ଇହୁଦୀପକ୍ଷୀ

ମୂଳ ଲେଖା: ବର୍ଣ୍ଣାଡ଼ ମାଲାମଡ୍ || ଅନୁବାଦ: ଜ୍ୟୋତି ନନ୍ଦ

ଝରକାଟି ଖୋଲା ଥିଲା ତେଣୁ ସେହି ଅନାକର୍ଷଣୀୟ ଚେମେଣିଆ ପକ୍ଷୀଟି ଭିତରକୁ ଉଡ଼ିଆସିଲା। ତାହାର ଉଡ଼ାଣ କୃଷ୍ଣକାୟ ଡେଣାରୁ ଫଡ଼ଫଡ଼  ଶୁଭୁଥାଏ । ଏଇ ଘଟଣାଟି ଏଇଭଳି । ଖୋଲା ରହିଛି, ତମେ ଭିତରକୁ ଆସିଗଲ । ବନ୍ଦ, ତମର ଖେଳ ଶେଷ, ଆଉ ଏଇଟି ହେଉଛି ତମର ଭାଗ୍ୟ। ପକ୍ଷୀଟି କ୍ଳାନ୍ତ ହୋଇ ତାହାର ଡେଣାକୁ ଚହଟାଉଥାଏ, ଯେତେବେଳେ କି ସେ ହାରି କୋହେନଙ୍କ ନଈର ପୂର୍ବତଳା ଫାଷ୍ଟ ଆଭେନ୍ୟୁର ସବା ଉପରମହଲା ଆପାର୍ଟମେଣ୍ଟର ରୋଷେଇ ଘରର ଖୋଲା ଝରକା ପାଖରେ ଥିଲା। କାନ୍ଥରେ ଗୋଟିଏ ଲୁହାର ବାଡ଼ି ଉପରେ ଝୁଲୁଛି ଗୋଟିଏ ପଳାୟନର ପଞ୍ଜୁରୀ ଯାହାର କବାଟ ପୁରାପୁରି ମେଲା ରହିଛି, ମାତ୍ର ଏଇ କଳା ବଡ଼ଥଣ୍ଟିଆ ପକ୍ଷୀ- ରାଗରେ ପର ଫୁଲେଇବା ଭିତରେ ଯାହାର ମୁଣ୍ଡଟି ଆଉ ନିହାତି ଛୋଟ ଦୁଇଟି ଅବଶ ଆଖି ଦିଶୁଛି, ସେ କିଛିବାଟ ଯାଉଛି, ଯେମିତି ଗୋଟିଏ ନୀତିବର୍ଜିତ କୁଆ – ଧସେଇ ପଶିବା ନୁହଁ, ଏକ ଶାନ୍ତ ଅବତରଣ ଭଳି, କୋହେନଙ୍କ ଖାଇବା ଟେବୁଲରେ, କହିବାକୁ ଗଲେ ଯେଉଁଠି ତାଙ୍କର ମେଷମାଂସର ବହଳିଆ ପୁର ଦିଆଯାଇଥିବା ଚପ୍ ରଖାଯାଇଥିଲା ତାହାର ନିକଟରେ ଆସି ପହଞ୍ଚିଯାଇଛି । ସେହି ହିମିକୃତ ଖାଦ୍ୟର ବିକ୍ରେତା ଜଣକ ରାତ୍ରୀଭୋଜନ ପାଇଁ ସେଇଠି ତାହାର ପତ୍ନୀ ଆଉ ବାଳକ ପୁତ୍ର  ସହ ବସିଥିଲା, ତାହା କିଛି ବର୍ଷ ଆଗେକାର ଏକ ଗରମ ଅଗଷ୍ଟ ମାସର ସଞ୍ଜ। କୋହେନ୍ ଜଣେ ବଳିଷ୍ଠ ପୁରୁଷ, ଘଞ୍ଚ ଲୋମଶ ଛାତି, ଶକ୍ତିସମ୍ପନ୍ନ, ଉଚ୍ଚତାରେ ସାମାନ୍ୟ କ୍ଷୁଦ୍ରକାୟ; ଏଡି, ଦେହରେ ସେତେ ମାଂସ ନାହିଁ, ସାର୍ଟପ୍ୟାଣ୍ଟର  ପରିଧାନ ଆଉ ତାହାର କାନ୍ଧ ଉପରକୁ ଦିଶୁଛି ଗାଢ଼ ରଙ୍ଗର ଫିତା, ହଲଟର୍ ଯାହା ଦେହର ପୋଷାକକୁ ଧରି ରଖିଥାଏ; ଆଉ ସେମାନଙ୍କର ଦଶବର୍ଷର ପୁଅ ମରିସ୍ (ପିତାର ନାଆଁ ଅନୁସାରେ ଏଇ ନାଆଁ) – ମରି, ସେମାନେ ତା’କୁ ଏଇ ନାଆଁରେ ଡାକିଥାନ୍ତି, ଭାରି ସୁଧାର ବାଳକ ମାତ୍ର ସେତେ ଉଜ୍ଜଳ ନୁହଁ – ଏମାନେ ସମସ୍ତେ ଦୁଇ ସପ୍ତାହ ବାହାରେ ଭ୍ରମଣ ପରେ ଏଇ ସହରରେ ରହିଥିଲେ, ତାହାର କାରଣ କୋହେନ୍‌ଙ୍କ ମାଆ ମୃତ୍ୟୁମୁଖରେ ଥିଲେ ସେତେବେଳେ । ସେମାନେ କିଙ୍ଗଷ୍ଟନ୍, ନ୍ୟୁୟର୍କରେ ଆନନ୍ଦରେ ସମୟ କଟାଉଥିଲେ ମାତ୍ର ମାମା ଯେତେବେଳେ ତାହାର ବ୍ରଙ୍କସ୍ ସ୍ଥିତ ନିଜ ଆପାର୍ଟମେଣ୍ଟରେ ଅସୁସ୍ଥ ହୋଇପଡ଼ିଲା ସେମାନେ ଏଠିକୁ ନିଜ ଗାଡ଼ିରେ ଫେରି ଆସିଥିଲେ।

“ସେଇଠି ଟେବୁଲ୍ ଉପରେ” କୋହେନ୍, ତାହାର ବିଅର୍ ଗ୍ଲାସ୍‌କୁ ତଳେ ଥୋଇ ପକ୍ଷୀକୁ ସେଇଠୁ ଉଡ଼ାଇଦେବାକୁ ଚେଷ୍ଟା କରି କହିଥିଲା, “ଶୁଅର୍ କା ବଚ୍ଚା !”

“ହାରି, ତମର ଭାଷାକୁ ଟିକିଏ ସତର୍କ କର” ଏଡି କହିଲା। ସେତେବେଳକୁ ସେ ମରି ଆଡକୁ ଚାହିଁଥିଲା। ମରି ଏସବୁକୁ ଟିକିନିଖି କରି ଦେଖୁଥାଏ ।

ପକ୍ଷୀଟି କୁଆ ଭଳି କର୍କଶ ସ୍ୱର କରୁଥାଏ, କ୍ଲାନ୍ତ ଡେଣାକୁ ଝଟପଟ କରୁଥାଏ – ପରଗୁଡିକ ଗୋଛା ହୋଇଯାଉଥାଆନ୍ତି ଏଇ ବାଟରେ, ଖୋଲି ଯାଉଥାଆନ୍ତି ସେଇ ବାଟରେ- ସେ ରୋଷେଇ ଘରର  ଖୋଲା କବାଟର ଉଚ୍ଚ ଯାଏଁ ଉଠିଗଲା ଆଉ ସେଇଠୁ ତଳକୁ ଚାହିଁଲା।

“ଭୟଙ୍କର, ଧ୍ୱଂସଲୀଳା !”

“ଇଏ ତ ଗୋଟିଏ କଥାକୁହା ପକ୍ଷୀ” ଆଶ୍ଚର୍ଯ୍ୟ ହୋଇ କହିଲା ଏଡି ।

“ତାହା ପୁଣି ଇହୁଦୀମାନଙ୍କର ଭାଷାରେ” ମରି କହିଲା।

“ବୁଦ୍ଧିମାନ ବାଳକ” ତାରିଫ କଲା କୋହେନ୍ । ସେ ସେହି ଚପ୍‌କୁ କାମୁଡୁଥାଏ ଆଉ ସେଥିରୁ ହାଡ଼ମାନଙ୍କୁ ତଳେ ଗୋଟିଏ ପ୍ଲେଟ୍‌ରେ ରଖୁଥାଏ।” ତେଣୁ ତମେ ଯଦି କିଛି କହିବାକୁ ଚାହଁ, ତମେ ଯାହା କରୁଛ କହ । ତମେ ଏଇଠି କ’ଣ ଚାହଁ ?”

“ତମେ ଯଦି ଗୋଟିଏ ମେଷମାଂସ ଚପ୍‌କୁ ଛାଡିପାରୁନାହଁ,” ପକ୍ଷୀଟି କହିଲା, “ମୁଁ ତାହାହେଲେ ହେରିଙ୍ଗ ମାଛର ଟୁକୁଡାଏ ଆଉ ବ୍ରେଡ୍-କ୍ରମ୍ବକୁ ପସନ୍ଦ କରୁଛି । ତମେ ସବୁବେଳେ ତମର ଆଗରେ କ’ଣ ଘଟିବ ସେଇ ଆଶଙ୍କାରେ ସବୁଦିନ ରହିପାରିବ ନାହିଁ ।”

“ଏଇଟା ଗୋଟିଏ ରେଷ୍ଟୁରାଣ୍ଟ ନୁହଁ।” କୋହେନ୍ ଉତ୍ତର ଦେଲା । “ମୁଁ କେବଳ ଏତିକି ପଚାରିବାକୁ ଚାହେଁ ଯେ ତମେ ଏଇ ଠିକଣାରେ କାହିଁକି ?”

“ଝରକା ଖୋଲା ଥିଲା,” ପକ୍ଷୀ ଦୀର୍ଘଶ୍ୱାସ ଛାଡିଲା; କିଛି ସମୟର ନୀରବତା ପରେ ପୁଣି ଯୋଡ଼ିଲା,” ମୁଁ ଜଣେ ପଳାତକ। ମୁଁ ଉଡ଼ିଯାଇପାରୁଛି ମାତ୍ର ମୁଁ ଜଣେ ପଳାତକ।”

“କାହା ଠାରୁ ?” ଏଡି ଆଗ୍ରହର ସହ ପଚାରିଲା।

“ଇହୁଦୀମାନଙ୍କ ପ୍ରତି ଶତ୍ରୁ ଆଚରଣରୁ, ଆଣ୍ଟି-ସେମିଟ୍”

“ଆଣ୍ଟି -ସେମିଟ୍? ଇହୁଦୀମାନଙ୍କ ସହ ଶତ୍ରୁତା ଯିଏ ଚାହେଁନାହିଁ !” ସେମାନେ ସମସ୍ତେ କହି ଉଠିଲେ।

“ସେଇଟା ତ ଠିକ୍, ତାହାହେଲେ କେଉଁମାନଙ୍କ ଠାରୁ?”

