ମୂଳ ଲେଖା -ମାଇକେଲ ମୋପୂରଗୋ || ଅନୁବାଦ -ସୁମନ ଦାଶ
ମୁଁ କେବେବି ମୋର ଦଶମ ଜନ୍ମଦିନ ଭୁଲି ପାରିବି ନାହିଁ । ମୋର ଆଉସବୁ ଜନ୍ମଦିନ ନିଜସ୍ଵ ଚିରାଚରିତ ଘଟଣାବଳୀ ପାଇଁ ଯେମିତି ଉପହାର ମିଳିବାର ଆଗ୍ରହ ,ଉପହାର ଖୋଳ ଖୋଲିବାର କ୍ଷଣିକ ଆନନ୍ଦ କିମ୍ବା ଖ୍ରୀଷ୍ଟମାସ ଓ ଜନ୍ମଦିନ ମାନଙ୍କର ସଂକ୍ଷିପ୍ତ ଅବଧି ପାଇଁ ଉପୁଜୁଥିବା ହତାଶା ଯୋଗୁ ସ୍ମୃତି ର କୁହୁଡିରେ କୁଆଡେ ହଜି ଯାଇଥିବେ… ଫିକା, ମଳିନ ପଡି ଆସିଥିବେ କିନ୍ତୁ ମୋର ଦଶମ ଜନ୍ମଦିନଟିକୁ ଭୁଲିବା ସମ୍ଭବ ନୁହେଁ ।
ମୋ ମାଆ ମତେ ସେବର୍ଷ ବଡି ଭୋରୁ ଉଠେଇ ଯେଉଁ ରୁପେଲି ସୁନ୍ଦରିଆ ସାଇକେଲଟେ ଉପହାର ଦେଇଥିଲା ସେଥିପାଇଁ ଯେ ସେଇ ଜନ୍ମ ଦିନ ମୋର ସ୍ମୃତିରେ ଲିପିବଦ୍ଧ ଅଛି ସେକଥା ନୁହେଁ । ହଁ ମୋର ଏତିକି ମନେ ଅଛି ଯେ ଯେମିତି ମତେ ସେ ସାଇକେଲ ଟି ଦେଲା ମୁଁ ସଙ୍ଗେ ସଙ୍ଗେ ଘର ପିନ୍ଧା ଜାମାପଟାରେ ସାଇକେଲ ଧରି ବାହାରିପଡିଲି l ଘିରିଘିରି ହେଇ ହେଇ ଆମ ବ୍ଲକରେ ଖାଲି ଚକ୍କର ମାରିଲି । ଆମ ଗଳିରେ ସାଇକେଲ ଧରି ବୁଲିଲା ବେଳେ ବୋଧେ ଭାବୁଥାଏ ,ମୋ ସାଙ୍ଗ ସାଥୀ ମାନେ ସକାଳୁ ଊଠି ,ତାଙ୍କ ଝରକା ବାହାରୁ ମତେ ଦେଖନ୍ତେ କି ..। କିଏ କିଏ ଖୁସି ହୁଅନ୍ତେ , କିଏ କିଏ ତ ଇର୍ଷାରେ ଜଳି ଯାଅନ୍ତେ | କିନ୍ତୁ ସେ କଥା ଆସ୍ତେ ଆସ୍ତେ ସମୟ ବିତିବା ସାଙ୍ଗେ ମୋର ପାଶୋର ହେଇଗଲା ।କିଛି ସମୟ ପରେ ସାଇକେଲ ଚଳେଇ ଏକସାଙ୍ଗେ ଝାଳନାଳ ଓ ଉତଫୁଳ୍ଲ ହେଇ ମୁଁ ଫେରିଆସି ଘରେ ପହଁଚିଲି । ଟେବୁଲ ପାଖେ ବସି ସକାଳ ଜଳଖିଆ କୁ ଅପେକ୍ଷା କରିଥାଏ । ମାଆ ଆସି ମୋ ହାତରେ ଗୋଟେ ଜିନିଷ ଧରେଇ ଦେଲା । ସେଇଟା ସେ ବର୍ଷ ଜନ୍ମଦିନ ର ଦ୍ବି ତୀୟ ଉପହାର । ତାହା ମୁଁ କେବେ ବି ଭୁଲି ପାରିବି ନାହିଁ । ମୋର ସେ ସାଇକେଲ କୁଆଡେ ଗଲା କେଜାଣି , ସତରେ ମନେ ପଡୁନାହିଁ , ବୋଧେ କଳଙ୍କି ଫଳଙ୍କି ଖାଇ ଗ୍ୟାରେଜ ରେ ପଡିଥିବ କି କଣ । କି ମୁଁ ବଡ ହେଇଗଲା ପରେ ଫିଙ୍ଗା ହେଇ ଯାଇଥିବ କିଏ ଜଣେ। ହେଲେ ମୁଁ ବଡ ହେବା ପରେ ବି ମୋର ଦ୍ବିତୀୟ ଉପହାରକୁ କେବେ ମୋ ଠୁ ଅଲଗା ହେବାକୁ ଦେଇନାହିଁ । ତାହା ଏବେ ବି ମୋ ପାଖେ ସାଇତା ହେଇ ଅଛି | ମୁଁ ତାକୁ କେବେ ବି ଫିଙ୍ଗି ପାରିବି ନାଇଁ | ମୁଁ ଟେବୁଲ ପାଖରେ ବସିଥାଏ । ମାଆ ରୋଷେଇ ଘରୁ ଆଣି ସେଟା ମୋ ଆଗରେ ରଖିଲା ,ଯାହା କି ଗୋଟେ ସାଦା ଜନ୍ମ ଦିନ କାର୍ଡଟେ ପରି ଦିଶୁଥାଏ । କିଏ ସେ କାର୍ଡ ଦେଇଛି ସେକଥା ସେ ମତେ କହୁନଥାଏ ସିନା , ହେଲେ ମୁଁ ତା ମୁହଁ ରେ ବିବ୍ରତ ଭାବ ସ୍ପଷ୍ଟ ଦେଖିପାରୁଥାଏ |
