ଉହୁଉହୁ, କୁହୁକୁହୁ

ଏଇ ସହର
ଆମକୁ ପ୍ରେମ କରିବା ଶିଖେଇଛି
ଏଠି ସବୁ ଝିଅ ପ୍ରଜାପତି
ପୁଅ ସବୁ ଫୁଲ
ଫୁଲ ପ୍ରଜାପତି ମଧ୍ୟେ
ଚାଲିଥାଏ ଯୁଦ୍ଧ l

କଳା ଧୂଆଁ ରେ ଛାଇଯାଇଥାଏ ଆକାଶ

ରଙ୍ଗଳତା
ପ୍ରଜାପତି ସାଜି
ପୁଲଗଛ ମୂଳେ ଢ଼ାଳୁଥାଏ ପାଣି
ପୁଲ କିନ୍ତୁ ବେହୋସ ଥାଏ କୋଉ ଶବ୍ଦ ଙ୍କ ମହୁଲି ନିଶାରେ l

ଆରତୀ
ନଳିନୀ
ଗୋଲାପ
ମଧୁଲିସା
ସାଜିଥିବେ ମଦଳସା

ଫୁଲ, ପ୍ରଜାପତି ଙ୍କ ଯୁଦ୍ଧ ଦେଖି
ବେଳାଭୂମି କି ସାଖି ରଖି
ଖେଦି ଆସୁଥାଏ ସମୁଦ୍ର
ବନ୍ଦ କରିବାକୁ ଯୁଦ୍ଧ

କିଏକିଏ ଦେଖୁଥିଲେ
ଭଙ୍ଗା ଚାଳଘରୁ ସୂର୍ଯ୍ୟାସ୍ତ
ଆଉ କିଏ ଭୂମିପୁତ୍ର ପାଇଁ
ଆଙ୍କୁଥିଲେ ଜଳଛବି
ଆଉ କିଏ “ଡେଙ୍ଗା ମଣିଷ “ପାଇଁ
ଗାଉଥିଲେ ଶୋକଗିତୀ

ଆଉ କେହି
ଦୁଃଖ କୁ ସମୁଦ୍ର ବାଲିରେ
ଆଙ୍କୁଆଙ୍କୁ, ଲିଭି ଯାଉଥିଲା
ଉତ୍ତାଳ ତରଙ୍ଗ ରେ
ଗାଉଥିଲେ ଭଙ୍ଗା ନାଆ ରେ
ଅତୀତ ର ଗୌରବ ଗାଥା l

ପୁଅମାନେ ସାଜୁଥିଲେ
ସାଧବ ପୁଅର ପ୍ରତିଶୃତି l

ସବୁ ଦୁଃଖକୁ ସମୁଦ୍ର ରେ ଉଝେଇ ଦେଇ, ମାଗୁଥିଲେ ସମୁଦ୍ରକୁ
“ଉଛୁଳାରୁ ଟିପେ
ରାତିର ନିଶବ୍ଦ ରୁ ଲବେ
ତୋ ଗୁମୁରା କାନ୍ଦରୁ ଧାପେ “l

ସେମାନଙ୍କ ଅଲକ୍ଷ ରେ ନିଜନିଜ ପାଇଁ ବେନାମୀ ପ୍ରେମପତ୍ର ର ଶବ୍ଦ ପୁଞ୍ଜ
ଯୋଉଥିରେ ଥିବ
ଧୋକାରୁ ଭଲ ପାଇବା
ଭଲ ପାଇବାରୁ ଧୋକା

କେତେବେଳେ ଉପସ୍ଥିତ ହେଇଥିବ
ସେମାନଙ୍କ ବିଗତଦିନ ର ଚଗଲା ସମୟ , ଏଇ ସହରରେ

ପର୍ଯ୍ୟଟକ ସାଜି କୋଉ ଛଟକରେ
କଲି ପାଖେ, କିଏ ନେସିଦେଇଥିବ
ସମୁଦ୍ର ଫେଣରୁ ମେଞ୍ଚେ

ଦେଖୁଥିବ
ଗଣୁଥିବ
ପିଇଁ, ପାଆଁ
ଗାଡି ମଟର ର ଶବ୍ଦ l

ସେଥିରୁ ମନ ଚହଲେଇ
ଚାଟିଙ୍ଗ କରୁଥିବ
ପ୍ରେମାନନ୍ଦ ଖଣ୍ଡୁଆଳ
କି
ରମେଶ ପତି
ଫୋନ ଡାଏଲ କରୁଥିବ
ରବିସ୍ୱାଇଁ ଙ୍କୁ
ନିଶବ୍ଦ ରାତିକୁ ଦେଖି
ଲେଖିବାକୁ
କବିତା କି ଗପ l

ସା /ପୋ :-ଗୁଲନଗର, କେନ୍ଦ୍ରାପଡ଼ା, ମୋବାଇଲ :-9090584130