ଶାଢ଼ୀ

ପ୍ରତିଥର ସୁଲଗ୍ନା ମେଳାକୁ ଆସେ। ମେଳା ପରିସରରେ ଘେରାଏ ବୁଲି ସାରିବା ପରେ ଚାଲିବା ଚାଲିବା ହୋଇ ଯାଏ ସେଇ ଚିହ୍ନା ଦୋକାନୀଙ୍କ ଷ୍ଟଲ୍ କୁ। ଆଉ ପଚାରେ, “ମୋ’ର ଶାଢ଼ୀଟା ଆଣିଛନ୍ତି?” ଦୋକାନୀ ହଁ କହି ବଡ଼ ଆଗ୍ରହରେ ଶାଢ଼ୀଟିକୁ ବାହାର କରନ୍ତି। ତାଙ୍କ ହାତ ଉପରୁ ହିଁ ଶାଢ଼ୀଟିକୁ ଟିକେ ସ୍ନେହରେ ଆଉଁସି ଦିଏ ସୁଲଗ୍ନା। ଦୋକାନୀ ଏଥର ପଚାରନ୍ତି, “କ’ଣ ମ୍ୟାଡାମ୍; ଶାଢ଼ୀଟା ପ୍ୟାକ୍ କରିଦେବି?”

 “ନାଇଁ ସଫିସିଏଣ୍ଟ୍ ଟଙ୍କା ନାହିଁ” କହି, ଦୋକାନୀଙ୍କ ପ୍ରତ୍ୟୁତ୍ତରକୁ ଅପେକ୍ଷା ନ କରି, ପଛକୁ ବିଲକୁଲ ନ ଅନେଇ ଏକମୁହାଁ ହୋଇ ତା’ ପରେ ଫେରିଆସେ ସେ। ଆଉ ସବୁଥର ଏସବୁ ସେ କରେ ରଞ୍ଜନଙ୍କ ଅଗୋଚରରେ। ଅବଶ୍ୟ ଅଧିକାଂଶ ଥର ସୁଲଗ୍ନା ତା’ର ପଡ଼ିଶା ଘର ସାଙ୍ଗ ମାନଙ୍କ ସହ ମିଶି ହିଁ ମେଳା ବୁଲିବାକୁ ଆସେ। ତେଣୁ ତା’ର ଏ ଶାଢ଼ୀ ଅଭିଯାନ ବିଷୟରେ ତାଙ୍କ ଜାଣିବାର ପ୍ରାୟ ଅବକାଶ ହିଁ ନଥାଏ। ତା’ ଛଡ଼ା ସେ ସାଙ୍ଗ ମାନଙ୍କ ପାଖରୁ ବି ଏଯାଏ ଗୋପନ ରଖିଛି ତା’ର ଏ ଶାଢ଼ୀ କଥା। କାରଣ ସେମାନେ ଏ ବିଷୟରେ ସୁରାକ୍ ପାଇଲା ମାନେ ଏକ୍ ତ ତା’ର ବେଇଜ୍ଜତି ହେବ, ପୁଣି ରଞ୍ଜନ ଜାଣିବାକୁ ବି ବେଶି ସମୟ ଲାଗିବନି।

