ଶେଷ ଦୃଶ୍ୟ (ଭାଗ -୯)

।। ୯ ।।

‘ପିଲାଟା ଗୋଟେ ବଡ ଜଏଂଟ୍ ଫ୍ୟାମିଲିରୁ ଆସିଥିଲା । କିନ୍ତୁ ଧୀରେ ଧୀରେ ତାଙ୍କ ପରିବାରରୁ ସମସ୍ତେ ଅଲଗା ହୋଇଗଲେ । ଶେଷରେ ଗୋଟେ ଉଆସ ପରି ଘରେ ସେ ଏକା ହିଁ ରହୁଥିଲା । କାରଣ ତା ବାପା ମାଆ ବି ଆରପାରିକୁ ଚାଲି ଯାଇଥିଲେ । ତୁ ଜାଣୁ କାହାଣୀର ଶେଷରେ ସେ କ’ଣ କଲା ? ସେ ସୁଇସାଇଡ୍ କରିଦେଲା ।’

‘ଓଃ !! କିନ୍ତୁ ସେ ସେମିତି କାହିଁକି କଲା ? ଚାହିଁଥିଲେ ତ ସେ ଗୋଟେ ଭଲ ଝିଅକୁ ବାହା ହେଇକି ଘର ସଂସାର କରି ରହି ପାରିଥାନ୍ତା ।’

‘ନା । ସେ ବାହା ହେବାକୁ ଚାହୁଁଥିବା ଝିଅଟି ଅନ୍ୟଠି ବାହା ହୋଇ ଯାଇଥିଲା । ଝିଅଟିକୁ ସେ ଖୁବ୍ ଚାହୁଁଥିଲା ।’

କୌଣସି ଏକ ହିନ୍ଦି ଚ୍ୟାନେଲ୍‌ର ମେଗା ସିରିଆଲ୍ କାହାଣୀରେ ମଜ୍ଜି ଯାଇଥିଲେ ପ୍ରଲିସା ଓ ମଧୁମିତା । ରାଜଧାନୀରେ ଅପରାହ୍ଣର ଆକାଶ ସବୁବେଳେ ଆକର୍ଷଣୀୟ । ଖରାଦିନର ସକାଳ ପରି ଖୁବ୍ ସଫା ଥିଲା ଆକାଶର ଦେହ । ପାଂଚ ତାଲା ବିଶିଷ୍ଟ ଆପାର୍ଟମେଂଟର ପୂରା ଉପରେ ବସିଥିଲେ ଦୁଇ ବାନ୍ଧବୀ । ଏତେସବୁ ଘଟଣା ପରେ ଏଇ ଆପାର୍ଟମେଂଟର ତୃତୀୟ ତାଲାରେ ଗୋଟିଏ ଘରକୁ ସିଫ୍ଟ ହୋଇ ଆସିଛନ୍ତି ପ୍ରଲିସାର ଫ୍ୟାମିଲି । ନିଜ ଜନ୍ମମାଟି ବାଲେଶ୍ୱରରେ ରହିବା ସେମାନଙ୍କ ପାଇଁ ଆଉ ସୁବିଧାଜନକ ନଥିଲା ।

‘ଅଭିଳାଷ ଏବେ କୋଉଠି ଅଛି ତା’ର କିଛି ଖୋଜ୍‌ଖବର ପାଇଲୁ ?’

ଦୂର ଦିଗ୍‌ବଳୟ ଆଡକୁ ଉଡି ଯାଉଥିବା ଦଳେ ଚଢେଇଙ୍କୁ ଲକ୍ଷ୍ୟ କରୁ କରୁ ମଧୁମିତାକୁ ପଚାରିଲା ପ୍ରଲିସା । ଟିଭି ସିରିଆଲ୍ କାହାଣୀରୁ ହଠାତ୍ ଅଭିଳାଷ କଥା ତା’ର ମନେପଡି ଯାଇଥିଲା । ସେ ବି ଥିଲା ଏ କାହାଣୀର ନାୟକ ପରି ଏକ ଚରିତ୍ର । ମଧୁମିତା କହୁଥିଲା ସେ କାଳେ ଅନାଥ ପିଲାଟିଏ । ଏଇ ଭୁବନେଶ୍ୱରର କୌଣସି ଏକ ଅର୍ଫାନେଜ୍‌ରେ କଟିଛି ତା ଶୈଶବ । ଖୁବ୍ ଇଂଟ୍ରୋଭର୍ଟ । କିନ୍ତୁ କେବେବି ଥରେ ସେ ତା ସହ କଥାପଦେ ବି ହେଇନି । ସେ ମଧୁମିତା ସହ ବେଳେବେଳେ ମିଶୁଥିଲା । ସେ ହିଁ ପ୍ରଲିସାକୁ କହୁଥିଲା ଯେ, ଅଭିଳାଷ କାଳେ ତାକୁ ଭାରି ପସନ୍ଦ କରେ । କିନ୍ତୁ କାହିଁକି ପସନ୍ଦ କରେ କାରଣଟି ଜାଣିନଥିଲା । କଲେଜ ଛାଡିଲା ପରେ ବି ସେ ତା ଖବର ରଖୁଥିଲା । ଏବେ ସେ ବାଙ୍ଗାଲୋରର କୌଣସି ଏକ କମ୍ପାନୀରେ କାମ କରୁଛି ।

‘ନା, ତା ସେ ପୁରୁଣା ଫୋନ୍ ନମ୍ବରଟା ବୋଧେ ସେ ବଦଳେଇ ଦେଇଛି । ମୁଁ ସେତେବେଳେ କେତେ କରି ତତେ କହିଲି, ତା ସହ ଟିକେ କଥା ହେଇଯାଆ ବୋଲି, କିନ୍ତୁ ତତେ ତ ଟାଇମ୍ ହେଲାନି । ଏବେ ତାକୁ କାହିଁକି ଖୋଜୁଛୁ ? ସେ ଆଉ କ’ଣ ଥିବ, ବାହାସାହା ହେଇସାରିଥିବ ନା ।’

ଦୁନିଆରେ ସବୁ ଜିନିଷ ପରିବର୍ତନଶୀଳ । ରାସ୍ତାଘାଟ, ଘରବାଡି, ମଣିଷ, ମଣିଷର ସ୍ୱଭାବ । ଏମିତି ଏମିତି ସବୁକିଛି । ନିଜ ଚାରିପାଖକୁ ଖାପ ଖୁଏଇ ପ୍ରତି ମଣିଷ ବଦଳି ଯାଏ । ତାକୁ ବଦଳିବାକୁ ହୁଏ । ଅଭିଳାଷ ବା ସେଥିରୁ ବାଦ୍ ପଡିବ କେମିତି ?

