ଏଡୱାର୍ଡ ଓ ଈଶ୍ୱର-୨

ମୂଳଲେଖା: ମିଲାନ କୁନ୍ଦେରା || ଅନୁବାଦ: ଜ୍ୟୋତି ନନ୍ଦ

ଏଡୱାର୍ଡ ତାହାର ସବୁଠାରୁ ଚାପଜନିତ ବିପଦକୁ ଏହିପରି ଏଡାଇ ଦେଇ ପାରିଥିଲା। ଜଣେ ଶିକ୍ଷକ ଭାବରେ ତାହାର ଭାଗ୍ୟ ଏଇଲେ ମହାପରିଚାଳିକାଙ୍କ ଉପରେ  ସଂପୂର୍ଣ୍ଣ ଭାବରେ ନିର୍ଭର କରୁଛି ,ଏଇଟି ହେଉଛି ତାହାର ଖୁସିର ସବୁଠୁ ବଡ କାରଣ। ତାହାର ବଡଭାଇ ର ଦୃଷ୍ଟିରେ ମହାପରିଚାଳିକାର ଆଖି ସବୁସମୟ ରହିଥାଏ  ଯୁବକମାନଙ୍କ ଉପରେ ,ତେଣୁ ତାହାର ଭାଇ ନିଜର ଦୁର୍ଦମ ଯୌବନର ଆତ୍ମବିଶ୍ୱାସରେ  ତାହାର ଉପସ୍ଥିତ ଏଇ ସାର୍ବଭୌମ ଶାସକକୁ ଠିକ୍ ଅତିକ୍ରମ କରିପାରିବ,ଏମିତି ବିଶ୍ୱାସ ତାହାର ରହିଥିଲା।

ଯେବେ ରାଜି ହୋଇଥିବା କଥା ଅନୁସାରେ ସେ ମହାପରିଚାଳିକାଙ୍କୁ ତାଙ୍କର ଅଫିସ୍ ରେ  କେତେକଦିନ ପରେ ଦେଖା କରିବାକୁ ଯାଇଥିଲା,ସେ ହାଲକା ଚାଲରେ କଥା ଆରମ୍ଭ କରିବାକୁ ଚେଷ୍ଟା କରିଥିଲା ଆଉ କଥାବାର୍ତ୍ତା ସମୟରେ ତାହାକୁ ଯେତିକି ଅବସର ମିଳୁଥିଲା ସେତକରେ ସେ ଯଥେଷ୍ଟ ଆନ୍ତରିକତା ଆଉ ପ୍ରଶଂସା କରିବା ଭଳି ତୋଷାମଦର ବେଶ୍ ପ୍ରୟୋଗ କରିଥିଲା। କଥାବାର୍ତ୍ତାରେ ସେ ଜାହିର କରୁଥିଲା ସତର୍କ ବିରୋଧାଭାଷରେ ଜଣେ ନାରୀର ଦୟାପ୍ରାର୍ଥୀ ହୋଇ ରହିଥିବା ଜଣେ ପୁରୁଷର କେବଳ ଅବସ୍ଥିତି। କିନ୍ତୁ କଥାବାର୍ତ୍ତାର ସ୍ୱର କେମିତି ହେବ ସେକଥା ଧାର୍ଯ୍ୟ କରିବା ପାଇଁ ତାହାର ଅନୁମତି ନଥିଲା। ମହାପରିଚାଳିକା ତାହା ସହିତ ବେଶ୍ ଭଲ ସହଜ ରେ କଥା ହେଉଥିଲେ ,ହେଲେ ସେଥିରେ ରହିଥିଲା ଯଥେଷ୍ଟ ଆତ୍ମସଂଜମ ; ସେ ଏଡୱାର୍ଡକୁ ପଚାରିଥିଲେ ସେ ନିକଟରେ କ’ଣ ପଢିପଢି କରିଛି ,ତାହାପରେ ସେ କେତେକ ବହିର ନାମୋଲ୍ଲେଖ କରିଥିଲେ ଆଉ ସେଥିରୁ କିଛି ପଢବା ପାଇଁ ପରାମର୍ଶ ଦେଇଥିଲେ, ବିଶେଷରେ ତାଙ୍କର ଯାହା ବିଚାର ସେ ସଂପର୍କରେ ଉଭୟଙ୍କର ଚର୍ଚ୍ଚା ହୋଇଥିଲା। ସେମାନଙ୍କର ଏହି ସଂକ୍ଷିପ୍ତ ସାକ୍ଷାତ ଶେଷ ହୁଏ ଯେତେବେଳେ ସେ ଏଡୱାର୍ଡକୁ ନିଜ ଘରକୁ ନିମନ୍ତ୍ରଣ କରନ୍ତି ।

ମହାପରିଚାଳିକା ଙ୍କ ଗମ୍ଭୀର ରହିବା ଭଳି କାରଣରୁ ଏଡୱାର୍ଡ ର ଆତ୍ମବିଶ୍ୱାସ ପୁଣି ଫୁସ୍ ହେବାକୁ ଲାଗିଲା ,ତେଣୁ ସେ ତାଙ୍କର ଷ୍ଟୁଡିଓ ଆପାର୍ଟମେଣ୍ଟକୁ ଅତି ଚୁପଚାପ୍ ଭାବରେ ପ୍ରବେଶ କରିଥିଲା,ନିଜର କୌଣସି ପୁରୁଷାଳୀ ସମ୍ମୋହନକୁ ପ୍ରତିଷ୍ଠିତ କରିବା ଭଳି ତାହାର କୌଣସି ଅଭିଳାଷ ନଥିଲା ସେତେବେଳେ। ମହାପରିଚାଳିକା ଗୋଟିଏ ଆରାମଚେୟାର୍ ରେ ବସିଥାନ୍ତି ଆଉ ସେ ଏଡୱାର୍ଡକୁ ନିହାତି ବନ୍ଧୁତାର ଗଳାରେ ପଚାରିଥିଲେ କ”ଣ ତାହାର ପସନ୍ଦ, କପେ  କଫି ହୁଏତ ? ସେ କହିଲା,ନାଇଁ କିଛି ଲୋଡା ନାହିଁ ।ତାହାହେଲେ କିଛି ଆଲକହଲ୍ ?
ସେ ଅପ୍ରସ୍ତୁତ ହୋଇ ପଡିଲା ଆଉ କହିଲା,”ଯଦି କିଛି କନିଆକ୍ ଥାଏ ତାହେଲେ..” ଆଉ ଏହାପରେ ଏଡୱାର୍ଡକୁ ଭାରି ଡର ମାଡିଲା,ତା’କୁ ଲାଗିଲା ଏହାଦ୍ୱାରା ସେ ଯେମିତି ତାହାକୁ ଦିଆଯାଇଥିବା ଅଧିକାରର ଉଲ୍ଲଂଘନ କରିଯାଇଛି।ମାତ୍ର ମହାପରିଚାଳିକା ନିଜେ ଉତ୍ତର ଦେଲେ ସେଇ ବନ୍ଧୁତାଭରା ଗଳାରେ,” ନା,ମୋ ପାଖରେ କନିଆକ୍ ନାହିଁ,ମାତ୍ର କିଛି ୱାଇନ୍
ଅଛି ,” ଆଉ ତାହାପରେ ସେ ଗୋଟିଏ ବୋତଲ ଧରି ଆସିଲେ,ବୋତଲଟି ଅଧା ଖାଲି,ସେଥିରେ ଯାହା କିଛି ଅବଶିଷ୍ଟ ଥିଲା ତାହା କେବଳ ଦୁଇଟି ଗ୍ଲାସ୍ ପାଇଁ ଚଳିଯିବ।

