ଉପଚାର

ମୂଳ ଲେଖା: ମୋ ଇୟାନ || ଅନୁବାଦ: ଜ୍ୟୋତି ନନ୍ଦ

ସେଦିନ ଉପରଓଳି ମା କୁଇଜାନ’ସ୍ ହୋମ୍ ର ସାଦା ଚୂନକାମ କରାଯାଇଥିବା କାନ୍ଥରେ ଗୋଟିଏ ପୋଷ୍ଟର ଲଟକାଇଦେଇଥିଲେ ଆର୍ମଡ୍ ୱାର୍କ ଡିଟାଚମେଣ୍ଟର କର୍ମଚାରୀ ମାନେ। ଜିଆଉ ନଦୀର ଉପରେ ଯେଉଁ ସେତୁ ରହିଛି ତାହାର ଦକ୍ଷିଣ ପଟରେ ପରଦିନ ସକାଳେ ମୃତ୍ୟୁଦଣ୍ଡ ସମାପନ କାର୍ଯ୍ୟଟି ସଂପନ୍ନ ହେବ, ଏଇ ଭଳି ଲେଖାଥିଲା ସେଇ ପୋଷ୍ଟରଟାରେ, ଯାହାର ମୁହଁ ଥିଲା ଲୋକମାନଙ୍କ ଆଡକୁ । ଏଇ ବର୍ଷ ଏତେ ବେଶୀ ଲୋକଙ୍କୁ ଏଇଠି ଗୁଳି କରି ମାରି ଦିଆ ହୋଇଛି ଯେ, ଏଇ ଗାଆଁର ବେଶି ଭାଗ ମଣିଷ ଭିତରେ ଏହାକୁ ନେଇ ଆଉ ସେତେ ଆଗ୍ରହ କାର୍ଯ୍ୟ କରେ ନାହିଁ। କିନ୍ତୁ ଏମିତିକା କାମକୁ ଦେଖିବା ନିମନ୍ତେ ଲୋକବାକ ତ ଦରକାର। ତେଣୁ ଏଇ ଭଳି ପୋଷ୍ଟର ମାରି ସମସ୍ତଙ୍କ ଦୃଷ୍ଟି ଆକର୍ଷଣ କରିବା ଜରୁରୀ ଥିଲା।

ବାପାଙ୍କ ନିଦ  ଭାଙ୍ଗିଗଲା ପରେ ସେ ଯେତେବେଳେ ମୋତେ ଡାକିବା ପାଇଁ ହୁରି ପକାଇଲେ ସେତେବେଳେ ଘର ଭିତରେ ତଥାପି ଅଂଧାର,ଠିକ୍ ରେ ଭୋର୍ ହୋଇନାହିଁ। ଦେହରେ ଜାକେଟ୍ ଗଳାଇ,ସଳିତାରେ ତେଲ ଅଛିକି ନାହିଁ ଦେଖି ବାପା ଆଲୁଅକୁ ଜାଳିବା ପାଇଁ ଚେଷ୍ଟା କଲେ। ମୋତେ ସେ ଡାକି ଚାଲିଛନ୍ତି, କିନ୍ତୁ ଏଇ ଶୀତରେ , ଦେହ ଉପରୁ ଗରମ କମ୍ବଳକୁ ହଠାଇଦେଇ ଉଠିବାକୁ ମୋର ଟିକିଏ ବୋଲି ଇଚ୍ଛା ହେଉ ନଥାଏ। ଶେଷରେ ବାପା ମୋତେ ଟାଣି ଉଠାଇଦେଇ କହିଲେ,” ଆର୍ମଡ ୱାର୍କ ଡିଟାଚମେଣ୍ଟର ଲୋକମାନେ ଭୋର ଭୋର ସେମାନଙ୍କ କାମଟିକୁ ସାରିଦେବାକୁ ଚାହାଁନ୍ତି। ଏଇଲେ ଯଦି ଆମେ ସେଇଠି ନପହଞ୍ଚିବା ,ତାହାହେଲେ ଆମର କାମଟିକୁ କରିବାର ଗୋଟିଏ ସୁଯୋଗ ହରାଇବା।”

ବାପାଙ୍କ ପଛେ ପଛେ ରାସ୍ତାକୁ ମୁଁ ବାହାରି ଆସିଲି।ପୂର୍ବ ଆକାଶରେ ସେତେବେଳେ ସୂର୍ଯ୍ୟ ପରିଷ୍କାର ଭାବରେ ଉଠିନାହିଁ । ରାତି ସାରା ଜମାଟ ବାନ୍ଧିଥିବା ବରଫରେ ସାରା ବାଟ ଭୀଷଣ ଥଣ୍ଡା।ଉତ୍ତରା ପବନ ରାସ୍ତାରେ ପଡିଥିବା ଜଞ୍ଜାଳ ଟିକିଏ ଉଡିଯାଇ ବାଟଟା ଯେମିତି ପରିଷ୍କାର କରି ରଖିଛି। କିନ୍ତୁ କନକନ ପବନରେ ଯେମିତି ମୁଁ ସାଙ୍କୁଡି ଯାଉଥିଲି-ଆଙ୍ଗୁଳି,ପାଦର ତଳିପା ଏମିତି କାଙ୍କୁରି ଯାଉଥିଲା ଯେ ମନେ ହେଉଥିଲା ଯେମିତି ଗୋଟିଏ ବିରାଡି ତାହାର ମୁନିଆଁ ଦାନ୍ତରେ ମୋତେ ଚୋବାଇ ଚାଲିଛି। ଆମେ ଯେତେବେଳେ ମା କୁଇଜାନ୍ ଇଲାକାକୁ ପାର ହେଉଥିଲୁ ଆର୍ମଡ୍ ୱାର୍କ ଡିଟାଚମେଣ୍ଟର ଅଫିସରମାନଙ୍କ କ୍ୱାର୍ଟରଗୁଡିକ ଆମର ଆଖିରେ ପଡିଥିଲା। ଝରକା ଦେଇ ଆଲୁଅ ଆସୁଥାଏ ଆଉ କ’ଣ ଗୋଟାଏ ଧ୍ୱନୀର ଆବାଜ ଆମର କାନରେ ପଡିବା ଭଳି ମନେହେଉଥାଏ।ବାପା କହିଲେ,”ଝପଟ ଆ । ସେମାନେ ଜଳଖିଆ ଖାଉଛନ୍ତି, ହାତରେ ତ ଆଉ ବେଶି ସମୟ ନାହିଁ ।”

Illustration by Ramakanta Samantaray

ନଦୀକୂଳକୁ ଆସି ମୋ ହାତକୁ ଧରି ଉପରକୁ ଟାଣି ନେଲେ ବାପା।ଏଇଠୁ ଆମେ ସ୍ପଷ୍ଟ ଦେଖିବାକୁ ପାଇଲୁ ଲୁହାର ସେତୁଟିକୁ ଆଉ ନଦୀ ଉପରେ ଜମାଟ ବାନ୍ଧି ଯାଇଥିବା ବରଫର ଆସ୍ତରଣକୁ।

“ଏଇଠି ଆମେ ଠିକ୍ କେଉଁଠି ଲୁଚିବା,ବାପା?”

” ସେତୁର ତଳେ କୌଣସି ଗୋଟିଏ ଜାଗାରେ ।”

ଜାଗାଟି କେମିତି ପରିତ୍ୟକ୍ତ ଆଉ ଗାଢ ଅଂଧାରରେ ଢଂକା ହୋଇ ରହିଛି। ଥଣ୍ଡାର କଥା ଆଉ କ’ଣ କହିବି ! ଏପଟେ ମୋ ମଥାଉପର ତାଳୁରେ କେମିତି କ’ଣ ଗୋଟିଏ ଧପଧପ ଭଳି ଲାଗିବାକୁ ଆରମ୍ଭ କରୁଥାଏ।

“ବାପା,ମୋ ମୁଣ୍ଡରେ ଯେମିତି କିଏ ହାତୁଡି ପିଟୁଛି ।”

“ମୋତେ ବି ସେମିତି ଲାଗୁଛି। ଅସଲରେ ଏଇଠେ ତ ଏମିତି ଅନେକ ଲୋକଙ୍କୁ ସେମାନେ ମାରି ସାରିଲେଣି। ସେଇ ସବୁ ମୃତଲୋକଙ୍କ ଆତ୍ମା ଏଇଠି ବୁଲାବୁଲି କରନ୍ତି ।ସେମାନେ ହୁଏତ ଏଇଭଳି କରୁଥିବେ!”

ଠିକ୍ ସେତିକିବେଳେ ଏଇ ଅଂଧାର ଭିତରେ ଦେହସାରା ଲୋମ ଭର୍ତ୍ତି ଏଇଭଳି କାହାର ଯେମିତି ଛୁଆଁ ମୋତେ ଲାଗିଲା। ବାପାଙ୍କୁ କହିଲି,”ହଁ,ଏଇ ତ ସେମାନେ !”

“ଆରେ, ଧୁତ୍, ନା । ଏଗୁଡିକ ସେମାନଙ୍କର ଭୂତ ନୁହଁନ୍ତି । ଏ ଗୁଡିକ କୁକୁର, ଏଇ ମୃତଦେହ ଗୁଡିକୁ ଖାଇବାପାଇଁ ଏଇଠିକୁ ଆସିଥାନ୍ତି।”

ଏଇ ହାଡଥରା ଶୀତରେ ମୁଁ ଜମାଟ ବାନ୍ଧି ଏତିକି ଟିକିଏ ହୋଇ ଯାଉଥିଲି । ଭାବିଲା ଭଳିକା କିଛି ଶକ୍ତି ମୋ ପାଖରେ ଆଉ ନଥିଲା। ଏଇ ସବୁକୁ ଛାଡି କାହିଁକି କେଜାଣି ଜେଜେଙ୍କ ମୁହଁଟି ମନେପଡିଯାଉଥିଲା । ପରଳରେ ତାଙ୍କର ଆଖିଦୁଇଟି ହଳଦୀ ବର୍ଣ୍ଣ ! ପ୍ରାୟ ଅନ୍ଧ ! ଏପଟେ ସକାଳର ଆଲୁଅ ଫୁଟିଯିବାକୁ ବସିଲାଣି, ବରଫଗୁଡିକ ଆସ୍ତେ ଆସ୍ତେ ତରଳିଯିବାକୁ ଆରମ୍ଭ କଲାଣି । ବାପା ଗୋଟିଏ ପାଇପ୍ ରେ ନିଆଁ ଧରାଇ ଆରାମରେ ଗୋଟିଏ ସୁଖଟାଣ ଦେଉଛନ୍ତି,ମୋ ନାକରେ ଆସି ବାଜୁଛି କଡା ତମାଖୁ ର ଗନ୍ଧ। ଥଣ୍ଡାରେ ମୋର ନାକ,ପାଟି ଯେମିତି ଅସାଡ ହୋଇ ଆସୁଥାଏ । ବାପାଙ୍କୁ କହିଲି, “ମୁଁ ତ ଜମାଟ ବାନ୍ଧି ଗଲିଣି। ଯିବି,ଟିକିଏ ଦୌଡି ଆସିବି,ଏଇ ପାଖାପାଖି  ?”

“ନା । ଏଇଲେ କୁଆଡେ ଯାଆନା।ଦାନ୍ତରେ ଦାନ୍ତକୁ ଚାପି ଧରି ସବୁକିଛିକୁ ଟିକିଏ ସହି ଯା।ସୂର୍ଯ୍ୟର ରଂଗ ଲାଲ ଥାଉ ଥାଉ ସେମାନେ ବନ୍ଦୀମାନଙ୍କୁ ମାରିବା କାମଟି ଶେଷ କରିଦେବେ।”

“ଆଜି ସେମାନେ କାହାକୁ ମାରିବେ ବାପା,ତମେ ଜାଣିଛ ?”

“ନା,ଜାଣିନି । ଟିକିଏ ପରେ ବୁଝିପାରିବି।ତେବେ ମନେହେଉଛି ,କମ୍ ବୟସୀ କିଏ ହେଲେ ଭଲକଥା ।”

“କାହିଁକି?”

