ମଣିପୁର: ଗୋଟାଏ ଅଭାଗିନୀ ମା’

ଦୃଶ୍ୟ-୧: 
ସ୍ତ୍ରୀ ମୋର ଆଠ ମାସର ଗର୍ଭବତୀ,
ଆଗରୁ ଅଛନ୍ତି ଆଉ ଦୁଇଟା କୁନି କୁନି ଛୁଆ।
ସେମାନଙ୍କ ଦୌଡ଼କୁଦରେ ଦିନେ ହସୁଥିଲା
ଆମ ଘର-ଦୁଆର,
ଛୋଟିଆ ମୋ' ସୁଖୀ ସଂସାରକୁ ଦେଖି
ମା' ମୋର ଭଗବାନଙ୍କ ପାଖରେ
ନିଇତି ମୁଣ୍ଡ ନୁଆଁଉଥିଲା କୃତଜ୍ଞତାରେ।
ହେଲେ ଆଜି ଛାରଖାର ହୋଇଯାଇଛି
ମୋ' ସଂସାର!
ଦୁଇ ପଟରେ ଜଳୁଥିବା ହିଂସାର ନିଆଁ ଆଜି
ଜଳାଇ ଦେଇଛି ମୋର ଆଉ ମୋ' ଭଳି
ଆହୁରି ଅନେକ ଘର ଓ ସଂସାର।
ଜାଣିନି, ଜୀବନ ଥାଉ ଥାଉ
ଆଉ ଦେଖି ପାରିବି କି ନାହିଁ
ମୋ' ପିଲା-ପରିବାର!

ଦୃଶ୍ୟ-୨:
ସେଦିନ
ମା' ମୋର ଏକା ରହିଗଲା ଘରେ।
ବୁଢ଼ୀ ପାଦ ତା'ର ସକ୍ଷମ ହେଲେନି
ଘର ଛାଡ଼ିବାକୁ।
ଆଉ ସେଇ ଦିନ ହିଁ
ଦଳେ ହିଂସାମତ୍ତ ମାତାଲ୍
ଜାଳି ଦେଲେ ଆମ ଘର
ଆଉ ତା' ଭିତରେ ରହିଯାଇଥିବା ମୋ' ମା'କୁ!
ମା' ନିଶ୍ଚୟ ସେଦିନ ସ୍ଵର୍ଗରେ ଭେଟିଥିବ
ମୋ' ବାପାଙ୍କୁ।
ହୁଏତ ପଚାରିଥିବ,
"ଏଇଥି ପାଇଁ ଲଢ଼ି ଥିଲ
ଦେଶ ସ୍ବାଧୀନତା ପାଇଁ?
ଯେଉଁ ଦେଶର ଲୋକ
କେବେଠୁ ଭୁଲି ଗଲେଣି ବିବେକ!"

ଦୃଶ୍ୟ-୩:
ଆମ ଘର ସବୁ ଜଳି ଯାଇଛି
ତିନି ମାସ ତଳୁ।
ନା ଏବେ ଆଖିକୁ ନିଦ,
ନା ପେଟକୁ ଖାଦ୍ୟ,
ନା ଆମ ପିଲାଙ୍କୁ ସ୍କୁଲ୍!
ଗୋଟାଏ ଅନିଶ୍ଚିତ ଭବିଷ୍ୟତର ଅନ୍ଧାର
ଏବେ ଲୁହ ସାଜି ଜକେଇ ଆସେ ଆଖିରେ!
ଜାଲଜାଲୁଆ କରିଦିଏ
ରିଫ୍ୟୁଜି କ୍ୟାମ୍ପର ସୀମିତ ପରିସର।
କେତେ ନାଇଁ କେତେ ଚିହ୍ନାପରିଚିତଙ୍କ ପାଇଁ
ଆଜି ଘରଠାରୁ ଅଧିକ ନିରାପଦ ସାଜିଛି
ସେମାନଙ୍କ ହାତ ତିଆରି ବଙ୍କର!
ମଣିପୁର:
ମୁଁ ଗୋଟାଏ ଅଭାଗିନୀ ମା'
ଯିଏ ଆଜି ବିଭାଜିତ
ନିଜ ଘର ଭିତରର କଳିରେ!
କେଜାଣି କିଏ ଆଜି ଭରି ଦେଇଛି
ମୋ' ପିଲାଙ୍କ ମନରେ ଜହର!
କିଏ ସେମାନଙ୍କ ହାତରେ ଧରାଇ ଦେଇଛି
ହାତହଥିଆର୍!
କିଏ ସେମାନଙ୍କ ଭିତରେ କୁହୁଳେଇ ଦେଇଛି
ଅବିଶ୍ବାସ!
କାହାର ବିଷ ଦଂଶନରେ ଆଜି ଜଳୁଛନ୍ତି
ମୋ' ପିଲାମାନେ!
ପୁଣି କେଉଁ କୁଚକ୍ରୀର ଷଡ଼ଯନ୍ତ୍ର
ମୋତେ କରତେଇ ଚାଲିଛି ପ୍ରତି ମୁହୂର୍ତ୍ତରେ!!!

About Preeti Prajna Pradhan

Preeti Prajna Pradhan is a writer based in Bhubaneswar.

View all posts by Preeti Prajna Pradhan →