ଶେଷ ଦୃଶ୍ୟ (ଭାଗ – ୧୨)

।। ୧୨ ।।

ପଛକୁ ପଛକୁ ଦଉଡୁଥିଲେ ଗଛ, ବିଲମାଳ, ପଶୁପକ୍ଷୀ ଓ ସାରା ଦୁନିଆ । ଯେମିତି ଯୁଦ୍ଧକ୍ଷେତ୍ରରୁ ଦଉଡି ପଳାନ୍ତି ପରାଜିତ ଅଶ୍ୱମାନେ । ବେଳେବେଳେ ଜୀବନର ଗତି ଏମିତି ପଛକୁ କାହିଁକି ଯାଏ ? ଚାହିଁଲେ ବି ପଛକଥାକୁ ଭୁଲି ହୁଏନି । ଇଚ୍ଛା ହୁଏ ପୁଣି ଗୋଟେ ପୁରୁଣା ଜୀବନ ବଂଚିବାକୁ ।

ରାସ୍ତାଟା ବେଶୀ ଭଲ ନଥିଲା । ଏଥିରେ ଅତିବେଶୀରେ ଗୋଟିଏ ଚାରି ଚକିଆ ଗାଡି ଓ ଦୁଇଟି ମୋଟର ସାଇକେଲ ଏକସଙ୍ଗେ ପାସ୍ କରିଯାଇ ପାରିବେ । ମଙ୍ଗୁଳୁ ଅଙ୍କଲ କହୁଥିଲେ, ଆଶ୍ରମଟା ଅତି ବେଶୀରେ ଘଂଟାକର ବାଟ । କଟକ ଭୁବନେଶ୍ୱର ପାଖାପାଖି ଏକ ଗାଁ । ସେଠି କାଳେ ଯୋଉ ବାବା ଜଣକ ଅଛନ୍ତି ସେ ଏ ଚିରାଚରିତ ବାବାଙ୍କଠୁ ଖୁବ୍ ଅଲଗା । ସେ ଭବିଷ୍ୟବାଣୀ କରନ୍ତିନି । ପରାମର୍ଶ ଦିଅନ୍ତି । ଲାଇଫ୍ କୋଚ୍ । ଜଟାଜୁଟ ଧାରୀ, କିନ୍ତୁ କଥାବାର୍ତାରେ ଖୁବ୍ ଇଂଲିଶ ବ୍ୟବହାର କରନ୍ତି । ମଙ୍ଗୁଳୁ ଅଙ୍କଲ କହିଲେ, ଜୀବନରେ କୌଣସି ଗୁରୁତ୍ୱପୂର୍ଣ୍ଣ ପଦକ୍ଷେପ ନେବା ପୂର୍ବରୁ ତାଙ୍କ ପରାମର୍ଶ ନେଇଗଲେ କିଛି ଗୋଟେ ଦିଶା ମିଳି ଯାଇପାରେ ।

ପ୍ରଲିସାର ଆଉ କୌଣସିଥିରେ ମନ ନଥିଲା । ଖାଲି ବାପା ବାଧ୍ୟ କଲେ ବୋଲି ସେ ଆସିବା କଥା । ଆଉ କି ପଦକ୍ଷେପ ନେବ ସେ ? ଭାବିଛି ବାଙ୍ଗାଲୋର ପଳେଇବ । ସେଠି ପଢାପଢି ସାରି ଚାକିରି କରିବ । ପରିବାର ଲୋକଙ୍କୁ ନେଇ ସେଇଠି ରହିବ । କିନ୍ତୁ ବାପା ଏଥିରେ ରାଜି ନୁହଁନ୍ତି । ଏତେବଡ ଘଟଣା ଜୀବନରେ ଘଟିଗଲେ ମଣିଷ ଚୁପ୍ ହୋଇଯିବା ସ୍ୱାଭାବିକ । କିନ୍ତୁ ମଧୁମିତା କହୁଥିଲା- ‘ଜୀବନ ଏଇ ଗୋଟେ ଛୋଟିଆ ଘଟଣାରେ ସୀମିତ ନୁହେଁ । ଏହାର ପରିମାଣ ମାତ୍ର ଜିରୋ ପଏଂଟ୍ ଜିରୋ ୱାନ୍ । ଜୀବନରେ ଘଟୁଥିବା ବହୁତ ଛୋଟ ଛୋଟ ଗୁରୁତ୍ୱହୀନ ଘଟଣା ଭିତରୁ ଇଏ ଗୋଟେ । ଏହା କ’ଣ ତୋ ବାଟ ଓଗାଳିବ ? ମଣିଷର ସ୍ମରଣଶକ୍ତି ଖୁବ୍ ଦୁର୍ବଳ । ଦେଖିବୁ ମାତ୍ର ମାସ କେଇଟା ପରେ ତୋ କଥା ସମସ୍ତେ ଭୁଲିଯିବେ । ନୂଆ ଖବର ଆସିଲେ ମିଡିଆ ସେଥିରେ ମାତିଯିବ । ତୁ ଏତେ ଗୁରୁତ୍ୱହୀନ ହୋଇଯିବୁ ଯେ, ନିଜେ ବି ବିଶ୍ୱାସ କରିପାରିବୁ ନାହିଁ ।’

ଆହାଃ ! ଜୀବନକୁ ନେଇ ମଧୁମିତାର ଏ ଦର୍ଶନ ସତରେ କେତେ ମନୋରମ ! କିନ୍ତୁ ମଣିଷ ସତରେ କ’ଣ ଏମିତି ଦର୍ଶନକୁ ଆପଣେଇ ପାରେ ! କାହିଁ ସେ ନିଜେ ତ ଭୁଲି ପାରୁନି ତା ଜୀବନରେ ଏଇ ବର୍ଷକ ଭିତରେ ଘଟିଥିବା ସେଇ ଘଟଣାକୁ ! ଏ ସବୁ ମିଛ ବୋଧେ ।