ତାହାପରେ ସେ ଏଡୱାର୍ଡକୁ କହିଲେ ଯେ ସେ ଯେମିତି ନିଜକୁ ଜଣେ ତଦନ୍ତକାରୀ ଭଳି  କେବେ ମନେ ନକରେ;କହିବାକୁ ଗଲେ ଜଣେ ନିଜେ ଯାହା ବିବେଚନା କରିଥାଏ ତାହା ସଂପୂର୍ଣ୍ଣ ଠିକ୍ ବୋଲି ବିଶ୍ୱାସ କରିବା ହେଉଛି ପ୍ରତ୍ୟେକଙ୍କର  ସଂପୂର୍ଣ୍ଣ ଅଧିକାର । ସାଧାରଣଭାବରେ ,ଜଣେ ଅବଶ୍ୟ (ମହାପରିଚାଳିକା ହଠାତ୍ ସେଥିରେ ଯୋଡିଥିଲେ)ପ୍ରଶ୍ନ କରିପାରେ ଏମିତି ଜଣେ ଶିକ୍ଷକ ହେବା ପାଇଁ ଯୋଗ୍ୟ କି ନୁହଁ ;ସେଇ କାରଣରୁ ,ସେ କହିଥିଲେ,ସେମାନେ ଏଡୱାର୍ଡକୁ ତଲବ କରିବେ (ଯଦିଓ ସେମାନେ ଏ ବିଷୟରେ ସଂତୁଷ୍ଟ ନୁହଁନ୍ତି )ଆଉ ସେମାନେ ତାହା ସହିତ ଲମ୍ବା ଆଲୋଚନା କରିବାକୁ ଚାହୁଁଛନ୍ତି  ଏବଂ ସେମାନେ ( ମହାପରିଚାଳିକା ଆଉ ଇନସପେକ୍ଟର ,ଏଇ ଦୁଇଜଣ ) ସେ ଯେମିତି ଅକପଟ ଭାବରେ କହିଥିଲା ସେଥିରେ ବେଶା ସନ୍ତୁଷ୍ଟ ,ଆଉ ସେଇଠି ସବୁଠାରୁ ବଡ କଥା ହେଲା ଯେ ସେ କୌଣସି କଥାକୁ ଅସ୍ୱୀକାର କରିନାହିଁ । ତାହାପରେ ମହାପରିଚାଳିକା କହିଥିଲେ ଯେ ତାଙ୍କର ଏଇ ବିଷୟରେ ଇନସପେକ୍ଟରଙ୍କ ସହିତ ଏଡୱାର୍ଡ ର ସଂପର୍କରେ ଦୀର୍ଘ ସମୟ ଧରି ଆଲୋଚନା ହୋଇଛି , ଆଉ ସେମାନେ ସ୍ଥିର କରିଛନ୍ତି  ଯେ ସେମାନେ ତାହାକୁ ଛଅମାସ ପରେ ଆଉ ଗୋଟିଏ ସାକ୍ଷାତକାର ପାଇଁ ଡାକିବେ,ଆଉ ଏଇ ଛଅମାସର ସମୟ ଭିତରେ ମହାପରିଚାଳିକା ନିଜର ପ୍ରଭାବ ବଳରେ ଯେମିତି ତାହାର ବିକାଶରେ ସହାୟିକା ହୁଅନ୍ତି। ଏବଂ ଆଉ ଥରେ ସେ ଏଡୱାର୍ଡକୁ କେବଳ ବଂଧୁତ୍ୱପୂର୍ଣ୍ଣ ସହଯୋଗ କରୁଛନ୍ତି ବୋଲି କହିଥିଲେ,ଏକଥା ବି କହିଥିଲେ ଯେ ସେ ଜଣେ ତଦନ୍ତକାରୀ ବା ପୁଲିସ୍ ନୁହଁନ୍ତି। ତାହାପରେ ସେ ସେହି ଶିକ୍ଷକର କଥା ଉଲ୍ଲେଖ କରିଥିଲେ ଯିଏ ବିଶେଷ ଭାବରେ ସେଥର ଏଡୱାର୍ଡକୁ ଆକ୍ରମଣ କରିଥିଲା ,ସେ କହିଥିଲେ :
“ସେଇ ଲୋକଟାର ନିଜର ଲୁଚାଇବା ଭଳି କିଛି ଅଛି ।ସେଇଥିପାଇଁ ତ ସେ ଅନ୍ୟ କାହାକୁ ବଳୀ ଦେଇପାରେ ଅତି ସହଜରେ। ମହିଳା ରକ୍ଷକ ସେଥର କହିଥିଲା,ତମେ ଯେ ଖୁବ୍ ସରଳ ଆଉ ସେ ନିହାତି କଦର୍ଯ୍ୟ ଭାବରେ ତମ ବିଷୟରେ ନିଜର ନାସିକା ପ୍ରବେଶ କରିଛି।ସେ ଯେ କୌଣସି ବାଟରେ ହେଉ ତମକୁ ସ୍କୁଲ୍ ରୁ ବିଦାୟ କରିଦେବାକୁ ଚାହେଁ,ମୁଁ କିନ୍ତୁ ତାହା ସାଙ୍ଗରେ ସହମତ ନୁହଁ। ତେବେ ମୁଁ ଏଇଟା ବି ଚାହେଁ ନା ,ମୋର ସ୍କୁଲ୍ ର କୌଣସି ଶିକ୍ଷକ ରାସ୍ତା ପାର ହେଲାବେଳେ ହାତରେ କ୍ରୁଶଟିଏ ଧରିଥାଉ।”

