ମୂଳ ଲେଖା : ଇସମାଇଲ କାଦାରେ || ଅନୁବାଦ : ଜ୍ୟୋତି ନନ୍ଦ
ପୁରୁଣା ସିନେମା,
ପରିତ୍ୟକ୍ତ ସିନେମା
ଯେଉଁଠି ଛବି ନାହିଁ,ଛିଣ୍ଡା ରିଲ୍ କୁ ଯୋଡି ଆଉଥରେ ଚଲାଇବାର ନାହିଁ ,
ଅନେକ ଦିନ ଧରି ଯାହାର ପ୍ରଦର୍ଶନ କରାଯାଇନାହିଁ,
ଯେଉଁଠି ଦର୍ଶକମାନେ ଆଉ ହୁଇସିଲ୍ ମାରୁନାହାଁନ୍ତି
ନିଜ ନିଜର ସିଟ୍ କୁ ଜାବୁଡି ଧରି,
ଯେଉଁଠି ଆଉ ଭଜା ବାଦାମ ପାଟି କରି ବିକ୍ରୀ ହୁଏନାହିଁ
ମଧ୍ୟାନ୍ତରରେ ।
ପରଦା ସାରା ଅଳନ୍ଧୁ,
ସ୍ପିକର୍ ସବୁ ଭଙ୍ଗା,
ଫାଙ୍କା ସିଟ୍ ସବୁ ଯେମିତି ଅଲେଖା ଧାଡିମାନ,
ମନ ଦୁଃଖ ଆଉ ସ୍ମୃତିରେ ଛଳଛଳ
ମୁଁ ପ୍ରବେଶ ପଥରୁ ଦେଖେ
ଏଇ ସବୁ କବିତାର ସିଟ୍ ମାନ,କେବେଠାରୁ
ଦେଶାନ୍ତରୀ ହୋଇଯାଇଛନ୍ତି।
ପିଲାଦିନର ସିନେମା,
ଭଂଗାରୁଜା ସିନେମା,
ମୁଁ ଅନେକ ଦେଶ ଦେଖିଛି
ମୁଁ ଅନେକ ସିନେମାଘର ଦେଖିଛି ନିଜ ଆଖିରେ,
ହେଲେ ସେମାନେ କେହି ଏପରି ନୁହଁନ୍ତି
ଏମିତି ଆନନ୍ଦ,
ଯେମିତି ତମେ,
ଛିଣ୍ଡାଘଷରା ପୁରୁଣା ସିନେମା,
ଅଦ୍ଭୁତ ଆଉ ମୂଲ୍ୟବାନ ମୋ ପାଇଁ !
ଆଉ କେଉଁଠି ମୁଁ ଏମିତି ଶାନ୍ତି ପାଇନି,
ବିଳାସ ବହୁଳ ମଖମଲି ଉଜ୍ଜଳତାରେ ନୁହଁ,
ଦୁଇପଟେ ମୋର ଦୁଇ ସୁବେଶିନୀ,ସ୍ତନବତୀ।
ତମ ପାଖକୁ ମୁଁ ଫେରିଛି
ସାଥିରେ ଅଛନ୍ତି ମୋର ଜଣେ କି ଦିଜଣ ଯାଯାବର।
ଅର୍ଥ ,ଅର୍ଥ,
ଅର୍ଥ ବଡ କଷ୍ଟରେ ସଂଗ୍ରହ କରାଯାଏ,
ପୁରୁଣା ଗୀତରୁ ପଦେ ଓଠରେ ଟିକେଟ୍ ଘରେ,
ପୋଷ୍ଟରର ଅଛି ଏକ ବିଶାଳ ମସଜିଦ
ଆଉ ବଜାର ର ଗହଳି,ଚା’ ଦୋକାନ
ପ୍ରବେଶ ପଥରେ ଯିଏ ଥାଏ ସେ
ଏହାକୁ ଆଙ୍କିଛି ନିଜର ହାତରେ।
ଗୋଟିଏ ପୋଷ୍ଟର କହେ:
ସୋଭିଏଟ୍ ଛବି
ଆଉ ଗୋଟିଏ ସେଇ ସମାନ ସିନେମାକୁ କହେ:
ଚେକ୍ ଛବି
ହେଲେ ସେଥିପ୍ରତି କାହାର ଖାତିର ନାହିଁ,
