ମୂଳ ଲେଖା: କମଳକୁମାର ମଜୁମଦାର || ଅନୁବାଦ: ଜ୍ୟୋତି ନନ୍ଦ
ଦୁଇ
ମତିଲାଲ ପାଦରୀଙ୍କ ଠିକ୍ ପାଖରେ ଆଉ ବଖରାଏ କୋଠା ଥିଲା। ସେଇଟି ଆପାତତଃ ନବଜାତ ଶିଶୁ ଆଉ ତାହାର ମାଆ ର ରହିବା ନିମନ୍ତେ ନିର୍ଦ୍ଦିଷ୍ଟ କରାଯାଇଛି। ସେମାନେ ସେଇଠି ରହନ୍ତି ।
ଦ୍ୱିପ୍ରହର ହେବ ହେବ ,ଏପରି ସମୟରେ ବଦନ ହିଞ୍ଜଡା ଆସି ଛିଡାହେଲା । ପାଦରୀ ଇଜି ଚେୟାରରେ ବସିଥିଲେ,ହାତରେ ଥିବା ବାଇବେଲ୍ ଉପରୁ ଆଖି ଟେକି ସେ କହିଲେ “କ’ଣ ରେ ,କୁଆଡେ ଯାଇଥିଲୁ ?”
“ବାବା ଗୋ ଯାଇଥିଲି ସତ ଦିଦିର ଘରକୁ ଯାଇଥିଲି ,ଖାଇଲି କେତେ ଛାଡିଲି କେତେ ,ଏଇ କରିବା ଖବର ହୁଏ ,ତମର ଘରକୁ କୁଆଡେ ସ୍ୱର୍ଗରୁ ବାବୁ ଆସିଛି ପରା,ମନକୁ କହିଲି କେମିତି ସେ ବାବୁ ହଜୁର ଗୋ ,ଦେଖିବୁ ଯଦି ତାହାଲେ ସାଥିରେ ମୋର ଚାଲ୍ ।”
ମତିଲାଲ ପାଦରୀର ମନଟି ତାହାର କଥାରେ ପୂରା ଭିଜିଗଲା।ତାହାଠାରୁ ଆଉ କିଛି ଶୁଣିବା ପାଇଁ ସେ ଅବାକ ହୋଇ ଚାହିଁରହିଥିଲେ,ବଦନ ହସୁଥାଏ ଆଉ ତାହାର ଦେହସାରା ଦୋଳନ ସେତେବେଳେ ।
“ଭାବିଲି ଦୂତବାବୁର ସାମ୍ନାରେ ଗୀତ ଗାଏ,ଯଦି ଆଗିଲା ଜନ୍ମରେ ମଣିଷ ହୁଏ ,ପିଲାଛୁଆର ବାପ ହୁଏ,ଏଇ ଜନମତ ହଜା ମଜା କରି ବିତିଲା ” କହି ସେ ଲୁଗାକାନିରେ ଆଖିର କୋଣକୁ ଟିକିଏ ପୋଛିନେଲା।
ମତିଲାଲ ପାଦରୀ ଜନ୍ମାନ୍ତର ସଂପର୍କରେ ଛୋଟ କରି କିଛି ବୁଝାଇଦେବାକୁ ମନେ ମନେ ଚାହିଁଲେ ବି ମୁହଁ ଖୋଲି କିଛି କହିନଥିଲେ,ଯେହେତୁ ସେ ଜାଣନ୍ତି ଯେ ଏହାର ଫଳ ବେଶି କିଛି ହେବନାହିଁ ,ଏହାଛଡା ବଦନର କାତର ଉକ୍ତି ରେ ତାଙ୍କୁ ବଡ କଷ୍ଟ ହୋଇଥିଲା। ତଥାପି କହିଥିଲେ,”ଟିକିଏ ଛିଡା ହ” ତାହା ପରେ ଉଠି ଯାଇ ଭାମରକୁ ଅନୁରୋଧ କରିଥିଲେ।
ଭାମର ଦର୍ଶନ ଦେଇ ଦେଇ ଏ ବିଷୟରେ ପଟୁ ହୋଇ ଯାଇଛି।ସେ ଶିଶୁପୁତ୍ରକୁ କୋଳରେ ଧରି ଆସି ବାରନ୍ଦାରେ ଥିବା ତକ୍ତପୋଷ ଉପରେ ବସିଲା। ତାହାର ବସିବାର ଠାଣିରେ ଦେବୀଭାବ ଥିଲା। ବଦନ ଅବାକ ହୋଇ ଶିଶୁଟିକୁ ଦେଖି ,ଅଙ୍ଗଭଙ୍ଗୀ କରି କହିଲା,” ବାବା ଗୋ ,ମୁଁ ଆପଖୋରାକୀ ଲୋକ,କାହାକୁ ମାନ୍ୟ କରି କଥା କହିପାରିବ ,ସତ୍ୟ ବାବା ଗୋ ସ୍ୱର୍ଗ ଦେଖି ନାହିଁ ମାତ୍ରକ ମହିମା ବୁଝିଲି ଗୋ ..”
ବଦନର କଥାରେ ମତିଲାଲ କେଉଁ ଅତଳରେ ଯେମିତି ବୁଡିଯାଇଥିଲେ । ବଦନ ଏଇ ସୁଯୋଗରେ ଭାମର ଆଡକୁ ଚାହିଁଲା ,ଭାମରର ଗତରର ଆଉ ଚେହେରା ର ଚମକ ତା’କୁ ଖରାପ କରିଦେଲା ,କୌଣସି ମତେ ସେ ସେଇଠୁ ନିଜକୁ ଛିଣ୍ଡାଇ ନେଇ ଆସି ବାହାରେ ଛିଡା ହୋଇ ହାତତାଳି ଦେଇ ଗାଇବାରେ ଲାଗିଲା :
“କାହାର ଭାବନା ଗୋ କାହାର ଭାବନା
ସ୍ୱର୍ଗ ଏଇଲେ ଠାଆ ନେଇଛି ଘରେ
ମୋହର ଆଉ କାହାର ଭାବନା “
ଏଇ ଝୁମର ଗୀତ ସହିତ ଘୁରି ଘୁରି ତାଳ ଦେଇ ସେ ନାଚିବାକୁ ଲାଗିଲା। ଖରାପ କଥା ଗୋଟିଏ ଦୁଇଟି ସ୍ୱଭାବବଶତଃ ମୁହଁକୁ ଆସିଲେ ବି ସେ କିଛି କହିପାରୁନଥିଲା। ଥରେ ଥରେ ପାଦରୀଙ୍କ ଆଡକୁ ଦୃଷ୍ଟି ପକାଇ ଏବଂ ପରକ୍ଷଣରେ ଗୀତଟିକୁ ଭାବମୟ କରିବା ର ଚେଷ୍ଟା କରି ସେ ନାଚୁଥିଲା ଆଉ ଗାଉଥିଲା ଆଉ ଗାଉଥିଲା।
ଅନ୍ୟପକ୍ଷରେ ଭାମର ବଦନ ହିଞ୍ଜଡାକୁ ଦେଖି ବେଶ୍ କୌତୁକ ବୋଧ କରିଲେ ହେଁ ସେ କୌଣସି ଆଗ୍ରହ ପ୍ରକାଶ କରିପାରୁନଥିଲା,କେବଳ ମାତ୍ର ତାହାର ଆଡକୁ ହାଁ କରି ଥିଲା।
ବଦନ ଶିଶୁକୁ କହିଲା,”ମୋତେ ଏତେ କରି ଦେଖୁଛ ଯେ,ମୋତେ କ’ଣ ଚିହ୍ନ ? ଏତେ ବେଶି ହସ ଯେ,କି ଗୋ ଦୂତବାବୁ -ଜନ୍ମ ଜନ୍ମ ଧରି ତମକୁ ଗୀତ ଶୁଣାଇ ଆସିଛି ଗୋ ଦୂତବାବୁ !” ,ଏତିକି କହି ସେ ଥରେ ପାଦରୀଙ୍କ ଆଡକୁ ଚାହିଁ ନେଇ ନିଜର ସ୍ୱଭାବବଶତଃ ଭାମରକୁ ଆଖି ମାରିଲା।
ଭାମର ଏଇ ସବୁ କଥା କିଛି ସତରେ ପ୍ରଥମରୁ ବୁଝି ପାରୁ ନଥିଲା। ସେତେବେଳେ ବି ସେ ଶିଶୁ ଭଳି ଅବାକ ହୋଇ ଚାହିଁ ରହିଥିଲା। ବଦନ ନାଚୁଥାଏ ଆଉ ଘେରାଟିଏ ବୁଲି ପଡି କୁତ୍ସିତ ଇଂଗିତ କରି ଆଖି ମାରୁଥାଏ । ଭାମର ଏଥିରେ ରୋମାଞ୍ଚିତ ହେଉଥିଲା ଏବଂ ପରକ୍ଷଣରେ ଭୀତତ୍ରସ୍ତ ହୋଇ ମଥା ତଳକୁ କରି ତୀର୍ଯ୍ୟକ ଚାହାଁଣୀରେ ପାଦରୀଙ୍କୁ ଅନାଉଥିଲା। ଶାନ୍ତମୂର୍ତ୍ତି।ସେତେବେଳେ ତାହାର କେମିତି ଅଶ୍ୱସ୍ତିବୋଧ ହେଉଥିଲା। ଶିଶୁର ମଥା ଉପରର ତାଳୁଟି ଯେଉଁଠି ଦପଦପ କରି ଉପରତଳ ହେଉଥାଏ ସେଇ ଆଡକୁ ଚାହିଁ ରହିଥିଲା ସେ। ହିଞ୍ଜଡା ଏଇଲେ ନାଚୁଛି ,ତାହାର ଛାଇ ଘୁରି ଘୁରି ଯାଉଛି ତକ୍ତପୋଷର ଉପରେ । ସେ ଭୟରେ ମୁହଁ ଖୋଲି ପାରୁନି । ଏଇଠୁ ଉଠି ଯିବାର ଆଉ କୌଣସି ସୁଯୋଗ ନ ପାଇ ଭାମର ପିଲାଟିର ପିଚାକୁ ଟିକିଏ ଚିମୁଟି ଦେଲା। ସାଙ୍ଗେ ସାଙ୍ଗେ କ୍ରନ୍ଦନ।
ପାଦରୀ ଠିଆ ହୋଇ ତାହାର ପାଖକୁ ଯାଇ କହିଲେ,”ଆହାରେ କାନ୍ଦୁଛି କାହିଁକି ,ଥନ ଦେ ।” ତାହାପରେ ବଦନକୁ କହିଲେ ,”ଆରେ ବାବା ବଦନଚାନ୍ଦ ,ତୁ ଏଥର ଏଇଠୁ ଯାଆ ତ ଏଇଲେ !”
