ଜେ ଡି ସାଲିଞ୍ଜର ହସକୁଳା ଲୋକ

୧୯୨୮ ମସିହାର କଥା,ମୋତେ ସେତେବେଳକୁ ନଅ ବର୍ଷ,ମୁଁ ଏମିତି ଆନୁଗତ୍ୟ ଆଉ ଗର୍ବ କରିବା ଭଳି ଗୋଟିଏ ସଂସ୍ଥାରେ ଥିଲି ତାହାକୁ ସମସ୍ତେ କୋମାଞ୍ଚି କ୍ଲବ ବୋଲି ଜାଣନ୍ତି । ପ୍ରତି ସ୍କୁଲଦିନ ଅପରାହ୍ନ ତିନିଟା ବେଳେ ଆମେ ପଚିଶ ଜଣ କୋମାଞ୍ଚିଆ ପୁଅମାନେ ଯେଉଁବାଟେ ବାହାରନ୍ତି,ପି.ଏସ୍. ୧୬୫,୧୦୯ ଷ୍ଟ୍ରିଟ୍, ଆମଷ୍ଟରଡାମ୍ ଆଭେନ୍ୟୁ, ସେଇଠୁ ଆମକୁ ଦଳପତି ତାଙ୍କ ସାଥିରେ ନେଇଥାନ୍ତି। ଦଳପତି ଙ୍କ ବସ୍ ଟି ଏବେ କମର୍ସିଆଲ ବସ୍ ରେ ପରିଣତ କରାଯାଇଛି ଆଉ ସେଥିରେ ସେ ଆମକୁ ଭର୍ତ୍ତି କରି( ଆମର ବାପାମାଙ୍କ ସହିତ ତାଙ୍କର ଯେଉଁ କଥାବାର୍ତ୍ତା ହୋଇଛି ତାହା ଅନୁସାରେ ) ସେଣ୍ଟ୍ରାଲ୍ ପାର୍କକୁ ନେଇଥାନ୍ତି । ବାକି ଅପରାହ୍ନ ପାଗ ଯଦି ଭଲ ଆମେମାନେ ଫୁଟବଲ୍ କି ସକର୍ କି ବେସବଲ୍ ଖେଳିଥାଉ ,ଋତୁ ଅନୁସାରେ (ପାଖାପାଖି )। ଅପରାହ୍ନରେ ବର୍ଷା ହେଲେ ଦଳପତି ଆମକୁ ନେଇଥାନ୍ତି  ମିଉଜିଅମ୍ ଅଫ୍ ନେଚୁରାଲ୍ ହିଷ୍ଟୋରୀ ଅଥବା ମେଟ୍ରୋପୋଲିଟାନ୍ ମିଉଜିଅମ୍ ଅଫ୍ ଆର୍ଟସ୍ କୁ ।

ଶନିବାର ଆଉ ସବୁ ଜାତୀୟ ଛୁଟିଦିନ ମାନଙ୍କରେ  ଦଳପତି ଆମକୁ ଯେ ଯାହାର ଆପାର୍ଟମେଣ୍ଟ ନିକଟରୁ ତାଙ୍କର ଧତଡା ବସ୍ ରେ ଧରି ମାନହାଟାନ୍ ସହରର ବାହାରେ ଭାନ୍ କୋର୍ଟଲାଣ୍ଡ ଅଥବା ପାଲିସେଡ୍  ଅଂଚଳ ଭଳି ଖୋଲାମେଲା ଇଲାକାକୁ ନେଇଥାନ୍ତି । ଆମେ ଯଦି ଧାଆଁ ଦଉଡ ଆଦି କସରତ କରିବାକୁ ସ୍ଥିର କରିଥାଉ ଓ ଆମେ ତାହାହେଲେ ସିଧା ଭାନ୍ କୋର୍ଟଲାଣ୍ଡକୁ ଯାଉ ,ସେଇଠି ଉପଯୁକ୍ତ ମାପର ପଡିଆ ରହିଛି ଏବଂ ଯେଉଁଠି କୌଣସି ପ୍ରକାରର ବେବିକ୍ୟାରେଜ୍ କୁ ଯିବାର ଅନୁମତି ନାହିଁ ଅଥବା କୌଣସି ରାଗ ଜରଜର ମହିଳା ସାଥିରେ ତାହାର  ଲାଠିଟିକୁ ଧରି ସେଠିକୁ ଯିବାର  ବି ମନା ରହିଛି । ଯଦି ଆମର କୋମାଞ୍ଚିଆ ହୃଦୟଗୁଡିକ ତମ୍ବୁ ବିଛାଇବା ପାଇଁ ବେଶ୍ ଆଗ୍ରହୀ ତାହାହେଲେ ଆମେ ପାଲିସେଡ୍ କୁ ଯାଉ ଆଉ ପଡିଆଟିକୁ ଆବୁଡାଖାବୁଡା କରିଦେଉ। (ମୋର ମନେଅଛି ଗୋଟିଏ ଶନିବାରରେ ମୁଁ  ଲିନିଟ୍ ଚିହ୍ନରୁ ଜର୍ଜ ୱାସିଙ୍ଗଟନ୍ ବ୍ରିଜ୍ ର ପଶ୍ଚିମପଟର    ଭିତରେ ଥିବା ବିରାଟ ଚତୁର  ଇଲାକା ଭିତରେ କେଉଁଠି ହଜି
ଯାଇଥିଲି । ମୁଁ ଠିକ୍ ଥିଲି ,ତଥାପି।ଗୋଟିଏ ବିଶାଳ ବିଲବୋର୍ଡର ଛାଇରେ ମୁଁ ବସି ପଡିଥିଲି ,ଆଖି ଯେତେ ଛଳଛଳ ଥାଉ ପଛକେ ମୁଁ ମୋର ଲଞ୍ଚବକ୍ସକୁ ଖୋଲିଥିଲି ,ଅବଶ୍ୟ ଟିକିଏ ଆତ୍ମବିଶ୍ୱାସ ଥିଲା ଯେ ଦଳପତି ଶେଷରେ ମୋତେ ନିଶ୍ଚିତ ଖୋଜି ପାଇଯିବେ। ଦଳପତି ସବୁବେଳେ ଆମକୁ କେଉଁଠୁ ନା କେଉଁଠୁ ଖୋଜି ପାଇଥାନ୍ତି।)

କୋମାଞ୍ଚିଆ ମାନଙ୍କ ସହ ଅଲଗା କରି ଦେଖିଲେ ଦଳପତି ହେଉଛନ୍ତି , ଷ୍ଟେଟେନ୍ ଆଇଲାଣ୍ଡର ଜନ୍ ଗେଡସୁଡସ୍କି। ସେ ନିହାତି ଲାଜକୁଳା,ଭଦ୍ର,ବାଇଶ୍ କି ତେଇଶ ବର୍ଷର ଜଣେ ତରୁଣ,ଏନ୍-ୱାଇ-ୟୁର ଜଣେ ଆଇନ ଛାତ୍ର,ଏବଂ ମୋଟାମୋଟି ଜଣେ ସ୍ମରଣୀୟ ବ୍ୟକ୍ତିତ୍ୱ। ମୁଁ ତାଙ୍କର ସବୁତକ କୃତୀତ୍ତ୍ୱ ଆଉ ଗୁଣକୁ ଏଇଠି ଏକାଠି କରିବାର ଚେଷ୍ଟା କରିବି ନାହିଁ । କେବଳ ତାହାକୁ ସାମାନ୍ୟ ଟିକିଏ ଛୁଇଁ ଦେବାକୁ ଯାଇ କହିବି,ସେ ଜଣେ ଇଗଲ୍ ସ୍କାଉଟ୍ ଥିଲେ,ମାଧ୍ୟମିକ ଆଉ କଲିଜିଏଟ ସ୍ତରରେ ଅପେଶାଦାର କ୍ରୀଡା ପ୍ରେମୀଙ୍କୁ ଆମେରିକାରେ ଯେଉଁ ଅଲ୍-ଆମେରିକା-ଟାକଲ୍ ସମ୍ମାନ ଦିଆଯାଏ ୧୯୨୬ ମସିହାରେ ସେଇ ସମ୍ମାନ କୁ ତାଙ୍କର ପାଇବା ଏକପ୍ରକାର ଚୂଡାନ୍ତ ହୋଇଥିଲା ଆଉ ନିୟୁର୍କ ଜିଆଣ୍ଟସ୍ ବେସବଲ୍ ଟିମ ତାଙ୍କୁ ସୌଜନ୍ୟତାର ସହ ନିମନ୍ତ୍ରଣ କରିଥିଲେ । ଆମର ସବୁ ଝମେଲାପୂର୍ଣ୍ଣ ଖେଳରେ ସେ ଜଣେ ନିରପେକ୍ଷ ଆଉ ଅନୁତ୍ତେଜିତ ଅମ୍ପାୟାର୍ ଥିଲେ, ଥିଲେ ଜଣେ ଦକ୍ଷ ଅଗ୍ନିସୃଜକ ଆଉ ଅଗ୍ନି ନିର୍ବାପକ ଏବଂ ଜଣେ ଅଭିଜ୍ଞ,କାହାକୁ ଘୃଣା କରୁନଥିବା ଫାଷ୍ଟ-ଏଡ୍ ପୁରୁଷ ସେ। ଆମ ଭିତରେ, ଛୋଟ ବାଳୁଙ୍ଗା ଠାରୁ ଆରମ୍ଭ କରି ସବୁଠୁ ବଡ ଯାଏ,ସଭିଏଁ ତାଙ୍କୁ ଭଲ ପାଉଥିଲେ,ସମ୍ମାନ କରୁଥିଲେ।

ଦଳପତିଙ୍କ ଚେହେରାଟା ୧୯୨୮ ରେ ଯାହା ଥିଲା ମୋର ସ୍ପଷ୍ଟ ମନେ ଅଛି। ଯଦି ଇଚ୍ଛା ମାନେ ଇଞ୍ଚ୍ ହୁଅନ୍ତି  ତାହାଲେ ଆମେ ସବୁ କୋମାଞ୍ଚିଆମାନେ ବିନା ସମୟ ବ୍ୟୟ କରି ତାଙ୍କୁ ଜଣେ ରାକ୍ଷସ ବୋଲି ହିଁ କହିବୁ। ସେ ବିଶାଳ ଫାଇଭ୍ ଥ୍ରି କି ଫାଇଭ୍ ଫୋର ପାଉଣ୍ଡ,ତାହାଠୁ ଅଧିକ ନୁହଁ। ତାଙ୍କର କେଶ ନୀଳ-କୃଷ୍ଣ,ଖୁବ୍ ପତଳା,ଗୋଟିଏ ବଡ ଆଉ ଠିଆ ନାକ ଆଉ ପୁରିଲା ପୁରିଲା ମୁହଁ,ଏବଂ ବାହା ଦୁଇଟି ତାଙ୍କର ଅବିକଳ ପାଦ ଦୁଇଟି ଭଳି ବଳିଷ୍ଠ। ଚମଡାର ୱିଣ୍ଡବ୍ରେକର୍ ପିନ୍ଧିଥିବାବେଳେ  ତାଙ୍କର କାନ୍ଧ ଶକ୍ତିଶାଳୀ ଲାଗେ,ହେଲେ ତାହା ଟିକିଏ ସଂକୀର୍ଣ୍ଣ ଆଉ ନୁଆଁଣିଆ । ସେତେବେଳେ ମୋତେ ଲାଗୁଥିଲା ଦଳପତି ସବୁଠୁ ଭାରି ଫଟୋଜେନିକ, ତାଙ୍କର ଚେହେରାରେ  ବକ୍ ଜୋନସ୍,କେନ୍ ମେୟନାର୍ଡ ଆଉ ଟମ୍ ମିକ୍ସ ସମସ୍ତେ ଯେମିତି ମଧୁର ଭାବରେ ଏକାଠି ମିଶିଯାଇଛନ୍ତି ।

ପ୍ରତିଟି ଅପରାହ୍ନରେ,ଯେତେବେଳେ ଏପରି ଅଂଧାର ଘନେଇ ଆସେ ଯେ ହାରୁଥିବା ଦଳ ର ଗୋଲପୋଷ୍ଟ ପାଖରେ  କୌଣସି ଭୁଲ୍ ପାଶ୍ କି ଭୁଲ୍ ବୁଝାମଣା ପାଇଁ ଗୋଟିଏ ଆଳ ମିଳିଯାଏ ଆଉ ଖେଳ ଅକାଳରେ ସମାପ୍ତ ହୁଏ ,ଆମେ ସବୁ କୋମାଞ୍ଚିଆ ମାନେ ବିଶେଷ ଭାବରେ ନିହାତି ସ୍ୱାର୍ଥପର ହୋଇ ସେତେବେଳେ ଦଳପତିଙ୍କର କାହାଣୀ କହିବାର ପ୍ରତିଭା ଉପରେ ବିଶେଷ ଭାବରେ ନିର୍ଭର କରୁଥାଉ। ସେଇ ବିଶେଷ ସମୟରେ ,ଆମେମାନେ ତ ବେଶ୍ ଉତ୍ତେଜିତ,ରାଗରେ ଟକମକ ହୋଇ ଫୁଟୁଥିବା ଗୋଟିଏ ବିରକ୍ତିକର ଦଳ ଏବଂ ଆମେ ପରସ୍ପର ଭିତରେ ପିଟାପିଟି ହେଉଥିଲୁ-ମୁଠି କୁ ଅସ୍ତ୍ର କରି କି  କଥାର ଘୋ ଘାଆ ରେ-ବସ୍ ରେ ଫେରିଲାବେଳେ କିଏ ଆଗ ଦଳପତିଙ୍କ ସିଟ୍ ର ଆଖପାଖ ସିଟ୍ ରେ ବସିବ।(ବସ୍ ଟିରେ ଦୁଇଟି ସମାନ୍ତରାଳ ଧାଡିରେ  ସିଟ୍ ସବୁ ନଡାରେ ତିଆରି ଥିଲା। ବାଆଁ ପଟରେ ଥିଲା ତିନୋଟି ଅତିରିକ୍ତ ସିଟ୍-ବସ୍ ଭିତରେ ସବୁଠୁ ଭଲ- ତାହା ଡ୍ରାଇଭର ସିଟ୍ ଯାଏଁ ଯାଇଥିଲା।) ଆମେ ସବୁ ବସ୍ ଭିତରକୁ ଯାଇ ସିଟ୍ ରେ ଭଲ ଭାବରେ ବସି ସାରିବା ପରେ ହିଁ ଦଳପତି ଗାଡିକୁ ଚଢୁଥିଲେ। ତାହାପରେ ସେ ନିଜର ଡ୍ରାଇଭର ସିଟ୍ କୁ ଟିକିଏ ପଛେଇ ଆଣୁଥିଲେ ଆଉ ନିଜର ପ୍ରସ୍ତୁତ ଥିବା ନିୟନ୍ତ୍ରୀତ ଉଚ୍ଚା ଗଳାରେ ଆମକୁ କହିବସୁଥିଲେ “ହସକୁଳା ଲୋକ”ର ଆଉ ଏକ କିସ୍ତି । ଥରେ ସେ ବର୍ଣ୍ଣନା କରିବାକୁ ଆରମ୍ଭ କରିଛନ୍ତି ମାନେ ସେଥିରେ ଆଉ କୌଣସି ପ୍ରକାରର  ଉଣା ନାହିଁ । “ହସକୁଳା ଲୋକ” କୋମାଞ୍ଚିଆମାନଙ୍କ ପାଇଁ ସବୁଠୁ ଠିକ୍ ଗଳ୍ପ। ଏହାର ହୁଏତ କୌଣସି କ୍ଲାସିକ୍  ପରିପ୍ରେକ୍ଷ୍ୟ ରହିଥାଇପାରେ। ଏଇଟି ଏମିତି ଗୋଟିଏ ଗଳ୍ପ ଯାହା ଭିତରେ ସେଇଠି ଚାରିଆଡକୁ ଖେଳାଇହୋଇଯିବା ଭଳି ଗୁଣ ରହିଥିଲା,ଏବଂ ତଥାପି ଜଣେ ଏହାକୁ ସହଜରେ ଏଇଠୁ ଅନ୍ୟସ୍ଥାନକୁ ନିଆଅଣା କାମ ବି କରିପାରୁଥିଲା । ତମେ ଏହାକୁ ତମ ସହିତ ଘରକୁ ନେଇ ପାରିବ ଏବଂ ବସିଥିଲା ବେଳେ ଏହାକୁ ନେଇ ଭାବିପାରିବ,ଯେତେବେଳେ କି ବାଥରୁମ୍ ରେ ଟବ୍ ର ଜଳ ଖୋଲା ରହିଥିବ।

