ତସରିହ୍-ଅଲ୍-ଅକବମ୍ ର କେତୋଟି ଛବି

ତସରିହ-ଅଲ୍-ଅକବମ୍ ର ଅର୍ଥ ହେଉଛି ଭାରତର ବିଭିନ୍ନ ଧର୍ମ, ଜାତି, ସଂପ୍ରଦାୟ ତଥା ଆଦିବାସୀମାନଙ୍କର ଉତ୍ପତ୍ତି ତଥା ବୃତ୍ତିର ଏକ  ବିବରଣୀ। ଏଥିରେ କିଛି ଗଦ୍ୟଭାଗ ରହିଛି,କିଛି ଚିତ୍ରଭାଗ ବି ରହିଛି ।

ଏଥିରେ ଥିବା ଗଦ୍ୟଭାଗ ରେ ଥିବା  ବେଦ ଆଉ କିଛି ଶାସ୍ତ୍ରର ଅଂଶବିଶେଷକୁ ପାର୍ଶୀ ଭାଷାରେ ଅନୁବାଦ କରିଥିଲେ କର୍ଣ୍ଣେଲ୍ ଜେମସ୍ ସ୍କିନର୍।

କର୍ଣ୍ଣେଲ୍ ଜେମସ୍ ସ୍କିନର୍ ।

କଲିକତାରେ ୧୭୭୮ ମସିହାରେ ଜନ୍ମ ଗ୍ରହଣ କରିଥିବା ଏଇ ଗୋରା ସାହେବକୁ ସମସ୍ତେ ଶ୍ରଦ୍ଧାରେ ସିକନ୍ଦର ସାହେବ ବୋଲି ଡାକୁଥିଲେ। ଏହା ପଛରେ ସ୍କିନର୍ ଙ୍କ ଲୋକପ୍ରିୟତା ଓ ପାର୍ଶି ଭାଷାରେ ରହିଥିବା ବିଶେଷ  ଦକ୍ଷତାକୁ କାରଣ ବୋଲି ଅନୁମାନ କରାଯାଇପାରେ।ପରେ କର୍ଣ୍ଣେଲ୍ ସ୍କିନର୍ ତାଙ୍କର ସାମରିକ ପ୍ରତିଭା ବଳରେ ଇଷ୍ଟ ଇଣ୍ଡିଆ କଂପାନୀର ମରହଟ୍ଟା-ବିରୋଧୀ ଅଭିଯାନର ମୂଖ୍ୟ ଥିଲେ।

କଲିକତାରେ ଜନ୍ମିତ ଏଇ ସାହେବ ଜଣକ ଦିଲ୍ଲୀରେ ପ୍ରାଣତ୍ୟାଗ କରିଥିଲେ ହରିଆନା ସହର ନିକଟରେ।

୧୮୨୫ ମସିହାରେ ସ୍କିନର୍ ଏଇ ତସରିହ୍-ଅଲ୍-ଅକବମ୍କୁ ପୂର୍ଣ୍ଣ ରୂପ ଦେଇଥିଲେ। ସେ ଏଇ ବିବରଣୀରେ ଚିତ୍ରଭାଗଟି ପାଇଁ ସେ ସମୟର ପ୍ରସିଦ୍ଧ ଚିତ୍ରକର ଗୁଲାମ ଅଲି ଖାନ୍ ଙ୍କ ତତ୍ତ୍ଵାବଧାନ ରେ ଦିଲ୍ଲୀର ଅନେକ ଚିତ୍ରକରଙ୍କୁ ନିୟୋଜିତ କରିଥିଲେ।

ଏଇ ଛବିଗୁଡିକ ଏକ ଐତିହାସିକ ଗୁରୁତ୍ୱ ରହିଛି। ଏହା ଭାରତର ମୋଗଲ ପରବର୍ତ୍ତୀ ସମୟର  ନୃତାତ୍ତ୍ୱିକ ଅଧ୍ୟୟନର ଏକ ପ୍ରାଥମିକ ଚିତ୍ର ପରିବେଷଣ।

ଏଇ ପର୍ଯ୍ୟାୟର ଆହୁରି ଅନେକ ଚିତ୍ର ତାହାର ବୈଚିତ୍ର୍ୟ ସହ  ମହର୍ଷି ଗୁଗୁଲ୍ ଙ୍କ କମଣ୍ଡଳୁରେ ରହିଛି ଆପଣମାନଙ୍କ ପାଇଁ।