Illustration by Ramakanta Samantaray

ମହାପରିଚାଳିକା ଏଡୱାର୍ଡକୁ ବୁଝାଇଥିଲେ ତାଙ୍କର କରୁଣା କେତେ ମହତ ,କେଉଁଭଳି ସେ ତାହାର ଭବିଷ୍ୟତକୁ ରକ୍ଷା କରିଛନ୍ତି । ସେମାନଙ୍କର  ଆଲୋଚନା କେତେ ବନ୍ଧୁତ୍ୱପୂର୍ଣ୍ଣ ,ସେଇଥିପାଇଁ ସେ ଅନ୍ୟ ଆଲୋଚନା ଆଡକୁ ଗଲେ ନାହିଁ। ସେ ଅନେକଗୁଡିଏ ବହିର କଥା କହି ତାଙ୍କର ବୁକସେଲ୍ଫ ଆଡକୁ ଆଗେଇ ଯାଇଥିଲେ। ସେ ରୋନାଲଡ୍ ଙ୍କର “ଏନଚାଣ୍ଟେଡ୍ ସୋଲ୍” ଶୀର୍ଷକ ବହିଟିକୁ ଦେଖାଇ ସେଇଭଳି ବହିଗୁଡିକ ନପଢିଥିବାରୁ ତାହାକୁ ଟିକିଏ ବକାବକି କରିବା ଭଳି ଉପଦେଶ ଦେଇଥିଲେ।ସ୍କୁଲ୍ ରେ ଏଡୱାର୍ଡକୁ କେମିତି ଲାଗୁଛି ଏବଂ ଏଡୱାର୍ଡ ର ପ୍ରଥାସମ୍ମତ ଉତ୍ତରର ପରେ ସେ ଗୋଟିଏ ଦୀର୍ଘ ଭାଷଣ ଦେଇଥିଲେ। ସେ କହିଲେ ଯେ,ସେ ତାହାର ଭାଗ୍ୟର ପ୍ରତି ଯଥେଷ୍ଟ କୃତଜ୍ଞ  କାରଣ,ଶିଶୁମାନଙ୍କର ସଂସ୍ପର୍ଶ ରେ ଆସିବାର ମାନେ ଭବିଷ୍ୟତର ସହିତ ବସବାସ। ” ମୁଁ ବିଶ୍ୱାସ କରେ କେବଳ ବଞ୍ଚିବା ପାଇଁ ବଞ୍ଚିରହିବା ନୁହଁ,ଆଉ ଅଧିକ କିଛି ପାଇଁ ଜଣକର ବଞ୍ଚି ରହିବା ଉଚିତ।

ତାଙ୍କର ଏଇ କଥାଗୁଡିକ କିନ୍ତୁ ଖୁବ୍ ଅସ୍ପଷ୍ଟ ଶୁଭୁଥାଏ କାରଣ ମହାପରିଚାଳିକା ର ଆଦର୍ଶଗତ ଧାରଣା ଏବଂ ତାହାର ଜୀବନର ବାସ୍ତବତାର ମଧ୍ୟରେ ସେମିତି ଆତ୍ମୀକରଣ ଘଟିନାହିଁ। ଏଡୱାର୍ଡ ଉଭୟଙ୍କର ବ୍ୟକ୍ତିଗତ ପରିସରକୁ ନେଇ ଏହାର  ଅର୍ଥ ସ୍ଥିର କରିବ ବୋଲି ଭାବିଲା ଆଉ ସେ ଅଟକି ରହିଥିବା ଆଉ ସଂତର୍ପଣ ର ଗଳାରେ ପଚାରିଥିଲା:

“ଆପଣଙ୍କର ଜୀବନଟି କେଉଁପରି ?”
“ମୋ ଜୀବନ ?”ସେ ପୁନର୍ବାର ଜିଜ୍ଞାଷା କଲେ।
“ଆପଣଙ୍କ ଜୀବନକୁ ନେଇ ଆପଣ କଣ ଖୁସି ନୁହଁନ୍ତି ?”
“ମୋ ଜୀବନ ?” ସେ ପୁଣି ଉଚ୍ଚାରଣ କଲେ।
“ଆପଣଙ୍କ ଜୀବନକୁ ନେଇ ଆପଣ କ’ଣ ଖୁସି ନୁହଁନ୍ତି ?”

ଗୋଟିଏ ତିକ୍ତ ହସ ତାଙ୍କର ମୁହଁରେ ଫୁଟି ଉଠିଲା। ସେଇ ଭଳି କହିଛି ବୋଲି ଏଡୱାର୍ଡ ଲଜ୍ଜିତ । ଭଦ୍ରମହିଳାଙ୍କର କଳା କେଶରାଜିରେ ପରିବେଷ୍ଟିତ ହାଡସର୍ବସ୍ୱ ମୁହଁରେ ଗୋଟିଏ ଛାୟା ପଡିଛି। ହଠାତ୍ ଯେମିତି ତାହାର ମୁହଁର ପଟଳରେ ତାହାର ଜୀବନର ସମସ୍ତ ଦୁଃଖର ଆଭାସ ଉକୁଟି ଉଠିଲା। ହଠାତ୍ ତାଙ୍କର ମନେ ପଡିଗଲା ଷ୍ଟାଲିନ୍ ର ମୃତ୍ୟୁରେ ତାହାର ବେଦନାହତ ପ୍ରତିମୂର୍ତ୍ତି ,ମନେ ପଡିଗଲା ହଜାରଟି ମିଟିଙ୍ଗ୍ ରେ ତାହାର ଯୋଗଦାନର କଥା,ମନେ ପଡିଗଲା ବିଚରା ଯୀଶୁଖ୍ରୀଷ୍ଟର ବିରୁଦ୍ଧରେ ତାହାର ଆବେଗସମ୍ମତ ପ୍ରତିରୋଧର କଥା। ସେ ବୁଝିପାରିଛନ୍ତି ଏଇ କାର୍ଯ୍ୟଗୁଡିକ ହେଉଛି ତାହାର ଆକାଂକ୍ଷାର ଅବଦମିତ ପ୍ରକାଶ। ଯୁବକ ଏଡୱାର୍ଡର ଅନୁଭୂତି ସେତେ ଗଭୀର ନୁହଁ। ମହାପରିଚାଳିକାଙ୍କ ଆଡକୁ ସେ ସହାନୁଭୂତିର ଦୃଷ୍ଟିରେ ଚାହିଁ ରହିଲା। ସେ ଟିକିଏ ଭଂଗା ଗଳାରେ କହି ଉଠିଲେ :

“ମୋ ଉପରେ କିଛି ନିର୍ଭର କରେନା,ଏଡୱାର୍ଡ,
ଜଣକର  କପାଳ ତାହାର ନିଜର ଭାଗ୍ୟର ଉପରେ ନିର୍ଭର କରେ।”ସେ ଗଭୀର ଭାବରେ ତାହାର ଆଖି ରେ ଆଖି ରଖି କହିଲେ,” ମାତ୍ର ଏହା ହେଉଛି କାହା ପାଇଁ ଏହା ସବୁ ସେକଥାକୁ ଜାଣିବା। ପ୍ରଶ୍ନ ଏଇଟି ଯେ ସେଥିରୁ କେଉଁଟି ଅସଲ ଆଉ କେଉଁଟି ସନ୍ଦେହଜନକ ? ଈଶ୍ୱର ଏକ ଆଶ୍ଚର୍ଯ୍ୟ ସୃଷ୍ଟି ।କିନ୍ତୁ ଏଡୱାର୍ଡ ମଣିଷର ଭବିଷ୍ୟତ ଭୀଷଣଭାବରେ ବାସ୍ତବ।ଆଉ ଆମେମାନେ ବାସ୍ତବତାର ନିମନ୍ତେ ବଞ୍ଚିଥାଉ ,ଆମର ସବୁକିଛି ଖାଲି ବାସ୍ତବତାର ଉପଲକ୍ଷରେ ।”

