ଏଡୱାର୍ଡ ଓ ଈଶ୍ୱର -୪

ମୂଳଲେଖା: ମିଲାନ କୁନ୍ଦେରା || ଅନୁବାଦ: ଜ୍ୟୋତି ନନ୍ଦ

ସେଦିନ ଥିଲା ଗୁରୁବାର,ଏବଂ ଶନିବାର ଦିନ ଏଡୱାର୍ଡ ଆଉ ଆଲିସ୍ ଉଭୟେ ଏଡୱାର୍ଡ ର ବଡଭାଇ ର ଗାଆଁକୁ ବୁଲିବାକୁ ଯାଇଥିଲେ ,ସେ ସେମାନଙ୍କୁ ସ୍ୱାଗତ କରି ପାଖ  ଭଲ କଟେଜ୍ ଟିର ଚାବିଟି ସେମାନଙ୍କ ହାତକୁ ବଢାଇ ଦେଇଥିଲା।

ସେହି ପ୍ରେମୀଯୁଗଳ  ସାରା ଓପରଓଳି ଜଙ୍ଗଲ ଆଉ ଉପତ୍ୟକାରେ ବୁଲାବୁଲି କରି ବିତାଇ ଦେଇଥିଲେ। ସେମାନେ ଚୁମ୍ବନ ଦିଆନିଆ କରିଥିଲେ,ଏବଂ ଏଡୱାର୍ଡ ର ସଂତୃପ୍ତ ହାତ ଦୁଇଟି ଖୋଜି ପାଇଯାଇଥିଲା ସେଇ କଳ୍ପିତ ରେଖାଟିକୁ,ଆଲିସ୍ ର ନାଭିକେନ୍ଦ୍ର ର ସମାନାନ୍ତର,ଯାହା ନିରୀହତା ବଳୟକୁ ଶରୀରୀସଂପର୍କ ଠାରୁ ଅଲଗା କରିଦିଏ , ତାହାର କୌଣସି ଆଉ ମୂଲ୍ୟ ନାହିଁ । ସର୍ବ ପ୍ରଥମେ ଏଡୱାର୍ଡ ସେଇ ଦୀର୍ଘ ପ୍ରତୀକ୍ଷିତ ଘଟଣାକୁ ମୌଖିକ ଭାବରେ ପରୀକ୍ଷା କରି ନେବାକୁ ଚାହିଁଥିଲା,ମାତ୍ର ତାହାକୁ ସେମିତି କରିବାପାଇଁ  ଭାରି ଡର ଲାଗିଲା ଏବଂ ସେ ବୁଝିଗଲା ଯେ ତାହାର ଚୁପ ରହିବା ଅଧିକ ଭଲ।

ତାହାର ବିଚାର ହୁଏତ ଠିକ୍ ଥିଲା,ଆଲିସ୍ ର ହଠାତ୍ ପରିବର୍ତ୍ତନ ଘଟିଗଲା,ଏତେ ସପ୍ତାହ ଧରି ସେ ଯେଉଁ ଭଳି ପ୍ରରୋଚିତ କରିଆସୁଥିଲା ତାହାଠୁ ସ୍ୱାଧୀନ,ତାହାର ଯୁକ୍ତିଠୁ ସ୍ୱାଧୀନ,ତାହାର ଯାହା ଯାହା ତର୍କ ରହିଥିଲା ତାହାଠୁ ବି ସ୍ୱାଧୀନ। ବସ୍ତୁତଃ ତାହା ବିଶେଷ ଭାବରେ ଏଡୱାର୍ଡ ର ଗୋଟିଏ ଭୂଲ୍ ର ପରବର୍ତ୍ତି ଶହୀଦତ୍ୱର ସଂବାଦ ଉପରେ ନିର୍ଭର କରୁଥିଲା, ଏବଂ ଏହି ଭୁଲ୍ ଟିର ଏହା ହେଉଛି ଏକ  ଅତାର୍କିକ ଅନୁରଣ; ଆମେ ଘଡିଏ ଏହିପରି ଭାବିବା : କାହିଁକି ଏଡୱାର୍ଡ ର ନିଜର ବିଶ୍ୱାସକୁ ନେଇ ହେଉଥିବା ଯନ୍ତ୍ରଣା ର ପରିଣତି ଆଲିସ୍ ର ଈଶ୍ୱରଙ୍କ ନିୟମ ପ୍ରତି ଅବିଶ୍ୱସ୍ତତାରେ ପରିଭାଷିତ ହେବ ? ଯଦି ତଥ୍ୟ ସନ୍ଧାନୀ  କମିଟି ର ସାମ୍ନାରେ ଏଡୱାର୍ଡ ଈଶ୍ୱରଙ୍କ ପ୍ରତି ବିଶ୍ୱାସଘାତ କରିନାହିଁ ,ତାହାହେଲେ କାହିଁକି ଆଲିସ୍ ତାଙ୍କ ପ୍ରତି ଏଡୱାର୍ଡ ସାମ୍ନାରେ ଏପରି ବ୍ୟବହାର କରିବ ?

ଏହି ଭଳି ପରିସ୍ଥିତିରେ ବଡ ଆକାରରେ ଯଦି କୌଣସି ପ୍ରତିଫଳନକୁ ପ୍ରକାଶ କରାଯାଏ ତେବେ ତାହା ଆଲିସ୍ ର ଦୃଷ୍ଟିଭଂଗିର  ଅସଙ୍ଗତିକୁ କେବଳ ଉଜାଗର କରିଦେବ। ସେଇଥିପାଇଁ ବୁଦ୍ଧିମାନ ଭାବରେ ଏଡୱାର୍ଡ ଚୁପ୍ ରହିଥିଲା,ଯାହାକୁ କିନ୍ତୁ ସେ ଲକ୍ଷ୍ୟ କରି ନଥିଲା,କାରଣ ସେତେବେଳକୁ ଆଲିସ୍ ବକବକ କରୁଥିଲା । ସେ ଭାରି ଖୁସି ଥିଲା ,ଏବଂ ତାହାର ଏଇଭଳି ଦ୍ରୁତ ଆତ୍ମିକ ପରିବର୍ତ୍ତନ ଯେ କୌଣସି ପ୍ରକାରେ ଯାତନାପ୍ରଦ ଅବା ନାଟକୀୟ,ସେମିତି କିଛି ଦେଖାଯାଉନଥିଲା।

