ମୂଳ ଲେଖା: ସାଦେକ ହିଦାୟେତ || ଅନୁବାଦ: ଜ୍ୟୋତି ନନ୍ଦ
ଗଲାକାଲି ସେମାନେ ମୋ ରୁମ୍ ଅଲଗା କରିଦେଇଛନ୍ତି, ଆଚ୍ଛା ସଚିବ ଯେମିତି କଥା ଦେଇଥିଲେ ମୁଁ କ’ଣ ସତକୁ ସତ ଭଲ ହୋଇଯାଇଛି ଆଉ ଆର ସପ୍ତାହରେ ଛାଡ ପାଇଯିବି ? ମୁଁ କ’ଣ ଆଉ ଅସୁସ୍ଥ ନୁହଁ ? ବର୍ଷେ ହୋଇଗଲା, ଏଇ ପୁରା ସମୟ ଯେତେ କାକୁତି ମିନତି କରିଛି, କାଗଜକଲମ ଚାହିଁଲେ ସେମାନେ ଦିଅନ୍ତିନି ମୋତେ।ସବୁ ସମୟ ମନକୁମନ ଭାବିଛି ହାତକୁ କାଗଜକଲମ ଆସିଲେ କ’ଣ କ’ଣ ଆଗ ଲେଖିପକେଇବି। କିନ୍ତୁ ଗଲା କାଲି ଆଶ୍ଚର୍ଯ୍ୟ, ନଚାହୁଁଣୁ କାଗଜକଲମ ମୋ ପାଇଁ ହାଜର୍। ଏଇଥି ପାଇଁ କେତେ ନାହିଁ କେତେ ଅପେକ୍ଷା ନକରିଛି, କାମନା ନକରିଛି ! କିନ୍ତୁ କ’ଣ ଲାଭ ! କାଲିଠୁ ଯେତିକି ଭାବୁଛି ଲେଖିବାଭଳି କିଛି ହେଉନି। ମନେହେଉଛି କିଏ ଯେମିତି ମୋ ଲେଖିବା ହାତକୁ ଟାଣି ଧରିଛି ଅଥବା ମୋ ଡାହାଣ ବାହାଟି କେମିତି କେଜାଣି ଅବଶ ହୋଇ ଆସୁଛି। ଏବେ କାଗଜ ଉପରେ ଯେଉଁ ଅନାବନା ଗାରଗୁଡିକୁ ଟାଣି ସାରିଲିଣି ତାହାକୁ ଯଦି କିଏ ନିରେଖି ଦେଖିବ ତାହାଲେ ଯାହା ପଢିବ ତାହା ହେଉଛି, “ତିନି ବୁନ୍ଦା ରକ୍ତ”।
“ଆକାଶ ଗାଢ ନୀଳ, ଶାଗୁଆ ବଗିଚା ଆଉ ପାହାଡ ଉପରେ ଫୁଲ ଫୁଟିଅଛି, ହାଲୁକା ଶୀତଳ ପବନ ଫୁଲର ଗନ୍ଧକୁ ଏଯାଏଁ ବହି ଆଣିସାରିଲାଣି।କିନ୍ତୁ ସେଥିରେ କି ଲାଭ? ମୁଁ ଆଉ କେଉଁଥିରେ ଆନନ୍ଦ ଅନୁଭବ କରିପାରୁନାହିଁ, ଏସବୁ କବିମାନଙ୍କ ପାଇଁ ଆଉ ଶିଶୁମାନଙ୍କ ପାଇଁ। ଜୀବନର ଶେଷ ଯାଏଁ ଯିଏ ସବୁ ଶିଶୁ ହୋଇ ରହିଥାନ୍ତି, ଖୁବ୍ ଭଲ।ବର୍ଷେ ହେଲା ଏଇଠି ରହିଲିଣି ,ସବୁରାତିରେ ସକାଳ ହେବାଯାଏଁ କାନ୍ଦଣାର ଶବ୍ଦରେ ନିଦ ହୁଏନାହିଁ, ଭାରି ଭୟଙ୍କର ସେ କାନ୍ଦଣା, ସେହି କାନ୍ଦଣା ଯେମିତି ମୋର ପ୍ରାଣଭିତରକୁ ଛିନଛତ୍ର କରିଦେଉଛି। ସକାଳୁ ସକାଳୁ ଆଖି ଖୋଲିଲେ ଅକାର୍ଯ୍ୟକର ଇଞ୍ଜେକସନ୍ ! କି ଲଂବା ଲଂବା ରାତି ଆଉ ଭୟଙ୍କର ମୁହୂର୍ତ୍ତଗୁଡିକ ନ ବିତେଇଛି ଏଇଠି ! ଖରାଦିନେ ହଳଦିଆ ସାର୍ଟ ଆଉ ପାଇଜାମା ପିନ୍ଧି ମାଟି ତଳ ଘରେ ସମସ୍ତେ ଏକାଠି ହେଉ ଆଉ ଶୀତଦିନେ ବଗିଚାରେ ଖରା ପୋଉଁ ସମସ୍ତେ।ବର୍ଷେ ହେଲା ଏଇସବୁ ବିସ୍ମୟକର ଅଜବ ଲୋକଙ୍କ ସହ ରହୁଛି।ଆମ ମାନଙ୍କ ଭିତରେ କାହାର କିଛି ସାଧାରଣ ବୈଶିଷ୍ଟ୍ୟ ନାହିଁ। ସେମାନଙ୍କ ସହ କହିବାକୁ ଗଲେ ମୋର ଜମିନ ଆଉ ଆସମାନର ଫରକ। କିନ୍ତୁ ଏଇ ଲୋକମାନଙ୍କର ବିଳାପ, ନୀରବତା, ଗାଳିଗୁଲଜ, କାନ୍ଦଣା, ହସ ସବୁ ସମୟ ମୋ ନିଦରେ ଦୁଃସ୍ୱପ୍ନ ଭରି ଦିଏ।
Sadegh Hedayat (17 February 1903 – 9 April 1951)
ଏବେ ଆମକୁ ରାତିଖିଆ ଖାଇବାକୁ ଆହୁରି ଅଧଘଣ୍ଟେ ବାକି।ସେଇ ରୁଟିନ୍ ଖାଦ୍ୟ:ଖୁବ୍ ପତଳା ଖଟା ଦହି, ପାୟସ୍, ଭାତ, ରୁଟି-ପନିର୍, ତାହା ପୁଣି ଏତେ ଅଳ୍ପ ଯେ ଯାହାକୁ ଖାଇଲେ ତମର ନଖାଇ ମରଣ ଭଳି ମରଣ ହେବନାହିଁ। ଏମାନଙ୍କ ଭିତରେ ହାସନ ହିଁ ହେଉଛି ଆଶାଭରସା, କାରଣ ସେ ଅଛି ମାନେ ଅନ୍ତତଃ ଗୋଟିଏ ଅଣ୍ତାର ଘନ ସୁପ୍ ସହ ଚାରିଟା ରୁଟି ଖିଆ ଯାଇ ପାରେ। ତାହାର ଛୁଟିର ସମୟ ହେଲେ ଅବଶ୍ୟ ସେ ତା’ପାଇଁ କାଗଜକଲମ ବଦଳରେ ଅଣ୍ଡାର ବହଳ ସୁପ୍ ଡେକଚି ନେଇ ଆସିଥିବ। ଏଇଠେ ସେ ହେଉଛି ଏକମାତ୍ର ଭାଗ୍ୟବାନ ମଣିଷ।ଟିକିଏ ଗେଡା ପତଳା ଦେହ, ବୋକା ପରି ହସ, ବେକ ବେଶ୍ ମୋଟା, ଚନ୍ଦା ମୁଣ୍ଡ ଆଉ ହାତ ଦିଇଟା ଖୁବ୍ ଶିରାଳ।