ବସ୍ତାଏ ଚାଉଳ, ପେଟିଏ ବହି

୧୯୯୦ ମସିହାରେ ମୁଁ ନ୍ୟାସନାଲ ବୁକ୍ ଟ୍ରଷ୍ଟ, ଇଣ୍ଡିଆର ଓଡ଼ିଆ ଭାଷା ସମ୍ପାଦକ ଭାବେ ଯୋଗଦେବା ପର୍ଯ୍ୟନ୍ତ ଏହି ସଂସ୍ଥା ଓଡ଼ିଶାରେ ସେଭଳି ଜଣାଶୁଣା ନଥିଲା । ଗୋଟିଏ ସମୟରେ NBT ଏବଂ ମୋର ନାମ ଏକପ୍ରକାର ଅବିଚ୍ଛିନ୍ନ ଥିଲା କହିଲେ ଭୁଲ ହେବନାହିଁ ମୁଁ ଅବସର ଗ୍ରହଣ କରିବା ପରେ ଏବେ ବି ଲୋକମାନେ NBTରେ କିଛି କାମ ପାଇଁ ମୋତେ ଯୋଗାଯୋଗ କରୁଛନ୍ତି । ଏହା କୌଣସି ଆର୍ଥିକ ପୁରସ୍କାରଠାରୁ ବି ଅଧିକ ସମ୍ମାନଜନକ ।

ପୁରସ୍କାର ଓ ସମ୍ମାନ ଦୃଷ୍ଟିରୁ ବିଚାର କଲେ ଗତ ଅର୍ଦ୍ଧଶତାବ୍ଦୀ ମଧ୍ୟରେ ଡକ୍ଟର ସୀତାକାନ୍ତ ମହାପାତ୍ର ଓଡ଼ିଶାର ସବୁଠୁ ସଫଳ ଲେଖକ ସେ NBTର ଅଧ୍ୟକ୍ଷ ଥିବାବେଳେ ଜଣେ ସମ୍ପାଦକ ଭାବେ ମୁଁ ତାଙ୍କ ସହ ତିନିବର୍ଷ କାମ କରିଛି । ଏହା ବ୍ୟତୀତ ଗତ ଅର୍ଦ୍ଧଶତାବ୍ଦୀ ଧରି ତାଙ୍କ ସହିତ ମୋର ସାରସ୍ଵତ ସମ୍ପର୍କ ରହିଆସିଛି, ଯାହା ମୁଁ କଲେଜ ଛାତ୍ର ଥିବା ସମୟରେ ଜଣେ ଛାତ୍ରନେତା ଭାବେ ଓ ସେ ଓଡ଼ିଶାର ଶିକ୍ଷା ସଚିବ ଥିବା ସମୟରୁ ଆରମ୍ଭ ହୋଇଥିଲା । ପ୍ରଫେସର ମନୋଜ ଦାସଙ୍କ ପରେ ସମ୍ଭବତଃ ସୀତାକାନ୍ତ ମହାପାତ୍ର ଅନ୍ୟତମ ଲୋକପ୍ରିୟ ଓଡ଼ିଆ ଲେଖକ ବୋଲି କୁହାଯାଇପାରେ । ଜଣେ ସମ୍ପାଦକ ଓ କବି ଭାବେ ମୋର ଜୀବନଯାତ୍ରାକାଳରେ ତାଙ୍କ ସହ ମୋର ଅନେକ ଖଟାମିଠା ଅଭିଜ୍ଞତା ରହିଛି ।

ମୁଁ ମାଧ୍ୟମିକ ଶ୍ରେଣୀରେ ପଢ଼ୁଥିବା ସମୟରେ ସୀତାକାନ୍ତ ମହାପାତ୍ର ତାଙ୍କ ପୁସ୍ତକ ’ଶବ୍ଦର ଆକାଶ’ ପାଇଁ ସାହିତ୍ୟ ଏକାଡେମୀ ପୁରସ୍କାର ପାଇଥିଲେ । ଆଶ୍ଚର୍ଯ୍ୟର କଥା ହେଉଛି ରମାକାନ୍ତ ରଥ, ଯାହାଙ୍କୁ ସେ ସମୟର ଅଗ୍ରଣୀ କବି କୁହାଯାଉଥିଲା, ଏହି ପୁରସ୍କାର ପାଇନଥିଲେ । ଅନ୍ୟ ଦୁଇଜଣ ବରିଷ୍ଠ କବି ରାଧାମୋହନ ଗଡ଼ନାୟକ ଏବଂ ଜଗନ୍ନାଥ ପ୍ରସାଦ ଦାସ ବି ଏହା ପାଇନଥିଲେ । ସୀତାକାନ୍ତ ମହାପାତ୍ର ସେ ସମୟରେ ରାଜ୍ୟର ଶିକ୍ଷା ବା ସାଂସ୍କୃତିକ ବ୍ୟାପାର ବିଭାଗର ସଚିବ ଥିଲେ ।

