ମୂଳ ଲେଖା : ଅମର ମିତ୍ର || ଅନୁବାଦ : ଜ୍ୟୋତି ନନ୍ଦ
[ଏଇଠି “କୁସୁମପୁର ର ବୁଢା” ଶୀର୍ଷକରେ ଯେଉଁ କାହାଣୀଟି ଅନୁସୃଜିତ ହୋଇ ସଂଲଗ୍ନ କରାଯାଇଛି ତାହା ମୂଳତଃ ଏକ ବଙ୍ଗଳାଭାଷାର କାହାଣୀ । ଏହି କାହାଣୀର ଲେଖକ ହେଉଛନ୍ତି ବଙ୍ଗଳା ଭାଷାର ଅନ୍ୟତମ ଚର୍ଚ୍ଚିତ କଥାକାର ଶ୍ରୀଯୁକ୍ତ ଅମର ମିତ୍ର ( ଜ:୧୯୫୧)। ଏହି କାହାଣୀଟି ଶ୍ରୀଯୁକ୍ତ ମିତ୍ରଙ୍କର ଗୋଟିଏ ଆଦ୍ୟକାଳର ଲେଖା ଅର୍ଥାତ୍ ଏଇ ଲେଖାର ସମୟ କାଳ ହେଉଛି ୧୯୭୭ ମସିହା।]
ଆପଣମାନଙ୍କ ମଧ୍ୟରୁ ଅନେକ ଜାଣନ୍ତି ଯେ ପ୍ରତିବର୍ଷ ପ୍ରଖ୍ୟାତ କଥାକାର ଓ.ହେନରୀ ଙ୍କ ସ୍ମୃତି ରେ ୧୯୧୯ ଖ୍ରୀଅ ଠାରୁ ଆମେରିକାରେ କ୍ଷୁଦ୍ରଗଳ୍ପକୁ ପୁରସ୍କାର କରିବା ର ଏକ ଶୃଙ୍ଖଳାର ପ୍ରଚଳନ ହୋଇ ଆସୁଛି । ଏଥିରେ ଜୁରି ଆକାର ରେ ପ୍ରଖ୍ୟାତ କଥାକାର ତଥା ସାହିତ୍ୟ ସମାଲୋଚକମାନେ ରହି ପ୍ରତିବର୍ଷ କୋଡିଏ ଟି ଗପକୁ ଚୟନ କରିଥାନ୍ତି । ସେହି କୋଡିଏ ଟି ଗପକୁ ନେଇ ପ୍ରତିବର୍ଷ ଗୋଟିଏ ପୁସ୍ତକ ପ୍ରକାଶିତ ହୋଇଥାଏ । ଏହାର ଶୀର୍ଷକ The O.Henry Prize Stories । ପ୍ରତିବର୍ଷ ପ୍ରକାଶିତ ଏଇ କ୍ଷୁଦ୍ର ଗଳ୍ପ ଶୃଙ୍ଖଳା ରୁ ଆମେ କ୍ଷୁଦ୍ରଗଳ୍ପର ବିବିଧତା,ବୈଚିତ୍ର୍ୟ ତଥା ସମକାଳ ର ବିଶ୍ୱ କ୍ଷୁଦ୍ରଗଳ୍ପ ସହିତ ପରିଚିତ ହୋଇଥାଉ। ସଂପ୍ରତି ଏହି ବିଶେଷ ଶୃଙ୍ଖଳାରେ ଅର୍ଥାତ୍ The O.Henry Prize Stories 2022 ସଂସ୍କରଣରେ ଶ୍ରୀଯୁକ୍ତ ଅମର ମିତ୍ରଙ୍କ ଏଇ କାହାଣୀ “ଗାଆଁବୁଢା” ଟି ବିଶ୍ୱର ଶ୍ରେଷ୍ଠ କୋଡିଏ ଟି କ୍ଷୁଦ୍ର ଗଳ୍ପ ଭିତରେ ରହିଛି। ସେଇଥିପାଇଁ ଉପସ୍ଥିତ ଲେଖକ ଏହାକୁ ଅନୁସୃଜନ କରିବାକୁ ଆଗ୍ରହୀ ହୋଇଛି ।
ଶ୍ରୀଯୁକ୍ତ ଅମର ମିତ୍ରଙ୍କ ୧୯୭୭ର ଏଇ ମୂଳ ବଙ୍ଗଳା କାହାଣୀ ଯାହାର ଶୀର୍ଷକ ଥିଲା “ଗାଓଁବୁଢୋ” ତାହା ଇଂରେଜୀରେ The Oldman of Kusumpur ନାମରେ ଆମେରିକାର ଗୋଟିଏ ଇଂରେଜୀ ପତ୍ରିକାରେ ପ୍ରକାଶିତ ହୋଇଥିଲା ଆଉ ସେଇଠୁ ଏହା ଓ.ହେନରୀ ପ୍ରାଇଜ୍ ପାଇଁ ନୋମିନେସନ୍ ପାଇ ଚୂଡାନ୍ତ ସ୍ତରରେ ପହଞ୍ଚିଥିଲା ।]
କୁସୁମପୁରର ବୁଢା ଫକୀରଚାନ୍ଦ ଯିବ ବଡବାବୁ ପାଖକୁ। ପିଠି ପଛରେ ବାଡି ଅଗରେ ଝୁଲାଇ ଧରିଛି ତାହାର ଛୋଟ ପୁଟୁଳି । ଆଗକୁ ଟିକିଏ ଝୁଙ୍କି ଝୁଙ୍କି ଚାଲେ ବୁଢା । ଆଲୁଅ ଫୁଟିବାର ସମୟ ,ଏଇଲେ ପୃଥିବୀ ଭାରି କୋମଳ ଭାରି ଶୀତଳ,ଏଇ ଚୈତ୍ରମାସର ଭୋର୍ ର ସମୟ । ବତାସ ଆଉ ମାଟି ଆଶ୍ଚର୍ଯ୍ୟ ପରିମାଣର ସୁଖର ଏଇଲେ । ଏକୁଟିଆ ଲୋକ ଫକୀରଚାନ୍ଦ ଯିବ ବଡବାବୁଙ୍କ ପାଖକୁ । କୁକୁଡା,ବତକ ଆଦିଙ୍କ ପାଙ୍କ୍ ପାଙ୍କ୍ ଚିତ୍କାର ଏଯାଏଁ ଥମିନାହିଁ । ପିଲାଏ ସବୁ ନିଜ ନିଜର ଘର ଛାଡି ପିଲପିଲ କରି ବାହାରି ଆସିଲେଣି । ଗୋଟିଏ ପାଦ ଆଉ ଗୋଟିଏ ପାଦ ଏମିତି ଆଗେଇ ଯାଉଥିବା ବୁଢା ନୂତନ ସୂର୍ଯ୍ୟକୁ ଜୋଡହସ୍ତରେ ପ୍ରଣାମ କଲା । ନା, ଆଖିଟା ଏଇଲେ ବେଶ୍ ଅଛି,ଚାରିଆଡ ବେଶ୍ ପରିଷ୍କାର । ଦେହଟା ବି ବେଶ୍ ଲାଗୁଛି । ହାଲୁକା ବତାସ ବୁଢାର ଝାପସା ଆଖିରେ କୋମଳ ହାତର ଛୁଆଁ ।
ତାହାର ବୟସ ତିନିକୋଡି ଦଶ ପାର ହୋଇଗଲାଣି ନିଶ୍ଚିତ । କ’ଣ ଯେ ହେଲା, ଏଇ ବୟସରେ ଆଖି ଏଇ ପୃଥିବୀକୁ ସବୁବେଳେ ଝାପସା ଦେଖୁଛି । ହାତ ପାଦ ଥରଥର ହୋଇ କଂପୁଛି । ଦେହର ଚମ ଶୀଥିଳ କୁଞ୍ଚିତ,ଆଖିମୁହଁରେ ଅସୁଖ ଭଳି ଭାଙ୍ଗଗାର । ଏଇଲେ ଏମିତି ବୟସର ବୁଢାର ଇଚ୍ଛା ହୁଏ ଦଶମାଇଲ ଦୂର ଦୁର୍ଗାହୁଡି ଜଙ୍ଗଲ ପାର ହୋଇ ପଶ୍ଚିମରେ ସୁବର୍ଣ୍ଣରେଖା କୂଳରେ କନ୍ୟାଡିହାର ବଡବାବୁ ର ପାଖକୁ ଯାଇ ସମସ୍ତ ଦୁଃଖ ଦୂର କରି ଆସେ । ମନ ବଡ ଅସ୍ଥିର । ଅଦେଖା ସେଇ ବଡମଣିଷ ପାଖକୁ ସେ ନିଶ୍ଚୟ ଯିବ । ତାହାର ଦୁଃଖ କଷ୍ଟ କହିଲେ କ’ଣ ଗୋଟିଏ ?