ଗୋଟିଏ ଧନୀକ ମିଶନାରୀ ଦମ୍ପତ୍ତିଙ୍କର ଗୋଟିଏ ବୋଲି ପୁଅ “ହସକୁଳା ଲୋକ”ତାହାର ଶିଶୁକାଳରେ ଚାଇନାର ଦସ୍ୟୁଗଣଙ୍କ ଦ୍ୱାରା ଅପହୃତ ହୋଇଯାଏ। ଯେତେବେଳେ ଏଇ ଧନୀକ ମିଶନାରୀ ଦମ୍ପତ୍ତି ନିଜର ପୁଅ ପାଇଁ ମୁଣ୍ଡଜାମିନ ର ଅର୍ଥ (ଗୋଟିଏ ଧାର୍ମିକ ବିଚାର ର ଦୃଷ୍ଟିରୁ) ଦେବାକୁ ମନା କରିଦିଅନ୍ତି ,ସେତେବେଳେ ଚାଇନାର ଦସ୍ୟୁଗଣ,ନିଜର ସମ୍ମାନହାନୀ ଯୋଗୁ ବେଶ୍ ବିରକ୍ତ ,ଏଇ ବାଳକର ମଥାକୁ ଗୋଟିଏ କଳଯନ୍ତା (ଭାଇସ୍)ରେ ରଖି ଯନ୍ତାର ଲିଭର୍ ଟିକୁ କେତେଥର ଡାହାଣକୁ ଘୁରାଇ ନିଅନ୍ତି । ଏହି ବିରଳ ଅନୁଭୂତିର ଜୀବଟି ଏହାଫଳରେ ଏପରି ଗୋଟିଏ ମଣିଷ ଆକାରରେ ଦେଖାଯାଏ ଯାହାର 
ମଥାଟି ଏକଫାଳ ଆଲମଣ୍ଡ ଭଳି ଛେଚା ଆଉ କେଶ ଶୂନ୍ୟ ଯେଉଁଠି ମୁହଁ ବୋଲି ରହିଛି ଗୋଟିଏ ଡିମ୍ବାକୃତି ଗହ୍ୱର, ଠିକ୍ ନାକର ତଳକୁ । ନାକ କହିଲେ ରହିଛି ମାଂସରେ ଢଙ୍କା ଦୁଇଟି ଛିଦ୍ର। ଏହା ଫଳରେ ଯେତେବେଳେ ହସକୁଳା ଲୋକ ନିଃଶ୍ୱାସ ନେଉଥାଏ ନାକ ବୋଲି ତାହାର ଗୋପନ ,ହାସ୍ୟକର ଛିଦ୍ର ଦୁଇଟି ଥରକୁ ଥର ଫୁଲି ଉଠୁଥାଏ ଆଉ ଫୁସୁକି ହୋଇଯାଉଥାଏ ଯେମିତି (ଯେମିତି ମୁଁ ଦେଖିଛି ) ଯେମିତି ଗୋଟିଏ ଭୟାନକ ଏକକୋଷୀ ଦାନବ। (ଦଳପତି ସେଇଭଳି ଅଭିନୟ କରି ଦେଖାଉଥିଲେ,
ବୁଝାଇବା ବଦଳରେ,ହସକୁଳା ଲୋକର ଶ୍ୱାସକ୍ରୀୟା ପଦ୍ଧତି )। ଅଜଣା ଲୋକମାନେ ହସକୁଳା ଲୋକର ମୁହଁ କୁ ଦେଖି ଭୟରେ ଚେତାବୁଡି ଯାଉଥାନ୍ତି। ଚିହ୍ନାପରିଚ ଲୋକମାନେ ବାଟଭାଙ୍ଗି ଯାଉଥାନ୍ତି ।ସବୁଠୁ ଆଶ୍ଚର୍ଯ୍ୟର କଥା ସେହି ଦସ୍ୟୁଗଣ ତାହାକୁ ତାଙ୍କର ମୁଖ୍ୟ କାର୍ଯ୍ୟାଳୟରେ ବୁଲାବୁଲି କରିବାପାଇଁ ଏକପ୍ରକାର ଛାଡ କରିଦେଇଥାନ୍ତି ,ଏଇ ସର୍ତରେ ଯେ,ସେ ଏଇଠି ଥିବା ପର୍ଯ୍ୟନ୍ତ ଅଫିମ ଫୁଲର ପାଖୁଡାରେ ତିଆରି ବୁଢିଆଣୀ ଜାଲ ଭଳି ଅତି ସୁକ୍ଷ୍ମ ମୁଖାଟିଏ ରେ ନିଜର ମୁହଁକୁ ଘୋଡାଇ ରଖିବ। ଏଇ ମୁଖାଟି କେବଳ  ସେମାନଙ୍କର ଏଇ ପାଳିତ ପୁତ୍ରର ମୁହଁକୁ ଦେଖିପାରିବା ଭଳି କଥାରୁ ଯେ ଦୂରେଇ ରଖିବ କେବଳ ସେକଥା ନୁହଁ,ସେ ଅସଲରେ କେଉଁଠି ଅଛି ତାହାର ଖବର ଏହାଦ୍ୱାରା ସେମାନଙ୍କୁ ମିଳି ପାରିବ , ଏହା ପଛର କାରଣ ହେଉଛି ସେହି ଅଫିମ ଫୁଲର ଉତ୍କଟ ଗନ୍ଧ।

ପ୍ରତିଦିନ ସକାଳେ,ନିଜର ଅସହ୍ୟ ଏକେଲାପଣରୁ,ହସକୁଳା ଲୋକ ଅତି ସଂତର୍ପଣରେ ( ଏ ବିଷୟରେ ସେ  ଯେକୌଣସି ବିରାଡିଠାରୁ ବି ଅଧିକ ଦକ୍ଷ) ଡକାୟତ ମାନଙ୍କ ଗୋପନସ୍ଥାନରୁ ତାହାର ଚାରିପଟକୁ ଘେରି ରହିଥିବା ଅଗନାଅଗନି ବନସ୍ତକୁ ପଳେଇଯାଏ । ସେଇଠି ତାହାର ସାଙ୍ଗ ସବୁ ନାନା ପ୍ରକାରର  ଜୀବଯନ୍ତୁ,କୁକୁର,ଧଳାମୂଷା,
ଛଞ୍ଚାଣ,ସିଂହ,ନିର୍ବିଷ କୁଣ୍ଡଳୀ ପକାଇ ରହୁଥିବା ବୋଆ ପ୍ରଜାତିର  ସାପ ଆଉ ଗଧିଆ । ସେ ନିଜର ମୁହଁରୁ ମୁଖାକୁ କାଢି ଦିଏ ଆଉ ସେମାନଙ୍କ ସହ ଗପସପ କରେ,ମଧୁର ଗଳାରେ,ସୁରେଲି ଗଳାରେ ଆଉ ବିଶେଷତଃ ସେମାନଙ୍କର ନିଜ ନିଜ ଭାଷାରେ । ସେମାନେ କେବେହେଲେ ଭାବନ୍ତି ନାହିଁ ଯେ,ସେ ନିହାତି ଅସୁନ୍ଦର।

( ଦଳପତିଙ୍କୁ କାହାଣୀର ଏଇ ଯାଏଁ ଆସି ପହଞ୍ଚିବା ପାଇଁ ବେଶ୍ କେତେଗୁଡିଏ ମାସ ଲାଗିଯାଇଥିଲା। ଏହାପରଠାରୁ ପରବର୍ତ୍ତି କିସ୍ତି ଗୁଡିକରେ କୋମାଞ୍ଚିଆ ମାନଙ୍କ ଦାବୀର ତୁଳନାରେ ସେ ଅଧିକ ତାଙ୍କର ନିଜ ଇଚ୍ଛାର  ଉପରେ ନିର୍ଭର କରୁଥିଲେ।)

ହସକୁଳା ଲୋକର କାନ ସବୁବେଳେ ଭୂଇଁ ଉପରେ ରହିଥିଲା,ତେଣୁ ଖୁବ୍ ଅଳ୍ପ ସମୟରେ ଡକାୟତମାନଙ୍କର ବେପାରର ସବୁଠାରୁ ଗୋପନ କଥାକୁ ସେ ଜାଣିପାରିଥିଲା।  ସେ ସେମାନଙ୍କ ବିଷୟରେ ସେତେ କିଛି ଭାବେନା,ଯଦିଓ ନିଜର ଗୋଟିଏ ଉପଯୁକ୍ତ ବ୍ୟବସ୍ଥା ,ଅଧିକ କାର୍ଯ୍ୟକ୍ଷମ, ଯଥାଶିଘ୍ର ପ୍ରତିଷ୍ଠା କରିପାରିଥିଲା ସେ । ଆରମ୍ଭ ଟି ସାମାନ୍ୟ ଥିଲା, ଚାଇନାର ଭିନ୍ନ ଭିନ୍ନ ଗ୍ରାମ୍ୟବର୍ତ୍ତି  ଇଲାକାରେ,ଡକାୟତି,ଅପହରଣ, ଦରକାର ପଡିଲେ ହତ୍ୟା ଆଦି ସେ ଆପେ ଆପେ ଏକେଲା କରିଚାଲିଥିଲା। ଯଥାଶିଘ୍ର ତାହାର ଅତି ସରଳ ପଦ୍ଧତି ଆଉ ତାହା ସହିତ ନାରୀ ଜନିତ ଦୁର୍ବଳତା ଏକାଠି ମିଶିଯାଇ ତାହାକୁ ଚାରିଆଡେ ଗୋଟିଏ ପରିଚିତ ନାଆଁରେ ପରିଣତ କରିଦେଇଥିଲା। ସବୁଠୁ ଆଶ୍ଚର୍ଯ୍ୟର କଥା,ତାହାର ପାଳକ ପିତାମାତା ( ଯେଉଁ ଡକାୟତମାନେ ତାହାକୁ ଅପରାଧ କରିବା ପାଇଁ ପ୍ରରୋଚିତ କରିଥିଲେ ) ତାହାର ଏଇ ଭଳି ସଫଳତା ବିଷୟରେ  କହିବାକୁ ଗଲେ  ସବୁଠୁ ଶେଷରେ ଜାଣିପାରିଥିଲେ। ଜାଣିଲା ମାତ୍ରକେ ସେମାନେ ଈର୍ଷାରେ ପାଗଳ । ଦିନେ ସେମାନେ ସମସ୍ତେ  ହସକୁଳା ଲୋକ ଯେତେବେଳେ ଶେଜରେ ଶୋଇଥିଲା, ଧାଡିବାନ୍ଧି ଆସି, ତାହାକୁ ନିଶା ଦେଇଥିବା କାରଣରୁ ସେ ଗଭୀର ନିଦରେ ଶୋଇଥିବ ବୋଲି ଭାବି ତାହାର ଚାଦର ଉପରେ ଭୁଜାଲିରେ ବେଶ୍ ଅନେକ ଚୋଟ ମାରିଥିଲେ। ସେଦିନର କିନ୍ତୁ ସେହି ଭାଗ୍ୟହୀନ ଟି ଥିଲା ଡକାୟତ ଦଳର ମୁଖ୍ୟଙ୍କ ମାଆ,ବିରକ୍ତକର ଭାବରେ ନିଜର ଭାଗକୁ ଦାବୀ କରୁଥିବା ଜଣେ ଅତି ଝଗଡାଳୁ ମହିଳା। ଏଇ ଘଟଣାଟି ହସକୁଳା ଲୋକ ଆଉ  ଡକାୟତମାନଙ୍କ ଭିତରେ ସଂପର୍କକୁ ଅଧିକ ରକ୍ତାକ୍ତ କରି ଦେଇଥିଲା ଏବଂ ଶେଷରେ ହସକୁଳା ଲୋକ ସବୁ ଡକାୟତଙ୍କୁ ଗଭୀର ଆଉ କାରୁକାର୍ଯ୍ୟ ଥିବା ଗୋଟିଏ ସ୍ମୃତିସୌଧ ଭିତରେ ବନ୍ଦୀ କରି ରଖିଥିଲା। ସେମାନେ ବେଳେବେଳେ ସେଇଠୁ ଖସି ଯାଉଥିଲେ ଆଉ ଏଇଥିପାଇଁ ସେ ଭାରି ବିରକ୍ତ ହେଉଥିଲା ମାତ୍ର ସେ ସେମାନଙ୍କୁ ହତ୍ୟା କରିବା ପାଇଁ ଚାହୁଁ ନଥିଲା। ( ହସକୁଳା ଲୋକର ଚରିତ୍ରରେ ଗୋଟିଏ ସଂବେଦନଶୀଳ ଦିଗ ଥିଲା ଆଉ ସେଇ କଥାଟିରେ ମୁଁ ପ୍ରାୟ ପାଗଳ ହୋଇଯାଏ )

ଶିଘ୍ର ହସକୁଳା ଲୋକ ନିୟମିତ ଭାବରେ ଚାଇନାର ସୀମାନ୍ତ ଅତିକ୍ରମ କରି ଫ୍ରାନ୍ସ ର ପାରିସ୍ କୁ ଯାଉଥିଲା। ସେଇଠି ସେ ମାର୍ସଲ ଦଫାର୍ଜ ବୋଲି ଜଣେ ଆନ୍ତର୍ଜାତିକ ଗୋଇନ୍ଦା ଙ୍କ ସଂପର୍କରେ ଆସିଥିଲା। ମାର୍ସଲ ଦଫାର୍ଜ ଭାରି ରୋଗିଣା ଥିଲେ ଆଉ ସେ ହସକୁଳା ଲୋକର ଉପସ୍ଥିତିକୁ ସେମିତି ଗ୍ରହଣ କରିପାରୁନଥିଲେ। ଦଫାର୍ଜ ଆଉ ତାଙ୍କର ଝିଅ ( ସେ ଭାରି ସୁନ୍ଦର ,ଯଦିଓ ସେ ପୁଅଙ୍କ ଭଳି ପୋଷାକ ପିନ୍ଧୁଥାଏ ) ହସକୁଳା ଲୋକର ସବୁଠୁ ବଡ ଶତ୍ରୁ ପାଲଟି ଗଲେ। ବାରଂବାର ସେ ଦୁହେଁ ହସକୁଳା ଲୋକକୁ ଉଦ୍ୟାନ ଆଡକୁ ନେବାପାଇଁ ଚେଷ୍ଟା କରୁଥିଲେ। କେବଳ ନିଚ୍ଛକ ଖେଳ କୌତୁକ ପାଇଁ ହସକୁଳା ଲୋକ ସେମାନଙ୍କ ସହିତ କିଛି ବାଟ ଯାଉଥିଲା,ତାହାପରେ ଉଭାନ,କାହାପାଖରେ ସାମାନ୍ୟ ସୂଚନା ନଥିଲା ତାହାର ଏମିତି ହଠାତ୍ ଉଭାନ ହୋଇଯିବା ବିଷୟରେ। ଏବେ କିଛିଦିନ ହେଲା ପାରିସ୍ ସ୍ୱିରେଜ୍ ସିଷ୍ଟମ ରେ ସେ ଗୋଟିଏ ବିଧିବଦ୍ଧ ଛୋଟିଏ ବିଦାୟର ବାର୍ତ୍ତା ଲଗାଇ ଦେଇଛି ଏବଂ ତାହା ଯଥାଶିଘ୍ର ମାର୍ସଲ୍ ଦଫାର୍ଜର ବୁଟ୍ ନିକଟକୁ ସରବରାହ ହୋଇଛି। ଦଫାର୍ଜପରିବାର  ପାରିସ୍ ସ୍ୱିରେଜ ସିଷ୍ଟମ ଉପରେ ଯଥେଷ୍ଟ ଅର୍ଥ ବ୍ୟୟ କରିଛନ୍ତି ।

