ମୂଳଲେଖା: କ୍ଲାରିସ୍ ଲିସପେକ୍ଟର || ଅନୁବାଦ: ଜ୍ୟୋତିନନ୍ଦ
ଆଫ୍ରିକାର ବିଷୁବମଣ୍ଡଳୀୟ ଅରଣ୍ୟର ଗଭୀରରେ ଫରାସୀ ଆବିଷ୍କାରକ ମାର୍ସାଲ୍ ପ୍ରିତର,ଜଣେ ଶିକାରୀ ଆଉ ଏଇ ପୃଥିବୀର ଜଣେ ମଣିଷ ,ହଠାତ ଗୋଟିଏ ଆଦିମ ଅଧିବାସୀଙ୍କ ସଂପର୍କରେ ଆସିଥିଲେ ଯେଉଁମାନେ କ୍ଷୁଦ୍ରକାୟ ପିଗମି। ସେଇଠି ସେ ଅଧିକ ଆଶ୍ଚର୍ଯ୍ୟ ହୋଇଯାଇଥିଲେ ଯେତେବେଳେ ତାହାକୁ କୁହାଯାଇଥାଇଥିଲା ଯେ ଅରଣ୍ୟ ଭିତରେ ଟିକିଏ ଦୂରରେ ଆକାରରେ ଆହୁରି ଅଧିକ ଛୋଟ ପିଗମି ମାନେ ରହିଛନ୍ତି । ତେଣୁ ସେ ଏହି ବିଷୟରେ ଆହୁରି ଅଧିକ ଆକୃଷ୍ଟ ହୋଇପଡିଥିଲେ।
କଙ୍ଗୋର ପୂର୍ବପଟେ,କିଭୁ ବୋଲି ହ୍ରଦର ନିକଟରେ,ସେ ପୃଥିବୀର ସବୁଠାରୁ କ୍ଷୁଦ୍ରାକାର ନାରୀକୁ ଠାବ କରିପାରିଥିଲେ। ଆଉ,ପେଡିର ଭିତରେ ପେଡି ଆଉ ତାହା ଭିତରେ ଆଉ ଗୋଟିଏ ପେଡି ସେଇ ଭଳି ,ବିଶ୍ୱସ୍ତ ,ହୁଏତ, ପ୍ରକୃତି ନିଜର ଆବଶ୍ୟକତା ଅନୁସାରେ ବେଳେବେଳେ ନିଜକୁ ଅତିକ୍ରମ କରିଥାଏ-ପୃଥିବୀର ସବୁଠାରୁ କ୍ଷୁଦ୍ରାକାର ସେଇ ପିଗମି ମାନଙ୍କ ଭିତରେ ବି ଆହୁରି ଅଧିକ କ୍ଷୁଦ୍ର ପିଗମି ଅଛନ୍ତି ଆଉ ଏଇମିତି ସବୁଠାରୁ ଅଧିକ ଅର୍ଥାତ୍ କ୍ଷୁଦ୍ରତମ ପିଗମି ରହିଛନ୍ତି ।
ମଶା ଆଉ ଗଛମାନେ ଯାହା ଆର୍ଦ୍ରତାର କାରଣରୁ ଟିକିଏ ଗରମ,ସେମାନଙ୍କ ଭିତରେ,ଅଳସୁଆ ସବୁଜିମା ର ପ୍ରଚୁର ପତ୍ରର ଗହଳୀ ମଧ୍ୟରେ ,ମାର୍ଶାଲ୍ ପ୍ରିତର ସାମ୍ନାସାମ୍ନି ହୋଇଗଲା ସେଇ ମହିଳାଟିର ସହ,ଯିଏ ଥିଲା ଉଚ୍ଚତାରେ ଅଠର ଇଂଚ୍,ଦେଖିବାକୁ ପୂର୍ଣ୍ଣ ବିକଶିତ ଆଉ ନୀରବ। “ଗୋଟିଏ ମାଙ୍କଡ ଭଳି କଳା” ଗଣମାଧ୍ୟମକୁ ସେ ପରେ ଏଇପରି ବିବରଣୀ ଦେବେ ଆଉ ତାହା ସହିତ ଯୋଡିଦେବେ ଯେ, ଗଛ ଉପରେ ଘରବାନ୍ଧି ସେ ରହୁଥିଲା ଆଉ ସାଥିରେ ଥିଲା ତାହାର କ୍ଷୁଦ୍ରକାୟ ଆଉ ଜଣେ ଦୋସର। ଏହି ଗ୍ରୀଷ୍ମମଣ୍ଡଳୀୟ ଅରଣ୍ୟରେ ଯେଉଁଠି ଫଳ ମାନେ ଖୁବ୍ ଶିଘ୍ର ବଢିଯାଆନ୍ତି ଆଉ ଅଭାବିତ ଭାବରେ ପାଚିଯାଇ ମିଠା ହୋଇଯାଆନ୍ତି,ସେ ଗର୍ଭବତୀ ଥିଲା।
ସେଇଠି ଛିଡା ହୋଇଥିଲା ସେ, ସେତେବେଳେ,ପୃଥିବୀର ସବୁଠାରୁ କ୍ଷୁଦ୍ରକାୟ ମହିଳା । ଘଡିକରେ,ଏଇ ଅସହ୍ୟ ଉତ୍ତାପ ଭିତରେ ,ଏହା ଏହିପରି ଲାଗିଲା ଯେ ଉକ୍ତ ଫରାସୀଜଣକ ହଠାତ୍ ଏଇ ଭଳି ଗୋଟିଏ କହିବାକୁ ଗଲେ ଶେଷର ଉପସଂହାରରେ ପହଞ୍ଚି ଯାଇଛି। ବିନା ଦ୍ୱିଧାରେ ତାହା ଏଇ ଭଳି, ସେ ଯେହେତୁ ପାଗଳ ନୁହଁ, ତାହାର ଆତ୍ମା ଆଉ ଚେତନା ଅନୁପସ୍ଥିତ ନାହିଁ ଯେ ଯାହା ତାହାକୁ ଦିଶାହରା କରିଦେବ। ବର୍ତ୍ତମାନ ର ଆବଶ୍ୟକତା ରହିଛି ଗୋଟିଏ ବ୍ୟବସ୍ଥାପନାର,ଏଇ କଥାକୁ ହେତୁ କରିବା ମାତ୍ରକେ ଯାହା ଉପସ୍ଥିତ ହୋଇଛି ତାହାର ଗୋଟିଏ ନାମକରଣ କରିବା ର ଦରକାର ପଡିବାରୁ ସେ ତାହାକୁ ଟିକିଫୁଲ ବୋଲି କହିଥିଲା। ତାହାର ସଂଜ୍ଞାନରେ ଯାହା ଯାହା ଅଛି ତାହା ର ଭିତରେ ଏହାକୁ ସାମିଲ କରିବା ପାଇଁ ସେ ତାହା ବିଷୟରେ ଆନୁସଙ୍ଗିକ ତଥ୍ୟମାନ ସଂଗ୍ରହ କରିବାରେ ଲାଗିଗଲା।
ତାହାର ଗୋଷ୍ଠୀ କ୍ରମଶଃ ଅବଲୁପ୍ତ ହେବାରେ ବସିଛି। ଏହି ପ୍ରଜାତିର ଆଉ ଅଳ୍ପ କିଛି ନମୁନା ପୃଥିବୀରେ ଉଦାହାରଣ ଆକାରରେ ରହିଛନ୍ତି,ଆଫ୍ରିକା ଉପରେ ଯଦି ସୁଚତୁର ବିପଦ ନଥାନ୍ତା ,ଏମାନେ ଏକ ପ୍ରକାର ବିସ୍ଥାପିତ ପ୍ରଜାତି ପାଲଟିଯାଇ ନଥାନ୍ତେ। ରୋଗବୈରାଗ୍ୟ ବ୍ୟତୀତ ,ଜଳଜନୀତ ସଂକ୍ରମଣ,ଖାଦ୍ୟାଭାବ, ଜନ୍ତୁମାନଙ୍କର ମୁକ୍ତ ବିଚରଣ ଆଦିକୁ ବାଦଦେଲେ ସିମୀତ ଲିକୋଉଆଲା ଙ୍କ ସାମ୍ନାରେ ବଡ ଆପଦ ଥିଲା ବର୍ବର ବାଣ୍ଟୁଙ୍କ ଆକ୍ରମଣ,ଏହି ବିପଦ ନୀରବ ପବନରେ ହେଉ କି ସକାଳର