ନ ପଠାଯାଇଥିବା ଚିଠି

ମୂଳ ଲେଖା : ସୁନୀଲ ଗଙ୍ଗୋପାଧ୍ୟାୟ || ଅନୁବାଦ : ଜ୍ୟୋତି ନନ୍ଦ

ମା, ତୁ କେମିତି ଅଛୁ ?
ମୋ ପୋଷା ବିରାଡି ଖୁଞ୍ଚୁ ସେ କେମିତି ଅଛି ?
ସେ ରାତିରେ କାହାର ପାଖରେ ଶୋଉଛି?
ଦିପହରରେ ସେ ଯେମିତି ଅଲ୍ଲୀ ସାହେବଙ୍କ ବଗିଚାକୁ ନଯାଏ ।
ମା, ମଞ୍ଚାରେ ଜହ୍ନିଲତାରେ ଫୁଲ ଧରିଛି ?
ତୁଳୀକୁ ମୋର ଡୋରିଆ ଶାଢୀଟାକୁ ପିନ୍ଧିବାକୁ କହ।
ଆଞ୍ଚଳର ଧଡିଟାକୁ ଯେମିତି ସିଲେଇ କରିନେବ ।
ତୁଳୀକୁ କେତେ ମାରିଛି ଆଉ କେଉଁଦିନ ମାରିବି ନାହିଁ ।

ମୁଁ ଭଲ ଅଛି। ମୋ ପାଇଁ ଚିନ୍ତା କରନା
ମା, ଘରେ ଏବେ କ'ଣ ପାଳର ନୂଆ ଛାଆଣି ଦେଇଛ ?
ଏଥର ତ ବର୍ଷା ହେଇଛି ଖୁବ୍
ତରଫଦାର ବାବୁଙ୍କ ଗଡିଆଟା କ'ଣ ଭାସି ଯାଇଛି?
କାଲୁ ଭୁଲୁମାନେ ମାଛ ପାଇଛନ୍ତି କିଛି?
ଥରେ ମେଘର ଡାକ ଶୁଣି କଉ ମାଛ ଉଠି ଆସିଥିଲେ ଶୁଖିଲା ମାଟିକୁ
ମୁଁ ଆମ୍ବଗଛର ତଳେ ଦିଇଟା କଉମାଛ ଧରିଥିଲି
ତୋର ମନେ ଅଛି ମା ?
ମନେ ଅଛି ଅଲ୍ଲୀ ସାହେବଙ୍କ ବଗିଚାର ସେଇ ନଡିଆ ?
ଚୋରି କରି ଆଣିନି, ମାଟିରେ ପଡିଥିଲା, କେହି ଦେଖିନି
ନଡିଆ ବରାର ସେ ସୁଆଦ, ଏଯାଏଁ ଜିଭରେ ଲାଗି ରହିଛି।

ଅଲ୍ଲୀ ସାହେବଙ୍କ ଭାଇ ମିଜାନ ମୋତେ ଖୁବ ଆଦର କରୁଥିଲା।
ବାବା ଦିନେ ଦେଖିଛି ଯେମିତି କାଠଫାଳିଆରେ ଖୁବ୍ ପିଟିଥିଲା ମୋତେ ।
ମୋର କି ଦୋଷ, କିଏ ଆଦର କଲେ ମୁଁ ନା କହି ପାରିବି ?
ମୋ ପିଠିରେ ଏଇଲେ ସେ ମାଡର ଦାଗ ରହିଛି।
ଅଲ୍ଲୀ ସାହେବଙ୍କ ବଗିଚାକୁ ଆଉ କେଉଁଦିନ ଯାଇନି।
ମୁଁ ଆଉ କେଉଁ ବଗିଚାକୁ ବି ଯାଇ ନି
ସେଇ ଦାଗଟି ଉପରେ ହାତ ବୁଲାଇଆଣିଲେ ବାବାର କଥା ମନେ ପଡେ।
ବାବାର ପାଇଁ ମୋର ଖୁବ୍ କଷ୍ଟ ହୁଏ
ମୁଁ ଭଲ ଅଛି, ଖୁବ୍ ଭଲ ଅଛି,
ବାବା ଯେମିତି ମୋ ପାଇଁ ଟିକିଏ ବୋଲି ନଭାବେ।

