ମୂଳଲେଖା: ମିଲାନ କୁନ୍ଦେରା || ଅନୁବାଦ: ଜ୍ୟୋତି ନନ୍ଦ
୮
ସେଦିନ ଥିଲା ମଙ୍ଗଳବାର,ଆଉ ଯେତେବେଳେ ସେ ଗୁରୁବାର ଦିନ ମହାପରିଚାଳିକାଙ୍କ ଷ୍ଟୁଡିଓ ଆପାର୍ଟମେଣ୍ଟରୁ ଡକରା ପାଏ, ନିଜକୁ ଭରସା ଦେଉଥିବା ଭଳି ଗୋଟିଏ ଉଲ୍ଲାସ ସହ ସେ ସେଠିକୁ ଯାଇଥିଲା,କାରଣ ତାହାର ଟିକିଏ ବୋଲି ସନ୍ଦେହ ନଥିଲା ଯେ,ତାହାର ସ୍ୱାଭାବିକ ଆକର୍ଷଣମାନ ନିଶ୍ଚିତ ଭାବରେ ସେଇ ସମସ୍ତ ଚର୍ଚ୍ଚ-ସ୍କାଣ୍ଡାଲ୍ କୁ ଧୂଆଁ ଭଳି ଉଡାଇ ଦେଇଛି।ମାତ୍ର ଜୀବନ ଏହିପରି ଗତି କରେ: ମଣିଷଟି କଳ୍ପନା କରେ ନିର୍ଦ୍ଦିଷ୍ଟ ନାଟକରେ ସେ ତାହାର ଭୂମିକାଟିରେ ଅଭିନୟ କରୁଛି,ହେଲେ ତାହାର ମନକୁ ଆଦୌ ସନ୍ଦେହ ନଥାଏ ଯେ ଏହା ଭିତରେ କିଏ ଆସି ତାହାର ଆଲକ୍ଷ୍ୟରେ ତାହା ପଛର ସିନ-ସିନେରି ଆଦିକୁ ବଦଳେଇ ଦେବ,ଆଉ ସେ ଖୋଜି ପାଉଥିବ ନିଜକୁ ଭିନ୍ନ ଏକ ଅଭିନୟାଂଶ ରେ ।
ସେ ଆଗ ଭଳି ମହାପରିଚାଳକଙ୍କ ସାମ୍ନାରେ ବସିଥିଲା ଗୋଟିଏ ଆରାମଚେୟାର୍ ରେ। ସେମାନେ ଦୁଇଜଣଙ୍କ ମଝିରେ ଥିଲା ଗୋଟିଏ ଛୋଟ ଟେବୁଲ୍ ଆଉ ସେହି ଟେବୁଲ୍ ଉପରେ ଥିଲା ଗୋଟିଏ ବୋତଲ କନିଆକ୍ ଆଉ ଦୁଇଟି ଖାଲି ଗ୍ଲାସ୍। ଏଇ ବୋତଲକ କନିଆକ୍ ଥିଲା ଏପରି ଏକ ବିଶେଷ ଉପକରଣ ଯାହା ଦ୍ୱାରା ଗୋଟିଏ ତୀକ୍ଷଣ ଆଉ ଗମ୍ଭୀର ପ୍ରକୃତିର ମଣିଷ ବି ଯଥାଶିଘ୍ର ବୁଝିଯାଇପାରିବ ଚର୍ଚ୍ଚକୁ ନେଇ ଯାହା ଯାହା କାଣ୍ଡ ଘଟିଯାଇଛି ତାହା ଆଉ କୌଣସି ପ୍ରଶ୍ନ ହିଁ ନୁହଁ।
କିନ୍ତୁ ନିରୀହ ଏଡୱାର୍ଡ ନିଜକୁ ନେଇ ଏତେ ଆସକ୍ତ ହୋଇ ପଡିଥିଲା ଯେ ପ୍ରଥମରେ ସେ ଏସବୁ କିଛି ଦେଖି ପାରିନାହିଁ । ବେଶ୍ ହସଖୁସିରେ ସେମାନଙ୍କର କଥାବାର୍ତ୍ତା ଆରମ୍ଭ ହୁଏ ( ଏସବୁ ର ବିଷୟବସ୍ତୁ ନିହାତି ଅସ୍ପଷ୍ଟ ଆଉ ସାଧାରଣ ପର୍ଯ୍ୟାୟର ),ଗ୍ଲାସ ଦୁଇଟି ପୁନର୍ବାର ଭର୍ତ୍ତି କରାଯାଇ ତା’ଆଡକୁ ବଢାଇ ଦିଆଯାଉଥାଏ। ସେ କିନ୍ତୁ ବୋର୍ ହୋଇ ଯାଉଥାଏ। ଅଧଘଣ୍ଟେ କି ଘଣ୍ଟାଏ ପରେ ମହାପରିଚାଳିକା ନିଜକୁ ସାବ୍ୟସ୍ତ ନକରିବା ଭଳି ଚତୁରତାର ସହ କଥାବାର୍ତ୍ତାକୁ ବ୍ୟକ୍ତିଗତ ସ୍ତରକୁ ନେଇ ଆସିଲେ; ସେ ନିଜ ବିଷୟରେ ବେଶ୍ କିଛି ଗପିଲେ,ଆଉ ତାଙ୍କର କଥାରୁ ସେ ଯେମିତି ଚାହୁଁଥିଲେ ଠିକ୍ ସେଇଭଳି ତାଙ୍କର ଛବିଟିଏ ଏଡୱାର୍ଡ ର ସାମ୍ନାରେ ଉକୁଟି ଉଠିଥିଲା; ଜଣେ ଅତ୍ୟନ୍ତ ସଂବେଦନଶୀଳ ,ମଧ୍ୟବୟସ୍କା ମହିଳା,ସେମିତି ସନ୍ତୋଷରେ ନାହିଁ,କିନ୍ତୁ ନିଜର ଅବସ୍ଥା ସହ ବେଶ୍ ସଂଭ୍ରମତାରେ ସମନ୍ୱୟ କରିପାରିଛି ,ଏମିତି ମହିଳା ଯାହାର ଅବସୋସ ବୋଲି କିଛି ନାହିଁ ଏବଂ ବିବାହ ନକରିଥିବା କାରଣରୁ ବି ଖୁସି ସେ,ଏଇଥିପାଇଁ ଯେ ଏହା ଫଳରେ ସେ ନିଜର ସ୍ୱାଧୀନତା ଆଉ ନିଜତାକୁ ବେଶ୍ ଭଲ ଭାବରେ ଉପଭୋଗ କରିପାରୁଛନ୍ତି। ଏହି ଜୀବନ ତା’ଙ୍କୁ ଏପରି ଗୋଟିଏ ଛୋଟ ଆପାର୍ଟମେଣ୍ଟ ଯୋଗାଇ ଦେଇଛି,ଯେଉଁଠି ସେ ଖୁବ୍ ସନ୍ତୋଷରେ ଅଛନ୍ତି ଆଉ ହୁଏତ ଏଡୱାର୍ଡ ଏଇଠି ଏତେ ଅସହଜ ମନେ କରିବ ନାହିଁ ଏବେ।
“ନା,ଏଇଟି ପ୍ରକୃତରେ ଭାରି ସୁନ୍ଦର” କହିଲା ଏଡୱାର୍ଡ ବିଷାଦ,ଗୋପନ ଆଉ କ୍ଲାନ୍ତ ହେବା ଭଳି ମିଶାମିଶି ଗଳାରେ ,କାରଣ ଠିକ୍ ସେତିକି ବେଳେ କେଜାଣି କାହିଁକି ତା’କୁ କିଛି ଭଲ ଲାଗୁ ନଥାଏ। ସେଇ କନିଆକ୍ ବୋତଲ ( ସେ ଅସାବଧାନତାବଶତଃ ତାହା ବିଷୟରେ ଆଗରୁ କହିଥିଲା ଆଉ ଏବେ ଯାହା ଦ୍ରୁତଗତିରେ ଟେବୁଲ୍ ଉପରେ ରଖାଯାଇଛି ) ,ଷ୍ଟୁଡିଓ ଆପାର୍ଟମେଣ୍ଟର ଚାରିକାନ୍ଥ ( ଏମିତି ଏକ ଶୂନ୍ୟସ୍ଥାନ ତାହା ନିର୍ମାଣ କରିଛି ଯାହା କ୍ରମଶଃ ସଂକୋଚିତ ଆଉ ଗୋପନ ହୋଇଯାଉଛି ),ମହାପରିଚାଳିକାଙ୍କ ସ୍ୱଗତୋକ୍ତି (ନିଜର ବ୍ୟକ୍ତିଗତ ପ୍ରସଂଗ ଉପରେ ଅଧିକରୁ ଅଧିକ ଉଲ୍ଲେଖ ),ତାଙ୍କର ଚାହାଁଣି (ବିପଜ୍ଜନକ ଭାବରେ ତାହାର ଉପରେ କେନ୍ଦ୍ରୀତ),ଏତକ ସବୁ ସମସ୍ତ କାର୍ଯ୍ୟକ୍ରମକୁ ବାତିଲ୍ କରି କେବଳ ତାହାକୁ ଆକୃଷ୍ଟ କରିବା ପାଇଁ ଉଦ୍ଦିଷ୍ଟ; ସେ ଅନୁଭବ କଲା ଯେ ସେ ଏମିତି ଗୋଟିଏ ପରିସ୍ଥିତିର ଭିତରକୁ ପ୍ରବେଶ କରିଯାଇଛି ଯାହାର ପରବର୍ତ୍ତି କ୍ରମକୁ ଆଉ ଅଟକାଇ ହେବନାହି ;ପରିଷ୍କାର ଭାବରେ ସେ ବୁଝିପାରିଲା ଯେ ତାହାର ଜୀବନଚର୍ଯ୍ୟା ଏଇଲେ ସଂକଟରେ ,ମହାପରିଚାଳିକାଙ୍କ ବିମୁଖତାରୁ ନୁହଁ ବରଂ ଅନ୍ୟପକ୍ଷରେ ମହାପରିଚାଳିକାଙ୍କ ହାଡ ସରସର ଦେହ ପ୍ରତି ତାହାର ସଂପୂର୍ଣ୍ଣ ଅନାସକ୍ତି ର କାରଣରୁ,ଯିଏ ତାହାକୁ ଆଉ ଗୋଟିଏ ଗ୍ଲାସ୍ କନିଆକ୍ ପାନ କରିବା ପାଇଁ ଅନୁରୋଧ କରୁଛି। ତାହାର ଉଦବେଗ ତାହାର ଗଳାକୁ ଚାପିଧରିଥାଏ।