‘ଧେତ୍ । ତତେ କିଏ ଖାଉନେଇ । ମୁଁ କ’ଣ ତାକୁ ସେଇ କାରଣରୁ ଖୋଜୁଛି ? ବେଳେବେଳେ ଭଲ ସାଙ୍ଗମାନେ ଖୁବ୍ ମନେପଡନ୍ତି । ଯଦି ବି ସେ ବାହାହୋଇ ନଥିବ, ସେ ବା ମତେ କାହିଁକି ବାହା ହେବ ? କୌଣସି ଅଇଁଠା ଖାଦ୍ୟକୁ ବା ସେ ଖାଇବ କାହିଁକି ? ମୁଁ ଯେ ଆଉ କାହାର ସ୍ୱପ୍ନର ରାଣୀ ହୋଇପାରିବି ସେ ଆଶା ମୋର ମଉଳି ଯାଇଛି ମଧୁମିତା । ଏବେ ମୁଁ ଗୋଟେ ଅଲଗା ଦୁନିଆରେ ବଂଚିବାକୁ ଚାହୁଁଛି । ଯୋଉଠି କେହି ପରିଚିତ ଲୋକ ନଥିବେ ।’

ନିଜ କଥାର ଶେଷ ଆଡକୁ ଖୁବ୍ ଉଦାସ ହୋଇଗଲା ପ୍ରଲିସା । ତା ଆଖି ଛଳଛଳ ହୋଇଗଲା । ମୁହଁ ବୁଲେଇ ଅପରାହ୍ଣର ଆକାଶରେ ସେ ପୁଣି ସେଇ ଚଢେଇ ପଲଟିକୁ ଖୋଜୁଥିଲା, କିଛି ସମୟ ପୂର୍ବରୁ ଯେଉଁମାନେ ଆନନ୍ଦରେ ଫେରି ଯାଉଥିଲେ ନିଜ ନିଜ ଘରକୁ ।

ପ୍ରଲିସାକୁ ନିଜ କୋଳକୁ ଆଉଜେଇ ଆଣିଲା ମଧୁମିତା । ସେ ଜାଣି ସାରିଥିଲା, ଅଭିଳାଷ ବିଷୟରେ ତା କଥା ପଦକ ପ୍ରଲିସାକୁ ଖୁବ୍ ବାଧିଛି । ସେ କିନ୍ତୁ କଥାଟା ଥଟ୍ଟାରେ ହିଁ କହିଥିଲା । ସତରେ ଯଦି ଅଭିଳାଷର ନମ୍ବରଟା ମିଳି ଯାଆନ୍ତା ଏ ଦୁହିଁଙ୍କୁ ମିଶେଇ ଦେଇ ମଧୁମିତା ବହୁତ ଖୁସି ପାଆନ୍ତା । ମଧୁମିତା ଭାବୁଥିଲା, ଜୀବନରେ ଏତେ ଦୁଃଖ ନେଇ କେମିତି ଆଗାମୀ ଜୀବନ ବଂଚିବ ପ୍ରଲିସା ? କିଏ ତାକୁ ସାହାରା ଦେବାକୁ ଆଗେଇ ଆସିବ ? ଜୀବନର ରାସ୍ତାରେ ବେଳେବେଳେ ଏମିତି ଖାଲଖମା ଥାଏ । କିନ୍ତୁ ଏତେବଡ ଗାଡରେ ପ୍ରଲିସା ପଡିଛି ଯେ, ସେଥିରୁ ଉଠି ଆସିବା ବୋଧେ ତା ପାଇଁ ସେତେଟା ସହଜ ହେବନି ।

‘ଦିଦି ତଳକୁ ଆସନ୍ତୁ । ଆପଣଙ୍କୁ ଭେଟିବାକୁ କିଏ ସବୁ ଆସିଛନ୍ତି । ସେମାନେ ବାବୁଙ୍କ ସହ କଥା ହେଉଛନ୍ତି ।’

ପ୍ରଲିସା ଓ ମଧୁମିତା ପାଇଁ ଦୁଇକପ୍ ଚା ଓ କିଛି ବିସ୍କୁଟ୍ ଆଣିଥିଲା ସୁମି । ଦୁଇ ବାନ୍ଧବୀ ତଥାପି ବିଷାଦରୁ ଫେରିନଥିଲେ । ଅନ୍ୟମନସ୍କରେ ଦୁହେଁ ଚା ପିଇଲେ, ବିସ୍କୁଟ୍ ଖାଇଲେ । କଥା ନାହିଁ ବାର୍ତ ନାହିଁ ।

