ଶେଷ ଦୃଶ୍ୟ (ଭାଗ – ୬)

।। ୬ ।।

ବିରୋଧୀ ଦଳ ପାର୍ଟି ଅଫିସ୍ ଭିତରେ ଯେଉଁ ବିରାଟ ପୋଷ୍ଟରଟି ଲାଗିଥିଲା, ସେଥିଲେ ଏକ ମନମୋହକ ରାଜନୈତିକ ସ୍ଲୋଗାନ ଲେଖା ଯାଇଥିଲା । ପାର୍ଟି ପ୍ରେସିଡେଂଟ୍‌ଙ୍କର ଏକ ହସ ହସ ଫଟୋ ତଳକୁ ଲେଖା ଯାଇଥିଲା-

‘ଆହାଃ କି ସୁନ୍ଦର ରାଜନୀତି, ଏଥର ଆସିବ ‘ଗୁଆକାତି’ ।

ଗୁଆକାତି ହେଲା ଧାରୁଆ, ‘ମାଛ’ ଦଳ ବାଲା ଛେରୁଆ ।

ମାଆ ମାଉସିଏ ମାଡିଚାଲ, ଯୌତୁକ ଲୋଭିଙ୍କୁ ମାର ଚପଲ ।’

ତା ତଳକୁ ଛୋଟ ଛୋଟ ଅକ୍ଷରରେ ଲେଖା ହୋଇଥିଲା, ଏଥର ‘ଗୁଆକାତି’ ଚିହ୍ନରେ ଭୋଟ ଦେଇ ରାଜ୍ୟରେ ମାଆ ଭଉଣୀଙ୍କ ଇଜ୍ଜତ ବଂଚାନ୍ତୁ । ଆଉ ଠିକ୍ ସେଇ ବିରାଟ ପୋଷ୍ଟର ତଳକୁ ଗମ୍ଭୀର ବଦନରେ ବସିଥିଲେ ନିଜେ ବିରୋଧୀ ଦଳର ସଭାପତି ବାଇଧର ଜେନା, ଯିଏ ଶତ ଚେଷ୍ଟା କରି ମଧ୍ୟ ଗଲା ନିର୍ବାଚନରେ ଦଶ ହଜାର ଭୋଟ ଡେଇଁପାରି ନଥିଲେ । ତାଙ୍କୁ କାଳେ ତାଙ୍କର କିଛି ପରିବାର ଲୋକ ବି ଭୋଟ ଦେବାକୁ ମନାକଲେ । ମହାଶୟ ତାଙ୍କ ଏରିଆରେ ଯୁଆଡେ ଗଲେ କର୍ମୀମାନେ କାଳେ ପୂରେଇ ଦେଲେନାହିଁ । କହିଲେ, ଦିନେ ନାହିଁ କି କାଳେ ନାହିଁ, ଗହ୍ମା ପୂନେଇରେ ମାଇଁ ମାଇଁ !

‘ଆଚ୍ଛା ମ୍ୟାଡାମ ! ଆପଣ ବାହାହେଲା ବେଳେ କ’ଣ ସବୁ ଯୌତୁକ ଆଣିଥିଲେ ଟିକେ କହିଲେ ?’

ଗୁରୁଗମ୍ଭୀର ପରିବେଶକୁ ହାଲୁକା କରିବା ଉଦ୍ଦେଶ୍ୟରେ, ବିରୋଧୀ ଦଳର ସଭାପତି ବାଇଧର ଜେନା, ଦାନ୍ତ ନେଫେଡି ପଚାରିଲେ ବିରୋଧୀ ଦଳ ମହିଳା ମୋର୍ଚ୍ଚା ସଭାନେତ୍ରୀ କୁମୁଦିନୀ ପ୍ରଧାନଙ୍କୁ । ପାର୍ଟି ଅଫିସ୍‌ରେ ଡକା ଯାଇଥିଲା ବିରୋଧୀ ଦଳର ଏମର୍ଜେନ୍ସୀ ମିଟିଂ । ଯେଉଁଥିରେ ଯୋଗ ଦେଇଥିଲେ ଦଳର ସବୁ ଜିଲ୍ଲା ସଭାପତି ଓ କିଛି ବଛାବଛା ଆଗ ଧାଡିର ବରିଷ୍ଠ ନେତା । ମାନ୍ୟବର ସଭାପତିଙ୍କ ଗମାତିଆ କଥାରେ ସାରା ସଭାରେ ଗୋଟେ ହାସ୍ୟରୋଳ ଉଛୁଳି ଉଠିଲା ।