ଶିଘ୍ର ହସକୁଳା ଲୋକ ପୃଥିବୀର ସବୁଠାରୁ ବଡ ଧନୀ ହୋଇଉଠିଲା। ଏଥିରୁ ଅଧିକାଂଶ ଅର୍ଥ ସେ ଗୋଟିଏ ମୋନାଷ୍ଟେରୀର ସନ୍ଥ ମାନଙ୍କ ଉଦ୍ଦେଶ୍ୟରେ ଗୋପନ ଦାନ କରିଥିଲା,ସେହି ଶାନ୍ତ ସନ୍ଥମାନେ ଯେଉଁମାନେ ଜର୍ମାନୀ ପୁଲିସ୍ କୁକୁର ମାନଙ୍କର ଦେଖାରଖା କରିବାରେ ନିଜର ଜୀବନକୁ ଉତ୍ସର୍ଗ କରିଦେଇଥିଲେ। ଆଉ ଯେତିକି ଅର୍ଥ ବଳକା ଥିଲା ତାହାକୁ ସେ ହସକୁଳା ଲୋକ ହୀରାରେ ବଦଳାଇନେଇଥିଲା,ତାହାକୁ ସେ ନୀଳାର ସିନ୍ଧୁକରେ ଭର୍ତ୍ତି କରି  ଅତି ହାଲୁକା ଭାବରେ କଳା ସାଗରର ତଳେ ରଖିଦେଇଥିଲା। ଏମିତିରେ ତ ତାହାର ନିଜ ବ୍ୟକ୍ତିଗତ ଚାହିଦା ବହୁତ କମ୍। ତାହାର ଦରକାର ଭାତ ଆଉ ଛଞ୍ଚାଣ ରକ୍ତ ,ଗୋଟିଏ ଛୋଟ କୁଡିଆ ସେଥିରେ ଗୋଟିଏ ଅଣ୍ଡରଗ୍ରାଉଣ୍ଡ ଜିମ୍ନାସିଅମ୍ ଆଉ ସୁଟିଙ୍ଗ ରେଞ୍ଜ,ତିବ୍ଦତ ର ଝଡବହୁଳ ଉପକୂଳ। ଅଂଧଭକ୍ତିରେ ଭରପୁର  ଚାରୋଟି ସହଯୋଗୀ ତାହାର ଦରକାର ଯେଉଁମାନେ ତାହାର ସବୁ ଗୋପନ କାର୍ଯ୍ୟରେ ସହାୟକ ହୁଅନ୍ତି, ତାହା ସହ ରହିଥାନ୍ତି : ବାଉଁଶ ଭଳି ପୋଲା ଗୋଟିଏ ଗଧିଆ ଯାହାର ନାଆଁ ବ୍ଲାକ୍ ୱିଙ୍ଗ୍,ଗୋଟିଏ ପ୍ରିୟଦର୍ଶନ ବାମନ ଓମ୍ବା,ଗୋଟିଏ ମଙ୍ଗୋଲୀୟ ରାକ୍ଷସ ହଙ୍ଗ୍,ଯାହାର ଜିଭରେ ଗୋରାଲୋକେ ଚେଙ୍କ ଦେଇଥିଲେ ,ଏବଂ ଗୋଟିଏ ଅପରୂପ ରୂପସୀ ଇଉରେସୀୟ କନ୍ୟା, ଯାହାର ହସକୁଳା ଲୋକ ଟି ପ୍ରତି ଏକ ପାଖିଆ ପ୍ରେମ ଥିବା କାରଣରୁ ଏବଂ ତାହାର ସୁରକ୍ଷା ପ୍ରତି ଚିନ୍ତିତ ରହୁଥିବା କାରଣରୁ, ବେଳେ ବେଳେ ସେ ଅପରାଧ ପ୍ରତି ଅଧିକରୁ ଅଧିକ ଜଡିତ ହୋଇପଡୁଥିଲା। ହସକୁଳା ଲୋକ ଗୋଟିଏ କଳା ପରଦାରେ କାଉ ମାନଙ୍କୁ ନିଜର ନିର୍ଦ୍ଦେଶନାମା ପ୍ରଦାନ କରିଥାଏ। ଏପରିକି ଓମ୍ବା,ସେହି ପ୍ରିୟଦର୍ଶନ ବାମନ କୁ ତାହାର ମୁହଁକୁ ଦେଖିବାପାଇଁ ଅନୁମତି ନଥିଲା ।

ମୁଁ ଏପରି କହୁନାହିଁ ଯେ ମୁଁ ପାରିବି,ହେଲେ ମୁଁ ଘଣ୍ଟା ପରେ ଘଣ୍ଟା ପାଠକମାନଙ୍କୁ ବାଟ କଢାଇ ପାରିବି, ଯଦି ଆବଶ୍ୟକ ହେବ ତେବେ ବଳ ପ୍ରୟୋଗ କରି,ପାରିସ୍-ଚାଇନାର ସୀମାନ୍ତ ଭିତରେ ,ଯିବା ଆସିବାରେ । ମୁଁ ଏପରି ମନେ କରିବାକୁ ଆରମ୍ଭ କରିଛି ଯେ ହସକୁଳା ଲୋକ ହେଉଛି ମୋର ଜଣେ ବିଶେଷ ପିତୃପୁରୁଷ,ଆମେରିକୀୟ ଗୃହଯୁଦ୍ଧର ଜଣେ ନେତା ରବର୍ଟ ଇ ଲିଇ ଙ୍କ ପରି ଜଣେ ଦୟା କ୍ଷମାର ପୁରୁଷ,ଯାହାର ଗୁଣାବଳୀ ପାଣିରେ ଅଥବା ରକ୍ତରେ ଲିପିବଦ୍ଧ ଅଛି।  ଏଇ ବିଭ୍ରମଟି ମୋର ୧୯୨୮ ସାଲରେ ଘଟିଥିବା ସେମିତି ଗୋଟିଏର ତୁଳନାରେ ଫିକା ପଡିଯିବ,ଯେତେବେଳେ ମୁଁ ନିଜକୁ ହସକୁଳା ଲୋକର ସିଧା ସଳଖ ବଂଶଧର ବୋଲି କେବଳ କହିଲି ନାହିଁ ବରଂ ମୁଁ ତାହାର ଆଇନସମ୍ମତ ଏକମାତ୍ର ଜୀବିତ ଉତ୍ତରାଧିକାରୀ ବୋଲି ମନେ କରିଥିଲି । ୧୯୨୮ ରେ ମୁଁ ବି ମୋର ପିତାମାତାଙ୍କର ସନ୍ତାନ ନଥିଲି,ମୁଁ ଥିଲି ଗୋଟିଏ ସହଜ ବଦମାସ ଆଉ ଛଦ୍ମବେଶୀ,ଅପେକ୍ଷା କରି ରହୁଥିଲି ଯତସାମାନ୍ୟ ଗୋଟିଏ ଭୁଲ୍ କୁ, ଆଉ ସେଇଠୁ ପଳେଇଯିବା ପାଇଁ – ଯଥା ସମ୍ଭବ ହିଂସା ନହେଲେ ଭଲ,ହେଲେ ଠିକ୍ ସେପରି ନୁହଁ-ଯାହା ଫଳରେ କି ମୁଁ ମୋର ଅସଲ ପରିଚୟକୁ ସାବ୍ୟସ୍ତ କରିପାରିବି। ସତର୍କତା ର କାରଣରୁ ,ମୋ ନିର୍ବୋଧ ମାଆର ହୃଦୟ ଯେମିତି ଭାଙ୍ଗି ନଯାଏ,ମୁଁ ତାହାକୁ ମୋ ସାଥିରେ ମୋର ଅଣ୍ଡରୱାଲ୍ଡ ର ଅକୁହା ଏବଂ ଉପଯୁକ୍ତ ଭବ୍ୟ ଜଗତକୁ ନେଇଯିବା ପାଇଁ ଯୋଜନା କରିଥିଲି। ମାତ୍ର ଗୋଟିଏ କଥା ଯାହା ୧୯୨୮ ରେ ମୋତେ କରିବାକୁ ହୋଇଥିଲା ତାହା ହେଉଛି ମୋର ପ୍ରତିଟି ପଦକ୍ଷେପକୁ ଜଗିବା। ହେରେଷାମି ସହ ଖେଳ । ଦାନ୍ତ ଘଷିବା।ମୁଣ୍ଡ କୁଣ୍ଡେଇବା। ସମସ୍ତ ପରିସ୍ଥିତିରେ ମୋର ସ୍ୱାଭାବିକ ଗୋପନ ହସକୁ ଚାପିରଖିବା।

ପ୍ରକୃତରେ,ମୁଁ ସେଇ ହସକୁଳା ଲୋକର ଏକମାତ୍ର ବୈଧ ଜୀବିତ ଉତ୍ତରାଧିକାରୀ ନଥିଲି। ସେଇଠି କ୍ଲବର ପଚିଶ ଜଣ କୋମାଞ୍ଚିଆ,ଅଥବା ହସକୁଳା ଲୋକର ପଚିଶ ଜଣ ଜୀବିତ ବୈଧ ଉତ୍ତରାଧୀକାରୀ-ଯେମିତି ଅଶୁଭ କିଛି ଆଗକୁ ଘଟିବାର ଅଛି ସେମିତି ପ୍ରସାରି ଯାଉଥିଲୁ,ଏବଂ ଗୋପନରେ,ସହର ସାରା,ଯେତେ ସବୁ ଚଳନ୍ତାସିଡି ବା ଏଲିଭେଟର୍ ଅଛି ତାହାର ଚାଳକମାନେ ଆମର ଜାନିଦୁଶମନ,ଫାଳେ ମୁହଁରେ ଗୁଣୁଗୁଣୁ କରି,ଅଥଚ ସ୍ପଷ୍ଟ  କକର ସ୍ପାନିଏଲ୍ ପ୍ରଜାତିର କୁକୁର ମାନଙ୍କ କାନରେ ନିର୍ଦ୍ଦେଶ ଦେଇ,ମାଳିର ଚିତ୍ର ଆଙ୍କି,ତର୍ଜନୀରେ,ଅଙ୍କ ସାର୍ ଙ୍କ କପାଳରେ । ଏବଂ ସବୁବେଳେ ଅପେକ୍ଷା,ଅପେକ୍ଷା ଏପରି ଏକ ସୁବର୍ଣ୍ଣ ସୁଯୋଗକୁ ଯାହା ନିକଟବର୍ତ୍ତି କୌଣସି ସାଧାରଣ କିସମର  ହୃଦୟରେ ଭୟ ଆଉ ସମ୍ମାନ ସୃଷ୍ଟି କରିପାରିବ।

ଫେବ୍ରୁଆରୀର ଏକ ଅପରାହ୍ନରେ,କୋମାଞ୍ଚିଆ ମାନଙ୍କ ବେସବଲ୍ ସିଜନ୍ ଆରମ୍ଭ ହୋଇଯାଇଥାଏ ,ମୁଁ ଦଳପତିଙ୍କ ବସ୍ ରେ ଗୋଟିଏ ନୂଆ କାର୍ଯ୍ୟସୂଚୀ ଦେଖିପାରିଲି। ରିଅର୍ ଭିଉ ମିରର୍ ର ଉପରେ ୱିଣ୍ଡୋସିଲଡ୍ ର କାଚରେ ଲାଗିଛି ଗୋଟିଏ ଫ୍ରେମବନ୍ଧା ଫଟୋଗ୍ରାଫ୍,ଝିଅଟିଏ ସ୍କୁଲ୍ ର କ୍ୟାପ୍ ଆଉ ଗାଉନ୍ ରେ ଅଛି । ମୋର କାହିଁକି ମନେହେଲା ଯେ ଏଇ ଝିଅଟିର ଛବିଟି ହିଁ ଏଇ କେବଳ-ପୁରୁଷ ବସ୍ ର ସହିତ ମେଳ ଖାଉନାହିଁ ଏବଂ ମୁଁ ସିଧାସଳଖ ଟିକିଏ ଋଢ ଗଳାରେ ଦଳପତିଙ୍କୁ ପଚାରିଥିଲି ସେଇ ଝିଅଟା କିଏ । ସେ ପ୍ରଥମେ ଟିକିଏ ସଂକୁଚିତ ହୋଇ ଯାଇଥିଲେ ଆଉ ତାହାପରେ କହିଥିଲେ ସେଇଟି ଗୋଟିଏ ଝିଅ। ଝିଅଟାର ନାଆଁ ପଚାରିବାରୁ ପରିଷ୍କାର ଭାବରେ କହିଲେ,”ମେରି ହଡସନ”। ମୁଁ ପଚାରିଲି ସେ ସିନେମାରେ କି ଆଉ କେଉଁଠି କାମ କରନ୍ତି କି । ସେ କହିଲେ,ନାଇଁ, ସେ ୱେଲସଲି କଲେଜକୁ ଯାଏ । ଦଳପତି ପୁଣି ଯୋଡିଲେ,ପରବର୍ତ୍ତି-ଚିନ୍ତା ର ବକ୍ରିଳ ଗତିରେ,ଯେ ୱେଲସଲି କଲେଜ ହେଉଛି ଗୋଟିଏ ପ୍ରତିଷ୍ଠିତ ସଂଭ୍ରାନ୍ତ କଲେଜ। ମୁଁ ତାଙ୍କୁ ପଚାରିଲି,ଏଇ ବସ୍ ରେ ସେମିତି ଗୋଟିଏ ଛବି କାହିଁକି ରହିଛି । ସେ ନିଜକୁ ଆଶ୍ୱସ୍ତ କରିବା ଭଳି କହିଥିଲେ ଯେ,ସେଇ ଛବିଟି ତାଙ୍କର ଉପରେ ଆଉଯାହା ହେଉନା କାହିଁକି ଅଠାରେ ଲଗାଇ ଦିଆଯାଇଛି।

ତାହାର ପରବର୍ତ୍ତି କିଛି ସପ୍ତାହର ଭିତରେ,ସେଇ ଛବିଟି-ଦୁର୍ଘଟଣାବଶତଃ ହେଉ କି ଅକସ୍ମାତ ହେଉ ଯାହା ଦଳପତିଙ୍କ ଉପରେ ଅଠାରେ କି ଆଉ କେଉଁଥିରେ ଲଗାଇ ଦିଆଯାଇଥିଲା -ବସ୍ ରୁ କାଢି ନିଆଯାଇ ନଥିଲା,ବେବି ରଥ୍ କାଣ୍ଡି ର ଜରି ଭଳି କି ଆଇସକ୍ରିମ ଦ୍ୱୀପରେ ଘୋଡା ଚୋରୀକୁ ରୋକିବା ପାଇଁ ଥିବା ଲିକୋରିସ୍ ର ଚାବୁକ ଭଳି। ସେ ଯାହାହେଉ ଆମେ କୋମାଞ୍ଚିଆମାନେ ଏଥିରେ ଅଭ୍ୟସ୍ତ ହୋଇଯାଇଥିଲୁ। ଏହା କ୍ରମଶଃ ଗାଡିର ଅନାକର୍ଷଣୀୟ ବ୍ୟକ୍ତିତ୍ୱ ଏକ ସ୍ପିଡୋମିଟର ଭଳି ହୋଇଯାଇଥିଲା।