ପ୍ରଲିସା ମୁଣ୍ଡକୁ ଆଉଁସି ଦେଇ ମଧୁମିତା କହିଲା- ତୁ ଆଉ ଏମିତି ମୁହଁ ଶୁଖେଇ ବସନା । ତୁ ଏବେବି ସେମିତି ଅଛୁ ଯେମିତି ଆଗରୁ ଥିଲୁ । ଏବେବି ତୁ ଚାହିଁଲେ ବହୁତ ପିଲା ତୋ ପରି ଝିଅକୁ ଜୀବନ ସାଥୀ କରିନେବାକୁ ଅନେଇ ବସିଛନ୍ତି । ତୋ’ଠି କ’ଣ ଏମିତି ଅଭାବ ଅଛି କି ? ଡୋଂଟ୍ ୱରି ମାଇଁ ସ୍ୱିଟ୍‌ହାର୍ଟ । ଅଭିଳାଷର ନମ୍ବର ମୁଁ ଯୋଗାଡ କରିକି ତତେ ଦେବି । ମୋର ଗୋଟେ କଜନ୍ ବାଙ୍ଗାଲୋରରେ ଗୋଟେ ସଫ୍ଟଓୟାର କମ୍ପାନୀରେ କାମ କରେ । ମୁଁ ତାକୁ କହିଛି ଅଭିଳାଷ ବିଷୟରେ । ସେ ବି ସେଠାକାର ଓଡିଆ ସୋସାଇଟିରେ ମେମ୍ବର ଅଛି । ତେଣୁ ନମ୍ବରଟା ମିଳିଯିବ । ଚାଲ୍ ତଳକୁ ଯିବା । ଦେଖିବା କିଏ ଆସିଛି ।

ମଧୁମିତାର କଥା ଶୁଣି ପ୍ରଲିସା ମୁହଁରେ କଷ୍ଟରେ ହେଉ ପଛକେ ଧାଡିଏ ହସ ଫୁଟି ଉଠିଲା । ସେ ଜାଣିଥିଲା ମଧୁମିତା ତା ମନ ରଖିବାକୁ ଏମିତି ସବୁ କଥା କହୁଛି । ଏଇ ବର୍ଷକ ଭିତରେ ସେ ଭଲକରି ଚିହ୍ନି ସାରିଛି ପ୍ରତାରଣାର ଇଟାରେ ତିଆରି ଏ ଦୁନିଆକୁ । ଏଠି ଝିଅଟିଏ ନିଜର ହେବାକୁ ଯେତିକି ସମୟ ଲାଗେ, ପର ହେବାକୁ ତା’ଠାରୁ ଢେର୍ କମ୍ ସମୟ ଲାଗେ । ଅନ୍ତରଙ୍ଗ ଇମାରତ୍‌ଟିଏ ତିଆରି ହେବାକୁ ଖୁବ୍ କଷ୍ଟ କରିବାକୁ ପଡେ । ଦରକାର ପଡିଥାଏ ମନ ମିଶୁଥିବା ଦୁଇଜଣ ରାଜମିସ୍ତ୍ରୀ ।

‘କିଏ ଆଉ ଆସିଥିବ ଯେ, ମିଛ ଖବରକୁ ରଙ୍ଗ ମାରି ବଜାରକୁ ଛାଡୁଥିବା ସେଇ ମିଡିଆ ବାଲା କିଏ ଆସିଥିବେ । ନହେଲେ ହିପୋକ୍ରାସି କରି ଟିଭିରେ ମୁହଁ ଦେଖେଇବାକୁ ବିକଳ ହେଉଥିବା କିଛି ସୋସିଆଲ୍ ଆକ୍ଟିଭିଷ୍ଟ ଆସିଥିବେ । ହଉ ଚାଲ୍ ଦେଖିବା କିଏ ।’

ଶାଶୂଘର ଛାଡି ଆସିବା ପରେ ଏଇ ମଧୁମିତା ହିଁ ତା ଦୁଃଖ ଦିନର ସାଥୀ ପାଲଟିଛି । ନହେଲେ ଭୁବନେଶ୍ୱରରେ ତାକୁ ଆଉ କିଏ ଚିହ୍ନିଥିଲା । ସ୍ଥିତି ଏମିତି ହେଲା ଯେ, ବନ୍ଧୁବାନ୍ଧବ ବି ତାଙ୍କ ଘରକୁ ଆସିଲେନି । କିଏ ଜଣେ କହିଥିଲେ, ଦୁଃସମୟରେ ହିଁ ଜଣା ପଡିଯାଏ ମଣିଷର ପ୍ରକୃତ ବନ୍ଧୁ କିଏ । ଥାନାରେ କେଶ୍ ଦେଇ ସାରି ପ୍ରଲିସାର ପରିବାର ସିଧା ପଳେଇ ଆସିଥିଲେ ଭୁବନେଶ୍ୱର । ୟା ଭିତରେ ତିନିମାସ ବିତି ଗଲାଣି । ଘଟଣା ପରଦନ ହିଁ ଖବରଟି ଟିଭିରୁ ଦେଖି ମଧୁମିତା ଆସି ତା ପାଖରେ ହାଜର ହୋଇଥିଲା । ତା ବରଟି ଗୋଟେ ଷ୍ଟିଲ୍ କମ୍ପାନୀରେ ଏକ୍‌ଜିକ୍ୟୁଟିଭ୍ ଅଛି । ଖୁବ୍ ଅମାୟିକ ପିଲା । ସବୁବେଳେ ହେଁ ହେଁ ହସୁଥିବା ଓ ଜୀବନରେ କୌଣସି କଥାକୁ ସିରିୟସ୍‌ଲି ନେଇନଥିବା ମଧୁମିତା, ସତରେ କୋଉ ଦିଅଁ ପୂଜିଥିଲା କେଜାଣି, ତାକୁ ଏମିତି ଏକ ଲାଇଫ୍ ପାର୍ଟନର ମିଳିଛି । ବେଳେବେଳେ ମଧୁମିତାର ସୁଖ ଦେଖିଲେ ମଧୁର ଈର୍ଷାରେ ବୁଡିଯାଏ ପ୍ରଲିସା । କିନ୍ତୁ ତାକୁ ପୁଣି ପାଖରେ ପାଇ ସତରେ ସେ ଖୁବ୍ ବଳ ପାଇଛି ।

