ମାରିଓ ଭର୍ଗାସ୍ ୟୋସା ।। ଜେଜେ ବାପା

ପ୍ରତିଥର ଡାଳଟିଏ ଭାଙ୍ଗିଯିବାର ଶବ୍ଦ ହେଲେ ବା ବେଙ୍ଗଟିଏ କେଉଁଠୁ ବୋବାଇବାକୁ ଆରମ୍ଭ କଲେ ଅଥବା ବଗିଚା ପଛପଟରେ ଥିବା ରୋଷେଇଘର ଝରକାର କବାଟମାନ ପିଟି ହେଲେ ଏଇ ବୁଢାଲୋକଟି ବୁଢାଲୋକମାନେ ଯେମିତି ନିଜ ଜାଗାରୁ ସତର୍କତାର ସହ କୌଣସି ଅଘଟଣ ଶୁଣି ଡେଇଁପଡିଥାନ୍ତି ଠିକ୍ ସେମିତି ସେ ଡେଇଁ ପଡନ୍ତି ଗୋଟିଏ ସମତଳ ପଥର ଉପରେ ତିଆରି ତାଙ୍କର ଚୌକୀର ଉପରୁ ଆଉ ନିହାତି ସତର୍କ ଭାବରେ ସେ ଚାହାଁନ୍ତି ସେଇ ଗହଳିଆ ଡାଳପତ୍ରର ଭିତରକୁ। ହେଲେ ସେ ବାଳକଟି ତଥାପି ଆସିନାହିଁ। ଖାଇବା ଘରର ଝରକାରୁ ଦେଖାଯାଉଥିବା ବଗିଚା ପଟକୁ ସେ ଦେଖିଲେ,ଯଦିଓ କିଛି ସମୟ ଆଗରୁ ଛାତରୁ ଝୁଲୁଥିବା ଝାଡବତୀ ସବୁ ଜାଳିବା କାମ ସରିଲାଣି ଆଉ ତାହାର ତଳେ ଦେଖାଯାଉଛି ପରଦାରେ ଛାଇଗୁଡିଏ ଏପଟ ସେପଟ ହେଉଛନ୍ତି, ସନ୍ତର୍ପଣରେ। ସେ ଯେବେ ପିଲା ଥିଲେ ସେବେଠାରୁ ତାଙ୍କର ସମୀପଦୃଷ୍ଟିଦୋଷ ରହିଛି ଅର୍ଥାତ୍ ଦୂରପଦାର୍ଥମାନ ତାଙ୍କୁ ଝାପସା ଦିଶେ ଆଉ ପାଖ ଜିନିଷ ସବୁ ନିହାତି ପରିଷ୍କାର,ସେଇଥିପାଇଁ ସେମାନଙ୍କର ଖାଇବା କାମ ଶେଷ ହୋଇଗଲାଣି କି ସେଇ ଅସ୍ଥିର ଛାଇମାନେ ଗଛର ଉଚ୍ଚ ଡାଳରୁ ଆସି ପହଞ୍ଚିଯାଇଛନ୍ତି ,ସେ କଥା ଠଉରେଇ ଜାଣିବା ତାଙ୍କ ପକ୍ଷରେ ସମ୍ଭବ ହେଉନାହିଁ।

ସେ ନିଜ ପଥର ଚୌକି ପାଖକୁ ଫେରିଗଲେ ଆଉ ଅପେକ୍ଷା କଲେ। ଗଲା ରାତିରେ ଭାରି ବର୍ଷା ହୋଇଥିଲା ଆଉ ଭୂଇଁରୁ ଆଉ ଫୁଲମାନଙ୍କରୁ ସେଇଥିପାଇଁ ଗୋଟିଏ ମତାଣିଆ ଭିଜା ବାସ୍ନା ଆସୁଛି। ମାତ୍ର ପୋକଯୋକମାନେ ଭାରି ସଂଖ୍ୟାରେ ଜମା ହୋଇଯାଉଛନ୍ତି,ନିଜର ହାତ ଆଉ ମଥାକୁ ଯେତେ ଛାଟିଲେ ବି ଡନ୍ ଇଉଲୋଜିଓ ସେମାନଙ୍କୁ ସେଇଠୁ ଘଉଡାଇଦେବାକୁ ତଥାପି ସମର୍ଥ ହେଉନାହାଁନ୍ତି; ପ୍ରତି ସେକେଣ୍ଡରେ, ସେଇ ଅଦୃଶ୍ୟ ଶକ୍ତିଧରମାନେ ତାଙ୍କର ଚେହେରାର ସଂବେଦନଶୀଳ ଇଲାକା ଗାଲ, କପାଳ ,ଏପରିକି ତାଙ୍କର ଆଖିପତାର ଉପରକୁ ଥରକୁ ଥର କାମୁଡି ଦେଉଛନ୍ତି। ଆଗ୍ରହ ଆଉ ଉନ୍ମାଦନା ଯାହା ତାଙ୍କୁ ସବୁବେଳେ ପ୍ରସ୍ତୁତ କରି ରଖିଥିଲା,ଦିନସାରା ଟିକିଏ ଜରୁଆ ଜରୁଆ ଲାଗୁଥିଲେ ବି ଏଇଲେ ସେମିତି ଲାଗୁନି ଆଉ ଏଇଲେ ତାଙ୍କୁ ଅବଶ୍ୟ ଟିକିଏ ଦୁର୍ବଳ ଲାଗୁଛି ,ଆଉ ତାଙ୍କର ମନ ଖରାପ ଅଛି । ତାଙ୍କୁ ଶୀତ ଲାଗୁଛି,ବିଶାଳ ବଗିଚାର ଚାରିଆଡର ଅନ୍ଧାର ତାଙ୍କୁ ଅସ୍ଥିର କରୁଛି ଏବଂ କାହାର ଏକ ନିରବଚ୍ଛିନ୍ନ ଆଉ ବିରକ୍ତିକର ଉପସ୍ଥିତି ର କାରଣରୁ ସେ ବାରଂବାର ଆହତ ହେଉଛନ୍ତି,ସେଇ ଲୋକଟା ରୋଷେଇଆ ହୋଇପାରେ ବା ହୋଇପାରେ ଜଣେ ପରିଚାରକ,ଯିଏ ତାହାର ଲୁଚିବା ଜାଗାରୁ ହଠାତ୍ ବାହାରିପଡି ତାଙ୍କୁ ଚମକାଇ ଦେଇପାରେ। “ଦନ୍ ଇଉଲୋଜିଓ, ରାତିର ଏତିକିବେଳେ ଆପଣ ଏଇ ବଗିଚା ଭିତରେ ରହି କରୁଛନ୍ତି କ’ଣ ?” ତାହାପରେ ତାଙ୍କର ପୁଅ ଆଉ ଜାମାତାମାନେ ଯଥାଶିଘ୍ର ଦୌଡି ଆସିବେ,ଆଉ ନିଶ୍ଚିତ ହୋଇଯିବେ ଯେ ଏଇ ଲୋକଟାର ମୁଣ୍ଡଦୋଷ ରହିଛି। ନର୍ଭସ୍ ହେବା କାରଣରୁ ସେ ଥରୁଥାନ୍ତି,ନିଜର ମଥାକୁ ସେ ଟିକିଏ ପଛକୁ ବୁଲାଇନେଲେ, ସେ ବାଛିଥିଲେ ଯେଉଁ ରାସ୍ତାଟି ସେଇ ସରୁ ରାସ୍ତାଟି କହିବାକୁଗଲେ ଛୋଟ ଛୋଟ ବୁଦାଗଛ ଆଉ କ୍ରିସାନ୍ଥେମମ ଫୁଲର ଗଛର ମଝିରେ ପଡିଥିବା ସେ ରାସ୍ତା,ସ୍ପାଇକନେଦ ଭଳି ସୁବାସିତ ଔଷଧୀ ଫୁଲ ଆଉ ଗୋଲାପର ମଝିରେ ସେ ରାସ୍ତା,ରାସ୍ତାଟି ପଛ କବାଟ ପର୍ଯ୍ୟନ୍ତ ଯାଇଛି,ପାରାଘରର ପାଖ ଦେଇ ଯାଇଛି ସେ ରାସ୍ତା। ମନରେ ହେଜିଲା ବେଳେ ଏକଥା ତାଙ୍କୁ ସେତିକି ଶାନ୍ତ କରିନଥିଲା ଯେ ସେ ନିଜେ ତିନିଥର ପରୀକ୍ଷା କରି ଦେଖିଥିଲେ ଯେ ପଛ କବାଟଟି ଭଲଭାବରେ ବନ୍ଦ ଅଛି,ତାହାର ଶିକୁଳୀକୁ ଖୋଲିହେବ ନାହିଁ ଏବଂ ଏହାପରେ ଆଉ ଅଳ୍ପ କିଛି ସେକେଣ୍ଡ ମାତ୍ର ଲାଗିବ,ତାଙ୍କୁ କେହି ଦେଖିପାରିବେ ନାହିଁ,ସେ ସିଧା ଯାଇ ପହଞ୍ଚିଯିବେ ସହରର ରାଜରାସ୍ତାରେ ।

ଏବଂ ଯଦି ସେ ସେଇଠି ପହଞ୍ଚିଯାଇଛନ୍ତି ତାହେଲେ ହେବ କ’ଣ ? ସେ ଥରି ଥରି ଏକଥାକୁ ଭାବିଥିଲେ। କାରଣ ସେଇଠି ଥିଲା ଗୋଟିଏ ସେକେଣ୍ଡ,କିଛି ମିନିଟ, ସେ ଲୁଚିଛପି ନିଜ ଘରର ଭିତରେ ପହଞ୍ଚିଯାଇଛନ୍ତି,ବଗିଚାରୁ ଆସିବା ପାଇଁ ଯେଉଁ ବାଟ ଟି ଥିଲା ଯାହାକୁ ସମସ୍ତେ ଭୁଲିଯାଇଥିଲେ,ଯେତେବେଳେ ସେ ନିଜର ସମୟବୋଧକୁ ହରାଇବସିଛନ୍ତି,ରହିଛନ୍ତି ଜଣେ ଯେମିତି ରହିଥାଏ ଗାଢ ନିଦରେ । ଯିବା ସମୟରେ ଯେତେବେଳେ ସେ ଯେଉଁ ଯେଉଁ ପଦାର୍ଥଗୁଡିକୁ ଛୁଇଁ ଛୁଇଁ ଯାଉଥିଲେ ତାହା ତାଙ୍କର ହାତରୁ ଖସିଯାଇ ତାଙ୍କର ଜଙ୍ଘରେ ପିଟିହେଉଥିଲା ଆଉ ସେତେବେଳେ ଯାଇ ସେ ଜାଣିପାରୁଥିଲେ ଅସଲରେ ସେଇ ପଦାର୍ଥଗୁଡିକ କ’ଣ। ହେଲେ ଏହା ସବୁବେଳେ ସମ୍ଭବ ନୁହଁ। ପିଲାଟି ଏଯାଏଁ ବଗିଚାକୁ ପାର ହୋଇ ଯାଇନାହିଁ,କାରଣ ତାହାର ଭୟାର୍ତ୍ତ ପାଦ ହଳକ ହୁଏତ ଏଇ ବୁଢାକୁ ନିଦରୁ ଉଠାଇଦେବ ଅଥବା ସେଇ ଛୋଟ ପିଲାଟି ପାଟି କରି ଉଠନ୍ତା ଯେତେବେଳେ ସେ ଜାଣିପାରନ୍ତା ଯେ ତାହାର ଜେଜେବାପା ସାମ୍ନା ପଟକୁ ନଇଁ ପଡିଛନ୍ତି ଆଉ ଶୋଇପଡିଛନ୍ତି,ଠିକ୍ ସେଇ ବାଟର ଗୋଟିଏ କୋଣରେ ଯାହା ତାଙ୍କୁ ସିଧା ରୋଷେଇ ଘରକୁ ନେଇଯିବ।