‘କିଏ ଦେଇଛି ?’ ମୁଁ ପଚାରିଲି । ସେମିତିରେ ଜନ୍ମଦିନ କାର୍ଡ ରେ ମୋର କିଛି ଆଗ୍ରହ ନଥାଏ । ମା ମତେ କିଛି କହିଲାନି । ମୁଁ ଲଫାପା ଉଠେଇଲି । ଗୋଟେ ଅଚିହ୍ନା ହସ୍ତାକ୍ଷର ରେ ମୋ ପ୍ରଶ୍ନର ଉତ୍ତର ଲେଖା ହେଇଥାଏ ‘କାର୍ଲଶ ପାଇଁ , ବାପା ତରଫରୁ ଚିଠି ‘
ଲଫାପା ଭଲଭାବେ ଭାଙ୍ଗ ପଡିଥାଏ , ଟିକେ ଧୂଳିଆ ପଡ଼ିଆସିଥାଏ ଓ ତାର କୋଣ ଆଡୁ ଟିକେ ଚିରି ବି ଯାଇଥାଏ | ‘ବାପା’ ଶବ୍ଦ ସଙ୍ଗେ ସେଇ ଜାଣ ମୋର ପ୍ରଥମ ସ୍ପଷ୍ଟ ଅନୁଭବ । ମୁଁ ମୁହଁ ଉଠେଇ ମାଆ କୁ ଚାହିଁଲି । ତା ଆଖିରେ ଲୁହ । ଓ ମୁଁ ତା ମୁହଁର ଆବଭାବରୁ ବୁଝିଗଲି ଯେ ସେ ଚାହୁଁଛି ମୁଁ ଆଉ କିଛି ପ୍ରଶ୍ନ ନପଚାରେ । ବାସ ସେ ଖାଲି କହିଲା ‘ସେ ଚାହୁଁଥିଲେ ତତେ ଦଶ ବର୍ଷ ହେବା ଯାଏ ମୁଁ ସେ ଚିଠି ତୋ ପଢିବା ପାଇଁ ସାଇତି ରଖେ ‘| ମୁଁ କାର୍ଡ ଖୋଲିଲି ଓ ପଢିବାରେ ଲାଗିଲି ।
ମୋର ଅତି ଗେଲ୍ହା କାର୍ଲଶ,
ପ୍ରଥମେ ମୋ ତରଫରୁ ତୋତେ ଦଶମ ବର୍ଷ ଜନ୍ମଦିନର ଅନେକ ଅନେକ ଶୁଭେଚ୍ଛା । ଆଜି ଭଳି ଦିନରେ ମୁଁ ତୋ ପାଖେ ଥିଲେ ଆମେ କଣ କରିଥାନ୍ତେ ? ବୋଧେ ଆମେ ଦିହେଁ ସାଙ୍ଗ ହେଇ ସାରାଦିନ କୁଆଡେ ନା କୁଆଡେ ଘୋଡ଼ାରେ ବୁଲିବାକୁ ଯାଇଥାନ୍ତେ , ଯେମିତି ଥରେ ମୋ ବାପାଙ୍କ ସଙ୍ଗେ ମୁଁ ମୋ ଜନ୍ମ ଦିନରେ ଯାଇଥିଲି । ମତେ ସେତେବେଳେ କଣ ଦଶ ବର୍ଷ ହେଇଥିଲା ? କେଜାଣି ମୋର ଠିକ ସେ ମନେ ପଡୁନି । ଖାଲି ଏତିକି ମାନେ ଅଛି ଆମେ ଦିନସାରା ବୁଲିଥିଲୁ । ଗୋଟେ ପାହାଡ ଉପରେ ଯେଉଁଠି ଲମ୍ବା ଘାସ ମାନଙ୍କ ଭିତରେ ହେମାଳ ପବନ ଖେଳୁଥିଲା ସେଠି ପିକ୍ ନିକ କରିଥିଲୁ । ମୋର ଇଚ୍ଛା ଥିଲା ଅନନ୍ତ ସମୟ ଯାଏ ମୁଁ ସେ ପାହାଡକୁ ଦେଖିପାରି ଥାଆନ୍ତି କି । କିମ୍ବା ଆମେ ସାଙ୍ଗ ହେଇ ଗୋଟେ ଫୁଟବଲ ମ୍ୟାଚ ଦେଖିବାକୁ ଯିଆନ୍ତେ ଆଉ ଯେମିତି କିଛି ଗୋଲ ହୁଅନ୍ତାଆମେ ସାଙ୍ଗ ହେଇ ଚିଲ୍ଲାନ୍ତେ l
ପୁଣି ଭାବୁଛି ତତେ ଯଦି ଫୁଟବଲ କିମ୍ବା ଘୋଡା ପସନ୍ଦ ଆସିବେନି ତାହେଲେ ?ତୁ ମୋ ଭଳି ବି କାହିଁକି ହେବୁ ?, ହଁ ଯଦିଓ ମୋର ଛୋଟିଆ କିଛି ଗୋଟିଏ ତୋ ଭିତରେ ରହିଯାଇଛି ,ହେଲେ ବି ତୁ ଆଉ ଗୋଟେ ମଣିଷ ନା । ମୁଁ ଜାଣେ ଯେତେବେଳେ ତୋ ମା ଆଉ ମୁଁ ତୋ ପାଇଁ ‘ହ୍ଯାପି ବାର୍ଥ ଡେ’ ଗାଇବୁ ଓ ସେତେବେଳେ ତୁ ତୋ ଉପହାର ର ଜରି ଖୋଲିବୁ କିମ୍ବା ମହମବତୀ ଲିଭେଇବୁ ସେତେବେଳେ ତୋ ଆଖି ଉଜ୍ଜଳ ହେଇ ଉଠିବ ।