“କେଉଁ ପ୍ରକାର ଇହୁଦୀ ସମର୍ଥକ ହେବ ଗୋଟିଏ ପକ୍ଷୀ?” ଏଡି ପଚାରିଲା।

“ଯେ କୌଣସି ପ୍ରକାରର” ପକ୍ଷୀ କହିଲା, “ଏପରିକି ଛଞ୍ଚାଣ, ଶାଗୁଣା ଆଉ ଇଗଲ୍ । ବେଳ ପଡ଼ିଲେ ଭିନ୍ନ ପ୍ରକାର  କୁଆ ବି ଆଖିକୁ ଖୋଳି ନେଇଯିବ ।”

“ତମେ କ’ଣ କୁଆ ନୁହଁ ?

“ମୁଁ? ମୁଁ ଗୋଟିଏ ଇହୁଦୀ-ପକ୍ଷୀ ।”

କୋହେନ୍ ପ୍ରାଣ ଭରି ହସିଥିଲା।” ଏହାର ତାହାଲେ ଅର୍ଥ କ’ଣ ?”

ପକ୍ଷୀଟି ତାହାପରେ ଇହୁଦୀମାନଙ୍କ ଭଳି ପ୍ରାର୍ଥନା କରିବାକୁ ଆରମ୍ଭ କରେ। ବିନା ପ୍ରାର୍ଥନା ପୁସ୍ତକ ଆଉ ବିନା ପବିତ୍ର ଚାଦର ଟାଲିଥ୍‌ରେ ସେ ପ୍ରାର୍ଥନା କରୁଥାଏ, ମାତ୍ର ସେଥିରେ ଥାଏ ପ୍ରବଳ ଆବେଗ। ଏଡି ନିଜର ମଥାକୁ ନୁଆଇଁ ଆଣେ, କୋହେନ୍‌ର ସେମିତି କରିବା ଭଳି କିଛି ଦାୟ ଦେଖାଯାଏ ନାହିଁ । ଆଉ ମରି ସେହି ପ୍ରାର୍ଥନା ସହିତ ତାଳ ଦେଇ ଆଗପଛ ଦୋହଲୁଥାଏ । ତାହାର ଆଖି ଦୁଇଟି ସେତେବେଳେ ବେଶ୍ ପ୍ରଶସ୍ତ ।

ପ୍ରାର୍ଥନା ସରିଗଲା ପରେ କୋହେନ୍ ଅଭିମତ  ଦିଏ, “ଟୋପି ନାହିଁ, ପୋଥି ରଖିବା ପାଇଁ ବ୍ୟାସାସନ ଭଳି ଫିଲାକଟେରିଜ୍ ନାହିଁ ?”

“ମୁଁ ଜଣେ ପ୍ରାଚୀନ, ଉଗ୍ରବାଦୀ।”

“ତମେ କ’ଣ ନିଶ୍ଚିତ ଯେ ତମେ ସେମିତି କୌଣସି ଭୂତ ଅଥବା ନାରୀର ଦେହରେ କାଳସୀ ଲାଗୁଥିବା  ଇହୁଦୀ ଲୋକକଥାର କୌଣସି ପୁରୁଷ ଭଳି  ଗୋଟିଏ ଡାଇବୁକ୍ ନୁହଁ ?

“ନା ନା ଡାଇବୁକ୍ ନୁହଁ,” ପକ୍ଷୀଟି ଉତ୍ତର ଦିଏ, “ଯଦିଓ ମୋର ଜଣେ ସଂପର୍କୀୟ ତାହାର ଥରେ ଏଇଭଳି ଅଭିଜ୍ଞତା ହୋଇଥିଲା। ଏବେ ସେସବୁ ଶେଷ, ଈଶ୍ୱରଙ୍କୁ ଅନେକ ଅନେକ ଧନ୍ୟବାଦ । ସେମାନେ ତା’କୁ ତାହାର ପୂର୍ବତନ ପ୍ରେମିକ ପାଖରୁ ମୁକ୍ତ କରିଦେଇଛନ୍ତି, ପାଗଳ ଇର୍ଷାଳୁ ଲୋକଟା ଥିଲା। ସେ ଏବେ ଦୁଇଟି ପିଲାର ମାଆ।”

“ପକ୍ଷୀର?” କୋହେନ୍ ଚତୁରତାର ସହ ପଚାରେ।

“କାହିଁକି ନହେବ?”

“କେଉଁ ଭଳି ପକ୍ଷୀ?”

“ମୋ ଭଳି। ଇହୁଦୀପକ୍ଷୀର।”

କୋହେନ୍ ତାହାର ଚେୟାର୍‌କୁ ଟିକିଏ ଆଉଜି ଗଲା ଆଉ ଠୋ ଠୋ କରି ହସିବାକୁ ଲାଗିଲା। କହିଲା, “ଏଇଠି ସତରେ ବଡ଼ ହସର କଥା। ମୁଁ ଜିଉଫିଶ୍ କଥା ଆଗରୁ ଶୁଣିଥିଲି, ଜିଉବାର୍ଡ କଥା ନୁହଁ ।”

“ଆମକୁ ଥରେ ବାହାର କରାଯାଇଥିଲା।” ପକ୍ଷୀଟି ତାହାର ଗୋଟିଏ ପତଳା ଗୋଡ଼ ଉପରେ ଭାର ଦେଇ କହୁଥିଲା, ତାହାପରେ ଆର ଗୋଡଟିରେ ଭାର ଦେଲା,” ତମ ପାଖରେ ବଳକା କିଛି, ହୁଏତ ବ୍ରେଡ୍ ଗୁଣ୍ଡ ସହିତ ହେରିଙ୍ଗ୍ ମାଛର ଟୁକୁଡା କିଛି ଅଛି କି ? ଦେଇ ହବ ?”

ଏଡି ଚେୟାର୍‌୍ରୁ ଉଠି ପଡିଲା।

“କ’ଣ କରୁଛ?” କୋହେନ ତାହାକୁ ପଚାରିଲା।

“ମୁଁ ଡିସ୍‌ଗୁଡିକୁ ସଫା କରିବି।”

କୋହେନ୍ ପକ୍ଷୀ ଆଡକୁ ଚାହିଁ ପଚାରିଲା, “ତାହାଲେ ତମର ନାଆଁ କ’ଣ,କହିବାରେ କିଛି ଅସୁବିଧା ଅଛି !”

“ତମେ ମୋତେ ସ୍ୱାର୍ଜ ବୋଲି ଡାକିପାର ।”

“ସେ ହୁଏତ ଜଣେ ବୁଢା ଇହୁଦୀ ଯାହାକୁ କିଏ ପକ୍ଷୀ ବନେଇ ଦେଇଛି”, ଗୋଟିଏ ପ୍ଲେଟ୍ ବାହାର କରି ଏଡି କହିଲା।

“ସତରେ?” ନିଜର ସିଗାର୍‌ରେ ନିଆଁ ଧରାଉ ଧରାଉ ପଚାରିଲା କୋହେନ୍।

“କିଏ ଜାଣେ?” ସ୍ୱାର୍ଜ ଉତ୍ତର ଦେଲା। “ଈଶ୍ୱର କ’ଣ ସବୁକଥା କାହାକୁ କହିଥାନ୍ତି ?”

ମୋରି ତାହାର ଚେୟାର୍‌ର ଠିକ୍ ଉପରେ ଛିଡା ହୋଇ ପଡିଲା। “କେଉଁ ପ୍ରକାରର ହେରିଙ୍ଗ୍”, ସେ ବେଶ୍ ଉତ୍ସାହର ସହ ପଚାରିଲା।

“ତଳକୁ ବସି ଯା ମୋରି, ନହେଲେ ପଡିଯିବୁ” କୋହେନ୍ ବାଧ୍ୟ କଲା।

“ତମ ପାଖରେ ଯଦି ମାତଜେସ୍ (ଭିନେଗାର୍ ଆଉ ଅନ୍ୟ ସସ୍ ଦିଆ କଞ୍ଚା ହେରିଙ୍ଗ୍ ମାଛ) ଅଛି, ମୁଁ ତାହାକୁ ସ୍କାମାଲଜ୍ (ଆନନ୍ଦର ଗୀତ) ଭଳି ନେଇପାରିବି” କହିଲା ସ୍ୱାର୍ଜ ।

“ଆମର ସବୁ ମାରିନେଟେଡ୍ ହୋଇ ରହିଛି, କଟା ପିଆଜ ସହ, ଜାର୍‌ରେ”ଏଡି କହିଲା।

“ତମେ ଯଦି ଜାର୍‌କୁ ମୋ ପାଇଁ ଖୋଲିବ ତାହାଲେ ମୋର ମାରିନେଟେଡ୍ ଖାଇବାରେ ଅସୁବିଧା ନାହିଁ । ତମ ପାଖରେ ଅଛିକି, ଯଦି ଖରାପ ନଭାବିବ, ଗହମର ବ୍ରେଡ୍, ସ୍ପିଜ୍ ?”

ଏଡି ଭାବିଲା ତାହାର ଅଛି।

“ତାହାକୁ ସେଇଠି ବାଲ୍‌କୋନିରେ ଖାଇବାକୁ ଦିଅ” କୋହେନ୍ କହିଲା। ସେ ପକ୍ଷୀକୁ କହିଲା।

“ତାହାପରେ ଯିବାର ହେଉ।”

ସ୍ୱାର୍ଜ ତାହାର ଦୁଇଟିଯାକ ପକ୍ଷୀଆଖିକୁ ମୁଜି କହିଲା, “ମୁଁ ଭାରି କ୍ଳାନ୍ତ। ପଥ ବହୁଦୂର ।”

“ତମେ କେଉଁ ଦିଗରେ ଯିବ, ଉତ୍ତର ନା ଦକ୍ଷିଣ ?”

ସ୍ୱାର୍ଜ ତାହାର ଡେଣାକୁ ନଦୋହଲାଇ ଟିକିଏ ଛଟପଟ ହେଲା ।

“ତମେ ଜାଣିନ, ତମେ କୁଆଡେ ଯାଉଛ ?”