ପ୍ରାୟ ଘଂଟାଏ ପରେ ଗାଡି ଯେଉଁଠି ପହଂଚିଲା, ସେ ଜାଗାଟା ଥିଲା ଜନସବତିଠାରୁ ଖୁବ୍ ଦୂରରେ । ଦୂରକୁ ଦୂରକୁ ଦିଶୁଥିଲା ପାହାଡ, ଗଛ, ନଈ ଓ ଦିଗ୍‌ବଳୟ । ଏଇଟା ବୋଧେ ସେଇ ଆଶ୍ରମ । ସାମ୍ନାରେ ଲେଖାଥିଲା ‘ଜୀବନ ଏକ ସୁନ୍ଦର ଝରଣାର ନାଁ’ । ଫଳକଟି ପଢି ପ୍ରଲିସା ପ୍ରଥମେ କିଛି ବୁଝି ପାରିଲା ନାହିଁ । କିନ୍ତୁ ଯେତେବେଳେ ଧାଡିଟିର ଅର୍ଥ ବୁଝିଲା, ଭିତରେ ଭିତରେ ପୁଲକିତ ହୋଇଗଲା । ଆହାଃ ! ଜୀବନ ସତରେ କେତେ ସୁନ୍ଦର !

‘ଆମେ ଠିକ୍ ସମୟରେ ପହଂଚିଛନ୍ତି ।’ ବାପା କହିଲେ ।

ଗାଡିରୁ ଓହ୍ଲାଇ ପ୍ରଲିସା ପ୍ରଥମେ ସୁନ୍ଦର ଗଛ ଛାଇକୁ ଉପଭୋଗ କଲା । ଖୁବ୍ ସୁନ୍ଦର ପବନ ଦେଉଛି ଏ ଜାଗାଟିରେ । ଏଠି ନିରବତାର ସ୍ୱର ଏତେ କ୍ଷୀଣ ଯେ, ପ୍ରତି ମୁହୂର୍ତରେ ନିଜ ଭିତରେ ସହଜରେ ହଜି ଯାଇହେବ । ଆହାଃ ! ସତରେ କି ଶାନ୍ତି !! ପ୍ରଲିସାର ଇଚ୍ଛା ହେଉଥିଲା ଭୂଇଁରେ ସପଟିଏ ପାରିଦେଇ ଏଇଠି ଘଡିଏ ଶୋଇ ଯାଆନ୍ତା ।

‘ନମସ୍କାର ! ଆଶ୍ରମକୁ ଆପଣମାନଙ୍କୁ ସ୍ୱାଗତ ।’

ଗାଡିରୁ ଓହ୍ଲାଇ ସେମାନେ ଟିକେ ସାଷ୍ଟାଙ୍ଗ ହୋଇ ପ୍ରକୃତିକୁ ଉପଭୋଗ କଲାବେଳେ, ଯେଉଁ ଭଦ୍ରଲୋକ ସେମାନଙ୍କୁ ସ୍ୱାଗତ କଲେ ସେ ଦିଶୁଥିଲେ ଜଣେ ସିଆର୍‌ପିଏଫ୍ ଯୱାନଙ୍କ ପରି । ପରିଷ୍କାର ପରିଚ୍ଛନ ବେଶପୋଷାକ, ଚଞ୍ଛା କେଶବିନ୍ୟାଶ ଏବଂ ଦୈନିକ ବ୍ୟାୟାମ ଦ୍ୱାରା ସାଇଜ୍ ହୋଇଥିବା ଏକ ସୁଗଠିତ ଶରୀର ।

‘ଆପଣ ପ୍ରତୀକ ସାମନ୍ତରାୟ ?’ ବାପା ତାଙ୍କୁ ପଚାରିଲେ ।

‘ହଁ, ମଙ୍ଗୁଳୁ ବାବୁ ମତେ ଫୋନ୍ କରିଥିଲେ । ଆପଣ ଏବେ ଖାଇପିଇ ଟିକେ ରେଷ୍ଟ ନେବେ । ଅପରାହ୍ଣରେ ଗୁରୁଦେବଙ୍କ ସହ ଆପଣ ସାକ୍ଷାତ କରିବେ । ଆପଣଙ୍କ ଖାଇବା ଓ ବିଶ୍ରାମର ସମସ୍ତ ବନ୍ଦୋବସ୍ତ ଆଶ୍ରମରେ ହୋଇଛି ।’

ଆଶ୍ରମ ଭିତରଟି ଲାଗୁଥିଲା ଆହୁରି ମନୋରମ । ଗଛଲତାରେ ଭର୍ତି ସାରା ଅଂଚଳ । ଦୁଇ ଧାଡି ଆଜବେଷ୍ଟସ୍ ଘର । ଆଡମ୍ବର ବୋଲି ଟିକିଏ ନାହିଁ । ଅନ୍ୟ ଆଶ୍ରମ ପରି ଏଠି ନେତା ମନ୍ତ୍ରୀ ଓ ବିଲଡରଙ୍କର ଭିଡ ନାହିଁ । ଏମିତି ଏକ ଆଶ୍ରମର ଗୁରୁଙ୍କୁ ଥରେ ଦେଖିବାକୁ ପ୍ରଲିସାର ଭାରି ଇଚ୍ଛା ହେଉଥିଲା । ବେଳେବେଳେ ତା ମନକୁ ଆସେ ମଣିଷ ଆଧ୍ୟାତ୍ମବାଦୀ କାହିଁକି ହୁଏ ? ସଂସାରଠାରୁ ଦୂରେଇ ଗଲେ ଯାଇ କ’ଣ କେବଳ ଈଶ୍ୱରଙ୍କୁ ପାଇହେବ ? ବୋଧହୁଏ ଏହା ଠିକ୍ । ନହେଲେ ସିଦ୍ଧ ପୁରୁଷମାନେ କାହିଁକି ଏମିତି ଆଶ୍ରମରେ ରହନ୍ତି ଏକା ଏକା ।

