ଊଣେଇଶଶ’ ଏକସ୍ତରୀ

ମୂଳ ଲେଖା : ହୁମାୟୁନ ଅହମେଦ  || ଅନୁବାଦ : ଜ୍ୟୋତି ନନ୍ଦ

ସେମାନେ ଆସିଗଲେ ସଂଜ ହେବା ଆଗରୁ ଆଗରୁ।

ବିରାଟ ଗୋଟିଏ ଦଳ। ମାର୍ଚ ଟାର୍ଚ କିଛି ନାଇଁ। ସେମିତି କିଛି ଶୃଙ୍ଖଳା ନାହିଁ  ଚାଲି ଚାଲି ପାଦରେ। ସମ୍ଭବତଃ ଖୁବ ଦୂରରୁ ଆସିଛନ୍ତି।ଜଣକ ପରେ ଜଣେ କ୍ଲାନ୍ତିରେ ନଇଁ ପଡିଛନ୍ତି। ମୁହଁଟି ମାନ ଝାଳ ସରସର। ଧୂଳୀ ଧୂସରିତ ଖାକି ପୋଷାକ।

ଗାଆଁର ଲୋକବାକ ସବୁ ଲୁଚି ପଡିଲେଣି। କେବଳ ଜଣେ ବଦି ପାଗଳା ହସହସ ମୁହଁରେ ଆଗେଇ ଯାଏ। ମହାନନ୍ଦରେ ବଡପାଟି କରି କହେ, ବିଷୟଟି କ’ଣ ଗୋ ?

ପୂରା ଦଳଟି ଥମକି ଛିଡା ହୋଇଗଲା। ବଦି ପାଗଳାର ହାତରେ ଗୋଟିଏ ଲାଲ ଗାମୁଛା। ସେ ସେଇ ଗାମୁଛାକୁ ନିଶାଣ ଭଳି ଉଡାଇ ପାଟି କଲା, କୁଆଡେ ଯିବାର ହେଉଛି ଗୋ ଆପଣମାନଙ୍କର ? ଏପରି ଅଦ୍ଭୁତ ବ୍ୟାପାର ସେ ଆଗରୁ କେବେହେଲେ ଦେଖିନି।

ମେଜର ସାହେବଙ୍କ ଆଖିରେ ସନଗ୍ଲାସ୍। ସେ ଆଖିରୁ ସନଗ୍ଲାସ୍ ଟାକୁ ଖୋଲିପକାଇ ଇଂରେଜୀରେ ପଚାରିଲେ,ଏଇ ଲୋକଟା କହୁଛି କ’ଣ ? ରଫିକୁଦ୍ଦିନ ସାଙ୍ଗେ ସାଙ୍ଗେ କହିଲା,ଲୋକଟା ମନେ ହେଉଛି ପାଗଳ । ଆମର ଆଜ୍ଞା ସବୁ ଗ୍ରାମରେ ଗୋଟିଏ କରି ପାଗଳ ଥାଆନ୍ତି।

ସେମିତି କି ?

ଜୀ ସାର୍।

ବୁଝିଲ କେମିତି ଯେ ଇଏ ପାଗଳ ?

ରଫିକୁଦ୍ଦିନ ଚୁପ୍ ହୋଇଗଲା। ମେଜର ସାହେବଙ୍କର ସବୁକଥାକୁ ଖୁବ୍ ଘାଣ୍ଟିବାର ସ୍ୱଭାବ।ଗୋଟିଏ କଥାର ଦଶଟି ଅର୍ଥ କରନ୍ତି। ବଦି ପାଗଳାକୁ ଦେଖାଯାଉଛି ତରତର ହୋଇ ଆସୁଛି।ତାହାର ମୁହଁଭରା ହସ। ରଫିକ ଧମକ ଦେଲା,ଏଇ,ଚୁପ୍,କ’ଣ ଚାହୁଚୁ ତୁ ? ବଦି ପାଗଳାର ହସ ଆହୁରି ବିସ୍ତୃତ ହେଲା।ରଫିକ କପାଳରୁ ଝାଳ ପୋଛିଲା।ସରୁ ଗଳାରେ କହିଲା,ଲୋକଟା ସାର୍ ପାଗଳ। ଆମର ସବୁ ଗ୍ରାମରେ ଗୋଟିଏ କରି…।

ଏଇ କଥା ତମେ ଆଗରୁ ଥରେ କହିଛ।ଗୋଟିଏ କଥା ଦିତିନିଥର କହିବାର ପ୍ରୟୋଜନ ନାହିଁ ।

ରଫିକ ଢୋକ ଗିଳିଲା।ମେଜର ସାହେବ ଥଣ୍ଡା ଗଳାରେ କହିଲେ,ଏଇ ଜାଗାଟା ମୋର ପସନ୍ଦ ହେଉଛି। କିଛି ସମୟ ବିଶ୍ରାମ ନିଆ ଯାଇପାରେ।ସମସ୍ତେ ଟାୟାର୍ଡ।

ମାଇଲ ପାଞ୍ଚେକ ଗଲେ ସାର୍ ନବୀନଗର । ଖୁବ୍ ବଡ ବଜାର,ପୁଲିସ ଫାଣ୍ଡି ରହିଛି। ସଂଜ ପୁରାପୁରି ହେବା ଆଗରୁ ସାର୍ ନବୀନଗର ପହଞ୍ଚିଯିବା ଭଲ।

କାହିଁକି ? ତମେ କ’ଣ ଭୟ କରୁଛ ?

