ଥିତିଟି ଅଯଥାର୍ଥ ଥିଲା। ଗୋଟିଏ ଝିଟିପିଟି ସେଇଠି ଛିଡା ହୋଇ ରହିଥିଲା,ବିଷର୍ଣ୍ଣ ଭୀଡଟି ସରୁପଥକୁ ବାଛିଥିଲା,ଗାଡିଗୁଡିକ ସେଇ ସବୁ ଜାଗାରେ ଛିଡାହୋଇ ରହିଥିଲେ ଯାହାକୁ ସେତେବେଳେ ନିରପେକ୍ଷ ବୋଲି ବିଚାର କରାଯାଉଥିଲା।

-ଆଉ ହଠାତ୍ ଜଣେ ବୃଦ୍ଧା ଚିତ୍କାର କରେ।

ସେଇଟା ଶେଷକଥା।

ଆଖି ପିଛୁଳାରେ ସହରର ରାସ୍ତା ସବୁ ଶୁନଶାନ।
ଦୋକାନୀମାନେ ନିଜର ସଟର୍ କୁ ଟାଣିଦେଲେ,ଭାଓଲେଟ ଫୁଲ ବିକ୍ରୀକରୁଥିବା ଝିଅଟିଏ ( ଏଇଟା ସେଇ ଫୁଲର ଅସଲ ୠତୁ)ତାହାର ହାତର ଝୁଡିଟିକୁ ଖସାଇ ପକାଏ,ଫୁଲମାନ ରାସ୍ତାରେ ପଡିଯାଆନ୍ତି,ଝିଟିପିଟି ର ଚାରିପଟରେ ନିଖୁଣ ଗୋଲେଇଟିଏ କରନ୍ତି,ଯେମିତି ଗୋଟିଏ ସୁଗନ୍ଧିତ ହାର।
ଜୀବଟି କୌଣସି ଗତି କରିନାହିଁ।
ସେ ଆସ୍ତେ ତାହାର ଲାଞ୍ଜଟିକୁ ଟିକିଏ ପିଟିପିଟି କଲା ଆଉ ତାହାର ତିନକୋଣିଆ ମୁହଁକୁ ଟିକିଏ ଉପରକୁ ଉଠାଇଲା,ଛିଙ୍କିଲା।

କିଏ ଜଣେ ସତର୍କ ଘଣ୍ଟି ବଜାଇଥିଲା।
ହୁଇସିଲ୍ ର ଶବ୍ଦ ଶୁଭିବାକୁ ଲାଗେ,ରାସ୍ତାର ଦୁଇପ୍ରାନ୍ତକୁ ଅବରୁଦ୍ଧ କରାଯାଇଛି।

ଗୋଟିଏ ପ୍ରାନ୍ତରେ ଅଗ୍ନିଶମବାହିନୀ ତାଙ୍କର ସମସ୍ତ ଉପକରଣ ସହ,ଅନ୍ୟ ପ୍ରାନ୍ତରେ,ସେନାବାହିନୀ ର ମୁତୟନ।

କିଏ ଜଣେ କହିଲା,ଝିଟିପିଟିଟି ବିଷାକ୍ତ,ଆଉ କିଏ କିଏ କହିଲେ, ଏହାର କାତିମାନ ବୁଲେଟପ୍ରୁଫ।

ବୃଦ୍ଧା ଜଣକ ତଥାପି ଚିତ୍କାର କରୁଥାଏ ,ଯଦିଓ କେହି ଜାଣନ୍ତି ନାହିଁ ଯେ ସେ ଏଇଲେ କେଉଁଠି ରହିଛି।
ପବନରେ ଭରିରହିଛି ଆତଙ୍କ।

