ସାପ

ମୂଳ ଲେଖା : ଏରିକ ରୁଗାରା || ଅନୁବାଦ : ଜ୍ୟୋତି ନନ୍ଦ

ପିଲାଟି ପ୍ରଥମେ ଦେଖିଲା। ସଭିଏଁ ଗପସପରେ ବ୍ୟସ୍ତ ଥିଲେ, ଚା’ ପିଉଥିଲେ, ପିଲାଟି ହଠାତ୍ ପାଟିକରି ଉଠିଲା, ସାପ । ପିଲାଟିର ବାପା ହଠାତ୍ ଡେଇଁ ପଡି, ଯେମିତି ମାସାଇ ଜନଗୋଷ୍ଠୀର ଏକ ତ୍ରାଣକର୍ତ୍ତା, ଚିତ୍କାର କଲା, କେଉଁଠି? ସେଇଠି। ପିଲାଟି ଆଙ୍ଗୁଳି ଶେଷରେ ଦେଖାଇଦିଏ ଗୋଟିଏ ଧୂସର ରଂଗର କାନ୍ଥକୁ, ଝରକାର ଉପରେ ଆଉ କବାଟର ପାଖକୁ ଲାଗି ଗୋଟିଏ ଲମ୍ବା, କଳା ରଂଗର କ’ଣ ଗୋଟିଏ ସଲସଲ ହେଉଛି। କାନ୍ଥକୁ ଲାଗି ପଡିଛି ଖଣ୍ଡିଏ ଟେବୁଲ୍, ତାହାର ଉପରେ ବାପା ନିଜର ଶିରାଧମନୀରେ ସମସ୍ତ ତାରୁଣ୍ୟର ଟକମକ ପ୍ରବାହକୁ ଭରା ଦେଇ ବସିଥାଏ। “ମୋତେ ଖଣ୍ଡିଏ ବାଡି ଦିଅ ” ସେ ପାଟି କଲା। ମାଆ ବାହାରକୁ ଆସିଲା ଆଉ ଭିତରକୁ ଯାଇ ଖଣ୍ଡିଏ ଲମ୍ବା ବାଡି ଧରି ଆସି ତାହାକୁ ବାପାର ହାତକୁ ବଢାଇଦେଲା ଏବଂ ତାହାପରେ ବାପାର ଭିତରେ ଯେତେ ସବୁ ସମରକୌଶଳ ଗୋପନରେ ରହିଥିଲା ସେସବୁ ପ୍ରକାଶ୍ୟକୁ ଆସେ ଯେତେବେଳେ ସେ ସେଇ ବାଡିଖଣ୍ଡିକୁ ଅତ୍ୟନ୍ତ ନିପୁଣତାର ସହ, ସତର୍କତାର ସହ ସାପର ମୁଣ୍ଡ ଉପରେ ବୁଲାଇ ଆଣୁଥାଏ, ଯେମିତି ଏଇଟି କୌଣସି ବାଡି ନୁହଁ, ଏହା ହେଉଛି ତାହାର ହାତ। ସାପଟି କାନ୍ଥରୁ ଚଟାଣ ଉପରକୁ ଖସି ପଡିଲା ଆଉ ବାପା ଟେବୁଲ ପାଖରୁ ଡିଆଁଟିଏ ମାରି ଆରପଟକୁ ଗଲା ଆଉ ବାଡିର ପଛପଟରେ ସାପକୁ ଟିକିଏ ଠେଲିଦେବାକୁ ଲାଗିଲା। କିଏ ଜଣେ କହିଲା, ସତର୍କ, ସତର୍କ ରହ। ସାପଟା ମାଡି ଆସୁଥାଏ ଆଉ ବାପା ଟିକିଏ ପଛେଇ ଆସିଲା। ନିଜର ଯେତେ ଶକ୍ତି ଅଛି ତାହାକୁ ନେଇ ବାପା ସାପର ମୁଣ୍ଡରେ ଶକ୍ତ ପାହାରେ ଦେଲା। ତାହାକୁ ବାଡି ଅଗରେ ଧରି ଦରଜା ଦେଇ ବାହାରକୁ ଯାଇ ସେଇଠି ବାହାରେ ତାହାକୁ ଖୋଲା ଜାଗାରେ ଫୋପାଡି ଦେଲା, ତାହାଫଳରେ ଭୂଇଁରୁ ପରସ୍ତେ ଧୂଳି ଉଡିଥିଲା। ଦେଖ, ସିଏ ଯେମିତି ଘାସବୁଦା ଭିତରକୁ ନଯାଏ, କିଏ ଜଣେ କହିଥିଲା। ଥରେ ଯଦି ସେ ଘାସ ଭିତରକୁ ପଶିଯାଇଛି, ତମକୁ ଆଉ ସିଏ ଦୃଶ୍ୟ ହେବନାହିଁ, ହଜିଯିବ ଯେମିତି ଝଲକାଏ ବିଜୁଳି।