କର୍ଣ୍ଣେଲ୍ ସ୍କିନର୍ ଙ୍କ ଏଇ ପ୍ରତିବେଦନ ପରିପ୍ରେକ୍ଷୀରେ ପଦଟିଏ ଅନୁଦାର କଥା କହିବାର ଅନୁମତି ଚାହୁଁଛି। ଜଣେ ସେ କାଳର ଇଷ୍ଟ ଇଣ୍ଡିଆ କଂପାନୀର ବିଦେଶୀ ଶାସକଟିଏ ଶାସନର ସୁବିଧା ପାଇଁ ଭାରତର ବିବିଧତାକୁ ବୁଝିବା ପାଇଁ ତଥା ବିବିଧତାର ସାମର୍ଥ୍ଯକୁ ଆକଳନ କରିବା ପାଇଁ ଏଇ ପ୍ରକାର ପଦକ୍ଷେପ ନେଇଥିଲା। କିନ୍ତୁ ଆଜି ଆମେ ସଂଖ୍ୟାବହୁଳତାକୁ ସାମର୍ଥ୍ଯ ବୋଲି ବିଚାର କରି ବିବିଧତାକୁ ଏକ ପ୍ରକାର ଅସ୍ୱୀକାର କରିବାର ପ୍ରୟାସରେ ରହୁଛୁ। ମହାରାଷ୍ଟ୍ରର ଇତିହାସ ପୁସ୍ତକରେ ଯଦି ମରହଟ୍ଟାମାନଙ୍କ ଦୃଷ୍ଟିକୋଣରୁ ଇତିହାସ ପଢାଯିବ ଆଉ ମୋଗଲ ମାନଙ୍କର ସର୍ବଭାରତୀୟ ଭୂମୀକା (ଉଭୟ ଭଲ ପକ୍ଷ ଓ ଖରାପ ପକ୍ଷ) କୁ ପିଲାମାନଙ୍କର ସ୍ମୃତି ପଟଳକୁ ଆସିବାକୁ ଦିଆଯିବ ନାହିଁ ତେବେ ଇତିହାସ କହିଲେ ସମୟର ସତ୍ୟନିଷ୍ଠ ଅଧ୍ୟୟନ ବୋଲି କଥାଟିକୁ ଆମେ ସହଜରେ ପୋଡି ପାଉଁଶ କରିଦେବୁ।

ଭଗବାନ ନକରନ୍ତୁ ଇତିହାସ କହିଲେ ଆମର ଧାରଣାରୁ ସର୍ବଭାରତୀୟ ପ୍ରେକ୍ଷାପଟଟି ଅପସରି ନଯାଉ। ଆମେ ଖାଲି ଆମ ପୂର୍ବପୁରୁଷ ଆଉ ଗଂଗା ଠୁ ଗୋଦାବରୀ ଯାଏଁ ବିସ୍ତାରର ଏକ ଅତୀତମୁଗ୍ଧତାରେ ନିଜକୁ ପ୍ରତିଷ୍ଠିତ କରିବାର ଆନନ୍ଦରେ ବାସ ନକରୁ।

କହିବା କଥା ହେଉଛି ଇତିହାସରେ ଭାରତଟି ରହୁ। ଇତିହାସରେ ପୁଣି ସେଇ ଖ୍ରୀପୂ ଷଷ୍ଠ ଶତାବ୍ଦୀର ଷୋଡଶ ମହାଜନପଦର ସାମାଜିକ-ଦାରୱିନ୍-ବାଦର ପୂନଃ ଆବିର୍ଭାବ ନହେଉ।

ଇତିହାସର ବିକୃତିକରଣରେ ବିଦେଶୀ ଦେଶୀ ସମସ୍ତଙ୍କ ହାତ ଅଛି। ସେଇମିତି ଇତିହାସକୁ ସତ୍ୟନିଷ୍ଠ ଭାବରେ ଉପସ୍ଥାପନ କରିବାରେ ବି ଦେଶୀ ବିଦେଶୀ ଉଭୟ ଅଛନ୍ତି। ସବୁଠି ପ୍ରଶାସକ ଆଉ ଛାତ୍ରଟିର ଇତିହାସ ପଢିବା ଅଲଗା ଅଲଗା।

ଏଇ ଛବିଗୁଡିକର ପାଠ ଆପଣମାନଙ୍କର ନିଜର।

କର୍ଣ୍ଣେଲ୍ ଜେମସ୍ ସ୍କିନର୍ ଙ୍କ ତସରିହ୍-ଅଲ୍-ଅକବମ୍ ର ଏଇ ଛବିଗୁଡିକ ଜଳରଂଗର। ବର୍ତ୍ତମାନ ଏହା ବ୍ରିଟିଶ୍ ଲାଇବ୍ରେରୀରେ ସଂରକ୍ଷିତ ହୋଇ ରହିଛି।

About Jyoti Nanda

Jyoti Nanda is a writer, translator based in Bhubaneswar.

View all posts by Jyoti Nanda →