ରାଧାକାନ୍ତ ଜଣାଣ: ଚନ୍ଦ୍ରଚୂଡାମଣି ହରିଚନ୍ଦନ ଜଗଦ୍ଦେବ
ଯୁଗେ ଯୁଗେ ଓଡିଶାର ଲୋକମାନେ ଭକ୍ତି ଓ ଅଧ୍ୟାତ୍ମ ଭାବନାରେ ନିଜକୁ ଦୀକ୍ଷିତ କରି ଆସିଛନ୍ତି। ସେଥିରୁ ରାଜାରାଜୁଡାମାନେ ମଧ୍ୟ ବାଦ୍ ଯାଇନାହାନ୍ତି। ଓଡିଆ ସାହିତ୍ୟ କ୍ଷେତ୍ରରେ ନିଜକୁ ପ୍ରତିଷ୍ଠିତ କରିଥିବା ରାଜାମାନଙ୍କ ମଧ୍ୟରେ ସୁରଙ୍ଗୀ(ବର୍ତ୍ତମାନ ଆନ୍ଧ୍ରପ୍ରଦେଶସ୍ଥ ଶ୍ରୀକାକୁଲମ୍ ଜିଲ୍ଲା ଅନ୍ତର୍ଗତ) ରାଜ୍ୟର ରାଜା ଚନ୍ଦ୍ରଚୂଡାମଣି ହରିଚନ୍ଦନ ଜଗଦ୍ଦେବ ଥିଲେ ଅନ୍ୟତମ। ବିଂଶ ଶତାବ୍ଦୀର ଆଦ୍ୟଭାଗରେ ସେ ବହୁ କାବ୍ୟକବିତା ପୁସ୍ତକ ରଚନା କରି ଓଡିଆ ବାଣୀଭଣ୍ଡାରକୁ ସମୃଦ୍ଧ କରିଥିଲେ। ସେଗୁଡିକ ମଧ୍ୟରେ ‘ଅର୍ଦ୍ଧାଙ୍ଗ ପକ୍ଷୀ’, ‘ଆଶାସ୍ବପ୍ନ’, ‘ଅଶ୍ରୁଧାରା’, ‘ଭାତୃ ନିବେଦନ’, ‘ବିଶ୍ବନାଥ ଜଣାଣ, ‘ଦଶ ମହାବିଦ୍ୟା’, ‘ମାଳଶ୍ରୀ, ‘କୁରାସିନୀ ଜଣାଣ, ‘ମନଜ୍ଞାନ ଚମ୍ପୂ, ‘ମଣିମାଳା’, ‘ପ୍ରାର୍ଥନାବଳୀ’, ‘ପୁରୀକ୍ଷେତ୍ର’, ‘ତପୋବନ’, ‘ଭ୍ରମର ଚଉତିଶା’ ଓ ‘ରାଧାକାନ୍ତ ଜଣାଣ’ ଅନ୍ୟତମ।
ପ୍ରାଚୀନ ଓଡିଆ ସାହିତ୍ୟରେ ‘ଜଣାଣ’ ଭକ୍ତି କବିତାର ଏକ ବିଶିଷ୍ଟ ବିଭାବ। ଏଥିରେ ଭଗବାନଙ୍କ ନିକଟରେ ଭକ୍ତକବିର ଆକୁତି, ଅଭିଳାଷ ଓ ଲାଳସା ପ୍ରକାଶ ପାଇଥାଏ। “ରାଧାକାନ୍ତ ଜଣାଣ” ବହିଟି ସୁରଙ୍ଗୀ ରାଜା ଶ୍ରୀ ଚନ୍ଦ୍ରଚୂଡାମଣି ଜଗଦ୍ଦେବଙ୍କ ଦ୍ବାରା ରଚିତ ଓ କଟକ ସି.ପି.କୋ. ଲିମିଟେଡ୍ ତରଫରୁ ୧୯୦୩ ମସିହାରେ ପ୍ରକାଶିତ। ମାତ୍ର ୧୬ ପୃଷ୍ଠା ବିଶିଷ୍ଟ ଏହି ଚଟିବହିରେ ଚଉତିଶା ରୀତିରେ କବି ‘କ’ ଠାରୁ ‘କ୍ଷ’ ଆଦ୍ୟକ୍ଷରକୁ ନେଇ ୩୪ ଟି ପଦରେ ରାଧାକାନ୍ତଙ୍କୁ ନିଜ ଦୁଃଖ ଜଣାଇଛନ୍ତି। ଏହା କାମୋଦି ରାଗରେ ରଚିତ।
