ଯିଏ ହଜିଯାଏ

ମୂଳ ଲେଖା : ଆଲବେର୍ତୋ ଫୁଗୁଏତ || ଅନୁବାଦ : ଜ୍ୟୋତି ନନ୍ଦ

ଯେଉଁ ଦେଶଟି ନିରୁଦ୍ଦିଷ୍ଟରେ ଭରା ସେଇଠି ଆଉ ଯାହା କିଛି ହେଉନା କାହିକି ହଜିଯିବା ଭାରି ସହଜ। ଯେତେକ ଗୁରୁତ୍ୱପୂର୍ଣ୍ଣ ପ୍ରୟାସ ସବୁ କିଛି ରହିଥିବ ମୃତକଙ୍କ ଉପରେ,ତେଣୁ ଆମ ମାନଙ୍କ ଭିତରେ ଯିଏ ସବୁ ଜୀବନରେ ଅଛନ୍ତି ସେମାନେ ସବୁ ଖୁବ୍ ଶିଘ୍ର ଫିକା ପଡିଯିବେ। ସେମାନେ କାହାକୁ ଖୋଜିବା ପାଇଁ ଆସନ୍ତିନି, ସେମାନେ ଏପରିକି ଜାଣିପାରନ୍ତିନି ଯେ ତମେ ଆଉ ନାହଁ। ଯଦି ମୁଁ ତମକୁ ଆଗରୁ ଦେଖିଛି,ମୋର ସେକଥା ମନେ ନାହିଁ । ତମେ ଦେଖିବ ,ସମସ୍ତଙ୍କର ସେଇଠେ ସ୍ମୃତି ଶକ୍ତି ବଡ ଦୁର୍ବଳ। ହୁଏତ ସେମାନଙ୍କର ମନେ ନାହିଁ ବା ସେମାନେ ଅସଲରେ ମନେ ରଖିବାକୁ ଚାହାଁନ୍ତି ନାହିଁ।

ଜଣେ ପ୍ରଫେସର୍ ଏକଦା ମୋତେ କହିଥିଲେ ଯେ ମୁଁ ହଜିଯାଇଛି। ମୁଁ ତାହାର ଊତ୍ତତରେ କହିଥିଲି ତମେ ନିଜେ ହଜିଯିବାକୁ ଗଲେ,ସବା ଆଗ ତମକୁ ଜାଣିବାକୁ ପଡିବ ଯେ ତମେ ଅଛ କେଉଁଠି ?

ତାହାପରେ ମୋର ମନକୁ ଆସିଲା,ଯଦି କଥାଟି ଏହାର ଓଲଟା ହୁଏ ତେବେ କ’ଣ ?

ମୁଁ ପନ୍ଦର ବର୍ଷ ପାଇଁ ଲିଭି ଯାଇଥିଲି। ମୁଁ ସବୁକିଛିକୁ ତେଜ୍ୟା କରିଥିଲି ଏପରିକି ନିଜକୁ ବି। ସେଇଠି ଗୋଟିଏ ପ୍ରଶ୍ନଖେଳ ଚାଲିଥିଲା,ମୁଁ ଭାଗ ନେଇ ନଥିଲି। ମୋର ଝିଅସାଙ୍ଗ ଗୋଟିଏ ଜନ୍ମଦିନ ପାର୍ଟି ଦେଉଥିଲା ଆଉ ମୁଁ ସେଥିରେ କେବେ ନିଜକୁ ଦେଖାଇବାର ନଥିଲା। ମୁଁ ଲସ୍ ଭିଲୋସ୍ ଦିଗରେ ଯାଉଥିବା ଗୋଟିଏ ବସ୍ ରେ ଚଢିଥିଲି।ମୋର କୌଣସି ଯୋଜନା ନଥିଲା,ଏହା ସେମିତି ସେମିତି ଘଟିଯାଇଥିଲା। ଏହା ଯେମିତି ଘଟିଯିବା ପାଇଁ ଥିଲା ଘଟଣାଟିଏ ଆଉ ସେଇଠୁ ଫେରିବାର ବାଟ ନଥିଲା।