କିନ୍ତୁ ଏବେ ତତେ ଦେବା ପାଇଁ ମୋ ପାଖରେ ଏଇ ଚିଠି ଖଣ୍ଡିକ ଛଡା ଆଉ କିଛି ନାହିଁ । ଏଇ ଆଶାରେ ଯେ ତତେ ଏ ଚିଠି ନପଢିବାକୁ ପଡୁ । ଆଉ ଯଦି ଏ ଚିଠି ତୁ ପଢୁଚୁ ତାହେଲେ ମୁଁ ତୋ ପାଖେ ନାହିଁ। ମୁଁ ତୋ ପାଖେ କେବେ ବି ରହି ପାରିଲି ନାହିଁ । ନିହାତି ବେକାର , ଫାଲତୁ , ଅର୍ଥହୀନ କୌଣସି ଏକ ଯୁଦ୍ଧରେ ଦଶ ବର୍ଷ ତଳେ ଅନେକଙ୍କ ପରି ମୋର ଜୀବନ ଚାଲିଯାଇଛି । ଯୁଦ୍ଧ ରେ ଆଉ କଣଟା ଭଲ ହୁଏ କି ?
କାର୍ଲଶ ତୁ ଜାଣିରଖ ମୃତ୍ୟୁ ତ ସମସ୍ତଙ୍କୁ ଦିନେ ନା ଦିନେ କବଳିତ କରିବ । ଆଶ୍ଚର୍ଯ ଯେ , ସେଥିପାଇଁ ମୋ ଭିତରେ ଆଗପରି ଆଉ ଭୟ ନାହିଁ । ଲାଗୁଛି ବୋଧେ ଭଲପାଇବା ମୋ ଭୟ କୁ କବଳିତ କରିଦେଇଛି । ତୋ ପାଇଁ ମୋ ଭିତରଟା ଭଲପାଇବା ରେ ଭରିଯାଉଛି ରେ । ଆଉ ଗୋଟେ ଦୁଃଖ ବି ଚରିଯାଉଛି ମୋ ଭିତରେ ଯାହା ମୁଁ ଚାହେଁ ତୋତେ କେବେ ତାହା ଅନୁଭବ କରିବାକୁ ନପଡୁ । ତତେ ଜାଣିବା ପୂର୍ବରୁ ତତେ ହରେଇବାର ଦୁଃଖ । ଯଦି ଆଜି ଏ ଭୟଙ୍କର ଜାଗାରେ ମୋ ଜୀବନ ଚାଲିଯାଏ ତେବେ ଆମର କେବେ ବି ଭେଟ ହେଇପାରିବ ନାହିଁ , ବାପା ,ପୁଅ ହିସାବରେ ଆମେ କେବେ ପରସ୍ପର କୁ ଜାଣି ପାରିବା ନାହିଁ । ଆମେ କେବେ କଥା ବାର୍ତା ହେଇପାରିବା ନାହିଁ । ଗୋଟେ ବାପ ଠାରୁ ତା ପୁଅ ବିଚ୍ଛିନ୍ନ ହେଇଯିବା ଠାରୁ ଦାରୁଣ ଦୁଃଖ ଆଉ କଣ ଥାଇପାରେ ? କିନ୍ତୁ ଯଦି ଏମିତି ହେବାଟା ନିୟତି ତେବେ ଯେତେ ଜଲଦି ହେବ ସେତେ ଭଲ ,ତତେ ଜାଣି , ବଡ ହେବାର ଦେଖି ଓ ତାପରେ ତୋ ଠାରୁ ବିଚ୍ଛିନ୍ନ ହେବା ଅପେକ୍ଷା , ଏବେ ଠାରୁ ଅଲଗା ହେଇଯିବା ଭଲ, ନୁହେଁ କି ? ମୁଁ କଣ ମୋ ନିଜ ସଙ୍ଗେ ଗପୁଚି କି … ? କେଜାଣି! ମୁଁ ଭାବୁଛି ତୁ ଏବେଳକୁ ମୋ ଫଟୋ ଦେଖି ମୋ ବିଷୟରେ ଟିକେ ଟିକେ ଜାଣିସାରିଥିବୁ । ଆଉ ତୋ ମାଆ ବି ମୋ ବାବଦରେ କିଛି କିଛି କହିଥିବ ଯେ କେମିତି ମୁଁ ପାଟାଗୋନିଆ ରେ ଜନ୍ମ ହେଇଥିଲି , କେମିତି ଫାର୍ମ ରେ ଭୂଇଁରୁ ଉଠି ଛିଡା ହେବା ଆଗରୁ ବି ଘୋଡା ଚଢିବା ଶିଖିଯାଇଥିଲି .. । ଏକଥା ବି ବୋଧେ ସେ ତତେ କହି ସାରିଥିବ ଯେ କେମିତି ଥରେ ତୋ ମାର କାର ଚକା ରୁ ପବନ ବାହାରି ଖରାପ ହେଇଯାଇଥିଲା ଓ ସେ ରାସ୍ତାରେ ମୁଁ ଘୋଡା ଧରି