।। ୩ ।।
ଅପରାହ୍ଣ ଆକାଶରେ ଉଡି ଯାଉଥିବା ଗେଣ୍ଡାଳିଆଙ୍କୁ ଗୋଟି ଗୋଟି କରି ଗଣୁଥିଲେ ଇଂଜିନିୟର ବିନୋଦ ଚୌଧୁରୀ । ଭାବୁଥିଲେ, ସବୁ ମଣିଷ ଯଦି ଗେଣ୍ଡାଳିଆ ହୋଇଯାଆନ୍ତେ, ତେବେ କ’ଣ ପୃଥିବୀରୁ ଏତେ ଦୁଃଖ ଏତେ କ୍ରୁରପଣିଆ ସବୁ ଉଭେଇ ଯାଆନ୍ତା ? ପକ୍ଷୀଙ୍କ ଜୀବନରେ କ’ଣ ମଣିଷ ଜୀବନ ପରି ଏତେ ସବୁ ଜଂଜାଳ ଅଛି ? ହୁଏତ ନଥିବ । ଖୁବ୍ ଭଲ ଲାଗିବ ସେମିତି ଏକ ଜୀବନ ।
ସହରର ଏ କୋଳାହଳ ପୂର୍ଣ୍ଣ ଜନବସତି ଭିତରେ, ବାପ ଗୋସାପ ଅମଳର ତାଙ୍କର ଏ ତ୍ରିତଳ ପ୍ରାସାଦଟି ବିନୋଦ ବାବୁଙ୍କୁ ବେଳେବେଳେ ଖୁବ୍ ଏକୁଟିଆ ଲାଗେ । ପ୍ରାୟ ଦୁଇଏକର ପରିମିତ ଏକ ବିରାଟ ଜମି ଉପରେ ଠିକ୍ ମଝାମଝି ଠିଆ ହୋଇଛି ତାଙ୍କର ଏ କୋଠାଟି । ଚାରିକଡେ ବଡ ବଡ ଖାନଦାନି ଗଛ ସବୁ ଏହାକୁ ଘେରି ରହିଛନ୍ତି ପ୍ରାଚୀର ପରି । ପ୍ରାୟ ସତୁରୀ ବର୍ଷ ତଳେ କଲିକତାରୁ ଚାଲିଆସି ବାପା ଏଇଠି ବସତି ସ୍ଥାପନ କରିଥିଲେ, ଯେତେବେଳେ ଏ ବାଲେଶ୍ୱର ସହର ଥିଲା ଏକ ଛୋଟିଆ ଗାଁ ସଦୃଶ । ବାପା ତିଆରି କରିଥିବା ଚୁନପଥର ଦିଆ ଆଟୁ ଘରଟିକୁ, ରୋଜଗାରକ୍ଷମ ହେଲାପରେ ଇଂଜିନିୟର ବିନୋଦ ଚୌଧୁରୀ ଭାଙ୍ଗି ଦେଇ ନିଜ ବୁଦ୍ଧିବିଦ୍ୟା ଖଟେଇ ତା ଉପରେ ଏଇ ତ୍ରିତଳ ପ୍ରାସାଦଟି ନିର୍ମାଣ କରିଥିଲେ । ଆଗକୁ ପଛକୁ ଗୋଟିଏ ବୋଲି ଝିଅ । ଭାବିଥିଲେ ତାଙ୍କ ପରେ ଏଇଠି ହିଁ ସେ ନିଜ ସଂସାର ଖେଳେଇବ । କିନ୍ତୁ ଏକ ବାଲିଘର ପରି ଗୋଟିଏ ଲହଡିରେ ସବୁ ଧୂଳିସାତ୍ ହୋଇଗଲା । ତାଙ୍କ ଆଖି ଛଳଛଳ ହୋଇଯାଉଥିଲା । କାହାର କି ଦୋଷ କରିଥିଲା ପ୍ରଜାପତି ପରି ଉଡି ବୁଲୁଥିବା ତାଙ୍କ ଅଲିଅଳି ଝିଅଟି ?
