୫୦୩ ଫୁଟିଆ ଗଛ , ଫାଳେ ସ୍ୱପ୍ନ ଓ ଚଉଠେ ବିଜ୍ଞାନ

କୁଟୁକୁଟା ଓ ଛେଚାକୁଟା ଦୁଇ ଭାଇ ।  ଦୁଇ ଭାଇ ଫାଳେ ଫାଳେ ହେଇ ସପ୍ନ ଦେଖନ୍ତି ।  ଆରମ୍ଭରୁ ଅଧା ଯାଏଁ କୁଟୁକୁଟା ସ୍ୱପ୍ନ ଦେଖେ ।  ସ୍ୱପ୍ନ ଦେଖି ଦେଖି ମଝିରେ ସେ ହାଲିଆ ହେଇପଡେ  । ଆଉ ସେ ସେମିତି ଶୋଇରହି କହି ଉଠେ ରହ ରହ । ଏତିକିରେ ସେଇଠି ସ୍ୱପ୍ନଟା ଅଟକି ରହିଯାଏ । ତାପରେ ସେ ବଡ ଜୋରରେ କୁନ୍ଥେଇ କାନ୍ଥେଇ ହୁଏ । ଆଉ ସେମିତି ଶୋଇ ରହି ବଡ ପାଟିରେ କୁହାଟ ଛାଡେ ।… ହେ ଛେଚାକୁଟା- ନେରେ …ମୋ ସ୍ୱପ୍ନକୁ ନେ । ମୋତେ ବାଧିଲାଣି । ମୁଁ ଟିକେ ଥକା ମେଣ୍ଟାଉଚି । ତୁ ମୋ ବଳକା ସପନକୁ ଦେଖିନେ । ଆଉ ସତକୁ ସତ ଛେଚାକୁଟା ବଳକା ସ୍ୱପ୍ନକୁ ନେଇଯାଏ । ଆଉ ଛେଚାକୁଟାର ସ୍ୱପ୍ନ ଦେଖା ଆରମ୍ଭ ହେଇଯାଏ । ଏମିତି ଯୁଗ ଯୁରରୁ ଚାଲିଥିଲା । ଠିକ ଭାବରେ ଦୁଇ ଭାଇ ଅଧା ଅଧା କରି ସ୍ୱପ୍ନ ଦେଖନ୍ତି । ଅବଶ୍ୟ ପାଖ ଘରେ ସେମାନଙ୍କ ବାପା ଲୋଚାକୋଚା ଶୋଇରହି ଦୁଇ ପୁଅଙ୍କ ସ୍ୱପ୍ନ ଉପରେ ନଜର ରଖିଥାଏ  । ସ୍ୱପ୍ନ ଦେଖାରେ କାଳେ କିଏ କିଛି ଗଡବଡ ବା ବଦମାସୀ କରିଦେବ ସେଥିପାଇଁ ବୁଢା ଲୋଚାକୋଚା ଏମିତି ଉପାୟଟେ କରିଥାଏ  । ରାତିରେ ଦେଖିଥିବା ସ୍ୱପ୍ନ ବିଷୟରେ ଦିନ ସାରା ବସି ବସି ଗପନ୍ତି କୁଟୁକୁଟା ଓ ଛେଚାକୁଟା   ।

ଦିନେ ଛେଚାକୁଟା କହିଲା ବୁଝିଲୁ ଭାଇ, ତୁ କିଆଁ ଇଂରେଜିରେ ସ୍ୱପ୍ନ ଦେଖିଲୁ କହିଲୁ ? କୁଟୁକୁଟା କହିଲା କଣ ହେଲାକିରେ ? ଛେଚାକୁଟା କହିଲା ମୁଁ ସେ ସ୍ୱପ୍ନର ଅଧା ବୁଝିଲି, ଅଧା ବୁଝିପାରିଲିନି  । ସେଇଠୁ କୁଟୁକୁଟା କହିଲା  ଆବେ ନା ବେ  । ମୁଁ ସେ ସ୍ୱପ୍ନଟା ଇଂଲିଶରେ ନୁହେଁ, ହିନ୍ଦୀରେ ଦେଖିଥିଲି । ମୁଁ କଣ ଫରେନ ଯାଇଚି ଯେ ଇଂଲିଶରେ ସ୍ୱପ୍ନ ଦେଖିପାରିବି ? କୁଟୁକୁଟା କଥା ଶୁଣି ଛେଚାକୁଟା କହିଲା – ଆରେ ଭାଇ, କୋଉ ରାଇଜଟା ଫରେନ କିରେ ? ସେଇଠୁ କୁଟୁକୁଟା ଟିକେ ଛାତି ଫୁଲେଇ କହିଲା-ପୃଥିବୀର ଛାତି ବାହାର ରାଇଜଟା ଫରେନ  । ଏଠୁ ସେଟା କେତେ ଦୂର କିରେ? ପଚାରିଲା ଛେଚାକୁଟା । ରହ , ଏତିକି କହି ସେ ଭୂଇଁରେ ଚାଖେେ¨ ଆଉ ଚାରି ଅଙ୍ଗୁଳି ମାପି ଗାର କାଟି ଆଖି ବୁଜି ଧ୍ୟାନ କଲା  । ଛେଚାକୁଟା ପଚାରିଲା କଣ କରୁଚୁକିରେ  । ଗୋଟେ ଆଖି ଖୋଲି କୁଟୁକୁଟା କହିଲା ଫରେନର ବାଟ ମାପୁଚି  । ତାପରେ କିଛି ସମୟ ପରେ ଦୁଇ ଆଖି ଖୋଲି କହିଲା ଦିଲ୍ଲୀରୁ ୧୦୦ କୋଶ ୨୨ ମାଇଲ ଆଉ ଚାରେଣାର ବାଟ କି ଆଉ ମାଣେ କି ଦୁଇ ମାଣ କି ସେରେ ଅବା ବେଶୀରେ ବେଶୀ କିଲେ ଅଧିକା ହେଇଥିବ  । ଛେଚାକୁଟା କହିଲା ଏତେ ଦୂର  । ସେଇଠୁ କୁଟୁକୁଟା କହିଲା ଆଉ , ତୁ କଣଟା ଆଉ ଭାବିଚୁକି ? ଏଥର ଛେଚାକୁଟା ପଚାରିଲା କେମିତି ଜାଣିଲୁ  । କୁଟୁକୁଟା ଦାନ୍ତ ନିଖୁଟେଇ ଗର୍ବରେ କହିଲା-ଆଇନ ପାଠରୁ ମୁଁ ଏତିକି ଜାଣିଚି A+Bର  ହୋଲସ୍କୋୟାର ହେଉଛି A ସ୍କୋୟାର ପ୍ଲସ Cସ୍କୋୟାର ମାଇନସ୍ ଟୁ BC । ୟାକୁ ତୁ ଯଦି ଗଣିତ ଆଉ ଭୂଗୋଳ ସହ ମିଶେଇକି ଗଣନା କରିବୁ ତେବେ ଫଳାଫଳ ଯାହା ହେବ, ସେତିକି ହେଉଛି ଫରେନର ଦୂରତା  । ବୁଝିଲୁ  । ପଚାରିଲା କୁଟୁକୁଟା  । ହଁ ଭାଇ ବୁଝିଲି  । ଯେମିତି ତୁ କହିଥିଲୁ ଚନ୍ଦ୍ର ଆମଠାରୁ ଦି ନଗି ଚାରି ବାଡି ଆଠ ଫୁଟ ନଅ ହାତ ଦି ଲିଟର ଦୂରରେ ଅଛି , ସେମିତି ତ । ହେଲେ ଭାଈ , ତୋର କି ଜ୍ଞାନ କିରେ  । ମତେ ସେଥିରୁ ଅଧ କିଲେ କି କିଲେ ଦିଅନ୍ତୁନି  । କହିଲା ଛେଚାକୁଟା । ଦେବିରେ ଦେବି । ତୁ ଆଉ ଟିକେ ବଡ ହେଇଯା । ତୋ ପେଟଫେଟ ଟିକେ ବାହାରି ପଡୁ । ତାପରେ ଦେବି  । ଅବିକା ଦେଲେ ତୁ ସେ ଜ୍ଞାନକୁ କୋଉଠି ରଖିବୁ ? ୟା ପରେ ଛେଚାକୁଟା କହିଲା ଭାଈ, ଫରେନକୁ କେମିତି ଯାଆନ୍ତି କିରେ ? ଦରିଆ ପାରି ହେଇ ? ଚାଲୁନୁ ଆମେ ସେଇ ବାଟେ ଦିନେ ଯାଇକି ଫରେନ ଦେଖି ଆସିବା । ଆବେ ଆବେ ଆବେ ରହ ରହ ରହ … କଣ କହିଲୁ ସମୁଦ୍ର ବାଟେ ଯିବୁ । ଆବେ ସମୁଦ୍ର ବାଟେ ଗଲେ ସମୁଦ୍ର ଆଉ ରହିବଟି ? ନିଆଁ ଲାଗି ଯିବରେ ବାପ ଧନ  । ସମୁଦ୍ରଟା ସାରା ନିଆଁରେ ପୋଡି ହେଇ ନଷ୍ଟ ଭ୍ରଷ୍ଟ ହେଇଯିବନି  ।  ଛେଚାକୁଟା କହିଲା ମଲା ମଲା, ଆମେ କଣ ସାଙ୍ଗରେ ଦି ଗରା ପାଣି ନେଇକି ଯିବାନିକି ? ନିଆଁ ଧରୁ ଧରୁ ଗରେ ପାଣି ପକେଇ ଦେଲେ ପା ସମୁଦ୍ରର ନିଆଁ ଦେଖୁ ଦେଖୁ ନିଭିଯିବ  । ହଁ, ହେଇପାରେ  । ହଉ , ତୁ କହୁଚୁ ଯଦି ଦିନେ ସକାଳୁ ସକାଳୁ ଫରେନ ଯାଇ ରାତିକୁ ଫେରି ଆସିବା  । କହିଲା କୁଟୁକୁଟା  ।

ଦିନକର କଥା  । ଦୁଇ ଭାଇ ପୂର୍ବ ରାତିରେ ଦେଖିଥିବା ସ୍ୱପ୍ନ ବିଷୟରେ କଥା ହେଉଥାନ୍ତି  । ୟାରି ଭିତରେ ବଡ ଭାଇ କୁଟୁକୁଟା କହିଲା- ବୁଝିଲୁକିରେ ଛେଚାକୁଟା, ଭାବୁଚି ଦିନେ ମୁଁ ବଙ୍ଗଳା ଭାଷାରେ ସ୍ୱପ୍ନ ଦେଖିବି ? ଏହା ଶୁଣି ଛେଚାକୁଟା ପଚାରିଲା- କୋଉ ମୁଲକରେ ଲୋକେ ବଙ୍ଗଳା ଭାଷାରେ କଥା ହୁଅନ୍ତିକିରେ ଭାଇ ? ସାନ ଭାଇର ପ୍ରଶ୍ନରେ ବଡ ଭାଇ କୁଟୁକୁଟା କହିଲା- ଜାଆଆଆ…ପାନ୍  । ବଡ ଭାଇ କଥା ଶୁଣି ଛେଚାକୁଟା କହିଲା- କଣ ? ଜାପାନ ? ଛେଚାକୁଟା କଥା ଶୁଣି କୁଟୁକୁଟା କହିଲା- ନା…ନା…ସେମିତି ନୁହେଁ  । ଜା କହିକି ଟିକେ ଟାଣିକି ଆ କହିବୁ  । ତାପରେ ପାନ୍  । ବୁଝିଲୁ  । କୁଟୁକୁଟା କଥା ସରୁ ସରୁ ଛେଚାକୁଟା କହିଲା- ଆରେ କଡା…ପାନ୍ କଣ ଜାଆଆଆ…ପାନ୍ର ପଡିଶା ମୂଲକ କିରେ ? ଛେଚାକୁଟା କଥା ଶୁଣି କୁଟୁକୁଟା କହିଲା- ଚୋପ୍  । ଘୋଡା ଡିମ୍ୱ  । ଯେମିତି କୁଟୁକୁଟା କଥା ସରିଚି ଛେଚାକୁଟା କହିଲା- ଆଣୁନୁ…ଖାଇବା…  ।