ଯେମିତି ଏଇ ଆଖି । ସେଇ ବଡବାବୁ ନିଶ୍ଚୟ ଏମିତି ଜଣେ ବୈଦ୍ୟଙ୍କର ସନ୍ଧାନ ଦେବେ ଯାହା ପାଖରେ ଯାଇ ସାକ୍ଷାତେ ଛିଡା ହୋଇ ପଡିଲେ ହିଁ ତାହାର ଆଖିଟା ପୁରାପୁରି ଭଲ ହୋଇଯିବ । ପରଳ କାଟିଲେ ପୁଣି ପରଳ ପଡୁଛି,ପୃଥିବୀକୁ କେତେଦିନ ହେଲା ସେ ମନପୁରାଇ ଦେଖିନି । ଆଉ ସେଇ ବଡ ମଣିଷ ପାଖରେ କେତେପ୍ରକାର ର ଔଷଧ ନ ଅଛି , ବନସ୍ତର କେତେ ଯେ କେତେ ଚେରମୂଳୀ ।
ଯେମିତି ତା’ର ଗୋଟିଏ ବୋଲି ପୁଅ । ଗାଆଁର ଗୋଟିଏ ଝିଅକୁ ସାଥିରେ ଧରି ସେ ପଳାଇଯାଇଛି ଚାକୁଳିଆ । ସେଇଠେ କ’ଣ ଗୋଟିଏ ଚାକିରୀ ଜୁଟାଇ ନେଇଛି । ଅଥଚ ଏଇ ବୟସରେ ପୁତ୍ର ସନ୍ତାନଟି ପାଖରେ ନରହୁଥିଲେ ଚଳିବନି । ବୁଢାକାଳରେ ସୁଖ ପାଇଁ ତ ପୁତ୍ରର ଜନ୍ମଦାନ । ଏଇ ପୁଅକୁ ଘରକୁ ଫେରାଇ ଆଣିବାର ଏପରି ଅବ୍ୟର୍ଥ ପରିକଳ୍ପନା ର ନିଦାନ ସେ ଦେବେ ଯେ ସଂଗେ ସଂଗେ ନିଜର ଭଲପାଇବାର ପାତ୍ରୀ ସେହି ଝିଅକୁ ଣଛାଡି ହୁଡହୁଡ କରି ବାହାରି ଆସିବ ସେ ଏଠିକି ।
ଯେମିତି ତା’ର ଜମିଜମା । ଏକେଲା ମଣିଷ ଫକୀରଚାନ୍ଦ । ପତ୍ନୀ କେବେଠୁ ଗତ ହୋଇଛି । ଏଇଲେ ଜମିଜମା ରକ୍ଷା ଏଇ ନଷ୍ଟ ଦେହର ଦାୟ ହୋଇଛି । ଭାଇଆଳିଆମାନେ ନିଜ ଇଚ୍ଛାମତ ଧାନ କାଟି ନେଇଯାଉଛନ୍ତି । ସେଇ ଫସଲକୁ ବଞ୍ଚେଇବା ପାଇଁ ବଡବାବୁର ଉପଦେଶ ଯଥେଷ୍ଟ ହେବ । ଆଉ – ଆଉ ସ୍ତ୍ରୀ ଗତ ହେବାର ପରେ ଏଇ ସତୁରୀବର୍ଷ ବୟସର ଦେହର ରକ୍ତ ଶୀତଳ ହୋଇନି । ଯଦି କେଉଁଠୁ ଗୋଟିଏ ଅତି ଗରୀବ ଘରର ଝିଅ ର ସଂଧାନ ସେ ଦେଇ ପାରନ୍ତି । ବୁଢା ର ଆଖି ଚକମକ ହୁଏ,ପାଟି କୋଣରୁ ଲାଳଧାରା ବହିଆସେ । ସୋମତ୍ତ କନ୍ୟା ଦେଖିଲେ ଏଇଲେ ଶରୀର ସେମିତି ଜାଗ୍ରତ ହୁଏନା ।
ସୁତରାଂ ବୁଢା ଯାଉଛି ବଡବାବୁ ପାଖକୁ । ସେ କନ୍ୟାଡିହାରେ ରହୁଛନ୍ତି । ସବୁକଥା ତାଙ୍କୁ ଖୋଲି କହିବ ସେ । କାଲି ରାତିରେ ଫକୀରଚାନ୍ଦ ନିଜର ମରଣର ସ୍ୱପ୍ନ ଦେଖିଛି । ଗାଆଁର ସାଇଭାଇ ମାନେ ସବୁ ପ୍ରସ୍ତୁତ ହୋଇ ରହିଛନ୍ତି ମରଣ ପାଇଁ । ମରିଗଲା ମାତ୍ରକେ ବେୱାରିଶ୍ ସଂପତ୍ତି ସବୁକୁ ଲୁଟିନେବେ । ନା,ତାହା ହେବାର ନୁହଁ ।
ଅନେକଦିନ,ବହୁବର୍ଷ ହେଲା ସେ ବଡବାବୁର କଥା ଶୁଣିଛି । ଗୋଟିଏ ସମୟରେ ତାଙ୍କର କେତେ ନାହିଁ କେତେ କଥା ତା’ କାନରେ ପଡୁଥିଲା । ଏଇ ସାରା ଇଲାକାର ମଥା କହିଲେ ସେ । ତାଙ୍କର ପଦେ କଥାରେ ସବୁକିଛି ବଦଳି ଯାଏ । ଫକୀରଚାନ୍ଦ ଏଇ ଗାଆଁକୁ ଗତ ପନ୍ଦର ବର୍ଷ ହେଲା ଆସିଛି । ତାହାଆଗରୁ ସେ ପାହାଡ ଆରପଟରେ ରହୁଥିଲା । ଏଠିକୁ ଆସିଲା ପରେ ତା’ର ଘର ହେଲା,ଅଳ୍ପସଳ୍ପ ଜମିଜମା ହେଲା । ସେତେବେଳେ ଯାଇ ସେ ଶୁଣିଥିଲା ଏମିତି ଜଣେ ବଡବାବୁ ଅଛନ୍ତି ବୋଲି ତାଙ୍କର କଥାମାନ । ତାଙ୍କ ନିକଟକୁ କୌଣସି ଦିନ ଯାଇନି ଆଗରୁ,ଏଥର ଯିବ । ଆଗରୁ ବିଶ୍ୱାସ ହେଉନଥିଲା,ଏଇଲେ ମନ ରେ ଉଚ୍ଚାଟନ ହେଉଛି ।
ଏଇ ବୟସରେ ମନ ଭିତରେ କ’ଣ ନା କ’ଣ ହୁଏ । ସ୍ତ୍ରୀ ଟା ଗତ ହୋଇ ସ୍ୱର୍ଗକୁ ଯାଇଛି । ପୁଅ ଟା ନିଜପାଇଁ ସାଥୀଟିଏ ଜୁଟାଇ ନେଇ ଆଉ କୁଆଡକୁ ଅନ୍ତର୍ଦ୍ଧାନ । ସେ ଏକେଲା ଏଇ ଘରକୁ ପହରା ଦେବାକୁ ରହିଯାଇଛି । ଟିକିଏ ଅଧେ ଜମିଜମା,ଘରଦୁଆର ସହ ବୁଢା ଫକୀରଚାନ୍ଦ ଯକ୍ଷ ଭଳି ବସିରହିଥାଏ । ଗାଆଁ ର ଆଉ ଦଶଟା ଲୋକ ତାହାର ମରଣ ଚାହାଁନ୍ତି । ନା,ମରଣ ଏତେ ସହଜର ନୁହଁ,ବୁଢା ପାଦ ଚିପି ଚିପି ସତର୍କତାର ସହ ଆଗକୁ ପାଦ ବଢାଇଲା ବେଳେ ଭାବେ । ଆଖି ଟା ଯଦି ଭଲହୋଇଯାଏ ତାହାହେଲେ ଆଉ ଥରଟିଏ ଉଷ୍ଣରକ୍ତର ଅନୁଭୂତିରେ ପୃଥିବୀକୁ ହୁଏତ ଦେଖିନେଇ ହେବ ।
କୁସୁମପୁର ର ଜଙ୍ଗଲ, ଜଳଶୂନ୍ୟ ଜଳାଧାର ଆଦିକୁ ପାର ହୋଇ ସେ ହଠାତ୍ ଗୋଟିଏ ପଡିଆ ଭଳି ଅଂଚଳରେ ପହଞ୍ଚିଯାଏ । ଏଇ ପ୍ରାନ୍ତର,କୁସୁମପୁରର ବିଶାଳ ଆବୁଡାଖାବୁଡା ପଥୁରିଆ ଗେରୁଆ ଭୂଇଁ ,ମଥାର ଉପରେ ବିସ୍ତୀର୍ଣ୍ଣ ଆକାଶ ଦିଗନ୍ତେ ବିଲୀନ ଏଇ ବିଶାଳ ପୃଥିବୀରେ ଆଲୁଅ ଗାଢ ହୋଇ ଆସୁଛି । ଗାଢ ଆଲୁଅ ଭିତରେ କୃଷ୍ଣବର୍ଣ୍ଣର ମଣିଷଟିଏ ଏକେଲା ଚାଲିଛି । ଏଇଲେ ଏଇ ଗୋଟିକ ଦୃଶ୍ୟ । ବହୁ ଦୂର ଯିବାକୁ ହେବ । ପଡିଆପାର ହୋଇ ଗାଆଁ ପାର ହେଲେ ଜଙ୍ଗଲ,ସେଇ ଜଙ୍ଗଲ ପାର ହେଲେ ପୁଣି ପଡିଆ ଜଙ୍ଗଲ ଗାଆଁ ଏଇ ଭଳିକା ତ ସବୁ ବାଟ । କେତେ ବର୍ଷ ଆଗରୁ ଗାଆଁକୁ ସେ ଆସିଥିଲା ସେକଥା ଆଉ ବୁଢା ର ସ୍ମରଣରେ ନାହିଁ । ସେଇ ସେଥର ଯୁଦ୍ଧର ଯେଉଁ ଉଡାକଳ ଭାଙ୍ଗିପଡିଥିଲା ପାହାଡ ସେପଟେ ତାହାର ଅନେକ ବର୍ଷ ଆଗର ସେ କଥା । ଯୁଦ୍ଧର ଉଡାକଳ । ହଁ। ଘଡଘଡ ଶବ୍ଦରେ ସେ ଆକାଶକୁ ଚାହେଁ । ମଥାର ପଂଖା ଘୁରାଇ ଘୁରାଇ ହେଲିକପ୍ଟର ଯାଉଛି କଲାଇକୁଣ୍ଡା ଆଡକୁ ।