ମୋ ଛୋଟ ସହର ପୁରୀରେ ସେତେବେଳେ ମାତ୍ର ଦୁଇଟି ବହିଦୋକାନ ଥିଲା, ଭାରତୀ ଭବନ ଓ ବିଦ୍ୟାଭବନ । ଉଭୟ ବହିଦୋକାନ ପାଠାଗାର ପାଇଁ ଉଦ୍ଦିଷ୍ଟ ବହି ରଖୁଥିଲେ | ମୁଁ ମୋ ସାଇକେଲରେ ଚଢ଼ି ସେଠାକୁ ଯାଇଥିଲି ସେଇ ବହିଟି କିଣିବା ପାଇଁ, ମାତ୍ର ତାହା ମିଳିଲା ନାହିଁ ।

କିଛିଦିନ ପରେ ମୋର ଶିକ୍ଷକ ସ୍ଵର୍ଗତ ଲୋକନାଥ ଶାହା ଉକ୍ତ ବହିଟି ଓଡ଼ିଆ ପ୍ରକାଶନ ଶିଳ୍ପର ପ୍ରାଣକେନ୍ଦ୍ର କଟକରୁ କିଣି ନେଇଆସିଲେ । ସେ ସମୟରେ ମୋର କବି ଜୀବନ ତାଜା ତାଜା ଆରମ୍ଭ ହୋଇଥାଏ ଏବଂ କବି ରବି ସିଂଙ୍କ ବିପ୍ଲବୀ କବିତାଗୁଡ଼ିକ ମୋତେ ଖୁବ ପ୍ରଭାବିତ କରିଥାଏ । ସୀତାକାନ୍ତ ମହାପାତ୍ରଙ୍କ କବିତା ମୋତେ ଏକ ନୂତନ ସ୍ଵାଦର ଅନୁଭବ କରାଇଲା । ମୁଁ ତାଙ୍କ କବିତାର ଜଣେ ବିମୁଗ୍ଧ ପାଠକ ପାଲଟିଗଲି ଏବଂ ତାଙ୍କ କାବ୍ୟଧାରା ଅନୁସରଣ କରିବାକୁ ବାଛିନେଲି । କିଛିଦିନ ମଧ୍ୟରେ ମୁଁ ତାଙ୍କର ଅନ୍ୟ ପୁସ୍ତକ ଅଷ୍ଟପଦୀ ଏବଂ ଦୀପ୍ତି ଓ ଦ୍ୟୁତି ପୁରୀର ରାମକୃଷ୍ଣ ମିଶନ ଲାଇବ୍ରେରୀରେ ପାଇଲି, ଯେଉଁଠାରେ ମୁଁ ଥିଲି ଜଣେ ଛାତ୍ର ସଦସ୍ୟ ।

ସେଯାଏଁ ମୁଁ ରମାକାନ୍ତ ରଥଙ୍କ ବହି ଦେଖିନଥାଏ । ସପ୍ତମ ଦଶକର ମଧ୍ୟଭାଗରେ ଝଙ୍କାର, ନବରବି, ଆସନ୍ତାକାଲି ଏବଂ ସୁଚରିତା ଥିଲେ ଚର୍ଚ୍ଚିତ ସାହିତ୍ୟ ପତ୍ରିକା । ସେଗୁଡ଼ିକ ମଧ୍ୟରୁ ନବରବି ଥିଲା ଆଖିଦୃଶିଆ କାରଣ ଏହାର ପୂଜାସଂଖ୍ୟାରେ ତିନିଟି ବା ଚାରିଟି ଉପନ୍ୟାସ, ଗୋଟିଏ ଭ୍ରମଣ କାହାଣୀ, ପ୍ରାୟ ଶହେଟି କବିତା ଏବଂ ଦଶରୁ ପନ୍ଦରଟି ଗଳ୍ପ ସ୍ଥାନ ପାଉଥିଲା । ପତ୍ରିକାଟିଏ କିଣିବା ପାଇଁ ମୋ ପକେଟଖର୍ଚ୍ଚ ଯଥେଷ୍ଟ ନଥିଲା, ତେଣୁ ମୁଁ ସେହି ପତ୍ରିକାଗୁଡ଼ିକ ରାମକୃଷ୍ଣ ମିଶନ ଲାଇବ୍ରେରୀ ଅଥବା ମୋର ଶିକ୍ଷକ ଲୋକନାଥ ଶାହାଙ୍କ ନିକଟରୁ ଆଣି ପଢ଼ୁଥିଲି ।