ଏପରି ଚିନ୍ତା ତାଙ୍କୁ ଉତ୍ସାହିତ କରେ। ପବନ ଥମିଗଲାଣି, ପାରିପାର୍ଶ୍ୱିକ ସହିତ ଏକାତ୍ମ ହୋଇସାରିଲାଣି ତାଙ୍କର ଶରୀର, ସେ ଆଉ ଥରୁନାହାଁନ୍ତି । ନିଜର ପିନ୍ଧା ଜାକେଟ୍ ର ପକେଟ୍ ରେ ହାତ ପୂରାଇ ସେ ପାଇଗଲେ ସେହି ଶକ୍ତ,ସିଲିଣ୍ଡର ଆକୃତି, ଗୋଲାକାର ମହମବତୀଟିକୁ ଯାହାକୁ ସେ ସେଦିନ ଅପରାହ୍ନରେ ପାଖ କର୍ଣ୍ଣର ଷ୍ଟୋର୍ ରୁ କିଣିଆଣିଥିଲେ। ଖୁସି ହୋଇଯାଇ ସେ ଅନ୍ଧାରରେ ଟିକିଏ ହସିଥିଲେ : ସେ ମନେପକାଇଲେ ପଦାର୍ଥକୁ ବିକ୍ରି କରିବା ପାଇଁ ଉପସ୍ଥିତ ଥିବା ମହିଳା ଜଣକର ମୁହଁରେ ଉକୁଟି ଉଠିଥିବା ସେସମୟର ଆଶ୍ଚର୍ଯ୍ୟ ଅଭିବ୍ୟକ୍ତିକୁ। ସେ ଗମ୍ଭୀରତାର ସହିତ ଛିଢା ହୋଇ ରହିଥିଲେ,ନିଜର ଯୋତାର ତଳରେ ଭୁଇଁକୁ ଠୁକଠୁକ କରିବା, ଧାତୁରେ ଛାଉଣୀ ଆଉ ଲମ୍ବା ନିଜର ଚାଲିବାବେଳର ସଂଗୀ ବାଡି ଖଣ୍ଡିକରେ ମୃଦୁ ଆଘାତ କରିବା ଆଉ ଗୋଲାକାର ଭାବରେ,ଯେତେବେଳେ କି ତାଙ୍କର ଆଖି ଆଗରେ କ୍ଷୟ ହୋଇଯାଇଥିବା ଭିନ୍ନ ଭିନ୍ନ ଆକୃତିର ମହମବତୀକୁ ଧରି ଅତିକ୍ରମ କରୁଥିଲା ସେଇ ନାରୀଟି। “ସେଇଟା” ସେ ହାତରେ ଦେଖାଇଦେବା ସହିତ ପାଟିକରି କହିଥିଲେ ଯାହାର ଅର୍ଥ ଥିଲା ଏଇ କଥା ଦେଖାଇଦେବା ପାଇଁ ଯେ ସେ ଯେଉଁ କାର୍ଯ୍ୟଟି କରିବାକୁ ଯାଉଛି ତାହା ସହିତ ତା’ର ବିରକ୍ତି ଆଉ ଅସହମତି ରହିଛି। ସେଲସ୍ଓମ୍ୟାନ୍ ବାଧ୍ୟ କରିଥିଲା ଯେ ଜିନିଷଟିକୁ ଭଲଭାବରେ କାଗଜରେ ଗୁଡାଇ ବା ରାପର୍ କରିକି ନେବା ପାଇଁ,ହେଲେ ଦନ୍ ଇଉଲୋଜିଓ ସେଥିରେ ରାଜି ହୋଇନଥିଲେ ଆଉ ହଠାତ୍ ଷ୍ଟୋର୍ କୁ ଛାଡି ସେଇଠୁ ବାହାରି ଯାଇଥିଲେ। ଅପରାହ୍ନର ବାକିଟା ସମୟ ସେ ନେସନାଲ୍ କ୍ଲବରେ ଥିଲେ,ନିଜକୁ ତାସ୍ ଖେଳର ଛୋଟିଆ ଘରଟିରେ ଆବଦ୍ଧ କରି ରଖିଥିଲେ,ସେଇଠିକୁ କେହିକେବେ ଯାଆନ୍ତି ନାହିଁ। ତଥାପି,ପରିଚାରିକାମାନଙ୍କ ଦୃଷ୍ଟିକୁ ଏଡାଇଯିବା ପାଇଁ ସେ ଯେଉଁ ପ୍ରତିଷେଧକ ନେଇ ଥିଲେ ତାହା ଏପରି ଏକ ଚରମ ଅବସ୍ଥା ଗ୍ରହଣ କରିଥିଲା ଯେ ସେ ଘରର କବାଟଟିକୁ କିଳି ଦେଇଥିଲେ। ତାହାପରେ ଉଜ୍ଜଳ ଲାଲ ରଂଗର ଆରାମ ଚେୟାର ର ଉପରେ ବସି ସେ ସାଥିରେ ଧରି ଆସିଥିବା ବ୍ରିଫକେଶ୍ ଟିକୁ ଖୋଲିଥିଲେ,ସେଥିରୁ ବାହାର କରିଥିଲେ ସେହି ଦାମିକା ପାକେଟ୍ ଟିକୁ। ସେ ତାହାକୁ ତାଙ୍କର ନିଜର ଧଳାରଙ୍ଗର ସିଲ୍କ ସ୍କାର୍ଫରେ ଭଲକରି ଗୁଡାଇ ନେଲେ,ଠିକ୍ ସେଇ ଭଳି ସମାନ ଧଳା ରଙ୍ଗର ସ୍କାର୍ଫ ଖଣ୍ଡିଏ ସେ ସେଦିନର ଅପରାହ୍ନ ରେ ପରିଧାନ କରିଥିଲେ।

ଗୋଧୂଳୀର ଅଧିକାଂଶ ପାଉଁଶବେଳାରେ ସେ ଗୋଟିଏ ଟାକ୍ସି ଧରନ୍ତି,ଟାକ୍ସିର ଡ୍ରାଇଭର୍ କୁ କହନ୍ତି ସେ ଯେମିତି ତାଙ୍କୁ ସହରତଳୀ ଅଂଚଳକୁ ଘୁରାଇ ଘୁରାଇ ଦେଖାଏ : ଗୋଟିଏ ମନ୍ଦ ମଧୁର ପବନ ବହୁଛି ଆଉ ଆକାଶଟି, ଧୂସର ଆଉ ଲାଲ ରଂଗର ମଝାମଝି,ଅଧିକ ରହସ୍ୟମୟ ମନେହେଉଛି ସହରର ସେଇ ଉପାନ୍ତ ଇଲାକା । କାର୍ ଟି ଯେତେବେଳେ ପିଚୁବୋଳା ରାସ୍ତାରେ ନିହାତି ମସୃଣ ଭାବରେ ଗଡିଚାଲିଥିଲା,ଏଇ ବୁଢାଲୋକଟିର ଆଖିହଳକ ଉଜ୍ଜଳି ଉଠୁଥିଲା-କହିବାକୁ ଗଲେ ତାଙ୍କର ବୟସଭାରାରେ ଶିଥିଳ ମୁହଁର ଏଇଟି ଏକମାତ୍ର ଚଳଚଞ୍ଚଳ ଚିହ୍ନ-ହେଲେ ସେ ସେମିତି ଆଖିଝଲସା ଦୃଷ୍ଟିପାତ କରୁନାହାଁନ୍ତି ତାଙ୍କର ଯାଉଥିବା ବାଟରେ,ତାଙ୍କର ଯାଉଥିବା ବାଟ ସହିତ ସମାନ୍ତରାଳ ଭାବରେ ଯାଇଥିବା ଏକ କେନାଲ ର ଉପରେ,ଆଉ କେନାଲଟିର ଶେଷ ପ୍ରାନ୍ତରେ ପହଞ୍ଚିବା ବେଳକୁ ଦେଖାଯାଉଥିଲା ତାଙ୍କର ଏପରି ଭାବଭଙ୍ଗି,ତାହାକୁ ଯେମିତି ସେ ଏଇମାତ୍ର ଦେଖୁଛନ୍ତି।

“ଗାଡିକୁ ରଖ” ସେ କହିଲେ,ହେଲେ ଡ୍ରାଇଭର ସେକଥା ଶୁଣିପାରିଲା ନାହି। “ଗାଡି ରଖ।ରଖ୍।” ଗାଡିଟି ଅଟକି ଗଲା ଆଉ ସେ ପଥରର କୁଦ ପାଖକୁ ଫେରି ଯାଇଥିଲେ,ଦନ୍ ଇଉଲୋଜିଓ ତାହାକୁ ଭଲ ଭାବରେ ପରୀକ୍ଷା କରିଥିଲେ ଯେ ଏଇଟି ହେଉଛି ପ୍ରକୃତରେ ଗୋଟିଏ ଖପୁରୀ। ତାହାକୁ ନିଜର ଦୁଇହାତରେ ଧରି ସେ ଭୁଲିଗଲେ ପବନ ଆଉ ସେଇ ସହରତଳୀ ଅଞ୍ଚଳ ଏବଂ ବର୍ଦ୍ଧିତ ଉତ୍କଣ୍ଠାର ସହିତ ଟିକିନିଖି ଭାବରେ ସେ ସେହି କଠିନ,ଅନମନୀୟ ,ବିରୂପ ଏବଂ ଅପ୍ରବେଶ୍ୟ ଆକାରଟିକୁ ଅନୁଧ୍ୟାନ କରୁଥିଲେ,ତାହାର ଦେହରେ ମାଂସ କି ଚମଡା ନାହିଁ,ନାକ ନାହିଁ,ଆଖି ନାହିଁ,ଜିଭ ନାହିଁ। ଆକାରରେ ଏହା ଛୋଟ,ଏଣୁ ତାଙ୍କୁ ଏପରି ଲାଗିବା ଠିକ୍ ମନେହେଉଥିଲା ଯେ,ସେଇଟି କୌଣସି ଏକ ପିଲାର । ସେଇଟି ମଳିଛିଆ ଦିଶୁଥିଲା ଆଉ ଧୂଳିବାଲିରେ ଆଚ୍ଛାଦିତ ଥିଲା ଆଉ ତାହାର କପାଳର ଉପରି ଭାଗରେ ମୁଦ୍ରା ଆକାରର ଗୋଟିଏ କଣା କରାଯାଇଥିଲା । ନାସାରନ୍ଧ୍ରର କଣା ଗୋଟିଏ ସୁନ୍ଦର ତ୍ରିଭୂଜାକୃତିର ଥିଲା,ନାକ ଠାରୁ ପାଟି ସ୍ୱତନ୍ତ୍ର,ତାହାର ମଝିରେ ରହିଛି ହଳଦିଆ ଓଠର ଉପରିଭାଗ। ସେହି ଛିଦ୍ର ଗୁଡିକରେ ନିଜର ଆଙ୍ଗୁଳିକୁ ଭର୍ତ୍ତିକରିବାରେ ତାଙ୍କୁ ଭାରି ମଜା ଲାଗୁଥାଏ। ସେ ସେଇ ଖପୁରୀ ର କପାଳର ଉଭୟପଟେ ନିଜର ଦୁଇପାପୁଲିକୁ ଟୋପି ଭଳି କରି ରଖୁଥାନ୍ତି,ହାତକୁ ମୁଠି କରି ତାହାର ମୁହଁ ପଟକୁ ଘୁଷି ମାରିବା ଭଳି ଆକ୍ରମଣ କରିବାର ଭଙ୍ଗି କରୁଥାନ୍ତି,ତାହା ସହିତ ଏଇଭଳି ଅନେକ ଗୁଡିଏ ଭଙ୍ଗି ର ଅଭିନୟ କରିବା ବେଳେ ସେ ନିଜକୁ ଭରପୁର ଆନନ୍ଦ ପ୍ରଦାନ କରୁଥାନ୍ତି,କଳ୍ପନା କରୁଥାନ୍ତି ଯେମିତି ସେଇଟା ଜୀବନ୍ତ ।

