ରବିବାର

ମିନୁ କହିଲା କାଲି ସକାଳେ ସେ ତା’ ଘରକୁ ଯିବ । ତା’ ବୋଉର ଦେହ ଖରାପ । ବଡ଼ ଭାଇ ତା’ର ଫୋନ୍ କରିଥିଲେ ସଞ୍ଜରେ । ମୁଁ କହିଲି ହଉ ।

ତାପରେ ମୁଁ ଡ୍ରେସ୍ ବଦଳାଇ ବାଥରୁମ ଗଲି । ବାଥରୁମରୁ ବାହାରି ଆସି ଟି.ଭି ଆଗରେ ବସିଲି । ମିନୁ ଚା’ ଆଣି ଦେଲା ଓ ପୁଣି ଥରେ କହିଲା ତା’ ବୋଉର ଦେହ ଖରାପ । ମୁଁ ମୁଣ୍ଡ ଟୁଙ୍ଗାରିଲି । ଟି.ଭିରେ ମୁଁ ଆଉ ଆଗ ଭଳିଆ ନ୍ୟୁଜ୍ ଚ୍ୟାନେଲ୍ କି କ୍ରାଇମ୍ ଫାଇଲ୍ ଦେଖୁନି । ଦେଖିଲେ କପିଲ ଶର୍ମା ସୋ ଦେଖୁଛି ନହେଲେ ନ୍ୟାସନାଲ୍ ଜିଓଗ୍ରାଫି ଅବା ଆନିମଲ୍ ପ୍ଲାନେଟ୍ । ମ୍ୟାନ୍ ଭର୍ସେସ୍ ୱାଇଲ୍ଡ ତ ଭଲ ଲାଗେ ଆଉ ଚିତା ବାଘର ହରୀଣ ଶିକାର ମୋର ସବୁଠୁ ପ୍ରିୟ । ମିନୁକୁ ଏଗୁଡ଼ା ଭଲଲାଗେନି ।

ୟାଡୁ ସ୍ୟାଡୁ ଚ୍ୟାନେଲ୍ ବଦଳେଇ ବଦଳେଇ ବୋର୍ ହେଲା ପରେ ମିନୁ ଖାଇବାକୁ ଡାକିଲା । ଦିଇଟା ରୁଟି, ଆଳୁ ପୋଟଳ ଭଜା ଆଉ ସକାଳର ଡାଲମା ଆଣି ମିନୁ ମୋ ଆଗରେ ରଖିଲା । ଶନିବାର ରାତିରେ ସେ କିଛି ଖାଏନି । ସଞ୍ଜ ଆଗରୁ ଖାଇସାରିଛି । ମୁଁ ଟି.ଭି କି ଅନେଇ ଖାଇଲି ।

‘ବୋଉର ଦେହ ଖରାପ ।’ ମିନୁ ପୁଣି କହିଲା ।

‘କ’ଣ ହେଇଛି? କ’ଣ ବେଶୀ ସିରିଅସ୍?’ ମୁଁ ପଚାରିଲି ।

‘କେଜାଣି? ଭାଇ ତ କହିଲା ଚାରି ଦିନ ହେଲାନି ଝାଡ଼ା ହେଇନି । ଗ୍ୟାସ୍ ପ୍ରବଳ । ପେଟ ବି ଫାମ୍ପିଛି ।’

କେବଳ ‘ଆଛା…’ କହି ଚୁପ୍ ଚାପ୍ ଖାଇଲି ଓ ହାତ ମୁହଁ ଧୋଇ ସିଧା ବେଡରୁମକୁ ପଳେଇ ଖଟ ଉପରେ ଲମ୍ବା ହେଇଗଲି । ଖଟରେ ଚିତ୍ ହେଇ ଉପରକୁ ଅନେଇଲି । ଫ୍ୟାନ୍ ରେ ପ୍ରବଳ ମଳି । କାଲି ନିଶ୍ଚୟ ସଫା କରିବି । କାଲି ରବିବାର । କାଲି ସକାଳୁ ମିନୁ ପଳେଇବ । ପହରିଦିନ ଫେରିବ ବୋଧେ । କାଲି ବଡି ସକାଳୁ ତାକୁ ବସ୍ ଷ୍ଟପ୍ ରେ ଛାଡ଼ିବାକୁ ହେବ । ମୁଁ ଶୋଇପଡିଲି ।