ଫ୍ରେସ୍ ହୋଇ ମଧ୍ୟାହ୍ନ ଭୋଜନ ନେଲାପରେ ଆଶ୍ରମର ଏକ କୋଠରୀରେ ବସି ଝରକା ଦେଇ ବାହାର ଦୁନିଆକୁ ଦେଖିବାକୁ ଚେଷ୍ଟା କରୁଥିଲା ପ୍ରଲିସା । ଏତେ ଶାନ୍ତ ଜାଗାକୁ ଆସି ବି ସେ ଭୁଲିପାରୁ ନଥିଲା ତା ବିଗତ ଦିନର ଅଘଟଣ ସବୁକୁ । ବେଳେବେଳେ ମନରେ ପ୍ରଶ୍ନଟିଏ ଆସି ତା ଆଗରେ ଠିଆହୁଏ । ‘ମନ୍ତ୍ରୀ ଦିନବନ୍ଧୁ ମହାନ୍ତିର ପରିବାରକୁ ତୁ କ’ଣ ଏମିତି ଛାଡିଦେବୁ ? ଯେଉଁମାନେ ତତେ ଏତେ ନିର୍ଯାତନା ଦେଲେ ସେମାନଙ୍କୁ ଏମିତି ଖାଲି ଛାଡିଦେବୁ ? କିଛିଦିନ ପରେ ସେମାନେ ଜେଲ୍‌ରୁ ବାହାରିବେ ଆଉ ପୁଣି ସଫାସୁତର ମଣିଷ ହୋଇ ବଂଚିବେ । ପୁଣି ନେତା ହେବେ ମନ୍ତ୍ରୀ ହେବେ । ତୋ ପରି ଆଉ ଜଣେ ଝିଅକୁ ବାହା ହେବ ମନ୍ତ୍ରୀର ପୁଅ । ହୁଏତ ତା ଅବସ୍ଥା ବି ତୋ ପରି ହେବ ।’

ଏସବୁ ପ୍ରଶ୍ନ ଆଗରେ ନାଚାର ହୋଇପଡେ ପ୍ରଲିସା । ନିଜ ଭିତରେ ଯୁକ୍ତିବାଢେ, ଅସୁର ମାନଙ୍କ ସହ ସମୟ ନଷ୍ଟ କରି ସେ ନିଜ ଜୀବନକୁ ଏମିତି ବିତି ଯିବାକୁ ଦେବନି । ରାଜନୀତିରେ ପଶି ଏମାନଙ୍କ ସହ ଲଢିବାକୁ ବି ତା’ର ଆଗ୍ରହ ନାହିଁ । ସେ ଜାଣେ ରାଜନୀତି ଗୋଟେ ପଙ୍କକୁଣ୍ଡ, ଯେଉଁଥିରେ ଥରେ ପଶିଲେ ତାକୁ କାଦୁଅ ହେବାକୁ ହିଁ ପଡିବ । କିନ୍ତୁ ବେଳେବେଳେ ଏମିତି ବି ହୁଏ, ଇଚ୍ଛା ହୁଏ ସେ ବି ବଳବାନ ହୋଇଯାଆନ୍ତା ଆଉ ସମସ୍ତଙ୍କୁ ଜେଲ୍‌ରେ ପୂରେଇ ଚକି ପେସାନ୍ତା । ସେ ବି ରାଜନୀତି କରନ୍ତା, ବିରୋଧୀ ଦଳ ଟିକଟରେ ଏମ୍‌ଏଲ୍‌ଏ ହୋଇ ସମସ୍ତଙ୍କୁ ନିପାତ କରନ୍ତା । କିନ୍ତୁ ଏ ସବୁ କ’ଣ ଏତେ ସହଜ କଥା !

ପ୍ରଲିସା ଭାବେ, ଜୀବନର ନିଜର ଏକ ଧାରା ଅଛି । ସେ ମଣିଷକୁ ବାଟ କଢେଇ ଗୋଟିଏ ବାଟରେ ନେଇଯାଏ । ତାକୁ ରାସ୍ତା ଦେଖାଏ, ଗଛର ଛାଇ ଦିଏ, ଝରଣାର ଜଳ ଦିଏ, ନଦୀ ଦିଏ ନାଳ ଦିଏ । ଭାରତରେ ଅଧିକାଂଶ ମଧ୍ୟବିତଙ୍କ ଜୀବନ ଏମିତି ହିଁ କଟେ । ମଣିଷ ଦେଖିଥିବା ସ୍ୱପ୍ନ ତା ନିଜର ନଥାଏ । ଆଉ ସେ ଦେଖିଥିବା ସ୍ୱପ୍ନ କେବେ ପୂରଣ ହୁଏନି । ସେ ଅନ୍ୟର ସ୍ୱପ୍ନରେ ବଂଚେ, ତାକୁ ପାଳି ପୋଷି ବଡ କରେ ଓ ତା’ରି ଆଶ୍ରା ତଳେ ଆଖି ବୁଜେ । ସତରେ ବିଚିତ୍ର ଏ ଦୁନିଆର ଗତି ।