“ଯାଉଛି ଗୋ ବାବା ଯାଉଛି ,ବାବା ଏଥର ଆଶୀର୍ବାଦ କର ଆଗିଲା ଜନ୍ମରେ ଯେମିତି ବାପ ହୋଇ ପାରେ..ଧର୍ମ ଯେମିତି ଗୋଟିଏ ହୁଏ ” ଏତିକି କହିଁ ସେ ଭୂଇଁକୁ ଛୁଇଁ ପାଦରୀ ବାବାଙ୍କୁ
ମୁଣ୍ଡିଆ ମାରିଲା।
ତିନି
କେତେଦିନ ପାର ହୋଇ ଗଲାଣି। ସେରେନଡି ର ଗଡାଣିଟି ଏଇଲେ ଅନେକ ବଡ,ବହୁତ ଲୋକ ଏଇଲେ ଏଠାରେ ଲଂଗଳରେ ଚାଷ କରୁଛନ୍ତି। ବଦନ ଚାଷ କରେ। ଜମିଟା ଯଦୁର ,ସେ ଦିନମୂଲିଆ। ବଦନ କିନ୍ତୁ ତାହାର ଦୁଃସାହସର କଥା ଏପର୍ଯ୍ୟନ୍ତ ପ୍ରକାଶ କରିନାହିଁ ,କାରଣ ସେ ଜାଣିଛି କଥାଟି ପସନ୍ଦ ହେବନି ଆଉ ସେମାନେ ସବୁ ମାରମୁଖା ହେବେ। ତେଣୁ ସେ ଯଦୁ କୁ କହେ,” ମୋର ମନେ ହୁଏ ରାଣ୍ଡିଟା ର ସବୁ ଅଜବ..। ସେ ଜମା ସୁବିଧାର ନୁହଁ ।”
ଯଦୁ ଏଥିରେ ଭାରି ଖୁସି ହୁଏ ,ସେ ଆରେ ଆରେ କହି ସମସ୍ତଙ୍କୁ ଡାକେ । ସେମାନଙ୍କ ଭିତରେ ସଭିଏଁ ପ୍ରାୟ ଖ୍ରୀଷ୍ଟାନ। ସମସ୍ତେ ଏଇଲେ ଶିଶୁପୁତ୍ରକୁ ନେଇ ଗର୍ବିତ । ଯଦୁର ସେମାନଙ୍କ ଭଳି ଦରଦ ଭକ୍ତି ରହିବାର ନୁହଁ ,କାରଣ ତାହାର ବାଇଶ ବିଘା ଜମି ରହିଛି ତାହାଛଡା ସେ ଜଣେ ମନ୍ତ୍ରଧାରୀ ହିନ୍ଦୁ। ଏବଂ ସମସ୍ତଙ୍କ ଅପେକ୍ଷା ଟିକିଏ ଅଧିକ ବୋତଲ ଝୁମରରେ ମତି। ସମସ୍ତେ ହାଲ କୁ ଛାଡି ବିଲ କଡକୁ ଆସନ୍ତେ ,ବିଲର ପାଣି ର ଉପରେ ପାଞ୍ଚଣଟାକୁ ପିଟି ଯଦୁ ଅକାରଣରେ ଉଲ୍ଲସିତ ହୋଇ କହିଲା,” ଦୂର୍ ଶଳା ହିଞ୍ଜଡା । ଶୁଣ ,ତମେ ସମସ୍ତେ ..।”
“ଶଳା ବୋଲି ଯେବେ ମାନ୍ୟ କରୁଛ,ତେବେ କଥାଟା ଆଗ ଶୁଣ ” ବଦନ କହିଲା।
“ଶଳା ,ପାଜି ମିଛ ହିଁ କହୁଚୁ..ଏମାନେ ଶୁଣିଲେ ଆଉ କହିବେ କ’ଣ ?”
ସମସ୍ତେ ଏଇ ଭଳି କଥାରୁ କିଛି ଠାଉର କରିପାରୁନଥିଲେ । ସେମାନେ ଅଶ୍ୱସ୍ତିରେ ପଡି ଯଦୁ ଆଉ ବଦନର ମୁହଁକୁ ଚାହୁଁଥିଲେ ।
“ମୁଁ ଆପଖୋରାକି ମଣିଷ,ମୋର କ’ଣ ଡର !” ଏତିକି କହି ଗାମୁଛାଟିକୁ ବୁକୁ ଉପରକୁ ଟାଣି ନେଇ କହିଲା,”ମୁଁ କିଆଁ ମିଛ କହିବି ? ମୋର ଲାଭ କ’ଣ ? ଦୂତବାବୁର ମାଆ ..ଏଇ ଶାଳୀ” ବଳଦକୁ ହଟ୍ ହଟ୍ ବୋଲି କହିଲେ ସେମାନେ ଡଗଡଗ ଚାଲିବାକୁ ଆରମ୍ଭ କରନ୍ତି।
ସମବେତ ଖ୍ରୀଷ୍ଟାନମଣ୍ଡଳୀ ଆଖିକୁ ବଡବଡ କଲେ,ନିଜନିଜ ଭିତରେ ହେ ହେ କରି ଯେତେବେଳେ ଗଣ୍ଡଘୋଳ କରୁଛନ୍ତି ,ସେତେବେଳେ ବଦନ ବଳଦର ଲାଞ୍ଜକୁ ମୋଡି ଦେଇ କେତେ କଦମ ଆଗେଇ ଗଲାଣି। ଯେଉଁମାନେ ଥିଲେ ପାପର ଭୟରେ ଏବଂ କିଛିଟା ଆଘାତ ଲାଗିବାରୁ ଡେଇଁ ପଡିଥିଲେ,ବଳଦ ଯୋଡିକ ଆଗେଇ ଯାଇ ବଦନକୁ ପାଣିରେ ପକାଇଦେଲେ। ଯିଏ ଯାହାର ହାଲ ଧରିଲେଣି,ବଦନ କାଦୁଅରେ ପଡି ଆକାଶ ଦେଖୁଛି ।
କ୍ଷେତ ଯେତେବେଳେ ଫାଙ୍କା ସେତେବେଳେ ଯଦୁ କହିଲା,”ଏଇ ଶଳାଟି ମିଛ କହିବ କାହିଁକି ?ଶାଳୀ ସବୁବେଳେ ପୁରୁଷଘେଷା !”
ଏଇ ଅସଭ୍ୟ କଥା ଟିକିଏ ଏପଟ ସେପଟ ହେଲା। ଫଳରେ ଯେତେବେଳେ କିଏ ଗୀର୍ଜାରୁ ବାହାରୁଥାଏ ,ଲୋକେ ତାହାକୁ ସନ୍ଦେହର ଆଖିରେ ଦେଖୁଥାଆନ୍ତି । ପରିହାସ କି ତାମସା କରିବା ଭଳି କିଛି ସାହସ ସେତେବେଳେ ଆସିନି।
କିଛିଦିନ ପରେ ଯଦୁ ଦିନେ ହଠାତ୍ ସାଥିରେ ଗୋଟିଏ ବଡ ଛେଳି ଧରି ଆସି ପାଦରୀଙ୍କ ଦରଜାରେ ହାଜର। ଆଖିରେ ତାହାର କଜଳ,କାନ୍ଧରେ ସଫା ଗାମୁଛା।
ଶିଶୁପୁତ୍ରର ନାଆଁ ଚାରିଆଡେ ବ୍ୟାପିଯାଉଛି ଜାଣି ପାଦରୀ ବାବା ପ୍ରଭୂଙ୍କୁ ଧନ୍ୟବାଦ ଦେଉଛନ୍ତି। ଏହାର କାରଣ ଏହି ଯେ,ତାଙ୍କର ବିଶ୍ୱାସରେ ସକଳ ପ୍ରତ୍ୟୟ କରନ୍ତି ; ଏବଂ ପ୍ରତ୍ୟୟ ହେତୁ ତାଙ୍କର ଚିତ୍ତବିନୋଦନ ହୁଏନାହିଁ,ପ୍ରଗାଢ ଭକ୍ତି ଆସେ,ଶିହରଣ ହୁଏ।
ଯଦୁ କହିଲା,” ବାବା ଗୋ ଭଲରେ ଭଲରେ ଖେତ ରୁଇଲି ଏଥର ସେମିତି ଧାନ କାଟିବି “,ଏତିକି କହି ଛେଳିଟିକୁ ଦେଲା ,ଆଉ କହିଲା,” ଫସଲ ହୋଇଛି.. ହବ ନିଶ୍ଚୟ ଯେତେବେଳେ ଦୂତବାବୁ ଆସିଛନ୍ତି ..” । ଏମିତି କହି ଶିଶୁପୁତ୍ର ଆଉ ତାହାର ମାଆକୁ ଦେଖି ଭଂଗା ହୃଦୟରେ ବିଦାୟ ନେଇ ଫେରି ଗଲା।
ପତାକୀ ଆସିଥିଲା ଆଉ ଦିନେ,ସେ ଆଉ ଜଣେ ପକା ବଦମାସ୍ । ଆସି କାନ୍ଦିଲା,କହିଲା,”ମୋତେ ଭଲ କରି ଦିଅ ଗୋ ବାବା ..।”
ଭୁଲୁଆର ସେମିତି ଜ୍ଞାନଗମ୍ୟ ନାହିଁ ସେ ଭୟ ପାଇ ପତାକୀର ସାମ୍ନାରେ କହି ପକାଇଲା,” ବାବା ଗୋ ଏହାର ଦଶା ଲାଗିଥିବା ନଜର ..ଗୋଖର ସାପ ..,!”