‘ସେ ଘଟଣା ପରେ ଆପଣ ଖୁବ୍ ଏକୁଟିଆ ଲାଗୁଛନ୍ତି ନିଜ ଭିତରେ । ଏମିତି ଭାଙ୍ଗିପଡିଲେ ଲିସାକୁ ବଳ କିଏ ଦେବ ? ଲଢେଇ ତ ଏବେ ଆରମ୍ଭ ହୋଇଛି ମାତ୍ର ।’
ଚା’ଟା ଟି’ପୟ ଉପରେ ଥୋଇଦେଇ ଇଂ ବିନୋଦ ଚୌଧୁରୀଙ୍କ କାନ୍ଧରେ ହାତ ରଖିଲେ ଯଶୋଦାମଣୀ ।
‘ନିଅନ୍ତୁ ଟିକେ ଚା’ ପିଇ ଦିଅନ୍ତୁ ।’
ବହୁଦିନର ବାନ୍ଧବୀ ଯଶୋଦାମଣୀଙ୍କୁ ଲୁଚେଇ ଲୁଚେଇ ଆଖିରୁ ଲୁହ ପୋଛିଲେ ବିନୋଦ । ଏବେବି ତାଙ୍କ ଆଖି ଦୁଇଟି ବୁଡି ଯାଉଥିବା ସୂର୍ଯ୍ୟଙ୍କ ଆଡେ ଚାହିଁ ପିଛା କରୁଥିଲେ ଅପସୃୟମାଣ ଗେଣ୍ଡାଳିଆମାନଙ୍କୁ । ସେମାନେ କୁଆଡେ ଗଲେ ? ସେମାନେ କ’ଣ ଜାଣନ୍ତି ନାହିଁ ତାଙ୍କ ଉପରେ ଦୁଃଖର ଗୋଟେ ପାହାଡ ରହିଯାଇଛି ବୋଲି ? ସେମାନେ କ’ଣ ଜାଣନ୍ତି ନାହିଁ, ମଣିଷ ପାଖରେ ଥାଏ ଅନେକ ଦୁଃଖ, ଅନେକ ଛଳନା ? ବୋଧେ ଜାଣନ୍ତି ନାହିଁ । ନହେଲେ ସେମାନେ ଥରେ ହେଲେ ଚାହିଁ ଥାଆନ୍ତେ ଇଂଜିନିୟର ବିନୋଦ ଚୌଧୁରୀଙ୍କ ଛଳଛଳ ଆଖିକୁ ।
ପତ୍ନୀ ସୁଧାରାଣୀ ଚାଲିଯିବା ପରେ ଏଇ ଯଶୋଦାଙ୍କ କାନିତଳେ ବଢିଛି ପ୍ରଲିସା । ବହୁଦିନ ଧରି ସେ ଜାଣିନଥିଲା ଯେ, ଇଏ ତା ମାଆ ନୁହେଁ ବୋଲି । କିନ୍ତୁ ଏବେସୁଦ୍ଧା ଏ ଦୁହିଁଙ୍କ ଭିତରେ ମାଆ-ଝିଅର ଅନାବିଳ ସଂପର୍କକୁ ହିଁ ସମସ୍ତେ ଦେଖି ଆସିଛନ୍ତି । ତା ବାଦ୍ କେହି କେବେ ଟିକିଏ ହେଲେ ଦ୍ୱେଷଭାବ ଦେଖିନି ଏମାନଙ୍କ ଭିତରେ । ସଂସାରରେ କିଛି କିଛି ସଂପର୍କ ଏମିତି ତିଆରି ହୋଇଥାଏ ଯେ, ଦେଖୁଥିବା ଲୋକ ଏହାର ପ୍ରକୃତ ନାଁଟିକୁ ଭୁଲିଯାଏ । ଏଇ ହେଉଛି ଈଶ୍ୱରଙ୍କ ସୃଷ୍ଟିର ଆଉଏକ ଆଶ୍ଚର୍ଯ୍ୟ ।
‘ମତେ ଲାଗୁଛି ଲିସାକୁ ଆମେ ଟିକିଏ ଡକ୍ଟରଙ୍କ ପାଖକୁ ନେବା । ସେ ଭିତରେ ଭିତରେ ଖୁବ୍ ଅସୁସ୍ଥ ଅନୁଭବ କରୁଛି ବୋଧେ ।’
ଡାକ୍ତର କଥା ଶୁଣି ଇଂ ବିନୋଦ ଚୌଧୁରୀ ଚମକି ପଡିଲେ ।
‘କାହିଁକି ? ପୁଣି କ’ଣ ହେଇଛି ପ୍ରଲିସାର ?’
