ମା’ କହେ, ସେମାନେ ଛୋଟ ଥିଲାବେଳେ ବର୍ଷା ଆରମ୍ଭ ହେଲେ ସ୍କୁଲ ଛୁଟି। ବର୍ଷା ଚାରିମାସ ସ୍କୁଲ ଯିବା ପ୍ରାୟ ବନ୍ଦ କହିଲେ ଚଳେ। ଯାହା ପ୍ରଥମ ତିନି-ଚାରି ଦିନ ଯାଇ ହୁଏ। ତା’ ପରେ ନଈରେ ପାଣି ବଢେ। ବଢନ୍ତା, ଉଛୁଳା ନଈ ପାର ହୋଇ କେହି ସ୍କୁଲ ଯାଇ ପାରନ୍ତିନି। ନଈ ଉପରେ ବ୍ରିଜ ନଥାଏ ସେତେବେଳେ। ଅବଶ୍ୟ ରଜନୀର ସ୍କୁଲ ଯିବା ବୟସ ହେଲା ବେଳକୁ, ଗାଁ ପାଖ ନଈ ଉପରେ ବ୍ରିଜ ତିଆରି ସରିଥାଏ। ହେଲେ ସାଇକଲ ଚଲାଇ ବର୍ଷାରେ ସ୍କୁଲ ଯିବା ଆସିବା ବାଟରେ ଅଧା ଦିନ କାଦୁଅ କି ଖାଲରେ ପଡନ୍ତି ସେ ଆଉ ତା’ ସାଙ୍ଗ ମାନେ। ସେତେବେଳେ ଟିଭିରେ ସହରରେ ବର୍ଷା ପଡୁଥିବାର ଦୃଶ୍ୟ ଦେଖିଲେ ଭାରି ଲୋଭ ହୁଏ ତା’ର। ଆଉ କାହାର ହୁଏ କି ନାହିଁ ସେ ଜାଣିନି!
ସହରରେ ବର୍ଷା ହେଲେ ତାଙ୍କ ଗାଁ ଦାଣ୍ଡ ପରି କାଦୁଅ ପଚପଚ୍ ହୁଏନି। ଯେତେ ଜୋର୍ ବର୍ଷା କାଚିଲେ ବି ଚିନ୍ତା ନାଇଁ, ପବନରେ ଛତା ଲେଉଟିବାର ଡର ନାଇଁ! ନିବୁଜ ଗାଡି ଭିତରେ, ନିର୍ଦ୍ବନ୍ଦ୍ବରେ ବସି ଚକ୍କର କାଟି ହେବ। ମଝି ଦାଣ୍ଡରେ ଗୋଳିଆ ପାଣି କି ପିଣ୍ଡାରେ ତେଲୁଣି ପୋକ କିଛି ଦିଶିବେନି। ପାଞ୍ଚ-ଦଶ ମହଲା ଉପରେ ଥାଇ, କାଚ ଝରକା ଦେଇ, ବାମ୍ଫ ଉଠା ଚା’କପ୍ ଧରି, ବର୍ଷା ଧାରକୁ ଉପଭୋଗ କରିହେବ। ଅନ୍ଧାରୁଆ ବର୍ଷା ରାତିରେ ଲଣ୍ଠନ ଆଲୁଅ ଧାରରେ ବସି ନଖାଇ, ନିଜ ପ୍ରିୟ ମଣିଷ ସହ ବସି କ୍ୟାଣ୍ଡେଲ୍ ଲାଇଟ୍ ଡିନର କରି ହେବ। ସେଇଥିପାଇଁ ରଜନୀର ସହରର ବର୍ଷା ଉପରେ ଭାରି ଲୋଭ। ସେଇ ହାଇସ୍କୁଲ ଦିନୁ ସେ ଭାବି ରଖିଥାଏ ….. ଯେତେବେଳେ ସେ ପାଠ ପଢିସାରି ଶିବୁନନା ପରି ସହରରେ ଚାକିରୀ କରିବ, ବର୍ଷାଋତୁରେ ପ୍ରତ୍ୟେକ ସନ୍ଧ୍ୟାରେ ତା’ ଘର ବାଲକନିରେ ବସି ଜଗଜିତ୍ ସିଂହ ଗଜଲ ଶୁଣିଶୁଣି ଚା’ ପିଇବ ଆଉ ତା’ ପ୍ରିୟ ମଣିଷ ସହ କ୍ୟାଣ୍ଡେଲ୍-ଲାଇଟ୍ ଡିନର କରିବ!