ତୁଳୀ କ'ଣ ଏଇଲେ ଭୂତକୁ ଭୟ ପାଏ, ମା
ତୁଳୀ ଆଉ ମୁଁ ଗଡିଆ ପାଖରେ
ଦଶରା ବେଳର ଦୁର୍ଗା ପ୍ରତିମା କୁ ଲାଗି
ଗଣେଶଙ୍କ ପାଖରେ ଯେପରି କଦଳୀଗଛ ଶାଢୀ ପିନ୍ଧି କଳା ବୋହୁ ହୁଏ
ସେଇ ଭଳି ଗୋଟିଏ କଳା ବୋହୁ କୁ ଦେଖିଥିଲୁ
ସେଇଦିନଠୁ ତୁଳୀର ଫିଟ୍ ର ଅସୁଖ ଆରମ୍ଭ ହେଲା
ଦାଦା ସେଇ କଦଳୀ ଗଛକୁ ମୂଳରୁ କାଟି ପକାଇଲା
ମୁଁ କିନ୍ତୁ ଭୟ ପାଇନି,ତୁଳୀକୁ କେତେ ଡରେଇଛି
ମୋର ପୁଣି ରାତି ଅଧରେ ସେଇ କଳା ବୋହୁ ଦେଖିବାକୁ ଈଚ୍ଛା ହୁଏ ।
ହଁ, ଭଲ କଥା, ଦାଦା କ'ଣ କିଛି କାମ ପାଇଛି ?
ନକୁଳ ବାବୁ ଯେ କହୁଥିଲେ, ବରହମପୁରକୁ ନେଇ ଯିବେ
ଦାଦାକୁ କହିବୁ ତା' ଉପରେ ମୁଁ ରାଗ କରିନି
ରାଗକୁ ପୋଷି ରଖିଲେ ମଣିଷର ବଡ କଷ୍ଟ
ମୋର ଶରୀରରେ ଆଉ ରାଗ ନାହି,
ମୁଁ ଆଉ ଟୋପାଏ ବୋଲି କାନ୍ଦୁନି।

ମା,ମୁଁ ରୋଜ ଦୋକାନର ଖାଇବା ଖାଏ
ହୋଟେଲରୁ ଦିବେଳା ମୋର ଖାଇବା ଆଣି ଦିଅନ୍ତି
ମାଂସ ତୁଣ୍ଡରେ ଦିଏ ଆଉ ତୁଳୀର କଥା,
କାଲୁ-ଭୁଲୁର କଥା ମନେ ପଡେ
ତମର ଗାଆଁରେ ପୋଟଳ ମିଳେ ନି
ମୁଁ ଆଳୁ ପୋଟଳର ତରକାରୀ ଖାଏ,
ପୋଟଳ ଭଜା ବି ଖାଏ
ହୋଟେଲ ରେ କିନ୍ତୁ କେବେ ଶାଗ ରୋଷେଇ ହୁଏନା
ପୋଖରୀ ଦାଢରୁ ତୁଳୀ ଆଉ ମୁଁ ବାଛି ଆଣୁଥିଲୁ କଳମୀ ଶାଗ
କେତେ ଭଲ, କେତେ ଭଲ, ବିନା ପଇସାରେ
କଳମୀ ଶାଗ ଆଉ ମୋ ଭାଗ୍ୟରେ ଜୁଟିବାର ନାହିଁ।

ଜୋର ହାୱା ଦେଲେ ତାଳଗଛର ପତ୍ର ଶରଶର କରେ
ଠିକ୍ ବର୍ଷା ପଡିବା ଭଳି ଶବ୍ଦ ହୁଏ।
ଏଇ ଭାଦ୍ରମାସରେ ତାଳ ପାଚେ ଡୁବ ଡୁବ କରି ତାଳ ପଡେ।
ଘରର ଦିଇଟି ଯାକ ତାଳଗଛ ଅଛି ତ?
କାଳୁ ତାଳବରା ବଡ ଭଲପାଏ, ସୁବିଧା ହେଲେ ଦିନେ ତିଆରି କର୍
ତେଲ ର ଖୁବ୍ ଦାମ ଜାଣେ,
ତେବେ ଦିନେ ହେଲେ ଛାଣି ଦେ।

