ସେ ବାରମ୍ବାର ବନ୍ଦ କରିଦିଏ ନିଜକୁ ନିଜ ଭିତରେ!
ତା' ମନର ସାତ ତାଳ ଗଭୀରରେ,
କେଉଁ ଗୋଟେ କୋଣରେ
ଚୁପ୍ କିନି ବସିଯାଏ ଯେ ବସିଥାଏ ସେମିତି!
ଆଦୌ ହଲଚଲ ନ ହେଇ,
ବିଲକୁଲ ପାଟି ନ ଫିଟେଇ!
ବାହାରେ ଏଣେ ଝୁଲେଇ ଦେଇଥାଏ
ଗୋଟେ ତାଲା, ତା'-ମୋ' ଦୂରତାର!
ହେଲେ ମୁଁ ବି ଲାଗିଥାଏ ମୋ' ଜିଦ୍ ରେ!
ବାରମ୍ବାର ତା' ନାଁ ଧରି ଡାକୁଥାଏ,
ତା' ମନର ବନ୍ଦ କବାଟରେ କରାଘାତ କରୁଥାଏ!
କେତେ କାଳ ପରେ ସେ ନିରବତା ଭାଙ୍ଗି,
ତା'- ମୋ' ଭିତରର ଦୂରତାକୁ ଦୂରକୁ ଠେଲି,
ଉଠିଆସେ ଦରଜା ପାଖକୁ!
ହେଲେ ବି ପୂରା ଖୋଲି ନଥାଏ ଦରଜା।
ଦରଆଉଜା ଦରଜା ସେପାଖୁ ଉତ୍ତର ଫେରାଏ,
"ମୁଁ ଅଛି ତ ତୋ' ପାଖରେ ହିଁ!
ହେଇ ତ ହାତ ବଢ଼େଇ ଛୁଇଁ ପାରିବୁ ମୋତେ!
ଜଡେଇ ଧରି ପାରିବୁ ମୋତେ ତୋ' କଳ୍ପନାରେ!"
ମୁଁ କିନ୍ତୁ ଠିକ୍ ଠିକ୍ ବୁଝି କି ବି ବୁଝେନା ତାକୁ! କହେ,
"ଏମିତି ହେବନି।
ତୁ ପ୍ରଗଳ୍ଭ ନଦୀଟେ ହୋଇଯା'!
ବନ୍ଧବାଡ ଭାଙ୍ଗି କଳକଳ ହୋଇ ବୋହି ଆସେ
ମୋ' ଆଡ଼କୁ ଯେ,
ମୁଁ ସାଗର ପାଲଟି କୋଳେଇ ନେବି ତୋତେ!"
ସେ କିନ୍ତୁ ବୋହି ଆସୁ ଆସୁ ରୋକିଦିଏ ନିଜକୁ!
ପୁଣି ଥରେ ଅସରା ଚୁପ୍ ପଣକୁ
ବେଢେଇ ଦିଏ ନିଜ ଚାରିକଡ଼େ!
ମୁଁ ଏଣେ ଅପେକ୍ଷା କରିଥାଏ,
ତା' ନଦୀ ପାଲଟିବାକୁ!!!