ହେଲେ ବାପା ଅନ୍ୟତ୍ର ଥିଲା : ସେଇଠି, ସେ ଯେଉଁଠି ବାଡିଖଣ୍ଡିକୁ ଉଞ୍ଚାଇଥିଲା, ଦୁଇ ହାତରେ, ନିଜର ମୁଣ୍ଡ ଉପରକୁ ଉଠାଇ ଧରି, ସାପର ମୁଣ୍ଡକୁ ପିଟି ପିଟି ଛିନଛତ୍ର କରିଦେଇଥିଲା। ଏହାକୁ ଏଥର ପୋଡିଦେବା, କହେ ସେ। ମାଆ ଘର ଭିତରକୁ ଗଲା ଆଉ ବାହାରକୁ ଆସିବାବେଳକୁ ତାହାର ହାତରେ ଥିଲା କିରୋସିନ୍ ଟିଣ ଆଉ ଗୋଟିଏ ଲାଲ୍ ରଂଗର ଲାଇଟର୍। ବାପା ବାଡିର ଅଗରେ ସାପଟିକୁ ସାଉଁଳି ନେଇ ଗୋଟିଏ ଗାତ ପାଖକୁ ଗଲା । ସମସ୍ତେ ତାହାର ପଛେପଛେ ଯାଉଥାନ୍ତି । ଗାତରେ ସାପଟିକୁ ରଖି କିରୋସିନ ଢାଳି ତାହାକୁ ଜାଳି ଦିଆଗଲା। ସାପର ଚମଡା ନିଆଁରେ ଚହଟି ଉଠୁଥାଏ, ଚଡଚଡ କରୁଥାଏ। ସମସ୍ତେ ଭାରି ଖୁସି, ବହୁତ ବହୁତ ଖୁସି ବିଶେଷରେ ବାପା ଆଉ ସେଇ ପିଲାଟି ଯେତେବେଳେ ଏଇ ମୁହୂର୍ତ୍ତର ନାୟକ, ପିଲାର ଆଖିକୋଣରେ ଚମକ, ବାପା ତାହାର ବାଡି ଖଣ୍ଡକ ଧରି ଏପରି ବୀରତାଭରା କାର୍ଯ୍ୟ ବି କରିପାରିବାକୁ ସମର୍ଥ ଆଉ ଏହାପରେ ସଭିଏଁ ଆନନ୍ଦରେ ଘର ଭିତରର ଅଗଣାକୁ ଗଲେ, ଆଉ ଦଫାଏ ସତେଜ ଚା’ର କେଟିଲି ବସିଲା। ସେଇ ଘଡିକର କଥା ସଭିଏଁଙ୍କ ମୁହଁରେ, ଯେତେକ ଆବେଗ, ଯେତେକ ଗତିବିଧି ଆଉ ଯେତେକ ଜୀବନ୍ତ ରହିବା ଭଳି ଅନୁଭବ। କିଛି ସମୟ ବିତିଯାଇଛି କି ନାହିଁ, ଠିକ୍ ମଝିରେ ଆଉ ପିଲାଟିଏ କିଏ ହଠାତ୍ ବଡ ପାଟିରେ କହି ଉଠିଥିଲା, ସାପ, ସାପ।

About Jyoti Nanda

Jyoti Nanda is a writer, translator based in Bhubaneswar.

View all posts by Jyoti Nanda →