ହୁଏତ ମୋ' କଥା
ଆଦୌ ଶୁଭି ନ ପାରେ ତୁମକୁ!
କିମ୍ବା ଶୁଣି କି ବି
ନ ଶୁଣିବାର ଛଳନା କରିପାର ତୁମେ।
ବିଲକୁଲ କିଛି ନ କହି
ତୁମେ ପୂରା ନିରବ ରହିପାର,
ମୋ' ପ୍ରଶ୍ନ ମାନଙ୍କୁ ଅନୁତ୍ତରିତ ରଖି
ସେମାନଙ୍କୁ ହଜମ କରି ଦେଇପାର,
ଚୁପ୍ ରହି!
ମୋ' ଆକୁତିର ଶବ୍ଦ ମାନଙ୍କୁ
ଫେରାଇ ଦେଇପାର
ତୁମ ବନ୍ଦ ଦରଜା ଏପାଖରୁ!
ବିଦ୍ରୋହର ମୋ' ସ୍ବରକୁ
ନାଁ ଦେଇପାର ଚକ୍ରାନ୍ତର।
ମୋ' ସହ ସ୍ବର ମିଳାଇ
ଆୱାଜ ଉଠଉଥିବା ମଣିଷ ମାନଙ୍କୁ
କହିପାର ଷଡ଼ଯନ୍ତ୍ରକାରୀ ବୋଲି!
ପ୍ରଚାରର କୋଳାହଳ ଭିତରେ
ହଜି ଯାଇ ପାରନ୍ତି
ମୋ' ମନର କଥା ସବୁ,
ମୋ' ଲୁହ ହୁଏତ
ଟିକିଏ ବି ତରଳାଇ ନପାରେ ତୁମ ମନ!
ତୁମେ ପ୍ରଶ୍ନ ବି କରିପାର
ମୋ' ଅଭିଯୋଗର ସତ୍ୟତାକୁ।
ବନ୍ଦ କରିଦେଇପାର
ମୋ' ପାଖକୁ ଆସୁଥିବା
ପାଣି, ପବନ ଆଉ ବିଜୁଳିକୁ।
ନିଜକୁ ସତ୍ୟପଥର ଯାତ୍ରୀ ବୋଲି
ଆଖ୍ୟାୟିତ କରିପାର,
କହିପାର ବି ତୁମ ପାର୍ଷଦ ମାନଙ୍କ ଉପରେ
ଲଗା ଯାଇଥିବା ଲାଞ୍ଛନା ତକ
ମିଥ୍ୟା ବୋଲି।
ପ୍ରଚଣ୍ଡ ତାତିରେ, ଜ୍ବରର ପୀଡ଼ାରେ
ମଉଳି ଯାଇପାରେ ମୋ' ମୁହଁ,
ଅବହେଳାରେ ଅବଶ ହୋଇ ଯାଇପାରେ
ମୋ' ଦେହ।
ହେଲେ ଦେଖିବ;
କେବେ ନା କେବେ
ମୋ' ସ୍ବରର ଶାଣିତ ସତ୍ୟ ଉଇଁବ
ସକାଳର ସୂର୍ଯ୍ୟ ହୋଇ!
ସେତେବେଳେ ଦେଖିବ;
କେମିତି ତୁମ ଛଳନାର ଆଟୋପକୁ
ଲୁଚାଇବା ପାଇଁ
ଅମା ଅନ୍ଧକାର ବି ନିଅଣ୍ଟ ପଡ଼ିବ!!!