ସେ ମହାପରିଚାଳିକାଙ୍କ କଥା ମାନିନେଲା ଆଉ ଗ୍ଲାସକୁ ଖାଲି କରିଦେଲା,ହେଲେ ତାହାର ଉଦବେଗ ଏତେ ତୀବ୍ର ଥିଲା ଯେ ତାହାର ତୁଳନାରେ ମଦର ନିଶା କିଛି ନୁହଁ। ଅନ୍ୟପକ୍ଷରେ ଆଉ କେତୋଟି ଡ୍ରିଙ୍କ୍ ପରେ ମହାପରିଚାଳିକା ଙ୍କୁ ନିଶା ଏତେ ଧରିଯାଇଥିଲା ଯେ ତାଙ୍କର ଉତ୍ସାହର କଥାଗୁଡିକ ବେଶ୍ ଭୟଙ୍କର ଶୁଭୁଥିଲା : “ଗୋଟିଏ କଥା ମୁଁ ତମକୁ ଈର୍ଷା କରେ”,ସେ କହିବାକୁ ଲାଗିଲେ,” କାରଣ ତମେ ଏତେ ତରୁଣ। ହତାଶା କହିଲେ କ’ଣ ତମେ ତାହା ଜାଣନାହିଁ ,ସେମିତି ଜାଣନାହିଁ ବିଭ୍ରମ କ’ଣ ! ତମେ ପୃଥିବୀକୁ ତଥାପି ଦେଖୁଛ,ସୁନ୍ଦର ଆଉ ଆଶାରେ ଭରପୁର।”
ସେ ଟେବୁଲରେ ଏଡୱାର୍ଡ ଆଡକୁ ଟିକିଏ ଝୁଙ୍କି ପଡିଥାନ୍ତି ଆଉ ଏକ ବିଷାଦାଛନ୍ନ ନୀରବତାରେ (ଏମିତି ଗୋଟିଏ ହସ ସହ ଯାହାକୁ ଜୋର୍ କରି ଓଠରେ ଅଟକାଇ ରଖାଯାଇଛି ) ନିଜର ଭୟଙ୍କର ଭାବରେ ବଡ ଆଖି ହଳକୁ ତାହାର ଉପରେ ନିବଦ୍ଧ କରିଥାନ୍ତି,ସେତେବେଳେ ଏଡୱାର୍ଡ ନିଜକୁ କହିଥିଲା ଯେ ସେ ଯଦି ଏଇଲେ ଆଉ ଗୋଟିଏ ଥର ଡ୍ରିଙ୍କ୍ ନିଜପାଇଁ ଜୁଟାଇ ନପାରେ ତାହାହେଲେ ସଂଜ ଶେଷ ହେବା ଆଗରୁ ସେ ବେଶ୍ ଅସୁବିଧାରେ ପଡିଯିବ ; ସେଇ ଲକ୍ଷ୍ୟରେ ନିଜର ଗ୍ଲାସ୍ ରେ କିଛି କନିଆକ୍ ଢାଳିଲା ଆଉ ଚଟାପଟ ତାହାକୁ ଢୋକିଦେଇଥିଲା।
ମହାପରିଚାଳିକା କହି ଚାଲିଥିଲେ :” ହେଲେ ମୁଁ ତାହାକୁ ସେଇଭଳି ଦେଖିବାକୁ ଚାହେଁ ! ଯେମିତି ତମେ ଦେଖିପାରୁଛ !”ଆଉ ତାହାପରେ ସେ ନିଜ ଆରାମଚେୟାର୍ ରୁ ଉଠି ପଡିଲେ ,ଛାତିକୁ ଟିକିଏ ଆଉଜେଇ ଆଣି କହିଲେ : ” ସତରେ ତମେ କ’ଣ ମୋତେ ପସନ୍ଦ କର ? ସତରେ ?” ଆଉ ତାହାପରେ ସେ ସେଇ ଛୋଟିଆ ଟେବୁଲକୁ ଅତିକ୍ରମ କରି ଏଡୱାର୍ଡ ର ସାର୍ଟ ର ହାତକୁ ଧରି ଝୁଙ୍କାଇ ଦେଇ କହିଲେ,” କହ,ଏହା କ’ଣ ସତ ?”