‘କିନ୍ତୁ ମୋ ମତରେ ଆପଣ ନିଜେ ନିଜ ପାଇଁ ସ୍ୱପ୍ନ ଦେଖନ୍ତୁ ଓ ତାକୁ କ୍ଲାଇମାକ୍ସରେ ପହଂଚାନ୍ତୁ । ଜୀବନକୁ ଆପଣ ହିଁ ନିଜେ ଗୋଟେ ବାଟ ଦିଅନ୍ତୁ । କାରଣ, ସ୍ୱପ୍ନହୀନ ଜୀବନ, ଜୀବନ ନୁହେଁ ।’

ଝରକା ରେଲିଂ ଦେଇ ଆଶ୍ରମର ପରିବେଶରେ ହଜି ଯାଇଥିବା ବେଳେ ପଛରୁ କାହାର ସ୍ୱର ଶୁଭିଲା । ବୁଲିପଡି ପ୍ରଲିସା ଯାହାକୁ ଦେଖିଲା, ସେ କିଛି ସମୟ ତଳେ ସେମାନଙ୍କୁ ସ୍ୱାଗତ କରିଥିବା ପ୍ରତୀକ ସାମନ୍ତରାୟ ନୁହଁନ୍ତି । ଜଟାଜୁଟ ଧାରି ଜଣେ ଯୁବ ସାଧୁପୁରୁଷ । ତାଙ୍କୁ ଦେଖି ପ୍ରଲିସା ସମ୍ଭ୍ରମତାର ସହ ଉଠି ଠିଆ ହେଲା ଓ ତାଙ୍କୁ ନମସ୍କାର ଜଣେଇଲା । ଏଇ ବୋଧେ ଆଶ୍ରମର ଗୁରୁଦେବ, ଯାହାଙ୍କ ବିଷୟରେ କହୁଥିଲେ ପ୍ରତୀକ ସାମନ୍ତରାୟ । ସାଧୁପୁରୁଷ ତା ରୁମ୍ ଭିତରକୁ ପଶି ଆସିଥିଲେ । ଅବଶ୍ୟ ଏକା ନଥିଲେ, ସାଙ୍ଗରେ ବାପା ବି ଥିଲେ । ସେମାନେ ବୋଧେ ଅନେକ ସମୟ ଧରି ସାକ୍ଷାତ ଆଲୋଚନା କରୁଥିଲେ ।

ସାଧୁଙ୍କ ମୁହଁଟି ଖୁବ୍ ଶାନ୍ତ ଓ ସରଳ ଲାଗୁଥିଲା । ସାରୁ ପତ୍ର ଉପରେ ଢଳଢଳ ହେଉଥିବା ବୁନ୍ଦାଏ ସ୍ୱଚ୍ଛ ଜଳ ପରି । ଧଳା ଧୋତି ଚଦର ଭିତରୁ ତାଙ୍କ କ୍ଷୀଣ ଶରୀରଟି ବେଶ୍ ଅନୁମାନ କରି ହେଉଥିଲା । ତାଙ୍କ ମୁହଁଟି କୋଉ ଗୋଟେ ଚିହ୍ନା ଲୋକର ମୁହଁ ପରି ଦିଶୁଥିଲା । ପ୍ରଲିସାକୁ ଆଶ୍ଚର୍ଯ୍ୟ ଲାଗୁଥିଲା, ସେ କେମିତି ତା ମନର କଥାଟି ଜାଣି ପାରିଲେ ? ସାଧୁବାବା ପାଖରେ ପଡିଥିବା ଏକ ଚେୟାରରେ ବସିଲେ ଏବଂ ମୁରୁକୁ ମୁରୁକି ହସିଲେ । ତା ପରେ ସେ ପ୍ରଲିସା ମୁହଁକୁ ଚାହିଁ କ’ଣ ନୀରିକ୍ଷଣ କଲେ ।

‘ମତେ ଯାହା ଲାଗୁଛି, ଆପଣଙ୍କ ଆଗାମୀ ଜୀବନ ତ ରାଜନୀତିରେ ହିଁ କଟିବ । ଯେତେଦୂର ସମ୍ଭବ ଆପଣ ଜଣେ ଏମ୍‌ଏଲ୍‌ଏ ହେବେ । ମତେ ଏମିତି ହିଁ ଦିଶୁଛି ଆପଣଙ୍କ ଭବିଷ୍ୟତ । ଖୁବ୍ ପରିଷ୍କାର ଆପଣଙ୍କ ଭାଗ୍ୟରେଖା ।’ ପ୍ରଲିସାକୁ ଚାହିଁ ହଠାତ୍ ମତ ଦେଲେ ସାଧୁବାବା ।

ଏମ୍‌ଏଲ୍‌ଏ !! ସାଧୁଙ୍କ କଥାରେ ଆଶ୍ଚର୍ଯ୍ୟ ହେଇଗଲା ପ୍ରଲିସା । ଓଃ ! ପୁଣି ରାଜନୀତି ! ସେ କୌତୂହଳ ବଶତଃ ବାପାଙ୍କ ମୁହଁକୁ ଚାହିଁଲା । ତାଙ୍କ ମୁହଁ ବି କୌତୂହଳରେ ପରିପୂର୍ଣ୍ଣ । ବାପା ବି ତାକୁ ଚାହିଁଥିଲେ ଅବୁଝା ଆଖିରେ ।

‘ଏମ୍‌ଏଲ୍‌ଏ !! ଆଉ ମୁଁ !! ବଟ୍ ଆଇ ହେଟ୍ ପଲିଟିକ୍ସ ।’