‘ମୁଁ ତ ସେ ସମୟରେ ଗୋଟେ ରାଜଦୂତ ମୋଟର ସାଇକେଲ, ଏଚ୍‌ଏମ୍‌ଟି ଘଂଟା ଓ ଦୁଇତୋଳା ସୁନା ଆଣିଥିଲି ଯୌତୁକରେ । ମୋ ବର ସେତେବେଳେ ସାଇକେଲ ଧରି କଲେଜ ଯାଉଥିଲେ ।’

ମ୍ୟାଡାମ୍ କୁମୁଦିନୀଙ୍କ ଯୌତୁକ ତାଲିକା ଶୁଣି ବୈଠକରେ ହାସ୍ୟରୋଳ ବୃଦ୍ଧି ପାଇଥିଲା । ସମସ୍ତେ ତାଙ୍କ ସ୍ୱାମୀ ଗୁରୁଗୋସ୍ୱାମୀ ପ୍ରଧାନ ଜଣେ ସାଧାରଣ ଅଧ୍ୟାପକ । ଗୁରୁଗୋସ୍ୱାମୀ ବାବୁଙ୍କୁ ଦେଖିଲେ କେହି ସହଜରେ ଜାଣିପାରିବେ ନାହିଁ ଯେ, ବାବୁ ବିରୋଧୀ ଦଳର ନିଆଁନଗା ନେତ୍ରୀ ମ୍ୟାଡମ କୁମୁଦିନୀ ପ୍ରଧାନଙ୍କ ସ୍ୱାମୀ ବୋଲି । କିନ୍ତୁ ମ୍ୟାଡମ୍ କୁମୁଦିନୀ ଜଣେ କୋଟିପତି । ନିକଟରେ ପାଖାପାଖି ଅଧକୋଟି ଟଙ୍କା ଖର୍ଚ୍ଚ କରି ନିଜ ପୁଅର ଯେଉଁ ବାହାଘର କରିଥିଲେ, ସେଥିରେ ମୁଖ୍ୟମନ୍ତ୍ରୀଙ୍କଠାରୁ ଆରମ୍ଭ କରି ରାଜ୍ୟପାଳଙ୍କ ପର୍ଯ୍ୟନ୍ତ ସମସ୍ତେ ନିମନ୍ତ୍ରିତ ହୋଇଥିଲେ । ରାଜ୍ୟବାସୀ କହିଲେ, ଏମନ୍ତ ବାହାଘର କାଳେ ରାଜ୍ୟ ଇତିହାସରେ ଏକ ନୂତନ ଅଧ୍ୟାୟ ଯୋଡିଛି । ବୋହୂ ଘରୁ ମ୍ୟାଡମ ଆଣିଥିଲେ ପାଖାପାଖି କୋଟିଏ ଟଙ୍କାର ଯୌତୁକ ।

ବାଇଧର ବାବୁ ଗଳା ଖେଙ୍କାରି ମାଇକ୍ ବାଡେଇ ଦୁଇଥର ଚେକ୍ ଚେକ୍ କହିସାରିବା ପରେ ବୈଠକରେ ସମବେତ କର୍ମୀଙ୍କ ଉଦ୍ଦେଶ୍ୟରେ ନିଜର ସଂଭାଷଣ ଆରମ୍ଭ କଲେ ।