‘ତା ଦେହରେ ପୁଣି କ’ଣ ସବୁ ଫଳି ଗଲାଣି । ପ୍ରଜାପତି ପରି ତା ସୁକୁମାରିଆ ଦେହଟିକୁ ଖୁବ୍ ନିର୍ଯାତନା ଦେଇଛନ୍ତି ସେମାନେ । ମତେ ଲାଗୁଛି ତା’ର ବ୍ଲିଡିଂ ବନ୍ଦ ହେଇନି । ତାକୁ ଆଉଥରେ ଗାଇନକୋଲୋଜିଷ୍ଟଙ୍କ ପାଖକୁ ନେବାକୁ ପଡିବ ।’
ମୂଳ କାଟି ଦିଆଯାଇଥିବା ଗୋଟେ ବଡ ଗଛ ଧରାଶାୟୀ ହେଲା ପରି, ବିନୋଦ ବାବୁ ଲଥ୍ କରି ବସିପଡିଲେ ଚେୟାର ଉପରେ । ତାଙ୍କର ମନେପଡିଲା, ଯେଉଁଦିନ ପ୍ରଲିସା ଆସିଥିଲା ତା ଶାଶୂଘରୁ । ସକାଳ ପ୍ରାୟ ଦଶଟା ବେଳକୁ ଫୋନ୍ ଆସିଥିଲା ତା’ର ।
କହିଥିଲା- ‘ବାବା ! ଆଜି ତମ ଜ୍ୱାଇଁ ଭୁବନେଶ୍ୱର ଯାଉଛନ୍ତି । ଆମ ଘର ହେଇକି ଯିବେ ବୋଲି ମୁଁ ତାଙ୍କୁ କହିଛି । ସେଇବାଟେ ମତେ ବି ଛାଡିଦେଇ ଯିବେ ।’
ଫୋନ୍ରୁ କିନ୍ତୁ ବାରି ହେଉନଥିଲା ତା ଦେହର କଷ୍ଟ । ଝିଅର କହିବା ଅନୁଯାୟୀ, ଜ୍ୱାଇଁ ଚିକେନ୍ କଷା ଭଲ ପାଆନ୍ତି ବୋଲି, ଚାକର ବାକରଙ୍କୁ ଲଗେଇ ସେ ଖୁବ୍ ଭଲ କରି ବନେଇଥିଲେ କଷା ଚିକେନ୍ । ଜଗି ଜଗି ଖାଇବା ବେଳ ଗଡିଲା । ବେଳବୁଡକୁ ଖବର ଆସିଲା, ଜ୍ୱାଇଁଙ୍କର ଅର୍ଜେଂଟ କଲ୍ ଆସିଲା କମ୍ପାନୀରୁ । ସେ ଆଉ ଶ୍ୱଶୁର ଘରକୁ ଆସିପାରିବେ ନାହିଁ । ପ୍ରଲିସାକୁ ସହର ମୁଣ୍ଡ ଲେଭେଲ୍ କ୍ରସିଂ ପାଖରେ ଏକୁଟିଆ ଛାଡିଦେଇ ସେ ଭୁବନେଶ୍ୱର ଚାଲି ଯାଇଛନ୍ତି ।
ବିନୋଦ ବାବୁ ଆଶ୍ଚର୍ଯ୍ୟ ହେଇଗଲେ ଜ୍ୱାଇଁଙ୍କର ଏ ବ୍ୟବହାରରେ । ଇଏ କି ପ୍ରକାର ଭଦ୍ରାମୀ ! ନୂଆ ସ୍ତ୍ରୀଟାକୁ କିଏ ଏମିତି ବାଟରେ ଛାଡିଦେଇ ଚାଲିଯାଏ ! ନିଜେ ଗାଡି ଚଳେଇ ଯେତେବେଳେ ସେ ଝିଅ ପାଖରେ ପହଂଚିଲେ ଓ ତାକୁ ସଶରୀରେ ଦେଖିଲେ, ନିଜ ଆଖିକୁ ବିଶ୍ୱାସ ହେଲାନାହିଁ ତା’ର ଅବସ୍ଥା । ଇଏ କ’ଣ ତାଙ୍କ ଝିଅ ? ଓଃ ! ସେ ଦିଶୁଥିଲା ଜ୍ୱରରୁ ଉଠିଥିବା ମଧ୍ୟବୟସ୍କା ମହିଳାଟିଏ ପରି । ତା ଗୋରା ତକ ତକ ଦେହରେ କ’ଣ ସବୁ ଫଳି ଯାଇଛି । ହାତରୁ ବାହା ମେହେନ୍ଦି ଛାଡିନି, ଝିଅଟାର ଏ କି ଅବସ୍ଥା ହୋଇଛି !
