୧
ମାଂସ
ଘଟଣାଟି ଏକଦମ୍ ସାଦାମାଖା ଭାବରେ ଘଟିଥିଲା,ଏଥିରେ ନଥିଲା କୌଣସି ପ୍ରକାରର ଉପକ୍ରମ। ଯେଉଁ କାରଣଗୁଡିକ ପାଇଁ ଏଇ ଘଟଣାଟି ଘଟିଥିଲା ତାହାର ବିଷୟରେ ଯେହେତୁ ସେମିତି କିଛି କହିବା ଭଳି କାରଣ ରହିନାହିଁ,ତେଣୁ ଯାହା ହୋଇଥିଲା ସେଇ ଘଟଣାଟିକୁ ବରଂ ସାଦାସଳଖ କହିଦେବା ଭଲ ହେବ। ଘଟଣାଟି ହେଲା ଯେ,ସହରରେ ମାଂସର ଭୟାନକ ସଙ୍କଟ ଦେଖା ଦେଇଥିଲା । ଆଉ ସେଇଥିପାଇଁ ସଭିଏଁ ଅତ୍ୟନ୍ତ ଆତଙ୍କିତ ହୋଇ ପଡିଥିଲେ,ରାଗରେ କ୍ଷୋଭରେ ସମସ୍ତଙ୍କର ଗଳାରେ କ୍ଷୋଭ ତୁଙ୍ଗରେ,ଏପରିକି ଏଥିପାଇଁ କାହା କାହା ଉପରେ ପ୍ରତିଶୋଧ ନିଆଯାଇପାରେ ତାହାର ତାଲିକା ବି ସର୍ବସାଧାରଣରେ ଜାରି ହୋଇସାରିଛି ବୋଲି ଲୋକେ ନିଜ ନିଜ ଭିତରେ ବେଶ ଚର୍ଚ୍ଚା କରୁଥିଲେ। କିନ୍ତୁ ଚିରକାଳରୁ ଯାହା ଯେମିତି ନିୟମ ବୋଲି ଘଟି ଆସିଛି,ଏଇ ପ୍ରତିବାଦ ସବୁ ଫୁସୁକି ଯାଇ ଖାଲି ସୀମାବଦ୍ଧ ହୋଇ ରହିଯାଏ ଲୋକମାନଙ୍କର ଆପଣା ଆପଣା କଥାରେ। ଆଉ ସବୁ କିଛି ପରିସ୍ଥିତି ସହ ସାଧାରଣ ଭାବରେ ଏକାତ୍ମ ହୋଇଯାଉଥିବା ମଣିଷ ଏହାପରେ ନାନା କିସମର ପରିବାପତ୍ର ଆଦିକୁ ଖାଇବା ଭଳି ଅବସ୍ଥାରେ ଅଭ୍ୟସ୍ତ ହେବାକୁ ଆରମ୍ଭ କରେ।
କେବଳ ଜଣେ ଅର୍ଥାତ୍ ମିଷ୍ଟର ଆନସାଲଦୋ ଏପରି ନିୟମକୁ ମାନିଲେ ନାହିଁ। ଏକ ଅଦ୍ଭୁତ ପ୍ରଶାନ୍ତି ତଥା ନିରୁଦବେଗ ସହିତ ସେ ଦିନେ ଗୋଟିଏ ବିଶାଳାକାର ରୋଷେଇଘରେ ବ୍ୟବହୃତ ଛୁରୀକୁ ଆଣି ସେଥିରେ ଶାଣ ଦେବାକୁ ଲାଗିଲେ,ତାହାପରେ ନିର୍ଲିପ୍ତ ଭାବରେ ପ୍ୟାଣ୍ଟଟିକୁ ଆଣ୍ଠୁ ଯାଏଁ ଖସାଇ ଦେଇ ନିଜର ବାଆଁ ପଟର ନିତମ୍ବରୁ ସୁନ୍ଦର ଭାବରେ ଫାଳେ କାଟି ନେଲେ।
ତାହାପରେ ସେ ସେଇ ଟୁକୁଡାଟିକୁ ପରିଷ୍କାର କରି ସେଥିରେ ଲୁଣ ଆଉ ଭିନେଗାର୍ ମାଖିବାକୁ ଲାଗିଲେ,ତାହାପରେ ସେଇଟାକୁ ଗ୍ରୀଲ୍ ରେ ବସାଇଲେ,ତାହାପରେ ଗୋଟିଏ ବଡ ଫ୍ରାଇଂପ୍ୟାନ୍ ରେ ସେଇଟିକୁ ଭାଜିବାକୁ ଲାଗିଲେ,ସେଇ ଫ୍ରାଇଂ ପ୍ୟାନଟିକୁ ସାଧାରଣତଃ ସେ ପ୍ରତି ରବିବାର ଦିନ ଟର୍ଟିଆ ପ୍ରସ୍ତୁତ କରିବା ସମୟରେ ବ୍ୟବହାର କରିଥାନ୍ତି । ଏହାପରେ ସେ ଆରାମ କରି ନିଜର ଖାଇବା ଟେବୁଲ୍ ରେ ଯାଇ ବସିଗଲେ ଏବଂ ପରମ ଆସ୍ୱାଦର ସହ ସେ ନିଜର ସେଇ ମାଂସର ଟୁକୁଡା ଖଣ୍ଡକୁ ଖାଇବାକୁ ଲାଗିଲେ।