ପରଦିନ ନିଦ ଭାଙ୍ଗିଲା ଫୋନ୍ ରିଙ୍ଗରେ । ମିନୁର କଲ୍ ।

-‘ଏଯାଏଁ ଉଠିନଟି? ମୁଁ ହେଇ ବସ୍ ରେ ବସିଲି । ଥର୍ମୋପ୍ଲାସ୍ ରେ ଚା’ ଅଛି, ଡାଇନିଂ ଟେବୁଲରେ ଚୁଡ଼ା ସନ୍ତୁଳା ଘୋଡେ଼ଇ ରଖିଦେଇଛି, ଭାତ ରାନ୍ଧି ଦେଇଛି, ଫ୍ରିଜ୍ ରେ ଚିକେନ ଆଉ ଡାଲି ଅଛି, ଖରାବେଳକୁ ଗରମ କରି ଖାଇଦବ । ମୁଁ ଚେଷ୍ଟା କରୁଛି ସଞ୍ଜକୁ ଫେରିଆସିବି । ହେଇ ବସ୍ ଛାଡିଲା । ବାଏ…… ’

ମିନୁ ସକାଳୁ ମୋତେ ନଉଠେଇ ଓଲା ଡାକି ପଳେଇଛି । ହଉ । ମୁଁ ଆଖି ବନ୍ଦ କରି ବିଛଣାରେ ସେମିତି ପଡ଼ିରହିଲି । ସେମିତି ଆଖି ବନ୍ଦ କରି ଭାବିଲି କେମିତି କଟାଯାଇପାରେ ଦିନଟାକୁ । ଭାବିଲି ଯାଉଛି ଛକ ସନା ସେଲୁନ୍ କୁ ଯାଇ ବାଳ କାଟି କଲର୍ କରିବି । ଗାଧେଇ ପାଧେଇ ଜଳଖିଆ ଖାଇ ଆଇନକ୍ସ ପଳେଇବି । ଗରମ ପଡ଼ିଲାଣି କୋଉ ଗୋଟେ ମଲ୍ ରୁ ଦିଇ ଚାରିଟା ଟି ସାର୍ଟ ବି କିଣିଦେଲେ ହୁଅନ୍ତା ।

ପୁଣି ଟିକେ ଶୋଇପଡିଲି । ଉଠି ମୁହଁ ଧୋଇ ଚା’ ପିଇଲି ଓ ଭାବିଲି କାହାକୁ ଗୋଟେ କଲ୍ କଲେ ହୁଅନ୍ତା । ଅଭୟକୁ କଲ୍ କଲେ ହୁଅନ୍ତା ହେଲେ ଶଳା ମାଷ୍ଟ୍ର ତ ଏବେ ଟ୍ୟୁସନ୍ ରେ ବସିଥିବ । ପିଣ୍ଟୁ ମାରୱାଡି ତା’ ଦୋକାନରେ ଥିବ । ସକାଳୁ କସ୍ମିନ୍ କାଳେ କଲ୍ ଧରିବନି । ସୁଧିର ତା’ ପାଥୋଲ୍ୟାବ୍ ରେ ମଳ ମୂତ୍ର ଧାତୁ ଓ କଫମାନଙ୍କ ସାଙ୍ଗରେ ବ୍ୟସ୍ତ ଥିବ । ଦିବାକରକୁ କଲ୍ କରିହେବନି । ଆଠ ବର୍ଷ ହେଲାଣି ତା’ ଆଠ ହଜାର ଟଙ୍କା ମୁଁ ଫେରେଇନି । ସୁନୀତାକୁ କଲ୍ କରିବି କି? ହେଲେ ଆଜି ରବିବାର ତା’ ସ୍ୱାମୀ ତ ଘରେ ଥିବ । ମିନୁ ଆଜି ନାହିଁ, ଯାଃ ଆଜି ରବିବାରଟା ହେଇନଥିଲେ ସୁନୀତା ସାଙ୍ଗରେ କଥା ହେଇ ହେଇ ଦିନ ଭଲରେ କଟିଯାଇଥା’ନ୍ତା ।