ସେ ଏମିତି ଦୃଢତାର ସହ କହିଥିଲେ ଆଉ  ଟିକିଏ ଆଗରୁ ଏଡୱାର୍ଡ ର ଭିତରେ ଯେଉଁ ବିଚାର ଟିକକ ଆଲୋକିତ ହୋଇଥିଲା ସେଇଥିପାଇଁ ତାହାର ଭିତରେ ଏକ ହଠାତ୍ ଅନୁଭବ ଆସଥିଲା,
ସେ ଏକ ନିର୍ବୋଧ ,ଅନ୍ୟ କାହାର ଦୟାରେ
ରହିଛି  ଏବଂ ତାହାର ମନେହେଲା ସେମାନଙ୍କ ମଧ୍ୟରେ ହୋଇଥିବା କଥାବାର୍ତ୍ତାରେ ଏଇ ଅନ୍ତରଂଗ ମୁହୂର୍ତ୍ତଟି ତାହାକୁ ଶେଷରେ ସୁଯୋଗ ଦେଇଛି ତେଜ୍ୟା କରିବାକୁ ସମସ୍ତ ଅଯୋଗ୍ୟ (ଏବଂ କହିବାକୁ ଗଲେ,ଜଟିଳ) ପ୍ରତାରଣାମାନ।

ଏଡୱାର୍ଡ କହିଲା ,” ମୁଁ ଆପଣଙ୍କ ସହ ଏକମତ,କିନ୍ତୁ ଧର୍ମକୁ ଏତେ ଆନ୍ତରିକ ଭାବରେ ଗ୍ରହଣ କରିବାକୁ ମୁଁ ଉତ୍ସୁକ ନୁହଁ ।”

ସେ ତୁରନ୍ତ ଶିଖିଯାଇଥିଲା,ଜଣେ ମଣିଷ ଆବେଗର ବଶବର୍ତ୍ତି ହୋଇ ନିଜକୁ ନଷ୍ଟ କରିଦେବା ଉଚିତ ହୁହଁ। ମହାପରିଚାଳିକା ତାହା ଆଡକୁ ଗୋଟିଏ ଶୀତଳ ଦୃଷ୍ଟିରେ ଚାହିଁ କହିଥିଲେ,” ପ୍ରତାରଣା କରନି । ଖୋଲାଖୋଲି ଆଲୋଚନା କର। ତମେ ଏପରି କିଛି କରିବ ନାହିଁ,ଯାହା ତମେ ନୁହଁ।”

ନାଇଁ,ଏଡୱାର୍ଡ ଯେଉଁ ଧର୍ମୀୟ ଆଚ୍ଛାଦନରେ ନିଜକୁ ଆବୃତ କରି  ରଖିଥିଲା ସେଥିରୁ ମୁକୁଳିଆସିବା ପାଇଁ ତାହାକୁ ସୁଯୋଗ ଦିଆଯାଇନାହିଁ । ସେ ଯଥାଶିଘ୍ର ଏହା ସହିତ ଏକପ୍ରକାରେ ପୁନର୍ମିଳିତ ହୋଇଛି ଆଉ ତାହାର ଖରାପ ଛବିକୁ ସୁଧାରିନେବା ପାଇଁ ଅଧିକ ଚେଷ୍ଟା କରିଛି :” ନା,ମୁଁ କିଛି ଲୁଚାଉଥିବା ଭଳି ଦେଖାଯିବାକୁ ଚାହେଁନା।ସତ କଥା,ମୁଁ ଈଶ୍ୱରଙ୍କୁ ବିଶ୍ୱାସ କରେ ,ଏହାକୁ ମୁଁ କେବେ ଅସ୍ୱୀକାର କରିବି ନାହିଁ।ମୁଁ କେବଳ କହିବାକୁ ଚାହୁଁଥିଲି ଯେ ମୁଁ ବି ମାନବିକତାର ଭବିଷ୍ୟତ ଉପରେ ବିଶ୍ୱାସ କରେ,ତାହାର ବିକାଶ ଆଉ ଯେତେ ଯାହା। ମୁଁ ଯଦି ସେହି ସବୁରେ ବିଶ୍ୱାସ କରୁନଥାନ୍ତି ,ଜଣେ ଶିକ୍ଷକ ହେବା ଆଗରୁ ମୋର କାମ ସବୁ କ’ଣ ହୋଇଥାନ୍ତା,ପିଲାମାନେ କାହିଁକି ଜନ୍ମ ନେଇଥାଆନ୍ତେ,ଆଉ କାହିଁକି ଜୀବନରେ ଥାଆନ୍ତେ ? ଆଉ ମୁଁ କ୍ରମଶଃ ଏପରି ଭାବିବାକୁ ଆରମ୍ଭ କରିଛି ଯେ,ଏହା ମଧ୍ୟ ଈଶ୍ୱରଙ୍କ ଇଚ୍ଛା ଯାହା ସମାଜକୁ ନିରନ୍ତର ବିକାଶର ପଥରେ ଅଧିକରୁ ଅଧିକ ଭଲ ହେବାପାଇଁ ଆଗେଇ ନେଉଛି। ମୁଁ ଭାବିଛି ଯେ,ମଣିଷ ଈଶ୍ୱରଙ୍କ ଉପରେ ବିଶ୍ୱାସ କରିପାରେ,କମ୍ୟୁନିଜମ୍ ଉପରେ ବିଶ୍ୱାସ କରିପାରେ,ଆଉ ଏଇ ଦୁଇଟିର ପୁନର୍ମିଳନ ବି ହୋଇପାରେ।”

“ନାଇଁ” କହିଲେ ମହାପରିଚାଳିକା।ମାଆଟିଏ ଯେମିତି ବେଶ୍ କର୍ତ୍ତୃତ୍ୱପରାୟଣ ହୋଇ କହିଥାଏ ସେଇଭଳି ଗଳାରେ ସେ କହିଲେ ” ଏଇ ଦୁଇଟିକୁ ମିଳାଇ ହେବନି।”

“ମୁଁ ଜାଣେ” ଏଡୱାର୍ଡ ବିଷାଦର ସହ କହିଲା।”ମୋ ଉପରେ ରାଗ କରନ୍ତୁ ନାହିଁ ।”