ରାତି ହେଲାବେଳକୁ ସେମାନେ ଦୁହେଁ କଟେଜ୍ କୁ ଫେରିଥିଲେ ,ଆଲୁଅ ଜଳାଇଲେ,ଶେଜ ବିଛାଇଲେ ,ପରସ୍ପରକୁ ଚୁମ୍ବନ ଦେଲେ,ସେତିକି ଆଲିସ୍ ଆଲୁଅ ଲିଭାଇ ଦେବାକୁ କହିଥିଲା।ମାତ୍ର ଝରକା ଦେଇ ଆକାଶର ଚାନ୍ଦ ଆଉ ତାରା ଦେଖାଯାଉଥିଲେ,ତେଣୁ ଆଲିସ୍ ର ଅନୁରୋଧରେ ଏଡୱାର୍ଡ ଝରକାର ସଟର୍ ଟିକୁ ଭଲକରି ଟାଣି ଦେଇଥିଲା। ତାହାପରେ ସେଇ ନିରବଚ୍ଛିନ୍ନ ଗାଢ ଅନ୍ଧକାରରେ ,ଆଲିସ୍ ନିଜର ପୋଷାକକୁ ସଂପୂର୍ଣ୍ଣ ଭାବରେ ଖୋଲିଦେଲା ଆଉ ନିଜକୁ ସମର୍ପି ଦେଇଥିଲା ଏଡୱାର୍ଡକୁ।

ଏଡୱାର୍ଡ ଏଇ ଭଳି ଗୋଟିଏ ମୁହୂର୍ତ୍ତର ପ୍ରତୀକ୍ଷାରେ ଦୀର୍ଘ କେତେ ସପ୍ତାହରୁ ଥିଲା,ମାତ୍ର ଆଶ୍ଚର୍ଯ୍ୟର କଥା ,ବର୍ତ୍ତମାନ ଯେତେବେଳେ ଏହି ଭଳି କଥା ପ୍ରକୃତରେ ଘଟୁଛି,ତାହାର ଅନୁଭବରେ କିନ୍ତୁ ଏହା ସେମିତି କିଛି ଗୁରୁତ୍ୱ ଆଣୁନାହିଁ ,ମନେ ହେଉଛି ଏହା ପ୍ରତି ଏତେ ଅପେକ୍ଷାର ମାନେ କ’ଣ ଅଛି ; ତାହାକୁ ଏହା ଭାରି ସହଜ ଏବଂ ଆପେ ସମାହିତ ଲାଗିଥିଲା ଯେ ,ଶରୀରୀ ସଂପର୍କ ସ୍ଥାପନ କଲାବେଳେ ସେ  ଭିନ୍ନମୁଖୀ ହୋଇଯାଇଥିଲା ଆଉ ନିଜର ମୁଣ୍ଡ ଭିତରେ ରହିଥିବା ଚିନ୍ତାଗୁଡିକୁ ତଡିଦେବାରେ ଲାଗିଥିଲା : ସବୁକିଛି ତା’ ପାଖକୁ ପୁଣି ଫେରି ଆସିଥିଲା,ସେଇ ପୁରୁଣା ନିରର୍ଥକ ସପ୍ତାହମାନ ଯେତେବେଳେ ଆଲିସ୍ ତାହାର ଶିଥିଳତାରେ ତାହାକୁ ଆକ୍ତାମାକ୍ତା କରିଦେଉଥିଲା ; ସ୍କୁଲର ସମସ୍ୟା,ଯାହାର ସେ ହିଁ ଥିଲା ପ୍ରମୁଖ କାରଣ ,ତେଣୁ ସେ ନିଜକୁ ତାହାପାଖରେ ଅର୍ପଣ କରିଦେଇଛି ବୋଲି ତାହାପ କୃତଜ୍ଞତା ଜଣାଇବା ବଦଳରେ ସେ ତାହା ପ୍ରତି ଏକ ପ୍ରତିଶୋଧମୂଳକ ବିଦ୍ୱେଷର ଭାବ ଅନୁଭବ କରୁଥିଲା। ଏହା ତାହାକୁ ବିରକ୍ତ କରୁଥିଲା,କେତେ ସହଜରେ ଆଉ ବିନା ଆତ୍ମଗ୍ଲାନିରେ ଆଲିସ୍  ନିଜର ଅଣବ୍ୟଭିଚାରୀ ଈଶ୍ୱରଙ୍କ ସହ ବିଶ୍ୱାସଘାତ କରିପାରିଛି,ଯାହାଙ୍କୁ ସେ ଉନ୍ମାଦ ଭଳି ପ୍ରାର୍ଥନା କରୁଥିଲା ଏକଦା ; ଏହା ତାହାକୁ ବିରକ୍ତ କରୁଥିଲା ଯେ କାମନା ନାହିଁ,ଘଟଣା ନାହିଁ,ପ୍ରଶାନ୍ତିକୁ ବିଚଳିତ କରିଦେବା ଭଳି କିଛି ନାହିଁ। ଏହା ତାହାକୁ ବିରକ୍ତ କରୁଥିଲା ଯେ ସେ ନିଜର ଆତ୍ମିକ ଦ୍ୱନ୍ଦ୍ୱ ବିନା,ଆତ୍ମବିଶ୍ୱାସ ସହ ଆଉ ସହଜରେ ଏସବୁକୁ ଅନୁଭବ କରିପାରିଛି ।ଏବଂ ଯେତେବେଳେ ଏହି ବିରକ୍ତି ତାହାର ସମସ୍ତ ଶକ୍ତି ସହ ତାହାକୁ ଅତିକ୍ରମ କରିବାକୁ ଯାଏ,ଏଡୱାର୍ଡ ସହିତ ନିହାତି ବଣ୍ୟ ଭାବରେ ଘନିଷ୍ଠ ହୋଇଥିଲା ,ସେଥିରେ ଥିବା ହିଂସ୍ରତା ଯେମିତି ଆଲିସ୍ ଭିତରୁ ଏମିତି କିଛି ଶବ୍ଦ ବାହାର କରି ଆଣୁ,ସିତ୍କାର ,ଶବ୍ଦ ଅଥବା ଏକ କାତର କାନ୍ଦ,ମାତ୍ର ସେଥିରେ ସେ ସଫଳ ହୋଇନଥିଲା। ଝିଅଟି ଶାନ୍ତ ଥିଲା ଏବଂ  ଏଡୱାର୍ଡର ସମସ୍ତ ଦୌରାତ୍ମ ର ଭିତରେ ସେମାନଙ୍କର ଶରୀରୀ ସଂପର୍କ ଶେଷ ହୋଇଥିଲା  ବେଶ୍ ନମ୍ର ଭାବରେ ଆଉ ବେଶ୍ ନୀରବରେ।