ରାଧାକାନ୍ତ ବା ଭଗବାନ ବିଷ୍ଣୁ ହେଉଛନ୍ତି ସଚରାଚର ଜଗତର ପ୍ରାଣକର୍ତ୍ତା ଓ ତ୍ରାଣକର୍ତ୍ତା। କୁମ୍ଭୀର କବଳରୁ ହାତୀର ଦୁଖ ଦୂର କରିଥିବା ବିଷ୍ଣୁକୁ କବି ନିଜ ଦୁଃଖ ଦୂର କରିବା ନିମନ୍ତେ କରୁଣା ଭିକ୍ଷା କରିଛନ୍ତି। ଏପରିକି କରୁଣା ନକଲେ ସେ ପ୍ରାଣ ବିସର୍ଜନ କରିବେ ବୋଲି କହିଛନ୍ତି। କବିଙ୍କ ଭାଷାରେ-
"କରୁଛି ଛାମୁରେ ଜଣାଣ, କରୁଣା ନକଲେ ତତକ୍ଷଣ
କ୍ଳେଶ ହୋଇଯାଏ ଟାଣ, କାଳ କବଳେ ପ୍ରାଣ
କରିଦେବିଟି ସମର୍ପଣ ହେ। ରାଧାକାନ୍ତ।"(୧)
ସଂସାରରେ ନିର୍ଦ୍ଦୋଷ ଲୋକମାନେ ହିଁ ବହୁ ଦୁଃଖକଷ୍ଟ ଭୋଗ କରିଥାନ୍ତି। ଚୋରମାନଙ୍କ ପାଖରେ ଧନ ରହିଲେ ଯେଭଳି ମନ ଅଥୟ ହୁଏ, ସେହିପରି ଏ ସଂସାରରେ ଦୁଷ୍ଟ ଲୋକମାନଙ୍କ ଗହଣରେ ରହି ମନ ଅଥୟ ହେଉଛି, ଜୀବନ ସଢିଯାଉଛି। ଏଥିପାଇ କବି ନିଜକୁ ନିରୁପାୟ ମନେ କରିଛନ୍ତି। ସେ କାହିକି ଏତେ ଦୁଃଖ ଭୋଗ କରୁଛନ୍ତି ଓ ଏହାର କାରଣ କଣ ବୋଲି ପ୍ରଶ୍ନ ପଚାରିଛନ୍ତି। ଏତେ ଦୁଃଖକଷ୍ଟ ଆଉ ସହ୍ୟ କରିପାରିବେ ନାହି। କେଉଁ ମୁହୂର୍ତ୍ତରେ ଜୀବନ ଚାଲିଯିବ ଜଣାପଡୁ ନାହିଁ। ପୋଖରୀରେ ପାଣି ଶୁଖିଗଲା ପରେ ମାଛର ଅବସ୍ଥା ଯେଭଳି ହୁଏ, କବିଙ୍କ ଅବସ୍ଥା ମଧ୍ୟ ସେଭଳି ହୋଇଛି। ଭଗବାନଙ୍କ ନାମକୁ ଯେତେ ସ୍ମରଣ କଲେ ମଧ୍ୟ ତାଙ୍କ ମନରେ ଶାନ୍ତି ଆସୁନାହିଁ। ଜୀବନରେ କଫ, ବାତ ଆଦି ରୋଗ ମେଘ ଭଳି ମାଡି ଆସୁଛି। କବିଙ୍କ ଭାଷାରେ-
"ଘଡିଘଡିକେ ମନ, ହେଉଛି ବନହୀନ ତଡାଗର ମୀନ ପ୍ରକାର,
ଘୋଷିଘୋଷି ତୁମ୍ଭର ନାମକୁ ନିରନ୍ତର କିମ୍ପା ନହୁଏ ଶାନ୍ତି ଆର ହେ,