ହେଲେ ଆଜି ଆସି ଜୁଲାଇ ଶେଷ ହେବାକୁ ବସିଲାଣି, ବର୍ଷାର ନାଁ-ଗନ୍ଧ ନାହିଁ! ସନ୍ଧ୍ୟା ହେଲା ବେଳକୁ ସହରରେ ପାଞ୍ଚ ମହଲା ଉପରେ ଥିବା ତା’ ଘରର ବାଲକନିରେ ଅସହ୍ୟ ଗୁଳୁଗୁଳି! କେତେ ଦିନ ତଳେ ବର୍ଷା ହୋଇଥିଲା କେଜାଣି? ଦଶ କି ବାର…… ଠିକରେ ମନେ ପଡୁନି! ଏଇଟା ଗୋଟେ କି ବର୍ଷା ଦିନ? ନା’ ପଡିଆ ସବୁ ଘାଷରେ ଭରି ଯାଉଛି ନା’ କୋଉଠି ନଈ ଉଛୁଳୁଛି ନା’ କୋଉଠି ଟିକେ ଫୁଟଖାଲିଆରେ ବି ପାଣି ଜମୁଛି! ଖରାଦିନୁ ଭାବି ରଖିଥିଲା ରଜନୀ, ଏଥର ବର୍ଷାଦିନେ ଗୋଲାପ ଗଛ ଗୁଡାକୁ ରି-ପଟି° ଆଉ ଟ୍ରିମି° କରି ଦେବ। ହେଲେ କୁଣ୍ଡର ମାଟି ଦି’ଦିନ ଓଦା ରହିଲା ଭଳିଆ ବର୍ଷା ହେଲେ ତ! ସବୁଦିନେ ଫୁଲକୁଣ୍ଡରେ ପାଣି ଦେଲାବେଳେ ରଜନୀ ପ୍ରାର୍ଥନା କରେ, “ହେଃ ପ୍ରଭୁ! ଆଜି ଟିକେ ବର୍ଷା ହେଉ!”
ଆଜି ଲଞ୍ଚ୍ ଆଓ୍ବାରରେ ଅଫିସ୍ କ୍ୟାଣ୍ଟିନର କାଚ ଝରକା ଦେଇ ବାହାରକୁ ଚାହିଁଲା ବେଳକୁ ଟିକେ ଛାଇ-ଛାଇଆ ଦେଖାଗଲା। ଖାଇସାରି, କଫି କପଟେ ଧରି ରଜନୀ ଜାଣିଶୁଣି ଟେରାସ୍ ଗାର୍ଡେନକୁ ଗଲା…… ପରଖିବାକୁ ଯେ ମିଛରେ ଛାଇ କରିଛି ନା’ ସତରେ ବର୍ଷା ହେବାର ସମ୍ଭାବନା ଅଛି? ସେଠି କିଛି କଲିଗ୍ ଆଲୋଚନା କରୁଥିଲେ, ବର୍ଷାକୁ ନେଇ ଆଇ ଏମ୍ ଡିର ଆକଳନ ବିଷୟରେ। ଗୋଟିଏ କାଠଚମ୍ପା ଗଛ ମୂଳରେ ବସି, କଫି ପିଉପିଉ ରଜନୀ ସେମାନଙ୍କ କଥାକୁ କାନେଇଥାଏ ….ଆଜିଠୁ ବର୍ଷା ହେବ, ଲଗାତାର ତିନି ଦିନ’। ଅବଶ୍ୟ ଦୂର ଦିଗବଳୟରୁ ହାଲୁକେଇକି ଘନେଇ ଆସୁଥିବା ବାଦଲକୁ ଦେଖି ଲାଗୁଥାଏ, ଆଜି ନିଶ୍ଚୟ ବର୍ଷା ହେବ।
ବର୍ଷା ପରେ କଅଁଳ ସବୁଜ ପତ୍ର ମେଲୁଥିବା ବୁଦା ପରି, ବର୍ଷା ହେବାର ସମ୍ଭାବନାରେ, ରଜନୀ ମନରେ ବି ହଠାତ୍ ଗୋଟିଏ ଇଚ୍ଛା ପତ୍ର ମେଲି, ଛନଛନିଆ ଦିଶିଲା। ଅନେକ ଦିନୁ ପେଣ୍ଡି° ଥିବା, ପ୍ରତୀକ ସହ କ୍ୟାଣ୍ଡେଲ୍-ଲାଇଟ୍ ଡିନରଟା ଏ ବର୍ଷା ଭିଜା ସନ୍ଧ୍ୟାରେ ଖୁବ୍ ଜମନ୍ତା। ଅନ୍ ଲାଇନରୁ ମଗେଇଥିବା ନୂଆ ବାର୍ବିକ୍ବୁ ସାଙ୍ଗକୁ ବର୍ଷା ଆଉ ଗଜଲର ଧୂନ୍…..ଆଉ ଡିନର ପରେ ଗୋଟେ ରାଉଣ୍ଡ୍ ଚେସ୍…..ସବା ଶେଷରେ ଖିଅ ମିଳୁନଥିବା ଗପର ଆସର! ହଠାତ୍ କରି ରଜନୀର ମନଟା ଗୋଟେ ମନଲୋଭା ଧୂଆଁଳିଆ ବାସ୍ନାରେ ଭରିଗଲା!