ବାଟ ଚାଲୁଚାଲୁ ଖରା ହୋଇଗଲା ପିତ୍ତଳରଙ୍ଗା । ଲାଲ ଟକଟକ ସୂର୍ଯ୍ୟ କେତେବେଳେ ତାହାର ରଙ୍ଗ ବଦଳାଇ ନେଲାଣି । ସେ ପଡିଆ ପାର ହୋଇ ଟିକିଏ ଛାଇରେ ଛାଇରେ ଚାଲିଛି । ଆକାଶ ଘୁଂଚିଯାଉଛି ଆହୁରି ଆହୁରି ଦୂରକୁ । ଏଥର ହାଲୁକା ଝାଡ ର ଜଙ୍ଗଲ ଆଉ ତାହା ଭିତରଦେଇ ପାଦଚଲା ରାସ୍ତା । ଏଇ ରାସ୍ତାରେ ଚାଲି ଚାଲି ଜଙ୍ଗଲଟା ଫର୍ଶା ହୋଇଗଲେ ସେ ଥମକିଯାଇ ଦେଖେ ସାମନାରେ ଗୋଟିଏ ଖାଲ । ଅଣ୍ଟା ଯାଏଁ ପାଣି ହେବ ସେଇଠି । ଅନ୍ୟ ସମୟ ହୋଇଥିଲେ ପୁରୁଷେ ଆଉ ଅଧେର ପାଣି ଥାଆନ୍ତା । ଏଇ ଚୈତ୍ରମାସରେ ପାଣି କମିଛି ,ବୈଶାଖ ହେଲେ ପୂରା ତଳ ଦିଶିବ । ଆଗରୁ ତା’ ଉପରେ ଗୋଟିଏ ବାଉଁଶର ବନ୍ଧ ଥିଲା,ଏଇଲେ ସେଇଟି
ଗାଏବ । ବୁଢା ଚାରିଆଡକୁ ଚାହେଁ । କେହି କେଉଁଠି ନାହିଁ, କେହି ନାହିଁ । ତେବେ କ’ଣ ତାହାର ଭୂଲ ହୋଇଯାଇଛି ? ଏମିତିରେ ତ ତାହାର ଭୁଲ୍ ହେବାର କଥା ନୁହଁ । ସେଇଠି ତ ଅଛି ସେ ବରଗଛ । ବୁଢା ତାହାର ଝାପସା ଦିଶୁଥିବା ଆଖିକୁ ଆଉ ଟିକିଏ ଫାଡିଦେଇ ଚାହିଁଲା । କଣ୍ଟାଝଣ୍ଟାବୁଦାର ପାଖାପାଖି ଯାଗାରେ ତ ରହିଛି ସେଇ ବରଗଛ । ସେଇ ଯାହାକୁ କହନ୍ତି କାଳପୁରୁଷର ବଟ । ସେଇଟି ଅଛି ମାତ୍ରକ ବାଉଁଶ ବନ୍ଧ ଟା ନାହିଁ । ତାହାର ଚିହ୍ନ ବର୍ଣ୍ଣ ନାହିଁ ଏଇଠି । ବୁଢା ତଳକୁ ଚାହିଁ ଦେଖିଲା ପାଣିର ଜୋର୍ ବେଶ ଅଛି । ଏଇ ମରାଡାହି ଇଲାକାରେ ଏଇଟି ହେଉଛି ଏକମାତ୍ର ଜଳର ଉତ୍ସ । ଏଇ ଆରପାରିରେ ଉଦ୍ଧତ ଭଳି ଛିଡା ହୋଇ ରହିଛି ବଟବୃକ୍ଷ ଆଉ ଏଇଟି ବାଉଁଶବନ୍ଧଟା ଉଭାନ୍ । ସେ ବିପନ୍ନବୋଧ କରେ ।
ଖାଲ ର ତଳେ କାଳ ଅଛି । ଜଳ ଅଛି ଆଉ ସ୍ରୋତ ବି । ଗୋଟିଏ ବର୍ଷାରେ ବୁଢା ନାକଫୋଡି ମାଛ ଧରିବାକୁ ଯାଇ ଭାସି ଯାଇ ମରି ଅଟକି ରହିଥିଲା ମାଇଲ୍ ପାଞ୍ଚ ଦୂରରେ ଯାଇ କଦମଡିହା ରେ । ବୁଢା ବିବ୍ରତ ବୋଧ କରେ । ପାର ନହେଲେ କେମିତି କାମ ଚଳିବ ? ବାଆଁକୁ ଡାହାଣକୁ ଅନେଇଲା ସେ । ଏମିତିକା ଟଳମଳ ଦେହକୁ ନେଇ ଏମିତିକା ଝାପସା ଦିଶୁଥିବା ଆଖି ସହିତ ସେ ପାଣିକୁ ଓହ୍ଲାଇ ପାରିବ ନାହିଁ । ନାକଫୋଡିର କଥା ମନେ ପଡୁଛି । ବିପଦର ଭିତରେ ପଡି ଫକୀରଚାନ୍ଦ ବୁଢା ଥମ୍ ମାରି ଛିଡା ହୋଇ ରହିଲା । ଚାରିପଟରେ ଖରା ଖେଳୁଥାଏ। ଆକାଶ ଉପରେ ହାମଲା କରିବା କୁ ସୂର୍ଯ୍ୟ ଏଇଲେ ଅନେକ ଉପରେ । ଚାରିଆଡ ଜନଶୂନ୍ୟ ।
ଠିକ୍ ଏତିକି ବେଳେ ଦୂରରେ କେଉଁଠି ବଇଁଶୀର ସୁର ଗାଢ ହୋଇ ଭାସେ । ସେ ଧଡପଡ ହୋଇ ଉଠେ । ଧୂଳିଢଙ୍କା ଆଖିରେ ଏପଟ ସେପଟ ଦେଖେ । କେଉଁଠି ? ବଇଁଶୀ ବଜାଇ ବଜାଇ ଗୋଟାଏ କଳାରଂଗର ମଣିଷ ଧୂମକେତୁ ଭଳି ସାମନାରେ ଆସି ଛିଡା ହୁଏ । ଫକୀରଚାନ୍ଦ ମଣିଷ ପାଇଯାଏ ।
ଯିବୁ କୁଆଡେ,ଏଇ ବୁଢା ? ସେ ବଇଁଶୀ ବଜାଇବା ବନ୍ଦ ରଖିଛି ।
ବଡବାବୁ ପାଖକୁ ଯିବି । ଫକୀରଚାନ୍ଦ ଆଗେଇ ଆସେ ।
ବଡବାବୁ ! ସେ ପୁଣି କେଉଁ ମଣିଷ ରେ ! କଳାରଙ୍ଗର ମଣିଷଟି ବିସ୍ମିତ ହୋଇଛି ।
ବଡବାବୁ ର କଥା ଶୁଣିନି ? ବୁଢା ଖିକ୍ ଖିକ୍ କରି ହସିପକେଇଲା । କ’ଣ କହିବ ସେ ବଡବାବୁ ସମ୍ବନ୍ଧରେ ? ଏଇ ପୃଥିବୀ ସମ୍ବନ୍ଧରେ କ’ଣ ସବୁ କଥା କୁହାଯାଇପାରେ ? ତେଣୁ ବୁଢା ହଠାତ୍ ସୁର କରି ବୋଲି ଉଠେ ,
ଫୁଲ ଫୁଟିଗଲେ ବାସ ଛାଡେ କିଏ
ମେଘେ ଆଶ୍ରାକରି କିଏ ବରଷାଏ ଜଳ ?
ଫୁଲ ଫୁଟିଗଲେ ବାସ ହୋଇଥାଏ ସିଏ
ମେଘ ର ଆଶ୍ରିତ ହୋଇ ଜଳ ବରଷାଏ।
କଳାମଣିଷଟିର ଆଖି ହଳକ ବିସ୍ଫାରିତ ହୋଇଯାଏ । ବଡବାବୁ କଥା ବୁଢା ଅନେକ ଅନେକ କରି କହେ । କହି ଚାଲିଥାଏ ।
ତୁ ସତ କହୁଚୁ ବୁଢା ?
