ଯୁଗରୁଚି ପ୍ରାଚୀର ପତ୍ରିକା

ସମ୍ପାଦନା ଅନୁଭୂତି-୩

ଭଞ୍ଜନଗରରେ ‘ତଥାପି’ ଓ ଗାଁରେ ‘କବିସୂର୍ଯ୍ୟବାଣୀ’ ହାତଲେଖା ପତ୍ରିକାର ସମ୍ପାଦନା କରିବାର ଅନୁଭୂତି ମୋ ଭିତରେ ବସା ବାନ୍ଧିବା ବେଳକୁ ମୁଁ ଏମ.ଏ. ପଢିବା ପାଇଁ ୧୯୯୫ ମସିହାରେ ଭଞ୍ଜବିହାର ଗଲି। ଭଞ୍ଜବିହାର ଓଡିଆ ବିଭାଗରେ ଜଏନ୍ ହେବା ପରେ ବିଭାଗର କାନ୍ଥରେ ଦେଖିଲି ‘ଯୁଗରୁଚି’ ନାମରେ ଗୋଟିଏ ହାତଲେଖା ପତ୍ରିକା ଲାଗିଛି। ତାହା ଥିଲା ଦେବୀସାର(ପ୍ରଫେସର ଦେବୀପ୍ରସନ୍ନ ପଟ୍ଟନାୟକ)ଙ୍କ ମାନସ ପରିକଳ୍ପନାର ସ୍ବାକ୍ଷର । ୧୯୭୯ ମସିହାରେ ସେ ଓଡିଆ ବିଭାଗରେ ଛାତ୍ର ଥିବା ସମୟରେ ତାଙ୍କ ବନ୍ଧୁମାନଙ୍କୁ ନେଇ ଏହି ପ୍ରାଚୀର ପତ୍ରିକା ଆରମ୍ଭ କରିଥିଲେ। ପରେ ୧୯୮୧ ମସିହାରେ ଅଧ୍ୟାପକ ଭାବେ ଯୋଗ ଦେବା ପରଠାରୁ ତାକୁ ଦେଖାଶୁଣା କରୁଥିଲେ। ପ୍ରତ୍ୟେକ ବର୍ଷର ପାଠଚକ୍ର ସମ୍ପାଦକଙ୍କ ମାଧ୍ୟମରେ ଏହା ବିଭାଗ କାନ୍ଥରେ ଶୋଭା ପାଉଥିଲା। ଛୋଟ ଛୋଟ କବିତା, ଗଳ୍ପ ସହ ରଙ୍ଗ ବେରଙ୍ଗର ଚିତ୍ର ବି ରହିଥିଲା।

ଏ ପତ୍ରିକା ମୁଁ ଦେଖି ଖୁସି ହୋଇଗଲି । ମୋ ଭିତରେ ଥିବା କଳାତ୍ମକ ମାନସିକତା ପୁଣି ଥରେ ଜାଗ୍ରତ ହେବାକୁ ଲାଗିଲା। ନିଶାକର ପାଢୀ ସାରଙ୍କଠାରୁ ଶିଖିଥିବା ଅଳଙ୍କରଣ ବିଦ୍ୟା ଓ କାଲିଗ୍ରାଫି କରିବାର ସୁଯୋଗ ମୋତେ ପୁଣି ଥରେ ମିଳିଗଲା। ଭଞ୍ଜନଗରରେ ମାତ୍ର ଦୁଇଟି ଏ୪ ସାଇଜ୍ ପେପରରେ ଲେଖା ଯାଉଥିଲା, ହେଲେ ଏଠାରେ ଗୋଟିଏ ଡ୍ରଇଙ୍ଗ୍ ସିଟରେ। ତାକୁ ଧରି ଗୋଟିଏ କାଠର ବୋର୍ଡ ଥିଲା। ଡ୍ରଇଙ୍ଗ ସିଟରେ କବିତା, ଗଳ୍ପ ଓ ଚିତ୍ର ଅଳଙ୍କରଣ କରି ତାକୁ କାଠବୋର୍ଡ ଭିତରେ ପିନ୍ ମାରିବାକୁ ପଡୁଥିଲା। ମୁଁ ସେ ବୋର୍ଡ଼ରେ ଥିବା କିଛି ପୁରୁଣା ପତ୍ରିକା ଦେଖିଲି। ତାକୁ ଅଗ୍ରଜ ନଳୀନୀ କୁମାର ପାଣିଗ୍ରହୀ ଓ ବନ୍ଧୁ ପ୍ରକାଶ ସେନାପତି ସମ୍ପାଦନା ଓ ଅଳଙ୍କରଣ କରିଥିଲେ।

