ଶେଷ ଦୃଶ୍ୟ (ଭାଗ-୪)

।। ୪ ।।

‘ମହାପୁରୁ !! ମୋ ପାଇଁ କାହିଁକି ତମ କୁର୍ପା କମେଇ ଦେଲ କୁହ । କୁକୁଡା ଦେଲି, ଛେଳି ଦେଲି, ମେଣ୍ଢା ଦେଲି, ବୋଦା ଦେଲି, ପୋଢ ଦେଲି, ଶେଷରେ ଅକ୍ଷତ ଯୋନି କନ୍ୟାଶିଶୁ ଦେଲି । ପୁଣି କ’ଣ ହେଲା ଯେ ମୋ ବଉଁଶକୁ ଏ ଦଶା ଦେଲ ମହାପୁରୁ !!’

କୋଠରି ସାରା ଧୂଆଁମୟ । ସେ ଧୂଆଁ ଧୂନିର କିମ୍ବା ଝୁଣାର କିମ୍ବା ଘିଅର ତାହା ଜଣାପଡୁନି । ଇଏ ଗୋଟେ ମିଶ୍ରିତ ପରିବେଶ । ସାମ୍ନାରେ ତିନିଟି ହାଡ ଉପରେ ଉପବେଷ୍ଟିତ ଏକ ସିନ୍ଦୂର ଚର୍ଚ୍ଚିତ ବିକଟାଳ ମନୁଷ୍ୟ ଖପୁରି । ତାହା ଏମିତି ଦିଶୁଛି, ଯେମିତି ଏଇନା ତମଠୁ ରକ୍ତ ଶୋଷି ନେଇଯିବ । ସଜ ମନ୍ଦାର ଫୁଲରେ ସଜ୍ଜିତ ଖପୁରି ମହାପୁରୁ ଅନେଇ ରହିଛନ୍ତି ସୁନ୍ଦରମଣିଙ୍କୁ । ଆଉ ଏପଟେ ଭକ୍ତି ଓ ପ୍ରବଣତାରେ ଗଦଗଦ ମନ୍ତ୍ରିଆଣୀ ସୁନ୍ଦରମଣି । ଆଖିରୁ ତାଙ୍କର ବୋହି ଯାଉଛି ଧାର ଧାର ଲୁହ । ସର୍ବଦା ସୁନା ଗହଣାରେ ଛାଇ ହୋଇ ରହୁଥିବା ତାଙ୍କ ଦେହରେ ପଡିଛି କେବଳ ନୂତନ ପତଳା ପୀତ ବସ୍ତ୍ରଟିଏ । ବେକରେ ଲମ୍ବିଛି ସଜ ମନ୍ଦାରର ହାରଟିଏ । କପାଳରେ ନେସି ହୋଇଥିବା ଆଞ୍ଜୁଳାଏ ସରିକି ସିନ୍ଦୂର ତାଙ୍କୁ ବଳି ବୋଦାଟିଏ ପରି ସଜେଇ ଦେଇଛି । ଓଃ ! ଅତି ଭୟଙ୍କର ସେ ଦୃଶ୍ୟ ।