ଆକାଶରେ ଚକ୍କର କାଟୁଥାଏ ଦଳଟିଏ ବିମାନ,ନଜର ରଖୁଥାଏ,ସାଧାରଣ ସମତଳ ଇଲାକାରେ ଅବତରଣ କରୁଥାଏ,ରାସ୍ତାରେ ଥିବା ଗତିରୋଧକ ଆଡି ରୁ ତାହାର ଉଠାପକାର ଶବ୍ଦ ଆସୁଥାଏ । ଝି ଟିପିଟିଟି କେତେପାଦ ଆଗେଇ ଯାଇଥିଲା,ଭାଉଲେଟ୍ ର ମାଳକୁ ଟିକିଏ ଛିଣ୍ଡାଇ ଦେଇଥିଲା।

ବୃଦ୍ଧାଜଣକୁ ଗୋଟିଏ ହାସପାତାଳକୁ ଆମ୍ବୁଲାନ୍ସରେ ନିଆଯାଇଥିଲା।

ଏଇ କାହାଣୀଟି ପ୍ରାୟତଃ ଶେଷ ହେବାକୁ ବସିଛି।ଆମେମାନେ ସେଇ ନିର୍ଦ୍ଦିଷ୍ଟ ମୁହୂର୍ତ୍ତରେ ପହଞ୍ଚିଗଲେଣି ଯେତେବେଳେ ପରୀଟିର ହସ୍ତକ୍ଷେପ ଘଟିବ ,ଯଦିଓ ଏହା ଅପ୍ରତ୍ୟକ୍ଷ ଭାବରେ ଘଟିବ। ସମସ୍ତ ଉପଲବ୍ଧ ସୈନିକମାନେ ଏକାଠି ,ଅଗ୍ରୀମ ଭାବରେ ଏପରି ନିର୍ଦ୍ଦେଶ ପ୍ରଦାନ କରାଯାଇଛି।

ଅଗ୍ନି ନିର୍ବାପକ ନଳୀମାନ ଗୋଟିଏ ପ୍ରାନ୍ତରେ,ଅପର ପ୍ରାନ୍ତରେ ବାୟୋନଟ୍।

ଉଠାଣି ଚଡୁଥିବା ଗାଡିମାନଙ୍କର ଧଡଧଡ ଶବ୍ଦ।
-ଆଉ ଚାରିଆଡେ ଆକ୍ରମଣର ଆରମ୍ଭ।

ନିଜନିଜର ଖୋଲା ଝରକାର ପଛପଟୁ,
ଲୋକମାନେ ଉପଦେଶ ଦେବାକୁ ଲାଗିଲେ ଆଉ ଅଭିମତ ଦେବାକୁ ଲାଗିଲେ ଯେ ନିରାପଦ ଦୂରତ୍ୱ କହିଲେ କ’ଣ ବୁଝାଏ ଆଉ ତାହା କେଉଁଠି ରହିଛି। ଝିଟିପିଟିର ବିରୁଦ୍ଧରେ ସମସ୍ତେ।

ହଠାତ୍ ଝିଟିପିଟି ଟି (ପରୀମାନଙ୍କୁ ଧନ୍ୟବାଦ,ଏକଥା ଭୁଲିଯିବେ ନାହିଁ ) ରୂପାନ୍ତରିତ ହୋଇଯାଏ ଗୋଟିଏ ଗାଢ ଲାଲ ରଂଗର ଗୋଲାପରେ,ରକ୍ତର ରଂଗ ପରି ଗାଢ ଲାଲ,କଳା ପିଚୁ ରାସ୍ତାଉପରେ ଲାଗି ରହିଛି ଯେମିତି ଗୋଟିଏ ସଦ୍ୟ କ୍ଷତ।

ଆଶଙ୍କାଗ୍ରସ୍ତ,ଆକ୍ରମଣକାରୀମାନଙ୍କ ଭିତରେ ଦ୍ୱିଧା।

ଗୋଲାପଟି ମୁକୁଳିତ ହେବାରେ ଲାଗେ,ପାଖୁଡାମାନ ଗୋଟିଏ ପରେ ଗୋଟିଏ ଖୋଲିଯାଏ ,ପ୍ରଷ୍ଫୁଟିତ ହୁଏ,ଅପରିଷ୍କାର ଘରର ସାମ୍ନାକୁ ସୁଗନ୍ଧରେ ଭରିଦିଏ।