ଜୀ ନା ସାର୍,ଭୟ କରିବି କାହିଁକି ?

ମେଜର ସାହେବ ଦଳଟି ଆଡକୁ ଚାହିଁ କିଛି ଗୋଟାଏ କହିଥିଲେ। ଚାପା ଉତ୍ତେଜନା ସୃଷ୍ଟି ହେଲା। ନିମିଷେକରେ  ଚାରିଆଡେ ଛିଡକି ବସି ପଡିଲେ ସଭିଏଁ। ମଥାରୁ ଭାରି ହେଲମେଟ ସବୁକୁ ଖୋଲି ତଳେ ରଖିବାକୁ ଲାଗିଗଲେ। ଖାକି ପୋଷାକ ପିନ୍ଧା କାହାର ମୁହଁକୁ ପାଇପ୍ ମାନେ ନାହିଁ । କିନ୍ତୁ ଏଇ ମେଜର ଜଣକ ଅସମ୍ଭବ ସୁପୁରୁଷ। ତାଙ୍କର ମୁହଁକୁ ସବୁକିଛି ମାନେ।

ପାଗଳାକୁ ଆମ୍ବ ଗଛର ସହିତ ବାନ୍ଧି ଦିଆଗଲା। ତାହାର କୌଣସି ଆପତ୍ତି ଦେଖାଗଲା ନାହିଁ। ବରଂ ଏତେ ପାଖରେ ରହିପାରିବା ଭଳି ସୌଭାଗ୍ୟରେ ତାହାକୁ ଆନନ୍ଦିତ ହିଁ ମନେ ହେଲା। କେହି ତା’ ଆଡକୁ ସେମିତି ନଜର ଦେଉନଥିଲେ। ସେମାନେ ଅସମ୍ଭବ କ୍ଳାନ୍ତ। ସେମାନଙ୍କର ଦୃଷ୍ଟି ନିରାସକ୍ତ ଓ ଭାବଲେଶହୀନ।

ମେଜର ସାହେବ ପାଣିର ବୋତଲରୁ କେତେ ଢୋକ ପାଣି ପିଇଲେ। ପାଦରୁ ବୁଟଜୋତା ହଳକୁ ଖୋଲି ପକାଇଲେ। ତାଙ୍କର ବାଆଁ ପାଦ ତଳିପାରେ ଫୋଟକା ପଡିଛି। ରଫିକ କହିଲା,ପଇଡ ପିଇବେ ସାର୍ ? ମେଜର ସାହେବ ସେଇ କଥାର ଜବାବ ନଦେଇ ଶାନ୍ତ ସ୍ୱରରେ କହିଲେ,ଆଗେ ଆମେ କେଉଁ ଗ୍ରାମକୁ ଗଲେ ହିଁ ଛୋଟକାଟର ଗୋଟିଏ ଦଳ  ପାକିସ୍ଥାନୀ ପତାକା ହାତରେ ଧରି ଆସନ୍ତି। ଏବେ ଆଉ ଆସୁନାହାଁନ୍ତି। ଏହାର କାରଣ କ’ଣ ଜାଣ ?

ଜାଣିନି ସାର୍।

ଭୟରେ ଆସନ୍ତି ନାହିଁ। ଏଇ ଗ୍ରାମର ସବୁ ଲୋକ ଏଇଲେ ଜଙ୍ଗଲରେ ଲୁଚି ରହିଛନ୍ତି। ଠିକ୍ ନା ?

ରଫିକ ଜବାବ ଦେଲା ନାହିଁ । ବଦି ପାଗଳା କହିଲା,ଟିକିଏ ବୋତଲର ପାଣି ପିଇବାକୁ ମନ କରୁଚି ।

ସେ କ’ଣ ଚାହୁଁଛି ?

