କବିର ସମ୍ପର୍କ



ବେସମେଣ୍ଟର-
ଯେଉଁ ଅଣଓସାରିଆ ଅଧା ବଖରାରେ ସେ ରହୁଥିଲା,
ସେଠି ରିତିମତ ମୂଷା, ଚୁଚୁନ୍ଦ୍ରା ଆଉ ଅସରପାଙ୍କ ରେସ୍ ଚାଲେ!
କୋଉ ଛଟକରେ ମୂଷାଟେ ଦଉଡି ଆସି
ଫାଳେ ବ୍ରେଡ ଧରି ଚାଲି ଯିବ –
ତୁମେ ଆଦୌ ଜାଣି ପାରିବନି!
ଖୁବ୍ ସହଜ, ସରଳ ଆଉ ଗତାନୁଗତିକ ମନେ ହୁଏ
ମୂଷାକୁ ଦେଖିଲେ
ଗଳିପଶି ଧାଇଁ-
ଜୀବନକୁ ବଞ୍ଚି ଯିବାର ବିଦ୍ୟା!
ପ୍ରଥମେ ଗୋଟିଏ ଗଳା ବାଟ ଖୋଜିବ,
ଖୁବ୍ ସନ୍ତର୍ପଣରେ,
କେହି ଦେଖୁ ନଥିଲା ବେଳେ ଗଳିଯିବ;
ଆଉ କାହା ନଜର ପଡିବା ଆଶଙ୍କା ଦେଖିଲେ,
ଚଟ୍ କିନା ବୁଲିପଡି-
ବିଜୁଳି ବେଗରେ ଧାଇଁବ!
ବାସ୍ ଏତିକି ତ କରିବାର ଅଛି……
ତା’ପରେ ଫାଳେ ବ୍ରେଡ୍ ତୁମର!!
ହେଲେ ସେଇ ଫାଳେ ବ୍ରେଡ୍ ଉପରେ ପୁଣି
ତୀକ୍ଷ୍ଣ ଦୃଷ୍ଟି ଥିବ-
ଅସରପା, ଚୁଚୁନ୍ଦ୍ରା, ଫିମ୍ପି ଆଉ ଗାଁ ସାହୁକାରର!
ବେସମେଣ୍ଟରେ ଲିକ୍ କରୁଥିବା ପାଇପ୍ ଠାରୁ ବି
ଅଧିକ ଟୁପ୍ ଟାପ୍ କରେ ସାହୁକାରର ମେସେଜ୍!!
ଗାଁର ଘର, ଡିହ, ତାଲା ପଡିଥିବା ଦୋକାନ
ସବୁ ବନ୍ଧା ତା’ ପାଖରେ,
ଆଉ ବନ୍ଧାବି
ଜୀବନର ସ୍ବପ୍ନ, ରେସନ୍ କାର୍ଡ, ଗୁଡ୍ଡୁର ପାଠପଢା,
ପୁଷ୍ପାର ଓଢଣୀ, ବାପାଙ୍କ ମୋତିଆବିନ୍ଦ ଆଉ ମା’ର ହୃଦୟ!!
ଏପ୍ରିଲ ୧୩-
ଦିଲ୍ଲୀ ଡାକ୍ତର ଦେଇଥିଲେ ତାରିଖ
ମା’ର ଓପନ୍-ହାର୍ଟ ସର୍ଜରୀ ପାଇଁ;
ଏକାଥରେ ଦାଖଲ କରିବାକୁ ଥିଲା ୬ ଲକ୍ଷ!
୩୪ ବର୍ଷ ବୟସରେ,
ଗୋଟିଏ ଏକଦମ୍ ସୁସ୍ଥ ସବଳ ହୃଦୟ
ପଞ୍ଜରା ତଳେ ରଖି ବି-
ଧଇଁସଇଁ ହୋଇ ଯାଉଥିଲା ସେ!!!!
ସେଇ ମୌକାରେ ମୂଷାଟା
ତା’ ପ୍ଲେଟରୁ ବ୍ରେଡ୍ ଟୁକଡା ଧରି
ଧାଇଁ ପଳେଇଲା!?!
ଧିରେଧିରେ କରି
ଗୋଟିଏ ଅସରପା ଚଢୁଥିଲା ତା’ ବାଁ ଗୋଡ ଦେଇ,
ପକ୍ଷାଘାତ ରୋଗୀପରି ଅଚଳ ସେ ଗୋଡ଼;
ତା’ ଗୋଡହାତରେ ଶିକୁଳି ବାନ୍ଧି
କେହି ଜଣେ ତାକୁ ଜୋରରେ ଧକ୍କା ଦେଇଥିଲା,
ଆଉ ସେ-
କୁହୁଡିଆ ଆକାଶର ବକ୍ଷଚିରି
ତଳେ କଚାଡି ହୋଇ ପଡିଥିଲା!
ତା’ ଆଖିଠୁ ମସ୍ତିଷ୍କ ଆଉ ଗୋଡ ସବୁ ଏବେ ସ୍ବପ୍ନ ଶୂନ୍ୟ!?!
ସେ ଦେଖୁଥିଲା-
ସାହୁକାର ଧମନୀର ଗୋଳିଆ ରକ୍ତରେ
ତା’ ସ୍ବପ୍ନ ମାନଙ୍କର ବୁଡ ପକାଇବାର ଦୃଶ୍ୟ!
ଗଗନ ପବନ ଭରି ଯାଉଥିଲା ହରିବୋଲ,
ଶଙ୍ଖ, ଘଣ୍ଟ, ତାଳିର ଶବ୍ଦଗୋଳରେ….
ଆବାଳବୃଦ୍ଧବନିତା ମାତିଥିଲେ ମଉଛବ
ଆଉ-
ତା’ ସହ ବିଲକୁଲ୍ ସମ୍ପର୍କ ନଥିବା ନିଶାରେ!
ମଉଛବରୁ ଫେରି ସମସ୍ତେ ନିଘୋଡ଼ ନିଦରେ ଶୁଅନ୍ତି
ଜଣକୁ ଅନିଦ୍ରା ଘାରେ-
ତା’ ସହ କୌଣସି ସମ୍ପର୍କ ନଥାଇ ବି ସେ କବିତା ଲେଖେ
ଆଉ ମଝିରେ ମଝିରେ ହୁଇସିଲ୍ ମାରି ଡାକେ-
ଜାଗତେରହୋ……ଜାଗତେରହୋ!!!

