ଅନନ୍ୟା : ପ୍ରଥମ ତ୍ରୟମାସିକ ପତ୍ରିକା

ସମ୍ପାଦନା ଅନୁଭୂତି-୫

ଭଞ୍ଜବିହାରରେ ଏମ୍ଏ ଶ୍ରେଣୀରେ ପଢିଲା ବେଳେ “ଯୁଗରୁଚି” ଓ “ଆକାଂକ୍ଷା” ସମ୍ପାଦନାର ଅନୁଭୂତି ମୋ ଭିତରେ ଭରିଦେଇଥିଲା ଅସରନ୍ତି ପ୍ରେରଣା। ସେ ସମୟରେ ଓଡିଆ ବିଭାଗ ପାଠଚକ୍ର ଲାଇବ୍ରେରୀକୁ ଓ କେନ୍ଦ୍ରୀୟ ଗ୍ରନ୍ଥାଗାରକୁ ଅନେକ ପତ୍ରିକା ଆସୁଥାଏ। ନୂଆ ନୂଆ କବିତା ଲେଖୁଥିବାରୁ ପତ୍ର ପତ୍ରିକା ପ୍ରତି ମୋର ଏକ ସ୍ବତନ୍ତ୍ର ଆକର୍ଷଣ ଥିଲା। ଏହାବ୍ୟତୀତ ଓଡିଆ ସାହିତ୍ୟର ବିଶିଷ୍ଟ ସାହିତ୍ୟିକମାନେ ବିଭିନ୍ନ ଶୈକ୍ଷିକ ଓ ସାହିତ୍ୟଭିତ୍ତିକ କାର୍ଯ୍ୟକ୍ରମରେ ବିଭାଗକୁ ଆସୁଥାନ୍ତି। ପାଠଚକ୍ର ସମ୍ପାଦକ ଭାବରେ ସେମାନଙ୍କ ସହିତ ମୋର ପ୍ରାଥମିକ ଭାବେ ଭଲ ସମ୍ପର୍କ ଗଢି ଉଠୁଥାଏ। ସେଇଠି ମୁଁ ରମାକାନ୍ତ ରଥ, ମନୋଜ ଦାସ, ଚନ୍ଦ୍ରଶେଖର ରଥ, ଶାନ୍ତନୁ କୁମାର ଆଚାର୍ଯ୍ୟ, ବିଭୂତି ପଟ୍ଟନାୟକ, ଚିତ୍ତରଞ୍ଜନ ଦାସଙ୍କ ଭଳି ସାହିତ୍ୟିକ ଓ ବାସୁଦେବ ସାହୁ, ବୈରାଗୀ ଚରଣ ଜେନା, ବେଣୀମାଧବ ପାଢୀ, ଶ୍ରୀନିବାସ ମିଶ୍ର, ଖଗେଶ୍ବର ମହାପାତ୍ରଙ୍କ ଭଳି ସମାଲୋଚକଙ୍କୁ ମିଶିଛି । ସେମାନଙ୍କ ଉଦ୍ଦେଶ୍ୟରେ ପ୍ରସ୍ତୁତ ମାନପତ୍ର ନିଜ ହାତରେ ଲେଖିଛି। ପ୍ରତ୍ୟେକ କାର୍ଯ୍ୟକ୍ରମର ବ୍ୟାନେର ବି ନିଜ ହାତରେ ବନେଇଛି। ଏମିତି ହିଁ ସାହିତ୍ୟ, ସାହିତ୍ୟିକ ଓ ସାହିତ୍ୟପତ୍ର ସହିତ କ୍ରମଶଃ ମୋର ଆଗ୍ରହ ବଢୁଥାଏ।  ଭଞ୍ଜବିହାରରେ ରହୁଥିବା ସାହିତ୍ୟିକମାନଙ୍କ ସହ ଭାବର ଆଦାନ ପ୍ରଦାନ ହେଉଥାଏ। ଦେବୀସାରଙ୍କ ପାଖରେ ଅହରହ ରହୁଥିବାରୁ ପ୍ରତ୍ୟେକ ଦିନ କେହି ନା କେହି କବି, ସାହିତ୍ୟିକଙ୍କ ସହ ମିଶିବାର ସୁଯୋଗ ମିଳୁଥାଏ। ଦେବୀସାରଙ୍କ ପାଖ ରୁମରେ ବସୁଥିବା ସୌଭାଗ୍ୟ ମିଶ୍ର ସାରଙ୍କ ସହିତ ସମ୍ପର୍କ ବଢୁଥାଏ।