“ହଁ ” କହିଲା ଏଡୱାର୍ଡ।
“ଆସ,ଏଥର ଆମେ ନାଚିବା,” ସେ କହିଲେ,ଏବଂ ଏଡୱାର୍ଡ ର ସାର୍ଟର ହାତକୁ ଛାଡିଦେଇ ସେ ରେଡିଓ ପାଖକୁ ଗଲେ ଆଉ ସେଥିରୁ ନାଚିବା ପାଇଁ ଯୋଗ୍ୟ ଗୀତଟିଏ ଖୋଜି ପାଇବା ପାଇଁ ତାହାର ନବ୍ କୁ ଘୁରାଇବାକୁ ଲାଗିଲେ। ତାହାପରେ ସେ ଏଡୱାର୍ଡ ଆଗରେ ଯାଇ ଛିଡା ଆଉ ମୁହଁରେ ତାଙ୍କର ଆମନ୍ତ୍ରଣର ହସ।
ଏଡୱାର୍ଡ ଛିଡା ହୋଇଗଲା,ମହାପରିଚାଳିକାଙ୍କୁ ଜାବୁଡି ଧରି ସେଇ ଘର ଭିତରକୁ ନେଇଗଲା ଯେଉଁଠୁ ଗୀତର ତାଳ ଆସୁଥାଏ। ବେଳକୁ ବେଳ ମହାପରିଚାଳିକା ନିଜର ମଥାକୁ ଏଡୱାର୍ଡର କାନ୍ଧ ଉପରକୁ ଆଉଜାଇ ଆଣୁଥାନ୍ତି ,ତାହାପରେ ହଠାତ୍ ସେ ମଥାକୁ ଟେକି ଏଡୱାର୍ଡର ଆଖିରେ ଗଭୀର ଭାବରେ ନିଜର ଆଖିକୁ ରଖିଥିଲେ,ଆଉ ତାହାର କିଛି ସମୟ ପରେ ସେ ଖୁବ୍ ଆସ୍ତେ ମଧୁର ସ୍ୱରରେ ଆସୁଥିବା ତାଳ ସହିତ ନିଜର ଗଳା ମିଳାଇଥିଲେ।
ଏଡୱାର୍ଡକୁ ଭାରି ଅସହଜ ଲାଗୁଥାଏ,ତେଣୁ ସେ ନାଚର ମଝିରେ ମଝିରେ ସେଥିରୁ ବାହାରି ଆସୁଥାଏ ଆଉ ଗୋଟିଏ ଡ୍ରିଙ୍କ୍ ନେବା ପାଇଁ । ତାହାର ଆଉ କିଛି ଆବଶ୍ୟକ ନଥିଲା କେବଳ ଏଇ ଉପସ୍ଥିତ ସଂତ୍ରାସର କବଳରୁ ମୁକ୍ତି ବ୍ୟତୀତ। ଯେଉଁ ସଂତ୍ରାସଟି ସେମାନଙ୍କ ସହିତ ନାଚ ସମୟରେ ଉପସ୍ଥିତ ରହୁଛି ତାହା ତାହାପାଇଁ ଅଧିକରୁ ଅଧିକ ଓଜନିଆ ହେବାରେ ଲାଗିଥିଲା। ସେ ତେଣୁ ମହାପରିଚାଳିକାଙ୍କ ଆଖିକୁ ବାରଂବାର ଦେଖୁଥିଲା ତାହା ନିଶାଗ୍ରସ୍ତ ହୋଇପଡିଛି କି ନାହିଁ । ଯେତେବେଳେ ସେ ଦେଖିପାରିଲା ଯେ ତାଙ୍କର ମସ୍ତିଷ୍କର କୋଷଗୁଡିକ କନିଆକ୍ ର ନିଶାରେ ଅଚେତନ,ନିଜର ଡାହାଣ ହାତରେ ତାଙ୍କୁ ନିଜର ଦେହ ଉପରକୁ ଦୃଢ ଭାବରେ ଟାଣିଆଣି ବାଆଁ ହାତକୁ ରଖିଥିଲା ତାଙ୍କର ସ୍ତନ ଉପରେ।
ହଁ,ସେ ସେଇ କାମ କରିଛି ଯାହା ତାହାକୁ ପୂରାସଂଜ ସାରା ଡରାଇ ଆସୁଥିଲା;ସେ ଏତକ କରିବା ବଦଳରେ ଆଉ ଅନେକ କିଛି ତ୍ୟାଗ କରିପାରିଥାନ୍ତା,ହେଲେ ସେ ଏତକ କରିଛି ,ତାହାପରେ ବିଶ୍ୱାସ କର ,ଏହାହିଁ କେବଳ ତାହାର କରିବାର ପ୍ରୟୋଜନ ଥିଲା;ସେଇ ପରିସ୍ଥିତି