ଫେରୁଥିଲି ଓ କେମିତି ତୋ ମା ର ଗାଡି ସଜାଡିବାକୁ ମୁଁ ଓଲ୍ହେଇପଡ଼ିଲି । ଫାର୍ମରେ ବଢିଥିବା ଲୋକ ତ ଗାଡି ସଜାଡ଼ିବା ଜାଣିବା ଜରୁରୀ , ହେଲେ ସେଦିନ ଗାଡି ସଜାଡ଼ିବା ଟା ଦରକାର ଠାରୁ ମତେ ଅଧିକ ସମୟ ଲାଗିଥିଲା – ଭାବୁଛି ତୁ ମୋ କଥା ବୁଝିପାରୁଥିବୁ … । ମୋ ସଜଡାସାରିବା ବେଳକୁ ମୁଁ ଜାଣିସାରିଥିଲି କି ମୁଁ ପ୍ରେମ ରେ ପଡିଯାଇଛି ଓ ଏଇ ସିଏ ଯାହା ସଙ୍ଗେ ମୁଁ ମୋ ପୁରା ଜୀବନ ବିତେଇବାକୁ ଚାହୁଁଛି । ତାପରେ ମୁଁ ଜାଣିବାକୁ ପାଇଲି ଯେ ଘରକୁ ଗଲା ପରେ ତୋ ମାଆ ତା ଭଉଣୀ କୁ କୁଆଡେ କହିଲା ଯେ ରାସ୍ତା ରେ ସେ ଗୋଟେ ସୁଦର୍ଶନ ଯୁବକ ସଙ୍ଗେ ଭେଟ ହେଲା ଯାହାର ଆଖି ଯୋଡିକ ଭାରି ସୁନ୍ଦର , ଯିଏ ବହୁତ ବେଶୀ କଥା କୁହେ ଅଥଚ ଚକା ବଦଳେଇବା ବ୍ୟାପାରରେ ବଡ ଦୁର୍ବଳ । ସେ ଯାହା ବି ହେଉ ତାର ଛ ମାସ ପରେ ଆମ ଦୁଇ ପରିବାରଙ୍କ ଅସମ୍ମତି ସତ୍ତ୍ବେ ଆମେ ପରସ୍ପର କୁ ବିବାହ କଲୁ । ଜୀବନ ଯେ ଏତେ ସୁନ୍ଦର , ଚମତ୍କାର ହେଇପାରେ କେଇ ଦିନ ପରେ ବୁଝିବାକୁ ଆଉ ବାକି ରହିଲାନି । ତାପରେ ମିଳିଟାରୀରେ ବାଧ୍ୟତାମୂଳକ ଭର୍ତି ହେବା ପାଇଁ ଆଦେଶନାମା ଆସି ପହଞ୍ଚିଲା ଯେଉଁଥିରେ ବିଚ୍ଛେଦ ଓ ଲମ୍ବା ସପ୍ତାହ ମିଲିଟାରୀ ଟ୍ରେନିଂ ନେବାର ଆଦେଶ ଥିଲା । ସେଥିରେ ମୋ ପାଇଁ ବିଚଳିତ ହେବାର କିଛି କଥା ନଥିଲା । କାରଣ ଆମେ ସମସ୍ତେ ଜାଣିଥିଲୁ ଯେ ଦିନେ ନା ଦିନେ ଏମିତି ନିର୍ଦ୍ଧେଶ ଆସିବ ଓ ଏ ସବୁର ଅନ୍ତ ବହୁତ ଶୀଘ୍ର ଘଟିବ । ତା ଛଡା ଆହୁରି ଅନେକ କଥା ମୋ ମୁଣ୍ଡରେ ସେତେବେଳେ ଚାଲୁଥିଲା , ଏଇ ଯେମିତି ତୋ ଜନ୍ମ ହେବ କଥା । ସେତେବେଳେ ଚାରିଆଡେ ଖାଲି ଯୁଦ୍ଧ ବିଷୟରେ ହିଁ ସମସ୍ତେ କଥାବାର୍ତା ହେଉଥିଲେ କେମିତି କଣ ଅଜାଣତରେ ଯୁଦ୍ଧ ଭିତରକୁ ଆମେ ଚାଲିଗଲୁ … ବୋଧେ ଏମିତି ହିଁ ହୁଏ । ତୁ ଜନ୍ମ ହେବାପରେ ଥରୁଟିଏ ପାଇଁ ମୁଁ ତତେ ଦେଖିବାକୁ ଯାଇଥିଲି । କେଇ ସପ୍ତାହ ପରେ ଏବେ ମୁଁ ମାଲଭିନାଶ ରେ , ଷ୍ଟାନଲି ସହର ଉପରେ ଘାଟିରେ ବସିଛି , ରାତି ଘନେଇ ଆସିଲାଣି ଓ ମୁଁ ଯୁଦ୍ଧ ର ଅପେକ୍ଷା କରୁଛି ।