ୱାଟର ବଟଲ୍ ରୁ ପାଣି ପିଇବାକୁ ଚାହୁଁଚି ସାର୍।

ଗ୍ରାମର ସମସ୍ତେ ପଳାଇ ଗଲେ ବି ଆଜିଜ ମାଷ୍ଟର ଯାଇ ପାରନ୍ତିନି। କାରଣ ସୋନାପୋତା ଗ୍ରାମରୁ ତାହାର ଛୋଟ ଭଉଣୀ ଆସିଥିଲା। ଆଜି ସକାଳରୁ ତାହାର ପ୍ରସବବ୍ୟଥା ଆରମ୍ଭ ହୋଇଛି ।ଏଇ ଭଳି ଜଣେ ମଣିଷକୁ ନେଇ ଟଣାଟଣି କରା ଯାଏ ନା। ତଥାପି ଆଜିଜ ମାଷ୍ଟର ଦିଥର କହିଥିଲେ,ଧରାଧରି କରି ନୌକାକୁ ଉଠାଇଦେଲେ ଶ୍ୟାମଗଞ୍ଜ ଯାଏଁ ନିଆଯାଇ ପାରିବ। ତାହାର ଜବାବ ରେ ଆଜିଜ ମାଷ୍ଟର୍ ଙ୍କ ମାଆ ତାଙ୍କର କାପୁରୁଷତାକୁ ନେଇ କୁତ୍ସିତ ଗୋଟିଏ ଗାଳି ଦେଇଛନ୍ତି । ପାଦ ଭଙ୍ଗା ବିରାଡି ସାଙ୍ଗରେ ତାଙ୍କୁ ତୁଳନା କରିଛନ୍ତି। ଆଜିଜ ମାଷ୍ଟର ପ୍ରତିବାଦ କରିନାହାଁନ୍ତି। କାରଣ କଥାଟି ସତ୍ୟ। ସେ ଭାରି ଡରକୁଳା। ଗ୍ରାମରେ ମିଲିଟାରୀ ପଶିଛି ବୋଲି ଶୁଣିବା ପରଠାରୁ ତାଙ୍କର ଘନଘନ ପ୍ରସ୍ରାବର ବେଗ ହେଉଛି। ସେ ଅଗଣାରେ ବସିଛନ୍ତି। ଏବଂ ଟିକିଏ କେଉଁଠୁ ଖୁଡ୍ କଲେ ଖୁବ୍ ଚମକି ଉଠୁଛନ୍ତି।

ମାଷ୍ଟର ଘରେ ଅଛ ?

କିଏ ?

ଆମେମାନେ। ଖବର ଶୁଣିଛ ? ବଦି ପାଗଳାକୁ ବାନ୍ଧି ରଖିଛନ୍ତି ଆମ୍ବଗଛରେ ।

ଶୁଣିଛି।

ନୀଳଗଞ୍ଜର ମୁରବୀମାନଙ୍କ ଭିତରୁ କେତେଜଣ ଉଠି ଆସନ୍ତି ଅଗଣାକୁ ।

ତମର ତ ଟିକିଏ ଯିବାକୁ ଦରକାର ପଡିବ।

କୁଆଡେ ଯିବା ଦରକାର ?

ଦବୀର ମିଆଁ ତାହାର ଉତ୍ତର ନଦେଇ ଚାପା ଗଳାରେ କହିଲା,ତମ ଛଡା ଆଉ କିଏ ଯିବ ? ତମେ ଇଂରେଜୀ ଜାଣିବା ଲୋକ। ଶୁଦ୍ଧ ଭାଷା ଜାଣ।

ମିଲିଟାରୀର ପାଖକୁ ଯିବାକୁ କହୁଚ ?

ହଁ।

ମୁଁ ଯାଇ କରିବି କ’ଣ ?

ଯାଇ କି କହିଦେବ,ଏଇ ଗ୍ରାମରେ କୌଣସି ଅସୁବିଧା ନାହିଁ । ପାକିସ୍ଥାନର ନିଶାଣଟିକୁ ହାତରେ ଧରି ଯିବ।ଭୟର କିଛି ନାହିଁ।

ମାଷ୍ଟର ଅନେକ ସମୟ ଧରି କିଛି କଥା କହିଲେ ନାହିଁ । ଦବୀର ମିଆଁ ବିରକ୍ତ ହୋଇ କହିଲା,କଥା କହୁନ ଯେ ?

ମୁଁ ଯିବି କେମିତି ? ଘରେ ଏତେ ବଡ ବିପଦ। ପୁତିର ପିଲା ହେବ !

ତମର ତ ଏଥିରେ କିଛି କରିବାର ନାହିଁ ହେ ମାଷ୍ଟର ! ତମେ ଡାକ୍ତର ବି ନୁହଁ,କବିରାଜ ବି ନୁହଁ !

ମାଷ୍ଟର କ୍ଷୀଣ ଗଳାରେ କହିଲେ ପାକିସ୍ଥାନର ପତାକା ପାଇବି କେଉଁଠୁ ?

କାହିଁକି ,ସ୍କୁଲ୍ ର ପତାକାଟାକୁ କ’ଣ କଲ ?

ଫୋପାଡି ଦେଇଛି।

ଫୋପାଡି ଦେଲ ? କାହିଁକି ?