ତାହାପରେ ଆଲିସ୍ ତାହାର ଛାତି ଉପରେ ବେଶ୍ ଆରାମରେ ଶୋଇରହେ,ଗାଢ ନିଦ ଆସିଯାଏ ତା’ର,ସେତେବେଳେ କିନ୍ତୁ ଅନେକ ସମୟ ଯାଏଁ ଏଡୱାର୍ଡର ଆଖିକୁ ନିଦ ନାହିଁ ଆଉ ସେ କେବଳ ଏତିକି ଭାବୁଥାଏ ଯେ ଏଥିରେ ତାହାକୁ ଟିକିଏ ବୋଲି ଆନନ୍ଦ ମିଳିନାହିଁ । ଆଲିସ୍ କୁ ସେ  କଳ୍ପନା (ତାହାର ଦେଖାଯାଉଥିବା ଶରୀର ନୁହଁ ମାତ୍ର ,ଯେତେ ସମ୍ଭବ,ତାହାର ସ୍ଥିତିର ସାମଗ୍ରିକତା) କରିବା ର ପ୍ରୟାସ କରିଥିଲା, ତାହାର ମନେ ହୋଇଛି ଯେ ସେ ଆଲିସ୍ କୁ କେବଳ ଅସ୍ଫଷ୍ଟ ଦେଖିଛି ସେତେବେଳେ।

Illustration by Ramakanta Samantaray

ଆସନ୍ତୁ ଆମେ ଏଇ ଶବ୍ଦକୁ ଅଟକାଇ ଦେବା : ଆଲିସ୍,ଏଇ ସମୟ ପର୍ଯ୍ୟନ୍ତ ଏଡୱାର୍ଡ ତାହାକୁ ଯେମିତି ଦେଖି ଆସିଛି, ନୀରିହ,ସ୍ଥିର ଆଉ ସ୍ୱତନ୍ତ୍ର : ତାହାର ଆଖିଦୁଇଟିର ସୁନ୍ଦର ସରଳପଣ ଯେମିତି ତାଳ ମିଳାଇ ଚାଲିଛି ତାହାର ବିଶ୍ୱାସର ସରଳତା ସହିତ, ଆଉ ତାହାର ଭାଗ୍ୟର ସରଳତା ଯେମିତି ହୋଇଯାଇଛି ତାହାର  ମନୋଭାବର କାରଣ। ଏଇ ପର୍ଯ୍ୟନ୍ତ ଏଡୱାର୍ଡ ତାହାକୁ ନିଦା ଆଉ ବ୍ୟବସ୍ଥିତ ବୋଲି ଦେଖିଆସିଛି : ସେ ତାହାକୁ ଥଟ୍ଟା କରିପାରେ,,ତାହାକୁ ଗାଳି ଦେଇପାରେ ,ସେ ତାହାର ସମସ୍ତ ଶଠତାକୁ ନେଇ ତାହା ସହ ବୁଲାବୁଲି କରିପାରେ,ହେଲେ (ନିଜକୁ ବାଦ ଦେଇ) ଆଲିସ୍ କୁ ସେ ସମ୍ମାନ କରିବାର ଅଛି।

ବର୍ତ୍ତମାନ,ସେ ଯାହାହେଉ,ଅଣପରିକଳ୍ପିତ ମିଛ ଖବରର ଫାଶ ଆଲିସ୍ ର ଅସ୍ତିତ୍ୱର କାରଣାନୁଗାମୀହେବା କଥାରେ ଗୋଟିଏ ଫାଟ ସୃଷ୍ଟି କରିଥିଲା ,ଏବଂ ଏଡୱାର୍ଡର ମନେ ହୋଇଥିଲା ଯେ ଆଲିସ୍ ର ଧାରଣା ସବୁ ଅସଲରେ ହେଉଛି ତାହାର ଭାଗ୍ୟ ର ଏକ ଛଳ ଆବରଣ,ତାହାର ଭାଗ୍ୟ ହେଉଛି ତାହାର ଶରୀରର ଏକ ଛଳ ଆବରଣ : ସେ ତାହାକୁ ଦେଖୁଥିଲା ଗୋଟିଏ ଆକସ୍ମିକ ସମାପକ- ସଂଯୋଜକ କ୍ରିୟା ; ଶରୀରର,ଧାରଣାର ଏବଂ ଜୀବନ ପ୍ରବାହର,ଏକ ଅଜୈବିକ ନିର୍ମାଣ,ବିଶୃଙ୍ଖଳିତ ଆଉ ଅସ୍ଥିର । ସେ ଆଲିସ୍ କୁ ରୂପବନ୍ତ କରୁଥିଲା ( ଯିଏ ତାହାର ଛାତି ଉପରେ ଗାଢ ନିଦରେ ଶୋଇପଡିଥିଲା),ସେ ତାହାର ଧାରଣାକୁ ତାହାର ଶରୀରଠାରୁ ଅଲଗା କରୁଥିଲା,ସେ ତାହାର ଶରୀରକୁ ପସନ୍ଦ କରେ,କେବଳ ତାହାର ଧାରଣାମାନ ଯାହା  ହାସ୍ୟାସ୍ପଦ,ଆଉ ଏଇ ଶରୀର ଆଉ ଏଇ ଧାରଣା ଏକାଠି ହୋଇପାରିନାହାଁନ୍ତି; ସେ ତାହାକୁ ଦେଖୁଥିଲା ଯେମିତି ଗୋଟିଏ ବ୍ଲଟିଙ୍ଗ୍ କାଗଜ ଉପରେ ଗୋଟିଏ କାଳିର ଦାଗ : ଯାହାର ରୂପରେଖା ନାହିଁ ,ଯାହାର ଆକାର ନାହିଁ ।

ସେ ତାହାର ଶରୀରକୁ ପସନ୍ଦ କରିଥିଲା। ସକାଳେ ଯେତେ ଆଲିସ୍ ନିଦରୁ ଉଠେ ,ସେ ତାହାକୁ ବାଧ୍ୟ କରିଥିଲା ସେ ଯେମିତି ସଂପୂର୍ଣ୍ଣ ଉଲଗ୍ନ ରହେ ,ଏବଂ ଯଦିଓ ସେ ଏଇ ଗଲାକାଲି ଝରକାର ସଟର୍ କୁ ପୁରାପୁରି ବନ୍ଦ କରିଦେବାପାଇଁ ବାଧ୍ୟ କରିଥିଲା ,ଯେପରିକି ବାହାର ର ଚନ୍ଦ୍ର ଆଉ ନକ୍ଷତ୍ରର ସ୍ୱଳ୍ପାଲୋକ ଭିତରକୁ ପଶି ଆସି ତାହାକୁ ବିବ୍ରତ ନକରେ,ଏବେ କିନ୍ତୁ ତାହାର ସେଇ ଲାଜ ପୁରାପୁରି ଉଭାନ। ଏଡୱାର୍ଡ ତାହାକୁ ଟିକିନିଖି କରି ଦେଖୁଥିଲା ( ସେ କିନ୍ତୁ ଆହ୍ଲାଦରେ ଡେଇଁ ଡେଇଁ ଚା’ ଆଉ ବିସ୍କୁଟ ବ୍ରେକଫାଷ୍ଟ ପାଇଁ ଯୋଗାଡ କରିଥିଲା ) ,ଏବଂ ଆଲିସ୍ ତାହାକୁ ଚାହିଁଲା ବେଳକୁ ଏଡୱାର୍ଡ ଗଭୀର ଚିନ୍ତାରେ ବୁଡି ରହିଛି । ଘଟଣାଟି କ’ଣ ସେ ବିଷୟରେ ସେ ପଚାରିଲା। ଏଡୱାର୍ଡ କହିଥିଲା ଯେ ବ୍ରେକଫାଷ୍ଟ ପରେ ତାହାକୁ ଯାଇ ବଡଭାଇକୁ ଦେଖା କରିବାକୁ ହେବ।