ପାଦରୀ ଏଇ କଥାରେ ଭାରି ମର୍ମବେଦନା ଅନୁଭବ
କରିଥିଲେ । ପତାକୀ ଚାଲି ଯିବାପରେ ଭୁଲୁଆକୁ କହିଲେ,” ଭୁଲୁଆରେ ଖରାପ ବୋଲି କିଛି ନାହିଁ ..।”
“ନ ଦେଖି ନେଲେ ଖରାପ ହବ ଗୋ,ବାଇଗଣ ନଦେଖି ନେଲେ ପୋକା ପଡିବ ,ବିଡି ନଦେଖି ନେଲେ ଭଙ୍ଗା ପଡିବ !”
“ପ୍ରଭୂର ନାଆଁ ଯେଉଁଠି ,ସେଇଠି ଖରାପ କିଛି ନାହିଁ ।”
” ଖରାପ ନାଇଁ ? ତାହେଲେ ମୋର ବିଡି ଚୁରି କରୁଛି କିଏ ?” ଏମିତି କହି ସେ ତାହାର ବିଡିରଖା ଡବାଟିକୁ ଦେଖାଇଲା।
ଭୁଲୁଆର ହାସ୍ୟଧ୍ୱନୀ ପାଦରୀଙ୍କୁ ବିମନା କରୁଥିଲା। ଧୁଆଁଳିଆ ସ୍ମୃତିର ଭିତରେ ଦିନକର କଥା; ଭାମର ତକ୍ତପୋଷ ଉପରେ ବସିଛି କୋଳରେ ତାହାର ଶିଶୁପୁତ୍ର,ତାହାର ଅଂଟାରୁ କେତୋଟି ବିଡି ଖସି ପଡିଲା ତାହାର ଭିତରୁ ଗୋଟିଏ ଅଧାଜଳା। “ଆଉ ଟାଣିବୁନି ” ପାଦରୀ କହିଥିଲେ।
“ମୋତେ ଭୁଲୁଆ ଏଗୁଡିକୁ ରଖିବାକୁ ଦେଇଛି ।”
ମର୍ମାହତ ନହୋଇ ମତିଲାଲ ପାଦରୀ କହିଲେ,” ତମେ ଆଉ ତାହା ରଖିବନି” ,ଟିକିଏ ରହି ସେ ପୁଣି କହିଲେ,” ଭାମର ,ତମେ ଜାଣିନାହଁ କାହାର ମାଆ ତମେ,ନିର୍ମଳ ହୁଅ” ଏତିକି କହି ଶିଶୁପୁତ୍ରର କଅଁଳ ପାଦରେ ନିଜର ମଥାକୁ ଛୁଆଁଇ ଦେଲେ ।
ଭୁଲୁଆର ବିଡି ଟଣା କଥାରେ ସେ କଥା ମନେ ପଡିଗଲା।
ଚାରି
ଅନେକ ଅନେକ କଥାର ଆଲୋଚନା ଚାଲିଛି। ଫୁଲଲ ଆସି କହିଲା,” ବାବା ତମେ କହ,ଆମେ ଏହାର କି ଜବାବ ଦେବା ?”
ସ୍ଥିର ପାଦରୀ ତାହାର ମଥାରେ ହାତରଖି କହିଲେ,”ଈଶ୍ୱର ଅଛନ୍ତି।”
ଫୁଲଲ ଅବଶ୍ୟ ନିଜର ସାହସ ନାହିଁ ବୋଲି ଭୁଲୁଆ ମାର୍ଫତରେ ପ୍ରଶ୍ନ କରିଛି,ସବୁଠାରୁ ତାହାର ଉତ୍ସାହ ବେଶି।ହାଟରେ ସେ ଅନେକ ଲୋକଙ୍କୁ ପ୍ରଶ୍ନ କରିଛି ହେଲେ ସଠିକ ଉତ୍ତର ପାଇନାହିଁ । ପ୍ରଥମ ଦିନର ଧାରଣା ହିଁ ଏବେ ବି ତାହାର ବଦ୍ଧମୂଳ ,ମାଇକିନା ଟା ନଷ୍ଟ ଦୁଷ୍ଟ । ଭାମରର ଦୋଷ ଅଛି ,ଭୁଲୁଆକୁ ସେ କହିଛି,ବାୟନା ରେ ଘର,ଫୁଲଲକୁ କହିଛି ସାରେଙ୍ଗା ,ଆଉ କାହାକୁ କାହାକୁ କହିଛି ବେଲପାହାଡୀ।
ଫୁଲଲ ପ୍ରାୟ ହିଁ ବହୁଦୂର ଗାଆଁରୁ ଲୋକେ ଚୌକିଦାରକୁ ସାଥିରେ ନେଇ ଆସିଲେ କହେ,” ଦୂର ଗାଆଁରୁ ଲୋକ ଆସିଛନ୍ତି ଗୋ ରାଜା କୁ ଦେଖିବେ ..।”
ମତିଲାଲ ଏତଶତ ବୁଝିବାକୁ ଚେଷ୍ଟା କରନ୍ତି ନାହିଁ । ଭାମର ପୁଅକୁ କୋଳରେ ଧରି ଭୀତ ମୂଷିକ ପରି ଚାହିଁ ରହିଥାଏ,ମନେ ମନେ ଜପ କରେ ପାଦରୀ ବାବା ଯେମିତି ଏଇଲେ ସେଇଠୁ ଆଉ କୁଆଡେ ଉଠି ନଯାଆନ୍ତୁ। ପାଦରୀ ଉଠିଗଲେ ଦର୍ଶନାର୍ଥୀମାନଙ୍କର ଆଖିଗୁଡିକ ତୀକ୍ଷ୍ଣ ହୋଇ ଉଠେ ,ଆଉ ଫୁଲଲକୁ ଏକା ହିଁ ପ୍ରଶ୍ନ କରନ୍ତି,” ତମର ମରଦ କେଉଁଠି? ତମର ଦେଶ କେଉଁଠି ?” ଭୀତ ଭାମର ଆଖି ପୋଛେ।
ଏଇ ଭଳି ଅନେକ ଦିନ ବିତିଗଲା। ଭାମର କିଏ ତାହାର ହଦିଶ କେହି ପାଇଲେ ନାହିଁ ।
ଭାମର ଯେମିତି ମନେ ହୁଏ ପାଗଳ ହୋଇଗଲା। ଦିନେ ସନ୍ଧ୍ୟାରେ ପାଦରୀ ଯେତେବେଳେ ଗିର୍ଜାରେ ପ୍ରାର୍ଥନାରେ ସମାହିତ,ଭାମରର ବିରାଟ ସୁନ୍ଦର ଦେହଟି ଏଇଠିକୁ ଆସି ପଥର ଭଳି ହୋଇଗଲା । ନିଶ୍ଚଳ ଭାମର କେତେବେଳେ ପାଦରୀଙ୍କ ପାଦ ଧରିଛି ତାହା ସେ ଜାଣି ନାହିଁ ,ପାଦର ତଳେ ତାହାର ମୁହଁଟି ,କେଶଦାମ ଇତସ୍ତତ ବିକ୍ଷିପ୍ତ,ଆଶ୍ରୁଜଳରେ ମାଟି ସିକ୍ତ ।
ପାଦରୀ ତାହାର ଉଷ୍ଣ ଅଶ୍ରୁଜଳର ଛୁଆଁରେ ଆହୁରି ଧିର,ପାଦକୁ ଘୁଞ୍ଚାଇ ନେଇ ଉଠି ଠିଆହେଲେ।
ମଥାର କେଶ ଅସ୍ତବ୍ୟସ୍ତ ,କୌଣସି ମତେ ମାଟି ଉପରୁ ଆଖିକୁ ଉପରକୁ କରି ଭାମର ପ୍ରଶ୍ନ କଲା ,”ବାବା…!”
“ଗିର୍ଜା ଥାନରେ ମଣିଷର ପାଦରେ ହାତ ଦେବାର ନୁହଁ
ଭାମର ।”
“ମୋର କ’ଣ ହେବ ?”