ମୋ କକେଇ ଶରତଚନ୍ଦ୍ର ମହାପାତ୍ର ରାଜ୍ୟ ପ୍ରଶାସନିକ ସେବାରେ ଥିଲେ । ସେ ସମୟରେ ଆମ ପରିବାରରେ ସେ ଥିଲେ ସର୍ବାଧିକ ଶିକ୍ଷାଗତ ଯୋଗ୍ୟତାସଂପନ୍ନ ବ୍ୟକ୍ତି, ଆମ ପୈତୃକ ଗାଁର ମଧ୍ୟ । ଥରେ ସେ ମୋ ନିକଟରେ ସୀତାକାନ୍ତ ମହାପାତ୍ରଙ୍କ କବିତା ପୁସ୍ତକଗୁଡ଼ିକ ଆବିଷ୍କାର କଲେ । ସାହିତ୍ୟ ପ୍ରତି ତାଙ୍କର ପ୍ରଚଣ୍ଡ ଅନୁରାଗ ଥିବାରୁ ସେ ସେହି ପୁସ୍ତକ ମୋଠାରୁ ମାଗିନେଲେ । ଶବ୍ଦର ଆକାଶ ପଢ଼ିବାରେ ସେ ସମୟରେ ମୁଁ ଏତେ ନିମଗ୍ନ ହୋଇଯାଇଥିଲି ଯେ ବହିଟିକୁ ନିଜ ପାଖରୁ ଦୂରେଇଦେବା ମୋତେ ବହୁତ କଷ୍ଟ ଦେଇଥିଲା । ସୀତାକାନ୍ତ ମହାପାତ୍ର ସେତେବେଳେ ଓଡ଼ିଶାର ଜଣେ ବଡ଼ପାହ୍ୟା ପ୍ରଶାସନିକ ଅଧିକାରୀ ଥିଲେ, ତେଣୁ ତଳପାହ୍ୟା ଅଧିକାରୀମାନେ ବି ତାଙ୍କ ଲେଖା ପଢୁଥିଲେ । ମୋ କକେଇଙ୍କର ସୀତାକାନ୍ତ ମହାପାତ୍ରଙ୍କ ସହ ନିୟମିତ ଦେଖାସାକ୍ଷାତ ବି ହେଉଥିଲା ।

ପ୍ରକାଶକ ମହେନ୍ଦ୍ର ମିଶ୍ରଙ୍କ ପୁଅ ସୁମନ୍ତ ମିଶ୍ର ଥିଲା ମୋ ପଢ଼ାସାଥୀ । ସେ ମଧ୍ୟ ଥିଲା କବି ରମାକାନ୍ତ ମିଶ୍ରଙ୍କ ଭଣଜା । ମୁଁ ତା ଠାରୁ ସେ ସମୟର ବଡ଼ ବଡ଼ ଲେଖକଙ୍କ ସମ୍ପର୍କରେ ଜାଣିବାକୁ ପାଉଥିଲି, କାରଣ ସେମାନେ ସମସ୍ତେ ଥିଲେ ତା ବାପାଙ୍କର ବନ୍ଧୁ । ସେ ମୋତେ ରମାକାନ୍ତ ରଥଙ୍କର ଦୁଇଟି ବହି ପଢ଼ିବାକୁ ଦେଇଥିଲା | ସମୟକ୍ରମେ ରମାକାନ୍ତ ରଥ ତାଙ୍କର ସପ୍ତମ ୠତୁ ପୁସ୍ତକ ପାଇଁ ସାହିତ୍ୟ ଏକାଡେମୀ ପୁରସ୍କାର ପାଇଲେ । ସେ ସମୟରେ ଓଡ଼ିଶାରେ ସାହିତ୍ୟ ଏକାଡେମୀର ସଂଯୋଜକ ଥିଲେ ଯତୀନ୍ଦ୍ର ମୋହନ ମହାନ୍ତି, ଯିଏ କି ସୁମନ୍ତର ବାପା ମହେନ୍ଦ୍ର ମିଶ୍ରଙ୍କର ବନ୍ଧୁ ମଧ୍ୟ ଥିଲେ । ସଂଯୋଗବଶତଃ, ଓଡ଼ିଶାରେ ତତ୍କାଳୀନ ବଡ଼ ବଡ଼ ଲେଖକମାନେ ଅଧିକସଂଖ୍ୟାରେ ଥିଲେ ପ୍ରଶାସନିକ ଅଧିକାରୀ ଏବଂ କଲେଜ ବା ବିଶ୍ଵବିଦ୍ୟାଳୟ ଅଧ୍ୟାପକ । ଏହି ସ୍ଥିତି ଆଜି ବି ଜାରି ରହିଛି ।