“କମ୍ ବୟସର ଯେଉଁମାନେ ସେମାନଙ୍କର ଶରୀର ତାଜା ଥାଏ, ଶକ୍ତ ଥାଏ । ଭଲ ଫଳ ମିଳିଥାଏ ଏଥିରୁ ।”

ମୋର ଆହୁରି ଅଧିକ କିଛି ଜାଣିବାର ଇଚ୍ଛା ହେଉଥିଲା,କିନ୍ତୁ ବାପାଙ୍କୁ ଦେଖି ମନେହେଉଥିଲା ସେ ଯେମିତି ଭାରି ଅଧୈର୍ଯ୍ୟ ! ଆଉ କୌଣସି କଥାର ଜବାବ ଦେବାପାଇଁ ଯେମିତି ତାଙ୍କର ଟିକିଏ ଆଉ ଆଗ୍ରହ ନାହିଁ। ସେ କହିଲେ,” ଆଉ କିଛି କହନି । ଏଇଠେ ସେମାନେ ଯାହା କିଛି କରିବେ ସେଇ ସବୁ କଥାକୁ ଆମେ ଏଇଠୁ ଭଲ କରି ଦେଖି ପାରିବା ଆଉ ଶୁଣିପାରିବା ।”

ଧୀରେ ଧୀରେ ବେଳା ବଢିବାକୁ ଲାଗିଲା,ଲାଲିଚିଆ ରଙ୍ଗରୁ ସୂର୍ଯ୍ୟ ମାଛପେଟ ଭଳି ଫିକାରଂଗର ହେବାକୁ ଲାଗିଲା। ଏହା ଭିତରେ କୁକୁରମାନେ ଏତିକି ଜୋର୍ ରେ ଭୁକିବାକୁ ଆରମ୍ଭ କରିଥିଲେ ଯେ,ଗାଆଁର ନାରୀମାନଙ୍କର ହୋହଲ୍ଲଲା,ଚିତକାର ସବୁ ଏଇ ଭୁକିବା ଭିତରେ ଡୁବି ଯିବାକୁ ଲାଗିଲା।ନଈର କୂଳକୁ ଘଷି ହୋଇ ରହିବା ଭଳି କାମରୁ ନିଜକୁ ଦୂରେଇ ରଖି ଆମେମାନେ ଗାଆଁ ଆଡକୁ ଚାହିଁ ଛିଡାହୋଇଥିଲୁ।ମୋତେ ଏଥର ଖୁବ୍ ଭୟ ଭୟ ଲାଗୁଥିଲା । ଏଇ କୁକୁରଗୁଡିକ ଏତେ ଭୟଙ୍କର ଭାବରେ  ଭୋକୁଛନ୍ତି ଆଉ ଏଇପରି ଭୟଙ୍କର ଆଖିରେ ମୋତେ ସ୍ଥିର ଭାବରେ ଚାହିଁ ରହିଛନ୍ତି; ମୋତେ ନିକଟରେ ପାଇଲେ ଯେମିତି ମୋର ହାଡମାଂସକୁ ଶେଷ କରିଦେବାପାଇଁ ତାଙ୍କୁ ମିନିଟିଏ ବି ଲାଗିନପାରେ । ମୁଁ କିଛି ବୁଝି ପାରୁନଥାଏ, କେତେ ଶିଘ୍ର , କେଉଁଭଳି ଏଇଠୁ ଆମେ କେମିତି ଯିବୁ ! ଏହା ଭିତରେ ବାପାଙ୍କୁ ଚାହିଁଲି, ଟିକିଏ ନୀଚ ହୋଇ ତାଙ୍କ ପାଖକୁ ଲାଗି ଆସିଥିଲି, ଥଣ୍ଡାରେ ତାଙ୍କର ଓଠ ବି ଥରଥର  ! ବେଶି ଥଣ୍ଡା ଦେହରେ ଲାଗିରହିଛି କି ନାହିଁ ସେକଥା ଜାଣିବା ବାହୁଲ୍ୟ, ମୁଁ ଜାଣେ ।

କେବଳ ପଚାରିଲି, “ତମେ କ’ଣ କିଛି ଶୁଣିପାରିଛ ?”

“ଚୂପ୍ ! ଏଇଲେ ସେମାନେ ଆସିଯିବେ, ଏଇଠିକୁ ।  ଶୁଣି ପାରିଛି, ସେମାନେ ଏଇଲେ କୁଆଡେ ବ୍ଦନ୍ଦୀମାନଙ୍କର ହାତଗୋଡ ବାନ୍ଧୁଛନ୍ତି ।”

ଏଥର ମୁଁ ବାପାଙ୍କ ପାଖକୁ ଘୁଞ୍ଚି ଆସିଲି, ଥରି ଥରି ବସି ପଡିଥିଲି ଗୋଟିଏ ଅଗାଡି ଗଛ ଉପରେ। କାନ ଡେରି ଯଥେଷ୍ଟ ମନଲଗାଇ ଶୁଣିବାକୁ ଚାହିଁଥିଲି, ଗାଆଁ ଆଡୁ କ’ଣ କଥାବାର୍ତ୍ତା ଭାସି ଆସୁଛି । ଗୋଟିଏ ପୁରୁଷ କଂଠ ଆଦେଶ ଦେବା ଭଳି ସୁରରେ କହୁଛି, “ଗ୍ରାମବାସୀଗଣ , ତମେମାନେ ପୋଲ ର ସେଇ  ଦକ୍ଷିଣ ପଟ ଦିଗକୁ ଚାଲିଯାଅ । ମୃତ୍ୟୁଦଣ୍ଡ ଦେବାର ପବିତ୍ର କାର୍ଯ୍ୟଟି ଆମେ ସେଇ ଦିଗରେ ହିଁ ଶେଷ କରିବୁ। ଆଜି ମରା ଯିବ  ଅତ୍ୟାଚାରୀ ଜମିଦାର ମା କୁଇଜାନ,ତାହାର ପତ୍ନୀ ଆଉ ବେକୁବ ଗ୍ରାମ୍ୟନେତା ଲୁୟାନ୍ ଫେଂଗସାନ୍‌କୁ। ଆର୍ମଡ ୱାର୍କ ଡିଟାଚମେଣ୍ଟ ର ପ୍ରଧାନ ଝାଙ୍ଗ୍‌ଙ୍କର ଏହା ହେଉଛି ନିର୍ଦ୍ଦେଶ। ଏମାନଙ୍କୁ ଶାସ୍ତି ମିଳିବା ଦରକାର, ଏମାନେ ଦଲାଲ ର ତରଫରୁ କାମ କରିଛନ୍ତି ।”

Illustration by Ramakanta Samantaray

ଦେଖିଲି ବାପା ମନକୁମନ ଅସଂତୁଷ୍ଟ । “କାହିଁକି ସେମାନେ ମା କୁଇଜାନ ସାଥିରେ ଏମିତି କରୁଛନ୍ତି ?କାହିଁକି ଏମାନେ ତାହାକୁ ଗୁଳି କରି ମାରି ପକେଇବେ ? ଏମିତି କାମ କରିବାକୁ ଯିବାବେଳେ ସତ କହିଲେ ମା କୁଇଜାନ୍ ହେବ ଗାଆଁର ଶେଷ ମଣିଷ, ଯାହା ସହିତ ଏମିତି କରାଯାଉଛି !”

ମାତ୍ର ମୁଁ ଯେତେବେଳେ ବାପାଙ୍କୁ  ପଚାରିବାକୁ ଯାଉଥିଲି ଯେ କାହିଁକି ମା କୁଇଜାନକୁ ମାରି ପକାଇବା ଠିକ୍ ନୁହଁ,ସେଇଥିପାଇଁ ପାଟିଟା ହାଁ କଲା ଆଗରୁ କାନରେ ଆସି ପଡିଥିଲା ରାଇଫଲ୍ ର ଟ୍ରିଗାର୍ କୁ ଟାଣି ଧରିବାର ଆବାଜ, ଆଉ ତାହାର ସଂଗେସଂଗେ ହିଁ ଆକାଶରେ ବିଛାଡି ପଡିଥିଲା ଗୋଟିଏ ଗୁଳିର ଆବାଜ। ସେତେବେଳେ ଶୁଣି ପାରିଲି ଗୋଟିଏ ଘୋଡା ଯେମିତି ଏଇ ଆଡକୁ ଛୁଟି ଆସୁଛି,ତାହାର ଟାପୁର ଶବ୍ଦ, ଠପ୍ ଠପ୍, ନିକଟତର ହେବାରେ ଲାଗିଛି। ମୁଁ ଆଉ ବାପା ଆମେ ଦିଜଣ ଭୟ ପାଇଗଲୁ। ନିଜକୁ ଆଉ ଟିକିଏ ଆଢୁଆଳକୁ ଘୁଞ୍ଚାଇ ନେଇ ଆମେ ବୁଝିବାକୁ ଚାହିଁଲୁ ଅସଲରେ ଘଟଣାଟି କ’ଣ । ସେତେବେଳକୁ ସୂର୍ଯ୍ୟରଶ୍ମୀ ରୂପେଲି ହୋଇ ନଈର ପଥର ଉପରେ ଝଲସି ଯାଉଛି। ହଟାତ୍ ଶୁଣିଲି ଦଳେ ମଣିଷଙ୍କ ହଟ୍ଟଗୋଳ।ଆମମାନଙ୍କର ନିକଟରେ ଥିବା ଜଣେ ଲୋକ ହଂସ ମାନଙ୍କର ପାଙ୍କ୍ ପାଙ୍କ୍ ଗଳାରେ ଯେମିତି କହୁଛି,” ତାହାକୁ ଯିବାକୁ ଦିଅ । ଆମେମାନେ କେବେହେଲେ ତାହାର ପିଛା ଧରିବୁନି ।”

କିଏ ସେ ଗୁଳିଟା ଫାଏର୍ କରିଥିଲା, ତାହା ଆମେ ଜାଣିନାହୁଁ । କିନ୍ତୁ ଆକାଶର ଛାତି ବିଦାରି ଗୁଳିର ଆବାଜଟି ଏକେବାରେ ଆଖପାଖରେ ପ୍ରତିଧ୍ୱନୀତ ହେବାକୁ ଲାଗିଲା। ଏପରିକି ଆମର ନାକରେ ଆଜି ବାଜୁଥିଲା ବାରୁଦର ଗନ୍ଧ।

ସେହି ହଂସଟି ଭଳି ପାଙ୍କ୍ ପାଙ୍କ୍ ଗଳାରେ କଥା କହୁଥିବା ଲୋକଟି ପୁଣି କହି ଉଠିଲା, “ଏତେ ବୋକାଙ୍କ ପରି ଏଇ ଗୁଳିଟା ମାରିଲା କିଏ ? ଇଏ ଏତେବେଳେ ବୋଧହୁଏ ପାଖ ଗାଆଁରେ ପହଞ୍ଚିଯିବଣି !”

“ମୁଁ କିଛି ବୁଝିନି, ଏଇଭଳି ଗୋଟିଏ କାମ ସେ କରିପାରିବ। ଝାଙ୍ଗ୍, ଇଏ ବୋଧେ ସେହି ଚଷାମାନଙ୍କ ଭିତରୁ କିଏ ହେବ !”

“ମୋର ତ ମନେ ହେଉଛି, ଇଏ ହେଲା ସେଇ ଜମିଦାରର ପାଦଚଟା କୁତ୍ତା ” ଝାଙ୍ଗ୍ କହିଲା।

ଏଇ ସବୁ କଥା କହି କହି କିଏ ଜଣେ ସେତୁ ର ରେଲିଙ୍ଗ୍ ଟାର ଧାର ପାଖକୁ ଯାଇ ପରିସ୍ରା କରିଲା। ଇସ୍, କି ବାଜେ କଦର୍ଯ୍ୟ ଗନ୍ଧ !

