ହାନ କ୍ୟାଂ ଙ୍କ ଚାରୋଟି କବିତା

ମୂଳ ଲେଖା : ହାନ କ୍ୟାଂ || ଅନୁବାଦ : ଜ୍ୟୋତି  ନନ୍ଦ

-ଏକ-
ଗାଢ କଳା ଆଲୁଅର ଘର

ସେଇ ଯେଉଁଦିନ ଉଇ-ଡଙ୍ଗ୍ ରେ
ବରଫ ବର୍ଷା ହୋଇଥିଲା
ସେଦିନ ମୋର ଶରୀର,ଆତ୍ମାର ସହଚର
ପ୍ରତିଟି ଝରିପଡୁଥିବା ଅଶ୍ରୁବିନ୍ଦୁର ସହ
କମ୍ପି ଉଠୁଥିଲା ଥରକୁ ଥର।

ଯାଅ,ଆଗେଇ ଯାଅ।

ତମେ କ’ଣ ଦ୍ୱିଧାନ୍ୱିତ?
କାହାର ସ୍ୱପ୍ନ ଦେଖ,ଏଇମିତି ଭାସି ଭାସି ବୁଲି?

ଦିମହଲାର ଘରମାନ ଫୁଲ ଭଳି ଆଲୋକିତ,
ଠିକ୍ ତାହାରି ତଳେ ମୁଁ ଶିଖିଥିଲି ବେଦନାର ବର୍ଣ୍ଣପାଠ
ଆଉ ଆନନ୍ଦର ଇଲାକା ଆଡକୁ ଯାହା ଏଯାଏଁ ଛୁଆଁ ଯାଇନାହିଁ
ନିହାତି ନିର୍ବୋଧ ଭଳି ବଢାଇ ଦେଉଛି ତାହାର ହାତ ।

ଯାଅ ,ଆଗେଇ ଯାଅ।

କାହାର ସ୍ୱପ୍ନ ଦେଖୁଛ ? ଯାଅ,ଖାଲି ଚାଲୁଥାଅ।

ସ୍ମୃତିମାନେ ଯେଉଁଠି ରାସ୍ତାକଡର ବିଜୁଳିଖୁଣ୍ଟ ପାଲଟି ଗଲେଣି ସେଇ ଆଡକୁ,ମୁଁ ଚାଲିଥିଲି।
ଉପରକୁ ଚାହିଁଥିଲି ସେଇଠି ଆଉ ଆଲୁଅବତୀର ଭିତରେ
ରହିଥିଲା  ଗାଢ କଳାରଙ୍ଗର ଘରଟିଏ। ଗାଢ କଳା
ଘରଟିଏ ଆଲୁଅର।

ଆକାଶ କଳା ଥିଲା ଆଉ ସେଇ କଳାରଂଗର ଭିତରେ
ଥିଲେ ପକ୍ଷୀଏ ବାସିନ୍ଦା
ଉଡୁଥିଲେ ହଜାଇଦେଇ ନିଜ ନିଜର ଦେହର ଯେତିକି ଥିଲା ଓଜନ।
ଏମିତି ଉଡିବା ପାଇଁ  କେତେଥରର ମରଣ  ମୋତେ ଲଭିବାକୁ ହେବ ?
କେହି ଧରିନାହିଁ ହାତଟି ମୋର।

କେଉଁ ସ୍ୱପ୍ନ ଏତେ ମଧୁର ?
କେଉଁ ସ୍ମୃତି
ଝଲସୁଥାଏ ଏତେ ଆଲୁଅରେ ?

ମାଆର ଆଙ୍ଗୁଳିର ଟିପ ଭଳି
ସେଇ ବରଫ ବର୍ଷାର ଛାଟ ମୋର ଅସଜଡା ଭୁରୁକୁ ଆଉଁଷି ଦିଏ
ମୋର ଜମାଟବନ୍ଧା ଚିବୁକରେ ଆଘାତ କରେ
ଆଉ ଠିକ୍ ତାହାର ପରକ୍ଷଣ ତାହାକୁ ଛୁଏଁ ନିହାତି କୋମଳ ଭାବରେ,