ସୀତାକାନ୍ତ ମହାପାତ୍ରଙ୍କୁ ମୁଁ ପ୍ରଥମଥର ଓଡ଼ିଶା ସଚିବାଳୟରେ ଭେଟିଥିଲି ଯେତେବେଳେ ମୁଁ ଥିଲି ପୁରୀର SCS କଲେଜରେ ବିଏ ଶେଷବର୍ଷର ଛାତ୍ର । ଓଡ଼ିଆ ମାତୃଭାଷାର ମାର୍କ ୧୦୦ରୁ ୨୦୦କୁ ବଢ଼ାଇବା ଦାବିରେ ସେତେବେଳେ ସାରା ଓଡ଼ିଶାରେ ଛାତ୍ର ଆନ୍ଦୋଳନ ଚାଲିଥାଏ । ଶିକ୍ଷା ସଚିବ ସୀତାକାନ୍ତ ମହାପାତ୍ରଙ୍କୁ ଭେଟିବାକୁ ଯାଇଥିବା ପ୍ରତିନିଧି ମଣ୍ଡଳୀରେ ଜଣେ ଛାତ୍ରନେତା ଭାବେ ମୁଁ ସ୍ଥାନ ପାଇଥିଲି ।

ଆମ ନେତା ଯୁଧିଷ୍ଠିର ଜେନା ମୋତେ ସଚିବଙ୍କ ସହ ପରିଚିତ କରାଇଲେ । ମୋର ପରିଚୟ ଦେଉଥିବା ବେଳେ ହଠାତ ସୀତାକାନ୍ତ ମହାପାତ୍ର ପଚାରିଲେ, “ତାହେଲେ କବିତା ଲେଖିବା ସହିତ ତୁମେ ନେତାଗିରି ବି କରୁଛ !” ମୁଁ ଏଇ କଥା ଭାବି ଆଶ୍ଚର୍ଯ୍ୟ ହୋଇଗଲି ଯେ, ସୀତାକାନ୍ତ ମହାପାତ୍ର ତାଙ୍କ ସମୟର ଯୁବକବିମାନଙ୍କର ଲେଖା ବି ପଢ଼ନ୍ତି ।

ଏହା ମଧ୍ୟରେ ଦଶବର୍ଷରୁ ଅଧିକ ସମୟ ବିତିଗଲା । ଉତ୍ତର ସପ୍ତମ ଦଶକରେ ସୀତାକାନ୍ତ ମହାପାତ୍ର ଡକ୍ଟରେଟ୍ ଉପାଧି ପାଇଲେ ଏବଂ ମୁଁ ରାଜ୍ୟ ସରକାର ଓ NCERTରେ ସଂକ୍ଷିପ୍ତ କାର୍ଯ୍ୟକାଳ ପରେ ୧୯୯୦ ମସିହାରେ ନ୍ୟାସନାଲ ବୁକ୍ ଟ୍ରଷ୍ଟ, ଇଣ୍ଡିଆର ଓଡ଼ିଆ ଭାଷା ସଂପାଦକ ଭାବେ ଯୋଗଦେଲି । ଦୁଇ ଦଶନ୍ଧି ଧରି ଏହି ସଂସ୍ଥାର ଓଡ଼ିଆ ପରାମର୍ଶଦାତା ମଣ୍ଡଳୀ ଗଠିତ ହୋଇନଥିଲା । ମୁଁ ଡକ୍ଟର ସୀତାକାନ୍ତ ମହାପାତ୍ରଙ୍କୁ ଅନ୍ୟତମ ସଦସ୍ୟ ଭାବେ ନେଇ ଏହାର ପୁନର୍ଗଠନ କଲି । ସେ ସମୟରେ ସେ ଦିଲ୍ଲୀରେ ଯୋଜନା କମିଶନର ସଚିବ ଭାବେ କାର୍ଯ୍ୟ କରୁଥିଲେ । ରମାକାନ୍ତ ରଥ ମଧ୍ୟ ଉପଲବ୍ଧ ଥିଲେ, କିନ୍ତୁ ମୁଁ ସୀତାକାନ୍ତ ମହାପାତ୍ରଙ୍କୁ ଅଗ୍ରାଧିକାର ଦେଲି ।