ସ୍ଥିତି ଏମିତି ଥିଲା ଯେ, ତାକୁ ଧରି ବିନୋଦ ବାବୁ ସିଧା ଯାଇଥିଲେ ଡାକ୍ତରଖାନା । ଲେଡି ଗାଇନକୋଲୋଜିଷ୍ଟ ପ୍ରଲିସାର ଦେହ ପରୀକ୍ଷା କରି ଆଶ୍ଚର୍ଯ୍ୟ ହୋଇଯାଇଥିଲେ । ତା ଗୁପ୍ତାଙ୍ଗରୁ ବ୍ଲିଡଂ ବନ୍ଦ ହେଉନଥିଲା । ଶାଶୂଘର ଲୋକେ କି ଔଷଧ ଖାଇବାକୁ ଦେଇଥିଲେ କେଜାଣି, ସେଥିରେ ସାରା ଦେହ ବିଷାକ୍ତ ହୋଇଯାଇଥିଲା । ପ୍ରଲିସା ଆଉ ପଦଟିଏ କଥା କହିବାର ଯୁ ରଖିନଥିଲା । ଡାକ୍ତରାଣୀ ମ୍ୟାଡାମ୍ ତାକୁ ସିଧା ଆଇସିୟୁରେ ଭର୍ତି କରିଦେଲେ । ପାଖାପାଖି ଦୁଇଦିନ ପରେ ସେ ଟିକେ ସୁସ୍ଥ ହୋଇ ବାହାରିଥିଲା । କିନ୍ତୁ ଡାକ୍ତରଖାନାରେ ରହିଲା ସପ୍ତାହେ କାଳ । ଓଃ ! ଭଗବାନ ସତରେ ବଡଲୋକ । ସେ ରାକ୍ଷସ ପଲ ଝିଅଟାକୁ ମାରି ଦେଇଥାନ୍ତେ ।
ବିନୋଦ ଚୌଧୁରୀ ଗରମ ଚା’ରୁ ଢୋକେ ପିଇ ପୁଣି ଚାହିଁ ରହିଥିଲେ ଆକାଶକୁ । ଯଶୋଦା କେତେବେଳୁ ଚାଲିଗଲେଣି ଛାତ ଉପରୁ ।
‘ତୁ ଏଇଠି ବସିଛୁ ମୁଁ ତତେ ତଳେ ଖୋଜୁଛି । ତତେ ଥରେ ଧନ୍ୟବାଦ ଦେବାକୁ ଆସିଛି ବିନୋଦ । ଯୋଉ ପଦକ୍ଷେପ ତମେ ବାପା ଝିଅ ମିଶିକି ନେଇଛ, ତାହା ସତରେ ଖୁବ୍ ବୋଲ୍ଡ । ନିଜକୁ ଖୁବ୍ ଦୋଷୀ ଦୋଷୀ ଲାଗୁଛି । ମୋ’ରି ପାଇଁ ସିନା ଏତେକଥା ଘଟିଲା ।’
ବିନୋଦ ବାବୁ ଅନ୍ୟମନସ୍କ ଭାବରେ ଚା’ ପିଉଥିବା ବେଳେ ଛାତ ଉପରକୁ ଆସିଲେ ମଙ୍ଗୁଳୁ ବାବୁ । ତାଙ୍କ ପିଲାଦିନର ବନ୍ଧୁ । ମନ୍ତ୍ରୀ ଦିନବନ୍ଧୁ ମହାନ୍ତିଙ୍କ ପିଏ ଥିଲାବେଳେ, ସେ ହିଁ ଦେଇଥିଲେ ପ୍ରଲିସା ପାଇଁ ମନ୍ତ୍ରୀଙ୍କ ପୁଅର ପ୍ରସ୍ତାବ । କିନ୍ତୁ ମନ୍ତ୍ରୀଙ୍କ ପରିବାର ବିଷୟରେ ତାଙ୍କର ସେମିତି କିଛି ଜ୍ଞାନ ନଥିଲା । ସେ ନିଜେ ସରଳିଆ ପ୍ରକୃତିର ଲୋକ । ମନ୍ତ୍ରୀଙ୍କ ପତ୍ନୀ ସୁନ୍ଦରମଣିଙ୍କ କଥାରେ ସେ ଭଳି ଯାଇଥିଲେ । କହିଥିଲେ, ତାଙ୍କର ଏଇ ପ୍ରଲିସା ପରି ଝିଅଟିଏ ହିଁ ଦରକାର ଥିଲା । ତାକୁ କାଳେ ପ୍ରଲିସାର କଲେଜ ଫଙ୍କସନ୍ରେ ଦେଖି ସେ ପାଗଳ ହୋଇଯାଇଥିଲେ । ଆଉ ବୋହୂ କରିବାକୁ ମନେ ମନେ ଠିକ୍ କରିସାରିଥିଲେ । ଯେତେବେଳେ ଜାଣିଲେ ମଙ୍ଗୁଳୁ ବାବୁ ବିନୋଦ ବାବୁଙ୍କ ସାଙ୍ଗ ବୋଲି ତ ସିଧା ହାଜର ହୋଇଥିଲେ ତାଙ୍କ ପାଖରେ ।