ଏମିତି ଏକ ଭୌତିକ ପରିବେଶ ଭିତରେ ଦିନ ଦିନ ବିତାନ୍ତି ଏ ଅଂଚଳର ପ୍ରସିଦ୍ଧ କାଳୀ ସାଧକ ‘ଯକ୍ଷବାବା’ । କୋଠରୀର ଗୋଟିଏ କୋଣକୁ ବସି ସେ କାଳିସୀ ଲାଗିଲା ପରି ବିଳି ବିଳି ହେଉଛନ୍ତି । ସକାଳ ପହରୁ ପୂଜା ଚାଲିଛି ଯେ ଚାଲିଛି । ସରୁନି । ଗଂଜେଇ ଚର୍ଚ୍ଚିତ ବାବାଙ୍କ ମଳିନ ଓଠରୁ ଭକଭକ ହୋଇ ଚିମିନି ସଦୃଶ ଧୂଆଁ ନିର୍ଗତ ହେବାରେ ଲାଗିଛି । ସେ ବି ବେକରେ ପିନ୍ଧିଛନ୍ତି ଏକ ସଜ ମନ୍ଦାର ମାଳ । ଲେଲିହାନ୍ ଶିଖା ତୋଳି ଜଳୁଥିବା ଧୋନିକାଠକୁ ପ୍ରତିଥର ପଳାସ ପତ୍ର ଠୋଲାରେ ଠୋଲାଏ ଘିଅ ନିକ୍ଷେପ କଲାବେଳେ, ହିଂକ୍ଲିଂ ଶବ୍ଦରେ ସାରା କୋଠରୀକୁ ସେ ପ୍ରକମ୍ପିତ କରି ପକାଉଛନ୍ତି । ଉତ୍ତେଜନା ଓ ପଦ ଉଚ୍ଚାରଣ ଜନିତ ଚାପରେ ତାଙ୍କ ସାରା ଶରୀର ଥରି ଉଠୁଛି । ଯେମିତି ମନ୍ଦ ମନ୍ଦ ମୃଦୁ ମଳୟରେ ମଝିରେ ମଝିରେ ଥରିଉଠେ ଗାଁ ମୁଣ୍ଡ ମଶାଣୀରେ ଥିବା ବରଗଛର ଓସାରିଆ ଓସାରିଆ ପତ୍ରସବୁ । ଖୁବ୍ ଭୟଙ୍କର ବାବାଙ୍କ ରୂପ ବର୍ଣ୍ଣନା ।

ଅଖଣ୍ଡ ଧୂନି ଜଳୁଥିବା ଯକ୍ଷବାବାଙ୍କ ଆଶ୍ରମରେ ବିରାଜମାନ କରୁଥିଲା ଅଖଣ୍ଡ ନିରବତା । ମଝିରେ ମଝିରେ ଯାହା କେବଳ, ବନ୍ଦ କୋଠରୀର କାନ୍ଥ ଡେଇଁ ପଦାକୁ ବାହାରି ଆସୁଥିଲା ବାବାଙ୍କ ହିଂକ୍ଲିଂ ଶବ୍ଦ । ଖୁବ୍ ଅପରିସ୍କାର ବାପାଙ୍କର ଏ ଆଶ୍ରମ । କେଉଁଠି ଗୋରୁ ମଡା ପଡିଛି ତ କେଉଁଠି ଉଠି ଯାଇଛି ବଡ ବଡ ଊଇହୁଙ୍କା ।