ଆଉ ଡେରି ନୁହଁ,ଯାଅ,ସାମନାକୁ ଆଗେଇ ଯାଅ ।

ଦୁଇ
ଆଇନାରେ ଶୀତକାଳ

ଗୋଟିଏ ଶିଖାର ଆଖିପୁଅ କୁ ଚାହଁ।
ନୀଳାଭ
ହୃଦୟାକୃତି
ଆଖି
ତାହାକୁ ଘେରି ରହିଥିବା
ଯେଉଁ ଉତ୍ତପ୍ତ,ଉଜ୍ଜଳତମ ବହ୍ନିମାନ
ଗୋଲାପି ରଂଗର ଅଭ୍ୟନ୍ତର ଶିଖା
ଯାହା ସବୁଠାରୁ ବେଶି ଲେଲିହାନ
ଯାହା ପୁଣି ବେଢାଇ ନେଇଥାଏ
ଅର୍ଦ୍ଧ ସ୍ୱଚ୍ଛ ବାହାରର ଶିଖାଟିକୁ
କାଲିର ସକାଳ ,ଯେଉଁ ସକାଳଟିରେ ମୁଁ
ସବୁଠାରୁ ଦୂରର ସହର ଉଦ୍ଦେଶ୍ୟରେ ଯାତ୍ରା ଆରମ୍ଭ କରିବି
ଆଉ ଆଜିର ସକାଳରେ ଗୋଟିଏ ଶିଖାର ନୀଳାଭ ଆଖି
ଚାହିଁ ରହିଥାଏ ମୋର ଆଖିପୁଅର ଠିକ୍ ଭିତରକୁ।

ମୋ ସହରରେ ଏଇଲେ ବସନ୍ତର ସକାଳ,ତମେ ଯଦି ପୃଥିବୀର କେନ୍ଦ୍ରର ସମାନ୍ତରରେ ଆଗେଇ ଯାଉଥାଅ,ଏବଂ ଯଦି ଠିକ୍ ତାହାର ମଝିକୁ ତାହାକୁ ଖୋଳି  ଅକମ୍ପିତ ପାଦରେ ବାହାରି ଯାଅ,ତାହାହେଲେ ଯେଉଁ ସହରଟିର ଦେଖା ପାଇବ,ସେଇଠିକାର ସମୟ ଆମର ସହରଠାରୁ ଠିକ୍ ବାରଘଣ୍ଟାର ପଛରେ ,ଆଉ ତାହାର ଋତୁ ଆମଠାରୁ ପକ୍କା ଛମାସ ପଛରେ,ଫଳତଃ ସେଇଠି ଏଇଲେ ଶରତକାଳର ସଂଧ୍ୟା,ଯେମିତି ବି ଆମର ସହରର ପଛପାଖ ସେଇ ସହରଟିକୁ କିଏ ଯେମିତି ନୀରବରେ ଅନୁସରଣ କରୁଛି,ସେଇ ରାତ୍ରୀକୁ ଅତିକ୍ରମ କରି ଶୀତକାଳରେ ପହଞ୍ଚିବା ପାଇଁ ମୁଁ ବି ନୀରବରେ ପ୍ରତୀକ୍ଷା କରୁଛି,ଯେତେବେଳେ ଆମର ସହର ତାହାକୁ ପଛକୁ ଫୋପାଡି ଦିଏ ,ଯେଉଁ ଭାବେ କିଏ ଜଣେ ନୀରବରେ ଅତିକ୍ରମ କରିଯାଇଥାଏ ତାହାର ଆଗରେ ଯାଉଥିବା ଲୋକଟିକୁ।

ଆଇନା ଭିତରେ ଅପେକ୍ଷମାଣ ଶୀତକାଳ
ଶୀତଳ ସ୍ଥାନ ଗୋଟିଏ
ଗୋଟିଏ ନିଦାରୁଣ ଶୀତଳ ସ୍ଥାନ
ଥୁରୁଥୁରୁ ହେବା ପାଇଁ ଅକ୍ଷମ ବସ୍ତୁପାଟକ
ତମର (ଏକଦା ଜମାଟ ବାନ୍ଧିଯାଇଥିବା) ମୁଖ
ଭାଙ୍ଗିଯାଇ ପାରେ ନା
ମୁଁ ହାତ ବଢାଏ ନା
ତମେ ବି
ବଢାଇଦେବାକୁ ଚାହଁନା ତମର ହାତ
ଗୋଟିଏ ଶୀତଳ ସ୍ଥାନ
ଯାହା ସବୁବେଳେ ଶୀତଳ ଥାଏ
ଭୀଷଣ ଭାବେ ଶୀତଳ
ଆଖିର ମଣିମାନଙ୍କର କଂପିବାର ନାହିଁ
ଆଖିର ପଲକମାନେ ବନ୍ଦ ହେବା ଜାଣନ୍ତି ନାହିଁ (ଏକାଠି)
ଆଇନା ଭିତରେ ଶୀତକାଳ ଆପେକ୍ଷା କରେ ଏବଂ
ଆଇନାର ଭିତରେ
ମୁଁ ତମର ଆଖିହଳକୁ ଏଡାଇ ପାରେନା
ଏବଂ ତମେ ବି ଚାହଁନା ତମର ହାତକୁ ବଢାଇ ଦେବ