ନିଜର ଏଇ ଆବିଷ୍କାର ବିଷୟରେ ଆଉ କାହାରିକୁ କିଛି ନକହି, ସେ ସେଇଟିକୁ ଗୋପନ ଭାବରେ ଲୁଗାରେ ଗୁଡାଇ ତାଙ୍କର ବ୍ରିଫକେଶ୍ ରେ ରଖିଥିଲେ ଦୋଇ ଦିନ ପାଇଁ,ଏଇ ଦୁଇ ଦିନ ସେ ସୂଚନା ଦପ୍ତରରେ ରହିଥିଲେ। ତାଙ୍କର ଏପରି ଏଇ ଆବିଷ୍କାର ର ପରଦିନ ଅପରାହ୍ନରେ,ସେ ନିଜ ରୁମ୍ ରେ ବସିଥିଲେ,ନିଜର ପୂର୍ବପୁରୁଷଙ୍କ ମହଙ୍ଗା ଆଉ ବିଳାସବହୁଳ ଆସବାବ ପତ୍ର ଗୁଡିକ ଭିତରେ ଏପଟ ସେପଟ ହେଉଥିଲେ ସେ। ସେ ପ୍ରାୟତଃ ମଥାକୁ ଉପରକୁ କରୁ ନଥିଲେ: ଏକଥା କୁହାଯାଇ ପାରିବ ଯେ ବିଶେଷ ମନୋଯୋଗ ସହକାରେ ପରୀକ୍ଷା କରୁଥିଲେ,କିଛି ପରିମାଣର ଭୟ ଥିଲା ସେଥିରେ ଆଉ କିଛି ଦୁର୍ଦ୍ଦାନ୍ତ ଯାଦୁଭରା ଚରିତ୍ର କାର୍ପେଟ୍ ର ମଝିରେ ବୃତ୍ତାକାରରେ ତାଙ୍କୁ ଘେରି ରହିଥିଲେ,ମାତ୍ର ତାଙ୍କର ଦୃଷ୍ଟି ସେମାନଙ୍କର ଉପରେ ନଥିଲା। ପ୍ରଥମରେ ତାଙ୍କର କୌଣସି ସ୍ଥିର ନିଷ୍ପତ୍ତି ନଥିଲା,ସେ ଚିନ୍ତିତ ଥିଲେ;ପାରିବାରିକ ସମସ୍ୟା ଉପୁଜିପାରେ ; ହୁଏତ ସେମାନେ ତାଙ୍କୁନେଇ ଥଟ୍ଟାମଜା କରିପାରନ୍ତି। ଏଇ ଧାରଣାଟି ତାଙ୍କୁ ବିରକ୍ତ କରୁଥିଲା,ଆଉ ସେ ନିଜକୁ ଅସହାୟ ମନେକରିଥିଲେ ଆଉ କାନ୍ଦିବାକୁ ଇଚ୍ଛା କଲେ। ସେହି ସମୟ ଠାରୁ ଏଇ ପ୍ରକଳ୍ପଟି ତାଙ୍କର ମଥାରୁ କେବେହେଲେ ଦୂର ହୋଇଯାଇନାହିଁ ମାତ୍ର ଥରେ, ଏକଥା ସେତେବେଳର ଯେବେ,ଝରକା ସାମ୍ନାରେ ଛିଡା ହୋଇ ,ସେ ଅଂଧାରୁଆ ପାରା-ଘରଟିର କଥା ଚିନ୍ତା କରୁଥିଲେ,ଭର୍ତ୍ତି ରହିଛି ସେଥିରେ ଅନେକ କଣା, ଆଉ ମନେ ପକାଇଲେ କେଉଁଭଳି ଥରେ ସେଇ ଛୋଟିଆ କାଠରେ ତିଆରି ଘରଟି ଯାହାର ଥିଲା ଅନେକଗୁଡିଏ ଯିବା ଆସିବା ପାଇଁ ବାଟ,ସେଇଟି କିନ୍ତୁ ଫାଙ୍କା ନଥିଲା,ଜୀବନହୀନ ନଥିଲା, ସେଥିରେ କିନ୍ତୁ ବସବାସ କରୁଥିଲେ କେତେଗୁଡିଏ ଧୂସର ଏବଂ ଧବଳ ବର୍ଣ୍ଣର ପକ୍ଷୀ, ସେମାନଙ୍କର ଅନବରତ କାକଳୀରେ ବନସ୍ତ ଚଳଚଞ୍ଚଳ ହୋଇ ଉଠୁଥିଲା,ସେମାନଙ୍କ ଡେଣାର ଶବ୍ଦରେ ଧ୍ୱନୀତ ହୋଇଉଠୁଥିଲା ଗଛର ଶୀର୍ଷ ଆଉ ବଗିଚାର ପୁଷ୍ପ ସମ୍ଭାର। ସ୍ମୃତିମେଦୂର ହୋଇ ସେ ଭାବିବସିଲେ, ସେଗୁଡିକ ଦିନେ କେତେ ଛୋଟ ଥିଲା,ଦୂର୍ବଳ ଥିଲା,କେତେ ଆପଣାର ଥିଲା :ସେମାନଙ୍କୁ ବିଶ୍ୱାସ କରାଯାଇ ପାରୁଥିଲା,ସେମାନେ ତାଙ୍କର ନିକଟର ଅଗଣାକୁ ,ତାଙ୍କର ହାତର ପାପୁଲିକୁ ଆସି ପାରୁଥିଲେ,ସେଇଠି ତାଙ୍କର ହାତମୁଠାରେ ସବୁବେଳେ ସେମାନଙ୍କ ପାଇଁ ମୁଠାଏ ମଞ୍ଜି ରହୁଥିଲା,ଆଉ ସେ ଯେତେବେଳେ ସେମାନଙ୍କୁ ଆଉଁଷି ଦେଉଥିଲେ ସେମାନଙ୍କ ଭିତରୁ କିଛି ନିଜର ଆଖିକୁ ଆରାମରେ ବୁଜି ଦେଉଥିଲେ ଆଉ ତାହାପରେ ସାମାନ୍ୟ ଟିକିଏ କଂପନ କେଉଁଠୁ ହେଲେ ସେମାନଙ୍କର ନିଦ ଭାଙ୍ଗି ଯାଉଥିଲା। କିଛି କାଳ ପରେ,ସେ ଆଉ ସେମାନଙ୍କ କଥା ଭାବିବା ବନ୍ଦ କରିଦେଲେ । ଯେତେବେଳେ ପରିଚାରକ ତାଙ୍କର ପାଖକୁ ଆସି କହେ ଯେ ରାତ୍ରିଭୋଜନ ବଢା ସରିଛି ,ସେ ସେତେବେଳକୁ ନିଜେ କ’ଣ କରିବେ ସେକଥାକୁ ପ୍ରାୟତଃ ଠିକ୍ କରିସାରିଥିଲେ। ସେଦିନ ରାତିରେ ତାଙ୍କୁ ବେଶ୍ ଭଲ ନିଦ ହୋଇଥିଲା। ପରଦିନ ସକାଳେ ସେ ଭୁଲିଯାଇଥିଲେ ଗଲାରାତିର ଦୁଃସ୍ୱପ୍ନକୁ,କେମିତି ଗୋଟିଏ ପିମ୍ପୁଡିର ବଡ ଦଳ ପାରା-ବସାକୁ ଅତର୍କିତ ଭାବରେ ଆକ୍ରମଣ କରିଛି ଆଉ ପକ୍ଷୀଗୁଡିଙ୍କୁ ଅସୁବିଧାରେ ପକାଇଦେଇଛି,ଯଦିଓ ସେ ଦେଖିଥିଲେ ଏଇ ଦୃଶ୍ୟକୁ ନିଜର ଝରକାରୁ ଗୋଟିଏ ଦୂରବୀକ୍ଷଣ ଯନ୍ତ୍ରର ସହାୟତାରେ।