ଠିକ୍ ସେତିକିବେଳେ ଦରଜାରେ କିଏ କଡା ଖଡଖଡ କଲା-ପାଖ ଘରେ ରହୂଥିବା ପ୍ରତିବେଶି ଜଣକ ଆସିଛନ୍ତି ତାଙ୍କର କ୍ଷୋଭକୁ ଜଣାଇବା ପାଇଁ। ଆନସାଲଦୋ ,ଏକ ଚମତ୍କାର ଅସାମାନ୍ୟ ଭଙ୍ଗିରେ ,ପ୍ଲେଟ୍ ଉପରେ ରଖାଯାଇଥିବା ଟୁକୁରା ଖଣ୍ଡିକ ଆଡକୁ ଇଶାରା କରିଥିଲେ।
ପ୍ରତିବେଶୀ ଜଣକ ବିସ୍ମିତ ହୋଇ ପଚାରିଲେ,”ଏଇଟା କ’ଣ ?”
ଆନସାଲଦୋ ତାଙ୍କୁ କେବଳ ତାଙ୍କର ବାମପଟ ନିତମ୍ବକୁ ଦେଖିବା ପାଇଁ କହିଲେ। ସବୁକିଛି ପରିଷ୍କାର ହୋଇଗଲା।
ପ୍ରତିବେଶୀ ହତବାକ ଓ ଗଭୀର ଭାବରେ ପ୍ରଭାବିତ ହୋଇ ,କୌଣସି କଥା ନକହି ଘରଛାଡି ବାହାରକୁ ଚାଲିଯାଇଥିଲେ,କିନ୍ତୁ କିଛି ସମୟ ପରେ ସେ ସେଠିକୁ ଫେରି ଆସିଥିଲେ,ସାଥିରେ ତାଙ୍କର ଥିଲେ ସେଠିକାର ମେୟର।
ମେୟର କହିଲେ,” ମୋର ପ୍ରିୟ ସହରର ଜନଗଣ ବି ଯେମିତି ତମ ଭଳି ସେମାନଙ୍କର ବ୍ୟକ୍ତିଗତ ରିଜର୍ଭ ଭିତରୁ ଆପଣାର ପୁଷ୍ଟିର ଯୋଗାଣ ଦିଅନ୍ତି।”
ମାମଲା-ମକଦ୍ଦମାର କୌଣସି ପ୍ରଶ୍ନ ଉଠିଲା ନାହିଁ,ବରଂ କିଛି ସାମାନ୍ୟ ଅତ୍ୟନ୍ତ ମାର୍ଜିତ ତର୍କ-ବିତର୍କର ପଶ୍ଚାତ୍,ଆନସାଲଦୋ ସହରର କେନ୍ଦ୍ରୀୟ ସ୍କୋୟାର୍ କୁ ଯାଇ ଜନସାଧାରଣଙ୍କ ଉଦ୍ଦେଶ୍ୟରେ ଏକ ଖୋଲାମେଲା “ଡେମୋନଷ୍ଟ୍ରେସନ” ର ଉପସ୍ଥାପନା କରିଥିଲେ।
ସେଇଠି ଘଟଣାଟିକୁ ସେ ଟିକିଏ ପ୍ରାଞ୍ଜଳ ଭାବରେ ବ୍ୟାଖ୍ୟା କରିବାକୁ ଯାଇ ସେ କହିଥିଲେ ଯେ,ପ୍ରତିଟି ମଣିଷ ତାହାର ବାମପଟ ନିତମ୍ବରୁ ଦୁଇ ଫାଳ ମାଂସ କାଟି କି ନେଇପାରିବା ପାଇଁ ସମର୍ଥ। ସେ ଦେଖାଇ ଦେଇଥିଲେ,କେଉଁଭଳି ଫାଳେ ବଦଳରେ ଦୁଇଟି ଟୁକୁରା କରି ମାଂସକୁ ଛେଲି ନିଆଯାଇପାରିବ-କାରଣ ,ସେ ନିଜେ ଯେହେତୁ ଆଗରୁ ଫାଳେ ଇତିମଧ୍ୟରେ କାଟି ନେଇଛନ୍ତି,ତେଣୁ ଅନ୍ୟମାନେ ଯେମିତି ଏହାଠୁ କମ୍ ମାଂସ ଯେମିତି କାଟିକି ନେବା ଭଳି ବା ଖାଇବା ବଳି ଅଭ୍ୟାସରେ ଦୀକ୍ଷିତ ନହୁଅନ୍ତୁ।