ମାଷ୍ଟର ଜବାବ ଦିଅନ୍ତିନି। ଦବୀର ମିଆଁ ରାଗ ରାଗ ଗଳାରେ କହେ,ଆଇଏ ପାଶ୍ କଲେ କ’ଣ ହେବ ମାଷ୍ଟର,ତମର ଜ୍ଞାନବୁଦ୍ଧି ହେଲାନି । କେଉଁ ଅକଲରେ ତମେ ପତାକାଟିକୁ ଫୋପାଡି ଦେଇଛ ? ଏଇଲେ କ’ଣ କରିବା ? ଯାଅ ,ଖାଲି ହାତରେ ଯାଅ।

ମୋତେ ଡର ମାଡୁଛି ଚାଚାଜୀ।

ଡରର କିଛି ନାହିଁ। ଏମାନେ ବାଘ ନୁହଁନ୍ତି,ଭାଲୁ ବି ନୁହଁନ୍ତି । ତମେ ଯାଇ ଖାତିର ଯତ୍ନ କରି କଥା ଦୁଇଟି କହିବ । ମିନିଟିକର ମାମଲା। କ’ଣ କହୂଚୁ ଆସମତ୍ ?

ନ୍ୟାର୍ଯ୍ୟ କଥା।

ଡେରି କରନାହିଁ। ଅନ୍ଧାର ହେବା ଆଗରୁ ଯାଅ !

ଏକେଲା ?

ଏକେଲା ଯିବା ହିଁ ଭଲ।ଏକେଲା ହିଁ ଯାଅ। ତିନିଥର କୁଲହୁ ଆଲ୍ଲା କରି ଡାହାଣ ନାକପୁଡାରେ ଆଗ ଛାଡିବ। ମନେ ମନେ କହିବ,ଇୟା ମୁକାଦ୍ଦେମୁ। ଭୟ-ଡର ର କିଛି ହିଁ ନାଇଁ ମାଷ୍ଟର।

ଆଲ୍ଲାଙ୍କ ପାକ କଲ୍ଲାମ। ଏହାର ମରତବା ହିଁ ଅନ୍ୟ ରକମ।

ଆଜିଜ ମାଷ୍ଟର ମଥା ତଳକୁ କରି ବସି ରହିଲେ।ତାହାର ପ୍ରସ୍ରାବର ବେଗ ହୋଇଛି। ଘର ଭିତରୁ ପୁତି ଉଃ ଆହା କରୁଛି। ପ୍ରଥମ ପୁଆତି, ଭୋଗାଇବ ଖୁବ୍ ।

ଭଉଣୀକୁ ଏପରି ଅବସ୍ଥାରେ ଛାଡି କେମିତି ଯିବି ?

ଏଇଟା କି କଥା ? ତମେ ଘରେ ରହି କରିବ କ’ଣ ? ବେକୁବ ଭଳି କଥା କହୁଚ ଖାଲି। ଉଠ ଜଲଦି।

ଆଜିଜ ମାଷ୍ଟର ଉଠି ଛିଡାହେଲେ।

ମେଜର ସାହେବ ଦୀର୍ଘ ସମୟ ତାହାର ଆଡକୁ ସରୁ ଆଖିରେ ଚାହିଁ ରହିଥିଲେ। ଅନ୍ଧାର ହୋଇ ଆସୁଛି।ତାହାର ମୁହଁର ଭାବ ଠିକ୍ ବୁଝା ଯାଉନାହିଁ। ସେ ବସିଛନ୍ତି କାଠର ଗୋଟିଏ ବଡ ବାକ୍ସର ଉପରେ । ପାଦ ଦୁଇଟି ମେଲା। ମେଜର ସାହେବ ପରିଷ୍କାର ବଙ୍ଗଳାରେ କହିଲେ,କ’ଣ ଚାହୁଁଚ ?

ଆଜିଜ ମାଷ୍ଟର ଥତମତ ହେଲେ। ସେ ବାଂଲା ଜାଣନ୍ତି ନା କି ! କି ଆଶ୍ଚର୍ଯ୍ୟ ।

ତମେ କ’ଣ ଚାହୁଁଚ ?

ଜୀ,କିଛି ଚାହେଁନା ।

ମେଜର ସାହେବ ଏଥର ଇଂରେଜୀରେ କହିଲେ,କିଛି ଯଦି ନ ଚାହୁଁଛ ତାହେଲେ ଆସିଛ କାହିଁକି ? ତାମସା ଦେଖିବାକୁ ? ସର୍କସ ଚାଲିଛି ? ଆଜିଜ ମାଷ୍ଟରଙ୍କ ଦେହରୁ ପରସ୍ତେ ଝାଳ ବାହାରିଗଲା।ମେଜର ସାହେବଙ୍କ ପରବର୍ତ୍ତି ସମସ୍ତ କଥୋପକଥନ ହେଲା ଇଂରେଜୀରେ। ଆଜିଜ ମାଷ୍ଟର ବେଶି ଭାଗର ଜବାବ ଦେଉଥିଲେ ବାଂଲାରେ । ସେଥିରେ କିଛି ଅସୁବିଧା ହେଉ ନଥିଲା। ମେଜର ସାହେବ ବାଂଲା ବୁଝି ପାରନ୍ତି।

ତମେ କର କ’ଣ ?