ଯୁଦ୍ଧରେ ହେଉ ଚାରିପଟକୁ ଘେରି ରହିଥିଲା। ବାଣ୍ଟୁ ମାନେ ସେମାନଙ୍କୁ ଫାଶ ପକାଇ ଧରୁଥିଲେ,ଠିକ୍ ଯେମିତି ସେମାନେ ମାଙ୍କଡମାନଙ୍କୁ ଧରନ୍ତି ଆଉ ଖାଇଥାନ୍ତି। ସେମାନେ ଫାଶ ପକାଇ ଏମାନଙ୍କୁ ବି ଶିକାର କରୁଥିଲେ ଆଉ ଖାଉଥିଲେ। ଏଇ କ୍ଷୁଦ୍ରକାୟ ମଣିଷ ଗୋଷ୍ଠୀଟି ତେଣୁ ସବୁବେଳେ ପଳାୟନ କରୁଥିଲେ,ଦୂରରୁ ଦୂରକୁ ଘୁଞ୍ଚି ଯାଉଥିଲେ,ଏଇ ଭଳି ବିଚଳନ ଯୋଗୁ ଶେଷରେ ସେମାନେ ଯାଇ ଆଫ୍ରିକାର କେନ୍ଦ୍ରସ୍ଥଳରେ ଆଶ୍ରାନେଇଥିଲେ,ଆଉ କହିବା କଥା ହେଉଛି ସେଇଠି ଏଇ ଭାଗ୍ୟବାନ ଆବିଷ୍କାରକ ଜଣକ ସେମାନଙ୍କୁ ଭେଟିବାର ସୌଭାଗ୍ୟପ୍ରାପ୍ତ ହୋଇଥିଲା।ନିଜକୁ ସୁରକ୍ଷିତ କରି ରଖିବା ଉଦ୍ଦେଶ୍ୟରେ ଏକ ସୁଚତୁର କୌଶଳ ରୂପରେ ସେମାନେ ସବୁଠାରୁ ଉଚ୍ଚା ଗଛର ଉପରେ ବସାବାନ୍ଧି ରହୁଥିଲେ।ସେଇଠୁ ସେମାନେ ଓହ୍ଲାଇ ଆସନ୍ତି, ନାରୀ ଜଣକ ଆସେ ମକା ଆଦିକୁ ସିଝାଇବା ଭଳି ରୋଷେଇ କରିବା ପାଇଁ,ଖମ୍ବ ଆଳୁକୁ କୁଟିବା ପାଇଁ ଆଉ ଫଳମୂଳ ଆଦିକୁ ସଂଗ୍ରହ କରିବା ପାଇଁ ;ନର ଜଣକ ଶିକାର କରିବା ପାଇଁ ତଳକୁ ଆସେ। ପିଲାଟି ଯେତେବେଳେ ଜନ୍ମ ନିଏ,ତାହାକୁ ତାହାର ସ୍ୱାଧିନତା ତତକ୍ଷଣାତ୍ ମିଳିଯାଇଥାଏ। ଏକଥା ସତ ଯେ ପଶୁଜନ୍ତୁଙ୍କ କ୍ଷେତ୍ରରେ ପିଲାମାନେ ବେଶି ସମୟ ସ୍ୱାଧିନତା ପାଆନ୍ତି ନାହି। ମାତ୍ର ଏହାପରେ ତାହା ବି ସତ୍ୟ ଯେ,ସେମାନେ କେହି ସେଇ ଛୋଟିଆ ଜୀବନକୁ ନେଇ କଦାପି ଖେଦ ପ୍ରକାଶ କରନ୍ତି ନାହିଁ,ଯଦିଓ ସେମାନଙ୍କ ପାଇଁ ସଂଗ୍ରାମ ଟି ଦୀର୍ଘ ରହିଥାଏ।ଏପରିକି ପିଲାଟିକୁ ଯେଉଁ ଭାଷା ଶିଖିବାକୁ ପଡିଥାଏ ତାହା ସଂକ୍ଷିପ୍ତ ଏବଂ ସରଳ ,କିନ୍ତୁ ଏହା ଅତ୍ୟନ୍ତ ଆବଶ୍ୟକ । ଲିକୋଉଓଲା ମାନେ ବହୁତ କମ୍ ଡାକିବା ଭଳି ନାଆଁ ର ବ୍ୟବହାର କରିଥାଆନ୍ତି ,ପ୍ରତି ପଦାର୍ଥକୁ କୌଣସି ଠାଣି ବା କୌଣସି ପଶୁଜନ୍ତୁର ଶବ୍ଦ ଆକାରରେ ଇଂଗିତ କରିଥାନ୍ତି। ଧାର୍ମିକ ରହସ୍ୟବାଦର ଉତ୍ତରଣ ନିମନ୍ତେ ସେମାନେ ଢୋଲ୍ ଭଳି ବାଦ୍ୟଯନ୍ତ୍ରରେ ବ୍ୟବହାର କରିଥାଆନ୍ତି। ଯେତେବେଳେ ସେମାନେ ଢୋଲର ତାଳେତାଳେ ନାଚିଥାନ୍ତି ,ଗୋଟିଏ କ୍ଷୁଦ୍ରକାୟ ପୁରୁଷ ସେମାନଙ୍କୁ ବାଣ୍ଟୁ ମାନଙ୍କ କବଳରୁ ରକ୍ଷା କରିବାପାଇଁ ପହରା ଦେଉଥାଏ,ବାଣ୍ଟୁମାନେ କେତେବେଳେ କୁଆଡୁ ଆସିଥାନ୍ତି ତାହା କେହି ଜାଣନ୍ତି ନାହିଁ।
ସେଇଥିପାଇଁ ,ସେଇ କଥା,ଆବିଷ୍କାରକ ଢଣକ ପୃଥିବୀର ସବୁଠାରୁ କ୍ଷୁଦ୍ରକାୟ ମଣିଷଟିକୁ ସେଇଠି ଛିଡାହୋଇ ଥିବାର ଦେଖିପାରିଥିଲା। ତାହାର ହୃତସ୍ପନ୍ଦନ ଅଧିକ ଦ୍ରୁତ,କୌଣସି ମଣିମାଣିକ୍ୟ ଏତେ ମୂଲ୍ୟବାନ ଆଉ ଅମିଳକ ନୁହଁ। ଭାରତର ସାଧୁସନ୍ଥ ଙ୍କ ବାଣୀ ଏତେ ଆଉ ଅମିଳକ ନୁହଁ।ସେମିତି ଅମିଳକ ନୁହଁ ପୃଥିବୀର ସବୁଠୁ ଧନୀ ବ୍ୟକ୍ତିର ଦୃଷ୍ଟି ଏଇ ଭଳି ଗୋଟିଏ ଦୃଶ୍ୟ ଉପରେ ପଡିଯିବା।ବିଶେଷରେ ସବୁଠାରୁ ସୂକ୍ଷ୍ମ ମଧୁର ସ୍ୱପ୍ନଟି ଯାହା ଜଣକୁ ଦେଖାଇପାରିବ ନାହିଁ ଠିକ୍ ସେଇଭଳି ନାରୀଟିଏ ସେଇଠି ଥିଲା, ସାମନାରେ। ସେତିକିବେଳେ ଆବିଷ୍କାରକ ଜଣକ ଲାଜଲାଜ ଗଳାରେ ଘୋଷଣା କରିଥିଲା, ଯେଉଁଭଳି ଆକର୍ଷଣର ଭାବକୁ ପ୍ରକାଶ କରିବା ପାଇଁ ସେ ଚିରକାଳ ଅସମର୍ଥ ବୋଲି ତାହାର ପତ୍ନୀର ଅଭିଯୋଗ:
“ତୁ ଗୋଟିଏ ଟିକିଫୁଲ ।”
ସେହି ମୁହୂର୍ତ୍ତରେ ଟିକିଫୁଲ ନିଜକୁ ରାମ୍ପୁଡିଦେଲା ଏମିତି ଜାଗାରେ ଯେଉଁଠି କେବେ କେହି ରାମ୍ପୁଡିବ ନାହିଁ । ଆବିଷ୍କାରକ -ଠିକ୍ ଯେମିତି ଜଣେ ଆଦର୍ଶବାଦୀ ଆଉ ଆଗାମୀର ସ୍ୱପ୍ନ ଦେଖୁଥିବା ମଣିଷ ଶୁଦ୍ଧତାର ସର୍ବଶ୍ରେଷ୍ଠ ପୁରସ୍କାର ଅର୍ଜନ କରିଅଛି – ଆବିଷ୍କାରକ,ଅଭ୍ୟସ୍ତ ଆବିଷ୍କାରକ,ନିଜର ଆଖିହଳକୁ ବୁଲାଇ ନିଏ ।