ଯେମିତି ଇଟା ବାଲିଆଦିକୁ ଟ୍ରଲିରେ ଟାଣିବା ପାଇଁ ତାହାର ସୃଷ୍ପି। ତାହାର ଶରୀରର ସବୁ ଅଙ୍ଗ ପ୍ରତ୍ୟଙ୍ଗ ଯେମିତି ରହିଛି ଏହାର ସାକ୍ଷୀ। ତାହାର ଏଇ ଚାହାଁଣୀର ବୋକାମୀ ଯେମିତି ଘୋଷଣା କରୁଛି, ସେ ଅସଲରେ ଇଟା-ବାଲି ଟାଣିବାକୁ ତିଆରି। ଯଦି ଦିପହର କି ରାତି ର ଖାଇବା ବେଳେ ମହମ୍ମଦ ସେଇଠେ ଠିଆ ହୋଇ ନ ରହନ୍ତା ତାହାହେଲେ ହାସାନ୍ ଆମ ସମସ୍ତଙ୍କୁ କେବେଠୁ ପଠାଇ ସାରନ୍ତାଣି ଖୋଦାର ନିକଟକୁ। କିନ୍ତୁ ମହମ୍ମଦ ଅଲି ଏଇ ପୃଥିବୀର ମଣିଷ ପରି ମଣିଷ ନୁହ। କାରଣ ଏଇଠେ ଯାହା କିଛି ଇଚ୍ଛା ହେବ ସେ କହିଦେଉଛି କିନ୍ତୁ ତାହା ଯେମିତି ଆଉ କେଉଁ ପୃଥିବୀର, ସାଧାରଣ ମଣିଷର ପୃଥିବୀ।ଖୋଦାଙ୍କ କୃପାରୁ ଜଣେ ଡାକ୍ତର ଏଇଠି ଅଛନ୍ତି ହେଲେ ତାଙ୍କର ମୁଣ୍ଡଟି ପୁରା ଫମ୍ପା।ଯଦି ତାଙ୍କ ଜାଗାରେ ମୁଁ ଥାଆନ୍ତି ତେବେ ଗୋଟିଏ ରାତିରେ ସମସ୍ତଙ୍କ ଖାଇବା ଥାଳୀରେ ବିଷ ଢାଳି ଦେଇଥାନ୍ତି।ତାହାପରଦିନ ସକାଳେ ବଗିଚାରେ ଅଣ୍ଟାରେ ହାତ ଦେଇ ଠିଆ ହୋଇ ଲାଶଗୁଡିକ ନିଆହେବାର ତାମସା ଦେଖନ୍ତି।ମୋତେ ଯେତେବେଳେ ପହିଲେ ଏଠିକି ଅଣାହେଲା ଭାବୁଥିଲି ମୋତେ ଆଉ ବିଷ ଖୁଆଇ ଦେବେନାହିଁ ତ! ଦିପହରରେ କି ରାତିରେ ଖାଇବା ଦେଲେ ଆଦୌ ଛୁଉଁ ନଥିଲି, ଯେତେବେଳ ଯାଏଁ ମହମ୍ମଦ ଅଲି ସେଥିରୁ ଚାମୁଚାଏ ନେଇ ନିଜେ ନଚାଖିଛି। ସେ ଖାଇଲା ପରେ ମୁଁ ଖାଉଥିଲି। ରାତିରେ ଭୟ ରେ ଥରିଥରି ନିଦ ଭାଙ୍ଗିଯାଏ।ମନେ ହୁଏ କିଏ ଯେମିତି ମତେ ମାରି ପକେଇଛି। ଏଗୁଡିକ ସବୁ କେମିତି ବହୁ ଦୂରରେ ନିଶ୍ଚିହ୍ନ ହୋଇ ଯାଇଛି।ସବୁବେଳେ ଗୋଟିଏ ପ୍ରକାର ଲୋକବାକ, ଗୋଟିଏ ପ୍ରକାରର ଖାଇବା , ସେଇ ଏକା ପ୍ରକାରର ନୀଳରଂଗର ଘର ଭାରି ଗାଢ।
ଦୁଇମାସ ତଳେ ଗୋଟିଏ ପାଗଳକୁ ସେଇ ଜେଲ୍ ଖାନାର ବାରଣ୍ଡା ରେ ଫୋପାଡି ଦିଆଯାଇଥିଲା।ଭଂଗା ଶିଳପଥରରେ ପେଟକୁ ଫଟାଯାଇଥିବାରୁ ସେଥିରୁ ଅନ୍ତଃନାଡି ଗୁଡିକବାହାରି ପଡିଥିଲା।ସେହିଗୁଡିକ ସହ ସେ ଖେଳୁଥିଲା।ଲୋକେ କହୁଥିଲେ ସେ କୁଆଡେ ଗୋଟେ କଂସେଇ,ତେଣୁ ତାହାର ପେଟକୁ ଫାଡିବାରେ ଅଭ୍ୟାସ ଅଛି। କିନ୍ତୁ ସେଇ ଆର ଜଣକ, ଯିଏ ନିଜହାତର ବଡବଡ ନଖରେ ଆଖି ଦେଖିଲେ ଓପାଡିପକାଏ ,ତାହାର ହାତଦୁଇଟିକୁ ପଛପଟେ ମୋଡି ବାନ୍ଧି ଦିଆଯାଇଥିଲା।ମୁଁ ଜାଣେ ଏମାନେ ସବୁ କେୟାରଟେକର୍ ର ପ୍ରତ୍ୟକ୍ଷ ନଜରଦାରିରେ ରହୁଥିଲେ।ଏଠିକାର ସବୁଲୋକ ଅବଶ୍ୟ ଏଇମିତି ନୁହଁନ୍ତି।ସେମାନଙ୍କ ଭିତରୁ ବେଶିଭାଗ ଚିକିତ୍ସା ପରେ ଛାଡ ପାଇଗଲେ ହତଭାଗା ହୋଇପଡିବେ ଜାଣ।ଯେମିତି ଝିଅମାନଙ୍କ ଭିତରେ ରହିଛି ଏଇ ଛୋଟ ସୁଲତାନା।ଦିତିନିଥର ପଳେଇବାକୁ ଚେଷ୍ଟା କରିଥିଲା, ଧରା ପଡିଛି। ବୁଢି ହେଲାଣି କିନ୍ତୁ ମୁଁହରେ କାନ୍ଥର ଚୂନ ମାଖେ ଆଉ ବତୀଦାନୀ ର ମାଟି ହେଉଛି ତାହାର ରୁଜ୍ ପାଉଡର। ନିଜକୁ ସବୁବେଳେ ସେ ମନେକରେ ଯେମିତି ଝିଅଟିଏ, ବୟସ ହେବ ଚଉଦ।ଯଦି ସୁସ୍ଥ ହେଲାପରେ ସେ ଆଇନା ଦେଖେ ନିରଘାତ୍ ହାର୍ଟଫେଲ୍ କରିବ। ସବୁଠୁ ଖରାପ ହେଉଛି ଖୋଦମାନ, ତାହାର ବିଶ୍ୱାସ ଥିଲା, ନାରୀମାନେ ହେଉଛନ୍ତି ପୁରୁଷର ଦୁର୍ଭାଗ୍ୟର କାରଣ ଏବଂ ପୃଥିବୀକୁ ଶୁଦ୍ଧ କରିବାକୁ ହେଲେ ଯେତେ ନାରୀ ଅଛନ୍ତି ସମସ୍ତଙ୍କୁ ହତ୍ୟା କରାଯିବା ଦରକାର, ସେ ପୃଥିବୀକୁ ଓଲଟପାଲଟ କରିଦେବା ପାଇଁ ତାହାର ଯଥା ସମ୍ଭବ ସହାୟତା ଦେବାକୁ ଚାହିଁବସିଥିଲା, ସେହି ଖୋଦମାନ ସାଜିଥିଲା ସେଇ ଛୋଟ ସୁଲତାନାର ପ୍ରେମିକ।
ଏମାନେ ସମସ୍ତେ ଥିଲେ ଆମର ସୁପରଭାଇଜର୍ ର ଅଧୀନରେ। ଏଇ ସବୁ ପାଗଳମାନଙ୍କର ହାତସବୁ ପଛମୋଡା ହୋଇ ବଂଧା,ସବୁବେଳେ ମୁଣ୍ଡଟି ସେମାନଙ୍କର ବଡ ଆଖି ଗୁଡିକ ଛୋଟ,ବଗିଚା ଭିତରେ ପାଇନଗଛର ତଳେ ମାତାଲ ମାନଙ୍କ ଭଳି ଟହଲ ମାରୁଥାନ୍ତି ସେମାନେ। ବେଳବେଳେ ପୁରା ତଳକୁ ନଇଁ ଗଛର ମୂଳକୁ କିଏ ଦେଖୁଥାଏ। ଯିଏ ତାକୁ ସେତେବେଳେ ଦେଖିବ କହୁଥିଲା,ନିରୁପଦ୍ରବ ଜଣେ ଅସହାୟ ମଣିଷ ଦଳେ ପାଗଳଙ୍କ କବଳରେ ପଡିଛି। କିନ୍ତୁ ମୁଁ ତାହାକୁ ଚିହ୍ନେ।ମୁଁ ଜାଣେ ସେ ଯେଉଁ ଗଛମୂଳକୁ ନଇଁପଡି ଦେଖୁଛି ସେଇଠି ତିନି ବିନ୍ଦୁ ରକ୍ତ ଝରିଯାଇ ଜାଗାଟି ଓଦା।ଝରକା ସାମନାରେ ଝୁଲାଇ ଦିଆ ହୋଇଛି ପଂଜୁରୀଟିଏ, ପଂଜୁରୀଟି ଶୂନ୍ୟ, ଯଦିଓ ବିରାଡିଟି କାନାରୀ ଭଳି ପକ୍ଷୀ ଧରିପାରେ ଅଥଚ ସେ ପଞ୍ଜୁରୀଟି ରଖିଛି ଯାହାଫଳରେ ବିରାଡି ତାହାର ଆଖପାଖକୁ ଆସିଲେ ସେ ତାହାକୁ ମାରିପାରିବ।