“ଯେଉଁଠି ଦାନ ରହିଛି ମୁଁ ଯିବି ।”

“ତାହାକୁ ରହିବାକୁ ଦିଅ ପାପା, “ମୋରି କହିଲା।” ସିଏ ତ କେବଳ ଗୋଟାଏ ପକ୍ଷୀ “।

“ତାହେଲେ ଆଜି ରାତିକ ରହିଯା” କୋହେନ୍ କହିଲା।” କିନ୍ତୁ ଅଧିକ ନୁହଁ ।”

ସକାଳେ କୋହେନ୍ ପକ୍ଷୀଟିକୁ ଘରୁ ବାହାରିଯିବାକୁ କହିଲା ମାତ୍ର ମୋରି କାନ୍ଦିବାକୁ ଲାଗିଲା, ତେଣୁ ସ୍ୱାର୍ଜ କିଛି ଦିନ ସେଇଠି ରହିଯାଇଥିଲା। ମୋରିର ସ୍କୁଲଛୁଟି ପଡିଥାଏ ଆଉ ତାହାର ସାଙ୍ଗମାନେ ଦୂର  ବାହାରକୁ ବୁଲିବାକୁ ଯାଇଥାନ୍ତି। ସେ ଏକେଲା ଥିଲା ଆଉ  ପକ୍ଷୀଟି ସହିତ ସେ ଏମିତି ଖେଳୁଥିବାର ଦେଖି ଏଡିକୁ ଭାରି ଖୁସି ଲାଗୁଥିଲା।

“ସେ ଜମାରୁ କିଛି ଅସୁବିଧା କରୁନି” ଏଡି କହିଲା କୋହେନ୍‌କୁ,” ଆଉ ତାହା ଛଡା ତାହାର ଖାଦ୍ୟ କହିଲେ ମାତ୍ର ଏତିକି ।”

“ଯେତେବେଳେ ସିଏ ଘର ଅପରିଷ୍କାର କରିବ?”

“ଅପରିଷ୍କାର କରିବାକୁ ଇଚ୍ଛା ହେଲେ ସେ ରାସ୍ତାକୁ ପାର ହୋଇ ପାଖର ସେଇ ଗଛ ଉପରକୁ ଉଡିଯିବ, ଆଉ ଯଦି ତଳେ କେହି ଯାଉ ନାହାଁନ୍ତି, କିଏ ଖିଆଲ୍ କରୁଛି ?”

“ଠିକ୍ ଅଛି,” କହିଲା କୋହେନ୍, “ହେଲେ ମୁଁ ନିଶ୍ଚିତ ତାହାର ବିପକ୍ଷରେ। ଖବରଦାର୍, ସେ ଯେମିତି ଏଇଠି ବେଶି ଦିନ ନରହେ !”

“ଗୋଟିଏ ଛୋଟ ପକ୍ଷୀର ବିରୁଦ୍ଧରେ ତମେ ଏମିତି କାହିଁକି ?”

“ଛୋଟ ପକ୍ଷୀ ! ଧୁତ୍ । ମୋ ଡ୍ୟାସ୍ । ସେଇଟା ଗୋଟେ ବାଷ୍ଟାର୍ଡ, ଧୂର୍ତ୍ତ । କହୁଛି କ’ଣ ନା, ସେ ନିଜକୁ ଭାବୁଛି ଗୋଟେ ଇହୁଦୀ !”

“ସେ ନିଜକୁ ଯାହା ଭାବୁ ପଛକେ,ଏଥିରେ ଫରକ୍ କ’ଣ ?”

“ଇହୁଦୀପକ୍ଷୀ ସେ, କେତେ ବଡ଼ ସାହସ, କେତେ ବଡ଼ ଆସ୍ପର୍ଦ୍ଧା । ଗୋଟିଏ ମିଛ ପଦକ୍ଷେପ ଆଉ ତାହାର ସରୁ ପାଦ ଦୁଇଟି ସ୍ୱାଦିଷ୍ଟ ସୁରୁଆ ହୋଇଯିବ ଯେ !”

କୋହେନ୍‌ର ଜିଦ୍ ଯୋଗୁ ସ୍ୱାର୍ଜ ବାଲ୍‌କୋନିରେ ଗୋଟିଏ ନୂଆ କାଠର ପକ୍ଷୀଘର ଭିତରେ ରହିବାକୁ ଲାଗିଲା। ଏଡି ସେଇ ପକ୍ଷୀଘରଟିକୁ ତାହାପାଇଁ  କିଣି କରି ଆଣିଥିଲା।

“ବହୁତ ବହୁତ ଧନ୍ୟବାଦ”, କହିଲା ସ୍ୱାର୍ଜ, “ଯଦିଓ ମୁଁ ମଥାର ଉପରେ ଗୋଟିଏ ମଣିଷର ଛାତ ଚାହୁଁଥିଲି । ତମେ ଜାଣିଛ ମୋ ବୟସ ଯାହା ସେଇଥିପାଇଁ ଏହା କେତେ ଜରୁରୀ। ମୋର ଉଷୁମ ଜାଗା ଖଣ୍ଡିଏ, ଖୋଲା ଝରକା, ରୋଷେଇଘରୁ ଆସୁଥିବା ବାସ୍ନା ଭାରି ପସନ୍ଦ । ମୁଁ ସକାଳୁ ଅନ୍ତତଃ ଥରେ “ଜିଉଇଶ୍ ମର୍ଣ୍ଣିଙ୍ଗ ଜର୍ଣ୍ଣାଲ୍” ଦେଖିଲେ ଭାରି ଖୁସି ହେବି ଏବଂ ମଝିରେ ମଝିରେ “ସନାପ” ଭଳି ମଦ ମୋର ଦରକାର ଯାହା ମୋର ଶ୍ୱାସକ୍ରିୟାକୁ ତ୍ୱରିତ କରିବାରେ ସାହାଯ୍ୟ କରିଥାଏ ଈଶ୍ୱରଙ୍କୁ ଧନ୍ୟବାଦ। ହେଲେ ତମେ ମୋତେ ଯାହାବି ଦିଅ, ତମେ କୌଣସି ଅଭିଯୋଗ ଶୁଣିବ ନାହିଁ ।”

Illustration by Ramakanta Samantaray

ସେ ଯାହା ହେଉ, କୋହେନ୍ ଯେତେବେଳେ ଘରକୁ ପକ୍ଷୀଖାଦ୍ୟ ଯେଉଁଥିରେ ମକାଗୁଣ୍ଡ ରହିଥିଲା ତାହାକୁ ସାଥିରେ ଧରି ଆସିଥିଲା, ତାହାକୁ ଦେଖି ସ୍ୱାର୍ଜର ମୁହଁରୁ ଗୋଟିଏ ଶବ୍ଦ ବାହାରିଥିଲା, “ଅସମ୍ଭବ।”

କୋହେନ୍ ବିରକ୍ତ ହେଲା। “କ’ଣ ହେଲା, ଟେରା ବାବୁ, ତମର ଜୀବନ କ’ଣ ନିଜକୁ ଅସମ୍ଭାଳ ? ତମେ କ’ଣ ଏହା ଭିତରେ ଭୂଲିଗଲଣି ଯେ ଦେଶାନ୍ତରୀ ବା ମାଇଗ୍ରେଟୋରୀ ହେବାର ଅର୍ଥ କହିଲେ କ’ଣ ବୁଝାଏ? ମୁଁ ବେଟ୍ ମାରି କହିପାରିବି ତମର ଦଳେ ସାଙ୍ଗ ସେଇ ନର୍କରୁ ଆମଦାନୀ ହୋଇଥିବା କୁଆ ଯେତେକ ତମକୁ ସେମାନଙ୍କର ଆଖିଦାନ୍ତକୁ ଦେଇଯାଇଛନ୍ତି, ତମେ ସେଥିରେ ଏଇ ମକାଗୁଣ୍ଡକୁ ଆରାମ୍‌ରେ ଖାଇପାରିବ !”

ସ୍ୱାର୍ଜ କୌଣସି ଉତ୍ତର ଦେଲା ନାହିଁ । ଗୋଟାଏ ଗୋବର ଗଣେଷକୁ ତମେ କ’ଣ ଆଉ କହିବ ?

“ମୋର ହଜମ କଥା କହୁନି”, ସେ ପରେ ଏଡିକୁ ବୁଝାଇ ଥିଲା। “ଟାଣ ଧରିବ। କ୍ରାମ୍ପସ୍। ଭାରି ଶୋଷ ଲାଗିଲେ ବି ହେରିଙ୍ଗ୍ ଭଲ। ବର୍ଷାପାଣିର ତ କିଛି ଦାମ ନାହିଁ ” ସେ ହସିଲା ବିଷାଦରେ, ସେତେବେଳେ କୁଆ ଭଳି ତାହାର ଶ୍ୱାସ ପ୍ରଶ୍ୱାସ ।

ଏବଂ ହେରିଙ୍ଗ୍, ଏଡିକୁ ଧନ୍ୟବାଦ, ସେ ଭଲକରି ଜାଣେ ତାହା କେଉଁଠି ବଜାରରେ ମିଳିବ, ସ୍ୱାର୍ଜକୁ ଖାଇବାକୁ ଦିଆଯାଇଥିଲା, ସେଥିରେ ଥିଲା  ଚିରୁଡାଏ ଆଳୁର ପାନକେକ୍, ଏପରିକି କୋହେନ ସେଆଡକୁ ଦେଖୁନଥିବା ବେଳେ ମାଂସର ସୁପ୍।

ଯେତେବେଳେ ସେପ୍ଟେମ୍ବରରେ ସ୍କୁଲ୍ ଖୋଲିଲା, ସ୍ୱାର୍ଜକୁ ତାହାର ନିଜ ବାଟ ଦେଖାଇଦେବା ପାଇଁ କୋହେନ ଆଉ ଥରେ କହିବା ଆଗରୁ, ଏଡି ତାହାର ଉପରେ ଜୋର୍ କରି କିଛି ସମୟ ଅପେକ୍ଷା କରିବାକୁ କହିଥିଲା, ଯେଉଁ ପର୍ଯ୍ୟନ୍ତ ମୋରି ଏଥିରେ ଅଭ୍ୟସ୍ତ ହୋଇନାହିଁ, ସେ ଯାଏଁ ।

“ଏଇଲେ ତା’କୁ ତଡି ଦେବା ତାହାର ସ୍କୁଲ୍ ପାଠ ଉପରେ ପ୍ରଭାବ ପକାଇପାରେ, ଆଉ ତମେ ତ ଜାଣିଛ ଏହାକୁ ନେଇ ଗଲା ବର୍ଷ ଆମର କେତେ ଅସୁବିଧା ହୋଇଥିଲା !”