କିନ୍ତୁ ଦିନେ, ଆମେ ଯେତେବେଳେ ପାର୍କକୁ ଯାଉଥିଲୁ,ଦଳପତି ବସ୍ ଟିକୁ, ଫିଫଥ୍ ଆଭେନ୍ୟୁର ଷଷ୍ଠ ଦଶକର ଗୋଟିଏ ବୁଲାଣିକୁ ନେଇଯାଇଥିଲେ,ଆମର ବେସବଲ୍ ପଡିଆକୁ ଅତିକ୍ରମ କରିଯିବା ଅଧମାଇଲ୍ ପରେ ସେଇ ବୁଲାଣି। ପଛରେ ଥିବା କୋଡିଏ ଜଣ ଡ୍ରାଇଭର୍ ହଠାତ୍ ତାଙ୍କଠାରୁ ଏହାର କାରଣ ଦାବୀ କଲେ,ହେଲେ ଦଳପତି କିଛି କହିଲେ ନାହିଁ । ଏହା ବଦଳରେ ସେ ହଠାତ୍ ତାଙ୍କର କାହାଣୀ-କହିବାର ଆସ୍ଥାନକୁ ଚାଲିଗଲେ ଆଉ ଅକସ୍ମାତ୍ କାହାଣୀର ଏକ ଅପରିପକ୍ୱ ଭାଗ କହିବାପାଇଁ ଉପକ୍ରମ କଲେ। ସେ କାହାଣୀ ଆରମ୍ଭ କରିଛନ୍ତି କି ନାହିଁ ,କିଏ ଜଣେ ବାହାରେ ବସ୍ ର କବାଟକୁ ଖଟଖଟ କଲା। ଦଳପତିଙ୍କ ସ୍ୱତଃସ୍ଫୃର୍ତ୍ତତା ସେଦିନ ବହୁତ ଉଚ୍ଚରେ ଥିଲା। ଆକ୍ଷରିକ ଭାବରେ ସେ ଡ୍ରାଇଭର୍-ସିଟ୍ ରୁ ତୁରନ୍ତ ବସ୍ ର କବାଟ ଖୋଲିବା ପାଇଁ ଥିବା ଅପରେଟିଙ୍ଗ ହାଣ୍ଡଲ୍ ଉପରେ ଚାପ ଦେଇଥିଲେ ଏବଂ ତାହାପରେ ଝିଅଟିଏ ବସ୍ ଉପରକୁ ଉଠିଆସିଥିଲା। ଦେହରେ ତାହାର ଥିଲା ଗୋଟିଏ ବିଭର କୋଟ,ବିଭର ହେଉଛି ତୀକ୍ଷ୍ଣ ଦନ୍ତ ବିଶିଷ୍ଟ ଗୋଟିଏ ଲୋମଶ ମୂଷା।

ଏହାର ବାହାରେ,ମୋର ଯାହା ମନେ ପଡୁଛି,ମୁଁ କେବଳ ତିନୋଟି ଝିଅଙ୍କୁ ଦେଖିଥିଲି,ସେମାନେ ମୋତେ କୌଣସି ବର୍ଣ୍ଣନାର ଭିତରେ ରହିନଥିବା ତିନୋଟି ଶ୍ରେଷ୍ଠ ସୁନ୍ଦରୀ ବୋଲି ପ୍ରଥମ ଦେଖାରେ ମନେ ହୋଇଥିଲେ। ସେମାନଙ୍କ ଭିତରୁ ଜଣେ ଦେଖିବାକୁ ପତଳା କଳା ରଙ୍ଗର ବାଥିଙ୍ଗ-ସୁଟ୍ ଟିଏ ପିନ୍ଧିଥିଲା । ୧୯୩୬ ସାଲ ର ସେତେବେଳେ ଜୋନସ୍ ସମୁଦ୍ରକୂଳରେ ସେ କମଳା ରଙ୍ଗର ଗୋଟିଏ ଛତାକୁ ଠିକ୍ ରେ ଧରିପାରୁନଥାଏ।ଦ୍ୱିତୀୟ ଜଣକ ଗୋଟିଏ ଝିଅ ଯିଏ ୧୯୩୯ ରେ ଗୋଟିଏ କାରବୀୟ କ୍ରୁଜ୍ ଜାହାଜରେ ଥିଲା ଯିଏ ତାହାର ସିଗାରେଟ୍ ଲାଇଟର୍ ଟାକୁ ଫୋପାଡି ଦେଇଥିଲା ଗୋଟିଏ ଏଣ୍ଡୁଅର ମୁହଁକୁ। ଏବଂ ତୃତୀୟ ଜଣକ ହେଉଛି ଦଳପତିଙ୍କ ସେଇ ଝିଅ,ମେରି ହଡସନ୍।

“ମୋର କ’ଣ ବେଶି ଡେରି ହୋଇଛି?” ସେ ଦଳପତିଙ୍କୁ ପଚାରିଲା, ତାଙ୍କ ଆଡକୁ ଚାହିଁ
ହୁଏତ ଏମିତି ସେ ପଚାରିଥିଲା ଯେମିତି ସେ ଭୟଙ୍କର ଭାବରେ କୁତ୍ସିତ ।

“ନା” ଦଳପତି କହିଲେ । ଏହା ଯେପରି କୌଣସି ଗୁରୁତ୍ୱପୂର୍ଣ୍ଣ କଥା ନୁହଁ ସେଇପରି ସେ ତାଙ୍କର ପାଖ ସିଟ୍ ରେ ବସିଥିବା କୋମାଞ୍ଚିଆ ମାନକୁ ଅନାଇଲେ ଆଉ ଧାଡିରେ ଜାଗା ଛାଡିଦେବା ପାଇଁ ଇଂଗିତ କରିଥିଲେ। ମେରି ହଡସନ୍ ମୋର ଆଉ ଗୋଟିଏ ପିଲା ତାହାର ନାଆଁ ଏଡଗାର ଆଉ  କ’ଣ ଗୋଟିଏ ବି ସାଜ୍ଞିଆ ଥିଲା,ତାହାର ଅଙ୍କଲ ଙ୍କ ବେଷ୍ଟ ଫ୍ରେଣ୍ଡ ଗୋଟାଏ ଚୋରା ମଦଚାଲାଣକାରୀ ଥିଲା, ସେଇ ଏଡଗାର ଆଉ ମୁଁ,ଆମ ଦିଜଣଙ୍କ ମଝିରେ ସେ ବସିଥିଲା । ଆମେ ତା’କୁ ପୃଥିବୀରେ ପ୍ରଥମେ ଜାଗା ଦେଇଥିଲୁ। ତାହାପରେ ବସ୍ ଆଗେଇଥିଲା ଯେମିତି ଗୋଟିଏ ନୂଆ ଶିଖାଳି ଗାଡି ଚଲାଇବା ବେଳର ଝଟକା ଭଳି। ସବୁ କୋମାଞ୍ଚିଆ ମାନେ ଆଗରୁ ପଛଯାଏଁ ନୀରବ ଥିଲେ।

ସବୁଦିନ ଯେଉଁଠି ଆମ ଗାଡି ପାର୍କ କରାଯାଏ ସେଇଠି ପହଞ୍ଚିଲା ବେଳକୁ ମେରି ହଡସନ୍ ତାହାର ସିଟ୍ ରେ ଆଗକୁ ଝୁଙ୍କି ବସିଥିଲା ଆଉ ଦଳପତିଙ୍କୁ ସେ ଯେଉଁ ସବୁ ଟ୍ରେନ୍ କୁ ମିସ୍ କରିଛି ,ଯେଉଁ ସବୁକୁ ମିସ୍ କରିନାହିଁ ,ତାହାର ଏକ ଆଗ୍ରହସୁଲଭ ବିବରଣୀ ପ୍ରଦାନ କରୁଥିଲା ; ସେ ଡଗଲାଷ୍ଟନ ,ଲଙ୍ଗ ଆଇଲାଣ୍ଡରେ ରହେ। ଦଳପତି ଭାରି ନର୍ଭସ୍ । ସେ ନିଜର କଥାରେ ଅଧିକ ଆଉ କିଛି ଯୋଡିପାରୁନଥିଲେ ,କି ତାହାର କଥାକୁ ଠିକ୍ ଶୁଣିପାରୁନଥିଲେ । ଗିଅର୍ ପକାଇବା ନବ୍ ଟି ତାଙ୍କର ହାତରୁ ଖସି ଯାଉଥାଏ,ମୋର ଯେତିକି ମନେ ଅଛି।

ଆମେ ଯେତେବେଳେ ବସ୍ ରୁ ଓହ୍ଲାଇଲୁ,ମେରି ହଡସନ୍ ଆମ ସହିତ ଅଠା ଭଳି ଲାଗିରହିଥିଲା। ମୁଁ ନିଶ୍ଚିତ ଯେ ଆମେ ବେସବଲ୍ ଫିଲ୍ଡ ରେ ପହଞ୍ଚିବା ବେଳକୁ ପ୍ରତି କୋମାଞ୍ଚିଆର ମୁହଁରେ ସେ ଯେମିତି ଗୋଟିଏ କିଛି
ଝିଅ-ନିଶ୍ଚୟ-ଜାଣନ୍ତିନାହିଁ -କେତେବେଳେ-ଘରକୁ-ଯିବାକୁ-ହେବ ଭଳି ଚାହାଁଣି। ଏବଂ ସବା ଉପରେ ,ଯେତେବେଳେ ଆଉ ଜଣେ କୋମାଞ୍ଚିଆ ଆଉ ମୁଁ  କଏନ୍ ଟସ୍ କରୁଥିଲୁ କେଉଁ ଟିମ୍ ଆଗ ପଡିଆକୁ ଯିବ ,ମେରି ହଡସନ୍ ଆକୁଳତାର ସହିତ ନିଜ ଇଚ୍ଛା ପ୍ରକାଶ କରିଥିଲା ଯେ ସେ ଯେମିତି ଏଇ ଖେଳରେ ଯୋଗଦିଏ । ଏହାର ନିଷ୍ପତ୍ତିଟି କିନ୍ତୁ ସେତେ ସହଜ ହେଲା ନାହିଁ । କାରଣ ଆଗରୁ ଆମେ କୋମାଞ୍ଚିଆମାନେ ତାହାର ନାରୀତ୍ୱକୁ ତରାଟି ଦେଖିଥିଲୁ ,ଏବେ ସ୍ଥିର ଚାହାଁଣିରେ ଚାହିଁଲୁ। ସେ ଆମର ହସର ପ୍ରତିବଦଳ ଦେଲା। ଏହା ଗୋଟିଏ ଛାଇର ବିଚଳିତ ହେବା ଭଳି କଥା। ତାହାପରେ ଦଳପତି ଏହାର ନେତୃତ୍ୱ ହାତକୁ ନେଲେ ,ଯାହା ଆଗରୁ ଏଯାଏଁ ଗୋଟିଏ ବିଫଳତାର ଗୋପନକଥା ହୋଇ ଥିଲା ତାହା ପ୍ରକାଶ ହେଲା।ସେ ମେରି ହଡସନ୍ କୁ ନିଜର ପାଖକୁ ଡାକି,କୋମାଞ୍ଚିଆ ମାନେ ଯେମିତି ଠିକ୍ ଶୁଣିପାରିବେ,ସେମିତି ଏକ ଦୂରତାରେ ଆଉ ଜଣାଯାଉଥିଲା ସେ ଯେମିତି ତାହାକୁ କିଛି ମଧୁର ସ୍ୱରରେ ସମ୍ବୋଧନ କରୁଛନ୍ତି । ମେରି ହଡସନ୍ ତାଙ୍କୁ କଥା ମଝିରୁ ଅଟକାଇ ଦେଇ କହିଲା,ସବୁ କୋମାଞ୍ଚିଆଙ୍କୁ ପରିଷ୍କାର ଶୁଭୁଥାଏ। “ହେଲେ ମୁଁ ପାରିବ “,ସେ କହିଥିଲା,”ମୁଁ ପାରିବି,ମୁଁ ଖେଳିବାକୁ ଚାହେଁ !” ଦଳପତି ମଥା ନାଡିଲେ ଆଉ ପୁଣିଥରେ ଚେଷ୍ଟା କଲେ । ସେ ପଡିଆ ଭିତରେ ସେଇ ଦିଗକୁ ନିର୍ଦ୍ଦେଶ କଲେ ଯେଉଁ ଅଂଶଟି ଓଦାଳିଆ ଆଉ ନରମ ଥିଲା। ସେ ଗୋଟିଏ ନିର୍ଦ୍ଧାରିତ ମାନର ବ୍ୟାଟ୍ ବାହାର କଲେ ଆଉ ଏହାର ଓଜନକୁ ଦେଖିନେଲେ। “ମୋର ସେଥିରେ କିଛି ଯାଏ ଆସେ ନାହିଁ” ମେରି ହଡସନ୍ ପରିଷ୍କାର ଭାବରେ କହିଥିଲା,”ମୁଁ ନିୟୁୟର୍କ ଭଳି ଦୂରଯାଗାରୁ ଆସିଛି -ଡେଣ୍ଟିଷ୍ଟ ଆଉ ସଭିଙ୍କ ପାଖକୁ ଯାଇଛି-ଏବଂ ମୁଁ ନିଶ୍ଚୟ ଖେଳିବି ।” ଦଳପତି ଆଉଥରେ ମଥା ହଲାଇଲେ ଆଉ ଆଶା ଛାଡିଦେଲେ। ସେ  ସେଇ ଅଂଚଳକୁ ଗଲେ ଯେଉଁଠି ବ୍ରେଭସ୍ ଆଉ ୱାରିଅର୍ ,କୋମାଞ୍ଚିଆଙ୍କ ଦୁଇଟି ଦଳ,ଅପେକ୍ଷା କରି ରହିଥିଲେ ,ଆଉ ମୋତେ ଚାହିଁଲେ। ମୁଁ ୱାରିଅର୍ ର ଅଧିନାୟକ। ସେ ମୋ ଦଳର ନିୟମିତ ସେଣ୍ଟର୍ ଫିଲଡର୍ ର ନାଆଁ ଉଲ୍ଲେଖ କଲେ ,ସେ ସବୁବେଳେ ଘରକୁଣା ଏବଂ ସେଇଥିପାଇଁ ତାହାରି ଜାଗାରେ ସେ ମେରି ହଡସନ୍ ର ନାଆଁ ପ୍ରସ୍ତାବ କରିଥିଲେ। ମୁଁ କହିଲି ମୋର କୌଣସି ସେଣ୍ଟର ଫିଲଡର୍ ଦରକାର
ନାହିଁ। ଦଳପତି ପଚାରିଲେ,ଇଏ କି ଆଶ୍ଚର୍ଯ୍ୟ ଯେ ମୋର ସେଣ୍ଟର ଫିଲଡର୍ ରେ କୌଣସି ଜରୁରତ ନାହିଁ ର ଅସଲ ଅର୍ଥ କ’ଣ ! ମୁଁ ଚକିତ ହୋଇଗଲି। ଦଳପତି କେବେ ଏମିତି କଥା କହନ୍ତି ନାହିଁ । ତାହାଠୁ ବଡ କଥା,ମେରି ହଡସନ୍ ମୋ ଆଡକୁ ଚାହିଁ ହସୁଥିଲା। ନିଜକୁ ଶାନ୍ତ ରଖିବା ପାଇଁ,ମୁଁ ଖଣ୍ଡିଏ ପଥର ଉଠାଇନେଲି ଆଉ  ଗୋଟିଏ ଗଛକୁ ଲକ୍ଷ୍ୟ କରି ଫୋପାଡିଥିଲି।

ଆମେ ପ୍ରଥମେ ଫିଲଡିଂ ନେଇଥିଲୁ। ପ୍ରଥମ ଇନିଙ୍ଗସ୍ ରେ ସେଣ୍ଟର ଫିଲଡର୍ ର କିଛି କାମ ନାହିଁ । ଫାର୍ଷ୍ଟ ବେସ୍ ରେ ମୋ ପୋଜିସନ୍ ରେ ରହି ମୁଁ ମୋ ପଛ ପଟକୁ ଥରକୁ ଥର ଦେଖୁଥାଏ। ଯେତେ ଥର ସେମିତି କରୁଥିଲି ଦେଖିଲା ବେଳକୁ ସେଇଠି ମେରି ହଡସନ୍ ଉଲ୍ଲାସର ସହ ମୋ ଆଡକୁ ହାତ ହଲାଉଥିଲା। ସେ ହାତରେ ଗୋଟିଏ କ୍ୟାଚର୍ସ ଗ୍ଲୋଭ୍ ପିନ୍ଧିଥାଏ,ଭାରି ଦିମାକି ଜିଦ୍। ଏହା ଗୋଟିଏ ଭୟଙ୍କର ଦୃଶ୍ୟ।

