ମନୋଜ ମିତ୍ରଙ୍କ ଏକାଙ୍କ: ସାହେବବାଗାନର ସୁନ୍ଦରୀ
ଅନୁବାଦ: ଜ୍ୟୋତି ନନ୍ଦ
ଚରିତ୍ର:
ଉପସ୍ଥାପକ/କୁଆ/ ମେମସାହେବ
। ଆରମ୍ଭ ।
ଉପସ୍ଥାପକ :
ପୁଷ୍କରିଣୀର ଜଳରେ ଗାଧୁଆ ସାରି ସିକ୍ତ ଆଲୁଳାୟିତ କେଶରାଜି ଶିଥିଳବସନା ମେମସାହେବ ଜଣେ ଏଇମାତ୍ର ଘାଟ ଉପରକୁ ଉଠିଆସି ଘଡିଟିଏ ଠିଆ ହୋଇ ପଡିଛି। ଶ୍ୱେତପଥରର ମୂର୍ତ୍ତି । ମୂର୍ତ୍ତିର ସମଗ୍ର ରୂପର ଜୌଲୁସକୁ ଢାଙ୍କି ରଖିଛି ଖାଲି ଶିଉଳି ଆଉ ଶିଉଳି । ଚଢେଇର ବିଷ୍ଠାରେ ଧଳାକଳା ଛାପଛାପ ଦାଗ । ଦେଖିଲେ ମୂର୍ତ୍ତିଟିକୁ ପାଗଳୀ ପାଗଳୀ ମନେହୁଏ। ପରିତ୍ୟକ୍ତ ଏକ ଭୌତିକ ଜଙ୍ଗଲରେ ଆଚ୍ଛାଦିତ ଏଇ ବାଗାନବାଡିଟି ର ଏଇଟି କହିବାକୁଗଲେ ଏକ ଜରାଜୀର୍ଣ୍ଣ ଘାଟବନ୍ଧା ପୁଷ୍କରିଣୀ। ଗଭୀର ରାତିରେ ପୂର୍ଣ୍ଣିମାର ଚାନ୍ଦ ଏଇଲେ ମଉଜ କରି ପୁଷ୍କରିଣୀର ଚାମୁଚାଏ ଜଳରେ ହସୁଛି। ସେଇ ଆଡକୁ ଚାହିଁ ମୂର୍ତ୍ତିର ଏଇ ମେମସାହେବ ବାହୁନା ଧରି କାନ୍ଦିବାକୁ ଆରମ୍ଭ କରେ। ଅଦୂରରେ ଥିବା ଏକ ବଉଳଗଛରେ ବସା ବାନ୍ଧି ରହିଥିବା ଗୋଟିଏ କୁଆର ଏଥିରେ ନିଦ୍ରାଭଂଗ ଘଟେ।
କୁଆ :
କେସ୍ ଟା କ’ଣ ମେମସାହେବ ? ଫି ରାତି ତମେ ଆମର ନିଦକୁ ନଷ୍ଟ କରୁଛ ଯେ,ତମର ଏତିକି ବୁଝିବା ଉଚିତ ,ସାରାଟା ଦିନ ପେଟର ଧନ୍ଦାରେ ବହୁତ ଖଟଣି ଖଟିବାକୁ ପଡେ ଆମକୁ। ଟିକିଏ ବିଶ୍ରାମ କ’ଣ ଆମ ପାଇଁ ଜରୁରୀ ନୁହଁ ? କହିଲେ ନିଜର ଆଉ କ’ଣ ଅଛି ଯେ, ଏକା ଜାଗାରେ ଛିଡା ହୋଇ ରହିଛ,ଖୁସି ମନରେ ହସୁଛ ଯେ ହସୁଛ, କାନ୍ଦୁଛ, ବେଳକାଳ ନାଇଁ ଘୁମେଇ ପଡୁଛ… କାମ ନାଇଁ ଧନ୍ଦା ନାଇଁ, ଭିଜା ପେଟିକୋଟ ଶୁଖାଇବସୁଛ ତ ଶୁଖାଇବସୁଛ ! ବୁଝିଲ, ବର୍ଷାକାଳରେ ଡେଣା ଦିଇଟାକୁ ଝାଡିଦେବାପାଇଁ ଆମକୁ ଫୁରସତ ମିଳୁନି… ଏମିତି ସୁଁ ସାଁ ବନ୍ଦକର କହୁଛି !