“ଠିକ୍ ଅଛି, ହେଲେ ଯେତେ ଶିଘ୍ର ପକ୍ଷୀ ଏଇଠୁ ଯାଏ । ମୁଁ କଥା ଦେଉଛି ।”

ସ୍ୱାର୍ଜ, ଯଦିଓ କେହି ତାହାକୁ ଏଇ ବିଷୟରେ କିଛି କହିନି, ସେ କିନ୍ତୁ ନିଜ ଆଡୁ ମୋରିର ସ୍କୁଲର ଫଳାଫଳ ଯେମିତି ଭଲ ହେବ ତାହାରି ଦାୟିତ୍ୱ ନିଜ ଉପରକୁ ନେଇଥିଲା। ତାହାକୁ ମିଳୁଥିବା ଅନୁଗ୍ରହର ଫେରନ୍ତା ପ୍ରତିଦାନ ଆକାରରେ, ରାତିରେ ଘଣ୍ଟେ ହେଉ କି ଦିଘଣ୍ଟା, ସେ ମରିର ପାଠପଢା ଦେଖୁଥିଲା। ସେ ସିଧା ଯାଇ ମରି ର ପାଠ ପଢା ଡେସ୍କ  ଉପରେ ଗୋଟିଏ କୋଣରେ ବସିଯାଉଥିଲା, ଠିକ୍ ଯେତିକିବେଳେ ମରି ତାହାର ସ୍କୁଲ୍ ର ଲେସନ୍ ମାନଙ୍କୁ ପଢୁଥାଏ।

ମରି କହିବାକୁ ଗଲେ ଗୋଟିଏ ଅସ୍ଥିରମନା ବାଳକ ଆଉ ସ୍ୱାର୍ଜ ତାହାକୁ ଯଥାସମ୍ଭବ ପ୍ରଖେଳୁଥିଲେ। ମରି ହେଉଛି ଗୋଟିଏ ବୀତସ୍ପୃହ ଆଉ ପ୍ରବୋଧନା ଦେଇ ପାଠପଢା ପାଖରେ ବସାଇ ରଖୁଥିଲା । ସେ  ତାହାର ସେଇ ଉଚ୍ଚତାନର ଭାଓଲିନ୍ ବଜାଇବାର ଅଭ୍ୟାସ୍‌କୁ ବି ମନଦେଇ ଶୁଣୁଥିଲା, ସେଥିରୁ ବେଳେବେଳେ ବିରତି ନେଇ ଗାଧୁଆଘର ଭିତରେ ସେ ନିଜର କାନକୁ ଟିକିଏ ବିଶ୍ରାମ ଦେଉଥିଲା। ତାହାପରେ ଉଭୟେ ଡୋମିନୋଜ୍ ର୍ବଳ ଚେକ୍ ଦେଉଥିବା ବାଳକ ଏବଂ ତାହାକୁ ଚେସ୍ ଖେଳ ଶିଖାଇବା ସଂପୂର୍ଣ୍ଣ ଅସମ୍ଭବ। ଯେତେବେଳେ ସେ ଜ୍ୱରରେ ପଡିଥିଲା ସ୍ୱାର୍ଜ ତାହାକୁ କମିକ୍ ବହି ପଢି ଶୁଣାଥିଲା,ତାହାର କିନ୍ତୁ ସେଇ ସବୁ ବହିରେ କୌଣସି ବ୍ୟକ୍ତିଗତ ଆଗ୍ରହ ନଥିଲା। ସେ ଯାହା ହେଉ ମୋରିର ସ୍କୁଲ୍ ପଢାରେ କିନ୍ତୁ ବେଶ୍ ଉନ୍ନତି ଦେଖାଯାଇଥିଲା ଏବଂ ତାହାର ଭାଓଲିନ- ଟିଚର୍ ବି ତାହାର ଭାଓଲିନ୍ ବାଦନ ବି ଆଗ ଅପେକ୍ଷା ଏବେ ଯଥେଷ୍ଟ ଭଲ। ଏଇ ସବୁ ବିକାଶ  ପାଇଁ ଏଡି ସବୁବେଳେ ସ୍ୱାର୍ଜ କୁ ସ୍ୱୀକୃତି ଦେଉଥାଏ ମାତ୍ର ସେମାନଙ୍କୁ ଫୁ କରି  ଉଡାଇ ଦେଉଥାଏ ଏଇ ବିଶେଷ ପକ୍ଷୀଟି।

ତଥାପି ତାହାକୁ ଖୁସି ଲାଗୁଥିଲା ଯେ ମରିର ସ୍କୁଲ୍ -ରିପୋର୍ଟ କାର୍ଡରେ ସି-ମାଇନସ୍ ତଳକୁ ଆଉ କିଛି ଗ୍ରେଡ୍ ରହିନି ଏବଂ ଏଡିର ବାଧ୍ୟବାଧକତାରେ  ଏହାକୁ ପାଳନ କରାଯାଇଥିଲା, ସାଥିରେ ଅବଶ୍ୟ ଥିଲା  “ସନାପସ୍” ବୋଲି ସେହି ପ୍ରସିଦ୍ଧ ମଦ୍ୟପାନ ।

“ଯଦି ସେ ଏଇ ଭଳି ଗ୍ରେଡ୍ ରଖେ”, କୋହେନ କହିଲା,” ମୁଁ  ଗୋଟିଏ ବହୁତ ଭଲ କଲେଜ୍‌ରେ ତାହାର ନାଆଁ ଲେଖାଇ ଦେବି, ନିଶ୍ଚିତ ।”

“ମୁଁ ବି ସେୟା ଭାବୁଛି “, ଏଡିର ଦୀର୍ଘଶ୍ୱାସ ।

କିନ୍ତୁ ସ୍ୱାର୍ଜ ତାହାର ମଥା ହଲାଇଲା।” ସେ ଗୋଟିଏ ଭଲ ପିଲା -ତମମାନଙ୍କର ଏଥିପାଇଁ ବ୍ୟସ୍ତ ହେବାର ଦରକାର ନାହିଁ। ସେ ମଦୁଆ ହେବନି କି ନିଜ ପତ୍ନୀକୁ ବାଡେଇବ ନାହିଁ, ଈଶ୍ୱର ନ କରନ୍ତୁ, ସେ ସେମିତି ଜଣେ ବିଦ୍ୱାନ୍ କେବେବି ହୋଇପାରିବ ନାହିଁ, ତମେ ଯଦି ଜାଣ ମୁଁ ଯାହା କହୁଛି, ସେ ଗୋଟିଏ ଭଲ ମେକାନିକ ହୋଇପାରିବ। ଏଇ ସମୟରେ ଏହା ଅସମ୍ମାନଜନକ କିଛି ନୁହଁ ।”

“ମୁଁ ଯଦି ତମେ ହୋଇଥାନ୍ତି,” ରାଗରେ କହିଲା କୋହେନ୍, “ତାହେଲେ ମୁଁ ମୋର ବୃହତ ନାସିକାକୁ ଅନ୍ୟର ବ୍ୟକ୍ତିଗତ ବ୍ୟାପାରରେ ଭର୍ତ୍ତି କରି ନଥାନ୍ତି !”

“ହାରି, ପ୍ଲିଜ୍ ” କହିଲା ଏଡି।

“ମୋର ବଦମାସ ଧୈର୍ଯ୍ୟ ଆଉ ସହିବାର ନାହିଁ। ଏଇ ଟେରା ସବୁଥିରେ ପଶିବାକୁ ଆରମ୍ଭ କଲାଣି!”

ଏମିତି କହିଲେ ସେ ସେଇଠି ସେଇ ଘରରେ ଜଣେ ଅଭ୍ୟାଗତ ଅତିଥି ନୁହଁ, ସ୍ୱାର୍ଜ ମୋଟା ହେବାକୁ ଲାଗିଛି, ଯଦିଓ ତାହାର ଚେହେରାରେ ସେମିତି କିଛି ପରିବର୍ତ୍ତନ ଦେଖାଯାଉନାହିଁ । ସେ ସେମିତି ଆଗ ପରି ମାଟିରେ ଛଟପଟ ହେବା ଭଳି ଦିଶୁଛି, ତାହାର ପରଗୁଡିକ ନିହାତି ଅସଜଡା, ସେ ଯେମିତି କୌଣସି ବରଫ ଝଡ଼ରୁ ଏଇଲେ ଉଡିଆସିଛି । ସେ ମାନିନେଇଛି ଯେ ସେ ନିଜର ଯତ୍ନ ନେବା ପାଇଁ ଦେଇଛି ବହୁତ କମ୍ ସମୟ।

ବହୁତ କିଛି କଥା ଭାବିବାର ଅଛି। “ତାହାଛଡା ପାଣିପାଇପ ମରାମତି କାମର ବାହାରେ”, ସେ ଏଡିକୁ କହିଲା। ତଥାପି ତାହାର ଆଖିରେ ଅଧିକ ଉଜ୍ଜଳତା ରହିବା ଦରକାର ତାହାଫଳରେ ଯଦିଓ ତାହାକୁ କୋହେନ ଟେରା ବୋଲି କହୁଛି, ସେ ଏମିତି ତା’କୁ କହିବା ବେଳେ ତାହାର ଗଳା ସେତେ ଦୃଢ଼ ନଥିବ।

ନିଜର ପରିସ୍ଥିତି ସହ ସାଲିସ୍ କରି, ସ୍ୱାର୍ଜ ଚତୁରତାର ସହ ସବୁବେଳେ କୋହେନ୍‌ର ଦୃଷ୍ଟିରେ ଯେମିତି ପଡିବ ନାହିଁ ସେଇଭଳି ଚେଷ୍ଟା କରୁଥିଲା, କିନ୍ତୁ ଦିନେ ରାତିରେ ଯେତେବେଳେ ଏଡି ଗୋଟିଏ ସିନେମା ଦେଖୁଥିଲା ଆଉ ମରି ଗରମପାଣିର ସାୱାର୍ ନେଉଥିଲା ସେତିକିବେଳେ ଏଇ ହିମୀକୃତ-ଖାଦ୍ୟର ବୁଲାବେପାରୀ ସହିତ ତାହାର ଝଗଡା ହୋଇଥିଲା।

“ଈଶ୍ୱରଙ୍କ ଦ୍ୱାହି, ତମେ ବେଳେବେଳେ ଗାଧୋଇ ଯାଉନ କାହିଁକି? ସବୁବେଳେ ତମ ଦେହରୁ ପଚାମାଛର ଗନ୍ଧ ଆସୁଛି ?”