‘ନମସ୍କାର ମ୍ୟାଡମ୍ । ମୁଁ ବିରୋଧୀ ଦଳ ମହିଳା ମୋର୍ଚ୍ଚାର ରାଜ୍ୟ ସଭାନେତ୍ରୀ କୁମୁଦିନୀ ପ୍ରଧାନ । ଇଏ ଓବିସି ସେଲ୍ ସଭାପତି ପ୍ରକାଶ ପାଇକରାୟ । ଇଏ ଆମ ଦଳର ଯୁବମୋର୍ଚ୍ଚା ସାଧାରଣ ସମ୍ପାଦକ ଚିଲୁ ମହାପାତ୍ର । ଆଉ ଏମାନେ ସବୁ ସିନିୟର ଲିଡର ।’

ପ୍ରଲିସା ଓ ମଧୁମିତା ଘର ଭିତରକୁ ପଶୁ ପଶୁ ଡ୍ରଇଂ ରୁମ୍‌ରେ ଆଡ୍ଡା ଜମେଇ ବସିଥିବା ଲୋକମାନଙ୍କ ଭିତରୁ ମଧ୍ୟବୟସ୍କ ମହିଳା ଜଣକ ସମସ୍ତଙ୍କ ଇଂଟ୍ରୋଡକ୍ସନ୍ ଦେଲେ । ଚା ପିଉ ପିଉ ଏମାନେ ବେଶ୍ ବଡପାଟିରେ ଭାଷଣ ଦେବା ଶୈଳୀରେ କଥା ଲମ୍ବେଇଥିଲେ ପ୍ରଲିସାର ବାପା ବିନୋଦ ଚୌଧୁରୀଙ୍କ ସହ । ନିଜକୁ ମହିଳା ମୋର୍ଚ୍ଚା ସଭାନେତ୍ରୀ କହୁଥିବା କୁମୁଦିନୀ ପ୍ରଧାନ ପ୍ରଲିସା ହାତକୁ ବଢେଇ ଦେଇଥିଲେ ଏକ ବଡ ଫୁଲତୋଡା । ଅନ୍ୟମାନେ ବି ଏଥିରେ ସହଯୋଗ କରିଥିଲେ ତାଙ୍କୁ । ଏଇ ସମୟରେ ତାଙ୍କ ସହିତ ଆସିଥିବା ଫଟୋଗ୍ରାଫର ଚକ୍‌ଚାକ୍ କରି କେତୋଟି ଫଟୋ ବି ଉଠାଇନେଲେ ।

‘ମ୍ୟାଡମ୍ ! ଆପଣ ହେଉଛନ୍ତି ଆମ ରାଜ୍ୟରେ ଯୌତୁକ ନିର୍ଯାତନା ଭୋଗୁଥିବା ପ୍ରତିଟି ମହିଳାଙ୍କ ପାଇଁ ଗୋଟେ ବିରାଟ ଆଇକନ୍ । ଆପଣଙ୍କ ସାହସ ଓ ନିଷ୍ଠାରୁ ସେମାନେ ଉତ୍ସାହିତ ହୋଇଛନ୍ତି । ଟିଭି ପରଦାରେ ଆପଣଙ୍କ ସାହସର ପରିଚୟ ସାରା ରାଜ୍ୟ ଦେଖିସାରିଛି । ଜଣେ ପାୱାରଫୁଲ୍ ମନ୍ତ୍ରୀଙ୍କ ବିରୋଧରେ ସ୍ୱର ଉତୋଳନ କରିବା କ’ଣ କମ୍ ସାହସର କଥା ?’

ନିଜର ଏକ ସଂକ୍ଷିପ୍ତ ଭାଷଣ ସହିତ ପ୍ରଲିସାକୁ ଧରି ଆଉ କେତୋଟି ଫଟୋ ଉଠାଇଲେ ମହିଳା ମୋର୍ଚ୍ଚା ସଭାନେତ୍ରୀ ମ୍ୟାଡାମ୍ କୁମୁଦିନୀ । ଖୁବ୍ ଅଶ୍ୱସ୍ତି ଅନୁଭବ କରୁଥିଲା ପ୍ରଲିସା । ଗତ କିଛିଦିନ ଭିତରେ ଥାନା ପୋଲିସ୍‌, ଓକିଲ, କୋର୍ଟ, ମିଡିଆ, ରାଜନେତା ଓ ୱିମେନ୍ ଆକ୍ଟିଭିଷ୍ଟଙ୍କ ଗୋଲକଧନ୍ଦାରେ ପଡି ଖୁବ୍ ବିରକ୍ତ ହୋଇଯାଇଥିଲା ପ୍ରଲିସା । ବଡ ବଡ ଲୋକମାନେ ଏତେ ଏତେ ମିଛ କହନ୍ତି ବୋଲି ସେ ଗତ ବର୍ଷକ ଭିତରେ ଅନୁଭବ କରିସାରିଥିଲା । ବେଳେବେଳେ ସେ ତା ବାପାଙ୍କ ସହ କଥାହୁଏ, ଭୁବନେଶ୍ୱର ଆସି ସେମାନେ ବହୁତ ଭୁଲ୍ କଲେ । ଏଠି ସେମାନେ କଥା କଥାକେ ମିଡିଆ ଓ ପଲିଟିକାଲ୍ କଭରେଜ୍ ପାଇଯାଉଛନ୍ତି ସତ, କିନ୍ତୁ ଜୀବନ ଏଠି ସବୁବେଳେ ଅଶାନ୍ତିରେ କଟୁଛି । ସବୁବେଳେ କିଏ ନା କିଏ ଆସି ଘରେ ହାଜର ।

‘ଆପଣ ଡରନ୍ତୁନି ମ୍ୟାଡମ୍ ! ଆମ ଦଳ ଆପଣଙ୍କ ସହ ଅଛି । ଜାଣି ଖୁସି ହେବେ ଯେ, ଆମେ କାଲିଠାରୁ ସାରା ରାଜ୍ୟରେ ସରକାର ବିରୋଧୀ ଗୋଟେ ବଡ ଅଭିଯାନ ଆରମ୍ଭ କରୁଛୁ । ସ୍ଲୋଗାନ୍ ରହିବ-