ମେମସାହେବ:
ଚୁପକର୍ ଲକ୍ଷ୍ମୀଛଡା କାକପକ୍ଷୀର ବଚ୍ଚା ! ଓଃ ,କି ଅବସ୍ଥା କରିଛନ୍ତି ମୋର ଏଇ ସଇତାନ୍ ଗୁଡାକ..ଏଇ ବିଶ୍ରୀ ଗନ୍ଧରେ ମୋର ଭକଭକ ବାନ୍ତି ହୋଇଯିବ ..ପୁଷ୍କରିଣୀର ଜଳରେ ଚାନ୍ଦଟି କେଡେ ସୁନ୍ଦର ଦିଶୁଛି, ଆଉ ମୁଁ ..ଛି …ଛି ..ଛି.. ମଥାରେ, ଗାଲରେ, ବୁକୁରେ ..କି କଦର୍ଯ୍ୟ ଉଃ … କାହିଁକି ମରଣ ହେଉନି ଯେ !
କୁଆ:
ଆରେ ,ଆମର ଦୋଷ କ’ଣ ? ଟିକିଏ ବୋଲି ନଡଚଡ ନାହିଁ, ଏମିତି ଛିଡା ହୋଇ ରହିଛ କାହିଁକି ଯେ ? ଗୋଡ ହାତ ଟିକିଏ ହଲାହଲି କଲେ ଆମେ କ’ଣ ତମର ପାଖ ପଶିଥାନ୍ତୁ ? ଆରେ ବାବା,ସମସ୍ତେ ଜାଣନ୍ତି କାକକୂଳ କୌଣସି ଷ୍ଟାଚ୍ୟୁକୁ ଦେଖିଲାମାତ୍ରକେ ତାହାର ମଥା ଉପରେ ବସି ନିଜର ନଖକୁ ଘଷିବାକୁ ସୁଖ ପାଏ ।
ମେମସାହେବ :
ଦୂର ହ,କାଳୁ ଅପର୍ଛନିଆ ପଦାର୍ଥ ! ଟିକେ ଠିଆ ହୋଇ ରହିଥା, ଆମ ସାହେବ ଫେରି ଆସିଲେ ତମର କି ଅବସ୍ଥା କରିବେ ନିଜ ଆଖିରେ ଦେଖିବୁ, ସେତେବେଳ ଯାଏଁ ରହିଥା ଏଇଠି !
କୁଆ:
କେବେ ଆସିବେ ଗୋ ମେମସାହେବ,ତମର ସେଇ ସାହେବ ? ଟେଲିଗ୍ରାମ ପାଇଛ ? ଚିଠି ପଟେ ଲେଖି ଦିଅ, ତମ ପାଇଁ ଯେମିତି ଗୋଟିଏ ସିଲ୍କର ମାକ୍ସି ଆଉ ବେଶ ମୁଲାୟମ ଗୋଟିଏ ଟାୱେଲ୍ ସାଥିରେ ନେଇ କି ଆସନ୍ତି ଆଉ ଗୋଟିଏ ୱାଟର୍ ପ୍ରୁଫ୍..ବର୍ଷାକାଳରେ ଆଉ ଛିଡା ହୋଇ ଭିଜିବାକୁ ପଡିବନି ତାହାପରେ।
ମେମସାହେବ:
ଦେଖିବୁ ଦେଖିବୁ ଫେରୁଛନ୍ତି କି ନା… ଫେରିବେ ଫେରିବେରେ, ସାହେବ ଛୁଟି ସରିଲେ ସିଧା ଚାଲି ଆସିବେ, ଯିବା ବେଳେ ମୋତେ ପରା କହି କି ଯାଇଛନ୍ତି !