ହଁ । ମୁଁ ମିଛ କହେ ନାହିଁ । ମୋର ଦୁଃଖ କ’ଣ ତୁ ଜାଣିନୁ, ଜୁଆନ ପୁଅ ଘରଛାଡି ପଳେଇଯାଇଛି ,ସ୍ତ୍ରୀ ଗତ,ଘରେ ମୋର ମଣିଷ ନାହିଁ,ଆଖିକୁ ସେମିତି ଦିଶୁନି,ସବୁକିଛିକୁ ବଡବାବୁ ଠିକ୍ କରିଦେବ ।
ଆରେ ବାବା ! ଇଏ ତ ଦେବତା ଭଳି କଥା !ନବୀନ ମେଘ ଭଳି ତା’ଦେହରେ ବିସ୍ମୟଉଛୁଳି ଉଠେ ।
ହଁ।
ତାହାହେଲେ ତୁ ସେଠିକି ଯା । କଳାମଣିଷ ଜଣକ ଫେରି ଯିବାକୁ ଚାହେଁ । ସଂଗେ ସଂଗେ ବୁଢା ତାହାର ହାତ ଧରି ପକାଏ ,ପାର ହେବି କେମିତି ?
ମୁଁ କେମିତି କହିବି ? ସେ ନିଜ ହାତକୁ ଛଡାଇନେବାକୁ ଚାହେଁ ।
ତୁ ପାର କରି ଦେ । ଟଳମଳ ଗଳାରେ କହେ ବୁଢା ।
ତାହାହେଲେ ତୁ ଦବୁ କ’ଣ ?
ହଁ ବୁଢା ତାହାକୁ ସବୁ ଦେବ । ବଡବାବୁର ସାମ୍ନାରେ ଯାଇ କହିବ ତାହାର କଥା,ତୋର ଦୁଃଖ ନାହିଁ ?
ହଁ ।
ସେଇ ଦୁଃଖ ଦୂର କରିଦେବି ବଡବାବୁକୁ କହି।
ସତରେ !
ହଁ ରେ ହଁ ,ବଡବାବୁର ନାଆଁରେ ମିଛ କହିବିନି।
ଝପ୍ କରି ବୁଢାର ହାଲୁକା ଦେହଟାକୁ କାନ୍ଧକୁ ତୋଳିନେଇ ସେଇ ମଣିଷ ସେଇ ଖାଲକୁ ଓହ୍ଲାଏ । ପାଣିକୁ ଠେଲି ଠେଲି ଦୁଃଖର କଥା କହେ, ବୁଢାରେ ତୋତେ ପାର କରିଦେଉଛି,ବଡବାବୁକୁ କହିବୁ କିନ୍ତୁ । ଏଇ ଛୋଟସୋନା ମାଣ୍ଡିର ଛାତି ଭିତରଟା ଯେମିତି ଚୈତ୍ରମାସର ପଡିଆ । ବଙ୍କିମ ହାଂସଦାର ଝିଅକୁ ଭଲପାଏ । ସେ ଝିଅ ବି ଭଲପାଏ ଏଇ ମଣିଷଟାକୁ,କିନ୍ତୁ ସେଥିରେ ହେବ କ’ଣ ? ଝିଅ ର ବାପ ତା ସହିତ ବାହା ଦେବନି,ଯେତେ ଯାହା ହେଉପଛକେ ନା ।
ବାହାଘର କଥା ଶୁଣି ବୁଢା ର ଶରୀର ଛମଛମ ହୋଇଉଠେ ,ଆହା,ବାହା ହେବାରେ କି ସୁଖ !
ତାହାଲେ ବାହା ଦେବନି କାହିଁକି ?
ମୋର ଘର ନାହିଁ ,ଜମିନ୍ ନାଇଁ ।
ଶଳା ,ନିଜର ଘରକୁ ଜାବୁଡି ଧରି ଥା,ବୁଢା ଖୁକ୍ ଖୁକ୍ କରି ଖୁବ୍ ହସେ । ସେତିକି ସମୟରେ ସେମାନେ ଆରପଟେ ପହଞ୍ଚି ଯାଇଥାନ୍ତି ।
ତୁ ଶୁଣ୍ ବୁଢା,ମୁଁ ତା’କୁ ଠିକ୍ ଭଲପାଏ,ବଡବାବୁକୁ କହିବୁ ।
ବୁଢା ତୁ କହିବୁ ଏଇ ନବୀନମେଘ ଭଳି ଯୁବକ ଭଲପାଏ ଯେଉଁ ନାରୀକୁ ତାହାର ନାଆଁ ବିଷ୍ଣୁପ୍ରିୟା । ଗାଆଁ ର ନାଆଁ ଆସନବନି । ବଡବାବୁ ଯେମିତି ଉଭୟର ମିଳନ ଘଟାନ୍ତି । ସେ ଏଇଲେ ଯାଇ ପାରିବ ନାହିଁ,ଯିବ କଲାଇକୁଣ୍ଡ ଆଡକୁ । ସେଇଠି ଦିନମଜୁରୀରେ କାମ ଅଛି । କାଲି ସକାଳେ ସେ ଠିକ୍ ଏଇଠି ଅପେକ୍ଷା କରିବ । ବୁଢାକୁ ପୁଣି ପାର କରିଦେବ ଆଉ ତାହାର ସୁଖର ଖବର ଶୁଣିବ ନିଶ୍ଚିତ ।
ଉଜ୍ଜଳ ଖରାରେ ଭାସି ସେ ବଇଁଶୀ ବଜାଇ ଦିଏ । ପବନରେ ଉଡି ଉଡି କୁଆଡକୁ ଚାଲିଯାଏ ସେଇ ବଇଁଶୀର ସୁର । ବୁଢାକୁ ପାର କରି ଦେଇ ଖାଲ ପାର ହୋଇ ସେ ପୁଣି ନିଶ୍ଚିହ୍ନ ହୋଇ ଯାଏ । ଫକୀରଚାନ୍ଦ ଉଦାସୀନ ପଥରେ ଚାଲେ । ଖରା କ୍ରମଶଃ କଠିନ ହୋଇ ଆସୁଛି,ଆହାରେ,ବଡ ଦୁଃଖ ତୋର,ଯାହାକୁ ଭଲପାଉଛୁ ସେଇ ଝିଅ ସହିତ ସାଙ୍ଗହୋଇ ନରହିପାରିଲେ ବେଦନା ହୁଏ,ବଡବାବୁକୁ ଗୋଟିଗୋଟି କରି ମୁଁ ସବୁକଥା କହିବି ।
କୁସୁମପୁର ର ବୁଢା ବାଟ ଚାଲୁଥାଏ । ରୁକ୍ଷ ମାଟିର ଗେରୁଆ ପଥ । ଗୋଟିଏ ପଟରେ ଜଙ୍ଗଲ ଆଉ ଆରପଟରେ ଢାଲୁ ଜମି । ଗହନ ଗଛବୃଚ୍ଛରେ ଭରା ସେଇ ଢାଲୁ ଅଂଚଳ । ଚୈତ୍ରମାସର ଶେଷ । ଟଳମଳ ବତାସରେ ଭାସିଆସେ ଥଳଥଳ ଫୁଲର ଗନ୍ଧ । ଶାଳଫୁଲ, ମହୁଲ ଫୁଲ ।
ସେଇ କୋଡିଏ ତିରିଶ ବର୍ଷ ଆଗେକାର ଶରୀର ଥିଲା ମେଣ୍ଢା ଭଳି । ସବୁ ଶେଷ ହୋଇଗଲେ ବି ତାହାର କିଛି ଅବଶେଷ ରହିଯାଇଛି । ନହେଲେ ତାତିଲାଦିନରେ ଏତିକି ବାଟ ଚାଲି ଆସିବା ଏଇ ଶିଥିଳ ଦେହରେ ସଂଭବ ହେଉଛି କେମିତି ? ଟଳଟଳ ଦେହ ଆଉ ଝାପସା ଆଖି ସହ ସେ ଦୋହଲି ଦୋହଲି ଆଗେଇ ଚାଲିଥାଏ ।
ଏଇଲେ ଖରା ରୂପାବର୍ଣ୍ଣର । ଦେହ ଉପରେ ବିନ୍ଧିଲା ଭଳି ପଡୁଛି । ବତାସରେ ଅଗ୍ନିମୟତା । ଏଇ ଭଳି ଟାଣଟାଣୁଆ ଖରାରେ ଚାଲି ଚାଲି ଗୋଟିଏ ସମୟରେ ଫକୀରଚାନ୍ଦର ଗଳା ଶୁଖି ଯାଏ । କାଠ କାଠ ହୋଇଯାଉଛି ସାରା ମୁହଁ । ଜିଭରେ କେମିତି ଲୁଣିଆ ସ୍ୱାଦ । ଦେହଟା ମରୁଭୂମୀ ପାଲଟି ଗଲାଣି । ବୁଢା ଝାପସା ଆଖିରେ ସବୁ କୁ ଅସଜଡା ଦେଖେ । ଏପଟେ ଜଙ୍ଗଲ ସେପଟେ ୠକ୍ଷ ଚଢା ଉତରା ର ଢିପ । ସେ ବିପନ୍ନବୋଧ କରେ । ବଡବାବୁର ପାଖକୁ ଯିବ,ସେଇଟି ତ ଏଇଠୁ ଅନେକ ଦୂର । ତାହାର ପାଦଚଲା ଶ୍ଳଥ ହୋଇ ଆସେ । ଜିଭ ବାହାର କରି ଧଇଁସଇଁ ହୋଇ ସେ ଚାଲିବାକୁ ଆରମ୍ଭ କରେ । ତାହାପରେ ଗୋଟିଏ ସମୟରେ କେଉଁଠୁ ଗୀତ ଭାସି ଆସେ । ଭରା ରୌଦ୍ରରେ ଗୀତ ଗାଉଛି କିଏ ? ମଣିଷ ସେ ଏବେ କେଉଁଦିଗରେ ? କୁସୁମପୁରର ବୁଢା ସେଇ ଶବ୍ଦକୁ ଲକ୍ଷ୍ୟ କରି ଚାଲୁଥାଏ । କ୍ରମେ ଗୀତର ଶବ୍ଦ ତୀକ୍ଷ୍ଣ ହୋଇ ଆସେ । ଜଙ୍ଗଲ ଛାଡିଲେ ପଡିବ ଛୋଟ ଛୋଟ ପଡିଆ । ସେଇଠି ପୁଅଝିଅ ଅନେକ ଜୁଟିଛନ୍ତି । ବେଶ ବଡ ପାଟିରେ ଗୀତ ଆରମ୍ଭ କରିଛନ୍ତି ସଭିଏଁ । ସାନ୍ତାଳ ପୁରୁଷ ଆଉ ସ୍ତ୍ରୀ । ବୁଢା ଯାଇ ସେଇଠି ହାଜିର ହୁଏ ଚୁପଚାପ୍। ମଥା ଝିମଝିମ୍ କରୁଛି,ଆଖିରେ ଅଂଧାର ଘୋଟି ଆସୁଛି । କ’ଣ ହେଉଛି ଏଇଠି ? ଫକୀରଚାନ୍ଦ ଖୁସପୂସ୍ କରେ ।
ନିଶାତୁର ସଭିଏଁ ଏଇଠି । ବୁଢାକୁ ଦେଖି ସେମାନଙ୍କୁ ମଜା ଲାଗେ । ବାହାରେ –
କେଉଁ ଗାଆଁରୁ ବାହାରିବା ହେଇଛି ଏଇଟା?