ଯେତେବେଳେ ବିଷୟଟି ସମସ୍ତଙ୍କ ସାମ୍ନାରେ ଜଳ ଭଳି ପରିଷ୍କାର ହୋଇଗଲା ,ସେତେବେଳେ ସମସ୍ତେ ସେମାନଙ୍କର ବାମ ପଟ ନିତମ୍ବରୁ ଦୁଇଟି ଲେଖାଏ ଫାଳ ମାଂସ କାଟିବାକୁ ଆରମ୍ଭ କରିଥିଲେ।
ଏଇଟି ଥିଲା ଏକ ଅଦ୍ଭୁତପୂର୍ଣ୍ଣ ଦୃଶ୍ୟ,କିନ୍ତୁ ଏହାକୁ ନେଇ କୌଣସି ବିସ୍ତାରିତ ବର୍ଣ୍ଣନା ଦେବା ଅନୁଚିତ।
ଏହାପରେ ଗଣନା ଆରମ୍ଭ ହୁଏ। ସହରର ଲୋକମାନେ କେତେଦିନ ନିଜର ଶରୀରର ମାଂସ ଖାଇ ବଂଚିରହି ପାରିବେ।
ଜଣେ ବେଶ୍ ନାମୀ ଆଉ ପ୍ରତିଷ୍ଠିତ ଚିକିତ୍ସକ ହିସାବ କରି ଦେଖାଇଲେ ଯେ,୧୦୦ ପାଉଣ୍ଡ ଓଜନର ଜଣେ ବ୍ୟକ୍ତି (ଭିତରର ଅଖାଦ୍ୟ ଅଂଶ ଆଦିକୁ ବାଦ ଦେଲେ) ପ୍ରତିଦିନ ଅଧା ପାଉଣ୍ଡ ହାରରେ ୧୪୦ ଦିନ ପର୍ଯ୍ୟନ୍ତ ମାଂସ ଖାଇ ପାରିବେ। ତେବେ ଏଇ ଗଣନା ଟିକିଏ ବିଭ୍ରାନ୍ତିକର ରହିଛି।
କିନ୍ତୁ ଗୁରୁତ୍ୱପୂର୍ଣ୍ଣ ବିଷୟ ଥିଲା ଗୋଟିଏ,ତାହା ହେଉଛି ସମସ୍ତେ ଯେମିତି ସେମାନଙ୍କର ନିଜସ୍ୱ ମାଂସ ଖାଇ ଅନ୍ତତଃ ବର୍ତ୍ତି ରହି ପାରନ୍ତି ।
ଖୁବ୍ ଶିଘ୍ର ମହିଳାମାନେ ଆନସାଲଦୋଙ୍କର ଏଇ ମଡେଲ୍ ର ସୁବିଧାଗୁଡିକର ବିଷୟରେ ଆଲୋଚନା କରିବାକୁ ଲାଗିଗଲେ। ସୁବିଧା କହିଲେ ଯେପରି,ଯେଉଁମାନେ ସେମାନଙ୍କର ନିଜର ସ୍ତନ୍ୟଗୁଡିକୁ ଖାଇପକାଇଥିଲେ,ସେମାନେ ଲୁଗାପଟା ଦ୍ୱାରା ନିଜର ଦେହକୁ ଆଉ ଢାଙ୍କିନେବା ଭଳି କୌଣସି ପ୍ରୟୋଜନ ହିଁ ଅନୁଭବ କରୁନଥିଲେ,ଫଳରେ ସେମାନଙ୍କର ପୋଷାକ ନାଭିର ଠିକ୍ ଉପରଯାଏଁ ଅଟକି ରହିଲେ ଚଳିଯାଉଥିଲା। କୌଣସି ସମସ୍ୟା ନାହିଁ । କିଛି କିଛି ନାରୀ,ଯଦିଓ ସମସ୍ତେ ନୁହଁନ୍ତି,ଆଉ କଥା କହୁନଥିଲେ,କାରଣ ସେମାନେ ଏହା ଭିତରେ ନିଜନିଜର ଜିଭକୁ ଚୋବାଇ ଖାଇପକାଇଥିଲେ( ଯାହା କହିବାକୁ ଗଲେ ଅତିବାହୁଲ୍ୟ ହେବ,ଉଲ୍ଲେଖଯୋଗ୍ୟ କଥା ଯେ ରାଜାମାନଙ୍କର ଅନ୍ୟତମ ପ୍ରିୟ ଖାଦ୍ୟ ହେଉଛି ଜିଭ )।