ସେ ଧରିନେଇଥିଲେ ଯେ ଖପୁରୀଟିକୁ ସଫାକରିବା ସହଜ ନୁହଁ, ଶୀଘ୍ର ନୁହଁ,ମାତ୍ର ତାଙ୍କର ଧାରଣା ଭୁଲ୍ ଥିଲା। ସେଇ ଧୂଳୀ,ଯାହାକୁ ସେ ଧୂଳୀ ବୋଲି ମନେକରୁଥିଲେ,ତାହାର ପଚା ଗନ୍ଧ, ହୁଏତ ତାହା ମଳ ହୋଇପାରେ-କାନ୍ଥର ଭିତରପଟେ ଲଗାଲଗି ରହିଥିଲା ଆଉ ଲାଗୁଥିଲା ଯେମିତି ଏକ ଧାତବ ପଦାର୍ଥ ହାଡର ଭିତରେ ମସ୍ତିଷ୍କ ଯେଉଁଠି ଥାଏ ସେଇଠି ଥିଲା। ଯେତେବେଳେ ସେଇ ସ୍କାର୍ଫର ରେଶମୀ ଆଉ ଧଳା ରଙ୍ଗଟି ସେଇ ଧୂସରଦାଗକୁ ଘୋଡାଇପକାଇଥିବ,ପଚାଗନ୍ଧ ଆଉ ତେଣୁ ଆସୁନଥିବ ବାହାରକୁ ,ତାହାପରେ ଡନ୍ ଇଉଲୋଜିଓ ଙ୍କ ଉତ୍ସାହ ବହୁଗୁଣିତ ହୋଇଗଲା। ଗୋଟିଏ ମୁହୂର୍ତ୍ତରେ, ବିରକ୍ତ,ସେ ସେଇ ଖପୁରୀଟିକୁ ଫୋପାଡି ଦେଲେ,ହେଲେ ଖପୁରିଟି ଯେତେବେଳେ ଗଡିବା ବନ୍ଦ କରିଦେଲା,ତାଙ୍କର ମନକୁ ଅନୁଶୋଚନା ଆସିଲା ଆଉ ସେ ନିଜର ବସିବା ଜାଗାରୁ ଉଠିପଡିଥିଲେ। ଚଟାଣରେ ଗୁରୁଣ୍ଡି ଗୁରୁଣ୍ଡି ସେଇଟି ଯେଉଁଠି ପଡିଥିଲା ସେଇଠି ଯାଇ ପହଞ୍ଚିଗଲେ। ଖପୁରୀଟିକୁ ସେ ସେଇଠୁ ଅତ୍ୟନ୍ତ ଯତ୍ନର ସହିତ ତଳୁ ଉଠାଇଥିଲେ। ତାହାପରେ ସେ ଅନୁମାନ କଲେ ଯେ ଏହାକୁ ସଫା କରିବା ସହଜ ହେବ ଆଉ ସେଇଥିପାଇଁ ଗ୍ରୀଜ୍ ଭଳି କିଛି ତରଳ ଅଠାଳିଆ ପଦାର୍ଥ ଲୋଡା। ଘର ଲାଇନ୍ ରେ ଥିବା ଫୋନ୍ ରେ ସେ ପରିଚାରକକୁ ରୋଷେଇଘରୁ ଗୋଟିଏ କ୍ୟାନ୍ ଅଲିଭ୍ ର ତେଲକୁ ଆଣିବା ପାଇଁ ନିର୍ଦ୍ଦେଶ ଦେଲେ ଆଉ ଦୁଆର ପାଖରେ ତାହାକୁ ଅପେକ୍ଷା କରିବାକୁ ଲାଗିଲେ,ତାହାର ହାତରୁ ଏପରି ଉଗ୍ର ଭାବରେ ସେ ସେଇ କ୍ୟାନ୍ ଟାକୁ ଛଡାଇନେଇଥିଲେ ଯେ ସେଇ ପରିଚାରକ ପିଲାଟି ଆଶ୍ଚର୍ଯ୍ୟ ହୋଇଯାଇ ଘର ଭିତରେ ଅଦ୍ଭୁତ କ’ଣ କିଛି ଘଟିଛି ତାହାକୁ ଦେଖିବା ପାଇଁ ତାହାର ଆଖି ହଳକୁ ଚାରିଆଡକୁ ବୁଲାଇ ନେଉଥିଲା। ସେ କିନ୍ତୁ ଅଧିକ ଉତ୍କଣ୍ଠାର ସହିତ ସ୍କାର୍ଫଟିକୁ ଅଲିଭ ତେଲରେ ବୁଡାଇ ନେଉଥିଲେ,ପ୍ରଥମରେ ଅତି ଆସ୍ତେ ପରେ କିନ୍ତୁ ଅତି ଦ୍ରୁତ,ନିଜେ ଥକି ନଯିବା ଯାଏଁ ତାହାକୁ ଘଷି ଚାଲିଲେ। ତାହାପରେ ସେ ଆଗ୍ରହର ସହିତ ସମ୍ମତି ଦେଇଥିଲେ ଯେ ତାଙ୍କର ଏଇ ତୁଟୁକାଟି କାମ କରିଛି : ସରୁ ଧୂଳି କିଛି ସେଇ ଖପୁରୀରୁ ଖସି ତାଙ୍କର ପାଦ ଉପରେ ପଡିବାକୁ ଲାଗିଲା ଆଉ ସେ ଏପରିକି ନିଜର ସାର୍ଟର କଚଟିରେ ଆଉ ଜାକେଟ୍ ର କାନ୍ଧ ପାଖରେ କିଛି ଅଂଶ ଅଲିଭ ତେଲର କାରଣରୁ ତେଲିଆ ହୋଇଯାଇଛି ସେଇ କଥାକୁ ନିଜେ ଜାଣିପାରି ନଥିଲେ। ନିଜର ପାଦକୁ ଟିକିଏ ଛିଞ୍ଚାଡି ଦେଇ ସେ ସେହି ଖପୁରୀଟିକୁ ଆଶ୍ଚର୍ଯ୍ୟଚକିତ ହୋଇ ଚାହିଁ ରହିଲେ,ସେଇଟିକୁ ନିଜର ମଥାର ସମାନ ଉପରକୁ ଟେକି ଧରିଲେ :ପରିଷ୍କାର, ଉଜ୍ଜଳ,ଗତିହୀନ,ହନୁହାଡରେ ଲାଗିରହିଛି ଝାଳ ଭଳି ଛୋଟ ଛୋଟ ବିନ୍ଦୁ । ଅତ୍ୟନ୍ତ ଶ୍ରଦ୍ଧାର ସହିତ ସେ ସେଇଟିକୁ ଆଉ ଥରେ ସ୍କାର୍ଫରେ ଗୁଡାଇନେଲେ ; ବ୍ରିଫକେଶ୍ କୁ ବନ୍ଦ କଲେ ଆଉ ନେସନାଲ୍ କ୍ଲବର ପରିସରକୁ ଛାଡି ବାହାରି ଆସିଥିଲେ। ପ୍ଲାଜା ସାନ୍ ମାର୍ଟିନ୍ ନିକଟରୁ ସେ ଯେଉଁ ଟାକ୍ସିଟି ଧରିଥିଲେ ତାହା ତାଙ୍କୁ ଆଣି ତାଙ୍କର ଘରର ଠିକ୍ ପଛପଟର ଛାଡିଦେଇଥିଲା, ଓରାନସିଆରେ। ରାତି ହେବାକୁ ବସିଛି। ଶୀତର ପ୍ରାୟଅନ୍ଧକାରରେ ରାସ୍ତାରେ ସେ ଘଡିଏ ଅଟକି ରହିଥିଲେ,ତାଙ୍କର ଆଶଙ୍କା ଥିଲା ଯେ ହୁଏତ ଘରର କବାଟଟି ବନ୍ଦ ରହିଛି । ଭାରି କ୍ଳାନ୍ତ ସେଇଭଳି ସେ ନିଜର ଗୋଟିଏ ହାତ ଉପରକୁ ଉଠାଇଲେ ଆଉ ତାଙ୍କର ଖୁସିରେ ନାଚିପକାଇବା ଭଳି ଅବସ୍ଥା ଯେତେବେଳେ ସେ ଜାଣିପାରିଲେ ଯେ କବାଟର ହାଣ୍ଡେଲଟି ଘୁରିପାରୁଛି,ଆଉ କବାଟଟି ଟିକିଏ କେଁ କରି ତାହାପରେ ସମସ୍ତଙ୍କ ପାଇଁ ଖୋଲିଯାଏ।

ସେତିକିବେଳେ ସେ ଶୁଣିପାରିଲେ ଅଗଣାର ଖିଲାଣରୁ ଆସୁଛି କିଛି ଶବ୍ଦ। ସେ ନିଜର ଚିନ୍ତାରେ ଏପରି ବୁଡିରହିଥିଲେ ଯେ ସେ ପୁରାପୁରି ଭୁଲିଯାଇଥିଲେ ସେ ଏଇଲେ ଯେଉଁ କାମ କରୁଛନ୍ତି ତାହାର ପଛରେ ଅସଲରେ କାରଣ କହିଲେ କ’ଣ ରହିଛି ? ସେଇ ଶବ୍ଦ ଆଉ ଗତିବିଧି ଗୁଡିକ ଏପରି ଅପ୍ରତ୍ୟାଶିତ ଥିଲା ଯେ ତାଙ୍କର ମନେହେଲା ତାଙ୍କର ହୃଦୟ ଯେମିତି ଗୋଟିଏ ଅକ୍ସିଜେନ୍ ଟାଙ୍କି ଯାହା ଜଡିତ ରହିଛି ଏପରି ଗୋଟିଏ ଲୋକର ସହିତ ଯିଏ ମରଣଯାତ୍ରୀ । ତାଙ୍କର ପ୍ରଥମ ନିର୍ଦ୍ଦେଶିତ ଆବେଗ ଥିଲା ସେ ଆଗ ଭୂଇଁରେ ଗୁରୁଣ୍ଡି ଯାଆନ୍ତୁ,କିନ୍ତୁ ସେ ଏହାକୁ ଏପରି କଷ୍ଟକର ଭାବରେ କରିଥିଲେ ଯେ ସେ ସେହି ପଥର ଉପରୁ ଗଡି ପଡିଥିଲେ,ମୁହଁ ମାଡି ପଡିଯାଇଥିଲେ। ତାଙ୍କର କପାଳରେ ଏକ ତୀବ୍ରଯନ୍ତ୍ରଣା,ଆଉ ପାଟିରେ ଏକ ବିରକ୍ତିକର ଅଗଣାର ମାଟିର ସ୍ୱାଦ,କିନ୍ତୁ ସେ ଉଠି ଠିଆ ହେବାକୁ କୌଣସି ଚେଷ୍ଟା କରିନାହାଁନ୍ତି ଆଉ ସେଇଠି ପଡିରହିଛନ୍ତି,ଅଧା ଘାସରେ ,ଶ୍ୱାସପ୍ରଶ୍ୱାସର ବେଗ ତୀବ୍ର,ଥରଥର ହୋଇ କମ୍ପୁଛନ୍ତି ସେ। ତାଙ୍କର ଏଇ ପତନରେ,ତାଙ୍କ ପାଖରେ ଏତିକି ସମୟ ଥିଲା ଯେ ସେ ଯେଉଁ ହାତରେ ଖପୁରୀଟିକୁ ଧରିଥିଲେ ତାହାକୁ ଉପରକୁ ଟେକି ରଖିପାରିଛନ୍ତି,ଫଳରେ ଖପୁରୀଟି ଭୂଇଁଟିର ଉପରୁ ଉଠି ଶୂନ୍ୟରେ ରହିଛି,ଭୂଇଁଟିର କେତେ ଇଞ୍ଚ ଉପରେ ,ତଥାପି ପରିଷ୍କାର ଅଛି।