ମନ୍ତ୍ରିଆଣୀ ସୁନ୍ଦରମଣିଙ୍କ ସୌଜନ୍ୟରୁ ଏ ବିଶାଳ ଅନାବାଦି ଜମି ଖଣ୍ଡକ ପ୍ରାପ୍ୟ ହୋଇଛନ୍ତି ଯକ୍ଷବାବା ଆଣ୍ଡ୍ କୋଃ । ପ୍ରାୟ ପନ୍ଦର ସରିକି ଅପରିଷ୍କାର ଚେଲା ଦିନରାତି ଏଠାରେ ଆତଯାତ ହେଉଥାନ୍ତି । ଦିନରେ ଏହା ମଶାଣି ଭୂଇଁ ପରି ନିରବ । କିନ୍ତୁ ରାତିରେ ଚଳଚଂଚଳ । କୌଣସି ସାଧାରଣ ଲୋକ ଏଠାକୁ ଆଗମନ କରନ୍ତି ନାହିଁ । ମନ୍ତ୍ରୀ ଦିନବନ୍ଧୁଙ୍କୁ ଅନେକ ସମୟରେ ଏଇଠି ସସ୍ତ୍ରୀକ ଦେଖିବାକୁ ପାଆନ୍ତି ଗ୍ରାମବାସୀ । ମନ୍ତ୍ରୀଙ୍କ ଖାତିର ପାଇ ଏଠାକୁ ଅନେକ ବ୍ୟବସାୟୀ, ବିଲ୍ଡର ଓ ନେତା ବି ଆସନ୍ତି, ଯକ୍ଷବାବାଙ୍କ ଶରଣାପନ୍ନ ହେବାକୁ । ବାବାଙ୍କ ତାବିଜ କାଳେ ଅକାଟ୍ୟ । ପ୍ରଭାବଶାଳୀ ଯଯମାନଙ୍କ ସୌଜନ୍ୟରୁ ପ୍ରାପ୍ୟ ଧନସଂପତିକୁ କାଳେ ବାବା, ଯକ୍ଷ ପରି ଏଇ ଆଶ୍ରମର ବିଭିନ୍ନ କୋଣରେ ମାଟିତଳେ ପୋତି ପକାନ୍ତି । ସେଥିପାଇଁ କାଳେ ତାଙ୍କ ନାଁ ହୋଇଛି ‘ଯକ୍ଷବାବା’ । ସେ ଚାହିଁଲେ ଅପୁତ୍ରିକ ପୁତ୍ର ଲାଭ କରେ, ବିଲ୍ଡର ବାପୁଡାକୁ ଲୋଭନୀୟ ଜମି ପ୍ରାପ୍ୟ ହୁଏ, ସାଧାରଣ କୁଜିନେତା ପ୍ରଭାବଶାଳୀ ହୋଇଉଠେ । ଏହାର ଶେଷତମ ଉଦାହରଣ ଥିଲେ ମନ୍ତ୍ରୀ ଦିନବନ୍ଧୁ ମହାନ୍ତି । ଯିଏ ସାମାନ୍ୟ ପେଁକାଳିଆ ୱାର୍ଡମେମ୍ବରରୁ ଆଜି ପାଲଟି ଯାଇଛନ୍ତି ମୁର୍ଦ୍ଧନ୍ୟ ରାଜ୍ୟନେତା ।

ଏଇ ଯକ୍ଷବାବା ହିଁ ଦିନେ ଭବିଷ୍ୟବାଣୀ କରିଥିଲେ, ଦିନବନ୍ଧୁ ଏମେଲେ ହେବେ । ହେଲେ । ମନ୍ତ୍ରୀ ହେବେ । ହେଲେ । ହେଲେ ତ ହେଲେ, ପୁଣି ପ୍ରଭାବଶାଳୀ କ୍ୟାବିନେଟ ମନ୍ତ୍ରୀ । ମୁଖ୍ୟମନ୍ତ୍ରୀଙ୍କ ପାଖଲୋକ । ଯକ୍ଷବାବାଙ୍କର ଜୟ ହେଉ । ତାଙ୍କର କରୁଣା ଅପାର ।

‘ନିଅନ୍ତୁ ବାବା, ଏଇ ସେଇ ରକ୍ତ । ୟାକୁ ଆଘ୍ରାଣ କରି ଆପଣ ଜାଣି ପାରିବେ ଯେ, ଇଏ ହେଉଛି ମୋ ବୋହୂର ସର୍ବପ୍ରଥମ ରକ୍ତ କ୍ଷରଣ ।’

ସୁନ୍ଦରମଣିଙ୍କ କଥା ଶୁଣି ଚିତ୍କାର କରିଉଠିଲେ ଯକ୍ଷବାବା । ସେ ବାବାଙ୍କୁ ଆଦରରେ ଭେଟି ଦେଇଥିବା ପ୍ରଲିସାର ବାସର ରାତିର ପିନ୍ଧାଲୁଗାଟିକୁ ବାବା ହାତରେ ଦଳି ମକଚି ନାକରେ ଲଗାଇ ଆଘ୍ରାଣ କଲେ ଓ ଶୁଖିଲା ରକ୍ତ ଜଡସଡ ଲୁଗାଟିକୁ ଧୂନିକୁଣ୍ଡ ଉପରକୁ ନିକ୍ଷେପ କଲେ । ତାହା ତତ୍‌କ୍ଷଣାତ ଦିଗ୍ ଦିଗ୍ ହୋଇ ଜଳିଉଠିଲା ପେଟ୍ରୋଲ ପରି ।