“ଲୋକ ଅନୁତାପରେ ନୂତନ ଜୀବନ ପାଇଥାଏ ଗୋ ମା ! ତମେ ଅନେକ ଅନୁତାପ କରିଛ ତେଣୁ ଏଇ ନୂତନ ଜୀବନ ପାଇଛ -ଯିଏ ଜନ୍ମ ନେଇଛି ତାହାକୁ ଚିହ୍ନ -ଅତି ବଡ ସାଧୁ ରେ..ସେ ତାହାର ନାମ ପ୍ରଚାର କରିବ ରେ…”
ପାଞ୍ଚ
ପାଦରୀ ସଂଧ୍ୟାରେ,ରାତିରେ ,ସକାଳରେ ଶିଶୁପୁତ୍ରର ସାମନାରେ ପ୍ରାର୍ଥନା କରନ୍ତି । ଏଥିରେ ବାକ୍ୟ ନଥାଏ ,କେବଳ ମନକୁ ସ୍ଥିର କରିବା ଥାଏ । କେତେବେଳେ ଶିଶୁ ମାଆର କୋଳରେ,କେତେବେଳେ ସ୍ତନ୍ୟପାନ କରୁଥିବା ବେଳରେ । ଏହା ଛଡା ଏକାନ୍ତରେ ଢାଲୁ ର ଉପରେ ପ୍ରାର୍ଥନା ତ ରହିଛି ।
ଏକଦା ରାତି ଅଧରେ ,ପାଦରୀ ବାରନ୍ଦାରେ । ଢାଲୁ କୁ ଯିବାପାଇଁ ପ୍ରସ୍ତୁତ ହେଉଛନ୍ତି ,ହଠାତ୍ ଦେଖନ୍ତି ଭାମର ଅଦ୍ଭୁତ ଭାବରେ ଆପଣାର ଘରୁ ବାହାରକୁ ଆସିଛି ,ଏଇ ଅଂଧାରରେ ତାହାର ଆଖି କେବଳ ସାଦା,ମଣି ବୋଲି କିଛି ନାହିଁ । ପାଦରୀଙ୍କୁ ଦେଖି ସେ ଛୁଟିଆସି ତାଙ୍କର ପାଦତଳେ ପଡିଗଲା।ଅସ୍ପଷ୍ଟ ଗଳାରେ କହିଲା,” ବାବା …।”
ମଥାରେ ହାତ ବୁଲାଇ ଆଣି ବୃଦ୍ଧ କହିଲେ,” ପ୍ରଭୂଙ୍କୁ ଅଶେଷ ଧନ୍ୟବାଦ। ତମେ ନବଜୀବନ ପାଇଛ ମା।ଏହାକୁ ଦେଖ !” ଶିଶୁ ପୁତ୍ରକୁ ଦେଖାଇଦେଲେ ସେ ତାହାପରେ।
ଭାମର ପାଇଁ ମତିଲାଲ ପାଦରୀର ବଡ କଷ୍ଟ ହେଉଥିଲା ଏବଂ ଭଲ ଲାଗୁଥିଲା ଯେହେତୁ ମନ ଏପରି ପୀଡିତ ହେଲେ ହିଁ ତେବେ ମୁକ୍ତି ।
ଆଉ ଗୋଟିଏ ରାତିରେ । ସେତେବେଳେ ଆକାଶରେ ଖଣ୍ଡ ଚାନ୍ଦ । ଏଇ ଢାଲୁ ବଡ ନିଃସଙ୍ଗ । ଚାରିପଟେ ବେଶ୍ ବଡ ବଡ ପଥର ଖଣ୍ଡ ,ସେଇମାତ୍ର ପ୍ରାର୍ଥନା ଶେଷ କରି ଉଠିଛନ୍ତି ,ଦେଖିଲେ ଭାମର ସ୍ଖଳିତବସନା ; ତାଙ୍କୁ ଦେଖି ,ବୋଧ ହୁଏ,ଚମକି ଉଠି ଆସି ପାଦକୁ ଧରି କହିଲା,” ମୁଁ ତମକୁ ଖୋଜି ବୁଲୁଛି ,ଦେଖ କଣ୍ଟାରେ ମୋର ପାଦ କେମିତି ଲହୁଲୁହାଣ.. ମୋର କ’ଣ ହେବ ?”
ପାଦରୀ ତାହାକୁ କହିଲେ,”ତାହାକୁ ଆଦର କର -ସବୁ ଦୁଃଖ ଦୂର ହୋଇଯିବ… ।”
ଆଉ ଗୋଟିଏ ରାତିରେ ।
ଇଦାନିଂ ଶିଶୁପୁତ୍ରକୁ ସାଥିରେ ନେଇ ପାଦରୀ ପ୍ରାର୍ଥନା କରିବାକୁ ଯାଆନ୍ତି । ବଡ ବଡ ଶାଳଗଛର ଛାଇର ଭିତର ଦେଇ ଛୋଟ ପାହାଡୀ ସାରନଦୋ ନଈ ବହିଯିଉଛି,ମଝିରେ ଗୋଟିଏ ଛୋଟ ଜଳାଶୟ ,ସେଇଠି ଅନ୍ଧକାର,ଏହା ମଧ୍ୟରେ ଜଳସ୍ରୋତ । ପାଦରୀ ସେଇଠେ ଆସି ଦେଖିଲେ ପଥର ଉପରେ କିଏ
ଜଣେ । ପଚାରିଲେ ,”କିଏ ?”
“ମୁଁ ବାବା ।”
ଜଳ ଅତିକ୍ରମ କରି ବାଲିମଖା ପାଦରେ ଆସି ଭାମରର ପାଖରେ ପହଞ୍ଚି ପ୍ରଶ୍ନ କଲେ,”ତମେ ଏଇଠି ?”
“ମୁଁ କାନ୍ଦୁଛି …ଏଇଠି କାନ୍ଦିଲେ ଆପଣଙ୍କୁ ଖରାପ ଲାଗିବ…”
“ଛି,କାନ୍ଦିବାର ନାହିଁ,ତମେ ତ ପାରିଛ ” ବୋଲି କହି ତାହାର କୋଳରେ ଶିଶୁପୁତ୍ରକୁ ଦେଲେ। ମତିଲାଲ ଲୋକମାନଙ୍କର କଥା ଥରଟିଏ ମନେପକାଇଲେ। ମନେହେଲା ,ଭାମର ଭଳି ଶୁଦ୍ଧତା ଆକାଶର ତଳେ କ୍ୱଚିତ୍ ରହିଛି ।
ଛଅ
ଶିଶୁପୁତ୍ର ଏବେ ସବୁବେଳେ ତାଙ୍କର ପାଖରେ । ଏଇ ଛୋଟ ରୂପଟିର ପ୍ରତ୍ୟେକ ମୁହୂର୍ତ୍ତ ତାଙ୍କର କଣ୍ଠସ୍ଥ । ପାଦରୀଙ୍କ କୋଳରେ କୋଳରେ ସେ ଅନେକ ମଧ୍ୟରାତ୍ର ଦେଖିଛି ,ଅନେକ ଢାଲୁରେ କାନ୍ଦିଛି,ବିରାଟ ଆକାଶର ମଧ୍ୟରେ ଶିଶୁର ବ୍ୟାକୁଳତାକୁ ସେ ମନଦେଇ ଶୁଣିଛନ୍ତି । କେତେ କ୍ଷେତରେ ସେ ପାଦ ଦେଇଛି ,ଅସୁସ୍ଥ ରୋଗୀର ମଥାରେ ତାହାର ପାଦକୁ ଛୁଆଁ ଯାଇଛି । ଏଇ ରୂପରେ ଏଇଲେ ସେ ବେଶ୍ ବଡସଡ । ପାଦରୀଙ୍କୁ ବାବା କହେ,ଦୁଷ୍ଟ ଚପଳାମିରେ ବେଳେ ବେଳେ ବାଇବେଲ ର ପୃଷ୍ଠା ଖୋଲି ପକାଏ ,ସେଥିରେ ନିଗୂଢ ଅର୍ଥ ଓ ସଂକେତ ଖୋଜି ପାଇଥାନ୍ତି । ଏକଥା ଖୁବ୍ ଆଶ୍ଚର୍ଯ୍ୟର ଖୁବ୍ ଗର୍ବର ଯେ କୌଣସି ଦିନ ବାଇବେଲର ପୃଷ୍ଠାଟିଏ ବି ଚିରିଯାଇ ନାହିଁ । ପାଦରୀ ତାହାକୁ “ଏ ପ୍ରାଣ,ପ୍ରାଣ ” ବୋଲି ଡାକନ୍ତି,ଆଉ ସେ ଥପ ଥପ କରି ତାଙ୍କ ନିକଟକୁ ଧପାଲି ଆସେ।
ଦିନେ ଶିଶୁପୁତ୍ର କାନ୍ଧରେ ,ନିମଡାରୁ ଫେରୁଛନ୍ତି ହଠାତ୍ ସରତାର ଛୋଟ ଶାଳ ଆଉ ମହୁଲର କୁଞ୍ଜରେ ଦେଖିଲେ ଗୋଟିଏ ଆସର ବସିଛି ।
ଚଟାଇ ପଡିଛି ,ଯଦୁ,ଜହର ,ବଦନ ହିଞ୍ଜଡା ,ଭୋଳା ପାଇକ,ପତାକୀ ସଭିଏଁ ବସିଛନ୍ତି । କେତେ ଗୁଡିଏ ବୋତଲ ,ଜଗା ବସି କେତେଗୁଡିଏ ଘରଚଟିଆ ର ପର ଛଡାଇବାରେ ବ୍ୟସ୍ତ । ପାଦରୀଙ୍କୁ ଦେଖି ସମସ୍ତେ ବୋତଲଗୁଡିକୁ ଲୁଚାଇ ଦେଲେ।
ପାଦରୀଙ୍କୁ ଦେଖି ସମସ୍ତେ ମୁଣ୍ଡିଆ ମାରିଲେ।ସେ କହିଲେ,”ଆରେ ତମେ ସବୁ ଯେ…?”