ଏମିତି ନୁହେଁ ଯେ, ରଞ୍ଜନ ଏ ବିଷୟରେ ଜାଣିଲେ ତାକୁ ଜୋରରେ ଗାଳି ଦେବେ କି କିଛି ଖରାପ କରି କହିବେ। ଓଲଟା ସେ ଯେମିତିକା ଲୋକ ତା’ର ଏ ଶାଢ଼ୀ କିଣି ନ ପାରିବା କଥା ଜାଣିଲେ ଭାରି ମନ ଦୁଃଖ କରିବେ। ଏମିତିରେ ବି ତାଙ୍କର ବଡ଼ ଅବସୋସ, ସୁଲଗ୍ନାକୁ ସେ ଏପର୍ଯ୍ୟନ୍ତ ମନଲାଖି କିଛି ଦେଇ ପାରି ନାହାନ୍ତି ବୋଲି। ତାଙ୍କ ମନରେ ତେଣୁ ଆଉ ଅଧିକ ଦୁଃଖ ଦେବାକୁ ଚାହେଁନା ସେ। ତେବେ ଯଦି ଶାଢ଼ୀଟା ତା’ର କିଣିବାର ଇ ନାହିଁ, କାହିଁକି ଦୁଇ ହଜାର ଟଙ୍କା ଆଡଭାନ୍ସ ସେ ଦେଉଥିଲା ଦୋକାନୀଙ୍କୁ! ଅନେକ ସମୟରେ ନିଜକୁ ନିଜେ ଏ ପ୍ରଶ୍ନ ପଚାରେ।‌ ହେଲେ ସେ ବା କ’ଣ କରିଥାନ୍ତା? ଏ ଶାଢ଼ୀ ତ ତାକୁ ଯେମିତି ସେଦିନ ଦୂରରୁ ହାତ ଠାରି ଡାକିଲା! ସତରେ ଏତେ ଆକର୍ଷଣ ଥାଇ ପାରେ ଗୋଟେ ଶାଢ଼ୀରେ!! ସେଦିନ କିନ୍ତୁ ଶାଢ଼ୀଟିର ଦାମ୍ ଶୁଣିବା ପରେ ମନେମନେ ପଛେଇ ଯାଇଥିଲା ସୁଲଗ୍ନା। ପୂରା କୋଡ଼ିଏ ହଜାର ଟଙ୍କା! ସେଥିରୁ ଆଉ ଗୋଟିଏ ବି ଟଙ୍କା କାଟିବାକୁ ରାଜି ହୋଇ ନଥିଲେ ଦୋକାନୀ। କଅଁଳ ଶାଗୁଆ ରଙ୍ଗର ଶାଢ଼ୀଟା ହୋଇଥିଲା ବି ଏକଦମ ଶାନଦାର୍। ମନକୁ ମାରି ଫେରି ଆସୁଥିଲା ସେଠାରୁ। ହେଲେ କ’ଣ ଭାବି ଫେରି ଯାଇ ଦୁଇ ହଜାର ଟଙ୍କା ଦୋକାନୀଙ୍କୁ ଦେଇ କହିଥିଲା, “ପୁଣି ତ ଡିସେମ୍ବର ମାସରେ ହ୍ୟାଣ୍ଡଲୁମ୍ ମେଳା ପଡ଼ିବ। ଆପଣ ମୋ’ ପାଇଁ ଶାଢ଼ୀଟା ଆଣିଥିବେ। ସେତେବେଳେ ମୁଁ ନେଇଯିବି। ଲୁଗା ଦୋକାନୀ ଜଣଙ୍କ ପ୍ରଥମେ ତ ରାଜି ହେଉନଥିଲେ ଆଦୌ। ହେଲେ ଶାଢ଼ୀଟା ପ୍ରତି ତା’ ଆଗ୍ରହ ଆଗରେ ଶେଷରେ ହାର୍ ମାନିଥିଲେ ସେ। ଏ ସହରରେ ବର୍ଷକୁ ଅନ୍ତତଃ ତିନି ଚାରୋଟି ମେଳା ପଡେ। ଆଉ ସେବେଠାରୁ ପ୍ରତି ଥର ଦୋକାନୀ ଜଣଙ୍କ ତା’ ପାଇଁ ଶାଢ଼ୀଟିକୁ ଆଣି କି ଆସିଥା’ନ୍ତି। ପ୍ରତିଥର ସେ ବି ମେଳାକୁ ଯାଇ ଦେଖି ଦେଇ ଆସେ ଶାଢ଼ୀକୁ। ପ୍ରତ୍ୟୟ ନେଇ ଫେରେ ଯେ, ତା’ ମନ ପସନ୍ଦର ଶାଢ଼ୀ ତା’ ପାଇଁ ସୁରକ୍ଷିତ ଅଛି। ଜଣେ ଭଲ ମଣିଷର ହେପାଜତରେ ଅଛି। ହଁ, ଭଲ ନୁହନ୍ତି ତ କ’ଣ? ଶାଢ଼ୀ ଦୋକାନୀ ଜଣଙ୍କ ଯେ ବେଶ୍ ଭଲ ମଣିଷ, ଏ କଥା ନେଇ ସ୍ଥିର ନିଶ୍ଚିତ ସୁଲଗ୍ନା। ନ ହେଲେ କ’ଣ ତା’ର ଏପରି ବ୍ୟବହାରକୁ ସହ୍ୟ କରନ୍ତେ ସେ! ମନେ ମନେ ବିରକ୍ତ ହୁଏ ନିଜ ଉପରେ, ନିଜର ଏ ନିଲଠା ଗୁଣ ପାଇଁ। ଭାବେ ବି, ଏଥର ଦୋକାନୀ ଜଣଙ୍କ ତାକୁ ତା’ ଟଙ୍କା ଫେରାଇବାକୁ ଚାହିଁଲେ ସେ ଆଉ ମନା ନ କରି ନେଇ ଆସିବ। ଆଉ ଶାଢ଼ୀଟାକୁ ମନରୁ ପୋଛି ଦେବ। ହେଲେ ପୁଣି ଭାବେ, ହେଉ ପଛେ ଦୁଇ ହଜାର ଟଙ୍କା। ସେତିକି ଦୋକାନୀଙ୍କ ପାଖରେ ଅଛି ବୋଲି ତ ଶାଢ଼ୀଟା ତା’ ପାଖରେ ନଥିଲେ ବି ତା’ ଅଧିକାରରେ ଅଛି। ମନେ ମନେ କେତେଥର ସେ ଶାଢ଼ୀକୁ ପିନ୍ଧି, ସଜ ହୋଇ ଆଇନା ଆଗରେ ଛିଡ଼ା ହୋଇଛି ସେ। ନିଜ ଆଖିକୁ ନିଜେ କେତେ ସୁନ୍ଦର ନ ଦିଶେ ସେ!