ଟିକିଫୁଲର ରଂଗୀନ ଫଟୋଗ୍ରାଫ ରବିବାର କାଗଜର ବିଶେଷ ସଂସ୍କରଣରେ ପ୍ରକାଶ ପାଏ,ଯେଉଁଠି ଯୋଗ୍ୟ ସେଇ ସ୍ପେସ୍ ରେ ତାହାର ପୂର୍ଣ୍ଣ ଅବୟବର ଛବି ସ୍ଥାନୀତ ଥିଲା। ଖଣ୍ଡିଏ କନାରେ ଘୋଡାଇ ହୋଇ ଥିଲା ସେ,ବଢିଲା ପେଟଟି ଆଗକୁ ଦିଶୁଥାଏ । ତାହାର ନାକ ଚେପଟା,ତାହାର ମୁହଁ କଳା,କୋରଡିଆ ଆଖି,ପାଦ ମେଲା ମେଲା। ସେ ଗୋଟିଏ କୁକୁର ପରି ଦିଶୁଥିଲା।
ସେଥର ରବିବାରରେ,ଗୋଟିଏ ଆପାର୍ଟମେଣ୍ଟରେ ,ଜଣେ ମହିଳା ଖୋଲା ଖବରକାଗଜରୁ ଟିକିଫୁଲର ଛବିକୁ ଦେଖି ତାହାକୁ ଆଉ ଦ୍ୱିତୀୟ ଥର ଦେଖିବାପାଇଁ ଚାହିଁନଥିଲା ,” ମୋତେ ବଡ କଷ୍ଟ ହେଉଛି” କହିଥିଲା ସେ।
ଆଉ ଗୋଟିଏ ଆପାର୍ଟମେଣ୍ଟରେ ଜଣେ ସଂଭ୍ରାନ୍ତ ମହିଳା ଆଫ୍ରିକୀୟ ମହିଳାଙ୍କ କ୍ଷୁଦ୍ରରୂପକୁ ନେଇ ଏଇଭଳି ଉତ୍ସୃଙ୍ଖଳ କୋମଳତା ଅନୁଭବ କରିଥିଲା ଯେ-ପ୍ରତିଷେଧକ ସବୁବେଳେ ଉପଚାରଠାରୁ ଅଧିକ ଉପଯୋଗୀ- କେହି କେବେହେଲେ ଟିକିଫୁଲକୁ ଏକାକୀ ଅନ୍ୟ କୌଣସି ମହିଳାର ସେଇଭଳି କୋମଳତାର ସାନ୍ନିଧ୍ୟରେ ଛାଡିଦେବା ଉଚିତ ହେବନାହିଁ । ପ୍ରେମାନୁରାଗରେ ଅଂଧାରଟି କାହାକୁ କୁଆଡେ ନେଇଯିବ ତାହା ଜଣାନାହିଁ । ସେହି ସଂଭ୍ରାନ୍ତ ମହିଳା ଜଣକ ପୂରା ଦିନଟିଏ ବଡ ବିଚଳିତ ହୋଇ ରହିଥିଲେ,ଜଣେ କହିପାରେ ତାଙ୍କ ଉପରେ ସେଦିନ ସବାର ହୋଇ ରହିଥିଲା ଗୋଟିଏ ଲୋଡିବା ପଣ। ବିଶେଷରେ ସେଇଟା ଥିଲା ବସନ୍ତକାଳ ,ପବନରେ ବିପଜ୍ଜନକ ପରୋପକାରର ଗନ୍ଧ ।
ଆଉ ଗୋଟିଏ ଘରେ ପାଞ୍ଚବର୍ଷ ବୟସର ଝିଅଟିଏ ସେହି ଛବିକୁ ଦେଖି,ତାହା ଉପରେ ଯାହା ଯାହା ବଖାଣ କରାଯାଉଥିଲା ତାହାକୁ ଶୁଣି,ଶଙ୍କିତ ହୋଇ ପଡିଥିଲା । ସେହି ପ୍ରାପ୍ତବୟସ୍କଙ୍କ ଘରେ କହିବାକୁ ଗଲେ ସେଇ ପାଞ୍ଚବର୍ଷ ବୟସର ଝିଅଟି ଥିଲା ଘରର ସବୁଠାରୁ ଛୋଟ ମାନବ ପ୍ରଜାତି। ଏବଂ ତାହା ଯଦି ଶ୍ରେଷ୍ଠ ଆଲିଙ୍ଗନର ଉତ୍ସମୂଳ ହୋଇଥାଏ,ତେବେ ତାହା ବି ପ୍ରେମର ଦୌରାତ୍ମ୍ୟର ପହିଲି ସଂତ୍ରାସର ପହିଲି ଫୁଆରା। ଟିକିଫୁଲର ଉପସ୍ଥିତି ଝିଅଟି ଭିତରେ ଏପରି ଗୋଟିଏ ଅନୁଭବ ତିଆରି କରୁଥାଏ – ଅସ୍ପଷ୍ଟ ଭାବରେ ବର୍ଷ ପରେ ବର୍ଷ ବିତି ଯାଆନ୍ତେ ଏମିତି ଗୋଟିଏ ଧାରଣା ଦୃଢିଭୂତ ହେବ ଭିନ୍ନ କାରଣରୁ- ତାହାର ଅନୁଭବକୁ ଆସିବ,ଜ୍ଞାନର ପହିଲି ଝଲକ,ତାହା ଏହିପରି,”ଦୁର୍ଭାଗ୍ୟର କୌଣସି ସୀମା ନାହିଁ ।”
ଆଉ ଗୋଟିଏ ଘରେ ବସନ୍ତ ର ଉତ୍ସବ ପାଳିବା ସମୟରେ ବିବାହ ପାଇଁ ପ୍ରସ୍ତୁତ ହେଉଥିବା ଭାବି ବଧୂ ସଂବେଦନାର ଉତ୍ତେଜନାକୁ ଅନୁଭବ କରୁଥିଲା :
“ମାଆ ଲୋ,ତାହାର ଫଟୋଟିକୁ ଦେଖ,କେମିତିକା ଛୋଟଟିଏ ସେ ! ଟିକିଏ ଦେଖ୍,ସେ କେତେ ଦୁଃଖୀ!”
“ହେଲେ” ମାଆ କହିଲା, ଦୃଢ ଆଉ ପରାଜିତ ଆଉ ଗର୍ବର ସହ ,” ହେଲେ ଏଇଟି ଗୋଟିଏ ପଶୁଜନ୍ତୁର ବେଦନା,ମଣିଷର ବେଦନା ନୁହଁ ।”
“ଆହା !” ଝିଅଟି କହିଲା। ତାହାକୁ ଯେମିତି କିଛି ସମର୍ଥନ ନାହିଁ ।
ଆଉ ଗୋଟିଏ ଅଲଗା ଘରେ ଗୋଟିଏ ଚତୁର ବାଳକ ପାଖରେ ଗୋଟିଏ ଚତୁର ଚିନ୍ତା ରହିଥିଲା:
“ମାଆ,ମୁଁ ଯଦି ସେହି କ୍ଷୁଦ୍ର ଆଫ୍ରିକୀୟ ନାରୀକୁ ପାଉଲିନୋ ର ଶେଜ ରେ ସେ ଯେତେବେଳେ ଶୋଇଥିବ ସେତେବେଳେ ଛାଡିଦେବି ତାହାହେଲେ ହବ କ’ଣ ?ସେ ନିଦର ଉଠିଲେ ତାହାକୁ ଦେଖି ଗୋଟାଏ ବଡ ଚିତ୍କାର କରିବ ,ନୁହଁ ! ସେ ଚିତ୍କାର କରିବ ଯେତେବେଳେ ଦେଖିବ ତାହାର ଶେଜରେ ସେ ବସିଛି ! ଆଉ ସେତେବେଳେ ଆମେ ତାହା ସହିତ ଖୁବ୍ ମଜା କରିପାରିବା ! ଆମେ ତା’କୁ ଆମର ଖେଳନା କରିଦେବା ,ଠିକ୍ ତ !”