ଏହାପରେ ସହରର ରାସ୍ତାଗୁଡିକରେ ଖୁବ୍ ମଜା ମଜା ଦୃଶ୍ୟ ଦେଖିବାକୁ ମିଳେ-ଯେମିତି ଦୁଇ ଜଣ ବହୁ ପୁରୁଣା ବାନ୍ଧଦୀ,ଯେଉଁ ଦିଜଣ ବହୁଦିନର ବ୍ୟବଧାନ ପରେ ଜଣେ ଆରଜଣକୁ ଦେଖା କରୁଛନ୍ତି,ହେଲେ ଦେଖା ହେବା ପରେ ପରସ୍ପର ପରସ୍ପରକୁ ଚୁମା ଦେଇ ପାରିଲେ ନାହିଁ,କାରଣ ସେଇ ଦିଜଣ ସେମାନଙ୍କର ଓଠରେ ଖୁବ୍ ସୁନ୍ଦର ସୁସ୍ୱାଦୁ ତେଲଭଜା ପ୍ରସ୍ତୁତ କରି ତାହାକୁ ଖାଇଦେଇଛନ୍ତି।
ସହରର କାରାଗାରର ପ୍ରଧାନ ଜହ୍ଲାଦ ବି ଏକ ମଜାଦାର ସମସ୍ୟାରେ ପଡିଯାଏ,ସେ ଜଣେ ଅପରାଧୀର ମୂତ୍ୟୁଦଣ୍ଡର କାଗଜରେ ସନ୍ତକ କରିବାକୁ ଗଲାବେଳେ ଦେଖେ ଯେ ସେ ଆଉ ସେଇ ପ୍ରତୀକ୍ଷିତ ସନ୍ତକଟି କରିବାପାଇଁ ସମର୍ଥ ହେଉନାହିଁ,କାରଣ ଇତିମଧ୍ୟରେ ସେ ତାହାର ଆଙ୍ଗୁଳିର ଅଗଭାଗକୁ କଅଁଳି କଞ୍ଚାସୁଆଦି ବୋଲି ଚୋବାଇ ଚୋବାଇ ଖାଇ ସାରିଛି! ଆଉ ସେଇଦିନଠୁ “ଫିଙ୍ଗର-ଲିକିଙ୍ଗ ଗୁଡ୍” କଥାଟାର ଉତ୍ପତ୍ତି।
କିଛି ଛୋଟଛୋଟ ପ୍ରତିବାଦ ଦେଖା ଦେଇଥିଲା।ମହିଳାମାନଙ୍କ ନିମନ୍ତେ ପୋଷାକ ନିର୍ମାତା ସଂଘ ଏହାର କଡା ପ୍ରତିବାଦ ଜଣାଇଥିଲେ,କିନ୍ତୁ କର୍ତ୍ତୃପକ୍ଷଙ୍କର କହିବା କଥା ହେଲା,ମହିଳାମାନଙ୍କୁ ସେମାନଙ୍କର ଦର୍ଜିମାନଙ୍କ ନିକଟକୁ ଫେରାଇନେଇଯିବା ଭଳି କୌଣସି ଉପଯୁକ୍ତ ସ୍ଳୋଗାନ ତିଆରି କରିବା ବର୍ତ୍ତମାନ ସମ୍ଭବପର ନୁହଁ।
ତେବେ,ଏଇ ପ୍ରତିରୋଧ ଖୁବ୍ ସେମିତି ଏକକକକକକକକକକକକକକ ଗୁରୁତର କିଛି ନଥିଲା ଏବଂ କହିବା ଚଚ ତାହାଫଳରେ ଜନଗଣଙ୍କର ନିଜର ମାଂସ ଭକ୍ଷଣ କରିବାଉ କ୍ଷେତ୍ରରେ ସେମିତି କିଛି ବ୍ୟାଘାତ ଘଟିନାହିଁ। ଟଚୀ କୋଳ କିନ୍ତୁ ସହରର ଅନ୍ୟତମ ସ୍ମରଣୀୟ ଘଟଣା ଥିଲି -ପ୍ରଧାନ ବାଲେ ନର୍ତ୍ତକ ତାହାର ଅଃଅଁ ଦେହରୁ ଶେଷ ଟୁକୁରା ମାଂସକୁ ଭକ୍ଷଣ କରିବାର ଦୃଶ୍ୟ। ତାର ଶିଳ୍ପର ପ୍ରତି ଅସୀମ ଶ୍ରଦ୍ଧାବଶତଃ ,ସେ ତା’ର ପାଦର ସୁନ୍ଦର ଆଙ୍ଗୁଳିଗୁଡିକର ସର୍ବଶେଷ ପର୍ଯ୍ୟନ୍ତ ସଂରକ୍ଷଣ କରି ରଖିଥିଲା।