ଅଗଣାର ଖିଲାଣଟି ତାଙ୍କର ଲୁଚିବା ଜାଗାଠାରୁ ପଚାଶ ଗଜ ଦୂରରେ ଥିଲା,ଆଉ ଦନ୍ ଇଉଲୋଜିଓ ସେଇ ଶବ୍ଦକୁ ଶୁଣିପାରିଲେ ଯେମିତି ଏହା ଏକ ସୁକ୍ଷ୍ମ ଗୁଣୁଗୁଣୁ ସେଇ ଭଳି,ସେଥିରୁ କିନ୍ତୁ ସେମାନେ କ’ଣ କହୁଛନ୍ତି ସେଇଭଳି କିଛି ଅର୍ଥ ସେ ବାହାର କରିପାରୁ ନଥିଲେ। ବେଦନାକ୍ଲିଷ୍ଟ ଭାବରେ ସେ ଉଠି ଠିଆ ହେଲେ।ଯେମିତି ଆଡି ପାତି ଅନ୍ୟର କଥା ଗୋପନରେ ଶୁଣାଯାଏ, ସେଇଭଳି ତାହାପରେ ସେ ଦେଖିପାରିଲେ ଖିଲାଣରେ ଥିବା ବିରାଟ ଆପଲ୍ ଗଛର ମଝିରେ,ଏଇ ଗଛର ଚେର ଖାଇବାଘର ଯାଏଁ ମାଡି ଯାଇଛି,ଗୋଟିଏ ସ୍ପଷ୍ଟ, କୃଶକାୟ,
ସିଲହଟ ଛବି, ଆଉ ସେ ଜାଣିପାରିଲେ ଯେ ସେଇଟି ଥିଲା ତାଙ୍କର ପୁଅ । ତାହାର ପାଖକୁ ଲାଗି ଛିଡା ହୋଇଥିଲା ଜଣେ ନାରୀ,ଅଧିକ ତୀକ୍ଷ୍ଣ,ଟିକିଏ କମ୍ ଉଚ୍ଚତାର,ପରିତ୍ୟକ୍ତ ହେବା କାରଣରୁ ଟିକିଏ ଅବନତ। ସେଇ ନାରୀଟି ଥିଲା ତାଙ୍କ ପୁଅର ପତ୍ନୀ। ଆଖିକୁ ମିଟିମିଟି କରି,ଆଖିକୁ କିଛି ସମୟ ରଗଡି ପିଲାଟିର ଗୋଟିଏ ଝଲକ ଭଲରେ ଦେଖିବା ପାଇଁ ସେ ଆଗ୍ରହର ସହିତ ଚେଷ୍ଟାକରୁଥିଲେ, ହେଲେ ସେସବୁ ବୃଥା। ତାହାପରେ ସେ ଶୁଣିପାରିଲେ କିଏ ଯେମିତି ହସୁଛି: ଗୋଟିଏ ପିଲାର ସ୍ପଟିକ ସମ ନିର୍ମଳ ହସ,ସ୍ୱତଃସ୍ଫୃର୍ତ୍ତ ଆଉ ମୁକ୍ତ,ତାହା ବଗିଚାକୁ ଅତିକ୍ରମ କରିଗଲା ଯେମିତି ଗୋଟିଏ ପକ୍ଷୀ। ସେ ଆଉ ଅଧିକ ସମୟ ଅପେକ୍ଷା କଲେ ନାହିଁ ; ସେ ନିଜର ଜାକେଟ୍ ରୁ ମହମବତୀଟି ବାହାର କଲେ, ଅନ୍ଧାରରେ ଅଣ୍ଡାଳି ଅଣ୍ଡାଳି ଡାଳଗୁଡିକୁ ,ମାଟି ଆଉ ଗୋଡିକୁ ଏଡାଇ ଚାଲିଲେ,ଯେତେ ଶିଘ୍ର ହୋଇପାରିବ ମହମବତୀକୁ ପୁଣି ପଥର ଉପରେ ରଖିଲେ ଆଉ ସେଇ ପଥରକୁ ଏପରି ଭାବରେ ରଖିଲେ ଯେମିତି ତାହା ରାସ୍ତା ମଝିରେ ବାଧା ହୋଇପାରିବ। ତାହାପରେ,ସମସ୍ତ ନିପୁଣତାର ସହିତ ମହମବତୀଟି ଯେମିତି ବାଲାନ୍ସ ରେ ରହିପାରିବ ସେମିତି ଚେଷ୍ଟା କରିବା ପରେ ସେଇଠି ରଖିଦେଲେ ସେଇ ଖପୁରୀଟିକୁ। ଅତ୍ୟନ୍ତ ଉତ୍ସାହର ସହିତ ସେଇ ଖପୁରୀର କଠିନ ଆଉ ତେଲିଆ ଭାଗର ଉପରେ ଆଖି ପଲକର ଲୋମକୁ ଲଗାଇଦେଲେ, ଖପୁରୀଟିରେ ଆଖିର ପଲକ ଲଗାଇସାରିବା ପରେ ସେ ଭାରି ଖୁସି ହୋଇଗଲେ: ଉଚ୍ଚତାଟି ଠିକ୍ ଅଛି,ଖପୁରୀର ଉପରିଭାଗରେ ଥିବା କଣାଟି ଭିତର ଦେଇ ମହମବତୀର ଉପରଭାଗର ଧଳା ଅଂଶରୁ କିଛି ଦେଖାଯାଉଛି ଯେମିତି ଗୋଟିଏ ପୁଷ୍ପନାଡ। ସେ ଏସବୁକୁ ଦେଖିବା ପାଇଁ ଅଧିକ ସମୟ ସେଇଠି ରହିପାରିଲେ ନାହିଁ। ବାପାଙ୍କର ଗଳା ଉଚ୍ଚରୁ ଉଚ୍ଚତ୍ତର ହେଉଛି,ଯଦିଓ ସେ ବଡପାଟିରେ କ’ଣ କହୁଛନ୍ତି ତାହା ଦୁର୍ବୋଧ୍ୟ,ସେଇ ବୃଦ୍ଧ ଜାଣନ୍ତି ସେସବୁ ପିଲାପାଇଁ ଉଦ୍ଦିଷ୍ଟ।ସେଇଠି ତିନିଜଣଙ୍କ ଭିତରେ କିଛି ବାକ୍ୟ ବିନିମୟ ହେଉଥିଲା, ବାପାଙ୍କ ଗଳା ଭାରି, ଅଧିକରୁ ଅଧିକ ଦମ୍ଭିଲା, ନାରୀଜଣକର ଗଳା ମଧୁର, ତାଙ୍କର ନାତିର କର୍କଶ କାନ୍ଦଣା।ହଠାତ୍ ସମସ୍ତ କୋଳାହଳ ବନ୍ଦ ହୋଇଯାଏ। ସେଇ ନୀରବତା କିନ୍ତୁ ସ୍ୱଳ୍ପକାଳୀନ,ତାଙ୍କର ନାତିର ଗଳାରେ ବିଷ୍ଫୋରଣ,ସେ ଚିତ୍କାର କରି କହେ,”ହେଲେ ମନେରଖ- ମୋ ଦଣ୍ଡର ମିଆଦର ଶେଷ ହେଉଛି ଆଜି। ତମେ କହିଥିଲ,ଏହା ସାତଟା ଦିନ ପାଇଁ ଆଉ ଆଜି ଏହାର ଶେଷ।ଆସନ୍ତାକାଲିଠୁ ଆଉ ମୁଁ ଯିବିନାହିଁ।” ଏଇଭଳି ଶେଷ କଥା ପରେ ସେ ତାହାର ଦ୍ରୁତ ପଦପାତର ଶବ୍ଦ ଶୁଣିଥିଲେ।

ସେ କ’ଣ ଦୌଡି ଦୋଡି ଆସୁଥିଲା ? ଏଇଟା ଥିଲା ନିର୍ଣ୍ଣାୟକ ସମୟ। ଦନ ଇଉଲୋଜିଓଙ୍କୁ ଯେଉଁ ମାନସିକ ଯନ୍ତ୍ରଣା ଚାପି ଧରିଥିଲା ସେଥିରୁ ସେ ମୁକ୍ତ ହୋଇଗଲେ ଆଉ ତାଙ୍କର ଯୋଜନାମୁତାବକ କାମର ଆରମ୍ଭ କରିବାକୁ ଲାଗିଲେ। ପ୍ରଥମ ଦିଆସିଲି କାଠି ଦେଲା ଘଡିକପାଇଁ ନେଳିଆ ସୂତା କେରାଏ। ଦ୍ୱିତୀୟ ଦିଆସିଲ୍ କାଠିରେ ନିଆଁ। ତାଙ୍କର ନଖକୁ ଚିଆଁ ଲାଗିଲା ,ହେଲେ ତାଙ୍କୁ ସେମିତି କଷ୍ଟ ଲାଗିନି,ନିଆଁକୁ ସେ ଖପୁରୀର ପାଖକୁ ନେଲେ,ଘଡିକ ପରେ ଖପୁରୀ ଉପରେ ମହମବତୀର ଯେଉଁ ଅଗ୍ରଭାଗ ଦିଶୁଥିଲା ସେଇଠି ନିଆଁ ଧରାଇଲେ। ସେ ଟିକିଏ ଏପଟ ସେପଟ କରୁଥିଲେ, କାରଣ ସେ ଯାହା ଦେଖୁଛନ୍ତି ଅନ୍ତତଃ ସେପରି ଦେଖିବେ ବୋଲି ସେ ଆଗରୁ କଳ୍ପନା କରିନଥିଲେ,କିନ୍ତୁ ତାହାପରେ ଗୋଟିଏ ହାଲୋଳ ତାଙ୍କର ଦୁଇହାତର ମଝିରୁ ହଠାତ୍ ଚହଟି ଆସିଥିଲା ଆଉ ଗୋଟିଏ କଡମଡ ଶବ୍ଦରେ ହଠାତ୍,ଯେମିତି ଶୁଖିଲା ପତ୍ର ଗୁଡିକ ଉପରେ ଭାରି ପଦପାତ,ଖପୁରିଟି ପୁରାପୁରି ଆଲୋକମୟ ହୋଇ ଉଠିଲା,ଆଖି ସନ୍ଧିରୁ,ଖପୁରି ମଝିରୁ,ନାକପୁଡାରୁ ଆଉ ପାଟିରୁ ଭକଭକ ଆଲୁଅ। “ଏହା ଏବେ ପୁରାପୁରି ଆଲୋକିତ” ସେ ଆଶ୍ଚର୍ଯ୍ୟରେ ସ୍ୱଗତୋକ୍ତି କଲେ। ସେ ସେଇଠି ନିଶ୍ଚଳ ଭାବରେ ଛିଡା ହେଲେ ଆଉ ଗୋଟିଏ ରେକର୍ଡ ପରି ପୁନରାବୃତ୍ତି କଲେ,” ଏହା ହେଉଛି ଅଲିଭ୍ ତେଲ୍,ଏହା ହେଉଛି ଅଲିଭ୍ ତେଲ,” ଚମତ୍କୃତ,ବିସ୍ମୟାଭିଭୂତ ତାହାପରେ କିନ୍ତୁ ଖପୁରୀଟିକୁ ନିଆଁର ଶିଖା ଚାରିପଟରୁ ଘେରି ଯାଇଥିଲା।