ଅଫିସରୁ ହାଫ୍ ଡେ’ ଛୁଟି ନେଇ, ପ୍ରତୀକକୁ ମେସେଜ୍ କଲା ରଜନୀ। ପ୍ରଥମେ ଉତ୍ତରରେ ସ୍ମାଇଲି ଟେ ପଠାଇ ଦେଇ, ପର ମେସେଜରେ ପ୍ରତୀକ୍ ଲେଖିଲା- ଘରେ ପହଞ୍ଚି ମେସେଜ୍ କରିବ, ଆଉ କ’ଣ ଦରକାର ରାତି ପାଇଁ….
“ବଡଓ୍ବାଇଜର୍”…..ଲେଖି ପଠାଇଦେଇ, ରଜନୀ ଲାଗିପଡିଲା ତା’ କଳ୍ପନାର ସନ୍ଧ୍ୟାକୁ ରୂପ ଦେବା ପାଇଁ ସରଞ୍ଜାମ ସାଉଁଟିବାରେ। କ୍ୟାଣ୍ଡେଲ୍ ଆଉ ଡ୍ରାଏ ଫ୍ରୁଟ୍ସ ପ୍ୟାକେଟକୁ ବ୍ୟାକ୍ ସିଟରେ ରଖି, ଶହୀଦ ନଗରରୁ ଗାଡି ଷ୍ଟାର୍ଟ କଲା ବେଳକୁ ବର୍ଷା ପଡିବା ଆରମ୍ଭ ହୋଇ ଯାଇଥାଏ! ରୂପାଲୀରୁ ଗାଡି ବୁଲାଇ ବାଣୀବିହାର ପାଖରେ ପାଖରେ ପହଞ୍ଚିଲା ବେଳକୁ ବର୍ଷା ଜୋର୍ ଧରି ସାରିଥାଏ! ବାଣୀବିହାରରୁ ଲେଫ୍ଟ ଟର୍ଣ୍ଣ ନେଇ ସର୍ଭିସ୍ ରୋଡ୍ ଧରିଲା ବେଳକୁ ବର୍ଷାର ଧାର ଆଉ ଜୋରକୁ ଟକ୍କର ଦେଇ ରାସ୍ତାର ଟ୍ରାଫିକ୍ ଜାମ୍ ହୋଇ ସାରିଥାଏ! ଲାଗୁଥାଏ, ଖାଲି ଇଞ୍ଜନଟା ହିଁ ଷ୍ଟାର୍ଟରେ ଅଛି! ଗାଡି ପାଦେଠୁ ବି କମ୍ ଆଗକୁ ଗଡୁଛି। ଆଖି ପାଇବା ଯାଏଁ ସାମ୍ନାରେ ଗାଡି ଦେଖାଯାଉଥାଏ ଆଉ ପଛରୁ ହର୍ଣ୍ଣ ଶୁଭୁଥାଏ। ଏମିତି ଭିଡରେ ଏତେ ହର୍ଣ୍ଣ କାଇଁ ଦେଉଚି ଏ ପଛ ଗାଡିଟା? ଲୋକ ଏତେ ଅଧର୍ଯ୍ୟ କାଇଁ ହୁଅନ୍ତି? ରଜନୀର ଇଚ୍ଛା ହେଉଥାଏ, ଓହ୍ଲେଇଯାଇ ପଛ ଗାଡିବାଲାକୁ କହିବ, “ ଭାଇ ମୁଁ ବି ଘରକୁ ଯିବି ବୋଲି ଗାଡି ଧରି ବାହାରିଛି, ଏଇ ରାସ୍ତା ମଝିରେ ଘର କରିବା ପାଇଁ ନୁହଁ”!