କୁଆ:
ଧନ୍ୟ ଆଶା କୁହୁକିନୀ ! ମେମସାହେବ, ମୁଁ ତମର ସାହେବକୁ ଦେଖିନି । ଯାହା ଶୁଣିଛି, ସତଚାଳିଶରେ ରାଜତ୍ୱ ହାତବଦଳ ଯେମିତି ହୋଇଛି ନିଜର ବେଡିଙ୍ଗବିସ୍ତାରାକୁ ଗୋଟାଇନେଇ ସ୍ୱଦେଶକୁ ଭାଗମ ଭାଗ। ଏତେଦିନ ପରେ ସେ ବୋଧହୁଏ ଜୀବନରେ ଆଉ ନାହାଁନ୍ତି ! କିନ୍ତୁ ଏଇଟା ଭାରି ଆଶ୍ଚର୍ଯ୍ୟ,ଯିବା ଆଗରୁ ବାଗାନବାଡିଟା ର କିମ୍ବା ତମର କିଛି ଗୋଟାଏ ରାହାବ୍ୟବସ୍ଥା କରିକି ଗଲେନି କାହିଁକି ? ଅବଶ୍ୟ ସେମିତି ନକରି ଭଲ ହିଁ କରିଛନ୍ତି, ଆମେ କେତେଶହ କାକ, ବାଦୁଡି ଚେମେଣା ପ୍ରଜାତି ଗୋଟିଏ ବେୱାରିସ୍ ବାଗାନବାଡିକୁ ତ ଭୋଗଦଖଲ ରେ ରଖିପାରିଛୁ !… ସାହେବ ଙ୍କ ପାଇଁ ଆଉ କାନ୍ଦିବାରେ କିଛି ଲାଭ ହେବନି ମେମସାହେବ !.. ଏଇ ଦେଶରୁ ସାହେବର ରାଜତ୍ୱ ଶେଷ,ତମର ବୋଲବାଲା ବି ଶେଷ ମେମସାହେବ !
ମେମସାହେବ :
କୁଆ, କୁଆ, ଆରେ କାକ, ଥରେ କହ, କେଉଁପରି ତାଙ୍କୁ ଭୁଲିଯିବି ? କହ? ଆହାରେ, ବିଲାତରୁ ସାହେବ ମୋତେ ପସନ୍ଦ କରି ଏଠିକି ଆଣିଛନ୍ତି ! ପଶମର ପଫ୍ ରେ ପ୍ରତିଦିନ ସାହେବ ନିଜ ହାତରେ ପରା କେତେଥର ମୋ ମୁହଁକୁ ପୋଛି ଦେଉଥିଲେ ।
କୁଆ:
(ଖାକ, ଖାକ କରି ହସେ) ହଁ ହଁ, ତମର ସାହେବ କୁଆଡେ ଜଣେ ଆର୍ଟିଷ୍ଟ ଥିଲେ .. କ’ଣ କହନ୍ତି ସେମାନଙ୍କୁ ଶିଳ୍ପୀ ନା ଫିଳ୍ପୀ !
ମେମସାହେବ:
ନା,ଏକଦମ ନା, ହସିବୁନି ! ଆହାରେ, ସେଇ ସବୁ ଦିନ ..ସେ ଅମଳରେ ଏଇ ବାଗାନବାଡିରେ କେତେ ଆମୋଦପ୍ରମୋଦ ହେଉଥିଲା ରେ ! କେତେ ଆଲୁଅ,କେତେ ବାଜଣା , ନାଚ ଗୀତ, ଖାନାପିନା..
କୁଆ :
ଶୁଣିଛି, ସାହେବଟା ବେଜାୟ ଫୁର୍ତ୍ତିବାଜ ଥିଲା !
ମେମସାହେବ :
ଗରମକାଳରେ ଏପରି ଜୋଛନା ଭରା ରାତିରେ ସାହେବ ମୋର ମୁହଁକୁ ହାଁ କରି ଚାହିଁ ରହିଥାନ୍ତି..କହୁଥାନ୍ତି,ଚାନ୍ଦର ଶୋଭା ତମ ପାଖରୁ ହାର ମାନିଯିବ ସୁନ୍ଦରୀ ।
କୁଆ :
(ହସି) ହାର ମାନିଯିବ ସୁନ୍ଦରୀ !