ଅସଲରେ ଠିକ୍ ସେଇ ସମୟରେ ସେ ଗୋଟିଏ ଚିତ୍କାର ଶୁଣି ପାରିଥିଲେ। ଗୋଟିଏ ବଣ୍ୟ ଆବାଜ ଯେମିତି,ଯେମିତି କେଉଁ ପଶୁଜନ୍ତୁକୁ କିଏ ଗୁଡିଏ ଜାଭେଲିନ୍ ରେ ଭୂଷି ଦେଇଛି । ପିଲାଟି ଥିଲା ତାଙ୍କର ଆଗରେ,ତାଙ୍କର ହାତ ଦୁଇଟି ପ୍ରସାରିତ,ତାଙ୍କର ଆଙ୍ଗୁଳିଗୁଡିକ ପ୍ରକମ୍ପିତ,
ଚଳ ଚଞ୍ଚଳ,ତାଙ୍କର ଆଖି ଆଉ ମୁହଁ ଖୋଲା,ସେ କିନ୍ତୁ ନିର୍ବାକ ଆଉ କଠିନ,ହେଲେ ତାଙ୍କର ଗଳାରୁ ଅଦ୍ଭୁତ ଭାବରେ ବାହାରି ଆସୁଛି କିଛି ସ୍ୱାଧୀନ ଶବ୍ଦ,” ସେ ମୋତେ ଦେଖିଛି,ସେ ମୋତେ ଦେଖିଛି।” ଦନ୍ ଇଉଲୋଜିଓ ନିଜକୁ ନିଜେ କହୁଛନ୍ତି,ସେ ଭୟାର୍ତ୍ତ। ମାତ୍ର ତାଙ୍କ ଆଡକୁ ଚାହିଁ,ସେ ତତକ୍ଷଣାତ୍ ଜାଣିଗଲେ ଯେ ସେ ପିଲାଟି ତାଙ୍କୁ ଦେଖି ନାହିଁ,ଯେ ତାଙ୍କର ନାତି କିଛି ହେଲେ ଦେଖିପାରିନାହିଁ ଖାଲି ଦେଖିଛି ଗୋଟିଏ ଜ୍ୱଳନ୍ତ ମଥା। ତାହାର ଆଖି ସ୍ଥିର ରହିଛି,ତାହା ସହିତ ରହିଛି ଏକ ଗଭୀର ,ଚିରସ୍ଥାୟୀ ଭୟ ସେଥିରେ।ସବୁକିଛି ସମକାଳୀନ। : ହଠାତ୍ ନିଆଁ,ଚିତ୍କାର, ହାଫ୍ ପ୍ୟାଣ୍ଟ ପିନ୍ଧା ଆଉ ଡରମାଡିବସିଥିବା ଏକ ଦୃଶ୍ୟମାନ ଆକୃତି। ଆଗ୍ରହାନ୍ୱିତ ହୋଇ ସେ ଭାବୁଥିଲେ ଯେ ସେ ଯେମିତି ଯୋଜନା କରିଛନ୍ତି ତାହାର ଅପେକ୍ଷା କଥାଟି ସୁନ୍ଦର ଭାବରେ ଗତିଶୀଳ ହେବ,ଯେତେବେଳେ ସେ କଥାବାର୍ତ୍ତା ଆଉ ପାଦଶବ୍ଦ ନିଜ ଆଡକୁ ଆସୁଥିବାର ଶୁଣିବାକୁ ପାଇଥିଲେ, ସେଇ ଶବ୍ଦକୁ ଖାତିର ନକରି,ସେ ବୁଲିପଡିଥିଲେ,ଆଉ ସେଇ ରାସ୍ତାକୁ ଅତିକ୍ରମ କରି ଗଲେ , କ୍ରାଇସେନ୍ଥାମମ ଆଉ ଗୋଲାପକୁ ମାଡି ଦେଇ ଚାଲିଯାଇଥିଳେ,ତାହାରି ଭିତରେ ସେ ଦେଖିବାକୁ ପାଇଥିଲେ ସେହି ନିଆଁର ଝଲକ ଯେମିତି ସେମାନଙ୍କ ଆଡକୁ ମାଡି ଆସୁଛି,ସେ ସେଇ ଦୂରତ୍ୱକୁ ପାର ହୋଇଗଲେ ଯାହା ତାଙ୍କୁ ଆଉ କବାଟକୁ ସ୍ୱତନ୍ତ୍ର କରି ରଖୁଥିଲା। ସେ ଦୌଡି ଚାଲୁଥିଲେ,ପଛରେ ଗୋଡାଉଥିଲା ନାରୀଟିର ଆକୁଳ ଚିତ୍କାର,,ଅତ୍ୟନ୍ତ କର୍କଶ,ହେଲେ ତାହା ତାଙ୍କର ନାତିର ତୁଳନାରେ ସେତେ ଅସଲ ନୁହଁ।ସେ ଅଟକି ରହିଲେ ନାହିଁ,ଦମକାଏ ଥଣ୍ଡା ପବନ ଆସି ତାଙ୍କର କପାଳ ଦେଶରେ ବାଜିଲା,କେଶରେ ବାଜିଲା,ମାତ୍ର ସେ ଏହାକୁ ଲକ୍ଷ୍ୟ କରି ନାହାଁନ୍ତି ଆଉ ନିଜର ଚାଲିବା କାମକୁ ଜାରି ରଖିଛନ୍ତି ,ଆସ୍ତେ ଆସ୍ତେ,ବଗିତାର କାନ୍ତ ସହିତ ତାଙ୍କର ନିଜ କାନ୍ଥ ଘଷି ହୋଇଯାଉଛି ,ମୁହଁରେ ରହିଛି ସନ୍ତୁଷ୍ଟିର ହସ,ଶ୍ୱାସପ୍ରଶ୍ୱାସ ଅଧିକ ଭଲ ଭାବରେ ଚାଲିଛି,ଅଧିକ ଶାନ୍ତ ଭାବରେ।

°°°°°

“ଆଣ୍ଟ ଜୁଲିଆ ଆଣ୍ଡ ଦି ସ୍କ୍ରିପ୍ଟରାଇଟର”,”ଡେଥ୍ ଇନ୍ ଦି ଆଣ୍ଡିଜ୍”ଏବଂ “ଦି ୱାର୍ ଅଫ ଦି ଏଣ୍ଡ ଅଫ ଦି ୱାର୍ଲଡ” ଭଳି ସାହିତ୍ୟକର୍ମର ଅଦ୍ୱିତୀୟ ସ୍ରଷ୍ଟା ତଥା ବିଂଶ ଶତକର ଲାତିନ ଆମେରିକୀୟ ସାହିତ୍ୟର ଅନ୍ୟତମ ଉଜ୍ଜଳ ନକ୍ଷତ୍ର ମାରିଓ ଭର୍ଗାସ୍ ୟୋସାଙ୍କର ପରିଣତ ୮୯ ବର୍ଷ ବୟସରେ ଗତ ୧୩ ଏପ୍ରିଲ୍ ୨୦୨୫ ଦିନ ଦେହାବସାନ ଘଟିଛି।

ସାହିତ୍ୟରେ ୨୦୧୦ ମସିହା ପାଇଁ ନୋବେଲ ପୁରସ୍କାରରେ ସମ୍ମାନୀତ ଏଇ ସାହିତ୍ୟରଥିଙ୍କ ବିୟୋଗରେ ଶ୍ରଦ୍ଧାଞ୍ଜଳୀ ଅର୍ପଣ କରିବାକୁ ଯାଇ ପ୍ରଖ୍ୟାତ ପତ୍ରିକା “ଦି ଇକୋନୋମିଷ୍ଟ” ତାଙ୍କ ସଂପର୍କରେ ଲେଖିଛନ୍ତି :
“ସେ ଲାତିନ୍ ଆମେରିକାର ସବୁଠାରୁ ଅଧିକ ବିଶ୍ୱବ୍ୟାପୀ ଲେଖକ।”
ୱାସିଙ୍ଗଟନ ପୋଷ୍ଟ ଲେଖିଛନ୍ତି:” ମାରିଓ ଭର୍ଗାସ ୟୋସା ଥିଲେ ଜଣେ ସାହସୀ ସତ୍ୟ-କଥକ।”

୧୩ ଏପ୍ରିଲ୍ ୨୦୨୫ ଦିନ ତାଙ୍କର ଜ୍ୟେଷ୍ଠ ସନ୍ତାନ ତଥା ଅନ୍ୟତମ ଶ୍ରେଷ୍ଠ ସମାଜ ଚିନ୍ତକ ଆଲଭାରୋ ଭର୍ଗାସ ୟୋସା ସାମାଜିକ ଗଣମାଧ୍ୟମ “ଏକ୍ସ”ରେ ଏକ ପ୍ରତିବେଦନରେ ଏହି ମହାନ ଲେଖକଙ୍କର ଦେହାବସାନର ସୂଚନା ପ୍ରଦାନ କରିଥିଲେ।

ସେଇ ପ୍ରତିବେଦନଟି ଏହିପରି :

“ଗଭୀର ଦୁଃଖର ସହିତ ଆମେ ଜଣାଉଛୁ ଯେ ଆମର ପିତା ମାରିଓ ଭର୍ଗାସ ୟୋସା ଙ୍କର ଆଜି ଲିମାସ୍ଥିତ ବାସଭବନରେ ଶାନ୍ତିପୂର୍ଣ୍ଣ ଭାବରେ ଦେହାବସାନ ଘଟିଛି।ମୃତ୍ୟୁବେଳକୁ ତାଙ୍କର ସମସ୍ତ ପରିବାର ବର୍ଗ ଉପସ୍ଥିତ ଥିଲେ। ତାଙ୍କର ପ୍ରତ୍ୟାବର୍ତ୍ତନ ତାଙ୍କର ସଂପର୍କୀୟ,ତାଙ୍କର ବନ୍ଧୁବର୍ଗ ଏବଂ ପୃଥିବୀସାରା ବିଛାଡି ପଡିଥିବା ତାଙ୍କର ପାଠକବର୍ଗଙ୍କୁ ବ୍ୟଥିତ କରିବ,ମାତ୍ର ଆମେ କାମନା କରୁଛୁ ଯେ ସେମାନେ ସମସ୍ତେ ଏଇ କଥାରେ ଆଶ୍ୱସ୍ତ ହେବେ ,ଯେପରି କି ଆମେମାନେ, ଯେ ସେ ଏକ ଦୀର୍ଘ,ଦୁଃସାହସିକ ଏବଂ ଫଳପ୍ରଦ ଜୀବନ ଅତିବାହିତ କରିଛନ୍ତି ଏବଂ ତାଙ୍କର ପଛରେ ରଖିଯାଇଛନ୍ତି ଏକ ବିପୁଳ ରଚନା ସମ୍ଭାର ଯାହା ତାଙ୍କର ଜୀବନକୁ ଅତିକ୍ରମ କରି ପାରିବ। ଆମେମାନେ ଆସନ୍ତା ଘଣ୍ଟାଗୁଡିକୁ ଆଉ ଦିନଗୁଡିକୁ ତାଙ୍କର ଅନୁଜ୍ଞା ଅନୁସାରେ ପାଳନ କରିବୁ। କୌଣସି ସାର୍ବଜନୀକ ଅନୁଷ୍ଠାନ ପାଳନ କରାଯିବ ନାହିଁ। ଆମର ମାଆ,ଆମର ପିଲାଏ ଆଉ ଆମେ ବିଶ୍ୱାସ କରୁଛୁ ଯେ ପାରିବାରିକ ସଂପର୍କୀୟ ଆଉ ନିକଟ ଆତ୍ମୀୟଙ୍କ ମେଳରେ ତା’ଙ୍କୁ ବିଦାୟ ଦେବା ଭଳି
ସେଇ ସ୍ଥାନ ଆଉ ସେଇଭଳି ନିଜତାର ସୁଯୋଗ ଆମେ ଲାଭ କରିପାରିବୁ। ସେ ଯେପରି ଇଚ୍ଛା ବ୍ୟକ୍ତ କରି ଯାଇଛନ୍ତି,ତାଙ୍କର ପାର୍ଥୀବ ଅବଶେଷକୁ ସତ୍କାର (କ୍ରିମେସନ) କରାଯିବ।

ଲିମା,ଏପ୍ରିଲ ୧୩,୨୦୨୫
ଆଲଭାରୋ,ଗୋଞ୍ଜାଲୋ ଏବଂ ମୋରଗାନା ଭର୍ଗାସ ୟୋସା।”