ମେରି ହଡସନ୍ ୱାରିଅରସ୍ ଙ୍କ ବ୍ୟାଟିଂ ଲାଇନ୍-ଅପ୍ ରେ ନଅ ନମ୍ବରରେ ବ୍ୟାଟ୍ କରିଥିଲା। ମୁଁ ଯେତେବେଳେ ତା’କୁ ଏ ବିଷୟରେ ସୂଚନା ଦେଲି,ସେ ଭାରିମୁହଁ କରିଥିଲା ଆଉ କହିଥିଲା,” ଠିକ୍ ଅଛି । ଶିଘ୍ର ହେଉ।” ଏବଂ କହିବାକୁ ଗଲେ ଆମର ଶିଘ୍ର କିଛି କରିବାର ଇଚ୍ଛା ହିଁ ନଥିଲା । ତାହାର ପ୍ରଥମ ଇନିଙ୍ଗସ୍ ରେ ବ୍ୟାଟ୍ କରିବାର ଅଛି । ସେ ତାହାର ବିଭର-ଲୋମ ରେ ତିଆରି କୋଟ ଟାକୁ ନିଜର ଦେହରୁ ଖୋଲିଦେଇଥିଲା -ଏବଂ କ୍ୟାଚର୍ସ ଗ୍ଲୋଭ୍ ହାତରୁ ବି- ଆଉ ନିର୍ଦ୍ଧାରିତ ପ୍ଲେଟ୍ ପାଖକୁ ଆଗେଇଯାଇଥିଲା ଗୋଟିଏ କଳା-ଧୂସର ପୋଷାକରେ । ଯେତେବେଳେ ମୁଁ ତାହାର ହାତକୁ ବ୍ୟାଟ୍ ଟା ବଢାଇଦେଲି ସେ ପଚାରିଥିଲା,ଏଇଟା ଏତେ ଭାରି କାହିଁକି ! ଦଳପତି ପିଚର୍ ପଛରେ ଥିବା ନିଜର ଅମ୍ପାୟାର୍ ର ସ୍ଥାନକୁ ଛାଡି ଉତ୍କଣ୍ଠାର ସହିତ ଆଗେଇ ଆସିଥିଲେ । ସେ ମେରି ହଡସନ୍ କୁ କହିଲେ ସେ ଯେମିତି ବ୍ୟାଟ୍ ଟିକୁ ତାହାର ଡାହାଣ କାନ୍ଧ ଉପରେ ରଖେ । “ହଁ,ମୁଁ ଜାଣେ” ସେ କହିଲା। ତାହାର ଆଖିକୁ ବଲ୍ ଉପରେ ସ୍ଥିର ରଖିବା ପାଇଁ ସେ କହିଥିଲେ ।”ହଁ, ନିଶ୍ଚିତ” ସେ କହିଥିଲା। “ବାଟରୁ ଘୁଞ୍ଚିଯାଅ” । ତାହା ଆଡକୁ ପିଚ୍ କରାଯାଇଥିବା ପ୍ରଥମ ବଲ୍ କୁ ସେ ଖୁବ୍ ଜୋର୍ ରେ ପ୍ରହାର କରିଥିଲା ଆଉ ତାହା ବାମପଟରେ ଥିବା ଫିଲଡର୍ ର ମୁଣ୍ଡ ଉପର ଦେଇ ବାହାରକୁ ଚାଲି ଯାଇଥିଲା । ଏହା ଗୋଟିଏ ସାଧାରଣ “ଡବଲ୍” ପାଇଁ ଭଲ,ମାତ୍ର ମେରି ହଡସନ୍ ଏଥିରେ ତିନ୍ ସଂଗ୍ରହ କରିଥିଲା।

ଯେତେବେଳେ ମୋର ଆଶ୍ଚର୍ଯ୍ୟମାନ ଫିକା ପଡିବାକୁ ଆରମ୍ଭ କଲା,ତାହାପରେ ମୋର ଆତଙ୍କ ଆଉ ମୋର ଆନନ୍ଦ,ମୁଁ ଦଳପତିଙ୍କୁ ଦେଖିବାକୁ ଲାଗିଲି। ସେ ବଲ୍ କୁ ପିଚ୍ କରୁଥିବା ପିଚର୍ ର ପଛରେ ଛିଡାହେବା ଭଳି ଜଣାପଡୁଥିଲେ। ସେ ଭାରି ଖୁସି ଥିଲେ। ତୃତୀୟ ବେସ୍ ର ସ୍ଥାନରୁ ମେରି ହଡସନ୍ ମୋ ଆଡକୁ ହାତ ହଲେଇଲା। ମୁଁ ବି ପ୍ରତିବଦଳରେ ହାତ ହଲାଇଲି। ମୁଁ ନିଜକୁ ଚାପି ରଖି ପାରିଲି ନାହିଁ,ଯଦିଓ ମୁଁ ତାହା ଚାହୁଁଥିଲି। ତାହାର ଷ୍ଟିକ୍ ୱାର୍କ କୁ ବାଦ ଦେଲେ ସେ ଥିଲା ଏପରି ଗୋଟିଏ ଝିଅ ଯିଏ ଜାଣିଥିଲା ଯେ ଥାର୍ଡ-ବେସ୍ ରେ ରହି କେମିତି ଜଣକ ଆଡକୁ ହାତ ହଲେଇବା କାମଟି ସୁଚାରୁ ରୂପରେ କରାଯାଇପାରେ ।

ବାକି ସାରା ଖେଳ ,ସେ ବ୍ୟାଟ୍ କରିବାବେଳକୁ ବେସ୍ ନିକଟରେ ଠିକ୍ ଆସି ପହଞ୍ଚିଯାଉଥିଲା । କୌଣସି କାରଣବଶତଃ ସେ ଫାର୍ଷ୍ଟ ବେସ୍ କୁ ପସନ୍ଦ କରୁନଥିଲା ; ସେଇଠି ସେ ଠିକ୍ ଭାବରେ ଜମିପାରୁ ନଥିଲା। ଅନ୍ତତଃ ତିନିଥର ସେ ସେଇଠି ପହଞ୍ଚିବାରେ ଦ୍ୱିତୀୟ ହୋଇଛି ।

ତାହାର ଫିଲଡିଂ ଆହୁରି ଖରାପ ହୋଇଥାନ୍ତା ଯଦି ଆମେ ଏଇକଥାକୁ ଅନୁମାନ କରି ଆଗରୁ ଉପଯୁକ୍ତ ପ୍ରସ୍ତୁତି କରିନଥାନ୍ତୁ । ମୋର ଧାରଣା ତାହାର ଏଇ କ୍ଷେତ୍ରଟିରେ ଯଥେଷ୍ଟ ସୁଧାର ଆସିପାରିବ।

ତାହାପରେ ମାସଟିଏ ବା ସେଇଭଳି ସମୟ ସେ କୋମାଞ୍ଚିଆ ମାନଙ୍କ ସହିତ ହପ୍ତାକୁ କେତେଥର ବେସବଲ୍ ଖେଳୁଥିଲା ( ଯେଉଁଦିନ ତାହାର ଡେଣ୍ଟିଷ୍ଟଙ୍କ ସହିତ ଆପଏଣ୍ଟମେଣ୍ଟ ରହିଥାଏ ,ଅବଶ୍ୟ ସେଦିନ)।ଦିନେ ଦିନେ ଅପରାହ୍ନରେ ସେ ବସ୍ ନିକଟରେ ଠିକ୍ ସମୟରେ ପହଞ୍ଚି ଯାଉଥିଲା ଆଉ ଦିନେ ଦିନେ ତାହାର ଲେଟ୍ ହେଉଥିଲା। ଦିନେ ଦିନେ ବସ୍ ଭିତରେ ସେ ବହୂତ ବକବକ୍ କରୁଥିଲା,ଦିନେ ଦିନେ ଭାରି ଶାନ୍ତ,ଚୁପଚାପ ଭାବରେ ତାହାର (ଠିପିବନ୍ଦ) ହବର୍ଟ ଟାରିଟନ୍ ସିଗାରେଟ୍ ଟାଣୁଥିଲା। ତମେ ଯେତେବେଳେ ବସ୍ ରେ ତାହାର ପାଖକୁ ଲାଗି ବସିବ ତମେ ଟେର୍ ପାଇବ ଯେ ତାହାର ଦେହରୁ ଗୋଟିଏ ମଧୁର ସୁଗନ୍ଧ ଆସୁଛି।

ଏପ୍ରିଲ୍ ର ଗୋଟିଏ ଶୀତୁଆ ଦିନରେ,ତାଙ୍କର ବସର ନିର୍ଦ୍ଧାରିତ ୧୦୯,ଆମଷ୍ଟରଢାମ ପିକ୍-ଅପ ପରେ ଦଳପତି ବସଭରା ଦଳକୁ ୧୧୦ ଷ୍ଟ୍ରୀଟ୍ ର ପୂର୍ବ ଆଡକୁ ଘୁରାଇନେଇଥିଲେ,ଫିଫଥ୍ ଆଭେନ୍ୟୁରୁ ସେ ଯେମିତି ସବୁଦିନ ଆସଥାନ୍ତି ଏହା ଗୋଟିଏ ବ୍ୟତିକ୍ରମ। ମଥାର କେଶରେ ପାଣିମାରି ଭଲକରି କୁଣ୍ଡାଇ ଥାନ୍ତି ସେ,ୱିଣ୍ଡ-ବ୍ରେକର୍ ବଦଳରେ ପିନ୍ଧିଥିଲେ ଗୋଟିଏ ଓଭରକୋଟ୍ ,ଏବଂ ମୋର ମନେ ହେଉଥିଲା ଯେ ମେରି ହଡସନ୍ ଆମ ସହିତ ଆସି ଯୋଗ ଦେବ। ଆମେ ଯେତେବେଳେ ଆସି ପାର୍କର ଗେଟ୍ ପାଖରେ ପହଞ୍ଚି ଗଲୁ,ମୁଁ ଏ ବିଷୟରେ ନିଶ୍ଚିତ ହୋଇଗଲି । ଦଳପତି ବସ୍ ଟିକୁ ପାର୍କର କୋଣରେ ଯେଉଁଠି ସେ ଗାଡିକୁ ସବୁଦିନ ପାର୍କ କରିଥାନ୍ତି ,ତାହାର ପାଖାପାଖି ପାର୍କ କରିଥିଲେ। ତାହାପରେ ,କୋମାଞ୍ଚିଆ ମାନଙ୍କ ସମୟ ଯେମିତି ବିରକ୍ତିକର ନହେବ ,ସେଇଭଳି ନିଜର ସିଟ୍ କୁ ସେ ଟିକିଏ ପଛେଇ ଆଣିଲେ ଆଉ “ହସକୁଳା ଲୋକ”ର ଆଉ ଗୋଟିଏ କିସ୍ତିକୁ ଅନାବରଣ କରିଥିଲେ। ସେହି ଭାଗଟିର ଶେଷଯାଏଁ ଟିକିନିଖି ସବୁକଥା ମୋର ମନେ ରହିଛି,ମୁଁ ଏହାର ସଂକ୍ଷିପ୍ତ ରୂପରେଖାଟି ଏଇଠି ରଖୁଛି ।

ଏଇ ଭଳି କିଛି ଘଟଣା ଘଟିଯାଇଥିଲା ଯାହା ହସକୁଳା ଲୋକର ପ୍ରିୟତମ ବନ୍ଧୁ ,ବିଶାଳ କାୟ ଗଧିଆ,ବ୍ଲାକ୍ ୱିଙ୍ଗ୍ କୁ ଦଫାର୍ଜ ପାତିଥିବା ଗୋଟିଏ ସତ ସତିକା ଆଉ ବୌଦ୍ଧିକ ଜାଲର ଭିତରକୁ ଟାଣିନେଇଥିଲା । ଦଫାର୍ଜ ଅଥବା ସେଇ ସାର୍ବଭୌମ ସମ୍ରାଟ ଜଣକ ହସକୁଳା ଲୋକର ସମସ୍ତ ଉଚ୍ଚମାନର ଆନୁଗତ୍ୟର କଥା ବିଷୟରେ ଅବଗତ ଥାଆନ୍ତି ,ତାହାର ବଦଳରେ ସେ ବ୍ଲାକ୍ ୱିଙ୍ଗ୍ କୁ ମୁକ୍ତ କରିବା ଭଳି ପ୍ରସ୍ତାବ ରଖନ୍ତି। ପୃଥିବୀ ସମସ୍ତ ବିଶ୍ୱାସକୁ ଅବିକୃତ ରଖିବାକୁ ଯାଇ ହସକୁଳା ଲୋକ ଏଇ ପ୍ରସ୍ତାବର ସର୍ତ୍ତରେ ରାଜି ହୋଇଯାଏ । (ତାହାର ବିଦ୍ୱତାର ପ୍ରଯୁକ୍ତି ରେ ଥିବା କିଛି କିଛି ସାମାନ୍ୟ କଳକବ୍ଜା ସେତେବେଳକୁ କୌଣସି ରହସ୍ୟମୟ କାରଣରୁ ଅକାମୀ ହୋଇଯାଇଥାନ୍ତି ।) ଏକଥା ସ୍ଥିର କରାଯାଏ ଯେ ପାରିସ୍ କୁ ଘେରି ରହିଥିବା ଗୋଟିଏ ଅଗନାଅଗନି ବନସ୍ତର ଏକ ନିର୍ଦ୍ଧାରିତ ଅଂଚଳରେ ରାତି ଅଧରେ ହସକୁଳା ଲୋକ ଦଫାର୍ଜଙ୍କୁ ସାକ୍ଷାତ କରିବ,ଆଉ ସେଇଠି ଚନ୍ଦ୍ରାଲୋକ ରହିଥିବା ସମୟର  ଭିତରେ ବ୍ଲାକ୍ ୱିଙ୍ଗ୍ କୁ ମୁକ୍ତ କରାଯିବ। ଯଦିଓ ସମ୍ରାଟ୍ ଦଫାର୍ଜ ଙ୍କର ବ୍ଲାକ୍ ୱିଙ୍ଗ୍ କୁ ମୁକ୍ତ କରିବା ଭଳି କୌଣସି ଅଭିପ୍ରାୟ ନଥିଲା ,ସେ ତାହାକୁ ପ୍ରଚଣ୍ଡ ଭୟ ଏବଂ ଘୃଣା କରୁଥିଲେ । ଯେଉଁ ରାତିରେ ଏଇ ବିନିମୟ କାର୍ଯ୍ୟ ସଂପାଦନ ହେବ,ସେମାନେ ବ୍ଲାକ୍ ୱିଙ୍ଗ୍ ର ଜାଗାରେ ଆଉ ଗୋଟିଏ ସେହି ପ୍ରଜାତିର ଟିମ୍ବର -ଉଲ୍ଫ ଗଧିଆକୁ ଆଣିଥିଲେ,ତାହାର ପଛପଟର ବାଆଁ ଗୋଡକୁ ତୁଷାରକଣାରେ ରଂଜିତ କରିଦେଇଥିଲେ ଯେପରିକି ସେ ଅବିକଳ ବ୍ଲାକ୍ ୱିଙ୍ଗ୍ ଭଳି ବାହାରକୁ ଦିଶିବ।