‘ବନ୍ଧୁମାନେ ! ଆପଣମାନେ ଜାଣନ୍ତି, ଏ ‘ମାଛ’ ଚିହ୍ନ ସରକାର ଏବେ ନାରୀଙ୍କୁ ଅସମ୍ମାନ କରିବାରେ ସାରା ଦେଶରେ ନମ୍ବର ଉଆନ୍ । ମୁଖ୍ୟମନ୍ତ୍ରୀଙ୍କ ମନ୍ତ୍ରିମଣ୍ଡଳର ଜଣେ କ୍ୟାବିନେଟ୍ ପାହ୍ୟାର ମନ୍ତ୍ରୀଙ୍କ ବିରୋଧରେ ତାଙ୍କ ନିଜ ବୋହୂ ଆଣିଛି ସଙ୍ଗୀନ ଯୌତୁକ ନିର୍ଯାତନା ଅଭିଯୋଗ । ଗତ ପନ୍ଦର ବର୍ଷ ଧରି ବାରମ୍ବାର ହାରୁଥିବା ଆମର ଏ ବହୁ ପୁରାତନ ଦଳ ପାଇଁ ଏବେ ସୁବର୍ଣ୍ଣ ସୁଯୋଗ ଆଣି ଦେଇଛି ମନ୍ତ୍ରୀଙ୍କ ବୋହୂ । ଆମ ଦଳ ଏବେ ନାରୀର ଇଜ୍ଜତକୁ ନେଇ ଆନ୍ଦୋଳନ ଆରମ୍ଭ କରିବ । କାରଣ ମୋଟ ଭୋଟସଂଖ୍ୟାର ଅଧା ହେଉଛନ୍ତି ମହିଳା । ତେଣୁ ଆଗାମୀ ନିର୍ବାଚନରେ ଆମ ଦଳର ସ୍ଲୋଗାନ୍ ହେବ…

ଯୌତୁକ ଯୁଇରେ ମନ୍ତ୍ରିରି ବୋହୂ

ମାଛ ସରକାର ଏଥର ଯାଉ

ମାଆ ଭଉଣୀଙ୍କ ଇଜ୍ଜତ ରହୁ ।

ସଭାପତିଙ୍କ ସମାଜଧର୍ମୀ ଭାଷଣ ଶୁଣି ସାରା ସଭାରେ ପ୍ରବଳ ତାଳି ମାଡ ହେଲା । ଏହାପରେ ବିରୋଧୀ ଦଳର ମହିଳା ମୋର୍ଚ୍ଚା ସଭାନେତ୍ରୀ କୁମୁଦିନୀ ପ୍ରଧାନ ମାଇକ୍ ପାଖକୁ ଆସି ସମବେତ କର୍ମୀଙ୍କ ଉଦ୍ଦେଶ୍ୟରେ ନିଜ ସମ୍ଭାଷଣ ଆରମ୍ଭ କଲେ- ‘ଭାଇ ଓ ଭଉଣୀମାନେ ! ଇଏ କି ସରକାର ଚାଲିଛି ଆପଣମାନେ ଥରେ ଭାବନ୍ତୁ । ଯେଉଁଠି ମନ୍ତ୍ରୀଙ୍କ ବୋହୂ ସୁରକ୍ଷିତ ନୁହେଁ, ଯେଉଁଠି ନିଜେ ମନ୍ତ୍ରୀ ନିଜ ବୋହୂକୁ ନିର୍ଯାତନା ଦେଇପାରନ୍ତି, ସେଠି ଆମ ତମ ଘରେ ବୋହୂମାନେ କେମିତି ସୁରକ୍ଷିତ ରହିବେ ?’

ମ୍ୟାଡମ କୁମୁଦିନୀଙ୍କ ଭାଷଣରେ କର୍ମୀଙ୍କ ମହଲରେ ପ୍ରବଳ ତାଳିମାଡ ହେଲା । ମ୍ୟାଡମଙ୍କ ନିର୍ବାଚନ ମଣ୍ଡଳୀରୁ ଆସିଥିବା କିଛି ତଳିଆ ନେତା ସଙ୍ଗେ ସଙ୍ଗେ ‘କୁମୁଦିନୀ ଅପା ଜିନ୍ଦାବାଦ, କୁମୁଦିନୀ ଅପା ଜିନ୍ଦାବାଦ’ ବୋଲି ସ୍ଲୋଗାନ ଦେବାରେ ଲାଗିଲେ । କିନ୍ତୁ ମ୍ୟାଡମ କୁମୁଦିନୀ ତାଙ୍କ ଭାଷଣ ସାରି ନଥିଲେ ।