ଗତକାଲି ଗୋଟିଏ ଲାଲ ଆଉ ଧଳା ମିଶା ରଂଗର ବିରାଡି ପଛରେ ଗୋଡାଇଥିଲା,ଜୀବଟା ପାଇନ୍ ଗଛରୁ ତାହାର ଝରକାର ସାମନା ଦେଇ ଉଠିଗଲାବେଳକୁ ଗେଟ୍ ରେ ଥିବା ପ୍ରହରୀକୁ ଜୀବଟାକୁ ଗୁଳି କରିଦେବାକୁ କହେ।ଏଇ ତିନି ବିନ୍ଦୁ ରକ୍ତ ସେହି ବିରାଡିର; କିନ୍ତୁ ନିଜକୁ ପଚାରିଲେ ସେ କହେ ଏଗୁଡିକ ଲକ୍ଷ୍ମୀପେଚାର।
ଏହି ସବୁକିଛି ଠାରୁ ବିସ୍ମୟକର ହେଉଛି ମୋର ବଂଧୁ ଆଉ ପଡୋଶୀ ଆବ୍ବାସ୍।ତା’କୁ ଆଣିବାର ଦି ସପ୍ତାହ ବି ହେଇନି। ମୋ ସହ ସେ ଖୁବ୍ ଘନିଷ୍ଠ ହୋଇଯାଇଛି। ସେ ନିଜକୁ ନବି ଆଉ କବି ବୋଲି ମନେକରେ।କହେ ସବୁ କାମ ବିଶେଷକରି ନବୁୟତ (ନବୀତ୍ୱର ଶେଷ ହେବ ବୋଲି ଯାହା କୁହାଯାଏ) କହିବାକୁ ଗଲେ ଭାଗ୍ୟ ଆଉ ରାଶିଚକ୍ର ଉପରେ ନିର୍ଭରଶୀଳ।ଯାହାର ଭାଗ୍ୟ ସୁପ୍ରଶସ୍ତ ଯଦି ତାହାର ଭାଗ୍ୟରେ କିଛି ନଜୁଟିଲେବି ତାହାର କାମ ହୋଇଯାଏ।ଯଦି ତାହାପାଖରେ ଯୁଗର ଶ୍ରେଷ୍ଠ ଇଲମ ଥିଲେ ଆଉ ଭାଗ୍ୟ ନଥିଲେ ତେବେ ତାହାର ଦିନ ବରବାଦ୍।ଆବ୍ବାସ୍ ର ନିଜେ ଜଣେ ଅଭିଜ୍ଞ ବାଦକ ବୋଲି ଧାରଣା।ଗୋଟିଏ ତକ୍ତା ଉପରେ ତାର ଟାଣି ନିଜଖୁସିରେ ଗୋଟିଏ ଗୀଟାର୍ ତିଆରି କରିସାରିଛି ସେ।ଗୋଟିଏ କବିତା ବି ଲେଖିଛି,ଦିନେ ମୋତେ ଗାଇ କି ଶୁଣାଇଥିଲା।କହିଥିଲା,ଏଇ କବିତା ପାଇଁ ତାହାକୁ ଏଇଠିକୁ ଅଣା ଯାଇଛି।କବିତାଟା ଅପରିଚିତ ଏକ ସାହିତ୍ୟ ଢଙ୍ଗରେ ଲେଖା;
ପୁଣିଥରେ ଅବସାଦ ଆସେ ସଂଜବେଳା
ଆପାଦମସ୍ତକ ଧରଣୀର ହେଲା କଳା।
ସମସ୍ତ ସୃଷ୍ଟିର ଏବେ ବିଶ୍ରାମର ବେଳ
ମୋହର ଯନ୍ତ୍ରଣା କିନ୍ତୁ ପ୍ରବଳୁ ପ୍ରବଳ।
ଜଗତର ମହାନନ୍ଦ ହେବ ନାହିଁ ବୁଝେ
ମୃତ୍ୟୁ ବିନା ଦୁଃଖ ମୋର ନାହିଁ ଆନ ସାଜେ।
କିନ୍ତୁ ଏହି କୋଣେ ଦେଖ ପାଇନ ତଳରେ
ହୋଇଛି ନିଷିକ୍ତ, ତିନିବିନ୍ଦୁ ରକ୍ତ ଝରେ।
ଗତକାଲି ବଗିଚାରେ ବୁଲୁଥିଲି। ଆବ୍ବାସ ସେହି କବିତାଟିକୁ ପଢୁଥିଲା, ଜଣେ ମହିଳା, ଜଣେ ପୁରୁଷ ଆଉ ଜଣେ ତରୁଣୀ ତାହାକୁ ଦେଖିବାକୁ ଆସିଥିଲେ। ସେମାନେ ଏଯାଏଁ ପାଂଚଥର ଆସିଲେଣି।ମୁଁ ସେମାନଙ୍କୁ ଦେଖିଥିଲି, ଚିହ୍ନିଛି। ତରୁଣୀ ଜଣକ ହାତରେ ଧରିଛି ଫୁଲତୋଡାଟିଏ।ଝିଅଟି ମୋତେ ଲକ୍ଷ୍ୟକରି ହସୁଥିଲା,ଲାଗୁଥିଲା ସେ ମୋତେ ଖୁବ୍ ପସନ୍ଦ କରେ। ମୂଳତଃ ସେ ମୋ ପ୍ରତି ଆଗ୍ରହରୁ ଏଇଠି,ମୁହଁ ସାରା ବସନ୍ତର ଦାଗ ରେ ଭର୍ତ୍ତି ଆବ୍ବାସ ର ଚେହେରା ତ ଏତେ ସୁନ୍ଦର ନୁହଁ।କିନ୍ତୁ ମହିଳା ଜଣକ ଯେତେବେଳେ ଡାକ୍ତରଙ୍କ ସହ କଥା ହେଉଥିଲେ ସେତେବେଳେ ମୁଁ ଦେଖିଛି ଏଇ ଆବ୍ବାସ ତରୁଣୀକୁ ଗୋଟିଏ ପଟକୁ ଭିଡିନେଇ ଚୁମା ଦେଉଥିଲା। ବର୍ଷେ ହେଲା ଏଯାଏଁ ମୋତେ କିଏ ଦେଖିବାକୁ ଆସିନି କି ମୋ ପାଇଁ କେହି ଫୁଲତୋଡା ଆଣିନାହିଁ। ଶେଷଥର ସିୟାଉଶ୍ ମୋତେ ଦେଖିବାକୁ ଆସିଥିଲା। ସିୟାଉସ୍ ମୋର ସବୁଠୁ ବଡ ବଂଧୁ।ଆମେ ପଡୋଶୀ ଥିଲୁ।ପ୍ରତିଦିନ ଦିଜଣଯାକ ଦାରୁଲ୍ ଫୁନୁନ୍(ଦାରୁଲ୍ ଫୁନୁନ୍ ହେଉଛି ଇରାନ୍ ର ସର୍ବପ୍ରଥମ ପଲିଟେକନିକାଲ୍ ସ୍କୁଲ) କୁ ଯାଉଥିଲୁ ଆଉ ଏକାଠି ଫେରିଆସୁଥିଲୁ। ଦିଜଣ ଏକାଠି ପାଠ ପଚରାପଚରି ହେଉଥିଲୁ ଆଉ ଅବସର ସମୟରେ ସିୟାଉସ୍ ମୋତେ ଗୀଟାର୍ ଶିଖାଇଦେଉଥିଲା। ସିୟାଉସ୍ ର ଚାଚାର ଝିଅ ରୋଖସାର, ସେ ଥିଲା ମୋର ବାଗଦତ୍ତା, ପ୍ରାୟତଃ ଆମର ଆଡ୍ଡାରେ ଆସି ଯୋଗଦେଉଥିଲା ସେ। ସିୟାଉସ୍ ମନେମନେ ରୋଖସାର ର ଭଉଣୀକୁ କାମନା କରୁଥିଲା, ଘଟଣାକ୍ରମରେ ମାସେ ଆଗରୁ ତାହାର ବିବାହ ହୋଇଯାଇଥିବାରୁ ମନରେ ଭାରି କଷ୍ଟ ପାଇଥିଲା ସିୟାଉସ୍।ମୁଁ ଦୁଇତିନିଥର ତାହାର ଖୋଜଖବର ନେବାକୁ ଯାଇଥିଲି।ମୋତେ କୁହାହେଉଥିଲା ତା’ସହ କଥାବାର୍ତ୍ତା କରିବାକୁ ହକିମ୍(ବୈଦ୍ୟ)ମନା କରିଛି।ଯେତେ ବାଧ୍ୟ କଲେ ସେହି ସମାନ ଉତ୍ତର।ଆଉ କାହିଁକି ସେମାନଙ୍କୁ ଏତେ ଅନୁରୋଧ କରିବି।
