ମୂଳ ଲେଖା : ଗାବ୍ରିଏଲ୍ ଗାର୍ସିଆ ମାର୍କ୍ୱେଜ || ଅନୁବାଦ : ଜ୍ୟୋତି ନନ୍ଦ
ପଞ୍ଜୁରୀ ତିଆରି ଶେଷ। ଆଗରୁ ଠିକ୍ କରିଥିବା ଅନୁସାରେ ଏଥର ବାଲତାସାର ଝରକାର ପାଖାପାଖି କାନ୍ଥରେ ଥିବା ହୁକ ଉପରେ ପଂଜୁରୀଟିକୁ ଝୁଲାଇ ଦେଲା। ଦ୍ୱିପ୍ରହରର ଖାଇବା ଶେଷ ପରେ ସମସ୍ତଙ୍କ ମୁହଁରେ ପଞ୍ଜୁରୀ ର ପ୍ରଶଂସା- “ଯାହା କୁହ, ଏଇଭଳି ସୁନ୍ଦର ପଞ୍ଜୁରୀ ଆଉ ଗୋଟିଏ ପୃଥିବୀରେ ଦେଖିବାକୁ ମିଳିବ ନାହିଁ ।” ଏତେ ଲୋକ ସେଇ ପଞ୍ଜୁରୀକୁ ଦେଖିବାକୁ ଆସିଲେ ଯେ ଘରର ସାମ୍ନାରେ ଯେମିତି ଗୋଟିଏ ହାଟ ବସିଗଲା । ତେଣୁ ବାଲତାସାର୍ ପଞ୍ଜୁରୀଟିକୁ କାନ୍ଥରୁ ଓହ୍ଲାଇ ଆଣି ନିଜର କାମକରୁଥିବା ଘରର ଦରଜାଟିକୁ ବନ୍ଦ କରିଦେଲା।
ବାଲତାସାର୍ ର ପତ୍ନୀ ଉର୍ସୁଲା କହିଲା,”ଦାଢୀଟା ଏଥର କାଟ। ତମେ ଦିଶୁଚ ଯେମିତି ଗୋଟେ କାପୁଚିନି ବାନ୍ଦର !”
“ଦିପହର ର ଖାଇବା ପରେ ଦାଢୀ କାଟିବା ନିଷେଧ” ବାଲତାସାର ମନ୍ତବ୍ୟ କରେ। ଦୁଇ ସପ୍ତାହ ହେଲା ଦାଢୀ କଟା ହୋଇନି। ମଥାର ଚୂଳ ଏକେବାରେକେ ଛୋଟ ଛୋଟ,ଠିଆ ଠିଆ- ଯେମିତି କେଉଁ ଖଚରର ଲୋମ,ଟିକିଏ ବୋଲି ନଡଚଡ ନାହିଁ । ତାହାର ମୁହଁରେ ଆଖିରେ ବାଳକସୁଲଭ ଭୀରୁତା ମିଶି ରହିଛି। ଗତ ଫେବ୍ରୁଆରୀରେ ବାଲତାସାର୍ କୁ ତିରିଶ ପୁରିଲା। ଉର୍ସୁଲା ସହିତ ସେ ଏକାଠି ଚାରିବର୍ଷ ହେଲା ଅଛି,ତଥାପି ବାହାଘର ହୋଇନି।ପିଲାଛୁଆ କିଛି ନାହିଁ । ଜୀବନରୁ ସଚେତନ ହେବାର ଶିକ୍ଷା ମିଳିଲେ ବି ଡରୁଆ ହେବାର କୌଣସି ସୁଯୋଗ ଜୀବନ ତାହାକୁ ଦେଇନାହିଁ । ସେ କେବେହେଲେ ଭାବି ନଥିଲା ଯେ ସଦ୍ୟ ଶେଷ ହୋଇଥିବା ପଞ୍ଜୁରୀଟି କେତେଜଣଙ୍କୁ ଏତେ ଭଲ ଲାଗିବ।ସେ ପିଲାଦିନରୁ ପଞ୍ଜୁରୀ ତିଆରି କରି ଆସୁଛି। ଏଇ କାମଟି ତା’ ପାଇଁ କେବେହେଲେ ଅନ୍ୟକାମଗୁଡିକ ଠାରୁ ସେମିତି କିଛି କଠିନ ବୋଲି ମନେ ହୋଇନାହିଁ ।
“ତାହାହେଲେ ଭିତର ଘରେ ବିଶ୍ରାମ ନିଅ” ଉର୍ସୁଲା କହେ।”ଏଇ ଭଳିକା ଦାଢୀ ଗୋଛାଏ ମୁହଁରେ ଧରି ତମେ କୁଆଡେ ଯାଇପାରିବ ନାହିଁ,କହିଦେଉଚି ।”
ଆରାମଚେୟାର୍ ରେ ଶୋଇ ଘୁମେଇ ପଡିବା ବେଳକୁ ତାହାକୁ ବାରଂବାର ଉଠିବାକୁ ହେଉଥାଏ । କାରଣ ପ୍ରତିବେଶୀମାନେ ଜଣକ ପରେ ଜଣେ ପଞ୍ଜୁରୀକୁ ଦେଖିବାକୁ ଆସୁଛନ୍ତି ଆଉ ସେମାନଙ୍କୁ ଏଇଟିକୁ ଦେଖାଇବାକୁ ପଡୁଛି ତା’କୁ। ସେଯାଏଁ ଉର୍ସୁଲା ତା’କୁ କିଛି କହିନାହିଁ । ସ୍ୱାମୀର ଉପରେ ସେ ଏଇଲେ ଭାରି ବିରକ୍ତ। ପଞ୍ଜୁରୀର କାମରେ ସେ ଏମିତି ମାତିଥିଲା ଯେ ଆଉ ସବୁ ଲୁହାଲକ୍କଡର ଭରାମତି କାମ ଉପରେ ଜମା ଦୃଷ୍ଟିଦେଇନି ଏହା ଭିତରେ। ଗଲା ଦୁଇହପ୍ତା ହେଲା ଠିକ୍ ରେ ଖିଆପିଆ ନାହିଁ,ଧୁଆପୋଛା ନାହିଁ,କଥା କହିବା ବେଳେ ଦୁମଦୁମ,ସବୁବେଳେ ଛଟପଟ,ନିଦ ନାହିଁ,ଏମିତିକି ଦାଢୀ କାଟିବା କାମକୁ ପୁରାପୁରି ଭୁଲିଯାଇଛି। ପଞ୍ଜରୀଟି ତିଆରି ସରିଯାଇଛି ବୋଲି ଏଇଲେ ତା’ର ରାଗ ଟିକିଏ କମ୍ । ତେଣୁ ଦିନବେଳା ଏମିତି ଟିକିଏ ଶୋଇପଡିବା ପରେ ବାଲତାସାର୍ ଯେତେବେଳେ ନିଦରୁ ଉଠେ ଉର୍ସୁଲା ସେତେବେଳକୁ ତାହାର ଜାମାପ୍ୟାଣ୍ଟରେ ଇସ୍ତିରି ଦେବା କାମଟି ସାରିଦେଇଥିଲା। ବିଛଣା ପାଖରେ ଥିବା ଗୋଟିଏ ଟୁଲ୍ ଉପରେ ସେଇ ଇସ୍ତିରି କରା ଜାମାପ୍ୟାଣ୍ଟକୁ ରଖିବା ପରେ ଉର୍ସୁଲା ସେଇଠୁ ପଞ୍ଜୁରୀଟିକୁ ଆଣି ଖାଇବା ଟେବୁଲ୍ ଉପରେ ରଖିଲା। ତାହାପରେ ସେ ସେହି ପଞ୍ଜୁରୀକୁ ଘଡିଏ ନୀରବରେ ଚାହିଁ ରହିଥିଲା ।
ଉର୍ସୁଲା ପଚାରେ,କେତେ ମିଳିବ ଭାବୁଛ ?