ଯାହା ଭିତରକୁ ସେ ସଂଜବେଳରୁ ପଶି ଆସିଛି ତାହାର ଆଉ କୌଣସି ବାଟ ନାହିଁ,ହୁଏତ ଏଇ ପ୍ରକ୍ରିୟାକୁ ମନ୍ଥର କରିଦିଆଯାଇ ପାରିଥାନ୍ତା,ମାତ୍ର ଏହାର ପୂର୍ଣ୍ଣବିରାମ ହେବନାହିଁ,ତେଣୁ ସେ ଯେତେବେଳେ ମହାପରିଚାଳିକାଙ୍କ ସ୍ତନ ଉପରେ ହାତ ରଖିଥିଲା ,ସେ କେବଳ ନିଜକୁ ସମର୍ପି ଦେଇଥିଲା ଏକ ଅବଶ୍ୟମ୍ଭାବୀ ଆବଶ୍ୟକତାର ସାନ୍ନିଧ୍ୟରେ।
ତାହାର କାମର ପରିଣତି ସବୁ ସମ୍ଭାବନାକୁ ଅତିକ୍ରମ କରିଯାଇଥିଲା। ଯେମିତି ଗୋଟିଏ ଯାଦୁକରର ଛଡି ,ମହାପରିଚାଳିକା ତା’ ବାହାକୁ ଘୁରାଇବାକୁ ଲାଗିଲେ ,ବେଶି ଡେରି ହେଲା ନାହିଁ ସେ ନିଜର ଓଠକୁ ତାହାର ଓଠ ଉପରେ ଥାପିଦେଲେ ।ତାହାପରେ ସେ ତାହାକୁ କାଉଚ ଉପରକୁ ଟାଣି ନେଇ ଆଉ ନିହାତି ବଣ୍ୟ ଭାବରେ ଛଟପଟ ହୋଇ ଦୀର୍ଘଶ୍ୱାସମାନ ଛାଡୁଥିଲେ,ତାହାର ଓଠକୁ କାମୁଡିବା କାରଣରୁ ଏଡୱାର୍ଡକୁ ଭାରି କଷ୍ଟ ହେଉଥାଏ। ତାହାପରେ ସେଇଠୁ ତାହାର ଆଲିଙ୍ଗନରୁ ଖସି ଗଲେ,କହିଲେ,”ଅପେକ୍ଷା କର !”, ଏତିକି କହି ସେ ଗାଧୁଆଘର ଭିତରକୁ ପଶିଯାଇଥିଲେ।
ଏଡୱାର୍ଡ ତାହାର ଆଙ୍ଗୁଳିକୁ ଚୋଷିଲା,ତାହାର ଜିଭରୁ ଟିକିଏ ରକ୍ତ ବାହାରୁଛି। କାମୁଡିବାର କ୍ଷତ ଯୋଗୁ ଏତେ ବେଶି କଷ୍ଟ ହେଉଛି ଯେ ତାହାର ଆୟାସସାଧ୍ୟ ଯେଉଁ ନିଶା ତାହା କମିବାରେ ଲାଗିଛି ଏବଂ ଆଉଥରେ ତାହାର ଗଳା ଯାହା ତା’ ପାଇଁ ଅପେକ୍ଷା କରିଛି ତାହାର ଉଦବେଗ୍ ରେ ଏକପ୍ରକାର ବନ୍ଦ । ଗାଧୁଆଘର ଭିତରୁ ଜୋର୍ ରେ ପାଣି ପଡିବାର ଆଉ ଛିଟାମାରିବାର ଶବ୍ଦ ଆସୁଥାଏ। ସେ କନିଆକ୍ ବୋତଲକୁ ଓଠ ପାଖକୁ ଟେକିନେଇ,ବେଶ୍ କିଛି ପିଇଥିଲା।
ମହାପରିଚାଳିକା ଚୌକାଠରେ ଦେଖାଗଲା ବେଳକୁ ତାଙ୍କର ଦେହରେ ଥିଲା ଗୋଟିଏ ଇଷତ୍ ସ୍ୱଚ୍ଛ ରାତ୍ରୀପୋଷାକ ( ଯାହାର ଛାତି ଉପରେ ଥିଲା ଘନ ଲେସ୍ କାମ ) ଆଉ ସେ ଏଡୱାର୍ଡ ଆଡକୁ ମନ୍ଥର ଗତିରେ ଆଗେଇ ଆସୁଥାନ୍ତି । ସେ ତାହାକୁ ଆଲିଙ୍ଗନ କଲେ। ତାହାପରେ ଟିକିଏ ପଛେଇ ଯାଇ ଅପସନ୍ଦର ଗଳାରେ ପଚାରିଲେ : “ତମେ ଏଯାଏଁ ପୋଷାକରେ ଅଛ କାହିଁକି ?”