ହେଲେ ତା’କୁ ଅନେକଦିନ ଧରି ବେଶ ଅସ୍ଥିର ଦେଖାଯାଉଥିଲା।ଶେଷ ଆଡକୁ ଯେତେବେଳେ ତାହାର ଏକମାତ୍ର ମାଂସ ବୋଲି କହିବାକୁ ଗଲେ ଥିଲା ତାହାର ପାଦର ଆଙ୍ଗୁଳିର ସାମାନ୍ୟ କିଛି ଅଂଶ ,ସେତେବେଳେ ସେ ତା’ର ବନ୍ଧୁମାନଙ୍କୁ ଦିନେ ଆମନ୍ତ୍ରଣ ଜଣାଇ କହିଥିଲା,”ଆସ,ମୋର ଶେଷ ପରଫରମାନ୍ସକୁ ଦେଖି ଯାଅ।”
ଏକ ଭୟଙ୍କର ରକ୍ତାକ୍ତ ନୀରବତା ଏବେ,ଏହା ଭିତରେ,ସେ ନିଜର ପାଦର ଶେଷ ଅଂଶଟିକୁ କାଟି ନିଏ,ଏବଂ ତାହାକୁ ଟିକିଏ ମାତ୍ର ଗରମ ନକରି ,ତା’ର ମୁହଁର ଗଭୀର ଗର୍ତ୍ତରେ,ଯାହା ଗୋଟିଏ ସମୟରେ ସତକୁ ସତ ଖୁବ୍ ସୁନ୍ଦର ଥିଲା,ତାହାର ଭିତରକୁ ଫୋପାଡି ଦିଏ।
ଚାରିପାଖରେ ଉପସ୍ଥିତ ସଭିଏଁ ଘଡିକପାଇଁ ଭୟଙ୍କର ଭାବରେ ଗମ୍ଭୀର ହୋଇଯାଇଥିଲେ।
କିନ୍ତୁ ଜୀବନ ଅଟକି ରହେ ନା।
ଆଉ ସେଇଟି ହିଁ ହେଉଛି ଅସଲ କଥା।
କିନ୍ତୁ.. ଯଦି ?
ଏଇଟା କ’ଣ କାକତାଳୀୟ ବା କୌଣସି ସମାପ୍ତିକା- ସେଇ ନୃତ୍ୟଶିଳ୍ପୀର ଜୋତା ଆଜି Museum of Illustrious Memorabilia ରେ ରଖା ଯାଇଛି ?
ଏକମାତ୍ର ନିଶ୍ଚିତ ତଥ୍ୟ ହେଲା,ସହରର ସବୁଠାରୁ ଯିଏ ମୋଟା ଅର୍ଥାତ୍ ସବୁଠାରୁ ଯିଏ ପୃଥୁଳକାୟ ବ୍ୟକ୍ତି ,ଯାହାର ଓଜନ ୪୦୦ପାଉଣ୍ଡରୁ ଅଳ୍ପ କିଛି ବେଶି ହେବ,ସେଇ ଲୋକଟି ମାତ୍ର ଦିନ ପନ୍ଦରଟାରେ ନିଜର ପୂରା ଶରୀରଟାର ମାଂସ ଖାଇ ଶେଷ କରି ପକାଇଥିଲା।ସେ ପୁଣି ଥିଲା ଖାଇବାକୁ ନେଇ ଅତ୍ୟନ୍ତ ଦୁର୍ବଳ ଅର୍ଥାତ୍ ସେ ଥିଲା ଖୁବ୍ ଖାଦ୍ୟରସିକ ଓ ଯାହାକୁ ସରଳ ଭାବରେ କହନ୍ତି ଅତ୍ୟନ୍ତ ଖାଦ୍ୟ ଲୋଭୀ ,ବିଶେଷ ଭାବରେ ମିଠା ଆଉ ସ୍ନାକ୍ସ ଜାତୀୟ ଖାଦ୍ୟ-ପାନୀୟ ପ୍ରତି ତାହାର ଦୁର୍ବଳତା ଥିଲା ସାଂଘାତିକ।
କଥା ହେଉଛି,ତାହାପରେ କେହି ଆଉ ତାହାକୁ ଖୋଜି ପାଇ ନାହାଁନ୍ତି।
ହୋଇପାରେ ସେ କେଉଁଠି ହୁଏତ ଲୁଚି ଛପି ରହିଥିଲା।
ତେବେ,ବିଷୟ ହେଉଛି ,ସେ କେବଳ ଏକମାତ୍ର ବ୍ୟକ୍ତି ନୁହଁ,ଏହାପରେ ଅନେକେ ହିଁ ଏଇପରିକା କାର୍ଯ୍ୟ କରିବାକୁ ଆରମ୍ଭ କରିଥିଲେ।
ଏହାପରେ ଦିନେ ସକାଳୁ ସକାଳୁ ମିସେସ ଓରଫିଲା ତାଙ୍କର ପୁଅକୁ ପଚାରିଥିଲେ,” ଏଇ ଜିନିଷ ଟା ତୁ ରଖିଥିଲୁ କେଉଁଠି ?”