“ଛାଡ ଏସବୁ ଏଇଲେ। ଆମର ଅନେକ କାମ ବାକି ଅଛି । ଚାଲ ବାକି କାମ କରିବାକୁ ହେବ” ଝାଙ୍ଗ୍ ତାଗିଦା କଲା।

ମୋ କାନ ପାଖକୁ ବାପା ନିଜର ମୁହଁଟିକୁ ଆଣି ଫୁସଫୁସ କରି କହିଲେ, “ଇଏ ହେଉଛି ଆର୍ମଡ୍ ୱାର୍କ ଡିଟାଚମେଣ୍ଟ ର ପ୍ରଧାନ ଝାଙ୍ଗ୍। ଦଳ ପ୍ରତି ଯେଉଁମାନେ ବିଶ୍ୱାସଘାତକତା କରିବେ ସେମାନଙ୍କୁ ଏଇଭଳି ନିର୍ମୂଳ କରିବା ଭଳି ଦାୟିତ୍ୱ ସରକାର ତାହାକୁ ଦେଇଛି ।”

ପୂର୍ବ ର ଆକାଶରେ ଏଇଲେ ଗୋଲାପି ଆଭା ସ୍ପଷ୍ଟତଃ ଗାଢ ହେଲାଣି । ମେଘର କାରୁକାର୍ଯ୍ୟ ଏଇଲେ ଖେଳିଯାଇଛି ସାରା ଆକାଶ। ଦିନର ଆଲୋକ ଏଇଲେ ପ୍ରାୟ ପରିଷ୍କାର । ଦେଖିପାରୁଛି, ସେଇ କୁକୁର ଗୁଡିକ ଛିଣ୍ଡାଲୁଗା କପଡା ,ମଣିଷର ଖପୁରୀ,ହାଡ ଏଗୁଡିକୁ ଟଣାଓଟରା କରି ,ବେଳେବଳେ ପାଟିରେ ଧରି ଦୌଡଧାପଡ କରୁଛନ୍ତି । ମୃତ ଲୋକର ଖପୁରୀ ଗୁଡିକୁ ଏମାନେ ବେଳେବେଳେ  ଚୋବାଇବାରେ ଲାଗିଛନ୍ତି । ଏଇ ସବୁ ଦେଖି ମୋର ଗୋଡଠାରୁ ମୁଣ୍ଡ ଯାଏଁ କ’ଣ ଗୋଟିଏ ଘିନ୍ ଘିନ୍ କରି ଉଠିଲା।

ନଈର ଧାରଟା କେମିତି ଶୁଖିଲା ମରାମରା ଲାଗୁଛି, ହିମଶିତଳ ପବନରେ ଅଗାଡିଗଛଗୁଡିକ ବିବର୍ଣ୍ଣ। ମୁଁ ବାପାଙ୍କ ଆଡକୁ ଫେରିଥିଲି। ମୁଁ ତାଙ୍କର ଶ୍ୱାସପ୍ରଶ୍ୱାସର ତାଳ ଅନୁଭବ କରୁଥିଲି,କିନ୍ତୁ ସମୟଟି ଅଟକି ଯାଇଛି । ସ୍ଥବିର ।ବାପା କହି ଉଠିଲେ, “ଏମାନେ ଆସୁଛନ୍ତି ପୁଣିଥରେ ।”

ସମସ୍ତଙ୍କ ହଟ୍ଟଗୋଳ ଆଉ ପଦଧ୍ୱନୀ ର ଆବାଜ କମ୍ ହୋଇ ଆସିଲା ବେଳକୁ ସେତୁର ଉପରେ ଆର୍ମି ୱାର୍କ ଡିଟାଚମେଣ୍ଟ ଦଳର ମୃତ୍ୟୁଦଣ୍ଡକୁ କାର୍ଯ୍ୟକାରୀ କରିବା ପାଇଁ  ଜୋଡତୋଡ ଆରମ୍ଭ ହୋଇଯାଏ । ଏହାର ଭିତରେ ଗୋଟିଏ କଣ୍ଠସ୍ୱର ଭାସି ଆସେ,”ମିଷ୍ଟର ଝାଙ୍ଗ୍ ମିଷ୍ଟର ଝାଙ୍ଗ୍,ସାରାଜୀବନ ମୁଁ ଜଣେ ଭଲମଣିଷ ରହିଛି।”

ବାପା ଅସ୍ପଷ୍ଟ ସ୍ୱରରେ କହିଲେ,” ଏଇଟା ମା କୁଇଜାନ୍ ର ଗଳା ।”

ପାଖରୁ ଆବେଗ ଥରଥର,ଭଙ୍ଗାଭଙ୍ଗା ଗଳାରେ ଆଉ ଜଣେ କହି ଉଠିଲା, “ମିଷ୍ଟର ଝାଙ୍ଗ୍,ଗ୍ରାମର ପ୍ରଧାନ ହେବା ନିମନ୍ତେ ଆମେମାନେ ଅନେକ ସମୟ ବ୍ୟୟ କରି ,ଅନେକଙ୍କୁ ଖୋଜୁଥିଲୁ । କାହାକୁ ସେମିତି ପାଇନୁ ।ତେଣୁ ଅଗତ୍ୟା ମୋତେ ପ୍ରଧାନ ହେବାକୁ ପଡିଥିଲା।ମୋତେ ମାଫ୍ କରନ୍ତୁ।ମୋର ଏଇ ତୁଚ୍ଛ ଜୀବନକୁ ଭିକ୍ଷା ଦିଅନ୍ତୁ। ଘରେ ମୋର ଅଶୀ ବର୍ଷ ର ମାଆ ଅଛି,ମୋତେ ତାହାର ଦେଖାଶୁଣା କରିବାକୁ ହୁଏ । ଆପଣଙ୍କ ନିକଟରୁ ମୋର ଜୀବନ ଭିକ୍ଷା ଚାହୁଁଛି ।”

ବାପା ମୋର କାନ ନିକଟକୁ ନିଜର ମୁହଁକୁ ଆଣି କହିଲେ,”ଇଏ ହେଉଛି ଲୁୟାନ ଫେଙ୍ଗସାନ୍।

ଏହା ପରେ ଗୋଟିଏ ଉଚ୍ଚସ୍ୱରରେ ଗୋଟିଏ ନାରୀକଂଠ କହି ଉଠିଲା,”ମିଷ୍ଟର ଝାଙ୍ଗ ,ଆପଣ କେମିତି ଆମର ସମସ୍ତ ଆତିଥେୟତାକୁ ଭୁଲିଗଲେ ? ଆମ ଘରକୁ ଆପଣ ଯେବେ ଯାଇଥିଲେ ,କେତେକ’ଣ ଭଲମନ୍ଦ ରାନ୍ଧି ଆପଣଙ୍କୁ ପରଷିଥିଲି । ଘରେ ସବୁଠୁ ଭଲ ଯେଉଁ ୱାଇନ୍ ଥିଲା ତାହାକୁ ପିଇବା ପାଇଁ ଦେଇଥିଲି । ଏପରି କି,ଆମର ଅଠରବର୍ଷର ଝିଅ ଆପଣଙ୍କର କେତେ ଖେୟାଲ୍ କରିଥିଲା ! ମିଷ୍ଟର ଝାଙ୍ଗ୍ ,ଆପଣଙ୍କର ହୃଦୟ କ’ଣ ଲୁହାରେ ତିଆରି ? ଟିକିଏ ବୋଲି ମାୟା ନାହିଁ ?”

“ମା କୁଇଜାନ୍ ର ପତ୍ନୀର ଗଳା ପରି ମନେ ହେଉଛି” ବାପା କହିଲେ ।

ସବାଶେଷରେ ଆଉ ଗୋଟିଏ ନାରୀକଂଠ ଶୁଣାଗଲା, “ଉହୁ..ଆଆ..ଇଆ..।”

“ଲୁୟାନ ଫେଙ୍ଗସାନ ର ବୋବା ପତ୍ନୀ” ବାପା ଫୁସଫୁସ କରି କହିଥିଲେ ଏଥର।

ଏତେ ସମୟ ପରେ ଶକ୍ତ, ଋଢ କଣ୍ଠରେ ଚିଫ୍ ଝାଙ୍ଗ୍ କଥା କହିବା ଆରମ୍ଭ କଲେ, “ତମେମାନେ ଯେତେ କାକୁତିବିନତି କର ବା ଚିତ୍କାର କର, କୌଣସି ଲାଭ ନାହିଁ । ତମମାନଙ୍କୁ ମରିବାକୁ ହେବ ।ସମସ୍ତଙ୍କୁ ଦିନେ ମରିବାକୁ ହୋଇଥାଏ ।ଆଉ ଏଇ କଥାଟିକୁ ଭାବି ଦେଖ, ଯେତେ ଶିଘ୍ର ତମେ ଏଇ ଦୁନିଆରୁ ବିଦାୟ ନେବ,ପୁଣି ଆଉଥରେ ଅନ୍ୟରୂପରେ ଫେରିଆସିବାର ସୁଯୋଗ ସେତିକି ବେଶି ପାଇବ ।”

ଏଇ କଥା ଶୁଣି ମା କୁଇଜାନ ଉପସ୍ଥିତ ଗ୍ରାମବାସୀ ଙ୍କୁ କିଛି କହିବାକୁ ଚାହିଁଥିଲା । “ମୁଁ ତ ସାରାଜୀବନ ତମମାନଙ୍କର ଉପକାର ଛଡା କୌଣସି କ୍ଷତି କରିନାହିଁ ।ଆଜି ସମୟ ଆସିଛି, ମୋ ପାଇଁ ତମେମାନେ ଏଥର ନିଜର ମୁହଁ ଖୋଲ ।”

ଏମାନଙ୍କ ଭିତରେ କିଛି ଲୋକ ସେତେବେଳକୁ ଆଣ୍ଠୁମାଡି ବସି ଚିଫ୍ ଝାଙ୍ଗଙ୍କୁ ଉଦ୍ଦେଶ୍ୟ କରି କହିଲେ, “କ୍ଷମା କରନ୍ତୁ। ଏତେ ନିର୍ଦ୍ଦୟ ହୁଅନ୍ତୁ ନାହିଁ ଚିଫ୍ ଝାଙ୍ଗ୍ । ଏମାନେ ସମସ୍ତେ ଭଲ ଲୋକ । ଏମାନଙ୍କୁ ବଂଚିବାକୁ ଛାଡି ଦିଅନ୍ତୁ, ଦୟାକରି ମାରିଦିଅନ୍ତୁ ନାହିଁ ।”

ଏଇ ଭଳି କାକୁତିମିନତି ର ମଧ୍ୟରେ ହଠାତ୍ ଜଣେ ତରୁଣ ଚିତ୍କାର କରି କହି ଉଠିଲା, “ଚିଫ୍ ଝାଙ୍ଗ୍, ଆମେ ଅନ୍ତତଃ ଗୋଟିଏ କାମ କରିପାରିବା। ଏଇ କୁଳାଙ୍ଗାର ଦଲାଲଗୁଡାଙ୍କୁ ସେତୁର ଉପରକୁ ଉଠାଇନେଇ ସେଇଠି ସେମାନେ ଶହେଥର ତଳେ ନିଜର ମଥାକୁ ଛୁଆଁଇ ଆମପ୍ରତି ଆନୁଗତ୍ୟ ଜଣାଇବାକୁ କହିବା। ଏହାପରେ ସେମାନେ ତାଙ୍କର କୁତ୍ତାଜୀବନକୁ ଫେରିଯାଆନ୍ତୁ । ଏ ବିଷୟରେ କ’ଣ କହିବେ ଆପଣ ?”

