ମୂଳ ଲେଖା: ଭ୍ଲାଦିମିର ନବୋକୋଭ୍ || ଅନୁବାଦ: ଜ୍ୟୋତି ନନ୍ଦ
ଚିକିତ୍ସାର ବାହାରକୁ ଚାଲିଯାଇଥିବା ଏଇଭଳି ଜଣେ ପାଗଳ ଯୁବକକୁ ତାହାର ଜନ୍ମଦିନରେ କ’ଣ ଉପହାର ଦିଆଯାଇପାରେ,ଏଇ କଥାକୁ ନେଇ ଏଇ ଚାରିବର୍ଷରେ କହିବାକୁ ଗଲେ ଚାରି ଥର ସେଇ ସମାନ ଗୋଟିକ ସମସ୍ୟାରେ ସେମାନେ ପଡିଥିଲେ । ମଣିଷର ହାତ ତିଆରି ଜିନିଷ ତା’ ପାଇଁ ପାପର ମହୁଫେଣା,ସବୁ ପ୍ରକାର ବଦଚଳନରେ ଭରପୁର ରହିଥାଏ । ସେ ଏକା ହିଁ ଏଇସବୁ କଥାର ଟେର୍ ପାଇଥାଏ । ଆଉ ଯଦି ସେମିତି କିଛି ନୁହଁ,ତାହାହେଲେ ମଣିଷର ତିଆରି ଜିନିଷଗୁଡିକ ହେଉଛି ସିର୍ଫ ଆରାମ ଦେବାର ଉପକରଣ । ତାହାର ମାନେ ସେହି ପାଗଳ ଯୁବକର ଅବାସ୍ତବ ଦୁନିଆରେ ସେଗୁଡିକ କୌଣସି କାମରେ ଆସିବ ନାହିଁ । ପୁଅ ରାଗ କରିପାରେ ବା ଭୟ ପାଇ ପାରେ (ଯେମିତି କି କଳକବ୍ଜା ଭଳି ସବୁ ଜିନିଷ ନିଷିଦ୍ଧ) ଏଇ ଭଳି ବେଶ୍ କିଛି ଉପହାରକୁ ନାକଚ କରିସାରିବା ପରେ ତାହାର ବାପାମାଆ ଗୋଟିଏ ସୁନ୍ଦର ଅଥଚ ତୁଚ୍ଛ ଜିନିଷକୁ ଉପହାର ଆକାରରେ ପସନ୍ଦ କରିଥିଲେ : ଗୋଟିଏ ଡାଲାରେ ଦଶଟି ବୋତଲରେ ଦଶ କିସମର ଫଳର ଜେଲି ।
ପୁଅ ଜନ୍ମ ହେଲା ବେଳକୁ ସେମାନଙ୍କର ବାହାଘରର ବେଶ୍ ଗୁଡାଏ ଦିନ ଗଡିସାରିଥିଲା । ତାହାପରେ କୋଡିଏ ବର୍ଷ ବିତି ଯାଇଛି । ସେମାନେ ଏଇଲେ ରୀତିମତ ବୁଢା । ପତ୍ନୀ ର ମଥାର କେଶ ଧୂସର ଆଉ ତାହା କୌଣସି ପ୍ରକାରରେ ସଜଡା ଅଛି। ସେ ସବୁବେଳେ ଶସ୍ତା କଳା ରଙ୍ଗର ପୋଷାକ ପିନ୍ଧେ । ବସନ୍ତଦିନର ଏଇ ଛିଦ୍ରାନ୍ୱେଷୀ ଆଲୋକର ସାମ୍ନାରେ ସେ କେମିତି ସାଦାସିଧା ଆଉ ଉଦାସ ଦିଶେ । ଅବଶ୍ୟ ତାହାର ସମବୟସୀ ଅନ୍ୟ ମହିଳାମାନେ ( ଯେମିତି ପାଖ ଘରର ମିସେସ୍ ସଲ୍ -ମୁହଁରେ ରଂଗ ମାଖି ପୁରିଲା ପୁରିଲା ଗୋଲାପି,ଆଉ ତାଙ୍କର ମଥାର ଟୋପିଟି ଯେମିତି ନଦୀକୂଳର ଗୋଚ୍ଛାଏ ସତେଜ ଫୁଲ ) ସେଇ ଭଳି ନୁହଁନ୍ତି । ପଡାଗାଆଁରେ ଥିଲାବେଳେ ତାହାର ସ୍ୱାମୀ ମୋଟାମୋଟି ଦୁଇପଇସା ଲାଭର ବେପାର ଚଳାଉଥିଲା, କିନ୍ତୁ ଏଇଲେ ସେ ତାହାର ଭାଇ ଆଇଜାକ୍ ଉପରେ ପୁରାପୁରି ନିର୍ଭରଶୀଳ । ଆଇଜାକ୍ ପ୍ରାୟ ଚାଳିଶି ବର୍ଷ ଧରି ଖାଣ୍ଟି ଆମେରିକାନ୍ । ସେମାନେ କେବେ କେମିତି ତାହାର ଦେଖା ପାଇଥାନ୍ତି; ଆଇଜାକ୍ ର ସେମାନେ ଗୋଟିଏ ଛୋଟିଆ ଡାକନାମ ଦେଇଛନ୍ତି , ” ପ୍ରିନ୍ସ “।
ସେହି ଶୁକ୍ରବାର ଦିନ ସବୁକିଛି କେମିତି ଗୋଳମାଳ ହୋଇଗଲା । ଦୁଇ ଷ୍ଟେସନର ଠିକ୍ ମଝିରେ ପାତାଳ ରେଳର ବିଜୁଳି ହଠାତ୍ ଉଭାନ,ଫଳରେ ପନ୍ଦର ମିନିଟ ଧରି କୌଣସି ସୋରଶବ୍ଦ ନାହିଁ – କେବଳ ସୁବୋଧ ହୃତପିଣ୍ଡର ଧୁକଧୁକ ଆଉ ଖବର କାଗଜର ଖସଖସ । ଏହାପରେ ଯେଉଁ ବସ୍ କୁ ସେମାନଙ୍କର ଧରିବା ର କଥା ସେଇଥିପାଇଁ ଧାଡିରେ ଗୋଟିଏ ଯୁଗ ଛିଡାହେବାକୁ ପଡିଥିଲା; ଆଉ ବସ୍ ଯେତେବେଳ ଆସିଲା, ଦେଖାଗଲା ସେଥିରେ ହାଇସ୍କୁଲର କିଚିରିମିଚିରି କରୁଥିବା ପିଲାମାନଙ୍କ ଦ୍ୱାରା ପୂରା ଠେସାଠେସି । ହାଲୁକା