ସେ ବର୍ଷ ଯୁଗରୁଚି ପତ୍ରିକାର ଅଳଙ୍କରଣ ଓ ସମ୍ପାଦନା କଲି। ଏହା ଲେଖିଲାବେଳେ କାଲିଗ୍ରାଫି ପେନ୍, ଇଣ୍ଡିଆନ୍ ଈଙ୍କ୍ ବ୍ୟବହାର କରୁଥାଏ। ଆବଶ୍ୟକ ସ୍ଥଳେ ସ୍କେଚ ପେନ୍ ଓ ୱାଟର କଲର ବି ବ୍ୟବହାର କରୁଥାଏ। ଋଷିକୂଲ୍ୟା ଛାତ୍ରାବାସରେ ରାତିରେ ଲେଖି ସକାଳେ ଓଡିଆ ବିଭାଗ କାନ୍ଥରେ ମାରି ସାରିଲା ପରେ ଆନନ୍ଦ କହିଲେ ନସରେ। ପ୍ରଫେସର ସୁଦର୍ଶନ ଆଚାର୍ଯ୍ୟ, ପ୍ରଫେସର ଦାଶରଥି ଦାସ, ପ୍ର. ବାଉରିବନ୍ଧୀ କର, ପ୍ରଫେସର ଅଶ୍ବିନୀ କୁମାର ପଣ୍ଡା ଭିନ୍ନ ଭିନ୍ନ ସମୟରେ ଏହାକୁ ଉନ୍ମୋଚନ କରିଥିଲେ। ସେମାନଙ୍କ ମୁହଁର ସ୍ମିତହାସ୍ୟ ଉତ୍ସାହକୁ ଆହୁରି ଦ୍ବିଗୁଣିତ କରୁଥାଏ।

ଯୁଗରୁଚି କେବଳ ଏକ ପ୍ରାଚୀର ପତ୍ରିକା ନଥିଲା, ମହାବିଦ୍ୟାଳୟ ସ୍ତରରୁ ବିଶ୍ବବିଦ୍ୟାଳୟକୁ ପାଦ ବଢେଇଥିବା ତରୁଣ ତରୁଣୀମାନଙ୍କର ସ୍ବପ୍ନ, ସମ୍ଭାବନା, ସଂକଳ୍ପ ଓ ପ୍ରେମାନୁଭୂତିର  ପ୍ରତିଫଳନ ଥିଲା। ଓଡିଆ ବିଭାଗର ଛାତ୍ରଛାତ୍ରୀମାନେ କ୍ଳାସ୍ ନ ଥିବା ସମୟରେ ବିଭାଗ ପ୍ରାଙ୍ଗଣରେ ବୁଲୁଥିବା ବେଳେ ଯୁଗରୁଚି ତାଙ୍କୁ ଆକର୍ଷିତ କରୁଥିଲା। ବେଳେବେଳେ ଅନ୍ୟ ବିଭାଗର ଛାତ୍ରଛାତ୍ରୀମାନେ ମଧ୍ୟ ଏହାକୁ ଦେଖିବା ପାଇଁ ଓଡିଆ ବିଭାଗ ଆସୁଥିଲେ।