ଜାଣେନି।ତିରିଶ ପେସୋ କହିବି,ତାହାହେଲେ ହୁଏତ କୋଡିଏ ଖଣ୍ଡେ ମିଳିଯିବ।ବାଲତାସାର୍ ର ଉତ୍ତର ।
ଉର୍ସୁଲା ର ପରାମର୍ଶ। ପଚାଶ କହିବ। ପନ୍ଦରଟା ଦିନ ରାତିରେ ଶୋଇନ । ଏହା ଉପରେ ଅଧିକ ଖଟଣିର କାମ। ତାହାଛଡା କେତେ ବଡ ଏଇଟା ! ଜୀବନରେ ଏତେବଡ ପଞ୍ଜୁରୀ ଦେଖିଛି ବୋଲି କିଏ କହିବ ନାହିଁ ।
ବାଲତାସାର୍ ଦାଢୀ କାଟିବାକୁ ବସେ। ପଚାଶ ପେସୋ ଦବ କିଏ ?
ଦୋନ ମୋନତିଏଲ୍ ପାଇଁ ଇଏ କିଛି ନୁହଁ। ଦେଖିବ ଯେମିତି ତା’ର ପସନ୍ଦ ହୋଇଯିବ। ଅସଲରେ ତମର ଷାଠିଏ ଚାହିଁବା ଉଚିତ୍।ଉର୍ସୁଲା ର ମନ୍ତବ୍ୟ।
ସାରା ଘର ଦମବନ୍ଦକରା ଅନ୍ଧକାର। ଏଇଟି ଏପ୍ରିଲ୍ ର ପ୍ରଥମ ସପ୍ତାହ। ଏବେଠୁ ଅସହ୍ୟ ଗରମ ପଡିଲାଣି। ଗୁଞ୍ଜରା ପୋକର ଏକାନଗଦ କଚର କଚର ଆବାଜ କାନରେ ତାଲା ପକାଇବା ଭଳି ଗରମଟା ଆହୁରି ଅସହନୀୟ ମନେ ହେଉଛି। ପୋଷାକ ପାଲଟିବା ପରେ ବାଲତାସାର୍ ଅଗଣା ପଟର କବାଟଟିକୁ ଖୋଲି ଦିଏ ଯାହା ଫଳରେ ଘର ଭିତରକୁ ଟିକିଏ ପବନ ଢୁକି ପାରିବ।ତେବେ କବାଟ ଖୋଲିବା ସଂଗେ ସଂଗେ ଦଳେ ପିଲା ଖାଇବା ଘର ଭିତରକୁ ପଶି ଆସିଲେ।
ଖବରଟି ବେଶ୍ ଭଲଭାବରେ ଚାରିଆଡେ ରଟିଯାଇଛି । ଡାକ୍ତର ଅକ୍ଟାଭିଓ ହିରାଲଦୋ ତାଙ୍କର ଚଳତଶକ୍ତିହୀନ ଅକ୍ଷମ ପତ୍ନୀ ଙ୍କ ସହିତ ଖାଇ ବସିବାବେଳେ ସେଇ ପଞ୍ଜୁରୀର କଥା ହିଁ ଖାଲି ଭାବୁଥିଲେ। ଏଇ ଚିକିତ୍ସକ ଜଣକ ବୟସରେ ବୃଦ୍ଧ,ପେଶାରେ କ୍ଳାନ୍ତ ଅଥଚ ଜୀବନରେ ବେଶ୍ ସୁଖୀ । ଏଇ ଗରମଦିନରେ ତାଙ୍କ ଘରର ଭିତରପଟ ବାରଣ୍ଡାରେ ଗୋଟିଏ ଟେବୁଲ୍ ର ଉପରେ କେତୋଟି ଫୁଲର ଟବ୍ ଆଉ କାନାରୀ ପକ୍ଷୀଙ୍କ ପାଇଁ ଦୁଇଟି ପଞ୍ଜୁରୀ ରଖା ହୋଇଥାଏ । ଡାକ୍ତରଙ୍କ ପତ୍ନୀ ପକ୍ଷୀମାନଙ୍କୁ ବେଶ୍ ଶ୍ରଦ୍ଧା କରନ୍ତି । ବିରାଡିମାନେ କେଉଁ ମଉକାରେ ଆସି ପକ୍ଷୀମାନଙ୍କୁ ଖାଇଦିଅନ୍ତି ବୋଲି ସେ ବିରାଡିମାନଙ୍କୁ ଦୁଇଆଖିରେ ଦେଖିପାରନ୍ତି ନାହିଁ। ସ୍ତ୍ରୀଙ୍କ କଥାକୁ ଭାବି ଭାବି ଡାକ୍ତର ହିରୋଲଦୋ ରୋଗୀ ଦେଖିବାକୁ ଯାଇଥିଲେ ଆଉ ଫେରିଆସିବା ପରେ ପଞ୍ଜୁରୀଟିକୁ ଦେଖିବା ପାଇଁ ବାଲତାସାର୍ ର ଘରକୁ ଯାଇଥିଲେ।
ଖାଇବା ଘରେ ଅନେକ ଲୋକଙ୍କ ଭିଡ। ସମସ୍ତେ ଯେମିତି ଏହାକୁ ଭଲଭାବରେ ଦେଖିପାରିବେ ସେଇଥିପାଇଁ ପଞ୍ଜୁରୀଟିକୁ ଟେବୁଲ ଉପରେ ରଖାଯାଇଛି । ତାରର ଇଏ ଗୋଟିଏ ବିଶାଳ ଗମ୍ବୁଜ,ଭିତରେ ତିନି ତିନୋଟି ଖୋପ ,ଯିବା ଆସିବା ପାଇଁ ବାଟ ,ଖିଆପିଆ ଆଉ ନିଦ ଯିବା ପାଇଁ ଅଲଗା ଅଲଗା ଖୋପ,ଦୋଳ ଖାଇବା ପାଇଁ ଦୋଳି – ପଦେ କଥାରେ କହିଲେ ବିନୋଦନର କୌଣସି ତ୍ରୁଟି ହିଁ ନାହିଁ । ବଡମାପର କେଉଁ ବରଫଖାନାର ଇଏ ଗୋଟିଏ ଛୋଟକାଟିଆ ସଂସ୍କରଣ ଭଳି ମନେ ହେଉଛି । ହାତ ନ ଲଗାଇ ଡାକ୍ତର ଏଇ ପଞ୍ଜୁରୀଟିକୁ ଟିକିନିଖି କରି ଦେଖିନେଲେ । ତାଙ୍କର ମନେହେଲା,ଚାରିଆଡ ଯାହା ଖବର ରଟୁଛି ତାହାର ତୁଳନାରେ ଏଇ ପଞ୍ଜୁରୀଟି ଯଥେଷ୍ଟ ଅଧିକ ସୁନ୍ଦର । ଏବଂ ପତ୍ନୀଙ୍କ ପାଇଁ ସେ ଯେଉଁ ପଞ୍ଜୁରୀଟି ଆଣିବେ ବୋଲି ସ୍ୱପ୍ନ ଏତେଦିନ ହେଲା ଦେଖିଆସିଛନ୍ତି ତାହାର ତୁଳନାରେ ଏଇ ପଞ୍ଜୁରୀଟି ଅନେକ ଅନେକ ଅଧିକ ସୁନ୍ଦର।
କଳ୍ପନାର ଅବାଧ ବିଚରଣର ଇଏ ଏକ ବାସ୍ତବ ରୂପ,ମନକୁ ମନ ଏମିତି ଗୋଟିଏ ମନ୍ତବ୍ୟ କରି ଡାକ୍ତର ସେଇ ଭିଡ ଭିତରୁ ବାଲତାସାର୍ କୁ ଡାକି ଆଣି ଅଭିଭାବକସୁଲଭ ସ୍ନେହର ଦୃଷ୍ଟିରେ ତାହାକୁ ଚାହିଁ କହିଥିଲେ,ତୁ ଅସଲରେ ଗୋଟିଏ ଭଲ ସ୍ଥପତି ହୋଇପାରିଥାନ୍ତୁ !