ସେତେବେଳେ ହଷ୍ଟେଲରେ କବି ଅଖିଳ ନାୟକ(ଅଖିଳ ଭାଇନା) ରହୁଥିଲେ। ତାଙ୍କର ସୌଜନ୍ୟରୁ ସେ ସମୟର ଅନେକ ଯୁବକବି( ଯେମିତି ମନୋରଞ୍ଜନ ପାଣିଗ୍ରାହୀ, ଅନୁପ କୁମାର ମିଶ୍ର, ଅରବିନ୍ଦ ପଟ୍ଟନାୟକ, ସୁଶାନ୍ତ ଜେନା, ଭଗବାନ ପଣ୍ଡା ଭଗତ)ଙ୍କ ସହିତ ଦେଖାସାକ୍ଷାତ, ଆଳାପ, ଆଲୋଚନା ହେଲା। ଏମିତି ଏକ ସାହିତ୍ୟିକ ପରିମଣ୍ଡଳ ଭିତରୁ ମୋ ତତ୍ତ୍ଵାବଧାନରେ ଭଞ୍ଜବିହାର କ୍ୟାମ୍ପସ୍ ଭିତରେ “ଚିରସ୍ମୃତି ସାହିତ୍ୟ ସଂସଦ” ଓ ପରେ ପରେ “ଅନନ୍ୟା ସାହିତ୍ୟ ପରିଷଦ” ଗଢି ଉଠିଲା। କିଛି ଅଗ୍ରଜ ବନ୍ଧୁ ଏହାର ପ୍ରେରଣା ସାଜିଲେ। କିଛି ସହପାଠୀ ଏଥିରେ ହାତ ମିଳେଇଲେ। କିଛି ଅନୁଜ ଏଥିରେ ସହଯୋଗ କଲେ। ସେମାନଙ୍କ ମଧ୍ୟରେ ରବି ପୋଲାଇ, ଅଖିଳ ନାୟକ, ହୃଷୀକେଶ ପଣ୍ଡା, ସିଦ୍ଧାର୍ଥ ଶଙ୍କର ପାଢୀ, ରବି ଜେନା, ପ୍ରକାଶ କୁମାର ସେନାପତି, ସୁଶାନ୍ତ କର, ବୃନ୍ଦାବନ ଦଳେଇ, ବିଭୁପ୍ରସାଦ ହୋତା,ସନ୍ତୋଷ କୁମାର ପାଣିଗ୍ରାହୀ, ବିଶ୍ବନାଥ ପାଣିଗ୍ରାହୀ, ଅନୁଜା ନନ୍ଦ, ବିଭୁପ୍ରସାଦ ହୋତା, ସୁଦାମବନ୍ଧୁ ଭଟ୍ଟମିଶ୍ର ପ୍ରମୁଖ ଅନ୍ୟତମ। ତାପରେ ଅନନ୍ୟା ସାହିତ୍ୟ ପରିଷଦ ତରଫରୁ ଅନନ୍ୟା ନାମରେ ଗୋଟିଏ ପତ୍ରିକା ପ୍ରକାଶ କରିବାକୁ ସ୍ଥିର କଲି।