ମୋତେ ବିକ୍ରି କରିଦେଇ ଛ'ହଜାର ଟଙ୍କା ପାଇଥିଲ
ସେଥିରେ ଗାଈ ପଟେ କିଣା ହେଇଛି ତ ?
ସେଇ ଗାଈଟା ଭଲ ଦୁଧ ଦିଏ ?
ମୋ ଭଳି ଝିଅ ଠାରୁ ଗାଈ ଅନେକ ଭଲ
ଗାଈର ଦୁଧ ବିକ୍ରୀ କରି ସଂସାରର ସୁସାର ହୁଏ
ଗାଈର ବାଛୁରୀ ହୁଏ, ସେଥିରେ ବି କେତେ ଆନନ୍ଦ ହୁଏ
ଘରେ କନ୍ୟା ସନ୍ତାନ ଥିଲେ କେତେ ଜ୍ୱାଳା
ଦି ବେଳା ଭାତ ଦିଅରେ, ଶାଢୀ ଦିଅରେ,
ବାହା ର ଯୋଗାଡ କରରେ
ହାବଲୁ, ମିଜାନ, ଶ୍ରୀଧରର ପଞ୍ଝାରୁ ଝିଅକୁ ବଞ୍ଚାଅରେ।
ମୁଁ କ'ଣ ବୁଝିନି? ସବୁ ବୁଝେ
ସେଇଥିପାଇଁ ତ ମୋର କୌଣସି ରାଗ ନାହିଁ, ଅଭିମାନ ନାହିଁ ।
ମୁଁ ତ ଭଲରେ ଅଛି, ଖାଇ ପିନ୍ଧି ରହିଛି।
ତମେମାନେ ସେଇ ଟଙ୍କାରେ ଘର ବାଡି ସବୁ ସଜାଡି ନିଅ ଠିକଠାକ୍।
କାଲୁ-ଭୁଲୁକୁ ସ୍କୁଲକୁ ପଠାଅ
ତୁଳୀକୁ ବ୍ରଜେନ ଡାକ୍ତରର ଔଷଧ ଖୁଆଅ।
ତୁ ଗୋଟିଏ ଶାଢୀ କିଣ୍, ବାବା ପାଇଁ ଗୋଟେ ଧୋତି
ଦାଦାର ଗୋଟିଏ ଘଡିରେ ସଉକି,ତାହା କ'ଣ ଏତିକି ଟଙ୍କାରେ କୁଳେଇବ ?
ମୁଁ କିଛି ଟଙ୍କା ଜମେଇଛି, ସୁନାର ଦୁଲ୍ ଗଡେଇଛି।
ଦିନେ କ'ଣ ହେଲା ଜାଣିଛୁ ମା?
ଆକାଶରେ ଖୁବ୍ ମେଘ ଜମାଟ ବାନ୍ଧିଥିଲା,
ଦିନବେଳାରେ ଘୋରଘୋଟି ଅନ୍ଧକାର।
ମନଟା ହଠାତ୍ କେମିତି କେମିତି ହେଲା
ଦିପହରେ ଚୁପିଚୁପି ବାହାରି ଟ୍ରେନରେ ଚଢି ବସିଗଲି
ଷ୍ଟେସନରେ ଓହ୍ଲାଇ ଦେଖେ ଗୋଟିଏ ବୋଲି ସାଇକେଲ ରିକସା
ଖୁବ୍ ଇଚ୍ଛା ହେଲା
ଥରୁଟିଏ ଯାଇ ଘରଟା ଦେଖି ଆସେ।
ରଥତଳାର ବୁଲାଣି ଆସୁ ଆସୁ କିଏ ଯେମିତି ଚିତ୍କାର କରି ଉଠିଲା,
କିଏ ଯାଉଛି? କିଏ ଯାଉଛି ?
ଦେଖେ ଯେ ହାବୁଲ-ଶ୍ରୀଧରଙ୍କ ସାଙ୍ଗରେ ତାସ୍ ପିଟୁଛି ଦାଦା,
ମୋତେ କହିଲା, ହାରାମଜାଦୀ କାହିଁକି ଫେରି ଆସିଛୁ ?
ମୁଁ ଭୟ ପାଇ କହିଲି,
ଫେରି ଆସିନି, ରହିବାକୁ ଆସିନି
ଥରଟିଏ ଖାଲି ଦେଖିବାକୁ ଆସିଛି
ହାବୁଲ କହିଲା, ଏଇଟା ଗୋଟେ ବେଶ୍ୟା ବଜ୍ଜାତ ମାଈକିନା,
କେମିତି ଜାଣିଲୁ କହ ତ,
ସେକଥା ମୋ ଦେହରେ କ'ଣ ଲେଖାହୋଇ ରହିଛି?
ଆଉ ଗୋଟିଏ ଟୋକା, ଚିହ୍ନି ନି, କହିଲା, ଛି ଛି ଛି, ଗାଆଁର ବଦନାମ
ହାବୁଲ ରିକଶାବାଲାକୁ ଆଖି ଦେଖାଇ କହିଲା, ଫେରିଯା
ମୁଁ କହିଲି,ଦାଦା, ମୁଁ ମା ପାଇଁ କିଛି ଟଙ୍କା ଆଣିଛି
ଆଉ ତୁଳୀ ପାଇଁ..
ଦାଦା ମୋତେ ଭିଡି ଆଣି ଗୋଟାଏ ଚାପଡ କଷିଦେଲା ମୋ ଗାଲରେ

