ର ବି କ ଥା – ୧୫
ରବୀନ୍ଦ୍ରନାଥ କେବଳ କାବ୍ୟ, କବିତା, ସଂଗୀତ ବା ଦର୍ଶନର ମହୀରୁହ ନଥିଲେ, ସେ ଥିଲେ ଜଣେ ଅସାମାନ୍ୟ ରସବୋଧ ସମ୍ପନ୍ନ ବ୍ୟକ୍ତି, ଯାହାଙ୍କ କୌତୁକମଣ୍ଡିତ କଥାବାର୍ତ୍ତା ତାଙ୍କର ବ୍ୟକ୍ତିତ୍ଵକୁ ଆହୁରି ଉଜ୍ଜ୍ୱଳ କରି ତୋଳୁଥିଲା। ତାଙ୍କର ରସବୋଧ ଥିଲା ବୁଦ୍ଧିଦୀପ୍ତ, ମୁଗ୍ଧ ଏବଂ ମାର୍ଜିତ, ଯାହା ପ୍ରାୟତଃ ତାଙ୍କର କଥୋପକଥନ ବା ଆଚରଣରୁ ପ୍ରକାଶ ପାଉଥିଲା।
ବାନ୍ଦୋରର ବ୍ୟାଖ୍ୟା:
ଥରେ ଶାନ୍ତି ନିକେତନରେ ଗୋଟିଏ ଗୁରୁତ୍ତ୍ୱପୂର୍ଣ୍ଣ ସଭା ଚାଲିଥିଲା। ସଭାକକ୍ଷରେ ଉପସ୍ଥିତ ଲୋକମାନେ ଘରର ସୌନ୍ଦର୍ଯ୍ୟ ଓ ସାଜସଜ୍ଜାରେ ପ୍ରଶଂସା କରୁଥିଲେ। ସେ ଭିତରୁ କେହି ଜଣେ ଘରର ସ୍ଥାପତ୍ୟ ଶୈଳୀର ପ୍ରଶଂସା କରିବା ମାତ୍ରେ ରବୀନ୍ଦ୍ରନାଥ ହଠାତ୍ କହିଲେ,-“ଏ ଘରଟିର ସବୁଠାରୁ ବିଶେଷ ଦିଗ ହେଲା, ଏଇଟାରେ ଗୋଟିଏ ବାନ୍ଦୋର ଅଛି। ହଠାତ୍ ଏମିତି ଅଦଭୂତ କଥା ଶୁଣି ସମସ୍ତେ ଆଶ୍ଚର୍ଯ୍ୟ ହୋଇ ରହିଗଲେ। କେହି କେହି ଭାବିଲେ, ବାନ୍ଦୋର୍ ମାନେ କୌଣସି ବାନର ଜାତୀୟ ପଶୁ ନୁହେଁ ତ ?
କବି ସେତେବେଳେ ହସିଦେଇ କହିଲେ, – ଆରେ ନା ନା। ମୁଁ କହିଛି, ବାଆଁ ଦୋର୍, ମାନେ ବାମ ଦିଗରେ ଦରଜା। ଦେଖୁନ, ଘରର ଡାହାଣ ପାଖରେ ଯେମିତି ଗୋଟିଏ ଦରଜା ଅଛି ବାଆଁ ପାଖରେ ମଧ୍ୟ ସେମିତି ଗୋଟିଏ ଦରଜା ଅଛି। “
ଏହି ସୂକ୍ଷ୍ମ ଶବ୍ଦଖେଳରେ ସମସ୍ତେ ହସିଉଠିଲେ।
ଗୋପେଶ୍ବରର ପରେ ଦାଢିଶ୍ବର:
ଯୋଡାଶଙ୍ଖର ଠାକୁରବାଡିରେ ଥରେ ଗୋପେଶ୍ବର ବନ୍ଦୋପାଧ୍ୟାୟଙ୍କ ସଂଗୀତ କାର୍ଯ୍ୟକ୍ରମ ହେଉଥିଲା। ଗୀତ ଶେଷରେ ଶ୍ରୋତା ମାନଙ୍କ ମଧ୍ୟରୁ କେହିଜଣେ ରବୀନ୍ଦ୍ରନାଥଙ୍କୁ ଅନୁରୋଧ କରି କହିଲେ-ଆପଣ ମଧ୍ୟ କିଛି ଗୀତ ଗାଆନ୍ତୁ। ରବୀନ୍ଦ୍ରନାଥ ଟିକେ ହସିଦେଇ କହିଲେ-“ଗୋପେଶ୍ବର ପରେ ଏବେ କଣ ଦାଢିଶ୍ବରର ପାଳି ?”। ଏଇ ଅସ୍ବାଭାବିକ ମନ୍ତବ୍ୟରେ ସମସ୍ତେ ହସି ଉଠିଲେ।ନିଜର ନିଶ ଓ ଦାଢିକୁ ଉଦ୍ଦେଶ୍ୟ କରି ଏମିତି ପରିହାସ ଓ ନିଜର ପ୍ରତିଭା ପ୍ରତି ଏଇ ନିର୍ଲିପ୍ତତା ସତରେ ବିରଳ।
ଶତବାର୍ଷିକୀ ଓ ପଚିଶି ଟଙ୍କାର ଗଣିତ:
ରବୀନ୍ଦ୍ରନାଥ ଯେତେବେଳେ ବାର୍ଦ୍ଧକ୍ୟର କ୍ଳାନ୍ତିରେ ଶଯ୍ୟାଶାୟୀ, ସେତେବେଳେ ତାଙ୍କର ପ୍ରିୟଜନ ସୌମେନ୍ଦ୍ରନାଥ ଠାକୁର ତାଙ୍କୁ ଅନୁପ୍ରାଣିତ କରିବାକୁ କହିଲେ -“ଦାଦାଠାକୁର, ଆମେ ଆପଣଙ୍କ ଶତବାର୍ଷିକୀ ଉଦଯାପନ କରିବୁ। ରବୀନ୍ଦ୍ରନାଥ ସେତେବେଳେ ମୃଦୁ ହସିଲେ ଓ କହିଲେ-“ଶତବାର୍ଷିକୀ! ହେଉ, ତେବେ ମୁଁ ସେଥିପାଇଁ ବିଶେଷ ଆଗ୍ରହୀ ନୁହେଁ। କାରଣ ସେଇଟାତ ପଚିଶି ଟଙ୍କାରୁ ବେଶୀ ନୁହେଁ।” ଏଇ ମନ୍ତବ୍ୟ ଶୁଣି ସମସ୍ତେ ଆଶ୍ଚର୍ଯ୍ୟ। ସତେ ଯେମିତି ସେ ସମସ୍ତଙ୍କୁ ଗାଣିତିକ ଧନ୍ଦା ଦେଇ ବୋକା ବନୋଉଛନ୍ତି। ପରେ କବି ହିଁ ନିଜେ ତାର ବ୍ୟାଖ୍ୟା କରି କହିଲେ- ଶତବାର୍ଷିକୀ ପାଇଁ ଶହେ ବାର ଶିକୋ।ଶହେ ଶିକୋ ଅର୍ଥାତ ପଚିଶି ଟଙ୍କା ।”(ଶିକୋ/ସୁକା ମାନେ ଚାରଣା ବା ପଚିଶି ପଇସା)
ଏହାର ଗଣିତ ସମସ୍ତେ ବୁଝିଲେ ଓ ଗୁରୁଦେବଙ୍କ ଚଟୁଳତାକୁ ସମ୍ମାନ ଜଣାଇଲେ।
ଶେଷକଥା:
ରବୀନ୍ଦ୍ରନାଥଙ୍କ ରସବୋଧ କେବଳ ହସର ଖୋରାକ ନୁହେଁ, ବରଂ ବୁଦ୍ଧିଦୀପ୍ତ ଏକ ବ୍ୟଞ୍ଜନା। ତାଙ୍କର କୌତୁକ କେବେ ଶବ୍ଦଖେଳରେ, କେବେ ଗଣିତର ଛଳରେ, ପୁଣି କେବେଆତ୍ମ ରସିକତାରେ ପ୍ରକାଶିତ ହୁଏ। ତାଙ୍କର ରସିକତା ଯେମିତି ହୃଦୟକୁ ଛୁଇଁଯାଏ, ସେମିତି ଚିନ୍ତା ମଧ୍ୟ ଆଲୋଡନ ସୃଷ୍ଟି କରେ।


Nice