“ମିଃ କୋହେନ୍, ତମେ ଯଦି ମୋତେ ମାଫ୍ କରିବ, ଯଦି ଜଣେ ରସୁଣ ଖାଏ ତେବେ ତାହାର ଦେହରୁ ରସୁଣର ଗନ୍ଧ ଆସିବ । ମୁଁ ଦିନକୁ ତିନିଥର ହେରିଙ୍ଗ୍ ମାଛ ଖାଉଛି । ମୋତେ ଫୁଲ ଖାଇବାକୁ ଦିଅ, ମୁଁ ଫୁଲ ପରି ବାସିବି।”

“ତମକୁ ନିୟମିତ ଖୁଆଇବା ପାଇଁ ଏମିତି କିଏ ଧାରିଛି? ତମର ଭାଗ୍ୟ ଭଲ ଯେ ତମକୁ ହେରିଙ୍ଗ ମିଳୁଛି !”

“ମାଫ୍ କର, ମୁଁ ତ ଅଭିଯୋଗ କରୁନାହିଁ “, କହିଲା ପକ୍ଷୀ, “ତମେ ତ ଅଭିଯୋଗ କରୁଛ !”

“ଅଧିକ କ’ଣ?”, କୋହେନ କହିଲା, “ଏପରିକି ବାଲକୋନିରେ ଥିଲେ ବି ମୁଁ ଶୁଣିବାକୁ ପାଉଛି ତମର ଘୁଂଘୁଡି, ଗୋଟେ ଘୁଷୁରି ଠୁ ବେଶି। ସେଇଥିପାଇଁ ମୁଁ ରାତିସାରା ଅନିଦ୍ରା ।”

“ଘୁଂଘୁଡି” କହିଲା ସ୍ୱାର୍ଜ, “ଘୁଂଘୁଡି ଗୋଟିଏ ଅପରାଧ ନୁହଁ । ଈଶ୍ୱରଙ୍କୁ ଧନ୍ୟବାଦ ।”

“ମୋଟାମୋଟି ଭାବରେ ତମେ ଗୋଟେ ନିହାତି ବିରକ୍ତିକର ପଦାର୍ଥ । ଏହାପରେ ତମେ ଶେଜରେ ମୋ ପତ୍ନୀ କଡ଼ରେ ଶୋଇବାକୁ ଚାହିଁବ।”

“ମିଃ କୋହେନ୍,” କହିଲା ସ୍ୱାର୍ଜ,” ଏ ସଂପର୍କରେ ଆପଣ ନିଶ୍ଚିତ ରହିବାର ପ୍ରୟୋଜନ ଅଛି, ଗୋଟିଏ ପକ୍ଷୀ ହେଉଛି ଗୋଟିଏ ପକ୍ଷୀ ।”

“ସେମିତି ତମେ କହୁଚ, ହେଲେ ମୁଁ କେମିତି ଜାଣିବି ଯେ ତମେ ଗୋଟିଏ ପକ୍ଷୀ, କୌଣସି ଈଶ୍ୱରବର୍ଜିତ ସଇତାନ୍ ନୁହଁ ?”

“ଯଦି ମୁଁ ଗୋଟିଏ ସଇତାନ୍ ହୋଇଥାନ୍ତି ତମେ ଏହା ଭିତରେ ସେକଥା ଜାଣିପାରିଥାନ୍ତ । ଏବଂ ଏହାର ମାନେ ନୁହଁ ଯେ ତମର ପୁଅ ପରୀକ୍ଷା ଭଲ ନମ୍ବର ରଖିଛି ।”

“ଚୁପ୍ କର ତୁ ବେଧପକ୍ଷୀ,” ଚିତ୍କାର କଲା କୋହେନ୍।

“ଗୋବର ଗଣେଷ” କା କା କଲା ସ୍ୱାର୍ଜ। ଝାମ୍ପ ଦେବା ପାଇଁ ତାହାର ନଖମାନ ଠିଆ, ଡେଣା ଦୁଇଟି ଠିଆ।

କୋହେନ୍ ପକ୍ଷୀଟିର ସରୁବେକକୁ ଧରିପକାଇବା ପାଇଁ ଉହୁଙ୍କି ଆସିବା ବେଳକୁ ମରି ବାଥରୁମ୍‌ରୁ ବାହାରି ଆସିଥାଏ ଏବଂ ଅବଶିଷ୍ଟ ସଂଜବେଳ ସ୍ୱାର୍ଜର ବାଲକୋନିରେ ଯାଇ ଶୋଇବା ଯାଏଁ, ସେଇଠି ଥିଲା କେବଳ ଗୋଟିଏ ଛଳ ଶାନ୍ତି।

କିନ୍ତୁ ଏଇ ଝଗଡା ସ୍ୱାର୍ଜକୁ ଗଭୀର ଭାବରେ ବିଚଳିତ କରିଦେଇଥିଲା ଆଉ ତାହାକୁ ଭଲ ନିଦ ହେଲା ନାହିଁ । ତାହାର ଘୁଂଘୁଡି ତାହାର ନିଦକୁ ଭାଙ୍ଗିଦେଉଥାଏ ଆଉ ଚେତା ପାଇଲେ ତାହାର କେବଳ ଗୋଟିଏ ଡର, ତାହାର ଏବେ ହେବ କ’ଣ ! କୋହେନ୍‌ର ଯିବା ବାଟକୁ ଏଡାଇ ଯିବା ପାଇଁ ସେ ତାହାପରେ ତାହାର ବାଲ୍‌କୋନିର ସେଇ କାଠତିଆରି ପକ୍ଷୀଘରେ ଯେତେ ସମୟ ରହିହେବ ରହୁଥିଲା। ଯେତେବେଳେ ପାଦଦୁଇଟି ତା’ର ଟାଣ ହୋଇଯାଉଥିଲା ସେ ପକ୍ଷୀଘର ଭିତରୁ ବାହାରି ବାଲକୋନିରେ ଟିକିଏ ଏପଟ ସେପଟ ହେଉଥିଲା, ଅଥବା ପକ୍ଷୀଘରର ଛାତରେ ବସୁଥିଲା, ଶୂନ୍ୟକୁ ଚାହିଁ ରହୁଥିଲା। ସଂଜ ହେଲେ, ମରିର ସ୍କୁଲପାଠକୁ ଦେଖିବା ବେଳେ, ସେ ପ୍ରାୟତଃ ଢୋଳେଇ ପଡୁଥିଲା । ନିଦରୁ ଉଠି ସେ ଉଦବିଗ୍ନ ଭାବରେ ଡେଇଁ ଡେଇଁ ଘରର ଚାରିକୋଣକୁ ଜରିପ କରୁଥିଲା। ସେ ଅଧିକ ସମୟ ବିତାଉଥିଲା ମରିର ଆଲମାରୀ ନିକଟରେ, ଏବଂ ଆଲମାରୀର ଡ୍ରୟାର୍‌ଗୁଡିକୁ ପରୀକ୍ଷା କରୁଥିଲେ ବିଶେଷରେ ସେଗୁଡିକ ଯେତେବେଳେ ଖୋଲା ରହିଥାଏ। ଏବଂ ଥରେ ଯେତେବେଳେ ସେ ଚଟାଣରେ ଥିବା ଗୋଟିଏ ବଡ଼ କାଗଜର ବ୍ୟାଗ୍‌କୁ ଦେଖିଇଲା, ସ୍ୱାର୍ଜ ଆଗ ନିଜର ଥଣ୍ଟକୁ ମାରି ସେଥିରେ କ’ଣ ଅଛି ପରୀକ୍ଷା କରିନେବାକୁ ଚାହିଁଲା। ପିଲାଟି  କାଗଜର ବ୍ୟାଗ୍‌ରେ ତାହାର ଏମିତି ଥଣ୍ଟ ମାରିବାକୁ ଦେଖି ଭାରି ଖୁସୀ ହେଉଥାଏ।

“ସେ ବସା ତିଆରି କରିବାକୁ ଚାହୁଁଛି” ସେ ତାହାର ମାଆକୁ କହିଲା।

ଏଡି ସେ ମନଦୁଃଖରେ ରହୁଥିବାର ଦେଖି ତାହାକୁ ଏକାନ୍ତରେ କହିଥିଲା ।

“ହୁଏତ ତମେ ଏମିତି କିଛି କରିପାରିବ ଯାହା କରିବା ପାଇଁ ମୋ ସ୍ୱାମୀ ଚାହୁଁଛନ୍ତି, ତାହେଲେ ତମ ସହିତ ତାଙ୍କର ସଂପର୍କ ଅଧକ ଭଲ ହେବ।”

“ଗୋଟିଏ ଉଦାହାରଣ ଦିଅ”, ସ୍ୱାର୍ଜ କହିଲା।

“ଯେପରି, ଗାଧୋଇପଡ, ଉଦାହାରଣ ହିସାବରେ”

“ଗାଧୋଇବା ପାଇଁ ମୋର ଆଉ ବୟସ ନାହିଁ” ପକ୍ଷୀଟି କହିଲା। “ବିନା ଗାଧୁଆରେ ମୋର ପରଗୁଡିକ ଝଡିଯିବାକୁ ଲାଗିଲାଣି।”

“ସେ କହୁଛନ୍ତି, ତମ ଦେହରୁ ଗନ୍ଧ ଆସୁଛି।”

“ସଭିଙ୍କର ଦେହ ଗନ୍ଧାଏ। କିଛି ଲୋକଙ୍କ ଦେହରୁ ଗନ୍ଧ ଆସେ, କାରଣ ହେଉଛି ସେମାନଙ୍କର ଚିନ୍ତା ଅଥବା ସେମାନେ କିଏ । ମୋ ଦେହରୁ ଗନ୍ଧ ଆସୁଛି ତାହାର କାରଣ ହେଉଛି ମୁଁ ଯାହା ଖାଏ। ତାଙ୍କର ଗନ୍ଧଟି ତାହେଲେ ଆସୁଛି କେଉଁଠୁ? ”