ମୋର ଠିକ୍ ମନେ ଅଛି,ଆଗରେ ପରୀକ୍ଷା ଥିଲା। ଦିନେସଂଧ୍ୟାରେ ଘରକୁ ଫେରି ବହିପତ୍ର କୁ ଟେବୁଲ୍ ଉପରେ ଫୋପାଡି ସାର୍ଟପ୍ୟାଣ୍ଟ ବଦଳାଇବାକୁ ବସିଛି ଠିକ୍ ସେତିକି ବେଳେ ଗୋଟିଏ ଗୁଳି ଫୁଟିବାର ଆବାଜ ଶୁଭିଲା। ଆବାଜଟା ଏତେ ପାଖରୁ ଯେ ମୁଁ ପୁରା ଡରିଗଲି। କାରଣ ଆମ ଘରଟା ଟିକିଏ ଖାଲୁଆ ଅଞ୍ଚଳରେ ଥିଲା ଆଉ ଆମେ ଶୁଣୁଥିଲୁ ପାଖାପାଖି କୁଆଡେ ଚୋରମାନେ ରହିଛନ୍ତି। ଟେବୁଲର ଡ୍ରୟର୍ ରୁ ରିଭଲଭର ବାହାର କରି ବାହାର ବାରଣ୍ଡାକୁ ଆସି ଶବ୍ଦଟିକୁ ଶୁଣିବାକୁ କାନଡେରି ଟିକିଏ ଠିଆ ହେଲି। ତାହାପରେ ସିଡିଦେଇ ଛାତକୁ ଗଲି। କିନ୍ତୁ କିଛି ଆଖିରେ ପଡିଲା ନାହିଁ।ଫେରିଆସିଲା ବେଳକୁ ସିୟାଉସ୍ ର ଘରଛାତକୁ ଦେଖେ ତ ସେଠାରେ ସିୟାଉସ୍ ଶାର୍ଟ ଆଉ ପାଇଜାମା ପିନ୍ଧି ଠିଆ ହୋଇଛି।ବିସ୍ମିତ ହୋଇ ପଚାରିଲି:
“ସିୟାଉସ୍ ,ତୁ?”
“ଭିତରକୁ ଆ,ଘରେ କେହିନାହାଁନ୍ତି।”
“ଗୁଳିର ଶବ୍ଦ ଶୁଣିଛୁ ?”
ପାଟି ଅଗରେ ଆଙ୍ଗୁଳି ରଖି ଈଶାରାରେ ଭିତରକୁ ଆସିବାକୁ କହେ ସେ।ମୁଁ ଶିଘ୍ର ତଳକୁ ଯାଇ ତାଙ୍କ ଘର କବାଟର କଡା ବାଡାଏ।ସେ ନିଜେ କବାଟ ଖୋଲେ।ମୁହଁ ତଳକୁ କରି ମାଟିକୁ ନିର୍ନିମେଷ ଭାବରେ ସେଇମିତି ଚାହିଁ ରହିଥିବା ଅବସ୍ଥାରେ ସେ କହେ,
“ତୁ ମତେ ଦେଖିବାକୁ ଆସିନୁ କାହିଁକି?”
“ମୁଁ ଦି ତିନି ଥର ତୋ ଖବର ନବାକୁ ଆସିଛି କିନ୍ତୁ ସମସ୍ତେ କହନ୍ତି,ଡାକ୍ତରର ଅନୁମତି ନାହିଁ।”
“ସେମାନେ ଭାବୂଛନ୍ଥି ମୋର ଦେହ ଭଲ ନାହିଁ।ସେମାନେ ଭୁଲ୍ କରୁଛନ୍ତି।”
ପୁଣି ପଚାରିଲି; “ଗୁଳିର ଶବ୍ଦଟା ଶୁଣିଛୁ ?”
ସେ କୌଣସି ଜବାବ ନଦେଇ ମୋ ହାତ ଧରି ପାଇନ୍ ଗଛର ତଳକୁ ନେଇ କିଛି ଗୋଟିଏ ଦେଖାଏ। ମୁଁ ଖୁବ୍ ପାଖରୁ ଦେଖିଲି ତିନି ବୁନ୍ଦା ତଟକା ରକ୍ତ ସେଇଠେ ପଡିଛି।
ତାହାପରେ ମୋତେ ତା’ରୁମ୍ କୁ ନେଇ ରୁମ୍ ର ସବୁତକ ଝରକା କବାଟ ବନ୍ଦ କରିଦେଲା।ଲାଇଟ୍ ଦେଇ ଗୋଟିଏ ଚେୟାର୍ ରେ ମୋ ସାମନାରେ ଆସି ବସିଗଲା।ତାହାର ରୁମ୍ ଟି ଖୁବ୍ ସାଦାସିଧା। କାନ୍ଥର ଆଂଠୁ ଯାଏଁ ଗାଢ ନୀଳ ରଂଗ ଆଉ ବାକି ସାରାକାନ୍ଥ ହାଲ୍କା ନୀଳ।ରୁମ୍ ର ଗୋଟିଏ କୋଣରେ ରହିଛି ଗୋଟିଏ ଗୀଟାର।ଟେବୁଲ ଉପରେ ଅସ୍ତବ୍ୟସ୍ତ ପଡିଛି କେତେଟା ବହି ଆଉ ସ୍କୁଲ୍ ର ନୋଟପତ୍ର।ସିୟାଉସ୍ ଟେବୁଲ୍ ର ଡ୍ରୟାର୍ ରୁ ଗୋଟିଏ ରିଭଲଭର୍ ବାହାର କରି ମୋତେ ଦେଖାଇଲା।ସେଇଟାକୁ ନିଜ ପ୍ୟାଣ୍ଟର ପଛପଟ ପକେଟ୍ ରେ ଭର୍ତ୍ତି କରି କହିଲା:
ମୋର ଗୋଟିଏ କିଶୋରୀ ବିରାଡି ଥିଲା।ନାଆଁ ତାର ନାଜି।ହୁଏତ ଏଇଟାକୁ ତୁ ଦେଖିଥିବୁ।ଖୁବ୍ ସାଧାରଣ,ସୁରମା ଲଗା ଆଖି ଭଳି ବଡ ବଡ ଆଖି।ପିଠି ଉପର କ’ଣ ସାରା ଦେହର ରଂଗ ତା’ର କାଳିକୁ ଶୋଷିନେଲାପରେ ଗୋଟିଏ ବ୍ଲଟିଙ୍ଗ୍ ପେପର୍ ର ଦେହସାରା ଯେମିତି ରଂଗର ବିଚ୍ଛୁରଣ ଘଟିଥାଏ ଠିକ୍ ସେହିପରି।ଯେତେବେଳେ ଘରକୁ ଫେରେ ସ୍କୁଲରୁ ନାଜି ମୋ ସାମ୍ନାକୁ ଦୌଡି ଆସି ମିଆଁଉ ମିଆଉଁ କରେ, ମୋ ଦେହରେ ତା’ଦେହ ଘଷେ, ମୁଁ ବସିଲେ ମୋ କାନ୍ଧଉପରକୁ ଚଢି ମୋ ମୁହଁରେ ତା’ମୁହଁ ଯୋଡିଦିଏ।ତାହାର ଖସଖସ୍ ଜିଭରେ ମୋତେ ଚାଟେ ଆଉ ଜୋର୍ କରେ ଯେମିତି ମୁଁ ତା’କୁ ଚୁମା ଦିଏ। କହନ୍ତି କିଶୋରୀ ବିରାଡି କୁଆଡେ କିଶୋର ବିରାଡି ଠାରୁ ଅଧିକ ଧୂର୍ତ୍ତ,ଦୟାଳୁ ଆଉ ସଂବେଦନଶୀଳ।