ସାଧୁଙ୍କ କଥାରେ ହଠାତ୍ ନିଜ ଭିତରେ ଆଶ୍ଚର୍ଯ୍ୟ ହେଉ ହେଉ କହିଲା ପ୍ରଲିସା । ସେ ସାଧୁଙ୍କ କଥାରେ ଯେତିକି ଆଶ୍ଚର୍ଯ୍ୟ ହେଉଥିଲା ସେତିକି ହାସ୍ୟାସ୍ପଦ ଭାବ ତା ଭିତରେ ଜମାଟ ବାନ୍ଧୁଥିଲା । କଥାଟି କହିସାରି, ସାଧୁବାବା ଖବର କାଗଜ ଉପରେ ଆଖି ବୁଲୋଉଥିଲେ ଏବଂ ଆଶ୍ରମର ଜଣେ ଅନ୍ତେବାସୀ ସଦ୍ୟ ବାଢି ଦେଇଥିବା ବାମ୍ଫଉଠା ଚା’କୁ ସୁଡୁକ ମାରି ପିଇବା ଆରମ୍ଭ କରିଥିଲେ । ଅନ୍ତେବାସୀ ଅନ୍ୟମାନଙ୍କ ପାଇଁ ବି ଚା’ ବାଢି ଦେଇଥିଲେ । ବାହାରେ ଅପରାହ୍ଣର ଆଶ୍ରମ । ଛାଇ ଛାଇକା ପରିବେଶରେ ଝରକା ଦେଇ ଆସୁଥିବା ହାଲୁକା ହାଲୁକା ପବନ ମନକୁ ପ୍ରଫୁଲ୍ଲ କରି ଦେଉଥିଲା ।

‘ମୁଁ ବି ତ ସାଧୁ ହେବାକୁ ଚାହିଁନଥିଲି । ୟୁଜୁଆଲି ଆଇ ହେଟ୍ ସାଧୁଜ୍ । କିନ୍ତୁ ମତେ ଦେଖନ୍ତୁ, ମୁଁ ତ ପୁଣି ସାଧୁ ହୋଇଛି ।’

ପ୍ରଲିସାର କଥା ଶୁଣି ଖୁବ୍ ଜୋର୍‌ରେ ହସୁ ହସୁ କହିଲେ ସାଧୁବାବା । କିନ୍ତୁ ସେ ଖବର କାଗଜ ଉପରୁ ଆଖି ଫେରେଇ ନଥିଲେ ।

‘ବଟ୍ ହାଓ କ୍ୟାନ୍ ୟୁ ସେ, ଦ୍ୟାଟ୍ ଆଇ ୱିଲ୍ ବି ଇନ୍ ପଲିଟିକ୍ସ ଇନ୍ ଫ୍ୟୁଚର ? ଇଜ୍ ଦେୟାର୍ ଏନି ଇଣ୍ଡିକେସନ୍ ଇନ୍ ମିଁ ?’

ପ୍ରଲିସା ଜାଣିବାକୁ ଚାହୁଁଥିଲା ତା ଭିତରେ ଏମିକି କ’ଣ ଦେଖିଲେ ଯେ, ସାଧୁବାବା ତାକୁ ରାଜନୀତିରେ ପଶିବାର ଅଛି ବୋଲି କହିପକେଇଲେ । ସେ ହୁଏତ କେବେ ରାଜନୀତି କରିଥାନ୍ତା କି କରିନଥାନ୍ତା ତାକୁ ଜଣା ନାହିଁ । କିନ୍ତୁ ଶ୍ୱଶୁର ଓ ସ୍ୱାମୀଙ୍କୁ ଦେଖିବା ପରେ ତା ମନ ଭିତରେ ରାଜନୀତିର ଯେଉଁ ଚିତ୍ର ଆଙ୍କି ହୋଇଯାଇଛି, ସେଥିରେ ସେ ଆଉ ସେ ଦିଗରେ ଚିନ୍ତା ହିଁ କରିପାରୁନି ।

‘କିନ୍ତୁ ମୋର ମନେହୁଏ, ଆପଣଙ୍କ ପାଖରେ ଆଉ ବିକଳ୍ପ କିଛି ନାହିଁ ।

‘ମାନେ ?’

‘ମାନେ ପ୍ରତିଶୋଧ ନେବାକୁ ଆପଣଙ୍କ ପାଖରେ ଦୁଇଟି ବାଟ ରହିଛି । ଗୋଟିଏ ହେଲା, ଆପଣ କ୍ରିମିନାଲ୍ ହୋଇ ସେମାନଙ୍କୁ ଦଣ୍ଡ ଦେବେ । ନହେଲେ ସାଧାରାଣ ଜୀବନରେ ରହି ସେମାନଙ୍କୁ ଦଣ୍ଡ ଦେବେ ।’

ସାଧୁଙ୍କ କଥା ଶୁଣି ପ୍ରଲିସା ହଠାତ୍ କନ୍‌ଫ୍ୟୁଜ୍ ହୋଇଯାଉଥିଲା । କୋଉ ପ୍ରତିଶୋଧ କଥା କହୁଛନ୍ତି ସେ ! ସେମାନେ କିଏ ? କାହା ଉପରେ ସେ ପ୍ରତିଶୋଧ ନେବ ?

‘ବିବ୍ରତ ହେବାର କିଛି କାରଣ ନାହିଁ । ମୁଁ ମନ୍ତ୍ରୀ ଦିନବନ୍ଧୁ ମହାନ୍ତି କଥା କହୁଛି । ତାଙ୍କ ପରିବାରକୁ କ’ଣ ଆପଣ ଏମିତି ଛାଡିଦେବେ ? ଯୋଉମାନେ ଆପଣଙ୍କ ଜୀବନର ମୋଡ ବଦଳାଇ ଦେଲେ ? ଯୋଉମାନେ ଆପଣଙ୍କ ସ୍ୱପ୍ନକୁ ଭଙ୍ଗା ଚେୟାର ପରି ଅଳିଆଗଦାକୁ ଫିଙ୍ଗି ଦେଲେ ?’