‘ଉହୁଁଃହୁଁ..ଭ୍ରୁଉଉ..ହିଂକ୍ଲିଂ.. ମୁଁ ତମକୁ କ’ଣ କହିଥିଲି ପାପିନୀ କନ୍ୟା ! ତୋ ପୁଅ ମସ୍ତବଡ ଭୁଲ୍ କରିଛି । ସବୁ ବିଭ୍ରାଟ ହୋଇଯାଇଛି କନ୍ୟା । ମୋର ସମସ୍ତ ଗଣନାକୁ ସେ ପାଣିରେ ପକେଇ ଦେଇଛି । ଏବେ ଭୋଗ । ଆହୁରି ଦୁଃଖ ଆସିବ । ଆହୁରି ଦୁର୍ଦ୍ଦଶା ଆସିବ । କେମିତି ସମ୍ଭାଳିବ ଏସବୁ ।’

ଡରି ଡରି ସୁନ୍ଦରମଣି କହିଲେ- ‘ମୁଁ ଆଉ କ’ଣ କରିଥାନ୍ତି ବାବା ! ପୁଅକୁ ସବୁ ବୁଝେଇ ସୁଝେଇ ଚଉଠି ରାତିରେ ବୋହୂ ପାଖକୁ ପଠେଇଥିଲି । କହିଥିଲି, ବାବା କହିଛନ୍ତି ତୁ ବୋହୂକୁ ସ୍ପର୍ଶ ବି କରିବୁନି । ଏମିତି ଏମିତି ଏକୋଇଶି ଦିନ ତତେ କଷ୍ଟ କରି ରହିବାକୁ ପଡିବରେ ବାପା । ବୋହୂ ପାଖରେ ରହିବୁ, କିନ୍ତୁ ତାକୁ ଛୁଇଁବୁ ନାହିଁ । ନହେଲେ ତୁ ଏମେଲେ ହେଇପାରିବୁ ନାହିଁ । ବୋହୂକୁ ଏସବୁ ବୁଝେଇବୁ । ତୁ ବିଧାୟକ ହେଲେ ସେ ବିଧାୟକ ପତ୍ନୀ । ତୁ ମନ୍ତିରି ହେଲେ ସେ ମନ୍ତିରିଆଣୀ । ମୋ ପରି । ମୋ ବାପଲୋ । ମୋ ଧନଲୋ । ଖାଲି ଏକୋଇଶି ଦିନ ।’

‘ହୁଁଉଁଉଁ..ହିଂକ୍ଲିଂ..’

‘କିନ୍ତୁ ବାବା ପୁଅଟା ମୋର ଦୁଷ୍ଟଟାଏ । ସମ୍ଭାଳି ପାରିଲା ନାହିଁ । ଚଉଠି ରାତିର ପ୍ରଥମ ଦିନ ହିଁ ଏସବୁ କାଣ୍ଡ କରି ବସିଲା । ମୁଁ ଚଉଠି ପର ସକାଳୁ ତାଙ୍କ କୋଠରିକି ଯାଇ ଏ ଲୁଗା ଖଣ୍ଡକ ବୋହୂଠାରୁ ଛଡେଇ ଆଣିଲି । ଲୁଗାଟାକୁ ଦେଖି ମୋ ମୁଣ୍ଡ ବାଇଆ ହେଇଗଲା ବାବା । ନିଘୋଡ ନିଦରେ ଶୋଇଥିବା ପୁଅଟା ଉପରେ ରାଗରେ ବାଲିଟିଏ ପାଣି ଢାଳିଦେଲି । କ’ଣ ଆଉ କରିଥାନ୍ତି ବାବା କହିଲେ ? ନିଅନ୍ତୁ, ଆପଣଙ୍କୁ ତ ରକ୍ତ ଦରକାର ଥିଲା । ସହବାସର ପ୍ରଥମ ରକ୍ତ । ସେ ଏକୋଇଶି ଦିନ ହେଉ କି ଚାରିଦିନ । କିଛି ଗୋଟେ କରନ୍ତୁ । ଏହାର କ’ଣ କିଛି ପ୍ରତିକାର ନାହିଁ ବାବା ?’

