ମାଆର ତ କେବେ ହେଲେ ମରଣ ନାହିଁ

ଆଇଜାକ୍ ବାସେଭିସ୍ ସିଙ୍ଗର ଜଣେ ପ୍ରସିଦ୍ଧ ପୋଲିସ୍-ଆମେରିକୀୟ କଥାଶିଳ୍ପୀ।ସାହିତ୍ୟ ପାଇଁ ସେ ସର୍ବୋଚ୍ଚ ସମ୍ମାନ ନୋବେଲ ପୁରସ୍କାର ରେ ସମ୍ମାନିତ ହୋଇଛନ୍ତି ୧୯୭୮ ମସିହାରେ।ସେ ଯେଉଁ ଭାଷାରେ ଲେଖାଲେଖି କରନ୍ତି ତାହାକୁ ୟିଡିସ୍ ବୋଲି କୁହାଯାଏ।ଅନେକଙ୍କ ଧାରଣା ୟିଡିସ୍ ଏକ ମୁମୂର୍ଷୁ ଭାଷା।

ନୋବେଲ ପୁରସ୍କାର ଗ୍ରହଣ ସମୟରେ ନିଜ ଭାଷା ସଂପର୍କରେ ନିମ୍ନଲିଖିତ ବକ୍ତବ୍ୟ ପ୍ରଦାନ କରିଥିଲେ ସିଙ୍ଗର୍।

ସେ କହିଥିଲେ :

“କେହିକେହି ଅଧିକାଂଶ ସମୟରେ ଏମିତି ଗୋଟିଏ ମୃତ ଭାଷାରେ କାହିଁକି ଲେଖାଲେଖି କରୁଛ ବୋଲି ମୋତେ ପଚାରିଥାନ୍ତି।ମୁଁ ସଂକ୍ଷିପ୍ତରେ ଆଉ ସରଳରେ ସେମାନଙ୍କୁ ଏହି କଥାକୁ ବୁଝାଇଥାଏ।

ପ୍ରଥମରେ,ମୁଁ ଭୂତଗପ ଲେଖିବାକୁ ଭାରି ଭଲ ପାଏ ଆଉ ଭୂତଗପ ପାଇଁ ଶ୍ରେଷ୍ଠ ଜୋଡିଦାର ତ ଗୋଟିଏ ମରଣଶୀଳ ଭାଷା,ଆପଣ ଜାଣନ୍ତି।ଭାଷାଟି ଯେତିକି ଯେତିକି ମରଣଆଡକୁ ଆଗେଇଯାଉଥିବ ଆମ ଭୂତର ଦିହ ସେତିକି ସେତିକି ସବଳ ହେଉଥିବ।ଭୂତ ମାନେ ୟିଡିସ୍ ଭାଷାକୁ ଭାରି ଭଲ ପାଆନ୍ତି ଆଉ ମୁଁ ଯେତିକି ଜାଣେ ସେମାନେ ସବୁ ସେଇ ଭାଷାରେ ହିଁ କଥାବାର୍ତ୍ତା କରୁଥାନ୍ତି।

ଦ୍ୱିତୀୟରେ,ମୁଁ ଖାଲି ଭୂତରେ ନୁହଁ ପୁନର୍ଜନ୍ମରେ ବି ବିଶ୍ୱାସ କରେ।ମୁଁ ନିଶ୍ଚିତ ଯେ ଦିନେ ଏକଦା ଶତସହସ୍ର ୟିଡିସ୍ ଭାଷାରେ କଥାକହୁଥିବା ଶବମାନେ ନିଜନିଜ କବରରୁ ଉଠିଆସିବେ ଆଉ ସେଇଠୁ ଉଠିଆସିବା ପରେ ତାଙ୍କର ପ୍ରଥମ ପ୍ରଶ୍ନ ହେବ , ୟିଡିସ୍ ରେ ପଢିବାପାଇଁ ନୂଆ କ’ଣ ବହି ବାହାରିଛି ?ସେମାନଙ୍କ ପାଇଁ ୟିଡିସ୍ ଭାଷାର ମରଣ ନାହିଁ।