ସେଇ ପିଲାଟି ସେତେବେଳେ ତାହାର ବାମପଟ କାନକୁ କାମୁଡି କାମୁଡି ଖାଉଥିଲା,ସେ କୌଣସି ଉତ୍ତର ଦେଇନି ।
ଅନୁରୋଧ,ଧମକ,କୌଣସିରେ କିଛି କାମ ହେଲାନାହିଁ। ନିଖୋଜ ବ୍ୟକ୍ତିମାନଙ୍କୁ,ବିଶେଷଜ୍ଞ ମାନଙ୍କୁ ସମସ୍ତଙ୍କୁ ଡକାହକା ହେଲା,କିନ୍ତୁ ସେ ପିଲାଟି କେବଳ ମାଟିରେ ଗୋଟିଏ ଛୋଟ ଏକକ ଥାନ ପିଣ୍ଡ ଭଳି କ’ଣ ଗୋଟାଏ ଦେଖାଇ ପାରିଲା,ଆଉ ଠିକ୍ ସେଇଠାରେ ବସି ମିସେସ୍ ଓରଫିଲା ଶପଥ କରି କହିଲେ,” ଠିକ୍ ଏଇ ଜାଗାରେ ଟିକିଏ ଆଗରୁ ମୋ ପୁଅ ବସିଥିଲା।”
ତେବେ ଏହି ସବୁ ଛୋଟକାଟିଆ ଅଶ୍ୱସ୍ତି ସହରର ଏଇ ନୂତନ ସୁଖ,ଏଇ ଆନନ୍ଦରେ ସେମିତି କିଛି ଛାପ ଇତ୍ୟାଦି ପକାଇ ପାରିନାହିଁ।
କାରଣ ,ଥରେ ଯଦି ଲାଗି ରହିପାରିବାରେ ଏକ ନିଶ୍ଚୟତା ମିଳିବାକୁ ଲାଗେ ,ତାହେଲେ ଆଉ ଅଭିଯୋଗର କ’ଣ ଦରକାର?
ଯେଉଁ ମାଂସର ଅଭାବ ଗୋଟିଏ ସମୟରେ ଏତେ ଅଶାନ୍ତି,ଏତେ କଷ୍ଟ ତିଆରି କରିଥିଲା,ତାହା ତ ଏକେବାରେକେ ମିଟମାଟ ହୋଇ ଯାଇଛି।
ହଁ,ସହରର ଜନସଂଖ୍ୟା,କ୍ରମାଗତ କମି ଆସୁଥିଲା ସତ,କିନ୍ତୁ ତାହା ତ ମୂଳ ସମସ୍ୟାର ସମସ୍ତ ପରିଦୃଶ୍ୟ ର କେବଳ ହିଁ ଗୋଟିଏ ଛୋଟ ପ୍ରାସଙ୍ଗିକ ଘଟଣା ମାତ୍ର।
ତେବେ କେବଳ ପ୍ରଶ୍ନ ଗୋଟିଏ- ପ୍ରତ୍ୟେକଟି ମଣିଷର ଶରୀର,ତାହାର ଦେହ କ’ଣ ତାହାର ନିକଟରୁ ପୁରାପୁରି ସାର୍ବିକ,ଚୂଡାନ୍ତ କୌଣସି ମୂଲ୍ୟ ଆଦାୟ କରି ନେଉଥିଲା ?
କିନ୍ତୁ ଏଇ ସବୁ ଅପ୍ରାସଙ୍ଗିକ ପ୍ରଶ୍ନ ଉପସ୍ଥାପନ କରିବା ସତରେ ଏଇଲେ ଆଉ ଠିକ୍ ହେବ ନାହିଁ,କାରଣ ସହରବାସୀ ଏଇଲେ ପରିପୂର୍ଣ୍ଣ ,ଭରପେଟ ଖାଇସାରି ସେମାନେ ବେଶ୍ ଆନନ୍ଦ ଆଉ ଉତ୍ତମ ସ୍ୱାସ୍ଥ୍ୟର ସହ ବସବାସ କରୁଛନ୍ତି।
°°°°
୨
ପକ୍ଷୀମାନଙ୍କର ମୃତ୍ୟୁ

ସଂପ୍ରତି ଘଟିଯାଇଥିବା ପକ୍ଷୀମାନଙ୍କର ଗଣମୃତ୍ୟୁର ପ୍ରସଙ୍ଗରେ ଦୁଇଟି ବ୍ୟାଖ୍ୟା ପ୍ରଚଳିତ ହେଉଛି :ପ୍ରଥମଟି,ଏହା ଏକ ଗଣଆତ୍ମହତ୍ୟା ଆଉ ଦ୍ୱିତୀୟରେ,ଅକସ୍ମାତ ପୃଥିବୀର ବାୟୁମଣ୍ଡଳର ଘନତ୍ୱର ଅଭାବିତ ଦ୍ରୁତ ହ୍ରାସ ।