ଏତିକିରେ ବାଲତାସାର ଲଜ୍ଜାରେ ଲାଲ୍। ସେ କହେ,ଧନ୍ୟବାଦ।
ଡାକ୍ତର କହିଲେ,ତାହା ସତ। ବିଗତଯୌବନା କୌଣସି ସୁନ୍ଦରୀ ମହିଳାମାନଙ୍କ ପରି ମସୃଣ ଲାବଣ୍ୟ ମିଶା ମୋଟାସୋଟା ଚେହେରା ଡାକ୍ତରଙ୍କର । ତାଙ୍କର ହାତ ଦୁଇଟି ବେଶ୍ ଗୋଲଗାଲ । ଆଉ ପାଦ୍ରୀମାନେ ଯେମିତି ସବୁବେଳେ ଲାଟିନ ମିଶା ଗଳାରେ କହିଥାନ୍ତି ସେଇ ଭଳି ହେଉଛି ତାଙ୍କର କଣ୍ଠସ୍ୱର । ପଞ୍ଜୁରୀଟିକୁ ଦର୍ଶକ ମାନଙ୍କ ସାମ୍ନାରେ ଏଇଭଳି ସେ ଘୁରାଇବାକୁ ଲାଗିଲେ ଯେମିତି ଏଇଲେ ଏହାର ନିଲାମରେ ଡାକ ଉଠିବ। ଡାକ୍ତର ପରାମର୍ଶ ଦିଅନ୍ତି,ଏଥିରେ ପକ୍ଷୀ ରଖିବାର କୌଣସି ଦରକାର ନାହିଁ। ଗଛଟିଏ ବାଛି ଟଙ୍ଗାଇଦେଲେ ଏହା ଆପେ ଆପେ ହିଁ ଗୀତ ଗାଇବା ଆରମ୍ଭ କରିଦେବ।
ଆଗରୁ ଯେଉଁଠି ପଞ୍ଜୁରୀଟି ଥିଲା ସେଇଠେ ତାହାକୁ ପୁଣି ଥୋଇଦେଇ ସେ କହିଲେ,ଠିକ୍ ଅଛି,ମୁଁ ତାହାଲେ ଏଇଟିକୁ ନେଉଛି ।
ପାଖରୁ କେଉଁଠି ଥାଇ ଉର୍ସୁଲା କହେ,ଏଇଟି ତ ଆଗରୁ ବିକ୍ରୀ ହୋଇଯାଇଛି । ବାଲତାସାର୍ ତା’ ସହିତ ଯୋଡିଦିଏ,ସେନୋର ଚେପେ ମୋନତିଏଲ୍ ଙ୍କ ପୁଅ ଏଇଟିକୁ କିଣି ନେଇଛି । ଏବେ ଏଇଟି ତାଙ୍କର । ତାଙ୍କର ହିଁ ଅର୍ଡର ଥିଲା।
ମୁହଁ ଗୋଟିଏ ଶ୍ରଦ୍ଧାର ଭାବ ଉକୁଟାଇ ଆଣି ଡାକ୍ତର ପ୍ରଶ୍ନ ପଚାରିବା ଭଳି କହିଲେ,ପଞ୍ଜୁରୀର ନକସାଟି ସେ କ’ଣ ତୋତେ ଦେଇଥିଲେ ?
ବାଲତାସାର ମଥା ହଲାଇ କହେ,ନାହିଁ ।ତାହାପରେ କହେ,ସେ ମୋତେ ଖାଲି ଗୋଟିଏ ବଡ ପଞ୍ଜୁରୀ ତିଆରିକରିବାକୁ କହିଥିଲେ। ତାଙ୍କ ପାଖରେ ହଳେ କ୍ରୋପିଆଲ୍ ରହିଛନ୍ତି । ସେମାନଙ୍କ ରହିବା ପାଇଁ ଏମିତିକା ଗୋଟିଏ ବଡ ପଞ୍ଜୁରୀ ଦରକାର !
ଡାକ୍ତର ପୁଣି ସେହି ପଞ୍ଜୁରୀ ଆଡକୁ ଚାହାଁନ୍ତି ଆଉ କହନ୍ତି,ଯାହା କହ ,ଏଇଟା ତ କ୍ରୋପିଆଲ୍ ର ପଞ୍ଜୁରୀ ନୁହଁ ।ଡାକ୍ତରଙ୍କ ମନ୍ତବ୍ୟ।
ଟେବୁଲ ପାଖକୁ ଟିକିଏ ଆଗେଇ ଆସି ବାଲତାସାର୍ କହେ,ଡାକ୍ତରବାବୁ,ଏଇଟି ସେମାନଙ୍କ ପାଇଁ । ସେତେବେଳକୁ ପିଲାଏ ତାହାକୁ ଘେରି ରହିଥାନ୍ତି। ପଞ୍ଜୁରୀର ଖୋପଗୁଡିକ ଆଡକୁ ଆଙ୍ଗୁଳି ଦେଖାଇ ବାଲତାସାର୍ କହେ,ଅନେକ ମାପଚୁପ୍ କରି ଦେଖି ଶୁଣି ଶେଷରେ ଏଇ ଖୋପଗୁଡିକ ତିଆରି କରା ହୋଇଛି । ଏହାପରେ ତାହାର ଆଙ୍ଗୁଳି ସେଇ ଗମ୍ବୁଜର ତାରରେ ଯେମିତି ଟିକିଏ ଟୋକା ଦେଇଛି ,ସେମିତି ପ୍ରତ୍ୟେକ ତାରରୁ ଝଂକାର ଶୁଭିଲା । ବାଲତାସାର୍ କହିଲା,ସବୁଠାରୁ ମଝବୁତ୍ ତାରରେ ତିଆରି।ସବୁ ତକର ଯୋଡ ବାହାର ପଟକୁ ପଡିଛି,ଭିତର ଟି ତେଣୁ ଶକ୍ତ ଭାବରେ ଅଟକାଇ ରଖା ଯାଇ ପାରିବ।
ପିଲାମାନଙ୍କ ଭିତରୁ କିଏ ଜଣେ କହେ,ଟିଆ ପକ୍ଷୀ ପାଇଁ ବଡ ହେବ।
ବାଲତାସାର କହେ,ଠିକ୍ କହିଛୁ ।
ଡାକ୍ତର ମୁହଁଟିକୁ ବୁଲେଇ ନେଇ କହନ୍ତି,ସବୁ ଭଲ ,ତେବେ ପଞ୍ଜୁରୀର ନକଶା ସେ ତୋତେ ଦେଇନାହାଁନ୍ତି । ମାପଯୁପ ର ହିସାବ ବି ତାଙ୍କର ନୁହଁ । ଆଉ ସେ ବି ଏକଥା କହିନଥିବେ ଯେ,ପଞ୍ଜୁରୀଟି ଆକାରରେ କେତେ ବଡ ହବ । ଉତ୍ତରରେ ବାଲତାସାର୍ କହେ,ତା ଅବଶ୍ୟ ଠିକ୍ !
ତାହାହେଲେ ତ ଆଉ କୌଣସି ସମସ୍ୟା ନାହିଁ,ଡାକ୍ତର ଏଇଲେ ଉତ୍ତେଜିତ। ତ୍ରୋପିଆଲ୍ ମାନଙ୍କ ପାଇଁ ଉଦ୍ଦିଷ୍ଟ ବଡ ପଞ୍ଜୁରୀ ସହିତ ଏଇ ପଞ୍ଜୁରୀକୁ ଏକ କରି ଦେଖିବା ଉଚିତ ନୁହଁ । ସେ ଯେ ଠିକ୍ ଏଇଟିକୁ ତିଆରି କରିବାପାଇଁ କହିଛନ୍ତି,ତାହାର କୌଣସି ପ୍ରମାଣ ନାହିଁ ।
ଏଥିରେ ବାଲତାସାର ଟିକିଏ ହଡବଡେଇ ଯାଏ ଆଉ କହେ,ଆଜ୍ଞା ହଁ,ସେ ଏଇଟିକୁ ତିଆରି କରିବା ପାଇଁ କହିଛନ୍ତି ।ସେ କହିଛନ୍ତି ବୋଲି ମୁଁ ଏଇଟି ତିଆରି କରିଛି ।
ତାଙ୍କର ହାବଭାବରୁ ଦେଖିଲେ ମନେହେବ ଡାକ୍ତର ଯେମିତି ପୁରା ଧୈର୍ଯ୍ୟହୀନ ହୋଇପଡିଛନ୍ତି ।
ସ୍ୱାମୀ ର ଆଡକୁ ଅନେଇ ଉର୍ସୁଲା କହି ପକାଏ,ତମେ ତ ଆଉ ଗୋଟିଏ ତିଆରି କରି ପାରିବ। ତାହାପରେ ଡାକ୍ତରଙ୍କୁ ଚାହିଁ କହେ,ଆପଣଙ୍କର ତ ସେମିତି ବ୍ୟସ୍ତତା ନାହିଁ ।
ସେ ଉତ୍ତର ଦିଅନ୍ତି,ଆଜି ଦିପହର ଭିତରେ କିଣି ଦେବି ବୋଲି ସ୍ତ୍ରୀଙ୍କୁ କଥା ଦେଇଛି।
ବାଲତାସାର ଶାନ୍ତ ଭାବରେ କହେ,ମୁଁ ବଡ ଦୁଃଖିତ ଡାକ୍ତରବାବୁ,ଥରେ ବିକ୍ରି କରାଯାଇଥିବା ମାଲ୍ କୁ ଦ୍ୱିତୀୟ ଥର ବିକ୍ରୀ କେମିତି ହବ ?