ସେମାନେ କହିଥିଲେ ଆମେମାନେ ପୂରା ଗୋଟାଏ ଦିନ ଖାଲି ଉଡିବା।
ନିଖୁଣ ଭାଙ୍ଗ ଚବିଶ ଘଣ୍ଟା ଫୁଟି ଉଠୁଥିବ ତମର ମୁହଁରେ  ଆଉ
ସେମାନେ କହିଥିଲେ,ଯାଅ ଏଥର ଆଇନା ଭିତରକୁ ଯାଅ।
ଦିନେ ଥରେ ସହରର ଗୋଟିଏ ବଖରାକୁ ଖୋଲିଥିଲି
ମୁହଁକୁ ଧୋଇନେବା ପାଇଁ ମୋର କିଛି ସମୟ ଲୋଡା।
ଯଦି ସହରର ବେଦନାମାନେ ନୀରବରେ ଅତିକ୍ରମ କରିଯାଆନ୍ତି
ମୁଁ ତ ପଛରେ ପଡିଯିବି ଆଉ
ଯେତେବେଳେ ତମେ ଘଡିକ ପାଇଁ ଆଦରରେ ଦେଖୁନାହଁ
ଆଇନାର ବରଫ ଦାଢକୁ ଆଉଜି
ଆଉ ଅସଜଡା ଗୁଣୁଗୁଣୁ କରୁନାହଁ ।
ଯେପର୍ଯ୍ୟନ୍ତ , ଚବିଶ ଘଣ୍ଟା ର ସେଇ ନିଖୁଣ ଭାଙ୍ଗକୁ ଚାଟିନେଇ
ତମର ଉଷ୍ମ ଜିହ୍ୱାର ଧକ୍କାରେ ତାହାପରେ ଲେଣ୍ଡାଏ ଛେପ ପରି ଫୋପାଡି ଦେଇ
ତମେ ଫେରି ଆସ ଆଉ ମୋ ଆଡକୁ ଆଖି ଖୋଲି ଚାହଁ

ମୋର ଆଖି ହଳକ ଦୁଇଟି ମହମବତୀ,ସଳିତାକୁ ଦହନ କରି ଗଳିତ ମହମର ଠୋପା ଝରାଏ ,ଏଥିରେ କୌଣସି ଯନ୍ତ୍ରଣାର କିମ୍ବା ଦହନର ବେଦନା ନାହିଁ,ସେମାନେ କହନ୍ତି ମହମର ଭିତରର ନୀଳାଭ ଶିଖାର କମ୍ପନ ,ଆଉ କିଛି ନୁହଁ ଆତ୍ମାର ଆଗମନୀ ବାର୍ତ୍ତା,ଆତ୍ମାସମୂହ ଆସନ୍ତି,ମୋର ଆଖିର ଭିତରେ ବସି ଏବଂ ଥୁରୁଥୁରୁ ହୋଇ କମ୍ପୁଥାନ୍ତି,ସେମାନେ ଗୀତ ଗାଆନ୍ତି,ପ୍ରାନ୍ତବର୍ତ୍ତି  ଶିଖାମାନେ ସୁଦୂରରେ ଦୋଳାୟମାନ,କ୍ରମଶଃ ଆହୁରି ଦୂରକୁ ଚାଲିଯିବାକୁ ଚାହାଁନ୍ତି,ଆଗାମୀ କାଲି ତମେ ସବୁଠାରୁ ଦୂରବର୍ତ୍ତି ସହରର ଉଦ୍ଦେଶ୍ୟରେ ଯାତ୍ରା କରିବ,ଆଉ ଏଇଠି ମୁଁ ନିଆଁରେ ଜଳୁଛି,ତମେ ଏଇଲେ ଶୂନ୍ୟତାର ସମାଧିରେ ହାତ ରଖ ଏବଂ ଅପେକ୍ଷା କର ,ସ୍ମୃତିମାନେ ବିଷଧର ସାପ ଭଳି ତମର ଆଙ୍ଗୁଳିକୁ ଦଂଶନ କରନ୍ତି,ତମେ ଦଗ୍ଧ ହୁଅନା,ଯନ୍ତ୍ରଣା ପାଅନା ,ତମର ପଛଘୁଞ୍ଚା ଦେଉନଥିବା ମୁହଁ ଗୋଟିକ ପୋଡିଯାଏ ନାହିଁ କି ଭାଙ୍ଗିଯାଏ ନାହିଁ।