ପ୍ରଥମରେ ନିଜକୁ ଦୋଷୀ ଲାଗିଲା। ତାହାପରେ ପଛେ ପଛେ ଚାଲିଲି। ସେମାନେ କ’ଣ ମୋ ପଛରେ ଆସିବେ? ସେମାନେ କ’ଣ ମୋତେ ଖୋଜି ପାଇଯିବେ ? ଯଦି ମୁଁ କାହାକୁ ଦୈବାତ୍ ଭେଟିବାକୁ ପାଏ ?

ହେଲେ ମୁଁ କାହାକୁ ସେମିତି ଦୈବାତ୍ ଭେଟିନାହିଁ।

ସେମାନେ କହନ୍ତି ପୃଥିବୀ ହେଉଛି ଖଣ୍ଡିଏ ରୁମାଲ୍।ଏହା ନୁହଁ। ଲୋକମାନେ ଯେଉଁମାନେ କହନ୍ତି ଯେ ସେମାନେ ଜାଣନ୍ତି ପୃଥିବୀ ଦେଖିବାକୁ କେମିତି । ଏହା ବିଶାଳ ଆଉ ତାହାଛଡା ଅଦ୍ଭୁତ ଆଉ ବିଦେଶ । ତମେ ମନଇଚ୍ଛା ଯୁଆଡେ ଚାହିଁବ ସିଆଡେ ବୁଲି ପାରିବ,କାହାର ସେଥିରେ କିଛି ଯାଏ ଆସେ ନାହିଁ ।

ବର୍ତ୍ତମାନ ମୁଁ ସାବାଳକ। କିଛି ମାତ୍ରାରେ। ମୋ ପଛରେ କେଶ ଆଉଜି ଅଛି ଆଉ ବେଳେବେଳେ ଜିପର୍ କୁ  ଜିପ୍ କରେନି । ମୁଁ ଅନେକ ଜାଗାକୁ ଯାଇଛି ଆଉ ଯାହାକୁ  କରିବି ନାହିଁ ବୋଲି ଭାବିଛି ସେଇଭଳି ଅନେକ  କଥା କରିଛି। ହେଲେ ତମେ ବଞ୍ଚିବର୍ତ୍ତି ଅଛ । ତମେ ଏଥିରେ ଅଭ୍ୟସ୍ତ ହୋଇ ଗଲଣି। କିଛି ଖରାପ ନୁହଁ। କିଛି ।

ମୁଁ ଅନେକ ଜାଗାକୁ ଯାଇଛି। ତମେ ତୁମ୍ବେସକୁ ଯାଇଛ ? ବୁଏନାଭେନ୍ତୁରା ର ବନ୍ଦରକୁ ? ଅଥବା ସାନ ପେଦ୍ରୋ ସୁଲା କୁ ? ମେମ୍ଫିସ୍ ଜାଗାଟି କେମିତି ?