“ନା,ମୁଁ ରାଗିନି । ତମେ ତ ଯୁବକ ଆଉ ତମର ବିଶ୍ୱାସ ଦୃଢ। ମୁଁ ତମକୁ ଏତିକି ଜଣାଇଦେବାକୁ ଚାହେଁ,ମୁଁ ତମର ଯୌବନକୁ ପସନ୍ଦ କରେ। ମୁଁ ,ହୁଏତ,ତମକୁ ବି ପସନ୍ଦ କରେ।”

ଏଇଟା ହିଁ ଶେଷ ପର୍ଯ୍ୟନ୍ତ ଘଟିଲା । ଆଗେ ନୁହଁ,ପରେ ନୁହଁ,ସଠିକ ମୁହୂର୍ତ୍ତରେ ।ଏଡୱାର୍ଡ ଯେମିତି ଗୋଟିଏ ଯନ୍ତ୍ର-ଯେତେବେଳେ ମହାପରିଚାଳିକା ପୁନର୍ବାର ବି କହିଥିଲେ,ସେ ତାହାକୁ ପସନ୍ଦ କରନ୍ତି,ଏଡୱାର୍ଡ ପ୍ରକାଶହୀନ ଭାବରେ କହିଥିଲା :
“ମୁଁ ବି।”
“ସତ!”
“ସତ୍ୟ।”
“ନା, ମୁଁ କେବେହେଲେ ନୁହଁ ! ମୁଁ ଗୋଟାଏ ବୁଢୀ। …” ମହାପରିଚାଳିକା ବାଧା ଦେଲେ।
“ଏହା ଠିକ୍ ନୁହଁ,” ଏଡୱାର୍ଡକୁ କହିବାକୁ ପଡେ।
“ହେଲେ ଏଇଟା ସତ”,କହିଲେ ମହାପରିଚାଳିକା।
“ଆପଣ ବୟସରେ ସେତେ ନୁହଁନ୍ତି।ଏହା ନିରର୍ଥ”,ସେ ଦୃଢତାର ସହ କହେ।
“ତମେ କ’ଣ ସେମିତି ଭାବୁଚ ?”
“ନିଶ୍ଚୟ। ମୁଁ ଆପଣଙ୍କୁ ପସନ୍ଦ କରେ ।”
“ମିଛ କୁହ ନାହିଁ। ତମେ ଜାଣିଛ ତମର ମିଛ କହିବା ଉଚିତ ନୁହଁ।”
“ମୁଁ ମିଛ କହୁନାହିଁ। ଆପଣ ଖୁବ୍ ସୁନ୍ଦର।”
“ସୁନ୍ଦର ?” ମହାପରିଚାଳିକା ମୁହଁଟି ଏପରି କଲେ ଯେପରି ସେ ଏଇ କଥାକୁ ବିଶ୍ୱାସ କରୁନାହାଁନ୍ତି।
“ହଁ,ସୁନ୍ଦର”,କହିଲା ଏଡୱାର୍ଡ ,ଏବଂ ଯେତେହୁ ସେ ନିଜେ ଜାହିର୍ କରିଥିବା କଥାର ଅବାସ୍ତବତାକୁ ନେଇ ବିଚଳିତ ଥିଲା,ସେ ଏହାକୁ ଆଉ ଟିକିଏ ସମର୍ଥନର ବଳ ଦେବାପାଇଁ କହିଲା,” ଯେଉଁ ରମଣୀମାନଙ୍କର ମଥାର ଚୂଳ ଆପଣଙ୍କ ଭଳି ଘନକୃଷ୍ଣ ,ସେମାନେ ମୋତେ ପାଗଳ କରିଦେଇଥାନ୍ତି !”
“ମଥାରେ ଯାହାର ଘନକୃଷ୍ଣ କେଶ ସେମିତିକା ରମଣୀ ତମର ସତରେ ପସନ୍ଦ ?” ପଚାରିଲେ ମହାପରିଚାଳିକା।
“ମୁଁ ସେମାନଙ୍କ ପ୍ରତି ପାଗଳ।” କହିଲା ଏଡୱାର୍ଡ।
“ତାହାହେଲେ ତମେ ସ୍କୁଲ୍ ରେ ଯୋଗ ଦେବା ପରଠାରୁ ଏତେଦିନ ଏଠିକୁ ଆସିନାହଁ କାହିଁକି ? ମୋତେ ଲାଗୁଥିଲା ତମେ ଯେମିତି ମୋତେ ସବୁବେଳେ ଏଡାଇ ଯାଉଛ !”
“ମୋର ଦ୍ୱିଧା ରହିଥିଲା” ଏଡୱାର୍ଡ କହିଲା।”ସମସ୍ତେ କହିବେ ମୁଁ ଆପଣଙ୍କ ସହ ଅଠା ପରି ଲାଗି ରହୁଛି ! କେହି କେବେହେଲେ ବିଶ୍ୱାସ କରିବେ ନାହିଁ ,ମୁଁ ଆପଣଙ୍କୁ ଦେଖିବାକୁ ଆସିଛି,କାରଣ ମୁଁ ଆପଣଙ୍କୁ ପସନ୍ଦ କରେ।”
“ମାତ୍ର ବର୍ତ୍ତମାନ ସେମିତି  ଭୟ ପାଇବା ଭଳି ଆଉ କିଛି ନାହିଁ ” କହିଲେ ମହାପରିଚାଳିକା। “ଏବେ ତ ସ୍ଥିର କରାଯାଇଛି ଯେ ଆମେ ଦୁହେଁ ସମୟ ସମୟରେ ପରସ୍ପରକୁ ଦେଖା କରିପାରିବା।”

ତାହାପରେ ସେ ତାହାର ଆୟତ ବାଦାମୀ ରଂଗର ଆଖିର ତାରାକୁ ( ଏଇଠି ଆମକୁ ସ୍ୱୀକାର କରିନେବାକୁ ହେବ ଯେ ,ନିଜ ଭିତରେ ସେଇ ଆଖି ହଳକ ଭାରି ସୁନ୍ଦର) ବିସ୍ଫାରିତ କରି ତାହାକୁ ଘଡିଏ ମାୟାମୟ ଚାହାଁଣି ରେ ଚାହିଁଥିଲେ ଆଉ ସେଇଠୁ  ଫେରିଯିବା ର ଠିକ୍ ପୂର୍ବରୁ ସେ ଏଡୱାର୍ଡ ର ହାତରେ ମୃଦୁ ଆଘାତ କରିଥିଲେ,ସେଇଥିପାଇଁ ତ ସେଇ ବୋକା ବାଳକଟି ସେଇଠୁ ଗଲାବେଳକୁ ସାଥିରେ ଧରି ଫେରିଥିଲା ଏକ ବିଜୟୀର ଉଲ୍ଲାସ।