‘ମନ୍ତ୍ରୀଙ୍କ ବଧୂ ନିର୍ଯାତନା ଘଟଣାକୁ ନେଇ ଆମେ ଲୋକଙ୍କ ପାଖକୁ ଯିବା । ଆସନ୍ତାକାଲିଠାରୁ ସାରା ରାଜ୍ୟରେ ନିଆଁ ଜଳିବ । ‘ମାଛ’ ଦଳର ସମସ୍ତ ନେତା ଓ କର୍ମୀଙ୍କୁ ଆମ ଦଳର ମହିଳାମାନେ ଯେଉଁଠି ଦେଖିବେ ସେମାନଙ୍କ ହାତରେ ଚୂଡି ପିନ୍ଧାଇବାକୁ ଆମେ ଯୋଜନା ପ୍ରସ୍ତୁତ କରିଛୁ । ଏହା ହେବ ଆମ ଦେଶର ରାଜନୈତିକ ଆନ୍ଦୋଳନର ସର୍ବାଧୁନିକ ପ୍ରତିବାଦ । ଆଶା କରୁଛି କରତାଳି ଦେଇ ଆପଣମାନେ ଆମର ଏ ଅଭିନବ ପ୍ରତିବାଦକୁ ସ୍ୱାଗତ ଜଣାଇବେ ।’

ବିରୋଧୀ ଦଳ ମହିଳା ମୋର୍ଚ୍ଚା ସଭାନେତ୍ରୀଙ୍କ ଏ ଅଗ୍ନିବର୍ଷୀ ଭାଷଣ ଶୁଣି କର୍ମୀ ଉତ୍ତେଜିତ ହୋଇ ଆହୁରି ଜୋରରେ ତାଳିମାଡ କରିବାରେ ଲାଗିଥିଲେ । କିଛି ସମୟ ପାଇଁ ବିରୋଧୀ ଦଳର ପାର୍ଟି ଅଫିସ୍ ଏକ ସାଧାରଣ ସମାବେଶର ଷ୍ଟେଜ୍ ପରି ପ୍ରତୀୟମାନ ହେଲା ।

ଏହାପରେ ଉଠିଲେ ଦଳର ଟାଣୁଆ ପଶ୍ଚିମ ଓଡିଶା ନେତା ବରଦାକାନ୍ତ ମିଶ୍ର । ମହାଶୟ ଜୀବନବ୍ୟାପୀ ଓକିଲାତି କରି ଆଇନ୍ ବିଦ୍ୟାରେ ଖୁବ୍ ନାଁ କମେଇଛନ୍ତି । ବଡ ଅଖାଡୁଆ ଲୋକ । କଥା କଥାରେ ସେ ବୁଲେଇ ବାଙ୍କେଇ ନାନା ଯୁକ୍ତି ଦର୍ଶେଇ ନିଜର ପାଣ୍ଡିତ୍ୟ ଏପରି ଦେଖାନ୍ତି ଯେ, ସାମ୍ନାରେ ଥିବା ଲୋକ ତାଙ୍କ ସହ କଥା ହେବାକୁ ଡରିବା ସ୍ୱଭାବିକ । ସେ ହିଁ ପ୍ରଥମେ ଖୁବ୍ ଉପକାରୀ କଥାଗୁଡିଏ ବଖାଣି ବସିଲେ ।

କହିଲେ- ‘ସବୁଠାରୁ ବଡ କଥା ହେଲା ଏବେଯାଏଁ ମନ୍ତ୍ରୀ ଦିନବନ୍ଧୁ ମହାନ୍ତି କେମିତି ମନ୍ତ୍ରିପଦ ବଜାୟ ରଖିଛନ୍ତି ତାହା ହିଁ ସବୁଠାରୁ ଆଶ୍ଚର୍ଯ୍ୟର ବିଷୟ । ମନ୍ତ୍ରୀଙ୍କୁ ଗିରଫ କରିବାକୁ ପୋଲିସ୍ ସାହସ କରିପାରୁୁ ନାହିଁ । ଏ ଘଟଣାରେ ନୈତିକତା ଦେଖାଇ ନିଜେ ଦିନବନ୍ଧୁ ମହାନ୍ତି ମଧ୍ୟ ପଦ ଛାଡୁ ନାହାଁନ୍ତି । ଶାସକ ଦଳ ମଧ୍ୟ ତାଙ୍କ ବିରୋଧରେ କିଛି କାର୍ଯ୍ୟାନୁଷ୍ଠାନ ନେଉନାହିଁ କିମ୍ବା ମୁଖ୍ୟମନ୍ତ୍ରୀ ମଧ୍ୟ ତାଙ୍କୁ ଇସ୍ତଫା ଦେବାକୁ କହୁନାହାଁନ୍ତି । ରାଜ୍ୟ ରାଜନୀତିରେ ଏହାଠାରୁ ବିଡମ୍ବନାର ବିଷୟ ଆଉ କିଛି ହୋଇନପାରେ ।’

