ସେଇ ସାଦା ବହି

ମୂଳ ଲେଖା : ହାନ କ୍ୟାଂ || ଅନୁବାଦ : ଜ୍ୟୋତି  ନନ୍ଦ

ହାନ କ୍ୟାଂ ଙ୍କ ଉପନ୍ୟାସର ପ୍ରଥମାଂଶ :

୧. ମୁଁ

ବସନ୍ତ କାଳ,ଯେବେ ମୁଁ ସ୍ଥିର କରିଥିଲି ସାଦା ରଂଗର ପଦାର୍ଥ ଉପରେ କିଛି ଲେଖିବି, ପ୍ରଥମରେ ମୁଁ ସେସବୁର ଗୋଟିଏ ତାଲିକା କରିଥିଲି।

ଶିଶୁକୁ ଘୋଡାଇବାର ଲିଲେନ କପଡା
ନବଜାତକର ଜାମା
ଲୁଣ
ବରଫ
ଜହ୍ନ
ଚାଉଳ
ଜୁଆର
ପବିତ୍ରତାର ପ୍ରତୀକ ଧଳା ଫୁଲ ୟୁଲାନ
ଧଳା ରଂଗର ପକ୍ଷୀ
“ଧଳା ଭଳି ହସ”
ସାଦା ପୃଷ୍ଟା
ଧଳା କୁକୁର
ଧଳା କେଶ
ଶବାଚ୍ଛାଦନର ବସ୍ତ୍ର

ପ୍ରତ୍ୟେକ ଆଇଟମ୍ କୁ ଲେଖିବା ବେଳେ,ମୋ ଭିତରେ ଦମକାଏ ଅସ୍ଥିରତା ଦୌଡି ଯାଉଥିଲା।
ମୁଁ ଅନୁଭବ କରୁଥିଲି ହଁ,ମୋର ଏଇ ବହିଟିକୁ ଲେଖିବା ଦରକାର ଆଉ ସେହି ଲେଖିବା ପ୍ରକ୍ରିୟାରେ ହିଁ ରୂପାନ୍ତରଣ ହେବ,ତାହାକୁ ରୂପାନ୍ତରିତ କରିଦେବ ଯେମିତି ଗୋଟିଏ ଧଳାରଂଗର ମଲମ,ତାହାକୁ ଲଗାଇ ଦିଆଯାଇଛି ଗୋଟିଏ ଫୁଲିବା ଯାଗା ଉପରେ,ଯେମିତି ଗୋଟିଏ କ୍ଷତ ଉପରେ ପରସ୍ତେ ହେବ ଗଜ କନା। ମୋର ଏହା ହିଁ ଦରକାର।

ହେଲେ,ତାହାପରେ,କିଛିଦିନ ପରେ,ସେହି ତାଲିକାଟି ଉପରେ ଆଖିକୁ ଆଉଥରେ ବୁଲାଇନେବା ବେଳେ,ମୁଁ ଭାବିବାକୁ ଲାଗିଥିଲି ଏଇ କାର୍ଯ୍ୟଟି ପଛରେ ଏମିତିରେ ଅଛି କ’ଣ,ଯେତେବେଳେ ମୁଁ ସେହି ଶବ୍ଦଗୁଡିକର ହୃଦୟକୁ ଚିରି ସିଧା ତାହାର ଭିତରକୁ ଏତେ ପଶିଯାଉଛି।

ଯଦି ମୁଁ ସେହି ଶବ୍ଦଗୁଡିକୁ ମୋ ନିଜ ସହିତ ବଦଳାଇ ନେବି,ବାକ୍ୟଗୁଡିକ ଥୁରୁଥୁରୁ ହୋଇ କମ୍ପିବାରେ ଲାଗିବ,ଯେମିତି ଅଦ୍ଭୁତ କିଛି,ଏକ ଧାତବ ଧନୁରେ ତୀର ସଂଯୋଗ କରୁଥିବା ବିଷର୍ଣ୍ଣ ଚିତ୍କାର।ମୁଁ କ’ଣ ନିଜକୁ ସେହି ବାକ୍ୟଗୁଡିକ ଭିତରେ ଲୁଚାଇଦେଇ ପାରିବି, ପରସ୍ତେ ଧଳା ଗଜ କପଡାର ଆଢୁଆଳରେ ?

ଏହାର ଉତ୍ତର ଦେବା ସହଜ ନଥିଲା,ତେଣୁ ମୁଁ ତାଲିକାଟି ଯେମିତି ଥିଲା ସେମିତି ତାହାକୁ ଛାଡିଦେଲି ଆଉ ଅଧିକ କିଛି ପାଇଁ ତାହାକୁ ନିରୁତ୍ସାହିତ କରିଥିଲି। ମୁଁ ଅଗଷ୍ଟରେ ବିଦେଶକୁ ଆସିଛି,ସେଇ ଦେଶ ଯେଉଁଠିକୁ ମୁଁ ଆଗରୁ କେବେ ଆସି ନଥିଲି,ସେଠିକାର ରାଜଧାନୀରେ ଗୋଟିଏ ଆପାର୍ଟମେଣ୍ଟରେ ସ୍ୱଳ୍ପଦିନ ପାଇଁ ଆବାସ ଖଣ୍ଡେ ଲିଜ୍ ରେ ନେଇଛି,ଏବଂ ଅଭ୍ୟାସ କରୁଛି ସେଠିକାର ଅଦ୍ଭୁତ ପରିବେଶ ସହିତ ନିଜକୁ ଯେମିତି ଯଥାଶିଘ୍ର ଖାପଖୁଆଇ ନେବି । ଦିନେ ରାତିରେ ପ୍ରାୟ ଦୁଇମାସ ପରର କଥା ଇଏ ,ଯେତେବେଳେ ସହରର ଶୀତଋତୁ ମୋତେ ଦଂଶିବାକୁ ଆରମ୍ଭ କରିଥିଲା,ପ୍ରବଳ ମାଇଗ୍ରେନ୍,ମୁଣ୍ଡ ଫାଟିଯିବା ଭଳି ଅବସ୍ଥା,ଭୟଙ୍କର ଭାବରେ ଆଗଭଳି ପୁରୁଣା ସେ ଅବସ୍ଥା। ମୁଁ କିଛି ବଟିକାକୁ ଗରମପାଣିରେ ପକାଇଥିଲି ଆଉ ଅନୁଭବ କରିଥିଲି (ନିହାତି ଶାନ୍ତ ଭାବରେ) ଯେ ଲୁଚିବା ହୁଏତ ଅସମ୍ଭବ ହେବ।

ବେଳେବେଳେ, ଅତିକ୍ରମ କରିଯାଉଥିବା କାଳ ଅଧିକ ଭାବରେ ବାସ୍ତବ ଲାଗେ। ଦୈହିକ ବେଦନା ସବୁବେଳେ ଚେତନାକୁ ଅଧିକ ଉଜାଗର କରେ। ମୋତେ ଯେତେବେଳେ ବାର କି ତେର ବର୍ଷ ହେବ ମାଇଗ୍ରେନ ମୋ ଭିତରକୁ ଅତର୍କିତ ଭାବରେ ଝାମ୍ପ ଦେବାକୁ ଆରମ୍ଭ କରିଥିଲା,ତାହା ସହିତ ପେଟ ପେଶୀମାନଙ୍କର ଅତ୍ୟନ୍ତ କଷ୍ଟକର ସଂକୋଚନ ବା କ୍ରାମ୍ପ,ଏଇ ସବୁ ମୋର ନିତିଦିନିଆ କାମକୁ ଦୌଡପଥରୁ ବାହାରକୁ ଟାଣି ନେଇଯାଇଥିଲା। ଏପରିକି ସେଇ ଯନ୍ତ୍ରଣା ଉପରେ ଧ୍ୟାନ ଦେଲାବେଳେ ମୋର ନିହାତି ଛୋଟ ଛୋଟ କାମ ସବୁ ସ୍ଥଗିତ ରହିଯାଉଥିଲା, ମନେହେଉଥିଲା ସମୟର ଏଇ ପ୍ରବାହ ହେଉଛି ଯେମିତି ଶାଣଦେବା ପଥର,ମୋ ଆଙ୍ଗୁଳି ଟିପରେ ଲାଗିରହିଛି। ଗୋଟିଏ ଦୀର୍ଘ ପ୍ରଶ୍ଵାସ ଭିତରକୁ ନିଆଗଲେ,ଜୀବନର ଏଇ ନୂତନ ଘଡିଟି ନିର୍ଦିଷ୍ଟ ଭାବରେ ଧାରାଏ ରକ୍ତର ଆକାର ଗ୍ରହଣ କରୁଥିଲା। ଏପରିକି ଥରେ ମୁଁ ସେହି ପ୍ରବାହକୁ ରୋକିବାର ପ୍ରୟାସ କରିଥିଲି,ଦିନେ ସହଜ ଭାବେ ଅନ୍ୟସବୁ ସହିତ ସମ୍ମିଳିତ ହେବାପାଇଁ, ସେଇ ଅନୁଭବଟି ସେଇଠି ରହିଯାଇଥିଲା, ଅପେକ୍ଷାରେ, ଦମବନ୍ଦ କରି।

ପ୍ରତି ଟି ମୁହୂର୍ତ୍ତ ହେଉଛି ଗୋଟିଏ ଅଦୃଶ୍ୟ ପାହାଡର ତୀଖରୁ ଆଗକୁ ଡେଇଁବା,ଯେଉଁଠି ସମୟର ନିର୍ଦ୍ଦିଷ୍ଟ ଧାର ମାନ ଚିରନ୍ତନ ନୂତନତା ଅର୍ଜନ କରୁଥାନ୍ତି । ଆମେ ଆମର ସମସ୍ତ ଯାପିତ ଜୀବନର ଶକ୍ତ ମାଟିପଟାଳି ଉପରୁ ଆମର ପାଦହଳକୁ ଉଠାଇ ନେଇଥାଉ ଆଉ ସେଇ ପଦପାତକୁ ଥାପିଦେଉ ଭୟଙ୍କର ଏକ ଶୂନ୍ୟାବର୍ତ୍ତରେ। ଏପରି ନୁହଁ ଯେ ଆମର କୌଣସି ନିର୍ଦ୍ଦିଷ୍ଟ କିସମର ସାହସ ରହିଛି,ମାତ୍ର ଏହାର କାରଣ ହେଉଛି ଆମର ବିକଳ୍ପ ବୋଲି କିଛି ନାହିଁ।ଏବେ,ଏଇ ସମୟରେ,ସେହି ମୁଣ୍ଡବୁଲାଇ ଦେଉଥିବାର ଉତ୍ତେଜନାର ଆବେଶଟି ରହିଛି ମୋ ଭିତରେ । ମୁଁ ଯେଉଁ ସମୟକୁ ଏଯାଏଁ ବଞ୍ଚିପାରି ନାହିଁ ତାହାରି ଭିତରକୁ ବେପରୁଆ ଭାବରେ ଚାଲିଯାଉଥିବା ବେଳେ,ମୁଁ ପ୍ରବେଶ କରୁଛି ସେଇ ବହିଟିର ଅଭ୍ୟନ୍ତରକୁ ଯାହାକୁ ମୁଁ ଏଯାଏଁ ଲେଖିନାହିଁ।