ବାଦାମି ରଙ୍ଗର ରାସ୍ତା ଧରି ସ୍ୱାସ୍ଥ୍ୟ ନିବାସ ଆଡକୁ ପାଦ ବଢାଇଲା ବେଳକୁ ଖୁବ୍ ଜୋର୍ ରେ ବର୍ଷା ପଡୁଥିଲା । ସେଠାରେ ପହଞ୍ଚି ପୁଣି ଆଉ ଏକ ଦଫା ଅପେକ୍ଷା । ତାହାପରେ ସେମାନଙ୍କର ବାବୁ ( ବିଚରାର ମୁହଁ ସାରା ବ୍ରଣର ଦାଗ,ରାଗିଲା ମୁହଁରେ ହତବୁଦ୍ଧି ଭାବ,ଖୁଞ୍ଚା ଖୁଞ୍ଚା ଦାଢୀ) ସବୁ ଥର ଭଳି ନିଜ ପାଦକୁ ଘଷି ଘଷି ଘର ଭିତରକୁ ପଶି ଆସିବା ବଦଳରେ ଶେଷ ପର୍ଯ୍ୟନ୍ତ ଆସିଥିଲା ଜଣେ ନର୍ସ । ନର୍ସ ଜଣକ ଆଗରୁ ପରିଚିତ ହୋଇଥିଲେ ବି ସେମିତି କିଛି କଥାକୁ ସେମାନେ ଅମଳ ଦେଇନାହାଁନ୍ତି । ତେବେ ସେ ପରିଷ୍କାର କରି ବୁଝାଇ କହିଥିଲା,ବାବୁ ପୁଣିଥରେ ଆତ୍ମହତ୍ୟାର ଚେଷ୍ଟା କରିଛି । ଏବେ ଅବସ୍ଥା ଭଲ ଅଛି,କିନ୍ତୁ କିଏ ଯଦି ଦେଖା କରିବାକୁ ଆସିବ ତେବେ ସେ ହୁଏତ ଅସ୍ଥିର ହୋଇ ଉଠିପାରେ । ସେଇ ସ୍ଥାନରେ କାମ କରୁଥିବା ଲୋକବାକଙ୍କ ଚଳପ୍ରଚଳ ଏତେ କମ୍, ଆଉ ଜିନିଷପତ୍ର ମାନ ସେଇଠି ଏତେ ହଜିଯାଏ ,ଓଲଟପାଲଟ ହୋଇଯାଏ ଯେ ସେମାନେ ଆଗରୁ ଠିକ୍ କରିଥିଲେ ଉପହାରଟିକୁ ଅଫିସ୍ ରେ ଜମା ନଦେଇ ପର ଥର ସିଧା ସଳଖ ପୁଅର ହାତରେ ଯେମିତି ହେଉ ଦେବେ ।
ଛତା ଖୋଲିବା ଯାଏଁ ସ୍ତ୍ରୀ ସ୍ୱାମୀକୁ ଅପେକ୍ଷା କରିଲା,ତାହାପରେ ତାହାର ହାତକୁ ଧରିଲା। ଏକ ବିଶେଷ ପ୍ରକାରର ଗଣଗଣିଆ ଆବାଜ ପାଇଁ ସ୍ୱାମୀକୁ ଗଳା ସଫା କରିବାକୁ ପଡୁଥାଏ। ବିଚଳିତ ହେଲେ ତାହାର ଏମିତି ହୁଏ । ରାସ୍ତାର ଆରପଟେ ବସଷ୍ଟପ୍ ର ଛାତ ତଳକୁ ପହଞ୍ଚିଗଲା ପରେ ସ୍ୱାମୀ ଛତାଟିକୁ ବନ୍ଦ କଲା । କେତେ ଫୁଟ ଦୂରରେ ଥିବା ଗୋଟିଏ ଗଛ ପବନରେ ଦୋହଲୁଛି । ତାହାର ଦେହରୁ ପାଣି ଝରିପଡୁଛି । ଆଉ ତାହାର ଠିକ୍ ତଳେ ଗୋଟିଏ ଆଞ୍ଜୁଳା ଜଳରେ ଗୋଟିଏ ଛୋଟ ଅଧମରା ପକ୍ଷୀଶାବକ ଅସହାୟ ଭାବରେ ଛଟପଟ କରୁଛି ।
ପାତାଳ-ରେଳରେ ଷ୍ଟେସନ ଯାଏଁ ଯିବାବେଳର ଦୀର୍ଘପଥରେ ସେମାନଙ୍କ ଭିତରେ ପଦଟିଏ କଥା ହୋଇନାହିଁ । ଛତାର ହାତ ଉପରେ ସ୍ୱାମୀର ବୁଢା ହାତ ଦୁଇଟି ( ଶିରାଳ ଏବଂ ଚମଡାରେ ବାଦାମୀ ରଙ୍ଗର ଛାପିଛାପିକିଆ ଦାଗ ) ର ଆଙ୍ଗୁଳି ଉପରେ ଆଙ୍ଗୁଳି ପରସ୍ପରକୁ ଜାବୁଡି ଧରିଛି,ଥରୁଛି । ଯେତେଥର ସେ ଆଡକୁ ଦୃଷ୍ଟି ପଡୁଥାଏ ସେତେଥର ସ୍ତ୍ରୀ କାନ୍ଦଣାର ଚାପ ର ଟେର୍ ପାଏ,ସେଇ ଚାପ କ୍ରମଶଃ ବଢୁଛି । ଆନମନା ହେବାର ଚେଷ୍ଟାରେ ସେ ଆଖି ଚାରିଆଡକୁ ବୁଲାଇନେଉଥାଏ । ଦେଖିଲା,ବସ୍ ରେ ଗୋଟିଏ ଝିଅ,ମଥାର କେଶ କଳା ଆଉ ପାଦର ନଖ ନିହାତି ଖରାପ ଲାଲ୍ ,ଜଣେ ବୟସ୍କ ମହିଳା ର କାନ୍ଧରେ ନିଜର ମଥା କୁ ଆଉଜେଇ ଆଣି କାନ୍ଦୁଛି ! କରୁଣା ଏବଂ ବିସ୍ମୟ ର ମିଶାମିଶି ସେ ଗୋଟିଏ ଛୋଟିଆ ଧକ୍କା ଖାଇଲା । ଏଇ ମହିଳା ଜଣକ ଦେଖିବାକୁ କାହାପରି ଯେମିତି ? ରେବେକା ବୋରିସୋଭନା ଭଳି । ତାଙ୍କର ଝିଅ ବହୁ ବର୍ଷ ଆଗେ ଜଣେ ସୋଲୋଭାଇଶିକ୍ କୁ ବିବାହ କରିଥିଲା ମିନସ୍କ ଠାରେ ।