ବଡଭାଇ ତାହାକୁ ସ୍କୁଲ୍ ରେ କେମିତି କ’ଣ ଚାଲିଛି ସେ ବିଷୟରେ ପଚାରିଲା। ସେ ସବୁ ବେଶ୍ ଭଲ ବୋଲି ଥିଲା ଏଡୱାର୍ଡର ଉତ୍ତର,ଏବଂ ବଡଭାଇ କହିଲା,” ଚେଚାକୋଭା ଅସଲରେ ଗୋଟାଏ ଘୁଷୁରୀ,ମୁଁ ତା’କୁ ଅନେକ ଦିନରୁ ମାଫ୍ କରିଦେଇଛି। ମୁଁ ତାହାକୁ ମାଫ୍ କରିଦେଇଛି ଏଇଥିପାଇଁ ଯେ ସେ ଜାଣେନାହିଁ ସେ କ’ଣ କରୁଛି । ସେ ମୋର କ୍ଷତି କରିବାକୁ ଚାହିଁଥିଲା ,ହେଲେ ସେ ମୋତେ ଗୋଟିଏ ସୁନ୍ଦର ଜୀବନକୁ ଖୋଜିପାଇବାରେ ସାହାଯ୍ୟ କରିଛି। ଜଣେ କୃଷକ ହିସାବରେ ମୁଁ ଅଧିକ ଆୟ କରେ,ଆଉ ପ୍ରକୃତି ସହ ନିବିଡ ସଂପର୍କ, ସହରବାସିନ୍ଦା ମାନଙ୍କ ଭିତରେ  ଯେଉଁ ସନ୍ଦେହପ୍ରବଣତା ରହିଛି ସେଥିରୁ ମୋତେ ସୁରକ୍ଷିତ କରି ରଖିଛି। “

“ସେଇ ନାରୀ ,କହିବାକୁ ଗଲେ,ମୋ ପାଇଁ ବି କିଛି ସନ୍ତୋଷ ଆଣିଥିଲା” କହିଲା ଏଡୱାର୍ଡ,ନିଜର ଚିନ୍ତାରେ ବୁଡିରହି ଥିଲା ଏବଂ ସେ ତାହାର ବଡଭାଇକୁ କହିଥିଲା ଯେ ସେ ଆଲିସ୍ ର ପ୍ରେମରେ ପଡିଯାଇଛି ,ଯେ ସେ ଗୋଟିଏ ଈଶ୍ୱର ବିଶ୍ୱାସର କଳ୍ପନା କରିଛି,ଯେ ତାହାକୁ ଗୋଟିଏ କମିଟି ଆଗରେ ହାଜର୍ ହେବାକୁ ପଡିବ,ଯେ ଚେଚାକୋଭା ତାହାକୁ ପ୍ରଶିକ୍ଷିତ କରିବାକୁ ଚାହେଁ,ଏବଂ ଯେ ଆଲିସ୍ ତାହାକୁ ତା’ ପାଖରେ ସମର୍ପଣ କରିଦେଇଛି ,ତାହାର ଏପରି ଏକ ବିଶ୍ୱାସ ଯେ ସେ ଗୋଟିଏ ଶହୀଦ। କେବଳ ଗୋଟିଏ କଥା ସେ ତାହାର ବଡଭାଇକୁ କହିନଥିଲା ତାହା ହେଉଛି ଯେ ସେ ମହାପରିଚାଳିକାକୁ ଈଶ୍ୱରଙ୍କ ପ୍ରାର୍ଥନା ଉଚ୍ଚାରଣ କରିବା ପାଇଁ ବାଧ୍ୟ କରିପାରିଥିଲା । ଏକଥା କହି ନପାରିବାର କାରଣ ହେଉଛି ବଡଭାଇର ଆଖିରେ ସେ ସେମିତି କିଛି ସମର୍ଥନକୁ ଦେଖିପାରୁନଥିଲା । ସେ କଥା ବନ୍ଦ କଲା ଆଉ ତାହାର ବଡଭାଇ କହିଥିଲା ତାହାପରେ :” ମୁଁ ହୁଏତ ଗୁଡାଏ ବଡମାପର ଭୂଲ୍ କରିଥାଇପାରେ ,ହେଲେ ମୁଁ ଗୋଟିଏ ଏମିତି କେବେ କରିନାହିଁ : ମୁଁ କାହାକୁ ପ୍ରତାରଣା କରିନାହିଁ,ଯାହା ଭାବିଛି ତାହାକୁ ସିଧା ମୁହଁ ଉପରେ କହିଛି !”

ଏଡୱାର୍ଡ ତାହାର ବଡଭାଇକୁ ଭାରି ଭଲପାଏ,ତାହାର ଅସମ୍ମତି ଭାରି ବାଧେ,ତେଣୁ ସେ ନିଜକୁ ସାବ୍ୟସ୍ତ କରିବାକୁ ଚାହିଁଲା,ଏବଂ ସେମାନେ ଉଭୟଙ୍କ ଭିତରେ ଢେର୍ ଯୁକ୍ତି ହେଲା।ଶେଷରେ ଏବୱାର୍ଡ କହିଥିଲା :

“ମୁଁ ଜାଣିଛି ତମେ ଜଣେ ସିଧା ସଳଖ ମଣିଷ ଆଉ ତମେ ଏହାକୁ ନେଇ ଗର୍ବ କର।ହେଲେ ତମେ ନିଜକୁ ଏମିତି ଗୋଟିଏ ପ୍ରଶ୍ନ ପଚାର: ଜଣେ ପ୍ରକୃତରେ ସତ କହିବ କାହିଁକି ? ଆମକୁ ଏମିତି ସତ କହିବା ପାଇଁ ବାଧ୍ୟ କରୁଛି କିଏ ? ଆଉ କାହିଁକି ସତ କହିବାକୁ ଆମେ ସଦଗୁଣ ବୋଲି କହିବା ? କଳ୍ପନା କର ତମେ ଗୋଟିଏ ପାଗଳକୁ ଭେଟିଛ,ଯିଏ ଦାବୀ କରୁଛି ଯେ ସେ ଗୋଟିଏ ମାଛ ଆଉ ଆମେ ସମସ୍ତେ ହେଉଛୁ ମାଛ । ତମେ କ’ଣ ତାହା ସହିତ ଯୁକ୍ତି କରିବ ? ତମେ କ’ଣ ତାହାରି ସାମ୍ନାରେ ପୂରା ଲଙ୍ଗଳା ହେବ ଆଉ ଦେଖାଇବ ଯେ ତମର ଅସଲରେ କୌଣସି ଡେଣା ନାହିଁ ? ତମେ କ’ଣ ତମେ ଯାହା ଭାବୁଛ ତାହାକୁ ତାହାର ମୁହଁ ଉପରେ ସିଧା କହିପାରିବ ? ଠିକ୍ ଅଛି,କୁହ ?”