“ଆଜ୍ଞା ,ଇଏ ଆମର ସଂଜବେଳର କିରାସିନ !”
“କିରୋସିନ୍ ?”
“ଆଜ୍ଞା ହଁ ,ଏହାକୁ ନଖାଇଲେ ଆଲୁଅ ଜଳିବ ନାହିଁ ଗୋ ବାବା !”
“ଛାଡି ଦିଅରେ ଏସବୁ। ଦେଖ ନା କିଏ ଆସିଛି ?”
“ଦେଖିଲୁ ତ ! ଇଏ ତ ଆମକୁ ଉଦ୍ଧାର କରିବ ଗୋ..ଆମେ ଏଇ ଜନ୍ମରେ ପାପ କରୁଛୁ ..”
” ଛି,ଛି,ଏଇଲେ ପଙ୍କରେ ବୁଡି ରହିବୁ ରେ !”
” ପଙ୍କ ନଥିଲେ ସେ ଆମକୁ ଟେକି ଆଣିବ କେଉଁଥିରୁ ଗୋ ବାବା ?”
ଖ୍ରୀଷ୍ଟାନ ମାନେ କେହି କିଛି କହିନାହାଁନ୍ତି,ଖାଲି ଊତ୍ତର ଦେଉଥିଲା ଯଦୁ। ପାଦରୀ ଦୁଃଖିତ ମନରେ ନିଜର ପଥ ଧରିଲେ । ସେ ଜାଣନ୍ତି ,ଏହାପରେ କଳସୀ ଆସିବ।
ଏଇଲେ ଅନେକ ରାତି ,ହଠାତ ତାହାର ମନେ ପଡିଲା ପୁଣି ସନ୍ଧ୍ୟାବେଳର ସେଇ ଆସରର କଥା। ସେମାନଙ୍କୁ ନିଷ୍ଠୁର ଭାବରେ “ପଙ୍କରେ ବୁଡିରହିବା” ଭଳି କଥା କହିବା ଅନ୍ୟାୟ ହୋଇଛି ବୋଲି ତାଙ୍କର ମନେ ହେଲା। ଥରେ ଦୋମନା,କିନ୍ତୁ ପରକ୍ଷଣରେ ସେ ସ୍ଥିର । ବାହାରି ପଡିଲେ ।
ଯଦୁର ଘରକୁ ଯାଇ ଜାଣି ପାରିଲେ ସେ ଫେରିନାହିଁ । ଜହର ଘରେ ନାହିଁ ଫଳରେ ଅନେକ ଉଠାଣି ଗଡାଣିକୁ ଭାଙ୍ଗି ପାଦରୀ ଚାଲିଥିଲେ ନିମଡା ର ପଥରେ । ଏଇଲେ ସମସ୍ତ ପ୍ରହର ଛୁଟିଆସି ଫାଲଗୁନ୍ ରେ ବିକ୍ଷିପ୍ତ । ମହୁଲ ଫୁଟିଛି। ଏଇ ଉଠାଣିର ଉପରେ ମହୁଲର କୁଞ୍ଜ। ସେ ଯେତେବେଳେ ଶେଷ ଉଠାଣି ଚଢୁଛନ୍ତି ,ହଠାତ୍ କାହାର ଗଳା ତାଙ୍କର କାନରେ ପଡିଲା,” ହେଇରେ ହେଇରେ ପାଦରୀ ବାବା ଆସୁଛି ରେ ପାଦରୀ ବାବା ଆସୁଛି ରେ ” କିଏ ଯେମିତି ସମସ୍ତଙ୍କୁ ସାବଧାନ କରି ଦେବାକୁ ଚାହୁଁଛି ।
ଅଦୂରରେ ପତ୍ରଗହଳିର ଫାଙ୍କରେ ଚନ୍ଦ୍ରର କିରଣ
ଦେଖାଯାଉଛି । ଜଣେ ଦିଜଣ ଭୂଇଁରେ ପଡିଛନ୍ତି। ବୋତଲ ଗଡୁଛି ,କଳସୀକୁ କୁକୁର ଚାଟୁଛି,ଟିକିଏ ନିକଟ ହୋଇ ଆସିବାରୁ ଦେଖାଗଲା ଗୋଟିଏ ସ୍ତ୍ରୀଲୋକର ପୂର୍ଣ୍ଣ ଅବୟବ। ଯେମିତି ଛିଟକି ପଡି ମାଟିରେ ମୁହଁ ଗୁଞ୍ଜି ରହିଛି। ନିର୍ଲଜ ବିବସନା । ପବନରେ କେଶ ଗୁଡିକ ଉଡିବାକୁ ଲାଗିଛି । ଚାରିପଟରେ ଘରଚଟିଆର ଛଡା ଯାଇଥିବା ପର ବି ଉଡିବୁଲୁଛି । କିଏ ଜଣେ କହିଲା,”ହଇଲୋ ଭାମର,ପାଦରୀ ବାବା ଏଇଠି ଯେ ..!” ଏଇ ସେଇ ଦେହ ଯାହାକୁ ଦିନେ ମନେ ହୋଇଥିଲା ଶରତର ମେଘ ସଦୃଶ ।
କୌଣସି ମତେ ନିଜର ମଥାକୁ ଟେକି ଭାମର କହିଲା,” ବାବା ମୋର କ’ଣ ହବ ଗୋ ?”
ଏଇ ବିଭତ୍ସତା ସେ ଆଶା କରି ନଥିଲେ। ନିଜର ଗଳାର ସ୍ୱର ନିଜର କାନରେ ବାଜିଲା, ” ନବଜୀବନ ପାଇଛ” ,”ତମେ ଜାଣିନାହଁ ତମେ କାହାର ମାଆ !”,ନିଜକୁ ଅପଦସ୍ଥ ହେବାର ଦେଖି ,ଠକିଯିବାର ଦେଖି, ଅପମାନିତ ହେବାର ଦେଖି ,ବୁକୁଟା ତାଙ୍କର ବ୍ୟଥିତ ହୋଇ ଉଠିଲା। ତାହାର ବୃଦ୍ଧ କ୍ଷମାଶୀଳ ଆଖି ଦୁଇଟି ଲୁହରେ ଛଳଛଳ କରି ଉଠିଲା । ଦେହ ନିସ୍ପନ୍ଦ, କେବଳ ପବନରେ ଦାଢୀର ଦୋଳା,ପିଠିରେ ଲାଠିମାରି ଯେମିତି କିଏ ମେରୁଦଣ୍ଡକୁ ଚୂନା କରିଦେଇଛି । ରାଗ ଆଉ ଲଜ୍ଜାରେ ଗଳା ଫୁଲି ଉଠିଲା।ଲମ୍ବା ଲମ୍ବା ପାହୁଣ୍ଡ ପକାଇ ସେ ଆସି ଗିର୍ଜା ଘର ସାମନାରେ ଘଡିଏ ପିଲାଙ୍କ ପରି କାନ୍ଦିଲେ। ଗିର୍ଜାଘରର ଭିତରେ ପାଦ ଦେଲା ପରେ ସେ ଚମକି ଉଠିଲେ । ଏଇଠେ ସେ ଛିଡା ହୋଇ ପାରିଲେ ନାହିଁ ।
ଘରକୁ ଯିବା ବାଟରେ ରାସ୍ତାରେ ତାଙ୍କର ହାତ ଦୁଇଟି କ୍ୟାନା ପତ୍ରକୁ ଛିଣ୍ଡାଇବା ପାଇଁ ଉଦ୍ୟତ ହୋଇଥିଲା। ଘରେ ପହଞ୍ଚି ଆଲୁଅ କୁ ଟେକି ବାଇବେଲ୍ ଖୋଲିଲେ। ମନ ସ୍ଥିର ହେଉନଥାଏ । ଯେଉଁ ମତିଲାଲ ପାଦରୀ ଏକ ପଲକରେ ପରମପିତାକୁ ଭୁଲି ଯାଏ,ତାହାହେଲେ,ତାହାର ଆଉ ଅସ୍ତିତ୍ୱ ରହିଲା କେଉଁଠି ? ଘୋଡାର ଛୁଟିଚାଲିଥିବା ପାଦ ତାହାର ଭିତରେ ପ୍ରବେଶ କରିଛି ,ଏଇଲେ ବୁକୁ କାହିଁ,ହୃଦୟ କେଉଁଠି ? ଆତ୍ମା ସେ ତ ବାଇବେଲ ର ଧାଡିଟିଏ ମାତ୍ର,ବିଧର୍ମୀ ମାନେ ଯାହାର କାଗଜ ପୋଡି ଚା’ ଗରମ କରନ୍ତି।
କେଉଁଠିକାର ଗୋଟିଏ ପାଶବିକ ଜଙ୍ଗଲ ଚାଲି ଚାଲି ଆସି ତାହାର ଭିତରେ ଆଶ୍ରୟ ନେଇଛି ।କ୍ଳାନ୍ତି ତାହାର ନାହିଁ,ଆଜିକାର ପୃଥିବୀ ଯେତିକି ଅପହରଣ କରିଛି ଦୂରର ପାପିହା ର ଡାକ ତାହାକୁ ଫେରାଇ ପାରିନି ଯେଉଁଠି ସୃଷ୍ଟିର ଶେଷ ମାଧୁର୍ଯ୍ୟ ଥିଲା। ଅକାରଣରେ ନିଜର ମନେ ହେଲା ,ମୋର ଭକ୍ତି ନଥିଲା,ଥିଲା ଭୀରୁତା।