“ମୁଁ ଏକଥା ତାଙ୍କୁ ପଚାରିବି ନାହିଁ। ସେ ରାଗରେ ପାଗଳ ହୋଇଯିବେ”, ଏଡି କହିଲା।

ଉତ୍ତର ନଭେମ୍ବରରେ ସ୍ୱାର୍ଜ  ବାଲକୋନିରେ କୁହୁଡି ଆଉ ଥଣ୍ଡା ଯୋଗୁ ବରଫ ପାଲଟି ଗଲା, ଏବଂ ବିଶେଷରେ ବର୍ଷା ହେଉଥିବା ଦିନମାନଙ୍କରେ ସେ ନିଦରୁ ଉଠିଲାବେଳକୁ ଦେଖେ ତାହାର ସଂଧିଗୁଡିକ ଟାଣଟାଣ। ଆଉ ସେ ତାହାର ଡେଣାକୁ  ଆଗଭଳି ହଲାଇ ପାରୁନଥିଲା। ଆଣ୍ଠୁଗଣ୍ଠିବାତକୁ ସେ କେତେଦିନରୁ  ଅନୁଭବ କରି ଆସୁଛି । ଗୋଟିଏ ଉଷୁମୁଳିଆ ଘରେ ଅଧିକ ସମୟ ବିତାଇଦେବାକୁ ତାହାର ଭାରି ଇଚ୍ଛା, ବିଶେଷରେ ମରି ଯେତେବେଳେ ସ୍କୁଲରେ ଥାଏ ଆଉ କୋହେନ୍ ବ୍ୟସ୍ତ ଥିବ ତାହାର କାମରେ। ଏଡିର ଏମିତିରେ କୋମଳ ହୃଦୟ ଆଉ ସେ ହୁଏତ ଥରେ ଅଧେ ଏହା ଭିତରେ ଉଙ୍କିମାରି ତାହାକୁ ଦେଖିନେଇ ସାରିବଣି, ତାହାକୁ କିନ୍ତୁ ଏକଥା କହିବା ପାଇଁ ସେ ଡରୁଛି । ଏହା ଭିତରେ କୋହେନ୍, ଯିଏ କି ଏହାଭିତରେ ଦେଶାନ୍ତରୀ ପକ୍ଷୀମାନଙ୍କ ବିଷୟରେ ଢେର୍ ଗୁଡାଏ ପଢାଶୁଣା କରିଥିଲା, ବାଲକୋନିକୁ ଆସେ ଦିନେ ରାତିରେ କାମ ଶେଷ ହେବା ପରେ, ଏଡି ସେତେବେଳେ ରୋଷେଇଘରେ ରାତି ଖାଇବା ପାଇଁ ମାଂସରେ ମାଛ ମିଶା “ପଟ୍-ରୋଷ୍ଟ” ତିଆରି କରୁଥାଏ, ସେ ପକ୍ଷୀଘର ଭିତରକୁ ଉଙ୍କି ମାରି ଦେଖେ ଆଉ ସ୍ୱାର୍ଜକୁ ସତର୍କ କରିଦିଏ, ତାହାର ଭଲ ପାଇଁ ସେ ଏହାପରେ ନିଜର ବାଟ ଦେଖିବା ଭଲ ହେବ।

“ଦେଶାନ୍ତରକୁ ଉଡାଣ ପାଇଁ ଏଇଟି ହିଁ ସମୟ।”

“ମିଃ କୋହେନ୍, ତମେ କାହିଁକି ମୋତେ ଘୃଣା କର?” ପଚାରିଲା ପକ୍ଷୀ, “ମୁଁ ଏମିତି ତମର କେଉଁ କ୍ଷତି କରିଛି ?”

“କାରଣ ତମେ ହେଉଛ ଏକ ନମ୍ବରର ଝାମେଲାକାରୀ, ସେଇଥିପାଇଁ। ଆଉ ଅଧିକ କ’ଣ, କିଏ କେବେ ଇହୁଦୀପକ୍ଷୀର ନାଆଁ ଶୁଣିଛି ? ଏବେ ବାଟ ଦେଖ ନତୁବା ସମ୍ମୁଖ ସଂଗ୍ରାମ !”

ମାତ୍ର ସ୍ୱାର୍ଜ ଗୋଟାଏ ଜିଦ୍‌ରେ ଯିବାପାଇଁ ମନା କରିଦେଲା ଆଉ ସେଇଥିପାଇଁ କୋହେନ୍ ତାହାକୁ ନାନା ପ୍ରକାର ବାଟ ଖୋଜି ନୂଆ ନୂଆ ପ୍ରକାରରେ ହଇରାଣ କରିବାପାଇଁ ଚେଷ୍ଟା କରୁଥାଏ। ଏସବୁକୁ କିନ୍ତୁ ସେ ଏଡି ଆଉ ମରିଙ୍କ ନିକଟରୁ ଗୋପନ ରଖି କରୁଥିଲା। ମରି ହିଂସାକୁ ଘୃଣା କରେ ଆଉ କୋହେନ୍ ଚାହେଁ ଯେ ତା ସଂପର୍କରେ କୌଣସି ଖରାପ ଧାରଣା ଯେମିତି ତାହାର ପୁଅର ଭିତରେ ସୃଷ୍ଟି ନହୁଏ। ସେ ଭାବୁଥିଲା ତାହାର ବଦମାସି ଫଳରେ ଏଇ ପକ୍ଷୀଟି ବିରକ୍ତ ହୋଇ ବିଶେଷରେ ଶାରୀରୀକ ଭାବରେ ଗଳାଧକ୍କା ଖାଇ ନଯିବାଭଳି, ସେଇଠୁ ଉଡି କି ଆଉ କୁଆଡେ ଚାଲିଯିବ । ପୁଅର ଛୁଟି ଶେଷ ହୋଇଗଲା, ତେଣୁ ତାହାକୁ ଏବେ ସହଜରେ ଆଉ କେଉଁଠିକୁ ଯାଇ ରହିବାକୁ ଦିଆଯାଉ। ମରିର ସ୍କୁଲ ପଢା ଉପରେ ଏଇ ପକ୍ଷୀର ପ୍ରସ୍ଥାନର କେଉଁ ପ୍ରକାର ପ୍ରଭାବ ପଡିବ ତାହାକୁ ନେଇ କୋହେନ୍ ବିବ୍ରତ ହୋଇପଡୁଥିଲା, ହେଲେ ସେ ଗୋଟିଏ ବିପଦର ଝୁଙ୍କ ନେବାକୁ ଚାହିଁଥିଲା, କାରଣ, ପ୍ରଥମରେ ପିଲାଟି ଏବେ ପଢାପଢିରେ ଆଗ୍ରହ ଦେଖାଉଛି – ତାହାର କୃତୀତ୍ତ୍ୱ ଏଇ କଳାପକ୍ଷୀକୁ ଦିଆଯାଉ।  ଆଉ  ଦ୍ୱିତୀୟରେ, ସ୍ୱାର୍ଜର ପ୍ରଭାବ ତାହାକୁ ସବୁବେଳେ ଏପରିକି ସ୍ୱପ୍ନରେ ନିୟନ୍ତ୍ରିତ  କରୁଥିଲା।

ହିମୀକୃତ ଖାଦ୍ୟର ଏହି ସେଲସମ୍ୟାନ୍ ଜଣକ  ପାଣିଆ ବିରାଡି ଖାଦ୍ୟ ସହିତ ହେରିଙ୍ଗ ମାଛର ଟୁକୁଡାକୁ ମିଶାଇ ସ୍ୱାର୍ଜକୁ ଖାଇବାକୁ ଦେବା ଭଳି କାମରୁ  ତାହାର ଏହି ପକ୍ଷୀର ବିରୁଦ୍ଧରେ ଅଭିଯାନର ଆରମ୍ଭ କରିଥିଲା। କେତେଗୁଡିଏ କାଗଜ ଥଳୀକୁ ଫୁଙ୍କି ଫୁଲାଇ ସେ ବାଲକୋନୀରେ ଥିବା କାଠର ପକ୍ଷୀଘର ର ବାହାରେ ରଖୁଥିଲା ଆଉ ସ୍ୱାର୍ଜ ଶୋଇଥିବା ବେଳେ ସେଗୁଡିକୁ ଗୋଟିକ ପରେ ଗୋଟିଏ ଫଟାଇ ସ୍ୱାର୍ଜକୁ ଡରାଇବା ସହ ବିରକ୍ତ ଆଉ ନର୍ଭସ କରୁଥିଲା। ଯେତେବେଳେ ସେ ଦେଖିଲା ତଥାପି ସ୍ୱାର୍ଜର ଇଲାକା ଛାଡିବାର କୌଣସି ଲକ୍ଷଣ ଦେଖାଯାଉ ନାହିଁ ସେତେବେଳେ ସେ ଘରକୁ ବେଶ୍ ମୋଟାସୋଟା ପୁଷିଟିଏ ଆଣିଥିଲା, ଏଇଟି ଥିଲା ମରି ପାଇଁ ଗୋଟିଏ ଉପହାର। ଆଗରୁ ପୁଷି ପାଇଁ ସେ ଅନେକଥର ଜିଦି ଧରିଛି । ପୁଷିଟି ଦେଖିଲା ମାତ୍ରକେ ସ୍ୱାର୍ଜକୁ ଆକ୍ରମଣ କରିବା ପାଇଁ ଧାଇଁ ଆସୁଥାଏ। ଥରେ ସେ ସ୍ୱାର୍ଜର ଲାଞ୍ଜପାଖରୁ କିଛି ପରକୁ ନିଜର  ନଖରେ ଟାଣି ନେଇଥିଲା। ଏପରିକି ପାଠପଢା ବେଳେ, ଯେତେବେଳେ ସାଧାରଣତଃ  ପୁଷିକୁ ମରିର ରୁମ୍‌ର ଭିତରକୁ ଛଡା ଯାଏନି, ଯେମିତି ସେମିତି ହେଉ ପଛକେ ସେ ପଢାଶେଷ ଆଗରୁ ସେଇଠି ପହଞ୍ଚିଯାଏ। ତାହାପରେ କିନ୍ତୁ ସ୍ୱାର୍ଜ ନିଜର ଜୀବନ ଭୟରେ ବ୍ୟତିବ୍ୟସ୍ତ ହୋଇପଡେ ଆଉ ଉଚ୍ଚରୁ ଉଚ୍ଚକୁ, ବତୀର ଉପରଭାଗ ହେଉ କି କବାଟର ଉପରଭାଗ, ଯେମିତି ହେଉ ପଛକେ ତାହାକୁ ସେଇ ଘାତକର ଓଦାଳିଆ ନଖକୁ ଏଡାଇଯିବାର ଅଛି।