ମୋ ଛଡା ନାଜିର ସଂପର୍କ କେବଳ ଥିଲା ଆମ ଘରର ବାବୁର୍ଚ୍ଚି ସହ।କାରଣ ସେ ହିଁ ତା’କୁ ଖାଇବାକୁ ଦେଉଥିଲା।ତାହାର ଚୂଳ ଗୁଡିକ ଲଂବା ଧଳା ଆଉ ସେ ଖୁବ୍ ଅହଂକାରୀ ପାଂଚ ବକ୍ତ ନମାଜୀ, ତେଣୁ ସେ ବିରାଡିର ଲୋମ ଦେହରେ ପଡିବ ବୋଲି ତାହାଠୁ ଦୂରରେ ରହେ। ନାଜି ମନେମନେ ଧାରଣା କରୁଥାଏ ଯେ ମଣିଷମାନେ ବିରାଡିଙ୍କଠାରୁ ବୁଦ୍ଧିମାନ ତେଣୁ ସେମାନେ ସବୁ ପ୍ରକାର ଭଲ ଖାଦ୍ୟ ଓ ସବୁଠୁ ଉଷୁମ ଜାଗା ଗୁଡିକ ନିଜ ଅକ୍ତିଆର୍ ରେ ରଖିଥାନ୍ତି।ତେଣୁ ବିରାଡିମାନଙ୍କୁ ତୋଷାମଦ କରିବାକୁ ପଡେ ଆଉ ଏଇ ସବୁ ଜିନିଷରେ ଭାଗ ବସାଇବା ପାଇଁ ସେମାନଙ୍କର ଚାଟୁକାର ହେବାକୁ ପଡିଥାଏ।
କେବଳ ସେତେବେଳେ ହିଁ ନାଜି ଭିତରେ ପ୍ରାକୃତିକ ସଂବେଦନଶୀଳତା ଜାଗି ଉଠେ ଯେତେବେଳେ ରକ୍ତଲଗା କୁକୁଡା ମୁଣ୍ଡଟିଏ ଆସି ତାହାର ପଞ୍ଜା ପାଖରେ ପଡେ ଆଉ ତାହାକୁ ଏକ ହିଂସ୍ର ପ୍ରାଣୀରେ ପରିବର୍ତ୍ତିତ କରିପକାଏ ଠିକ୍ ସେତିକି ବେଳେ।ତାହାର ଆଖି ଗୁଡିକ ଆଉ ଟିକିଏ ଗୋଲ ଓ ଜଳଜଳ ହୋଇ ଉଠେ। ଲୋମ ଭିତରୁ ବାହାରି ଆସେ ନଖ ଗୁଡିକ।ଆଉ ଯିଏ ସେତେବେଳେ ତା’ପାଖକୁ ଯିବ ସେ ଗଁ ଗଁ କରି ଭୟ ଦେଖାଇବ।ତାହାପରେ, ଯେମିତି ବସ୍ତୁଟି ତାହାକୁ ଧୋକା ଦେଇଛି ସେଇମିତି ଭଂଗୀରେ ଖେଳ ଆରମ୍ଭ କରିଦେବ। ଯେତେବେଳେ ନିଜର ସମସ୍ତ ଶକ୍ତି ଦେଇ କୁକୁଡାମୁଣ୍ଡକୁ ଜୀବନ୍ତ ପ୍ରାଣୀ ମନେକରିବ, ତା’ଉପରେ ଝାଂପ ମାରିବାକୁ ଚେଷ୍ଟା କରିବ, ଆହୁରି ଉତ୍ତେଜିତ ହୋଇ ଉଠିବ, ନିଜକୁ ଲୁଚେଇବ, ଆଢୁଆଳକୁ ଯାଇ ଆଉଥରେ ଝାଂପ ମାରିବାକୁ ଜଗି ବସିବ, ଆଉ ତାହାପରେ ଆଉଥରେ ଆକ୍ରମଣ କରିବ ଆଉ ସ୍ୱଜାତିର ସମସ୍ତ ସାମର୍ଥ୍ୟ ଆଉ ଚାତୁରୀକୁ ଗୋଟିଏ ପରେ ଗୋଟିଏ ଝାଂପରେ, ଯୁଦ୍ଧ ଆଉ ପଳାୟନର ମାଧ୍ୟମରେ ସୁସ୍ପଷ୍ଟ କରି ଗଢିତୋଳୁଥିବ ସେ। ତାହାପରେ ଯେତେବେଳେ ଏଇ ସବୁ ଦେଖାଇ ଦେଖାଇ କ୍ଲାନ୍ତ ହୋଇ ପଡୁଥିବ ସେ ସେତେବେଳେ ଯଥାସଂଭବ ଦ୍ରୁତତାର ସହ ସେହି ରକ୍ତଲଗା କୁକୁଡାମୁଣ୍ଡଟିକୁ ଖାଇଦେବ ଏବଂ ତାହାପରେ କିଛି ସମୟ ତାହାର ବାକି ଅଂଶର ଅନୁସଂଧାନ କରି ବସିବ ସେ।ଏବଂ ତାହାପରେ ପ୍ରାୟ ଘଂଟାଏ କି ଦିଘଂଟା ତାହାର କୃତ୍ରୀମ ସଂସ୍କୃତିକୁ ଭୁଲିଯିବ, ନା କାହାପାଖକୁ ଆସିବ, ନା ଅଭିମାନ କରିବ, ନା ତୋଷାମଦ କରିବ କାହାକୁ।
ନାଜି ଯେମିତି ବଂଧୁତ୍ୱ ପ୍ରକାଶ କରେ ଠିକ୍ ସେଇଭଳି ସେ ଥିଲା ବେଶ୍ ହିଂସ୍ର ଆଉ ଅନ୍ତର୍ମୁଖୀ।ନିଜ ଜୀବନର ସବୁ ରହସ୍ୟକୁ ସେ ରହସ୍ୟକରି ରଖୁଥିଲା।ଆମ ଘରକୁ ନିଜଘର ପରି ମନେ କରୁଥିଲା।ଯଦି କେହି ଆଗନ୍ତୁକ ବିରାଡିର କାନ୍ଦଣାର ଆଭାସ ପାଇବ ,ବିଶେଷ କରି ଯଦି ସେଇଟି କିଶୋରୀ ବିରାଡିର ହୋଇଥାଏ ,ତାହାହେଲେ ଅନେକସମୟ ଧରି ମିଆଁଉ ମିଆଁଉ,ପରିବର୍ତ୍ତନ ଏବଂ ଲଂବା କାନ୍ଦଣା ଶୁଣା ଯିବ।ଦିପହରରେ ଖାଇବା ପାଇଁ ନାଜି ଯେଉଁ ଶବ୍ଦ କରେ ଗେଲ କରିବା ପାଇଁ ଚାହିଁବା ବେଳଠୁ ତାହା ଥିଲା ପୁରା ଅଲଗା।ଗଳା ବଦଳେଇଦବ,ପ୍ରଥମେ କଲିଜା କଂପେଇଦେବା ଭଳି ଚିତ୍କାର ତାହାପରେ ଘୃଣା ଆଉ ତାହାପରେ କ୍ରୋଧରେ ଚିତ୍କାର କରେ ସେ।ତୃତୀୟଦଫାରେ ଥାଏ ଯନ୍ତ୍ରଣାକାତର ଆର୍ତ୍ତନାଦ,ଯାହାଥିଲା ତାହାର ସ୍ୱଭାବଗତ,ଯାହା ଦ୍ୱାରା ସେ ନିଜର ଲକ୍ଷ୍ୟରେ ପହଞ୍ଚିପାରିବ। ତେବେ ଏଇ ସବୁକିଛିଠାରୁ ଅର୍ଥପୂର୍ଣ୍ଣ ଥିଲା ନାଜି ର ଦୃଷ୍ଟି,ଯାହା ବେଳେ ବେଳେ ମାନବୀୟ ଅନୁଭୂତି ପ୍ରକାଶ କରୁଥିଲା।ଯେମିତି ଇଚ୍ଛାହୀନଭାବେ କିଏ ନିଜକୁ ପଚାରୁଛି: ଏଇ ଲୋମଶ ମୁଣ୍ଡ ଭିତରେ,ଏଇ ରହସ୍ୟମୟ ସବୁଜ ଆଖିହଳକ ପଛରେ କେଉଁ ଭାବନା ଏବଂ କେଉଁ ଅନୁଭୂତି ଢେଉ ଖେଳୁଛି !