ମେମସାହେବ :
ନା,ଏକଦମ୍ ନା,ନକଲ କରିବୁନି ଜମା, କହିଦେଉଛି ,ମୋତେ ଆହୁରି ସୁନ୍ଦରୀ ଭାବରେ ସଜାଇ ଦେବାକୁ ଯାଇ ସାହେବ ଏଇ ସୁଇମିଙ୍ଗ୍ ପୁଲ୍ ଟା ତିଆରି କରିଥିଲେ !
କୁଆ :
ସତରେ, ସେମିତି କି ? ଏଇଟା ତାହେଲେ ଗୋଟେ ସୁଇମିଂ ପୁଲ୍ ! ମୁଁ ଅଣ୍ଡାରୁ ଫୁଟି ବାହାରିବା ପରଠୁ ଜାଣେ ଯେ, ଏଇଟା ଗୋଟାଏ ପଚା ଖାଲ !
ମେମସାହେବ:
ତୋର ଯେମିତି ବୁଦ୍ଧି ! ପଚା ଖାଲ ପାଖରେ ମୋତେ ରଖିବେ କାହିଁକି ? ମୋର ମନ କେବେ ସେଥିରେ ମାନିବନି ଯେ !
କୁଆ:
ମୁଁ ଭାବୁଛି ତମେ ବୋଧେ ଖାଲଖମାରୁ ଚେଙ୍ଗ ଗୋଟାଇ ବୁଲୁଛ.. ଗାଆଁ ଗଞ୍ଜରେ ପାଗଳୀମାନେ ଯେମିତି ଧରି କି ବୁଲୁଥାନ୍ତି।
ମେମସାହେବ :
ନା, ଏକଦମ ନା, ଏମିତି ପାଗଳୀ ପାଗଳୀ କରିବୁନି ସଇତାନ୍ ! ତୋର ଏଇ କାଦୁଅକଳା ଆଖିରେ ଏଇସବୁ ମର୍ମରମୂର୍ତ୍ତିର ଅର୍ଥ ତୁ କ’ଣ ବୁଝିବୁ ରେ ଅପଦାର୍ଥ !
କୁଆ :
ଅଳ୍ପକିଛି ତ ବୁଝିପାରେ ମେମସାହେବ । ବୁଝିପାରେ ବୋଲି ତ ଏବେ ବି ମେମସାହେବ ମେମସାହେବ ଡାକେ। ଛାଡ ସେସବୁ,ତମ ସହିତ ବକବକ କରି ଶରୀର ଟିକିବ ନାହିଁ। ଯାଉଛି.. ଯାଉଛି ଶୋଇବି ..।
ମେମସାହେବ:
କୁଆ, କୁଆ, ଆଦରର କାକ, ଖଣ୍ଡିଏ ସାବୁନ ଆଣି କି ଦବୁ ?
କୁଆ:
ସାବୁନ ?
ମେମସାହେବ :
ଦବୁ ମୋ ଦେହର ମଇଳାକୁ ସାଫ କରି ,ଦବୁ ? କରି ପାରିବୁ ? ଶୁଣ୍,ଭଲ ବକସିସ୍ ଦେବି ରେ !
କୁଆ:
ଦୂର୍। ଯାର ନାହିଁ ଚାଳଚୁଳା, ସେ ପୁଣି ଦବ ମୋତି ମାଳା? ବକସିସ୍ ? ଆଚ୍ଛା ଶୁଣେ,ତମେ ବକସିସ୍ ଦବ କଉଠୁ ?
ମେମସାହେବ:
ଦେବି। ଦେବିରେ । ମୋ ଛାତିର ଉପରେ ଗୋଟିଏ ଲକେଟ୍ ଅଛି ଦେଖି ପାରୁଛୁ ତ ?
କୁଆ :
ନା, ନା ତ !