ଶେଷ ଯେଉଁଥର ସେମାନଙ୍କର ପୁଅ ଆତ୍ମହତ୍ୟା କରିବାର ଚେଷ୍ଟା କରିଥିଲା,ଡାକ୍ତରଙ୍କ ଭାଷାରେ ତାହାର ସେହି କାଇଦାଟା କୁଆଡେ ଥିଲା ଉଦ୍ଭାବନୀ କ୍ଷମତାର ଚରମ ନିଦର୍ଶନ; ସେ ହୁଏତ ସେଥର ପାର ପାଇଯାଇଥାନ୍ତା ସେଠିକାର ଆଉ ଜଣେ ହିଂସୁକ ରୋଗୀ ଯଦି ବାବୁକୁ ଉଡିବା ଶିଖିଗଲାଣି ଭାବି ତାହାକୁ ସେଥିରୁ ଅଟକାଇବାକୁ ଚେଷ୍ଟା କରି ନଥାନ୍ତା । ଅସଲରେ ତାହାର ଜଗତରେ ଗୋଟିଏ କଣା କରି ସେଇ ବାଟ ଦେଇ ସେ ପଳାଇବାକୁ ଚାହିଁଥିଲା ।
ବିଶେଷତଃ ତାହାର ବିଭ୍ରାନ୍ତି ର ଧରଣ-ଧାରଣକୁ ନେଇ ଗୋଟିଏ ବିଜ୍ଞାନ ପତ୍ରିକାରେ ବିସ୍ତୃତ ଗବେଷଣାପତ୍ର ପ୍ରକାଶିତ ହୋଇଛି । ତେବେ ତାହାର ଅନେକ ଆଗରୁ ସେମାନେ ସ୍ୱାମୀ ଆଉ ସ୍ତ୍ରୀ ଦିଜଣ ଏହି ଅଡୁଆସୂତାର ଖିଅ ବାହାର କରିପାରିଛନ୍ତି । ହରମାନ୍ ବ୍ରିଙ୍କ୍ କହିଛନ୍ତି,ଏଇଟା ହେଉଛି ଗୋଟିଏ “ରେଫରେନ୍ସିଆଲ୍ ମାନିଆ”। ଏହି ଧରଣର ବିରଳ ଘଟଣାର ରୋଗୀ ସବୁବେଳେ କଳ୍ପନା କରିଥାଏ ଯେ, ତାହାର ଚାରିପଟରେ ଯାହା ଯାହା ଘଟୁଛି ତାହା ସହିତ ତାହାର ବ୍ୟକ୍ତିତ୍ୱ ଏବଂ ଅସ୍ତିତ୍ୱର କୌଣସି ପ୍ରଚ୍ଛନ୍ନ ଯୋଗାଯୋଗ ରହିଅଛି । ସେହି କାରଣରୁ ସେ ଅସଲ ମଣିଷମାନଙ୍କୁ ଏଇ ସମସ୍ତ ଷଡଯନ୍ତ୍ର ର ପରିସରରୁ ବାଦ ଦେଇ ଥାଏ – କାରଣ ନିଜକୁ ସେ ଅନ୍ୟମାନଙ୍କ ତୁଳନାରେ ଯଥେଷ୍ଟ ବୁଦ୍ଧିମାନ ବୋଲି ମନେ କରିଥାଏ । ସେ ଯେଉଁଠିକୁ ଯାଉଥାଏ ଇଦ୍ରୀୟଗ୍ରାହ୍ୟ ପ୍ରକୃତି ତାହାକୁ ସେଇଠି ସେଇଠି ଅନୁସରଣ କରିଥାଏ । ଧୂ ଧୂ ଆକାଶରେ ମେଘ ଦଳ ଇଶାରାରେ ଜଣେ ଆରଜଣକ ର ପାଖକୁ ଖବର ପଠାଇଥାଏ-ତାହା ସଂପର୍କୀତ ଅବିଶ୍ୱାସ୍ୟ ଭରା ଟିକିନିଖି ଯେତେକ ଖବର । ରାତି ଓହ୍ଲାଇ ଆସିଲେ ଛାଇଛଇକା ଗଛବୃଚ୍ଛ ଦଳ ଅଙ୍ଗଭଙ୍ଗୀ କରି ଶରୀରୀ ଅକ୍ଷରରେ ଆଲୋଚନା କରୁଥାଏ ତାହାର ଅନ୍ତରତମ ଭାବନା ସବୁ । ଗୋଡି ଅଥବା କୌଣସି କ୍ଷତ କିମ୍ବା ଖରାର ଟୁକୁଡାଗୁଡିକ ବିଭିନ୍ନ ପ୍ରକାରର ନକ୍ସାର ମାଧ୍ୟମରେ ଭୟଙ୍କର ଭାବରେ ଏମିତି ସବୁ ବାର୍ତ୍ତାମାନ ତାହାର ବିପକ୍ଷରେ ତିଆରି କରୁଥାନ୍ତି ଯେଉଁଗୁଡିକୁ ତାହାକୁ ଯଥାଶିଘ୍ର ରୋକିବାବୁ ହେବ, ତାହାକୁ ଭଲଭାବରେ ଜାଣିବାକୁ ହେବ । ସେଇ ସବୁକିଛି ଯେମିତି ଏକ ଗୁପ୍ତଲିପି,ଆଉ ସବୁକିଛିର ଉପଲକ୍ଷ ହେଉଛି ସେ, ସ୍ୱୟଂ ସେ ନିଜେ। କୌଣସି କୌଣସି ଗୁପ୍ତଚର ଉଦାସୀନ ଦର୍ଶକ ଭାବରେ ରହିଥାନ୍ତି ,ଯେମିତି ଗୋଟିଏ କାଚର ପାତ୍ର, ଯେମିତି ଶାନ୍ତ ପୁଷ୍କରିଣୀ ;ଅନ୍ୟ ମାନେ , ଯେମିତି ଦୋକାନର ସୋ-କେଶରେ ଝୁଲୁଥିବା କୋଟ, ପକ୍ଷଭୂକ୍ତ ପୂର୍ବାଗ୍ରହଯୁକ୍ତ ସାକ୍ଷୀ ,ହୃଦୟ ଆଘାତକାରୀ; ପୁଣି କିଏ କିଏ (କୁଳୁ କୁଳୁ ଜଳ ,ଝଡ) ପ୍ରାୟ ପାଗଳ ଭଳି କ୍ଷିପ୍ତ ;ତାହା ସଂପର୍କରେ ବିକୃତ ଧାରଣା ନେଇ ସବୁବେଳେ ଉପସ୍ଥିତ । ତାହାର ପ୍ରତିଟି କାମକୁ ସେମାନେ ଅଦ୍ଭୁତ ଭାବରେ ଭୁଲ ବୁଝନ୍ତି ଆଉ ଭୁଲ ବୁଝାନ୍ତି ସମସ୍ତଙ୍କୁ । ସବୁ ସମୟରେ ତାହାକୁ ତେଣୁ ସାବଧାନ ରହିବାକୁ ହୁଏ । ବିଭିନ୍ନ ପଦାର୍ଥର ଚଢା-ଉତରା ବେଳର