ମାତ୍ର ସେଇଠି ଏମିତି ଦୁଇଟି କଥା ଥିଲା ଯାହା ଦଫାର୍ଜ ଦେଖିପାରିନଥିଲେ : ହସକୁଳା ଲୋକର ଭାବପ୍ରବଣତା ଏବଂ ତାହାର ଏହି ଟିମ୍ବର-ଉଲ୍ଫ ଗଧିଆ ପ୍ରଜାତିର ଭାଷା ଉପରେ ବିଚକ୍ଷଣ ଦକ୍ଷତା। ଯେତେବେଳେ ସେ ଦଫାର୍ଜ ର କନ୍ୟାର ଆପଣା ହାତରେ ନିଜକୁ ଗୋଟିଏ ଗଛ ସହିତ କଣ୍ଟାତାରରେ ବନ୍ଧା ହେବାକୁ ସମର୍ପି ଦେବାକୁ ଯାଉଥିଲା ସେତେବେଳେ ଏଇ ହସକୁଳା ଲୋକଟି ନିଜର ମଧୁର ଆଉ ସୁରେଲି ଗଳାକୁ ଟିକିଏ ଉଚ୍ଚ କରି ତାହାର ପୁରୁଣା ବିଶ୍ୱସ୍ତ ବନ୍ଧୁକୁ କିଛି ବିଦାୟ ସଂଭାଷଣ ଜଣାଇବା ପାଇଁ ମନ ବଳାଇଥିଲା। ତାହାଠାରୁ  କିଛି ଚନ୍ଦ୍ରବିଧୌତ ଗଜ ର ଦୂରତ୍ୱରେ ଛିଡା ହୋଇଥିବା ଏଇ ଅଜଣା ଗଧିଆ ଜଣକ ତାହାର ଭାଷା ଉପରେ ହସକୁଳା ଲୋକର ଅଦ୍ଭୁତ ଦକ୍ଷତାକୁ ଦେଖି ବେଶ୍ ପ୍ରଭାବିତ ହୋଇଥିଲା ଏବଂ ସେ ଚୁପଚାପ୍ ଶୁଣିବାକୁ ଲାଗିଲା ହସକୁଳା ଲୋକର ସେଇ ବ୍ୟକ୍ତିଗତ ଆଉ ବୃତ୍ତିଗତ ବିଷୟରେ ଉପଦେଶାତ୍ମକ ତଥା ସେଇ ଶେଷ ଶବ୍ଦଗୁଡିକୁ । ଯଦିଓ ଏତେ ସମୟ ଧରି  ତାହାକୁ ଶୁଣିବା ଭଳି ଧୈର୍ଯ୍ୟ ସେଇ ବଦଳ ଗଧିଆର ନଥିଲା ,ତେଣୁ ସେ ଥରକୁ ଥର ନିଜର ଦେହର ଭାରକୁ ଆଗଗୋଡ ଆଉ ପଛଗୋଡ ଭିତରେ ଅଦଳବଦଳ କରୁଥିଲା । ହଠାତ୍ ,ଏବଂ ଯାହା ସମସ୍ତଙ୍କର ଅପସନ୍ଦ ହେବ ସେମିତି ସେ ଅଧୈର୍ଯ୍ୟ ହୋଇ ହସକୁଳା ଲୋକକୁ ଏପରି ଗୋଟିଏ ସୂଚନା ଦେଲା ଯେ,ପ୍ରଥମରେ,ତାହାର ନାଆଁ ଡାର୍କ ୱିଙ୍ଗ କି ବ୍ଲାକ୍ ୱିଙ୍ଗ୍ କି ଗ୍ରେ ଲେଗସ୍,ସେପରି କିଛି ନୁହଁ ,ସେ ହେଉଛି ଆରମନ୍ଦ୍ ,ଏବଂ ଦ୍ୱିତୀୟରେ ,ସେ କେବେ ତାହାର ଜୀବନରେ  ଚାଇନା ଦେଶକୁ ଯାଇନାହିଁ ,ଏବଂ ସେଠିକୁ ଯିବାର ବି ସମ୍ଭାବନା ନାହିଁ।

ଏଥିରେ କ୍ଷୁବ୍ଧ ହୋଇ ହସକୁଳା ଲୋକ ତାହାର ମୁଖାକୁ ତାହାର ଜିଭ ର ସହଯୋଗରେ ବାହାର କରିଦେଲା ଆଉ ତାହାର ମୁକୁଳା ମୁହଁ କୁ ନେଇ ସେହି ଜହ୍ନ ବିଧୌତ ରାତିରେ ଦଫାର୍ଜ ର ସାମ୍ନା କରିଥିଲା। ଦଫାର୍ଜ ଅପସରି ଯିବା ଭଳି ଏତିକି ପ୍ରତିକ୍ରୀୟା ଦେଖାଇଥିଲା। ଦଫାର୍ଜ ଭାଗ୍ୟଶାଳୀ । ସୌଭାଗ୍ୟବଶତଃ,ଠିକ୍ ସେତିକି ବେଳେ ତାହାର କାଶ ଆରମ୍ଭ ହୋଇଯାଇଥିବା କାରଣରୁ ସେ ସେହି ଭୟାବହ ମୁଖା-ଅନାବରଣ କୁ ଦେଖିପାରି ନଥିଲା। ଯେତେବେଳେ ତାହାର କାଶ ର ଲହର ଶେଷ ହେଲା ସେ ଦେଖିବାକୁ ପାଏ ତାହାର କନ୍ୟା ଚନ୍ଦ୍ରଧୌତ ଭୂଇଁରେ ଅଳସ ଭାଙ୍ଗୁଛି,ଦଫାର୍ଜ ତେଣୁ ଦୁଇ ଆଉ ଦୁଇକୁ ମିଳାଇବାକୁ ବସେ । ନିଜର ଆଖିକୁ ଗୋଟିଏ ହାତରେ ଘୋଡାଇ ରଖି ଆର ହାତରେ ନିଜର ସ୍ୱୟଂଚାଳିତ ପିସ୍ତଲରେ ସେହି ଦିଗକୁ ଫାଏର୍ କରେ ,ଯେଉଁ ଦିଗରୁ ହସକୁଳା ଲୋକର ଗାଢ ଆଉ ହିସ ହିସ ଶବ୍ଦ ଆସୁଥିଲା ସେଇ ଦିଗକୁ।

ସେଇ ଭାଗଟି ଶେଷ ହୁଏ ସେଇଠି।

ଦଳପତି ତାଙ୍କର ଘଣ୍ଟା ପକେଟ୍ ରୁ ଘଡି ବାହାର କରି ଦେଖନ୍ତି ଆଉ ହଠାତ୍ ତାଙ୍କର ସିଟ୍ କୁ ଆଗେଇ ନେଇ ଗାଡି ଷ୍ଟାର୍ଟ କରନ୍ତି । ମୁଁ ମୋ ନିଜ ଘଡି ଦେଖେ । ଚାରିଟା ତିରିଶ ପାଖାପାଖି ହେବ।ବସ୍ ଯେତେବେଳେ ଆଗେଇ ଚାଲୁଥିଲା ,ମୁଁ ଦଳପତି ଙ୍କୁ ପଚାରିଥିଲି,ସେ ମେରି ହଡସନ୍ ପାଇଁ ଆଉ ଅପେକ୍ଷା କରିବେ କି ନାହିଁ । ସେ ଏହାର କୌଣସି ଉତ୍ତର ଦେଲେ ନାହିଁ ,ମୁଁ ପ୍ରଶ୍ନଟି କାଳେ ଦୋହରାଇଦେବି ସେଇଥିପାଇଁ ସେ ନିଜର ମୁହଁକୁ ଟିକିଏ ତଳକୁ କରି ଆମ ସମସ୍ତଙ୍କୁ ସମ୍ବୋଧନ କରିବା ଭଳି କହିଥିଲେ,” ଏଥର ଆମେ ଏଇ ବସ୍ ଭିତରେ ଟିକିଏ ଚୁପଚାପ୍ ଭାବରେ ବସିବା ।” ସେ ଯାହା ହେଉନା କାହିଁକି ଏପରି ଆଦେଶ ର କୌଣସି ମାନେ ନାହିଁ । ବସ୍ ଟା ଏବଂ ସମସ୍ତେ ଭାରି ଚୁପଚାପ ଥିଲେ। ପ୍ରାୟ ସମସ୍ତେ ସେହି ଜାଗାଟିର କଥା ମନକୁ ଆଣୁଥିଲେ ଯେଉଁଠି ଶେଷରେ ହସକୁଳା ଲୋକକୁ ଛାଡି ଦିଆଯାଇଛି। ଆମେମାନେ ଅନେକ ଦିନ ଧରି ତାହାକୁ ନେଇ ଭାରି ବ୍ୟସ୍ତ ହୋଇ ପଡୁଥିଲୁ -ଆମର ତାହାର ଉପରେ ଏତେ ଭରସା ରହିଛି -ହେଲେ ତାହାର ଏମିତି ଦୁଃଖାନ୍ତ ସମୟକୁ ଆମେମାନେ ନୀରବରେ ହଜମ କରିପାରୁନଥିଲୁ।

ସେଦିନ ଓପରଓଳି ଆମର ବଲଗେମ୍ ର ତୃତୀୟ କି ଚତୁର୍ଥ ଇନିଂସ୍ ରେ ,ମୁଁ ଦେଖିଲି ଫାର୍ଷ୍ଟ ବେସ୍ ରେ ବସିଛି ମେରି ହଡସନ୍। ସେ ମୋଠାରୁ ବାଆଁ ପଟରେ ଶହେ ଗଜ ଦୂରରେ ଗୋଟିଏ ବେଞ୍ଚ ଉପରେ ବସିଥିଲା,ତାହାର ଦୁଇପଟରେ ଦୁଇଜଣ ନର୍ସ ବେବି-କ୍ୟାରେଜ୍ ସହ ବସିଛନ୍ତି। ତାହାର ଦେହରେ ବିଭର ର କୋଟ ରହିଛି,ସେ ସିଗାରେଟ୍ ଟାଣୁଛି,ଆଉ ସେ ଆମର ଖେଳ କୁ ଦେଖୁଛି ଭଳି ଜଣା ପଡୁଥାଏ । ମୁଁ ମୋର ଏପରି ଗୋଟିଏ ଆବିଷ୍କାରକୁ ନେଇ ଖୁସି ହୋଇପଡିଥିଲି ଆଉ ଦଳପତିଙ୍କୁ ପାଟି କରି ଏଇକଥା ଜଣାଇଦେଲି ,ସେ ସେତେବେଳକୁ ପିଚର୍ ର ପଛରେ ଥାଆନ୍ତି । ସେ ତରତର ହୋଇ ମୋ ପାଖକୁ ଆସିଲେ,ସେଇଟାକୁ ଦଉଡିବା କୁହାଯିବ ନାହିଁ । “କେଉଁଠି ” ସେ ମୋତେ ପଚାରିଲେ। ମୁଁ ଆଉ ଥରେ ଦେଖାଇଦେଲି। ସେ ସେହି ଦିଗରେ କିଛି ସମୟ ଚାହିଁ ରହିଲେ ,ତାହାପରେ ମୁଁ ଆସୁଛି ବୋଲି କହି ସେ ପଡିଆ ଛାଡି ଚାଲିଗଲେ। ଗଲାବେଳକୁ ସେ ଭାରି ଚୁପଚାପ,ତାଙ୍କର ଓଭରକୋଟ୍ ଟା ଖୋଲା ଆଉ ହାତଦୁଇଟି ରହି ଥିଲା ତାଙ୍କର ପ୍ୟାଣ୍ଟର ପକେଟରେ । ମୁଁ ଫାର୍ଷ୍ଟ ବେସ୍ ରେ ବସି ରହିଲି ଆଉ ଲକ୍ଷ୍ୟ କଲି। ଦଳପତି ମେରି ହଡସନ୍ ନିକଟରେ ପହଞ୍ଚିଗଲା ବେଳକୁ ତାଙ୍କର ଓଭରକୋଟ ର ବୋତାମ ପୁଣି ବନ୍ଦ ଥିଲା ଆଉ ହାତ ଦୁଇଟି ଟ୍ରାଉଜର୍ ର ପକେଟ୍ ଭିତରୁ ବାହାରି ଆସିଥିଲା।

ସେ ତାହାର ପାଖରେ ପାଞ୍ଚ ମିନିଟ୍ ଖଣ୍ଡେ ଠିଆ ହୋଇଥିଲେ,କଥା ହୋଇଥିଲେ। ତାହାପରେ ସେ ଆଉ ମେରି ହଡସନ୍ ଉଭୟେ ବେସବଲ୍ ପଡିଆ ଆଡକୁ ଏକାଠି ଆସିଲେ । ଆସିଲା ବେଳେ ସେମାନଙ୍କ ଭିତରେ କୌଣସି କଥାବାର୍ତ୍ତା ହେଉନଥିଲା କି ସେମାନେ ଦିଜଣ କେହି କାହାକୁ ଚାହୁଁ ନଥିଲେ । ପଡିଆ ଭିତରେ ପହଞ୍ଚିବା ପରେ ଦଳପତି ତାଙ୍କର ପିଚର୍ ର ପଛରେ ଥିବା ପୋଜିସନ୍ କୁ ଯାଇଥିଲେ । ମୁଁ ତାଙ୍କୁ ପାଟିକରି ପଚାରିଲି,”ସେ ଖେଳିବ ତ ?” ସେ ମୋତେ ସାକ୍ କୁ କଭର୍ କରିବାପାଇଁ କହିଲେ ,ମୁଁ ସାକ୍ କୁ କଭର୍ କଲି ଆଉ ମେରି ହଡସନ୍ କୁ ଲକ୍ଷ୍ୟ କରୁଥିଲି। ସେ ଟିକିଏ ଏପଟ ସେପଟ ହେଉଥାଏ ଆଉ ଶେଷରେ ଯାଇ ସେ ଖେଳୁ ନଥିବା ଖେଳାଳୀଙ୍କ ପାଇଁ ଥିବା ବେଞ୍ଚରେ ତୃତୀୟ ବେସ୍ ପଛରେ ବସିଥିଲା । ସେ ଆଉ ଗୋଟିଏ ସିଗାରେଟ୍ ଲଗାଇଲା , ଗୋଡ ଦୁଇଟି କୁ
ଛନ୍ଦିନେଲା ।