ତୃତୀୟରେ,ଗତ ୨୦୦୦ ବର୍ଷ ଧରି ହିବ୍ରୁ ଭାଷାକୁ ଏକ ମୃତ ଭାଷା ବୋଲି କୁହାଯାଉଥିଲା।ହଠାତ୍ ଏଇ ଭାଷାଟି ଢେର୍ ସକ୍ରୀୟ ହୋଇ ଉଠିଲା।ହିବ୍ରୁର କ୍ଷେତ୍ରରେ ଯାହା ହୋଇଛି ୟିଡିସ୍ କ୍ଷେତ୍ରରେ ସେମିତି ଦିନେ ହେବ ବୋଲି ମୋର ଧାରଣା।(ଯଦିଓ ଏହି ପ୍ରକାର ଅଲୌକିକତା ଟି କ’ଣ ଓ ତାହା କେମିତି ଘଟିଗଲା ତାହା ବିଷୟରେ ମୋର ସାମାନ୍ୟତମ ଧାରଣା ନାହିଁ।)

ଏହା ସହିତ ୟିଡିସ୍ ଭାଷାକୁ ପରିତ୍ୟାଗ ନକରିବା ପଛରେ ଗୋଟିଏ ଚତୁର୍ଥ ଆଉ ଗୌଣ କାରଣ ରହିଛି।ସେଇଟି ହେଉଛି ଏଇଟି ଗୋଟିଏ ବୋଲି ଭାଷା ଯାହାକୁ ମୁଁ ଭଲଭାବରେ ଜାଣିଛି।ୟିଡିସ୍ ମୋର ମାଆର ଭାଷା ଆଉ ମାଆର ତ କେବେହେଲେ ମରଣ ନାହିଁ।”

ମାଆର ତ କେବେହେଲେ ମରଣ ନାହିଁ।

ବଂଧୁଗଣ ଏଇ ଉପରର ଧାଡିଟିକୁ ଅନୁବାଦ କଲାବେଳେ ଜାଣେନାହିଁ କାହିଁକି ଉପସ୍ଥିତ ଲେଖକର ଆଖି ଦୁଇଟି ଛଳଛଳ ହୋଇଗଲା। ଆଇଜାକ୍ ବାସେଭିସ୍ ସିଙ୍ଗର ଯେଉଁଟି ଚତୁର୍ଥ ଓ ଗୌଣକାରଣ ବୋଲି କହିଛନ୍ତି ସେଇଟି ହିଁ ଆମ ଭଳି କିଛି ସାଧାରଣ ଲୋକଙ୍କ ମାଆକୋଳରେ ରହି ଚିର ବଳବାନ ସାଜିବାଭଳି ଏକମାତ୍ର ପାରିବାପଣ।ଆମେ ଭୁଲ୍ କରୁ ଠିକ୍ କରୁ ସେହି ନିରାପଦ ଆଶ୍ରୟରେ ରହି ଆମେ ଆମ ଭାଷାକୁ ନେଇ ଯାହାଯାହା କରୁ ତାହା ହିଁ ଯଥେଷ୍ଟ।

ୟିଡିସ୍ ଜାଗାରେ ଓଡିଆକୁ ଥୋଇ ପୂରା ଲେଖାଟିକୁ ପଢିବାକୁ ଅନୁରୋଧ।

Isaac Bashevis Singer receives the Nobel Prize in Literature from Swedish king Carl XVI Gustaf in Stockholm Concert Hall, October 1978