ମୋତେ ବିକ୍ରୀ କରିବା ଟଙ୍କା, ହକ ର ଟଙ୍କା,
ଆଉ ମୋର ରୋଜଗାରର ଟଙ୍କା ମଇଳା ଦୁର୍ଗନ୍ଧର ଟଙ୍କା
ଦାଦା ସେଇ ପାପର ଟଙ୍କାକୁ ଛୁଇଁବ ନାହିଁ, ଛଡାଇ ନେଲା ଶ୍ରୀଧର
ମୋତେ ସେମାନେ ଦୂର ଦୂର କରି ତଡିଦେଲେ।
ମୁଁ ତଥାପି ଦାଦାର ଉପରେ ରାଗ କରିନି
ଦାଦା ତ ଠିକ୍ କରିଛି,
ମୁଁ ତ ଆଉ ଦାଦାର ଭଉଣୀ ନୁହଁ
ତମମାନଙ୍କର ଝିଅ ନୁହଁ, ତୁଳୀର ଦିଦି ବି ନୁହଁ

ମୋର ଟଙ୍କା ନେଲେ ତମର ସଂସାରର ଅକଲ୍ୟାଣ ହେବ
ନା, ନା ମୁଁ ଚାହେଁ ତମେମାନେ ସଭିଏଁ ଭଲରେ ଥାଅ
ଗାଈଟା ଭଲ ଥାଉ,ତାଳଗଛ ଦିଇଟା ଭଲ ଥାଉ
ଗଡିଆରେ ମାଛ ହୁଅନ୍ତୁ, କ୍ଷେତରେ ଧାନ ହେଉ,
ଜହ୍ନି ମଞ୍ଚାରେ ଢେର୍ ଫୁଲ ଫୁଟୁ
ଆଉ କେଉଁଦିନ ଏଇ ଗାଆଁକୁ ଅପବିତ୍ର କରିବାକୁ ଯିବିନାହିଁ ।

ମୁଁ ଖଟ ବିଛଣାରେ ଶୁଏ, ନୀଳ ରଂଗର ମଶାରୀ,
ଦରଜା ଆଗରେ ପାପୋଛ ଅଛି,ଦିଆଲରେ ମା ଦୁର୍ଗାଙ୍କ ଛବି
ଆଲମାରି ଭର୍ତ୍ତି କାଚର ଗିଲାସ
ବନବନ କରି ପଙ୍ଖା ଘୁରୁଥାଏ। ସାବୁନ ଲଗାଇ ରୋଜ ଗାଧାଏ
ଏଠିକାର କୁକୁରମାନେ ସାରା ରାତି ଘେଉଁ ଘେଉଁ କରନ୍ତି
ତାହାଲେ ବୁଝୁଛୁ, କେମିତି ଆରାମରେ ଅଛି ମୁଁ?
ମୁଁ ଆଉ ତୋ'ର ଝିଅ ନୁହଁ, ତେବେ ତୁ ମୋର ମା
ତୋ'ର ଆଉ ପୁଅଝିଅ ଅଛନ୍ତି,
ମୁଁ ଆଉ ମା ପାଇବି କାହୁଁ?
ସେଇଥି ପାଇଁ ତ ତୋତେ ଚିଠି ଲେଖୁଛି ମା

ତୋ ପାଖରେ ଗୋଟିଏ ଖୁବ୍ ଅନୁରୋଧ ଅଛି
ତୂଳୀକୁ ଟିକିଏ ଯତ୍ନ କର, ସେ ବିଚାରୀ ଭାରି ଦୁର୍ବଳ
ଯେତେ ବି ଅଭାବ ହେଉ, ତେବେ ତୂଳୀକୁ କେବେ ତମେମାନେ ...
ତୋ ପାଦତଳେ ପଡୁଛି ମା, ତୁ ବାବାକୁ ବୁଝାଇ କହ,
ତୂଳୀକୁ ଯେମିତି ମୋ ଭଳି ଆରାମର ଜୀବନକୁ ନ ପଠାଏ
ଯେମିତି ହେଉ ପଛକେ, ତୂଳୀକୁ ବାହା କରିଦିଅ
ତାହାର ଗୋଟିଏ ନିଜସ୍ୱ ଘରସଂସାର, ଜଣେ ନିଜର ମଣିଷ।
ଆଉ ଯଦି କୌଣସିମତେ ତାହାର ବାହା ଦେଇ ନ ପାର
ତାହାକୁ କୁହ ଗଳାରେ ଦଉଡି ଦେଇ ମରିଯାଉ
ମରିଲେ ସେ ତରିଯିବ।