Illustration by Ramakanta Samantaray

ଏଡୱାର୍ଡ ନିଶ୍ଚିତ ଥିଲା ଯେ ତାହାର ଏଇ ଅପସନ୍ଦର ଭଲପାଇବା ର ଫଳାଫଳ ଆକାରରେ ତାହାର ଆଗାମୀ ରବିବାର ଦିନ ଚର୍ଚ୍ଚକୁ ଯିବାରେ ସେମିତି କିଛି ବାଧକ ଉପୁଜିବ ନାହିଁ,ବେପରୁଆ ଆଉ ଅପରିଣାମଦର୍ଶୀ ଅନୁଭବ ସହିତ ସେ ଚର୍ଚ୍ଚକୁ ଯାଇଥିଲା ଆଉ ସାଥିରେ ତାହାର ଥିଲା ଆଲିସ୍,କେବଳ ସେତିକି ନୁହଁ ସେଠିକି ଯିବାବେଳେ ତାହାର ଗଭୀର ଆତ୍ମବିଶ୍ୱାସ ଥିଲା (ସେଇଥିପାଇଁ ତ ତାହାର ମୁହଁରେ ଉକୁଟି ଉଠିଥାଏ ଗୋଟିଏ ସଂବେଦନଶୀଳ ହସ),ଏବଂ ମହାପରିଚାଳିକାଙ୍କ ସହିତ ପୂର୍ବ ସାକ୍ଷାତ ତାହାକୁ ଯେଉଁ ପୁରୁଷାଳୀ ଆଭିଜାତ୍ୟଟି ପ୍ରଦାନ କରିଥିଲା ତାହା ସେତେବେଳେ ବି ତାହା ଭିତରେ ଉଜ୍ଜଳି ଉଠୁଥିଲା।

ସେଇ ନିର୍ଦ୍ଦିଷ୍ଟ ରବିବାର ରେ ଅନ୍ୟ କିଛି ସହିତ ସେ ଲକ୍ଷ୍ୟ କରିଥିଲା ଯେ,ଏବେ ଆଲିସ୍ କିଛିଟା ଭିନ୍ନ: ସେମାନଙ୍କର ସାକ୍ଷାତ ହେବା ର ଠିକ୍ ପରେ ଆଲିସ୍ ତାହାର ହାତକୁ ନିଜର ହାତର ଭିତରକୁ ନେଇଥିଲା ଆଉ ଚର୍ଚ୍ଚ ଭିତରେ ସେ ଏଡୱାର୍ଡ ଦେହରେ ଯେମିତି ଲଟେଇହୋଇ ଯାଇଥିଲା; ଆଗରୁ ସ ସାଧାରଣତଃ ସେ ବେଶ୍ ସଂଭ୍ରମ ଆଉ ଯଥାସମ୍ଭବ ଗୋପନ ରହିବାକୁ ପସନ୍ଦ କରିଥାଏ,ହେଲେ ବର୍ତ୍ତମାନ ସେ ଚାରିଆଡକୁ ଚାହୁଁଛି ,ବାରଂବାର ଚାହୁଁଛି ,ଏପରିକି ସେ ଏହା ଭିତରେ ଅନ୍ୟୁନ୍ୟ ଦଶଜଣଙ୍କୁ ଅଭିବାଦନ ଜଣାଇ ସାରିଲାଣି।

ତାହା ହିଁ ଆଶ୍ଚର୍ଯ୍ୟ,ଆଉ ଏହାକୁ ବୁଝିପାରୁନଥାଏ ଏଡୱାର୍ଡ।

ତାହାର ଦୁଇଦିନ ପରେ ସେମାନେ ଅଂଧାର ହେବାପରେ ରାସ୍ତାରେ ଯେତେବେଳେ ଏକାଠି ବୁଲୁଥିଲେ ,ଏଡୱାର୍ଡ ନିଜର ବିସ୍ମୟରୁ ସଚେତ ହୋଇପଡିଥିଲା ଯେ ଆଲିସ୍ ର ଚୁମ୍ବନ ,ଯାହା ଆଗରୁ ଏକ ବିଷାଦାଚ୍ଛନ୍ନ ପ୍ରପଞ୍ଚ ଥିଲା,ଏଇଲେ ତାହା ଆର୍ଦ୍ର,ଉଷ୍ମ ଆଉ ଭାବବିହ୍ୱଳ। ଯେତେବେଳେ ସେମାନେ ରାସ୍ତାର ଗୋଟିଏ ବତୀଖୁଣ୍ଟ ପାଖରେ ଅଟକି ଗଲେ ଘଡିକ ପାଇଁ ଏଡୱାର୍ଡ ଦେଖିଥିଲା ତାହାର ଆଖି ଦୁଇଟି ତାହାକୁ ନିଷ୍ପଲକ ଚାହିଁ ରହିଛି ଆଉ ସେଥିରେ ରହିଛି କାମନାର ବର୍ଣ୍ଣୋତ୍ସବ ।

“ମୁଁ ତମକୁ ଆଗ କହିଦେଉଛି,ମୁଁ ତମକୁ ଭଲ ପାଏ” ଅଭାବିତ ଭାବରେ କହିଲା ଆଲିସ୍ ଆଉ ଏତକ କହିବାପରେ ନିଜର ମୁହଁକୁ ଘୋଡାଇନେଇଥିଲା ।”ନା,ନାଇଁ,ଆଉ କିଛି କୁହନାଇଁ। ନିଜକୁ ଭାରି ଲାଜ ଲାଗୁଛି। ମୁଁ କିଛି ଶୁଣିବାକୁ ଚାହେଁ ନାହିଁ ।”

ତାହାପରେ ସେମାନେ ଆଉ ଟିକିଏ ଦୂରକୁ ଆଗେଇ ଯାଇଥିଲେ,ତାହାପରେ ଯେତେବେଳେ ସେମାନେ ଅଟକି ଯାଆନ୍ତି ଆଲିସ୍ କହିଲା :
” ଏବେ ମୁଁ ସବୁକଥା ବୁଝି ପାରୁଛି। ମୁଁ ବୁଝିପାରୁଛି ତମେ କାହିଁକି ମୁଁ ମୋ ବିଶ୍ୱାସରେ ଅବିଚଳିତ ରହିଥିଲି ବୋଲି ମୋତେ ତିରସ୍କାର କରିଥିଲ !”