ଏବେ ଯେତେବେଳେ ମୁଁ ଏ ସବୁ ଲେଖୁଛି , ବାହାରେ ଏତେ ଥଣ୍ଡା ପଡିଛି ଯେ ମୁଁ ଜାଣି ପାରୁନାହିଁ କି ମୋ ଗୋଡ ଦିଟା ଅଛି କି ନାହିଁ । ଏମିତି କି ଲେଖିବା ପାଇଁ ପେନସିଲକୁ ଧରିବା ବି ଭାରି କଷ୍ଟକର ହେଉଛି । ବ୍ରିଟିଶ ମାନେ ମାଡି ଆସୁଛନ୍ତି । ସେମାନେ ଜାଣନ୍ତି ଆମେ କୋଊଠି ଅଛୁ । ସାରାଦିନ ସେମାନେ ଆମ ଉପରେ ବୋମା ମାଡ଼ କରିଛନ୍ତି। ଆମେ ତାଙ୍କୁ ଦେଖି ପାରୁନୁ ସିନା କିନ୍ତୁ ସେମାନେ ଜାଣନ୍ତି ଯେ ଆମେ କୌଠି ଲୁଚିଛୁ । ଆମକୁ ଲାଗୁଛି ଯେ ସେମାନେ ଆଜି ରାତିରେ ଆମ ଉପରେ ଆକ୍ରମଣ କରିବେ । ଯଦିଓ ଆମେ କେହି କାହାକୁ କହନାହୁଁ କିନ୍ତୁ ଆମେ ସମସ୍ତେ ଭିତରୁ ଭଲଭାବେ ଜାଣିଛୁ ଯେ ଏଇ ଯୁଦ୍ଧ ଆମର ଶେଷ ଯୁଦ୍ଧ ହେବ । ଯୁଦ୍ଧ ହେଲେ ହିଁ ଲୋକେ ମରନ୍ତି । ମୁଁ ଏସବୁ କଥା ଭାବିବାକୁ ଚାହେଁ ନାହିଁ, କିନ୍ତୁ ନଭାବିବା ଛଡା କିଛି ବାଟ ବି ନାହିଁ। ଅଫିସର ମାନେ କହିଲେ ଯେ ଆମେ ଯଦି ଲାଗି ରହିବୁ ତାହେଲେ ଆମେ ନିଶ୍ଚୟ ଜିତିବୁ । ଯାହା ଦରକାରୀ ଜିନିଷ ଦରକାର ତାହା ପହଞ୍ଚାଯିବ । କିନ୍ତୁ ଆମ ସଙ୍ଗେ କଣ ହେବ ଆମେ ଭଲକି ଜାଣିଛୁ । ସେମାନେ ସେମିତି କହିବେ … ନୁହେଁ କି ?
ମୁଁ ଏବେ ତତେ ମୋ ମନ ଭିତରେ ଦେଖିପାରୁଛି , ତୁ ସେମିତି ଦିଶୁଚୁ ଯେମିତି ମୁଁ ଘର ଛାଡିବା ଦିନ ତିନିମାସ ତଳେ ଦେଖିଥିଲି । ମୁଁ ତତେ ଶେଷଥର ଦେଖିବା ଦିନ ତୋ ମା ର କୋଳ ରେ ତୁ କୁଲୁରୁ କୁଲୁରୁ ହେଉଥିଲୁ। ତୁ ବଡ ହେଲେ କେମିତି ଦିଶିବୁ ମୁଁ ସେଦିନ ମନ ରେ କଳ୍ପନା କରୁଥିଲି , ସେଦିନ ବି ପାରିନଥିଲି ଆଜି ବି ନୁହେଁ। ଏବେ ବି ତୁ ଯଦି ଏତେଦିନ ପରେ ପଢୁଥିଲେ ବି ମୋ ମନ ରେ ସେଇ ଛବି ରହିଯାଇଛି , ହାତ ମୁଠା କରୁଥିବା , କୁଁ କୁଁ ହେଉଥିବା , ପାକୁଆ ପାଟି ବାଲା ନିଦ୍ରାରତ , ଷଠି ସ୍ଵପ୍ନଉଥିବା କୁନି ପୁଅ ମୋର । ତାପରେ ବଡ ହେବୁ , ବଡ ହେଇ ଚାଲିବୁ ..। ଏବେ ତୁ ଏ ଚିଠି ପଢିବା ବେଳକୁ ବଡ ହେଇଯିବୁଣି । ମୁଁ ଏବେ ତତେ କହିବି ମୁଁ କେମିତି ଲଢୁ ଲଢୁ ଏମିତି ଦାରୁଣ ପରିସ୍ଥିତି ରେ ଆସି ପହଁଚିଲି । କେମିତି ଗୃହହୀନ ହେଇ , ଏତେ ଦୂରରେ ଯୁଦ୍ଧ ଲଢୁ ଲଢୁ ମରିଲି। ମୋ ଏ ଲେଖା ଦେଇ କେତେ ବା ତୁ ମତେ ବୁଝିପାରିବୁ ରେ ମୋ କୁନିପୁଅ ! ଏଟା ବି ସତ କଥା ଯେ ଏମିଟି ଲେଖିଲା ମତେ ଟିକେ ଉଶ୍ଵାସ ଦେଉଛି – ତୋ କଥା ଭାବିବା ବେଳେ ମତେ ଯୁଦ୍ଧର ଭୟାବହତା ଆଉ ଗ୍ରାସ କରୁନାହିଁ । ମୁଁ ତୋ ମାଆ କୁ ବି ଆଉ ଗୋଟେ ଚିଠି ଲେଖି ସାରିଛି ଯାହାକୁ ସେ ଆଜିଠାରୁ ଦଶ ବର୍ଷ ପରେ ପଢିବାକୁ ମୁଁ ଲେଖିଛି । ଏ ଚିଠି ଖାସ ତୋ ପାଇଁ । ଏ ଚିଠି ହିଁ ଆମ ପ୍ରଥମ ସମ୍ଭାଷଣ ର …. ଓ ଏ ଚିଠି ହିଁ କଣ ଆମ ଶେଷ ବିଦାୟର ?