ଦରଜା

ଅନେକ ଦିନ ଆଗେକାର ଘଟଣା।

ଆପାର୍ଟମେଣ୍ଟଟିର ଲିଜ୍ ନେବାର ଚୁକ୍ତିପତ୍ରରେ ସନ୍ତକ କରିବା ଆଗରୁ ମୁଁ ସେଇଟିକୁ ଥରେ ଦେଖିବା ପାଇଁ ପୁଣି ଯାଇଥିଲି।

ତାହାର ଧାତବ ଦରଜା ଗୋଟିଏ ସମୟରେ ସାଦା ଥିଲା,ହେଲେ କାଳକ୍ରମରେ ଏହାର ଉଜ୍ଜଳତା ହ୍ରାସ ପାଇଛି।ସବୁକିଛିର ନିହାତି ବାଜେ ଅବସ୍ଥା,ରଙ୍ଗର ଛାପଟା ଉଠି ଜଙ୍କ୍ ଧରି ଯାଇଛି,କେଡଳ ଏତିକି ଟିକିଏ ହେଲେ କିଛି କହିବାର ନଥିଲା। କିନ୍ତୁ ମୋତେ ବେଶି ଖରାପ ଲାଗିଥିଲା ଦରଜା ଉପରେ ୩୦୧ ନମ୍ବରଟି ଯେମିତି ଲଗାଇଯାଇଛି, ତାହାକୁ ଦେଖି।

ସମ୍ଭବତଃ ପ୍ରାକ୍ତନ କେଉଁ ଭଡାଟିଆ ଗୋଟିଏ ଡ୍ରିଲ୍ ମେସିନରେ ଛିଦ୍ର କରି ଏଇ ନମ୍ବରଗୁଡିକ ବସାଇଦେଇଛି। ଆଘାତର ଚିହ୍ନ ଗୁଡିକୁ ସ୍ପଷ୍ଟ ବୁଝାଯାଇପାରେ। ୩ ସମସ୍ତଙ୍କ ଉପରେ,୦ ଟି ଆକାରରେ ଛୋଟ,କେତେଥର ନଷ୍ଟ ହୋଇଯାଇଛି ଏବଂ ତାହାପରେ ତାହାକୁ ସଜଡା ଯାଇଛି,ବେଶ୍ ଲମ୍ବା ଆକାରରେ ୧ କୁ ଗଭୀର ଖାତ କରି ଶକ୍ତଭାବରେ ବସାଇ ଦିଆ ଯାଇଛି। ଏହି ସବୁ ସହଜ ଆଉ ବଙ୍କା କ୍ଷତର ମଝିରେ କଳଙ୍କି ଧରିଛି।ହିଂସ୍ରତାର ଅବଶେଷ କିଛି,ଶୁଖିଯାଇଥିବା ରକ୍ତ ଛିଟା ଭଳି,ଟାଣ,ଲାଲମିଶା କଳା। ମୁଁ କିଛିକୁ ଧରି ରଖିନି ପ୍ରିୟ। ମୋର ରହିବାର ଯାଗା କିମ୍ବା ଆସିବା ଯିବାର ଦରଜା ,ଏପରିକି ମୋର ଜୀବନକୁ ବି ନୁହଁ।ସଂଖ୍ୟାଗୁଡିକ ଦାନ୍ତକୁ ଦାନ୍ତ ଚିପି କଡମଡ କରି ମୋ ଆଡକୁ କଟମଟ ଚାହିଁ ରହିଥିଲେ।

ଏଇଟି ହେଉଛି ଆପାର୍ଟମେଣ୍ଟ। ଏଇଟିକୁ ମୁଁ ଶୀତକାଳରେ କିଣିବାକୁ ଚାହିଁଛି।ଏଇଠି ମୁଁ ଦିନଯାପନ କରିବି ବୋଲି ଭାବିଛି।

ସାମାନପତ୍ର ସବୁ ଖୋଲିସାରିବା ପରେ ମୁଁ ଗୋଟିଏ ଡବା ରଂଗ ଆଉ ଗୋଟିଏ ପେଣ୍ଟବ୍ରଶ୍ କିଣି ଆଣିଥିଲି। ରୋଷେଇ ଘର କିମ୍ବା ଶୋଇବା ଘର କୌଣସିଟିରେ ବହୁଦିନ ହେଲା ରଂଗର ଦାଗ ପଡିନି; କାନ୍ଥଗୁଡିକ ବଡଛୋଟ କଳାଦାଗରେ ଆକୀର୍ଣ୍ଣ । ଇଲେକ୍ଟ୍ରିକ ସ୍ୱିଚର ଆଖପାଖରେ ଏମିତିକା କଳାଦାଗ ଖୁବ୍ ବେଶି। ମୋ ଦେହରେ ଅଛି ହାଲୁକା ବାଦାମୀ ରଙ୍ଗର ଟ୍ରାକସୁଟ୍ ର ପାଇଜାମା ଆଉ ଧଳାରଂଗର ପୁରୁଣା ଗୋଟିଏ ସୋୟେଟର,ଫଳରେ ଛିଟିକି ପଡୁଥିବା ରଂଗ ଆଉ ସେମିତି ଉତ୍କଟଭାବରେ ଦେଖାଯିବନି। ରଙ୍ଗକାମ ଆରମ୍ଭ କରିବା ଆଗରୁ ଏହାକୁ ଯେ ସୁନ୍ଦର ଆଉ ନିଖୁଣ ଭାବରେ ଶେଷ କରିପାରିବି ସେଇଭଳି କିଛି ଦୁଶ୍ଚିନ୍ତା ମୋ ଭିତରେ ନଥିଲା।ମୋର ଧାରଣା ଥିଲା ଦାଗଗୁଡିକ ଉପରେ ପରସ୍ତେ ରଂଗ ଚଢାଇଦେଲେ କାମଟି ହୋଇଯିବ।ସାଦାରଂଗର ଛାପ ତଳେ କଳା ଦାଗ ଚାପା ପଡିଗଲେ ନିଶ୍ଚିତ ଭାବରେ ଭଲ । ମୁଁ ସିଲିଙ୍ଗ୍ ରେ ଯେଉଁଠି କେଉଁକାଳର ବର୍ଷାର ଛାପଛାପ ଦାଗ ରହିଥିଲା ସେଇଠି ବ୍ରସ୍ ରେ ରଂଗ ନେଇ ଲଗାଇଥିଲି,ଦେଖୁଥିଲି ଛାତର କଳାଚିଆ ଦାଗ କେମିତି ଧଳା ରଂଗ ଭିତରେ ଲୁଚିଯାଇଛି। ମୁଁ ସେଇ ସମାନ ଉଜ୍ଜଳ ଧଳା ରଙ୍ଗକୁ ଲଗାଇବା ଆଗରୁ ସିଙ୍କ୍ ର ମଇଳା ଗାମଲାକୁ ଓଦାକନାରେ ପରସ୍ତେ ପୋଛି ନେଇଥିଲି,ତାହାର ତଳର ଠିଆ ଭାଗଟି ଯେ ଧୂସର ସେଥିରେ ଭାବିବାର କିଛି ନାହିଁ।

ସବାଶେଷରେ,ମୁଁ କରିଡର କୁ ଗଲି,ସାମ୍ନାର ଦରଜାରେ ରଙ୍ଗ ଦେବି। ବ୍ରସ୍ ର ପ୍ରତିଟି ଛୁଆଁରେ କଳାଚିଆ ଦାଗମାନ ଦୂର ହେବାକୁ ଲାଗିଲେ।ଖୁଣ ସବୁ ଲିଭି ଯିବାକୁ ବସିଲା। ଶକ୍ତ ଭାବରେ ଲଗାଯାଇଥିବା ନମ୍ବର ଗୁଡିକ ହଜିଗଲା,ସେଇ ଶୁଖିଲା ରକ୍ତଦାଗ ଭଳି କଳଙ୍କିଗୁଡିକ ଉଭାନ ହୋଇଗଲା । ମୁଁ କାମରୁ ଟିକିଏ ବିରତି ନେଇ ଭିତରକୁ ଗଲି,ମୋର ଏବେ ଦେହକୁ ଟିକିଏ ତାଜା ଆଉ ଉଷୁମ କରିବାକୁ ହେବ ଆଉ ଯେତେବେଳେ ମୁଁ ପ୍ରାୟ ଘଣ୍ଟାକ ପରେ ଫେରି ଆସି ସେଇଠି ଦେଖେ,ରଙ୍ଗ ତଳକୁ ଗଡିଯାଇଛି । ଭାରି ଅପରିଷ୍କାର ଦିଶୁଛି,ହୁଏତ ଏହାର କାରଣ ମୁଁ ଗୋଟିଏ ରୋଲର୍ ବଦଳରେ ବ୍ରସ୍ ର ବ୍ୟବହାର କରିଛି ଯେତେବେଳେ। ମୁଁ ପୁଣି ସେଇ ରଙ୍ଗର ଉପରେ ରଙ୍ଗ ଲଗାଇଲି। ଏଥର ଆଉ ଦାଗଗୁଡିକ ଦିଶୁନାହିଁ,ମୁଁ ଭିତରକୁ ଗଲି ଅପେକ୍ଷା କରିବି। ଘଣ୍ଟାକ ପରେ ପୁଣି କମ୍ବଳକୁ ଛାଡି ବାହାରି ଆସିଲି। ବାହାରେ ତୁଷାରପାତ ଆରମ୍ଭ ହୋଇଯାଇଛି। ବାହାରେ ଗଳିରେ ଅନ୍ଧାରର ପଦପାତ,ରାସ୍ତାର ଆଲୁଅଗୁଡିକ ତଥାପି ଜଳିବାକୁ ଆରମ୍ଭ କରିନି। ମୋର ଗୋଟିଏ ହାତରେ ରଙ୍ଗର ଡବା ଆଉ ଆର ହାତରେ ବ୍ରସ୍।ମୁଁ ନୀରବ ଦର୍ଶକ ଭଳି ସ୍ଥିର ଭାବରେ ଛିଡାହୋଇ ବାହାରର ତୁଷାରପାତକୁ ଦେଖିବାକୁ ଲାଗିଲି,ଶତ ଶତ ସାଦା ପର ଗୁଡିକ ଅତି କୋମଳ ଭାବରେ ଖସି ପଡୁଛନ୍ତି ତଳକୁ ଛାଇଁଦେବା ପାଇଁ।