ଦେବା କି ଚାଉଳର ପିଠା ଖଣ୍ଡିଏ ?
ହା ହା ହା । ଖରାରେ ଯେ ବୁଢାର ଚାନ୍ଦି ଫାଟି ଯିବାର ଅବସ୍ଥା । ସେ ବସି ପଡିଛି ନିମଗଛର ଛାଇରେ ।
ଶାଲୁଇ ପୂଜା ହେଉଛି କର୍ତ୍ତା ।
ପାଣି ଦିଅ, ଆଞ୍ଜୁଳାଏ ପାଣି ଦିଅ, ପିଏ ।
ପାଣି ଦିଅ ରେ,ପାଣି ଦିଅ ରେ ବୋଲି ଜଣେ ଦିଜଣ ଚିତ୍କାର କରି ଉଠନ୍ତି । ସଫା ଚକମକ ଗୋଟିଏ ପାତ୍ରରେ ଜଳ ଆସେ । ବୁଢା ତାହାର ମଥାର ଚାନ୍ଦି ଉପରେ ପାଣି ଦିଏ । ଗଳାରେ ପାଣି ଢାଳି ସେ ଧାତସ୍ଥ ହୁଏ । ଦୃଷ୍ଟି ପୁଣି ଫେରି ଆସୁଛି । ନିମଗଛର ଛାଇରେ ବସି ସେ ବୁକୁ ଭରା ନିଃଶ୍ୱାସ ନିଏ ।
ତାହେଲେ ତମର ପୂଜା ଏବେ କାହିଁକି ? କାହିଁକି ? ଜାହେରା ଥାନ,ଶାଲୁଇ ପୂଜା ଜଙ୍ଗଲକୁ ଯିବା । ଲୋକଟାର କଥା ଅସଂଲଗ୍ନ । ଆରପଟେ ସ୍ତ୍ରୀଲୋକମାନେ ଗୀତ ଆରମ୍ଭ କରି ଦେଇଛନ୍ତି । ସେ ଝାପସା ଆଖିରେ ମିଟିମିଟି କରେ । କିଏ ଜଣେ ଧମକ ଦେଇ ସେମାନଙ୍କୁ ଅଟକାଇ ଦିଏ,”ପରଦେଶୀ ମଣିଷ କଥା କହୁଛି ,ଏଇଲେ ଗୀତ ନୁହଁ “।
ସାନ୍ତାଳ ମୁରବୀ ଟଳି ଟଳି ପଚାରେ,” ହଁ । ବୁଢା ବାବୁ ଏବେ କୁଆଡକୁ ?”
କନିଆଡିହି ।
ଘର କେଉଁଠି ?
କୁସୁମପୁର ।
କୁସୁମ ପୁର ! ଆରେ ବାବା ! ଯିବାର ହେବ କନିଆଡିହି,କେତେଦୂର ହେବ ? ତ ଯିବ କାହିଁକି ସେଠିକୁ ?
ବୁଢା ଏଇଲେ ଟିକିଏ ସ୍ଥିର ହୋଇଛି । ସମସ୍ତଙ୍କ ମୁହଁକୁ ଚାହିଁରହେ । ଆଖି ସବୁ ଲାଲ ,ପାଦ ସବୁ ଟଳମଳ ।
ମୁଁ ବଡବାବୁ ପାଖକୁ ଯାଉଛି ।
” ସେ ପୁଣି କେଉଁ ମଣିଷ ! ଫରିଷ୍ଟର ?”
“ଧେତ୍ । ବଡବାବୁର କଥା ଜାଣିନ ।” ବୁଢା କୁ ଭାରି ଅବାକ୍ ଲାଗେ ।
ଫୁଲ ଫୁଟିଲେ କିଏ ବାସ ଛଡାଏ ..। ବୁଢା ବଡବାବୁର କଥା କହେ । ବଡବାବୁର ମହିମାର କଥା ।
“ଆମ ଡେରାରେ ଦରକାର ନାହିଁ । ଆମେ ଭଲ ଅଛୁ ।”
“ହେଇ! ଚୁପ୍ ରହ ।” ଜଣେ କିଏ ଧମକ ଦିଏ,” ବୁଢା,ଆମର ଅନେକ ଦୁଃଖ ଅଛି,ଏଇ ଯେଉଁ ଆକାଶ ତାହାର ପ୍ରମାଣ ଦୁଃଖ ।”
ଫକୀରଚାନ୍ଦ ଆଖି ମିଟିମିଟି କରି ଯୁବତୀମାନଙ୍କୁ ଲୁଚାଚୋରାରେ ଦେଖୁଥାଏ ଆଉ ଅନ୍ୟମନସ୍କ ଭଳି କହି ପକାଏ,” କହି ପକାଅ ତମର ସବୁ ଦୁଃଖ ,ସବୁ ଦୂର ହୋଇ ଯିବ ।”
“ସେକଥା ତ କହିବୁ,ଏଇ ହାଣ୍ଡିଆ ପିଇବୁ ? ଖପ୍ କରି ଜଣେ ବୁଢା ର ହାତକୁ ଧରି ପକାଏ। “
“ନା ହେ,ବଡବାବୁ ପାଖକୁ ଯାଉଛି ପରା !”
“ତାହେଲେ ଆମର ଦୁଃଖ କଥା ଶୁଣ ।”
ଆମର ବଡ ଦୁଃଖ ବୁଢା । ଶାଲୁଇ ପୂଜା ଧୂମଧାମରେ ପାଳନ କରି ହୁଏନା । ଶାଳ ଗଛ ହିଁ ଜୁଟେନା, ଫରିଷ୍ଟର ଚାଲାଣ ଦେବ ଖଡଗପୁର,ଆମର ଏଇଟି ଦୁଃଖ । ଆମର କଷ୍ଟ ହୁଏ ଯେ ପୂଜାରେ ବାରାହା ବଳି ଦେଇ ହେଉନାହିଁ ,କେତେ ଦୁଃଖ ! ଆମର ଝିଅଟା ପରଦେଶୀ ଦିକୁ ସହ ପଳେଇ ଯିବ ବୋଧେ । ବଡ ଦୁଃଖ ,ଗଛ ପାଉନୁ କାଠ କାଟିବୁ,ଶିକାର ଜୁଟୁନି । ସବୁ ଚାଲାଣ ଦେବ ଖଡଗପୁର । ବାରାହା ମିଳେନି,ଶିକାର କଲେ ବୁକୁ ସନ୍ତୁଷ୍ଟ ହେବ । ବୁଢା …ନିଶା କଲେ ପୁଲିସ ଆସି ଧରେ । ସବୁ କିଛିକୁ ଚାଲାଣ ଦେବ
ଝାଡଗ୍ରାମ ।
ଲୋକଟା ନିଜ ଆଣ୍ଠୁସନ୍ଧିରେ ମୁଣ୍ଡ ପୋତି କାନ୍ଦିବାକୁ ଲାଗେ । ପାଖରେ ଥିବା ଲୋକମାନେ ବି କାନ୍ଦିବାକୁ ଲାଗନ୍ତି ।
ବୁଢା ,ତୁ ହେଉଛୁ ଗୋଟିଏ ବଡମଣିଷ । ଆମର ଦୁଃଖ ଶୁଣିଲୁ । ତୁ ହାଣ୍ଡିଆ ପିଇବୁନାହିଁ ତ ଭାତ ଖା । ଭାତ ଖାଇବୁ ନାହିଁ ଯଦି ତେବେ ପାଣି ପି ।
ବୁଢା ର ହାତ ଧରି ତାହାକୁ ଭାତ ଖୁଆନ୍ତି ସେମାନେ । ସେ ମୁହଁ ଖୋଲି କିଛି କହେନି । ତଥାପି ପେଟକୁ ଦେଖିଲେ ଲାଗେ ସେଇଠି ଅନେକ ଜାଗା ଫାଙ୍କା ରହିଛି । ପଛରେ ପଛରେ ଥାଏ ସାନ୍ତାଳମାନଙ୍କର ଦେହୁରୀ । ବୁଢା,ତୁ ବଡବାବୁକୁ କହିବୁ,କହିବୁ ଯେମିତି ବେଦନା ଦୂର ହୋଇଯିବ , ତୁ ଆମର ଭାରି ପ୍ରିୟ !