ବରଦାକାନ୍ତ ମିଶ୍ରଙ୍କ ଭାଷଣରେ ବୈଠକରେ ପୁଣି ବାଜିଲା ତାଳି । କିନ୍ତୁ ତାଳିକୁ ବେଶୀ ସମୟ ବାଜିବାକୁ ନଦେଇ ହଠାତ୍ ପାର୍ଟିର ଅନ୍ୟତମ ଟାଣୁଆ ଯୁବନେତା ଚିଲୁ ମହାପାତ୍ର କହିଲେ- ‘ପାଗ ଭିଡୁ ଭିଡୁ ଘୁଷୁରି ମଙ୍ଗଳପୁରରେ ହାଜର । ମୋ ପାଖରେ ଯାହା ଖବର ପହଂଚିଛି, ମନ୍ତ୍ରୀ ଦିନବନ୍ଧୁ ମହାନ୍ତି ଆଉ ରାଜ୍ୟରେ ନାହିଁ । ସେ ଫେରାର । ଏବେ ସେ ରାଜ୍ୟ ବାହାରେ ଲୁଚି ଲୁଚି ପୋଲିସ୍ ଗିରଫଦାରି ଏଡୋଉଚି । ଆପଣମାନେ ଏବେ ଆନ୍ଦୋଳନ କଲେ କିଛି ଲାଭ ନାହିଁ । ବିଧାନସଭାରେ ଶାସକ ଦଳର ବିଧାୟକ ସଂଖ୍ୟା ଶହେ ତିନି । ତେଣୁ ଆମ ପାର୍ଟିର ଦୁର୍ବଳ ଆନ୍ଦୋଳନ ଏ ସରକାରର ବାଳ ବଙ୍କା କରିପାରିବ ନାହିଁ ।’

ଚିଲୁ ମହାପାତ୍ର ବିରୋଧୀ ଦଳର ଜଣେ ଟାଣୁଆ ଅସନ୍ତୁଷ୍ଟ ସଭ୍ୟ ବୋଲି ସମସ୍ତେ ଜାଣନ୍ତି । ଦା’ ଧାର ପରି ତାଙ୍କ ମୁହଁ ଖୁବ୍ ଖାରୁଆ । ବେଶୀ କଥା କହନ୍ତି ନାହିଁ, କିନ୍ତୁ ଯେତେବେଳେ କହନ୍ତି, ତାଙ୍କ ମୁହଁର ଆକୃତି ମାରଣା ଷଣ୍ଢର ମୁହଁ ପରି ହୋଇଯାଏ । ସେ କେବେ କାହାକୁ ସମ୍ମାନ ଦେଇ କଥା କହିବାର କେହି ଶୁଣିନାହିଁ । ମନ୍ତ୍ରୀ ହେଉ କି ମୁଖ୍ୟମନ୍ତ୍ରୀ, କଥା କଥାକେ ସେ ସମସ୍ତଙ୍କୁ ତୁ ତାକର ସମ୍ବୋଧନ କରନ୍ତି । ଛାତ୍ର ରାଜନୀତି ବେଳୁ ସେ ତାଙ୍କ କାରନାମା ରାଜ୍ୟବାସୀଙ୍କୁ ପ୍ରଦର୍ଶନ କରି ଆସିଛନ୍ତି । ନବେ ମସିହା ଆନ୍ଦୋଳନ ବେଳେ ସେ ହିଁ ଉଚ୍ଚଶିକ୍ଷା ମନ୍ତ୍ରୀଙ୍କୁ କଲର ଧରି ଦୁଇମୁଥ ମାରିଥିଲେ, ଯେଉଁଥିରେ ମନ୍ତ୍ରୀଙ୍କ ଦୁଇହଳ କଳଦାନ୍ତ ଅତି ଆରାମରେ ଗଳି ପଡିଥିଲେ ।

 ଦିଲ୍ଲୀରେ ହାଇକମାଣ୍ଡଙ୍କୁ ଧରାଧରି କରି ରାଜ୍ୟରେ ଦଳର ସଭାପତି ବନି ଯାଇଥିବା ବାଇଧର ଜେନାଙ୍କର ବାବୁ ଚିଲୁ ମହାପାତ୍ର ହେଉଛନ୍ତି ଚରମ ଶତ୍ରୁ । ଜଣେ କହିଲେ ବଳଦ, ଆର ଜଣକ କହେ ଷଣ୍ଢ । ଜଣେ କହିଲେ ଛେଳି, ଆର ଜଣକ କହେ ବୋଦା । ବେଙ୍ଗ ରାଶିକୁ ଚେଙ୍ଗ ରାଶି ।