ଘେନିଲେ ବାରେ ସିନା ହେବ, ଘେନାଇ କେ କହିପାରିବ
ଘନ ପରାୟେ ଘୋଟି, କଫ ବାତାଦି ତୋଟି ରୁଦ୍ଧିଲେଣି ନେବାକୁ ଜୀବ ହେ, ରାଧାକାନ୍ତ।" (୪)
କବି କହିଛନ୍ତି, ହେ ରାଧାକାନ୍ତ, ନିରକ୍ଷ ରକ୍ଷକ ହରି, ମୋତେ ଆଉ ନିରାଶ କର ନାହିଁ। ପ୍ରତ୍ୟେକ ଦିନ ଦୁଃଖ ଯାତନା ସହ୍ୟ କରି କରି ମୁଁ ଆଉ ନିଜକୁ ଆୟତ୍ତରେ ରଖି ପାରୁ ନାହିଁ। ପ୍ରତ୍ୟେକ ମୁହୂର୍ତ୍ତ ଚିନ୍ତା କରୁଛି। କିଭଳି ତମର ଚରଣଧୌତ ପାନ କରିବି, ସେଥିପାଇଁ ମନ ଅଥୟ ହୋଇଯାଉଛି। ଚନ୍ଦ୍ରକୁ ଆଶା କରି ଶଶାର ଅବସ୍ଥା ଯେଭଳି ହୋଇଛି, ମୋ ଅବସ୍ଥା ସେମିତି ହେବାକୁ ଯାଉଛି। ଆପଣ ନରଭାବ ଆଚରଣ କରି ସମସ୍ତଙ୍କୁ ପାପ ଡୋରରେ ଛନ୍ଦି ଦେଇଛନ୍ତି। ସେଥିରେ ମୁଁ ବି ଛନ୍ଦି ହୋଇଯାଇଛି। ତେଣୁ ସେହି ବନ୍ଧନରୁ ମୁକ୍ତି କରିବା ପାଇଁ ସେ ନିବେଦନ କରି କହିଛନ୍ତି,
"ଛନ୍ଦି ପକାଇ ପାପଡୋର, ଛଟପଟ କରୁଛି ଘୋର
ଛଟକେ ପେଶି ଅରି, ଛିନ୍ନବିଛିନ୍ନ କରି
ଛିଣ୍ଡାଇ ନାଶ ତାପ ଖର ହେ, ରାଧାକାନ୍ତ।"(୭)
ଜୀବନ ସରି ଆସିବା ବେଳକୁ କବି କେବଳ ଝୁରି ଝୁରି ମରିବାକୁ ଇଚ୍ଛା କରିଛନ୍ତି। ଦୁଃଖର ଝଡଝଞ୍ଜାରେ ତାଙ୍କର ଜୀବନ ବୃକ୍ଷ ଦୋହଲି ଗଲାଣି। ତେଣୁ ସେ କଛିଛନ୍ତି, “ଆପଣ ରାଧାଙ୍କ ମନକୁ ହରଣ କରିଛନ୍ତି। ସାଧୁଲୋକମାନଙ୍କୁ ମନୋରଞ୍ଜନ କରିଛନ୍ତି। ଆପଣଙ୍କୁ ଭଜନ କରି କେହି ଛୋଟ ଲୋକ ହୋଇ ନାହିଁ। ଠାକୁର ହୋଇ ଯଦି ଆପଣ ଠକପଣ ଆପଣେଇବେ, ତେବେ ଲୋକମାନେ ହସିବେ।” କବିଙ୍କ ଭାଷାରେ,
"ଠାକୁର ହୋଇକରି, ଯେବେ ଜୀବନେ ଏପରି
ଠକପଣକୁ ଆଚରିବ,
ଠୁଳ ହୋଇଣ ନରେ ଚେଳ ଦେଇ ମୁଖରେ
ହାସେ ଉଛୁଳାଇବେ ଭବେ ହେ,