ମାଆ ମାଉସୀ ଏକାଠି ହୁଅ

ମାଛ ଦଳିଆଙ୍କୁ ଜବାବ ଦିଅ ।

ସର୍କାରୀ ଦଳର ଯୌତୁକ ଜୁଇ

କ୍ୟାବିନେଟ୍ ମନ୍ତିରି ଦିନାଭାଇ ।’   

ସ୍ଲୋଗାନ୍ ଦୁଇପଦ କହିଲା ବେଳେ ମ୍ୟାଡାମ୍ କୁମୁଦିନୀଙ୍କ ହାତ ମୁଠାମୁଠା ହୋଇଯାଉଥିଲା । ନିଜ ଆସନ ଛାଡି ସେ ପୁନଶ୍ଚ ଠିଆ ହୋଇପଡିଥିଲେ । ସେ ବୋଧେ ଜାଣିପାରୁ ନଥିଲେ, ସେ ଏବେ ରାସ୍ତାରେ ନୁହେଁ, ଜଣେ ଭଦ୍ରଲୋକଙ୍କ ଘରେ ବସିଛନ୍ତି । ତାଙ୍କର ଏ ଆଚରଣ ଦେଖି ପ୍ରଲିସାକୁ ଖୁବ୍ ହସ ମାଡୁଥିଲା । କିଛିଦିନ ତଳେ ଗୋଟେ ଖବରକାଗଜରେ ବାହାରିଥିଲା, ଏଇ କୁମୁଦିନୀ ମ୍ୟାଡାମ ତାଙ୍କ ପୁଅ ବାହାଘର କରିବାକୁ ପଚାଶ ଲକ୍ଷଟଙ୍କା ଯୌତୁକ ଆଣିଥିଲେ । କନ୍ୟାପକ୍ଷ ଲୋକଙ୍କୁ ଡରେଇ ଧମକେଇ ଗୋଟେ ସ୍କର୍ପିଓ ଗାଡି ବି ଆଣିଥିଲେ । ହିପ୍ପୋକ୍ରାଟ୍ !

‘ଆପଣ ବି କାଲି ଆମ ସାଙ୍ଗରେ ରାସ୍ତାକୁ ବାହାରନ୍ତୁ ମ୍ୟାଡମ୍ । ଏ ଲଢେଇ କେବଳ ଆପଣଙ୍କର ନୁହେଁ, ଏହା ସାରା ରାଜ୍ୟର । ଦେଖିବେ କେମିତି ସାରା ରାଜ୍ୟରେ ନିଆଁ ଜଳିବ । ଏ ସରକାର ଗୋଟିଏ ମାଡରେ ଗଳି ପଡିବ । ଗାଦିଚ୍ୟୁତ କରିବାକୁ ଇଏ ହିଁ ଠିକ୍ ମୌକା ମ୍ୟାଡମ୍ । ନହେଲେ ଏମିତି ଗୋଟିଏ ପରେ ଗୋଟିଏ ଘଟଣା ଘଟି ଚାଲିଥିବ ।’

ବୁଝେଇଲା ପରି କହିଲେ ବିରୋଧୀ ଦଳର ଓବିସି ସେଲ୍ ସଭାପତି ପ୍ରକାଶ ପାଇକରାୟ । ଆଉ ତାଙ୍କ ସହ କଥା ଯୋଡିଲେ ବିରୋଧୀ ଦଳ ଯୁବମୋର୍ଚ୍ଚା ସାଧାରଣ ସମ୍ପାଦକ ଚିଲୁ ମହାପାତ୍ର-

‘ମ୍ୟାଡାମ୍ ! ଆପଣ କ’ଣ ଭାବୁଛନ୍ତି ଏମାନଙ୍କ ବିରୋଧରେ ଏମିତି ଥାନାରେ କେଶ୍ ଦେଇକି ଆପଣ ଜିତିଯିବେ ? ମନ୍ତ୍ରୀ ଦିନବନ୍ଧୁ ସମସ୍ତଙ୍କୁ ଟଙ୍କା ଦେଇ କିଣିଦେଇଛି । କୋର୍ଟ କଚେରି ବି କିଛି କରିପାରିବନି ଏମାନଙ୍କର । ସବୁ ଜଜ୍ ଓ ଓକିଲ ବି କିଣା ସରିଛନ୍ତି । ଆପଣ ଏତେଦିନ ଧରି କେଶ୍ ଦେଲେଣି, କିନ୍ତୁ ଏବେ ପର୍ଯ୍ୟନ୍ତ ମନ୍ତ୍ରୀ ଆରେଷ୍ଟ ହେଲେଣି କି ? ଆରେଷ୍ଟ କଥା ଛାଡନ୍ତୁ, ମନ୍ତ୍ରିମଣ୍ଡଳରୁ ତାଙ୍କୁ ବାହାର ବି କରାଯାଇନି । ଆପଣ ଆପଣଙ୍କ ପ୍ରିୟ ଶ୍ୱଶୁର ମାନ୍ୟବନ କ୍ୟାବିନେଟ୍ ମନ୍ତ୍ରୀ ଦିନବନ୍ଧୁ ମହାନ୍ତିଙ୍କ ଖୋଜ୍ ଖବର ରଖିଛନ୍ତି କି ? ଏ ରାଜ୍ୟ ଏମିତି କେତେବଡ ଜାଗା ଯେ, ଜଣେ ମନ୍ତ୍ରୀକୁ ପୋଲିସ୍ ଖୋଜି ଖୋଜି ପାଉନି !! ସବୁ ଭେଳିକି ମ୍ୟାଡାମ୍ । ହାଇକୋର୍ଟରୁ ବେଲ୍ ନେବାକୁ ମନ୍ତ୍ରୀଙ୍କୁ ସମୟ ଦିଆଯାଉଛି । ଜଣେ କ୍ୟାବିନେଟ୍ ମନ୍ତ୍ରୀ ଆରେଷ୍ଟ ହେଲେ ସରକାର ବଦନାମ ହୋଇଯିବେନି !! ଜଣେ ଝିଅର ଜୀବନ ଓ ମାନସମ୍ମାନ ଆଗ ନା ଜଣେ କ୍ରିମିନାଲ୍ ମନ୍ତ୍ରୀ ଆଗ ?’