ଆମର ଅନ୍ତ ଏମିତି ହେବ ବୋଲି ଆମେ କେବେ ଭାବିନଥିଲୁ । ଆମର ବାକି ସୈନିକଙ୍କ ପରି ମୁଁ ବି ସେଇସବୁ କଥାରେ ବିଶ୍ବାସ କରୁଥିଲି ଯାହା ଆମକୁ କୁହ ଯାଇଥିଲା , ଯାହା ଆମେ ଟେଲିଭିଜନରେ ଦେଖୁଥିଲୁ , ଖବରକାଗଜ ରେ ପଢୁଥିଲୁ। ମାଲଭିନାଶ ଆମର , ଆମ ଆର୍ଜେଣ୍ଟିନାର , ଆଉ ସେଇଟା ହିଁ ସତ । ସେମାନେ କହିଲେ ଯେ ସେମାନେ ଆମଠୁ ଛଡ଼େଇନେଇଛନ୍ତି , ଆମଠୁ ବେଆଇନ ଭାବେ ଦଖଲ କରିନେଇଛନ୍ତି । ଆମ ସମ୍ମାନ ଫେରିପାଇବାକୁ ହେଲେ ,ଆର୍ଜେଣ୍ଟିନା ର ସମ୍ମାନ ଫେରିପାଇବାକୁ ହେଲେ ଆମକୁ ମାଲଭିନାଶକୁ ଫେରେଇଆଣିବା ଦରକାର । ଷ୍ଟାନଲି ରେ ଆମ ପତାକା ଉଡିବା ଦରକାର । ସେମାନେ ଆମକୁ କହିଲେ ଯେ ଏହା ସେମିଟି କଠିନ କାମ ବି ନୁହେଁ । ଆମେ ଯଦି ପୁରା ସଶକ୍ତ ହେଇ ଆକ୍ରମଣ କରିବା , ବ୍ରିଟିଶ କେଇଘଣ୍ଟା ରେ ସେ ଜାଗା ଛାଡି ପଳେଇବାକୁ ବାଟ ପାଇବେ ନାହିଁ । ଖାଲି ଯାହା ଅଳ୍ପ କେଇ ରାଉଣ୍ଡ ଗୁଳି ବିନିମୟ କରିବାକୁ ପଡିବ । ଆଉ ତାପରେ ମାଲଭିନାଶ ଆମର ହେଇଯିବ । ତାପରେ ଆମେ ଆର୍ଜେଣ୍ଟିନାବାସୀ ମାନେ ଆନନ୍ଦ ରେ ଘର କୁ ଫେରିଯିବୁ । ମୁଁ ଖୁବ ଉତ୍ସାହିତ ଥିଲି – ଆମେ ସମସ୍ତେ ଉତ୍ସାହିତ ଥିଲୁ, ଓ ଗୌରବାନ୍ଵିତ ଥିଲୁ ଯେ ଆମେ ସବୁ ଏ କାମ ପାଇଁ ବଛା ହେଇଛୁ ବୋଲି । ଆଉ ଖୁବ ସହଜ ରେ ଆମେ ଏସବୁ କରିପାରିବୁ ।
ସବୁ ଭଲରେ ଭଲରେ ଆରମ୍ଭ ହେଲା । ଆମେ ଉଡାଜାହାଜ ରେ ଉପକୂଳରେ ଓଲ୍ହେଇଲୁ ।ଗୋଟିଏ ବି ଗୁଳି କେହି ଆମ ଆଡେ ଚଲେଇଲା ନାଇଁ । ଆମେ ଯେତେବେଳେ ଷ୍ଟାନଲି ସହର ଆଡେ ଆଗେଇଲୁ ସେତେବେଳେ ,ଆମ ଜାତୀୟ ପତାକା ବେଶ ସୁଉଚ ରେ ଉଡୁଥିବାର ଦେଖିବାକୁ ପାଇଲୁ । ବ୍ରିଟିଶ ସେନା ଙ୍କ ନେଳି ଟୋପି ଖଣ୍ଡେ ଖଣ୍ଡେ ରାସ୍ତା କଡରେ ପରାଜିତ , ଅରକ୍ଷିତ ହେଇ ରାସ୍ତା କଡ଼ରେ ପଡିଥାଏ । ଲାଗିଲା ସତେକି ଯୁଦ୍ଧ ଆରମ୍ଭ ହେବା ଆଗରୁ ହିଁ ସରିଯାଇଛି । ସୁଦୁ ଆମେ ମନରେ ମନରେ ଏସବୁ ଭାବୁଥିଲୁ । ଲାଗୁଥିଲା ସତେ ଯେମିତି ଆମେ ଜିତି ଯାଇଛୁ । ମାଲଭିନାଶ ଏବେ ଆମର । ଆମେ ଭାବୁଥାଉ ଆମେ ଯେତେବେଳେ ଦେଶକୁ ଫେରିବୁ , ଲୋକେ କେମିତି ଆମର ସ୍ଵାଗତ କରିବେ । କି ପ୍ରକାର ହିରୋ ଭାବେ ଆମ କୁ ଉଚ୍ଛାସିତ ସମ୍ବର୍ଦ୍ଧନା ଦିଆଯିବ । ପ୍ରଚୁର ଗୀତ , ନାଚ ,ଧୁମ ପିଆ ପିଇ ରେ ଆମର ପ୍ରଥମ ରାତି କଟିଲା । ସେତେବେଳେ କୋଊ ଜାଡ କି ହେମାଳ ଅନୁଭବ କରିବା ଅବସ୍ଥା ରେ ଆମେ ନଥିଲୁ । ମାଲଭିନାଶ ରେ ସେଇ ପହିଲା ଦିନାକାତେ ବିଜୟର ସୁଆଦରେ ଆମେ ମସଗୁଲ ଥିଲୁ । ଲାଗୁଥିଲା ସତେକି ସ୍ଵର୍ଗ ଆମ ହାତ ପାହାନ୍ତା ରେ ଆସିଯାଇଛି । ଆମର ସ୍ଵର୍ଗ , ଆମ ଆର୍ଜେଣ୍ଟିନା ର ସ୍ଵର୍ଗ ।
ଏବେ , ଏଇ ଦୁଇ ତିନିମାସ ଭିତରେ ଏଠି ବସି ମୁଁ ଜାଣିଗଲିଣି ଯେ ଆମେ ଯୁଦ୍ଧ ହାରିଯାଇଛୁ । ଆମକୁ ନେବାକୁ କୌଣସି ଜାହାଜ ଆସିଲେନାହିଁ । ଆମ ପାଇଁ କିଛି ଯୋଗାଣ ସାମଗ୍ରୀ ପହଞ୍ଚିଲା ନାହିଁ । ତା ବଦଳ ରେ ଆସିଲେ ତ କିଏ ଆସିଲେ – ବ୍ରିଟିଶ ସେନା , ତାଙ୍କ ଜାହାଜ , ଉଡାଜାହଜ , । ଆମେ ଯାହା କରିପାରିବା କଥା କଲୁ । କାର୍ଲଶ କିନ୍ତୁ ଆମକୁ ଜାଣ ଭକୁଆ ବନେଇ ଦିଆ ଗଲା , ଖାଦ୍ୟହୀନ, ଅସ୍ତ୍ରଶସ୍ତ୍ରହୀନ ,ଦିଶାହିନ ହେଇ ଆମେ ସୁଚିନ୍ତିତ ସୈନ୍ୟଙ୍କ ମୁକାବିଲା କଲୁ । କିନ୍ତୁ ଜୌ ମୂହୁର୍ତ୍ତରେ ସେମାନେ ଆମ ନୌସେନାର ଗର୍ବ ‘ବେଲାଗ୍ରୋ’ ଜଳଜାହାଜ କୁ ଧ୍ବଂସ କରିଦେଲେ ସେତେବେଳେ ଆଉ ଆମ ଅବସ୍ଥା କଣ ହେବ ବୁଝିବାକୁ ବାକି ରହିଲାନି । ସେଥିରେ ମୋର ଗୋଟେ ସମ୍ପର୍କୀୟ ଭାଇ ଥିଲା , ସେ ଚାଲିଗଲା । ସେଥିରେ ମୁଁ ଦେଖିଲି , କେତେ ଲୋକ – ଭଲଲୋକ ,ସ୍ତ୍ରୀ ପିଲା ପରିବାର ଥିବା ଲୋକ , ସବୁ ଚାଲିଗଲେ । ତା ପର ସପ୍ତାହର ସେଇ ଦାରୁଣ ଦିନ ମାନଙ୍କରେ ମୋର ଯାହା ବହୁ ଆଗରୁ ବୁଝିଯିବା କଥା ମୁଁ ବୁଝିପାରିଲି ଯେ ଯୁଦ୍ଧ ହେଲେ ଜଣେ ସତରେ ଆଉ ଜଣଙ୍କର ଜୀବନ ନେଇଯାଏ । ମୁଁ ଯେଉଁମାନଙ୍କୁ ମାରିଛି ନା ମୁଁ ସେମାନଙ୍କୁ କେବେ ଘୃଣା କରେ , ନା ଯେଉଁ ମାନେ ମତେ ଜୀବନରୁ ମାରିଦେବାର ଚେଷ୍ଟା କରିଛନ୍ତି , ସେମାନେ ମତେ କେବେ ଘୃଣା କରନ୍ତି । ଆମେ ଜାଣ ମୃତ୍ୟୁ ଆଗରେ କଣ୍ଢେଇ ଭଳି ନାଚିଚାଲୁ , ଉପରେ ବସି ବଡ ଲୋକେ ତାର ଟାଣି ଆମକୁ ନଚାନ୍ତି , ଓ ମୃତ୍ୟୁର ତାଣ୍ଡବ ଟେଲିଭିଜନ ରେ ଦେଖନ୍ତି । କିନ୍ତୁ ସେମାନେ ବୁଝିପାରନ୍ତି ନାଇଁ ଯେ ନାଚୁଥିବା କଣ୍ଢେଇ ମାନେ କାଠ କଣ୍ଢେଇ ନୁହନ୍ତି , ତାଙ୍କର ବି ରକ୍ତ ମାଂସ ଅଛି , ଜୀବନ ଅଛି । କାର୍ଲଶ ଜାଣିରଖ ଯୁଦ୍ଧ ର ଏକମାତ୍ର ଫଳ ; ଯନ୍ତ୍ରଣା ।