‘ତୁ ଅଯଥା ନିଜକୁ ଦୋଷୀ ମଣୁଛୁ ମଙ୍ଗୁଳୁ । ମଣିଷ ଭାଗ୍ୟରେ ଯାହା ଲେଖା ଥିବ ତାହା ଫଳିବ ହିଁ ଫଳିବ । ତାହା ଫଳିବାକୁ କେବଳ ଜଣେ ପାତ୍ର ଆବଶ୍ୟକ କରୁଥାଏ । ବୋଧହୁଏ ଏଥିପାଇଁ ଈଶ୍ୱର ଏଥର ଆମ ବାପଝିଅଙ୍କୁ ହିଁ ବାଛିଛନ୍ତି ।’
‘ନା, ସେ ପାତ୍ରଟି ମୁଁ ହେବାକୁ ଥିଲି ? ଈଶ୍ୱରଙ୍କୁ ଆଉ କେହି ମିଳିଲେନି ଶେଷରେ ! ମୋରି ବନ୍ଧୁକୁ ଏମିତି ଦଶା ଦେବାକୁ ଥିଲା ।’
ବିନୋଦ ବାବୁଙ୍କର ମନେଅଛି, ଯୋଉଦିନ ପ୍ରଥମ କରି ତାଙ୍କ ଘରକୁ ଆସିଥିଲେ ମନ୍ତ୍ରୀଙ୍କ ଝିଅ ଓ ଜ୍ୱାଇଁ ପ୍ରଲିସାକୁ ଦେଖିବାକୁ । କି ଆଦର ସମ୍ମାନ ସେମାନଙ୍କ ବ୍ୟବହାରରେ ଥିଲା !! ସରଳିଆ ବିନୋଦ ବାବୁ ଏକଦମ କୃତ୍ୟ କୃତ୍ୟ ହୋଇଯାଇଥିଲେ ସେମାନଙ୍କ କଥାରେ । ମନ୍ତ୍ରୀଙ୍କ ଝିଅ, ଯାହାକୁ ମନ୍ତ୍ରୀ କୌଣସି ଏକ ମେଡିକାଲରେ ଚାକିରି କରେଇ ଦେଇଥିଲେ, ସେ କହିଥିଲେ, ଯୋଉଦିନ ପ୍ରଲିସାକୁ କଲେଜ ଫଙ୍କସନ୍ରେ ଦେଖିଥିଲେ, ସେ ତାକୁ ଭାଉଜ କରିବାକୁ କାଳେ ପାଗଳପ୍ରାୟ ହୋଇଯାଇଥିଲେ । ସେ କାଳେ ନିଜ ସିଟ୍ରୁ ଉଠିଯାଇ ପ୍ରଲିସାକୁ କୁଣ୍ଢେଇ ପକେଇଥିଲେ । ଆଉ ଚୁପ୍ ଚୁପ୍ ତା କାନରେ କହିଥିଲେ, ‘ମୋ ଭାଉଜ ରାଣୀ ଲୋ’ ।
କିନ୍ତୁ ପ୍ରଲିସା କହୁଥିଲା, ମନ୍ତ୍ରୀଙ୍କ ଏହି ଝିଅ ଜ୍ୱାଇଁ ଦୁଇଜଣ କାଳେ ପ୍ରକୃତରେ ରାକ୍ଷସ ଦୁଇଟି । ସେଇମାନେ ହିଁ କାଳେ ପ୍ରଥମେ ଆରମ୍ଭ କରିଥିଲେ ନିର୍ଯାତନା । ଶାଶୂ କହିଥିଲେ- ‘ତୋ ବୋପାକୁ କହିବୁ, ତାଙ୍କ ଜ୍ୱାଇଁ ଏମେଲେ ହେବାକୁ ଯାଉଛନ୍ତି । ତାଙ୍କ ପାଇଁ ସ୍କର୍ପିଓ ଗାଡିଟେ କିଣି ପଠେଇ ଦେବେ । ମନ୍ତ୍ରୀଙ୍କ ବୋହୂ ଓ ଏମ୍ଏଲ୍ଏର ସ୍ତ୍ରୀ ହେବାକୁ ହେଲେ କିଛି ତ ଇନ୍ଭେଷ୍ଟ କରବାକୁ ପଡିବ । ମାଗଣାରେ କ’ଣ ସବୁ ମିଳିଯିବ ?’