ୱାରିଅର୍ସ ମାନେ ଯେତେବେଳେ ବ୍ୟାଟ୍ କରୁଥିଲେ, ମୁଁ ତାହାର ବେଞ୍ଚ ନିକଟକୁ ଯାଇଥିଲି ଆଉ ପଚାରିଲି, ସେ ଲେଫ୍ଟ ଫିଲ୍ଡ୍ ରେ ଖେଳିବାକୁ ରାଜି ଅଛି କି ନାହିଁ । ସେ ତାହାର ମଥା ହଲାଇଲା। ପଚାରିଲି ,ତାହାକୁ ଥଣ୍ଡା ଧରିଛି କି ନାହିଁ । ସେ ପୁଣିଥରେ ମଥା ହଲାଇଲା। ମୁଁ କହିଲି ମୋର ଲେଫ୍ଟ ଫିଲ୍ଡ ରେ ଖେଳାଳୀ ନାହାଁନ୍ତି । କହିଲି,ମୋର ଗୋଟିଏ ପିଲା ସେଣ୍ଟର ଆଉ ଲେଫ୍ଟ ଉଭୟ ଫିଲ୍ଡରେ ଖେଳୁଛି । ଏଇ ସୂଚନାରେ ତାହାର କୌଣସି ପ୍ରତିକ୍ରୀୟା ନାହିଁ । ମୁଁ ତାହାପରେ ଫାର୍ଷ୍ଟ ବ୍ୟାଟସମ୍ୟାନ୍ ର ଟସ୍ କରିଥିଲି। ମୁଁ ମେରି ହଡସନ୍ କୁ ପଚାରିଥିଲି ସେ ଏହା ଭିତରେ କେବେ ଆମ ଘରକୁ ରାତ୍ରୀଭୋଜନ  ପାଇଁ ଆସି ପାରିବ କି ! ମୁଁ ତାହାକୁ କହିଥିଲି,ଦଳପତି ଅନେକ ଥର ଏମିତି ଆସିଛନ୍ତି।”ମୋତେ ଏକେଲା ରହିବାକୁ ଦିଅ” ସେ କହିଲା,”ମୋର କିଛି ସମୟ ଏକେଲା
ଦରକାର।” ମୁଁ ତାହାକୁ ଏହାପରେ ଟିକିଏ ଚାହିଁ ରହିଥିଲି ଆଉ ୱାରିଅର୍ସ ବେଞ୍ଚ ନିକଟକୁ ଆଗେଇ ଯାଇଥିଲି । ପକେଟରୁ ଗୋଟିଏ କମଳା ବାହାର କରି ତାହାକୁ ଟସ୍ କଲା ଭଳି ଉପରକୁ ଊଛାଳି ଥିଲି।ଦେଖିଲା ବେଳକୁ ସେଇଟିକୁ ମେରି ହଡସନ୍ କ୍ୟାଚ୍ କରିନେଇଛି । ମୁଁ ଜାଣେନାହିଁ ମେରି ଆଉ ଦଳପତିଙ୍କ ଭିତରେ କ’ଣ ଘଟିଛି ? ହେଲେ ଏତିକି ସତ ଯେ ମେରି ହଡସନ୍ ଆଉ କୋମାଞ୍ଚିଆ ଲାଇନ୍-ଅପ୍ ରୁ ପର୍ମାନେଣ୍ଟଲି ଡ୍ରପ୍ । ଏହା ହେଉଛି ଏଇପରି ଗୋଟିଏ ନିଶ୍ଚୟତା,ଘଟଣାଠାରୁ ବାହାର କରି ତାହାକୁ ଯେତେ ଦେଖିଲେ ବି,ତାହା ପଛକୁ ପଛକୁ ଅଧିକ ଜଟିଳ ହୋଇ ଚାଲି ଯାଉଥିବ ,ଏବଂ ମୁଁ ସେଇ ବେବି-କ୍ୟାରେଜ୍ ରେ ଧକ୍କା ଖାଇଥିଲି ।

ଆଉ ଗୋଟିଏ ଇନିଂସ ପରେ ଫିଲଡିଂ ଦଳ ପାଇଁ ଆଲୁଅ ଖରାପ ।ଖେଳ ର ସମାପ୍ତି ଘୋଷଣା କରାଗଲା ଆଉ ଆମେ ନିଜନିଜର ଖେଳ ଉପକରଣ କୁ ଏକାଠି କରିବାକୁ ଲାଗିଗଲୁ । ଯୋଗକୁ ମୁଁ ମେରି ହଡସନ୍ ର ଶେଷଦେଖାଟିଏ ପାଇଗଲି,ସେ ଥାର୍ଡ-ବେସ୍ ନିକଟରେ ଥିଲା,କାନ୍ଦୁଥିଲା। ଦଳପତି ତାହାର ବିଭର୍ କୋଟ୍ ର କାନ୍ଧଟିକୁ ଧରିଥାନ୍ତି,ମାତ୍ର ସେ ତାଙ୍କଠାରୁ ଦୂରକୁ ଚାଲିଗଲା। ସେ ଦୌଡି ଦୌଡି ପଡିଆ ବାହାରର ସିମେଣ୍ଟ ରାସ୍ତାରେ ପହଞ୍ଚିଗଲା ଆଉ ତାହାପରେ ସେ ଦୌଡି ଦୌଡି ବାହାରକୁ କୁଆଡେ ଗଲା ଯେ ମୋ ଆଖି କୁ ଆଉ ସେ ଦେଖାଗଲା ନାହିଁ ।

ଦଳପତି ତାହାର ପଛେ ପଛେ ଯାଇନାହାଁନ୍ତି । ସେ ସ୍ଥିର ଭାବରେ ଛିଡା ହୋଇ ତାହାର ଏଇପରି ପଳାଇବାକୁ ଦେଖୁଥିଲେ । ତାହାପରେ ସେ ବୁଲିପଡି ହୋମ-ପ୍ଲେଟ୍ କୁ ଆସିଲେ ଆଉ ସେଇଠୁ ଦୁଇଟି ବ୍ୟାଟ୍ କୁ ଉଠାଇନେଲେ । ଆମେମାନେ ସବୁବେଳେ ବ୍ୟାଟ୍ ମାନଙ୍କୁ ଛାଡି ଆସୁ ଆଉ ସେ ତାହାକୁ ସବୁବେଳେ କ୍ୟାରି କରି ଆଣିଥାନ୍ତି । ମୁଁ ତାଙ୍କ ପାଖକୁ ଯାଇଥିଲି ଆଉ ପଚାରିଥିଲି ,ମେରି ଆଉ ତାଙ୍କ ଭିତରେ କୌଣସି କଳି ହୋଇଛି କି ନାହିଁ । ସେ ମୋତେ ମୋର ସାର୍ଟ ଟାକୁ ପ୍ୟାଣ୍ଟ ଭିତରେ ଆଗ ଗୁଞ୍ଜି ଦେବାକୁ କହିଥିଲେ ।

ସବୁଦିନ ପରି ଆମେ କୋମାଞ୍ଚିଆ ମାନେ ବସ୍ ପଡିଆ ଠାରୁ ଯେଉଁ କେତେ ଶହ ଫୁଟ୍ ଦୂରରେ ପାର୍କ କରାଯାଇଥାଏ ସେତକ ଦୂରତ୍ୱକୁ ହୋହଲ୍ଲା କରି,ନାନା ପ୍ରକାରର ଉତ୍କଟ ଚିତ୍କାର କରି ,ଆଖ ପାଖ କାହାର ବେକକୁ ଚାପି ଧରି ଦୌଡି ପୂରଣ କରିଥାଉ,ମାତ୍ର ଆମେ ସମସ୍ତେ ଅବଗତ ଥାଉ ଯେ ଏହାର ପରବର୍ତ୍ତି ସମୟ ହେଉଛି “ହସକୁଳା ଲୋକ” ର ସମୟ । ଫିଫଥ୍ ଆଭେନ୍ୟୁ ଦେଇ ଯିବାବେଳେ ,ଜଣେ ତାହାର ପୁରୁଣା ଅତିରିକ୍ତ ସୁଇଟର୍ କୁ ଫୋପାଡି ଦେଲା,ମୁଁ ତାହାକୁ ଧରି ନେଇଥିଲି । ମୋର ସବୁ ଦାୟିତ୍ୱ ସାରି ବସକୁ ଉଠିଲା ବେଳକୁ ସବୁ ଭଲ ସିଟ୍ ଗୁଡିକ ପୂରଣ ହୋଇଯାଇଥାଏ । ମୋତେ ବସର ମଝାମଝି ବସିବାକୁ ପଡିଲା। ଏଥିରେ ମୁଁ ବିରକ୍ତ ହୋଇ ମୋ ପାଖରେ ଯିଏ ବସିଥିଲା ତାହାର ଛାତିକୁ  କହୁଣୀରେ ଖୁଞ୍ଚାଏ ମାରିଲି,ଚାରି ପଟକୁ ତାହାପରେ ଦେଖିଲା ବେଳକୁ ଆମେ ଫିଫଥ୍ ଆଭେନ୍ୟୁ ପାର କରି ସାରିଥିଲୁ। ସେତେ ଅନ୍ଧାର ହୋଇ ନଥାଏ ମାତ୍ର ଫିଫଥ୍ ଆଭେନ୍ୟୁ ଟିକିଏ ଫିକା ଦିଶୁଥାଏ । ଦଳପତି ଙ୍କ ଦୃଷ୍ଟି ରାସ୍ତା ଉପରେ ଥାଏ । ତାଙ୍କର କଳା କେଶ ଯାହା ପାଣି ମରାଯାଇ କୁଣ୍ଡା ହୋଇଥାଏ ,ଶୁଖି ଗଲାଣି । ମୁଁ ସବୁବେଳେ ଭାବେ ଦଳପତିଙ୍କ ହାତରେ ଯେମିତି ଗ୍ଲୋଭ୍ ହଳେ ରହିଥାଉ।

ଦଳପତି ବସ୍ ରେ ଉଠିଲେ ସାଧାରଣତଃ ଚାରିଆଡ ଚୁପଚାପ୍ ହୋଇଯାଏ ,ଏହା ଯେମିତି ଗୋଟିଏ ପ୍ରେକ୍ଷାଳୟର  ଆଲୁଅ ଫିକା ହେବା ଭଳି କଥା  । କଥାବାର୍ତ୍ତା ସବୁ ତୁରନ୍ତ ହୁସହାସ୍ ରେ ଚୁପ୍ ଅଥବା ପୂରାପୁରି ଶେଷ । ସେ ଯାହାହେଉ ଦଳପତି ସେଇ ପ୍ରଥମ କଥା ଆମକୁ କହିଥିଲେ,” ଠିକ୍ ଅଛି,ଚୁପଚାପ୍ ରହିବାକୁ ପଡିବ,ନୋହିଲେ ଗପ ନାହିଁ ।” ଘଡିକ ଭିତରେ ହଠାତ୍ ଏକ ନିଃସର୍ତ୍ତ ନୀରବତା ବସ ସାରା ବ୍ୟାପିଗଲା ,କଥା କହିବାର ଏକମାତ୍ର ବିକଳ୍ପ ସେ । ସେ ରୁମାଲ ବାହାର କରି ତାଙ୍କର ନାକକୁ ପରିଷ୍କାର କଲେ,ଆଗ ଗୋଟିଏ ନାକପୁଡା ଆଉ ତାହାପରେ ଆରଟି । ଆମେ ତାଙ୍କୁ ଅତ୍ୟନ୍ତ ଧୈର୍ଯ୍ୟର ସହ ଆଉ କିଛି ପରିଭାଣରେ ଦର୍ଶକର ଉତ୍କଣ୍ଠା ସହ  ଅପେକ୍ଷା କରିଥାଉ । ସେ ନିଜର ନାକ ସଫା କରିସାରିବା ପରେ ସେଇ ରୁମାଲ୍ କୁ ଭାଙ୍ଗି ନିଜର ପକେଟରେ ରଖିଲେ । ସେ ତାହାପରେ ଆମକୁ “ହସକୁଳା ଲୋକ” ର ଗୋଟିଏ ନୂଆ ଭାଗ କହିଥିଲେ । ଆରମ୍ଭରୁ ଶେଷ ଯାଏଁ ଏହା କେବଳ ପାଞ୍ଚ ମିନିଟ୍ ର କଥା ଥିଲା।

ଦଫାର୍ଜ  ର ଚାରୋଟି ଗୁଳି ହସକୁଳା ଲୋକର ଦେହରେ ବାଜିଥିଲ,  ଦୁଇଟା ସିଧା ହୃତପିଣ୍ଡରେ । ଯେତେବେଳେ ଦଫାର୍ଜ ,ଯିଏ ତଥାପି ହସକୁଳା ଲୋକର ମୁହଁ କୁ ନଦେଖିବା ପାଇଁ ତାହାର ଆଖିକୁ ବୁଲାଇ ରଖାଥିଲା ,ଲକ୍ଷ୍ୟ ସ୍ଥଳରୁ ଏକ କାତର ଧ୍ୱନୀକୁ ଶୁଣିବା ମାତ୍ରକେ କିନ୍ତୁ ଉତଫୁଲ୍ଲିତ ହୋଇ ଉଠିଲା । ତାହାର କୃଷ୍ଣକାୟ ହୃଦୟ ଖୁବ୍ ଜୋର୍ ରେ ଧକଧକ କରୁଥାଏ,ସେ ତାହାର ଅଚେତନ ଝିଅର ନିକଟରେ ପହଞ୍ଚିଲା ଆଉ ତାହାର ଚେତା ଯେମିତି ଫେରି ଆସିବ ତାହାର ପ୍ରୟାସ କଲା । ତାହାପରେ ସେ ପିତାପୁତ୍ରୀ ଦିଜଣ, ଅତ୍ୟନ୍ତ ଆନନ୍ଦିତ ଆଉ ଏକ କାପୁରୁଷର ସାହସ ସହିତ ହସକୁଳା ଲୋକକୁ ସିଧା ଦେଖିବା ପାଇଁ ସାହସ ବାନ୍ଧିଥିଲେ । ମରଣରେ ତାହାର ମଥାଟି ଅବନତ,ମୁହଁଟି ରକ୍ତରଂଜିତ ଛାତିରେ ଲାଗି ରହିଥିଲା। ଆସ୍ତେ ଆସ୍ତେ, ଲୋଭୀ ପରି ,ପିତାପୁତ୍ରୀ ଦିଜଣ ତାଙ୍କର ଏଇ ଶିକାରକୁ ଭଲଭାବରେ ପରୀକ୍ଷା କରିବା ପାଇଁ ଆଗେଇ ଆସିଲେ । ତାଙ୍କ ପାଇଁ ଗୋଟିଏ ବଡ ଆଶ୍ଚର୍ଯ୍ୟ ଅପେକ୍ଷା କରି ରହିଥିଲା। ହସକୁଳା ଲୋକ, ମରିବା ପରିବର୍ତ୍ତେ,ତାହାର ତଳିପେଟର ମାଂସପେଶୀକୁ ଗୋଟିଏ ଗୋପନ ପଦ୍ଧତିରେ ଉପରତଳ କରୁଥିଲା । ଦଫାର୍ଜ ପାଖେଇ ଆସିବା ଦେଖି ସେ ହଠାତ୍ ନିଜର ମଥାକୁ ଉପରକୁ ଟେକି ଗୋଟିଏ ବିକଟ ହସ ହସିଥିଲା ,ଆଉ ତାହାପରେ ପରିଷ୍କାର ଭାବରେ ସେଇ ଚାରୋଟି ଯାକ ଗୁଳିକୁ ଓଗାଳି ଦେଇଥିଲା।ଦଫାର୍ଜ ପିତାପୁତ୍ରୀଙ୍କ ଉପରେ ଏହାର ପ୍ରଭାବ ଏପରି ତୀବ୍ର ହୋଇଥିଲା ଯେ,ଆକ୍ଷରିକ ଭାବରେ ସେମାନଙ୍କର ହୃତପିଣ୍ଡ ମାନ ଫାଟିଯାଇଥିଲା ଆଉ ସେମାନେ ହସକୁଳା ଲୋକରେ ପଦତଳେ ମରି ଖସିପଡିଲେ ।(ଯଦି କାହାଣୀର ଏଇ ଭାଗଟି ସେ ଯାହାହେଉ  ଗୋଟିଏ ଛୋଟ ଭାଗ ହୋଇଥାନ୍ତା ,ତାହାହେଲେ ଏହା ଏଇଠି ଶେଷ ହୋଇଥାନ୍ତା ; କୋମାଞ୍ଚିଆ ମାନେ ଦଫାର୍ଜମାନଙ୍କର ମୃତ୍ୟୁକୁ ସଠିକ୍ ମନେ କରିବା ଭଳି ଗୋଟିଏ କାରଣ ପାଇଯାଇଥାନ୍ତେ ,ମାତ୍ର କାହାଣୀଟି ଏଇଠି ସରି ନାହିଁ।) ଦିନ ପରେ ଦିନ ହସକୁଳା ଲୋକଟି ଗଛସହ କଣ୍ଟାତାରରେ ବନ୍ଧା ହୋଇ ରହିଥାଏ ,ଆଉ ଠିକ୍ ତାହାର ପାଦତଳେ ଦଫାର୍ଜ ମାନଙ୍କର ଦେହ ପଚିସଢି ଯାଉଥାଏ ।ତାହାର ଦେହରୁ ରକ୍ତ ଝରିବାକୁ ଲାଗେ ଆଉ ତାହାର ନିୟମିତ ଅଭ୍ୟାସ ଛଞ୍ଚାଣର ରକ୍ତ ଅମିଳକ,ତଥାପି ସେ ମରଣଠାରୁ ଦୂରରେ ।ଦିନେ ,ସେ ଯାହାହେଉ ଗୋଟିଏ ଗମ୍ଭୀର ଆଉ ସ୍ପଷ୍ଟ ଗଳାରେ ସେ ଦିନେ ବନସ୍ତର ସବୁ ଜୀବଯନ୍ତୁଙ୍କୁ ନିବେଦନ କରେ ତାହାକୁ ସାହାଯ୍ୟ କରିବା ପାଇଁ । ସେମାନଙ୍କୁ କହେ ଖବର ଦେବା ପାଇଁ ତାହାର ଅନୁଗତ ସେଇ ପ୍ରିୟ ବାମନ ,ଓମ୍ବା କୁ। ଆଉ ସେମାନେ ତାହାର କଥା ରଖନ୍ତି। ମାତ୍ର ପାରିସ୍-ଚୀନ୍ ସୀମାନ୍ତରୁ ଏଠିକି ଆସିବା ଗୁଡାଏ ବାଟ  ଆଉ ଓମ୍ବା ଯେତେବେଳେ ଚିକିତ୍ସା-ବାକ୍ସ ଆଉ ଛଞ୍ଚାଣର ରକ୍ତ କୁ ସାଥିରେ ଧରି ଘଟଣାସ୍ଥଳରେ ପହଞ୍ଚେ ସେତେବେଳକୁ ହସକୁଳା ଲୋକଟି କୋମାରେ । ପହଞ୍ଚିବା ପରେ ଓମ୍ବାର ପ୍ରଥମ କାମ ହେଉଛି ତାହାର ପ୍ରଭୂର ମୁହଁରୁ ମୁଖାଟିକୁ ବାହାର କରିଦେବା ମାତ୍ର ସେ ତାହାକୁ ସମ୍ମାନଜନକ ଭାବରେ ତାହାର ଗୋପନତାର ଉପରେ ସେମିତି ରହିବାକୁ ଦେଇଥିଲା ଆଉ କ୍ଷତଗୁଡିକର ଶୁଶ୍ରୁଷା ଆରମ୍ଭ କରିଥିଲା।