ସାରା ରାତି ଶୋଇ ବି ତଥାପି ନିଦୁଆ ନିଦୁଆ ଲାଗୁଛି କାହିଁକି? ମୁଁ ଆଉ ଟିକେ ଶୋଇ ପଡିଲି ।

କଲିଂ ବେଲ୍ ରେ ନିଦ ଭାଙ୍ଗିଲା । ଆମାଜନ୍ ରେ ମିନୁ କ’ଣ ସବୁ ମଗେଇଥିଲା । ରିସିଭ୍ କରି ସୋଫା ତଳକୁ ପ୍ୟାକେଟ୍ କୁ ପେଲି ଦେଲି । ଭୋକ ଲାଗିଲାଣି । ଗାଧେଇ ଖାଇବି ନା ଖାଇସାରି ଗାଧେଇବି ଭାବି ଫ୍ରିଜ୍ ଉପରେ ରେଜା ପଇସା ଡାଲାରୁ ଦିଇ ଟଙ୍କିଆ କଏନ୍ ରେ ଟସ୍ ପକେଇଲି । ଟେଲ୍ ଉଠିଲା । ମୋତେ ଗାଧେଇ ସାରି ଖାଇବାକୁ ହେବ । ନା ଗାଧେଇବିନି । ଟେଲ୍ ପଡ଼ିଛି, ତଥାପି ଗାଧେଇବିନି ।

ମିନୁ କେତେଥର କହିଲାଣି ବାଥରୁମ୍ ର ଅଳନ୍ଧୁ ସଫା କରିବାକୁ । ଆଜି କରିଦେଲେ ହୁଅନ୍ତା । ଗିଜର୍ ଉପରେ ପରସ୍ତେ ଧୂଳି । ମିନୁ ଆଜି ବାଥରୁମ୍ ଟା ସଫା କରିନି । ମୁତୁରା ଗନ୍ଧଉଛି । ମୁଁ ହାରପିକ୍ ବୋତଲକୁ ଥରେ ଓ ଥରେ କମୋଡ୍ କୁ ଅନେଇଲି । ମିରର୍ ରେ ମୁହଁ ଦେଖିଲି । କାଲିକି ଦାଢ଼ି କାଟିଲେ ଚଳିବ । ଏଥର ମୁଁ ସାୱାର୍ ନଖୋଲି ସେଇଠି ଆଖି ବନ୍ଦ କରି ଛିଡ଼ା ହେଲି ତ ହଠାତ୍ ମନେପଡ଼ିଲା ଆମାଜନ୍ ଡେଲିଭରି ବୟ ଗଲାପରେ ମୁଁ ଦାଣ୍ଡ ଦରଜା ବୋଧେ ବନ୍ଦ କରିନି ।

ହଁ, ଦରଜା ବନ୍ଦ ଅଛି । ଚୁଡ଼ା ସନ୍ତୁଳା ଶୁଖି ଟାଣ ହେଇସାରିଥିଲା । ଥର୍ମୋପ୍ଲାସ୍ ରୁ ଚା’ ଢାଳିଲି । ମିନୁ ତା’ ଘରେ ପହଁଚିଲା ନା ନାହିଁ? ଫୋନ୍ ଲଗାଇଲି । ଯାଃ ଫୋନ୍ ସୁଇଚଡ୍ ଅଫ୍ । ଟି.ଭିରେ ଚ୍ୟାନେଲ୍ ବଦଳ କରୁ କରୁ ଏପିକ୍ ଚ୍ୟାନେଲ ପାଖରେ ଅଟକିଲି । ରାଜା ଘର ବିରିୟାନି ରୋଷେଇ ଚାଲିଛି ।

ସାଢେ଼ ଏଗାର ହେଇ ସାରିଲାଣି । ମୁଁ ବାଲକୋନିକୁ ଆସିଲି । ଭଲ ଖରା ହେଇଛି । ତୁଳସୀ ପତ୍ର ଗୋଟେ ଆଉ ଦିଇଟା ପୁଦିନା ପତ୍ର ଛିଡେଇ ଦଳିକି ଶୁଂଘିଲି । ମିନୁର ରାତିପିନ୍ଧା ଡ୍ରେସ ସବୁ ଶୁଖୁଛି । ଛଅଟା କୁଣ୍ଡ ତଳେ ଅଛି, ବାଲକୋନି କାନ୍ଥିକୁ ଚଢ଼ିବାର ଥିଲା । ଜିଆଇ ତାର ମାସେ ହେଲାଣି ଆସି ରଖାହେଇଛି । ଆଜି ବାନ୍ଧିଦେବା । ହଠାତ ଗୋଟେ କଥା ମନେପଡ଼ିଗଲା । ଭିତରକୁ ଆସିଲି । ବେଡ୍ରୁମ୍ ଆସି ମିନୁର ୱାର୍ଡରୋବ୍ ଖୋଲିଲି । ତା’ ଗହଣା ବାକ୍ସ ଖୋଲିଲି । ଲୁଗାପଟାଙ୍କ ତଳ ଖୋଜିଲି । ସବୁ ବଡ଼ ସାନ ମିଶେଇ ମିଳିଲା ସାତ ହଜାର କୋଡ଼ିଏ ଟଙ୍କା । ଦିଇଟା ପାଁଶହ ଟଙ୍କିଆ ନୋଟ୍ କାଢ଼ି ମୋ ପର୍ସରେ ରଖିଲି ।