ଇନ୍ଭେଷ୍ଟ !! କଥାଟି ଶୁଣି ବିନୋଦ ବାବୁ ଆଶ୍ଚର୍ଯ୍ୟ ହୋଇଯାଇଥିଲେ । ଝିଅ ଜ୍ୱାଇଁ ସଂପର୍କ ଭିତରେ କ’ଣ ଏ ବ୍ୟବସାୟିକ ଶବ୍ଦଟି ପ୍ରୟୋଗ ଜରୁରି ଥିଲା ? ତଥାପି ସେ ଏଥିରେ ରାଜି ହୋଇ ଯାଇଥିଲେ । ଝିଅ ଯେତେବେଳେ ପ୍ରଥମେ ପ୍ରଥମେ ଏ ସବୁ କଥା ତାଙ୍କୁ ଫୋନ୍ କରି କହୁଥିଲା, ସେ ତାକୁ ବହୁତ ବୁଝାଉଥିଲେ । କହୁଥିଲେ- ‘ସଂସାର କଲେ ଏମିତି ସବୁ ଛୋଟ ଛୋଟ ପଥର ଦେହରେ ପଡିଥାଏ ଝିଅ । ପିଲାବେଳେ ଗଛରୁ ଜାମୁକୋଳି ତୋଳିଲା ବେଳେ ଅନେକ କୋଳି ଦେହରେ ଆସି ଦେହରେ ବାଜିଥାଏ । ସେ ସବୁକୁ ତୁ କ’ଣ କେବେ କଷ୍ଟ ବୋଲି ଭାବିଥିଲୁ ? ଠିକ୍ ସେଇମିତି ସଂସାରର ଏ ଜାମୁକୋଳିକୁ ସହି ଯାଆ । ଦେଖିବୁ ଖୁବ୍ ସୁନ୍ଦର ହେଇଯିବ ତୋ ଦୁନିଆ ।’
କିନ୍ତୁ ହେଲାନି । ସେ ସବୁ ଜାମୁକୋଳି ସତକୁ ସତ ବଡ ବଡ ପଥର ହୋଇ ଝିଅ ଦେହରେ ବାଜି ତାକୁ ଖଣ୍ଡିଆ ଖାବରା କରି ପକେଇଲା ।
ଯୋଉଦିନ ସେ ନୂଆ ସ୍କର୍ପିଓ ଗାଡିଟିଏ ବୁକ୍ କରିବାକୁ ସୋ’ରୁମ୍କୁ ଯାଇଥିଲେ ଓ ଫୋନ୍ କରି ଜ୍ୱାଇଁଙ୍କ କଲର୍ କଥା ପଚାରିଥିଲେ, ସମୁଦୁଣୀ ସେପଟରୁ କହିଥିଲେ- ‘ରଙ୍ଗ ବାଛିବାକୁ ଆମକୁ ତର ନାହିଁ ସମୁଦି । ତମ ସମୁଦୀ ରାଜ୍ୟର ପାୱାରଫୁଲ୍ କ୍ୟାବିନେଟ୍ ମନ୍ତିରି । ଆଉ ଜ୍ୱାଇଁ ଆଗାମୀ ଦିନର ଏମେଲେ । କାହାକୁ ଏତେ ସମୟ ଅଛି ତମ ପଛରେ ଗୋଡେଇବାକୁ । ଚାରି ପାଂଚଟା ରଙ୍ଗର ଗାଡି କିଣିକି ପଠେଇ ଦିଅ ।’
ସମୁଦୁଣୀ ସେପଟରୁ ଥଟ୍ଟା କରୁଥିଲେ ନା ସତରେ କହୁଥିଲେ ବୁଝିପାରି ନଥିଲେ ସରଳିଆ ବିନୋଦ ବାବୁ ।
‘ବାବୁ ତମର ଫୋନ୍ ଆସିଛି । କିଏ ଜଣେ ଟିଭି ଚ୍ୟାନେଲ୍ର ରିପୋର୍ଟର ଫୋନ୍ କରିଛନ୍ତି ।’
ଏବେ କାହା ସହ କଥା ହେବାକୁ ଚାହୁଁନଥିଲେ ବିନୋଦ ବାବୁ । ଅନିଚ୍ଛା ସତ୍ୱେ ସୁମି ହାତରୁ ଫୋନ୍ଟା ଆଣି ସେ କଥା ହେଲେ ।
‘ହ୍ୟାଲୋ, କିଏ କହୁଥିଲେ ?.. ନା ନା ଆପଣ ପରେ ଫୋନ୍ କରନ୍ତୁ ।.. ଆମେ ଏବେ ଜଂଜାଳ ଭିତରେ ଅଛୁ । ଝିଅର ଦେହ ବି ଭଲ ନାହିଁ । ଆପଣ ନିଜେ ଭାବନ୍ତୁ.. ଏମିତି ଅବସ୍ଥାରେ ଆପଣ ଥିଲେ କ’ଣ କରିଥାନ୍ତେ ? କ’ଣ କହିଲେ ? ମନ୍ତ୍ରୀ ? ମୁଁ ତ ଆଜ୍ଞା ମୁଖ୍ୟମନ୍ତ୍ରୀ ନୁହେଁ ଯେ ତାଙ୍କ ମନ୍ତ୍ରିପଦ ନେଇଯିବି ? ମୋର କେବଳ ଚିନ୍ତା ମୋ ଝିଅ କଥା । ସେମାନେ ମନ୍ତ୍ରୀ ହୁଅନ୍ତୁ କି ମୁଖ୍ୟମନ୍ତ୍ରୀ । ତାଙ୍କ ମନ୍ତ୍ରିପଦ ପଳେଇଲେ ମୋ ଝିଅର ଜୀବନ ସଜାଡି ହେଇଯିବ କି ? ଆପଣ ଦୟାକରି ପରେ କେବେ ଫୋନ୍ କରନ୍ତୁ । ଏବେ ମୋର ମାନସିକ ଅବସ୍ଥା ଭଲ ନାହିଁ ।’