ଏଇ ବାବା ହିଁ ଭବିଷ୍ୟବାଣୀ କରିଛନ୍ତି ସୁନ୍ଦରମଣିଙ୍କ ରାଣ୍ଡୁଆ ଓ ଫାଡା ପୁତ୍ରଟି ଦିନେ ହେବ ଏ ଅଂଚଳର ସୁଯୋଗ୍ୟ ବିଧାୟକ । ବାବା ହିଁ ଏ ସ୍ୱପ୍ନଟି ବୁଣିଛନ୍ତି ଦିନବନ୍ଧୁ ଓ ସୁନ୍ଦରମଣିଙ୍କ ମନରେ । ବାବାଙ୍କ ପାଖରେ ଦିନେ କାନ୍ଦି କାନ୍ଦି ସୁନ୍ଦରମଣି ଧୂଳିରେ ଗଡିଗଲେ ।

କହିଲେ- ‘ମୋ ଏକୋଇର ବାଳାକୁ ବାଟକୁ ଆଣନ୍ତୁ ବାବା । ଦୈନିକ ରାତିରେ ତା’ର ଝିଅଟିଏ ଦରକାର ପଡୁଛି । ମଦ କି ସିଗାରେଟ୍ ନିଶା ନାହିଁ ମୋ ପୁଅର । କେବଳ ଗୋଟିଏ ନିଶା । ବହୁ ନାରୀ ସହ ସହବାସରେ ସେ ପ୍ରବୀଣ । ଯେମିତି ଥିଲେ ମୋ ପିତୃଦେବ । ରତନପୁରର ସୁପ୍ରସିଦ୍ଧ ଜମିଦାର ‘ବୀରବର ରତନ ରବିରଂଜନ ସାମନ୍ତ ସିଂହାର’ । ପୁଅଟା ମୋର ତା ଅଜାର ସବୁ ଗୁଣ ଛଡେଇ ଆଣିଛି । ଝିଅଙ୍କୁ ଧରି ଅଏସ୍ ନକଲେ ମୋ ବାପା ପାଗଳ ହେଇ ଯାଉଥିଲେ । ପୁଅଟା ବି ସେଇ ଗୁଣ ଧରିଛି । ମଝିରେ ମଝିରେ କଲିକତା ପଳୋଉଛି । ସେଠୁ ଟୋକି ଟେକିଆଣି ପୁରୀ ସମୁଦ୍ରକୂଳରେ ନଙ୍ଗଳା ମୁଙ୍ଗୁଳା ହେଇ ଗାଧୋଉଚି । କ’ଣ କରିବି କିଛି ବୁଦ୍ଧବାଟ ଦିଶୁନି ବାବା ।’

‘ଭ୍ରୁଂଉଁଉଁ..ହିଂକ୍ଲିଂ.. ତୋ ପୁଅର ସେଇ ବୁଦ୍ଧି ଯୋଗୁ ଆଜି ତମର ଏ ଅବସ୍ଥା । ବୋହୂକୁ ତୁ ବାପଘରକୁ ଛାଡିବା ଉଚିତ ନଥିଲା । ତାକୁ ଆଣିକି ଏଠିକି ଆସିଥିଲେ ମୁଁ ତାକୁ ବଶିଭୂତ କରିଥାନ୍ତି । ଏଇଠି ହିଁ ତାକୁ ମଦିରା ପାନ କରାଇ ସହବାସରେ ଲିପ୍ତ କରାଇଥାନ୍ତି । ଏହା ଥିଲା ମୋର ଦ୍ୱିତୀୟ ସୂତ୍ର । ପ୍ରଥମ ସୂତ୍ରଟି ଫେଲ୍ ମାରିଲା ପରେ ଏ ବାଟ କରିବାକୁ ମୁଁ ସ୍ଥିର କରିଥିଲି । ସାତଜଣ ପୁରୁଷ ଗୋଟିଏ ଦିନରେ ତା ସହ ସହବାସ କରିଥିଲେ ହିଁ ତୋ ପୁଅ ପୁଣି ଏମେଲେ ହେଇଥାନ୍ତା ।’