ତେଣୁ ଝିପିଝିପି ବର୍ଷାକୁ ଚେଙ୍ଗଡା କଲେଜ ଟୋକା ଖାତର ନକରିବା ପରି, ବାବୁ ଚିଲୁ ମହାପାତ୍ରଙ୍କ ସମାଲୋଚନାକୁ ଏଡେଇ ଯାଇ, ବାବୁ ବାଇଧର ଜେନା କହିଲେ- ଆପଣମାନେ ବ୍ୟସ୍ତ ବିବ୍ରତ ହୁଅନ୍ତୁ ନାହିଁ । ମାନ୍ୟବର ସଭ୍ୟଙ୍କ ଅସନ୍ତୋଷ ଯଥାର୍ଥ ହୋଇପାରେ, କିନ୍ତୁ ତା ପାଇଁ ମଧ୍ୟ ମୁଁ ଗଦ ଧରିକି ବୁଲୁଚି । କାଲିଠାରୁ ରାଜ୍ୟବ୍ୟାପୀ ଆନ୍ଦୋଳନ ତ ଚାଲିବ ନିଶ୍ଚୟ । କାରଣ ମିଡିଆ ବାଲା ଏ ଇସ୍ୟୁଟାକୁ ଚିମୁଟିକି ଧରିଛନ୍ତି । ସେମାନଙ୍କୁ ଖୁବ୍ ମଜ୍ଜା ଲାଗୁଚି ଏ ଘଟଣାଟା । ମତେ ଜଣେ ଏଡିଟର ଫୋନ୍ କରି କହିଲେ, ଲିସା ଚୌଧୁରୀ ଯୈାତୁକ ନିର୍ଯାତନା ଖବରଟା କାଳେ ଭଲ ବିକ୍ରି ହେଉଛି । ମୁଁ ଭାବୁଛି ଏଇଟା ଆମ ପାଇଁ ସୁବର୍ଣ୍ଣ ସୁଯୋଗ । ଆମେ ଯେତେ ଆନ୍ଦୋଳନ ଓ ପ୍ରେସ୍ ମିଟ୍ କରିବା, ଟିଭିରେ ଆମ ମୁହଁ ସେତେ ଅଧିକ ଦିଶିବ । ଆଉ ଟିଭିରେ ଆମ ଦଳର ‘ଗୁଆକାତି’ ଚିହ୍ନ ଯେତେ ଅଧିକ ଦିଶିବ, ଇଲେକ୍ସନ ବେଳେ ଆମକୁ ସେତେ ଅଧିକ ଭୋଟ ମିଳିବ ।’

ସଭାରେ ପୁଣି ଥରେ ଜୋରାଦାର୍ ତାଳି ଅଜାଡି ହେଇଗଲା ।

ଏହି ସମୟରେ ମ୍ୟାଡାମ୍ କୁମୁଦିନୀ ଗୋଟେ ଭଲ ପ୍ରସ୍ତାବ ଦେଲେ । କହିଲେ- ‘ଆମ ପାର୍ଟି ତରଫରୁ ମନ୍ତ୍ରୀ ଦିନବନ୍ଧୁ ମହାନ୍ତିର ବୋହୂ ଲିସା ଚୌଧୁରୀକୁ ଆସନ୍ତା ନିର୍ବାଚନରେ ପ୍ରାର୍ଥୀ କରିଦିଆ ଯାଉ । ଆମ ତରଫରୁ ଗୋଟେ ପ୍ରତିନିଧି ଦଳ କାଲି ଲିସା ଚୌଧୁରୀ ଘରକୁ ଯାଇ ତାକୁ ଓ ତା ବାପାକୁ ଭେଟି ଏ ପ୍ରସ୍ତାବଟା ଦେଉ । ତା ବାପା ବିନୋଦ ଚୌଧୁରୀ ବି ଜଣେ ଖୁବ୍ ମାଲ୍‌ଦାର ପାର୍ଟି । କଂଟ୍ରାକ୍ଟରି କରି ଖୁବ୍ ଟଙ୍କା ଜମା କରିଛି । ଆମ ପାର୍ଟିର ଏ ଦୁର୍ଦ୍ଦିନରେ ସେ ମଧ୍ୟ କିଛି ଚାନ୍ଦା ଦେଇପାରିବ । ଗୋଟିଏ ଗୁଳିରେ ଦୁଇଟି ଶିକାର । ତାଳି ।’