ମୁଁ ଏଠିକାର ପ୍ରାଇମେରୀ ସ୍କୁଲ୍ର ଟିଚର ।

ଏଇଠି ପୁଣି ସ୍କୁଲ ଅଛି ନା କ’ଣ ?

ଜୀ,ସାର୍।

ଆଉ କ’ଣ ଅଛି ?

ଗୋଟିଏ ମସଜିଦ ଅଛି।

ଖାଲି ମସଜିଦ୍ ? ମନ୍ଦିର ନାହିଁ ? ପୂଜା ହୁଏ ସେଇଠି ?

ଜୀ ନା ସାର୍।

ଠିକ୍ କରି କହ ମନ୍ଦିର ଅଛି କି ନା ?

ନାଇଁ ସାର୍ ।

ମେଜର ସାହେବ ପାଇପ୍ ଧରାଇଲେ। ଥଣ୍ଡା ଗଳାରେ କାହାକୁ ଯେମିତି ପଞ୍ଜାବୀ ବା ଆଉ କେଉଁ ଭାଷାରେ କ’ଣ କହିଲେ। ସେଇ ଲୋକଟି ଉଠି ଆସି ପ୍ରଚଣ୍ଡ ଗୋଟିଏ ଚାପୁଡା କଷିଦିଏ ଆଜିଜ ମାଷ୍ଟରଙ୍କ ଗାଲରେ। ଆଜିଜ ମାଷ୍ଟର ଚିତ୍ ହୋଇ ପଡି ଗଲେ । ଆମ୍ବ ଗଛର ସହିତ ବନ୍ଧା ହୋଇଥିବା ବଦି ପାଗଳା ବେଶ୍ ଅବାକ ହୋଇ କହିଲା,ଏଇ ମାଷ୍ଟର ଉଠ୍ ଉଠ୍। ଯେପରି କିଛି ହିଁ ହୋଇନି ଏମିତି ଭଙ୍ଗୀରେ ମେଜର ସାହେବ କହିଲେ,ତମର ନାଆଁ କ’ଣ ?

ଆଜିଜୁର ରହମାନ।

ଆଜିଜୁର ରହମାନ,ତମର ଏଇପଟେ ମୁକ୍ତି ବାହିନୀ ଅଛି ?

ଜୀ ନା।

ସମସ୍ତେ ପାକିସ୍ଥାନୀ ?

ଜୀ।

ବାଃ,ଖୁବ୍ ଭଲ। ତମେ ନିଜେ ବି ଜଣେ ଖାଣ୍ଟି ପାକିସ୍ଥାନୀ,ଠିକ୍ ?

ଜୀ ସାର୍।

ସମସ୍ତେ ପାକିସ୍ଥାନୀ ହେଲେ ଏତେ ଭୟ କାହାକୁ ?ମୋର ତ ମନେ ହୁଏ ଏଇ ଗ୍ରାମର ସମସ୍ତେ ଭୟରେ ପଳାଇଛନ୍ତି। ମହିଳାମାନେ ଜଙ୍ଗଲରେ ଲୁଚିଛନ୍ତି,ଠିକ୍ ନା ?

ଆଜିଜ ମାଷ୍ଟର କିଛି ଜବାବ ଦେଲେନାହିଁ। ତାଙ୍କର ମଥା ଘୁରାଉଛି।ବାନ୍ତି ମାଡୁଛି । ବଡ କଷ୍ଟରେ ସେ ବାନ୍ତିକୁ ଅଟକାଇବାକୁ ଲାଗିଲେ।

ତମର କ’ଣ ଧାରଣା ଆମେ ତମର ଝିଅବୋହୁଙ୍କୁ ଧରି ନେଇ ଯିବୁ ?

ଆଜିଜ ମାଷ୍ଟର ଚୁପ୍ ରହିଲେ।

କ’ଣ  କଥା କହୁନ ଯେ ? ତମର ସ୍ତ୍ରୀ ବି କ’ଣ ଜଙ୍ଗଲରେ ଲୁଚିଛି ?

ସାର୍ ମୁଁ ବିବାହ କରିନି ।

ବିବାହ କରିନ ? ତମର ବୟସ କେତେ ?

ଚାଳିଶ।

ଚାଳିଶ,ଏଯାଏଁ ବାହା ହୋଇନ ? ତାହେଲେ ଚଳାଅ କେମିତି ? ମାଷ୍ଟରବେଟ୍ କର ?

ଆଜିଜ ମାଷ୍ଟର କପାଳରୁ ଝାଳ ପୋଛିଲେ। ମେଜର ସାହେବ ହୁଙ୍କାର ଦେଲେ,କଥାର ଜବାବ ଦିଅ। ରଫିକୁଦ୍ଦିନ ଚାପା ଗଳାରେ କହିଲା,ସାର୍ ଜାଣିବାକୁ ଚାହୁଁଛନ୍ତି ତମେ ହସ୍ତମୈଥୁନ କର କି ନା। କହି ପକାଅ ଭାଇ। ସାର୍ ଭାରି ରାଗିଯାଇଛନ୍ତି ।

କରେ ନା।

କହୁଛ କ’ଣ ? ତମର ଯନ୍ତ୍ରପାତି ଠିକ୍ ଅଛି ତ ? ଦେଖି,ପାଇଜାମା ଖୋଲି ସମସ୍ତଙ୍କୁ ଦେଖାଅ ତ !