ତିନି
ଭୋରବେଳରେ ଶୁଣା ଗୀତ

ବସନ୍ତର ଆଲୁଅ ଆଉ ପ୍ରସାରିତ ଅନ୍ଧାର ଭିତରେ ଯେଉଁ ଫାଟଟି ରହିଛି
ସେଥିରେ ମିଞ୍ଜିମିଞ୍ଜି କରୁଛନ୍ତି
ଅର୍ଦ୍ଧମୃତ ଆତ୍ମାଏ ।

ମୋର ଓଠଦୁଇଟି ନିବୁଜ।

ବସନ୍ତକାଳ ହେଉଛି ବସନ୍ତକାଳ। ନିଃଶ୍ୱାସ ହେଉଛି ନିଃଶ୍ୱାସ।ଆତ୍ମା ହେଉଛି ଆତ୍ମା।

ମୋର ଓଠ ଦୁଇଟି ନିବୁଜ।

ଏହା ଏମିତି କେତେ ଦୂର ବ୍ୟାପିଛି ? କେତେ ଦୂର ଏହା ଏମିତି ଭେଦିଯାଇଛି?

ମୋତେ ଅପେକ୍ଷା କରିବାକୁ ହେବ।
ଫାଟ ବୁଜିଗଲେ ମୋତେ
ପାଟି ଖୋଲିବାକୁ ହେବ।
ଥରେ ଜିଭଟି ମିଳାଇଗଲେ ମୋତେ ପାଟି ଖୋଲିବାକୁ ହେବ।
ଆଉ କେବେ ନୁହଁ।
କେବେ ନୁହଁ ଏଇଲେ ।

ଚାରି
ହୃଦୟ ବୋଲି ଏକ ପଦାର୍ଥ

ଲିଭାଇଦିଆ ଯାଇଥିବା ଗୋଟିଏ ଶବ୍ଦକୁ ମୁଁ ପରୀକ୍ଷା କରେ।

ଅସ୍ପଷ୍ଟ ଭାବରେ ମନେରହିଥିବା ଧାଡିର ଗୋଟିଏ ଅଂଶ ,ସେଇ ସ୍ଥାନ ଯେଉଁଠି ହସ୍ର ଆଉ ଦୀର୍ଘ ଚିହ୍ନ ଦୁଇଟି ଯାକ ଅବନତ,ଫାଙ୍କ ଯାହା ଆଗରୁ ଖାଲିଥିଲା,ଏପରିକି ତାହାକୁ ଲିଭାଇଦିଆଯିବା ଆଗରୁ।

ସେଇ ସବୁ ଯାଗାରେ ମୁଁ ନିଜକୁ ଖୋଜି ପାଏ
ନିଜେ ଚାହୁଁଥିବା ହଜିଥିବା ପଥ
ନୁଆଁଇ ତଳକୁ ମଥା,ଅଣ୍ଟାକୁ ନୁଆଁଇନେଇ
ଆଣ୍ଠୁକୁ ସଳଖ କରି,ପାଦ ହଳକୁ ଶକତ କରି

ସେତେବେଳେ ହୃଦୟ ଯାହା ଅଚେତନ ହେବାକୁ ଯାଉଥିବ ତଥାପି ଆଉ କାହାକୁ
ଚେତା ବୁଡିବାକୁ ଦେବନାହିଁ

ଟିକିଏ ଅଳ୍ପ ଲିଭିଯାଇଥିବା ଛୁରୀପଟକ
ମୋ ଓଠକୁ ଦିଫାଳ କରୁଥିବ

ଗୋଟିଏ ଅନ୍ଧାର ଯାଗା ଖୋଜି ଖୋଜି
ଜିଭ ମୋର ମୋଡିମାଡି ହୋଇ କୁଣ୍ଡଳୀ କରୁଥିବ।

°°°°

୨୦୨୪ ସାଲର ସାହିତ୍ୟରେ ନୋବେଲ ପୁରସ୍କାର ର ପ୍ରାପିକା ହାନ କ୍ୟାଂ ଙ୍କ ସାହିତ୍ୟ ଜୀବନର ଆରମ୍ଭ ହୁଏ  ୧୯୯୩ ମସିହାରେ ପ୍ରକାଶିତ  ପାଞ୍ଚୋଟି କବିତା ପ୍ରକାଶରୁ।

About Jyoti Nanda

Jyoti Nanda is a writer, translator based in Bhubaneswar.

View all posts by Jyoti Nanda →