ତେବେ ହାତରେ ନଥାଇ ଧନ, ପୁଅ ବାହା କରିବାକୁ ମନ । ତଥାପି ମନୋବଳ ଦୃଢ କରି କୌଣସି ପ୍ରକାରେ ବି ପତ୍ରିକାଟି ବାହାର କରିବି ବୋଲି ଦୃଢ ମନସ୍ଥ ହେଲି। ଲେଖା ସଂଗ୍ରହ କରିବା ଓ ସମ୍ପାଦନା ଦିଗରେ ବନ୍ଧୁ ସୁଶାନ୍ତ କର ସହଯୋଗ କଲେ। ପୂର୍ବରୁ ଆକାଂକ୍ଷା ପତ୍ରିକା ବ୍ରହ୍ହପୁରର ଗୋଇଲୁଣ୍ଡି ସ୍ଥିତ ଦୁର୍ଗା ପ୍ରିଣ୍ଟରସରେ ଛପା ଯାଉଥିବାରୁ ତାର ପରିଚାଳକ ଦୁର୍ଗାବାବୁଙ୍କ  ସହିତ ମୋର ପରିଚୟ ଥିଲା। ସେଇଠି ପତ୍ରିକାଟି ଛପେଇଲି। ସେତେବେଳେ ତିନିଶହ କପି ଛପେଇଥିଲି ଯାହାର ଦାମ୍ ୨୨୦୦ ଟଙ୍କା ହୋଇଥିଲା। ପତ୍ରିକା ବାହାରିବା ପରେ ୨୦/୨୫ ଖଣ୍ଡ କପି ବିକ୍ରି ହୋଇଥିଲା। ଏମିତି କଷ୍ଟେମଷ୍ଟେ ୫୦୦/- ଟଙ୍କା ଆଦାୟ ହୋଇଥିଲା। ପତ୍ରିକା ବିକ୍ରି କରିବା ପାଇଁ ପୁରୁଣା ବସଷ୍ଟାଣ୍ଡ ସ୍ଥିତ ମୂର୍ତ୍ତି ମାଗାଜିନ୍ ଷ୍ଟଲରେ ୫୦ କପି ଦେଇଥିଲି। ପତ୍ରିକା ବିକ୍ରି ହେଲା କି ନହେଲା ଜଣା ପଡିଲାନି କି  ଟଙ୍କାଟିଏ ବି ମିଳିଲାନି।  ସେତେବେଳେ ଖର୍ଚ କରିବାକୁ ହାତରେ କାଣିକଉଡିଟିଏ ବି ମୋ ପାଖରେ ନଥିଲା। ଚିତ୍ରଅଙ୍କା, ବେନେର ଲେଖା, ପ୍ରୁଫ୍ କରେକସନ୍ ଆଦି କରି ଚାରିଶ ପାଞ୍ଚଶ ଯୋଗାଡ କଲେ (ନହେଲେ ଦେବୀସାରଙ୍କ ଅନୁଗ୍ରହରୁ) ମାସେ ଚଳୁଥିଲି। ଏତେ ଟଙ୍କା ଆଣିବି କୁଆଡୁ ? ଜଣେ ଅଗ୍ରଜ ବନ୍ଧୁ କିଛି ଆର୍ଥିକ ସାହାଯ୍ୟ କରିବେ ବୋଲି କହି ଶେଷରେ ନିରାଶ କଲେ। ତଥାପି ମନୋବଳ ଦୃଢ କଲି। ସେତେବେଳେ ଦୁର୍ଗା ପ୍ରିଣ୍ଟରରେ ତାରାତାରିଣୀ ପୁସ୍ତକାଳୟ ଇଜି ଆପ୍ରୋଚ୍ ସିରିଜ ତରଫରୁ ନୋଟସ୍ ଓ ଟେଷ୍ଟପେପର ପ୍ରିଣ୍ଟ ହେଉଥାଏ। ତାର ପ୍ରୁଫ୍ କରେକସନ୍ କରିବାର ଆବଶ୍ୟକ ଥାଏ। ମୁଁ ସେଇ ସଂଶୋଧନକାରୀ ଭାବେ କାର୍ଯ୍ୟ କଲି। ପ୍ରତ୍ୟେକଦିନ ହଷ୍ଟେଲରୁ ବସରେ ଯାଇ ସେଇଠୁ ପାଠ ଆଣି ପୁଣି ଭଞ୍ଜବିହାର ଫେରୁଥଲି। ରାତିରେ ପ୍ରୁଫ୍ କରେକସନ କରି ପୁଣି ତା ପରଦିନ ବ୍ରହ୍ମପୁର ଯାଇ ଫେରାଉଥିଲି। ଏମିତି ପ୍ରାୟ ଚାରିମାସ କରି ତାର ବାକିଥିବା ୧୭୦୦/- ଟଙ୍କା ଶୁଝିଲି। ସେଇ କିଛି ବର୍ଷ “ଅନନ୍ୟା” ପତ୍ରିକା ଭଞ୍ଜବିହାର କ୍ୟାମ୍ପସରେ ଚହଳ ସୃଷ୍ଟି କରିଥିଲା। ଗୋଟିଏ ପତ୍ରିକା ସମ୍ପାଦକ ଭାବରେ ଛୋଟିଆ ପରିଚୟ ବି ସୃଷ୍ଟି ହେଲା। ଏହା ମାଧ୍ୟମରେ ଓଡିଶାର ସାହିତ୍ୟିକମାନଙ୍କ ସହିତ ଭାବ ବଢିବାକୁ ଲାଗିଲା।

ତାପରେ “ଅନନ୍ୟା”ର ଦ୍ବିତୀୟ ସଂଖ୍ୟା ପ୍ରକାଶ କରିବା ପାଇ ଅନେକ ଚେଷ୍ଟା କରିଥିଲି। ଲେଖା ସଂଗ୍ରହ କରି ରଖିଥିଲି। କିନ୍ତୁ ଆର୍ଥିକ ଅଭାବରେ ସେ ସ୍ବପ୍ନ ଅଧାରେ ରହିଯାଇଥିଲା। ମାତ୍ର ଗୋଟିଏ ସଂଖ୍ୟା ବାହାରି “ଅନନ୍ୟା” ବନ୍ଦ ହୋଇଯାଇଥିଲେ ବି ତାର ସମ୍ପାଦନା ଅନୁଭୂତି ମୋତେ ଅନେକ ଶିକ୍ଷା ଦେଇଥିଲା। ସେ ଅନୁଭୂତି ଏବେ ବି ମୋ ଭିତରେ ପ୍ରତିଧ୍ବନି ତୋଳୁଛି, ଯାହାର ଫଳ ସ୍ବରୂପ ବ୍ରହ୍ମପୁରରୁ “ସାହିତ୍ୟ” ଓ ଶାନ୍ତିନିକେତନରୁ “ଅନ୍ୟତ୍ର” ପତ୍ରିକା ସମ୍ପାଦନା କରି ଆସୁଛି।

ପଛକୁ ଫେରି ଚାହିଁଲେ ମନେ ହେଉଛି, କୌଣସି କାର୍ଯ୍ୟ କରିବା ପାଇଁ ଅର୍ଥବଳ ଅପେକ୍ଷା ମନୋବଳ ଆବଶ୍ୟକ। ସତରେ, ଅତୀତର ଭଞ୍ଜବିହାରର ସ୍ମୃତିରେ “ଅନନ୍ୟା” ଏକ ଅନନ୍ୟ ଉପଲବ୍ଧି।