ରଜନୀକୁ ଲାଗୁଥାଏ ପୃଥିବୀର ସବୁ ଘଣ୍ଟା ଯେମିତି ଆଜି ତାଙ୍କ କଣ୍ଟା ମାନଙ୍କୁ ବୁଲିବା ପାଇଁ ମନା କରି ଦେଇଛନ୍ତି, ସମୟ, ବର୍ଷା, ସେ ଆଉ ତା’ ଗାଡି…..ଏଇ ଟ୍ରାଫିକରେ ଅଟକି ରହିଯାଇଛନ୍ତି କାହିଁ କେଉଁ କାଳରୁ! ବାଁ ପାଦଟା କ୍ଲଚ୍ ଉପରେ ହିଁ ଥାଏ…..ଡାହାଣ ପାଦ ଯାହା ଟିକେ ବ୍ରେକ୍ ଉପରେ ହାଲୁକା ଏପଟ-ସେପଟ ହେଉଥାଏ! ଏତେ ଲମ୍ବା ପନ୍ଦର ମିନିଟ୍ ଖୁବ୍ କମ୍ ଭୋଗିଛି ରଜନୀ। ଶନି ମନ୍ଦିର ପୂର୍ବରୁ, ଡାହାଣ ପାଖକୁ, ବାଣୀବିହାର ପଟକୁ, ଓଭରବ୍ରିଜ୍ ତଳେ ଥିବା ପ୍ୟାସେଜ୍ ଆଡକୁ ହଠାତ୍ ନଜର ଭିଡି ହୋଇଗଲା ରଜନୀର। ସ୍ତ୍ରୀ ଲୋକଟିଏ, ତା’ ଛାତି ପାଖରେ କ’ଣ ଗୋଟେ ଚାପିଧରି ତରତରରେ ପଶି ଯାଉଥିଲା ସେଇ ପ୍ୟାସେଜ ଭିତରକୁ! ତା’ ବାଁ ହାତରେ ଛତା ଆଉ କାନ୍ଧରେ ଗୋଟିଏ କପଡା ପୁଟୁଳି ବି ଓହଳିଥାଏ! ଏ ଯେଉଁ ଗଦଗଦ୍ ବର୍ଷା ଢାଳୁଥାଏ, ତା’ ସାଙ୍ଗକୁ ପବନ, ଛତାକୁ ଗୋଟିଏ ହାତରେ ଧରି ସମ୍ଭାଳିବା ସ୍ତ୍ରୀ ଲୋକଟି ପାଇଁ କଷ୍ଟକର ହୋଇ ପଡୁଥାଏ।
ସାମ୍ନା ଗାଡିଟା ଟିକେ ଆଗକୁ ଗଲାରୁ, ରଜନୀ ବି ଆଉ ଟିକେ ଆଗକୁ ଗଡାଇଲା ଗାଡି। ତଥାପି ପ୍ୟାସେଜ୍ ସିଧା ପହଞ୍ଚିବା ପାଇଁ ତା’ ଆଗରେ ଆହୁରି ଗୋଟାଏ ଗାଡି! ପିଠି ଆଉ ବେକକୁ ଆଉ ଟିକେ ସିଧା କରି, ଟେକି ହୋଇ ଚାହିଁଲା ରଜନୀ। ସ୍ତ୍ରୀ ଲୋକଟି ପ୍ୟାସେଜ୍ ଭିତରକୁ ପଶିଲା ବେଳକୁ, ତା’ ଡାହାଣପଟ ଅଣ୍ଟା ପାଖ ଲୁଗାକୁ ମୁଠାଇ ଧରି, ଗୋଟିଏ ଛ’-ସାତ ବର୍ଷର ଛୁଆଟେ ମଧ୍ୟ ପ୍ୟାସେଜ୍ ଭିତରକୁ ପଶିଗଲା। ତା’ କାନ୍ଧରେ ବି ଗୋଟିଏ ବ୍ୟାଗ୍। ୟା ପରେ ସେ ସ୍ତ୍ରୀଲୋକ କି ଛୁଆ କେହି ଦେଖା ଗଲେନି। ଖାଲି ଯାହା ସାମ୍ନା ଗାଡିର ଟେଲ୍ ବ୍ରେକ୍ ଲାଇଟ୍ ହିଁ ଦିଶୁଥାଏ। ପ୍ୟାସେଜ୍ ପାଖାପାଖି ଗାଡି ହେଲା ବେଳକୁ ରଜନୀ ଲକ୍ଷ୍ୟ କଲା, ପ୍ୟାସେଜ୍ ଭିତରେ ବାଇକ୍, ସାଇକଲ୍, ପାଦଚଲା ଲୋକଙ୍କ ଭିଡ ଆଉ ସେ ସ୍ତ୍ରୀଲୋକଟି ଠିକ୍ ଏଣ୍ଟ୍ରି ପଏଣ୍ଟରେ ଗୋଟିଏ କୋଣକୁ ଯାକିଯୁକି ହୋଇ ବସିଥାଏ। ବାଁ ହାତରେ ଛାତି ପାଖରେ ଗୋଟିଏ ଛୋଟିଆ ଛୁଆକୁ ଚାପିଧରି, ଡାହାଣ ହାତରେ ଲୁଗା ପୁଟୁଳା ଭିତରୁ ଗୋଟେ ଲୁଗା ଟାଣିଟାଣି ବାହାର କରୁଥାଏ। ପାଖରେ ସେଇ ଛ’-ସାତ ବର୍ଷର ପିଲାଟା ଛତାଟାକୁ ଦି’ହାତରେ ଜାବୁଡି ଧରି, ପ୍ରାଣପଣେ ବର୍ଷା ପାଣିକୁ ତା’ ମା’ ଉପରେ ପଡିବାରୁ ବଞ୍ଚେଇବାକୁ ଚେଷ୍ଟା କରୁଥାଏ। ବର୍ଷା ପବନରେ ଦୋହଲି ଯାଉଥାଏ ତା’ ଶରୀରଟା। ଦୁଇ ଗୋଡକୁ ଟିକେ ଫରକଟେଇ ଦେଇ, ଗୋଡର ମା°ସପେଶୀକୁ ଟାଣ କରି ଭୂମି ଉପରେ ଥୋଇ, ଦି’ ଓଠକୁ ପାଟି ଭିତର ପଟକୁ ମୋଡି ଚାପିଦେଇ, ଦି’ ହାତରେ ଛତା ବେଣ୍ଟଟାକୁ ଯାବୁଡି ଧରିଥାଏ! ମା’ ଛୁଆଙ୍କ ଆଡକୁ ଧ୍ୟାନ ଦେବା ଭିତରେ ରଜନୀ, ତା’ ସାମ୍ନା ଓ ବାଁ ପଟ ଗାଡିଟା ଟିକେ ଆଗକୁ ଗଡିଯିବା ଲକ୍ଷ୍ୟ କରି ନଥାଏ। ପଛ ଗାଡିର ଲମ୍ବା, କର୍କଶ ହର୍ଣ୍ଣରେ ପ୍ରକୃତିସ୍ଥ ହେଲା ସେ। ଗାଡି ଚକା ଦି’ ରାଉଣ୍ଡ୍ ଘୁରି ପୁଣି ଅଟକିଲା। ପ୍ୟାସେଜଟା ପଛକୁ ରହିଗଲା। ଏଥର ଡାହାଣ ପଟ ମିରରରେ ଦେଖିବାକୁ ଚେଷ୍ଟା କଲା ରଜନୀ। ଜଣେ ଲମ୍ବା, ଶୀର୍ଣ୍ଣକାୟ ମଣିଷଟେ କାନ୍ଧରେ ବ୍ୟାଗ୍, ମୁଣ୍ଡରେ ପଲିଥିନ୍ ଆଉ ଦି’ ହାତରେ ଗୋଟିଏ ଅସ୍ତବ୍ୟସ୍ତ ପାଲ ଧରି ସେଇ ପ୍ୟାସେଜ୍ ଭିତରକୁ ସ୍ତ୍ରୀଲୋକ ଓ ଛୁଆ ପାଖରେ, ଦଉଡି ଦଉଡି ଆସି ଠିଆ ହେଲା। ସ୍ତ୍ରୀଲୋକଟି ମୁହଁ ଟେକି ସେ ଲୋକଟି ଆଡକୁ ଚାହିଁଲା। କ’ଣ କହିଲା କି ମୋଟରୁ କିଛି କହିଲାନି, ରଜନୀକୁ ଜଣା ପଡିଲାନି ବିଲକୁଲ୍!