“ତମର କ’ଣ ମନେ ହେଉଛି ଯେ ମୁଁ ଗୋଟିଏ ପ୍ରତିଶୋଧପରାୟଣ କୌଣସି ଦାନବ? ଆଛା, ଗାଓ ରେନଶନ୍ ତମେ ବୋଧହୁଏ କେବେ ମିଲିସିଆ ବାହିନୀରେ କାମ କରିଛ ? ସେଇଥିପାଇଁ ତମେ ଏଇ ଭଳି କହୁଛ । ଶୁଣ,ଏଇ ସବୁ କଥାରେ କିଛି କାମ ହେବନି । ଆଉ ଗ୍ରାମବାସୀଗଣ,ଏହାକୁ ନେଇ ଏତେ ସମୟ ନଷ୍ଟ କରିବା ଭଳି ସମୟ ମୋ ହାତରେ ନାହିଁ । ଏମାନଙ୍କୁ ମରିବାକୁ ହେବ । ସମସ୍ତେ ଏବେ ପ୍ରସ୍ତୁତ ହୋଇଯାଅ।” ଝାଙ୍ଗ୍ ଙ୍କ ମୁହଁରେ ପ୍ରଚୁର ବିରକ୍ତି।

“ଆମ ତରଫରୁ ଟିକିଏ କୁହ, ତମେମାନେ।” ମା କୁଇଜାନ୍ ଆଉଥରେ କାକୁତିବିନତି କଲା।

ଆର୍ମି ୱାର୍କ ଡିଟାଚମେଣ୍ଟର ଅଫିସରମାନେ ସେତୁର ସେଇପଟଟିକୁ ଖାଲି କରିବା ପାଇଁ ଗ୍ରାମବାସୀମାନଙ୍କୁ ସେଇଠୁ ହଟେଇଦେବା କାମରେ ଲାଗିଯାଇଥିଲେ ।

ନିରୁପାୟ ଏବଂ ଆଉ କୌଣସି ଗତ୍ୟନ୍ତର ନ ଦେଖି ମା କୁଇଜାନ ଆକାଶ ଆଡକୁ ମୁହଁ କରି ଖୁବ୍ ଜୋର୍ ରେ କାନ୍ଦି ଉଠିଲା । “ହେ ଈଶ୍ୱର ,ତମେ କ’ଣ ଦୃଷ୍ଟିହୀନ ? ମୁଁ ଏଇ ଯେ ସାରାଜୀବନ ଧରି ମଣିଷର ଭଲ କରି ଆସିଲି , ଏଇ ହେଉଛି ତାହାର ପ୍ରତିଦାନ ! ମଥାରେ ଗୁଳି ଖାଇ ମରଣ ! ଆଉ ଝାଙ୍ଗ୍ ,ତମେ ଶୁଣି ଥାଅ, ତମେ ଗୋଟିଏ ରାଣ୍ଡିର ପିଲା, ତମର ମରଣ ଶେଜରେ ହେବନାହିଁ -ଏଇଟା ମନେରଖ।ଅଭିଶାପ ରହିଲା ।”

ଏହାପରର ଦୃଶ୍ୟଗୁଡିକ ମୁହୂର୍ତ୍ତକରେ ଘଟିଗଲା। କିଛି ଅଫିସର ଦୌଡି ଯାଇ ସେତୁ ଉପରର ରାସ୍ତାଟିକୁ ପୁରାପୁରି ଖାଲି କରିଦେଲେ । ଦକ୍ଷିଣ ପ୍ରାନ୍ତରୁ କିଏ ଜଣେ ଚିତ୍କାର କରି କହିଲା,”ଆଣ୍ଠୁ ମାଡି ବସ ।” ଉତ୍ତର ପ୍ରାନ୍ତରୁ ଆଉଜଣେ ସେମିତି ଚଢା ଗଳାରେ କହିଲା,” ସମସ୍ତେ ଏଇଠୁ ଘୁଞ୍ଚି ଯାଅ ।”

ଦ୍ରୁମ୍…ଦ୍ରୁମ୍…ଦ୍ରୁମ୍ …ତିନିଥର ଶୁଣାଗଲା ଗୁଳିର ଶବ୍ଦ ।

ଗୋଳାଗୁଳିର ଶବ୍ଦ ଯେମିତି ମୋ କାନଟାକୁ ଫଟାଇ ଦେଇଛି,ମନେ ହେଲା। ଥରଟିଏ ଲାଗିଲା ମୁଁ ଯେମିତି ବଧିର ହୋଇଯାଇଛି । ସୂର୍ଯ୍ୟ ବି ଏହା ଭିତରେ ଟିକିଏ ପ୍ରଖର । ଖରାର ଲାଲଚିଆ ଆଭା ମେଘର ଆଢୁଆଳରୁ ଏଇଭଳି ଓହ୍ଲାଇ ଆସିଛି ତଳକୁ, ବଡ ବଡ ଫର୍ ଗଛକୁ ଘୋଡାଇ ଦେଇ ରଖିବା ପାଇଁ । ବିଶାଳାକାର ମଣିଷର ଦେହ ଭଳି ଦେଖିବାକୁ କିଛି ମେଘ ଢଳି ପଡିଛି ସେତୁର ଉପରକୁ। ବରଫର ଆସ୍ତରଣ ଉପରକୁ ସେଇସବୁର ଛାଇ ନୈଶବ୍ଦର ଏକ ପ୍ରବଳ ଭାର ନେଇ  ଡେଇଁ ପଡିଛି ତଳକୁ। ସ୍ୱଚ୍ଛ ସ୍ଫଟିକ ଭଳି ତୀକ୍ଷ୍ଣ ରକ୍ତଧାରା ଯେମିତି ବହି ଆସିଛି ମେଘର ଶୀର୍ଷଦେଶରୁ । ସେତୁର ଉତ୍ତର ପ୍ରାନ୍ତରେ ଗୋଟିଏ ଆତଙ୍କ ଆଉ ଭୟାର୍ତ୍ତ ପରିବେଶ ସୃଷ୍ଟି ହୋଇଥିଲା ଯେତେବେଳେ ସେଇସବୁ ଗ୍ରାମବାସୀମାନଙ୍କ ମଧ୍ୟରେ, ଯେଉଁମାନଙ୍କ ଜୋରଦାର ପ୍ରଚାର ମାଧ୍ୟମରେ ଏଠିକୁ ଆସିବାକୁ ବାଧ୍ୟ କରା ହୋଇଥିଲା। ପୁଣି ସେଇ ଦୌଡଧାପଡ, ହୁଙ୍କାର .. “ଆଣ୍ଠୁମାଡି ବସ” “ଜାଗା ଖାଲି କର “- ଏଇ ସବୁର ଭିତରେ ପଇଁତାରା ଚାଲିଥିଲା ଚାରିଗୋଟି ପ୍ରାଣର ବିନାଶର ।

ପୁଣି ସେଇ ଗୁଳିର ଆବାଜ ! ଦେହରେ ଜୀର୍ଣ୍ଣ କୋଟ୍, ଟୋପିବିହୀନ ମଥା, ଲୁୟାନ ଫେଙ୍ଗସାନ ନଈକୂଳରେ ଗଡି ପଡିଲା। ପ୍ରଥମେ ତାହା ଧକ୍କା ଖାଇଥିଲା ମା କୁଇଜାନ ର ଦେହ ସହିତ । ସେତେବେଳକୁ ସେ ତ ଗୋଟିଏ ଗୁଳିଖାଇବା ପ୍ରାଣହୀନ ଦେହ ! ଏହା ପରେ ଗୋଟିକ ପରେ ଗୋଟିଏ ମାରିଦିଆଯାଇଥିଲା ସେଇ ଦୁଇ ନାରୀଙ୍କୁ। ଗୁଳି ଖାଇ ଯେମିତି ହାତପାଦ କୁ ଶୂନ୍ୟରେ ଉଡାଇଦେଇ ସେମାନେ ନଈକୂଳରେ ଖସି ପଡିଥିଲେ, ସେମାନଙ୍କର ସଂଗୀମାନଙ୍କର ଦେହର ପାଖାପାଖି । ମୁଁ ଏତେବେଳ ଯାଏଁ ବାପାଙ୍କ ହାତକୁ ଜାବୁଡି ଧରିଥାଏ ।ହଠାତ୍ ମନେହେଲା , ମୋର ପାଦଦେଇ ଗରମ କ’ଣ ଗୋଟାଏ ତରଳ ପଦାର୍ଥ ତଳକୁ ବହି ଯାଉଛି। ପ୍ୟାଣ୍ଟ ଭିଜି ଯାଉଛି ! ଅତି କମ୍ ରେ ଛଅସାତ ଜଣ ଲୋକ ସେତୁର ଉପରେ ସେତେବେଳକୁ ହଟ୍ଟଗୋଳ ଆରମ୍ଭ କରିଦେଲେଣି । ଏମାନେ ଠିକ୍ ଆମର ମଥାର ଉପରେ ଛିଡା ହୋଇଛନ୍ତି, ସେତୁର ଉପରେ,ପଥରଗୁଡିକ ଏତେ ଚାପିଚାପି ଛିଡାହୋଇଛନ୍ତି,ଯେମିତି ଆମ  ମଥାର ଉପରକୁ ଭାଙ୍ଗି ପଡିବ ! ସେମାନେ ଚିତ୍କାର କରି କହୁଛନ୍ତି, “ଚିଫ୍, ଆମେ କ’ଣ ଏବେ ମୃତଦେହଗୁଡିକୁ ପରୀକ୍ଷା କରି ଦେଖିବୁ,ସେମିନେ ଅସଲରେ ମରିଛନ୍ତି କି ନାହିଁ ?”

“କାହାର ଏମିତି ଏତେ ଗରଜ ପଡିଛି ? ସେମାନଙ୍କର ମଗଜଗୁଡିକ ଏମିତି ଛିନଛତ୍ର ହୋଇ ଛିଟକି ପଡିଛି ଯେ,ସ୍ୱୟଂ ପ୍ରଭୂ ଆବିର୍ଭାବ ହୋଇ ଏମାନଙ୍କୁ ଆଉ ପ୍ରାଣ ଫେରସ୍ତ ଦେଇ ପାରିବେ ନାହିଁ !”

“ତାହାହେଲେ ଚାଲ । ଏଥର ଯିବା । ଗୁୟୁଙ୍କ ପତ୍ନୀ ଙ୍କ ପ୍ରସ୍ତୁତ ବିନ୍ ସିଝା ଆଉ ଦହି ଏବଂ ତେଲରେ ଛଣା ପକୁଡି ଆମପାଇଁ ଅପେକ୍ଷା କରି ରହିଛି ଯେ ,ଚାଲ ଏଥର..”