ସାଦା କପଡା

ସଦ୍ୟଜାତ ଶିଶୁଟିର ଦେହକୁ ଗୋଟିଏ ତୁଷାରଶୁଭ୍ର କପଡାରେ ଘୋଡେଇ ଦିଆଯାଏ । ମାଆର ଗର୍ଭ କେତେ ଆରାମର ଥିଲା, ତେଣୁ ନର୍ସ ଶିଶୁଟିର ଦେହ ଚାରିପଟକୁ ସେଇ କପଡାରେ ଭଲଭାବରେ ଟାଣ କରି ଘୋଡାଇ ସେଥିରେ ଗଣ୍ଠି ପକାଏ,ଯାହା ଫଳରେ ଆଗାମୀ ସୀମାହୀନତାରେ ପ୍ରକ୍ଷିପ୍ତ ହେବାକୁ ଗଲାବେଳେ ତାହାକୁ ଯେମିତି ଟିକିଏ ବୋଲି ଆଘାତ ନଲାଗେ।

ଏଇମାତ୍ର ସେ ଶ୍ୱାସ ନେବାକୁ ଆରମ୍ଭ କରିଛି,ଜୀବନରେ ଏଇ ପ୍ରଥମଥର ତାହାର ଫୁସଫୁସ ଭିତରକୁ ପ୍ରବେଶକରିଛି ବାହାରର ବତାସ। ସେ ଜାଣେନାହିଁ ସେ କିଏ,ସେ କେଉଁଠି,ଏଇ ମାତ୍ର ଯେ କ’ଣ କିଛି ର ଆରମ୍ଭ ହୋଇଯାଇଛି । ସମସ୍ତ ଶିଶୁ ଜୀବମାନଙ୍କ ଭିତରେ ସବୁଠୁ ଅସହାୟ,ଏପରିକି ଗୋଟିଏ ମୁର୍ଗିଶାବକଠାରୁ ଅଧିକ ପ୍ରତିରକ୍ଷାବିହୀନ।

ମହିଳାଜଣକ ,ରକ୍ତ କ୍ଷରଣର କାରଣରୁ,ଅବଶ,
କାନ୍ଦୁଥିବା ଶିଶୁଆଡକୁ ମୁହଁ ବୁଲାଇ ଚାହେଁ। ଆବେଗାପ୍ଳୁତ ହୋଇ କପଡାରେ ଢଙ୍କା ହୋଇଥିବା ଶିଶୁଟିକୁ ସେ ଘୋଡାଇଦିଏ ନିଜର ବାହୁବନ୍ଧନରେ। ସେ ଜାଣିନାହିଁ କେମିତି ତାହାକୁ ତୁନି କରିବାକୁ ହେବ,ଯିଏ କିଛିକାଳ ଆଗରୁ ପ୍ରଚଣ୍ଡ ପ୍ରସବ ଯନ୍ତ୍ରଣା ଭୋଗୁଥିଲା। ଅପ୍ରତ୍ୟାଶିତ ଭାବରେ,ଶିଶୁଟିର କାନ୍ଦଣା ବନ୍ଦ ହୋଇଯାଏ। କିଛି ବାସ୍ନା ହୁଏତ । ଅଥବା ଏଇ ଦୁଇଜଣ ତଥାପି କୌଣସି ବନ୍ଧନରେ ସଂଯୁକ୍ତ ଅଛନ୍ତି,ଏହା କାରଣ ହୋଇପାରେ। ଯାହା ଏଯାଏଁ କୌଣସି ଦୃଶ୍ୟ ଦେଖିନାହିଁ ସେଇ କଜଳ କଳା ଆଖିଦୁଇଟି ର ଦୃଷ୍ଟି ମହିଳାର ଗଳାକୁ ଅନୁସରଣ କରି ତାହାର ମୁହଁ ଉପରେ ଆସି ପଡିଛି। ଦୁଇଜଣଯାକ ଏଇଲେ ବନ୍ଧନରେ,ଜାଣନ୍ତି ନାହିଁ କ’ଣ ଘଟିବାକୁ ଯାଉଛି।ନୀରବତାର ଭିତରେ ରକ୍ତର ଗନ୍ଧ। ଯେତେବେଳେ ଦୁଇଜଣଙ୍କ ଭିତରେ ଯାହା ରହିଥାଏ ତାହା ହେଉଛି ସେଇ ଘୋଡେଇ ଦିଆଯାଇଥିବା ସାଦାରଂଗର କପଡା।

ନବଜାତକର ଜାମା

ଶୁଣିଛି ଜନ୍ମନେବାର ଦିଘଣ୍ଟାର ସମୟ ଭିତରେ ମୋ ମାଆର ପ୍ରଥମ ସନ୍ତାନଟି ମରିଯାଇଥିଲା।

ଶୁଣିଛି ସେଇ ମୃତ ସନ୍ତାନଟି ଥିଲା ଗୋଟିଏ ଝିଅ,ତାହାରି ମୁହଁଟି ଥିଲା ବଙ୍କୁଲି ଚାନ୍ଦ ର ଚାଉଳପିଠା ଭଳି ଧୋବ ଫରଫର । ଯଦିଓ ଏଡିକିଟିଏ,ସମୟ ହେବାର ଦିମାସ ଆଗରୁ ଭୂମିଷ୍ଠ ହୋଇଥିଲା,ତଥାପି ତାହାର ଆକାର ଆକୃତି ଦେଖିବାକୁ ବେଶ୍ ସ୍ପଷ୍ଟ । ମାଆ ମୋତେ ଯାହା କହିଥିଲା ତାହାକୁ କେବେହେଲେ ଭୁଲିବି ନାହିଁ, ତାହାର ଦୁଇଟି ଯାକ ଗାଢ କଳା ଆଖିକୁ ସେ ଖୋଲିଲା ଆଉ ମୁହଁ ବୁଲାଇ ମୋ ମୁହଁକୁ ଖାଲି ଚାହିଁ ରହିଥିଲା।

ସେ ସମୟରେ ମୋର ବାବାମାଆ ସହରତଳି ଅଞ୍ଚଳରେ ଥିବା ଗୋଟିଏ ପ୍ରାଥମିକ ସ୍କୁଲ ନିକଟରେ ଥିବା ଗୋଟିଏ ଏକେଣା ଘରେ ରହୁଥିଲେ,ମୋ ବାପା ସେଇ ସ୍କୁଲରେ ଶିକ୍ଷକତା କରୁଥିଲେ। ମାଆର ପିଲାହେବର ସଂଭାବ୍ୟ ତାରିଖଟି ଥିଲା ଅନେକ ପରର,କାର୍ଯ୍ୟତଃ ସେ ପ୍ରସବ ପାଇଁ ପ୍ରସ୍ତୁତ ନଥିଲା। ହଠାତ୍ ଦିନେ ସକାଳୁ ସକାଳୁ ତାହାର ସ୍ରାବ ଆରମ୍ଭ ହେଲା । ଆଖପାଖରେ କେହି ନଥିଲେ। ଗାଆଁର ସେଇ ଗୋଟିକ ବୋଲି ଟେଲିଫୋନଟି ଥିଲା ସେଇଠୁ ପ୍ରାୟ କୋଡିଏ କିଲୋମିଟର ଦୂରରେ ଥିବା ବସଷ୍ଟାଣ୍ଡର ଗୋଟିଏ ଛୋଟ ଦୋକାନରେ। ବାବାଙ୍କର କାମରୁ ଫେରିବାକୁ ଥିଲା ଆହୁରି ଛଅ ଘଣ୍ଟା ବାକି ।

ଶୀତର ଆରମ୍ଭ,ବର୍ଷର ପ୍ରଥମ ତୁଷାରପାତ ହେଉଛି। ମୋର ବାଇଶବର୍ଷ ବୟସୀ ମାଆ ଗୁରୁଣ୍ଡି ଗୁରୁଣ୍ଡି ରୋଷେଇଘରକୁ ଯାଇଥିଲା ଆଉ କଇଁଚିଟିକୁ ବିଶୋଧନ ଆଉ ଜୀବାଣୁମୁକ୍ତ କରିବା ପାଇଁ ତାହାକୁ ଗରମ ପାଣିରେ ଭଲକରି ଫୁଟାଇ ନେଇଥିଲା। ସିଲେଇ ବାକ୍ସକୁ ଅରାଣ୍ଡି ,ସେଥିରୁ ସେ ପାଇଥିଲା କିଛି ସାଦାରଂଗର କପଡା ଯାହା ନବଜାତକର ଜାମା ହେବ। ତଳିପେଟର ତୀବ୍ର ସଂକୋଚନ ଆଉ ଭୟରେ ଥରଥର ହୋଇ ସେ ସେଇ କପଡାଟିକୁ ସିଲେଇ କରିବାକୁ ଲାଗିଲା,ଆଖିରୁ ତା’ର ଟପଟପ ଲୁହ ଝରୁଥାଏ
ତାହାରି ଭିତରେ ସେ ଛୋଟିଆ ଜାମା ଖଣ୍ଡିଏ ସିଲେଇ କରି ପାରିଥିଲା,ତାହାପରେ ଖୋଜି ବାହାରକରିଥିଲା ଆଉ ଖଣ୍ଡିଏ ପତଳା କମ୍ବଳ ଯେଉଁଥିଲା ନବଜାତକକୁ ଘୋଡେଇ ଦିଆଯାଇପାରିବ ଆଉ ପ୍ରସବ ଯନ୍ତ୍ରଣା ବଢିଗଲେ ସେ ନିଜର ଦାନ୍ତକୁ ଥରକୁ ଥର କାମୁଡି ଧରୁଥିଲା,ଥରକୁ ଥର ପ୍ରସବ ଯନ୍ତ୍ରଣା ଅଧିକରୁ ଅଧିକ ତୀବ୍ର ହେଉଥାଏ।