ଚିଲୁ ମହାପାତ୍ରଙ୍କ ମୁହଁ ଭାରି ଖର ହୋଇପାରେ, କିନ୍ତୁ ତାଙ୍କ କଥାଗୁଡିକ ପ୍ରଲିସାକୁ ଷୋଳଅଣା ସତ ଲାଗୁଥିଲା । ସବୁ ନେତା ହିପ୍ପୋକ୍ରାଟ୍ ନୁହଁନ୍ତି । କିଛି କିଛି ରୋକ୍‌ଠୋକ୍ କଥା କହନ୍ତି । ମୁହଁରେ ପ୍ଲାଷ୍ଟିକ୍ ହସ ଖଣ୍ଡେ ଝୁଲେଇ ପ୍ରଲିସା ଓ ତା ବାପା ଇଂଜିନିୟର ବିନୋଦ ଚୌଧୁରୀ ଶୁଣୁଥିଲେ ଚିଲୁ ମହାପାତ୍ରଙ୍କ ଭାଷଣ । ପ୍ରଲିସା ଭାବିଲା, ସତ କଥା ତ ! କୋଉଠି ଅଛନ୍ତି ତା ଶ୍ୱଶୁର ? କୋଉଠି ଅଛନ୍ତି ତା ସ୍ୱାମୀ ରାଜା ମହାନ୍ତି ? ଏମାନଙ୍କୁ କାହିଁ ପୋଲିସ୍ ତ ଗିରଫ କରୁନି ? ଖବରକାଗଜ ଓ ଟିଭିରେ ଏତେ ନ୍ୟୁଜ୍ ପ୍ରକାଶ ପାଇବା ସତ୍ୱେ କାହିଁ ମନ୍ତ୍ରିପଦ ତ ଛାଡିନହାଁନ୍ତି ଦିନବନ୍ଧୁ ମହାନ୍ତି ? ଥରେ ମୁହଁ ବୁଲେଇ ଆସିଲା ପରେ ପ୍ରଲିସା ଏମାନଙ୍କ ବିଷୟରେ ଆଉ ଭାବିବାକୁ କେବେ ଇଚ୍ଛା ବି କରିନି । ଏମାନଙ୍କ ସହ ତା’ର ଆଉ କି ସମ୍ପର୍କ ? ଥାନାରେ କେଶ୍ ଦେଇ ଆସି ସାରିବା ପରେ ସେ କେବଳ ଭାବିଛି ତା ନିଜର ଭବିଷ୍ୟତ ସଂପର୍କରେ । ସେ ଏବେ ଭାବୁଛି ଅଧିକ ପାଠ ପଢିବ । ଭଲ ଚାକିରି ବାକିରି କରି ଭୁଲିଯିବ ଯେ, ଦିନେ ସେ କୌଣସି ଏକ ବିଚିତ୍ର ଚିଡିଆଖାନାର ମେମ୍ବର ଥିଲା । ବରଂ ଭଲ ହେଇଛି, ସେ କୌଶଳ କରି ଖସି ଆସିଛି ବାଘଭାଲୁରେ ଭର୍ତି ସେ ଜଙ୍ଗଲରୁ ।

କିନ୍ତୁ ତାକୁ କିଛି ସଂପର୍କୀୟ ପରାମର୍ଶ ଦେଇଛନ୍ତି, ତା ଉପରେ ହୋଇଥିବା ଅନ୍ୟାୟର ସେ ବି ପ୍ରତିଶୋଧ ନେବା ଉଚିତ । ସେ ରାଜନୀତିକୁ ଓହ୍ଲାଉ । ଏବେ ତା ପ୍ରତି ସିମ୍ପାଥି ଭୋଟ୍ ପ୍ରବଳ ମିଳିବ । ସେ ତା ଶ୍ୱଶୁରଙ୍କ ବିରୋଧରେ ଠିଆ ହୋଇ ତାଙ୍କୁ ହରାଉ । ନିର୍ଯାତନା ସହି ଚୁପ୍ ରହିବା ଏକପ୍ରକାର ପାପ । ପ୍ରଲିସା ବି ବେଳେବେଳେ ଭାବେ ତା ଶ୍ୱଶୁର ଘର ଲୋକଙ୍କୁ ଶାସ୍ତି ଦେବ । ସେ ବି ନେତ୍ରୀ ହେବ ଓ ବିଧାନସଭାକୁ ଆସି ଆଇନ ଗଢିବ । କିନ୍ତୁ ଏସବୁ ତା ଆଗ୍ରହର ବାହାରେ । ରାଜନୀତି କ’ଣ ଜଣକୁ ଶାସ୍ତି ଦେବାକୁ ଏକମାତ୍ର ବାଟ ? ଆଜିକାଲିର ବ୍ୟବସ୍ଥା ଭିତରେ ବୋଧହୁଏ ଏହା ହିଁ ସବୁଠାରୁ ବଳିଷ୍ଠ ଉପାୟ । ନହେଲେ ଏବେ ପର୍ଯ୍ୟନ୍ତ କାହିଁକି ଗିରଫ ହୋଇନାହାଁନ୍ତି ତା ଶ୍ୱଶୁରଘର ଲୋକମାନେ ?