ନିଜର କାନ୍ଧକୁ ଟିକିଏ ଝୁଙ୍କାଇନେଇ ଡାକ୍ତର ନିଜର ଅସନ୍ତୋଷକୁ ପ୍ରକାଶ କରିଥିଲେ।ରୁମାଲରେ ନିଜ ବେକମୂଳରେ ଜମିଥିବା ଝାଳକୁ ଟିକିଏ ପୋଛି ନେଇ ପଞ୍ଜୁରୀ ଆଡକୁ ସେ ଏକଲୟରେ ଚାହିଁ ରହିଥିଲେ। ଚାହାଁଣୀଟି ସ୍ଥିର । ନିଷ୍ପୃହ ଜାହାଜ ଚାଲିବାକୁ ଆରମ୍ଭ କଲେ ଘାଟରେ ଛିଡା ହୋଇଥିବା ମଣିଷମାନେ ଯେମିତି ବାକରହିତ ଅବସ୍ଥାରେ ଅନେଇ ରହିଥାନ୍ତି,ଠିକ୍ ସେଇ ଭଳି।
ସେ କେତେ ଦାମ ଦେଇଛନ୍ତି ? ଡାକ୍ତରଙ୍କର ଏଇ ଭଳି ପ୍ରଶ୍ନର ଉତ୍ତରକୁ ଏଡାଇ ଯିବା ପାଇଁ ବାଲତାସାର୍ ଉର୍ସୁଲାର ଆଶ୍ରୟ ଚାହେଁ। ଉର୍ସୁଲା ଉତ୍ତର ଦିଏ,ଷାଠିଏ ପେସୋ।
ଡାକ୍ତରଙ୍କର ଦୃଷ୍ଟି ସେପଟରୁ ଆଉ ଫେରେନା।ସମାନ ଭାବରେ ତାଙ୍କର ଦୃଷ୍ଟି ସେଇ ପଞ୍ଜୁରୀ ରେ ହିଁ ଆବଦ୍ଧ। ଗୋଟିଏ ଦୀର୍ଘ ଶ୍ୱାସ ଛାଡି ସେ କହନ୍ତି,ଖୁବ୍ ଭଲ। ଭୀଷଣ ସୁନ୍ଦର ।
ପଞ୍ଜୁରୀକୁ ଏତେ ପରେ ବି ସେ ତାରିଫ କରିପାରିଛନ୍ତି ସେଇ ଭଳି ଗୋଟିଏ ଆତ୍ମତୃପ୍ତିର ହସ ସହ ସେ ସେଇଠୁ ବିଦାୟ ନେଇଥିଲେ ।ସେଇ ସମୟରେ ଠିକ୍ ତାଙ୍କର ମନ ଭିତରୁ ଏଇ ଘଟଣାର ସ୍ମୃତି ଚିରକାଳପାଇଁ ପୋଛି ହୋଇଯାଇଥିଲା । ଫେରିଯିବା ବେଳେ ସେ କେବଳ ଏତିକି କହିଥିଲେ,ମୋନତିଏଲ୍ ବହୁତ ପଇସାବାଲା,ବିରାଟ ଧନୀଲୋକ।
ଅସଲରେ ଯେତେଟା ଧନୀବୋଲି ମନେ ହୁଏ,ହୋସେ ମୋନତିଏଲ୍ କିନ୍ତୁ ସେମିତି ସେତେ କିଛି ନୁହଁ। ତେବେ ସେମିତି କିଛି ହେବା ପାଇଁ ଯାହା ଯାହା ଦରକାର ତାହା କରିପାରିବା ଭଳି କ୍ଷମତା ତାଙ୍କର ଅଛି। ଏଇଠୁ କେତୋଟି ଘର ବାଦେ ମୋନତିଏଲ୍ ଙ୍କ ବସବାସ କରୁଥିବା ଘର। ଯନ୍ତ୍ରପାତି ଭରିରହିଥିବା ଏଇ ଘରେ ଏମିତିକିଛି ପଦାର୍ଥ ନାହିଁ ଯାହା କୁ ବିକ୍ରି କରାଯାଇପାରିବ ନାହିଁ । ତଥାପି ପଞ୍ଜୁରି ର ଖବରରେ ତାଙ୍କର ଆଖିରେ କି ମୁହଁରେ ଅନ୍ତତଃ କୌଣସି ପ୍ରତିକ୍ରୀୟା ଦେଖାଯାଇନଥିଲା। ତାଙ୍କର ପତ୍ନୀ ମୃତ୍ୟୁର ଭୟରେ ସର୍ବଦା ଆତଙ୍କିତ । ଦିପହର ଖିଆ ପିଆ ସରିବାପରେ ଘରର କବାଟ ଝରକାକୁ ଭଲଭାବରେ ବନ୍ଦ କରି ଦି ଘଣ୍ଟା ଅନ୍ତତଃ ସେ ସେହି ଅଂଧାର ଆଡକୁ ଚାହିଁ ରହିଥାନ୍ତି । ସେଇ ଅବସରରେ ହୋସେ ମୋନତିଏଲ୍ ଦିବାନିଦ୍ରା ରେ ବ୍ୟସ୍ତ। ତାଙ୍କର ଘୁଂଘୁଡି ବେଶ୍ ଶୁଭେ। ପାଟିତୁଣ୍ଡ ଶୁଣିବା ମାତ୍ରେ ହୋସେ ମୋନତିଏଲ୍ ଙ୍କ ପତ୍ନୀ ଚମକି ଉଠନ୍ତି । ବାହାର ଘରର କବାଟ ଖୋଲି ସେ ଦେଖନ୍ତି ଘର ସାମ୍ନା ରେ ବେଶ୍ ବଡ ଜନଗହଳି। ଆଉ ଭିଡର ଠିକ୍ ମଝିରେ ପଞ୍ଜୁରୀକୁ ନିଜ ହାତରେ ଧରି ଠିଆହୋଇଛି ବାଲତାସାର୍। ସଦ୍ୟ ଦାଢୀ କଟା ହୋଇଥିବା କାରଣରୁ ମୁହଁଟି ତା’ର ଭାରି ଚିକ୍କଣ,ଦେହରେ ଇସ୍ତ୍ରୀକରା ସାଦା ପୋଷାକ। ତାହାର ମୁହଁରେ ଅଛି ଗୋଟିଏ ଭଦ୍ର ବିନୟୀ ଭାବ ଯାହା କୌଣସି ବଡଲୋକର ଘରକୁ ଯିବା ସମୟରେ କୌଣସି ସାଧାରଣ ଲୋକର ମୁହଁରେ ସାଧାରଣତଃ ଶୋଭା ପାଇଥାଏ।
ଶ୍ରୀମତୀ ହୋସେ ମୋନତିଏଲ୍ ରୀତିମତ ବିସ୍ମିତ। ବାଲତାସାର୍ କୁ ଘର ଭିତରକୁ ନେଇ ଆସିବା ବେଳକୁ ତାଙ୍କର ମୁହଁ ଝଲମଲ କରିଉଠୁଥାଏ। ନିଜର ବିସ୍ମୟକୁ ଆଉ ଅଧିକ ସମୟ ଗୋପନ କରି ରଖିନପାରି ସେ କହିପକାନ୍ତି,ଆହା,କି ଚମତ୍କାର,କି ଚମତ୍କାର ।ତାହାପରେ ପୁଣି କହନ୍ତି,ଏଇ ଭଳି ଚମତ୍କାର ପଦାର୍ଥ ସେ ଆଗରୁ ଆଉ କୌଣସିଠାରେ ଦେଖି ନାହାଁନ୍ତି । ଘର ସାମ୍ନାରେ ଉପସ୍ଥିତ ଭିଡ ସମୂହକୁ ଦେଖି ଟିକିଏ ରାଗରେ କହଉଠନ୍ତି ସେ,ଏଇ ପଞ୍ଜୁରୀଟାକୁ ଧରି ଶିଘ୍ର ଭିତରକୁ ଆସ। ନହେଲେ ସେମାନେ ଆମ ଘରଟିକୁ ପୁରାପୁରି ହାଟ କରିଦେବେ।