ଆଗ ଗାଡି ଗଡିବା ଆଉ ପଛ ଗାଡି ହର୍ଣ୍ଣ ମାରିବା ଭିତରେ ରଜନୀ ବି ଆଗକୁ ଗାଡି ଗଡାଇଲା। ଆଚାର୍ଯ୍ୟବିହାର ପରେ ଯାଇ ଆକ୍ସିଲେରେଟର ଉପରେ ପାଦ ରଖିହେଲା। ମେଘ-ବର୍ଷାରେ ଅନ୍ଧାରୁଆ ହୋଇ, ସାଢେ ଚାରିଟାଟା ବି ସନ୍ଧ୍ୟା ଛ’ଟା ପରି ଲାଗୁଥାଏ! ରଜନୀ ଘରେ ପହଞ୍ଚିବା ଯାଏଁ ସେମିତି ବର୍ଷା ଗାଳୁଥାଏ।
ଫ୍ରେସ୍ ହୋଇ, ସବୁ ଜିନିଷ ସଜାଡି ରଖି, ରାତି ଡିନରର ପ୍ରସ୍ତୁତିରେ ଲାଗିପଡିଲା ରଜନୀ। ବର୍ଷା ତଥାପି କମି ନଥାଏ। ସେ ଠିକ୍ ଜାଣେ, ଏମିତିକା ବର୍ଷାରେ କୋଉଠି ବି ଅଟକିବନି ପ୍ରତୀକ୍। ଘରେ ପହଞ୍ଚିଲା ବେଳକୁ ପେଟରେ ପେଟେ ଭୋକ ନେଇ ଆସିଥିବ। ଚିକେନକୁ ସଫା ଆଉ ମ୍ୟାରିନେଟ୍ କରି ଫ୍ରିଜରରେ ରଖି, ସ୍ବିଟ୍-କର୍ଣ୍ଣକୁ ଷ୍ଟିମରେ ରଖିଲା ରଜନୀ। ଅମଲେଟ୍ ଦି’ଟା ବନାଇ, ଟୋଷ୍ଟ ପାଇଁ ବ୍ରେଡ ଧରିଲା ସେ। ପୁଦିନା ଚଟଣୀ ପାଇଁ ମିକ୍ସରର ସ୍ବିଚ୍ ଟା ଅନ୍ କଲା ବେଳକୁ, ପ୍ରତୀକର ମେସେଜ୍ ଆସିଲା, “କ’ଣ ନେବି କହିଲନି ତ?”
ଆଇସକ୍ରିମ ପାଇଁ ଇଚ୍ଛା ଥିଲେ ବି, ବର୍ଷାର ପ୍ରକୋପକୁ ଦେଖି ରଜନୀ ଉତ୍ତର ଫେରେଇଲା, “ସବୁ ଅଛି। ତମେ ଆରାମସେ ଆସି ପହଞ୍ଚ।”
ବାଲକନୀରେ ବାର୍ବିକ୍ବୁ ଗ୍ରୀଲ୍, ଚାରକୋଲ୍, କ୍ୟାଣ୍ଡେଲ୍ ସଜାଡି, ସେଇଠି କଫି କପଟେ ଧରି ସାଲାଡ୍ ଡ୍ରେସିଂ ବନେବାକୁ ବସି ପଡିଲା ରଜନୀ। ବାହାରେ ବର୍ଷା କମି ଗଲାଣି। ଉଠି ଯାଇ ବାଲକନୀ ଗ୍ଲାସଟାକୁ ସ୍ଲାଇଡ୍ କଲା। ଚମ୍ପାଗଛ ଉପର ଦେଇ ଧାରେ ପବନ ଛୁଇଁଗଲା ତାକୁ। ଯାହା ଟୁପୁରୁ-ଟାପୁରୁ ବର୍ଷା ପଡୁଛି। ପାଣି ଛାଡି ଗଲାଣି ରାସ୍ତା ଉପରୁ। ବିଲ୍ଡିଂ ସାମନା ରାସ୍ତାରେ କାଁ-ଭାଁ ଗାଡି। ରାସ୍ତା କଡକୁ ଲାଗି ପଡିଥିବା ହୋସ୍ ପାଇପ୍ ଭିତରୁ ମା’ କୁକୁରଟେ ଦୁଇ-ତିନିଟା ଛୁଆଙ୍କୁ ଧରି ଧିରେଧିରେ ପଶୁଛି। ଫେରିଲା ବେଳେ ଓଭରବ୍ରିଜ୍ ତଳେ ଦେଖିଥିବା ପରିବାରର ଛବି, ହଠାତ୍ କରି ତୀବ୍ର ଭାବରେ ମନେ ପଡିଲା ତା’ର।
ପ୍ରତୀକ ପାଇଁ କବାଟ ଖୋଲି, ତା’ ହାତକୁ ଟୋଷ୍ଟ ଆଉ କଫି ବଢାଇ ଦେଇ ରଜନୀ ପ୍ରଶ୍ନ କଲା, “ଆଚ୍ଛା ଲାଷ୍ଟ ଡିସେମ୍ବର କ୍ୟାମ୍ପି° ପାଇଁ ଯେଉଁ ଟେଣ୍ଟଟା କିଣା ହୋଇଥିଲା କୋଉଠି ରହିଛି? ବାହାର କର ନା ଟିକେ।”
ଆଶ୍ଚର୍ଯ୍ୟ ହୋଇ ରଜନୀ ଆଡକୁ ଚାହିଁ ‘ହଁ’ ଅର୍ଥରେ ମୁଣ୍ଡ ହଲାଇଲା ପ୍ରତୀକ। ପ୍ରତୀକ କ୍ୟାମ୍ପି° ଟେଣ୍ଟକୁ ଷ୍ଟୋର୍-ରୁମରୁ ବାହାର କରି ଆଣି ହଲରେ ପହଞ୍ଚିଲା ବେଳକୁ ରଜନୀ କ’ଣ ଗୁଡାଏ ପ୍ୟାକେଟ୍ ଧରି ଠିଆ ହୋଇଥାଏ। ପ୍ରତୀକ ମନେ ମନେ ଭାବୁଥାଏ, ‘ଏ ବର୍ଷା ରାତିରେ କୁଆଡ଼େ କ୍ୟାମ୍ପି° ପାଇଁ ବାହାରିବ ନା’ କ’ଣ ରଜନୀ?’