ମିନୁ କେତେବେଳେ ଫେରିବ? କେଜାଣି? ମୁଁ ଗେଷ୍ଟରୁମ୍ କମ୍ କମ୍ପ୍ୟୁଟର ରୁମ୍ କମ୍ ଷ୍ଟଡିରୁମକୁ ଆସିଲି । ରୁମ୍ ଟା ଏକଦମ ଅଳିଆ ହେଇ ପଡିଛି । ଆଜି ସଫାସଫି କରିଦେଲେ ହେବ । ବହି ଆଲମିରା ଉପରେ ଥିବା ମୋ ପିଲାଦିନର ଦସ୍ତା ଟ୍ରଙ୍କଟା ବଡ଼ କଷ୍ଟରେ ତଳକୁ ଆଣି ଖୋଲିଲି । ସବା ଉପରେ ଅଛି ବୋଉର ପୁରୁଣା ଆଲବମ୍ । ଆମ ଛଅ ଭାଇ ଭଉଣୀଙ୍କ କଳା ଧଳା ଫଟୋ, ବାପା ମା’ଙ୍କ ବାହାଘର ବେଳର ଫଟୋ, ବୁଢା ବାପାଙ୍କ ଫଟୋ ଓ ଆହୁରି କେତେ କ’ଣ ଫଟୋ । ଆଲବମ୍ ଦର ଚିରା ହେଇସାରିଛି । ହେଲେ ଏ ଆଲବମ୍ ଏଠି ଆଣି ରଖିଲା କିଏ? ଟ୍ରଙ୍କରେ କାହିଁରେ କେତେ କ’ଣ ଜିନିଷ ଅଛି । ମୋ ସପ୍ତମ ଶ୍ରେଣୀର ସାହିତ୍ୟ ବହି, ଦିଇଟା ଜହ୍ନମାମୁଁ, ବାପାଙ୍କ ମାସିକିଆ ହିସାବ ଖାତା ଉପରେ ଲେଖାହେଇଛି ଉଣେଇଶ ଏକସ୍ତରୀ । ମାନେ ମୋ ଜନ୍ମ ପୂର୍ବ ବର୍ଷର । ଆହୁରି ଥିଲା ଗୋଟେ ସୁତୂଲୀ ବଣ୍ଡଲ୍, କାଚ ଗୁଲି ଛଅଟା, ବୋଉର ହାତ ବୁଣା ଗୋଟେ ଦରଛିଣ୍ଡା ରୁମାଲ, ଗୋଟେ ଭଙ୍ଗା ପ୍ଲାସ୍, କଳଙ୍କି ଲଗା ମେଂଚେ ପିରିଖ ଓ ଆହୁରି କେତେ କ’ଣ ଅଗଡ଼ ମଗଡ଼ । କିଛି ପୁରୁଣା ଚିଠି ମୁଁ ଲୁଚେଇଥିଲି ହେଲେ ଗୋଟେବି ନାହିଁ । କୁଆଡେ଼ ଗଲା? କିଏ ନେଲା? ଏଠି ନରଖି ଆଉ କୋଉଠି ଲୁଚେଇଛି କି? ମନେ ପଡୁନି । ମନେପଡ଼ିଲା ବହି ଥାକ ପଛରେ ଅଧା ରମ୍ ବୋତଲ ଗୋଟେ ଲୁଚେଇଥିଲି । ଆଲମିରା ଖୋଲିଲି । ନାଲି ଚା’ରେ ରମ୍ ଟିକେ ପିଇଲେ ହୁଅନ୍ତା । ଥାଉ ଏବେ ଚା’ କିଏ କରୁଛି । ଠିପି ଖୋଲି ଢୋକେ ମାରିଲି । ତଂଟି ପାଖରେ ପୋଡ଼ି ପକେଇଲା ।