ପ୍ରଥମ ବ୍ୟାଖ୍ୟାଟି ଆଦୌ ଗ୍ରହଣଯୋଗ୍ୟ ନୁହଁ। ଶାଗୁଣା ଠାରୁ ଆରମ୍ଭ କରି ହମିଙ୍ଗବାର୍ଡ ଯାଏଁ ସବୁ ପକ୍ଷୀ ଯଦି ଏକାସାଙ୍ଗରେ (ଦିପହରରେ,
ବିଭିନ୍ନ ଉଚ୍ଚତାରେ) ଉଡିବାକୁ ଆରମ୍ଭ କରି ଦିଅନ୍ତି ,ତେବେ ତାହା କେବଳ ଦୁଇଟି ପ୍ରକାରରେ ସମ୍ଭବ : ହୁଏତ ସେମାନେ କାହାର ନା କାହାର ସେମିତି କିଛି ନିର୍ଦ୍ଦେଶକୁ ପାଳନ କରୁଛନ୍ତି,ନହେଲେ ଆପେ ଇଚ୍ଛା କରି ଆକାଶକୁ ଉଠି ତାହାପରେ ମାଟିରେ ଲୋଟି ପଡିବାର ସିଦ୍ଧାନ୍ତ ନେଇଛନ୍ତି। କିନ୍ତୁ ସାଧାରଣ ଯୁକ୍ତି କହୁଛି,ମଣିଷ ଏମିତି କିଛି ନିର୍ଦ୍ଦେଶ ଦେଇପାରିବାକୁ ଅକ୍ଷମ,ଆଉ ପକ୍ଷୀମାନେ ଯଦି ନିଜତରଫରୁ ସ୍ୱତଃ ଏପରି କିଛି କରିଥାଆନ୍ତି, ତେବେ ସେଇଟିକୁ ଯୁକ୍ତିସଂଗତ ବୋଲି କହିବା କଠିନ।
ଦ୍ୱିତୀୟ ବ୍ୟାଖ୍ୟାଟି ବି ଖଣ୍ଡନଯୋଗ୍ୟ : କାରଣ,ଯଦି ବାୟୁମଣ୍ଡଳ ଯଦି ସତକୁ ସତ ପତଳା ହୋଇ ଯାଇଥାଏ,ତେବେ ଉଡି ପାରୁଥିବା ସବୁ ପକ୍ଷୀଙ୍କର ମରଣ ନିଶ୍ଚିତ ।
ଅତଏବ,ଆଉ ଗୋଟିଏ ବ୍ୟାଖ୍ୟା ପକ୍ଷୀମୃତ୍ୟୁ ସଂପର୍କରେ ଥାଇ ପାରେ,ତେବେ ସେଇଟି ଏତେପରିମାଣରେ କଳ୍ପନାପ୍ରସୂତ ଯେ,ସାମାନ୍ୟ ବିଶ୍ଳେଷଣରେ ତାହା ଧୂଳିସାତ୍ ହୋଇଯିବ, ତାହାର ଅନୁସାରେ ଗୋଟିଏ ଅଜଣା ଭାଇରସ୍ ହୁଏତ ମହାମାରି ଭଳି ବ୍ୟାପିଯାଇଛି ଆଉ ଏହା ପକ୍ଷୀମାନଙ୍କୁ ଏତେ ପରିମାଣରେ ଓଜନିଆ କରି ଦେଉଛି ଯେ ସେମାନେ ଆଉ ନିଜର ଭାରାକୁ ସମ୍ଭାଳି ଆକାଶରେ ଉଡିପାରିବାକୁ ଅକ୍ଷମ।
ଯଦିଓ କୌଣସି ବ୍ୟାଖ୍ୟା ହିଁ ସଠିକ ଭାଷାରେ ପ୍ରକାଶଯୋଗ୍ୟ ନୁହଁନ୍ତି,କିନ୍ତୁ ପ୍ରତିଟି ଘଟଣା ହିଁ ବାସ୍ତବ। ଭାଷ୍ୟକାରଙ୍କ ଗହଳୀରେ ଏକ ପ୍ରକାର ସୃଷ୍ଟିଶୀଳ ଶକ୍ତିର ଆକାଂକ୍ଷା ସଂଗୋପନରେ ରହିଥାଏ। ତାହାର ଅହଂକାର ର ଶକ୍ତି ଆଉ ସାମର୍ଥ୍ୟ ହେଉଛି ପୁନରୋକ୍ତି। ପକ୍ଷୀମାନଙ୍କର ଏଇଭଳି ଗଣମୃତ୍ୟୁର ଅନିର୍ବାର୍ଯ୍ୟ ସତ୍ୟର ଭିତରୁ ମୁକ୍ତି ପାଇବାର ଏକମାତ୍ର ଉପାୟ ହେଉଛି,ଆମେ ଏହାକୁ ସ୍ୱପ୍ନ ବୋଲି କଳ୍ପନା କରିବା। କିନ୍ତୁ ସେଇ ଭଳି କ୍ଷେତ୍ରରେ ଏଇଟିକୁ ଆଉ ବ୍ୟାଖ୍ୟା କରିବା ସମ୍ଭବ ନୁହଁ,କାରଣ ଏଇଟି କୌଣସି ପ୍ରକୃତ ସ୍ୱପ୍ନ ହୋଇ ପାରିବ ନାହିଁ।