ଢେଉମାନଙ୍କର ଅର୍ଥ ଉଦ୍ଧାର କଲାବେଳକୁ ଜୀବନର ପ୍ରତିଟି ମିନିଟ୍ ପ୍ରତିଟି ଛୋଟ ଛୋଟ ଟୁକୁଡା ତାହାକୁ ଖର୍ଚ୍ଚ କରିବାକୁ ହେବ । ତାହାର ନିଃଶ୍ୱାସକୁ ବି ଟିପିନେଇ ନଥିଭୂକ୍ତ କରି ରଖାଯିବ । ଯେଉଁ ସବୁ ବିଷୟ ତାହା ଭିତରେ କୌତୁହଳୀ ଜଗାଏ ସେଇ ସବୁ ଯଦି କେବଳ ତାହାର ଆଖପାଖର ପଦାର୍ଥ ରେ ହେଲେ ସୀମାବଦ୍ଧ ଥାଆନ୍ତା -କିନ୍ତୁ ହାୟ,ତାହା ତ ସେମିତି ନୁହଁ ! ଦୂରତ୍ୱ ଯେତିକି ବଢୁଥାଏ ବନ୍ଧନ-ଛିଣ୍ଡା କଳଙ୍କର ପ୍ରବଳ ସ୍ରୋତ ର ସେତିକି ଆୟତନ ବଢୁଥାଏ ,ତାହା ସେତିକି ଦ୍ରୁତ ହେଉଥାଏ । ତାହାର ରକ୍ତକଣିକାର ଛାୟା-ପରିଲେଖ ଲକ୍ଷ ଲକ୍ଷ ଗୁଣ ବଡ ହୋଇ ବିସ୍ତୀର୍ଣ୍ଣ ସମତଳଭୂମିରେ ଆସ୍ତେ ଆସ୍ତେ ଆଗେଇ ଚାଲୁଥାଏ ; ଏହା ଛଡା ଅସହ୍ୟ ଦୃଢ ଉଚ୍ଚ ବିଶାଳ ପର୍ବତ ଗ୍ରାନାଇଟ୍ ପଥର ଓ ଦେବଦାରୁ ଗଛର କାନ୍ଦଣା ଭାଷାରେ ତାହାର ଅସ୍ତିତ୍ୱ ର ଚରମ ସତ୍ୟଟିକକର ମୋଟାମୋଟି ବିବରଣୀ ଦେଉଥାଏ ।
୨
ସେମାନେ ଯେତେବେଳେ ପାତାଳ ରେଳର ଗୁମ୍ ଗୁମ୍ ଶବ୍ଦ ଆଉ ଦମ୍ ଅଟକାଇଥିବା ବତାସରୁ ବାହାରି ଆସିଥିଲେ ସେତେବେଳକୁ ଦିନର ଶେଷ ଖାଲୁଆ ଅଂଶଗୁଡିକ ରାସ୍ତାର ଆଲୁଅ ସହିତ ମିଶି ଯାଇଥିଲା । ରାତିରେ ଖାଇବା ପାଇଁ ମାଛ କିଣିବା ର ଥିଲା । ସେଇଥିପାଇଁ ସ୍ୱାମୀ ହାତକୁ ସେହି ଜେଲି ର ଥଳୀଟିକୁ ବଢାଇଦେଇ ସ୍ତ୍ରୀ ତାହାକୁ ଘରକୁ ଯିବାକୁ କହିଲା । ସିଡି ର ତୃତୀୟ ସମତଳ ପର୍ଯ୍ୟନ୍ତ ଉଠିଯିବା ପରେ ସ୍ୱାମୀର ଖିଆଲ୍ ହେଲା ଯେ ସକାଳେ ସ୍ତ୍ରୀର ହାତକୁ ଘରର ଗୋଛାକଯାକ ଚାବି ସେ ବଢାଇ ଦେଇଥିଲା ।
ଚୁପଚାପ ସେ ସିଡିର ଗୋଟିଏ କୋଣରେ ବସିପଡିଲା । ପ୍ରାୟ ଦଶ ମିନିଟ ପରେ କ୍ଳାନ୍ତ ଆଉ ଭାରି ପାଦ ପକାଇ ସ୍ତ୍ରୀ ଫେରି ଆସିଥିଲା-ମୁହଁରେ ନିସ୍ତେଜ ହସ,ନିଜର ବୋକାମୀ ପାଇଁ ଦୁଃଖ ପ୍ରକାଶ କରି ମଥା ହଲାଉଥାଏ ସେ । ତାହାକୁ ଦେଖିବା ମାତ୍ରେ ସ୍ୱାମୀ ପୁଣି ଥରେ ଚୁପଚାପ ଉଠି ଠିଆହେଲା । ନିଜର ଦୁଇବଖରିଆ ଫ୍ଲାଟ ଭିତରକୁ ସେମାନେ ଏକାଠି ପ୍ରବେଶ କଲେ । ଘରକୁ ପଶିବାପରେ ସ୍ୱାମୀ ସିଧା ଆଗେଇଯାଇଥିଲା ଦର୍ପଣ ପାଖକୁ । ନିଜର ବୁଢା ଆଙ୍ଗୁଳିରେ ପାଟିର ଦୁଇ କୋଣକୁ ଟାଣି ଧରି,ଅନେକ ପରିମାଣରେ ଗୋଟିଏ ମୁଖା ଭଳି ଭୟଙ୍କର ଭାବରେ ମୁହଁକୁ ବିକୃତ କରି,ନକଲି ଦାନ୍ତର ପ୍ଲେଟ୍ ଟାକୁ ବାହାର କରି ଆଣିଲା। ପ୍ଲେଟ୍ ଟା କହିବାକୁ ଗଲେ ନୂଆ, ତେଣୁ ଭୀଷଣ ଭାବରେ ଅଶ୍ୱସ୍ତିକର । ପ୍ଲେଟ୍ ରୁ କେତୋଟି ଲାଳର ସୂତା ତାହାର ମୁହଁରେ ଲାଗିରହିଥିଲା,ସେଗୁଡିକ ଛିଣ୍ଡିଗଲା । ତାହାପରେ ସେ ତାହାର ଋଷୀୟ ଭାଷାର ଖବରକାଗଜ ଗୁଡିକୁ ପଢିବାରେ ଲାଗିଗଲା,ଆଉ ସ୍ତ୍ରୀ ଖାଇବା ଟେବୁଲ୍ କୁ ସଜାଇ ବସିଲା । ଖବରକାଗଜ ପଢୁ ପଢୁ ସେ ସେହି ଥଣ୍ଡା ଖାଦ୍ୟଗୁଡିକୁ ଖାଇବାରେ ଲାଗିଲା, ଏଇ ଭଳି ଖାଦ୍ୟ ଖାଇବା ପାଇଁ ଦାନ୍ତ ଆବଶ୍ୟକ ହୁଏନାହିଁ । ସ୍ତ୍ରୀ ସ୍ୱାମୀର ମନ-ମିଜାଜ ବୁଝେ,ତେଣୁ ସେ ଚୁପଚାପ ଥିଲା।
