ପୁରୁଣା ଫଟୋ


କିଛି ମୁହଁ ଏମିତି ଲାଗନ୍ତି ଯେମିତି ବହୁଦିନର
ପୁରୁଣା ରାସ୍ତା ପୁରୁଣା ପୋଲ,
କଟିଚି ପଚାଶ ବର୍ଷ କି ତାଠୁ ଅଧିକ କାଳ !

ସେମାନେ ଦେଖନ୍ତି ଅନ୍ଯ କେତେ ମୁହଁ, ଗୋଟିଗୋଟି
ଦେଖନ୍ତିନି କେହି ଅଥଚ ସେମାନଙ୍କୁ ଥରେ!
ବନ୍ଧକ ପଡ଼ିଚନ୍ତି ସମସ୍ତେ କେମିତି ନା କେମିତି
ଟ୍ବିଟରରେ, ଏକ୍ସ ଓ ଇନଷ୍ଟାଗ୍ରାମରେ !

ମୁହଁ କଥା କହିଲେ ମନେପଡ଼େ ତମ ଫଟୋଗ୍ରାଫ୍ ଗୋଟାଏ!
କିଏ କରିଥିଲା କେଜାଣି, ତାକୁ କୋଟି ମୁଣ୍ଡିଆ:
ବିନଦାସ୍ ଗାଲ, ମଦମସ୍ତ ଚିବୁକ
(ଓଃ! ଚିବୁକଟା ସତେ ଗୋଟେ ସତେଜ ଆପଲ୍,
ଖାଇଯାନ୍ତି ମୁଁ ଗୋଟାକଯାକ!);
କୋମଳତା ନିନ୍ଦି ତମ ଆଖି- ଯାହା କଣେ ଲାଗିଥାଏ
ଆଭାସୀ ଉଦାସ !
ମରାଳର ମୃତ୍ୟୁ ପରେ ଗଢା ହେଇଥିବା ବେକ
କଟୀରେ ସାମାନ୍ୟ ମେଦ
କେବଳ ଦିଶେନାଇଁ ଜଂଘରେ ତିଳଚିହ୍ନ
ଛାତିରେ କେତକୀ ଫୁଲର କୁଦ !

ମୁଁ ଯେତେ ଯାହା କହେ, କରେ ବା ଯାହା ଯେତେ
ତାଠୁ ତମେ ଅନେଶ୍ବତ ପଏଣ୍ଟ୍ ଡଟ୍ ନଅ ସୁନ୍ଦର ଅଧିକ !

ମୁହଁକୁ ମୁହଁ ଯୋଡ଼ିବାର, ପୁଣି ମୁହଁ ଟେକି ରହିବା ଚାହିଁ
ପକେଟରେ ଡେମ୍ଫଲଗା କଦମ୍ବ ଫୁଲ ନେଇ
ମନେପଡ଼େ,
ମନେପଡ଼େ ଓଃ ମନେପଡ଼େ କେତେ କ’ଣ ମନେପଡ଼େ!
ମନେପଡ଼ିବାର ଦିନ ଧୀରେଧୀରେ କମିକମି
ହେଇଯାଏ ଛୋଟ ଗୋଟେ ତିଳ,
ମନେପଡ଼େ ତମକୁ ଭେଟିଥିଲି କୌଣସି ଏକ ସନ୍ଧ୍ୟାରେ
ଯେତେବେଳେ ଶୁନଶାନ୍ ଥିଲା ଯମୁନାର କୂଳ !

ମୋ ଭଲପାଇବା କବୁଲ୍ କରିବାର ସପ୍ତାହକ ପରେ ଅବଶ୍ୟ
ଚାଲିଗଲ ରାତିଅଧେ ପାଖ ଗାଆଁ ପୁରୁଣା ପ୍ରେମିକ ସାଥେ;
ମୁଁ ବି ଭୁଲିଗଲି କାହାକୁ ପାଇଥିଲି ଭଲ
ଧାନ ଫୁଲଧରୁଥିବା ବେଳେ!

ସମୟ ପୁଣି ଆଣି ଥୋଇଦେଲା ବିନା ଚିନି ଚା କପ୍ ଗୋଟେ
ଟେବୁଲ୍ ଉପରେ !
ଖବରକାଗଜ ପଡ଼ିଥିଲା ତଳେ ।
ପାଣି ଫୋଟକା ଫୁଊଟ୍ କରି ଜଣେଇଲା ଗୁଗୁଲ୍ :
‘ମିଶନ୍ ସିନ୍ଦୂର’ ଆରମ୍ଭ ହେଲା ଦୁଇଟା ଚଉରାଳିଶରେ !

‘ଜୟ ଭାରତ ମାତା, ଜୟ’ କହି
ଜାତୀୟ ପତାକାକୁ ଘୋଡେ଼ଇ ଦିଏ ତମ ଫଟୋଟି ଉପରେ !

ଏ ବୟସେ ଆଉ କ’ଣ ମୁଁ ବା କରିପାରିଥାନ୍ତି ତମ ପାଇଁ !!
**
ଚଳଭାଷ- ୭୯୭୮୮୫୮୦୯୧