ଦୁଇବର୍ଷରେ ଯୁଗରୁଚିର ଛଅଟି ସଖ୍ୟା ମୁଁ ପ୍ରକାଶ କରିଥିଲି। ମୋ ପରବର୍ତ୍ତୀ ସମୟରେ ସନ୍ତୋଷ କୁମାର ପାଣିଗ୍ରାହୀ, ଦେବଦର୍ଶିନୀ ସାହୁ, ଅମର କୁମାର ଗୌଡ ପ୍ରମୁଖ ତଳଶ୍ରେଣୀର ଛାତ୍ରଛାତ୍ରୀମାନେ ଏହା ପ୍ରକାଶ କରିଥିଲେ। ସେଇ ପ୍ରକାଶନ ଧାରା ଏଯାବତ୍ ଅବ୍ୟାହତ ଅଛି। ଯୁଗରୁଚି ପତ୍ରିକାର କିଛି ବାର୍ଷିକ ସଂଖ୍ୟା ବି ମୁଦ୍ରିତ ଆକାରରେ ପ୍ରକାଶ ପାଇଛି। ଏଇ ପ୍ରାଚୀର ପତ୍ରିକା ପରବର୍ତ୍ତୀ ସମୟରେ ବିଭାଗର ଅନ୍ୟତମ ପତ୍ରିକା ଆକାଂକ୍ଷା ର ମୁଖ୍ୟ ବାହକ ସାଜିଥିଲା। ଓଡିଆ ବିଭାଗର ଯୁଗରୁଚି ଭଳି ମୁଁ ଋଷିକୂଲ୍ୟା ଛାତ୍ରାବାସରେ ମଧ୍ୟ ଋଷିକୂଲ୍ୟା ନାମକ ଏକ ପ୍ରାଚୀର ପତ୍ରିକାର ଦୁଇଟି ସଂଖ୍ୟା ବାହାର କରିଥିଲି। ଛାତ୍ରାବାସ ସମ୍ପାଦକ ଭାବରେ ଋଷିକୂଲ୍ୟାର ଗୋଟିଏ ସଂଖ୍ୟା ମୁଦ୍ରିତ ବି ହୋଇଥିଲା।

ପ୍ରକୃତରେ ଛାପା ପତ୍ରିକା ଅପେକ୍ଷା ହାତଲେଖା ପତ୍ରିକାର ଆକର୍ଷଣ ନିଆରା। ସତେ ଯେମିତି ଛାପା ପତ୍ରିକା ବାହାର ଖାଦ୍ୟ ଓ ହାତଲେଖା ପତ୍ରିକା ନିଜ ଘର ତିଆରି ଖାଦ୍ୟ। ଘରର ହାତ ତିଆରି ପ୍ରସ୍ତୁତ ଖାଦ୍ୟରେ ଥିବା ସ୍ନେହସିକ୍ତ ସମର୍ପଣ ଭାବନା ଓ ସନ୍ତୁଷ୍ଟି ହୋଟେଲ୍ ଖାଦ୍ୟରେ କୁଆଡୁ ମିଳିବ? ଠିକ୍ ସେମିତି ତା ପରଠାରୁ ମୁଁ ଅନେକ ପତ୍ରିକା ସମ୍ପାଦନା କରିଥିଲେ ମଧ୍ୟ ଆଦ୍ୟକାଳୀନ ସେଇ ହାତଲେଖା ପତ୍ରିକାଗୁଡିକର ଖୁସି ଥିଲା ନିଆରା।

ଇଏ ଥିଲା ଅଧ୍ୟୟନକାଳୀନ ସମ୍ପାଦନା ଜୀବନର କଥା।

ପ୍ରକୃତ ସାହିତ୍ୟ ପତ୍ରିକା ସମ୍ପାଦନାର ଧାରା ଆରମ୍ଭ ହେଲା “ଆକାଂକ୍ଷା”ରେ ।

କହିବି ଆରଥରକୁ।

ପ୍ରାଚୀର ପତ୍ରିକାର ଜୟ ହେଉ।

About Dr. Sarat Kumar Jena

Dr. Sarat Kumar Jena is a writer, researcher and from Odisha. Currently he is working as a professor at Biswabharati University, Kolkata.

View all posts by Dr. Sarat Kumar Jena →