ସ୍ଫୀତ ନାସାପୁଟ,ଉଷ୍ଣ ନିଃଶ୍ୱାସ ,କୁଞ୍ଚିତ ଚକ୍ଷୁ ଆଉ ଭୟଙ୍କର ଦାନ୍ତ ଯେତେବେଳେ ଲଗାମ ଧରେ ସେତେବେଳେ ସେମାନେ ଆଉ ଗୋଟିଏ କଥା ଭାବିବାକୁ ଦିଅନ୍ତି ,ଆଉ ଗୋଟିଏ ବାଟ ଦେଖାନ୍ତି । କେବଳ ମନେହେଲା “ମୁଁ ଠକି ଯାଇଛି ” ଆଉ ଆଉଥରେ ମହୁଲ କୁଞ୍ଜର ସେଇ ଉଦ୍ଭିନ୍ନଯୌବନା ଦେହଟିର କଥା ମନେ ପଡେ,ଆଉ ସେ ପାଗଳ ହୋଇ ଯାଆନ୍ତି ।
ଏକଦା କେବଳ ପ୍ରଭୂର ନାମ ଶୁଣି ମନେ ହୋଇଥିଲା ,ଆମେମାନେ ସତରେ ଦେବଦୂତ ମାନଙ୍କ ଠାରୁ ସୂଖୀ କାରଣ ତାଙ୍କର ନାମ ଶୁଣିଛି ,ଆମେମାନେ ଜିତିଛୁ। ଏଇଲେ ମନେ ହେଉଛି ଠକି ଯାଇଛୁ। ସତରେ ଦିନମଜୁରିଆର ତୁଳନାରେ ପାଦରୀ ମାନେ ବେଶି ଠକନ୍ତି ।
ବିଚରା ମତିଲାଲ । ବାରନ୍ଦାର ଖୁଣ୍ଟି ଧରି ନିଜର ଆଙ୍ଗୁଳିକୁ ଦାନ୍ତରେ ଯେତିକି ଚାପ ଦେଉଛନ୍ତି ସେତିକି ଆଖିର ଜଳ ହୁ ହୁ କରି ଝରି ଚାଲୁଛି । ଏପରି ସମୟରେ ଆଉ ଗୋଟିଏ କାନ୍ଦଣାର ଶବ୍ଦ ଆଲୁଅ ହୋଇ ବର୍ଣ୍ଣ ହୋଇ ତାହାର ନିକଟକୁ ଆସିବାକୁ ଚାହୁଁଛି । ସେ ଗଭୀର ଭାବରେ ସେଇ ଆଡକୁ ଚାହିଁ ରହିଲେ। ଆଖି ଜଳରେ ଦୃଷ୍ଟି ଝାପସା ,ଫଳରେ ଲଣ୍ଠଣର ଆଲୁଅ କାଠଖୋଦାଇର କିରଣ ପରି ହୋଇଯାଇଛି ,ତାହାରି ଭିତରେ ଶିଶୁପତ୍ର -ସୁନ୍ଦର ଗୋଟିଏ ବେଦନା ଯେମିତି । ପାଦରୀ ଚକିତ ହୋଇ ମୁହଁ ଫେରାଇ ନେଲେ।
ପୁଣି ଗୋଟିଏ ଚୋରାଚାହାଁଣୀରେ ଶିଶୁ କୁ ଦେଖି କେମିତି ଯେମିତି ହୋଇଗଲେ । ଚାନ୍ଦର ଆଲୁଅ ଅଂଧାରରେ ତାଙ୍କ ଭଳି ଲୋକ ଏମିତି ଦିଶନ୍ତି ନାହିଁ ,କାରଣ ମଣିଷ ତ ନଖୀ କି ଦନ୍ତୀ ନୁହଁ । ତଥାପି ଚକିତରେ ଭୟଙ୍କର ହୋଇ ଉଠିଲେ ଏଇ ମତିଲାଲ ପାଦରୀ । ମଥାଟା ତାଙ୍କର ବିପର୍ଯ୍ୟସ୍ତ,ବସନଭୂଷଣ ଆଲୁଳାୟିତ,ବିରାଟ ଗୋଟିଏ ବାଦୁଡି ଭଳି କ୍ଷିପ୍ରବେଗରେ ଘର ଭିତରକୁ ପ୍ରବେଶ କଲେ ଆଉ ଗୋଟିଏ ଝଟକାରେ ଶିଶୁପୁତ୍ରକୁ ଉଠାଇ ନେଲେ। ମନଟା ମଚମଚ କରି ଫାଟିଯାଉଥିଲେ ବି ସେ ନିଜର ଗତିକୁ କ୍ଷିପ୍ର ରଖିବାକୁ କୃତସଂକଳ୍ପ । ଶିଶୁପୁତ୍ର ହୁଏତ କାନ୍ଦିପକେଇ ଥିଲା ମାତ୍ର ସେ ଏହାର କିଛି ଥଳ
ପାଇନି ।
ଶିଶୁଟି ତାହାର ଆଡକୁ ଚାହିଁଲା ଏବଂ ବୁଝିଗଲା,ଏହା ହେଉଛି ତାହାର ପୁରାତନ କୋଳ। ପାଦରୀ ତାହା ଆଡକୁ ଥରେ ଚାହିଁ ମୁହଁ ବୁଲାଇ ନେଲେ ।
ପାଦରୀ ଦ୍ରୁତପଦରେ ଚାଲିଛନ୍ତି,ବେଳେବେଳେ ବେସମାଲ,କିନ୍ତୁ ବଦ୍ଧ ପରିକର । କେତେଥର ଖେତର ଗୋହିରୀରେ ପାଦ ପିଛଳି ଯାଇଛି । କିନ୍ତୁ ପୁଣି ପଥ।ଗୋଟିଏ ଛାଡି ଆଉ ଗୋଟିଏ । ପୁଣି ସେଇଟିକୁ ଛାଡି ଆଉ ଗୋଟିଏ ।
ଆକାଶ ମୁକ୍ତାର ଭଳି ହୋଇ ଉଠିଲା। କ୍ରମଶଃ ଆଲୁଅ ଢାଲୁରୁ ଗଡି ଗଡି ଢାଲୁକୁ ଚଢିବ। ଛାଇ ଗୁଡିକ ଦୀର୍ଘ ଆଉ ଗଭୀର ହେବ।ପକ୍ଷୀ ଉଡୁଛି,ଡାକୁଛି । ଶିଶୂପୁତ୍ର ର ନିଦ ନାହିଁ,ସେ ହସୁଛି।
ପାଦରୀଙ୍କ ଘର୍ମାକ୍ତ ମୁହଁ ଅସମ୍ଭବ କଠିନ,ଥରେ ତାହାର ଆଡକୁ ଚାହିଁଲେ,ପୁଣିଥରେ ଚାହିଁଲେ । କଠୋର ସଂକଳ୍ପ ବୁକୁରେ ପଥର ହୋଇ ବସିଛି । ହଠାତ୍ ତାହାର କପାଳ କୁଞ୍ଚିତ ହୋଇ ଉଠିଲା ,ସେ ଛିଡା ହୋଇ ରହିଲେ । କିନ୍ତୁ ସ୍ଥିରତାରେ ,ସେ ପୁନର୍ବାର ମତିଲାଲ ପାଦରୀ ହୋଇଯାଆନ୍ତି ,ସେଇ ଆଶଙ୍କାରେ ପାଦ ଦୁଇଟିକୁ ,ଏଇ ଭଳି ଛିଡା ହୋଇ ରହିବା ବଦଳରେ ଗତିଶୀଳ କରିବାକୁ ଇଚ୍ଛା କଲେ। ଏବଂ ନିଜର କୋଳରୁ ଶିଶୁପୁତ୍ରକୁ କାନ୍ଧକୁ ଉଠାଇନେଇ ପୁଣି ଆଗେଇ ଚାଲିଲେ । ରାସ୍ତାରେ ଗୋଟିଏ ଦୁଇଟି ଝିଅ ଗୋବର ଗୋଟେଇବା ପାଇଁ ବାହାରି ଛନ୍ତି ,ତାଙ୍କୁ ଦେଖି ନିଜର ଝୂଡିକୁ ତଳେ ରଖି ମୂଣ୍ଡିଆ ମାରିଲେ । ପାଦରୀଙ୍କର କେଉଁଆଡେ ଦୃଷ୍ଟି ନଥିଲା।
ଏହା ଖୋଦାନ୍ଦି ଜଙ୍ଗଲର ବେଶ୍ ଭିତରର ଭାଗ।
ସେ ହଠାତ୍ ଅଟକି ଗଲେ,କେତେଗୁଡିଏ ପକ୍ଷୀ ଉଡି ଚାଲି ଗଲେ । ଶାଳ,କେନ୍ଦୁ ,ଅଁଳା ଗଛ ଆଉ ପଳାଶ ଫୁଟିଛି, ସେଥିରୁ ପାଣି ଝରୁଛି ତଥାପି । ରାତିରେ ବର୍ଷା ହୋଇଥିଲା,ଫଳରେ ତଳେ ବଣଧୁଆଣୀ ଝରଣାର ଶବ୍ଦ ଆଉ ଉପରେ ନିସ୍ତବ୍ଧତା ।
ଏଇ ଚଉତରାଟି ଆହୁରି ପରିଚ୍ଛନ୍ନ । ନିର୍ମୂଳିଲତା ବେଢାଇଯାଇଛି ଶାଳଗଛର ଦେହରେ,ତଳେ ନାନାଜାତି ଲତାବୁଦାର ଝାଡ। ଶିଶୁ ପୁତ୍ରକୁ କାନ୍ଧରୁ ଓହ୍ଲାଇ ଦେଇ ଅନ୍ୟ ଆଡକୁ ମୁହଁ ଫେରାଇ ପାଦରୀ ଛିଡାହେଲେ । ଆଙ୍ଗୁଳିକୁ ଫୁଟାଇବାକୁ ଯାଇ କ’ଣ ଯେମିତି ମନେ ହେଲା,ସେଇଠି ଯେମିତି ପ୍ରାର୍ଥନାର କଥା ଥିଲା ,ଆଙ୍ଗୁଳିକୁ ଫୁଟାଇ ସେ ସେହି ପ୍ରାର୍ଥନାକୁ ଭାଙ୍ଗି ଦେଲେ ,ତୁ ତା ର ସାଦାସିଧା ଜଗତରୁ ସେଇ ପ୍ରାର୍ଥନା ଅନେକ ଦୂରକୁ ଚାଲି ଯାଇଥିଲା।