କିଏ ଜଣେ ରିପୋର୍ଟର ବିନୋଦ ବାବୁଙ୍କୁ ପୂରା ଘଟଣା ଉପରେ ପ୍ରତିକ୍ରିୟା ଦେବାକୁ ପ୍ରବର୍ତାଉଥିଲେ । କହୁଥିଲେ- ‘ଆପଣ ମନ୍ତ୍ରୀ ଦିନବନ୍ଧୁ ପଟ୍ଟନାୟକଙ୍କ ଇସ୍ତଫା ଦାବି କରନ୍ତୁ । ମୁଖ୍ୟମନ୍ତ୍ରୀଙ୍କ ବାସଭବନ ଆଗରେ ବିକ୍ଷୋଭ କରନ୍ତୁ । ଦେଖିବେ ଏ ସରକାର ଗଡି ପଡିବ ।’
ବିନୋଦ ବାବୁ ଭାବିଲେ, ଏମାନେ କେତେ ନିଷ୍ଠୁର ସତରେ !! ଏଣେ ଜଣେ ଝିଅ ଜୀବନ-ମରଣ ସମସ୍ୟାରେ ପଡିଛି, କିନ୍ତୁ ଏମାନଙ୍କୁ ଚିନ୍ତା ପଡିଛି, ଦିନବନ୍ଧୁ ମହାନ୍ତିର ମନ୍ତ୍ରିପଦ କାହିଁକି ଯାଉନି ? ଆଜିକାଲି ମିଡିଆ ଦୁନିଆର ଏ ଆଚରଣରେ ବ୍ୟଥିତ ହୋଇପଡୁଥିଲେ ଇଂଜିନିୟର ବିନୋଦ ଚୌଧୁରୀ । ଏମାନଙ୍କ ପାଖରେ ମାନବିକତା ବୋଲି କ’ଣ କିଛି ନାହିଁ ?
ସେ ମନେ ପକାଉଥିଲେ ମନ୍ତ୍ରୀ ଦିନବନ୍ଧୁ ମହାନ୍ତିଙ୍କ ଆଚରଣ ସଂପର୍କରେ । ଲିସା ବାହାଘରର ପ୍ରାୟ ଛଅମାସ ପରେ ଯେତେବେଳେ ସେ ଘଟଣାର ସମାଧାନ ପାଇଁ ମନ୍ତ୍ରୀଙ୍କ ଭୁବନେଶ୍ୱର ବାସଭବନକୁ ଯାଇଥିଲେ, ସେତେବେଳେ ମନ୍ତ୍ରୀ ହଠାତ୍ ତାଙ୍କ ସହ ଜଣେ ଅଜଣା ଲୋକ ପରି ବ୍ୟବହାର କରିଥିଲେ । କହିଥିଲେ- ‘ଆପଣଙ୍କର କି ସାହସ !! ମନ୍ତ୍ରୀ କ୍ୱାର୍ଟରକୁ କେମିତି ଚାଲି ଆସି ପାରିଲେ ?’
ବିନୋଦ ବାବୁ ନମ୍ରତାର ସହ କହିଥିଲେ- ‘ଆପଣଙ୍କ ବୋହୂକୁ ଆପଣ ପାଖରେ ରଖନ୍ତୁ । ସେ ଆପଣଙ୍କ ସଂପତି ।’
ତ ମନ୍ତ୍ରୀ କହିଥିଲେ- ‘କୋଉ ବୋହୂ ? ତାକୁ ପଚାରନ୍ତୁ ସେ ମତେ ଦିନଟିଏ ହେଲେ ଚା’ କପେ କରିକି ଦେଇଛି ? ସେ କି ବୋହୂ ମୋର ?’
ପାଖରେ ଠିଆ ହୋଇଥିବା ପ୍ରଲିସା ଏ କଥାର କିଛି ଜବାବ ଦେଇପାରିଲା ନାହିଁ । ଚୁପୁଚୁପୁ କରି କେବଳ କହିଥିଲା- ‘ବାବା ତ ଚା ପିଅନ୍ତି ନାହିଁ ।’
ତ ମନ୍ତ୍ରୀ ଆହୁରି ଜୋରରେ ରାଗି ଯାଇଥିଲେ ଓ ରୁଦ୍ର ରୂପ ଦେଖାଇ କହିଥିଲେ- ‘ଦେଖ ! ଇଏ କାଳେ ମୋ ବୋହୂ !! ଇଏ ତ ମୋ ମୁହଁରେ ଜବାବ ଦେଉଛି !! ମନ୍ତ୍ରୀ ଦିନବନ୍ଧୁ ମହାନ୍ତିଙ୍କ ମୁହଁରେ ଜବାବ !! କି ସାହସ !!’