ମେମସାହେବ:
ମଇଳାରେ ପୋତି ହୋଇ ଯାଇଛି। ଲକେଟ୍ ଗୋଟେ। ଦାମୀ ପଥର । ଧୋଇ ପୋଛି ଦେ,ପରିଷ୍କାର ଦେଖି ପାରିବୁ। ପଥରଟାର ଯେ କେତେ ଦାମ ସାହେବ ଛଡା ଆଉ କାହାକୁ ସେକଥା ଗୋଚର ନୁହଁ…ବାଗାନର ମାଳୀମାନେ ବି ଜାଣନ୍ତିନି ।ଏଇ ପଥରଟାକୁ ବିକିଲେ ଖାଲି ତୁ କାହିଁକି, ଆରେ ଆଦରର କାକବୀର, ତୋର ଚଉଦ ପୁରୁଷ ର ଜୀବନ ବେଶ୍ ଅୟସରେ କଟିଯିବ। ଖାଇବା ପାଇଁ ଆଉ ତତେ ବାରଦ୍ୱାର ଛୁଟାଛୁଟି କରିବାକୁ ପଡିବନିରେ ମୂର୍ଖ ।
କୁଆ:
ସତରେ ଅଛି ନା କି ସେଇ ହାରରେ ଚୁନି ପାନ୍ନା ! ଦେଖିବାକୁ ପାଉନି ଯେ ! କିନ୍ତୁ ସତରେ ତମେ ତାହା ମତେ ଦବ ତ ?
ମେମସାହେବ :
ଯଦି ନଦିଏ, ତାହେଲେ ମୋତେ ତୁ ଆହୁରି ଆହୁରି ବେଶି ମଇଳା କରି ଦେ, ପାଗଳୀ ବୋଲି ଯେତେ ପାରିବୁ ସେତେ ଇଚ୍ଛା ଡାକ୍..ତୋର ଯାହା ଖୁସି ହବ… ତାହା କର୍ .. ।
କୁଆ :
କିନ୍ତୁ ସାବୁନ ପାଇବି କଉଠୁ ?
ମେମସାହେବ:
ଏଇ ଯେ ..ଏଇ ଯେ.. ରାସ୍ତା ର ଆରପଟେ ଫ୍ଲାଟ ଘରଟା ଦେଖୁଛୁ .. ଦୋତାଲାର ବୋହୁଟା ଦାମି ଦାମି ସୁଗନ୍ଧ ସାବୁନ ଦେହରେ ମାଖେ .. ଆହା କି ବାସ୍ନା ..ସୁଗନ୍ଧରେ ବୁକୁ ପୂରି ଉଠେ ମୋର..। ତାହାର ସ୍ୱାମୀ ତାହାକୁ ସବୁ କିଣିକି ଦେଇଛି । ମୋର ସାହେବ ନାହିଁ ..ସାଧ ଆହ୍ଲାଦକୁ ମୋର ମେଣ୍ଟାଇବ କିଏ ,ଆରେ ମୋର ସୁନାକୁଆ ,ବାବୁ କାକରେ ..ମୋତେ ଟିକିଏ ସଫା କରି ଦେଏ ନା !
କୁଆ:
ହୁଁ, ସେମାନଙ୍କ ଟଏଲେଟ୍ ରେ ଆଲୁଅ ଜଳୁଛି, ଝରକାଟା ବି ଖୋଲା ରହିଛି । କାନ୍ଦନି ମେମସାହେବ, କିଛି ଗୋଟାଏ ବ୍ୟବସ୍ଥା କରୁଛି ..ଦେଖେ, କେଉଁ ରତ୍ନ ତମର ବୁକୁରେ ପଡିଛି !
ଉପସ୍ଥାପକ :
କାକପକ୍ଷୀ ସାଏଁ କରି ରାସ୍ତା ଆରପଟ ଫ୍ଲାଟ ଘର ଆଡକୁ ଉଡିଗଲା ଏବଂ ସାବୁନ ନେଇ କି ଫେରିଲା।ସାରାରାତି ଜାଗ୍ରତ ରହି ମୂର୍ତ୍ତିଟାକୁ ସଫା କରି ବସିଲା। ଡେଣାରେ ଘଷି ଘଷି ପୋଛି ଦେଇଥିଲା ଶେଷ ବିନ୍ଦୁ ମଇଳା ଭୋର୍ ର ଆଲୁଅ ଫୁଟିବା ଆଗରୁ । ଆଉ ଥରେ ପୁଣି ଝଲମଲ କରି ଉଠିଥିଲା ସେଇ ମୂର୍ତ୍ତିଟି।
କାକ:
(ଅଭିଭୂତ ହୋଇ) ମେମସାହେବ, ତମେ ସତରେ ଏତିକି ସୁନ୍ଦର !