ଅତଏବ,ତାହା କେବଳ ପ୍ରତିସ୍ଥାପିତ ସତ୍ୟର ଆକାରରେ ହିଁ ରହିଯାଏ। ଆମର ଆଖିର ଆଗରେ ପକ୍ଷୀଗୁଡିକ ମାଟିରେ ଇଆଡେ ସିଆଡେ ଛିଟକି ପଡିରହିଛନ୍ତି । ଏଇ ଗଣହତ୍ୟାର ଭୟାବହତା ଆମମାନଙ୍କୁ ଆତଙ୍କିତ କରୁଛି,କିନ୍ତୁ ତାହାର ତୁଳନାରେ ବି ଆହୁରି ଅଧିକ ଭୟଭୀତ କରୁଛି ଆମକୁ ଆମର ବ୍ୟର୍ଥତା,ଏପରି ଗୋଟିଏ ବିପର୍ଯ୍ୟୟର କାରଣକୁ ଖୋଜି ବାହାର ନକରି ପାରିବାର ଅସହାୟତା। ଆମର ପାଦଗୁଡିକ ଅସଂଖ୍ୟ ମୃତପକ୍ଷୀର ପରରେ ଛନ୍ଦି ରହିଛି। ହଠାତ୍ କୌଣସି ଦାବାନଳର ଶିଖା ଭଳି ,ସମସ୍ତ ପକ୍ଷୀ ଯଦି ଏକାସାଙ୍ଗରେ ଉଠି ଉଡିବାକୁ ଆରମ୍ଭ କରନ୍ତି -ସେତେବେଳେ ଲେଖକର କଳ୍ପନା ବାସ୍ତବତାକୁ ଲିଭାଇଦେଇ ସେମାନଙ୍କୁ ନୂତନ ଜନ୍ମ ପ୍ରଦାନ କରିବ। ଏବଂ ସେଦୃଷ୍ଟିରୁ ସାହିତ୍ୟର ମୃତ୍ୟୁ ଘଟିଲେ ସେମାନେ ପୁନର୍ବାର ପୃଥିବୀରେ ନିଷ୍ପ୍ରାଣ ହୋଇ ପଡି ରହିବେ।
°°°°°

ବିରହିଲିଓ ପିନିୟେରା କ୍ୟୁବାର କାର୍ଡେନାସ ନାମକ ସ୍ଥାନରେ ୧୯୧୨ ମସିହାରେ ଜନ୍ମଗ୍ରହଣ କରିଥିଲେ।
ଲେଜେମା ଲିମା ଏବଂ ଆଲେହୋ କାର୍ପେନ୍ତିଅର ଙ୍କ ସହିତ ଏଇ ତିନିମୂର୍ତ୍ତିଙ୍କୁ ଲାଟିନ ଆମେରିକୀୟ ସାହିତ୍ୟର କ୍ୟୁବା ଭିତ୍ତିକ ରଚନାର ଶ୍ରେଷ୍ଠ ସୂରୀ ହିସାବରେ ପରିଗଣିତ କରାଯାଏ।୧୯୫୦ ମସିହାରେ ତାଙ୍କର ପ୍ରଥମ ଗଳ୍ପ ଆର୍ଜେଣ୍ଟିନାରେ ପ୍ରକାଶିତ ହୁଏ ଆଉ ଏହା ହର୍ହେ ଲୁଇସ୍ ବର୍ହେସ ଭଳି ଲେଖକଙ୍କ ଦୃଷ୍ଟି ଆକର୍ଷଣ କରେ।ପରେ ସେ କ୍ୟୁବାକୁ ଫେରି ଆସନ୍ତି ଆଉ ତାଙ୍କର ଲେଖନରେ ଉଗ୍ର ରାଜନୀତି ଭିତ୍ତିକ ନୈତିକତା ଏବଂ ସମଲୈଙ୍ଗିକତାର କାରଣରୁ ସେ ପ୍ରଖ୍ୟାତ ଏବଂ ବିବଦମାନ ହୋଇପଡନ୍ତି। ୧୯୭୯ ମସିହାରେ ତାଙ୍କର ମୃତ୍ୟୁ ଘଟେ।
ତାଙ୍କର କ୍ଷୁଦ୍ରଗଳ୍ପ ସଂକଳନ “କୋଲଡ୍ ଟେଲସ୍”ରୁ ଏଇ ଗଳ୍ପଦୁଇଟି ଅନୁସୃଜିତ ହୋଇଛି।