ସାଧୁଙ୍କ କଥା ଶୁଣି ପ୍ରଲିସା ଆଶ୍ଚର୍ଯ୍ୟ ହେଉଥିଲା । ସେ କେମିତି ଜାଣିଲେ ତା ଜୀବନର ଏ କାହାଣୀ ସବୁ ? ବାପା କହିଦେଲେ କି ? ସାଧୁବାବା ତାଙ୍କ କଥା ସାରିନଥିଲେ ।

‘ମୁଁ ଜାଣିଛି ଆପଣ ଚାହୁଁଛନ୍ତି ସେମାନଙ୍କ ବିରୋଧରେ ସ୍ୱର ଉତୋଳନ କରିବାକୁ । କିନ୍ତୁ ଏ କଥା ବି ଜାଣିଛନ୍ତି, ସେମାନଙ୍କ ବିରୋଧରେ ଆପଣଙ୍କ ସ୍ୱର ଏତେଟା ଶକ୍ତ ନୁହେଁ । ମନେରଖନ୍ତୁ, ଆପଣଙ୍କ ସ୍ୱର ବି ଆଗରୁ ଏମିତି ନଥିଲା । ଏହାକୁ ଆପଣ ଯେମିତି ରୂପ ଦେଇଛନ୍ତି ତାହା ସେମିତି ଆଗକୁ ବଢିଛି ।’

‘ବଟ୍ ଆଇ କ୍ୟାଂଟ୍ ଡୁ ପଲିଟିକ୍ସ । ସେଥିରେ ମୁଁ ଆଦୌ ଅଭ୍ୟସ୍ତ ନୁହେଁ ।’

‘ମଣିଷ ଦେଖିଥିବା ଦୃଶ୍ୟଟିଏ ଆଗକୁ ଯେ ସେମିତି ସମାନ ଢଙ୍ଗରେ ଘଟିବ ତାହା କହିବା ଭୁଲ୍ ହେବ । ଆପଣଙ୍କ ମନରେ ରାଜନୀତିକୁ ନେଇ ଯେଉଁ ଚିତ୍ର ତିଆରି ହୋଇଛି ତାହା ବାସ୍ତବ ଚିତ୍ର ନୁହେଁ । ରାଜନୀତି ଆପଣଙ୍କ ପାଇଁ ପ୍ରତିଶୋଧ ନେବାର ଏକ ମାଧ୍ୟମ ମାତ୍ର । ଆପଣଙ୍କ ପ୍ରତିପକ୍ଷ ବି ସେଇ ବାଟରେ ଆପଣଙ୍କୁ ଦଂଶନ କରିଛି । ଆପଣ ବି ତାକୁ କାମୁଡନ୍ତୁ ।’

‘କିନ୍ତୁ ସାପକୁ ମାରିବାକୁ ମୁଁ କାହିଁକି ସାପ ହେବି ?’

‘ନହେଲେ ସେ ଆପଣଙ୍କୁ ଆହୁରି ଦଂଶିବ । ଆପଣ ମନେରଖନ୍ତୁ, ସେ ଆପଣଙ୍କୁ ଶାନ୍ତିରେ ରହିବାକୁ ଦେବନି । ଏହା ତା’ର ଶେଷ ଦଂଶନ ନୁହେଁ । ମୌକା ପାଇଲେ ସେ ଆପଣଙ୍କୁ ପୁଣି କାମୁଡିବ ।’

ସାଧୁବାବାଙ୍କ ସହ ଯୁକ୍ତି କଲାବେଳେ ଧୀରେ ଧୀରେ ଉତେଜିତ ହୋଇ ପଡୁଥିଲା ପ୍ରଲିସା । ତାକୁ ଲାଗୁଥିଲା ତା ଦେହରେ ଗୋଟେ ସାପର ରକ୍ତ ଦୌଡି ବୁଲୁଛି । ତା ପାଟିରେ ଦୁଇଟି ବିଷଦାନ୍ତ କେନା ମାରୁଛି । ତା ଦେହସାରା ଧୀରେ ଧୀରେ କଅଁଳୁଛି ଚିକ୍ ଚିକ୍ କାତି ।

‘କିନ୍ତୁ ଥରେ ଅନ୍ଧଗଳିରେ ପଶିଲେ ସେଥିରୁ ବାହାରିବା କ’ଣ ଆଉ ସହଜ ? ଆପଣ ମତେ ଜିତିବାର ପ୍ରଲୋଭନ ଦେଖାଇ ଜୀବନ ସାରା ଏକ ପରାଜୟକୁ ବରଣ କରିବାକୁ ବାଧ୍ୟ କରୁନାହାଁନ୍ତି ତ ?’