ସାର୍, କ’ଣ କହୁଛନ୍ତି ?

ପାଇଜାମା ଖୋଲି ତମର ଯନ୍ତ୍ରଟାକୁ ସମସ୍ତଙ୍କୁ ଦେଖାଇବାକୁ କହିଲି। ଚଟପଟ କର।ଡେରି କରିବନି। ମୋ ହାତରେ ସମୟ ବେଶି ନାହିଁ ।

ଆଜିଜ ମାଷ୍ଟର ଅବାକ ହୋଇ ଚାହିଁ ରହିଲା ରଫିକ  ଆଡକୁ। ରଫିକୁଦ୍ଦିନ ଅସ୍ଫଷ୍ଟ ସ୍ୱରରେ କହିଲା,ଖୋଲି ପକାଅ ଭାଇ। ପୁରୁଷ ପୁଅଙ୍କ ଭିତରେ ଆଉ ପୁଣି ଲାଜ କ’ଣ ? ଖୋଲି ପକାଅ,ସାର୍ ରାଗ କରୁଛନ୍ତି। ମେଜର ସାହେବ ଚାପା ଗଳାରେ କ’ଣ ଗୋଟାଏ କହିଲେ। ଜଣେ ଉଠିଆସି ଗୋଟିଏ ଟଣାରେ ହଠାତ୍ ଆଜିଜ ମାଷ୍ଟରଙ୍କ ପାଇଜାମାକୁ ତଳକୁ କରିଦେଲା। ମେଜର ସାହେବ କହିଲେ,ଜାମାଟାକୁ ବି

ଖୋଲି ଦିଅ ।

ଆଜିଜ ମାଷ୍ଟର ଦୁଇହାତରେ ତାହାର ଲଜ୍ଜା ଢାଙ୍କିବାର ଚେଷ୍ଟା କରିବାକୁ ଲାଗିଲେ। ଗୋଟିଏ ଚାପା ହସର ଗୁଞ୍ଜନ ଉଠିଲା ଚାରିପଟୁ। ଜଣେ କିଏ ଯେମିତି ଖଣ୍ଡିଏ କାଗଜକୁ ମୋଡିମକଚି ଗୋଲ କରି ଆଜିଜ ମାଷ୍ଟରଙ୍କ ଆଡକୁ ଲକ୍ଷ୍ୟକରି ଫୋପାଡି ମାରେ। ମେଜର ସାହେବ କହିଲେ,ତମେ ପାକିସ୍ଥାନୀମାନଙ୍କୁ ଭଲପାଅ ?

ଜୀ ସାର୍।

ଭେରି ଗୁଡ୍। ମୋତେ ବି ନିଶ୍ଚୟ ଭଲପାଅ । ଭଲ ପାଅ ନି ? କୁହ,କହି ପକାଅ।

ଭଲ ପାଏ ସାର୍।

ଯିଏ ତମକୁ ପୂରା ଲଙ୍ଗଳା କରି ଛିଡା କରି ରଖିଛି ତାହାକୁ ବି ତମେ ଭଲପାଉଛ। ତମେ ତ ଜଣେ ବିଶ୍ୱ ପ୍ରେମିକ ଦେଖୁଛି।

ମେଜର ସାହେବ ଅନୁଚ୍ଚ ସ୍ୱରରେ କ’ଣ ଗୋଟାଏ କହିବା ମାତ୍ରକେ ଚାରି ଆଡ ହସରେ ଉଚ୍ଛୁଳି ପଡେ। ବଦି ପାଗଳା ଆଖିକୁ ବଡ ବଡ କରି କହେ,ମାଷ୍ଟର,ତମର କପଡା କାଇଁ ? ଏଇ ମାଷ୍ଟାର ।

ଆଜିଜ ମାଷ୍ଟର ପେଜୁଆ ଆଖିରେ ତାହାର ଆଡକୁ ଚାହିଁଲେ । ତାଙ୍କର ବାନ୍ତି ବାନ୍ତି ଭାବଟା କଟି ଯାଇଛି । କେବଳ ମଥାର ପଛପଟେ ତୀବ୍ର ଆଉ ତୀକ୍ଷ୍ଣ  ଗୋଟିଏ ଯନ୍ତ୍ରଣା। ମେଜର ସାହେବ କହିଲେ,ଆଜିଜୁର ରେହମାନ ,ତମେ ଭୟରେ ମିଛ କଥା କହିଛ ପ୍ରାଣ ଧରି ବଞ୍ଚିବା ପାଇଁ । ସତ କଥା କହ କାଲି, ତମକୁ ଛାଡି ଦେବି,ତମେ କ’ଣ ମୋତେ ପସନ୍ଦ କର ?

ନା।

ଏଇ ତ ଅସଲ କଥା ବାହାରୁଛି। ତମେ କ’ଣ ଚାହଁ ଏଇଟା ବାଂଲା ଦେଶ ହେଉ ?

ଜୀ ସାର୍।

ତମେ ତାହେଲେ ଜଣେ ଦେଶଦ୍ରୋହୀ

ଦେଶଦ୍ରୋହୀର ମୃତ୍ୟୁଦଣ୍ଡ ହେବା ଉଚିତ। ମୁଁ ସେହି ବ୍ୟବସ୍ଥା କରିବାକୁ କାହେଁ। ନା, କ’ଣ ତମେ ବଞ୍ଚିବାକୁ ଚାହଁ ?

ଆଜିଜ ମାଷ୍ଟର ଜବାବ ଦେଲେନି।

ଡେରି କରିବ ନାହିଁ । କହି ପକାଅ ବଞ୍ଚିବାକୁ ଚାହୁଁଚ ନା ନାହିଁ ?

ରଫିକୁଦ୍ଦିନ ଭୟ ପାଇଥିବା ଭଳି ଗଳାରେ କହିଲା କହିଦିଅ ଭାଇ,ବଞ୍ଚିବାକୁ ଚାହେଁ । ଏଇ ରକମ କରୁଛନ୍ତି କାହିଁକି ? ତୁଚ୍ଛାରେ ତୁଚ୍ଛାରେ ନିଜର ବିପଦକୁ ଡାକି ଆଣୁଛ।

ବଦି ପାଗଳା ପୁଣି କହି ଉଠିଲା,ଏଇ ମାଷ୍ଟର କପଡା ପିନ୍ଧ୍ । ତୁ ଲଙ୍ଗଳା ।

ଆଜିଜ ମାଷ୍ଟର ନିଶ୍ଚଳ । ମେଜର ସାହେବ କହିଲେ,କପଡା ପିନ୍ଧ। କପଡା ପିନ୍ଧି ମୋ ସାମ୍ନାରୁ ବିଦାୟ ହୋଇ ଯା। କ୍ଲିୟର୍ ଆଉଟ୍ ।

ଆଜିଜ ମାଷ୍ଟର କପଡା ପିନ୍ଧିଲେ ନାହିଁ । ହଠାତ୍ ଲେଣ୍ଡାଏ ଛେପ ପକାଇଲେ। ସେଇ ଛେପ ମେଜର ସାହେବଙ୍କ ଡାହାଣ ପ୍ୟାଣ୍ଟର ଆଣ୍ଠୁ ର ପାଖରେ ଆସି ପଡିଲା,ମେଜର ସାହେବ ଆଖି ଉପରକୁ କରି ଚାହିଁଲେ। ଚାରିଦିଗରେ କୌଣସି ଶବ୍ଦ ନାହିଁ।ଆଜିଜ ମାଷ୍ଟର ଆଗେଇ ଆସି ଆଉ ଲେଣ୍ଡାଏ ଛେପ ପକାଇଲେ। ସେଇ ଛେପ ମେଜର ସାହେବଙ୍କ ସାର୍ଟ ଉପରେ ଆସି ପଡିଥିଲା। ସେ ଶାନ୍ତ ସ୍ୱରରେ କହିଲେ,ଯଥେଷ୍ଟ ବିଶ୍ରାମ ହୋଇଛି।ଏଥର ଆମେ ରମାନା ହେବା।

ସୈନ୍ୟଦଳ ମାର୍ଚ କରି ଆଗେଇ ଚାଲିଛନ୍ତି।ମେଜର ସାହେବଙ୍କ ମୁହଁ ଅସମ୍ଭବ ବିବର୍ଣ୍ଣ।ପଛରେ ନିଜର ମଥାକୁ ଉଚ୍ଚା କରି ଛିଡା ହୋଇ ରହିଛି ଜଣେ ଲଙ୍ଗଳା ମଣିଷ।

°°°°°

ହୁମାୟୁନ ଅହମେଦ (୧୯୪୮-୨୦୧୨) ବାଂଲା ଦେଶର ସବୁଠାରୁ ଅଧିକ ଲୋକପ୍ରିୟ କଥାକାର ଏବଂ ଚଳଚ୍ଚିତ୍ରକାର। 