ବଡଭାଇ ଚୁପ୍ ଥିଲା,ଏଡୱାର୍ଡ କିନ୍ତୁ କହି ଚାଲିଥାଏ : ” ତମେ ଯଦି ତାହାକୁ ପୂରା ସତ,କେବଳ ସତ,ଯାହା ତମେ ଭାବିଛ ତାହାକୁ  କହିଦେବ ,ତମେ ତାହାହେଲେ ଗୋଟିଏ ପାଗଳ ସହିତ ଏକ ଗମ୍ଭୀର କଥାବାର୍ତ୍ତାର ଭିତରକୁ ପ୍ରବେଶ କରିଯାଇଛ ,ଆଉ ତମେ ତାହାପରେ ନିଜେ ଗୋଟିଏ ପାଗଳ ହୋଇଯିବ। ଏବଂ ଏହିପରି ସମାନ କଥା ଘଟିଥାଏ ଆମ ଚାରିପାଖର  ପୃଥିବୀ ସହ । ମୁଁ ଯଦି ନିହାତି ଅବାଧ୍ୟ ଭାବରେ ତାହାର ମୁହଁ ଉପରେ ସତ କହି ବସିବି,ତାହାର ଅର୍ଥ ହେବ ଯେ ମୁଁ ତାହାକୁ ଗମ୍ଭୀରତାର ସହ ଗ୍ରହଣ କରିଛି । ଏବଂ କିଛିକୁ ଯାହା ଗମ୍ଭୀର ନୁହଁ ତାହାକୁ ଗମ୍ଭୀରତାର ସହ ନେବାର ଏକମାତ୍ର ଅର୍ଥ ହେଉଛି ନିଜର ସମସ୍ତ ଗମ୍ଭୀରତାକୁ ବିସର୍ଜନ ଦେବା। ତେଣୁ ମୋତେ ମିଛ କହିବାକୁ ହେବ ,ଯଦି ମୁଁ ପାଗଳକୁ ଗମ୍ଭୀର ଭାବରେ ନ ନେବି ଆଉ ନିଜେ ଗୋଟିଏ ପାଗଳ ହୋଇ ଯାଇନଥିବି ।”

୧୦

ସେଦିନ ଥିଲା ରବିବାର ଓପରଓଳି,ପ୍ରେମୀଯୁଗଳ ସହରକୁ ବାହାରିଲେ; କମ୍ପାର୍ଟମେଣ୍ଟ ରେ ସେ ଦୁହେଁ ଏକେଲା (ଝିଅ ଟି ଉତଫୁଲ୍ଲରେ ବକବକ କରୁଥାଏ ),ଏବଂ ଏଡୱାର୍ଡ ମନେ ପକାଉଥିଲା କିଛି ସମୟ ଆଗରୁ ସେ କେମିତି ଖୋଜିବସିଥିଲା ଆଲିସ୍ ର ଏପରି ଏକ ଇଚ୍ଛାଧୀନ ଚରିତ୍ର ,ଏକ ଗମ୍ଭୀରପଣ,ଯାହା ଏଡୱାର୍ଡର କର୍ତ୍ତବ୍ୟ ତାହାକୁ କେବେ ଯୋଗାଇଦେଇ  ପାରିବ ନାହିଁ ; ଏବଂ ସେ ଦୁଃଖର ସହ ହୃଦୟଙ୍ଗମ କରିଥିଲା ଯେ ( ଟ୍ରେନ୍  ରେଳ ଧାରଣାର ଯୋଡା ସ୍ଥାନଗୁଡିକୁ ଝଡଝଡ ଶବ୍ଦରେ ଶାନ୍ତ ଭାବରେ ଅତିକ୍ରମ କରିଯାଉଥାଏ ) ଆଲିସ୍ ସହିତ ସେ ଯେଉଁ ପ୍ରେମର ଦୁଃସାହସିକ ଅଭିଯାନରେ ବାହାରିଆସିଥିଲା ତାହା ଘୃଣାସୂଚକ ଥିଲା,ସମ୍ଭାବନା ଆଉ ତ୍ରୁଟିରେ ମିଶାମିଶି,ବିନା ଗମ୍ଭୀରତା ଆଉ ବିନା ଅର୍ଥ ସହ ; ସେ ଆଲିସ୍ ର ଶବ୍ଦ ସମୂହକୁ ଶୁଣିଛି ,ସେ ତାହାର ଠାଣି ସମୂହକୁ ଦେଖିଛି (ଆଲିସ୍ ତାହାର ହାତକୁ ଜୋର୍ ରେ ଚାପିଦେଇଥିଲା ) ଏବଂ ତାହାର ମନେ ହୋଇଛି ଯେ ଏଇ ସବୁ ଚିହ୍ନର କୌଣସି ଅର୍ଥ ନାହିଁ, ଏମିତି ମୁଦ୍ରା ଯାହାକୁ ପ୍ରଚଳନ କରିବା ପାଇଁ କେହି ନାହାଁନ୍ତି , ମାପ ମାନ ଅଛି କେବଳ କାଗଜରେ ଏବଂ ସେ ଏହାକୁ ଅଧିକ କିଛି ମୂଲ୍ୟ ଦେଇପାରିବ ନାହିଁ ,ଠିକ୍  ତାଙ୍କୁ ଆଣ୍ଠୁମାଡି ପ୍ରାର୍ଥନା କରୁଥିବା ଉଲଗ୍ନ ମହାପରିଚାଳିକାଙ୍କୁ ଈଶ୍ୱର ଯେତିକି ମୂଲ୍ୟ ଦେବେ,ସେତିକି ; ହଠାତ୍ ତାହାକୁ ଲାଗିଲା,ଅସଲରେ ସେ ସହରରେ ଯେତିକି ଲୋକଙ୍କୁ ଭେଟିଛି ସେମାନେ ସମସ୍ତେ ବ୍ଲଟିଙ୍ଗ୍ କାଗଜ ଉପରେ ଗୋଟିଏ ଗୋଟିଏ କାଳିର ଗାର,ପାରସ୍ପରିକ ପରିବର୍ତ୍ତନଶୀଳ ଦୃଷ୍ଟିଭଂଗୀ,କୌଣସି ନିଦା ପଣ ନଥିବା ଭଳି ଏକ ସ୍ଥିତି,ହେଲେ ସବୁଠୁ ଖରାପ କ’ଣ,ସବୂଠୁ ଖରାପ କ’ଣ (ଏଇ କଥାଟି ତାହା ପରର କଥା) ତାହା ହେଉଛି ସେ ନିଜେ,ସେ ନିଜେ ସେଇ ଛାୟା-ଚରିତ୍ର ମାନଙ୍କର ଛାଇ ; ସେ କେବଳ ନିଜର ଚିନ୍ତାକୁ କ୍ଷୟ କରିଚାଲିଛି  ସେମାନଙ୍କୁ ନିୟନ୍ତ୍ରଣକୁ ଆଣିବା ପାଇଁ ,ସେମାନଙ୍କର ଅନୁକରଣ କରିବା ପାଇଁ ଏବଂ ତଥାପି,ମନ ଭିତରେ ହସି ହସି ସେ ସେମାନଙ୍କୁ ଅନୁକରଣ କରୁଥିଲେ ବି, ସେମାନଙ୍କୁ ଗମ୍ଭୀରତାର ସହ ନେଉନଥିଲେ ବି ,ସେମାନଙ୍କୁ ଗୋପନ ଭାବରେ ଥଟ୍ଟା କରୁଥିଲେ (ସେସବୁକୁ ଗ୍ରହଣ କରିନେଉଛି ବୋଲି କଥାର ସମର୍ଥନରେ ଏମିତି) ବି ,ପ୍ରସଙ୍ଗଟି ବଦଳିଯାଉନାହିଁ  ଏହାପରେ, କାରଣ ଦ୍ୱେଷପୂର୍ଣ୍ଣ ଅନୁକରଣ ବି ଏକ ଅନୁକରଣ ହୋଇ ରହିଯାଏ ,ଛାଇକୁ ଥଟ୍ଟା କରିବା ପରେ ବି ସେ ଯେମିତି ଗୋଟିଏ ଛାଇ ,ଏହା ଦ୍ୱିତୀୟ, କୌଣସି ପ୍ରଥମର ଉତ୍ପାଦ ଆଉ ନିନ୍ଦିତ।