ଏଡୱାର୍ଡ ତାହାର ଜାକେଟ୍ କୁ ଖୋଲିଲା ଆଉ ମହାପରିଚାଳିକାଙ୍କ ଆଡକୁ ଚାହିଁ (ତାଙ୍କର ଗୋଲ ଗୋଲ ବଡ ବଡ ଆଖି ଦୁଇଟି ତା’ ଉପରେ ନିର୍ଦ୍ଦିଷ୍ଠ ଆଏ ),ସେ ଆଉକିଛି ଭାବି ପାରି ନଥିଲା କେବଳ ସେଇ କଥା ଯେ ତାହାର ଦେହ ଏଇଲେ ତାହାର ଅନେକ ଆୟାସର ଇଚ୍ଛାକୁ ସମାପ୍ତ କରିଦେବା ପାଇଁ ବସିଛି। ନିଜର ଦେହକୁ ଜାଗ୍ରତ କରିଦେବା ପାଇଁ ସେ ଅନିଶ୍ଚିତ ଗଳାରେ କହିଥିଲା : “ପୂରା ଖୋଲିଦେଉଛି ।”
ଏକ ଅକସ୍ମାତ ଝଟକାର ବଶମ୍ବଦ ଗତିରେ ସେ ନିଜର ଦେହରୁ ରାତ୍ରିପୋଷାକକୁ ଫୋପାଡିଦେଲେ,ତାଙ୍କର ଗୋରା ,ନଗ୍ନ ଆଉ ହାଡୁଆ ଦେହ ଉନ୍ମୋଚିତ ହେଲା ,ଘନକୃଷ୍ଣ କବରି ତଳକୁ ମୁକୁଳିତ ହେଲା । ସେ ତାହାର ଆଡକୁ ଆସ୍ତେ ଆସ୍ତେ ଆଗେଇ ଆସୁଥାନ୍ତି ଆଉ ଭୟାର୍ତ୍ତ ଏଡୱାର୍ଡ ଅନୁଭବ କଲା ଏତେଦିନ ହେଲା ସେ ଯାହା ଜାଣିଥିଲା : ତାହାର ଶରୀର ପୁରାପୁରି ଶିକୁଳୀରେ ବନ୍ଧା।
ଭଦ୍ରମହୋଦୟ ଗଣ,ମୁଁ ଜାଣେ ଏତେବର୍ଷ ଭିତରେ ଆପଣମାନେ ନିଜ ନିଜର ଦେହର ସାମୟିକ ଅବାଧ୍ୟପଣ ସଂପର୍କରେ ଅବହିତ ଥିବେ,ଆଉ ଏହା ତେଣୁ ଏପରି କିଛି କଥା ନୁହଁ ଯାହା ଆପଣମାନଙ୍କୁ ଆଘାତ ଦେଇପାରେ । ହେଲେ ବୁଝିବାକୁ ଚେଷ୍ଟା କରନ୍ତୁ,ଏଡୱାର୍ଡ ସେତେବେଳେ ତରୁଣ ଥିଲା ! ତାହାର ଦେହର ଷଡଯନ୍ତ୍ର ତାହାକୁ ଏକ ଅବିଶ୍ୱାସ୍ୟ ଆତଙ୍କ ଭିତରକୁ ପ୍ରତ୍ୟେକଟି ସମୟରେ ଟାଣି ଆଣୁଥିଲା ଆଉ ସେ ଏହାକୁ ଗୋଟିଏ ଅନୁତାପସୂଚକ ପତନ ବୋଲି ବିଚାରକରି ସହିଯାଉଥିଲା ,ତାହାର ସାକ୍ଷୀ ହିସାବରେ ଗୋଟିଏ ସୁନ୍ଦର ମୁହଁ ଥାଉ କି ମହାପରିଚାଳିକା ଙ୍କ ଭଳି ଗୋଟିଏ ଅସୁନ୍ଦର ଏବଂ ହାସ୍ୟୋଦ୍ଦୀପକ ମୁହଁ ହୋଇଥାଉ। ମହାପରିଚାଳିକା ଏବେ ତାହାଠାରୁ କେବଳ ଗୋଟିଏ ପାଦ ଦୂରରେ ,ଆଉ ସେ ଭୟଭୀତ ଜାଣି ପାରୁନି ଏବେ କ’ଣ କରିବ,ଯେତେ କଥା କୁହାଯିବାର ସେ ଶୁଣିଛି ,ସେ ଏପରିକି ଜାଣେନାହିଁ କେମିତି (ଧୂର୍ତ୍ତ ପ୍ରତିଫଳନ ର ବଦଳରେ ଏହା ପ୍ରେରଣାର ଫଳ ) : “ନା,ନା ! ଈଶ୍ୱର ,ନା ! ନା,ଏଇଟା ପାପ ,ପାପ ହେବ !” ସେ ସେଇଠୁ ଅଲଗା ହୋଇ ପଡିଥିଲା ହଠାତ୍।
ମାତ୍ର ମହାପରିଚାଳିକା ତାହାର ଆଡକୁ ଆଗେଇ ଆସୁଥାନ୍ତି। ସେ କହିଲେ,” ପାପ କ’ଣ ? ପାପ ବୋଲି କିଛି ନାହିଁ ।”