ହୋସେ ମୋନତିଏଲ୍ ର ଘର ବାଲତାସାର୍ ର ଅଜଣା ନୁହଁ। ଲୁହାଲକ୍କଡର କାମରେ ତାହାର ଖୁବ୍ ନାମଡାକ ଥିବାରୁ ଅନେକ ସମୟରେ କିଛି ଛୋଟମୋଟ କାମପାଇଁ ଏଇଠୁ ତାହାକୁ ଡାକ ପଡେ। ତେବେ ବଡଲୋକଙ୍କ ଗହଳୀଭିତରେ ସେ କୌଣସିଦିନ ସ୍ୱାଭାବିକ ହୋଇପାରିନାହିଁ । ଅନେକ ସମୟରେ ବାଲତାସାର୍ ଏଇ ସବୁ ବଡଲୋକଙ୍କ କଥାକୁ ଭାବିବସେ । ଏଇ କୁତ୍ସିତ କଳିହୁଡୀ ପତ୍ନୀ,ଶରୀରରେ ବଡବଡ ଅପରେସନ୍ ର ଦାଗ। ଏଇସବୁ ଦେଖିଶୁଣି ସବୁସମୟରେ ବାଲତାସାର୍ ର ମନ ଭିତରେ ଏମାନଙ୍କ ପ୍ରତି ଗୋଟିଏ କରୁଣାର ଉଦ୍ରେକ ହୁଏ। ସେହି ଘରଭିତରକୁ ପ୍ରବେଶ କଲାବେଳକୁ ତାହାର ପାଦ ଦୁଇଟିର ଗତି ମନ୍ଥର ହୋଇଯାଏ,ତାହାକୁ ଯେମିତି ନିଜ ପାଦଦୁଇଟିକୁ ଟାଣି ଟାଣି ଭିତରକୁ ନେବାକୁ ପଡୁଥାଏ ।
ପଞ୍ଜୁରୀଟିକୁ ଖାଇବା ଟେବୁଲ୍ ଉପରେ ଥୋଇ ବାଲତାସାର୍ ପଚାରେ,ପେପେ କ’ଣ ଘରେ ଅଛନ୍ତି ?
ହୋସେ ମୋନତିଏଲ୍ ର ପତ୍ନୀ କହନ୍ତି,ସ୍କୁଲ କୁ ଯାଇଛି,ଏଇଲେ ଆସିଯିବ। ଆଉ ମୋନତିଏଲ୍ ସ୍ନାନ କରୁଛନ୍ତି ।
ଅସଲରେ ଏଇଟି ହୋସେ ମୋନତିଏଲ୍ ଙ୍କ ସ୍ନାନର ସମୟ ନୁହଁ। ସେ ଆଲକହଲ୍ ର ଗୋଟିଏ ଜରୁରୀ ମାଲିସ୍ ନେଉଥିଲେ । ତେଣୁ ସେ ଏଇଲେ ଗାଧୁଆ ଘରେ। ତଥାପି ପାତିତୁଣ୍ଡ ଶୁଣିଲେ ବାହାରେ କ’ଣ ହେଉଛି ସେକଥା ଜାଣିବାରେ ସେ ଉଦଗ୍ରୀବ । ଲୋକ ହିସାବରେ ଭାରି ସାବଧାନୀ ମଣିଷ ହୋସେ ମୋନତିଏଲ୍ । ଏତେ ସାବଧାନୀ ଯେ,ଶୋଇବାବେଳେ ସେ ପଙ୍ଖା ଚଲାନ୍ତି ନାହିଁ। ପଙ୍ଖା ବୁଲିବାର ଘିରିଘିରି ଶବ୍ଦର କାଳେ ବାହାର ର କଥାବାର୍ତ୍ତା ଚାପା ପଡିଯିବ,ତାଙ୍କୁ ଶୁଭିବ ନାହିଁ । ଗାଧୁଆ ଘରଠାରୁ ସେ ଚିତ୍କାର କରି ଉଠନ୍ତି,ଆଦେଲାଇଦ୍,କ’ଣ ଚାଲିଛି ସେଇଠି ? ପତ୍ନୀ ଟିକିଏ ନିଜର ଗଳାକୁ ବଢାଇନେଇ କହନ୍ତି,ଦେଖିବ ଆସ। କେତେ ଚମତ୍କାର ପଦାର୍ଥ ଇଏ।
ଟିକିଏ ଗୋଲଗାଲ୍ ଚେହେରା ଆଉ ନିଜର ଲୋମଶ ଦେହକୁ ଟାୱେଲ୍ ରେ ଘୋଡାଇନେଇ ଶୋଇବାଘରର ଝରକା ପାଖରେ ଆସି ଛିଡାହୋଇ ହୋସେ ମୋନତିଏଲ୍ ମୁହଁକୁ ଟିକିଏ ଆଗକୁ ଝୁଙ୍କାଇ ନେଇ ପଚାରିଲେ ,ଏଇଟା କ’ଣ ?
ବାଲତାସାର୍ ଉତ୍ତର ଦିଏ,ଏଇଟା ପେପେ ର ପଞ୍ଜୁରୀ। ବିହ୍ୱଳ ହୋଇ ହୋସେ ମୋନତିଏଲ୍ ଙ୍କ ପତ୍ନୀ ସ୍ୱାମୀଙ୍କ ଆଡକୁ ଦୃଷ୍ଟି ପକାନ୍ତି।
କାହାର,କାହାର କହୁଚୁ ?
ବାଲତାସାର୍ କହେ,ପେପେ,ପେପେ ର। ବାଲତାସାର୍ ର ଆଡକୁ ଚାହିଁ ହୋସେ ମୋନତିଏଲ୍ ପଚାରନ୍ତି,ପେପେ କ’ଣ ଏଇଟିକୁ ତିଆରି କରିବା ପାଇଁ କହିଥିଲା ?
ସେତେବେଳେ ସେମିତି କିଛି ହେଲାନି ସତ,ତେବେ ବାଲତାସାର ର ମନେ ହେଲା କିଏ ଯେମିତି ତାହାର ମଥାର ଉପରେ ବାଥରୁମ୍ ର କବାଟକୁ ଆଣି କଚି ଦେଇଛି। ଶୋଇବା ଘର ଭିତରୁ ହୋସେ ମୋନତିଏଲ୍ ବାହାରି ଆସିଲେ । ତାଙ୍କର ପିନ୍ଧାବାସ କହିଲେ ଦେହରେ ମାତ୍ର ଖଣ୍ଡିଏ ଅଣ୍ଡରଓୟାର୍।
ପୁଣି ଗୋଟିଏ ଚିତ୍କାର ,ପେପେ । ନିଶ୍ଚଳ ଭାବରେ ଛିଡା ହୋଇଥିବା ପତ୍ନୀ ଫୁସଫୁସ କରି କହନ୍ତି ଏହାପରେ,ଏଯାଏଁ ସ୍କୁଲ୍ ରୁ ଫେରିନି ।
ଏତିକି କୁହାହୋଇଛି କି ନାହିଁ ପେପେ ଆସି କବାଟ ପାଖରେ ଉପସ୍ଥିତ । ବାର ବର୍ଷ ବୟସର ବାଳକ,ମାଆ ଭଳି ଅବିକଳ ବକ୍ର ଭ୍ରୁଲତା ଆଉ ମାଆ ଭଳି ଅସହାୟ,ଶାନ୍ତ। ହୋସେ ମୋନତିଏଲ୍ ପଚାରନ୍ତି,ଏଇଟାକୁ ତିଆରି କରିବା ପାଇଁ ତୁ କହିଛୁ ?