ହସକୁଳା ଲୋକର ଛୋଟ ଛୋଟ ଆଖି ଯେତେବେଳେ ଶେଷରେ ଖୋଲିଥିଲା,ଓମ୍ବା ମୁଖାଟିକୁ ଟେକି ତାହାକୁ ଛଞ୍ଚାଣର ରକ୍ତ ପୋଷେ ପିଆଇବାକୁ ଯାଇଥିଲା । ସେ କିନ୍ତୁ ଏହାକୁ ପିଇବା ପାଇଁ ମନା କରେ । ବଦଳରେ ସେ ତାହାର ପ୍ରିୟ ଗଧିଆ ବ୍ଲାକ୍ ୱିଙ୍ଗର ନାଆଁ କହେ । ହସକୁଳା ଲୋକର ହୃଦୟର ଗଭୀରର ହଠାତ୍ ଗୋଟିଏ କରୁଣ ଦୀର୍ଘଶ୍ୱାସ ବାହାରିଆସେ । ସେ ଛଞ୍ଚାଣର ରକ୍ତ ଯେଉଁ ପାତ୍ରରେ ଥିଲା ତାହାକୁ କଚାଡି ଭାଙ୍ଗିଦିଏ । ତାହାର କଚଟିରେ ଲାଗିରହିଥିବା ଟିକିଏ ବଳକା ରକ୍ତ ନିଗିଡି ପଡେ। ସେ ଓମ୍ବାକୁ ନିର୍ଦ୍ଦେଶ ଦିଏ ଅଲଗା ଆଡକୁ ଚାହିଁବା ପାଇଁ ,କଇଁ କଇଁ ହୋଇ କାନ୍ଦି ଓମ୍ବା ତାହାର ଆଦେଶକୁ
ମାନିନିଏ । ହସକୁଳା ଲୋକର ସେଇ ରକ୍ତ ରଂଜିତ ଭୂଇଁରେ ମୁହଁମାଡି ପଡିବା ପୁର୍ବରୁ ଶେଷ କାମ ଥିଲା ନିଜର ମୁହଁରୁ ମୁଖାଟିକୁ ନିଜେ ବାହାର କରିଦେବା ।

କାହାଣୀ ଏଇଠି ଶେଷ ,ଅବଶ୍ୟ । (ଆଉ ଏହାର କୌଣସି ପୁନରୁଦ୍ଧାର ନାହିଁ ।)।ଦଳପତି ବସ୍ କୁ ଷ୍ଟାର୍ଟ କଲେ ।ମୋ ପାଖରେ ବସିଥିବା ବିଲି ୱାଲସ୍ ,ଆମ ମାନଙ୍କ ଭିତରେ ବୟସରେ ସବୁଠୁ ଛୋଟ ,କାନ୍ଦି ପକେଇଲା । ଆମେ କେହି ତାହାକୁ ତୁନି କରାଇ ନାହୁଁ । ମୋ କଥା କହୁଚି,ମୋ ଆଣ୍ଠୁ ଗୁଡିକ କେମିତି ଥରିବାକୁ ଲାଗିଥିଲେ।

କିଛି ମିନିଟ୍ ପରେ ,ମୁଁ ଯେତେବେଳେ ଦଳପତିଙ୍କ ବସ୍ ରୁ ଓହ୍ଲାଇ ଥିଲି ଯେଉଁ ପ୍ରଥମ ଜିନିଷ ମୁଁ ଲକ୍ଷ୍ୟ କରିଥିଲି ଖଣ୍ଡିଏ ଟିସୁ ପେପର ଗୋଟିଏ ଲାମ୍ପପୋଷ୍ଟର ତଳଭାଗରେ ଲାଗିରହି ପଡନରେ ହଲୁଛି । ମନେ ହେଲା ଏଇଟି ଯେମିତି କାହାର ଅଫିମ ଫୁଲର ପାଖୁଡାରେ ତିଆରି ମୁଖା। ଘରେ ପହଞ୍ଚିଲା ବେଳକୁ ମୋର ଦାନ୍ତ ଠକଠକ କରୁଥିଲା ଆଉ ମୁଁ ସିଧା ବିଛଣା କୁ ଯାଇଥିଲି ।

°°°°°

ହସକୁଳା ଲୋକ ବା “ଦି ଲାଫିଙ୍ଗ୍ ମ୍ୟାନ” ଗଳ୍ପଟି ଆମେରିକୀୟ କଥାକାର ଜେଡି ସାଲିଞ୍ଜର(୧୯୧୯-୨୦୧୦)ଙ୍କର ଗଳ୍ପ ସଂଗ୍ରହ “ଫର ଏସ୍ ମି :ୱିଥ୍ ଲଭ ଆଣ୍ଡ ସ୍କାଲର୍ ” ରୁ ଗୃହିତ ।

ଜଣେ କାହାଣୀକାର ହିସାବରେ ସାଲିଞ୍ଜର ଙ୍କର ସୃଷ୍ଟିର ପରିମାଣ ସେମିତି କିଛି ନୁହଁ। ମାତ୍ର ପଚିଶ ଟି କାହାଣୀ ଏବଂ ଗୋଟିଏ ମାତ୍ର ଉପନ୍ୟାସ “ଦି କାଚର୍ ଆଣ୍ଡ ଦି ରାଇ ” ର ସୌଜନ୍ୟରେ ସେ ବିଶ୍ୱର ଅନ୍ୟତମ ଚର୍ଚ୍ଚିତ ଶୀର୍ଷ ନାୟକ।

ସାଲିଞ୍ଜର ଙ୍କ ସଂପର୍କରେ ଗୋଟିଏ ସାହିତ୍ୟ-ବ୍ୟକ୍ତିତ୍ୱ ର କଥା ଆମର ଲେଖକକୂଳକୁ କେମିତି ଲାଗିବ ଜଣା ନାହିଁ ମାତ୍ର ଆମ ଭଳି ସାଧାରଣ ପାଠକ ମାନଙ୍କର ଅବଗତି ନିମନ୍ତେ ଏତିକି କୁହାଯାଇ ପାରିବ ଯେ ,ସାଲିଞ୍ଜର ସବୁବେଳେ ନିଜର ଲେଖା ଏବଂ ନିଜର ବ୍ୟକ୍ତିରୂପ  ମଧ୍ୟରେ ସବୁବେଳେ ଏକ ମେଘନାଦ ପାଚେରୀ ନିର୍ମାଣ କରୁଥିଲେ । କହିବା କଥା ହେଉଛି ଜଣେ ବ୍ୟକ୍ତି ହିସାବରେ ସେ ସବୁବେଳେ ଲୋକଲୋଚନର ଅନ୍ତରାଳରେ ରହୁଥିଲେ। ତାଙ୍କର ସବୁବେଳେ ପ୍ରୟାସ ରହୁଥିଲା ଯେ ଲେଖକ ଜଣେ ସବୁବେଳେ ଏକ ନିରଙ୍କୁଶ ନାମହୀନତା ବା କମ୍ପ୍ଲିଟ୍ ଆନୋନିମିଟି ରେ ବସବାସ କରିବା ଉଚିତ । ଲେଖକର ବ୍ୟକ୍ତିରୂପ ବା ବ୍ୟକ୍ତିତ୍ୱ ଯେମିତି ତାହାର ପ୍ରକାଶିତ ଲେଖାକୁ ବୁଝିବା ବେଳେ ପାଠକକୁ ସାମାନ୍ୟତମ ପ୍ରଭାବିତ ନକରେ। ସେଇଥିପାଇଁ ତାଙ୍କର ଜୀବନ ସବୁବେଳେ ଆଢୁଆଳର ଜୀବନ ଥିଲା। ଏହା ଛଡା ତାଙ୍କର ନିର୍ଦ୍ଦେଶ ଅନୁଯାୟୀ ତାଙ୍କର ପ୍ରକାଶିତ ବହିରେ କୌଣସି ଛବି ବା ଚିତ୍ର ଆଉ ବହିର ପଛପଟରେ ବହିର ସାରାଂଶ ବା ସଂପୃକ୍ତ ବହିକୁ ନେଇ ଲେଖକୀୟ ଅଭିମତ ଆଦି ରହୁନଥିଲା। ତାଙ୍କର ବହି ସବୁର ପ୍ରଚ୍ଛଦ ପରିକଳ୍ପନା ସମାନ,ବହିର ମଲାଟର ଆଗପଟ ଆଉ ପଛପଟ ସମାନ,ଉଭୟ ରୂପେଲି ରଂଗର ଆଉ ଉଭୟପଟେ ରହିଥାଏ କେବଳ ବହିର ନାଆଁ ଆଉ ଲେଖକର ନାଆଁ ,କେବଳ ସେତିକି।

ଆମେ କୌଣସି ଲେଖାକୁ ପଢିବା ବେଳେ ସଂପୃକ୍ତ ଲେଖାଟି ସହିତ ଲେଖକର ପ୍ରତିଷ୍ଠାନମୁଖରିତ ଇତିହାସ କୁ କେତେ ପରିମାଣରେ ଏକାଠି କରି ବା ଉଭୟକୁ ଅଲଗା ଭାବରେ ଦେଖିଥାଉ ତାହା ଆମର ନିଜ ନିଜର ବିଚାର।

କାହାଣୀରେ କାଫକା ଙ୍କ ଜଗତକୁ ଯେମିତି ଅକାରଣ ର ଦୌରାତ୍ମରେ ଅଧ୍ୟୁଷିତ ଜଗତ ବୋଲି ବିଚାର କରାଯାଏ ଆଉ ଯାହା ପାଇଁ ଗୋଟିଏ ଶବ୍ଦ “କାଫକାସ୍କ୍ୟୁ” ” Kafkasque”ବୋଲି ଉଲ୍ଲେଖ କରାଯାଏ ଠିକ୍ ସେହି ଭଳି ସାଲିଞ୍ଜର୍ ଙ୍କ ଜଗତକୁ କେହିକେହି “ସାଲିଞ୍ଜରସ୍କ୍ୟୁ” ବୋଲି କହିଥାନ୍ତି। ସାଲିଞ୍ଜରଙ୍କର ସେହି ଗୋପନ ଜଗତଟି ହେଉଛି ରହସ୍ୟ,କଳ୍ପନା ଆଉ ବାସ୍ତବର ଦ୍ୱନ୍ଦ୍ୱରେ ସଂତୁଳି ହେଉଥିବା ଏକ ବିଶ୍ୱାସର ଜଗତ,ଯାହାକୁ ଆପେଆପେ ଭୋଗିବାକୁ ହୁଏ । ନିଜର ବିଶ୍ୱାସ ଆଉ ବାହାରେ ତାହାର ଅପ୍ରକଟ ହେଉଥିବାର ବୋଧକୁ ଗ୍ରହଣ କରିନେବାର ତାଡନାର ସାଲିସ୍ ଜଗତ ଇଏ ।

ହସକୁଳା ଲୋକ ଟି ଗୋଟିଏ ଚୀନା ଡକାୟତର ପାଳିତ ପୁତ୍ର ଯାହାର ମୁହଁକୁ ଗୋଟିଏ “ଭାଇସ୍”ରେ ଚାପି ଚେପା କରିଦିଆଯାଇଛି ଆଉ ସେଇ ଚେପାମୁହଁକୁ ଆଢୁଆଳ କରି ରଖିବା ପାଇଁ ତାହାକୁ ସବୁବେଳେ ପିନ୍ଧିବାକୁ ପଡୁଛି ଅଫିମ ଫୁଲର ପାଖୁଡାରେ ତିଆରି ଗୋଟିଏ ମୁଖା। ଏମିତି ସେ ହସକୁଳା ଲୋକ ଯାହାର ହସ ଆମକୁ ଦେଖାଯିବ ନାହିଁ ,ଯଦି ତାହାର ହସକୁ ଆମେ ଦେଖିବାକୁ ଯିବୁ ତାହାହେଲେ ସେ କୁତ୍ସିତ ହୋଇଯିବ ,ତାହାର ପ୍ରେମ ଆଉ ପ୍ରତାରଣା ସହିତ ଆଉ ଗୋଟିଏ କାହାଣୀ ଯେଉଁଠି ଗୋଟିଏ ଶିଶୁର ପ୍ରେମବୋଧ ଯାହାକୁ ଇଂରେଜୀରେ କୁହାଯିବ “କ୍ରସ୍” ତାହାକୁ ଏକାଠି ରଖି ,ଏଇ ଭଳି ଦୁଇଟି କାହାଣୀରେ ମୂଳତଃ ଗୋଟିଏ ଶିଶୁବୋଧ କାହାଣୀର ବିନ୍ୟାସ କରାଯାଇଛି।

ଏଇ କାହାଣୀଟି ଅଦ୍ଭୁତ ।

ଆମେ ଏଥିରୁ ବିଶ୍ୱାସ ଖୋଜିଲେ ଶିଶୁ ପାଲଟିଯିବା ଆଉ ଏଥିରୁ ଯଦି ଆମେ ପ୍ରତୀକ ଖୋଜିବାକୁ ଯିବା ସେତେବେଳେ ଆମର ଜଗତ ଏକ ବୟସ୍କର ଜଗତ ।

ଏଇ କାହାଣୀଟି ଏଇଥିପାଇଁ ଅଦ୍ଭୁତ ଯେ ଲାଗିବ ଏଇଠି ଯେମିତି ଜଣେ ଶିଶୁ ଆଉ ଜଣେ ବୟସ୍କ ଗୋଟିଏ କାହାଣୀ ଏକାଠି ରଚନା କରିବାକୁ ବସିଛନ୍ତି ଯେଉଁଠି କେହି କାହାକୁ ଆଗକୁ ଅତିକ୍ରମ କରିବାକୁ ଟିକିଏ ବୋଲି ଜାଗା ଛାଡୁ ନାହାଁନ୍ତି।

Jerome David Salinger (January 1, 1919 – January 27, 2010) was an American author

About Jyoti Nanda

Jyoti Nanda is a writer, translator based in Bhubaneswar.

View all posts by Jyoti Nanda →