ମେମସାହେବ:
କହ, ଏଥର କହ, କେମିତି ତୁ କହିବୁ ଏଥର ପାଗଳୀ ! ମୁଁ ଗୋଟାଏ ପାଗଳୀ !
କୁଆ:
ଚାର୍ମିଂ, ବିଉଟିଫୁଲ୍ ମେମସାହେବ, ତମର ଜବାବ ନାଇଁ।
ମେମସାହେବ:
ନେ,ଲକେଟ୍ ରୁ ପଥରଟାକୁ, ଠୁକ୍ ଠୁକ୍ କରି ଖୋଲି ନେ ! ଯା, ତାହାକୁ ବିକ୍ରିବଟା କରି ଖାଆପିଆ କରି ଭଲରେ ଚଳ ..
କୁଆ:
ମେମସାହେବ,ମୋର ଚୌଦପୁରୁଷ ପୁରୁଷ ପଛକେ ଖଟି ଖଟି ଭରନ୍ତୁ,ନଖାଇ ନପିଇ ମରନ୍ତୁ, ତମର ଦେହରେ କିନ୍ତୁ ମୁଁ ମୋର ଚଂଚୁକ୍ଷତ କରିପାରିବିନି । ନା ।ନା। ନା..
ଉପସ୍ଥାପକ :
କାକପକ୍ଷୀ ତାହାର ଖାଦ୍ୟର ସନ୍ଧାନରେ ଏଇଠୁ ଉଡିଯାଏ ଅନ୍ୟତ୍ର। ବେଳା ବଢିବାରୁ ବାଗାନର ସାମ୍ନା ରାସ୍ତାରେ ପଥଚାରୀମାନେ ଯାତାୟତ ଆରମ୍ଭ କରନ୍ତି । ଭଙ୍ଗା ପାଚେରୀ ର ଫାଙ୍କ ଦେଇ ସେମାନେ ଦେଖିବାକୁ ପାଆନ୍ତି ସେଇ ଅପୂର୍ବ ମୂର୍ତ୍ତିଟିକୁ। କେତେ ଲୋକ ତାହାକୁ ନ ଦେଖିଛନ୍ତି-ଗେରସ୍ତ, ଅଫିସଯାତ୍ରୀ, ମୋଟରଯାତ୍ରୀ, ବ୍ୟବସାୟୀ, ଛାତ୍ର, ଅଧ୍ୟାପକ, ଡାକ୍ତର, ଇଞ୍ଜିନିୟର, ଓକିଲ, ବାରିଷ୍ଟର, ଚୋର, ପଥଚର, ବୁଦ୍ଧିଜୀବୀ, ସୁଧଖୋର, ସଶିଷ୍ୟ ଗୁରୁଦେବ, ସାମ୍ବାଦିକ, ଶିଳ୍ପୀ, ଗଳ୍ପକାର, ନାଟକକାର, ଟିଭି କ୍ୟାମେରାମ୍ୟାନ, ଖେଳୁଆଡ, ବିଧାୟକ, ସାଂସଦ, ମସ୍ତାନ, ମାତାଲ, ସିରିଆଲ ନିର୍ମାତା, ନେତା, ଅଭିନେତା, ହିନ୍ଦୁ, ମୁସଲମାନ, ବୌଦ୍ଧ, ଖ୍ରୀଷ୍ଟାନ ଆଉ କେତେ କେତେ ଜନ ଗଣ.. ତାହାପରେ .. ତାହାପରେ ସଞ୍ଜବେଳା ଆହୁରି କିଛି ପ୍ରସାଧନସାମଗ୍ରୀ ଧରି ଫେରି ଆସି କୁଆଟି ଦେଖେ ବାଗାନବାଡି ଟା ଲଣ୍ଡଭଣ୍ଡ।