ସେମାନେ ସେତୁକୁ ଅତିକ୍ରମ କରିବାକୁ ଲାଗିଲେ,ଉତ୍ତର ପ୍ରାନ୍ତକୁ ଯିବେ ,ସେମାନଙ୍କର ପଦପାତ ଶୁଭୁଥାଏ ଯେମିତି ଏକ ତୁଷାରପାତ।ପଥରର ରାସ୍ତା ଆଉ ଯୋଡେଇ ଯେମିତି ଯେ କୌଣସି ମୁହୂର୍ତ୍ତରେ ଭାଙ୍ଗି ପଡିବ । ମୋତେ କାହିଁକି ସେମିତି ମନେ ହେଉଥାଏ ।

ନୈଶବ୍ଦ ପ୍ରତ୍ୟାବର୍ତ୍ତନ କରିଥିଲା।

ବାପା ମୋତେ ସଜାଗ କରିବାପାଇଁ ଟିକିଏ ହଲାଇ ଦେଇ କହିଲେ,” ସେଇଠେ ଗୋଟେ ବୋକା ଭଳି ଛିଡା ହୋଇଛୁ କ’ଣ ? ଆସ୍,ଆମକୁ କାମଟି କରିବାକୁ ହେବ ।”

ମୁଁ ମୋ ଚାରିପଟକୁ ଦେଖିଲି,ହେଲେ ମୋତେ କିଛି ଜଣା ପଡୁନଥାଏ। ଏପରିକି ମୋ ବାପା ମୋ ବାପା ପରି ଲାଗୁଥାନ୍ତି ହେଲେ ସେ ଏଇ ଚାରିପଟରେ କେଉଁଠି ଅଛନ୍ତି ତାହା ଜାଣିପାରିଲି ନାହିଁ।

“ହଉ”, ମୁଁ ନିଶ୍ଚିତ ଭାବରେ ଏତିକି କହିପାରିଲି,”ହଉ”।

“ତୁ କ’ଣ ଭୁଲିଗଲୁ ?” ବାପା କହିଲେ। ” ଆମେ ତୋ ଜେଜେମା ପାଇଁ ଗୋଟିଏ ପଥି ନେବାକୁ ପରା ଆସିଛେ । ଆମକୁ ଶିଘ୍ର ସେଇଠି ପହଞ୍ଚିବାକୁ ହେବ। ନହେଲେ ଏଇ ଯେଉଁ ଦେହଚୋରମାନେ ସକ୍ରୀୟ ହେଲେଣି ସେମାନେ ଏଇ ଶବଗୁଡିକ ଉପରକୁ ଝାମ୍ପି ପଡିବା ଆଗରୁ ଆମକୁ ସେଇଠେ ପହଞ୍ଚି ଯିବା ଦରକାର ।”

ସେଇ ଶବ୍ଦମାନ ମୋ କାନରେ ତଥାପି ପ୍ରତିଧ୍ୱନୀତ କରୁଥିଲା ଯେତେବେଳେ ମୁଁ ଦେଖିପାରିଲି ନଈକୂଳରେ ନାନା ରଙ୍ଗର ସାତ ଆଠଟି ବଣୁଆ କୁକୁର ଆମ ଆଡକୁ ସେମାନଙ୍କର ନିଜ ନିଜ ଛାଇକୁ ଘୋଷାରି ଘୋଷାରି ନେଇ ଆସୁଛନ୍ତି ; ଆମକୁ ଭୁକୁଛନ୍ତି । ମୁଁ କେବଳ ଏତିକି ମନେ କରିପାରିଲି ଯେ ସେମାନେ କେଉଁଭଳି ପ୍ରଥମ ଗୁଳିଶବ୍ଦଟି ଶୁଣିବା ପରେ ଲାଙ୍ଗୁଡ ଜାକି ପଳେଇ ଯାଇଥିଲେ, ତାହା ସହିତ ତାଙ୍କର ଭୟାର୍ତ୍ତ ଭୁକିବା ବି ରହିଥିଲା ।

ମୁଁ ଦେଖିଲା ବାପା ଭଙ୍ଗା ଇଟା ଆଉ ଛୋଟ ପଥରକୁ ହାତରେ ଧରି ଆସୁଥିବା କୁକୁର ମାନଙ୍କ ଉପରକୁ ପୋପାଡି ସେମାନଙ୍କୁ ତଡିବାରେ ଲାଗିଥିଲେ। ସେମାନେ ତେଣୁ ଇତସ୍ତତଃ ପଳାୟନ କରୁଥିଲେ। ସେ ତାହାପରେ ନିଜର କୋଟ ର ପକେଟ୍ ଭିତରୁ ଗୋଟିଏ କାରୁକାର୍ଯ୍ୟ ଗଚିତ ଛୁରୀ ବାହାର କରି କୁକୁରମାନଙ୍କୁ କେବଳ ଡରାଇବା ଲକ୍ଷ୍ୟରେ ଶୂନ୍ୟରେ ତାହାକୁ ପତାକା ଭଳି ହଲାଉ ଥାଆନ୍ତି । ସୁନ୍ଦର ରୂପେଲି ତେରେଛା ଆଲୁଅ  ବାପାଙ୍କ କୃଷ୍ଣ ବର୍ଣ୍ଣର ସିଲହଟ ଉପରେ ଆସି ପଡୁଥାଏ। କୁକୁର ମାନେ ଦୂରତ୍ୱରେ ଯାଇ କିଛି ସମୟ ରହିଥାନ୍ତି । ବାପା ତାଙ୍କର ଅଣ୍ଟାରେ ଫିତାକୁ ଟିକିଏ ଦୃଢ କରି ଜାମାର ହାତକୁ ଟିକିଏ ଗୋଟାଇନେଲେ। “ମୋ ଉପରେ ଆଖି ରଖିଥା ” ସେ କହିଲେ ।

ଯେମିତି ଗୋଟିଏ ଛଞ୍ଚାଣ ତାହାର ଶିକାର ଉପରେ ଝାମ୍ପି ପଡିଥାଏ ସେଇଭଳି ସେ ନାରୀମାନଙ୍କର ଶବକୁ ଟାଣି ଆଣିଲେ, ତାହାପରେ ସେଇ ଶବଗୁଡିକ ଉପରେ ମା କୁଇଜାନର ଶବକୁ ଆଣି ରଖିଥିଲେ,ଯେମିତି ମା କୁଇଜାନ ଶବର ମୁହଁ ଉପରକୁ ରହେ । ବାପା ଟିକିଏ ଇତସ୍ତତଃ କରୁଥିଲେ। ତାହାପରେ ଆଣ୍ଠୁମାଡି , ମଥାକୁ ମାଟିରେ ଠୁକାଇ ମା କୁଇଜାନ ର ମୃତଦେହର ସାମନାରେ ବସି କହିଲେ,” ମୋତେ ମାଫ୍ କରିଦିଅନ୍ତୁ। ଆନୁଗତ୍ୟର ସୀମାକୁ ମୁଁ ଲଙ୍ଘନ କରିଯାଉଛି । ଯଦିଓ ଏଇଟି କରିବା ବେଳେ  ମୁଁ ମୋ ନିଜକୁ ଧିକ୍କାର କରୁଛି ।”

ମା କୁଇଜାନର ମରଣ ବେଳର କଥାଟି ମୋର ମନେ ପଡିଲା। ରକ୍ତମଖା ମୁହଁରେ ମାଟି ଉପରେ ଟଳି ପଡିବା ଆଗରୁ ସେ କହିଥିଲା,” ଝାଙ୍ଗ୍,  ମୋ କଥାଟି ଦିନେ ମିଳାଇ ନେବ ।ତମର ମରଣ ଶେଜରେ ହେବନାହିଁ ।” ବାପା ଖୁବ୍ ଚେଷ୍ଟା କରୁଥିଲେ ମା କୁଇଜାନ ର ପିନ୍ଧା କୋଟ ର ସାମନାର ବୋତାମଗୁଡିକୁ ଖୋଲିନେବା ପାଇଁ ,କିନ୍ତୁ ସେ ନିଜକୁ ଏଇଥିପାଇଁ ସଂଭାଳି ପାରୁନଥିଲେ । ଶେଷରେ ମୋତେ କହିଲେ,”ତୁ ଏଇ ଛୁରୀଟାକୁ ଧର ତ ! ମୋତେ  ଟିକିଏ ସାହାଯ୍ୟ କର ।”

ମନେ ପଡୁଛି,ମୁଁ ଯାଇ ଛୁରୀଟିକୁ ତାଙ୍କଠାରୁ  ନେବା ଆଗରୁ ବାପା ଦାନ୍ତରେ ଛୁରୀଟିକୁ କାମୁଡି ଧରି ମା କୁଇଜାନ ର  କୋଟ ର ବୋତାମଗୁଡିକୁ ଖୋଲିବା ପାଇଁ ଆପ୍ରାଣ ଚେଷ୍ଟା କରୁଥିଲେ । ଗୋଲାକାର,ସୁନେଲି ହଳଦୀ ରଙ୍ଗର,ବଡ ବିନ୍ ମଂଜି ଭଳି ବୋତାମଗୁଡିକୁ ତାହାକୁ ଘେରିରହିଥିବା  କୋଟ ର କାଜ ଭିତରୁ ବାହାର କରିବା ପ୍ରାୟତଃ ଅସମ୍ଭବ ଲାଗୁଥିଲା। ବାପା ଶେଷରେ ଅଧୈର୍ଯ୍ୟ ହୋଇ ତାହାକୁ ଟାଣି ଦୁଇଫାଳ କରି ଚିରି ଦେଇଥିଲେ । କୋଟର ଭିତରେ ଗୋଟିଏ ପତଳା ଛେଳି ଚମଡାର ଅସ୍ତର ଲାଗିଛି । ତାହାର ପଛରେ ସାଟିନ୍ କପଡା ର ଗୋଟିଏ ଗଂଜି ଭଳି ବେହରଣ ଅଛି ତାହାର ବୋତାମ ଗୁଡିକ ବି ଅବିକଳ ଆଗର କୋଟର ବୋତାମ ଭଳି। ତେଣୁ ତାହାକୁ ବି ଚିରି ଦୁଇଫାଳ କରିବାକୁ ପଡିଥିଲା ବାପାଙ୍କୁ । ଗଂଜି ପରେ ଆସିଲା ଆଉ ଗୋଟିଏ ପିନ୍ଧାଣ ,ଗଂଜି ତଳେ ଥିଲା ଭି ଆକୃତିର ଲାଲ ପଶମର ଗୋଟିଏ ଛାତିପିନ୍ଧା।ବାପା ରାଗରେ ଫୁସଫୁସ କରି ନିଃଶ୍ୱାସ ଛାଡୁଥାନ୍ତି । ମୋତେ ସ୍ୱୀକାର କରିବାକୁ ହେବ ଯେ ଏଇ ମୋଟା ବୁଢାଲୋକଟି ଯାହାର ବୟସ ପଚାଶରୁ ଅଧିକ ହେବ ସେ ସାଧାରଣ ପୋଷାକର ତଳେ ଭିତରେ ଭିତରେ ଏତେ ଅଦ୍ଭୁତ ଆଉ  ଆକର୍ଷଣୀୟ ପୋଷାକ ପିନ୍ଧି ପାରେ ! ମାତ୍ର ବାପା ଏତେ ରାଗିଯାଇଥିଲେ ଯେ ସେ ସେଇସବୁକୁ ପରିଧାନକୁ  ଫାଳଫାଳ କରି ଚିରି ଶବଦେହର ଦୁଇପଟରେ ଅଲଗା କରି ଗଦା କରିଦେଇଥିଲେ।ବର୍ତ୍ତମାନ ଶେଷରେ ,ମା କୁଇଜାନ ଙ୍କ ଥନ୍ତଲ ପେଟ ଆଉ ସମତଳ ଛାତି ସର୍ବସମକ୍ଷକୁ ବାହାରି ଆସିଲା। ଆଉ ଟିକିଏ ତଳକୁ ଝୁଙ୍କି ତାହାପରେ ବାପା ସିଧା ସଳଖ ନିଜର ହାତଟି ରଖିଥିଲେ ଶବଦେହର ହୃତପିଣ୍ଡ ରହିଥିବା ଜାଗାର ଠିକ୍ ଉପରେ। ପର ମୁହୂର୍ତ୍ତରେ ତାଙ୍କର ମୁହଁଟି ସୁନା ଭଳି ଚକଚକ କରି ଉଠିଲା। ସିଧା ଛିଡା ହୋଇ ପଡି ସେଇଠୁ ଛିଟିକି ଟିକିଏ ଦୂରରେ ସେ କହିଲେ,”ପୁଅରେ,ଦେଖ୍ ତ,ତାହାର ହୃତସ୍ପନ୍ଦନ ଏଇଲେ ଅଛି କି ?”