Illustration by Ramakanta Samantaray

ଏହା ଲଜ୍ଛାକର ,ଭୟଙ୍କର ଭାବରେ ଅପମାନଜନକ । ରେଳଧାରଣା ର ଯୋଡା ସ୍ଥାନମାନଙ୍କୁ ଝଡଝଡ ଶବ୍ଦରେ ବେଶ୍ ପ୍ରଶାନ୍ତରେ ଅତିକ୍ରମ କରିଯାଉଥାଏ ଟ୍ରେନ୍ (ଝିଅଟି ବକବକ କରୁଛି ) ଏବଂ ଏଡୱାର୍ଡ କହିଲା :
” ଆଲିସ୍ ,ତମେ ଖୁସି ତ ?”
“ହଁ।”
“ମୁଁ କିନ୍ତୁ ସୁଖୀ ନୁହଁ ” କହିଲା ଏଡୱାର୍ଡ।
” କ’ଣ, ତମେ ପାଗଳ କି ? ” କହିଲା ଆଲିସ୍।
“ଆମର ଏପରି କରିବା ଉଚିତ ନଥିଲା । ଏପରି ନ ଘଟିଥିଲେ ଚଳିଥାନ୍ତା ।”
“ତମର ହେଇଛି କ’ଣ ? ତମେ ତ ସେଇ ଲୋକ ଯିଏ ଏହା ଚାହିଁଥିଲା !”
“ହଁ,ମୁଁ ଚାହିଁଥିଲି ,” କହିଥିଲା ଏଡୱାର୍ଡ । ” ହେଲେ ତାହା ହେଉଛି ମୋର ସବୁଠୁ ବଡ ଭୂଲ୍,ସେଇଥିପାଇଁ ଈଶ୍ୱର ମୋତେ କେବେବି ମାଫ୍ କରିବେ ନାହିଁ । ଆଲିସ୍ ,ଏହା ଗୋଟିଏ ପାପ ।”
“ଛାଡ ସେସବୁ,କୁହ ତମର ହେଇଛି କ’ଣ ?” ଝିଅଟି ଶାନ୍ତ ଗଳାରେ ପଚାରିଲା ।” ତମେ ତ ନିଜେ ସବୁବେଳେ କୁହ,ସବୁଠାରୁ ବେଶି ଈଶ୍ୱର ପ୍ରେମ ଉପରେ ଗୁରୁତ୍ୱ ଦେଇଥାନ୍ତି !”

ଏଡୱାର୍ଡ ଯେତେବେଳେ ଆଲିସ୍ କୁ,ସେଇ ଘଟଣା ଘଟିବା ପରେ, ତାହା ପାଇଁ ଏପରି କହିବାର ଶୁଣିଲା ସେ ନୀରବରେ ସେଇ ସବୁ ଧର୍ମଗତ ଭ୍ରାନ୍ତଯୁକ୍ତିଗୁଡିକୁ ଯାହାକୁ ସେ ଟିକିଏ ଆଗରୁ ସଠିକ ଧରିପାରୁଥିଲା ସେସବୁକୁ ସେ ନିଜର ଆୟତ୍ତକୁ ଆଣିବା ପାଇଁ ଚେଷ୍ଟା କଲା ,ତାହାର ଉପରେ କ୍ରୋଧ ସବାର ହୋଇଯାଇଥିଲା: ” ମୁଁ ତମକୁ ପରୀକ୍ଷା କରିବା ପାଇଁ ଏମିତି କହିଛି।ବର୍ତ୍ତମାନ ମୁଁ ଜାଣିପାରିଲି ତମର ଇଶ୍ୱରଙ୍କ ଉପରେ କେତେ ବିଶ୍ୱାସ ! ଯିଏ ଈଶ୍ୱରଙ୍କୁ ବିଶ୍ୱାସଘାତ କରିପାରେ ତାହାର ଆଉ ଯେକୌଣସି ଲୋକ ସହିତ ବିଶ୍ୱାସଘାତ କରିବା ଶହେଗୁଣ ସହଜ ।”