ପେପେ ମଥା ତଳକୁ କରେ। ତାହାର ମଥାର ଚୂଳକୁ ହାତରେ ଟାଣି ତାହାର ମୁହଁକୁ ଉପରକୁ କରି ସେ ପଚାରନ୍ତି, ଉତ୍ତର ଦେ।
ପେପେ ପଦଟିଏ କିଛି ନକହି ନିଜର ଓଠକୁ କାମୁଡୁ ଥାଏ । ହୋସେ ମୋନତିଏଲ୍ ଙ୍କ ପତ୍ନୀ ଫୁସଫୁସ ଗଳାରେ କହନ୍ତି,ମୋନତିଏଲ୍ ।
ହୋସେ ମୋନତିଏଲ୍ ପୁଅ କୁ ଛାଡିଦେଇ ରାଗରେ ଗରଗର ହୋଇ ବାଲତାସାର୍ ଆଡକୁ ଚାହିଁ କହନ୍ତି,ମୁଁ ବଡ ଦୁଃଖିତ, ବାଲତାସାର୍। କାମଟି କରିବା ଆଗରୁ ମୋତେ ଅନ୍ତତଃ ଥରଟିଏ ତୋର ଜଣେଇବା ଉଚିତ୍ ଥିଲା। ଗୋଟିଏ ପିଲାଲୋକ ସହ କିଣାବିକା ର କଥା ପକ୍କା କରିବା ଭଳି କାମ ତୋ ଭଳିକା ଲୋକ ଛଡା ଆଉ କିଏ କରିପାରିବ ?
କଥା ଗୁଡିକ ଏକା ଥରକରେ କହିଯିବା କାରଣରୁ ହୋସେ ମୋନତିଏଲ୍ ଙ୍କ ମିଜାଜ ଟା ଏହାପରେ ନରମ ପଡିଯାଇଥିଲା। ପଞ୍ଜୁରୀ ଆଡକୁ ନଚାହିଁ ସେ ସିଧା ବାଲତାସାର୍ ପାଖକୁ ଯାଇ କହିଲେ,ଏଇଲେ ଯେତେ ଶିଘ୍ର ପାରିବୁ ତୁ ଏଇଟାକୁ ନେଇ ବିଦାୟ ହ। ଯାହା କୁ ପାରିବୁ ତାହାକୁ ତୋ ଖୁସି ଅନୁସାରେ ଏଇଟାକୁ ବିକ୍ରୀ କରି ଦେଇ ପାରିବୁ। ତାହା ଭଲ,ଏହାକୁ ନେଇ ମୋ ସହିତ ଆଉ କୌଣସି ତର୍କଫର୍କ କରିବାର ଦରକାର ନାହିଁ । ଏହା ପରେ ବାଲତାସାର୍ ର ପିଠିରେ ଗୋଟିଏ ମଧୁର ଚାପୁଡା ମାରି ସେ କହିଥିଲେ,ବୁଝିଲୁନା,ଡାକ୍ତର ମୋତେ ରାଗାରାଗି କରିବାରୁ ବାରଣ କରିଛି ।
ପୁଅ ଟି ତ ପଥର। ଆଖିର ପତା ପଡୁନି।ପଞ୍ଜୁରୀଟିକୁ ହାତରେ ଧରି ବାଲତାସାର୍ ତା’ ଆଡକୁ ଚାହିଁବା ମାତ୍ରକେ ତାହାର ଗଳାରୁ କୁକୁରର କେଉଁ କେଉଁ ଭଳି ଗୋଟିଏ ଅସ୍ପଷ୍ଟ ଆବାଜ ବାହାରି ଆସେ। ଆଉ ତାହାପରେ ପିଲାଟା ଭୂଇଁ ପଡିଯାଇ ଗଡାଗଡି ଖାଇ ଭୀଷଣ ଜୋର୍ ରେ କାନ୍ଦି ଉଠେ।
ମାଆ ପୁଅକୁ ପ୍ରବୋଧନା ଦିଏ।ତାହାକୁ ଶାନ୍ତ କରିବାକୁ ଚେଷ୍ଟା କରେ। ପତ୍ନୀ ଆଡକୁ ଚାହିଁ ହୋସେ ମୋନତିଏଲ୍ କହନ୍ତି,ଥାଉ ,ତାହାକୁ ଆଉ ଭୂଇଁରୁ ଉଠାଇବା ଦରକାର ନାହିଁ। ତଳେ ପଡି ମଥାଟା ଫାଟିଗଲେ ସେଥିରେ ଲୁଣ ଆଉ ଲେମ୍ବୁ ଘଷିଦିଅ । ସେତେବେଳେ ଯାଇ ସେ ପ୍ରାଣଭରି କୁନ୍ଥାଣ ରେ କାନ୍ଦି ପାରିବ।
ପୁଅର ଆଖିରେ ଲୁହ ନାହିଁ ,ତଥାପି ସେ ଧଇଁସଇଁ ହେଉଛି ।ତାହାର ମାଆ ତାହାର ହାତ ଧରି ତାହାକୁ ବୁଝାଇବାକୁ ଚେଷ୍ଟା କରୁଛି। ହୋସେ ମୋନତିଏଲ୍ ପୁଣି କହି ଉଠନ୍ତି,ତାହାକୁ ଛାଡି ଦିଅ,ଏକା ଏକା ରହୁ।
ବାଲତାସାର୍ ର ମନେହେଲା ମୃତ୍ୟୁ ଯନ୍ତ୍ରଣାରେ କାତର ଥିବା କୌଣସି ଜାନୁଆର୍ ପରି ଦିଶୁଛି ପିଲାଟି। ପ୍ରାୟ ଚାରିଟା ବାଜିଲାଣି। ବାଲତାସାର୍ ର ପତ୍ନୀ ଉର୍ସୁଲା ନିଜ ଘରେ ବସି ପିଆଜକୁ କୁଚି କୁଚି କରି କାଟୁଛି ଆଉ ଗୋଟିଏ ପୁରୁଣା ସୁରର ଗୀତକୁ ଗୁଣୁଗୁଣୁ କରି ଗାଇ ଚାଲିଛି।
ବାଲତାସାର୍ ଡାକ ଦିଏ,ପେପେ। ତାହାପରେ ହସି ହସି ପିଲାଟା ପାଖକୁ ଆଗେଇ ଯାଇ ପଞ୍ଜୁରୀଟି ବଢେଇ ଦିଏ । ପିଲାଟି ହଠାତ୍ ଭୂଇଁରୁ ଉଠି ନିଜର ସମାନ ପଞ୍ଜୁରୀଟିକୁ ଜାବୁଡି ଧରେ ଆଉ ତାହାର ତାରମାନଙ୍କର ଫାଙ୍କ ଦେଇ ବାଲତାସାର୍ କୁ ଚାହିଁରହେ। ଏଇ ଭଳି ଗୋଟିଏ ସମୟରେ କ’ଣ କୁହାଯାଏ ତା’ର ତାହା ଜଣାନାହିଁ । ତେବେ ସେତେବେଳେ ତାହାର ଆଖିରେ ଠୋପାଏ ବୋଲି ଲୁହ ନଥିଲା।
ହୋସେ ମୋନତିଏଲ୍ ଏଥର ନରମ ମୁଲାୟମ ଗଳାରେ କହନ୍ତି,ବାଲତାସାର୍, ତତେ କହିଲି ନା,ଏଇଟାକୁ ନେଇ ଏଇଠୁ ଏଥର ଯା।
ହୋସେ ମୋନତିଏଲ୍ ପୁଅକୁ ଆଦେଶ କରନ୍ତି,ଫେରେଇ ଦେ।
ପିଲାର ଉଦ୍ଦେଶ୍ୟରେ ବାଲତାସାର୍ କହେ,ଏଇଟା ନିଅ,ତମର ପାଖରେ ରଖିଦିଅ।ତାହାପରେ ହୋସେ ମୋନତିଏଲ୍ ଙ୍କୁ କହେ,ଯାହା ହେଉ ନା କାହିଁକି,ମୁଁ କିନ୍ତୁ ଏଇଟି ତାଙ୍କ ପାଇଁ ତିଆରି କରିଥିଲି।