ଗତବର୍ଷ ବସନ୍ତ ରେ ସେହି ଭୟଙ୍କର ଘଟଣାଟି ଘଟିଥିଲା।
ଜାଣନ୍ତି ତ ଏହି ସମୟରେ ସବୁ ପ୍ରାଣୀ ବେଶ୍ ଉତ୍ତଳା ହୋଇ ଉଠନ୍ତି ଏବଂ ଯୋଡି ଖୋଜନ୍ତି।ମନେ ହୁଏ ଯେମିତି ସବୁ ସ୍ପନ୍ଦନଶୀଳ ପ୍ରାଣୀ ମାନଙ୍କ ଦେହ ଭିତରେ ବସନ୍ତ ପବନ ଭଳି ଏକ ପାଗଳ ଉତ୍ତେଜନା ବହିଯାଉଛି।ଆମର ନାଜି ପ୍ରଥମଥର ପ୍ରେମରେ ଉନ୍ମାଦିନୀ ହୋଇପଡିଲା ଆଉ ସମସ୍ତ ଶରୀର ଥରାଇଦେବା ଭଳି ଉତ୍ତେଜନାରେ ଆର୍ତ୍ତ ଚିତ୍କାର କରିବାକୁ ଲାଗିଲା।କିଶୋର କାନ୍ଦଣାମାନ ତାହାର ଆର୍ତ୍ତନାଦ ଶୁଣିପାରିଲେ ଆଉ ଖୁବ୍ ନିକଟରୁ ତାହାକୁ ସ୍ୱାଗତ ଜଣାଇବାରେ ଲାଗିଲେ।ଯୁଦ୍ଧ ଆଉ ସଂଘାତ ପରେ ନାଜି ସେମାନଙ୍କ ଭିତରୁ ଯିଏ ସବୁଠୁ ଶକ୍ତିଶାଳୀ ଆଉ ଉଚ୍ଚକଂଠ ତାହାକୁ ହିଁ ସଂଗୀ ନିର୍ବାଚନ କରିଥିଲା।
ପ୍ରାଣୀମାନଙ୍କର ପ୍ରେମ ନିବେଦନର ସମୟରେ ସେମାନଙ୍କର ଦେହରୁ ଯେଉଁ ବିଶେଷ ଗଂଧ ବାହାରେ ତାହା ଖୁବ୍ ଗୁରୁତ୍ୱ ରଖେ।ଏହି କାରଣରୁ କିଶୋରୀ ବିରାଡି ପାଇଁ ପରିଷ୍କାର ପରିଚ୍ଛନ୍ନ ଚାଟୁକାର ପୋଷା ବିରାଡିର କୌଣସି ଆକର୍ଷଣ ରହି ନଥାଏ।ଅନ୍ୟପକ୍ଷରେ କାନ୍ଥ ଉପରେ ପତଳା ଚେହେରାର ପତଳା ବୁଲା ବିରାଡିମାନେ ସେମାନଙ୍କର ସ୍ୱଜାତିର ଅସଲ ଗଂଧ ଛାଡୁଥାନ୍ତି ନିଜ ନିଜ ଦେହରୁ ,ସେହି ମାନେ ହିଁ ହେଉଛନ୍ତି କିଶୋରୀ ବିରାଡିର ଅସଲ ପସନ୍ଦ।ଦିନବେଳେ ଆଉ ବିଶେଷକରି ସାରାରାତି ନାଜି ଏବଂ ତାହାର ସଂଗୀଗଣ ଦୀର୍ଘସ୍ୱରରେ ସେମାନଙ୍କ ପ୍ରେମ ପ୍ରକାଶ କରୁଥାଆନ୍ତି।ନାଜିର ନରମ କୋମଳ ଶରୀର ରେ ସୃଘାତ ଥାଏ ଦ୍ୱନ୍ଦ୍ୱ ଥାଏ,ଯଦିଓ ତାହାର ସଂଗୀଟିର ଶରୀର ଗୋଟିଏ ଧନୁ ପରି ବଙ୍କା ହୋଇଯାଉଥାଏ ତଥାପି ସେ ଉଲ୍ଲାସରେ ଚିତ୍କାର କରିଉଠେ।ସକାଳର ଆଲୁଅ ଫୁଟି ଉଠୁଥିବାଯାଏଁ ଏଇ କାମ ଅବ୍ୟାହତ ରହେ।ସେତେବେଳେ ନାଜି ତାହାର ଲୋମ ସବୁ ବିପର୍ଯ୍ୟସ୍ତ,ସେ କ୍ଳାନ୍ତ ଶ୍ରାନ୍ତ ତଥାପି ଆନନ୍ଦିତ ଭଂଗୀରେ ଗରକୁ ପ୍ରବେଶ କରେ।
ରାତିଗୁଡିକ ନାଜିର ପ୍ରେମ ଉତ୍ପାତରେ ନିଦ ଆସେ ନାହିଁ।ବାଧ୍ୟ ହୋଇ ଶେଜରୁ ଉଠି ଏପଟସେପଟ ହୁଏ।ଝରକା ପାଖରୁ ଦୂରେଇଯିବାକୁ ହୁଏ।ଦିନେ ରାତିରେ ଝରକା ଦେଇ ଦେଖିଲି ପ୍ରେମିକ ଆଉ ପ୍ରେମାସ୍ପଦାର ଭାବ ବାହାର ବଗିଚାରେ।ମୁଁ ଏଇ ଯେଉଁ ରିଭଲଭରଟା ଦେଖିଛନ୍ତି ସେଥିରେ ତିନି କଦମ ଦୂରରୁ ନିଶାନା କଲି।ରିଭଲଭରଟା ଫାଙ୍କା ହୋଇଗଲା,ନାଜିର ସଂଗୀଟି ଦେହରେ ଲାଗିଥିଲା ଗୁଳି।ମନେ ହେଲା ଯେମିତି ତା ଅଣ୍ଟା ଭାଙ୍ଗି ଯାଇଛି।ଲଂବା ଡିଆଁଟିଏ ଦେଲା ସେ।କୌଣସି ଶବ୍ଦ ନକରି ଚିତ୍କାର ନକରି କରିଡୋର୍ ଦେଇ ପଳାଇଯାଇ ବଗିଚାର ମାଟିକାନ୍ଥର ସାମନାରେ ପଡି ମରଣ ହେଲା ତାହାର।
ତାହାର ଯିବାବାଟସାରା ଚକା ଚକା ରକ୍ତ ପଡିଥାଏ।ନାଜି କିଛି ସମୟ ତା’ପଛେ ପଛେ ଯାଇଥିଲା,ଯେତେଦୂର ତାହାର ପାଦଚିହ୍ନ ଦେଖାଯାଉଥିଲା ସେଯାଏଁ, ରକ୍ତକୁ ଶୁଂଘି ଶୁଂଘି ଠିକ ତାହାର ନିହତ ସଂଗୀ ଯେଉଁଠି ଶେଷରେ ପଡିଥିଲା ସେଠିକ ସେ ପହଂଚିଯାଇଥିଲା।ଦିଦିନ ଆଉ ଦିରାତି ସେ ସେହି ଲାଶ୍ କୁ ପହରା ଦେଲା।ବେଳେବେଳେ ସାମନା ପାଦକୁ ଟିକିଏ ବଢାଇ ସେ ତାହାକୁ ସ୍ପର୍ଶ କରେ, ଯେମିତି ତା’କୁ କହେ,ଏଇତ ବସନ୍ତର ଆରଂଭ,ଉଠ୍,ପ୍ରେମର ସମୟରେ ନିଦ ?କାହିଁକି ?ହଲୁନୁ ଜମା,ଏଇ,ଉଠ୍ ଉଠ୍!କାରଣ ନାଜି ତାହାର ସଂଗୀର ମରଣ ବୁଝି ପାରେନି ଆଉ ଜାଣେ ନାହଁ ଯେ ତାହାର ପ୍ରେମିକ ଆଉ ନାହିଁ।
ପରଦିନ ସକାଳେ ନାଜି ତାହାର ପରମପ୍ରିୟ ସଂଗୀର ଲାଶ୍ ଟିକୁ ନେଇ କୁଆଡେ ନିଖୋଜ ହୋଇଗଲା।ସବୁଠି ଖୋଜିଲି।ସମସ୍ତଙ୍କୁ ତାହାର କଥା ପଚାରିଲି, ସବୁ ନିଷ୍ଫଳ।ନାଜି କ’ଣ ମୋ ସହ କଟି ପକେଇଛି,ନା ଏହା ଭିତରେ ମରିଯାଇଛି,ନା ତାହାର ପ୍ରେମର ସଂଧାନରେ କୁଆଡକୁ ବାହାରି ଯାଇଛି, ତାହାଲେ ତାହାର ମରଣ ର କଥା କ’ଣ ?