ଗୋଟିଏ କୁକୁରଛୁଆ ଭଳି ମୁଁ କେମାର୍ଟରୁ ବାହାରି ଆସିଥିବା ଝିଅଟିର ପଛେପଛେ କାଲିଫୋର୍ଣ୍ଣିଆର  ଏଲ୍ ସେଣ୍ଟ୍ରୋ ପର୍ଯ୍ୟନ୍ତ ଯାଇଥିଲି, ସାର ଭଳିଆ ସେଇ ସହରଟାର ବାସ୍ନା । ସଂପର୍କଟା ବଢି ଆସିବା ଆଗରୁ ଶେଷ ହୋଇଗଲା। ମୁଁ ତାହାପରେ କଲରାଡୋ ନଦୀ କୂଳରେ  ଲାଫଲିନ,ନେଭାଦା ର କେତୋଟି କାସିନୋ ରେ କାମ କରିଥିଲି । ମୁଁ ବୁଲହେଡ ସହରରେ ଗୋଟିଏ ଘରେ ରହୁଥିଲି,ମୋ ସହିତ ରହୁଥିଲେ ଫ୍ରାନସେସ୍ ବୋଲି ଜଣେ ମହିଳା ଆଉ ଫ୍ରାଙ୍କ ବୋଲି ଜଣେ କିନ୍ନର,ହେଲେ ଆମେ କେହି  କାହାକୁ ଦେଖିନାହୁଁ । ଆମେ ପରସ୍ପର ଉଦ୍ଦେଶ୍ୟରେ ଚିରକୁଟ୍ ଲେଖା ଛାଡି ଯାଉ। ସେ ଦିଜଣଙ୍କର ଅସମ୍ଭବ ବନାନ ଭୂଲ।

ଦିନେ, ତୁଲସାରେ ରାତ୍ରୀ ଭୋଜନ କରିବା ବେଳେ ଜଣେ ମହିଳା ମୋତେ କହିଥିଲା ଯେ ମୁଁ ତାହାର ପୁଅ ଭଳି ଦେଖାଯାଉଛି ,ସେଇ ପୁଅ ଘରକୁ ଆଉ ଫେରିନି। “ତୁ କାହିଁକି ଭାବୁଛୁ ଯେ ସେ ପଳାଇଯାଇଛି ?” ସେ ପଚାରେ। ମୁଁ କହେ ,ମୁଁ ସେକଥା ଜାଣିନି। ମାତ୍ର ହୁଏତ ମୁଁ ଜାଣେ।

ଅଥବା ହୁଏତ ନୁହଁ।

ଇଚ୍ଛା ନଥାଇ ବି ,ମୁଁ ଶେଷରେ ସ୍ପେନୀୟ ପିଲାଙ୍କୁ ଗାଲଭେଷ୍ଟନରେ ଇଂରାଜୀ ପଢାଇବାକୁ ଲାଗିଲି। ଟେକ୍ସାସ ର ଜାତୀୟ ପତାକାଟି ଅନେକ ପରିମାଣରେ ଚିଲ୍ଲିର ପତାକା ଭଳି ଲାଗେ। ଝିଅମାନଙ୍କ ଭିତରୁ ଗୋଟିଏ ମୋ କୋଳରେ ଆଖିବୁଜି ଦେଇଥିଲା। ଦୋଳିରୁ ସେ ଖସିପଡିଥିଲା : ମୁଁ ତାହାକୁ ଯେତେବେଳେ ଜୋର୍ କରିଥିଲି ସେ ପଢା ସିଟ୍ କୁ ଛାଡି ଉଡି ଯାଇଥିଲା। ମନେହେବ  ସେ ଯେମିତି ଦୁଇ ମିନିଟ୍ ପାଇଁ ଗଲ୍ଫର ଧୂସର ଆକାଶକୁ ଉଡିଯାଇଛି। ମୁଁ ତାହାକୁ କଷ୍ଟ ଦେବାକୁ ଚାହୁଁ ନଥିଲି ,ହେଲେ ସେ ଯାହା ହେଉ,ମୁଁ ତାହାକୁ କଷ୍ଟ ଦେଇଛି। ତେବେ..  କ’ଣ ହେଲା ?

ତମେ କ’ଣ କରିବ ?