ଚତୁରର ମାଆ ସେତେବେଳେ ତାହାର ମୁହଁର ଉପରକୁ ଉହୁଙ୍କି ଆସୁଥିବା ମେଞ୍ଚାଏ ଅଲରା କେଶକୁ ଗାଧୁଆଘରର ଦର୍ପଣ ସାମ୍ନାରେ ଛିଡାହୋଇ କୁଞ୍ଚୁକୁଞ୍ଚିଆ କରୁଥିଲା ଆଉ ସେ ମନେପକାଉଥିଲା ଏମିତି କିଛି କଥା ଯାହା ରୋଷେଇଆ ତାହାକୁ କହିଥିଲା, ତାହାର ଅନାଥାଶ୍ରମରେ ରହି ଥିବା ସମୟର କଥା। ଖେଳିବା ପାଇଁ ସାଥିରେ ଖେଳନା ନଥିଲା,ଆଉ ମାତୃତ୍ୱ ଅନାଥବାଳିକାଙ୍କ ହୃଦୟରେ ଭୟଙ୍କର ଭାବରେ ସେତେବେଳକୁ ସ୍ପନ୍ଦିତ ହେଲାଣି ,ଶଠ ଗୁପ୍ତାଚାରୀ ବାଳିକାମାନେ ଆଉ ଗୋଟିଏ ବାଳିକାର ମୃତ୍ୟୁର ଖବର ନନ୍ ଙ୍କ ନିକଟରୁ ଗୋପନ କରି ସାରିଲେଣି । ସେମାନେ ବାଳିକାର ଶବକୁ ୱାର୍ଡରୋବ୍ ଭିତରେ ରଖିଥିଲେ ନନ୍ ସେଇଠୁ ଯିବା ଯାଏଁ ,ତାହାପରେ ସେମାନେ ସେହି ମୃତ ବାଳିକା ସହ ଢେର୍ ଖେଳିଛନ୍ତି ,ତାହାକୁ ଗାଧୋଇଦେଇଛନ୍ତି,ଖାଇବାକୁ ଜଳଖିଆ ଦେଇଛନ୍ତି ,ତା’କୁ ପନିସମେଣ୍ଟ ଦେଇଛନ୍ତି ଯେମିତି କି ପରେ ତାହାକୁ ଚୁମା ଦେଇ ହେବ ,ତାହାକୁ ସାନ୍ତ୍ୱନା ଦେଇଛନ୍ତି । ଏଇ କଥାଟିକୁ ମାଆ ଗାଧୁଆଘର ଭିତରେ ମନେପକାଉଥିଲା,ତାହାର ଝୁଲନ୍ତା ହାତରେ ଥିଲା ସେତବେଳେ ଗୁଡାଏ ମୁଣ୍ଡକଣ୍ଟା । ଏବଂ ପ୍ରେମର ନିଷ୍ଠୁର ଆବଶ୍ୟକତାକୁ ବିଚାର କରୁଥିଲା ସେ। ସେ ବିବେଚନା କରୁଥିଲା ଆମର ସନ୍ତୋଷ ନିମନ୍ତେ ଆବଶ୍ୟକ ଉତ୍କଟ ବିଦ୍ୱେଷକୁ। କେଉଁଭଳି ଦୁର୍ଦ୍ଧଷଭାବରେ ଆମେ ଆମର ଖେଳ ଖେଳିଥାଉ ତାହାକୁ ବିଚାରକୁ ନେଉଥାଏ ସେ। ଏବଂ ପ୍ରେମ ନାଆଁରେ ଆମେ ଯେତେ ଯେତେ ହତ୍ୟା କରି ସାରିଛୁ,ସେ କଥା। ତାହାପରେ ସେ ତାହାର ଚତୁର ପୁତ୍ରକୁ ଚାହିଁରହିଥିଲା ସେ ଯେମିତି ଜଣେ ଭୟଙ୍କର ଅଜଣା ଲୋକକୁ ଏଇ ଦେଖୁଛି । ତାହାର ଆତ୍ମା ଥରଥର କରି ଭୟରେ କଂପିବାକୁ ଲାଗିଲା , ଶରୀର ତୁଳନାରେ ଯଥେଷ୍ଟ ଅଧିକ,ଯେମିତି ତାହା ଜୀବନ ପାଇଁ ସନ୍ତୋଷ ପାଇଁ ଆଉ ନିଜକୁ ସୁରକ୍ଷିତ କରି ରଖି ପାରିନାହିଁ। ଠିକ୍ ସେହିପରି ସେ ଦେଖୁଥିଲା ,ସମସ୍ତ ସତର୍କତାର ସହ ଆଉ ଏକ ଅସହଜ ଗର୍ବ ସହ,ପିଲାଟିର ସାମନାର ଛାମୁଦାନ୍ତ ଦୁଇଟି ଆଉ ନାହିଁ,ବିବର୍ତ୍ତନ,କର୍ମର ବିବର୍ତ୍ତନ, ଚୋବାଇବା ପାଇଁ ଅଧିକ ସୁଯୋଗ ପ୍ରଦାନ କରିବାର ଲକ୍ଷ୍ୟରେ ଗୋଟିଏ ଦାନ୍ତ ଖସିପଡେ।”ମୁଁ ତା’ପାଇଁ ଗୋଟିଏ ନୂଆ ସୁଟ୍ କିଣିବାକୁ ଯିବି ” ତାହା ଆଡକୁ ଗଭୀର ଭାବରେ ଦୃଷ୍ଟିପାତ କରୁଥିବା ବେଳେ ସେ ସ୍ଥିର କରିଥିଲା। ନିଧାର୍ଯ୍ୟ ଭାବରେ ସେ ତାହାର ସାମ୍ନାର ଫାଙ୍କା ଦାନ୍ତ ର ପୁଅକୁ ସୁନ୍ଦର ପୋଷାକ ପିନ୍ଧିଥିବାର ଦେଖିବାକୁ ଚାହେଁ,ନିଧାର୍ଯ୍ୟ ଭାବରେ ସେ ସବୁବେଳେ ଧୋବ ଫରଫର ସଫାସୁତୁରା ରହିଥାଉ ସେକଥା ଚାହେଁ, ଯେପରିକି ସଫା ରହିବା ସବୁବେଳେ ପ୍ରଶାନ୍ତ ବାହ୍ୟରୂପତା ପ୍ରଦାନକାରୀ,ନିଧାର୍ଯ୍ୟ ଭାବରେ ତାହା ସୁନ୍ଦରତାର ସଂଭ୍ରମ ପକ୍ଷ । ନିଧାର୍ଯ୍ୟ ଭାବରେ ସେ ନିଜକୁ ଦୂର କରୁଥିଲା ,ପୁଅଠୁ ଦୂର କରୁଥିଲା, ଏପରି କିଛି ଠାରୁ ଯାହା ହେବ”ମାଙ୍କଡ ପରି ଅନ୍ଧାର”।ତାହାପରେ ଗାଧୁଆଘରର ଦର୍ପଣକୁ ଦେଖିବାବେଳେ,ମାଆ ଗୋଟିଏ ବାଧ୍ୟ ପରିଛନ୍ନ ଆଉ ଭଦ୍ର ହସଟିଏ ଉକୁଟାଇ ଥିଲା,ସେଇ ହସଟି ତାହାର ଓଠର ଅମୂର୍ତ୍ତ ରେଖାରେ ଆଉ ଘାସଫୁଲର ଅସଭ୍ୟ ମୁହଁର ଠିକ୍ ମଝିରେ ଝୁଲୁଥିଲା,ଶତାବ୍ଦୀର ଅନତିକ୍ରମ୍ୟ ଦୂରତ୍ୱରେ। ହେଲେ ବର୍ଷ ବର୍ଷର ଅଭ୍ୟାସ ଫଳରେ ,ସେ ଜାଣିଯାଇଛି ଯେ ଏଇଟି ହେଉଛି ଗୋଟିଏ ଅନ୍ୟତମ ରବିବାର ଯେଉଁଦିନ ତାହାକୁ ନିଜଠାରୁ ଗୋପନ କରି ରଖିବାକୁ ହେବ ସମସ୍ତ ଉଦବେଗ,ସମସ୍ତ ସ୍ୱପ୍ନ ଏବଂ ହଜିଯାଇଥିବା ସମସ୍ତ ଶତାବ୍ଦୀ।