ଦିନେ ରାତିରେ ସେଇ କିଶୋର ବିରାଡିର କାନ୍ଦଣା ଶୁଣିପାରିଲି, ଓରାଉ, ଓରାଓ। ସକାଳ ଯାଏଁ ଓରାଓ ଓରାଓ କରୁଥାଏ। ତା’ପରଦିନ ସେହିଭଳି। କିନ୍ତୁ ଭୋର ହେବା ପରେ ଆଉ କୌଣସି ଶୋରଶବ୍ଦ ନାହିଁ।ତୃତୀୟ ରାତି ପୁଣିଥରେ ରିଭଲଭର ଧରି ମୋ ଝରକା ସାମନାର ସେଇ ପାଇନ୍ ଗଛଟିକୁ ଗୁଳି କଲି। ଯେହେତୁ ତାହାର ଆଖି ଦୁଇଟି ଅଂଧାରରେ ଜଳଜଳ କରି ମୋତେ ଦେଖାଯାଉଥିଲା ,ଏକ ଦୀର୍ଘ ଆର୍ତ୍ତଚିତ୍କାର ଦେଇ ଶବ୍ଦ ବଂଦ ହୋଇଗଲା। ସକାଳେ ଦେଖିଲି ଗଛତଳେ ପରିଷ୍କାର ତିନି ବୁନ୍ଦା ସତେଜ ରକ୍ତ।ସେଇ ରାତି ପରଠାରୁ ଏଯାଏଁ ପ୍ରତି ରାତିରେ ସେ ଆସି ସେଇ ସମାନ ସ୍ୱରରେ ଆର୍ତ୍ତ ଚିତ୍କାର କରୁଥାଏ। ଅନ୍ୟମାନେ ଗାଢ ନିଦରେ ଥାଆନ୍ତି ବୋଲି କିଛି ଶୁଣିପାରନ୍ତି ନାହିଁ।ସେମାନଙ୍କୁ ଯେତେ ବୁଝେଇଲେ ମୋତେ ନେଇ ହସାହସି କରନ୍ତି। କିନ୍ତୁ ମୁଁ ତ ଜାଣେ, ମୁଁ ନିଶ୍ଚିତ, ଏଇଟା ସେଇ କିଶୋର ବିରାଡି ଯାହାକୁ ମୁଁ ହତ୍ୟା କରିଛି। ସେଇ ରାତିଠୁ ଆଜିଯାଏଁ ମୋ ଆଖିକୁ ନିଦ ଆସିନି।ଯେଉଁଠିକୁ ଯାଏ , ଯେଉଁ ଘରେ ଶୁଏ, ସାରାରାତି ଏଇ ବିଚରା ବିରାଡି ତାହାର ସେହି ଭୀତିପ୍ରଦ ଗଳାରେ ଆର୍ତ୍ତ ଚିତ୍କାର କରୁଥାଏ, ତାହାର ସଂଗିନୀକୁ ଡାକୁଥାଏ।
ଆଜି ଯେତେବେଳେ ଘରଟା ଫାଙ୍କା ଅଛି ସେତେବେଳେ ଏଇଠି ବଂଦୁକକୁ ଧରି ଲକ୍ଷ୍ୟ କଲି, ସେଇଠିକୁ ଯେଉଁଠି ବିରାଡିଟା ବସି ପ୍ରତିରାତିରେ ଚିତ୍କାର କରେ।ଅନ୍ଧାରରେ ତାହାର ଆଖି ଜଳଜଳ କରୁଥାଏ ଆଉ ତାହାକୁ ଦେଖି ମୁଁ ଜାଣିପାରେ ସେ କେଉଁଠି ବସିଛି।ଗୁଳି ଫୁଟିବା ମାତ୍ରକେ ବିରାଡିର ଆର୍ତ୍ତ ଚିତ୍କାର ଶୁଣିବାକୁ ପାଇଲି ଏବଂ ଉପରୁ ତିନୋଟି ଠୋପା ରକ୍ତ ଠପ ଠପ ହୋଇ ପଡିଲା ଭୂଇଁରେ।ତୁମେ ତ ନିଜ ଆଖିରେ ଦେଖିଛ,ତୁମେ ତ ମୋର ସାକ୍ଷୀ ?
ଏଇ ସମୟ ଘରର କବାଟ ଖୋଲି ଯାଏ, ରୋଖସାର୍ ଏବଂ ତା’ର ମାଆ ଭିତରକୁ ଆସନ୍ତି।
ରୋଖସାର୍ ର ହାତରେ ଗୋଟିଏ ଫୁଲର ତୋଡା ଥିଲା।ମୁଁ ଠିଆ ହୋଇ ସଲାମ କଲି।କିନ୍ତୁ ସିୟାଉସ୍ ହସହସ କଂଠରେ କହିଲା :
ଅବଶ୍ୟ ଜନାମ ମୀର୍ଜା ଅହମଦ ଖାନ୍ କୁ ତୁମେ ମୋ ଠୁ ଭଲଭାବରେ ଚିହ୍ନ,ପରିଚୟ କରିଦେବାର ଦରକାର ନାହିଁ।ଏମାନେ ସାକ୍ଷୀ ଦେଇଛନ୍ତି,ନିଜ ଆଖିରେ ସେମାନେ ନିଜ ଆଖିରେ ଦେଖିଛନ୍ତି ପାଇନ୍ ଗଛ ତଳରେ ତାଜା ତିନି ବୁନ୍ଦା ରକ୍ତ ପଡିଛି।
ହଁ,ମୁଁ ଦେଖିଛି।
କିନ୍ତୁ ସିୟାଉସ୍ ଉଚ୍ଚହାସ୍ୟ କରି ସାମନାକୁ ଆସି ମୋ ପ୍ୟାଣ୍ଟ ପକେଟ୍ ରୁ ନିଜ ହାତରେ ରିଭଲଭର୍ ଟି ବାହାର କରି ଆଣି ଟେବୁଲ୍ ଉପରେ ରଖି କହିଲା :
ଜାଣିଛନ୍ତି ମୀର୍ଜା ସାହେବ,ଇଏ କେବଳ ଭଲ ଗୀଟାର ବଜାଏ ନାହିଁ ,ଭଲ କବିତା ବି ଲେଖେ।ଏବଂ ଯୋଗ୍ୟ ଶିକାରୀ ବି।ଖୁବ୍ ଭଲ ଲକ୍ଷ୍ୟ ତା’ର।
ତାହାପରେ ମୋ ଆଡକୁ ଈଶାରା କଲା ,ମୁଁ ବି ଠିଆ ହୋଇ କହିଲି:
ହଁ, ଆଜି ଉପରଓଳି ଯେତେବେଳେ ସିୟାଉସ୍ ପାଖରୁ ସ୍କୁଲ୍ ନୋଟ୍ ନେବାକୁ ଯେତେବେଳେ ଆସିଥିଲି,ମଜା କରିବା ପାଇଁ କିଛିସମୟ ପାଇନ୍ ଗଛ କୁ ନିଶାଣ କରିଥିଲି।କିନ୍ତୁ ଏଇ ତିନି ବୁନ୍ଦା ରକ୍ତ ବିରାଡିର ନୁହଁ ଲକ୍ଷ୍ମୀପେଚାର।ଆପଣ ଜାଣନ୍ତି ତ ଲକ୍ଷ୍ମୀପେଚା ସଗୀର ପାଖରୁ ତିନିଟା ଗହମ ଖାଏ ଫି ରାତିରେ ଆଉ ଏତେ ଚିତ୍କାର କରେ ଯେ ତାହାର ଗଳାରୁ ତିନି ବୁନ୍ଦା ରକ୍ତ ପଡେ।ଅଥବା ବିରାଡି ତାହାର ପଡୋଶୀଙ୍କ ପୋଷା କାନାରୀପକ୍ଷୀକୁ ଧରିବାକୁ ବସିଥିବାରୁ ତାହାକୁ ଗୁଳି କରାଯାଇଛି,ଏଇ ବାଟ ଦେଇ ସେ ଯାଇଛି।ଏବେ ଟିକିଏ ଅପେକ୍ଷା କରନ୍ତୁ ନୂଆଗୀତଟି ଲେଖିଛି ତାହାକୁ ନେଇଆସୁଛି।ଗୀଟାରକୁ ହାତରେ ଧରି ସୁର୍ ଠିକ୍ କରି ଏଇ କବିତାକୁ ଗାଇବାକୁ ଆରମ୍ଭ କଲି;