ଫକୀରଚାନ୍ଦ ନରମ ହୋଇଯାଏ ,” କାଲି ଏଇଠି ଥିବ,ଫେରିବାବେଳେ ତମକୁ ସବୁକଥା କହି କି ଯିବି ।”
କୁସୁମପୁରର ବୁଢା ବାଟ ଚାଲେ । କେତେପାଦ ଯାଇଛି କି ନାହିଁ ଫିକ୍ କରି ହସି ପକାଏ ଆଉ ତାହାପରେ ଉଦାସୀନ ହୋଇଯାଏ । ଆକାଶରେ ଗୁମଗୁମ ଶବ୍ଦ । ମେଘ ର ! ନା ,ମେଘ ନୁହଁ ,କଲେଇକୁଣ୍ଡାର ବାରୁଦର ଶବ୍ଦ । ରିହର୍ସାଲ୍ ଚାଲିଛି ।
ଦୁର୍ଗାହୁଡି ଜଙ୍ଗଲ ପଛକୁ ରହିଯାଏ । ବେଳା ନଇଁ ଆସେ । ଏଇଟା ପାର ହେଲାପରେ ଆଉ ଦୁଇଟି ଗାଆଁ ,ପଡିଆ,ତାହାକୁ ପାର ହେଲେ ସୁବର୍ଣ୍ଣରେଖା ନଦୀ । ସେଇ ନଦୀର ତୀରରେ କନ୍ୟାଡିହା । ସେଇ ନଦୀର ଆଖପାଖରେ ରହୁଛନ୍ତି ବଡବାବୁ । ଦୀର୍ଘ ଉନ୍ନତ ଦେହ । ଗୋରା ତକତକ ଦେହର ରଙ୍ଗ । ମଥାର କେଶ ଏତେଦିନକରେ ଧଳା ହୋଇଯିବଣି ନିଶ୍ଚିତ । ବଡବାବୁକୁ ଦେଖିନି ଫକୀରଚାନ୍ଦ,ଶୁଣିଛି ତା’ର କଥା । ଆଖିରେ ଦେଖିନି ମାତ୍ରକ କାନରେ ଶୁଣିଛି ବହୁତ ।
ବଡବାବୁକୁ ଛୋଟ ସୁନାମାଣ୍ଡିର କଥା କହିବାକୁ ହେବ,କହିବାକୁ ହେବ ଏଇ ଗାଆଁର ସାନ୍ତାଳମାନଙ୍କ କଥା । ନିଜର କଥା ବି କହିବାକୁ ହେବ । ନା,ଯକ୍ଷ ପରିକା କେବଳ ପହରାଦେଇ ବଂଚି ରହିବା ଆଉ ହେଉନି । ହବ ତ ଗୋଟିଏ ପତ୍ନୀ ଦରକାର ନତୁବା ପିଲାଟା ଘରକୁ ଫେରି ଆସୁ । କୁସୁମପୁରର ବୁଢା ଥୁରୁଥୁରୁ ହୋଇ ବାଟ ଚାଲେ । ଆଉ ଏଇ ଭଳି ବାଟ ଚାଲୁଚାଲୁ ମୁଣ୍ଡ ଉପରେ ଆକାଶଟା କେତେବେଳେ ହଜି ଯାଇଛି ଗଛବୃଛର ଆଢୁଆଳରେ ସେକଥା ବୁଢା ଜାଣିପାରିନି। ଏଇଲେ ଜଙ୍ଗଲର ଗହୀରରେ ସେ । ଖରା କେଉଁଠି କେତେବେଳେ ପିଛୁଳି ପଡୁଛି ତ ବାକି ସବୁଆଡେ ଛାଇ,ଛାୟାଘନ । ଜଙ୍ଗଲ ଆଗରୁ ଭୟର ଥିଲା,ଏଇଲେ ଭୟ କମ୍ । ତଥାପି କେତେ ବିସ୍ମୟ ଜମା ହୋଇ ରହିଛି । ଜାନୁଆରମାନଙ୍କ ପିଠିରେ ସବାର ହୋଇ ଜଙ୍ଗଲ ସାରା ଘୁରି ବୁଲନ୍ତି ବଡାମଠାକୁର । ଏଇ ଶାଳଗଛର ମୂଳରେ ସ୍ତୁପାକାରରେ ମାଟିରେ ତିଆରି ହାତୀ ଘୋଡା,ତାଙ୍କର ଆସ୍ଥାନ । କେଉଁଠି ଯେମିତି ଅଛି ରାକ୍ଷସୀ ରୁକ୍ମିଣୀ ଦେବୀର ଥାନ । ବୁଢା ଏକାଲହସରେ ବାଟ ଚାଲେ । ତାହାପରେ ହଠାତ୍ ଗୋଟିଏ ସମୟ ବିପନ୍ନ ହୋଇ ପଡେ । ତିନୋଟି ଦିଗରେ ତିନୋଟି ରାସ୍ତା ପଡିଛି । କେଉଁ ଦିଗରେ ଯିବ ସେ ? ଝାପସା ଆଖିରେ ଏ ଦିଗ ସେ ଦିଗ ଚାହିଁ ତାହାପରେ ହଠାତ୍ ଦେଖେ ଦୂରରେ ଶାଳଗଛ ତଳେ ଉସଖୁସ୍ କରୁଥିବା ପ୍ରାଣୀର ଆକାରଟି ହୁଏତ ଗୋଟିଏ ମଣିଷର ।
ସେ ସେଇଠୁ ଫିସଫିସ ଡାକ ଛାଡେ, କିଏ ଗୋ ମଣିଷ, କିଏ ଯାଉଛ, ଆସ ଏଠିକି ! ଆସ !
ସେଇ ମଣିଷ ଆକାର ହାତ ହଲାଇ ଡାକେ । ବୁଢା ର ଝାପସା ଆଖି ସ୍ଥିର ହୋଇ ଆସେ । ଛାତି ଭିତରଟା ଧକଧକ କରେ । ଜଙ୍ଗଲ ସାରା ଭୟର ଶେଷ ନାହିଁ । ଏଇ କେଉଁ ଅପଦେବତା ନୁହଁ ତ ! ଟିକିଏ ଟିକିଏ ହଲଚଲ ହେଉଛି ମଝିରେ ମଝିରେ । ସେ ଯାହା ହେଉନା କାହିଁକି ଏଇଲେ ଏଇ ଦିଗହରା ବୁଢାକୁ ସେଇଠିକୁ ଯିବାକୁ ହେବ । ସେ ଆଗେଇ ଯାଏ ।
ଝାପସା ଆଖିରେ ସବୁ ସ୍ପଷ୍ଟ ଦେଖେ । ଦେହଟା ତାହାର ଶିରଶିର କରି ଉଠେ । ଇଏ କ’ଣ ? ମଣିଷ ପୁଣି ଏମିତି ଫିସଫିସ କରି କଥା କହିପାରେ । ମହାରୋଗରେ ଦେହଟା ବିଭତ୍ସ । ମୁହଁଟା ଲାଲ ଟହଟହ । ସେ ଭୂଇଁକୁ ଆଶ୍ରାକରି ପଡି ରହିଛି ।
କେଉଁ ଗାଆଁର ଗୋ ତୁ ? ବୁଢା ନିଜର ଗଂଠିରୁ ପଇସା କାଢି ଫୋପାଡି ଦିଏ ସେଇ ଦେହ ଆଡକୁ ।
“ମତେ ମରଣ ଧରିଛି । ହଁ ଗୋ ବୁଢା,କୁଆଡେ ଯିବୁ ? କେଉଁ ଗାଆଁକୁ ?”
“କନିଆଡିହି,ବଡବାବୁ ପାଖକୁ ।”
ଲୋକଟା ନିର୍ବିକାର ଭାବରେ ବସି ରହିଥାଏ ।
“ବଡରୋଗ କେତେଦିନର ତୋର ?”