Illustration by Ramakanta Samantaray

ମୁଁ ତଳକୁ ନଇଁ ଶବଦେହର ଛାତି ଉପରେ ହାତ ରଖିଲି । ହଁ । ହୃତସ୍ପନ୍ଦନ ଅଛି । ତେବେ ଖୁବ୍ ଦୁର୍ବଳ,ଆସ୍ତେ -ଗୋଟିଏ ଠେକୁଆର ହୃତସ୍ପନ୍ଦନର ସ୍ୱାଭାବିକ ଗତି ଠାରୁ ଆହୁରି କମ୍ । କିନ୍ତୁ ଏବେବି ହୃତସ୍ପନ୍ଦନ ଅଛି।

“ହେ ମୋର ଦ୍ୱିତୀୟ ପିତା,ଆପଣଙ୍କର ମଗଜ,ମଗଜର ଘିଅ ସବୁ ଏଇ ଭଳି ଛିନ୍ନଭିନ୍ନ ହୋଇଯାଇଛି ଯେ ସ୍ୱୟଂ ପ୍ରଭୂ ଅବତରି ଆସିଲେ ବି ଆପଣଙ୍କୁ ଆଉ ବଞ୍ଚାଇପାରିବେ ନାହିଁ । ଆପଣ କେବଳ ମୋତେ ଆପଣଙ୍କ ଉପଯୁକ୍ତ ସନ୍ତାନ ହେବାର ଶକ୍ତି ପ୍ରଦାନ କରନ୍ତୁ। ଆପଣ କ’ଣ ତାହା ଦେବାକୁ କୁଣ୍ଠିତ ହେବେ ?” ଏମିତି କହି ବାପା ମୋ ଠାରୁ ଛୁରୀଟାକୁ ଇଙ୍ଗିତରେ ମାଗିନେଇ ଦାନ୍ତରେ ତାହାକୁ କାମୁଡି ଧରି ପୁଣି ବସି ଯାଇଥିଲେ ମା କୁଇଜାନ ର ଛାତି ଉପରେ । ଛୁରୀଟାକୁ ହାତରେ ଧରି  ଦାନ୍ତରେ ଦାନ୍ତକୁ ଚାପି ସେ ଏହାପରେ ଦୁଇଫାଳ କରିବାକୁ ଚାହୁଁଛନ୍ତି ଶବଦେହର ହୃତପିଣ୍ଡକୁ। ଛୁରୀରେ ଘଷି ଘଷି କାଟି ବସିଛନ୍ତି,କିନ୍ତୁ କୌଣସି ମତେ ସଫଳ ହେଉ ନାହାଁନ୍ତି। ଚମଡାର ତଳେ ଏଇଠି ଯେମିତି ରବର ଭଳି କେମିତି ଗୋଟିଏ ଆସ୍ତରଣ ! ବାପା ପ୍ରାଣପଣେ ଚେଷ୍ଟା କରୁଛନ୍ତି । “ହେ ଦ୍ୱିତୀୟ ପ୍ରଭୂ ହେ ମା କୁଇଜାନ,ମୁଁ ଜାଣିଛି ଏମିତି ମୃତ୍ୟୁ ଆପଣଙ୍କର ପ୍ରାପ୍ୟ ନୁହଁ । ଆପଣଙ୍କ କ୍ଷୋଭ ଯାହା ରହିଛି ସେସବୁ କେବଳ ଚିଫ୍ ଝାଙ୍ଗ୍ ପ୍ରତି ପ୍ରଯୁଜ୍ୟ। ମୋତେ କେବଳ ମୋହର କାର୍ଯ୍ୟଟି କରିବାକୁ ସମ୍ମତି ପ୍ରଦାନ କରିବା ହୁଅନ୍ତୁ । ଏହା ଛଡା ମୋର ଆଉ କିଛି କରିବାର ନାହିଁ ।”

ବାପା ନିଜର କାମରେ ପୁଣି ମନୋଯୋଗ ଦେଇଥିଲେ । ଦୁଇଥର ଚେଷ୍ଟା କରିବା ପରେ ବି ସେ କାଟି ପାରିଲେ ନାହିଁ । ଆସ୍ଥିରତାର କାରଣରୁ ଝାଳ ବିନ୍ଦୁ ବିନ୍ଦୁ ହୋଇ ତାଙ୍କର କପାଳରେ ଜମିଯିବାକୁ ଲାଗିଲା,ଚିବୁକଟି ଶକ୍ତ ହୋଇ ଉଠିଲା,ସେଇଠି ବି ବରଫ କଣା ଭଳି ବିନ୍ଦୁ ବିନ୍ଦୁ ଝାଳ । ଏପଟେ କୁକୁର ଗୁଡିକ ଆସ୍ତେ ଆସ୍ତେ ଇଂଚ ପରେ ଇଂଚ ଆମ ଆଡକୁ ମାଡି ଆସୁଛନ୍ତି ।ସେମାନଙ୍କର ଆଖି ଗୁଡିକ ଜଳନ୍ତା କୋଇଲା ଭଳି ଟକଟକ ଲାଲ,ବେକ ଉପରର ପଶମ ଗୁଡିକ କେଶର ଭଳି ଶକ୍ତ ହୋଇ ଫୁଲି ଉଠିଛି ,ବିଷଦାନ୍ତ ଗୁଡିକ ବାହାରି ଆସିଛି,ମନେ ହେଲା ।  “ବାପା,ଶିଘ୍ର କାମଟା ସାର । କୁକୁରଗୁଡା ପାଖାପାଖି ହେଲେଣି !” ବାପା ଉଠି ଛିଡାହୋଇ ଦି ପାହୁଣ୍ଡ ଆଗକୁ ଯାଇ ହାତର ଛୁରୀଟାକୁ ପୁଣି ମଥାର ଉପରକୁ ଟେକି ଧରି ଶୂନ୍ୟରେ ତାହାକୁ ଘୁରାଇବାକୁ ଲାଗିଲେ । ଯେତେଟା ପାରିବେ ,ସେମାନଙ୍କୁ ଭୟ ଦେଖାଇ ଯଥାସମ୍ଭବ ଦୂରରେ ଘୁଞ୍ଚାଇ ରଖିବାର ଚେଷ୍ଟା । ପଛକୁ ପୁଣି ଫେରି ଆସିଲେ ,ମା କୁଇଜାନ ର ପାଖରେ ବସିପଡି କହିଲେ,” ମା କୁଇଜାନ, ମୋର ଆଉ କୌଣସି ପଥ ନାହିଁ । ତମକୁ  କାଟି ଛିଣ୍ଡାଛିଣ୍ଡି କରିବାକୁ ପଡିବ ଏଇଲେ । ମୁଁ ଏଇ କାମଟି ଏଇଲେ ନକଲେ ବି ଆଉ ଟିକକ ପରେ ଏଇ କୁକୁରଗୁଡିକ ସେଇ କାମ ନିଜର ଦାନ୍ତରେ କରିଦେବେ। ସେମାନଙ୍କ ଅପେକ୍ଷା ବରଂ ମୋ ହାତରେ ଏଇ କାର୍ଯ୍ୟ ସଂପାଦନ ହେଉ ।”

ଦୃଷ୍ଟି ଶକ୍ତ ହୋଇଗଲା ବାପାଙ୍କର, ଆଖି ଦୁଇଟି ବିସ୍ଫାରିତ ! ନିଜର ସଂକଳ୍ପରେ ଦୃଢ ହୋଇ ମା କୁଇଜାନ ର ବୁକୁ ଠାରୁ ତଳ ପର୍ଯ୍ୟନ୍ତ  ସେ ଗୋଟିଏ ଆବେଶରେ ନିଜର ଛୁରୀରେ ଚିରି ଫାଳ କରି ପକାଇଲେ । ଛୁରୀ ପ୍ରବେଶ କରିଥିବା ସ୍ଥାନଗୁଡିକରୁ କଳା ଘନ ରକ୍ତର ଧାରା ବହିଯିବାକୁ ଲାଗିଲା। ପଞ୍ଜରା ର ହାଡମାନ କିନ୍ତୁ ତାଙ୍କର ଛୁରୀର ଗତିକୁ ରୋକିଦେଇଥିଲା। “ମୋ ମୁଣ୍ଡ ଖରାପ ହୋଇ ଯାଇଛି ” ସେ କହିଲେ ଆଉ ଛୁରୀଟାକୁ  ବାହାର କରି ଆଣି ତାହାର ହାତଲକୁ ଦୃଢ ଭାବରେ ଧରି ମା କୁଇଜାନ ର ଚମଡା କୋଟରେ ତାହାକୁ ପୋଛି ନେଇଥିଲେ,ଆଉ ତାହାପରେ ମା କୁଇଜାନର ଛାତିକୁ କଟା ଜାଗାରୁ ଦୁଇ ହାତରେ ଧରି ଦୁଇଫାଳ କରିଦେଇଥିଲେ।

କାନରେ ପଡିଲା ଗୌଟିଏ ଗଡଗଡ ଆବାଜ ଆଉ ଦେଖିଲି ଛୁରୀଟା ଚମଡାର ତଳର ମେଦକୁ ଭେଦ କରି ଶେଷରେ ପାକସ୍ଥଳୀକୁ ଦେଖାଇ  ଦେଇଛି। ସାପ ଭଳି କୁଣ୍ଡଳାକାର, ହଳଦୀ ବର୍ଣ୍ଣର ଅନ୍ତନାଡୀ ସବୁ ! କି କଦର୍ଯ୍ୟ, ଉତ୍କଟ ଗୋଟିଏ ଉଷୁମୁଳିଆ ଦୁର୍ଗନ୍ଧ ଆସି ମୋ ନାକରେ ବାଜିଲା ।

ଅନ୍ତନାଡୀ ଆଦିର ଗହଳୀରେ ହାତ ବୁଲାଇ ନେଲାବେଳକୁ ବାପା ଜଣେ ଅସ୍ଥିର ମଣିଷ। ହାତକୁ ଭିତରକୁ ଭର୍ତ୍ତି କରୁଥାନ୍ତି ଆଉ ବାହାର କରି ଆଣୁଥାନ୍ତି , ନିଜକୁ ଅଭିଶାପ ଦେଉଥାନ୍ତି ପୁଣି ନିଶ୍ଚିତ ହେଉଥାନ୍ତି ଆଉ ଏଇ ଭଳି ସେ ନିଜ ହାତରେ ଶବଦେହରୁ ସବୁ ଅନ୍ତନାଡୀ ଆଦିକୁ ବାହାର କରି ଆଣିଥିଲେ,ରହିଯାଇଥିଲା କେବଳ ମା କୁଇଜାନ ର ଗୋଟିଏ ସତକୁ ସତ ଫମ୍ପା ଉଦର ।

“ବାପା, ତମେ କ’ଣ ଖୋଜୁଛ?” ମୁଁ ଆଗ୍ରହରେ ପଚାରିଲି।

“ପିତ୍ତକୋଷ । ଶଳା, ପିତ୍ତକୋଷଟା ଗଲା କୁଆଡେ?”

ବାପା ଶବଦେହର ଛାତି ତଳର କଟା ଯାଇଥିବା ଜାଗା ଦେଇ ହାତ ଭର୍ତ୍ତିକରି ଭିତରୁ ସବୁ ଜିନିଷ ଗୋଟିକ ପରେ ଗୋଟିଏ ବାହାରକୁ ଟାଣି ଆଣି ଥୋଇଥିଲେ ,ଏମିତି ତାଙ୍କର ହାତ ଯାଇ  ପହଞ୍ଚିଥିଲା ହୃତପିଣ୍ଡ ଯାଏଁ,ହୃତପିଣ୍ଡଟି ତଥାପି ସୁନ୍ଦର ,ଲାଲ। ତାହାପରେ ଫୁସଫୁସ। ଶେଷରେ କଲିଜା ର ପାଖାପାଖି , ସେ ଆବିଷ୍କାର କରିଥିଲେ ଅଣ୍ଡିକୃତି ପିତ୍ତକୋଷକୁ। ଅତି ଯତ୍ନରେ ସମସ୍ତ ସତର୍କତାର ସହ ସେ ଛୁରୀର ଅଗରେ କାଟି କଲିଜା ଠାରୁ ପିତ୍ତକୋଷକୁ ଅଲଗା କରିଥିଲେ । ତାହାପରେ ତାହାକୁ ହାତର ପାପୁଲିରେ ରଖି ଭଲଭାବରେ ପରୀକ୍ଷା କରିଥିଲେ। ସେଇଟା ଭିଜା ଭିଜା ଆଉ ପିଚ୍ଛିଳ ଥିଲା। ସୂର୍ଯ୍ୟର ଆଲୋକ ପଡିବା ପରେ ତାହା ଆହୁରି ଚକଚକ କରି ଉଠିଲା , ଠିକ୍ ଯେମିତି ଗୋଟିଏ ଗାଢ ନୀଳବର୍ଣ୍ଣର ରତ୍ନଖଣ୍ଡ।