ପୁଣିଥରେ ଅବସାଦ ଆସେ ସଂଜବେଳା
ଆପାଦମସ୍ତକ ଧରଣୀର ହେଲା କଳା।
ସମସ୍ତ ସୃଷ୍ଟିର ଏବେ ବିଶ୍ରାମର ବେଳ
ମୋହର ଯନ୍ତ୍ରଣା କିନ୍ତୁ ପ୍ରବଳୁ ପ୍ରବଳ।
ଜଗତର ମହାନନ୍ଦ ହେବ ନାହିଁ ବୁଝେ
ମୃତ୍ୟୁ ବିନା ଦୁଃଖ ମୋର ନାହିଁ ଆନ ସାଜେ।
କିନ୍ତୁ ଏହି କୋଣେ ଦେଖ ପାଇନ ତଳରେ
ହୋଇଛି ନିଷିକ୍ତ, ତିନିବିନ୍ଦୁ ରକ୍ତ ଝରେ।
ଏଇ ଜାଗାରେ ପହଂଚିବା ମାତ୍ରେ ରୋଖସାର୍ ର ମାଆ ବିରକ୍ତ ହୋଇ ଘରୁ ବାହାରିଗଲେ।ରୋଖସାର୍ ତାହାର ଭ୍ରୂକୁଂଚିତ କରି କହିଲା: ଏତେ ବଡ ପାଗଳ।ତାହାପରେ ସିୟାଉସ୍ର ହାତ ଧରି ଦିଜଣଯାକ ଜୋର୍ ରେ ହସାହସି ହୋଇ ମୋ ସାମ୍ନାରେ କବାଟ ଦେଇ ବାହାରିଗଲା ପରେ କବାଟ ଟା ବନ୍ଦ କରିଦେଲେ।
ବାରନ୍ଦାରେ ପହଂଚିଲା ବେଳକୁ ମୋ ଲଂଠଣ ଆଲୁଅରେ ଝରକାର କାଚଭିତର ଦେଇ ସେ ଦିଜଣଙ୍କୁ ଦେଖିବାକୁ ପାଇଲି।ଦି ଜଣ ଯାକ ପରସ୍ପରକୁ ଆଲିଙ୍ଗନ କରି ଚୁମା ଖାଉଥିଲେ।
Tomb of Sadegh Hedayat, Père Lachaise Cemetery, Paris.
•••••
(୧୯୦୩ ରେ ଇରାନର ତେହେରାନ୍ ରେ ଜନ୍ମିତ ସାଦେକ ହିଦାୟତ ଆଧୁନିକ ପାର୍ଶି କଥା ସାହିତ୍ୟ ର ଜଣେ ଉଜ୍ଜଳସ୍ୱାକ୍ଷର। କହିବାକୁଗଲେ ପାର୍ଶି ସାହିତ୍ୟରେ ସରରିଆଲିଜମ୍ ବା ପରାବାସ୍ତବବାଦର ପ୍ରବକ୍ତା ହେଦାୟତ। ଇରାନ୍ ରୁ ପ୍ରାଥମିକ ପ୍ରଯୁକ୍ତି ଶିକ୍ଷାପରେ ସେ ଦୀର୍ଘକାଳ ଇଉରୋପରେ ଅବସ୍ଥାନ କରି ଫେରିଆସନ୍ତି ଇରାନକୁ ୧୯୩୦ ମସିହାରେ।କାହାଣୀର ବିଧିବଦ୍ଧ ଲେଖନ ସେଇଠୁ ଆରମ୍ଭ।
ସାଦେକ ହିଦାୟତ ତାଙ୍କର ଗପରେ ସାଧାରଣ ମଣିଷର ଜୀବନଯାପନଧାରା ଏବଂ ଜୀବନବୋଧକୁ ଅତ୍ୟନ୍ତ ଯତ୍ନର ସହ ରୂପାୟନ କରିଛନ୍ତି। ଗଳ୍ପର ଉପସ୍ଥାପନା,ଲେଖାର ଷ୍ଟାଇଲ୍ ଓ ଗଳ୍ପ ନିର୍ମାଣ ରେ ସେ ପାର୍ଶି କଥା ସାହିତ୍ୟର ଚଳମାନ ଧାରାର ଏକ ବିଶେଷ ପରିବର୍ତ୍ତନର ସେ ଅଗ୍ରପଥିକ।
ଏଇ ପୃଥିବୀର ମଣିଷ ବିଭିନ୍ନ ସଂଦେହ,ହିଂସା,ଆକ୍ରୋଶ ଓ ଆତଙ୍କର ବୋଝକୁ ବୋହି ଚାଲିଥାଏ ଆଉ ଏଇ ଭଳି ଚାଲିବା ଭିତରେ ସେ ଯେତେବେଳେ ନିଜକୁ ନିରାଶ୍ରୟ ମନେକରେ ସେତେବେଳେ ସେ ଗୋଟିଏ ଖୋଳପା ଭିତରେ ନିଜକୁ ଗୋଟାଇନେଇ ରଖିଥାଏ ଆଉ ଏହାର ବିପରୀତରେ ନିଜକୁ ଦ୍ରୁତ ମୃତ୍ୟୁ ଆଡକୁ ଟାଣି ନେଇ ଥାଏ। ଏହା ହିଦାୟତଙ୍କ ଗଳ୍ପର ମୂଳ ସ୍ୱର। ସମାଲୋଚକ ମାନଙ୍କ ମତରେ ଏଇଭଳି ଆଉ କେହି ଜଣେ ପାର୍ଶି କଥାକାର ନାହାଁନ୍ତି।
ପାର୍ଶି ସାହିତ୍ୟର ମରମି ଦିଗଟି ବେଶ୍ ଉଜ୍ଜଳ।କିନ୍ତୁ ଏଇ ବ୍ୟତିକ୍ରମୀ କଥାକାର ଜଣକ ସେହି ପ୍ରଚଳିତ ମରମି ଜୀବନବୋଧକୁ କେମିତି କେଜାଣି ଗ୍ରହଣ କରି ପାରି ନଥିଲା।ସେ ଜୀବନ ସଂପର୍କରେ ଥିଲା ବିତୃଷ୍ଣ। ୧୯୫୧ ମସିହା ଏପ୍ରିଲ୍ ୭ ତାରିଖରେ ନିଜ ଦେହରେ ନିଆଁ ଲଗାଇ ନିଜର ଜୀବନାବସାନ କରେ ଏଇ କଥାକାର।
ଏଇ କାହାଣୀଟିରେ ଜଣେ ଚରିତ୍ରର ଏକାଠି ଗୁଡିଏ ଜୀବନ ବଂଚିବାର ସାମଗ୍ରିକତାକୁ ଦେଖାଯାଇଛି।)