ରଜନୀ କହିଲା, “ଟେଣ୍ଟଟା ଧରି ଚାଲ।”
ପ୍ରତୀକ ଚାହିଁଥାଏ, ନିଜେ ଗୋଟାଏ ହାତରେ ବ୍ୟାଗରେ ଦୁଇଟା ଛୋଟ ବ୍ଲାଙ୍କେଟ୍, ଆର ହାତରେ ଗୋଟିଏ ବ୍ୟାଗରେ ଚାରକୋଲ୍ ଷ୍ଟୋଭ୍, ଚାରକୋଲ୍ ପ୍ୟାକେଟ୍, ଲାଇଟର୍ ଆଉ କାନ୍ଧରେ ଖାଇବା ପ୍ୟାକେଟ୍ ଥିବା ବ୍ୟାଗଟା ପକାଇ ରଜନୀ ଆଗେ ଆଗେ ଲିଫ୍ଟ ଆଡକୁ ଚାଲିଲା। ଗାଡି ଷ୍ଟାର୍ଟ କରି ଗେଟରୁ ବାହାରିବା ଭିତରେ ପ୍ରତୀକ ପଚାରିଲା, “ସେମାନେ ଆଉ ସେଠି ଥିବେ?”
“କେଜାଣି…..ତମେ ଚାଲ”, କହି ଚୁପ୍ ବସିଲା ରଜନୀ!
ବର୍ଷା ପରେ ରାତିରେ ରାସ୍ତାଟା ଅସମ୍ଭବ ଭାବେ ଫାଙ୍କା ଥାଏ। ସତେ ଯେମିତି ପୂରା ସହରଟା ୟା ପୂର୍ବରୁ ମେଲଣ ପାଇଁ ଅନିଦ୍ରା ଥିଲା। ପୁଲିସ୍ ପ୍ୟାଟ୍ରୋଲି° ଭ୍ୟାନ୍ ଛଡା ଅଳ୍ପ କିଛି ଗାଡି ହିଁ ଥିଲେ ରାସ୍ତାରେ। ବିକଟାଳ ହର୍ଣ୍ଣ ଦେଇ, ଅଧରାତିରେ ରାଜଧାନୀ ରାସ୍ତାରେ ଚିତ୍କାର କରି, ସାଇଁସାଇଁ ବୁଲୁଥିବା ବାଇକ୍ ଆରୋହୀଙ୍କର ବି ଆଜି ଦେଖା ନଥିଲା। ବାଣୀବିହାର ଛକ ପୂର୍ବରୁ, ଓଭରବ୍ରିଜ୍ ତଳେ ଥିବା ପ୍ୟାସେଜ୍ ପାଖରେ ଗାଡି ରୋକିବାକୁ ମନେ ପକାଇଦେଲା ରଜନୀ। ପ୍ୟାସେଜ୍ ତଳେ ଖଣ୍ଡେ ଫଟା ତମ୍ବୁ ପାରିଦେଇ, ଜାକିଜୁକି ହୋଇ ବସିଥା’ନ୍ତି ବାପା-ମା’-ଛୁଆ। ଦିନରେ ଭାରି ଦମ୍ଭରେ ଛତା ଧରି ଠିଆ ହୋଇଥିବା ଛ’-ସାତ ବର୍ଷର ପିଲାଟା ବେକ ମୋଡି ଶୋଇଥାଏ ବାପା କୋଳରେ। ତା’ ଡାହାଣ ହାତରେ ତଥାପି ଚାପିଧରିଥାଏ ଛତାର ବେଣ୍ଟ। ଆଉ ଗୋଟିଏ ତିନି-ଚାରି ମାସର ଛୁଆଟେ, ମା’ ଛାତି ପାଖରେ ଜାକି ହୋଇ ହାତ-ଗୋଡ ଛାଟୁଥାଏ। ପାଖରେ ପହଞ୍ଚି ଖାଦ୍ୟ ପୁଡିଆଟା ମା’ ହାତକୁ ବଢାଇବା ଭିତରେ, ରଜନୀ ଟେଣ୍ଟଟା ସେଟ୍ କରିଦେବା ପାଇଁ କହିଲା ପ୍ରତୀକକୁ। ଚୁହ୍ଲାରେ ଚାରକୋଲ୍ ଦେଇ ଟିକେ ନିଆଁ ଧରେଇଦେଇ, ଛିଣ୍ଡା ପାଲ ଉପରେ ଢୋଳେଇ ପଡିଥିବା ଛୁଆଟାକୁ ବ୍ଲାଙ୍କେଟ୍ ଘୋଡେ଼ଇ, ରଜନୀ କହିଲା- ଥଣ୍ଡା ଟିକେ କମ୍ ଲାଗିବ।