ଏଡୱାର୍ଡ ଟେବୁଲ ପାଖକୁ ଫେରିଯାଇଥିଲା ଯେଉଁଠି ଟିକିଏ ଆଗରୁ ସେମାନେ ବସିଥିଲେ : “ନା,ମୁଁ ତାହା କରିପାରିବି ନାହିଁ। ମୋର ଅଧିକାର ନାହିଁ ।”
ବାଟରେ ପଡିଥିବା ଆରାମଚେୟାରକୁ ଟିକିଏ ଠେଲିଦେଇ ମହାପରିଚାଳିକା ପୁଣି କହିଥିଲେ : “ସେଥିରେ ପାପ ନାହିଁ ! ସେଥିରେ ପାପ ନାହିଁ ।”
ଏଡୱାର୍ଡ ତାହାର ଆରାମଚେୟାର ନିକଟରେ ଅଛି ,ତାହାଠୁ ପାଦଟିଏ ଦୂରରେ ଅଛନ୍ତି ମହାପରିଚାଳିକା । ବର୍ତ୍ତମାନ ସେ ଆଉ ପଳାଇଯାଇ ପାରିବ ନାହିଁ,ଆଉ ସମ୍ଭବତଃ ଏହା ତାହାର ହତାଶା ଯାହା ତାହାକୁ ଏପରି ନିର୍ଗତିର ମୁହୂର୍ତ୍ତରେ ତାଙ୍କୁ ନିର୍ଦ୍ଦେଶ ଦେବାକୁ ବାଧ୍ୟକରିଥିଲା : ” ଆଣ୍ଠୁମାଡି ବସ୍।”
ସେ ତାହାକୁ କିଛି ନବୁଝିବା ପରି ଚାହିଁ ଥିଲେ,ମାତ୍ର ସେ ଆହୁରି ଦୃଢ ଆଉ ନିହାତି ହତାଶ ଗଳାରେ ତାହା ଦୋହରାଇଥିଲା,”ଆଣ୍ଠୁମାଡି ବସ୍।” ତାଙ୍କର ସମସ୍ତ ଉତ୍ସାହ ଚୁରମାର୍ ହୋଇ ତାଙ୍କୁ ଆଣ୍ଠୁମାଡି ବସାଇଦେଲା ,ତାଙ୍କର ହାତ ଏଡୱାର୍ଡର ପାଦକୁ ଜାବୁଡି ଧରିଥାଏ ।
“ହାତ ଛାଡ୍” ସେ ନିର୍ଦ୍ଦେଶ ଦେଲା।” ନିଜ ଛାତିକୁ ସେଥିରେ ଜାବୁଡି ଧର୍।”
ସେ ପୁଣିଥରେ ଅବୋଧ୍ୟ ଦୃଷ୍ଟିରେ ତାହାକୁ ଚାହିଁଥିଲେ।
“ଛାତିକୁ ଜାବୁଡି ଧର୍। ଶୁଭୁନି ?”
ସେ ନିଜର ହାତକୁ ଛାତିରେ ଛନ୍ଦିଦେଲେ ।
“ଏଥର ପ୍ରାର୍ଥନା କର୍!” ସେ ନିର୍ଦ୍ଦେଶ ଦେଲା।
ସେ ନିଜର ହାତଦୁଇଟିରେ ନିଜ ଛାତିକୁ ଛନ୍ଦିନେଇଥିଲେ ,ମୁହଁ ଉଠାଇ ବାରଂବାର ଭାବବିହ୍ୱଳ ହୋଇ ଚାହିଁ ରହିଥାନ୍ତି ତାହାକୁ।
” ପ୍ରାର୍ଥନା କରନ୍ତୁ ! ହୁଏତ ଈଶ୍ୱର ଆମମାନଙ୍କୁ କ୍ଷମା କରିଦେବେ ” ସେ କହିଲା।
ତାଙ୍କର ହାତ ଦୁଇଟି ଯୋଡି ହୋଇଥାଏ ।ସେ ଉପରକୁ ଚାହିଁ ନିଜର ଆଖିକୁ ଡବଡବ କରି ତାହାକୁ ଦେଖୁଥାନ୍ତି ,ଆଉ ଏତିକିରେ ଏଡୱାର୍ଡ କେବଳ ଆବଶ୍ୟକ ହେଉଥିବା ସମୟ ପାଇଲା ନାହିଁ ,ତାଙ୍କୁ ଉପରରୁ ତଳକୁ ଦେଖିବା ଭଳି ଦେଖିବାର ଭିତରେ,ସେ ନିଜର ଯାତନାପ୍ରଦାୟକ ଅନୁଭବକୁ ବି ହରାଇବସୁଥିଲା ଯେ ସେ କେବଳ ଆଉ ତାଙ୍କର ଶିକାର ହୋଇ ରହିନାହିଁ ଏବଂ ସେ ନିଜର ଆତ୍ମବିଶ୍ୱାସ କୁ ଫେରି ପାଇଥିଲା। ସେ ଟିକିଏ ପଛେଇ ଯାଇ ପୁଣି ନିର୍ଦ୍ଦେଶ ଦେଇଥିଲା,”ଏଥର ପ୍ରାର୍ଥନା କରନ୍ତୁ।”
ସେ ନୀରବ ରହିଥିଲେ ଆଉ ସେ ଚିତ୍କାର କରି କହିଥିଲା,”ଉଚ୍ଚ ଗଳାରେ !”