ସ୍ୱାମୀ ଶୋଇବା ପାଇଁ ଚାଲି ଗଲା ପରେ ସ୍ତ୍ରୀ ବସିବାର ଘରେ ବସି ରହିଲା -ସାଥିରେ ମଇଳା ମୁଠାଏ ତାସ୍ ଆଉ ଗୋଟିଏ ପୁରୁଣା ଆଲବମ୍ । ସାମନାରେ ଥିବା ସରୁ ଅଗଣାରେ ପାଉଁଶ ରଖାଯାଉଥିବା ପୁରୁଣା ଟିଣ ଉପରେ ଅଂଧାରରେ ବର୍ଷାପାଣି ପଡି ଟୁଂ ଟାଂ ଶବ୍ଦ କରୁଛି । ଅଗଣା ପରା ହୋଇ ଗଲେ ଝରକାରେ ଝରକାରେ ନରମ ଆଲୁଅ । ସେଥିରୁ ଗୋଟିକରେ ଦେଖାଯାଉଛି,ଅସଜଡା ଗୋଟିଏ ବିଛଣା ଆଉ ସେହି ବିଛଣା ଉପରେ କଳା ପ୍ୟାଣ୍ଟ ପିନ୍ଧିଥିବା ଜଣେ ଲୋକ ନିଜର ଦୁଇ କହୁଣୀକୁ ଉଚ୍ଚ କରି ଚିତ୍ ହୋଇ ଶୋଇଛି । ସ୍ତ୍ରୀ ଝରକାର ଆଢୁଆଳକୁ ଟିକିଏ ଟାଣି ଦେଲା,ଆଉ ଆଲବମ୍ ର ଫଟୋ ଗୁଡିକୁ ଦେଖିବାରେ ଲାଗିଲା । ପିଲାଦିନର ବେଶିଭାଗ ଶିଶୁଙ୍କ ତୁଳନାରେ ବାବୁର ମୁହଁରେ ବିସ୍ମୟର ଭାବଟି ଟିକିଏ ଅଧିକ ଥିଲା । ଲିପଜିଗ୍ ସହରରେ ଥିବାବେଳେ ସେମାନଙ୍କର ଗୋଟିଏ ଜର୍ମାନୀ ପରିଚାରିକା ଥିଲା । ଆଲବମ୍ ର ଭାଙ୍ଗ ଭିତରୁ ସେ ଓ ତାହାର ମୋଟା ଗୋଲମୁହାଁ ପ୍ରେମିକ ବାହାରି ଆସିଲେ । ମିନସ୍କ, ସେ ବିପ୍ଳବ,ଲିପଜିଗ୍,ବର୍ଲିନ,ପୁଣି ଲିପଜିଗ୍ ଏବଂ ଗୋଟିଏ କ୍ଷୟିଷ୍ଣୁ ଘର ର ଛବି କ୍ରମଶଃ ଝାପସା ହୋଇ ଆସିଲା । ଚାରି ବର୍ଷ ବୟସ,ଗୋଟିଏ ପାର୍କ : ଉଦାସୀନ ଲାଜୁଆ ଭାବରେ କପାଳରେ ରେଖା ଉକୁଟାଇ ଗୋଟିଏ ଆକୁଳ ଗୁଣ୍ଡୁଚିମୂଷାଠାରୁ ମୁହଁ ବୁଲାଇ ଠିଆ ହୋଇଛି – କୌଣସି ଅଚିହ୍ନା ଲୋକକୁ ଦେଖିଲେ ଯେମିତି ବ୍ୟବହାର କରିଥାଏ ଠିକ୍ ସେମିତି । ରୋଜା ଆଣ୍ଟି ,ବାସ୍ତବ ଜଗତ ର ମଣିଷ,ଶକ୍ତ ଧାତୁରେ ଗଢା , ବିରକ୍ତ ଆଉ ଲଢିବା ଭଳି ସଦା ପ୍ରସ୍ତୁତ ଆଖି,ବୟସ ବେଶି; ତାହାର ପୂରା ଜୀବନଟା ବିତିଛି ଏକ ବିଚିତ୍ର ଆଉ ଅସ୍ଥିର କିସମର ଖରାପ ଦୁନିଆରେ -ସର୍ବସ୍ୱାନ୍ତ ହୋଇଯିବା,ଟ୍ରେନ୍ ଦୁର୍ଘଟଣା,କାନସର୍ ବେମାରୀ; ଶେଷରେ ଜର୍ମାନ୍ ମାନେ ତା’କୁ ମାରି ଦିଅନ୍ତି ; ଆଉ ଯେଉଁ ମାନଙ୍କୁ ନେଇ ରୋଜା ଆଣ୍ଟିର ଦୁଃଶ୍ଚିନ୍ତା ର ଶେଷ ନଥିଲା ସେ ସମସ୍ତଙ୍କୁ ଗୋଟିଏ ଧାଡିରେ ରଖି ଗୁଳିମାରି ଉଡେଇ ଦିଅନ୍ତି ଏକାଠି । ଛଅ ବର୍ଷ ବୟସରେ- ସେତେବେଳେ ବାବୁ ମଣିଷ ଭଳି ହାତ ପାଦ ଥିବାବାଲା ଚମତ୍କାର ଚମତ୍କାର ପକ୍ଷୀ ସବୁ ଆଙ୍କୁଥିଲା ଆଉ ବୟସ୍କ ଲୋକମାନଙ୍କ ଭଳି ଅନିଦ୍ରା ଭୋଗୁଥିଲା । ତାହାର ଜଣେ ଜ୍ଞାତି ଭାଇ , ଏଇଲେ ଜଣେ ବେଶ୍ ନାମକରା ଚେସ୍ ଖେଳାଳୀ । ପୁଣି ବାବୁ,ବୟସ ଆଠ,ସେତେବେଳଠାରୁ ତାହାକୁ ବୁଝିବା କଷ୍ଟକର ହୋଇପଡୁଥିଲା ; ଅଳିନ୍ଦରେ କାନ୍ଥକୁ ଢାଙ୍କିବା ର ରଙ୍ଗିନ କାଗଜକୁ ଦେଖିଲେ ସେ ଭୟ କରୁଥିଲା ; ଗୋଟିଏ ବହିରେ ଗୋଟିଏ ବିଶେଷ ପ୍ରକାରର ଛବି ଦେଖି ବାବୁ ଭୟ ପାଏ ; ସେହି ଛବିରେ ଅଂକା ଥିଲା ଏକ କାବ୍ୟମୟ ନିଃସର୍ଗ ଦୃଶ୍ୟ – ପାହାଡ ଦେହକୁ ଲାଗି ରହିଥିଲା ଛୋଟ ବଡ ପଥର ,ଆଉ ନିଷ୍ପତ୍ର ଗୋଟିଏ ଗଛର ଡାଳରୁ ଝୁଲୁଥିଲା ଗୋଟିଏ ବଳଦଗାଡିର ପୁରୁଣା ଚକା ।