ବିରୋଧୀ ଦଳ ମହିଳା ମୋର୍ଚ୍ଚା ସଭାନେତ୍ରୀଙ୍କ ଏ ପ୍ରସ୍ତାବରେ ଦଳୀୟ କର୍ମୀ ସତରେ ଉତ୍ତେଜିତ ହୋଇପଡିଲେ । ସମସ୍ତେ ଠିଆ ହୋଇ ତାଙ୍କର ଏ ପ୍ରସ୍ତାବକୁ ତାଳି ମାରି ସମର୍ଥନ ଦେଲେ । ବିରୋଧୀ ଦଳ ସଭାପତି ତତ୍‌କ୍ଷଣାତ୍ ଲିସା ଚୌଧୁରୀ ଘରକୁ ଯିବାକୁ ଥିବା ପ୍ରତିନିଧି ଦଳର ସଭ୍ୟମାନଙ୍କ ନାଁ ଘୋଷଣା କଲେ । ରାଜ୍ୟର କେଉଁ ସ୍ଥାନରେ କିଏ କି ପ୍ରକାର ଆନ୍ଦୋଳନର ନେତୃତ୍ୱ ନେବ ତାହା ମଧ୍ୟ ଘୋଷଣା କରିବାକୁ ଭୁଲିଲେ ନାହିଁ ।

ପାର୍ଟିର ପ୍ରଡକ୍ସନ ମ୍ୟାନେଜର, ଆନ୍ଦଳୋନ ସକାଶେ ପ୍ରସ୍ତୁତ ହୋଇଥିବା ବ୍ୟାନର ଓ ଡିଜାଇନ୍ ଗୁଡିକ ଏକ ପରଦାରେ ପ୍ରଦର୍ଶନ କଲେ । ଯେଉଁଥିରେ ମନ୍ତ୍ରୀଙ୍କ ବୋହୂ ଲିସା ଚୌଧୁରୀର ଗୋଟେ କାନ୍ଦୁରା ଫଟୋ ଲାଗିଥିଲା । କିନ୍ତୁ କିଛି ଯୁବକର୍ମୀ ଏହାର ପ୍ରତିବାଦ କରି କହିଲେ, ଏମିତି କାନ୍ଦୁରା ଫଟୋ ଏ ପୋଷ୍ଟରରୁ ହଟାଅ । ଲିସା ଚୌଧୁରୀ ତା ଫେସ୍‌ବୁକ୍ ଆଇଡିରେ ତା କଲେଜ ବେଳର ବହୁ ସେକ୍ସି ଫଟୋ ଛାଡିଛି, ସେଥିରୁ ଗୋଟାଏ ଡାଉନ୍‌ଲୋଡ କରି ପୋଷ୍ଟରରେ ଲଗାଅ । ତା ପରେ ଦେଖିବ କେମିତି ଆନ୍ଦୋଳନ ଜମିବ । ଏ କାନ୍ଦୁରା ମୁହଁକୁ ଦେଖିଲେ ତ ଖାଲି କାନ୍ଦିବାକୁ ଇଚ୍ଛା ହେଉଛି, ଆନ୍ଦୋଳନ କିଏ କରିବ ?

ତ ବହୁ ବାଦବିବାଦ ପରେ ଦଳର ବରିଷ୍ଠ ନେତାମାନେ ସମ୍ମତି ଦେଲେ, ଯୁବନେତା ମାନଙ୍କ ଫରମାଏସ୍ ପୂରଣ କରାଯାଉ । ପୋଷ୍ଟରରେ ଲିସା ଚୌଧୁରୀର ସେକ୍ସି ଫଟୋଟିଏ ଲଗାଯାଉ । ନହେଲେ ଏତେବଡ ସରକାର ବିରୋଧୀ ଆନ୍ଦୋଳନ ଆଗକୁ ବଢିବା ଅସମ୍ଭବ ।

କ୍ରମଶଃ.. .. ..