ଠିକ କରି କହୁଛି ଆଣ୍ଟେ ଠାବ ଦେବଟି ବଇକୁଣ୍ଠେ
ଠକିନଦେଇ ଦେବ, ସମୟ ଦେବ ତବ ନାମ ସ୍ମରାଇବଟି କଣ୍ଠେ ହେ, ରାଧାକାନ୍ତ।"(୧୨)
ସମଗ୍ର ଜଣାଣଟି ୩୪ଟି ପଦରେ ଚଉତିଶା ରୀତିରେ ରଚିତ। ଏହାର ଭାଷା ସରଳ ଓ ସୁବୋଧ୍ୟ। ସାଧାରଣତଃ ଭଜନ, ଜଣାଣ ଆଦି ଭକ୍ତି ସଂଗୀତରେ ସରଳ ପ୍ରକାଶ ଭଙ୍ଗୀ ସହ ଅଳଙ୍କାରର ପ୍ରୟୋଗ ନଥିଲା ବେଳେ ଏହି ଜଣାଣରେ ଏହାର ବ୍ୟତିକ୍ରମ ଘଟିଛି। ମଧ୍ୟଯୁଗୀୟ କାବ୍ୟକବିତାର ପ୍ରଭାବରେ ଏହାର ପ୍ରତ୍ୟେକ ପଦରେ କିଛି ନା କିଛି ଉପମା ଓ ଅଳଙ୍କାରର ପ୍ରୟୋଗ ପରିଲକ୍ଷିତ ହୁଏ। ଏଥିରେ ଯମକ ଅଳଙ୍କାର ବ୍ୟବହୃତ ହୋଇଥିବା ଗୋଟିଏ ପଙ୍କ୍ତି ହେଲା,
"ସାରଙ୍ଗ ଅରିଧାରି, ସାରଙ୍ଗେ ମତେ ଭରି
ଅରି ଆଛନ୍ନ କରି ରଖ,
ସାରଙ୍ଗ ହୋଇ ମୁହିଁ, ସାରଙ୍ଗ ପଦ ଦୁଇ
ଚୁମ୍ବୁ ଯେ ଥିବି ପାଇ ସୁଖ ହେ,
ସାରଙ୍ଗ ଜଳରେ ଯେସନ ସାରଙ୍ଗର ମନ ତେସନ
ସାରଙ୍ଗାସନ ସୁରେ, ସାରଙ୍ଗ ସାରଙ୍ଗରେ
ସେବିକା ପଦେ ମୋର ମନ ହେ, ରାଧାକାନ୍ତ।" (୩୦)
ସମଗ୍ର ବହିଟିକୁ ଲକ୍ଷ୍ୟକଲେ ଜଣାଯାଏ, ଏହା ମାତ୍ର ଗୋଟିଏ ଜଣାଣ, ଯେଉଁଠି କବି ହୃଦୟର ସମର୍ପିତ ଭାବନା ରୂପାୟିତ। କବି ଥିଲେ ଜଣେ ବିଷ୍ଣୁ ଭକ୍ତ। ସଂସାରରେ ଯେତେ ସବୁ ଦୁଃଖ ଯାତନାଠୁ ମୁକ୍ତ ହୋଇ ସେ ବିଷ୍ଣୁଙ୍କ ଶରଣାପନ୍ନ ହେବାକୁ ଚାହିଁଛନ୍ତି। ତାଙ୍କ ସରଳ ପ୍ରାଣର ନିର୍ମଳ ଭାବନା ଚାତୁର୍ଯ୍ୟପୂର୍ଣ୍ଣ ଶବ୍ଦ ବିନ୍ୟାସରେ ମହନୀୟ ହୋଇପାରିଛି। ଅତଏବ ବହିଟି ଛୋଟ ହେଲେ ମଧ୍ୟ ଏଥିରେ ଥିବା ଆଧ୍ୟାତ୍ମ ଭାବ ସମସ୍ତଙ୍କୁ ଆକୃଷ୍ଟ କରିବା ସହ ପ୍ରାଚୀନ ଓଡିଆ ଭକ୍ତି ସାହିତ୍ୟ ପରମ୍ପରାକୁ ବହନ କରିବାରେ ସମର୍ଥ ହୋଇପାରିଛି।