ପ୍ରଲିସାର ଯୁକ୍ତ ଶୁଣି ସାଧୁବାବା ଖୁବ୍ ବଡ ପାଟିରେ ହସିଲେ । କିଛି ସମୟ ଧରି ଗମ୍ଭୀର ପରିବେଶରେ ଚାଲିଥିବା କଥାବାର୍ତା ହଠାତ୍ ହାଲୁକା ହୋଇଗଲା ପରି ଲାଗିଲା । ବାବାଙ୍କ ହସର କାରଣ ବୁଝିନପାରି ଉପସ୍ଥିତ ଅନ୍ୟମାନେ କେବଳ ଆଶ୍ଚର୍ଯ୍ୟ ହୋଇ ଚାହିଁଥିଲେ ତାଙ୍କ ମୁହଁକୁ ।

‘ହାରିଥିବା ଲୋକଟି ପାଇଁ ଆଉଥରେ ହାରିବା ଏକ ଭୟ ନୁହେଁ । ଏହା ତା ପାଇଁ ଜୀବନ ଧାରଣର ମାପଦଣ୍ଡ । ପରାଜୟ ହିଁ ତା ଜୀବନର ଧାରା । ବସ୍ତିରେ ଥିବା ଲୋକଟି ଆଉଗୋଟେ ବସ୍ତିରେ ଯାଇ ରହିଲେ, ତାହା ତା ପାଇଁ ବିଜୟର ସୂଚକ ନୁହେଁ ।’

ବାବାଙ୍କ କଥାରେ ପ୍ରଲିସା ଆହୁରି ଉତେଜିତ ମନେହେଲା । ଜୀବନର ଏକ ଯୁଦ୍ଧରେ ସେ ଯେ ହାରିଯାଇଛି, ତାହା ଜାଣି ତାକୁ ଖୁବ୍ ବାଧିଲା । କିନ୍ତୁ ସାଧୁବାବାଙ୍କ ଯୁକ୍ତି ଅକାଟ୍ୟ ଥିଲା । ପରାଜୟ ହିଁ ତା ଜୀବନର ପଥ ବୋଲି ଜାଣିଲା ପରେ ପ୍ରଲିସା ପ୍ରତିଶୋଧ ପରାୟଣ ହୋଇପଡିଲା । ତଥାପି ତା ଯୁକ୍ତି ଉପସ୍ଥାପନରେ ସେ ପଛରେ ରହିବାକୁ ଚାହୁଁନଥିଲା ।

‘ଆଦୌ ଯୁଦ୍ଧକୁ ଓହ୍ଲାଇ ନଥିବା ସୈନିକ ଯଦି ବନ୍ଦୀ ହୁଏ ତାକୁ କ’ଣ ପରାଜୟ ବୋଲି କହିବାକୁ ହେବ ? ମୁଁ ତ ଯୁଦ୍ଧ ଆରମ୍ଭ ହିଁ କରିନି ।’

ବାବା ପୁଣି ହସିଲେ । କହିଲେ- ‘ଯୁଦ୍ଧ କରୁ କି ନକରୁ, ସୈନିକଟିଏ ବନ୍ଦୀ ହେବା ହିଁ ତା ପରାଜୟକୁ ସୂଚେଇ ଦିଏ । ଆପଣ ଯୁଦ୍ଧ ପାଇଁ ଆଦୌ ମନ ନବଳେଇବା ଅର୍ଥ ଆପଣ ଆତ୍ମସମର୍ପଣ କରିସାରିଛନ୍ତି ।’

ଓଃ ! ବାବାଙ୍କ କଥାକୁ ଆଉ ସହ୍ୟ କରିବା ଅବସ୍ଥାରେ ନଥିଲା ପ୍ରଲିସା । କୋଠରୀ ଛାଡି ସେ ଦୁଇଖେପାରେ ବାହାରି ଗଲା ଆଶ୍ରମ କୋଳକୁ । ତା ଭିତରେ ବୋଧେ କାନ୍ଦିବାର ଉପକ୍ରମ ଆରମ୍ଭ ହୋଇସାରିଥିଲା । ଆଶ୍ରମ ମଝିରେ ଥିବା କୂଅ ଚାନ୍ଦିନୀ ଉପରେ ବସି ସେ କଇଁ କଇଁ ହୋଇ କାନ୍ଦି ପକେଇଲା । ଏତେବଡ ଝଡକୁ ସାମ୍ନା କଲାବେଳେ ବି ସେ ନିଜ ଭିତରେ କେବେ ଏତେ ଅସହାୟତା ଅନୁଭବ କରିନଥିଲା । ସେ କ’ଣ ଆତ୍ମସମର୍ପଣ କରିଥିବା ଜଣେ ଅସହାୟ ସୈନିକ ? ସେ କ’ଣ ଯୁଦ୍ଧ କରିବାକୁ ଡରୁଛି ? ହଁ, ସାଧୁବାବା ଠିକ୍ କହୁଥିଲେ ବୋଧେ । ବର୍ଷକର ନିର୍ଯାତନା ସହିବା ଭିତରେ ସେ ଯଦି କେବେ ଥରୁଟିଏ ବି ଦୃଢ କଣ୍ଠରେ ଏହାର ପ୍ରତିବାଦ କରିଥାନ୍ତା, ତାହେଲେ ବୋଧେ ଆଜି ଘଟଣାଟି ଖୁବ୍ ଅଲଗା ଘଟିଥାନ୍ତା । ସେ କେବଳ ଏକ ସୁନ୍ଦର ସଂସାରର ମୋହରେ ସମସ୍ତଙ୍କୁ ସହିଥିଲା । ମୋହଗ୍ରସ୍ତ ମଣିଷ ପାଖରେ ପ୍ରତିରୋଧ କରିବାର ବଳ ନଥାଏ । ସେ ଖୁବ୍ ଦୁର୍ବଳ ହୋଇପଡିଛି । କିନ୍ତୁ ଏବେ ଆଉ ସେ ସହିବ ନାହିଁ । ତା ଦେହରେ ସାଧୁବାବା ଏକ ବିଷଧର ସାପର କଣିକା ସବୁ ଛାଡି ଦେଇଛନ୍ତି । ତା ହାତରେ ଧରେଇ ଦେଇଛନ୍ତି ଖଣ୍ଡା ଖର୍ପର । ତା ସାମ୍ନାରେ ଏବେ ଶକ୍ତିଦାୟିନୀ ମାଆ ଦୁର୍ଗାଙ୍କ ପ୍ରତିମୂର୍ତି । ନା ନା ପ୍ରତିମୂର୍ତି ନୁହେଁ, ଏମିତି ବେଶରେ ବୋଧେ ଠିଆ ହୋଇଛି ସେ ନିଜେ । ଅନେକ ଦିନ ପରେ ତା ଭିତରେ ଏମିତି ଉତେଜନା ଆସିଛି । ତାକୁ ଖୁବ୍ ଭଲ ଲାଗୁଥିଲା ଏମିତି ଅନୁଭବ । ଲାଗୁଛି, ଏଇ ଅନୁଭବ ବୋଧହୁଏ ତା ପାଇଁ ଶ୍ରେୟସ୍କର ।