“ପାଞ୍ଚମାସ ହେବ ଏଇ ପକ୍ଷକୁ ।”
ସାମନାକୁ ଟିକିଏ ଝୁଙ୍କି ତାହାକୁ ଦେଖିବା ପାଇଁ ବୁଢାକୁ ଭାରି ଭୟ ଲାଗେ ।
“କନିଆଡିହି କେଉଁ ଦିଗରେ ?” ଏହାର ଜବାବ ମିଳେନି ।
“ତୁ ବଡବାବୁ ପାଖକୁ ଗଲେ ପ୍ରକୃତ ଔଷଧ ମିଳିଯାଆନ୍ତା ।” ବୁଢା ପୁଣିଥରେ କହେ ।
” ସେ ପୁଣି କିଏ ?” ଗଣଗଣ କରି ଉଠେ କୁଷ୍ଠରୋଗୀର କଣ୍ଠସ୍ୱର ଏଇ ଜଙ୍ଗଲରେ ।
ବୁଢା ର ଦେହରେ ଶୀତ ଘନହୁଏ । ସେ ଥରିଲା ଗଳାରେ କନିଆଡିହାର ବଡମଣିଷର କଥା କହେ । କୁଷ୍ଠରୋଗୀର ଆଖି ସ୍ଫୀତ ହୋଇ ଉଠେ ,ସେ ହାତ ବଢେଇ ବୁଢାକୁ ଧରିବାକୁ ଚାହେଁ । ବୁଢା ଟିକିଏ ଘୁଂଚି ଯାଏ ।
” ମୁଁ ବାଟ ଦେଖାଇଦେଉଛି,ତୁ ତୋର ବଡବାବୁକୁ ମୋ କଥା ଟିକିଏ କହିବୁ ,ଯଦି ରୋଗଟା ଭଲ ହୋଇଯାଏ,ଲୋକାଳୟରେ ଚାଲବୁଲ କରିବାରେ ଭାରି ଇଚ୍ଛାରେ ବୁଢା । ଲୋକଟାର ଗଳା ଶେଷ ଆଡକୁ ଭାରି ହୋଇ ଆସେ ।
ଶେଷରେ ମଣିଷଟା ବାଟ ଦେଖାଇ ଦିଏ । ବୁଢା କଥା ଦିଏ ଯେ ସେ ଔଷଧ ଧରି ଏଇ ବାଟରେ ଫେରିବ । ବଡ ମଣିଷ ଯଦି ଥରଟିଏ ଛୁଇଁଦିଏ ତାହାହେଲେ ତ ରୋଗ ଭଲହୋଇଯିବ,ଲୋକଟାକୁ ଏଇକଥା ସବୁ କହିଥାଏ ବୁଢା ।
ଏଥର ଫକୀରଚାନ୍ଦ ଟିକିଏ ଜୋର୍ ରେ ଚାଲେ । ଛାତି ଯେମିତି ଅନେକ ଓଜନ । ଏଇଭଳି ଦେହ,ବଡରୋଗରେ ଶେଷ । ଏମିତି ନବୀନ ବୟସ । କହିବ ସେ,ବଡବାବୁକୁ ସଭିଙ୍କ କଥା କହିବ । ଏଇ ସମସ୍ତ ମଣିଷ ନଥିଲେ ସେ ବଡବାବୁ ନିକଟରେ ପହଞ୍ଚିଥାଆନ୍ତା କେମିତି ? ସେ ସମସ୍ତଙ୍କ କଥା କହିବ । ସେଇ ମଣିଷର ଇଚ୍ଛାରେ ସକଳ ଙ୍କର ଦୁଃଖର ଶେଷ ହେବ । ସୂର୍ଯ୍ୟ ପଶ୍ଚିମର ନଦୀ ଉପରକୁ ଢଳି ଆସେ । ସେ ଉଦାସୀନ ଭାବରେ ପଥ ଚାଲେ । ଏଇ ତ ବୋଧହୁଏ କନିଆଡିହା,ଏଇ ତ ଦେଖାଯାଉଛି ସୁବର୍ଣ୍ଣ ରେଖା । ଧୋବ ଫରଫର ଦାଲାଣକୋଠା । ଏଇଟି ବଡବାବୁର ଘର । ବୁଢା ଜୋର୍ ରେ ପାଦ ପକାଏ । ମଣିଷର କେତେ ଦୁଃଖ । କେତେ ବେଦନା । ସମସ୍ତଙ୍କର କଷ୍ଟ ଯଦି ଦୂର ହୋଇଯାଆନ୍ତା ତେବେ ବି ନା । ଏଇ କଥାକୁ ଭାବି ଭାବି ବୁଢା ଟିକିଏ ମଧୁର ଭାବରେ ହସେ । କଷ୍ଟ ନହେଲେ ସୁଖକୁ କେମିତି ବୁଝିପାରିବ ଏଇ ମଣିଷ ? ସେଇ ଆଶାରେ ତ ଏତିକି ବାଟ ଏମିତି ଚାଲି ଆସିବାକୁ ହୋଇଛି ।
ଅପରାହ୍ନର ପୃଥିବୀ ବିଷର୍ଣ୍ଣ ହୋଇ ଆସେ । ତାହାର ବୁକୁ ଉତ୍ତେଜନାରେ ଅସ୍ଥିର । ଶୀର୍ଣ୍ଣ ଦେହ ଶୀଥିଳ କୁଞ୍ଚିତ ଚର୍ମ ଝାପସା ଆଖି କୁ ନେଇ ତାହାର ଏଇ ଶରୀର ଉପରେ ଯଥେଷ୍ଟ ଶ୍ରମଭାର ବିତି ଯାଇଛି। ଜିଭ ବାହାରିଆସିବା ଭଳି ହେଉଛି । ବାରଂବାର ନଇଁ ଯାଉଛି ଶରୀର । ଏଇଲେ ଯଦି କେଉଁଠି ଟିକିଏ ନରମ ବିଶ୍ରାମ ପାଆନ୍ତା ସେ ! ଆଉ ସେଇ ଘରେ ଯଦି ତାହାର ବିଗତ ପତ୍ନୀ ବଂଚି ଥାଆନ୍ତା,ପୁଅ ଘରଛାଡି ଯଦି ନପଳାଇଥାଆନ୍ତା, ତାହାହେଲେ ହୁଏତ ଏତେ କଷ୍ଟ ହୁଅନ୍ତା ନାହିଁ । ଶୀଥିଳ ଆରାମରେ ନିଜର ଶରୀରକୁ ଆଉଜାଇ ନେଇ ସେ ଝାପସା ଆଖିରେ ପୃଥିବୀକୁ ଦେଖନ୍ତା । ପରଳ କୁ କାଟି ଆଣନ୍ତା ,ପୁଣି ପରଳ ବଢନ୍ତା ।ତାହାପରେ ଦିନେ ପୁଅର ହାତ ଧରି ଚାଲି ଆସନ୍ତା ଏଠିକୁ । ପୁଅ ତାହାକୁ କାନ୍ଧରେ ବସାଇ ଆଣନ୍ତା , ପିଠି ରେ ଲାଉ କରି ଆଣିଥାନ୍ତା । କନିଆଡିହାର ବଡବାବୁ ତାହାର ଆଖିକୁ ଭଲ କରିଦେଇଥାନ୍ତା । ଫର୍ସା କରିଦେଇଥାନ୍ତା ପୃଥିବୀକୁ । ତାହା ହେବାର ନୁହଁ, ସେଇଥିପାଇଁ ତ ଜୀବନ କୁ ହାତ କରି ଏଇ ଚୈତ୍ରଦିନରେ ଅଦେଖା ବିଶାଳ ପୁରୁଷ ପାଖକୁ ଜୀବନ ସାୟାହ୍ନରେ ଆସି ପହଞ୍ଚିଯାଇଛି ।
ଧୁକଧୁକୁ ଛାତିକୁ ନେଇ ସେ ଚାଲୁଥାଏ । ଛାଇମାନ ଦୀର୍ଘ । ସୂର୍ଯ୍ୟ ନିମ୍ନଗାମୀ । ଫକୀରଚାନ୍ଦ ବିଷର୍ଣ୍ଣ ବୋଧ କରେ । ଦିନର ଶେଷ ବେଳାରେ ହିଁ ଚନ୍ଦ୍ରମାର ହାଟରେ ସଂସାରର କଥା ମନେପଡେ । ଗାଆଁ ବୁଢା ଆସି ସୁବର୍ଣ୍ଣରେଖାର କୂଳରେ ଆସି
ପହଞ୍ଚିଯାଏ । ଏଠିକାର ନାଆଁ କନ୍ୟାଡିହା । ଚାରିଆଡୁ ବିଷର୍ଣ୍ଣ ବତାସ ବହିଆସୁଛି ସୁବର୍ଣ୍ଣରେଖାର କୂଳକୁ । ଏଇ ଗାଆଁ ରେ ବଡବାବୁ ରହନ୍ତି ।
ନଦୀ ଗାଆଁ ର ପୂରାଟାକୁ ଖାଇ ଦେଲାଣି । ଏଇଠି ସେଇଠି ଇତସ୍ତତଃ ପଡିରହିଛି ବାସ୍ତୁଭିଟାର ଚିହ୍ନ । ନାନାଜାତିର କଣ୍ଟାଝଣ୍ଟାର ବୁଦାରେ ଭରା ଅନ୍ଧକାର । ଆଉ ଆଶ୍ଚର୍ଯ୍ୟ କେଉଁଠି ଗୋଟିଏ ହେଲେ ଲୋକ ନାହିଁ । ବୁଢା ର ଆଜି ଝାପସା ହୋଇ ଆସେ । ଦୃଷ୍ଟି ଅସ୍ୱଚ୍ଛ। ଅସ୍ୱଚ୍ଛ ଆଖିରେ ସେ ମଣିଷ ଖୋଜେ । ମଣିଷ ତ କେହି ଜଣେ କି କିଏ ରହିଥିବେ । ବଡବାବୁର ଗାଆଁ ତ ଏଇଟି ହେବ ଆଉ ଏହା ପରେ ନଦୀ ନେଇଛି ଏକ ବିପଜ୍ଜନକ ବାଙ୍କ,ଆଉ ତାହାପରେ ଗାଆଁ ଆସିବ କେଉଁଠୁ ?