ଅବଶେଷରେ,ସେ ଜନ୍ମ ଦେଲା,ତଥାପି ଏକା ,ସେ ନିଜେ ନାହିଁନାଡକୁ କାଟିଥିଲା । ରକ୍ତ ସାଲୁବାଲୁ ଛୋଟିଆ ଦେହଟିକୁ ସେ ପିନ୍ଧାଇ ଦେଇଥିଲା ନିକଟରେ ତିଆରି କରିଥିବା ସେଇ ଛୋଟିଆ ଜାମା ଖଣ୍ଡିକ ,ତାହାପରେ ତାହାକୁ ଆଉଜାଇଆଣିଥିଲା ନିଜର କୋଳକୁ।ଈଶ୍ୱରଙ୍କ ରାଣ,ତୁ ମରଣକୁ ଯାଆ ନା,ମନ୍ତ୍ର ଭଳି ସେ ଅତି ଆସ୍ତେ ତାହାର ନିକଟରେ ବାରଂବାର ଉଚ୍ଚାରଣ କରୁଥିଲା । ଏମିତି ଘଣ୍ଟାଏ ବିତିଗଲା । ଶକ୍ତ ଭାବରେ ଏକାଠି ଲାଗିରହିଥିବା ଶିଶୁର ଆଖିର ପତା ଦୁଇଟି ହଠାତ୍ ଖୋଲି ଯାଇଥିଲା । ମୋ ମାଆର ଆଖି ଯେତେବେଳେ ତାହାର ସନ୍ତାନର ଆଖିକୁ ଭେଟେ ,ତାହାର ଓଠଟି ଆଉଥରେ ଟିକିଏ କୁଞ୍ଚିତ ହୋଇ ଯାଇଥିଲା। ଈଶ୍ୱରଙ୍କ ରାଣ,ମରଣକୁ ଯାଆ ନା। ପ୍ରାୟ ଘଣ୍ଟାକର ପରେ ପିଲାଟି ମରିଗଲା।ସେମାନେ ସେଇଠି ରୋଷେଇଘରର ଚଟାଣରେ ପଡି ରହିଥିଲେ,ମୋ ମାଆ ଆଉ ଆରପଟେ ଛାତିରେ ଜାବୁଡି ଧରିଥିବା ତାହାର ମୃତ ସନ୍ତାନ,ଶୀତଳତା ତାହାର ବେଶ୍ ଗହୀରକୁ ଭେଦି ଯାଉଥିଲା,ଶରୀରର ହାଡକୁ, ମାଂସକୁ। ଆଉ କୌଣସି କାନ୍ଦଣା ନାହିଁ।

ଚାନ୍ଦ ପରିକା ଚାଉଳ ପିଠା

ଗଲା ବସନ୍ତରେ,ମୋତେ କିଏ ଜଣେ ପଚାରିଥିଲେ “ଯେତେବେଳେ ମୁଁ ପିଲା ଥିଲି ,ମୋର କ’ଣ କିଛି ଏମିତି ବିଶେଷ ଅନୁଭବ ରହିଛି ଯାହା ମୋତେ ସବୁବେଳେ ନିକଟତର କରି ରଖୁଛି ଦୁଃଖର ?” କୌଣସି ରେଡିଓ ସାକ୍ଷାତକାର ନିମନ୍ତେ।

ଏଇ ପ୍ରଶ୍ନଟିର ସମ୍ମୁଖୀନ ହେବାବେଳେ,ଯାହା ପ୍ରଥମେ ମୋ ମନକୁ ଆସିଥିଲା ତାହା ଥିଲା ମୃତ୍ୟୁ। ଏଇଟି ଏପରି ଗୋଟିଏ ଗଳ୍ପ ଯାହାକୁ ମୁଁ ଶୁଣି ଶୁଣି ବଡ ହୋଇଛି। ସବୁଠୁ ଛୋଟ ଜୀବଟିର ସବୁଠୁ ବଡ ଅସହାୟତା। ଏଡେ ବକଟେ ସୁନ୍ଦରିଆ ପିଲା,ବଙ୍କୁଲି ଚାନ୍ଦ ଭଳି ଚାଉଳ ପିଠା ପରି ତୋଫା ଧଳା। କେମିତି ମୁଁ ଜନ୍ମ ହୋଇ ପଡିଥିଲି ଆଉ ବଢି ଆସିଥିଲି ସେଇ ମରଣ ଥାନରେ।

“ବଙ୍କୁଲି ଚାନ୍ଦର ଚାଉଳ ପିଠା ଭଳି ତୋଫା ଧଳା” ଏମିତିରେ କିଛି ଅର୍ଥ ନଥିଲା ମୋପାଇଁ ସେ ପର୍ଯ୍ୟନ୍ତ,ଛଅ ବର୍ଷ ବୟସ ହେଲା,ମୁଁ ଚୁଶେଓକ ଠାରେ ଚାଉଳ ପିଠା ତିଆରି କରିଦେବା ଭଳି ବଡ ହୋଇଗଲି, ଜାଣିଗଲି ଏମିତି ବଙ୍କୁଲି ଚାନ୍ଦ ଭଳି ପିଠା ଗଢିବା ପାଇଁ କେମିତି ପିଠୋଉ ବଟା ଯାଏ। ବାମ୍ଫରେ ବସାଇବା ଆଗରୁ , ଚାଉଳ ପିଠୋଉର ଏଇ ତୋଫା ଧଳାର ଆକାର ଏଡିକି ସୁନ୍ଦର ଦିଶେ ଯେ ମନେହୁଏ ତାହା ଯେମିତି ଏଇ ପୃଥିବୀର ପଦାର୍ଥ ନୁହଁ। ତାହାପରେ ,ଏହାକୁ ପ୍ଲେଟ୍ ରେ ରଖି ତାହାର ଉପରେ ସରୁ ପାଇନ୍-ପତ୍ରରେ ସଜାଇନେବା ପରେ ଲାଗେ ଏହା ଯେମିତି ଗୋଟିଏ ହତାଶା,ନିହାତି ସାଧାରଣ ପଦାର୍ଥ। ସୋରିଷ ତେଲରେ ତାହାକୁ ଭାଜିବା ବେଳେ,ତାହାର ରଙ୍ଗ ତାହାର ମୂଳ ଉପାଦାନ ଉତ୍ତାପ ଆଉ ବାମ୍ଫ ଦ୍ୱାରା ବଦଳି ଯାଇଥାଏ,ସେସବୁ ପାଟିକୁ ସୁଆଦ ଲାଗେ,ଯଦିଓ,ହେଲେ ତାହାର ଅତୀତର ସୁନ୍ଦରପଣ ଆଉ ସେଥିରେ ନଥାଏ।

ତେଣୁ ଯେତେବେଳେ ମୋ ମାଆ କହିଲା,” ଚାଉଳପିଠା ଭଳି ତୋଫା ଧଳା” ମୋ ମନକୁ ଆସିଥିଲା ଯେ ସେ ବାମ୍ଫରେ ଚଢିବା ଆଗର ଚାଉଳପିଠା ର କଥା କହୁଛି। ଗୋଟିଏ ମୁହଁ ସେଇମିତି ଉଜ୍ଜଳ ଆଉ ପବିତ୍ର। ଏଇ ସବୁ ଭାବନା ମୋ ହୃଦୟକୁ ରୁନ୍ଧି ଦେଇଥିଲା,ଯେମିତି ଏହା ଉପରେ କେଉଁ ଏକ ବିଶାଳ ଲୁହାଖଣ୍ଡର ଚାପ ପଡୁଛି।

ଗଲା ବସନ୍ତରେ,ରେକର୍ଡିଂ ଷ୍ଟୁଡିଓରେ, ମୁଁ ଏହାର ବିଷୟରେ କିଛି କହି ନଥିଲି। ତାହା ବଦଳରେ ମୁଁ ମୋର ପୋଷା କୁକୁରର କଥା କହିଥିଲି,ମୋତେ ପାଞ୍ଚ ବର୍ଷ ହେଲାବେଳକୁ ସେ ମରିଯାଇଥିଲା। ସେ ଥିଲା ଗୋଟିଏ ଅତ୍ୟନ୍ତ ବୁଦ୍ଧିମାନ କୁକୁର,ମୁଁ କହିଥିଲି,ଗୋଟିଏ ମିଶା ପ୍ରଜାତିର ଥିଲା ସେ,ହେଲେ ସେଥିରୁ ସେ ଆଂଶିକ ଭାବରେ ବିଖ୍ୟାତ ଜିନ୍ଦୋ ବ୍ରିଡ୍ କୁ ବହନ କରୁଥିଲା। ମୋ ପାଖରେ ଏବେ ବି ଆମ ଦୂଇଜଣଙ୍କର ଗୋଟିଏ କଳାଧଳା ଫଟୋ ରହିଛି,ଆବେଗଘନ ମୁହୂର୍ତର ଉଠାଇଯାଇଥିବା ଗୋଟିଏ ଫଟୋ ,ହେଲେ
ଆଶ୍ଚର୍ଯ୍ୟର କଥା,ମୁଁ ତାହାକୁ କେବେହେଲେ ବଞ୍ଚିଥିବାର କଥା ବୋଲି ମନେ କରିପାରୁନାହିଁ । ମୋର କେବଳ ପରିଷ୍କାର ମନେ ଅଛି ସେଦିନର ସେଇ ସକାଳ ଯେତେବେଳେ ସେ ମରିଯାଇଥିଲା।
ଧଳା ବାଲୁବାଲୁ ଲୋମ,ଗାଜ କଳା ଆଖି ନାକପୁଡା ଦୁଇଟି ସବୁବେଳେ ଓଦା। ତାହାପରଠାରୁ ମୋ ଭିତରେ କୁକୁରମାନଙ୍କ ପ୍ରତି ଘୃଣା ବଢିବାକୁ ଲାଗିଲା, ତାହା ଏଯାଏଁ ରହିଛି। ନରମ ଲୋମକୁ ଆଉଁଷି ଦେବା ବଦଳରେ ମୋ ହାତ ପଛପଟରେ ଠିକ୍ ଛନ୍ଦି ହୋଇ ଯାଉଛି ।

କୁହୁଡି


କାହିଁକି ପୁରୁଣା ସ୍ମୃତିମାନେ ନିରନ୍ତର ଏଇଠିକୁ ଏଇ ଅଜଣା ସହରକୁ ବହି ଆସିଥାନ୍ତି ?

ମୁଁ ଯେତେବେଳେ ସହରର ରାଜରାସ୍ତାରେ ଯାଉଥାଏ,ମୋତେ ଅତିକ୍ରମ କରି ଯାଉଥିବା କଥାକୁହା ଲୋକର ଯେତିକି କଥାବାର୍ତ୍ତା ମୋତେ ଟାଣି ଆଣିଥାଏ,ସେଇ ଶବ୍ଦମାନ ପୁରାପୁରି ସେଇ ସହରର ଆଉ ଦୋକାନରେ ଥିବା ଚିହ୍ନଗୁଡିକ,ଏ ସମସ୍ତ ସଂପୂର୍ଣ୍ଣ ଦୁର୍ବୋଧ୍ୟ। ବେଳେ ବେଳେ ଦେହକୁ ମନେହୁଏ ବନ୍ଦୀଶାଳା,ଗୋଟିଏ ଦୃଢ,ଚଳମାନ ଦ୍ୱୀପପୁଞ୍ଜ,ଲୋକଗହଳୀରେ ଗତିଶୀଳ। ଗୋଟିଏ ନିବୁଜ କୋଠରୀ ମୋର ଜୀବନଯାକର ସ୍ମୃତିରେ ଭରପୁର ଆଉ ସେ ସବୁ ମୋର ମାତୃଭାଷାଠାରୁ ଅଭିନ୍ନ। ପୃଥକ ହେବାଟି ଯେତିକି ଯେତିକି ଦୃଢ ହେଉଥାଏ ,ଏଇ ଅଦେଖା ଖଣ୍ଡଗୁଡିକ ସେତିକି ସେତିକି ପ୍ରଖର ହେବାକୁ ବସନ୍ତି,ସେମାନଙ୍କର ଭାର ଅଧିକରୁ ଅଧିକ ବେଦନାଦାୟକ ହେଉଥାଏ। ସେଇଥିପାଇଁ ଲାଗେ ଯେଉଁ ଯାଗାକୁ ମୁଁ ଉଡି ଆସିଛି ସେଇଟି ପୃଥିବୀର ଆରପାଖର ସହରଟିଏ ନୁହଁ ଅଥବା ମୋର ନିଜର ଗଭୀର ଅଭ୍ୟନ୍ତର ନୁହଁ।