ଦଶ ବର୍ଷ ବୟସ : ସେ ବର୍ଷ ସେମାନେ ଇଉରୋପ ଛାଡି ଚାଲି ଆସନ୍ତି । ଲଜ୍ଜା,ଦୁଃଖ,ଅପମାନଜନକ ନାନା ପ୍ରକାରର ଅସୁବିଧା ; ସେହି ବିଶେଷ ସ୍କୁଲରେ ବାବୁର ସାଥୀ କୁତ୍ସିତ,ବଦମିଜାଜୀ,ବୋକା ଯେତେ ଝିଅପୁଅ ଦଳ । ଆଉ ତାହାପରେ ତାହାର ଜୀବନରେ ଏପରି ଗୋଟିଏ ସମୟ ଆସିଲା ଯେତେବେଳେ ତାହାର ସେହି ଛୋଟ ଛୋଟ ଆତଙ୍କ ଗୁଡିକ ଜମାଟ ବାନ୍ଧି ତିଆରି ହେଲା ବିଭ୍ରାନ୍ତିର ଘନ ଜଙ୍ଗଲ; ବିଭ୍ରାନ୍ତିଗୁଡିକ ପୁଣି ଯୁକ୍ତି ସମ୍ମତ ଭାବରେ ଗୋଟିକ ସହିତ ଆଉ ଗୋଟିଏ ଯୁକ୍ତ । ଫଳରେ ସେ ସୁସ୍ଥ ମନର ଧରାଛୁଆଁର ବାହାରକୁ ଚାଲିଗଲା । ସେତେବେଳେ ସେ ନିମୋନିଆ ରୁ ଧୀରେ ଧୀରେ ଭଲ ହୋଇ ଉଠୁଥାଏ । ତାହାର ଆତଙ୍କ ବା ତାହାର ବିଭ୍ରାନ୍ତିଗୁଡିକୁ ତାହାର ବାପାମାଆ ଅବୁଝାଙ୍କ ଭଳି ଭାବୁଥିଲେ ,ବୋଧହୁଏ ଏଗୁଡିକ ଅସ୍ୱାଭାବିକ ପ୍ରତିଭାଧର କୌଣସି ଶିଶୁର ଖାମଖିଆଲିପଣ ।
ଏହା ଏବଂ ଏହିପରି ଆହୁରି ଅନେକ କିଛି କୁ ସ୍ତ୍ରୀ ମାନିନେଇଥିଲା – କାରଣ ବଂଚିରହିବାର ଅର୍ଥ ହେଉଛି ଗୋଟିକ ପରେ ଗୋଟିଏ ଖୁସିର ଲୋକସାନକୁ ମାନିନେବା । ଅବଶ୍ୟ ତା’ପାଇଁ ସେଗୁଡିକ ଠିକ୍ ଖୁସି ନୁହଁ -ନିଛକ ଭଲ ହୋଇ ଉଠିବାର ସମ୍ଭାବନା ମାତ୍ର । ସେ ମନେକରୁଥିଲା : ଯେ କୌଣସି କାରଣ ବି ହେଉ ,ସେ ଓ ତାହାର ସ୍ୱାମୀକୁ ଅନ୍ତବିହୀନ ଯନ୍ତ୍ରଣାର ଢେଉକୁ ସହ୍ୟ କରିବାକୁ ହୋଇଛି; କଳ୍ପନା -କରାଯାଇ -ପାରିବନି ଏହିଭଳି ଅଦୃଶ୍ୟ ଦାନବର ଦଳ ତାହାର ଆଦରର ବାବୁକୁ କଷ୍ଟ ଦେଇଛନ୍ତି; ପୃଥିବୀରେ କେତେ ଶିଶୁ କୋମଳ ରହିଛନ୍ତି ତାହାର କୌଣସି ହିସାବ ନାହିଁ ; କିନ୍ତୁ ଏଇ କୋମଳ ଶିଶୁର ଏପରି କପିଳ ଯେ ସେଇଟା ଛିନଛତ୍ର ହୋଇଯାଇଛି; ବା ନଷ୍ଟ ହୋଇ ଯାଇଛି ; କିମ୍ବା ପାଗଳାମି ରେ ପାଲଟି ଯାଇଛି ; ଅପରିଷ୍କାର ଗଳିରେ ବସି ଅବହେଳିତ ଶିଶୁ ଦଳ ପରସ୍ପର ଭିତରେ ଗୁଣୁଗୁଣୁ ସ୍ୱରରେ କଥା ହେଉଛନ୍ତି ; ଯେତେ ସୁନ୍ଦର ଦିଶିଲେ ଅଗାଡି କୃଷକର ଆଖିକୁ ଫାଙ୍କି ଦେଇ ପାରିବନାହିଁ – ଅସହାୟ ଭାବରେ ସେମାନେ ଦେଖନ୍ତି କୃଷକର ମର୍କଟ ସୁଲଭ ଛାଇ ପଛରେ ଛାଡି ଚାଲିଯାଏ ଦଳିତ ଫୁଲର ଦଳ ,ଆଉ ସେତେବେଳେ ଭୟଙ୍କର ଅଂଧାର ଧୀରେ ଧୀରେ ଘନେଇ ଆସୁଥାଏ ।
୩
ରାତି ଅଧ ପାର ହୋଇ ଗଲାଣି। ଏଇ ଘରେ ବସି ସେ ସ୍ୱାମୀର ଚାପା ବିଳାପ ଶୁଣିବାକୁ ପାଇଲା ; ଆଉ ସଂଗେ ସଂଗେ ସେ ଟଳି ଟଳି ସେଇ ଘର ଭିତରକୁ ଗଲା,ଦେହରେ ଥିଲା ରାତ୍ରୀବାସ ର ଉପରେ ଆଷ୍ଟ୍ରାକାନ୍ କାଲର ଥିବା ଗୋଟିଏ ପୁରୁଣା ଓଭରକୋଟ୍ – ଗାଢ ନୀଳରଂଗର ସ୍ନାନ-ପୋଷାକଠାରୁ ଏଇଟି ତାହାର ବେଶ୍ ପସନ୍ଦ ।
“ମୁଁ ଶୋଇ ପାରୁନି”, ଆର୍ତ୍ତସ୍ୱରରେ ସେ ଚିତ୍କାର କରି ଉଠିବା ଭଳି କହିଲା ।
“କାହିଁକି, କାହିଁକି ନିଦ ହେଉନି କୁହ ?” ସ୍ତ୍ରୀ ପଚାରିଲା,” ତମକୁ ତ ଭୀଷଣ କ୍ଳାନ୍ତ ଲାଗୁଥିଲା ?”
“ଭାରି କଷ୍ଟ ତେଣୁ ଶୋଇ ପାରୁନି” ,ଏତିକି କହି ସେ କାଉଚ୍ ଉପରେ ଶୋଇ ପଡିଲା ।
“ପେଟ କ’ଣ ହେଉଛି ? ଡାଃ ସୋଲୋଭଙ୍କୁ ଖବର ଦେବି ?”