ହୋସେ ମୋନତିଏଲ୍ ବାଲତାସାର୍ ର ପଛେ ପଛେ ବୈଠକଖାନା ଯାଏଁ ଯାଆନ୍ତି । ବାଲତାସାର୍ କୁ ଅଟକାଇ କହନ୍ତି,ବୋକା ପରିକା କାମ କରନା , ବାଲତାସାର। ତୋର ପଦାର୍ଥ , ତୁ ନିଜ ଘରକୁ ସାଥିରେ ନେଇକି ଯାଆ। ଏଇ ଭଳି ଜୋରଜବରଦସ୍ତି କାମ ମୋତେ ଭଲଲାଗେନା। ଏଇଟା ପାଇଁ ,ତତେ ମୁଁ ଗୋଟିଏ ଛଦାମ ବି ଦେବିନି ,ସଫା କହିଦେଉଛି ।
ସେଥିରେ କିଛି ଯାଏ ଆସେ ନାହିଁ,ବାଲତାସାର୍ ଜବାବ ଦିଏ ।ପେପେ ଙ୍କୁ ଉପହାର ଦେବାପାଇଁ ମୁଁ ଏଇ ପଞ୍ଜୁରୀଟି ତିଆରି କରିଛି। ଏହା ପାଇଁ ମୁଁ କୌଣସି ଦାମ୍ ଚାହେଁନି।
କବାଟ ନିକଟରେ ଜମାଟ ବାନ୍ଧି ବାଟକୁ ଅବରୁଦ୍ଧ କରିଥିବା ଲୋକବାକଙ୍କ ଭିଡ କୁ ଠେଲି ବାଲତାସାର୍ ଯେତେବେଳେ ଫେରିଯାଉଥାଏ ସେତେବେଳେ ବୈଠକଖାନାରୁ ହୋସେ ମୋନତିଏଲ୍ ଙ୍କ ଚିତ୍କାର ଶୁଭୁଥାଏ । ତାଙ୍କର ମୁହଁ ଶେତା ପଢିଯାଇଥାଏ ଆଉ ତାଙ୍କର ଆଖିମାନ ଲାଲ ହେବାକୁ ଆରମ୍ଭ କରିଥାଏ।
ଅପଦାର୍ଥ,ସେ ଚିତ୍କାର କଲେ। ତୋର ଅପୂର୍ବ ଗହଣାକୁ ନେଇ ଏଇଠୁ ଯା। ସିଧା କହିଦେଲି,ଏହାପରଠାରୁ ମୋ ଘରୁ କୌଣସି କାମପାଇଁ ତତେ ଆଉ ବରାଦ ଦିଆଯିବ ନାହିଁ ,ସୁଅର୍ କା ବଚ୍ଚା !
ହଲଘରେ ପହଞ୍ଚିଲା ପରେ ଲୋକମାନେ ବାଲତାସାର୍ କୁ ଅଭିନନ୍ଦନ ଜଣାନ୍ତି । ଏଇ ଟିକିଏ ଆଗରୁ ବାଲତାସାର୍ ର ମନେ ହେଉଥିଲା ସେ ତାହାର ଜୀବନର ସର୍ବଶ୍ରେଷ୍ଠ ପଞ୍ଜୁରୀଟିକୁ ତିଆରି କରିଛି ଆଉ ହୋସେ ମୋନତିଏଲ୍ ଙ୍କ ପୁଅର କାନ୍ଦ ବନ୍ଦ କରିବା ପାଇଁ ସେ ଏଇଟିକୁ ତାହାକୁ ଦେଇଛି। ଆଉ ଏଇସବୁ ପଦାର୍ଥର ସେମିତି କୌଣସି ଦାମ୍ ନାହିଁ । କିନ୍ତୁ ସେ ଏଇଲେ ବୁଝି ପାରୁଛି ଯେ ଅନେକ ମଣିଷର ନିକଟରେ ଏଇଭଳି ପଦାର୍ଥର ଯଥେଷ୍ଟ ଗୁରୁତ୍ୱ ରହିଛି। ଆଉ ଏଇ କଥାଟା ମନକୁ ଆସିବାମାତ୍ରକେ ବାଲତାସାର୍ ଟିକିଏ ଉତ୍ତେଜିତ ହୋଇପଡେ ।
ତାହାହେଲେ ସେମାନେ ପଚାଶ ପେସୋ ଦେଲେ, କିଏ ଜଣେ ତା’କୁ ପଚାରେ।
ଷାଠିଏ ,ବାଲତାସାର୍ ଜବାବ ଦିଏ।
ଜଣେ କହିଉଠେ,ବାସ୍ତବରେ ତୁ କମାଲ୍ କରିଦେଲୁ ବାଲତାସାର୍। ହୋସେ ମୋନତିଏଲ୍ ପାଖରୁ ତୁ ହେଉଛୁ ପ୍ରଥମ ଯିଏ ଏତିକି ଧନ କମେଇ କରିପାରିଛି । ଆମର ଏବେ ଫୁର୍ତ୍ତି କରିବାର ବେଳ।
ସେମାନେ ପ୍ରଥମେ ବାଲତାସାର୍ ପାଇଁ ଆଣିଥିଲେ ଗୋଟିଏ ବୋତଲ ବିଅର୍। ଆଉ ସେମାନଙ୍କର ସୌଜନ୍ୟରେ ଅଭିଭୂତ ହୋଇ ବାଲତାସାର୍ ସେମାନଙ୍କୁ ସେଥିରୁ ଢୋକେ ଢୋକେ ପିଇବାକୁ ଦେଇଥିଲା। ଏଇ ପ୍ରଥମ ସେ ଘରର ବାହାରେ କେଉଁଠି ମଦ ପାତ୍ର ଧରି ବସିଛି। ସଞ୍ଜ ହେବାର ଅନେକ ଆଗରୁ ବାଲତାସାର୍ ପୁରାପୁରି ମାତାଲ,ଅପ୍ରକୃତିସ୍ଥ, କଥାରେ କୌଣସି ଠିକ୍ ଠିକଣା ନାହିଁ । ଏକ ହଜାର ପଞ୍ଜୁରୀ ତିଆରି କରିବାର ଯୋଜନା ତାହାର ମଥାରେ ଅଛି,ଯାହାର ପ୍ରତ୍ୟେକଟିର ମୂଲ୍ୟ ରହିବ ଷାଠିଏ ପେଶୋ। ତାହାପରେ ଦଶଲକ୍ଷ ପଞ୍ଜୁରୀ ,ତାହାର ହାତକୁ ଆସିବ ଛଅ କୋଟି ପେସୋ। ମାତାଲ ଅବସ୍ଥାରେ ସେ କହି ଚାଲୁଥାଏ,ଧନୀମାନେ ପୁରାପୁରି ସାବାଡ ହୋଇଯିବାର ଆଗ ପର୍ଯ୍ୟନ୍ତ ତାହାକୁ ଏମିତି ଅନେକ ପଦାର୍ଥ ବିକ୍ରୀ କରିବାକୁ ପଡିବ ସେମାନଙ୍କୁ। ନାନା ପ୍ରକାରର ପଦାର୍ଥ ତିଆରି କରିବାକୁ ପଡିବ। ଯେତେ ସବୁ ବଡଲୋକ ଅଛନ୍ତି ସେମାନେ ନାନାପ୍ରକାରର ଅସୁଖ ଭୋଗୁଛନ୍ତି । ସଭିଏଁ ମରଣ ମୁହଁରେ ବସିଛନ୍ତି। ଏମାନେ ସମସ୍ତେ ଏତିକି ପଚିସଢି ଗଲେଣି ଯେ ସେମାନଙ୍କର ପାଖରେ ଆଉ ଅଧିକ ରାଗିପାରିବା ଭଳି କ୍ଷମତା ନାହିଁ । ପକ୍କା ଦୁଇଘଣ୍ଟା ଧରି ବାଲତାସାର୍ ଏମିତି ଗୋଟିଏ ସ୍ୱୟଂକ୍ରୀୟ ଟେପରେକର୍ଡର ଭଳି ନିରବଚ୍ଛିନ୍ନ ବକି ଚାଲିଥାଏ।ସମସ୍ତେ ତାହାର ମଙ୍ଗଳ କାମନା କରିଥିଲେ। ତାହାର ସୌଭାଗ୍ୟ ଏବଂ ଧନୀକମାନଙ୍କର ମୃତ୍ୟୁ କାମନା କରି ଜଣକ ପରେ ଜଣେ ସଭିଏଁ ଖାଇବା ସମୟ ହୋଇଯିବାରୁ ରାତ୍ରଭୋଜନ ପାଇଁ ଚାଲିଯାଥିଲେ। ଏତେ ବଡ ହଲ ଘରଟିରେ ରହିଥିଲା କେବଳମାତ୍ର ଏକେଲା ବାଲତାସାର୍।