ଟ୍ରଙ୍କ୍ କୁ ତା’ ଯାଗାରେ ରଖିଦେଲି । ମିନୁ ଏଯାଏଁ ଫୋନ୍ କରିନି । ଫୋନ୍ ଲଗେଇଲି । ସୁଇଚ୍ ଅଫ୍ ।

ବେଡରୁମ୍ କୁ ଆସିଲି । ଖଟରେ ବସିଲି । ବାଲକୋନିକୁ ଗଲି । ଇ ବ୍ଲକ୍ ମୋ ସାମ୍ନା ଫ୍ଲାଟ୍ ର ସେ ପତଳୀ ସ୍ତ୍ରୀ ଲୋକୁଟା ଆଜି ତା’ ବାଲକୋନିରେ ଛିଡ଼ା ହେଇ ଫୋନ୍ ରେ ଗପୁନି କାହିଁକି? ତା’ ଡ୍ରେସ ସବୁ ଶୁଖୁଛି । ଭୋକ ଲାଗିଲାଣି । ଫ୍ରିଜ୍ ରୁ ଚିକେନ୍ ବାହର କରି ମାଇକ୍ରୋ ଓଭନ୍ ରେ ରଖିଲି । ନା ଆଜି ଭାତ ଖାଇବିନି । ମୁଢ଼ି ଚିକେନ୍ ଖାଇବି । ପୁଣି ଭାବିଲି ଏବେ ଗାଧେଇ ଖାଇବି ନା ଖାଇ ସାରି ଗାଧେଇବି? ଥାଉ ସଞ୍ଜକୁ ଗାଧେଇବି ।

ଖାଇ ସାରି ଗାଡ଼ି ଧରି ନଈ କୁଳକୁ ଗଲେ ହୁଅନ୍ତା । ଏବେ ତ ସେଠି କେହି ନଥିବେ । ବାଲି ଟ୍ରକ୍ ମାନେ ନଈ ପେଟରେ ଆଣ୍ଠେଇ ଥିବେ । ଖରାଟିଆ ନଈ କୂଳିଆ ପବନ ପିଟୁଥିବ । ନା ଥାଉ ।

ପ୍ରବଳ ଖରା ବାହାରେ । ଏବେ ଟିକେ ଶୋଇ ପଡ଼ିବା । ସଞ୍ଜରେ ମିନୁ ଫେରିବ । ସେ ଫେରୁ । ତାପରେ ରାତିରେ କ୍ଲବ୍ ଆଡେ଼ ଯିବି ।

ଶୋଇ ପଡିଲି ।

ନିଦ ଭାଙ୍ଗିଲା ବେଳକୁ ସଞ୍ଜ ହେଇ ସାରିଛି । ଘର ସାରା ଅନ୍ଧାର । ମିନୁ ଫେରିନି । ଫୋନ୍ ଲଗେଇଲି । ଆଉଟ ଅଫ୍ ରେଞ୍ଜ । ତା’ ଭାଇକୁ ଲଗେଇଲି । ସୁଇଚ ଅଫ୍ । ଲାଇଟ୍ ଲଗେଇ ବାଥ୍ରୁମ୍ରେ ପଶିଲି । ସାୱାର୍ ଖୋଲିଛି ତ କିଏ ଗୋଟେ କବାଟ ବାଡେ଼ଇଲା । ଅଧା ଗାଧୁଆରୁ ପୋଛିପାଛି ହେଇ ତରତରରେ ବାହାରି ଆସିଲି । କବାଟ ବାହାରେ କେହି ନାହାଁନ୍ତି ।

ଡ୍ରେସ୍ ପିନ୍ଧିଲି । ଭାବିଲି କ୍ଲବ୍ ଯିବି ନା ପବ୍ ଯିବି । ମିନୁକୁ ଆଉ ଥରେ କଲ କରିବି କି? ନା ଥାଉ ।

ଆଛା ସତରେ ମିନୁର ବୋଉ ଦେହ ଖରାପ? ସତରେ ସେ ତା’ ଘରକୁ ଯାଇଛି ନା?

About Dr. Ramakanta Samantaray

Ramakanta Samantaray is a contemporary Indian Artist and well known Odia fiction writer. He also regularly writing features and critical texts on art and culture. Presently he is living and working in Bhubaneswar. He has published more than fifteen books.

View all posts by Dr. Ramakanta Samantaray →

One Comment on “ରବିବାର”

Comments are closed.