ଥରେ ପକ୍ଷୀଟି ଏଡିକୁ ଅଭିଯୋଗ କରିଥିଲା, କେଉଁପରି ତାହାର ଜୀବନ ଦୁର୍ବିସହ ହୋଇ ପଡୁଛି, ତାହାର ଉତ୍ତରରେ ଏଡି କହିଥିଲା, “ଧୈର୍ଯ୍ୟ ଧର ମିଃ ସ୍ୱାର୍ଜ । ଯେତେବେଳେ ପୁଷିଟି ତମକୁ ଚିହ୍ନିଯିବ ତାହାପରେ ସେ ତମକୁ ଆଉ ଧରିବା ପାଇଁ ଚେଷ୍ଟା କରିବ ନାହିଁ ।”

“ଯେତେବେଳେ ସେ ଆଉ ଧରିବା ପାଇଁ ଚେଷ୍ଟା କରିବନି ଆମେ ଦିଜଣ ସେତେବେଳକୁ ସ୍ୱର୍ଗବାସୀ ହୋଇ ସାରିଥିବୁ,” ସ୍ୱାର୍ଜ ଉତ୍ତର ଦେଇଥିଲା ।

“ମୋତେ ଟିକିଏ ଦୟା କର, ତାହାକୁ ଏଠୁ ବିଦାୟ କର ।ସେ ମୋର ସାରା ଜୀବନକୁ ଅଶାନ୍ତ କରିଦେଲାଣି । ଗଛଟିଏ ପତ୍ରଝଡା ଦେବା ଭଳି ମୋର ପରଗୁଡିକ ଝଡିଯାଉଛି ।”

“ମୁଁ ବିଶେଷ ଭାବରେ ଦୁଃଖିତ, ମାତ୍ର ମରି ପୁଷିକୁ ଭାରି ପସନ୍ଦ କରେ ଆଉ ତାହାକୁ ସାଥିରେ ଧରି ଶୋଉଛି।”

ଏବେ ସ୍ୱାର୍ଜ କରିବ କ’ଣ ? ସେ ବ୍ୟସ୍ତ ହୋଇପଡୁଥିଲା ହେଲେ କୌଣସି ନିଷ୍ପତ୍ତି ନେଇ ପାରୁନଥାଏ, ଏଇ ଜାଗାକୁ ଛାଡିଯିବାକୁ ତାହାର ଭାରି ଭୟ। ତେଣୁ ସେ ହେରିଙ୍ଗ୍ ମିଶା ବିରାଡି-ଖାଦ୍ୟକୁ ଖାଉଥିଲା, ରାତିରେ ତାହାର ପକ୍ଷୀଘରର ବାହାରେ ବାଣ ଭଳି ଫୁଟୁଥିବା କାଗଜ ଥଳିକୁ ନଶୁଣିବା ପାଇଁ ଯଥାସମ୍ଭବ ଚେଷ୍ଟା କରୁଥିଲା, ଭୟରେ ସନ୍ତାପିତ ଜୀବନ ବଞ୍ଚୁଥିଲା, ଚଟାଣ ଠାରୁ ଦୂର ଛାତର ନିକଟ, ଯେତେବେଳେ ନିଜ ଲାଙ୍ଗୁଡକୁ ହଲାଇ ତାହା ଆଡକୁ ନିରନ୍ତର ଚାହିଁ ରହିଥିଲା ସେଇ  ପୁଷିଟି।

ସପ୍ତାହ ପରେ ସପ୍ତାହ ବିତିଗଲା। ତାହାପରେ ଦିନେ କୋହେନ୍‌ର ମାଆ ବ୍ରଙ୍କସ୍ ଠାରେ ଥିବା ତାଙ୍କର ନିଜ ଫ୍ଲାଟ୍‌ରେ ଦେହରକ୍ଷା କଲେ, ଯେତେବେଳେ ମରି ଗୋଟିଏ ଅଙ୍କ ପରୀକ୍ଷାରେ ଶୁନ୍ ନେଇ ଘରକୁ ଫେରିଲା, କୋହେନ୍ ରାଗ ତମତମ, ଅପେକ୍ଷା କରିଥିଲା କେତେବେଳେ ଏଡି ପୁଅକୁ ତାହାର ଭାଓଲିନ୍ ଲେସନ୍ ପାଇଁ ସାଥିରେ ଧରିକି ଯିବ, ସେ ପକ୍ଷୀକୁ ସିଧା ଆକ୍ରମଣ କରିଥିଲା। ହାତରେ ଗୋଟିଏ ଝାଡୁ ଧରି ବାଲ୍‌କୋନି ସାରା ସେ ତାହାକୁ ଗୋଡାଇଲା, ସ୍ୱାର୍ଜ ଭୟରେ ଏପଟ ସେପଟ ଛଟପଟ ହୋଇ ଉଡିବୁଲୁଥାଏ, ଶେଷରେ ସେ ତାହାର ପକ୍ଷୀଘର ଭିତରକୁ ସୂରକ୍ଷିତ ରହିବା ପାଇଁ ପଶିଗଲା  ହେଲେ କୋହେନ୍ ବିଜୟଦର୍ପରେ ଝାମ୍ପି ପଡି ତାହାର ଦୁଇଟିଯାକ ପତଳା ଗୋଡକୁ ଜାବୁଡି ଧରି ତାହାକୁ ଟାଣି ଆଣିଲା, ସେ ଖୁବ୍ ଜୋର୍‌ରେ କୁଆ ଭଳି କାଆ କାଆ କରୁଥିଲା, ଡେଣାକୁ ଅସହାୟ ଭାବରେ ଯେତେ ଶକ୍ତି ଅଛି ତାହାକୁ ନେଇ ଫଡଫଡ କରୁଥିଲା। ତାହାର ବେକକୁ ଧରି ସେ  କେତେ ଥର ଆଗ ଘୁରାଇ ନେଇଥିଲା। କିନ୍ତୁ ସ୍ୱାର୍ଜ ତାହାର ବେକକୁ ଧରି ଏମିତି ଘୁରାଇବା ବେଳେ  ହାତର ଫାଶରୁ ଖସିଯାଇଥିଲା ଆଉ ହଠାତ୍ ନିଜର ଥଣ୍ଟରେ ସେ କୋହେନ୍‌ର ନାକକୁ ଚାପି ଧରିଲା ଆଉ ତାହା ସହିତ ଯେମିତି ତାହାର ପ୍ରିୟ ଜୀବନଟି ଏଇଲେ ଅଟକି ରହିଛି । କୋହେନ୍ ଯନ୍ତ୍ରଣାରେ ଚିତ୍କାର କରି ଉଠିଲା, ପକ୍ଷୀକୁ ନିଜର ମୁଠିରେ ଘୁଷିମାରିବାକୁ ଚେଷ୍ଟା କଲା, ତାହାର ଯେତେ ବଳ ଅଛି ସେଥିରେ ପକ୍ଷୀର ଗୋଡ଼ ଦୁଇଟିକୁ ଓଲାରି ଆଣିବାକୁ ଚେଷ୍ଟା କଲା, ଏମିତି ଶେଷରେ ସେ ତାହାର ନାକକୁ ସେଇ କଷ୍ଟକର ଚାପରୁ ମୁକ୍ତ କରିଥିଲା। ତାହାପରେ ପୁଣିଥରେ ସେ ସେହି ପକ୍ଷୀଟିକୁ ଧଇଁସଇଁ ହୋଇ ଘୁରାଇ ଘୁରାଇ, ଯେ ପର୍ଯ୍ୟନ୍ତ ସେ ନିଥର ହୋଇଯାଇନାହିଁ, ତାହାକୁ  ବାହାର ରାତିର ଅନ୍ଧାର ଭିତରକୁ ଛାଟି ଦେଲା। ସ୍ୱାର୍ଜ ଖଣ୍ଡିଏ ପଥର ଭଳି ସହରର ରାଜରାସ୍ତାରେ ଲଥ୍ ହୋଇ ଖସି ପଡିଲା। କୋହେନ୍ ତାହାପରେ ସେଇ ପକ୍ଷୀଘରକୁ, ଆଉ ଯେଉଁଥିରେ ସେ ଖାଉଥିଲା ସେଇ ଥାଳିକୁ ତଳକୁ ଫୋପାଡିଦେଲା। ସେସବୁ ତଳେ ପାଦଚଲା ରାସ୍ତାରେ ଯାଇ ଧଡଧଡ ହୋଇ ପଡିଲା। ଗୋଟିଏ ପୂରା ଘଣ୍ଟା, ହାତରେ ଝାଡୁ ଧରି, ତାହାର ଛାତି ଧକଧକ କରୁଥାଏ ଆଉ ନାକ ଅଗରେ ପ୍ରଚୁର ଯନ୍ତ୍ରଣା, କୋହେନ୍ ଅପେକ୍ଷା କରୁଥିଲା ସ୍ୱାର୍ଜ ଫେରି ଆସିବ, ହେଲେ ନିଜର ଭଂଗା ହୃଦୟକୁ ନେଇ ସେ ଆଉ ଏଠିକି ଫେରି ଆସିନାହିଁ ।

ସେଇ କ୍ଷୁଦ୍ର ଜାରଜ ର ଏହାହିଁ ଅନ୍ତ, ହିମୀକୃତଖାଦ୍ୟର ଏଇ ସେଲସମ୍ୟାନ୍ ଜଣକ ସେମିତି ମନେ କରୁଥିଲା ଆଉ ସବୁକିଛି ଯଥାବିଧି ଚାଲିଲା। ଏଡି ଆଉ ମରି ଘରକୁ ଫେରି ଆସିଲେ।

“ଦେଖ” କହିଲା କୋହେନ୍, ନିଜର ରକ୍ତ ଜମାଟବାନ୍ଧି ତିନିଗୁଣ ଫୁଲି ଯାଇଥିବା ନାକ ଅଗକୁ ଦେଖାଇ କହିଥିଲା ସେ, “ଦେଖ ସେଇ ବେଧପକ୍ଷୀ ମୋର କରିଛି କ’ଣ । ଏଇ ଦାଗଟି ସବୁଦିନ ରହିଯିବ ।”

“ସେ ଏବେ କେଉଁଠି?” ଏଡି ପଚାରିଲା ଭୟରେ ଭୟରେ ।

“ମୁଁ ତାହାକୁ ବାହାରକୁ ଫୋପାଡି ଦେଲି ଆଉ ସେ ପଳେଇ ଗଲା। ଯାହା ହେଉ ଆପଦ ଗଲା।”