ଦଶବର୍ଷ ବିତିଗଲା । ଇତିମଧ୍ୟରେ ସୀତାକାନ୍ତ ମହାପାତ୍ର ଭାରତ ସରକାରଙ୍କ ସଂସ୍କୃତି ମନ୍ତ୍ରାଳୟର ସଚିବ ହେଲେ । ସେ ସମୟରେ ବିଦେଶ ଗସ୍ତରେ ଯାଉଥିବା ସାଂସ୍କୃତିକ ପ୍ରତିନିଧି ଦଳରେ ଅନେକ ଅନାମଧେୟ ବ୍ୟକ୍ତି ବି ସ୍ଥାନ ପାଇପାରିଥିଲେ । କିନ୍ତୁ ସୀତାକାନ୍ତ ବାବୁ ଏଥିପାଇଁ ମୋତେ କେବେ ବି ମନୋନୀତ କରିନଥିଲେ କି ମୁଁ ବି ତାଙ୍କୁ କେବେ କୌଣସି ଅନୁକମ୍ପା ପାଇଁ ଅନୁରୋଧ କରିନଥିଲି । ଇତିମଧ୍ୟରେ ରମାକାନ୍ତ ରଥ NBTର ନୀତି ନିର୍ଦ୍ଧାରକ ବୋର୍ଡ ଅଫ୍ ଟ୍ରଷ୍ଟିର ଅନ୍ୟତମ ସଦସ୍ୟ ହୋଇଥିଲେ ।

ଦିନେ ଡକ୍ଟର ସୀତାକାନ୍ତ ମହାପାତ୍ର ଆମର ପୁସ୍ତକ ଦୋକାନ ବୁଲିବାକୁ ଆସିଲେ । ସେତେବେଳେ NBT ଗ୍ରୀନ୍ ପାର୍କରେ ଥିଲା । ପୁସ୍ତକ ଦୋକାନ ସହାୟକ ମୋତେ ଖବର ଦେଲେ ଓ ମୁଁ ତୁରନ୍ତ ଯାଇ ସେଠାରେ ପହଞ୍ଚିଲି ।

  • “ରମାକାନ୍ତ ବାବୁ NBT ବୋର୍ଡ ଅଫ୍ ଟ୍ରଷ୍ଟିର ସଦସ୍ୟ ହେଲେ ଏହା ଖୁବ୍ ଭଲ କଥା । ପରଥରକୁ ତୁମେ ମୋ ନାଁ ସୁପାରିସ କରିପାର ।” ସେ କହିଲେ ।
  • “କିନ୍ତୁ ସଦସ୍ୟ ପଦବୀ ଆପଣଙ୍କ ପାଇଁ ଏକ ଗୌଣ ପଦବୀ । ଆପଣ NBT hvର ଅଧ୍ୟକ୍ଷ ହେବା ପାଇଁ ଯୋଗ୍ୟ । ତାଛଡ଼ା ମୁଁ ଯେତିକି ଜାଣେ ପ୍ରଫେସର ଯୋଶୀ ତ ଆହ୍ଲାବାଦ ବିଶ୍ଵବିଦ୍ୟାଳୟରେ ଆପଣଙ୍କ ସହକର୍ମୀ ଥିଲେ ।” ମୁଁ କହିଲି । ସେତେବେଳେ କେନ୍ଦ୍ର ସରକାରରେ ମାନବ ସଂଶାଧନ ବିକାଶ ମନ୍ତ୍ରୀ ଥିଲେ ପ୍ରଫେସର ମୁରଲୀ ମନୋହର ଯୋଶୀ । ଡକ୍ଟର ସୀତାକାନ୍ତ ମହାପାତ୍ର ତାଙ୍କର MA ଶିକ୍ଷା ଆହ୍ଲାବାଦ ବିଶ୍ଵବିଦ୍ୟାଳୟରେ ସାରିବା ପରେ ଆଇଏଏସ୍ ଚାକିରୀ କରିବା ପୂର୍ବରୁ କିଛିକାଳ ସେଠାରେ ଅଧ୍ୟାପକ ଥିଲେ । ସେ ସମୟରେ ପ୍ରଫେସର ମୁରଲୀ ମନୋହର ଯୋଶୀ ମଧ୍ୟ ଆହ୍ଲାବାଦ ବିଶ୍ଵବିଦ୍ୟାଳୟରେ ଅଧ୍ୟାପନା କରୁଥିଲେ ।