ମ୍ୟାଡମ୍ କୁମୁଦିନୀ ତାଙ୍କ ଭାଷଣ ସାରିନଥିଲେ । ସେ ପୁଣି କହିଲେ- ‘ମ୍ୟାଡାମ୍ ଏଥର ଆପଣ ଆମ ପାର୍ଟିରୁ ଏମେଲେ କ୍ୟାଣ୍ଡିଡେଟ୍ ହୁଅନ୍ତୁ । ଆମ ଦଳ ତରଫରୁ ଏହି ପ୍ରସ୍ତାବ ପାସ୍ ହୋଇସାରିଛି । ମନ୍ତ୍ରୀ ଦିନବନ୍ଧୁ ମହାନ୍ତି ବିରୋଧରେ ଠିଆ ହେଲେ ଆପଣଙ୍କୁ ପ୍ରଚୁର ପରିମାଣର ସିମ୍ପାଥି ଭୋଟ୍ ମିଳିବ । ଆମ ସରକାର ଆସିଲେ ଆପଣ ହେବେ, ମହିଳା ଓ ଶିଶୁ କଲ୍ୟାଣ ବିଭାଗର ମାନ୍ୟବର ମନ୍ତ୍ରୀ ।’

‘ପୁଣି ରାଜନୀତି !!’ ଆଶ୍ଚର୍ଯ୍ୟ ଓ ଘୃଣାରେ ଏଇ ପଦକ ବାହାରି ଆସିଥିଲା ପ୍ରଲିସା ମୁହଁରୁ । ‘ମତେ ସାହସ ଦେଇଥିବାରୁ ଆପଣମାନଙ୍କ ପାଖରେ ମୁଁ ଚିର ଋଣୀ ରହିବି । କିନ୍ତୁ ରାଜନୀତି କେବେବି ମୋର ପସନ୍ଦ ନୁହେଁ । ଖରାପ ଭାବିବେନି, ମୁଁ ଏହାକୁ ହଜମ କରିପାରେନି । ଏସବୁ ଆପଣମାନଙ୍କ ପରି ଦକ୍ଷ ଲୋକଙ୍କ କାମ । (ପ୍ରଲିସା ପ୍ରକୃତରେ କହିବାକୁ ଚାହୁଁଥିଲା ‘ଆପଣମାନଙ୍କ ପରି ଟାଉଟର ଲୋକଙ୍କ କାମ’) । ମୁଁ କେବଳ ସାଧାରଣ ଝିଅଟିଏ । ମୋ ଜୀବନର ଲକ୍ଷ୍ୟ ଅଲଗା । ମୁଁ ଲକ୍ଷ୍ୟଚ୍ୟୁତ ହୋଇଥିଲି । ଏବେ ସବୁ ଛାଡି ପୁଣି ମୋ କ୍ୟାରିୟର ପ୍ରତି ଧ୍ୟାନ ଦେବି ।’

ପ୍ରଲିସାର କଥା ଶୁଣି ମ୍ୟାଡାମ୍ କୁମୁଦିନୀ ତାଳି ପରେ ତାଳି ପିଟି ଚାଲିଥିଲେ । ତା ପାଖକୁ ଯାଇ କହିଲେ- ବାଃ ! ଆପଣ ସତରେ ଖୁବ୍ ଭଲ ଭାଷଣ ବି ଦେଇ ପାରୁଛନ୍ତି । ରାଜନୀତି କରିବାକୁ ଆପଣଙ୍କ ପାଖରେ ସବୁ ପ୍ରକାର ଗୁଣ ଭର୍ତି ହୋଇ ରହିଛି । ଆପଣଙ୍କୁ ଆମେ ବାଧ୍ୟ କରୁନୁ । ଆମ ଦଳ ପକ୍ଷରୁ ଦିଆଯାଇଥିବା ଏ ଲୋଭନୀୟ ପ୍ରସ୍ତାବ ସଂପର୍କରେ ଆପଣ ଆଉଥରେ ଭାବନ୍ତୁ । ଆମ ଦଳ ଦେଶର ସବୁଠାରୁ ପୁରୁଣା ଦଳ । ଦେଶକୁ ସବୁଠାରୁ ଅଧିକ ସମୟ ଆମେ ଶାସନ କରିଛୁ । ଏହା ଏକ ଖାନଦାନି ଦଳ । ଫଟୋ ପ୍ଲିଜ୍ ।’

ଫଟୋଗ୍ରାଫର ବନ୍ଧୁ ପୁଣି କେତୋଟି ଫଟୋ ଉଠାଇଲେ ମ୍ୟାଡମ୍ କୁମୁଦିନୀ ଓ ତାଙ୍କ ଟିମ୍‌ର । ଏମାନଙ୍କ ଆଚରଣ ଦେଖି ପ୍ରଲିସା ମନେମନେ ଖୁବ୍ ହସୁଥିଲା । ମନେମନେ କହୁଥିଲା, ଏଇ ଦଳ ହିଁ ଦେଶକୁ ସବୁଠାରୁ ଅଧିକ ବର୍ଷ ଲୁଟିକି ଖାଇଛି । ଏଇ ଦଳ ହିଁ ଦେଶ ରାଜନୀତିରେ ପରିବାର ବାଦର ପରିଚାୟକ । ଏଇ ପୁରୁଣା ଦଳ ପାଇଁ ହିଁ ଦେଶର ଅବସ୍ଥା ଆଜି ଏମିତି । ଛିଃ ! ଜୋକର ଦଳ !

ବିରୋଧୀ ଦଳର ଟିମ୍ ଚାଲିଯିବା ପରେ ଟିକେ ନିଃଶ୍ୱାସ ମାରିଲା ପ୍ରଲିସା । ସେତେବେଳୁ ଘର ଭିତରେ କୋଉଠି ପଶିଥିଲା ମଧୁମିତା, ବାହାରି ଆସି ପ୍ରଲିସାକୁ ଥଟ୍ଟା କରି କହିଲା- ‘ନମସ୍କାର ବିଧାୟିକା ମହାଶୟା । ମନ୍ତ୍ରୀ ହେଲେ ମତେ ଆପଣଙ୍କ ପିଏ ରଖିବାକୁ ଆଦୌ ଭୁଲିବେନି ।’