ତାଙ୍କର ଲେଖନ ସଂପର୍କରେ ଏତିକି କହିଲେ ଯଥେଷ୍ଟ ହେବ ଯେ,ଯେତେବେଳେ ଉଭୟ ବଙ୍ଗଭାଷୀ ଅଂଚଳ ( ପଶ୍ଚିମ ବଙ୍ଗ ଏବଂ ବାଂଲା ଦେଶ)ରେ ପଶ୍ଚିମ ବଙ୍ଗରୁ ପ୍ରକାଶିତ ହେଉଥିବା  ଲେଖକ  ଯଥା ଶରତ ଚନ୍ଦ୍ର,ଶଙ୍କର,ସମରେଶ ବସୁ,ସୁନିଲ ଗଙ୍ଗୋପାଧ୍ୟାୟ ଆଦି ଜନମାନସରେ ନିରନ୍ତର ପ୍ରଭାବ ବିସ୍ତାର କରି ଆସୁଥିଲେ ଠିକ୍ ସେତିକିବେଳେ ଯୁକ୍ତରାଷ୍ଟ୍ର ଆମେରିକାରୁ ରସାୟନ ବିଦ୍ୟାରେ ଉଚ୍ଚତ୍ତର ଗବେଷଣା କରି ସ୍ୱଦେଶକୁ ଫେରିଆସି ଶିକ୍ଷାଦାନରେ ସଂପୃକ୍ତ ରହିଥିବା ଏଇ ଲେଖକ ଜଣକ, ହୁମାୟୁନ ଅହମେଦ, କେବଳ ନିଜର ଲେଖନ ପ୍ରଚେଷ୍ଟାରେ ସମଗ୍ର ବାଂଲାଦେଶର ପାଠକମାନଙ୍କୁ ନିଜ ଆଡକୁ ଆକର୍ଷଣ କରିପାରିବା ସହିତ ପାଠକପ୍ରିୟତା ର ଶିଖର ପୁରୁଷ ହୋଇ ପାରିଥିଲେ।

“ଊଣେଇଶ ଏକସ୍ତରୀ” ଗଳ୍ପଟି ବାଂଲା ଦେଶର ପାକିସ୍ଥାନଠାରୁ ସ୍ୱତନ୍ତ୍ର ବେଳର ସ୍ୱାଧୀନତା ସଂଗ୍ରାମର ଆଧାରିତ କାହାଣୀ।

୧୯୭୧ ମସିହାର ବାଂଲାଦେଶର ସେହି ସ୍ୱାଧୀନତା ସଂଗ୍ରାମକୁ ମୁକ୍ତିଯୁଦ୍ଧ ବୋଲି କୁହାଯାଏ।

ବାଂଲା ଦେଶରେ ମୁକ୍ତିଯୁଦ୍ଧକେନ୍ଦ୍ରିତ ଯେତେ ଗଳ୍ପ ସଂକଳନ କରାଯାଇଛି ସେଥିରେ ହୁମାୟୁନ ଅହମେଦ ଙ୍କର ଏଇ “ଊଣେଇଶ ଏକସ୍ତରୀ” ଗଳ୍ପଟି ଏକ ପ୍ରତିନିଧିତ୍ୱ ଉପସ୍ଥିତି ହିସାବରେ ରହିଥାଏ ।

ଏଇ କାହାଣୀର ବକ୍ତବ୍ୟ ଟି ହେଉଛି,ତମେ ସାଧାରଣ ଜୀବନରେ ଯେତେ ଭୀରୁ ହୋଇଥାଅ ନା କାହିଁକି ତମେ ସେତିକିବେଳେ ତମର ଅନ୍ୟୁନ୍ୟ ସର୍ବନିମ୍ନ ସଂଭ୍ରମତାକୁ ଯେ କୌଣସି ଉପାୟରେ ଜାବୁଡି ଧରି ତାହାର ସୁରକ୍ଷା ପାଇଁ ଏକ ପ୍ରକାରେ ନିଜକୁ ସମର୍ପି ଦେଇଥାଅ। ଆଉ ଯେତେବେଳେ ତମର ସେଇ ଅନ୍ୟୁନ୍ୟ ସର୍ବନିମ୍ନ ସଂଭ୍ରମ ଟିକକ ତମଠାରୁ ଅପହରଣ କରାଯାଏ ତାହାପରେ ତମର ଆଉ କାହାକୁ ସୁରକ୍ଷାଦେବାର ଚାପ ନିଜ ଭିତରୁ ନଥାଏ।

ଯେତେବେଳେ ନିଜ ଭିତରୁ କାହାକୁ ସୁରକ୍ଷା ଦେବା ଭଳି ଆପଣା ପଣଟି ଉଭାନ ହୋଇଯାଏ ସେତେବେଳେ ସେଇ ଅସହନୀୟ ଫାଙ୍କାପଣ ଚରିତ୍ରକୁ ପ୍ରତିବାଦୀ ଆଉ ନିହାତି ବେପରୁଆ କରିଦିଏ।

ଲଙ୍ଗଳା ଲୋକଟିର ପାଖରେ ନିଜକୁ ଘୋଡାଇଦେବା ପାଇଁ ଯଦି କିଛିନାହିଁ ସେତେବେଳେ ସେ ସଶକ୍ତ ପ୍ରତିବାଦୀ।

ସଂପୃକ୍ତ କାହାଣୀରେ ସେଇ ପ୍ରତିବାଦୀ-ଚିତ୍ରକୁ ଆପଣମାନେ ପ୍ରତ୍ୟକ୍ଷ କରିପାରିବେ।

About Jyoti Nanda

Jyoti Nanda is a writer, translator based in Bhubaneswar.

View all posts by Jyoti Nanda →