ଆଉ ଗୋଟିଏ ଘରେ ,କାନ୍ଥ ର କଡରେ ,ସେମାନେ ସମସ୍ତେ ଅତ୍ୟନ୍ତ ଉତ୍ସାହର ସହ ଗୋଟିଏ ରୁଲର୍ ରେ ଘାସଫୁଲର ଅଠର ଇଞ୍ଚର ଉଚ୍ଚତାକୁ ମାପି ବସୁଥିଲେ । ଆଉ ସେଇଠି ଆନନ୍ଦରେ ଗଦଗଦ ହେଉଥିବା ବେଳେ ସେମାନଙ୍କୁ ଗୋଟିଏ ଆଘାତ ଲାଗିଥିଲା : ସବୁଠୁ ନିବିଡ ଯେଉଁ କଳ୍ପନା କରାଯାଇପାରିବ ତାହାର ସମସ୍ତ ତୁଳନାଠାରୁ ବି ସେ ଅଧିକ ଛୋଟ । ନିଜ ପାଇଁ ,ଯାହା ଖାଦ୍ୟ ନୁହଁ ,ଯାହାକୁ ସବୁବେଳେ ମୁକ୍ତହସ୍ତରେ କାହାକୁ ଅଯାଚିତ ଭାବରେ ଦାନ କରାଯାଇ ପାରିବ ସେମିତିକା ଗୋଟିଏ କ୍ଷୁଦ୍ର ଅଥଚ ସ୍ୱାଧୀନ ପଦାର୍ଥକୁ ନେଇ ସବୁ ପରିବାରର ସଦସ୍ୟମାନଙ୍କର ଛାତିର ଭିତରେ ଉଦବେଗ, ଭାବପ୍ରବଣତା ଆଉ କାମନା । ପରିବାରର ସଭିଏଁ ଏହା ପ୍ରତି ଆତ୍ମୀୟ ହୋଇ ପଡିଥିଲେ। ଆଉ ଏମିତିରେ କହିଲେ,ଏମିତି କିଏ ନାହିଁ ଯିଏ ନିଜପାଇଁ ଗୋଟିଏ ମଣିଷ ପୋଷିବାକୁ ନଚାହିଁବ ?ଯାହା ସତ କହିବାକୁ ଗଲେ,ସବୁବେଳେ ସୁବିଧାଜନକ ହେବନାହିଁ ,ବିଶେଷରେ ତମେ ଯେତେବେଳେ ଏମିତିକା ଅନୁଭବ ଚାହୁଁନଥିବ :
“ମୁଁ ବାଜି ମାରିପାରେ,ସେ ଯଦି ଏଇଠି ରହେ ତାହାହେଲେ ନିଶ୍ଚୟ ଯୁଦ୍ଧ ହେବ ।” ଆରାମଚେୟାରରେ ବସିଥିବା ବାପା ଜଣକ ଖବରକାଗଜ ଓଲଟାଉ ଓଲଟାଉ କହେ,”ଏଇ ଘରେ ସବୁକଥା ଯୁଦ୍ଧ ଆଡକୁ ଯାଏ।”
” ତମେ ସେଇଠିକୁ ସବୁବେଳେ ଫେରିଥାଅ,ହୋସେ, ସବୁବେଳେ ନିରାଶାବାଦୀ ପେସିମିଷ୍ଟିକ” ମାଆ ଜଣକ କହିଲା।
“ମାମା,ଥରଟିଏ ଭାବ୍,ତାହାର ପିଲା ହେଲେ ସେଇ ପିଲାଟି ଆକାରରେ କେତେ ଛୋଟ ହେବ ଥରେ କହିଲୁ ” ବଡ ଝିଅ ,ବୟସ ଅଠର,ଦୃଢ ଭାବରେ କହିଲା।
ବାପା ଖବରକାଗଜର ପଛରେ ଦୋହଲୁ ଥାଏ।
“ସେ ପୃଥିବୀର ସବୁଠାରୁ କ୍ଷୁଦ୍ର କୃଷ୍ଣକାୟ ମାନବ ଶିଶୁ ହେବ ” ମାଆ ଉତ୍ତର ଦେଲା,ଆନନ୍ଦରେ ଯେମିତି ଗଦଗଦ । “ଥରେ କଳ୍ପନା କର ସେ ଏଇଠି ଆମ ଘରେ ଡିନର୍ ସର୍ଭ କରୁଛି ! ଆଉ ତାହାର ସହିତ ଅଛି ତାହାର ଏଇଭଳି ବୃହତ କ୍ଷୁଦ୍ରକାୟ ବଢିଲା ପେଟ !”
“ବହୁତ ହେଲା,ଏବେ ତମେମାନେ ଚୁପ୍ ରହିବ !” ବାପାର ଗଳାରେ ଜୋର ।
“ମାତ୍ର ତମକୁ ଏ କଥା ନିଶ୍ଚୟ ମାନିବାକୁ ପଡିବ ” ମାଆ କହିଲା ଯେମିତି ସେ ଏଇଲେ ଆହତ ହୋଇପଡିଛି,” ଯେ ଆମେ ଏଇଲେ ଗୋଟିଏ ବିରଳ ପ୍ରଜାତି ଉପରେ କଥାବାର୍ତ୍ତା କରୁଛେ। ତମେ କିନ୍ତୁ ଏଇଠି ଏକମାତ୍ର ସଂବେଦନହୀନ ମଣିଷ !”
ଆଉ ସେହି ବିରଳ ପଦାର୍ଥ ନିଜ ସଂପର୍କରେ ?
ଏହା ଭିତରେ,ଆଫ୍ରିକାରେ,ସେହି ବିରଳ ପଦାର୍ଥ ଟି ନିଜକୁ ନିଜ ହୃଦୟ ଭିତରେ ଧରି ରଖିଥାଏ।-କିଏ ଜାଣେ,ହୁଏତ ସେ ବି ଗୋଟିଏ କୃଷ୍ଣକାୟ,କାରଣ ପ୍ରକୃତି ଥରେ ଯେଉଁ ଭୁଲ କରିଛି ସେଇଥିପାଇଁ ତାହା ଆଉ ବିଶ୍ୱାସଯୋଗ୍ୟ ନୁହଁ -ଏହା ଭିତରେ ସେଇ ବିରଳ ପଦାର୍ଥ ନିଜର ହୃଦୟ ଭିତରେ ଲଂଗର ପକାଇ ରଖିଥିଲା ଆଉ ଗୋଟିଏ ଅଧିକ ବିରଳତା ତଥାପି,ଗୋପନତାଠାରୁ ଅଧିକ ଗୋପନ ଯେମିତି : ଗୋଟିଏ କ୍ଷୁଦ୍ର ଶିଶୁ। ନିଜର ଯୋଜନାମାଫିକ୍ ସେହି ଆବିଷ୍କାରକ ଜଣକ ତାହାର ଗଭୀର ଦୃଷ୍ଟି ପକାଇଥିଲା ସେହି ସଂପୂର୍ଣ୍ଣ ବିକଶିତ କ୍ଷୁଦ୍ରାୟତନ ମଣିଷ ରୂପ ର କ୍ଷୁଦ୍ର ବଢିଲା ପେଟ ର ଉପରେ । ହଠାତ୍ ସେହି ଆବିଷ୍କାରକ,ସେହି ବିରଳ ନାରୀ ସହିତ ସାକ୍ଷାତ କରିବା ପରଠାରୁ ଏଇ ପ୍ରଥମ ଥର,କୌତୁହଳୀ,ଉତ୍ସସିତ ଅଥବା ବିଜୟୀ ହେବା ଭଳି ଅନୁଭବର ପରିବର୍ତ୍ତେ ବିଷାଦ ଗ୍ରସ୍ତ ହୋଇଯାଇଛି।