(୫ ଫେବୃଆରୀ ୨୦୨୫ରେ ଅମ୍ରିତସର୍ ବିମାନବନ୍ଦରରେ ୧୦୪ ଜଣ ଭାରତୀୟଙ୍କୁ ହାତ ଓ ଗୋଡରେ ଶିକୁଳି ବାନ୍ଧି ଯୁକ୍ତରାଷ୍ଟ୍ର ଆମେରିକାର ଗୋଟିଏ ବିମାନ ଅବତରଣ କରିଥିଲା। ସେ ୧୦୪ ଜଣଯାକ ବେଆଇନ ଭାବରେ ଯୁକ୍ତରାଷ୍ଟ୍ର ଆମେରିକା ଭିତରେ ରୋଜଗାର ଆଶାରେ ପଶିଥିଲେ। ଜାଣନ୍ତି ସେମିତି ବେଆଇନ ଭାବରେ ଯିବା ପାଇଁ ଅନେକ ଯୁବକ ୪୦-୫୦ ଲକ୍ଷ ଟଙ୍କା ପର୍ଯ୍ୟନ୍ତ ଖର୍ଚ୍ଚ କରନ୍ତି। ଜମି ବିକି, ଲୋନ୍ ନେଇ, ପାହାଡ, ସମୁଦ୍ର, ଜଙ୍ଗଲ ରାସ୍ତା ହୋଇ ଗଳା ବାଟରେ ପଶନ୍ତି ଏମାନେ। କେବଳ ଏଇଥିପାଇଁ ଯେ ନିଜ ଦେଶରେ ତାଙ୍କୁ ଠିକ୍ ସୁଯୋଗ ମିଳେନି ଆଉ ନିଜ ପରିବାରକୁ ଏମାନେ ଟିକେ ଶାନ୍ତି ଆଉ ସ୍ବଚ୍ଛଳରେ ରଖିବା ପାଇଁ ଚାହଁନ୍ତି। କେବେ ଯଦି ସୁଯୋଗ ମିଳେ ତାହେଲେ Chimamanda Ngozi Adichieଙ୍କ ଦ୍ଵାରା ରଚିତ “Americanah” ବହିଟି ପଢିବେ। ଦେଖିବେ କେମିତିକା ପରିବେଶ ଓ ପରିସ୍ଥିତି ଭିତରେ ଜୀବନ ଅତିବାହିତ କରନ୍ତି ଏମିତି ବେଆଇନ ପ୍ରବେଶକାରୀ ମାନେ। କେଉଁଠି କେଉଁ ଘର କିମ୍ବା ଦୋକାନର ବେସମେଣ୍ଟରେ ରୁହନ୍ତି, ଯେଉଁଠି ପାଣିଠୁ ଆରମ୍ଭ କରି ସ୍ବିରେଜ୍ ପାଇପ୍ ଲିକ୍ କରୁଥାଏ, ବର୍ଷା ହେଲେ ପାଣି ଭରିଯାଏ। ଦେହ ଅସୁସ୍ଥ ହେଲେ ଚିକିତ୍ସା ପାଇଁ ସୁବିଧା ନଥାଏ। ଆଉ କେବେ ଧରାପଡିଲେ ଖସିବାର ବାଟ ନଥାଏ। ୫ ଫେବୃଆରୀର ସେଇ ଦୁର୍ଘଟଣାକୁ ନେଇ ମୋର ଏ କବିତା)



































About Dr. Ipsita Pradhan

Dr. Ipsita Pradhan is a doctor by profession and writer by passion.

View all posts by Dr. Ipsita Pradhan →