ସକାଳର ଆଦ୍ୟକାଳ,ସହର ନିଜକୁ ଘୋଡେଇ ନେଇଛି କୁହୁଡିରେ।

ଆକାଶ ଆଉ ପୃଥିବୀର ମଝିରେ ଥିବା ସୀମାରେଖାକୁ ପୋଛିଦିଆଯାଇଛି। ମୋର ଝରକା ଦେଇ କେବଳ ଯେଉଁ ଦୃଶ୍ୟଟି ଉପଲବ୍ଧ ତାହା ଦୁଇଟି ପପଲର୍ ଗଛର ନିର୍ଦ୍ଦେଶିତ ଅସ୍ପଷ୍ଟ ଆକୃତି,ଚାରି ପାଞ୍ଚ ମିଟର ଦୂରରେ ଲୁଚିଯାଇଥିବା ରାସ୍ତାରୁ କାଳିଧୂଆ ରେଖାଙ୍କନ; ଏସବୁ ଧଳା। ହେଲେ ଆମେ କ’ଣ ଏହାକୁ ଧଳାରଂଗର ବୋଲି କହିପାରିବା ? ସେଇ ବିଶାଳ, ଏଇ ପୃଥିବୀ ଆଉ ଅନ୍ୟତ୍ର ମଧ୍ୟରେ ତରଙ୍ଗାୟିତ ନୈଃଶବ୍ଦ, ଭିଜା କଳା ଅଂଧାରରେ ତିଆରି ପ୍ରତିଟି ଜଳବିନ୍ଦୁ।

ମୁଁ ମନେ ପକାଇଥିଲି ଅନେକ ଦିନ ତଳର ଏକ ସକାଳକୁ ଗୋଟିଏ ଦ୍ୱୀପରେ,ସେତେବେଳର କୁହୁଡି ଆଜି ପରି ବି ଘନ ଥିଲା। ଗୋଟିଏ ଦଳରେ ଅନ୍ୟମାନଙ୍କ ସହିତ ଗୋଟିଏ ତୀଖାପଥରେ ଯିବାକୁ ହେଉଥିଲା। ପାଇନ୍ ଗଛମାନେ ଦେଖାଯାଉଥାନ୍ତି ପୁଣି ଆଖି ଆଗରୁ ଅଦୃଶ୍ୟ ହୋଇଯାଉଥାନ୍ତି। ଉତ୍ତୁଙ୍ଗ ଶେତା ପଡିଯାଇଥିବା ତୀଖ। ମୋର ସହଯାତ୍ରୀମାନଙ୍କର ମୁଣ୍ଡର ପଛପଟ ଗାଢ କୁହୁଡିର ସମୁଦ୍ରରେ ଲେଉଟି ଯାଉଥିବା ଅନ୍ଧାରୁଆ ଜୁଆର ଭଳି ଦିଶୁଥିଲା ବିଚିତ୍ର ଆଉ ଭୟାବହ।କିନ୍ତୁ ଯେବେ ମୁଁ ପୁଣି ତା’ପରଦିନ ଉପରଓଳି ଚାଲି ଆସୁଥିବା ବେଳେ ମୋତେ କେମିତି ଗୋଟିଏ ସାଧାରଣ ଦୃଶ୍ୟ ଦେଖାଇଥିଲା ସେଇ ସମାନ ବାଟ। ଯାହାକୁ ମୁଁ କଳ୍ପନା କରୁଥିଲି ଏକ ରହସ୍ୟମୟ ଜଳାଭୂମୀ ବୋଲି ତାହା ଥିଲା ଗୋଟିଏ ଶୁଖିଲା ଧୂଳିଭରା ଖାଲ। ପାଇନ ଗଛଗୁଡିକ ଅପାର୍ଥୀବ ମନେ ହେଉଥିଲେ ଖଣ୍ଡ ଖଣ୍ଡ ଓଲାରି ଆଣିଥିବା ଦୃଶ୍ୟପଟରେ,ସେମାନଙ୍କୁ ତାରଘେରା ବାଡର ଭିତରେ ସ୍ୱତନ୍ତ୍ର ଭାବରେ ଅଲଗା କରି ରଖାଯାଇଥିଲା। ସମୁଦ୍ରର ଗାଢ ନୀଳ ରେ ପର୍ଯ୍ୟଟକର ପୋଷ୍ଟକାର୍ଡର ଚମକ। ସମସ୍ତେ ନିଜ ନିଜର ଘେରାକୁ ଫେରି ଆସିଛନ୍ତି,ନିଜର ନିଶ୍ୱାସ ପ୍ରଶ୍ୱାସକୁ ଚାପି ଧରିଛନ୍ତି । ନିଃଶ୍ୱାସ ପ୍ରଶ୍ୱାସକୁ ଚାପି ଧରିଛନ୍ତି ଆଉ ଅପେକ୍ଷାରେ ରହିଛନ୍ତି ପରବର୍ତ୍ତି କୁହୁଡିର ।

ଏଇ ସହରର ଭୂତମାନେ କରନ୍ତି କ’ଣ,ଏଇ ନୀରବ ବଡି ଭୋର୍ ରେ ?

ଚୁପଚାପ ଖସି ଆସି କୁହୁଡିର ଭିତରେ ଚାଲିବା ଯାହା ଚାପିଧରିଛି ତାହାର ନିଃଶ୍ୱାସପ୍ରଶ୍ୱାସକୁ ଆଉ ଅପେକ୍ଷାରେ ଅଛି।

ସେମାନେ କ’ଣ ପରସ୍ପରକୁ ଅଭିନନ୍ଦନ ଜଣାଇଥାନ୍ତି ତାହାର ଫାଙ୍କରେ ,ସେଇ ଜଳକଣା ଯାହା ଧଉଳାଇ ଦେଇ ସେମାନଙ୍କର ଗଳାର ସ୍ୱରକୁ କରିଦେଇଥାଏ ସାଦା ? ସେମାନଙ୍କର ନିଜର କିଛି ମାତୃଭାଷାରେ,ଅନ୍ୟ କାହାର ଅର୍ଥ ମୋ ଠାରୁ ଅପସରି ଯାଏ ? ଅଥବା ସେମାନେ କ’ଣ ସେମାନଙ୍କର ମୁଣ୍ଡ କୁ ଟିକିଏ ହଲାଇଦେଉଥାନ୍ତି,ବିନା ପ୍ରୟୋଜନରେ ଶବ୍ଦର ?

ଧବଳ ସହର


ମୁଁ ଏଇ ସହରର କିଛି ଫୁଟେଜ୍ ଦେଖିଛି,୧୯୪୫ ର ବସନ୍ତ କାଳରେ ଆମେରିକାର ଗୋଟିଏ ଏୟାରକ୍ରାଫ୍ଟ ଦ୍ୱାରା ତାହା ଗୃହୀତ ହୋଇଥିଲା। ସହରର ପୂର୍ବପଟେ ଥିବା ସ୍ମୃତି ଭବନର ପ୍ରଥମ ମହଲାର ପ୍ରୋଜେକ୍ସନ ହଲ୍ ରେ ସେଇ ଫିଲ୍ମଟିର ସ୍କ୍ରିନିଂ ହୋଇଥିଲା । ସବଟାଇଟଲ୍ସ ରେ ଥିଲା ଯେ ଛଅମାସର ଗୋଟିଏ ସମୟ ଧରି,ଅକ୍ଟୋବର ୧୯୪୪ ରୁ ଆରମ୍ଭ,ସହରର ପ୍ରାୟ ଶତକଡା ୯୫
ଚିହ୍ନବର୍ଣ୍ଣକୁ ଅବଲୁପ୍ତ କରାଯାଇଥିଲା। ଇଏ ସେହି ସହର ,ଯାହାର ଲୋକମାନେ ନାଜିମାନଙ୍କ ବିରୁଦ୍ଧରେ ଯାଇଥିଲେ,ଏଇଠୁ ସେପ୍ଟେମ୍ବର ୧୯୪୪ ରେ ନାଜୀ ସୈନିକ ମାନଙ୍କୁ ବାହାର କରିଦିଆଯାଇଥିଲା ଆଉ ଇଏ ହେଉଛି ସେହି ସହର ଯେଉଁଠି ମାସଟିଏ ଧରି ସିଭିଲିଆନ୍ ଙ୍କ ସରକାର ପ୍ରତିଷ୍ଠିତ ହୋଇଥିଲା,ସେଇଥିପାଇଁ ତ ହିଟଲର୍ ର ନିଷ୍ପତ୍ତି ଥିଲା ଗୋଟିଏ ଉଦାହାରଣ ରଖିଯିବା ପାଇଁ , ଯେ କୌଣସି ଉପାୟ ଅବଲମ୍ବନ କରି ଏହାକୁ ଓଳାଇ ପୁରାପୁରି ସଫା କରିଦେବାର ଆବଶ୍ୟକତା ରହିଛି।

ଫିଲ୍ମଟି ଯେତେବେଳେ ଆରମ୍ଭ ହୁଏ , ବହୁତ ବହୁତ ଉପରୁ ସହରଟି ଦେଖାଯାଉଥିଲା ଯେମିତି ତାହା ବେଶ୍ ବରଫାବୃତ୍ତ । ଗୋଟିଏ
ଧୂସର -ଧବଳ ତୁଷାର ବା ବରଫର ଚାଦର ଯାହାର ଉପରେ ପଡିଛି ଅଳନ୍ଧୁକୁ ଓଳାଇନେଉଥିବା ଭଳି କିଛି ଆଲୁଅ,ଛଉଛଉକା ଦାଗରେ ଏହାକୁ ନଷ୍ଟ କରିଦେଉଛି। ସମତଳ ଦିଗବଳୟଠାରୁ ନିଜର ଦୂରତ୍ୱକୁ ସଂକୁଚିତ କରିଦେଇଛି ଆଉ ସହରର ଲୋକମାନଙ୍କର ମୁଖମଣ୍ଡଳ ତୀକ୍ଷ୍ଣ। ସେଇଠି ବରଫର ଆବରଣ ନାହିଁ ,ନାହିଁ ଅଳନ୍ଧୁ ଭରା ବରଫ। କୋଠାବାଡିଗୁଡିକ ବିଧ୍ୱସ୍ତ,ଆକ୍ଷରିକ ଭାବରେ ଚୁନଚୁନା। ଆଖି ପାଉଥିବା ଯାଏଁ ଧ୍ୱଂସଗ୍ରସ୍ତ ପଥରରୁ ଫୁଟି ଉଠୁଥିବା ଧବଳପ୍ରଭାର ଉପର ଦାଗଗୁଡିକରେ କଳାଚିଆ ପଡିଆସିଛି,ଚିହ୍ନିତ କରୁଛି ଠିକ୍ କେଉଁ ସ୍ଥାନ ଗୁଡିକରେ ପୋଡାଜଳା ହୋଇଥିଲା।

ବସ୍ ରେ ମୋ ଆପାର୍ଟମେଣ୍ଟକୁ ଫେରିବାବେଳେ,ମୁଁ ପାର୍କ ରେ ଓହ୍ଲାଇଥିଲି,ଶୂଣିଛି ଯେ ଏହାର ଭିତରେ ରହିଛି ଗୋଟିଏ ନିହାତି ପୁରୁଣା ଦୁର୍ଗ। ଏହାର ଗଛପତ୍ର ଘେରା ବନସ୍ଥାଳୀରେ କିଛି ବାଟ ଚାଲିବା ପରେ,ମୁଁ ପହଞ୍ଚିଥିଲି ଗୋଟିଏ ପୁରୁଣା ହସପିଟାଲ୍ ର କୋଠାଘର ନିକଟରେ। ୧୯୪୪ ର ବୋମାବର୍ଷୀ ଆକ୍ରମଣ ପରର ଏହା ଏକ ନିଷ୍ଠାପର ପୁନର୍ଗଠନ ,ଏହା ଆଉ ହସପିଟାଲ ଆକାରରେ ବ୍ୟବହୃତ ହେଉନାହିଁ ବରଂ ଏହା ଗୋଟିଏ ଆର୍ଟ ଗ୍ୟାଲେରୀ ଏଇଲେ। ମୁଁ ଯେତେବେଳେ ଏହାର ସଂକୀର୍ଣ୍ଣ ପାଦଚଲା ବାଟରେ ଯାଉଥିଲି,
ଚାରିପଟର ଗଛଗୁଡିକ ସବୁ ପରସ୍ପର ସହିତ ଛନ୍ଦାଛନ୍ଦି ହୋଇ ରହିଥାନ୍ତି,ପକ୍ଷୀମାନଙ୍କର କଂପିତ ଡାକ ମୋତେ ଭରତିଆ ପକ୍ଷୀ ମନେ ପକାଇଦେଇଥିଲା,ମୋତେ ଲାଗିଲା ଏଇସବୁ ଜିନିଷ ଯେମିତି ଏକଦା ମରଣରେ ରହିଥିଲେ ।ଏଇ ଗଛବୃଚ୍ଛ,ପକ୍ଷୀକୂଳ,ବାଟଘାଟ,ସହରର ରାଜରାସ୍ତା,କୋଠାବାଡି ଟ୍ରାମଗାଡି, ଆଉ ଏଇ ସମସ୍ତ ଲୋକବାକ।

ଏଇ ସହରରେ ଆଉ କିଛି ନଥିଲା ଯାହା ସତୁରି ବର୍ଷରୁ ଅଧିକ ହେବ। ପୁରୁଣା ଘରଗୁଡିକର ସୁରକ୍ଷିତ ଦୁର୍ଗ,ଐଶ୍ୱର୍ଯ୍ୟମଣ୍ଡିତ ରାଜପ୍ରାସାଦ,
ହ୍ରଦକୂଳରେ ଥିବା ଭିଲ୍ଲା ଯେଉଁଠି ରାଜବଂଶଜମାନେ ଗ୍ରୀଷ୍ମବିହାର କରୁଥିଲେ-ଏ ସମସ୍ତ ନକଲି। ସେଇଠି କିଛି କିଛି ନୂଆ ହୋଇଛି,ଅତ୍ୟନ୍ତ ଯତ୍ନର ସହିତ ଏପରି ପୁନଃନିର୍ମାଣ ହୋଇଅଛି,ଫଟୋଗ୍ରାଫଗୁଡିକୁ ଦେଖି,ଛବି ଏବଂ ମାନଚିତ୍ରକୁ ସାମ୍ମାରେ ରଖି। କେଉଁଠି ଗୋଟିଏ ଗୋଟିଏ ଖମ୍ବ ଅଥବା ହୁଏତ କୌଣସି କାନ୍ଥର ତଳ ଭାଗ ସେମିତି ରହିଯାଇଅଛି,ସେ ସବୁକୁ ସଂଯୋଜିତ କରାଯାଇଛି ନୂତନ ନିର୍ମାଣ ସହିତ। ଯେଉଁ ପାଚେରୀଟି ପୁରୁଣା ଠାରୁ ନୂଆକୁ ଅଲଗା କରେ,ତାହାରି ଉପର ଭାଗ ସମସ୍ତ ବିଧ୍ୱଂସର ସାକ୍ଷୀ,ତାହା କିନ୍ତୁ ପୁରାପୁରି ଉନ୍ମୁକ୍ତ।

ସେଦିନ,ମୁଁ ପାର୍କରେ ଚାଲିଯାଉଥିବା ବେଳେ,ଏପରି ହୋଇଥିଲା ଯେ ସେ ପ୍ରଥମେ ମୋ ମନକୁ ଆସିଥିଲା।

ଏମିତି ଜଣେ ସେ ଯିଏ ଏଇ ସହର ଭଳି ସମିନ ଭାଗ୍ୟ ଭୋଗିଛି। ଯିଏ ଗୋଟିଏ ସମୟରେ ମରିଯାଇଛି ଅବା ଧ୍ୱଂସ ପାଇଯାଇଛି। ଯିଏ ସେଇ ଅଗ୍ନିଗ୍ରସ୍ତ ଧ୍ଵଂସସ୍ତୂପର ଆଧାରକୁ ନେଇ ଯତ୍ନର ସହିତ ତାହାରି ଉପରେ ଆପଣାକୁ ପୁନଃନିର୍ମାଣ କରିଛି । ଯିଏ ଏବେ ଯତପରୋନାସ୍ତି ନୂତନ । ଯିଏ , କିଛି ଭଂଗା ଅଂଶ ଚନ୍ଦ୍ରଶାଳାର ଅବଶିଷ୍ଟ ଅଛି,ପାଲଟି ଯାଇଛି ଏକ ଅଦ୍ଭୁତ ନକ୍ସା,ଏକ ନୂତନ ପୁରୁଣାଠାରୁ ସ୍ୱତନ୍ତ୍ର।

ଅଂଧାରରେ କିଛି ନିର୍ଦ୍ଦିଷ୍ଟ ପଦାର୍ଥ

କିଛି କିଛି ପଦାର୍ଥ ଅଂଧାରରେ ଧଳା ଦିଶିଥାନ୍ତି।

ଯେବେ ଅଂଧକାର ସବୁଠାରୁ ଅସ୍ପଷ୍ଟ ଆଲୁଅ ସହ ମିଳିତ ହୋଇଥାଏ,ଏପରିକି ସେଇ ସବୁ ପଦାର୍ଥ ଅନ୍ୟ ସମୟରେ ଧଳା ଦିଶିବ ନାହିଁ ତାହା ଅସ୍ପଷ୍ଟ ମଳିନତାରେ ବି ଉଜ୍ଜଳି ଉଠେ।

ରାତିରେ,ଶୋଇବା ଘରର ଗୋଟିଏ କୋଣରେ ମୁଁ ସୋଫାକୁ ଲମ୍ବାଇ ଶେଜ କରିଥିଲି ଆଉ ତାହାରି ଉପରେ କ୍ଷୟିଷ୍ଣୁ ଆଲୁଅକୁ ଚାହିଁ ଚାହିଁ ଶୋଇଗଗ ରହିଥିଲି। ଶୋଇବା ପାଇଁ ଚେଷ୍ଟା କରିବା ବଦଳରେ ,ମୁଁ ଅପେକ୍ଷାରେ ଥାଏ,ମୋର ସମସ୍ତ ଇନ୍ଦ୍ରୀୟ ଯେମିତି ସମୟ ର ପ୍ରବହମାନତା ସହିତ ସମସ୍ୱର । ଝରକା ବାହାରେ ଥିବା ଗଛଗୁଡିକ ସେମାନଙ୍କର ସିଲହଟକୁ ଛାପି ଦେଇଛନ୍ତି ଧଳା ପ୍ଲାଷ୍ଟର ର ପାଚେରୀ-କାନ୍ଥ ଉ ଉପରେ। ମୁଁ ତାହାର କଥା ମନେ ପକାଇଲି ଯିଏ ଏଇ ସହର ପରି ଦେଖାଯାଏ,ଖୋଜିବୁଲିଲି ତାହାର ମୁହଁର ଛାଞ୍ଚ । ଅପେକ୍ଷା କରୁଥିଲି କେତେବେଳେ ତାହାର ବାହ୍ୟରେଖା ସବୁ ମିଳାଇଯିବ,କେତେବେଳେ ମୁଁ ସମର୍ଥ ହେବି ପଢିପାରିବାକୁ ତାହାର ସେଇ ଭଙ୍ଗୀଟିକୁ ଯେ ଅସଲରେ ସେ କ’ଣ କହିବାକୁ ଚାହୁଁଛି ?