ଦିନେ ଦୁଇ ଭାଇ ବସି ଗପୁଥାନ୍ତି  । ଛେଚାକୁଟା ପଚାରିଲା- ଆରେ ଭାଇ ଭୂତ ଅଛନ୍ତି ନା ନାହିଁକିରେ ? ଏକଥା ଶୁଣି କୁଟୁକୁଟା କହିଲା- ନା, ନା  । ସେଗୁଡା ବାଜେକଥା  । ଭୂତଫୁତ କିଛି ନାହାନ୍ତି  । ସେ ସବୁ ମିଛ  । ବଡ ଭାଇ କଥା ଶୁଣି ଛେଚାକୁଟା ପୁଣି ପଚାରିଲା- ସତରେ ଭୂତ ନାହାନ୍ତି ? ଏଥର ହସିହସି କୁଟୁକୁଟା କହିଲା- ନା ରେ ତ୍ରିବାର ସତ୍ୟ କରି କହୁଛି, ନାହାନ୍ତି  । ହେଲେ ତୁ ଏତେ ଥର ଭୂତ କଥା ପଚାରେନି  । ମୋତେ ଡରମାଡୁଚି  । ବଡ ଭାଇ କଥା ଶୁଣି ସାନ ଭାଇ ଛେଚାକୁଟା କହିଲା- ତୁ ପରା କହୁଚୁ ଭୂତ ନାହାନ୍ତି  । ତାହେଲେ ତୁ ଡରୁଚୁ କିଆଁ ଯେ ? ତାର ଏଇ କଥାରେ କୁଟୁକୁଟା କହିଲା- ଆବେ, ନାହାନ୍ତି ବୋଲି କଣ ଡରିବନି  । ଦେଖେ  । ଏଇଟା ଟିକେ ଦର୍ଶନର କଥା  । ଗହନ ପାଠ  । ଶୁଣୁ  । ତୁ କଣ ଭାବୁଚୁ ଏ ଘର, ବିଲ, ବାଡି , ଗଛ , ଲତା କିଛି ଅଛି  । ସତରେ କିନ୍ତୁ କିଛି ନାହିଁ  । କେବଳ ଆଲୁଅ ଅଛି ଆଉ ଅନ୍ଧାର ଅଛି  । ଆଉ ସବୁ ମିଛ  । ସେଇଠୁ ଟିକେ ଅଟକି କୁଟୁକୁଟା ପଚାରିଲା ତତେ ରାତିରେ କଣ ଦେଖାଯାଏ ? କୁଟୁକୁଟାର ପ୍ରଶ୍ନ ଶୁଣି ଛେଚାକୁଟା କହିଲା ଭାଇରେ ରାତିରେ ମୋତେ ଖାଲି ଅନ୍ଧାର ହିଁ ଦିଶେ  । ଆଉ କିଛି ଦିଶେନି  । ତାପରେ କୁଟୁକୁଟା କହିଲା- ଆଉ ଦିନରେ ତୁ କଣ ଦେଖୁ  । ଛେଚାକୁଟା କହିଲା ସବୁ ଦେଖେ  । ଏକଥା ଶୁଣି କୁଟୁକୁଟା କହିଲା- ନା  । ତାହେଲେ ଅନ୍ଧାରରେ ତୁ କିଆଁ ସବୁ କିଛି ଦେଖିପାରୁନୁ ? ସତରେ ତୁ ଦିନରେ ଆଲୁଅ ଦେଖୁ  । ବାକି ଯାହା ଦିଶେ ତାହା ମିଛ  । ସେଗୁଡା ଥାଇ ବି ନାହିଁ  । ନଥାଇ ବି ଅଛି  । ହଁ, ଆମେ ଯାହା ରାତିରେ ଫାଳେ ଫାଳେ ସ୍ୱପ୍ନ ଦେଖୁଚେ ସେତିକି ଆଉ ଏ ଆଲୁଅ ଓ ଏ ଅନ୍ଧାର ହିଁ ସତ  । ଆଉ ବାକି ସବୁ ମିଛ  । ବିଝୁଲୁ ? ଛେଚାକୁଟା କହିଲା ବୁଝିନି ଯେ, ହେଲେ ତୁ କହୁଚୁ ଯଦି ସେମିତି ହିଁ ହୋଇଥିବ  । ( କ୍ରମଶଃ…)