ନା ନା ନା, ଇଏ କି ଅଲକ୍ଷଣା କଥା କହୁଛି ମୁଁ
ତୁଳୀ ବଂଚି ରହୁ, ଆଉ ସଭିଏଁ ବଂଚିବର୍ତ୍ତି ରହନ୍ତୁ
ତୁଳୀର ବାହାଘର ହଉ କି ନ ହଉ
ହେ ଭଗବାନ, ଗରୀବର ଘରେ ଝିଅ କ'ଣ ବାହା ନହେଲେ ବଞ୍ଚି ପାରିବ ନାହିଁ ?
ବାହା ନହେଲେ ହିଁ ଗାଆଁ ର ସଭିଏଁ ତାହାକୁ ଆଘାତ କରିବେ ?
ପାଦ ଦୁଇଟିକୁ ଶକ୍ତ କରି ତୁଳୀ କୁଆଡକୁ ଚାଲି ଯାଉ
ପଡିଆକୁ ପାର ହୋଇ, ଖାଲଖମାକୁ ପାରହୋଇ, ଜଙ୍ଗଲକୁ ପାରହୋଇ
ଆହୁରି ଦୂରକୁ, ଆହୁରି ଅନେକ ଦୂରକୁ, ଯେଉଁଆଡେ ପହଞ୍ଚିଯାଏ ଦି ଆଖି
ଏମିତି ଜାଗା ନିଶ୍ଚୟ ହିଁ କେଉଁଠି ଅଛି, କେଉଁଠି ନା କେଉଁଠି ଅଛି
ଯେଉଁଠି ମଣିଷମାନେ ସବୁ ମଣିଷର ଭଳି
ଆଞ୍ଚୁଡି ଦିଅନ୍ତି ନି,କାମୁଡି ଦିଅନ୍ତି ନି,ଦେହରେ ଚେଙ୍କ ଦିଅନ୍ତି ନି,ଗୋଇଠା ମାରନ୍ତି ନି
ଯେଉଁଠି ଗୋଟିଏ ଝିଅ,ଖାଲି ଝିଅ ନୁହଁ,ମଣିଷ ର ପରିକା ବଞ୍ଚି ପାରେ
ମା, ତୁ ମୋର ମା, ମୁଁ ହଜି ଯାଇଅଛି
ତୁଳୀକୁ ତୁ… ତୁଳୀ ଯେମିତି… ମୋ ଭଳି ନହୁଏ !

°°°°°

ଏଇ କବିତାଟି ସର୍ବଦା ଖୁବ୍ ଆକ୍ରାନ୍ତ କରେ।
ଏଇ କବିତାଟି ମୂଳଭାଷା ବଙ୍ଗଳାରେ ଆବୃତ୍ତିକାରମାନଙ୍କର ଅତ୍ୟନ୍ତ ପ୍ରିୟ।
ସୁନୀଲ ଗଙ୍ଗୋପାଧ୍ୟାୟ (୧୯୩୪-୨୦୧୨) ପ୍ରଖ୍ୟାତ ଭାରତୀୟ କବି।

About Jyoti Nanda

Jyoti Nanda is a writer, translator based in Bhubaneswar.

View all posts by Jyoti Nanda →

3 Comments on “ନ ପଠାଯାଇଥିବା ଚିଠି”

  1. କଷ୍ଟ ହେଲା ପଢିକି
    ଲୁହ ରୋକିବାକୁ ହେଲା ଅନେକ ଧାଡିରେ
    ମଣିଷ କି କାନ୍ଦିପାରେ ଖୋଲାରେ!
    ମଣିଷ କି କାନ୍ଦିଦେଇ ପାରେ ସବୁଠି!
    ତଥାପି ପାରିବାକୁ ହୁଏ
    …. କେଜାଣି ଗୋଟେ କେମିତି ।।

    ଲୋପାମୁଦ୍ରା

  2. ସତରେ ଏଇ କବିତା ଖୁବ୍ ଖୁବ୍ ଆକ୍ରାନ୍ତ କଲା। ଜ୍ୟୋତି ସର୍ ଏହାର ମର୍ମାନୁବାଦ ଏତେ ହୃଦୟସ୍ପର୍ଶୀ ଭାବେ କରିଛନ୍ତି ଯେ ପଢ଼ିଲାବେଳେ କୋହ ଲୁହ ଦୀର୍ଘଶ୍ଵାସ ଏକାକାର ହେଇଗଲା।

Comments are closed.