“ନା,ନା,ଡାକ୍ତର ର ଦରକାର ନାହିଁ ” ସେ ଯନ୍ତ୍ରଣାବିଦ୍ଧ ସ୍ୱରରେ କହିଲା : ” ଡାକ୍ତର ସବୁ ନର୍କକୁ ଯାଆନ୍ତୁ । ବାବୁକୁ ସେଇଠୁ ଜଲଦି ନେଇ ଆସିବାକୁ ହେବ । ନହେଲେ ଆମେ ଦାୟୀ ହେବା,ଆମେ ଦାୟୀ ରହିବା ।” ସେଇ ସମାନ କଥାକୁ ବାରଂବାର ଦୋହରାଇ ସେ ଗୋଟିଏ ଝଟକାରେ ତଳକୁ ପାଦ କରି ଚଟାଣରେ ଆସି ବସି ପଡିଲା ଆଉ ନିଜର କପାଳକୁ ଆଘାତ କରିବାରେ ଲାଗିଲା ।
ସ୍ତ୍ରୀ ଶାନ୍ତ ଗଳାରେ କହିଲା,” ଠିକ୍ ଅଛି ,କାଲି ସକାଳେ ତାହାକୁ ଘରକୁ ନେଇ ଆସିବା ।”
“କପେ ଚା’ କରିବ ତ ” ବୋଲି କହି ସ୍ୱାମୀ ବାଥରୁମ୍ କୁ ଗଲା ।
କଷ୍ଟ କରି ତଳୁ ସ୍ତ୍ରୀ ଚଟାଣରୁ କେତେଟା ତାସ୍ ଆଉ ଗୋଟିଏ ଦୁଇଟି ଫଟୋ ଉଠାଇ ଆଣିଲା । ସେ ଗୁଡିକ କାଉଚ୍ ରୁ ତଳକୁ ଖସି ପଡିଥିଲା : ଠିକିରିର ଗୋଲାମ, ଇସ୍କାପାନ ର ନହଲି ଆଉ ଇସ୍କାପାନର ଟିକା । ଏଲସା ଆଉ ତାହାର ଜନ୍ତୁମାର୍କା ନାଗର ।
ବେଶ୍ ଖୁସ ମିଜାଜରେ ଉଚ୍ଚକଣ୍ଠରେ କଥା କହି କହି ସ୍ୱାମୀ ଫେରି ଆସିଲା ; ” ମୁଁ ସବୁ ଠିକ୍ କରି ସାରିଛି । ଆମେ ଶୋଇବା ଘରଟା ତା’କୁ ଛାଡି ଦେବା । ଆମେ ଦୁଇଜଣ ପାଳି କରି ରାତି ର କିଛି ତାହା ସହିତ କାଟିବା ,ବାକି ତକ କଟାଇବା ଏଇ କାଉଚରେ । ଡାକ୍ତରଙ୍କୁ କହିବା ସପ୍ତାହରେ ଅନ୍ତତଃ ଦିଦିନ ଯେମିତି ଆମ ବାବୁକୁ ଦେଖିବାକୁ ଆସନ୍ତି । ପ୍ରିନ୍ସ କ’ଣ କହିବ ସେଥିରେ କିଛି ଯାଏ ଆସେ ନାହିଁ । ତାହା ଛଡା ଏ ବିଷୟରେ ତାହାର କହିବା ଭଳି ସେମିତି କିଛି ନାହିଁ । ଏଇ ବ୍ୟବସ୍ଥା ଆଗ ଅପେକ୍ଷା ଅନେକ ଶସ୍ତା ପଡିବ ।”
ଟେଲିଫୋନ ବାଜି ଉଠିଲା । ଏହି ଭଳି ଅସମୟରେ ଏମାନଙ୍କର ଟେଲିଫୋନ ଏମିତି କଦାପି ବାଜି ଉଠେନାହିଁ। ସ୍ୱାମୀର ବାଆଁ ପାଦର ଚପଲ ଟା ଖୋଲି ଯାଇଥିଲା । ସେ ଘରର ମଝିରେ ଠିଆହୋଇ ଶିଶୁ ଭଳି ଦନ୍ତହୀନ ମୁଖରେ ହାଁ କରି ସ୍ତ୍ରୀ ଆଡକୁ ଚାହିଁ ପାଦର ଗୋଇଠି ଆଉ ବୁଢା ଆଙ୍ଗୁଳିରେ ଚପଲଟାକୁ ଖୋଜିବାକୁ ଲାଗିଲା । ସ୍ୱାମୀର ତୁଳନାରେ ସ୍ତ୍ରୀ ଇଂରେଜୀ ବେଶି ଜାଣେ ତେଣୁ ସେ ସାଧାରଣତଃ ଫୋନ୍ ଆସିଲେ ଫୋନ୍ ଧରିଥାଏ ।
” ଚାର୍ଲି ଅଛନ୍ତି ?” ଗୋଟିଏ କିଶୋରୀ ର ଅସ୍ପଷ୍ଟ ଆଉ ଆସ୍ତେ କହିବା ଭଳି ଗଳା ସେପଟୁ ଶୁଣାଗଲା ।
“ଆପଣ କେଉଁ ନମ୍ବର କୁ ଚାହୁଁଛନ୍ତି ? ନା ,ଏଇଟା ସେଇ ନମ୍ବର ନୁହଁ ।”
ସ୍ତ୍ରୀ ରିସିଭର୍ ଆସ୍ତେ ରଖି ଦେଲା । ନିଜର ପୁରୁଣା କ୍ଳାନ୍ତ ହୃତପିଣ୍ଡ ଉପରକୁ ତାହାର ହାତ ଚାଲିଗଲା ।
ସ୍ୱାମୀ ଚକିତ ଭାବରେ ହସି ଦେଇ ସଙ୍ଗେ ସଙ୍ଗେ ପୁଣି ଆରମ୍ଭ କରିଦେଲା ତାହାର ଆବେଗଜର୍ଜର ସ୍ୱଗତସଂଳାପ । ସକାଳ ହେଲେ ସେମାନେ ତାହାକୁ ଏଠିକୁ ନେଇ ଆସିବେ । ଛୁରିଗୁଡିକୁ ସବୁବେଳେ ତେଣୁ ଡ୍ରୟାର୍ ଭିତରେ ରଖି ଭଲକରି ତାଲା ଦେବାକୁ ହେବ ଏଥର । ଖୁବ୍ ଖରାପ ଅବସ୍ଥା ହେଲେ ବି ବାବୁ ପଟରୁ ଅନ୍ୟ କୌଣସି ଲୋକ ପ୍ରତି ସେମିତି ବିପଦର ଆଶଙ୍କା କିଛି ନଥାଏ ।
ଟେଲିଫୋନ୍ ଦ୍ୱିତୀୟ ଥର ବାଜି ଉଠିଲା। ସେହି ଗୋଟିଏ ନିରାସକ୍ତ ଉଦବିଗ୍ନ ତରୁଣୀ କଣ୍ଠସ୍ୱର ଚାର୍ଲିକୁ ଖୋଜୁଛି ।
“ଆପଣଙ୍କ ନମ୍ବର ଭୁଲ୍ ଅଛି । କହୁଛି, ଆପଣଙ୍କ ଗୋଳମାଳ ଟା ହେଉଛି କେଉଁଠୁ? ଆପଣ ଶୂନ୍ ବଦଳରେ “ଓ” ଅକ୍ଷରଟାକୁ ବାରଂବାର ଘୁରାଉଛନ୍ତି ।
ଉତ୍ତୀର୍ଣ୍ଣ ରାତି ଅଧରେ ଚା’ ଉତ୍ସବରେ ବସିଗଲେ ସେ ଦିଜଣ । ଜନ୍ମଦିନର ଉପହାରଟି ରହିଛି ଟେବୁଲ୍ ଉପରେ,