କିନ୍ତୁ ମୁଁ ଭାବିନଥିଲି ମୋ କଥାକୁ ସେ ଏତେ ଗୁରୁତ୍ଵର ସହ ନେଇଯିବେ !

୨୦୦୦ ମସିହାର କଥା, ବୋଧହୁଏ ଜୁଲାଇ ମାସ । NBTର ତତ୍କାଳୀନ ଅଧ୍ୟକ୍ଷ ଡକ୍ଟର ସୁମତୀନ୍ଦ୍ର ନାଡ଼ିଗ୍ ମୋତେ ଜଣାଇଲେ ଯେ ତାଙ୍କ ବନ୍ଧୁ ଡକ୍ଟର ସୀତାକାନ୍ତ ମହାପାତ୍ର ପରବର୍ତ୍ତୀ ଅଧ୍ୟକ୍ଷ ହେବା ପାଇଁ ମନୋନୀତ ହୋଇଛନ୍ତି । ମୁଁ ଖୁସି ହେଲି, କାରଣ ସେ ହେଉଛନ୍ତି ମୁଁ ଲେଖୁଥିବା ଭାଷାର ଜଣେ ବରିଷ୍ଠ କବି । ସୀତାକାନ୍ତ ମହାପାତ୍ର ସେତେବେଳର NBT ନିର୍ଦ୍ଦେଶକ ପ୍ରଫେସର ନିର୍ମଳକାନ୍ତି ଭଟ୍ଟାଚାର୍ଜୀଙ୍କୁ ବାଛିଥିବା ମନୋନୟନ ବୋର୍ଡର ଅନ୍ୟତମ ସଦସ୍ୟ ଥିଲେ ।

କିଛିମାସ ପରେ ସୀତାକାନ୍ତ ମହାପାତ୍ର ଦାୟିତ୍ଵ ନେଲେ | ସ୍ଵାଗତ ସଭାରେ ସେ ମୋ ସହ ତାଙ୍କର ଦୀର୍ଘଦିନର ସମ୍ପର୍କ ବିଷୟରେ ବି କହିଲେ । ମୁଁ ଉଲ୍ଲସିତ ହେଲି । ସେତେବେଳେ ମୁଁ ଗାଜିଆବାଦର ଶାଲିମାର ଗାର୍ଡେନସ୍ଥିତ ମୋ ନିଜ ଘରେ ରହିବା ଆରମ୍ଭ କରିଥାଏ । ଦିନେ ଅପରାହ୍ଣରେ ସେ ମୋତେ ଅଫିସରେ ଡାକିଲେ ।

  • “ମୋ ପାଖରେ କିଛି ଭଲ ଚାଉଳ ଅଛି ଯାହାକୁ ମୁଁ ଉଡ଼ାଜାହାଜରେ ମୋ ଭୁବନେଶ୍ଵର ଘରକୁ ନେଇ ଯାଇପାରିବି ନାହିଁ । ତୁମର ନିକଟରେ ଭୁବନେଶ୍ଵର ଯିବାର ଅଛି, ମୁଁ ତୁମ ଟୁର୍ ପ୍ରୋଗ୍ରାମ୍ ବି ମଂଜୁର କରିଦେଇଛି । ତୁମେ ତ ଟ୍ରେନ୍ରେ ଯିବ, ଏଇ ଚାଉଳତକ ନେଇ ଭୁବନେଶ୍ଵରରେ ସତ୍ୟନଗର ଘରେ ମୋ ସ୍ତ୍ରୀଙ୍କୁ ଦେଇଦେବ କି ? ମୋ କାର୍ ତୁମକୁ ନେଇ ନୂଆଦିଲ୍ଲୀ ରେଳଷ୍ଟେସନରେ ଛାଡ଼ିଦେବ ।”