ଘର ଖର୍ଚ୍ଚରୁ ପ୍ରତି ମାସରେ କିଛି କିଛି କାଟି ରଖିଲେ ହୁଏତ ସେ ଏତେ ବେଳକୁ ବାକି ଅଠର ହଜାର ଟଙ୍କା ଯୋଗାଡ କରି ସାରନ୍ତାଣି। ହେଲେ କେଉଁଠୁ କ’ଣ କାଟିବ, କେଉଁ ଖର୍ଚ୍ଚରୁ କେତେ କାଟ୍ କରିବ ସେ କଥା ବି ମାଲୁମ ନାହିଁ ତାକୁ। ରଞ୍ଜନଙ୍କ ସ୍ବଳ୍ପ ଦରମାକୁ ବେଶ୍ ଭାବି ଚିନ୍ତି ଖର୍ଚ୍ଚ କରିବାକୁ ପଡ଼େ ତାକୁ। ତଥାପି ବି ମାସ ଶେଷ ଆଡ଼କୁ ଟାଣଟୁଣରେ ଚଳିବାକୁ ପଡ଼େ। ଯେବେ ବି ସେଥିରୁ ସେ କିଛି ରଖିବ ବୋଲି ଭାବିଛି, ସବୁ ଥର ଚିଙ୍କିର ସ୍କୁଲ୍ ଖର୍ଚ୍ଚ, ତା’ ଡ୍ରେସ୍-ବହି ସେସବୁ ଜଳଜଳ ହୋଇ ତା’ ଆଖିକୁ ଦିଶେ। ତା’ ପଛକୁ ତା’ ପଛ, ଘରର ବାକି ତକ ଆବଶ୍ୟକତା ଆସି ଧାଡ଼ି ବାନ୍ଧନ୍ତି ସୁଲଗ୍ନା ଆଗରେ। ସେତେବେଳେ କୋଡ଼ିଏ ହଜାରିଆ ଶାଢ଼ୀ ପିନ୍ଧିବା ତା’ ପାଇଁ ରାଣୀଙ୍କ ବିଳାସ ଭଳି ମନେ ହୁଏ।