ଖୁବ୍ ସାବଧାନରେ ସେ ସେଇଟିକୁ ମୋ ହାତକୁ ବଢାଇଦେଇ କହିଲେ,”ଖୁବ୍ ଖେୟାଲ କରି ଏଇଟିକୁ ଧରିଥା । ମୁଁ ଏଇଲେ ଲୁୟାନ ଫେଙ୍ଗସାନ ର ପିତ୍ତଟା କାଢିବି ।”

ଏଥର ବାପାଙ୍କର ଆଉ କୌଣସି ତ୍ରୁଟି ହୋଇନି।ଅଭିଜ୍ଞ ସର୍ଜନ ଭଳି ଫେଙ୍ଗସାନ ର ବେଲ୍ଟ କୁ ଖୋଲି,ତାହାର ଜୀର୍ଣ୍ଣଶୀର୍ଣ୍ଣ କୋଟକୁ ସେ ଟାଣି ଛିଣ୍ଡାଇ ପକାଇଥିଲେ । ଏହାପରେ ଗୋଟିକ ପରେ ଗୋଟିଏ କରି ଧାପ ପରେ ଧାପ ରେ ସେ ଫେଙ୍ଗସାନକୁ ଛୁରୀରେ ଚିରିବାକୁ ଲାଗିଲେ। ସବାଶେଷରେ ସେ ସେହି ଆକାଂକ୍ଷିତ ପିତ୍ତକୋଷ ର ନିକଟରେ ଯାଇ ପହଞ୍ଚିଥିଲେ। ଛୋଟ ଗୋଟିଏ ଆପ୍ରିକଟ ଭଳି ଦେଖା ଯାଉଥିଲା ସେହି ପିତ୍ତକୋଷ।

“ଚାଲ୍, ଏଥର ଏଇଠୁ ଫେରିବା”,ବାପା କହିଲେ।

ଆମେ ଦୁହେଁ ଖୁବ୍ ତରତର ହୋଇ ନଈର କୂଳଯାଏଁ ଯାଇଥିଲୁ, ସେଇଠି କୁକୁର ମାନେ ନିଜନିଜ ଭିତରେ ଫୋପଡା ହୋଇଥିବା ଅନ୍ତଃନଳୀକୁ ନେଇ ଯୁଦ୍ଧ କରୁଥିଲେ। ଧାରାଟିଏ ଲାଲ ଦିଶୁଥିଲା ସୂର୍ଯ୍ୟର, ଯେତେବେଳେ ସୂର୍ଯ୍ୟର କିରଣ ସେଇ ଫୋପଡା ଯାଇଥିବା ଛୋଟ ଅଥବା ବଡ ଅଂଶଗୁଡିକରେ ପଡୁଥିଲା।

ଜେଜେମାର ଆଖିରେ ପରଳ ଜଟିଳ ଅବସ୍ଥାରେ ପହଞ୍ଚିଯାଇଛି । ଚକ୍ଷୁ ଚିକିତ୍ସକ ଲୁଓ ଦଶାନଙ୍କ ଏପରି ଧାରଣା। ସେ ଏମିତିରେ ଜଣେ ଅଲୌକିକ କର୍ମୀ। ତାଙ୍କର କହିବା ଅନୁସାରେ ଜେଜେମାର ଆଖିର ଆସୁଖର କାରଣ ହେଉଛି ତାହାର ଶରୀର ର ଅନ୍ତଃସ୍ଥଳୀରେ ହୋଇଥିବା ତିନୋଟି କଣା ଆଉ ସେଇ କଣାରୁ ଉଠି ଆସୁଥିବା ଉତ୍ତାପ । ଏହାର ଉପଚାର ଆକାରରେ ସେଇଥିପାଇଁ ଆବଶ୍ୟକ ପଡୁଛି ଏମିତି କିଛି ପଦାର୍ଥ ଯାହା ପ୍ରକୃତିଗତ ଭାବରେ ଥଣ୍ଡା ହୋଇଥିବ ଆଉ ବିଶେଷ ଭାବରେ ତିକ୍ତ ହୋଇଥିବ। ବାପା ଯେତେବେଳେ ଜେଜେମାର ଅସୁଖର ପ୍ରତିକାର ବିଦ୍ଧି କଥା ଜାଣିବା ପାଇଁ  ନିବେଦନ କରିଥିଲେ ସେତେବେଳକୁ ଏଇ ଚିକିତ୍ସକ ଜଣକ ଭାରି ବ୍ୟସ୍ତ ଥିଲେ। ସେ ନିଜର ଓଭର କୋଟର ତଳ ଭାଗକୁ ଟିକିଏ ଟେକି ଧରି ବାହାରକୁ କୁଆଡେ ଯିବାକୁ ବାହାରିଥିଲେ ।

” ହୁଁ, ଉପଚାର ବିଦ୍ଧି ଏଇ ପ୍ରକାର କିଛି ..” ଅଲୌକିକ କର୍ମୀ ଲୁଓ ବାପାଙ୍କୁ କହିଥିଲେ ଗୋଟିଏ ଘୁଷୁରିର ପିତ୍ତକୋଷ କୁ ସଂଗ୍ରହ କରି ତାହାର ଚିପୁଡାକୁ ସେବନ କଲେ ମାଆର  ଆକ୍ରାନ୍ତ ଆଖି ପରିଷ୍କାର ହୋଇଯିବ ।”

“ଛେଳିର ପିତ୍ତକୋଷ ହେଲେ?” ବାପା ପଚାରିଥିଲେ।

“ଛେଳି ଚଳିବ। ଭଲ ।” ଚିକିତ୍ସକ କହିଲେ,” ସେମିତି ଭାଲୁର ହେଲେ ଆହୁରି ଭଲ ହେବ। ଆଉ ତମର ହାତରେ ଯଦି କେଉଁ ମଣିଷର ପିତ୍ତକୋଷ ଆସି ବାଜିଯାଏ, ତାହା ସବୁଠୁ ସବୁଠୁ ଭଲ । ହା ହା । ଦେଖିବ ତମର ମାଆଙ୍କ ଦୃଷ୍ଟିଶକ୍ତି ପୁରାପୁରି ସ୍ୱାଭାବିକ ଅବସ୍ଥାକୁ ଫେରି ଆସିଛି।”

ମା କୁଇଜାନ ଆଉ ଲୁଆନ ଫେଙ୍ଗସାନ ଙ୍କ ପିତ୍ତକୋଷ କୁ  ବାପା ଗୋଟିଏ ଗ୍ରିନ ଟି ଥିବା ପାତ୍ରରେ ଚିପୁଡି ଦେଲେ ଆଉ ସେଇ ପିତ୍ତ ମିଶ୍ରିତ ଗ୍ରୀନ ଟିକୁ ଧରାଇ ଦେଇଥିଲେ ଜେଜେମାର ଦୁଇ ହାତରେ । ସେ ତାହାକୁ ନିଜର ଓଠ ପାଖକୁ ଉଠାଇ ନେଲା। ତାହାର ଜିଭର ଅଗ୍ରଭାଗ ତାହାକୁ ଛୁଇଁଥିଲା । ” ଆରେ ଗୋଇଜି ର ବାପ, ଏଇ ପିତ୍ତଟା ତ ବଡ ପିତା, କହିଲୁ ଏଇ ପିତ୍ତ କାହାର ?”

ବାପା ଉତ୍ତର ଦେଲେ ,”ଏଇ ପିତ୍ତ ମା ( ଘୋଡା) ଆଉ ଲୁଆନ ଠୁ ଆସିଛି ।”

“ଗୋଟିଏ ମା ଆଉ ଗୋଟିଏ ଲୁଆନ ,ତୁ କହୁଛୁ ? ମା ମାନେ ଘୋଡା ମୁଁ ଜାଣିଛି ଆଉ ଏଇ ଲୁଆନ ଟା କ’ଣ ?”

ମୁଁ ନିଜକୁ ଆଉ ସମ୍ଭାଳି ପାରିଲି ନାହିଁ , କିଛି ନ ବିଚାରି ମୁଁ ହଠାତ୍ କହି ଉଠିଲି,” ଜେଜେମା ଏଇଟା ମଣିଷର ପିତ୍ତ,ମା କୁଇଜାନ ଆଉ ଲୁଆନ ଫେଙ୍ଗସାନ ର ପିତ୍ତ,ବାପା ତାହାକୁ ସେମାନଙ୍କର କଲିଜାରୁ କୋରି ଆଣିଛନ୍ତି ।”

ଗୋଟାଏ ଉତ୍ତେଜନାରେ ଥରି ଉଠି ଜେଜେମା ହଠାତ୍ ତଳକୁ ଖସିପଡିଲା,ତଳର ପଥର ଚଟାଣ ଉପରକୁ ,ଜୀବନ ନଥିବା ଖଣ୍ଡିଏ ପଥର ପରି ।

°°°°°

Chinese novelist and short story writer Mo Yan (17 February 1955)

୧୯୫୫ ମସିହାରେ  ଜନ୍ମିତ ପ୍ରଖ୍ୟାତ କଥାକାର ମୋ ଇୟାନ ୨୦୧୨ ମସିହାରେ ସାହିତ୍ୟ ପାଇଁ ନୋବେଲ ପୁରସ୍କାର ଲାଭ କରିଥିଲେ। ତାଙ୍କର ଗୋଟିଏ କ୍ଷୁଦ୍ରଗଳ୍ପ ସଂକଳନ ଅଛି ,ତାହାର ନାଆଁସିଫୁ,ୟୁ ୱିଲ୍ ଡୁ ଏନିଥଥିଙ୍ଗ୍ ଫର୍ ଲାଫ୍ଅର୍ଥାତ୍ ଯାହାର ତର୍ଜମା ଓଡିଆରେ କଲେ ଏଇଭଳି ହେବ,”ସିଫୁ,ଗୋଟିଏ ହସ ପାଇଁ ତମେ ଯାହା ଇଚ୍ଛା ତାହା କରିପାର ଶୀର୍ଷକଟି ନିହାତି ଗୋଟିଏ ସ୍ପଷ୍ଟ ଅଭିମତ ପରି ପ୍ରଥମରୁ ମନେ ହେବ। ବହିର ଯେଉଁ ପ୍ରଚ୍ଛଦକୁ ଉପସ୍ଥିତ ଲେଖକ ଦେଖିଛି ସେଥିରେ ରହିଛି ଗୋଟିଏ ସମାଧି ଫଳକ ଆଉ ସେହି ସମାଧିଫଳକରେ ସମାଧିଲେଖ ବା ଏପିଟାଫ୍ ଆକାରରେ ଏଇ କଥା ଅର୍ଥାତ୍ସିଫୁ,ଗୋଟିଏ ହସ ପାଇଁ ତମେ ଯାହା ଇଚ୍ଛା ତାହା କରିପାରବୋଲି ଲେଖାଯାଇଛି। ଅର୍ଥାତ୍ ଏଥିରୁ ଆମେ ସମଗ୍ର ସଂକଳନର ଆଧାର ବିନ୍ଦୁ ଆକାରରେ ଯାହା ବୁଝିପାରିବା ତାହା ହେଉଛି ଯେହସଆଉଯାହା ମନ ତାହା କରିବାଭିତରେ କାହାଣୀ ଚରିତ୍ର ମାନଙ୍କୁ ଅତୀତର ଏକ ସମାଧୀଲେଖ ହିସାବରେ ଉପସ୍ଥାପନା କରାଯାଇଛି। ସଂକଳନର ପ୍ରଥମ ଗଳ୍ପ ହେଉଛି ଶୀର୍ଷକ ଗଳ୍ପସିଫୁ,ୟୁ ୱିଲ୍ ଡୁ..” ଆଉ ଏହା କହିବାକୁ ଗଲେ ସଂକଳନର ସବୁଠାରୁ ଦୀର୍ଘତମ ଗଳ୍ପ, ତାହାପରେ ଏଥିରେ ଆଉ ସାତୋଟି କ୍ଷୁଦ୍ରାୟତନର ଗଳ୍ପ ରହିଛି। ସେଇ କ୍ଷୁଦ୍ରାୟତନର ଗଳ୍ପ ମାନଙ୍କ ଭିତରୁ ଗୋଟିଏ ଗଳ୍ପ ଯାହାର ମୂଳ ଶୀର୍ଷକ ହେଉଛିଦି କିଓର୍ତାହାର ଅନୁସୃଜନ ହେଉଛି ଉପସ୍ଥିତ ଏଇ ଗଳ୍ପ।