ଏଡୱାର୍ଡ ପ୍ରକୃତରେ କିଛି କଥା ବୁଝିପାରୁନଥାଏ ;
ତେଣୁ ସେ କିଛି କହୁନଥିଲା ; ଆଉ ଟିକିଏ ଅଧିକ ଦୂରକୁ ଯିବା ପରେ ଆଲିସ୍ କହିଲା,”ଆଉ ତମେ ମୋତେ କିଛି କହିନଥିଲ । କାହିଁକି ତମେ ମୋତେ କିଛି କହିନଥିଲ ?”
“ଆଉ ମୋର କହିବା ଭଳି କିଛି  ଥିଲା କି ?” ପଚାରିଲା ଏଡୱାର୍ଡ ।
“ହଁ ,ତାହା ହେଉଛି ଅସଲରେ ତମେ !” ସେ ଏକ ନୀରବ ଉଲ୍ଲାସରେ କହିଲା।”ଅନ୍ୟମାନେ ସଗର୍ବେ କହିବେ,ତମେ କିନ୍ତୁ ନୀରବ ଥାଅ।  ଆଉ ଏଇଥିପାଇଁ ହିଁ ମୁଁ ତମକୁ ଭଲପାଏ ।”

ଏଡୱାର୍ଡ ବୁଝିବାକୁ ଆରମ୍ଭ କରିଥାଏ,ସେ କ’ଣ କହିବାକୁ ଚାହୁଁଛି ,ତଥାପି ପଚାରି ଦେଲା,”ତମେ କ’ଣ କହିବାକୁ ଚାହୁଁଛ ?”
“ତମର ଯାହା ଘଟିଯାଇଛି ସେଇ କଥା।”
“ତମକୁ ଏ ବିଷୟରେ କହିଲା କିଏ ?”
“ଛାଡ। ସମସ୍ତେ ଏ ବିଷୟ ଜାଣିଛନ୍ତି । ସେମାନେ ତମକୁ ତଲବ କଲେ,ସେମାନେ ତମକୁ ଭୟ ଦେଖାଇଲେ ,ଆଉ ତମେ ସେମାନଙ୍କର ମୁହଁ ଉପରେ ହସି ଦେଇଛ। ତମେ କୌଣସି ପଦାର୍ଥକୁ ତେଜ୍ୟା କରିନାହଁ । ସମସ୍ତେ ତମକୁ ପସନ୍ଦ କରନ୍ତି।”
“ହେଲେ ,ମୁଁ ତ କାହାକୁ କିଛି କହିନାହିଁ ।”
“ଏତେ ବୋକା ହୁଅନାହିଁ। ଏଇ ଭଳି କଥା ପବନରେ ଖେଳିବୁଲେ। ଇଏ ତ କିଛି ଛୋଟିଆ କଥା ନୁହଁ। ଆଜିକାଲି ତମେ କେତେଜଣଙ୍କ ଭିତରେ ଏମିତି ସାହସ ଦେଖିବ ?”

ଏଡୱାର୍ଡ ଜାଣେ ,ଏହା ଛୋଟ ସହରର ଲକ୍ଷଣ ଯେଉଁଠି ପ୍ରତ୍ୟେକ ଘଟଣା କିମ୍ବଦନ୍ତୀ ପାଲଟି ଯାଏ,ମାତ୍ର ସେ କେବେହେଲେ ବିଶ୍ୱାସ କରିନଥିଲା ଯେ ସେ ଜଡିତ ହୋଇଥିବା ଏଇଭଳି ଗୋଟିଏ ଅଯୋଗ୍ୟ ଗଟଣା ,ଯାହାର ଗୁରୁତ୍ୱକୁ ସେ ଅଧିକ ଦୃଷ୍ଟିରେ ମାପି ନଥିଲା ,ତାହାର ଭିତରେ କିମ୍ବଦନ୍ତୀ ହୋଇପାରିବା ଭଳି ଉପାଦାନ ରହିଛି, ସେ ଯଥାଯଥ ଭାବରେ ହୃଦବୋଧ କରିନଥିଲା ଯେ ସେ ତାହାର ସଂଗୀସାଥି ନାଗରିକ ମାନଙ୍କ ପାଇଁ କେତେ ପରିମାଣରେ ଉପଯୋଗୀ ଯେଉଁମାନେ ଶହୀଦକୁ ସମ୍ମାନ ଜଣାନ୍ତି, ସେମାନଙ୍କର ମଧୁର ନିଷ୍କ୍ରୀୟତା ଆଉ ଏକ ପରିପୂରକ ପ୍ରଦାନ କରିବା ଭଳି ଦୃଷ୍ଟି ପ୍ରଦାନ କରିଥାଏ ଯେ ଜୀବନ କେବଳ ଗୋଟିଏ ମାତ୍ର ବିକଳ୍ପ ପ୍ରଦାନ କରିଥାଏ,ତମେ ସେହି ବିକଳ୍ପକୁ ମାନିନେବ ଅବା ଧ୍ୱଂସ ହୋଇଯିବ । ଏଡୱାର୍ଡ ଧ୍ୱଂସ ହୋଇଯିବ ବୋଲି କାହାର ସନ୍ଦେହ ନଥିଲା,ପ୍ରଶଂସକ ଭାବରେ ଆଉ ଉଦାସୀନ ଭାବରେ ସେମାନେ ଏହି ଖବରକୁ,ଜଣେ ଆରଜଣକୁ,କହିଥିଲେ ,ବର୍ତ୍ତମାନ ପର୍ଯ୍ୟନ୍,ଆଲିସ୍ ମାଧ୍ୟମରେ ସେ ନିଜେ ନିଜର ଗୌରବାବହ କ୍ରୁଶବିଦ୍ଧ ହେବା କଥାକୁ ପ୍ରତ୍ୟକ୍ଷ କରୁଛି। ସେ ନିହାତି ଶାନ୍ତ ଭାବରେ ଏହାର ପ୍ରତିକ୍ରୀୟା ଦେଇଥିଲା ଆଉ କହିଥିଲା : ” ମୋର କିଛି ତେଜ୍ୟା ନକରିବାର କଥା ନିହାତି ସ୍ୱାଭାବିକ। ଆଉ କେହି ଠିକ୍ ସେମିତି କରିପାରିବ !”

“ଯେ କେହି ?” ଆଲିସ୍ ର ଗଳା ଟିକିଏ ଉଚ୍ଚ। “ଦେଖ ଚାରିପଟକୁ ଲୋକେ କେମିତି ବ୍ୟବହାର କରୁଛନ୍ତି ! ସେମାନେ କେତେ କାପୁରୁଷ ! ସେମାନେ ନିଜର ମାଆକୁ ତ୍ୟାଗ କରି ସାରିଲେଣି!”