ଶ୍ୱଶୁରଙ୍କ ରୁଦ୍ରମୂର୍ତି ଦେଖି ସବୁଥର ପରି ପ୍ରଲିସା ଡରିଯିବାର ଥିଲା । କିନ୍ତୁ କାହିଁକି କେଜାଣି ତା ମନ ହଠାତ୍ ପ୍ରତିଶୋଧ ପରାୟଣ ହୋଇ ଉଠିଥିଲା । ସେ ଲାଜକୁଳି ଲତା ପରି ଝାଉଁଳି ପଡିବା ବଦଳରେ ବିଛୁଆତି ପତ୍ର ପରି ପାଗଳ ହୋଇଗଲା । ଗୋଟେ ମୋବାଇଲ୍ ଫୋନ୍ ବାହାର କରି ଶ୍ୱଶୁରଙ୍କ ଆଡକୁ ଦେଖେଇ କହିଲା- ‘ଏ ଯୋଉ ଫଟୋ ଓ ଭିଡିଓରେ ଆପଣଙ୍କ ପୁଅ ସାଙ୍ଗରେ ଗୋଟିଏ ବିଛଣାରେ ଏ ଝିଅଟା କିଏ ? ପୁଅ ମୋବାଇଲ୍ରେ ଥିବା ଏ ମେସେଜ୍ ସବୁ ପଢିଛନ୍ତି ଆପଣ ? ପୁରୀ ସମୁଦ୍ର କୂଳରେ ଅର୍ଦ୍ଧନଗ୍ନ ଅବସ୍ଥାରେ ଥିବା ଏ ପୁଅ ଝିଅଙ୍କୁ ଚିହ୍ନିଛନ୍ତି ଆପଣ ? ଏ ମୋବାଇଲ୍ଟା ଆପଣଙ୍କ ପୁଅଙ୍କର । ନିଜ ବିବାହିତ ପୁଅର ଏ କାରନାମା ବିଷୟରେ ରାଜ୍ୟର ପ୍ରଖ୍ୟାତ କ୍ୟାବିନେଟ୍ ମନ୍ତ୍ରୀ କିଛି ଜାଣିଛନ୍ତି ନା ନାହିଁ ?’
ପ୍ରଲିସା ଯେ ହଠାତ୍ ଏମିତି ପ୍ରଗଳ୍ଭ ହୋଇଉଠିବ ଏ କଥା ନିଜେ ବିନୋଦ ବାବୁ ବି ଭାବିପାରି ନଥିଲେ । ସେ କେବଳ ଝିଅକୁ ଆକଟ କରିବାକୁ ମଝିରେ ମଝିରେ କହୁଥିଲେ ‘ତୁ ଟିକେ ଚୁପ୍ ରହ ଲିସା, ଶ୍ୱଶୁରଙ୍କୁ ଏ ସବୁ କହିବା ଠିକ୍ ନୁହେଁ ।’
କିନ୍ତୁ ପ୍ରଲିସା ଚୁପ୍ ହେବା ଅବସ୍ଥାରେ ନଥିଲା । ସେ ଆହୁରି କେତେକଥା କହିଥିଲା ଶ୍ୱଶୁରଙ୍କୁ । ଲାଗୁଥିଲା ସେ ବହୁତ ଭାବିଚିନ୍ତି ନିଜକୁ ପ୍ରସ୍ତୁତ କରି ଆସିଥିଲା ଏମିତି ଗୋଟେ ଦୃଶ୍ୟ ସମସ୍ତଙ୍କୁ ଭେଟି ଦେବ ବୋଲି । ନିଜର ରୂଦ୍ରମୂର୍ତି ଦେଖାଇ ସମୁଦୀଙ୍କୁ ଚୁପ୍ କରିଦେବାକୁ କୌଶଳ କରିଥିବା ମନ୍ତ୍ରୀ ଦିନବନ୍ଧୁ ମହାନ୍ତିଙ୍କର ସବୁ ଯୋଜନା ହଠାତ୍ ଫସର ଫାଟି ଯାଇଥିଲା । ସେତେବେଳକୁ ସେ ଅପ୍ରସ୍ତୁତ ହୋଇସାରିଥିଲେ । ତାଙ୍କୁ ଘେରି ରହିଥିବା ତାଙ୍କ ପିଏ ଓ ଦଳୀୟ ଲୋକମାନେ ହତବାକ୍ ହୋଇ ଅନେଇଥିଲେ ପ୍ରଲିସାକୁ । ମନ୍ତ୍ରୀଙ୍କ ଶୀତତାପ ନିୟନ୍ତ୍ରିତ ପ୍ରକୋଷ୍ଠ ଭିତରେ କିଛି ସମୟ ପାଇଁ ରାଜୁତି କରୁଥିଲା ଝଡ ପରର ନିରବତା ।
ନିଜକୁ ଆଉ ସମ୍ଭାଳି ନପାରି ଜୋର୍ରେ କାନ୍ଦି କାନ୍ଦି ପ୍ରଲିସା ଗୋଟିଏ ନିଃଶ୍ୱାସରେ ତାଙ୍କ ଚାମ୍ବର ଛାଡି ଚାଲି ଆସିଥିଲା ବାହାରକୁ । ଆଉ ତା ପଛେ ପଛେ ଇଂଜିନିୟର ବିନୋଦ ଚୌଧୁରୀ ।
କ୍ରମଶଃ.. .. ..