ପାଦରୀ ନିଃସଙ୍ଗତାର ଆଡକୁ ଚାହିଁଲେ ,ଟୋପା ଟୋପା ଜଳ ପବନରେ ଝର ଝର ହୋଇ ପଡୁଛି । ଶିଶୁପୁତ୍ର ଏମିତି ନିଃସଙ୍ଗତାର କୁ ଜାଣିଛି,ବହୁ ଅଦ୍ଭୁତ ରାତିର ସହିତ ତାହାର ପରିଚୟ ଥିଲା। ପାଦରୀଙ୍କ ଅଂଗରଖାକୁ ଧରି ନିର୍ଭୟରେ ଛିଡାହୋଇ ,ଜଳ ଠୋପାର କୌତୁକ ଅନୁଭବ କରୁଥିଲା ଆଉ ମଝିରେ ମଝିରେ ଡାକ ଛାଡୁଥିଲା,” ବାବା ..ଓ .. ଓ..।”
ବନଧୁଆଣୀ ର ଆଉ ପତ୍ରଚ୍ୟୁତ ଜଳ ପଡିବାର ଶବ୍ଦକୁ ପାଦରୀଙ୍କର ମନେ ହୁଅନ୍ତା ,ଏହା ଯେମିତି ଗୀର୍ଜାର ମଧ୍ୟରେ ଅନୁତପ୍ତ ସକାଳର ବ୍ୟାକୁଳତାରେ କଂପୁଥିବା ଓଠର ଶବ୍ଦ । ସେ କିନ୍ତୁ କୋଦାଳ ଭଳି ଶକ୍ତ ,ଫପସା ମାଟି ଭଳି ସହଜ। ଅନ୍ୟମନସ୍କ ଭାବରେ ପକେଟରୁ ଝୁମଝୁମିଟା ବାହାର କରି ତାହାର ହାତରେ ଦେବାକୁ ଯାଉ ଯାଉ ଦୂରକୁ ଫୋପାଡି ଦେଇ ସେ ଚମକି ଉଠିଲେ । ଶିଶୁଟି ହାତୀ ପରି ଢଳି ଢଳି ସେଇଟିକୁ ସାଉଁଟି ଆଣିବ ବୋଲି ଆଗେଇ ସେଇଠିକୁ,ସେଇଠି ଝରିପଡିଥିବା ପତ୍ରଗୁଡିକ ଦୁର୍ବଳ ଜନ୍ତୁ ଭଳି କମ୍ପୁଥିଲା।
ଇତି ମଧ୍ୟରେ ପାଖର କଣ୍ଟାବୁଦାଟି ଭୀଷଣ ଭାବରେ ଦୋହଲି ଉଠିଥିଲା। ଗୋଟିଏ ଜନ୍ତୁ ଯେମିତି ଝାଡବୁଦା ରୁ ଡିଆଁମାରି କୁଆଡେ ମିଳାଇଗଲା । କଣ୍ଟାବୁଦାର କଣ୍ଟାରେ ପାଦରୀଙ୍କ ଅଂଗରଖା ଛିନ୍ନ ,ତଥାପି ସେ କୌଣସି ମତେ ସେଇଠୁ ପାର ହୋଇ ଆସିଲେ ।
ଶିଶୁ ଯେଉଁପଟେ ଥିଲା ସେଇ ଦିଗରେ ,କମ୍ପିତ ଗଛରୁ ଦୁଇଚାରୋଟି ଫୁଲ ଝରି ପଡିଲା । ଏଇ ଫୁଲଝରାକୁ ସେ ପତ୍ରର ଫାଙ୍କରୁ ଉଙ୍କି ମାରି ଦେଖିବାକୁ ପାଇଲେ । ଆଉ ଦେଖିଲେ ଗୋଟିଏ ଗୋଟିଏ ବଡ ଟୋପା ଆକାରରେ ଜଳ ତଳକୁ ଖସି ପଡୁଛି ଏବଂ ଶିଶୁପୁତ୍ର ବିଚଳିତ ଆନ୍ଦୋଳିତ ପତ୍ର ଆଡକୁ ବଡ ଖୁସିରେ ଚାହିଁ ରହିଛି ।
ମତିଲାଲ ପାଦରୀର ନିଜର ଭିତରୁ ଅସୁସ୍ଥ ଉଁ ଉଁ ଶବ୍ଦ ହେଲା।ସଂଗେ ସଂଗେ ଦୁଇ ହାତରେ ଆଖି ବନ୍ଦ କରି ପୁଣି ଆସ୍ତେ ଆସ୍ତେ ହାତ ଟିକିଏ ତଳକୁ କଲେ,ହାତ ଦୁଇଟି (ଯାହା କରଯୋଡ ନିମନ୍ତେ ତିଆରି ) ଏବେ ଥରଥର କରି କମ୍ପିତ ହୁଏ। କଣ୍ଟାବୁଦାର କିଛି କଣ୍ଟା ବୃଦ୍ଧଙ୍କର କପାଳରେ ବି ଲାଗିଛି। ଅନିମେଷ ନୟନରେ ଦେଖିଲେ ଶିଶୁପୁତ୍ର ତାହାର ହାତଟିକୁ ମେଲାଇ ଧରିଛି ଆଉ ସେହି ପାପୁଲି ଉପରେ ପଟ ପଟ କରି ପାଣି ଟୋପା ପଡୁଛି ।
ଭାରି ଖୁସି,ଶିଶୁର ଛୋଟ ଛୋଟ ଦାନ୍ତଗୁଡିକ ସ୍ପଷ୍ଟ ଦେଖାଯାଏ,ଝୁମଝୁମି କୁ ଧରି ପୁଣି ସେଇ ଖେଳ । ପତ୍ର ଦୋହଲେ,ଜଳ ଠୋପା ପଡେ ,ଖେଳନା ଝମଝମ କରି ଉଠେ।ଏଥର ଶିଶୁ ତାହାର ଗୋଟିଏ ହାତ ଅଙ୍ଗରଖାର ଉଦ୍ଦେଶ୍ୟରେ ବଢାଇଦିଏ ,ହାତଟା ଏକାକୀ ଭୟଙ୍କର ଭାବରେ ପାଦରୀକୁ ଖୋଜୁଛି ଆଉ ଆର ହାତ କ୍ରୀଡାରତ ।
ପାଦରୀର ଅଙ୍ଗରଖାର ଖବର ନପାଇ ଚକିତ ହୋଇ ଶିଶୁ ଫେରି ଚାହିଁଲେ,ଚାରିଆଡକୁ ଚାହିଁଲେ ,ଓଠରେ କଂପନ ଆଉ କାନ୍ଦ ,”ବା ..ଓ ..ବା..”କାନ୍ଦି ପକେଇଲା ଶେଷରେ। ଚାରି ଆଡକୁ ଚାହିଁବା ଆଉ ଅସମ୍ଭବ କ୍ରନ୍ଦନ -ପୃଥିବୀକୁ ଆସିବାର ପହିଲି ଦିନ ସେ ଏମିତି କାନ୍ଦିଥିଲା ।
କାନ୍ଦଣାର ଶବ୍ଦ ମତିଲାଲକୁ ବିଚଳିତ କରିଲା ନାହିଁ ,ସାପ ତଡିଛି ଯେମିତି ଟିକିଏ ଦୌଡି ଯାଇ ହଠାତ୍ ଗୋଟିଏ ପୁରୁଷେ ଗଭୀର ଗାତରେ ପିଛଳି ପଡିଲେ ସେ,ଦେହସାରା କାଦୁଅ ,କାନ୍ଦଣାର ଶବ୍ଦ ଏବେବି ଆସୁଛି । ଚୋର ଭଳି ସନ୍ତର୍ପଣରେ ଉଠି ବାହାରକୁ ମୁହଁ ବାହାର କରି ଦେଖିଲେ ।
ଏଇଠୁ ଦେଖା ଯାଏ । ଶିଶୁଟି କାନ୍ଦି କାନ୍ଦି ଆଗେଇ ଆସୁଛି ।ଏଥର ଟିକିଏ ଶୁଖିଲା ଭୂଇଁ ର ଉପରେ ପଡି ଟିକିଏ ଗୁରୁଣ୍ଡି ଗୁରୁଣ୍ଡି ସେ କୌଣସି ମତେ ଉଠି ଛିଡା ହେଲା । ତାହାର କୋମଳ ଆଣ୍ଠୁରେ ଗୋଡି ର ରଗଡିଯିବାର ଦାଗ ,ଆଉ ରକ୍ତ ।
ଏଇ ପ୍ରକାଣ୍ଡ ବନଭୂଇଁ ସୁଦୀର୍ଘ ବୃକ୍ଷରାଜି ତୀର୍ଯକ ଆଲୋକପାତ । ସମସ୍ତ କିଛି ରହସ୍ୟମୟ । ଶିଶୁର ଭୀତ ଆଖି ଏଇଲେ କାହାକୁ ଖୋଜୁଛି ,ଆଖିକୁ ଅନବରତ ହାତରେ ପୋଛିବା ଫଳରେ ମୁଖମଣ୍ଡଳ ମଳିନ । ସେ କାନ୍ଦେ,ଆଗେଇ ଆସେ ।
ଆଲୁଅ ଭେଦ କରି ତାହାର କାନ୍ଦଣାର ଶବ୍ଦ । ପକ୍ଷୀ ଉଡି
ଯାଏ ଆଉ ଦୁଇ ଚାରୋଟି ଶାଳ ଫୁଲ ପର ଭଳି ଦୋହଲି ଦୋହଲି ତଳକୁ ଖସୁଥାଏ । ଶିଶୁପୁତ୍ର ଟଳଟଳ ହୋଇ
ଆସୁଛି ।
ପାଦରୀ ନିଜର ବୁକୁରେ ଯେମିତି ଲାଠିର ପାହାର ବସାଇ ତେଇଁ ପଡି ଦୌଡି ଦୌଡି ଶିଶୁର ପାଖକୁ ଆସି ଖସିପଡିଲେ ।ତାହାର ଛୋଟ ଦେହରେ ନିଜର ମୁହଁକୁ ଘଷି ଘଷି କ୍ଷୀଣ ସ୍ୱରରେ କହିଲେ,” ମୋ ପ୍ରାଣ ,ପ୍ରାଣରେ ମୋର ।”
ତାହାର ଆଣ୍ଠୁକୁ ନିଜର ଆଖିର ଲୁହରେ ଧୋଇଦେବା ବେଳେ କହିଥିଲେ,” ମୁଁ ସତ ରେ ଖ୍ରୀଷ୍ଟାନ ନୁହଁ ରେ ବାପ !”