ଏଜୱାର୍ଡ ନୀରବ ଥାଏ,ଆଉ ଆଲିସ୍ ନୀରବ ଥାଏ। ସେମାନେ ହାତଧରାଧରି ହୋଇ ପାଖାପାଖି ଚାଲିଥାନ୍ତି। ତାହାପରେ ଆଲିସ୍ ଫିସଫିସ୍ କରି କହିଥିଲା : ” ମୁଁ ତମପାଇଁ କିଛି ବି କରିପାରେ ।”

ଏମିତି କେହି ଏଡୱାର୍ଡକୁ କେବେ କହି ନାହାଁନ୍ତି ;ତାହା ଯେମିତି ଏଇଲେ ଏକ ଅପ୍ରତ୍ୟାଶିତ ଉପହାର । ଯଦିଓ ଏଡୱାର୍ଡ ଜାଣିଥିଲା ଯେ ଏତକ ଅଯୋଗ୍ୟକୁ ଉପହାର ,ହେଲେ ସେ ନିଜକୁ ନିଜେ କହିଲା ଯଦି ଭାଗ୍ୟ ତାହାକୁ ଯଥାଯୋଗ୍ୟ ଉପହାରରୁ ବଞ୍ଚିତ କରି ରଖିଛି ,ସେତେବେଳେ ତାହାର ଏହିଭଳି କିଛି ଅଯୋଗ୍ୟକୁ ଦିଆଯାଉଥିବା ଉପହାରକୁ ଗ୍ରହଣ କରିବାର ସଂପୂର୍ଣ୍ଣ ଅଧିକାର ରହିଛି। ସେଇଥିପାଇଁ ସେ କହିଥିଲା : “,କେହି ମୋ ପାଇଁ ଆଉ କିଛି ବି କରିପାରିବେ ନାହିଁ ।”


“ଇଏ କେମିତି ?” ଫିସଫିସ୍ କଲା ଆଲିସ୍।
“ସେମାନେ ମୋତେ ସ୍କୁଲ୍ ରୁ ବାହାର କରିଦେବେ,ଆଉ ଯେଉଁମାନେ ମୋତେ ଏଇଲେ ନାୟକ ବୋଲି କହୁଛନ୍ତି ମୋପାଇଁ ପଦଟିଏ କହିବେ ନାହିଁ । ଗୋଟିଏ କଥା ନିଧାର୍ଯ୍ୟ। ମୁଁ ସବୁବେଳେ ଏକେଲା ହିଁ ରହିଥିବି।”
“ନା,ତମେ ନୁହଁ,” ମଥା ହଲାଇ କହିଲା ଆଲିସ୍।
“ହଁ ,ମୁଁ ,” କହିଲା ଏଡୱାର୍ଡ।
” ନା,ତମେ ନୁହଁ ,” ଚିତ୍କାର କରି କହିଲା ଆଲିସ୍।
“ସେମାନେ ସମସ୍ତେ ମୋତେ ତେଜ୍ୟା କରି ସାରିଲେଣି।”
“ମୁଁ ତମକୁ କେବେବି ଛାଡି ପାରିବି ନାହିଁ।” ଆଲିସ୍ କହିଲା ।
“ତମେ ବି ଶେଷରେ ମୋତେ ତ୍ୟାଗ କରିଦେବ,” ଏଡୱାର୍ଡର ଗଳାରେ ବିଷାଦର ସୁର।
“କେବେ ନୁହଁ”,କହିଲା ଆଲିସ୍।
“ନାଇଁ, ଆଲିସ୍”,କହିଲା ଏଡୱାର୍ଡ ।”ତମେ ମୋତେ ଭଲପାଅ ନାହିଁ,ତମେ ମୋତେ କେବେବି ଭଲପାଇ ନାହଁ ।”
“ଏହା ଠିକ୍ କଥା ନୁହଁ”,ଫିସଫିସ୍ କରି କହିଲା ଆଲିସ୍,ଆଉ ଏଡୱାର୍ଡ ଦେଖିପାରିଥିଲା ସନ୍ତୋଷର ସହ ଯେ ସେତେବେଳେ ଆଲିସ୍ ର ଆଖି ହଳକ ଭିଜା।


“ତମେ ବି ନୁହଁ,ଆଲିସ୍। ଜଣେ ଲୋକ ଏଇଭଳି ଅନୁଭବ କରିପାରେ। ତମେ ସବୁବେଳେ ମୋ ପ୍ରତି  ଅଧିକ ଅସଂପୃକ୍ତ,ଶୀତଳ । ଜଣେ ନାରୀ ଯେତେବେଳେ ଗୋଟିଏ ନରକୁ ଭଲପାଏ ତାହାର ବ୍ୟବହାର ଏପରି ହେବାର ନୁହଁ। ମୁଁ ସେକଥା ବେଶ୍ ଭଲଭାବରେ ଜାଣେ। ଆଉ ଏବେ ତମେ ମୋ ପ୍ରତି କରୁଣା ଅନୁଭବ କରୁଛ ,କାରଣ ତମେ ଭଲକରି ଜାଣିଛ ଯେ ସେମାନେ ଏବେ ମୋତେ ଧ୍ୱଂସ କରିଦେବେ। ହେଲେ ତମେ ମୋତେ ଅସଲରେ ଭଲ ପାଅ ନାହିଁ ,ଆଉ ମୁଁ କଦାପି ଚାହିଁବି ନାହିଁ ଯେ ଏ ବିଷୟରେ ତମେ ନିଜକୁ ପ୍ରତାରିତ କରୁଛ ।”

ସେମାନେ ତଥାପି ଆଉ ଟିକିଏ ବାଟ  ଚାଲିଥିଲେ, ନୀରବରେ,ହାତ ଧରାଧରି ହୋଇ।ଆଲିସ୍ ଚୁପଚାପ କାନ୍ଦିଥିଲା କିଛି ସମୟ,କିନ୍ତୁ ହଠାତ୍ ଅଟକି ଯାଇ ସେଇ କଇଁ କଇଁ ଭିତରେ କହିଥିଲା :”ନା,ତାହା ସତ ନୁହଁ। ତମର ଏପରି କହିପାରିବାର ଅଧିକାର ନାହିଁ। ତାହା ସତ ନୁହଁ।”

“ହଁ,ଏହା ସତ” କହିଲା ଏଡୱାର୍ଡ, ଆଉ ଯେତେବେଳେ ଆଲିସ୍ ତାହାର କାନ୍ଦକୁ ବନ୍ଦ କରିଲା ନାହିଁ ,ସେ ନିଜଆଡୁ ପ୍ରସ୍ତାବ ଦେଲା ଶନିବାର ଦିନ ସେମାନେ ଏକାଠି ଗାଆଁକୁ ଯିବେ।
ନଈକୂଳରେ ଗୋଟିଏ ସୁନ୍ଦର ଉପତ୍ୟକା, ସେଇଠି ବଡଭାଇର କଟେଜ୍ ଅଛି ,ସେଇଠି ସେମାନଙ୍କୁ ଆବଶ୍ୟକୀୟ ନିର୍ଜନତା ମିଳିବ।

ଆଲିସ୍ ର ମୁହଁ ସାରା ଲୁହ । ସଏକ ଚିରକାଳର ମୂକ ଭଳି ସେ ନିଜର ମଥା ହଲାଇଥିଲା ସମର୍ଥନରେ ।

କ୍ରମଶଃ

Milan Kundera (1 April 1929 – 11 July 2023) was a Czech-French novelist

About Jyoti Nanda

Jyoti Nanda is a writer, translator based in Bhubaneswar.

View all posts by Jyoti Nanda →