କାରଣ ପୃଥିବୀର ସବୁଠାରୁ କ୍ଷୁଦ୍ରାୟତନ ମହିଳା ହସିବାରେ ଲାଗିଛି।
ସେ ହସୁଛି। ହସରେ ଉଷ୍ମତା ଅଛି। ଘାସଫୁଲ ଜୀବନର ସମସ୍ତ ଆନନ୍ଦକୁ ନେଇ ହସୁଛି। ତାହା ସଂପର୍କରେ ସବୁଠାରୁ ବିରଳ ଘଟଣା ହେଉଛି ସେହି ଅବ୍ୟକ୍ତ ଆବେଗର ପରିପ୍ରକାଶ ଯେ ଏଯାଏଁ କେହି ତାହାକୁ ଭକ୍ଷଣ କରି ଶେଷ କରିଦେଇନାହାଁନ୍ତି । ଆଉ ଅନ୍ୟ କାହାର ଖାଦ୍ୟ ପାଲଟିଯାଇନଥିବା ହେଉଛି ଏମିତି ଗୋଟିଏ କଥା,ଯାହା ଅନେକ ସମୟରେ ତାହାକୁ ଏମିତି ଏକ ଗତିଶୀଳତା ପ୍ରଦାନ ଯାହାଫଳରେ ସେ ଗୋଟିଏ ଡାଳରୁ ତେଇଁ ପାରୁଥାଏ ଆଉ ଗୋଟିଏ ଡାଳକୁ । ମାତ୍ର,ଏହି ଗଭୀର ନୀରବତାର ମୁହୂର୍ତ୍ତରେ ମଧ୍ୟବର୍ତ୍ତି କଙ୍ଗୋ ଇଲାକାର ଗହନ ପତ୍ରଗହଳୀରେ ସେ ସେହି ଆବେଗକୁ କାମରେ ଲଗାଇଥାଏ -ଆଉ ସେହି ଆବେଗଟି ତାହାର ସଂପୂର୍ଣ୍ଣ କ୍ଷୁଦ୍ରପଣକୁ ସେତେବେଳେ ତାହାର ଭିତରେ ସମାହିତ କରିଦେଇଥାଏ । ଆଉ ସେଇଥିପାଇଁ ସେ ଏମିତି ହସୁଛି । ଇଏ ହେଉଛି ଏମିତି ଏକ ହସ , ଯିଏ କଥା କହିପାରେ ନାହିଁ ସେହି ଭଳି ଜଣେ କେବଳ ହସିପାରେ । ସେହି ହସକୁ ,ଅପ୍ରତିଭ ହୋଇପଡିଥିବା ଆବିଷ୍କାରକ ଜଣକ କୌଣସି ପ୍ରକାରର ଶ୍ରେଣୀଭୂକ୍ତ କରିପାରିବାକୁ ଅକ୍ଷମ ଥିଲା। ଆଉ ନାରୀ ଜଣକ ନିଜର ମଧୁର ନିରୀହ ହସକୁ ଉପଭୋଗ କରୁଥାଏ ,ଯେ ସେ ଏ ପର୍ଯ୍ୟନ୍ତ ଆଉ କାହାର ଆହାର ହୋଇଯାଇ ନାହିଁ । ଆଉ କାହାର ଆହାର ହୋଇ ନପାରିବା ହେଉଛି ପୃଥିବୀର ସବୁଠାରୁ ନିଖୁଣ ଅନୁଭବ । ଆଉ କାହାର ଆହାର ହୋଇ ନପାରିବା ହେଉଛି ସମଗ୍ର ଜୀବନର ଏକମାତ୍ର ଗୋପନ ଅଭିଳଷିତ ଲକ୍ଷ୍ୟ । ଯେଉଁ ପର୍ଯ୍ୟନ୍ତ କେହି ତାହାକୁ ଭକ୍ଷଣ କରିନାହିଁ ତାହାର ପାଶବିକ ହସ ସୂକ୍ଷ୍ମ,ଆନନ୍ଦ ଯେଉଁଳି ଭଳି ସୂକ୍ଷ୍ମ । ଆବିଷ୍କାରକ ରାଗରେ ଫାଟିପଡିଲା।
ସେମାନଙ୍କ ଭିତରୁ ଦ୍ୱିତୀୟରେ, ଯଦି ସେ ବିରଳ ପଦାର୍ଥ ନିଜେ ହସୁଥିଲା,ତାହାହେଲେ ଏହା ଏଇଥିପାଇଁ ଯେ, ତାହାର ନିଜର କ୍ଷୁଦ୍ରତା ଭିତରୁ ,ଏକ ବିରାଟ ଅଂଧାର ବାହାରି ଗତିଶୀଳ ହେବାରେ ଲାଗିଛି।
ଏଇଥିପାଇଁ ସେହି ବିରଳ ପଦାର୍ଥ ଅନୁଭବ କରୁଛି ଯେ ତାହାର ଛାତିରେ ସେପରି କିଛି ଉଷ୍ମତା ରହିଛି ଯାହାକୁ ପ୍ରେମ ବୋଲି କୁହାଯାଇପାରିବ। ସେ ତାହାର ପୀତବର୍ଣ୍ଣର ଆବିଷ୍କାରକକୁ ଭଲ ପାଏ । ଯଦି ସେ କଥା କହିବା ଜାଣିଥାନ୍ତା ଏବଂ ତାହାକୁ ଭଲ ପାଏ ବୋଲି କହିଥାଆନ୍ତା ,ତାହାହେଲେ ଆବିଷ୍କାରକର ଅହଙ୍କାର ଆଉ ନଥାନ୍ତା। ସେହି ଅହଙ୍କାର ଆହୁରି ସଂକ୍ଷିପ୍ତ ହୋଇଯିବ ସେ ଯେତେବେଳେ ସେହି ଆବିଷ୍କାରକକୁ କହିବସିବ ଯେ,ତାହାର ମୁଦିଟିକୁ ବେଶ୍ ପସନ୍ଦ କରେ ଆଉ ତାହାର ବୁଟ୍ ଯୋତାକୁ ବି ସେମିତି ଭଲ ପାଏ । ଆଉ ଯେତେବେଳେ ଆବିଷ୍କାରକ ତାହାର ହତାଶାରେ ଭ୍ରମିତ ହେଉଥିବ,ଟିକିଫୁଲ ବୁଝିପାରିବ ନାହିଁ,ଏହା ପଛର କାରଣଟି କ’ଣ । ଯେତେ ସାମାନ୍ୟ ହେଉ ପଛକେ କେବେ ଯଦି – ଆବିଷ୍କାରକ ପ୍ରତି ତାହାର ପ୍ରେମ – ଜଣେ ହୁଏତ କହିପାରେ ଯେ ତାହାର ପ୍ରେମ ହେଉଛି “ଗଭୀର ପ୍ରେମ” କାରଣ ଆଉ କୌଣସି ଉତ୍ସ ନମିଳୁଥିବାରୁ ସେ ଏମିତି ଏକ ଗଭୀରତାକୁ ପ୍ରାପ୍ତ ହୋଇଯାଇଛି – ଆବିଷ୍କାରକ ପ୍ରତି ତାହାର ପ୍ରେମକୁ ଗଭୀର ପ୍ରେମ ନୁହଁ ସେ ଯେହେତୁ ଆବିଷ୍କାରକର ବୁଟ୍ ଯୋତାକୁ ଭଲପାଇଥିଲା ଯେତେ ସାମାନ୍ୟ ହେଉ ପଛକେ ସେ ଦୃଷ୍ଟିରୁ ତାହାର ସେଇ ପ୍ରେମକୁ କଦାପି ଅବମୂଲ୍ୟାୟନ କରାଯାଇପାରିବ ନାହିଁ । ପ୍ରେମ ସଂପର୍କରେ ଶବ୍ଦ ଆକାରରେ ସବୁଠାରୁ ପୁରୁଣା ଭୁଲ୍ ଟିଏ ରହିଆସିଛି,ଏବଂ, ଯଦି ଗୁଡିଏ ପିଲା ଏହି ଭୁଲ୍ କାରଣରୁ ଜନ୍ମନେଇ ଯାଆନ୍ତି,ଅସୁମାରି ଅନେକେ ସେମିତି ଜନ୍ମ ନେବାର ତ୍ୱରିତ ସୁଯୋଗରୁ ବଞ୍ଚିତ ହୋଇଯାଉଛନ୍ତି କାରଣ ଯେଉଁ ଗ୍ରହଣ କ୍ଷମତା ଜାହିର କରିଥାଏ ତମେ ମୋର,ମୋର ! ତମେ ମୋ ପରି ,ଏବଂ ମୋର ଅର୍ଥ ପରି ନୁହଁ । ମାତ୍ର ବନସ୍ତର ଏହି ଆର୍ଦ୍ରତାରେ ସେପରି ନିଷ୍ଠୁର ପରିମାର୍ଜନା ଅନୁପସ୍ଥିତ,ଏବଂ ପ୍ରେମ ଆହାର ଭକ୍ଷଣ କରିବାର କଥା ନୁହଁ ,ପ୍ରେମ ହେଉଛି ବୁଟ୍ ଯୋତା ସୁନ୍ଦର ବୋଲି ଭାବିବା,ପ୍ରେମ ହେଉଛି ଗୋଟିଏ ମଣିଷର ବିରଳ ରଂଗ କଳା ନୁହଁ ବୋଲି କଥାକୁ ପସନ୍ଦ କରିବା,ପ୍ରେମ ହେଉଛି ହସିବା, ସେହି ବିଚ୍ଛୁରଣ ଘଟାଉଥିବା ମୁଦିକୁ ଭଲ ପାଇବା ଭଳି ହସିବା। ଘାସଫୁଲ ପ୍ରେମରେ ଆଖି ମିଟିମିଟି କଲା ଆଉ ତାହାର ହସରେ ଥିଲା,ଉଷ୍ମତା,କ୍ଷୁଦ୍ରପଣ,ଗର୍ଭରୂପ,ଉଷ୍ମତା।
ଆବିଷ୍କାରକ ପ୍ରତ୍ୟୁତ୍ତରର ହସ ତାହାକୁ ପ୍ରଦାନ କରିବାକୁ ଚେଷ୍ଟାକଲା; ସେ ଜାଣିପାରୁନଥାଏ ଅସଲରେ କେତେ ଗଭୀରରେ ତାହାର ହସର ପ୍ରତିଧ୍ୱନୀ ମିଳିବ ଆଉ ତାହାପରେ ଜଣେ ଦୀର୍ଘକାୟ ଲୋକ ପରି ସେ ବିକ୍ଷୁବ୍ଧ ହେଲା, ଯେମିତି ଦୀର୍ଘକାୟ ଲୋକମାନେ ସାଧାରଣତଃ ବିକ୍ଷୁବ୍ଧ ହୋଇଥାଆନ୍ତି। ସେ ନିଜର ଆବିଷ୍କାରକର ହେଲମେଟ୍ କୁ ଟିକିଏ ସଜାଡି ନେବା ଭଳି ଅଭିନୟ କଲା,ଟିକିଏ ଲାଜେଇ ଗଲା। ସେ ଗୋଟିଏ ସୁନ୍ଦର ରଂଗ ପାଲଟି ଯାଇଥାଏ ,ସେ ନିଜେ,ଗୋଟିଏ ସବୁଜମିଶା ଗୋଲାପି ,ଯେମିତି ପ୍ରତ୍ୟୁଷରେ ଗୋଟିଏ ଲେମ୍ବୁ ଫଳ। ସେ ସେତେବେଳେ ନିଶ୍ଚିତ ଭାବରେ କିଛି ପରିମାଣରେ ଅମ୍ଳ ।
ଏହା ହୁଏତ ସେହି ପ୍ରତୀକାତ୍ମକ ହେଲମେଟ୍ କୁ ସଜାଡିନେବା ବେଳରେ ଆବିଷ୍କାରକ ସବୁକିଛିକୁ ସାଉଁଟି ନେଇଥିଲା,କାମର ଶୃଙ୍ଖଳାରେ ଅଧିକ କଠୋରତା ଆଉ ସବୁକଥା ସଂପର୍କରେ ନୋଟ୍ ନେବା ଭଳି ପଦ୍ଧତିର ପୁନଃ ପ୍ରଚଳନ । ସେଠିକାର ଅଧିବାସୀମାନେ କହୁଥିବା ଭାଷାର କିଛି ଶବ୍ଦକୁ ସେ ଶିଖି ଯାଇଥିଲା ଆଉ ଶିଖିଯାଇଥିଲା କେଉଁଭଳି ସେମାନେ ନିଜର ଠାରକୁ ବିନିଯୋଗ କରିଥାନ୍ତି । ସେ ଏବେ ପ୍ରଶ୍ନ ପଚାରି ସାରିଲାଣି ।
ଟିକିଫୁଲ ଉତ୍ତର ଦେଲା,”ହଁ” । ଗଛରେ ବସବାସ କରିବା ସବୁଠୁ ଭଲ,ତାହାର ନିଜ ପାଇଁ । କାରଣ-ସେ ଏକଥା କହି ନାହିଁ ,ତାହାର ଆଖିର ଗାଢ ଅଂଧକାର ଯେ ତାହା ଏପରି କହିଛି – ଅଧିକାର କରିବା ଉତ୍ତମ,ଅଧିକାର କରିବା ଉତ୍ତମ ଅଧିକାର କରିବା ଉତ୍ତମ। ଆବିଷ୍କାରକ ଅନେକ ଥର ଆଖିମିଟିକା ମାରିଥିଲା।
ମାର୍ସାଲ୍ ପ୍ରିତର ଙ୍କର ନିଜ ସହିତ ନିଜର ଅନେକ ଅସହଜ ମୁହୂର୍ତ୍ତ ଅଛି । ମାତ୍ର ସେ ଅନେକ ବିଷୟରେ ନୋଟ୍ ଲେଖି ନିଜକୁ ବ୍ୟସ୍ତ ରଖୁଥିଲେ।ଯେଉଁମାନେ ଏମିତି ନୋଟ୍ ରଖନ୍ତି ନାହିଁ ସେମାନେ ନିଜକୁ ବ୍ୟସ୍ତ ରଖିବା ପାଇଁ ଯାହା ସବୁଠୁ ଭଲ ହେବ ସେଇ ପ୍ରୟାସ କରୁଥିଲେ :
“କାରଣ ହେଉଛି, ଦେଖ”-ହଠାତ୍ ଖବରକାଗଜକୁ ବନ୍ଦ କରି ବୃଦ୍ଧା ଜଣକ ଏକ ନିର୍ଣ୍ଣାୟକ ସ୍ୱରରେ ଘୋଷଣା କରିଥିଲେ -“କାରଣ ହେଉଛି,ଦେଖ,ମୁଁ କେବଳ ଏତିକି କହିବି,ଈଶ୍ୱର ନିଶ୍ଚିତ ଜାଣନ୍ତି ସେ କରୁଛନ୍ତି କ’ଣ !”