୧୯୩୯ ମସିହା ୨୮ମାର୍ଚ୍ଚ ରେ ପେରୁର ଆରେକିପା ସହରର ଏକ ମଧ୍ୟବିତ୍ତ ପରିବାରରେ ଜନ୍ମ ନିଅନ୍ତି
ମାରିଓ ବାର୍ଗାସ୍ ୟୋସା। ତାଙ୍କର ସାହିତ୍ୟକର୍ମରେ ପ୍ରାୟତଃ ନିଜର ଜୀବନ ଆଉ ପାରିବାରିକ ଅଭିଜ୍ଞତାର ପ୍ରତିଫଳନ ଦେଖିବାକୁ ମିଳିଥାଏ। ତାଙ୍କର ଜୀବନପୃଷ୍ଠାରୁ ଅନେକ ଚରିତ୍ର ସିଧା ଉଠିଆସି ତାଙ୍କର ଉପନ୍ୟାସର କଳେବରରେ ତାଙ୍କର ବିଚାରପୁଷ୍ଠ ହୋଇ ବିଶ୍ୱବ୍ୟାପକତା ଅର୍ଜନ କରିଛନ୍ତି।

ଗୋଟିଏ ସାକ୍ଷାତକାର ରେ ସେ ସ୍ପଷ୍ଟ କହିଛନ୍ତି,ଜଣେ ଲେଖକକୁ ତାହାର କାର୍ଯ୍ୟକାରୀ ରସଦଟିର ଯୋଗାଣକାରୀ ହେଉଛି ତାହାର ବ୍ୟକ୍ତିଗତ ଅଭିଜ୍ଞତା,ଆଉ ସମୟକ୍ରମରେ ତାହା ଅଧିକରୁ ଅଧିକ ସମୃଦ୍ଧ ହୋଇଥାଏ।

ଆଦ୍ୟକାଳରୁ ତାଙ୍କୁ ଜଣେ ଅତ୍ୟନ୍ତ ଅଧିକାରସଚେତନ ପିତାଙ୍କ ର ସାନ୍ନିଧ୍ୟରେ ରହିବାକୁ ପଡିଥିଲା,ଯେଉଁ ପିତା ତା’ଙ୍କୁ ଜଣେ ଲେଖକ ହେବାକୁ ଚାହୁଁ ନଥିଲେ।ତାଙ୍କର ପିତାଙ୍କର ଧାରଣା ଥିଲା ଯେ ଜୀବନରେ ଅସଫଳ ବ୍ୟକ୍ତିଙ୍କ ଏକମାତ୍ର ଅବଲମ୍ବନ ହେଉଛି ଲେଖନ। ସେଇଥିପାଇଁ ତାଙ୍କୁ ଯେତେବେଳେ ଚଉଦବର୍ଷ ସେତେବେଳେ ତାଙ୍କର ପିତା ତାଙ୍କୁ ଲିଓନଚିଓ ପ୍ରାଦୋ ମିଲିଟାରୀ ଏକାଡେମୀରେ ଭର୍ତ୍ତି କରିଦେଇଥିଲେ। ପରେ ଲେଖକ ହେବାପରେ ମାରିଓ କହିଛନ୍ତି ଯେ,ସେଇଟି ଥିଲା ମୋ ପିତାଙ୍କର ମୋତେ ପ୍ରଥମ ଉପନ୍ୟାସର ବିଷୟବସ୍ତୁର ଉପହାର।

ସେଇ ଉପନ୍ୟାସର ନାଆଁ ହେଉଛି “ଦି ଟାଇମ୍ ଅଫ୍ ଦି ହିରୋ”।

ମାରିଓ ଭର୍ଗାସ ଙ୍କ ଜନସଂପୃକ୍ତି ଏବଂ ଜନଆଗ୍ରହ ତଥା ଜନକୈନ୍ଦ୍ରିକତା ତାଙ୍କୁ ରାଜନୀତିର ପରିସରକୁ ନେଇଯାଏ। ୨୦୧୦ ମସିହାରେ ତାଙ୍କୁ ସାହିତ୍ୟ ପାଇଁ ନୋବେଲ ପ୍ରାଇଜ୍ ପ୍ରଦାନ କଲାବେଳେ ନୋବେଲ କମିଟି ତାଙ୍କ ସଂପର୍କରେ ଉଲ୍ଲେଖ କରନ୍ତି “ତାଙ୍କର ରଚନାରେ ରହିଥାଏ
କ୍ଷମତା -ନିର୍ମାଣର ନିଖୁଣ ମାନଚିତ୍ର ଏବଂ ତାଙ୍କର କଟୁ ଚିତ୍ରରେ ସମୃଦ୍ଧ ବ୍ୟକ୍ତି ଭିତ୍ତିକ ପ୍ରତିବାଦ,ବିପ୍ଳବ ଆଉ ପରାଜୟ ।”

ତାଙ୍କ ଦୃଷ୍ଟିରେ ଲେଖନ ହେଉଛି ଏକ ନିରଳସ ଗବେଷଣା କାର୍ଯ୍ୟ।

ମାରିଓ ଭର୍ଗାସ୍ ୟୋସା ୧୯୯୦ ମସିହାରେ ପେରୁର ରାଷ୍ଟ୍ରପତି ପଦବୀ ପାଇଁ ପ୍ରତିଦ୍ୱନ୍ଦିତା କରିଥିଲେ,ତାଙ୍କର ଦାବୀ ଥିଲା ଯେ ସେ ଦେଶକୁ ଅର୍ଥନୈତିକ ବିଶୃଙ୍ଖଳା ଆଉ ମାର୍କସବାଦୀ ବିଦ୍ରୋହର କବଳରୁ ରକ୍ଷା କରିବାକୁ ଚାହିଁନ୍ତି। ସେ ସେତେବେଳେ କେନ୍ଦ୍ର-ଦକ୍ଷିଣ ଅର୍ଥାତ୍ ସେଣ୍ଟର-ରାଇଟ୍ ତରଫରୁ ନିର୍ବାଚନ ଲଢୁଥିଲେ। ନିର୍ବାଚନରେ ସେ ବିପୁଳ ପରାଜୟ ବରଣ କରିଥିଲେ।

ମତବାଦ ଦୃଷ୍ଟିରୁ ପ୍ରଥମରେ ସେ ବାମ-କୈନ୍ଦ୍ରୀକ ଥିଲେ ଆଉ ପରେ ତାଙ୍କର ବିଚାର ଧାରା କେନ୍ଦ୍ର-ଦକ୍ଷିଣ ଦିଗକୁ ପରିବର୍ତ୍ତିତ ହୋଇଥିଲା।

ଗୋଟିଏ ସମୟରେ କ୍ୟୁବାର ବିପ୍ଳବର ସମର୍ଥକ ଥିବା ମାରିଓ ଭର୍ଗାସ ୧୯୭୦ ଦଶକରେ ଫିଦେଲ୍ କାଷ୍ଟ୍ରୋଙ୍କର କଠୋର ସମାଲୋଚକ ହୋଇ ଉଠନ୍ତି ଯାହା ଫଳରେ ତାଙ୍କର ସମସାମୟିକ ଲେଖକ ଗାବ୍ରିଏଲ୍ ଗାର୍ସିଆ ମାର୍କେଜ୍ ଙ୍କ ସହିତ ତାଙ୍କର ସଂପର୍କରେ ଫାଟ ଧରେ।

ସଂକ୍ଷେପରେ କହିଲେ ସେ ମୁକ୍ତ ବଜାର ଅର୍ଥନୀତି ଏବଂ ଉଦାରପନ୍ଥୀ ମତାଦର୍ଶର ସମର୍ଥକ ଥିଲେ।

ତାଙ୍କର ବ୍ୟକ୍ତିଗତ ଜୀବନ ତାଙ୍କର ଉପନ୍ୟାସର କାହାଣୀ ଭଳି ବି ନାଟକୀୟ। ମାତ୍ର ୧୯ ବର୍ଷ ବୟସରେ ସେ ବିବାହ ବନ୍ଧନରେ ଆବଦ୍ଧ ହୁଅନ୍ତି ଆଉ ତାଙ୍କର ସେଇ ପ୍ରଥମା ପତ୍ନୀ ଜଣକ ଥିଲେ ସଂପର୍କରେ ତାଙ୍କର ମାମୁଁଙ୍କର ପ୍ରାକ୍ତନ ପତ୍ନୀ ଆଉ ବୟସରେ ଥିଲେ ତାଙ୍କଠାରୁ ଦଶ ବର୍ଷ ବଡ। ପରେ ସେ ନିଜର କାକାଝିଅ ଭଉଣୀ ପାଟ୍ରିସିଆକୁ ବିବାହ କରନ୍ତି।ପାଟ୍ରିସିଆ ହିଁ ତାଙ୍କର ତିନୋଟି ସନ୍ତାନର ଜନନୀ। ପାଟ୍ରିସିଆଙ୍କ ସହିତ ତାଙ୍କର ବିବାହ ଦୀର୍ଘ ପଚାଶ ବର୍ଷ ଅବିଚ୍ଛେଦ୍ୟ ରହିଥିଲା।ଗାୟିକା ଏନରିକେ ଇଗଲେସିଅସ୍ ର ମାଆ ଇସାବେଲା ପ୍ରେସଲର୍ ର ପ୍ରେମରେ ପଡିବା କାରଣରୁ ୨୦୧୫ ମସିହାରେ ତାଙ୍କର ପାଟ୍ରିସିଆଙ୍କ ସହିତ ଦୀର୍ଘ ବୈବାହିକ ଜୀବନରେ ପୂର୍ଣ୍ଣଚ୍ଛେଦ ଘଟିଥିଲା।

ଅନ୍ୟାନ୍ୟ ରଚନା ପରି ମାରିଓ ଭର୍ଗାସ୍ ୟୋସାଙ୍କର ଆତ୍ମସ୍ମୃତିଟି ବି ତାଙ୍କର ଲେଖକୀୟ ଦକ୍ଷତାର ଏକ ସଶକ୍ତ ପ୍ରମାଣ। ଅତ୍ୟନ୍ତ ସୁଖପାଠ୍ୟ ମାରିଓ ଭର୍ଗାସ୍ ଙ୍କ ଆତ୍ମସ୍ମୃତିଟିର ଶୀର୍ଷକ ହେଉଛି : ଏ ଫିସ୍ ଇନ୍ ଦି ୱାଟର୍।

ଲାତିନ ଆମେରିକାର ପ୍ରଖ୍ୟାତ ଲେଖକ ଗାବ୍ରିଏଲ୍ ଗାର୍ସିଆ ମାର୍କେଜଙ୍କ ସହିତ ମାରିଓ ଭର୍ଗାସ ୟୋସାଙ୍କର ବେଶ୍ ହୃଦ୍ୟତା ଥିଲା। ସେ ତାଙ୍କର କେବଳ ଅନ୍ତରଙ୍ଗ ବନ୍ଧୁ ନଥିଲେ (ବୈଚାରିକ ଅସହମତି ସତ୍ତ୍ୱେ) ମାରିଓ ଭର୍ଗାସ ଛଅଶହ ପୃଷ୍ଠାର ଏକ ଗବେଷଣାମୂଳକ ଗ୍ରନ୍ଥ ମାର୍କେଜଙ୍କ ଉପରେ ରଚନା କରିଥିଲେ। ଏ ବିଷୟରେ ଉପସ୍ଥିତ ଲେଖକ ନିଶ୍ଚିତ ନୁହଁ ମାତ୍ର କେଉଁଠାରେ ସେ ପଢିଛି ଯେ ସେଇ ଗ୍ରନ୍ଥଟି ମାରିଓ ଭର୍ଗାସ ଙ୍କ ଡକ୍ଟୋରେଟ୍ ଡିଗ୍ରୀ ନିମନ୍ତେ ଉଦ୍ଦିଷ୍ଟ ଥିଲା।ତାଙ୍କର ସେଇ ଗବେଷଣା ପୁସ୍ତକର ଶୀର୍ଷକ ହେଉଛି “Garcia Marquez: Historia de un Deicudio” ଅର୍ଥାତ୍ ଗାର୍ସିଆ ମାର୍କେଜ : ଦି ହିଷ୍ଟୋରୀ ଅଫ୍ ଡେଇସାଇଡ୍ ଅର୍ଥାତ୍ ଏହାକୁ ଓଡିଆ କଲେ ହେବ “ଗାର୍ସିଆ ମାର୍କେଜ: ଦେବହତ୍ୟାର ଇତିହାସ”।

[ଡେଇସାଇଡ୍ ବା ଦେବହତ୍ୟା ଶବ୍ଦଟି ଉପରେ ଟିକିଏ ଦୃଷ୍ଟିପାତ କରିବାକୁ ଅନୁରୋଧ। ଦେବହତ୍ୟା ଅର୍ଥାତ୍ ଏକ ଅପରିସୀମ କଳ୍ପନାର ମୂର୍ତ୍ତରୂପକୁ ହତ୍ୟା କରିବସିବା ଭଳି ନିର୍କାଳତା, ନିରର୍ଥକତା,ଅସହାୟତା ଆଉ ଆତ୍ମବୋଧ କେଉଁଭଳି ଆମର ସାହିତ୍ୟସୃଜନକୁ ପ୍ରଭାବିତ କରିଥାଏ ତାହାର ବିଚାର ଆମର ନିଜସ୍ୱ।]

ଆଗରୁ ଉଲ୍ଲେଖ କରାଯାଇଛି ଯେ ଫିଡେଲ କାଷ୍ଟ୍ରୋଙ୍କ ନାୟକତ୍ୱକୁ ନେଇ ମାର୍କେଜ୍ ଆଉ ୟୋସାଙ୍କ ଭିତରେ ଦ୍ୱନ୍ଦ୍ୱ ରହିଥିଲା। ମାତ୍ର ଭର୍ଗାସ୍ ଙ୍କର କୌଣସି ଅନ୍ୟନାରୀଘଟିତ ଅନୈତିକ ସଂପର୍କକୁ ନେଇ ତାଙ୍କର ପତ୍ନୀ ପାଟ୍ରିସିଆଙ୍କୁ ଅରେ ମାର୍କେଜ ସାନ୍ତ୍ୱନା ଦେଉଥିବାର କଥା ତାଙ୍କର କାନକୁ ଆସିଲା। ଫଳତଃ ୟୋସା ଆଉ ମାର୍କେଜ୍ ଙ୍କ ମଧ୍ୟରେ ଯୁକ୍ତିତର୍କ ହାତାହାତି ପର୍ଯ୍ୟାୟକୁ ଯାଇଥିଲା।

ପରେ ଘୁଷିମାଡରେ ଫୁଲି ଯାଇଥିବା ଆଖି ସହିତ ମାର୍କେଜ୍ ଙ୍କର ଛବି ବିଶ୍ୱବ୍ୟାପୀ ଆଲୋଡନ ସୃଷ୍ଟି କରିଥିଲା। ଏବିଷୟରେ ମାର୍କେଜ୍ କିଛି କହିନାହାଁନ୍ତି। ଅନ୍ୟ ପକ୍ଷରେ ୟୋସା ଏ ସଂପର୍କରେ ଅସଲ ତଥ୍ୟ ତାଙ୍କର ମୃତ୍ୟୁର ପୂର୍ବରୁ ଲେଖିଯିବେ ବୋଲି କହି କଥାଟି ସଂପର୍କରେ ସଂପୂର୍ଣ୍ଣ ନୀରବ ରହିଥିଲେ।

ହୁଏତ ୟୋସାଙ୍କ ଦେହାବସାନ ପରେ ମାର୍କେଜ-ୟୋସା ସଂପର୍କର ଆଉ କିଛି ଜଟିଳ କଥା ଆମର ହସ୍ତଗତ ହୋଇପାରେ।

ତାଙ୍କର ଲେଖନୀର ପ୍ରମୁଖତା ହେଉଛି:ବୁଦ୍ଧିଦୀପ୍ତ ବିଶ୍ଳେଷଣ ଏବଂ କାବ୍ୟିକ ଯାଦୁକରୀ ଗଦ୍ୟ।

ଏଠାରେ ସଂଶ୍ଳିଷ୍ଟ କାହାଣୀଟି ୟୋସାଙ୍କର ଏକ ଆଦ୍ୟକାଳର ଲେଖା। ଏହା ତାଙ୍କର “ଦି କବସ୍ ଆଣ୍ଡ ଅଦର ଷ୍ଟୋରିଜ୍”ସଂକଳନରୁ ଗୃହିତ। “ଦି ଗ୍ରାଣ୍ଡଫାଦର ” ବୋଲି ଏଇ ଶୀର୍ଷକ କାହାଣୀରେ ଦୃଷ୍ଟିପକ୍ଷଟି ହେଉଛି ଏକ ନାତିର, ସେ ବର୍ଣ୍ଣନା କରୁଛି ତାହାର ଜେଜେ ବାପାର ଏକ ବିଚିତ୍ର ଯାତ୍ରାକୁ ଆଉ ସେଇ ଯାତ୍ରାଟି ହେଉଛି ଉଜାଣି ଯାତ୍ରା,ତାହାର ଶିଶୁକାଳକୁ ଯାତ୍ରା।ସେଇଥିପାଇଁ ଜେଜେବାପାର ମାଧ୍ୟମ ହେଉଛି ଗୋଟିଏ ଖପୁରୀ ଆଉ ସେଇ ଖପୁରୀକୁ ଗୋଟିଏ ମହମବତୀର ମାଧ୍ୟମରେ ପ୍ରଜ୍ଜଳିତ କରି କାହାଣୀ ହର ଚରିତ୍ରଟି ଏକ ଅନିଶ୍ଚୟତାର ରୂପ ପ୍ରଦାନ କରିଛି।

ମାରିଓ ଭର୍ଗାସ ୟୋସାଙ୍କ ସଂପର୍କରେ କୁହାଯାଏ ଯେ ସେ ଯଦି ନିଜର ଜୀବନରେ କେବଳ ଉପନ୍ୟାସ ଲେଖିଥାନ୍ତେ ତାହାହେଲେ ସେ ବିଶ୍ୱସ୍ତରରେ ଯେଉଁ ପ୍ରଭାବ ସ୍ଥାପନ କରିପାରିଛନ୍ତି ତାହା ସମ୍ଭବ ହୋଇଥାନ୍ତା। ଠିକ୍ ସେଇଭଳି ସେ ଯଦି କେବଳ ପ୍ରବନ୍ଧ ଲେଖିଥାନ୍ତେ ବା କେବଳ ରିପୋର୍ଟାଜ୍ ମାନ ଲେଖିଥାନ୍ତେ ତାହାଲେ ବି ସମାନ ଭାବରେ ତାହାର ସାହିତ୍ୟ ପ୍ରଭାବ ବିଶ୍ୱସ୍ତରରେ ପଡିଥାନ୍ତା। ମାତ୍ର ଆମର ସୌଭାଗ୍ୟ ଯେ ସେ ଏଇ ସମସ୍ତ ବିଭାଗରେ ରଚନା କରିଯାଇଛନ୍ତି।

ମାରିଓ ଭର୍ଗାସ୍ ୟୋସାଙ୍କୁ ସ୍ମରଣ କରି ଏଇ ଆଲେଖର ଉପସଂହାରରେ ଏତିକି କହିବାକୁ ଚାହୁଁଛି। ୮୭ ବର୍ଷ ବୟସରେ ଅର୍ଥାତ୍ ୨୦୨୩ ରେ ସ୍ପେନ୍ ରୁ ପ୍ରକାଶିତ “ଏଲ୍ ପାଇସ୍” ନାମକ ଦୈନିକ ପତ୍ରିକାରେ “ଟଚଷ୍ଟୋନ୍” ଶିରୋନାମାରେ ଏକ କ୍ଷୁଦ୍ର ପ୍ରତିବେଦନ ଲେଖିଥିଲେ। ଉପସ୍ଥିତ ଲେଖକ ନିକଟରେ ସେ ଲେଖାଟି ରହିଛି,ଏଇ ଲେଖାଟି ବଡ ହୋଇଯାଉଥିବା କାରଣରୁ ପରେ ତାହାକୁ ଉପସ୍ଥାପନ କରିବି। ସେହି ଦୈନିକ ପତ୍ରିକାରେ ତରୁଣ ଲେଖକମାନଙ୍କ ପ୍ରତି ତାଙ୍କର ବାର୍ତ୍ତା ଥିଲା:

“ତରୁଣମାନଙ୍କୁ ମୁଁ ଗୋଟିଏ ଉପଦେଶ ଦିଏ।ସଂବାଦପତ୍ରର ସଂପାଦକୀୟ ସହିତ ଆପଣଙ୍କର ବକ୍ତବ୍ୟ ମିଳି ଯାଉ ବା ସେ ତାହାର ବିରୋଧିତା କରୁ ଆପଣଙ୍କର କାମ ହେଉଛି କହିବା ଏବଂ ଆପଣଙ୍କର ସତ୍ୟକୁ ରକ୍ଷା କରିବା।”

ଏହାକୁ ପଢିବା ପରେ ଉପସ୍ଥିତ ଲେଖକର ମନକୁ ଏଇଭଳି ବିଚାରଟିଏ ଆସିଲା ଯେ ଆମର ସୃଜନକର୍ମରେ ରହିଛି ସମ୍ବାଦପତ୍ରରେ ଚାରିପଟରେ ସତ୍ୟାଶ୍ରୟୀ ଘଟଣା ଭଳି ବାସ୍ତବତାର ସମୁଦ୍ର ଆଉ ତାହାରି ମଝିରେ ଗୋଟିଏ ଟାପୁ ଯେମିତି କୌଣସି ସମ୍ବାଦପତ୍ରର ସମ୍ପାଦକୀୟ ଠିକ୍ ସେଇ ଭଳି,ଆମେ ସେଇଠି ବସି ଆମର ଦୂରବୀକ୍ଷଣ ଯନ୍ତ୍ରରେ ଚାରିଆଡକୁ ଲକ୍ଷ୍ୟକରୁଛୁ।

ଆସୁଛି। ସୁବର୍ଣ୍ଣ ଜାହାଜଟିଏ ଆସୁଛି ଆମକୁ ଉଦ୍ଧାର କରିବା ପାଇଁ ।

About Jyoti Nanda

Jyoti Nanda is a writer, translator based in Bhubaneswar.

View all posts by Jyoti Nanda →

Leave a Reply

Your email address will not be published. Required fields are marked *