କମଳ କୁମାର ମଜୁମଦାର (୧୯୧୪–୧୯୭୯) ବଙ୍ଗଳା କ୍ଷୁଦ୍ରଗଳ୍ପର ଏକ ଅଗ୍ରଜ କଥାକାର ଯାହାଙ୍କର ପ୍ରଭାବ ପରବର୍ତ୍ତି ବଙ୍ଗଳା ସାହିତ୍ୟରେ ଏକ ପ୍ରକାର ଅପ୍ରତିରୋଧ୍ୟ କହିଲେ ଅତ୍ୟୁକ୍ତି ହେବ ନାହିଁ । କଥା ସାହିତ୍ୟରେ ବଖାଣ କଳାରେ ସେ ଏକ ଭିନ୍ନ ଶୈଳୀର ଗଦ୍ୟଭାଷାର ପ୍ରବର୍ତ୍ତନ କରିଯାଇଛନ୍ତି । ତାଙ୍କର କାହାଣୀ–ଭାଷାରେ ଆପଣମାନେ ଦେଖିପାରିବେ ଏକ ସୁସଞ୍ଜତ ଭାଷା ବିନ୍ୟାସ ଯେଉଁଠି ଗୀତିମୟତା ଏବଂ ଚିତ୍ରମୟତା ଉଭୟ ପରିସ୍ଫୁଟିତ ହୋଇଥାଏ। କମଳ କୁମାରଙ୍କ ବଖାଣରେ ଯେଉଁ ଚିତ୍ରମୟତା ଦେଖାଯାଏ ସେଥିରେ ବସ୍ତୁତଃ “କଳ୍ପଚିତ୍ର,ଶବ୍ଦଚିତ୍ର ଆଉ ଉପମା ଚିତ୍ର ” ସମାହିତ ହୋଇ ରହିଥାଏ।
ଏଠାରେ ଅନୁସୃଜିତ କାହାଣୀ ସମେତ କମଳ କୁମାରଙ୍କ ଯେ କୌଣସି କାହାଣୀ ପଢିଲେ ଆପଣ ଗୋଟିଏ କଥା ତେଣୁ ନିର୍ଦ୍ଦିଷ୍ଟ ଭାବରେ ଦେଖିପାରିବେ,ତାହା ହେଉଛି ତାଙ୍କର କାହାଣୀକୁ ପଢିବା ସଂଗେ ସଂଗେ ଆପଣଙ୍କୁ କାହାଣୀର ଦୃଶ୍ୟରୂପଟି ବି ଦିଶିଯାଉଥିବ। ଅନେକ କାହାଣୀ ଆମକୁ ଅନେକ କିଛି ପ୍ରରୋଚିତ କରିବା ଭଳି ଅର୍ଥାତ୍ କଳ୍ପନା କରିବା ଭଳି ବସ୍ତୁସ୍ଥିତିରେ ରହିବା ପାଇଁ ବାଧ୍ୟ କରିଥାଏ ,କିଛି ଗପ ଆମକୁ ଦୃଶ୍ୟପରେ ଦୃଶ୍ୟ ଦେଖାଇ ଚାଲିଥାଏ। କମଳ କୁମାରଙ୍କ କାହାଣୀ ହେଉଛି ଦେଖାଇବାର କାହାଣୀ। କାହାଣୀ ସଂପର୍କରେ ପ୍ରଚଳିତ ଆପ୍ତବାକ୍ୟ “କୁହ ନାହିଁ ,ଦେଖାଅ ” ଯେମିତି କମଳକୁମାରଙ୍କର କାହାଣୀର “ମାକ୍ସିମ୍“। କମଳ କୁମାର କାହାଣୀକୁ ଦେଖାଇଦେଇଥାନ୍ତି । ତାଙ୍କର କାହାଣୀ ପଢିଲେ ଲାଗିବ ଆମେ ଯେମିତି ଗୋଟିଏ ଚିତ୍ରନାଟ୍ୟ ପଢୁଛୁ ଯେଉଁଠି ଚରିତ୍ର ର ଭାଷା ଭଂଗିମା ଏବଂ ଗତି ସବୁ ଟିକିନିଖି ଭାବରେ ଯାହାକୁ କହନ୍ତି “କୋରିଓଗ୍ରାଫ” କରାଯାଇଅଛି ।
କାହାଣୀର ଅନନ୍ୟ କଥାବସ୍ତୁ ଏବଂ ଚିତ୍ରନାଟ୍ୟଧର୍ମୀତା କାରଣରୁ କମଳକୁମାରଙ୍କ କାହାଣୀ ନିର୍ଭର କରି ଅନେକ ଗୁଡିଏ ଚଳଚ୍ଚିତ୍ର ବଙ୍ଗଳା ଭାଷାରେ ନିର୍ମିତ ହୋଇ ଚିତ୍ରଆଲୋଚକଙ୍କ ଦୃଷ୍ଟି ଆକର୍ଷଣ କରିଛନ୍ତି। କମଳକୁମାର ଙ୍କ କାହାଣୀ ଆଧାରିତ ଚିତ୍ରମାନଙ୍କ ମଧ୍ୟରେ ପ୍ରମୁଖ ହେଉଛି,”ଅନ୍ତର୍ଜଳୀ ଯାତ୍ରା“,”ତାହାଦେର କଥା“,”ନିମ ଅନ୍ନପୂର୍ଣ୍ଣା” ଏବଂ “ଆମୋଦିନୀ” । କମଳକୁମାର ଙ୍କ ସଂପର୍କରେ ଏଇଠି ଗୋଟିଏ କଥାର ଉଲ୍ଲେଖ କରିବା ଆବଶ୍ୟକ ଯେ,କମଳକୁମାର ପ୍ରଖ୍ୟାତ ଚିତ୍ରପରିଚାଳକ ସତ୍ୟଜିତ୍ ରାୟ,ଚିତ୍ର ସମାଲୋଚକ ଚିଦାନନ୍ଦ ଦାଶଗୁପ୍ତ ଙ୍କର ଘନିଷ୍ଟ ବନ୍ଧୁ ଥିଲେ । ସତ୍ୟଜିତ୍ ରାୟଙ୍କର ପ୍ରଖ୍ୟାତ ଚିତ୍ର “ପଥେର ପାଞ୍ଚାଲି” କୁ ଦେଖିବା ପରେ କମଳକୁମାର ସେଥିରେ ସନ୍ତୁଷ୍ଟ ହୋଇନଥିଲେ । ସତ୍ୟଜିତ୍ ରାୟ ଏକଥା ଜାଣିବା ପରେ କହିଥିଲେ,”ଗାଆଁର ପୃଷ୍ଠଭୂମୀରେ ଛବି କରି କମଳକୁମାର ଙ୍କୁ ସନ୍ତୁଷ୍ଟ କରିବା ସହଜ ନୁହଁ।“
ଏଠାରେ ସଂଯୋଜିତ କାହାଣୀ “ମତିଲାଲ ପାଦରୀ” ହେଉଛି ଗୋଟିଏ ନିହାତି ସଂବେଦନଶୀଳ କାହାଣୀ। ମାନବିକ ସନ୍ଥପଣ ଆଉ ଦୈହିକତା ର ଭିତରେ ସଂତୁଳିତ ପାପ ଆଉ ପ୍ରାୟଶ୍ଚିତ ର ଏଇଟି ଏକ ଅନବଦ୍ୟ ସ୍ୱୀକାରୋକ୍ତି।