ବାପା

ମୂଳ ଇଂରାଜୀ: ରେମଣ୍ଡ କାର୍ଭର

ଟୋକା ଜାମା ଯୋଡ଼ ହେଇ ଧଳା ଟୋପି ଓ ଚଟି ହଳେ ପିନ୍ଧି ଖଟ କଡରେ ଥିବା ଗୋଟେ ସାନ ଝୁଲଣରେ ଶୋଇଥିଲା । ଝୁଲଣଟିରେ ନୂଆ କରି ରଙ୍ଗ ଦିଆଯାଇଥିଲା ଓ ଗୋଟେ ହାଲକା ନୀଳ ରଙ୍ଗର ଫିତା ବନ୍ଧା ଯାଇଥିଲା ଏବଂ ଗୋଟେ ନୀଳ ରଙ୍ଗର ପତଳା ରେଜେଇ ଘୋଡେ଼ଇ ଦିଆଯାଇଥିଲା । ଚାରି ପାଖରେ ତା’ର ଛୋଟ ଛୋଟ ତିନି ଭଉଣୀ, ଜେଜି ମା ଓ ଏଯାଏଁ ବିଛଣାରୁ ନିଜେ ଉଠିପାରୁ ନଥିବା ତା’ ମା ଘେରିଯାଇ, ପିଲାଟି କେମିତି ଏକ ଲୟରେ ଅନେଇ ରହୁଥିଲା ଓ ହାତ ମୁଠାକୁ ପାଟି ପାଖକୁ ଉଠଉଥିଲା ଦେଖୁଥିଲେ । ସେ ହସୁ ନଥିଲା କି ମୁରୁକି ହସା ବି ଦେଉ ନଥିଲା । ହେଲେ ତା’ ଭଉଣୀଟି ତା’ ଚିବୁକରେ ଟିକେ ହାତ ମାରିଦେଲେ ସେ ଆଖି ମିଟିକା ମାରୁଥିଲା ଓ ଦୁଇ ଓଠ ମଝିରୁ ଜିଭ ଟିକେ ବାହାର କରି ପୁଉଣି ଭିତରକୁ ନେଇଯାଉଥିଲା ।

ବାପା ରୋଷେଇ ଘରେ ଥିଲେ ଓ କୁନି ପୁଅ ସାଙ୍ଗରେ ଅନ୍ୟମାନେ ଖେଳୁଥିବାର ଶୁଣିପାରୁଥିଲେ ।

“ତୁ କାହାକୁ ଭଲପାଉଛୁ ରେ ଟୋକା?” ଫିଲିସ୍ ପଚାରିଲା ଓ ପୁଅର ଚିବୁକରେ ଟିକେ ହାତ ମାରିଦେଲା ।

“ସେ ଆମ ସମସ୍ତଙ୍କୁ ଭଲପାଉଛି । ହେଲେ ପ୍ରକୃତରେ ବାପାଙ୍କୁ ହିଁ ବେଶି ଭଲପାଉଛି, କାରଣ ବାପା ବି ଜଣେ ପୁଅପିଲା ନା ।” ଫିଲିସ୍ ପୁଣି କହିଲା ।

ଏଥର ଜେଜିମା ଖଟ ଧାରରେ ବସିପଡ଼ି କହିଲେ; “ହେଇ ଦେଖ ଦେଖ, ଏ ଟୋକାର ଛୋଟିଆ ହାତକୁ । କେତେ ସୁନ୍ଦରିଆ ଅଉ ମୋଟା ରୋଟା ହେଇଛି । ଆଉ ତା’ କୁନି କୁନି ଆଙ୍ଗୁଠିକି ଦେଖ ବା, ଅବିକଳ ତା ମା ଭଳିଆ ହେଇଛି ।”

“ମୋ ଧନ ସୁନ୍ଦୁରିଆ ହେଇଛି ନା?” ତା ମା’ ପଚାରିଲେ ଓ କହିଲେ “ମୋ ଛୁଆ ଏକଦମ୍ ସୁସ୍ଥସବଳ ହେଇଛି ।” ତାପରେ ସେ ନଇଁ ପଡ଼ି ପୁଅର କପାଳରେ ଚୁମା ଦେଲେ ଓ ତା’ ହାତକୁ ଟିକେ ଛୁଇଁଦେଇ କହିଲେ; “ଆମେମାନେ ବି ତାକୁ ଭଲପାଉଛେ ।”

“ହେଲେ ଇଏ କାହା ଭଳିଆ ଦେଖାଯାଉଛି ଯେ?” ଆଲିସ୍ ବଡ଼ ପାଟିରେ ପଚାରିଲା । ଏଥର ସମସ୍ତେ ଝୁଲଣର ଆହୁରି ପାଖକୁ ଲାଗିଯାଇ ଚାରିକତି ଛିଡାହେଇ ଟୋକା ପ୍ରକୃତରେ କାହା ଭଳିଆ ଦିଶୁଛି ଜାଣିବାକୁ ଅନେଇଲେ ।