ଆନ୍ତର୍ଜାତିକ ମାତୃଭାଷା ଦିବସକୁ ଏମିତି ଗୋଟିଏ ଦୃଷ୍ଟିରେ ଦେଖିବାକୁ ଗଲାବେଳେ ଉପସ୍ଥିତ ଲେଖକ ନିଜର ଭାଷା ଭାବନାଟିକୁ ନିଜପାଖରେ ନିଶ୍ଚୟ ଏମିତି ରଖିବ, ଠିକ୍ ଆଇଜାକ ବାସେଭିସ୍ ସିଙ୍ଗର ଙ୍କ ଭଳି,
ମୋ ମାଆ କୋଳରେ ମୁଁ ସବୁଠୁ ବଳଶାଳୀ,ପାରିବାର ପୁଅ। କାରଣ ମୋ ଭାଷା ମୋ ମାଆ ପରି ମୋର ସମସ୍ତେ ନିପାରିଲା ପଣକୁ ଅତି ସହଜରେ ଘୋଡାଇ ରଖିବ ଯେ !

କାମନା କରୁଛି ମାଆର ଅନ୍ୟ ସମସ୍ତ ସନ୍ତାନମାନେ ଅଧିକରୁ ଅଧିକ ବଳଶାଳୀ ହୁଅନ୍ତୁ। ଭାଷାନ୍ତରରେ ବିଶ୍ୱନନ୍ଦିତ ହେବାର ସମସ୍ତ ଶିରୋପା ଯଦି ସେମାନେ ଅର୍ଜନ କରୁଛନ୍ତି ତାହାଲେ ଆମପାଇଁ ତାହା ଅତ୍ୟନ୍ତ ଆନନ୍ଦର କଥା। ଅନେକଙ୍କର ଯେପରି ମଞ୍ଚ ଆରୋହଣ କରିବା ଭଳି ତିଳାର୍ଦ୍ଧ ଅଭିଳାଷ ନଥାଏ ଠିକ୍ ସେହିଭଳି ଉପସ୍ଥିତ ଲେଖକ ତଳେ ରହି ସମସ୍ତ ମଞ୍ଚପରକ ଦୃଶ୍ୟରେ ସର୍ବଦା ଆହ୍ଲାଦିତ ହେଉଥିବ।

ଉପସ୍ଥିତ ଲେଖକ କହିବା ବାହୁଲ୍ୟ ଆଇଜାକ୍ ବାସେଭିସ୍ ସିଙ୍ଗର୍ ଙ୍କର ଦ୍ୱାରା ବିଶେଷ ଭାବରେ ପ୍ରଭାବିତ।

କିନ୍ତୁ ଯେତେ ପ୍ରଭାବିତ ହେଲେ କ’ଣ ହେବ ?ମୁଣ୍ଡରେ ଆସ୍ଥାନ ଜମେଇ ବସିଥିବା ଚରିତ୍ରମାନ ତଳକୁ ଓହ୍ଲାଇଲେ ତ ! ସେମାନେ ତାଙ୍କର ପାଦ କାଳେ ମଇଳା ହୋଇଯିବ ବୋଲି ତଳକୁ ଓହ୍ଲାଇବାପାଇଁ ସବୁବେଳେ ଏତେ କୁନ୍ଥୁକୁନ୍ଥୁ ହେଉଛନ୍ତି ଯେ,ଅପେକ୍ଷା କରିବା ଛଡା ଆଉ କ’ଣ କରାଯାଇପାରେ ।

ସେଇସବୁ ନାରାଜ ଚରିତ୍ରମାନେ ଅର୍ଥାତ୍ ଭୂତମାନଙ୍କର କଥା ତ ଏଠାରେ କୁହାଯାଉଛି।

ବିଶ୍ୱାସ ଅଛି କେତେବେଳେ ସେଇ ଭୂତମାନେ ତଳକୁ ଆସି ହଠାତ୍ ଚମକାଇଦେବା ଭଳି ବଡପାଟିରେ କାନପାଖରେ କହିବେ,କୁଃ.. ..।

About Jyoti Nanda

Jyoti Nanda is a writer, translator based in Bhubaneswar.

View all posts by Jyoti Nanda →

Leave a Reply

Your email address will not be published. Required fields are marked *