ଆଉ ଗୋଟିଏ ତଥ୍ୟର ଉଲ୍ଲେଖ କରିବା ଆବଶ୍ୟକ। ଏହି ସଂକଳନର ଶୀର୍ଷକ ଗଳ୍ପସିଫୁ,ୟୁ ୱିଲ୍ କାହାଣୀକୁ ଚାଇନାର ପ୍ରଖ୍ୟାତ ନିର୍ଦ୍ଦେଶକ ଝାଙ୍ଗ ୱିମୋଓ ଚଳଚ୍ଚିତ୍ର ରୂପ ଦେଇଛନ୍ତି ଆଉ ସେହି ଚଳଚ୍ଚିତ୍ରର ନାଆଁ ହେଉଛିହାପି ଟାଇମସ୍ ମୋ ଇୟାନ୍ ଙ୍କର ଆଉ କେତୋଟି ଲେଖା ବି ଚଳଚ୍ଚିତ୍ର ରୂପ ନେଇଛି।

ସିଫୁ,ୟୁ ୱିଲ୍ ..” ସଂକଳନ ରେ ଉପକ୍ରମ ହିସାବରେ ମୋ ଇୟାନଙ୍କର ଗୋଟିଏ ଆଲେଖ ରହିଛି। ଜଣେ ଲେଖକ ନିଜକୁ କେମିତି ବୁଝେ ଆଉ କାହିଁକି ଲେଖେ ସେ ସଂପର୍କରେ ସେଇଟି ହେଉଛି ଗୋଟିଏ ଆକର୍ଷଣୀୟ ରଚନା। ମୋ ଇୟାନ ତାହାର ଶୀର୍ଷକ ରଖିଛନ୍ତିହଙ୍ଗର ଆଣ୍ଡ ଲୋନଲିନେସ୍: ମାଇଁ ଟୁ ମ୍ୟୁଜେସ୍ଅର୍ଥାତ୍ କ୍ଷୁଧା ଏବଂ ନିର୍ଜନତା ହେଉଛି ଲେଖକଙ୍କ ଦୁଇଟି ପ୍ରେରଣାଦେବୀ।

ମୋ ଇୟାନ୍ ଲେଖିଛନ୍ତି :

ପ୍ରତି ବ୍ୟକ୍ତିର ଲେଖକ ହେବାପାଇଁ ତାହାର ନିଜର କିଛି କାରଣ ରହିଥାଏ ଆଉ ମୁଁ ତାହାର ବ୍ୟତିକ୍ରମ ନୁହଁ। ମୁଁ କାହିଁକି ଏମିତି ଜଣେ ଲେଖକ ହେଲି,କାହିଁକି ଆଉ ଗୋଟିଏ ହେମିଙ୍ଗଓୟେ କି ଫକନର୍ ଭଳି ଲେଖକ ହେଲିନାହିଁ ,ମୁଁ ବିଶ୍ୱାସ କରେ,ଏହି କଥା ସହିତ ଜଡିତ ରହିଛି ମୋର ପିଲା ଦିନର ସ୍ମୃତି ତାହା ମୋ ଲେଖକଜୀବନ ପାଇଁ ଏକ ଆଶୀର୍ବାଦ ସ୍ୱରୂପ ଆଉ ତାହା ହିଁ  ମୋତେ ସବୁବେଳେ ସାଧାରଣ ରାସ୍ତାରେ ବାଟଚାଲିବା ପାଇଁ ବାଧ୍ୟ କରିଥାଏ

ଆଜିଠୁ ଚାଳିଶ ବର୍ଷ ପଛକୁ ଯାଇ ଦେଖିଲେ ,ଷାଠିଏ ଦଶକର ଆଦ୍ୟଭାଗ,ମୁଁ ଯେତେବେଳେ ଆଧୁନିକ ଚାଇନାର ସେଇ ବିକଟ କାଳକୁ ପୁନର୍ଭ୍ରମଣ କରେ , ସେଇଟା ଏକ ଅଦ୍ଭୁତପୂର୍ବ ମୌଳବାଦର ସମୟ ଥିଲା। ଗୋଟିଏ ପଟେ, ସେ ସମୟରେ, ଅର୍ଥନୈତିକ ସ୍ଥାଣୁତା ଆଉ ବ୍ୟକ୍ତିବାଦର ପ୍ରବଞ୍ଚିତ ରୂପ   ଲୋକମାନେ ସଂଘର୍ଷ କରୁଥିଲେ ସଂକ୍ଷିପ୍ତ ଖାଦ୍ୟରେ ଆଉ ବସ୍ତ୍ରରେ କେଉଁଭଳି ମରଣକୁ ଦୁଆରମୁହଁରେ ଅଟକାଇ ଦିଆଯାଇପାରିବ। ଆଉ ଅନ୍ୟପଟରେ, ଏହାଥିଲା ଏପରି ଏକ ସମୟ ଯେଉଁଠି ରାଜନୀତି ପ୍ରତି ପ୍ରବଳ ଆବେଗ , ଯେତେବେଳେ କ୍ଷୁଧାର୍ତ୍ତ ଜନତା ନିଜର ପାଇଜାମାର ବେଲ୍ଟକୁ ଟାଣ କରି ବାନ୍ଧି ପାର୍ଟିକୁ ତାହାର ସମସ୍ତ ସାମ୍ୟବାଦୀ ପରୀକ୍ଷାରେ ସହଯୋଗ କରୁଥିଲେ।  ଆମେମାନେ କ୍ଷୁଧାର୍ତ୍ତ ଥିଲୁ ସେତେବେଳେ ଆଉ ନିଜକୁ ପୃଥିବୀର ସବୁଠାରୁ ସୌଭାଗ୍ୟବାନ ବୋଲି ବି ବିଚାର କରୁଥିଲୁ ଆମେ ବିଶ୍ୱାସ କରୁଥିଲୁ ଯେ ଆମେ ହୁଏତ ଦାରୁଣ ଅଭାବ ଆଉ ଅନାଟନରେ ଅଛୁ ମାତ୍ର ଏଇ ବୁଡିଯାଉଥିବା ଆମମାନଙ୍କୁ ଆମର ଉଦ୍ଧାର କରିବା ଆମର ସାମୁହିକ ପବିତ୍ର କର୍ତ୍ତବ୍ୟ।ଆମେ ବିଶ୍ୱକୁ ଆମର ଦ୍ୱାର ଖୋଲିଲୁ , ଆମେ ଶେଷରେ ବାସ୍ତବତାକୁ ଭେଟିଲୁ,ଯେମିତି ଆମେ ସଦ୍ୟ ଗୋଟିଏ ସ୍ୱପ୍ନରୁ ଉଠି ଆସିଛୁ।

ପିଲାଦିନେ ମୁଁ ଫଟୋଗ୍ରାଫି ବିଷୟରେ କିଛି ଜାଣିନଥିଲି ଏପରିକି ନିଜର ଛବିଟିଏ ତୋଳିବା ପାଇଁ ଆମର ସାମର୍ଥ୍ୟ ନଥିଲା। ତେଣୁ ମୋର ପିଲାଦିନର ଛବି ଗୁଡିକୁ ମୁଁ ସାଧାରଣତଃ ଐତିହାସିକ ଛବିରୁ ଆଉ ସ୍ମୃତିରୁ ଖଣ୍ଡ ଖଣ୍ଡ ହିସାବରେ ଦେଖି ସେସବୁକୁ ଏକାଠି କରି ଯୋଡିଥାଏ ତେଣୁ ଏଇଠି ମୁଁ କହିପାରିବି ଯେ,ଯେଉଁ ଛବି ମୁଁ ନିର୍ମାଣ କରିଥାଏ ତାହା ମୋ ପାଇଁ ଅବିକଳ ଫଟୋଗ୍ରାଫ୍

୧୯୬୧ ବସନ୍ତକାଳର କଥା।ଆମର ପ୍ରାଥମିକ ସ୍କୁଲକୁ କିଛି ଚକଚକ କଳା ରଂଗର କୋଇଲା ସରବରାହ କରାଯାଇଥିଲା। ଆମେ ଏଇ ଭଳି ସାଧାରଣ ଘଟଣାମାନଙ୍କ ଠାରୁ ଏତେ ବିଚ୍ୟୁତ ହୋଇଯାଇଥିଲୁ ରେ ଆମେ ଜାଣିନଥିଲୁ ଏଇ କଳା ପଦାର୍ଥଟି ? ଆମ ଭିତରୁ ଯେଉଁମାନେ ଉଜ୍ଜଳ ଛାତ୍ର ଥିଲେ ସେମାନେ ସେଥିରୁ ଖଣ୍ଡିଏ ଖଣ୍ଡିଏ ଧରି କଡମଡ କରି ଚୋବାଇବାରେ ଲାଗିଲେ। ସେମାନଙ୍କ ମୁହଁର ଭାବଭଂଗୀରୁ ଲାଗୁଥାଏ ସେମାନେ ଯେମିତି ଏଇଲେ ପୃଥିବୀର ସବୁଠାରୁ ସୁସ୍ୱାଦୁକର ଖାଦ୍ୟ ଖାଉଛନ୍ତି। ସେମାନଙ୍କର ଦେଖାଦେଖି ଆମେ ବି ସେଥିରୁ ଖଣ୍ଡିଏ ଖଣ୍ଡିଏ ଆଣି ଚୋବାଇବାରେ ଲାଗିଗଲୁ। ମୁଁ ତାହାକୁ ଯେତିକି ଯେତିକି ଖାଉଥାଏ ମୋତେ ତାହା ଅଧିକରୁ ଅଧିକ ସ୍ୱାଦ୍ଦିଷ୍ଟ ଲାଗୁଥାଏ ଗାଆଁର ଲୋକମାନେ ଖବର ପାଇ ଆସିଥିଲେ ଆଉ ଆମମାନଙ୍କ ସହିତ ପରମ ଉତ୍ସାହରେ ତାହାକୁ ଭକ୍ଷଣ କରିଥିଲେ

କୌଣସି ସୁସ୍ୱାଦୁ ଖାଦ୍ୟ ଆକାର ରେ କୋଇଲାକୁ ନେଇ  ରହିଥିବା ଏପରି ଅନୁଭବର ଲେଖକ ମୋ ଇୟାନ ଙ୍କର  ଏଠାରେ ସଂପୃକ୍ତ କାହାଣୀଦି କିଓର୍ରେ ବସ୍ତୁତଃ ଦୁଇଟି କାହାଣୀକୁ ସନ୍ତୁଳିତ କରାଯାଇଛି ,ସେଥିରୁ ଗୋଟିଏ ହେଉଛି ସ୍ୱୈରତନ୍ତ୍ରର ଗଣଦ୍ୱେଷୀ ଚରିତ୍ରର ସାବର୍ଜନୀନ ଭୟ ଏବଂ ଆରଟି ହେଉଛି,ପାରମ୍ପାରିକ ବିଶ୍ଵାସ ପ୍ରତି ଅନୁରକ୍ତି ଏହା ସହିତ ମୋ ଇୟାନ ଙ୍କର ସାହିତ୍ୟ ବିଚାର କୁ ଯୋଡି ତାହାର ଆଧାରରେ ସଂପୃକ୍ତ କାହାଣୀର ଅଧିକ ତର୍ଜମା କରାଯାଇ ପାରିବ।

About Jyoti Nanda

Jyoti Nanda is a writer, translator based in Bhubaneswar.

View all posts by Jyoti Nanda →