ଏଥର ବି ମେଳାରେ ଆସି ପହଞ୍ଚି ଗଲା ସୁଲଗ୍ନା। ଜାଣି ଜାଣି ଆଜି ସେ ଏକା ଆସିଛି ଏଠାକୁ। କେତେ କାହାକୁ ଲୁଚିବ, ଲୁଚେଇବ! କ୍ରାଫ୍ଟଠୁ ଫର୍ଣ୍ଣିଚର ଯାଏଁ ବିଭିନ୍ନ ଷ୍ଟଲ୍ ବୁଲି ଦେଖିଲା ସେ। କିଛି ସମୟ ବୁଲିଲା ପରେ ତା’ ଇଚ୍ଛା ହେଲା ଏଥର ସେ ଶାଢ଼ୀ ଦୋକାନକୁ ଯିବ। ଯାଇ ଟିକେ ଦେଖି ଆସିବ ତା’ ଶାଢ଼ୀଟିକୁ। ହେଲେ ମନକୁ କାବୁ କରିବାକୁ ଚେଷ୍ଟା କଲା। ଭାବିଲା, ଆଜି ଯେତେ ଇଚ୍ଛା ହେଲେ ବି ସେ ଦୋକାନ ପାଖକୁ ଯିବନି କି ଅପମାନିତ ହେବନି। ଦୋକାନୀ ଜଣଙ୍କ ଯେତେ ଭଲ ହେଲେ ବି ପ୍ରତି ଥର ସେ ଶାଢ଼ୀ ନ ଆଣି ଫେରି ଆସିବା ବେଳେ ଦେଖେ ତାଙ୍କ ଆଖିର ବିରକ୍ତି ଭାବକୁ। ବେଳେ ବେଳେ ସେ ଆଶ୍ଚର୍ଯ୍ୟ ହୋଇ ଚାହିଁ ରହିଥାନ୍ତି ତା’ ମୁହଁକୁ। କିନ୍ତୁ ନିଜକୁ ଯେତେ କଣ୍ଟ୍ରୋଲ୍ କଲେ ବି ମନ କୋଉ ମାନୁଥିଲା ତା’ର! କେତେବେଳେ ଚାଲିବା ଚାଲିବା ହୋଇ ଠିକ୍ ସେଇ ଦୋକାନ ପାଖରେ ପହଞ୍ଚି ସାରିଥିଲା ସେ। କିନ୍ତୁ ଏକଦମ ପାଖକୁ ନଯାଇ କିଛି ଦୂରରେ ଠିଆ ହୋଇ ରହିଲା। କ’ଣ କହି କଥା ଆରମ୍ଭ କରିବ? ନା ଆଦୌ କିଛି ନ କହି ଫେରି ଯିବ? ସୁଲଗ୍ନା ଭିତରେ ଏମିତି ପ୍ରଶ୍ନୋତ୍ତର ଖେଳ ଚାଲିଥିବା ଭିତରେ ଦୋକାନୀ ଜଣଙ୍କର ଆଖି ପଡ଼ିଗଲା ତା’ ଉପରେ। ସେ କିଛି କହିବା ପୂର୍ବରୁ ହିଁ ଅଳ୍ପ କିଛି ସେକେଣ୍ଡ୍ ଭିତରେ ଦୋକାନୀ ଜଣଙ୍କ ଚାଲ୍ ଚାଲ୍ ହୋଇ ଆସିଲେ ତା’ ପାଖକୁ। ତାଙ୍କ ଗୋଟିଏ ହାତରେ ଥିଲା ସୁଲଗ୍ନାର ଅତି ପ୍ରିୟ ଶାଢ଼ୀଟି। ଆଉ ଅନ୍ୟ ହାତରେ ଥିଲା ଚାରିଟା ପାଞ୍ଚ ଶହ ଟଙ୍କିଆ ନୋଟ୍। କିଛି ସମୟର ନିରବତା ପରେ ଦୋକାନୀ ଜଣଙ୍କ ଅତି ଭଦ୍ରାମିର ସହ କଥା ଆରମ୍ଭ କଲେ, “ଦୟା କରି ମୋତେ ଏଥିରୁ ମୁକ୍ତ କରନ୍ତୁ ମ୍ୟାଡାମ୍। ପ୍ରତି ଥର ମୁଁ ଆଉ ଆପଣଙ୍କ ପାଇଁ ଏମିତି ଶାଢ଼ୀଟି ଧରି ଆସି ପାରିବିନି କି ଆପଣଙ୍କ ଟଙ୍କାର ବୋଝ ଉଠେଇ ପାରିବିନି। ଆଜି ଆପଣଙ୍କୁ ଯାହା ଗୋଟାଏ ନିଷ୍ପତ୍ତି ନେବାକୁ ପଡିବ।” ଏତିକି କହି ନିଜ ଦୁଇ ହାତକୁ ଆଗକୁ କଲେ ଭଦ୍ରବ୍ୟକ୍ତି।

ସୁଲଗ୍ନାର ଦୁଇ ପାଦ ସତେ ଯେମିତି ଯୁଗପତ୍ ପୋତି ହୋଇଯାଇଥିଲେ ସେଇଠି, ସେ ଶାଢ଼ୀ ଦୋକାନ ଆଗରେ। ତା’ ପାଟିରୁ କଥା ମାନେ ଉଭେଇ ଯାଇଥିଲେ ଯେମିତି। ଆଖି ତା’ର ଉଚ୍ଛୁଳୁଥିଲା ଅମାନିଆ ଲୁହରେ। ହଠାତ୍ ତା’ କାନ୍ଧ ଉପରେ କେହି ଜଣେ ହାତ ରଖିଲା। ଲୁହଭରା ଆଖି ନେଇ ବୁଲି ଚାହିଁଲା ସୁଲଗ୍ନା। ତା’ ପାଖକୁ ଲାଗି ହସହସ ମୁହଁରେ ଠିଆ ହୋଇଥିଲେ ରଞ୍ଜନ।…

ଭୁବନେଶ୍ୱର

About Preeti Prajna Pradhan

Preeti Prajna Pradhan is a writer based in Bhubaneswar.

View all posts by Preeti Prajna Pradhan →