“କି ସୁନ୍ଦରିଆ ଆଖି ଦିଇଟା ହେଇଛି ।” କାରୋଲ୍ କହିଲା ।

“ଆରେ ସବୁ ସାନ ଛୁଆଙ୍କର ଆଖି ସୁନ୍ଦୁରିଆ ହେଇଥାଏ ।” ଫିଲିସ୍ ଉତ୍ତର ଫେରାଇଲା ।

“ଟୋକାଟା ତା ଜେଜବାପାର ଓଠକୁ ପୁରା ଛିଣ୍ଡେଇ ଆଣିଛି । ଦେଖୁନା ତା’ ଓଠକୁ….” ଜେଜେ ମା କହିଲେ ।

“ମୁଁ ଜାଣିନି । ମୋତେ କାଇଁ ସେମିତି କିଛି ଜଣାପଡ଼ୁନି” ପିଲାର ମା’ କହିଲେ ।

“ତା’ ନାକ! ତା’ ନାକକୁ ଟିକେ ଦେଖ ।” ଆଲିସ୍ ପୁଣି ଚିଲେଇଲା ।

“ତା’ ନାକ ପୁଣି କ’ଣ ହେଲା..” ମା କହିଲେ ।

“ଏଇଟା ଗୋଟେ କାହା ନାକ ଭଳି ଦିଶୁଛି ।” ଝିଅ ଉତ୍ତର ଦେଲା ।

“ମୁଁ ତ ଜାଣିପାରୁନି, ମୋତେ ସେମିତି କିଛି ଲାଗୁନି ତ!” ପିଲାର ମା’ କହିଲେ ।        

“ହେଲେ ଏଇ ଓଠ ଦିଇଟା…..” ଜେଜିମା ଗୁଣୁ ଗୁଣେଇଲେ ଓ ଟୋକାର ହାତ ଉପରୁ ରେଜେଇ କାଢି ତା’ ମୁଠା ଫିଟେଇ ଆଙ୍ଗୁଳିମାନଙ୍କୁ ଖୋଲି ପକେଇ କହିଲେ; “ଏଇ କୁନି କୁନି ଆଙ୍ଗୁଠି ଗୁଡାକ….”

“ଇଏ କାହା ଭଳିଆ ଦେଖାଯାଉଛି?”

“ଇଏତ କାହା ଭଳି ବି ଦିଶୁନି ।” ଫିଲିସ୍ କହିଲା । ଏବେ ସମସ୍ତେ ଆହୁରି ପାଖକୁ ଲାଗି ଆସିଲେ ।

“ଆରେ ମୁଁ ଜାଣିଛି, ମୁଁ ଜାଣିଛି, ଏଇଟା ବାପାଙ୍କ ଭଳିଆ ହିଁ ଦେଖାଯାଉଛି ।” ଏଥର ସମସ୍ତେ କୁନି ପିଲାକୁ ଟିକେ ନିରିଖେଇ ଦେଖିଲେ ।

“ହେଲେ ବାପା କାହା ଭଳିଆ ଦେଖାଯାଆନ୍ତି?” ଫିଲିସ୍ ପଚାରିଲା ।

“ବାପା କାହା ଭଳିଆ ଦେଖାଯାଆନ୍ତି?” ଆଲିସ୍ ଦୋହରାଇଲା । ସେମାନେ ସମସ୍ତେ ଏକାଥରେ ରୋଷେଇଘରେ ସେମାନଙ୍କୁ ପଛ କରି ବସିଥିବା ବାପାଙ୍କ ଆଡ଼କୁ ଅନେଇଲେ ।

“କାହିଁକି କାହା ଭଳିଆ ନୁହେଁ!” ଫିଲିସ୍ କହିଲା ଓ ଟିକେ ନାକ ସୁଁ ସୁଁ କରି କାନ୍ଦିଲା ।

“ଧେତ୍ .. ।” ଜେଜିମା ଏତିକି କହି ବାହାରକୁ ଟିକେ ଅନେଇଲେ ଓ ଆଖି ଫେରେଇ କୁନି ପୁଅକୁ ଚାହିଁଲେ ।

“ବାପା କାହା ଭଳିଆ ବି ଦିଶନ୍ତିନି!” ଆଲିସ୍ କହିଲା ।

“ତଥାପି କାହା ଭଳିଆ ଗୋଟେ ତ ନିହାତି ଦିଶିବା ଦରକାର ।” ରିବନ ଫିତାରେ ଆଖିର ଲୁହକୁ ପୋଛି ପୋଛି ଫିଲିସ୍ କହିଲା । କେବଳ ଜେଜିମାଙ୍କୁ ଛାଡିଦେଇ ଅନ୍ୟମାନେ ଟେବୁଲରେ ବସିଥିବା ବାପାଙ୍କ ଆଡ଼କୁ ଅନେଇଲେ । ସେଇ ଚେୟାରରେ ବସି ବାପା ବୁଲି ପଛକୁ ଅନେଇଲେ । ତାଙ୍କ ମୁହଁ ଏକଦମ୍ ଭାବଶୂନ୍ୟ ଓ ପୁରା ଶେଥା ଦିଶୁଥିଲା ।

About Dr. Ramakanta Samantaray

Ramakanta Samantaray is a contemporary Indian Artist and well known Odia fiction writer. He also regularly writing features and critical texts on art and culture. Presently he is living and working in Bhubaneswar. He has published more than fifteen books.

View all posts by Dr. Ramakanta Samantaray →