ଆମେ ତମର ସବୁ କଥାକୁ ଭୁଲି ଯାଇଛୁ
ପ୍ରିୟ ପୁରାତନ
ସିନେମା।
ସେଇ ପରଦା ଖଣ୍ଡିକରେ
ଆମେ ସମଗ୍ର ବିଶ୍ୱକୁ ଦେଖିଥିଲୁ
ପ୍ରଥମ ଥର।
ଛଅ ବର୍ଗମିଟର ପରିମିତ
ପୃଥିବୀର କୌଣସି ସୀମା ନଥିଲା।
ପୃଥିବୀ ବର୍ଣ୍ଣାଢ୍ୟ ଥିଲା
ଯଦିଓ ମଝିରେ ମଝିରେ ପରଦାରେ ରଫୁ ପଡୁଥାଏ ।
ଆମେ ବି ପରସ୍ପରକୁ ରଫୁ କରୁଥିଲୁ।
ରଫୁ ରେ ଥିଲା ଆମ ଗଣତନ୍ତ୍ର
ସମୟ,ବେତ,ରାଜ୍ୟ ସବୁଠି ରଫୁ,
ହେଲେ ପରଦାର ପ୍ରତାରଣା ଯାହା
ଚିକମିକ କରୁଥିଲା
ଆଖିରେ ଆମର।
ପୁରୁଣା ସିନେମା,
ପରିତ୍ୟକ୍ତ ସିନେମା,
ସିଟ୍ ଗୁଡିକ ଯେଉଁଠି ଆମ ପିଲାଦିନ
ଧାଡିବାନ୍ଧି ବସୁଥିଲା,
ପିଲାଦିନ
ସବୁବେଳେ ଖାଲି ବକବକ,
ଯେମିତି ଦଳେ ନାମହୀନ ପକ୍ଷୀ
ଟେଲିଫୋନ୍ ତାରରେ ବସିଯାଇଛନ୍ତି।
ପୁରୁଣା ସିନେମା,
ପରିତ୍ୟକ୍ତ ସିନେମା,
ଗମ୍ଭୀର ଯେତେକ ଲମ୍ବା ଆଉ ବିଷର୍ଣ୍ଣ ସିଟ୍
ମୁଁ ଯେତିକି ଯେତିକି ବୁଢା ହୋଇ ଯାଏ
ଯୁଆଡକୁ ଯାଏ
ଭାରବାହକ ଭଳି ମୁଁ ସେମାନଙ୍କୁ ବୋହି ଚାଲିଥିବି
ମୋ ସାଥିରେ , ସମସ୍ତ ସିଟ୍ କୁ।
°°°°°
ଇସମାଇଲ କାଦାରେ ଙ୍କୁ ପ୍ରଖ୍ୟାତ ପ୍ରାଞ୍ଜ କାଫକାଙ୍କର ବିଶ୍ୱସ୍ତ ଉତ୍ତରସୂରୀ ବୋଲି ବିବେଚନା କରାଯାଏ । ଆଲବାନିଆ ସାହିତ୍ୟର ତଥା ବିଶ୍ୱ ସାହିତ୍ୟର ଅନ୍ୟତମ ଚର୍ଚ୍ଚିତ ତଥା ନନ୍ଦିତ କଥାଶିଳ୍ପୀ ସେ। ସମାନ ଭାବରେ ଜଣେ କବି ହିସାବରେ ଅତ୍ୟନ୍ତ ଜନପ୍ରିୟ ସେ। ନିକଟରେ ଏଇ ଜୁଲାଇ ଏକ (୧ ଜୁଲାଇ ୨୦୨୪) ତାରିଖ ଦିନ ଛୟାଅଶି ବର୍ଷ ବୟସରେ ତାଙ୍କର ଦେହାବସାନ ହୋଇଯାଇଛି।
ଏଇ କବିତାର ଅନୁସୃଜନ ର ଆଳରେ ” ଦି ଜେନେରାଲ୍ ଅଫ୍ ଦି ଡେଡ୍ ଆର୍ମି ” ଏବଂ “ଦି ପିରାମିଡ୍ ” ର ପ୍ରଖ୍ୟାତ ଲେଖକ ଙ୍କୁ ଶ୍ରଦ୍ଧା ସୁମନ।