‘ଆହୁରି ବାଟ ଅଛି ବାବା !! ଆହୁରି ଉପାୟ ଅଛି !! ଆପଣ ସତରେ କରିତ୍‌କର୍ମା ବାବା ! ଆହାଃ ! ସର୍ବ ଗୁଣ ସଂପନ୍ନ । ତେବେ ଆପଣ ଯଦି କହିବେ, ବୋହୂକୁ ତା ଘରୁ ନେଇ ଆସିବାର ପୁନଶ୍ଚ ବନ୍ଦୋବସ୍ତ କରିବି ବାବା । କଳେ ବଳେ କଉଶଳେ । ଆପଣ ଖାଲି ମୋ ପୁଅକୁ ଏମେଲେ କରି ଦିଅନ୍ତୁ ବାବା ।’

ସୁନ୍ଦରମଣି ହାତ ଯୋଡି ବାବାଙ୍କ ପାଦ ତଳେ ଲୋଟି ପଡିଲେ । ବାବା ବଡ ପାଟିରେ ହିଂକ୍ଲିଂ ଉଚ୍ଚାରଣ କରି ପୁଣି ଠୋଲାଏ ଗୁଆଘିଅ ଅଖଣ୍ଡ ଧୂନି ଉପରକୁ ନିକ୍ଷେପ କଲେ । ଧପ୍ କରି ଜଳି ଉଠିଲା ଦିଗ୍‌ଦିଗ୍ ହୋଇ ଜଳୁଥିବା ଧୂନିକାଠ ସବୁ ।

‘କିନ୍ତୁ ବାବା, ଏବେ ତ ଆମ ପାଇଁ ବିପଦ ମାଡି ଆସିଛି । ବୋହୂ ଆମ ସମସ୍ତଙ୍କୁ ଯୌତୁକ କେଶ୍‌ରେ ପକେଇଚି । ମନ୍ତ୍ରୀଙ୍କ ମନ୍ତ୍ରିପଦ ଚାଲି ଯିବାକୁ ବସିଲାଣି । ଓକିଲ କହିଦେଇ ଯାଇଛି, ଆମକୁ କଲିକତାରେ ଲୁଚିବାକୁ ପଡିବ । ନହେଲେ ପୁଲିସି ବାନ୍ଧି ନବ । କିଷ କରିବି ମୁଁ ଟିକେ ବୁଦ୍ଧି ଦିଅନ୍ତୁ ବାବା ।’

ସୁନ୍ଦରମଣି ନିଜ ପୁଟୁଳା ଖୋଲି ଗୋଟେ ଗଣ୍ଠିଲି ଯକ୍ଷବାବାଙ୍କ ପାଦ ତଳେ ଥୋଇ ଲମ୍ବ ଲମ୍ବ ହୋଇ ଶୋଇଗଲେ ସେଇ ଶ୍ମଶାନ ମାଟିରେ । ଆହାଃ ହାଃ । ଭକ୍ତିଭାବରେ ସୁନ୍ଦରମଣି ବୁଡି ରହିଥିଲେ । ତାଙ୍କ ନୟନ ଯୁଗଳରୁ ବୋହି ଆସୁଥିଲା ଧାରଧାର ଅଶ୍ରୁ ।