ଶରୀର ଅବଶ ହୋଇ ଆସେ । ଏଇଟି ହୁଏତ କନିଆଡିହା ନୁହଁ । ବାଟ ଭୁଲ ହୋଇଛି ।
ଆଖପାଖରେ କେଉଁଠି ଅଛି । ଅନ୍ୟ କେଉଁଠି । ଅନ୍ୟସ୍ଥାନରେ କେଉଁଠି ।
କ୍ରମେ ଅଂଧକାର ବିସ୍ତୃତ ହୁଏ । ନଦୀର ପରପାରିରୁ ବତାସ ଆସି ବୁଢାକୁ ଛୁଏଁ । ଅନ୍ଧକାର ଗାଢ ହୁଏ । ବିପନ୍ନ ଗାଆଁବୁଢା ଏପଟ ସେପଟ ମଣିଷ ଖୋଜୁଥାଏ । ତାହାପରେ ହଠାତ୍ ଗୋଟିଏ ସମୟରେ ପାଦପାଖରେ ଧୂମାୟିତ ଆଲୁଅକୁ ଝୁଲାଇ ରଖି ଜଣେ କିଏ ମଣିଷ ଫକୀରଚାନ୍ଦକୁ ପାର ହୋଇଯାଏ,ଗାଆଁବୁଢା ତରତରରେ ଚିତ୍କାର କରେ ,କିଏ ଯାଉଛ ଗୋ ମଣିଷ,ଆସ । ସେହି ମଣିଷ ଅଟକି ଯାଏ ।
“ବଡବାବୁର ଘର କେଉଁ ଗାଆଁରେ ?”
ବଡବାବୁ ! ବିସ୍ମୟରେ ସେ ଚାହିଁ ରହେ ଗାଆଁବୁଢାକୁ ,ଅଂଧାରରେ ।
ଗାଆଁବୁଢା ଥରିଲାଗଳାରେ ବଡବାବୁର ମହିମାର କଥା ବଖାଣ କରେ । ସେ ପରିଶ୍ରାନ୍ତ ମଣିଷକୁ ବିଶ୍ରାମ ଦିଅନ୍ତି,ଅଫୁରନ୍ତ ଜୀବନର କଥା କହନ୍ତି । କେତେ ଦୁରୂହ ସମସ୍ୟାକୁ ବେଶ୍ ଅବଲୀଳାକ୍ରମେ ତାହାର ସମାଧାନ କରିଦେଇଥାନ୍ତି ସେ । ସେ ବଡ ମଣିଷ । ବିଶାଳ ଏକ ପୁରୁଷ । ରୋଗ ଶୋକ ତାପ ପାଇଁ ତାଙ୍କର ନିକଟ ହିଁ ଆଶ୍ରୟ ।
ଏଇ ମଣିଷ ଟିକିଏ ଖନେଇବା ଭଳି ଗଳାରେ ହସିଉଠେ,” ହା ହା ,ତମେ ସ୍ୱପ୍ନ ଦେଖୁଛ ,ଗାଆଁବୁଢା,ଏଇ ଭଳିକା ମଣିଷ କାଇଁ ? କେଉଁଠି ନାହିଁ । ଏଇ ଭଳି ମଣିଷ ଆଜି କାଲି ଆଉ ନାହାଁନ୍ତି ,ନାହାଁନ୍ତି ଆଉ ।” ଲୋକ ଜଣକ ସମତା ତଳକୁ କରି ଆଗେଇ ଯାଏ,ଫଳତଃ ଫକୀରଚାନ୍ଦ ନିଃସଙ୍ଗ ।
ସେତେବେଳେ ଅଂଧକାରର ପୃଥିବୀରେ ଚନ୍ଦ୍ର ଭାସୁଛି ଗେରୁଆବର୍ଣ୍ଣର ଡିମ୍ବାକାରରେ । ତାହାର ସାମ୍ନାରେ ଅନ୍ତହୀନ ଚରାଚରରେ କେହି ନାହିଁ । ସେଇ ବିଶାଳ ପୁରୁଷ ବି ନାହିଁ । ଏକମାତ୍ର ରହିଛି ନିଜର ଏମିତି ବ୍ୟାପକ ପ୍ରବାହ ସହ ଏଇ ନଦୀ । ସବୁ କେମିତି ରହସ୍ୟମୟ । ବୁଢା ର ମଥା ଠିକ୍ ନାହିଁ,ସବୁ ଭୁଲ ହୋଇ ଯାଉଛି । ବଡବାବୁ,ଶେଷକୁ ତମେ ଆଉ ରହିଲ ନାହିଁ । ମଣିଷ କହିଲେ ଏମିତି ମଣିଷ ଆଉ ଠିକ୍ ନାହାଁନ୍ତି । ତୁମେ ରହିଲ ନାହିଁ ତାହାହେଲେ ମୋର କଷ୍ଟ,ଛୋଟ ସୁନାର ଦୁଃଖ,କୁଷ୍ଠରୋଗୀର ଜୀବନ ଆଉ ସେଇ ସାନ୍ତାଳ ଗାଆଁର କଷ୍ଟ ବେଦନା କେଉଁ ଭଳି ହଜି ପାରିବ ?
ସେ ନଦୀ କୂଳକୁ ଯାଏ । ଅଳ୍ପ ଆଲୁଅରେ ବାଲୁକାକଣାମାନ ଚିକମିକ୍ । ସେଇ ବିସ୍ତୀର୍ଣ୍ଣ ବାଲୁକଶଯ୍ୟାରେ ଉଦାର ଆକାଶ ର ତଳେ ଛିଡାହୋଇ ସେ ତୀବ୍ର ଚିତ୍କାର କରେ,” ଯକ୍ଷ ଭଳି ପହରା ଦେବ କେମିତି ବଡବାବୁ,ଅଂଶ ଆଖିରେ ବଂଚି ରହିବ କେମିତି ବଡ ମଣିଷ ?”
ଏଇ ନଦୀଟା ରହିଯାଇଛି ଅଥଚ ସେ ମଣିଷଟା ରହିଲା ନାହିଁ । ନିଃଶବ୍ଦରେ କେତେବେଳେ ଚାଲି ଯାଇଛି ଅଥଚ ଦୁଃଖ କଷ୍ଟ ବେଦନା ଆଉ ବିଶ୍ୱାସକୁ ଥାପି ଯାଇଛି ଗାଆଁବୁଢାର ମନଭିତରେ ।
“ଚାଲି ଗଲ ଯଦି ସବୁ ଦୁଃଖଗୁଡାକୁ ସାଥିରେ ନେଲଗଲନାହିଁ କିଆଁ ?” ବୁଢା ଫିସଫିସ୍ କରି ନଦୀ ସହିତ କଥା ହୁଏ । ଦୂରରୁ କେଉଁଠି ଛପଛପ୍ ଶବ୍ଦ ଆସୁଛି । ବଡ ମଣିଷର ଦୂର ହେଉଥିବାର ପାଦଶବ୍ଦ ।
ଗାଆଁବୁଢା ଦୌଡିଯିବାକୁ ଚେଷ୍ଟା କରି ବାଲିରେ ମୁହଁମାଡି ପଡିଯାଏ । ଗୋଟିଏ ଆକାଶ ପୃଥିବୀ ଉପରେ ପଡିଥାଏ । ସବୁ ନୈଶବ୍ଦରେ ତୁବିଯାଏ । ତାହାପରେ ଗୋଟିଏ ସମୟରେ ସବୁଜ ଆଲୁଅ ଜଳାଇ ଗୋଟିଏ ଉଡାକଳ ନୈଃଶବ୍ଦକୁ ଭାଙ୍ଗି ଚାଲିଯାଏ ।
ଫେରିବା ରାସ୍ତାରେ ସେଇ ଜଙ୍ଗଲରେ ସେଇ ପଡିଆରେ ସେଇ ଖାଲର ଧାରରେ ଅପେକ୍ଷା କରି ରହିଥାନ୍ତି ଯିଏ ଯେମିତି । କୁସୁମପୁରର ବୁଢା କାଲି ଫେରିନାହିଁ , ଆଜି ଫେରିନି ତଥାପି ଫେରିବ ନିଶ୍ଚୟ ।
°°°°°