ତମେ ମେରିଦା ଯାଇଛ ? ମାୟା ସଭ୍ୟତାର ୟୁକାତନ ଅଂଚଳର ସହର ମେରିଦା ? ଖରାଦିନେ ସେଇଠି ପାରା ୧୦୮ ଡିଗ୍ରୀ ହୋଇଯାଏ ,ଏବଂ ସେଇଠି ସେମାନେ ସହରତଳି ଅଂଚଳକୁ ରବିବାର ଦିନ ବନ୍ଦବାନ୍ଦ କରିଥାନ୍ତି,ଯାହାଫଳରେ ଲୋକମାନେ ମନଇଚ୍ଛାରେ ନାଚି ପାରିବେ।ବେଳେ ବେଳେ ମୋତେ ଗୋଟିଏ ଗୋଟିଏ ସଂଗିନୀ ଝିଅ ମିଳିଯାଆନ୍ତି ଆଉ ମୁଁ ସେମାନଙ୍କ ସହିତ ଯୋଗଦିଏ ।

ଗଲା ବର୍ଷ ମୁଁ ମୋ ନାଆଁକୁ ଗୁଗଲ୍ କରିଥିଲି। ହୁଏତ ସେମାନେ ମୋ ପାଇଁ ସେଇ ଖୋଜିବାର କାମଟି କରିଥିଲେ। ହେଲେ ତଥାପି ବି ମୁଁ ନିଜକୁ ପାଇ ପାରିନଥିଲି । କେବଳ ଜଣେ କିନ୍ନର ମୋ ଭଳି ସମାନ ତା’ର  ନାଆଁ “ଭେନଜୁଏଲା ର ବାର୍କିସିମେତୋ” ରେ ରହୁଛି। ତାହାର ଦନ୍ତରୋଗ ଚିକିତ୍ସାର  ପସାର ଅଛି। ତାହାର ତିନୋଟି ପିଲା ଆଉ ସେ ଈଶ୍ୱରଙ୍କୁ ଖୁବ୍ ବିଶ୍ୱାସ କରେ।

ବେଳେବେଳେ ମୁଁ ସ୍ୱପ୍ନ ଦେଖେ, ମୁଁ ବାର୍କିସିମେତୋରେ ରହୁଛି,ମୋର ତିନୋଟି ପିଲା ଆଉ ମୁଁ ଈଶ୍ୱରଙ୍କୁ ବିଶ୍ୱାସ କରେ । ବେଳେ ବେଳେ ମୁଁ ସ୍ୱପ୍ନ ଦେଖେ ଯେ ସେମାନେ ମୋତେ ଖୋଜି ପାଇ ଯାଇଛନ୍ତି ।

ତମେ ନିଜେ ହଜିଯିବାକୁ ଗଲେ,ସବା ଆଗ ତମକୁ ଜାଣିବାକୁ ପଡିବ ଯେ ,ତମେ ଅଛ କେଉଠି ?

ଆମେ ଅସଲରେ ଥାଉ କେଉଁଠି ଆଉ କେଉଁଠି ହଜିଯାଉ ? ହଜି ଯାଉ ନା ହଜି ପାରୁନା ?

ମଣିଷର ସମକାଳର ଜୀବନବୋଧର ଏକ ଜଟିଳ କାହାଣୀକୁ ଆପଣମାନେ ଭେଟିବେ ଏଇଠି।

ଆଲବେର୍ତୋ ଫୁଗୁଏତ ଚିଲ୍ଲିର କଥାକାର,ଚିତ୍ର ସମୀକ୍ଷକ ଆଉ ଚିତ୍ର ନିର୍ମାତା। ୧୯୯୯ ମସିହାରେ “ଟାଇମ୍” ପତ୍ରିକା ତାଙ୍କୁ ନୂତନ ଶତାବ୍ଦୀର  ଲାଟିନ ଆମେରିକୀୟ ସାହିତ୍ୟରେ ପଚାଶ ଜଣ ଗୁରୁତ୍ୱପୂର୍ଣ୍ଣ ଲେଖକଙ୍କ ମଧ୍ୟରେ ତାଙ୍କୁ ନାମିତ କରିଥିଲା।

About Jyoti Nanda

Jyoti Nanda is a writer, translator based in Bhubaneswar.

View all posts by Jyoti Nanda →