କେହି ଆଉ ନାହିଁ ବୋଲି କହି ନାହାଁନ୍ତି, ଯଦିଓ ପକେଟରୁ ରୁମାଲ୍ ବାହାର କରି ଏଡି ତାହାର ଆଖିକୁ ଅଧିକ ସମୟ ପୋଛିଚି ଆଉ ମରି ନଅକ ପଣିକିଆ ମନେ ପକାଇବାକୁ ଯାଇ ଦେଖିଛି ଯେ ସେଥିରୁ ଅଧେ ତାହାକୁ ଏଇଲେ ଜଣା।

ବସନ୍ତରେ ଯେବେ ବରଫ ତରଳି ଯାଏ, ପିଲାଟି ଗୋଟିଏ ସ୍ମୃତି ଚାଳିତ ହୋଇ ଆଖପାଖରେ ଘୁରାଘୁରି କରେ, ସ୍ୱାର୍ଜକୁ ଖୋଜୁଥାଏ। ନଈକୂଳରେ ସେ ଗୋଟିଏ ମଲା କଳାରଙ୍ଗର ପକ୍ଷୀକୁ ଦେଖିବାକୁ ପାଏ, ତାହାର ଡେଣା ଦୁଇଟି ଯାକ ଭଙ୍ଗା, ବେକଟାକୁ ମୋଡି ଦିଆଯାଇଛି, ଆଉ ତାହାର ଦୁଇଟି ଯାକ ପକ୍ଷୀଆଖିକୁ ନିଖୁଣ ଭାବରେ ତାଡି ନିଆ ଯାଇଛି ।

“ତମକୁ ଏମିତି କଲା କିଏ, ମିଃ ସ୍ୱାର୍ଜ?” ମରି କଇଁ କଇଁ ହୋଇ କାନ୍ଦେ ।

“ଇହୁଦୀ ମାନଙ୍କ ବିପକ୍ଷରେ ଯେଉଁମାନେ,

ଆଣ୍ଟି -ସେମିଟ୍” କହିଥିଲା ଏଡି ଅନେକ ଦିନ ପରେ।

°°°°°

Bernard Malamud (April 26, 1914 – March 18, 1986) was an American novelist and short story writer.

ବର୍ଣ୍ଣାଡ ମାଲାମଡ୍ (୧୯୧୪୧୯୮୬) ବ୍ରୁକଲିନ୍, ନିୟୁୟର୍କରେ ଜନ୍ମିତ ବିଶ୍ୱ ସାହିତ୍ୟର ଅନ୍ୟତମ ସମୃଦ୍ଧ କଥାକାର ତାଙ୍କର ପିତାମାତା ଦୁଇଜଣ ଋଷୀୟ ଶରଣାର୍ଥୀ ଏବଂ ଇହୁଦୀ। ଏହି ଦୁଇଟି କଥା ଅର୍ଥାତ୍ ଶରଣାର୍ଥୀ ଆଉ ଇହୁଦୀ ହେବାର ସମସ୍ତ ପ୍ରତିକୂଳତାର ଅନୁଭବ ତାଙ୍କର କାହାଣୀ ସମୂହରେ ପ୍ରଖର ଭାବରେ ଦେଖାଯାଏ।

ବିଶ୍ୱର କଥାସାହିତ୍ୟରେ ସେ ହେଉଛନ୍ତି ଆମେରିକାର ସେଇ ଗୌରବାଜ୍ଜ୍ନଳ ଇହୁଦୀ ପ୍ରାଧାନ୍ୟ ସମୟର ଲେଖକ ଯେତେବେଳେ ତାଙ୍କର ସମସାମୟିକ ଅନ୍ୟାନ୍ୟ ଖ୍ୟାତନାମା ଲେଖକ ହେଉଛନ୍ତି ଜେଡି ସାଲିଞ୍ଜର ଆଉ ଜୋସେଫ୍ ହେଲର୍।

ସଂପୃକ୍ତ କାହାଣୀ ସଂପର୍କରେ ସଂକ୍ଷିପ୍ତ ଚର୍ଚ୍ଚା କରିବା ପୂର୍ବରୁ  କଥାକାରମାନଙ୍କୁ ସେ ଦେଇଯାଇଥିବା ଉପଦେଶକୁ ଆମର ଅବଶ୍ୟ ପାଠ କରିବା ଉଚିତ୍।

ମାଲାମଡ୍ ଲେଖକମାନଙ୍କ ଉଦ୍ଦେଶ୍ୟରେ କହିଛନ୍ତି: ତମର ଯାହା ଇଚ୍ଛା ହେଉଛି ତାହା ଲେଖ, ମାତ୍ର କାହାଣୀ ଲେଖିବା ବେଳେ ନିଜର ଆତ୍ମପ୍ରତାରଣା ପ୍ରତି ସତର୍କ ନିଘା ରଖିଥିବ ସତ୍ୟାନୁବଦ୍ଧ ଭାବରେ ଲେଖ ମାତ୍ର ଚତୁରତାର ସହ ଲେଖ। ନିଜକୁ ସବୁବେଳେ ପ୍ରଶିକ୍ଷିତ କରି ରଖିଥାଅ ଯେମିତି ତାହା ସବୁବେଳେ ସମସ୍ତ ଅନିଶ୍ଚିତତାକୁ ସାମ୍ନା କରି ପାରିବ। ଲେଖ, ସଂପୂର୍ଣ୍ଣ କର ଆଉ ସଂଶୋଧନ କର ଯଦି ସଂଶୋଧନ କରି ହେଉନାହିଁ ତାହାହେଲେ ଅଲଗା କିଛି ଲେଖ।

ସଂକ୍ଷେପରେ କହିଲେ ବର୍ଣ୍ଣାଡ ମାଲାମଡ୍‌ଙ୍କର ଏଇ କାହାଣୀ ଯାହାର ମୂଳ ଇଂରେଜୀ ଶୀର୍ଷକ ହେଉଛିଦି ଜିଉବାର୍ଡତାହା ବିଶ୍ୱ କଥା ସାହିତ୍ୟରେ ହୋଇଥିବା ଅନେକ ସଂକଳନରେ ରହିଥିବା ଏକ ପରିଚିତ କାହାଣୀନାମ। ଏଥିରେ ମାଲାମଡ୍ ଦୁଇଟି ପ୍ରମୁଖ ପ୍ରୟୋଗ କରିଛନ୍ତି। ଏଥିରେ ଫାଣ୍ଟାସି ଆଉ ସ୍ୱାଧୀନତାର ଦ୍ୱନ୍ଦ୍ୱ କଥାଟିକୁ ଏକ କୁହୁକବାଦୀ ବାସ୍ତବତା ଭଳି ଉପସ୍ଥାପନା କରାଯାଇଛି। ଗୋଟିଏ କଳାରଙ୍ଗର ଅଦ୍ଭୁତ କଥାକୁହା ପକ୍ଷୀ ଆସି ଆଶ୍ରାନେଇଛି ଗୋଟିଏ ଇହୁଦୀ ପରିବାରରେ, ଆଉ ସେ ନିଜକୁ ଗୋଟିଏ ଇହୁଦୀପକ୍ଷୀ ଯାହାର ଗୋଟିଏ ନାଆଁ ସ୍ୱାର୍ଜ ବୋଲି ରହିଛି, ସେ କଥା ସେ ନିଜେ କହୁଛି। ପରିବାରର ଗୃହକର୍ତ୍ତାର ତାହାପ୍ରତି ଦ୍ୱେଷ ପ୍ରକାଶିତ ହୋଇଛି ଏଇଥିପାଇଁ ଯେ ସାମାନ୍ୟ  ଗୋଟିଏ ପକ୍ଷୀ, ଏମିତି ନିଜକୁ ଗୋଟିଏ ଇହୁଦୀପକ୍ଷୀ  ବୋଲି କହିବ ଆଉ ଇହୁଦୀ ଆକାରରେ ଏପରି ସ୍ୱାଧୀନତା ଅର୍ଜନ କରିପାରିବ ତାହା ତାହାର ଦୃଷ୍ଟିରେ ଉଚିତ ନୁହଁ। ଜଣେ ଇହୁଦୀ ହିସାବରେ ସେ ଇହୁଦୀପକ୍ଷୀର ଫାଣ୍ଟାସିକୁ ଗ୍ରହଣ କରିଛି, ପକ୍ଷୀଟିକୁ ଘରେ ଆଶ୍ରା ଦେଇଛି ମାତ୍ର ତାହାକୁ କଦାପି ସହ୍ୟ କରି ପାରୁନାହିଁ ପରିବାରର ଅନ୍ୟାନ୍ୟ ପରିପୂରକ ନିର୍ଭରଶୀଳ ଏକକମାନେ ଯଥା ଗୃହକର୍ତ୍ତୀ ଏବଂ ପରିବାରର ସନ୍ତାନ ସେଇ ଫାଣ୍ଟାସିକୁ ନିଜର କରି ନିଅନ୍ତି, ସେଥିରେ ତାଙ୍କର ମୁକ୍ତିର ସ୍ୱଚ୍ଛନ୍ଦ  କାମନାଗୁଡିକ  ପରିଷ୍ଫୁଟିତ ମାତ୍ର ପରିବାର ନିୟନ୍ତ୍ରଣକାରୀ ଏକକ ଫାଣ୍ଟାସି ଚାହୁଁଛି, ସ୍ୱାଧୀନତା ଚାହୁଁଛି ଆଉ ଏହାର ମଧ୍ୟାନ୍ତରର ବିରୋଧାଭାଷକୁ ବି ଚାହୁଁଛି।

ଇହୁଦୀ ସ୍ୱାଧୀନତା ଯେତେବେଳେ ବିଧ୍ୱସ୍ତ ହେଉଛିତାହାର ପଛରେ  ନିଜ ନିଜର ଖଣ୍ତିତ ବିରୋଧାଭାସ ରହିଥାଏ ବୋଲି ଏଇ କାହାଣୀରେ ପ୍ରତିପାଦିତ କରିଛନ୍ତି ପ୍ରଖ୍ୟାତ ବର୍ଣ୍ଣାଡ ମାଲମଡ୍।

ଆହା! ଅନେକ ଥର ତାଙ୍କର ନାଆଁ ବିଚାରକୁ ଆସୁଥିଲେ ବି ଶେଷଯାଏଁ ସାହିତ୍ୟରେ ନୋବେଲ୍ ପୁରସ୍କାରଟି ତାଙ୍କର ଅପ୍ରାପ୍ୟ ହୋଇ ରହିଯାଇଛି।

About Jyoti Nanda

Jyoti Nanda is a writer, translator based in Bhubaneswar.

View all posts by Jyoti Nanda →