ଯେତେବେଳେ ମୁଁ ଶୁଣିଲି ଯେ ବ୍ରିଟିଶ ମାନେ ସାନକରଲୋଶ ପାଖେ ପହଞ୍ଚିଗଲେଣି , ମୋର ତୋକଥା ଭାରି ମନେ ପଡିଲା । ମୁଁ ଷ୍ଟାନଲି ର ଚର୍ଚ ରେ ଯାଇ ତତେ ଥରୁଟିଏ ଦେଖି ପାରନ୍ତିକି ବୋଲି ଗୁହାରି ହେଲି । ସେଠି ଜଳେଇବା ପାଇଁ ମହମବତୀ ନଥିଲା । ତେଣୁ ମୁଁ ବାହାରକୁ ଯାଇ ଗୋଟେ ଦୋକାନରୁ କିଛି ମହମବତୀ ଆଣିଲି । ତାକୁ ଜଳେଇଲି ଓ ତୋ ପାଇଁ , ତୋ ମା ପାଇଁ ଓ ମୋ ପାଇଁ ପ୍ରାର୍ଥନା କଲି । ସେତେବେଳେ ମୁଣ୍ଡରେ ଗୋଟେ କନା ଗୁଡ଼େଇ ଆଉ ଗୋଟେ ସ୍ତ୍ରୀଲୋକ ବି ପ୍ରାର୍ଥନା କରୁଥିଲା । ମୁଁ ତାକୁ ଆସୁ ଆସୁ ଦେଖିଥିଲି । ଯେତେବେଳେ ତ ଆଖି ରେ ମୋ ଆଖି ମିଶିଗଲା , ସେ ହସି ଦେଲା , ଯଦିଓ ମୋର ଇଂରାଜୀ ଏତେ ଭଲ ନୁହେଁ , ତଥାପି ସେ ଯାହା ମତେ କହିଲା ତା ଏବେବି ମୋ କାନରେ ଅନୁରଣିତ ହେଉଛି ,’ଏଇଟା ଠିକ ହେଲାନାଇଁ ..ଏସବୁ ଭୁଲ .. ଭୁଲ ..’
‘ଆପଣ ଠିକ କହୁଛନ୍ତି ‘ ମୁଁ ତାଙ୍କୁ କହି ବାହାରି ଆସିଲି । ସେଇଟା ଏଇ ଅଳ୍ପ ଦିନ ତଳର କଥା । ତା ପରଠୁ ଆମେ ଷ୍ଟାନଳୀ ସହର ଉପର ଏଇ ବରଫ ପାହାଡ ତିଖରେ, ବଙ୍କର ଭିତରେ ଫସି ରହିଛୁ । ବ୍ରିଟିଶ ମାନଙ୍କ ଅପେକ୍ଷା କରିଛୁ ଯେଉଁ ମାନେ ଦିନକୁ ଦିନ ଆମ ଆଡକୁ ପାଖେଇ ପାଖେଇ ଆସୁଛନ୍ତି । ତା ଉପରେ ପୁଣି ଆତ୍ମା କୁ ଚିରିପକେଇଲା, ହାଡର ମଞ୍ଜ ଥରେଇ ଦେବା ପରି ହେମାଳ ପବନ , ଯେଉଁଥିରୁ ଆମର ନିସ୍ତାର ନାହିଁ,ସବୁଦିନ ଆମର ଶକ୍ତି, ସାମର୍ଥ୍ୟ ଟିକେ ଟିକେ କରି ଦୁର୍ବଳ କରିଚାଲିଛି । ଆମେ ଯେତିକି ସାହସ ଅଛି ସେତିକିରେ ମୁକାବିଲା କରିବୁ , କିନ୍ତୁ ଜାଣୁ ଯେ ସାହସ ସବୁକିଛି ନୁହେଁ ।
ମୁଁ ଏବେ ରହୁଛି । ଏବେ ଏଇ ଲଫାଫା କୁ ଚାରିଚଉତ କରି ଭାଙ୍ଗି ଦେବା ବେଳ ଆସିଲାଣି , ତେଣିକି ଯାହା ସାମନା କରିବାକୁ ପଡିବ କରିବା । ତୁ ବଡ ହେବା ସହ ଜାଣିପାରିବୁ ଯେ ଯଦିଓ ତୋର ବାପା ନଥିଲା , ହେଲେ ତୋ ପ୍ରତି ତୋର ବାପାର ଭଲପାଇବା ସାରାଜୀବନ କେବେ ଊଣା ନଥିଲା ।
ଶୁଭ ବିଦାୟ , ମୋ ଧନ କାର୍ଲଶ
ଭଗବାନ ତୋତେ ସହାୟ ହୁଅନ୍ତୁ ।
ପାପା