ୟା ଭିତରେ ପୁଲିସ୍ ପ୍ୟାଟ୍ରୋଲି° ଭ୍ୟାନ ଅଟକାଇ, ସେମାନେ ବି ଟେଣ୍ଟ ସେଟ୍ କରିବାରେ ସାହାଯ୍ୟ କରୁଥାନ୍ତି ପ୍ରତୀକକୁ। ସବୁ ବନ୍ଧାବନ୍ଧି ସାରି, ଘରକୁ ଫେରିବା ପାଇଁ ଗାଡି ଷ୍ଟାର୍ଟ କଲାବେଳକୁ ଜଣେ ପୁଲିସ ଅଫିସର ଆସି କହିଲେ- ସଚ୍ ଷ୍ଟେପ୍ସ ଆର୍ ନଟ୍ ଅଲଓ୍ବେଜ୍ ସେଫ୍ ମ୍ୟାଡାମ୍! ବି କେୟାରଫୁଲ୍ ନେକ୍ସଟ୍ ଟାଇମ୍!
ସେମାନଙ୍କୁ ହସିକି ଧନ୍ୟବାଦ ଜଣାଇ, ଆଗକୁ ନିଶ୍ଚୟ ସାବଧାନ ରହିବ କହି ଗାଡ଼ିରେ ବସିଲା ରଜନୀ। ଗାଡି ଚାଲିବା ଆରମ୍ଭ କଲା ବେଳକୁ, ଜଗଜିତ୍ ସିଂହଙ୍କ ସ୍ବରରେ ଭାସି ଆସୁଥିଲା- କହିଁ ଖୋ ଦିଆ, କହିଁ ପା’ ଲିଆ….କହିଁ ରୋ ଲିଆ, କହିଁ ଗା’ ଲିଆ….. କହିଁ ଛିନ୍ ଲେତି ହେ ହର ଖୁସି, କହିଁ ମେହରବାନ୍ ବେହିସାବ୍ ହେ……..
ଆଚାର୍ଯ୍ୟ ବିହାର ପାଖାପାଖି ପ୍ରତୀକ ପଚାରିଲା- ଆଚ୍ଛା ମ୍ୟାଡାମ୍, ଏବେ ମୁଁ ଅଧ ରାତିରେ ତମ ବାର୍ବିକ୍ବୁ ପାଇଁ ଚାର୍କୋଲ କୋଉଠୁ ଆଣିବି?
ପ୍ରତୀକ ଆଡକୁ ବିଲକୁଲ୍ ନଚାହିଁ, ସାମ୍ନା ରାସ୍ତା ଉପରେ ନଜର ସ୍ଥିର ରଖି ରଜନୀ ଉତ୍ତର ଦେଲା- ମୁଁ ଚିକେନ୍ କସି ଦେଇ ଆସିଛି।
ସାମନା ରାସ୍ତାରୁ ନଜର ଫେରାଇ, ରଜନୀର ଗାଲକୁ ବାଁ ହାତରେ ଟିକେ ଟାଣି ଦେଇ ପ୍ରତୀକ କହିଲା- ସେଇଥିପାଇଁ ମୁଁ କୁହେ, ୟୁ ଆର୍ ଦ ସେକ୍ସିଏଷ୍ଟ ୱିମାନ୍ ଇନ୍ ଦିସ୍ ଓ୍ବାର୍ଲଡ୍!
ରିଅର୍-ଭ୍ୟୁ ମିରରରେ ଅନ୍ଧାର ସହ ପୁଲିସ୍ ପ୍ୟାଟ୍ରୋଲି° ଭ୍ୟାନଟା ଦିଶୁଥିଲା।