ଆଲୁଅ ଆଡକୁ

ଏଇ ସହରରେ ଜନ୍ମିତ ଜଣେ ବ୍ୟକ୍ତିବିଶେଷ ଦ୍ୱାରା ଲିଖିତ ଗୋଟିଏ ବୃତ୍ତାନ୍ତ କୁ ପଢୁଥିଲି ,ଯେଉଁଥିରେ ସେ ଦାବୀ କରିଛନ୍ତି ଯେ ସେ ଯେତଦୂର ମନେପକାଇ ପାରୁଛନ୍ତି ସେ ସେତେଦିନରୁ ଏଇ ସହରରେ ବସବାସ କରିଆସୁଛନ୍ତି,ସାଥିରେ ତାଙ୍କର ରହିଛି ତାଙ୍କର ବଡଭାଇର ଆତ୍ମା,ଛଅ ବର୍ଷର ବୟସ ବେଳେ ଯାହାର ମରଣ ଗୋଟିଏ ଇହୁଦୀ ବସ୍ତି (ଘେତୋ)ରେ ହୋଇଥାଏ। ସେଇ ପିଲାଟିର ଗଳାର ସ୍ୱର ତାହାକୁ ମଝିରେ ମଝିରେ ଶୁଭେ,ସେ କହୁଥିଲା,ଯାହାର ନଥାଏ କୌଣସି ଆକାର କି କୌଣସି ସୂକ୍ଷ୍ମଗଢଣ। ଏହା ଛଡା,ସେଇ ଭାଷା ଅଦ୍ଭୁତ ବିଦେଶୀୟ କୌଣସି ଭାଷା ଯାହାକୁ ବୁଝି ହେଉନଥାଏ,ଯେହେତୁ ତାହାକୁ ଗୋଟିଏ ବେଲଜିୟମବାସୀ ଦମ୍ପତ୍ତି ପୋଷ୍ୟପୁତ୍ର କରିନେଇଥିଲେ ଆଉ ସେଇ ଦେଶରେ ସେ କହିବାକୁଗଲେ ବଢି ଆସିଥିଲା,ଏହାର ଅର୍ଥ ଯେ ସେ ପ୍ରଥମରୁ ଏକଥାକୁ ସ୍ପଷ୍ଟ କରିଦେବାକୁ ଚାହୁଁ ନଥିଲା ଯେ କହୁଥିବା ଗଳାଟି ତାହାର ଭାଇର ହେବ। ଏହା ହୁଏତ ଏକ ଜାଗ୍ରତକାଳର ସ୍ୱପ୍ନ,ସେ ଭାବୁଥିଲା,ଯେଉଁଠି ସବୁକଥା ବାରଂବାର ଘଟିତ ହେବା ପାଇଁ ଅଭିଶପ୍ତ ଅଥବା ଏହା ଏକପ୍ରକାର ଅସଂଲଗ୍ନତାର ଲକ୍ଷଣ।ଯେତେବେଳେ ,ତାହାର ବୟସ ଅଠର,ସେ ଶେଷରେ ତାହାର ପାରିବାରିକ ଇତିହାସକୁ ପଢିବାକୁ ଆସେ,ସେ ସେଇ ଦେଶ ଭାଷାକୁ ପଢିବାକୁ ଆରମ୍ଭ କରିଥିଲା,ଏଇକଥାକୁ ବୁଝିବା ପାଇଁ ଯେ ଅସଲରେ ସେଇ ଆତ୍ମାଟି ତାହାକୁ କହୁଛି କ’ଣ । ଏବଂ ସେଥିରୁ ସେ ଶିଖିପାରେ ତାହାର ଭାଇର ଭୟର ସ୍ୱରୂପଟି କେମିତି ଥିଲା,ସେଇ ଭାଇଟି ଯିଏ ତାହାଠୁ ବଡ ଆଉ ସାନ ଉଭୟ। ଯିଏ ସେଇ ସମାନ ଭୟାର୍ତ୍ତ ଶବ୍ଦଗୁଡିକ ଚିତ୍କାର କରୁଥିଲା,ତାହାର ତଣ୍ଟିରେ ଶବ୍ଦମାନ ଠିକ୍ ସେମିତି ଟକି ଯାଇଥିଲା ଯେତେବେଳେ ସୈନ୍ୟମାନେ ତାହାକୁ ଗିରଫ କରିବାକୁ ଆସିଥିଲେ।

ଏହାକୁ ପଡିବା ପରେ ମୋତେ କିଛିଦିନ ଧରି ଭଲ ନିଦ ହେଲାନାହିଁ,ମୋର ଚିନ୍ତା ମୁହଁ ବୁଲାଇ ସେଇଠି ସେଇ ଛଅ ବର୍ଷ ବୟସର ପିଲାଟିର ଶେଷ ପର୍ଯ୍ୟନ୍ତ ପହଞ୍ଚିଯାଇଥିଲା,ଯାହାକୁ ଅସଲରେ ସେମାନେ ହତ୍ୟା କରିଥିଲେ । ଏଇଭଳି ଅସ୍ଥିର ରାତିରେ ଯେତେବେଳେ ମୋ ଭିତରର ଦହନଟି ଶେଷରେ ଶାନ୍ତ ହୋଇଯାଏ,ମୋର ମନେହେଲା ମୁଁ ଯେମିତି ନିଜେ ସମାନ ଭାବରେ ଏଇପରି ଯାତ୍ରା କରିଅଛି,ମୋ ମାଆର ପ୍ରଥମ ସନ୍ତାନ ଯିଏ କି କେବଳ ଦୁଇଘଣ୍ଟା ବଞ୍ଚିଥିଲା, ତାହାରି ଦ୍ୱାରା,ନହେଲେ ମୁଁ ଏଇ ବିଷୟରେ କିଛି ଜାଣି ପାରିନଥାନ୍ତି । କାରଣ ସେ ଝିଅଟି କେବେହେଲେ ଭାଷା ଶିଖିନି। କେବଳ ଘଣ୍ଟାକ ପାଇଁ ସେ ତାହାର ଆଖିକୁ ଖୋଲିଥିଲା,ମୋର ମାଆର ମୁହଁ ଆଡକୁ ଚାହିଁଥିଲା,ହେଲେ ତାହାର ଦୃଷ୍ଟିପରିବାହୀ ସ୍ନାୟୁ ଗୁଡିକ ପାଖରେ ସଚଳ ହେବାପାଇଁ ସେମିତି ସମୟ ନଥିଲା ଆଉ ସେଇଥି ପାଇଁ ତାହାର ଧରାଛୁଆଁର ବାହାରରେ ରହିଥିଲା ମାଆର ମୁହଁ।ସେଇ ନିହାତି କୁନି ଝିଅଟି ପାଇଁ ରହିଥିଲା କେବଳ ଗୋଟିଏ ଗଳାର ସ୍ୱର। “ମର ନି। ଈଶ୍ୱରଙ୍କ ରାଣ,ମରିବାକୁ ଯାଆନା।” ନିହାତି ଅସ୍ପଷ୍ଟ ଥିଲା ସେଇ ଶବ୍ଦଗୁଡିକ,ତାହାକୁ ଶୁଣିବାକୁ ହୋଇଥିଲା ପୃଥିବୀରେ କେବଳ ମାତ୍ର ସେତିକି,ସେଇ ଶବ୍ଦ ପୁଞ୍ଜାକ।

ଆଉ ମୁଁ କଦାପି ସାବ୍ୟସ୍ତ କରିପାରିବିନି କି ଅସ୍ୱୀକାର କରିପାରିବିନି ଯେ ସେଇଠି କିଛି ସମୟ ଅନ୍ତତଃ ରହିଥିଲା ଯେବେ ମୋତେ ସେ ବାହାରେ ଖୋଜିଛି,ମୋର ମଥାର ଦୁଇପଟକୁ ହାତରେ ଧରି କି ଟିକିଏ ବାଙ୍କ ଚାହାଁଣୀରେ। ସେଇ ଭଳି କିଛି ଅନିଶ୍ଚିତ ଅଷ୍ପଷ୍ଟ ଅନୁଭୂତିକୁ ମୁଁ ପିଲା ବେଳୁ ଜାଣିଛି, ବାହାରୁ କେଉଁଠୁ କିଛି ପ୍ରରୋଚନା ନଥିବା ଭଳି କିଛି ଆବେଗର ଆଲୋଡନ ,ସଂଭବତଃ,ମୋ ପାଇଁ ତାହା ଅତ୍ୟନ୍ତ ଭୀତିପ୍ରଦ,ଯାହା ଆସିଛି ତାହାରି ଠାରୁ । ସେଇଠେ ଏମିତି କିଛି ମୁହୂର୍ତ୍ତ ଥିଲା ,ଯେଉଁଠି ବତାସରେ ଶୁଖିଲାପଣର ଏକ ଅସ୍ପର୍ଶ ଅନୁଭବର ଉପସ୍ଥିତି। “ମର ନି,ଈଶ୍ୱରଙ୍କ ରାଣ ମରିବାକୁ ଯାଆନା”। ସେଠିକୁ ଗଲେ,ସେହି ବୁଝିହେଉନଥିବା ସ୍ୱର ରେ ଥିଲା ପ୍ରେମ ଆଉ ଯାତନା। ସେଠିକୁ ଗଲେ,ଫିକା ଇଲିବିଲିପଣ ଆଉ ଶରୀର ଉଷ୍ମ। ହୁଏତ ମୁଁ ବି ମୋର ଆଖିହଳକୁ ସେଇଭଳି ଅଂଧାରରେ ପ୍ରଥମଥର ଖୋଲି,ଠିକ୍ ଯେମିତି ସେ କରିଥିଲା ଆଉ ଆଶ୍ଚର୍ଯ୍ୟ,ଚକିତ ଅଥବା ଆଗ୍ରହ କ୍ରମଶଃ ହଜିଯିବାରେ ଲାଗିଥିଲା।

ମାଆର କ୍ଷୀର

ବାଇଶି ବର୍ଷର ମହିଳା ଜଣକ ଏକେଲା ଘରଟିରେ ପଡି ରହିଥାଏ । ଶନିବାରର ସକାଳ,ପ୍ରଥମ ତୁଷାର ବିନ୍ଦୁ ପଡିରହିଥାଏ ତଥାପି ଘାସର ଦେହରେ ,ତାହାର ପଚିଶ ବର୍ଷ ବୟସର ସ୍ୱାମୀ ତରତର ହୋଇ ଆଗେଇଯାଉଥାଏ ପାହାଡ ଆଡକୁ,ହାତରେ ତା’ର ରହିଛି ଗୋଟିଏ କୋଦାଳ,ନିଜର ଶିଶୁକୁ ସେ ସେଇଠି ପୋତିଦେବ ଯିଏ ଗଲା କାଲି ଜନ୍ମ ଗ୍ରହଣ କରିଥିଲା। ମହିଳାଟିର ଫୁଲିଲା ଫୁଲିଲା ଆଖି ଦିଇଟି ଏଯାଏଁ ଭଲ ଭାବରେ ଖୋଲିନି । ଦେହର ସବୁ କୋଣରେ ତଥାପି ବଥା,ଆଣ୍ଠୁଗଣ୍ଠି ରେ ଫୁଲାମାନ ବେଶ୍ ସ୍ପଷ୍ଟ। ଆଉ ତାହାପରେ ,ସେଇ ପ୍ରଥମ ଥର,ସେ ତାହାର ଛାତିରେ ଗରମ ଉଛୁଳିପଡିବାର ଅନୁଭବ କରେ । ସେ ଉଠି ବସେ,ନିହାତି ଅବାଗିଆ ଭାବରେ ଚିପି ଧରେ ତାହାର ନିଜ ସ୍ତନକୁ। ପ୍ରଥମରେ ପାଣିଆ,ହଳଦିଆ ଟୋପା,ତାହାପରେ ସହଜ ତରଳ ଧଳାରଂଗର କ୍ଷୀର।