ମୁଁ ଖୁସି ହେଲି ଯେ ମୋ ସଂସ୍ଥାର ଅଧ୍ୟକ୍ଷ ମୋତେ ଗୋଟିଏ ଦାୟିତ୍ଵ ଦେଇଛନ୍ତି । “ଠିକ୍ ଅଛି ସାର୍”, ମୁଁ କହିଲି । ପରଦିନ ତାଙ୍କ କାର୍ ମୋତେ ଆଣି ନୂଆଦିଲ୍ଲୀ ରେଳ ଷ୍ଟେସନରେ ଛାଡ଼ିଦେଲା, ପ୍ରାୟ ୪୦ କେଜି ଓଜନର ଚାଉଳ ବସ୍ତା ସମେତ । ମୋ ପାଖରେ ଜିନିଷପତ୍ର ବେଶୀ ନଥିଲା, ତେଣୁ ଚାଉଳ ବ୍ୟାଗ୍ ନେବାକୁ ବିଶେଷ ଅସୁବିଧା ହେଲାନି । ମୁଁ ଭୁବନେଶ୍ଵରରେ ପହଞ୍ଚି ସତ୍ୟନଗର ବାସଭବନଠାରେ ଶ୍ରୀମତୀ ମହାପାତ୍ରଙ୍କୁ ଚାଉଳ ବ୍ୟାଗ୍ଟି ଦେଇଦେଲି ।

କିଛିମାସ ପରେ ମୁଁ ମୋ ନିର୍ଦ୍ଦେଶକଙ୍କଠାରୁ ଗୋଟିଏ ବହି ପାଇଲି, ଯେଉଁଥିରେ ଗୋଟିଏ ନୋଟ୍ ରହିଥିଲା ଯେ ସେ ଡକ୍ଟର ସୀତାକାନ୍ତ ମହାପାତ୍ରଙ୍କ ଦ୍ଵାରା ଶିଶୁମାନଙ୍କ ପାଇଁ ବିଭିନ୍ନ ଭାଷାରୁ ଅନୁବାଦିତ ଏହି କବିତା ପୁସ୍ତକଟି ଦେଖିଛନ୍ତି ଏବଂ ଓଡ଼ିଆରେ ଏହାର ପ୍ରକାଶନ ଏବଂ ଅନ୍ୟାନ୍ୟ ଭାରତୀୟ ଭାଷାରେ ଅନୁବାଦ ବିଷୟ ମୁଁ ଅନୁଧ୍ୟାନ କରି ଦେଖିବି । ବହିଟିର ଶୀର୍ଷକ ଥିଲା ‘ଅସରନ୍ତି ପିଲାଦିନ’ ଏବଂ ପ୍ରକାଶକ ଥିଲେ କଟକର ଫ୍ରେଣ୍ଡସ୍ ପବ୍ଲିଶର୍ସ । ଏହା ଅଳ୍ପ କିଛିବର୍ଷ ପୂର୍ବେ ପ୍ରଥମଥର NBTକୁ ପ୍ରକାଶନ ପାଇଁ ଆସିଥିଲା ଏବଂ ମୁଁ ଉକ୍ତ ଅନୁବାଦିତ କବିତାଗୁଡ଼ିକର ମୂଳ କବିତା ଅଥବା ସେଗୁଡ଼ିକର ଇଂରାଜୀ ରୂପ ଦେଖିବାକୁ ଚାହିଁଥିଲି । ଏହାର କୌଣସି ଉତ୍ତର ମିଳିନଥିଲା ।

