ପ୍ରବାସକାଳ

ମୂଳ ଲେଖା : କେକି ଏନ୍ ଦାରୁୱାଲା || ଅନୁବାଦ : ଜ୍ୟୋତି  ନନ୍ଦ

ପ୍ରବାସକାଳ ସବୁବେଳେ ବଡ କଷ୍ଟର
ପଚାର ଯେ କୌଣସି ମରୁଡିକୁ,
କୌଣସି ମଡକକୁ;
ପଚାର ସନ ଊଣେଇଶ ସତଚାଳିଶକୁ।
ପଚାର ସେଇ କ୍ରମାନ୍ୱୟରେ ଲିପିବଦ୍ଧ ବିବରଣୀକୁ;
ଯଦି ନଥାନ୍ତା କୌଣସି ପ୍ରବାସର କାଳ
ତାହେଲେ କ’ଣ ରହିପାରିଆନ୍ତା ସେମିତି
ଆମର ଚର୍ବିତ ଚର୍ବଣ ପାଇଁ  ଯଥେଷ୍ଟ ଇତିହାସ ?

ପଛକୁ ଫେରିବା ସମୟ ସେମିତି ବଡ ଦୁଃସାଧ୍ୟ।
ପଚାର ସେମାନଙ୍କୁ ଯେଉଁମାନେ ସରଗୋଧା ଜଙ୍ଗଲରୁ ଫେରି ଆସିଛନ୍ତି,
ଅଥବା ଝେଲମ୍ ରୁ କି ମିଆଁବଲ୍ଲୀରୁ ଆଉ ସେମାନେ ହିଁ ସେକଥା ଠିକ୍ ରେ କହିପାରିବେ।
ପୁରୁଣା ଇଟାର ସନ୍ଧିରେ ନୂଆ ମୁହଁମାନ;
ଭାରି ଭଦ୍ର,ଆବେଗରେ ଭରପୁର,
ଅଜଣା ଓଠରୁ ଝରିପଡୁଥିବ ।
ଏଇଟି ଆପଣଙ୍କ ଘର,ସାର୍ ।

ଆଉ ଯଦି ତମେ ସମୟକୁ ନେଇ ଧ୍ୟାନସ୍ଥ ହୁଅ
ତାହା କୌଣସି ସମୟ ଆଉ  ନୁହଁ..
( ଅତୀତ ଜମାଟବନ୍ଧା ,ଏହା ପଥର,
ଯାହା ଗତିଶୀଳ ନୁହଁ
ଆଉ ସ୍ପନ୍ଦିତ କରୁଥାଏ ଆମକୁ ତାହା ସମୟ ନୁହଁ )
ତମେ ଯଦି ସେଇ ଟୁକୁଡାକ ସମୟ ଉପରେ ଧ୍ୟାନସ୍ଥ ହୁଅ,
ମନରେ ସରାଗ ବୋଲି କିଛି ରହିବ ନାହିଁ
ମେଘମାଳା ଭଳି
ଆକାଶରେ ଏକାଠି ହେଉଥାଏ ଯାହା
ମାତ୍ର ତାହାର ଆଉ ବର୍ଷିବାର ନାହିଁ।

ମାଆ ପ୍ରାୟତଃ ପଚାରେ,ତୋର କଂଣ ମନେପଡୁଛି
ମୋ ମାଆ?
ରୋଷେଇ ଘରେ ସବୁବେଳେ ତୁ ଏପଟ ସେପଟ
ବଢାଇ ଦେବାମାତ୍ରକେ ଦେ ଦୌଡ ଯେ
ଚେଁ ଚାଁ କରୁଥିବ  ଥାଳିଆରେ ଗରମ ପକୁଡି।
ତୋର କ’ଣ ତାହାର କଥା କିଛି ବି ମନେ ନାହିଁ ?
ମାଆର ହତାଶ ମୁହଁ
ଆହୁରି ଘନ ହୋଇ ଆସେ
ମୋତେ ଯେବେ ତାହାପରେ ଚୁପଚାପ ଦେଖେ।
ଏଇଲେ ମୋ ସ୍ୱପ୍ନମାନେ ମୋତେ ପଚାରି ବସନ୍ତି
ଯଦି ମୁଁ ମୋ ମାଆକୁ ମନେ ପକାଇବି
ଆଉ ମୁଁ ଜାଣେନାହିଁ ଠିକ୍ ତାହାପରେ ମୁଁ ଅସଲରେ
କେଉଁଠି କେମିତିକା ଥିବି।
କାଳର ପ୍ରବାହରେ ପ୍ରବାସକାଳ ବି ସେମିତି କଷ୍ଟକର ।

°°°°°

ଭାରତୀୟ ଇଂରେଜୀ ସାହିତ୍ୟର ଅନ୍ୟତମ ଶିଖର ପୁରୁଷ କବି ଏବଂ କଥାକାର କେକି ଏନ.ଦାରୁୱାଲା ଆଜି ଅସ୍ତମିତ।  ଲାହୋର୍ ସହରରେ ୧୯୩୭  ମସିହା ରେଜନ୍ମିତ କେକି ଏନ୍ ଦାରୁୱାଲା ଙ୍କର ଗତ ୨୬ ସେପ୍ଟେମ୍ବର ୨୦୨୪ ରେ ୮୭ ବର୍ଷ ବୟସରେ ଦେହାବସାନ ଘଟିଅଛି।

ଏଇ ଅନୁସୃଜିତ କବିତା ମାଧ୍ୟମରେ କବିଙ୍କୁ ସ୍ମରଣାଞ୍ଜଳୀ ।

ଶ୍ରୀଯୁକ୍ତ ଦାରୁୱାଲା  କବିତା ଏବଂ କାହାଣୀ ଉଭୟ ବିଭାଗରେ ନିଜର ସିଦ୍ଧହସ୍ତ ସ୍ୱାକ୍ଷର ରଖି ଯାଇଛନ୍ତି।

ମଣିଷର ପ୍ରକୃତିଗତ  ଉଚ୍ଚ ଆଶା ଏବଂ ଭଲ ପଣ କେନ୍ଦ୍ରିତ ଏଇ ଦୁଇଟିକୁ ନେଇ ଏକ ପ୍ରକାର  ସଂଶୟବୋଧ, ଏବଂ ସମକାଳର ଆଧୁନିକତାକୁ ନେଇ ଏକ ଦ୍ୱନ୍ଦ୍ୱାତ୍ମକତା ତାଙ୍କର କାବ୍ୟଭାଷାକୁ  ବିଷ୍ଫୋରିତ ଏବଂ ଦୃଢ କରିଛି।

ବୃତ୍ତିଗତ ଭାବରେ ସେ ସର୍ବଭାରତୀୟ ସେବାର ଜଣେ ପୁଲିସ ଅଧିକାରୀ ରହିଥିଲେ।

About Jyoti Nanda

Jyoti Nanda is a writer, translator based in Bhubaneswar.

View all posts by Jyoti Nanda →