ଗଛବୃଚ୍ଛ ସବୁ ଚୁରମାର। ତାହାର ବକୁଳବାସଟି ଛିନଛତ୍ର ହୋଇଯାଇଛି , ତାହାର ଶାବକମାନେ ସମସ୍ତେ ମୃତ। ଚାରିଆଡେ ବିଛାଡି ପଡିଛି ବୋମାର ଟୁକୁରା। ବତାସରେ ବାରୁଦର ଗନ୍ଧ ଆଉ ପୁଷ୍କରିଣୀର ଘାଟ ଉପରେ ଗୁଣ୍ଡ ଗୁଣ୍ଡା ହୋଇ ପଡି ରହିଛି ମେମସାହେବ। କିଏ, କିଏ ଏମିତି ଭାବରେ ଧ୍ୱଂସ କରିଦେଇଛି ଏଇ ସୁନ୍ଦର ମୂର୍ତ୍ତିଟା। ବାଗାନ ର ମଥାର ଉପରେ ଚକ୍କର ଦେଇ ଏଇ ଭୟଙ୍କର ପ୍ରଳୟ କାଣ୍ଡକୁ ଦେଖି ଦେଖି କଟୁ ବାଷ୍ପରେ ଦମ ବନ୍ଦ ହୋଇ ଆସେ କୁଆଟିର । ପ୍ରାଣ ହରାଇ ଝୁପ୍ କରି ଖସି ପଡେ ସେ ପଚାଜଳର ପୁଷ୍କରିଣୀର ଠିକ୍ ମଝିରେ।
। ଯବନିକା।
ରଚନାକାଳ :୧୯୮୯
°°°°°
ପ୍ରଖ୍ୟାତ ନାଟ୍ୟକାର, ଅଭିନେତା ତଥା ଚିନ୍ତାଶୀଳ ନାଟ୍ୟକର୍ମୀ ମନୋଜ ମିତ୍ରଙ୍କର ୧୨ ନଭେମ୍ବର ୨୦୨୪ ରେ ପରିଣତ ୮୬ ବର୍ଷ ବୟସରେ ଦେହାବସାନ ଘଟିଅଛି।
ସ୍ୱରଚିତ ନାଟକ “ସାଜାନୋ ବାଗାନ” ନିମନ୍ତେ ସେ ଯେତିକି ଜନ ସମକ୍ଷରେ ପରିଚିତ ତାହାଠାରୁ ଯଥେଷ୍ଟ ଅଧିକ ପରିଚିତି ଏବଂ ଶ୍ରଦ୍ଧା ସେ ସେଇ ନାଟକର ପ୍ରମୁଖ ଚରିତ୍ର “ବାଞ୍ଛାରାମ ” ର ଅଭିନୟ ନିମନ୍ତେ ଅର୍ଜନ କରିଛନ୍ତି। ନାଟକ ହେଉ କି ଚଳଚ୍ଚିତ୍ର ହେଉ ମନୋଜ ମିତ୍ରଙ୍କ ଉପସ୍ଥିତି ସମସ୍ତଙ୍କୁ ସର୍ବଦା ମନେ ପକାଇ ଦିଏ ଯେ,ଇଏ ତ ଆମର ପରିଚିତ ସେଇ ବାଞ୍ଚାରାମ।
“ସାଜାନୋ ବାଗାନ”ରେ ବାଞ୍ଛାରାମର ଯେଉଁ ଅପାର ଜୀବନତୃଷ୍ଣା ତାହାର ବିଶେଷଭାବରେ ରହିଛି ଦୁଇଟି ରୂପ। ଅଶୀ ବର୍ଷ ଅତିକ୍ରାନ୍ତ କରିଥିବା ମୁମୂର୍ଷୁ ବାଞ୍ଛାରାମ କାପାଳୀ ବଞ୍ଚିରହିବାକୁ ଚାହୁଁଚି କେବଳ ତାହାର ଅତିପ୍ରିୟ ବଗିଚାଟି ପାଇଁ । ମୃତ ଜମିଦାର ଛକଡି ଦତ୍ତ ନିଜର ଜୀବିତାବସ୍ଥାରେ ସେଇ ବଗିଚାଟିର ଦଖଲ ନପାଇ,ମରିବାର ତିରିଶ ବର୍ଷ ପରେ ବି, ଭୂତ ହୋଇ ଖରା, ବର୍ଷା,ଶୀତ ,ସମାନ ଭାବରେ ବଗିଚାର ଗୋଟିଏ ଗଛର ଡାଳରେ ବସି ରହିଛି। ବାଞ୍ଛାରାମର ବଗିଚାଟିକୁ କଳେ ବଳେ କୌଶଳେ ଦଖଲ କରିବା ହେଉଛି ତାହାର ଏକମାତ୍ର ତୃଷ୍ଣା। ଛକଡିର ଦ୍ୱିତୀୟ ପ୍ରଜନ୍ମ ନକଡି; ପିତାର ସ୍ମୃତି ପ୍ରତି ତାହାର ଟିକିଏ ବୋଲି ଶ୍ରଦ୍ଧା ନାହିଁ । ନକଡି ସହିତ ବାଞ୍ଚାରାମର ଯେଉଁ ଚୁକ୍ତି ରହିଛି, ତାହା ହେଲା, ପିତାର ପାପର ପ୍ରାୟଶ୍ଚିତ କରିବାକୁ ଯାଇ ସେ ପ୍ରତିମାସର ପହିଲା ତାରିଖରେ ବାଞ୍ଛାରାମକୁ ଦୁଇଶହ ଟଙ୍କା ଲେଖାଏଁ ଦେବ ଆଉ ଯେତେବେଳେ ତାହାର ମୃତ୍ୟୁ ହେବ ତାହାପରେ ତାହାର ଘରବାଡି ଭିଟାମାଟି ଆଉ ଏଇ ବଗିଚା ସବୁକିଛି ନକଡିର ହାତମୁଠାକୁ ଚାଲି ଆସିବ। ଆଉ ଏହା ଫଳରେ ଛକଡିର ପ୍ରେତାତ୍ମା ଶାନ୍ତି ପାଇବ।
ଏଇପରି ଗୋଟିଏ ଚୁକ୍ତି ଉପରେ “ସାଜାନୋ ବାଗାନ” ବା ସୁସଜ୍ଜିତ ବଗିଚା ଆଧାରିତ । ମାତ୍ର ଏଇ ଚୁକ୍ତିଟିର ପଛରେ ଯେଉଁ ପ୍ରତ୍ୟୟ , ଯେଉଁ ପ୍ରବଳ ତୃଷ୍ଣାଟି ସଂରଚିତ ହୋଇଯାଇଛି ତାହା ନକଡିକୁ ଗୋଚର ନୁହଁ, ତାହା ହେଉଛି ବାଞ୍ଛାରାମର ଭିତରେ “ବଞ୍ଚିବି.. ମୁଁ ବଞ୍ଚିରହିବି” ଭଳି ଏକ ଦୃଢ ଜୀବନ୍ତ ବୋଧର ଇଚ୍ଛାଶକ୍ତି।
“ସାଜାନୋ ବାଗାନ” ନାଟକଟିରେ ହସର ଉଲ୍ଲାସ ଅଛି, କରୁଣାର୍ଦ୍ର ପରିପ୍ରେକ୍ଷ୍ୟ ରହିଛି। ଆମ ଭାଷାରେ ଏଇ ନାଟକଟିର ସଫଳ ମଞ୍ଚନ ହୋଇଛି।
ଶ୍ରୀଯୁକ୍ତ ମନୋଜ ମିତ୍ର ଙ୍କୁ ସ୍ମରଣ କଲାବେଳେ ଉପସ୍ଥିତ ଲେଖକ ତାଙ୍କର ରଚିତ ଏକ ଏକାଙ୍କକୁ ଅନୁସୃଜନ କରିବାକୁ ମନସ୍ଥ କରିଛି।
ଏଇଠି ବି ଗୋଟିଏ ବଗିଚା ବା ବାଗାନ ରହିଛି, ସାହେବବାଗାନ। ଏଇଠି ଇଙ୍ଗିତ ଟି କିନ୍ତୁ ଭିନ୍ନ। ଏଇଠି ସୁନ୍ଦର ନୁହଁ, ବିଧ୍ୱଂସ ଆମର ଯଥାର୍ଥ ରଚନା କରେ।