‘ଲିସା ! ତମର ଏଇ ରୂପକୁ ହିଁ ମୁଁ ଖୋଜୁଥିଲି ଅନେକ ଦିନ ହେଲା । ତମ ଭିତରେ ଶୋଇ ରହିଥିବା ଏଇ ଶକ୍ତି ଟିକକ ଜାଗି ଉଠୁ ବୋଲି ମୁଁ ଚାହିଁଥିଲି ବର୍ଷ ବର୍ଷ ଧରି । ତମେ କଲେଜ କ୍ୱିନ୍ । ତମେ କଲେଜ ବେଳର ଏନ୍‌ସିସି କମାଣ୍ଡର । ତମେ କଲେଜ ଡ୍ରାମାର ଶକ୍ତିଦାୟିନୀ ମାଆ ।’

ପ୍ରବଳ ଉତେଜନାରେ ବୁଡି ରହିଥିବା ପ୍ରଲିସା ଏସବୁ କଥା ଶୁଣି ହଠାତ୍ ଚମକି ପଡିଲା । କିଏ କହୁଛି ଏସବୁ ପୁରୁଣା କଥା ତାକୁ ?

ଆଖିରୁ ଲୁହପୋଛି ବୁଲିପଡି ଚାହିଁଲା ବେଳକୁ ତା ପଛରେ ଠିଆ ହୋଇ ଶାନ୍ତ ମୁଖମଣ୍ଡଳରେ ହସୁଛନ୍ତି ନିଜେ ସାଧୁବାବା । କଳା ମୁଚୁମୁଚୁ ଦାଢିରେ ଭର୍ତି ତାଙ୍କ ମୁହଁଟା ହଠାତ୍ ପ୍ରଲିସାକୁ ଖୁବ୍ ଚିହ୍ନା ଚିହ୍ନା ଲାଗିଲା । ଲାଗିଲା ସେ ଅନେକ ଦିନର ପରିଚିତ ଲୋକଟିଏ । ସାଧୁବାବା ତା ଜୀବନର ଏ ଘଟଣା ସବୁ କେମିତି ଜାଣିଲେ ?

‘କିନ୍ତୁ ଆପଣ ? କିଏ ଆପଣ ? କେମିତି ଜାଣିଲେ ମୋ ଜୀବନକୁ ?’

ସାଧୁବାବା ପାଖରେ ଠିଆ ହୋଇ ସେମିତି ହସୁଥିଲେ । ପ୍ରଲିସା ଅଧିକରୁ ଅଧିକ ଆଶ୍ଚର୍ଯ୍ୟ ହେଉଥିଲା । ଆଉ ଆଶ୍ଚର୍ଯ୍ୟ ହେବା ଭିତରେ ଧୀରେ ଧୀରେ ସେ ବାବାଙ୍କ ଚେହେରା ଭିତରେ ଖୋଜି ବୁଲୁଥିଲା ଗୋଟିଏ ପରିଚିତ ଓ ଅନ୍ତରଙ୍ଗ ମଣିଷକୁ ।

‘ଅଭିଳାଷ ! ତମେ !! ବାଙ୍ଗାଲୋରର କର୍ପୋରେଟ୍ ଦୁନିଆଁରୁ ଏ ଆଶ୍ରମ ଜୀବନ !!’

ପ୍ରଲିସା ଭିତରେ ଆଶ୍ଚର୍ଯ୍ୟର ସୀମା ବନ୍ଧବାଡ ଭାଙ୍ଗି ସାରିଥିଲା । ସେ ଆଶ୍ଚର୍ଯ୍ୟ ଯେତିକି ହେଉଥିଲା ବୋଧହୁଏ ଖୁସି ତା’ଠାରୁ ଅଧିକ ହେଉଥିଲା । ସାଧୁବାବା ଓରଫ୍ ଅଭିଳାଷ ସେମିତି ମୁରୁକି ମୁରୁକି ହସୁଥିଲେ । ପ୍ରଲିସା ନିଜକୁ ଆଉ ସମ୍ଭାଳି ପାରିଲା ନାହିଁ । ତାଙ୍କୁ ଜାବୁଡି ଧରି ତାଙ୍କ ଛାତିରେ ମୁଣ୍ଡ ରଖି କଇଁ କଇଁ ହୋଇ କାନ୍ଦି ପକାଇଲା ।

କୂଅ ଚାନ୍ଦିନୀ ଉପରେ ଆଉ କେହି ନଥିଲେ । ଅପରାହ୍ଣର ମଳିନ ଖରା ବିଂଚି ହୋଇ ପଡିଥିଲା ଆଶ୍ରମ ସାରା ।

କ୍ରମଶଃ.. .. ..