°°°°°
ଏହି କାହାଣୀକୁ ପାଠ କରିବାପରେ ଏହାର କଥାକାର କ୍ଲାରିସ୍ ଲିସପେକ୍ଟର ଙ୍କ ସଂପର୍କରେ କୁହାଯାଇଥିବା ଗୋଟିଏ କଥା ର ପ୍ରାସଙ୍ଗିକତାକୁ ସହଜରେ ବୁଝିହେବ।
ତାଙ୍କ ସଂପର୍କରେ ଜଣେ ଫରାସୀ ଲେଖକ ହେଲେନି ସିକସ୍ କହିଥିଲେ ଯେ,ଯଦି କାଫକା ଜଣେ ନାରୀ ହୋଇଥାନ୍ତେ ତାହାହେଲେ ସେ ଯେଉଁଭଳି କାହାଣୀ ଲେଖିଥାନ୍ତେ ସେଇଭଳି କାହାଣୀ ଲେଖିଥାନ୍ତି କ୍ଲାରିସ୍। ଏଇ କାହାଣୀରେ ଜଣେ ଆବିଷ୍କାରକ ମାର୍ସାଲ୍ ପ୍ରିତର୍ ପୃଥିବୀର ସବୁଠାରୁ କ୍ଷୁଦ୍ରାୟତନ ମହିଳାକୁ ଆବିଷ୍କାର କରିବା ଏବଂ ସେ ମହିଳାଟି ଗର୍ଭବତୀ ରହିଥିବା କଥାର ଏକ ଅଦ୍ଭୁତ ପ୍ରସ୍ତାବନା ଆଉ ତାହା ସହିତ ସମକାଳର ଯୁକ୍ତି ଏବଂ ଯୁକ୍ତିହୀନତା ର ସଂଯୋଜନ ରହିଛି। ପୃଥିବୀର ସବୁଠାରୁ କ୍ଷୁଦ୍ରାୟତନ ନାରୀଟି କୃଷ୍ଣକାୟ, ତେଣୁ ଏଇଠି କାହାଣୀର ଚରିତ୍ର ହିସାବରେ କୃଷ୍ଣାଙ୍ଗୀ,କ୍ଷୁଦ୍ରତମ ଏବଂ ଗର୍ଭବତୀ, ଏଇ ତିନୋଟି ଆଧାର ବିନ୍ଦୁ କଥାକାର ଯେଉଁ ସଂବେଦନଶୀଳତା ସହ କାହାଣୀରେ ବିନ୍ୟସ୍ତ କରିଛନ୍ତି ତାହା ବିଶେଷ ଭାବରେ ଗୋଟିଏ ନାରୀର ଅନ୍ତର୍ନିହିତ ଅବବୋଧ।
କ୍ଲାରିସ୍ ଙ୍କ ସଂପର୍କରେ ଅନ୍ୟତମ ଚର୍ଚ୍ଚିତ କବି କାର୍ଲୋସ୍ ଡ୍ରମନ୍ଦ୍ ଦି ଆନ୍ଦ୍ରେଦ୍ ଲେଖିଛନ୍ତି,” କ୍ଲାରିସ୍ ଗୋଟିଏ ରହସ୍ୟରୁ ଆବିର୍ଭୂତ ହୋଇଥାଆନ୍ତି ଆଉ ଉଭାନ୍ ହୋଇଯାଆନ୍ତି ଅନ୍ୟତମ ଆଉ ଏକ ରହସ୍ୟକୁ।” ସଂପୃକ୍ତ କାହାଣୀରେ ଆପଣମାନେ ଦେଖିବେ ଯେ କ୍ଷୁଦ୍ରତାର ରହସ୍ୟ-ସଂଧାନ କରାଯାଇଛି। ସାଧାରଣ ଭାବରେ ଆମର ଧାରଣାରେ କ୍ଷୁଦ୍ରତାର ଉପସ୍ଥିତି କହିଲେ ଯେମିତି କିଛି ହିଁ ନାହିଁ । ଏହା ଏକ ବିଫଳତାର ମୂର୍ତ୍ତ ରୂପ ଆଉ ଏହାର ଅବର୍ତ୍ତମାନଟି ଆମର ସବୁବେଳେ କାମ୍ୟ । ସେଇଥିପାଇଁ ଯାହା କ୍ଷୁଦ୍ର ତାହା ସବୁବେଳେ ଆଶଙ୍କାରେ ରହିଥାଏ ଯେ ତାହାକୁ ଯେ କୌଣସି ମୁହୂର୍ତ୍ତରେ ଆଉ କିଏ ଆସି ଚାଟିଚୁଟି ସାଫ୍ କରିଦେବ। ନିଛକ ଖାଦ୍ୟ ପାଲଟିଯିବାର ଭୟ ସବୁବେଳେ କ୍ଷୁଦ୍ର ର ନିୟତି। କ୍ଷୁଦ୍ରତାର ଅବବୋଧକୁ ଏକ ବୃହତ୍ ପରିପ୍ରେକ୍ଷ୍ୟ ଦେବା ହେଉଛି ଏଇ କାହାଣୀର ପରିବର୍ତ୍ତି ରହସ୍ୟ।
କ୍ଲାରିସ୍ ଙ୍କ ଅପଘାତ ମୃତ୍ୟୁ ପରେ ତାଙ୍କର ଜଣେ ବାନ୍ଧବୀ ନାଦିଆ ବାଟେଲା ଗଟଲିବ୍ ଏକ ସ୍ମୃତି ଚାରଣରେ ଲେଖିଥିଲେ,”କ୍ଲାରିସ୍ ଏଇ ପୃଥିବୀରେ ଥିଲେ ଜଣେ ବିଦେଶାଗତ,ସେ ଯେମିତି ଏଇ କୌଣସି ଅଜଣା ସହରରେ ରାତି ଅଧରେ ପହଞ୍ଚିଯିବା ଭଳି ପୃଥିବୀରେ ଆସି ପହଞ୍ଚିଯାଇଛନ୍ତି ଯେତେବେଳେ ସହରସାରା ସାଧାରଣ ପରିବହନର ହରତାଳ ଜାରିରହିଛି ।” ଏହି କାହାଣୀରେ ଏକ ଅଜଣା ସହିତ ଆବିଷ୍କାରକର ମାନସିକତା ସହ ଅନିର୍ବାର୍ଯ୍ୟ ଏବଂ ଅନେକ ପରିମାଣରେ ଅବରୁଦ୍ଧକାରୀ ଅନିଚ୍ଛାକୃତ ସହାବସ୍ଥାନ।
ଏଇ ମନ୍ତବ୍ୟକୁ ଆଉ ଥରେ ଏମିତି ଦ୍ୱିରୁକ୍ତି କରି ଲେଖିବାର ଲୋଭ ହେଉଛି । କାହାଣୀକାର ଜଣେ ବିଦେଶାଗତ ଭାବରେ ଅଜଣା କାହାଣୀଜଗତରେ
ପ୍ରବେଶ କରିଥାଏ,କାହାଣୀ ଜଗତରୁ ଫେରିଆସିବା ପାଇଁ ସେତେବେଳେ ସାଧାରଣ ପରିବହନ ର ହରତାଳ ଚାଲିଥାଏ । ଜଣେ କାହାଣୀଲେଖନ ପାଇଁ ଏହା ଏକ ସୁବର୍ଣ୍ଣ ସୁଯୋଗ ନିଶ୍ଚୟ । କ୍ଲାରିସ୍ ଲିସପେକ୍ଟରଙ୍କୁ ଆମର ପଢିବାର ପ୍ରୟୋଜନ ରହିଛି।
କ୍ଲାରିସ୍ ଲିସପେକ୍ଟର (୧୯୨୦-୧୯୭୭) ୟୁକ୍ରେନ୍ ଜନ୍ମିତ ବ୍ରାଜିଲୀୟ କଥାକାର। ସେ ଜଣେ କୁଟନୀତିଜ୍ଞଙ୍କୁ ବିବାହ କରିଥିଲେ ଆଉ ସେହି କାରଣରୁ ସେ ବ୍ରାଜିଲ୍ କୁ ଫେରିଆସିବା ପୂର୍ବରୁ ଲଣ୍ଡନ,ଇଟାଲୀ,ସ୍ୱିଜରଲାଣ୍ଡ ଏବଂ ଆମେରିକା ଆଦି ସ୍ଥାନରେ ସ୍ୱାମୀଙ୍କ ସହ ରହିବାର ସୁଯୋଗ ପାଇଥିଲେ। ତାଙ୍କର ବିବାହ ଜୀବନ ସୁଖର ନଥିଲା । ତାଙ୍କର ମୃତ୍ୟୁଟି ଅତି ଦୁଃଖର। ଶୋଇବା ବେଳେ ନିଜର ଜଳନ୍ତା ସିଗାରେଟ୍ ଶେଜରେ ପଡିବା କାରଣରୁ ତାଙ୍କର ଶରୀରର ଶତକଡା ନବେ ଭାଗ ଜଳିଯାଇଥିଲା ଆଉ ସେଥିରେ ତାଙ୍କର ମୃତ୍ୟୁ ଘଟିଥିଲା।
ପ୍ରଖ୍ୟାତ ଅର୍ଥନୀତିଜ୍ଞ ଇ ଏଫ୍ ସୁମାକର୍ ଙ୍କର ଗୋଟିଏ ଚର୍ଚ୍ଚିତ ପୁସ୍ତକ ରହିଛି,ଜନ ଅର୍ଥନୀତି ତଥା ତାହାର ଦର୍ଶନର ଉପରେ। ତାହାର ନାଆଁ ହେଉଛି “ସ୍ମଲ୍ ଇଜ୍ ବିଉଟିଫୁଲ୍”।
କ୍ଲାରିସ୍ ଲିସପେକ୍ଟର ସେଇ କଥା ହିଁ ଏଇ କାହାଣୀରେ କହିଛନ୍ତି ଯେଉଁଠି କ୍ଷୁଦ୍ର ହିଁ ସର୍ବୋତ୍ତମ ସୌନ୍ଦର୍ଯ୍ୟ କୁ ଧାରଣ କରିବାର କ୍ଷମତା ରଖିଛି।