ଏବଂ ତାହାପରେ ସେଇ ହାଡ ସରସର,ଉଲଗ୍ନ ,
ଆଣ୍ଠୁମାଡି ବସିଥିବା ମହିଳା ଜଣକ ଉଚ୍ଚାରଣ କରିବାକୁ ଆରମ୍ଭ କରିଥିଲା : ” ହେ ଆମର ପରମପିତା,ଆପଣ ସ୍ୱର୍ଗରାଜ୍ୟରେ ଅବସ୍ଥିତ,ଆପଣଙ୍କର ନାମ ଶୂନ୍ୟ ,ଆପଣଙ୍କର ରାଜ୍ୟ…”
ସେ ଯେତେବେଳେ ଏଇ ଭଳି ପ୍ରାର୍ଥନା କରୁଥିଲେ,ଉପରକୁ ମଥା ତୋଳି ଏଡୱାର୍ଡକୁ ଦେଖୁଥିଲେ,ଯେମିତି ସେ ନିଜେ ଈଶ୍ୱର । ସେ ତାହାଙ୍କୁ ଆନନ୍ଦର ସହ ଦେଖୁଥାଏ : ତାହାର ସାମ୍ନାରେ ଆଣ୍ଠୁମାଡି ବସିଥିବା ମହାପରିଚାଳିକା ଯିଏ ନିଜର ଜଣେ ଅଧସ୍ତନ କର୍ମଚାରୀ ଦ୍ୱାରା ଅପମାନିତ ; ତାହାର ସାମ୍ନାରେ ଜଣେ ଉଲଗ୍ନ ବିପ୍ଳବୀ ଯିଏ ପ୍ରାର୍ଥନା ଦ୍ୱାରା ଅପମାନିତ,ତାହାର ସାମ୍ନାରେ ଜଣେ ପ୍ରାର୍ଥନାରତ ମହିଳା ଯିଏ ନିଜର ଉଲଗ୍ନ ପଣ ଦ୍ୱାରା ଅପମାନିତ।
ଏଇ ଭଳି ତିନୋଟି ପ୍ରକାର ଅପମାନବୋଧ ର ଛବି ତାହାକୁ ନିଶାଚ୍ଛନ୍ନ କରିଦେଲା ଆଉ ହଠାତ୍ ଅଭାବିତ କିଛି ଘଟିଥିଲା : ତାହାର ଦେହ
ନିଜରର ନିଷ୍କ୍ରିୟ ବାଧକ ସମୂହକୁ ହଠାତ୍ ପ୍ରତ୍ୟାହାର କରିନେଇଥିଲା ; ଏଡୱାର୍ଡର ଜନନାଙ୍ଗରେ ତୁମୁଳ ଉତ୍ତେଜନା।
ମହାପରିଚାଳିକା ଯେତେବେଳେ ଉଚ୍ଚାରଣ କରୁଥିଲେ,”ଆମକୁ ନେଇଯାଅ ନାହିଁ ପ୍ରଲୋଭନର ଜଗତକୁ” ଠିକ୍ ସେତିକିବେଳେ ସେ ସଂପୂର୍ଣ୍ଣ ଉଲଗ୍ନ ହୋଇଯାଇଥିଲା। ଯେତେବେଳେ ସେ କହୁଥିଲେ “ଆମେନ୍” ଠିକ୍ ସେତିକି ବେଳେ ସେ ତାଙ୍କୁ ଚଟାଣରୁ ଦୁର୍ଦ୍ଧଷ ଭାବରେ ଟେକିନେଇ କାଉଚ୍ ଉପରେ ଫୋପାଡିଦେଇଥିଲା ।
କ୍ରମଶଃ… … …