ସାମ୍ନାରେ । ଚା’ପିଇବା ବେଳେ ସ୍ୱାମୀ ବେଶ୍ ଶବ୍ଦ କରେ ; ମୁହଁ ଲାଲ ;ବାରଂବାର ସେ ଚା’ଗ୍ଲାସକୁ ଏମିତି ଘୁରାଉଥିଲା ଯାହା ଫଳରେ କି ଗ୍ଲାସ୍ ଭିତରେ ଥିବା ଚିନି ସହଜରେ ଚା’ ସହିତ ମିଶି ଯାଇ ପାରିବ । ଚା’ ଆଉ ପାଣିଚିଆ ଲାଗିବ ନାହିଁ । ତାହାର ଚନ୍ଦାମୁଣ୍ଡର ଗୋଟିଏ ପଟେ ଅଛି ଗୋଟିଏ ବଡ ଜନ୍ମଦାଗ,ସେଇଠି ଗୋଟିଏ ଶିରା ଆଖିରେ ପଡିବା ଭଳି ଫୁଲି ଉଠିଛି । ସକାଳେ ଖିଅର ହୋଇଥିଲେ ବି ଏଇଲେ ଓଠତଳରେ ଖୁଞ୍ଚା ଲାଗିବା ଭଳି ରୁପେଲି ଦାଢିର ଆଭାସ । ସ୍ତ୍ରୀ ଗ୍ଲାସ୍ ରେ ଆଉ କିଛି ଚା’ ଢାଳି ତାହାକୁ ସ୍ୱାମୀର ହାତକୁ ବଢାଇ ଦିଏ ଆଉ ସେ ଆଖିରେ ଚଷମା ଲଗାଇ ଅତ୍ୟନ୍ତ ତୃପ୍ତି ର ସହ ଦେଖେ ସାମ୍ନାରେ ଥିବା ଥଳୀରେ ରହିଥିବା ଜେଲିଭର୍ତ୍ତି ଜାର୍ ଗୁଡିକର ରଂଗ; ହଳଦିଆ, ନାଲି, ନେଳି । ତାହାର ଧରି ଆସୁଥିବା ଲାଳୁଆ ଓଠ ପରିଷ୍କାର ଭାବରେ ପଢିବାକୁ ଚେଷ୍ଟା କରୁଥାଏ ସେହି ଜାର୍ ଗୁଡିକ ଦେହରେ ଲାଗିଥିବା ଲେବୁଲ୍ ଗୁଡିକୁ ଗୋଟିକ ପରେ ଗୋଟିଏ; ଅଙ୍ଗୁର, ଆପ୍ରିକଟ୍, ବିଚ୍ ପ୍ଲମ, ନାସପାତି । ସେ ଯେତେବେଳେ କ୍ରାବ୍-ଆପଲ୍ ର ନାଆଁ ପାଖରେ ପହଞ୍ଚିଛି, ଠିକ୍ ସେତିକିବେଳେ ଟେଲିଫୋନ୍ ଟା ପୁଣି ବାଜି ଉଠିଥିଲା ।
°°°°°
Vladimir Nabokov (1899-1977)
(ଯେତେ ଥର ଉପସ୍ଥିତ ଲେଖକ ଏଇ କାହାଣୀକୁ ପଢିଛି ସେତେଥର ସେ ପ୍ରତିବାଦ କରିଛି, କାହାଣୀରେ ଟେଲିଫୋନଟି ରାତି ଅଧରେ ବାଜି ନଉଠନ୍ତା ହେଲେ, ଯଦି ବାଜି ଉଠନ୍ତା ତାହାହେଲେ ସେଥିରୁ କଦାପି ଏମିତି ଏଇଟି ଗୋଟିଏ ରଙ୍ଗ୍ ନମ୍ବର ବୋଲି ବିଭ୍ରମକୁ ସ୍ପଷ୍ଟ ଭାବରେ କୁହାନଯାଆନ୍ତା ହେଲେ । ଗୋଟିଏ ଅସହାୟ ବୃଦ୍ଧ ଦମ୍ପତ୍ତିଙ୍କ ଆସନ୍ତା ସକାଳର କାରୁଣ୍ୟ କ‘ଣ ସାମୟିକ ବିଭ୍ରମରେ ହଜିଯାଇପାରେ। ଏହା ବସ୍ତୁତଃ ଯାହାକୁ ନିଜେ କଥାକାର ତାଙ୍କର କାହାଣୀରେ ଉଲ୍ଲେଖ କରିଛନ୍ତି ସେହି “ରେଫରେନ୍ସ ମାନିଆ“ର କାହାଣୀ ଯେଉଁଠି ଆମର କଳ୍ପନାରେ ରହୁଛି ଯେ ଯେଉଁଠି ଯାହା କିଛି ଘଟୁଛି ତାହା ସହିତ ଆମର ବ୍ୟକ୍ତିତ୍ୱ ଏବଂ ଅସ୍ତିତ୍ୱର ପ୍ରଚ୍ଛନ୍ନ ଯୋଗାଯୋଗ ରହିଛି ।
ଭ୍ଲାଦିମିର ନବୋକୋଭ ସେଣ୍ଟ ପିଟର୍ସବର୍ଗ ରେ ୨୩ ଏପ୍ରିଲ୍ ୧୮୯୯ ରେ ଜନ୍ମଗ୍ରହଣ କରିଥିଲେ। ଋଷିଆର ବଲଶେଭିକ ବିପ୍ଳବ ସମୟରେ ସେ ୧୯୧୯ରେ ଜର୍ମାନୀକୁ ପଳାୟନ କରିଥିଲେ । କେମ୍ବ୍ରିଜ ବିଶ୍ୱବିଦ୍ୟାଳୟରେ ସେ ଫରାସୀ ଏବଂ ଋଷୀୟ ସାହିତ୍ୟ ଅଧ୍ୟୟନ କରିଥିଲେ । ତାହାପରେ ତାଙ୍କର ଲେଖାଲେଖିର ଆରମ୍ଭ। ୧୯୪୦ ରେ ସେ ଆମେରିକାରେ ବାସ କରିବାକୁ ଆରମ୍ଭ କରିଥିଲେ । ବିଶେଷତଃ ଜଣେ କବି, କଥାକାର, ସମାଲୋଚକ ଏବଂ ଅନୁବାଦକ ହିସାବରେ ତାଙ୍କର ଖ୍ୟାତି ସେଇଠୁ । ସେତେବେଳେ ସେ କେତୋଟି ପ୍ରସିଦ୍ଧ ବିଶ୍ୱ ବିଦ୍ୟାଳୟ ଯଥା ୱେଲସଲି ,ଷ୍ଟାନଫୋର୍ଡ, କର୍ଣ୍ଣେଲ୍ ଏବଂ ହାର୍ଭାର୍ଡରେ ଶିକ୍ଷାଦାନ କରିଛନ୍ତି । ତାଙ୍କର ବହୁଚର୍ଚ୍ଚିତ ଉପନ୍ୟାସ “ଲୋଲିତା“ର ଅପାର ସଫଳତା ପରେ ଅର୍ଥାତ୍ ୧୯୫୫ ପର ଠାରୁ ସେ ଶିକ୍ଷାଦାନ ଆଦି ବୃତ୍ତିକୁ ତ୍ୟାଗ କରି କେବଳ ଲେଖାଲେଖିରେ ମନୋନିବେଶ କରିଥିଲେ। ୧୯୬୧ରେ ସେ ଆମେରିକା ଛାଡି ମଣ୍ଟ୍ରିକ୍ସ, ସ୍ୱିଜରଲାଣ୍ଡରେ ବସବାସ କରିଥିଲେ । ସେଇଠି ୧୯୭୭ ମସିହାରେ ତାଙ୍କର ପରଲୋକ ଘଟିଥିଲା ।
ସଂରଚନା, ବିଷୟ ବସ୍ତୁର ସୁନିପୁଣ ବ୍ୟବସ୍ଥାପନା, ଏବଂ କାରୁଣ୍ୟକୁ ଆଢୁଆଳ କରିପାରିବା ଭଳି ବିଶ୍ୱାସଯୋଗ୍ୟ ବିଭ୍ରମ କାରଣରୁ ଏହି କାହାଣୀକୁ ଅନେକ ସ୍ଥାନରେ “କାହାଣୀର ପାଠ୍ୟକ୍ରମ“ର ଅଧ୍ୟୟନରେ ଅନ୍ତର୍ଭୂକ୍ତ କରାଯାଇଥାଏ । ଅନେକେ ଏହାକୁ ପୃଥିବୀର ଶ୍ରେଷ୍ଠ ଦଶଗୋଟି କାହାଣୀର ଅନ୍ୟତମ କାହାଣୀ ବୋଲି ବିଚାର କରିଥାନ୍ତି।)