ଆଲିସ୍ ପାଖରେ ସବୁବେଳେ ଉତ୍ତରମାନ ପ୍ରସ୍ତୁତ ହୋଇ ରହିଥାଏ ମାତ୍ର ତାହାପାଇଁ ଏଇଟି ଭଲ ହେବ ସେ ଯେମିତି ତୁରନ୍ତ ଏହାର କିଛି ଜବାବ ନଦିଏ,ସେମିତିହେଲେ ତାହା କେବଳ ଏଡୱାର୍ଡର ପ୍ରତିଶୋଧମୂଳକ କ୍ରୋଧକୁ ଆହୁରି ବଡ କରିଦେବ। ଏଡୱାର୍ଡ ସେମିତି ଅନର୍ଗଳ କହିଚାଲିଥାଏ ( ଶେଷରେ ସେ ବ୍ୟବହାର କରିଥିଲା ଏପରି ଶବ୍ଦ “ବାନ୍ତି କରିବା ଭଳି ଘୃଣା” ଆଉ “ଶରୀରୀ ସାନ୍ନିଧ୍ୟରେ ବିରକ୍ତି”)ଯେଉଁ ପର୍ଯ୍ୟନ୍ତ  ଉଲ୍ଲସିତ ଆଉ କୋମଳ ମୁହଁରୁ (ଶେଷରେ !) କୋହ,ଲୁହ ଆଉ ଯନ୍ତ୍ରଣାର ଅଶ୍ରୁତ ଶବ୍ଦମାନ।

“ବିଦାୟ”,ସେ ତାହାକୁ ଷ୍ଟେସନରେ କହିଥିଲା ଆଉ ଲୁହ ସରସର ହୋଇ ସେ କାନ୍ଦୁଥିବା ବେଳେ ଏଡୱାର୍ଡ ତାହାକୁ ଛାଡି ଚାଲି ଯାଇଥିଲା। କେବଳ ଘରେ , କେତେଘଣ୍ଟା ପରେ ଯେତେବେଳେ ଏଇ ବିଚିତ୍ର କ୍ରୋଧଟିର ସମାପନ ହୁଏ ,ସେ ପରପର ଯାହା ଘଟିଯାଇଛି ସେଥିରେ ତାହାର ଭୂମୀକା କ’ଣ ଥିଲା  ତାହାକୁ ସେ ବୁଝିଥିଲା : ସେ ତାହାର ଶରୀରକୁ କଳ୍ପନା କଲା,ଠିକ୍ ଯେମିତି ତାହାର ସାମ୍ନାରେ ଥିବା ସକାଳର ଆକ୍ରମଣକାରୀ ଉଲଗ୍ନ ଶରୀର ,ଏବଂ ଯେତେବେଳେ ସେ ହୃଦୟଙ୍ଗମ କଲା ଯେ ସେଇ ସୁନ୍ଦର ଶରୀରଟି ତାହାଠାରୁ ଚିରକାଳ ପାଇଁ ହଜିଯାଇଛି କାରଣ ସେ ନିଜେ,ନିଜର ସ୍ୱାଧୀନ ଇଚ୍ଛାରେ ତାହାକୁ ନିଜଠାରୁ ତଡି ଦେଇଛି ; ସେ ନିଜକୁ ନିର୍ବୋଧ ବୋଲି ଧିକ୍କାର କଲା ଆଉ ନିଜର ଗାଲରେ ଚାପୁଡା ମାରି ହେଲା।

ମାତ୍ର ଯାହା ଘଟି ଯାଇଛି ତାହା ଘଟିଛି ,ଏବଂ ଏହାକୁ ବଦଳେଇଦେଇ ପାରିବା ଆଉ ସମ୍ଭବ ନୁହଁ।

ସତ୍ୟନିଷ୍ଠ ହେବାପାଇଁ ମୋତେ ନିହାତି କହିବାକୁ ହେବ ଯେ ,ଯଦି ଏହି ସୁନ୍ଦର ଶରୀର ଯାହାକୁ ସେ ପ୍ରତ୍ୟାଖ୍ୟାନ କରିଛି ତାହା ଏଡୱାର୍ଡକୁ କିଛି ପରିମାଣରେ ସନ୍ତାପ ଦେଇଥିଲେ ବି ,ସେ ଖୁବ୍ ଶିଘ୍ର ଏହା ସହିତ ସାଲିସ୍ କରିପାରିଛି । ଯଦି ଏହି ଶରୀରୀ ପ୍ରେମର ଆବଶ୍ୟକତା ତାହାକୁ ଏକଦା ଥରେ ବିଚଳିତ କରିଥିଲା ଆଉ ତାହାକୁ ଗୋଟିଏ ଅନ୍ୟୁନ୍ୟ ଲୋଡିବାପଣରେ ପରିଣତ କରିଦେଇଥିଲା,ତାହା ଥିଲା ସହରକୁ ଜଣେ ନବାଗନ୍ତୁକର ଏକ କ୍ଷୁଦ୍ରଜୀବୀ ଆବଶ୍ୟକତା । ଏଡୱାର୍ଡ ଆଉ ଏହି ଲୋଡିବା ପଣର ଯାତନା ଭୋଗୁନାହିଁ । ସପ୍ତାହରେ ଥରେ ସେ ମହାପରିଚାଳିକାଙ୍କୁ ଭେଟିବାକୁ ଯାଏ (ଅଭ୍ୟାସ ତାହାର ଶରୀରକୁ ପ୍ରାଥମିକ ଉଦବେଗ ର ସ୍ତରକୁ ନେଇ ସାରିଛି ),ଏବଂ ସେ ସ୍ଥିର କରିନେଇଛି ନିୟମିତ ଭାବରେ ସେ ତାଙ୍କୁ ଭେଟିବାକୁ ଯିବ ଯେଉଁ ପର୍ଯ୍ୟନ୍ତ ସ୍କୁଲ୍ ରେ ତାହାର ପଦବୀଟି ଧାର୍ଯ୍ୟ ନ ହୋଇଛି। ଏହା ବ୍ୟତୀତ, ତାହାର ଏବେ ଅନ୍ୟ ପ୍ରକାରର ମହିଳା ଏବଂ ଝିଅ ମାନଙ୍କ ସହିତ ସଫଳ ସଂପର୍କ ସ୍ଥାପନରେ ବିଶେଷ ବୃଦ୍ଧି ଦେଖାଯାଇଛି। ଏହାର ଫଳ ସ୍ୱରୂପ ସେ ନିଜର ସେଇ ସମୟକୁ ଅଧିକ ପସନ୍ଦ କରିବାରେ ଲାଗିଛି ଯେତେବେଳେ ସେ ଏକେଲା ଥାଏ ଆଉ ସେ ତାହାର ଏକେଲା ବୁଲିବାକୁ ଯିବା କାମକୁ ବେଶ୍ ଭଲ ପାଇ ବସିଛି ଯାହାକୁ ସେ ସେତେବେଳେ ଯୋଡିଦେଇଛି  ଚର୍ଚ୍ଚକୁ ଯିବା ଭଳି ( ଦୟାକରି ଏହାର ବିଶଦ ବିବରଣୀ କାମନା କରନ୍ତୁ ନାହିଁ) କାମ ସହିତ ।