ମୁଁ ଡକ୍ଟର ସୀତାକାନ୍ତ ମହାପାତ୍ରଙ୍କ ନିକଟକୁ ଗଲି ଏବଂ ମୋ ଭାବନା ତାଙ୍କୁ ଜଣାଇଲି ।

  • “ସାର୍, ମୋର ଯେତେଦୂର ମନେପଡୁଛି ମୁଁ ଏଇ ପ୍ରସ୍ତାବ କିଛିବର୍ଷ ତଳେ ଦେଖିଥିଲି ଏବଂ ଦୁଇଟି ମତ ଦେଇଥିଲି । ପ୍ରଥମଟି ହେଉଛି ଆପଣ ଯେଉଁ ଏହି କବିତାଗୁଡ଼ିକର ଅନୁବାଦ କରିଛନ୍ତି ତାହାର ମୂଳରୂପ ମୁଁ ଦେଖିବାକୁ ଚାହେଁ ଏବଂ ଦ୍ଵିତୀୟଟି ହେଉଛି ଆପଣ ଏହି ବହିରେ ୪୨ଟି କବିତା ଅନୁବାଦ କରିଛନ୍ତି, କିନ୍ତୁ ତା ମଧ୍ୟରୁ ମାତ୍ର ୧୫ଟି ହେଉଛି ଶିଶୁ କବିତା । ମୋ ମତ ଆଜି ବି ସେଇଆ ରହିଛି । ଯଦି ଆପଣ ମୋ ମତକୁ ଠିକ୍ ବୋଲି ଭାବୁଛନ୍ତି, ତେବେ ଆପଣ ମୋତେ ଏହି କବିତାଗୁଡିକର ମୂଳଲେଖା ଦେଖାଇବେ ଏବଂ କମ୍ସେକମ୍ ଆଉ ୧୫ଟି କବିତା ଯୋଡ଼ିବେ । କିନ୍ତୁ ଯଦି ଆପଣ ଏହି ବହିଟିକୁ ଯେଉଁଭଳି ଅଛି ସେହିଭଳି ଛାପିବାକୁ ଚାହୁଁଛନ୍ତି, ତାହେଲେ ଛାପିବା ପ୍ରକ୍ରିୟା ଆରମ୍ଭ କରିବା ପାଇଁ ଆପଣ ମୋତେ NBTର ଅଧ୍ୟକ୍ଷ ଭାବେ ଆଦେଶ ଦେଇପାରିବେ । ତାହେଲେ ମୁଁ ଆଉ ଏହାକୁ ଅନୁଧ୍ୟାନ କରିବାର ଆବଶ୍ୟକତା ରହିବ ନାହିଁ । ସେ କ୍ଷେତ୍ରରେ ବହିଟି ପୂର୍ବରୁ ଜଣେ ପ୍ରକାଶକଙ୍କ ଦ୍ଵାରା ପ୍ରକାଶିତ ହୋଇସାରିଥିବାରୁ ସଂକଳକ ଭାବେ ଆପଣ କିଛି ପାଇବେ ନାହିଁ । ଅନ୍ୟ ବିକଳ୍ପଟି ହେଉଛି ଆପଣ ଉକ୍ତ ପ୍ରକାଶକଙ୍କ ନିକଟରୁ ଅନୁମତି ପ୍ରତ୍ୟାହାର କରି NBTକୁ ଦେବେ । ସେ କ୍ଷେତ୍ରରେ ଅନୁବାଦକ ଭାବେ ଆପଣ କିଛି ପ୍ରାପ୍ୟ ପାଇବାର ସମ୍ଭାବନା ରହିଛି ।”
  • “ମୋତେ ଭୁବନେଶ୍ଵରଠାରେ ଦେଖାକର ।” ସେ କହିଲେ ।

ପରବର୍ତ୍ତୀ ସମୟରେ ଭୁବନେଶ୍ଵରଠାରେ ମୁଁ ତାଙ୍କ ସତ୍ୟନଗରସ୍ଥିତ ବାସଭବନରେ ଦେଖାକଲି । ସେ ମୋତେ ଏକ ବାକ୍ସବର୍ତ୍ତି ପୁସ୍ତକ ଦେଖାଇଲେ, ଯେଉଁଥିରୁ ସେ କବିତାଗୁଡ଼ିକ ଅନୁବାଦ କରିଥିଲେ । ତାପରେ ସେ ଆଉକିଛି ପୁସ୍ତକ ଦେଖାଇଲେ ଯେଉଁଥିରୁ ସେ ଆଉ ୧୫ଟି କବିତା ଅନୁବାଦ କରି ସଂକଳନରେ ଅନ୍ତର୍ଭୁକ୍ତ କରିବା ପାଇଁ ସ୍ଥିର କରିଥିଲେ ।

  • “ମୁଁ ସମ୍ପାଦକଙ୍କ ଉପଦେଶକୁ ସମ୍ମାନ ଦିଏ ।” ସେ କହିଲେ ।

ତାପରେ ସେ NBTର ଅଧ୍ୟକ୍ଷ ଭାବେ ଉକ୍ତ ବାକ୍ସଭର୍ତ୍ତି ପୁସ୍ତକଗୁଡ଼ିକ ନୂଆଦିଲ୍ଲୀ ସ୍ଥିତ NBT ପାଠାଗାରକୁ ନେଇଯିବା ପାଇଁ ଆଦେଶ ଦେଲେ ।

Leave a Reply

Your email address will not be published. Required fields are marked *