ରାତି ଆଠଟା ଯାଏଁ ଉର୍ସୁଲା ସ୍ୱାମୀର ଅପେକ୍ଷାରେ ବସିଥିଲା। କଂଚା ପିଆଜ ଆଉ ଭଜା ମାଂସ ରେ ତିଆରି ହୋଇଛି ଆଜିର ନୈଶଭୋଜ। ଉର୍ସୁଲା କୁ କିଏ ଜଣେ ଆସି ଖବର ଦେଲା ଯେ ବାଲତାସାର୍ ବିଲିଆର୍ଡ ହଲ୍ ରେ ବସି ଫୁର୍ତ୍ତି କରୁଛି,ବନ୍ଧୁବାନ୍ଧବଙ୍କୁ ମଦ ପିଇବାକୁ ଦେଉଛି। କଥାଟା ଉର୍ସୁଲାର ବିଶ୍ୱାସ ହୋଇନି। କାରଣ,ବାଲତାସାର୍ କୁ ସେ କଦାପି ମାତାଲ୍ ହେବାକୁ ଦେଇନି। ପ୍ରାୟ ଅଧରାତି ବେଳକୁ ଉର୍ସୁଲା ଯେତେବେଳେ ଶୋଇବାକୁ ଯାଏ,ସେତେବେଳେ ବି ଫାଙ୍କା ବିଶାଳ ହଲଘରଟିରେ ଏକା ଏକା ବସିଥିଲା ବାଲତାସାର୍। ଛୋଟଛୋଟ ଟେବୁଲଗୁଡିକ ସହିତ ଚାରୋଟି ଲେଖାଏ ଚେୟାର୍ ରେ ପୂରା ହଲଘରଟିକୁ ସଜ୍ଜା ଯାଇଛି । ଗୋଟିଏ ପଟରେ ରହିଛି ନାଚ ପାଇଁ ଖୋଲା ମଞ୍ଚ। ମଞ୍ଚରେ ଏଇଲେ ଘୁରଘୁର୍ କରୁଛନ୍ତି କିଛି ଦଳଛଡା ରାତିଜଗା ପକ୍ଷୀ।ବାଲତାସାର୍ ର ମୁହଁରେ ଲାଗି ରହିଛି ଉଗ୍ର ନାରୀର ପ୍ରସାଧନୀର ଛାପ ମାନ । ବିଚାରା ବାଲତାସାର୍ ପକ୍ଷରେ ଏଇଲେ ଗୋଟିଏ ପାଦ ଚାଲି କି ଯିବା ସମ୍ଭବ ନୁହଁ ତେଣୁ ଶେଜରେ ଦିପଟେ ଦୁଇଟି ମାଈକିନାକୁ ଧରି ଶୋଇବାର ମଉଜକୁ ସେ ଛାଡିବ କାହିଁକି ! ଖର୍ଚ୍ଚ ର ମାତ୍ରା ଅଧିକ ହୋଇଯିବାରୁ ବାଲତାସାର୍ କୁ ତାହାର ହାତଘଡିଟିକୁ ବନ୍ଧକ ରଖିବାକୁ ହୁଏ। ବାକୀ ପରିଶୋଧ ଦେବାପରେ ଯାଇ ଘଡିଟି ଛାଡ ମିଳିବ। ଏହାର କିଛି ସମୟ ପରେ ବାଲତାସାର୍ ରାସ୍ତା ରେ ପଡି ଗଡାଗଡି ଖାଉଥାଏ । ତାହାର ମନେହେଉଥାଏ କିଏ ଯେମିତି ତାହାର ଜୋତା ହଳକୁ ପାଦରୁ ଖୋଲି ନେଇଯାଉଛି ,ମାତ୍ର ସେଇ ଅବସ୍ଥାରେ ବାଲତାସାର୍ ତାହାର ଜୀବନର ସେହି ସବୁଠାରୁ ମଧୁର ସ୍ୱପ୍ନକୁ ହଜାଇ ବସିବାକୁ ଚାହିଁ ନଥିଲା। ଭୋର୍ ପାଞ୍ଚଟା ନଗଦ ସମୂହ ପ୍ରାର୍ଥନାକୁ ଯିବା ସମୟରେ ସ୍ତ୍ରୀଲୋକମାନେ ତାହା ଆଡକୁ ଚାହିଁବାକୁ ସାହସ କରୁନଥିଲେ, ସେମାନଙ୍କର ଧାରଣା ଏଇ ଲୋକଟା ଆଉ ନାହିଁ,କେବେଠୁ ମରିଯାଇଛି।
°°°°°
Gabriel José de la Concordia García Márquez (6 March 1927 – 17 April 2014)
(ଗାବ୍ରିଏଲ୍ ଗାର୍ସିଆ ମାରକ୍ୱେଜ୍ (୧୯୨୭–୨୦୧୪) ବିଶ୍ୱର କଥା ସାହିତ୍ୟର ସବୁଠାରୁ ପ୍ରଭାବଶାଳୀ କଥାନାୟକ। “ବାଲତାସାର୍ ର ବିଚିତ୍ର ଦ୍ୱିପ୍ରହର” ତାଙ୍କର ଅନ୍ୟତମ ଶ୍ରେଷ୍ଠ କାହାଣୀ ।ଏହା ବିଶ୍ୱର ଅନେକ କ୍ଷୁଦ୍ରଗଳ୍ପ ସଂକଳନରେ ସ୍ଥାନୀତ ହେବା ସହିତ କ୍ଷୁଦ୍ରଗଳ୍ପର ସ୍ୱରୂପ,ସଂବେଦନା ଏବଂ ସ୍ଥାପତ୍ୟର ଏକାଡେମିକ ଅଧ୍ୟୟନ କ୍ଷେତ୍ରରେ ଏହି ଗଳ୍ପଟିର ବିଶେଷ ଭାବରେ ଉପଯୋଗ କରାଯାଇଥାଏ ।ଏଇ ଗଳ୍ପଟିରେ ଗୋଟିଏ ପଞ୍ଜୁରୀ ନିର୍ମାଣର କଥା ରହିଛି। ଆମର ପଞ୍ଜୁରୀରେ ଆମେ କେମିତି ପ୍ରବେଶ କରୁ ତାହାର ଚିତ୍ରନାଟ୍ୟଟି ଏଥିରୁ ଆମର ଦେଖିବାର ଅଛି। ଅଧିକ କିଛି କହିବାର ନାହିଁ । ସେହି ଅଧିକପଣଟି ଆପଣମାନେ ନିଜେ ନିର୍ଣ୍ଣୟ କରିପାରିବେ। ସୁନ୍ଦର ପଞ୍ଜୁରୀଟିର ନିର୍ମାଣ ସରିଚି। ଏଥି ସହିତ ଯେଉଁ କେତୋଟି ପ୍ରମୁଖ ଚରିତ୍ର ଏହି କାହାଣୀରେ ସଂପୃକ୍ତ ହୋଇଛନ୍ତି,ଦୟାକରି ଆପଣମାନେ ସେଇ ଚରିତ୍ରମାନଙ୍କ ର ଆଖିରେ ସେଇ ପଞ୍ଜୁରୀକୁ ଦେଖିବାକୁ ଚେଷ୍ଟା କରନ୍ତୁ। ଏଇ ଭଳି କିଛି “ରୋଲ୍ ପ୍ଲେ” ରେ ଆପଣଙ୍କୁ ଏଇ କାହାଣୀର ବିଶାଳ ପରିଦୃଶ୍ୟ ହୁଏତ ଦେଖିବାକୁ ମିଳିଯାଇପାରେ ।)