ସେ

ମୁଁ ଭାବେ ସେ ବଞ୍ଚିରହିଥାନ୍ତା, ଏଇ କ୍ଷୀରକୁ ପିଇ ଥାନ୍ତା।
ମୁଁ ଭାବେ ଏଇ ଦୃଢ ଶ୍ୱାସକ୍ରିୟାର,କୁନିକୁନି ଓଠରେ କିଛି ଅସ୍ପଷ୍ଟ ଭାବରେ କହିଚାଲିବା ସ୍ତନାଗ୍ରକୁ।
ମୁଁ ତାହାରି ବିଷୟରେ ଭାବେ ଏଡିକି ବକଟେ ବୋଲି ତାହାକୁ ଖାଇବାକୁ ଦିଆଯାଉ ଚାଉଳର ଘୁରା(ପରିଜ୍),ଏମିତି ବଢିଲେ,ନାରୀ ହେଲାବେଳକୁ ସେ ସବୁ ସମସ୍ୟାକୁ ସମ୍ଭାଳି ନେଇ ପାରିବ।
ମୁଁ ଭାବେ ମରଣ ସବୁବେଳେ ତାହାର ଗତିପଥ ବଦଳାଇ ନେଉ,ତାହାର ପଛପଟଟିକୁ ଖାଲି ଚାହିଁରହିଥାଏ ,ଯେତେବେଳେ ସେ ପାହୁଣ୍ଡ ପକାଇ ଚାଲିଛି ଦୃଢତାର ସହ ଆଗକୁ ଆଗକୁ।
“ମର ନା,ଈଶ୍ୱର ରାଣ ମରିବାକୁ ଯାଆନା।”
ଯେହେତୁ ଏଇ ସବୁ ଶବ୍ଦରେ ତାହାକୁ ଗୁନ୍ଥି ଦିଆଯାଇଛି,ତାହାର ଦେହରେ ଏହା ଏଇଲେ ଗୋଟିଏ ତାବିଜ।
ଆଉ ମୁଁ ଭାବେ ସେ ଏଇଠିକୁ ଆସିଥାନ୍ତା, ମୋ ବଦଳରେ ।
ଏଇ ଭଳି ଗୋଟିଏ ବିଚିତ୍ର ଚିହ୍ନା ସହରକୁ,ଯାହାର ଜୀବନ ଆଉ ମରଣ ଠିକ୍ ତାହାର ନିଜ ଭଳି।

ମହମବତୀ

ମୁଁ ଯେଉଁପରିକା ତାହାକୁ କଳ୍ପନା କରିଥାଏ, ଠିକ୍ ସେମିତି ଚାଲୁଥାଏ ସହରର ରାଜରାସ୍ତାରେ। ଛକ ଯାଗାରେ ସେ ଦେଖେ ଲାଲ ରଂଗର ଇଟାରେ ତିଆରି ହୋଇଥିବା ଗୋଟିଏ ପାଚେରୀର କିଛି ଅଂଶ । ପୁନର୍ନିମାଣର ପ୍ରକ୍ରିୟାରେ ଆଉ ଗୋଟିଏ ଧ୍ୱଂସ ପାଇଯାଇଥିବା କୋଠାଘର,ଯାହାର ପାଚେରୀର କିଛି ଅଂଶକୁ ନିଆଯାଇ ମୂଳଟି ଯେଉଁଠି ଥିଲା ତାହାର ଆଗରେ ମିଟରେ ହେବ
ଗୋଟିଏ ନୂଆ କରି ନିର୍ମାଣ ହୋଇଛି,ସେଇଠି ରହିଛି ଗୋଟିଏ ଶେଷଲେଖ, ଏଇ ଶେଷଲେଖ ଅନୁସାରେ ସେଇଠି ପାଚେରୀକୁ ଲାଗି ସାଧାରଣ ଲୋକଙ୍କୁ ଧାଡିରେ ଠିଆ କରାଇ ଜର୍ମାନୀର ସୈନିକ ମାନେ ସେମାନଙ୍କ ଉପରକୁ ଗୁଳିମାଡ କରି ହତ୍ୟା କରିଥିଲେ। ତାହାର ସାମ୍ନାରେ କିଏ ଜଣେ ଗୋଟିଏ ଫୁଲଦାନୀରେ କିଛି ଫୁଲ ରଖିଛି ଆଉ କେତେଗୁଡିଏ ଧଳାରଂଗର ମହମବତୀ ର ଉଜ୍ଜଳ ଶିଖା ବତାସରେ ଏପଟସେପଟ ହେଉଛି।

ତଥାପି ଆଚ୍ଛାଦିତ ସହର କୁହୁଡିର ଶବମାଳ,ଏ,ବଡି ସକାଳ ଭଳି ଏତେ ଘନ ନୁହଁ ,ଟ୍ରେସିଙ୍ଗ୍ ପେପର ପରି ସ୍ୱଚ୍ଛ। ଯଦି ଜୋର୍ ରେ ପବନ ଏଇ କୁହୁଡି ଭିତରୁ ଚହଟି ଉଠେ, ତେବେ ସତୁରୀ ବର୍ଷ ଆଗେକାର ଧ୍ୱଂସମାଳିକା ହୁଏତ ନିଜକୁ ଉନ୍ମୋଚିତ କରିବାରେ ଲାଗିଯିବ,ବର୍ତ୍ତମାନର ନିର୍ମାଣକୁ ପଛପଟରୁ ଆଗକୁ ଧକ୍କା ଦେଇ ନିଜେ ଫୁଟି ଉଠିବ । ଯେଉଁ ଭୂତଗୁଡିକ ସେଇଠି ଏକାଠି ହୋଇଛନ୍ତି ,ଖୁବ୍
ନିକଟବର୍ତ୍ତି ତାହାର,ହୁଏତ ପାଚେରୀର କାନ୍ଥ କୁ ଲାଗି ସେମାନେ ସିଧା ଛିଡାହୋଇ ପଡିବେ ଯେଉଁଠି ହତ୍ୟାକାଣ୍ଡ ଘଟିଥିଲା,ସେମାନଙ୍କ ଆଖିମାନ ଚକମକ କରି ଉଠେ।

ହେଲେ ସେଇଠି ପବନ ନାହିଁ,ଯାହା ଦେଖାରାଉଛି ତାହାର ବାହାରେ ଆଉ କିଛିର ଆଭାସ ନାହିଁ । ଗରମ ଶ୍ୱେତରଂଗା ମହମବତୀ ଗୁଡିକ ତଳକୁ ତଳକୁ ଲଟେଇହୋଇ ଯାଉଛନ୍ତି । ସେମାନଙ୍କୁ ଧଳାରଙ୍ଗର ବଳିତାକୁ ନିଆଁ ପୋଷେ ପୋଷେ ଖୁଆଇବାକୁ ପଡିବ,ସେମାନଙ୍କର ଏମିତି ପତନ ଅବ୍ୟାହତ ରହିଛି,ଆଉ କିଛି ସମୟ ପରେ ସେମାନେ ଅନସ୍ତିତ୍ୱ ହେବେ।
ଏବେ ମୁଁ ତମକୁ ଶ୍ୱେତବସ୍ତୁକୁ ପ୍ରଦାନ କରିବି।
ଯାହା ଏଇଲେ ଧବଳ,ଯଦିଓ ଏଯାଏଁ ତାହା କଳଙ୍କିତ ହୋଇନାହିଁ ।
କେବଳ ଶ୍ୱେତ ବସ୍ତୁକୁ ମୁଁ ପ୍ରଦାନ କରିବି।
ଆଉ ଅଧିକ ମୁଁ ପ୍ରଶ୍ନ କରିବି ନାହିଁ।
ହୁଏତ ମୁଁ ତମକୁ ଏଇ ଜୀବନ ଦେଇକି ଯିବି।

°°°°°

[ ନୋବେଲ ବିଜୟିନୀ ହାନ କ୍ୟାଂଙ୍କର ଏଇ ଉପନ୍ୟାସ “ଦି ହ୍ୱାଇଟ୍ ବୁକ୍” କୌଣସି ପ୍ରଚଳିତ ଅର୍ଥରେ ଉପନ୍ୟାସ ନୁହଁ। ତିନୋଟି ଅନୁଚ୍ଛେଦ ବିଶିଷ୍ଟ ଏହି ଉପନ୍ୟାସର ଏହା ହେଉଛି ପ୍ରଥମାଂଶ।

ଏଇ ଉପନ୍ୟାସରେ କୌଣସି ସ୍ପଷ୍ଟ କାହାଣୀ ନାହିଁ ,କୌଣସି ଚରିତ୍ରର ଧାରାବାହିକ ବିକାଶର କଥା ନାହିଁ ବରଂ ଏଇଟିକୁ କୌଣସି କବିତାର ପୁସ୍ତକ ଭଳି ପଢି ପଢି ଏଥିରେ ନିମଜ୍ଜିତ ହୋଇଯିବାରେ ସବୁଠାରୁ ଅଧିକ ଆନନ୍ଦ।

ଏଥିରେ ଯେଉଁ “ସାଦା”ର କଥା ରହିଛି ତାହା କୌଣସି ରଂଗ ବିଶେଷର କଥା ନୁହଁ ବରଂ ଏଇଠି ସାଦାତ୍ୱ ସହିତ ଜଡିତ ରହିଛି ଜୀବନର ସବୁକିଛି,ପବିତ୍ରତା,ଜୀବନ,ମୃତ୍ୟୁ ,ଅନୁପସ୍ଥିତି ଆଉ ଏସମସ୍ତକୁ ବାନ୍ଧି ରଖିଛି ଏକ ଆତ୍ମପରକ ଗଭୀର ପ୍ରତିଫଳନ,ନିଜର ଭଉଣୀର ମୃତ୍ୟୁ। ବ୍ୟକ୍ତିଗତ ଯନ୍ତ୍ରଣା କୁ ସ୍ମୃତିପଟକୁ ଉଖାରି ଆଣି ତାହାକୁ ଏକ ଦାର୍ଶନିକ ବ୍ୟାଖ୍ୟାନ ପ୍ରଦାନ କରିବା ରେ ଲେଖିକାଙ୍କର ଦକ୍ଷତା ରହିଛି। ଏଇ ଦାର୍ଶନିକ ଆଖ୍ୟାନ କୌଣସି ମତେ ଆତ୍ମତୁଷ୍ଟିର ଆଖ୍ୟାନ ନୁହଁ ,ନିଜର ସ୍ଥିତିକୁ ନିଜଠୁ ଅଲଗା ହୋଇ ବୁଝିବାର ଏକ ଦୃଶ୍ୟପଟଳ।

ଏଇ ପୁସ୍ତକରୁ ଆମକୁ ମିଳିଲା କ’ଣ ଆଉ ଆମେ ଏଇ ଭଳି ଲେଖନରୁ ଜଣେ ଲେଖକ ହିସାବରେ ଶିଖିବା କ’ଣ ,ତାହାର ଏକ ବ୍ୟକ୍ତି ପରକ ଅଭିମତ ର କଥା ପଛକୁ ରଖୁଛି।

ଶ୍ରଦ୍ଧେୟ ରମାକାନ୍ତ ସାମନ୍ତରାୟଙ୍କ ସୌଜନ୍ୟରୁ ଏଇ ପୁସ୍ତକଟିକୁ ପଢିବାର ଆନନ୍ଦ ଉପସ୍ଥିତ ଲେଖକକୁ ମିଳିଛି ।

-ଜ୍ୟୋତି ନନ୍ଦ ]

About Jyoti Nanda

Jyoti Nanda is a writer, translator based in Bhubaneswar.

View all posts by Jyoti Nanda →