ହାସପାତାଳରେ ରହି ବୃଦ୍ଧା ଜଣକ ପଚାରିଥିଲା: କ’ଣ ହେଇଛି ?
ତାହାପରେ ଗୋଲାପଟି ବୁଲି ପଡେ,ଧଳା ହୋଇଯାଏ,ପାଖୁଡାମାନେ ତାହାର ପର ହୋଇଯାଆନ୍ତି,ଡେଣା ହୋଇଯାଆନ୍ତି – ଆଉ ଗୋଟିଏ କପୋତ ନୀଳରଂଗର ଆକାଶକୁ ତାହାର ଉଡାଣରେ ଭରିଦିଏ।

ଏଇ ଭଳି ଗୋଟିଏ ରୂପକଥାର ସମାପନ ପଦ୍ୟରେ କେବଳ ହୋଇପାରେ :

ଘରସାରା ସେମାନଙ୍କ ଗଦ୍ୟମୟ ଝୁଲ,
ଝିଟିପିଟି ହୁଏ ଦେଖ ଗୋଲାପର ଫୁଲ,
ଧବଳ ଗୋଲାପ ସେ ତ ଅଛି ଡେଣା ସାଥେ,
କଥା ମୋ ଏମନ୍ତ ତବ ହେବ କି ପରତେ ?
ତେଣୁ ଶେଷେ ରଖିଯାଏ ଏମୋହର ଗୀର
ଦୃଶ୍ୟଯାହା ପରୀ ବୋଲି ନୁହେଁ ତା ହୁନ୍ଦର।

José de Sousa Saramago (16 November 1922 – 18 June 2010)

°°°°°

ହୋସେ ସାରାମାଗୁ (୧୯୨୨-୨୦୧୦) ଜଣେ ପର୍ତ୍ତୃଗୀଜ୍ କଥାକାର। ୧୯୯୮ ମସିହା ପାଇଁ ସାହିତ୍ୟରେ ନୋବେଲ ପୁରସ୍କାରର ସେ ପ୍ରାପକ। ସେ ରୂପକଥାର ଆଙ୍ଗିକରେ ଇତିହାସର ସମକାଳର ଦମିତ ପରିପ୍ରେକ୍ଷ୍ୟକୁ ଏକ ଯଥାର୍ଥବୋଧର ପରିଭାଷା ପ୍ରଦାନ କରିଛନ୍ତି। ଏହା ବ୍ୟତୀତ ସେ ନିଜର କାହାଣୀରେ ଭାଷା ଆଉ ଭାବନାକୁ ଏପରି ନାନ୍ଦନିକତା ଆଉ ବିମର୍ଶରେ ବଖାଣ କରିଛନ୍ତି ଯାହା ପାଠକକୁ ବସ୍ତୁତଃ ଏକ ସ୍ୱତନ୍ତ୍ର ପରିସରକୁ ନେଇଯାଇଥାଏ। ହୋସେ ସାରାମାଗୁ ଙ୍କ ଲେଖାରେ ରହିଥିବା ଏପରି ଏକ ପ୍ରୟୋଗକୁ ସମାଲୋଚକ ମାନେ ମଣିଷର ଭିତରେ ଥିବା “ଥିଓପୋଏଟିସାଇଜେସନ ” ବା ଅଧ୍ୟାତ୍ମକାବ୍ୟବାଦିତା ବୋଲି ମନେକରିଥାନ୍ତି।

ସଂପୃକ୍ତ ଗଳ୍ପଟି ହୋସେ ସାରାମାଗୁଙ୍କ “ଦି ଲିଜାର୍ଡ”କାହାଣୀର ଅନୁସୃଜନ।
ଏଇ ମୂଳ କାହାଣୀର ଅଳଙ୍କରଣ କରିଛନ୍ତି ବ୍ରାଜିଲ୍ ର ଅନ୍ୟତମ ପ୍ରଖ୍ୟାତ ଚିତ୍ର ଶିଳ୍ପୀ ଜେ.ହୋର୍ହେସ

Leave a Reply

Your email address will not be published. Required fields are marked *