ବାବା ବେକରୁ ମନ୍ଦାର ମାଳ ଖୋଲି ସୁନ୍ଦରମଣିଙ୍କୁ ସାଷ୍ଟାଙ୍ଗ କରାଇଲେ । ପୁଟୁଳା ଖୋଲି ଯାହା ଦେଖିଲେ ତାଙ୍କ ଆଖି ଝଲସି ଉଠିଲା । କିଲେ ସରିକି ସୁନା ଗହଣାରେ ଭର୍ତି ସୁନ୍ଦରମଣିଙ୍କ ଗଣ୍ଠିଲି ।

‘ବାବା ! ଚଉଠି ରାତିରେ ବୋହୂ ବେକରୁ ଏ ସବୁ ଗହଣା ଓଟାରି ଆଣିଥିଲି ଖାସ୍ ଆପଣଙ୍କୁ ପ୍ରେଜେଂଟ କରିବାକୁ । ଏ ସବୁ ଯଦି ଆପଣଙ୍କ ସେବାରେ ନ ଲାଗିଲା, ତେବେ ଏସବୁର ମୂଲ୍ୟ ବା କ’ଣ ? ନିଅନ୍ତୁ । ଇଏ ମୋର ଗୁରୁ ଦକ୍ଷିଣା ବୋଲି ଭାବି ନିଅନ୍ତୁ ବାବା । କିନ୍ତୁ ମୋ ପୁଅକୁ ଏମେଲେ କରି ଦିଅନ୍ତୁ । ଏମେଲେ ।’

‘ଓଁ ହିଂକ୍ଲିଂ ଭ୍ରୁଂଭ୍ରୁଂ.. ଧନ୍ୟ ତୁମେ କନ୍ୟା । ଧନ୍ୟ ତମ ଭକ୍ତି । ତମେ ବ୍ୟସ୍ତ ହୁଅନି । ମୁଁ ଏମିତି ବାଣ ପେଷିବି ଯେ, ବୋହୂ ତମର ବିଳିବିଳି ହେଇ ଆସିବ ମୋ ପାଖକୁ । ଏଇଠି ତମ ଆଗରେ ମୁଁ ତା ସହ ରମଣ କରି ତାକୁ ରକ୍ତାକ୍ତ କରି ତା ରକ୍ତ ଅଗ୍ନିକୁଣ୍ଡରେ ଧୂନି କରି ଜାଳିଦେବି । ସେଇ ରକ୍ତ ଟିକକ ହିଁ ତମ ବଂଶ ପାଇଁ ବିପଦ ସୃଷ୍ଟି କରିଛି । ଯାଅ । ଯଥାଶୀଘ୍ର ସବୁକିଛିର ପ୍ରାବଧାନ କର । ହିଂକ୍ଲିଂ ଭ୍ରୁଂଭ୍ରୁଂ ।’

ସୁନ୍ଦରମଣିଙ୍କ ବିଳାସପୂର୍ଣ୍ଣ ବୋଲେରୋ ଗାଡି ଯକ୍ଷବାବାଙ୍କ ଆଶ୍ରମ ଛାଡିଲା ବେଳକୁ ସଂଧ୍ୟା ଆଗତପ୍ରାୟ । ଆଶ୍ରମ ସାରା ଧୂଆଁମୟ । ସେ ଧୂଆଁ ଭିତରେ ସୁନ୍ଦରମଣି ଦେଖୁଥିଲେ ନିଜ ପରିବାର ମଳିନ ଭବିଷ୍ୟତକୁ । ତା ଭିତରେ ତାଙ୍କୁ ଦିଶୁଥିଲା ଏକ ଦୁର୍ଗାମୂର୍ତି ପରି ଚେହେରା । ହାତରେ ଖଣ୍ଡା ଖର୍ପର ଧରିଥିବା ବିକଟାଳ ରୂପଧାରିଣୀ ଜଣେ ସୁନ୍ଦରୀ ନାରୀର ଚେହେରା । ଇଏ କିଏ ? ବୋହୂ କି ?

କ୍ରମଶଃ.. .. ..