ନା,ବ୍ୟସ୍ତ ହୁଅନ୍ତୁ ନାହିଁ ,ଏଡୱାର୍ଡ ଈଶ୍ୱରଙ୍କୁ ବିଶ୍ୱାସ କରିବାକୁ ଆରମ୍ଭ କରିନାହିଁ । ମୋର କାହାଣୀକୁ ଗୋଟିଏ ଲଜ୍ଜାକର ବିରୋଧାଭାଷର ମୁକୁଟ ପିନ୍ଧାଇଦେବା ପାଇଁ ମୋର  ଆଦୌ କୌଣସି ଅଭିପ୍ରାୟ ନାହିଁ । ମାତ୍ର ଯଦି କେବେ ଏଡୱାର୍ଡ ନିଶ୍ଚିତ ଥିଲା ଯେ ଈଶ୍ୱରଙ୍କର ସ୍ଥିତି ନାହିଁ,ସେ ମୁହଁ ବୁଲାଇ ଈଶ୍ୱରଙ୍କ ଧାରଣାକୁ ନେଇ ଭାବବିହ୍ୱଳ ।

ଈଶ୍ୱର ନିଜେ ନିଜର ସାରକଥା,ଯେତେବେଳେ କି ଏଡୱାର୍ଡ କେବେହେଲେ ( ଏବଂ ମହାପରିଚାଳିକା ଙ୍କ ସହିତ ଆଉ ଆଲିସ୍ ସହିତ ତାହାର ସେହି ଅଭିଯାନଗୁଡିକ ଠାରୁ  ଏହା ଭିତରେ ଅନେକଗୁଡିଏ ବର୍ଷ ବିତିଗଲାଣି ) ଖୋଜି ପାଇବ ନାହିଁ ତାହାର ପ୍ରେମ ପ୍ରସଂଗରେ ଅଥବା ତାହାର ସ୍କୁଲରେ ଶିକ୍ଷାଦାନ ସଂପର୍କରେ କି ନିଜର ଚିନ୍ତାରେ ରହିଥିବା ସେମିତି କିଛି ମହତ୍ତ୍ୱ। ସେ  ସାଧୁତାର ସହ କେବେ ମାନିନେବ ନାହିଁ ଯେ ସେ ଆବଶ୍ୟକତା କୁ ଅଣଆବଶ୍ୟକତାରେ ଖୋଜି ପାଇଛି ,ହେଲେ ସେ ଏତେ ନିପାରିଲା ଯେ ଆବଶ୍ୟକତା ପାଇଁ ତାହାର ଇଚ୍ଛାକୁ ସେ କେବେ ଗୋପନରେ ରଖିପାରିବ ନାହିଁ !

ଆହା ! ପ୍ରିୟ ଭଦ୍ରମହିଳା ଆଉ ଭଦ୍ରବ୍ୟକ୍ତି ଗଣ, ମଣିଷଟି ଦୁଃଖରେ ବଞ୍ଚୁଥାଏ ଯେତେବେଳେ ସେ ଆଉ କିଛିକୁ ଅବା ଆଉ କାହାକୁ ଗମ୍ଭୀରତାର ସହ ନେବାକୁ ଅସମର୍ଥ !

ଏବଂ ସେଇଥିପାଇଁ ଏଡୱାର୍ଡ ଈଶ୍ୱରଙ୍କୁ ଲୋଡୁଥାଏ,କେବଳ ଈଶ୍ୱର ଏକା ଯେଉଁଠି ସେ ଉପଶମ କରିପାରିବ ତାହାକୁ ଭ୍ରମିତ କରୁଥିବା କୃତଜ୍ଞତାର ଉପସ୍ଥିତି ମାନଙ୍କୁ ; କାରଣ ସେ କେବଳ ( ସେ କେବଳ,ସେ ଏକମାତ୍ର ,ସେ ଅନସ୍ତିତ୍ୱ) ପୃଥିବୀର ସମସ୍ତ ବିରୁଦ୍ଧ-ପ୍ରବନ୍ଧରେ ସଂଗଠିତ,ଯାହାର ଅସ୍ତିତ୍ୱ ରହିଛି ସମସ୍ତ ଅନାବଶ୍ୟକତାରେ ।

ଏବଂ  ତେଣୁ ଏଡୱାର୍ଡ ବେଳେବେଳେ ଚର୍ଚ୍ଚରେ ବସେ ଆଉ ସ୍ୱପ୍ନଭରା ଆଖିରେ ଦେଖୁଥାଏ ଗୋଲାକାର ଗମ୍ବୁଜ ଶୀର୍ଷକୁ । ଆସନ୍ତୁ ଆମେ ଏତିକିବେଳେ ତାହାଠାରୁ ବିଦାୟ ନେବା ଏମିତି ଏକ ସମୟରେ : ଇଏ ଅପରାହ୍ନ, ଚର୍ଚ୍ଚର ପରିସର ଭାରି ଶାନ୍ତ ଆଉ ଫାଙ୍କା। ଏଡୱାର୍ଡ କାଠର ପିଠିଲଗା ଗୋଟିଏ ବେଞ୍ଚରେ ଆଉଜି ବସିଛି। ସେହି କାଠବେଞ୍ଚକୁ ପିଉ ବୋଲି କୁହାଯାଏ । ତାହାର ମନରେ ଭାରି ଦୁଃଖ ଏଇ ଚିନ୍ତାରେ ଯେ ଈଶ୍ୱର ନାହାଁନ୍ତି । ହେଲେ ଏଇଲେ ଏତିକିବେଳେ ତାହାର ଦୁଃଖ ଏତେ ବିଶାଳ ହୋଇଯାଇଛି ଯେ ତାହାର ଅତଳରୁ ବାହାରି ଆସିଛି ହଠାତ୍ ଗୋଟିଏ ଜୀବନ୍ତ ମୁହଁ ଈଶ୍ୱରଙ୍କର । ଦେଖନ୍ତୁ ! ଏଇଟି ସତ ! ଏଡୱାର୍ଡ ହସୁଛି ,ଆଉ ତାହାର ହସ ଭାରି ସୁଖୀ।

ତାହାକୁ ଆପଣମାନଙ୍କର ସ୍ମରଣରେ ରଖିଥାନ୍ତୁ, ଏମିତି ହସ ସହ।

-ସମାପ୍ତ-

Milan Kundera (1 April 1929 – 11 July 2023) was a Czech-French novelist

About Jyoti Nanda

Jyoti Nanda is a writer, translator based in Bhubaneswar.

View all posts by Jyoti Nanda →