ମଧୁମିତା କଥାରେ ସମସ୍ତେ ହସି ହସି ଗଡିଗଲେ । ସମସ୍ତଙ୍କ ପାଇଁ ପୁଣି ଗୋଟେ ପରସ୍ତ ଗରମ ଚା’ ବାଢି ଦେଇଥିଲା ସୁମି । ବାପା ବିନୋଦ ଚୌଧୁରୀ ପ୍ରଲିସା ହାତକୁ ଗୋଟେ ଲଫାପା ବଢେଇ ଦେଇ କହିଲେ, ଭଲ ହେଲା ମାଆ, ବାଙ୍ଗାଲୋର୍‌ର ଯେଉଁ ଇନ୍‌୍‌ଷ୍ଟିଚ୍ୟୁଟ୍‌ରେ ତୁ ଏମ୍‌ବିଏ କରିବାକୁ ଆପ୍ଲାଏ କରିଥିଲୁ, ଆଡ୍‌ମିଶନ ପାଇଁ ସେମାନେ ରାଜି ହୋଇଯାଇଛନ୍ତି । ତୁ ଚାହିଁଲେ ଓଡିଶାରେ ବି କୌଣସି କଲେଜରେ ପଢିପାରିବୁ ।

ଚିଠିଟାରୁ ପଢୁ ପଢୁ ପ୍ରଲିସା ଖୁବ୍ ଖୁସି ହୋଇଯାଇଥିଲା । କହିଥିଲା- ‘ନା ବାପା, ମୁଁ ଓଡିଶା ଛାଡି ଦେବାକୁ ଚାହୁଁଛି । ଏଠାକାର ଲୋକେ ମତେ ମୋ ଜୀବନହଗ୍ଦ ବହି ଯାଇଥିବା ଝଡଟିକୁ ଭୁଲିବାକୁ ଦେଉନାହାଁନ୍ତି । ମତେ ଜାଗା ଚେଞ୍ଜ୍ କରିବାକୁ ପଡିବ । ବାଙ୍ଗାଲୋର ମୋ ସ୍ୱପ୍ନର ସହର ।’

ତା ପଛପଟେ ଠିଆ ହୋଇଥିବା ମଧୁମିତା ତାକୁ ଧୀରେ କରି ଚିମୁଟି ଦେଇ ତା କାନରେ ଚୁପ୍ କରି କହିଥିଲା- ‘ହଁ ସେ ସହରରେ ସ୍ୱପ୍ନ ଦେଖେଇବା ପାଇଁ ଲୋକଟି ବି ଅଛି ଯେ । ଅଭିଳାଷର ଫୋନ୍ ନମ୍ବରଟା ବି ସେଠି ସହଜରେ ମିଳିଯିବ ।’

ମଧୁମିତାର କଥା ଶୁଣି ପ୍ରଲିସାର ମୁହଁ ଲାଲ୍ ପଡି ଆସୁଥିଲା । ବାପା ଆର ଘରକୁ ଚାଲିଯାଇଥିଲେ । ସେ ବୁଲିପଡି ମଧୁମିତାର କାନ ଧରି କହିଥିଲା- ‘ଦୁଷ୍ଟ ! ବାଙ୍ଗାଲୋର କ’ଣ ଛୋଟିଆ ଜାଗାଟିଏ ଯେ ମତେ ଅଭିଳାଷ ଏମିତି ମିଳିଯିବ । ହଁ ଏ କଥା ସତ ଯେ, ହୁଏତ ତା ସହ କେବେ ଦେଖା ହେଇଯାଇ ପାରେ ।’

ଅଭିଳାଷ କଥା ଭାବି ପ୍ରଲିସା ଅନ୍ୟମନସ୍କ ହୋଇପଡୁଥିଲା । ଭାବୁଥିଲା, ଦେଖାହେଲେ କ’ଣ କହିବ ସେ ଅଭିଳାଷକୁ ? ପଚାରିବ କି ତମେ କାହିଁକି ମୋ ସହ କଥାହେବାକୁ ଚାହୁଁଥିଲ ? କେବେହେଲେ ତ ମୁହଁ ଖୋଲି କହିପାରିଥାନ୍ତ ତମେ କ’ଣ ଚାହୁଁଥିଲ ବୋଲି ? ତା ଆଗରେ ପ୍ରଲିସା ଖୋଲି କହିଦେବ କି ତା ବିଗତ ଦିନର ଏସବୁ ଅଘଟଣ ? ଅଭିଳାଷ ହୁଏତ ବାହା ହୋଇ ଯାଇଥିବ । ହୁଏତ ଆଉ ବାଙ୍ଗାଲୋରରେ ନଥିବ । ହୁଏତ ସେ ଆବ୍ରୋଡ୍ ଚାଲି ଯାଇଥିବ । କିମ୍ବା ହୁଏତ ଓଡିଶା ବି ପଳେଇ ଆସିଥିବ ୟା ଭିତରେ ।

‘ତୁ କିନ୍ତୁ ରାଜନୀତି କଲେ ଭଲ ହୁଅନ୍ତା ଲିସା ।’ ପ୍ରଲିସାର ଅନ୍ୟମନସ୍କତାକୁ ଭାଙ୍ଗି ମତ ଦେଇଥିଲା ମଧୁମିତା ।

‘ରାଜନୀତି ! ତୁ ପାଗଳ ହେଲୁ ନା କ’ଣ ?’

‘ଅସୁବିଧା କ’ଣ ? ଏ କୁକୁର ମାନଙ୍କ ସହ ଲଢିବାକୁ ତତେ ଗୋଟେ ଭଲ ଅସ୍ତ୍ର ମିଳି ଯାଆନ୍ତା ।’

‘କୁକୁରଙ୍କ ସହ ଲଢିବାକୁ ମତେ ବି କ’ଣ କୁକୁର ହେବାକୁ ପଡିବ ? ଏମିତି ଯୁକ୍ତିରେ ମୁଁ ଏକମତ ନୁହେଁ ।’

‘ବିଧାନସଭାକୁ ଯାଇ ତୁ ନାରୀମାନଙ୍କ ପାଇଁ ନୂଆ ବ୍ୟବସ୍ଥା କରିପାରନ୍ତୁ ।’

‘ପାଗଳ ହେଲୁ ନା କ’ଣ ? ଏ ପୂରା ବ୍ୟବସ୍ଥା ସେମିତି ।’

କ୍ରମଶଃ.. .. ..